Wednesday, February 01, 2017

ଦକ୍ଷିଣ ଆଫ୍ରିକା ଓ ବର୍ଣ୍ଣ ବୈଷମ୍ୟବାଦ



ହେକ୍ଟର ପିଏତର୍ସନଙ୍କୁ ଧରି ମ୍ବୁସିଆ ମାଖୁବୋ ଧାବମାନ
ପାଖରେ ଚାଲୁଛନ୍ତି ତାଙ୍କର ଭଉଣୀ ଆନ୍ତୋନେତ ସେଥୋଲେ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦକ୍ଷିଣ ଆଫ୍ରିକା ଗୋଟିଏ ଦେଶ । ଏଥିରେ ଗୋରା, କଳା, ଶ୍ୟାମଳ (ଅର୍ଥାତ ଭାରତୀୟ) ଆଦି ଅନେକ ବର୍ଣ୍ଣର ଲୋକେ ବସବାସ କରନ୍ତି । କଳା ଲୋକେ ହେଲେ ଦକ୍ଷିଣ ଆଫ୍ରିକାର ମୂଳ ନିବାସୀ । ଗୋରା ଲୋକେ ଅନେକ ପରେ ସେଠାକୁ ବସବାସ କରିବାକୁ ଆସିଲେ । ଭାରତୀୟ ମୂଳର ଲୋକେ ଏହି ଦେଶକୁ ଶ୍ରମିକ ଓ ବେପାରୀ ଭାବେ କାମ କରିବାକୁ ଯାଇ ସେଠାରେ ରହିଗଲେ ।

ମାୟା ନାଇଡ଼ୁ ଏଗାର ବରଷ ବୟସର ଗୋଟିଏ ଝିଅ । ସେ ଜୋହାନସବର୍ଗ ସହରରେ ରହେ । ସେ ଥରେ ନିଜ ମା’ଙ୍କୁ ପୂରୁଣା ବାକୁସପତର ସଫା କରିବାରେ ସାହାଯ୍ୟ କରୁଥିଲା । ଏହି କାମ କରୁକରୁ ସେ ଥରେ ଚିତ୍ର ଓ ଖବରକାଗଜ ଲେଖାରେ ଭର୍ତ୍ତି ହୋଇଥିବା ଗୋଟିଏ ସ୍କ୍ରାପବୁକ ପାଇଲା । ସେଥିରେ ପାଖାପାଖି ପନ୍ଦର ବରଷ ବୟସର ଗୋଟିଏ ବାଳକର ଅନେକ ଫଟୋ ଥିଲା । ମାୟା ମାଆଙ୍କୁ ପଚାରିଲା ଯେ ସେ ପିଲାଚି କିଏ ବୋଲି । ମାଆ କହିଲେ, ସେ ପିଲାଟି ହେଲା ହେକ୍ଟର ପିଏତର୍ସନ । ପୋଲିସ ତାକୁ ଗୁଳି ମାରି ଦେଇଥିଲା । ମାୟାକୁ ଏହା ଶୁଣି ବିଚିତ୍ର ଲାଗିଲା । ସେ ପଚାରିଲା, “କାହିଁକି ?”

ତାହାର ମା କହିଲେ ଯେ ଦକ୍ଷିଣ ଆଫ୍ରିକାରେ ଆଗରୁ ବର୍ଣ୍ଣବୈଷମ୍ୟ ନିୟମ ଚଳୁଥିଲା । ବର୍ଣ୍ଣବୈଷମ୍ୟର ଅର୍ଥ ହେଲା, ଦେହର ବର୍ଣ୍ଣର ଭିତ୍ତିକ ରେସ୍ ର ଅବଧାରଣାକୁ ନେଇ ଭେଦଭାବ ଓ ଲୋକମାନଙ୍କୁ ଅଲଗା ଅଲଗା ରଖିବା । ଏହି ନୀତିନିୟମଗୁଡ଼ିକ ଅନୁସାରେ ଦକ୍ଷିଣ ଆଫ୍ରିକାର ଲୋକମାନଙ୍କୁ ଗୋରା, କଳା, ଭାରତୀୟ ଓ ରଞ୍ଜିତ (କଲରେଡ଼), ଏହିପରି ଚାରୋଟି ବର୍ଗରେ ଭାଗ କରିଦିଆଯାଇଥିଲା । ନିୟମ ଅନୁସାରେ ଏହି ଚାରି ବର୍ଗର ଲୋକେ ଏକାଠି ମିଶିବା, ପରସ୍ପରର ପାଖରେ ବସବାସ କରିବା, ଏପରିକି ଗୋଟିଏ ସାଧାରଣ ଫାସିଲିଟି ବ୍ୟବହାର କରିବା ମଧ୍ୟ ବାରଣ ଥିଲା ।

ମାୟା ଏହା ମାଆଙ୍କଠାରୁ ଶୁଣି ମଧ୍ୟ ବିଶ୍ୱାସ କରିପାରିଲା ନାହିଁ । ବର୍ଣ୍ଣବୈଷମ୍ୟ ବ୍ୟବସ୍ଥାରେ ଚଳିବା ବିଷୟରେ ବର୍ଣ୍ଣନା କଲାବେଳେ ମାୟାର ମାଆ କ୍ରୋଧିତ ଜଣା ପଡ଼ୁଥିଲେ । ସେ ତାକୁ କହିଲେ ଯେ ସେ ସମୟରେ ଡାକ୍ତରଖାନା, ଏପରିକି ଆମ୍ବୁଲାନ୍ସ୍ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅଲଗା ଅଲଗା ଥିଲା । ଗୋରା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସରେ ଭଲ ସୁବିଧା ଥିଲା । ହେଲେ କଳା ଲୋକଙ୍କର ଆମ୍ବୁଲାନ୍ସରେ ସେସବୁ କିଛି ନଥିଲା । ବସ ଓ ରେଳର ବ୍ୟବସ୍ଥା ମଧ୍ୟ ଅଲଗା ଅଲଗା ଥିଲା । ଗୋରା ଓ କଳା ଲୋକଙ୍କ ପାଇଁ ବସ ସ୍ଟପ ମଧ୍ୟ ଭିନ୍ନ ଭିନ୍ନ ଥିଲା ।

ଅଣ-ଶ୍ୱେତ ଲୋକଙ୍କର ଭୋଟ ଦେବାର ଅଧିକାର ନଥିଲା । ଦେଶର ସବୁଠାରୁ ଭଲ ଜମିଜମା ଗୋରା ଲୋକଙ୍କ ପାଇଁ ସଂରକ୍ଷିତ ଥିଲା । ଅଣ-ଶ୍ୱେତ ଲୋକମାନଙ୍କୁ ସବୁଠାରୁ ଖରାପ ଯାଗାରେ ରହିବାକୁ ପଡ଼ୁଥିଲା । ଅତଏବ, କଳା, ଭାରତୀୟ ମୂଳର ଓ ରଞ୍ଜିତ ଲୋକଙ୍କୁ ଗୋରା ଲୋକଙ୍କର ସମାସ୍କନ୍ଧ ବୋଲି ଗଣାଯାଉନଥିଲା ।

ଏହିପରି ଗୋଟିଏ କଳା ବସ୍ତି ଥିଲା ଦକ୍ଷିଣ ପଶ୍ଚିମ ଟାଉନସିପ (ସାଉଥ ୱେଷ୍ଟର୍ଣ୍ଣ ଟାଉନସିପ) ବା ସୋୱେଟୋ । ହେକ୍ଟର ପିଏତର୍ସନ ସେଠାରେ ରହୁଥିଲା । ସେ ଓ ତାହାର ସାଙ୍ଗମାନେ ବିଦ୍ୟାଳୟରେ ଆଫ୍ରିକାନ୍ସ ଭାଷା ଶିଖିବା ବିରୁଦ୍ଧରେ ସଙ୍ଗ୍ରାମରେ ଯୋଗ ଦେଇଥିଲେ । ଆଫ୍ରିକାନ୍ସ ଭାଷା ଥିଲା ଦକ୍ଷିଣ ଆଫ୍ରିକାର ଗୋରା ଲୋକମାନଙ୍କର ଭାଷା । ହେକ୍ଟର ଓ ତାହାର ବନ୍ଧୁମାନହଙ୍କୁ ଏହି ଭାଷା ଶିଖିବାକୁ ବାଧ୍ୟ କରାଯାଉଥିଲା । ହେଲେ ସେମାନେ ନିଜର ମାତୃଭାଷା ଜୁଲୁ ଶିଖିବାକୁ ଚାହୁଁଥିଲେ । ଦକ୍ଷିଣ ଆଫ୍ରିକାର ପୋଲିସ ନିର୍ଦ୍ଦୟ ଭାବରେ ଆନ୍ଦୋଳନକାରୀମାନଙ୍କୁ ପିଟିଲା । ଲୋକଙ୍କ ଉପରେ ଗୁଳି ମଧ୍ୟ ଚଳାଇଲା । ସେମାନଙ୍କ ଗୋଟିଏ ଗୁଳି ଯାଇ ହେକ୍ଟର ଦେହରେ ବାଜିଲା । ଏହି ଘଟଣାଟି ଘଟିଥିଲା ୧୬ ଜୁନ, ୧୯୭୬ ମସିହାରେ ।

ଆଫ୍ରିକୀୟ ଜାତୀୟ କଙ୍ଗ୍ରେସ ନାମକ ସଙ୍ଗଠନ ବର୍ଣ୍ଣବୈଷମ୍ୟ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ୁଥିବା ଅନୁଷ୍ଠାନମାନଙ୍କ ଭିତରେ ଅଗ୍ରଗଣ୍ୟ ଥିଲା । ଏହି ସଙ୍ଘଠନ ଓ ଏହାର ସବୁଠାରୁ ଜଣାଶୁଣା ନେତା ନେଲସନ ମଣ୍ଡେଲା ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ବର୍ଷବର୍ଷ ଧରି ଲଢ଼ିଲେ । ଶେଷକୁ ସେମାନେ ସଫଳ ହେଲେ । ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକା ଏକ ଗଣତାନ୍ତ୍ରିକ ଦେଶ ବନିଲା । ସେଠାରେ ସବୁ ବର୍ଣ୍ଣର ଲୋକଙ୍କୁ ସମାନ ବୋଲି ଗଣାଗଲା ।  

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର.ଟି. ଛାପିଥିବା ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ ଆଣ୍ଡ ପଲିଟିକାଲ ଲାଇଫ - ୧' ର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଅଂଶର ଅନୁବାଦ ଅଟେ ।

Friday, January 20, 2017

ଟୀକାଯୁକ୍ତ ପାଠ୍ୟସୂଚୀ-୧



Bang, Abhay. Magic School.

           
ନିଜ ବିଦ୍ୟା‌ଳୟ ଜୀବନର କିଛି ସ୍ମୃତିକୁ ନେଇ ଡାକ୍ତର ବାଙ୍ଗ୍ ଏହି ଛୋଟ ବହିଟିକୁ ଲେଖିଛନ୍ତି । ମହାରାଷ୍ଚ୍ରର ୱାର୍ଦ୍ଧା ନିକଟରେ ଅବସ୍ଥିତ ସେବାଗ୍ରାମ ଆଶ୍ରମରେ ଲେଖକ ବିଦ୍ୟାଳୟ ଶିକ୍ଷା ଲାଭ କରିଥିଲେ । ଏହି ବିଦ୍ୟାଳୟରେ ଗାନ୍ଧିଜୀଙ୍କ ଦ୍ୱାରା ପରିକଳ୍ପିତ “ନୟୀ ତାଲିମ୍” ବା ମୌଳିକ ଶିକ୍ଷା ପଦ୍ଧତି ଅନୁସରଣ କରାଯାଉଥିଲା । ସେଠାରେ ବିଦ୍ୟାଳୟ ଶିକ୍ଷାକୁ ନେଇ ବିଭିନ୍ନ ପ୍ରକାରର ପ୍ରୟୋଗ ହେଉଥିଲା । ଏହି ବହିଟିରେ ଲେଖକ ସେହିଭଳି କେତେକ ପ୍ରୟୋଗର ସ୍ମୃତିଚାରଣ କରିଛନ୍ତି । ସେଗୁଡିକ ହେଲା: ଶିକାରୀରୁ ବନ୍ୟଜୀବଙ୍କ ଫଟୋଗ୍ରାଫରରେ ପରିଣତ ହୋଇଥିବା ଜଣେ ଶିକ୍ଷକଙ୍କ ଠାରୁ କାହାଣୀ ମାଧ୍ୟମରେ ବନ୍ୟଜୀବଙ୍କ ବିଷୟରେ ଜ୍ଞାନ ଆହରଣ କରିବା, ସନ୍ଥଙ୍କର ଉତ୍ସବ ପାଳନ କରି ଭାଷା, ସଙ୍ଗୀତ ଓ ଦର୍ଶନ ବିଦ୍ୟା ଶିକ୍ଷା କରିବା, ଖବରକାଗଜ ଓ ଭ୍ରମଣ କାହାଣୀରୁ ଭୂଗୋଳ, ଇତିହାସ ଓ ରାଜନୀତି ବିଜ୍ଞାନର ଆଲୋଚନା ଇତ୍ୟାଦି ବିଷୟ। ବିଦ୍ୟାଳୟରେ ପଢୁଥିବା ସମୟରେ ଲେଖକ ଶିକ୍ଷକ ଓ ସହପାଠୀଙ୍କ ସହ ପରିଭ୍ରମଣ କରି ଗଛଲତାମାନଙ୍କ ବିଷୟରେ ଯେଉଁ ଜ୍ଞାନଲାଭ କରିଥିଲେ ତାହା କିପରି ପରବର୍ତ୍ତୀ କାଳରେ ତାଙ୍କୁ ଉଦ୍ଭିଦବିଜ୍ଞାନ ଅଧ୍ୟୟନରେ ବିଶେଷ ସହାୟତା କରିଥିଲା ତାହା ମଧ୍ୟ ଆମେ ଜାଣିବାକୁ ପାଉ । 

ବର୍ତ୍ତମାନର ଶିକ୍ଷା ପଦ୍ଧତି ଯେ କେତେ ନୀରସ ଓ ବାସ୍ତବ ଜୀବନଯାପନ ଦୃଷ୍ଟିରୁ ଅପ୍ରାସଙ୍ଗିକ ତାହା ସୂଚାଇବା ପାଇଁ ଲେଖକ ତାଙ୍କ ବିଦ୍ୟାଳୟର ବିକଳ୍ପ ପଦ୍ଧତିଗୁଡିକର ଅବତାରଣା କରିଛନ୍ତି । କୃଷିକାର୍ଯ୍ୟ, ରୋଷେଇ ଓ ଅନ୍ୟାନ ଗଠନମୂଳକ କାର୍ଯ୍ୟକଳାପ କିପରି ଶିକ୍ଷଣ ପ୍ରକ୍ରିୟାର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ସାଜିଥିଲା ତାହାର ଏକ ସାବଲୀଳ ବର୍ଣ୍ଣନା ଲେଖକ ଦେଇଛନ୍ତି ଓ ଶେଷରେ ଶୋକ ପ୍ରକାଶ କରିଛନ୍ତି ଯେ ସେହି ଯାଦୁକରୀ ବିଦ୍ୟାଳୟଟି ଆଉ ଏବେ ନାହିଁ ।

Wednesday, January 18, 2017

ନୟୀ ତାଲିମ ବକ୍ତୃତାମାଳା-୩


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ: ମ୍ୟାକଲେବାଦ ବନାମ ଫୁଲେ-ଗାନ୍ଧୀ-ଆମ୍ବେଦକରଙ୍କର ମୁକ୍ତିଦାୟୀ ଶୈକ୍ଷିକ ବିମର୍ଷ




ଆଦରଣୀୟ କୁଳାଧିପତି ନାରାୟଣ ଭାଇ, କୁଳପତି ସୁଦର୍ଶନ ଭାଇ, ବି.ଏଡ୍ କଲେଜର ଅଧ୍ୟକ୍ଷ ଡକ୍ଟର ପାଣ୍ଡ୍ୟା, ବିଦ୍ୟାପୀଠର ବିଦ୍ୟାର୍ଥିଗଣ, ଅଧ୍ୟାପକଗଣ, ଓ ଅହମଦାବାଦର ଚିନ୍ତାଶୀଳ, ବିଚାରଶୀଳ, ସଚେତନ ନାଗରିକଗଣ ଏବଂ ସବୁଠୁଁ ବେଶୀ, ନୟୀ ତାଲିମରେ ମୋର ଗୁରୁ ଜ୍ୟୋତିଭାଇ ଦେଶାଇ।

ଏବେ କୁଳାଧିପତି ନାରାୟଣ ଭାଇ ବହୁତ ହିଁ କମ ଶବ୍ଦରେ ଗୋଟିଏ ଅତି ବିଚାରଶୀଳ ଓ ପ୍ରଖର କଥାଟିଏ କହିଲେ । ସେହି କଥାଟି କହି ସେ ଆମର ସାତଟି ବକ୍ତୃତା ପାଇଁ ଏକ ସ୍ପଷ୍ଟ ଢାଞ୍ଚାଟିଏ ପ୍ରସ୍ତୁତ କରିଦେଲେ । ସେ ଦୁଇଟି ବିନ୍ଦୁ ଉପସ୍ଥାପନ କଲେ: ଆଜିର ଶିକ୍ଷା ଯଥାସ୍ଥିତିକୁ ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ ଓ ଯିଏ ଏହାକୁ ବଦଳେଇବା ପାଇଁ କାମ କରୁଛନ୍ତି, ସେ ନୟୀ ତାଲିମର କାମ କରୁଛନ୍ତି । ଆମର ସାତୋଟି ବକ୍ତୃତାରେ ମୁଁ ଟିକିଏ ଚେଷ୍ଟା କରିବି କି ସେ ଯେଉଁ ଦୁଇଟି ଆହ୍ୱାନ ଆମ ସମ୍ମୁଖରେ ରଖିଛନ୍ତି ଆମେ ତାହା ଉପରେ କିଛି ଧାରଣା ସୃଷ୍ଟି କରିବା ଓ ଭବିଷ୍ୟତ ପାଇଁ ନୂଆ କର୍ମପନ୍ଥା ଖୋଜିବା ।

ଏ ବିଦ୍ୟାପୀଠକୁ ମୁଁ ତୃତୀୟ ଥର ପାଇଁ ଆସୁଛି । ପ୍ରଥମ ଥର ୧୯୭୦ରେ ଆସିଥିଲି, ଚାଳିଶ ବର୍ଷ ପୂର୍ବେ, ଯେତେବେଳେ ଜ୍ୟୋତିଭାଇ ଦେଶାଇଙ୍କର ପ୍ରସ୍ତାବ ଆନୁସାରେ ମୁଁ ନୟୀ ତାଲିମ ସଂସ୍ଥାଗୁଡିକର ଅଧ୍ୟୟନ ଆରମ୍ଭ କରିଥିଲି । ସେତେବେଳେ ମୁଁ ଭାରତ ସରକାରଙ୍କର ଏକ ସଂସ୍ଥା - ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚରେ ବୈଜ୍ଞାନିକ ଥିଲି । ସେତେବେଳେ ମୋର ଜ୍ୟୋତିଭାଇଙ୍କ ସହ ସାକ୍ଷାତ ହେଲା ଓ ସେ କହିଲେ – “ପ୍ରଥମେ ବୁଝି ତ ନିଅ, ଦେଶରେ କ’ଣ ଘଟୁଛି !” ତେଣୁ ମୁଁ ସନୋସ୍ରାରେ ଲୋକ ଭାରତୀକୁ ଗଲି, ଗୁଜୁରାଟ ବିଦ୍ୟାପୀଠକୁ ଆସିଲି, ଆଉ ଯେଉଁଠାରେ ଜ୍ୟୋତିଭାଇ ଥିଲେ- ବେଦଚ୍ଚୀ, ସେଠାକୁ ବି ଗଲି । ଏହା ବ୍ୟତୀତ ବିହାର, ଉତ୍ତର ପ୍ରଦେଶ, ତାମିଲନାଡୁ, ପଶ୍ଚିମ ବଙ୍ଗ, ମହାରାଷ୍ଟ୍ରରେ ଅବସ୍ଥିତ ଅନେକ ସଂସ୍ଥାକୁ ଗଲି । ଏହା ମୋର ଅଧ୍ୟୟନ ଯାତ୍ରା ଥିଲା । ସେବେଠାରୁ ମୁଁ ଆଜି ଯାଏଁ ନୟୀ ତାଲିମର ଜଣେ ବିଦ୍ୟାର୍ଥୀ ହୋଇ ରହି ଆସିଛି । 

କୁଳପତି ସୁଦର୍ଶନ ଭାଇଙ୍କ ଦ୍ୱାରା ଦିଆଯାଇଥିବା ମୋର ପରିଚୟରେ ଆପଣ ଯେଉଁ ହୋସଙ୍ଗାବାଦ ବିଷୟରେ ଶୁଣିଲେ, ସେ ଜିଲ୍ଲାରେ ବାଇଶ ବର୍ଷ କାମ କରିଛି ଅବଶ୍ୟ, କିନ୍ତୁ ଛଅ ବର୍ଷ ପୁରାପୁରି ନୟୀ ତାଲିମ ଉପରେ ପ୍ରୟୋଗ କରିବାରେ କଟାଇଛି। ଏବେ ଯେଉଁ କଥା ମୁଁ ଶୁଣିଲି, ନାରାୟଣ ଭାଇ ବାପୁଜୀଙ୍କ ସହ ସନ୍ଧ୍ୟାରେ ବୁଲୁଥିବା ବେଳେ, ଯେତେବେଳେ ତାଙ୍କୁ କୁହାଗଲା ଯେ ସମ୍ନାରେ ଥିବା ବିଦ୍ୟାଳୟଟି ନୟୀ ତାଲିମର ବିଦ୍ୟାଳୟ ନୁହେଁ, ଯେଉଁଟି ଗାନ୍ଧିଜୀଙ୍କ ଆଦର୍ଶରେ ଆର୍ଯ୍ୟନାୟକମ୍ ଆଶାଦେବୀଙ୍କ ସହ ମିଶି ଆରମ୍ଭ କରିଥିଲେ, ମୋର ମଧ୍ୟ ସେହିପରି କାହାଣୀ ଅଛି । ଯେତେବେଳେ ମୁଁ ବେଦଚ୍ଚୀରେ ଥିଲି, ୧୯୭୦ ମସିହାରେ, ସେଠାରେ ଥିବା ସଂସ୍ଥାମାନ- ଶିକ୍ଷା ପାଇଁ ଓ ଜଙ୍ଗଲରେ ଥିବା ଆଦିବାସୀଙ୍କ ପାଇଁ ଗଢାଯାଇଥିବା ସରକାରୀ ସମିତି ସବୁ, ସେସବୁର ପ୍ରଣେତା ଜୋଗତରାମ ଦୁବେଙ୍କ ଠାରୁ ମୁଁ ଆଶୀର୍ବାଦ ମାଗିବାକୁ ଗଲି । ସେ କହିଲେ – “ଏବେ ଯାଏଁ ଯାହା ସବୁ ଦେଖିଲ, ସେ ବିଷୟରେ କ’ଣ କହିବ ?” ସେତେବେଳକୁ ମୋ ବୟସ ତିରିଶ ବର୍ଷ । ନୟୀ ତାଲିମ ବିଷୟରେ ମୋର ଆଲୋଚନା, ମୁଁ ନୟୀ ତାଲିମ ସଂସ୍ଥାମାନଙ୍କରେ ଯାହା ସବୁ ବୁଲି ଦେଖିଥିଲି, କେତୋଟି ବାକ୍ୟରେ ତାହା ତାଙ୍କ ଆଗରେ ରଖିଲି । ମୁଁ ବିଚଳିତ ଥିଲି, ବିବ୍ରତ ଥିଲି, ଯାହା ଗାନ୍ଧିଙ୍କ ବିଷୟରେ ପଢିଥିଲି ଅଥଚ ବାସ୍ତବତାରେ ଦେଖିବାକୁ ପାଇଲି ନାହିଁ, ସ୍ତମ୍ଭୀଭୂତ ହୋଇଥିଲି, କ୍ଷୋଭ ଥିଲା, ଜିଜ୍ଞାସା ବି ଥିଲା, ସେସବୁ ଜୋଗତରାମ ଭାଇଙ୍କ ଆଗରେ ପ୍ରକାଶ କଲି । ତା’ପରେ ମୁଁ କହିଲି, “ଗାନ୍ଧିଜୀ ଯାହା କହିଥିଲେ ତାହା ମୁଁ କରିକି ଦେଖିବାକୁ ଚାହୁଁଛି ।” ସେ ମୋତେ କହିଲେ, “କେଉଁଠାରେ କରିବାକୁ ଚାହୁଁଛ ?” ମୁଁ କହିଲି “ଆପଣ ଯଦି ଅନୁମତି ଦେବେ, ତେବେ ବେଦଚ୍ଚୀରେ କରିବାକୁ ଚାହୁଁଛି ।“ ସେ କହିଲେ, “ମୋ କଥା ମାନ । ଯଦି ବାସ୍ତବରେ କିଛି କରିବାକୁ ଚାହୁଁଛ, ଗାନ୍ଧିଙ୍କ ବିଚାରଧାରାକୁ କାର୍ଯ୍ୟରେ ରୂପାନ୍ତରିତ କରିବାକୁ ଚାହୁଁଛ, ତେବେ ବେଦଚ୍ଚୀ ତୁମ ପାଇଁ ଉପଯୁକ୍ତ ସ୍ଥାନ ନୁହଁ । ତୁମେ ଅନ୍ୟ କେଉଁଠାକୁ ଯାଅ ।” ପରେ ଯେତେବେଳେ ମୁଁ ଏ କଥାଟି ଜ୍ୟୋତିଭାଇଙ୍କୁ କହିଲି, ସେ ମଧ୍ୟ ସେହି କଥା କହିଲେ । ଛଅ ବର୍ଷ ଯାଏଁ ହୋସଙ୍ଗାବାଦ ଜିଲ୍ଲାର ଏକ ଗାଁ ରେ, ଆମେ କେତେଜଣ ସାଥୀ ମିଶି, ନୟୀ ତାଲିମକୁ ଆମ ନିଜ ଆଲୋଚନା, ସମୀକ୍ଷା ହିସାବରେ ବାସ୍ତବ ରୂପ ଦେବାପାଇଁ ଚେଷ୍ଟା କଲୁ - ଗାଁର ଗରିବ କୃଷକ ଓ କୃଷି ଶ୍ରମିକମାନଙ୍କର ପିଲାଙ୍କ ସହ । ଛଅ ବର୍ଷ ପରେ ତାହା ବନ୍ଦ କରିଦେଲୁ ଗୋଟିଏ ନିଷ୍ପତ୍ତି ନେଇ ଯାହା ଉପରେ ଜ୍ୟୋତିଭାଇ ଅନେକ ପ୍ରଶ୍ନ ଉଠେଇଲେ ଓ ଆମକୁ କାମଟି ଜାରି ରଖିବାକୁ ମତେଇଲେ । ଏ କାହାଣୀଟି ଚତୁର୍ଥ ବକ୍ତୃତାରେ ଆସିବ ।

୨୦୦୪ ମସିହାରେ, ଏନ୍.ସି.ଇ.ଆର୍.ଟି ଏକ ନୂଆ ପ୍ରସ୍ତୁତି ଚଳାଇଥିଲା, ଦେଶର ପାଠ୍ୟଚର୍ଯ୍ୟା ଉପରେ, ପାଠ୍ୟଚର୍ଯ୍ୟା କହିଲେ ଇଂରାଜୀରେ କରିକୁଲମ୍ ବୁଝାଏ, ସିଲାବସ୍ ନୁହେଁ, ସିଲାବସ୍ ପାଇଁ ମୁଁ ପାଠ୍ୟକ୍ରମ ଶବ୍ଦଟି ବ୍ୟବହାର କରିବି, ଗୁଜୁରାଟୀରେ ଯେଉଁ ପର୍ଯ୍ୟାୟବାଚୀ ଶବ୍ଦ ରହିଛି ତାହା ଆପଣ ମନେ ପକାନ୍ତୁ । ତ ଏନ୍.ସି.ଇ.ଆର୍.ଟି ଯେତେବେଳେ ପାଠ୍ୟଚର୍ଯ୍ୟାକୁ ନୂଆ ରୂପରେଖ ଦେବା ପାଇଁ ପ୍ରସ୍ତୁତି କରୁଥିଲା, ୨୦୦୪ ମସିହାରେ, ତାଙ୍କ ନିର୍ଦ୍ଦେଶକ ମୋତେ ଫୋନ କଲେ, ଭୋପାଳରେ, କହିଲେ, “ଆମକୁ ସହଯୋଗ କରିବ ?” “କ’ଣ ସହଯୋଗ ଦରକାର ?” ସେ କହିଲେ, ଆମେ ପାଠ୍ୟଚର୍ଯ୍ୟାକୁ ନୂଆ ରୂପରେଖ ଦେବା ପାଇଁ କୋଡିଏଟି ସମୂହ ଗଠନ କରିଛୁ, ଭିନ୍ନ ଭିନ୍ନ ବିଷୟରେ- ଶିକ୍ଷାର ଉଦ୍ଦେଶ୍ୟ କ’ଣ ହେବା ଉଚିତ, ଶିକ୍ଷାରେ ଭାଷାକୁ ନେଇ ରହିଥିବା ପ୍ରଶ୍ନସବୁର କିପରି ସମାଧାନ କରାଯାଇପାରିବ, ଶିକ୍ଷାରେ ବୈଷମ୍ୟ କିପରି ଦୂର କରାଯିବ ଇତ୍ୟାଦି ଇତ୍ୟାଦି ବିଷୟ ସବୁ ଜଣେଇଲେ । ମୋର ହୋସଙ୍ଗାବାଦରେ ଯେଉଁ ଅନୁଭୂତି ହୋଇଥିଲା ତାହା ଆଖି ଆଗରେ ରଖି ବିଜ୍ଞାନ ଶିକ୍ଷା କିପରି ହେବ ସେଥିପାଇଁ ଗଠିତ ସମୁହର ଅଧ୍ୟକ୍ଷତା କରିବାକୁ ସେ ପ୍ରସ୍ତାବ ଦେଲେ । ମୁଁ କହିଲି, “ନା, ସେ ବିଷୟ ତ ମୋ ପାଇଁ ପୁରୁଣା ହୋଇ ଯାଇଛି, ସେ କାମ ତ ଆମେ କରି ଦେଖେଇ ଦେଲୁ, ସେ ବିଷୟରେ ଆଉ ଏବେ କିଛି ଲେଖିବାର ଆବଶ୍ୟକତା ନାହିଁ, ସେ କଥା ସବୁ ଲେଖା ସରିଛି, ଆପଣ ତାହାର ଲାଭ ନିଅନ୍ତୁ ।” ସେ କହିଲେ “ତା’ ମାନେ ଆପଣ ଆମକୁ କୌଣସି ସାହାଯ୍ୟ କରିବାକୁ ଚାହୁଁ ନାହାନ୍ତି ?” “କରିବାକୁ ତ ଚାହୁଁଛି, କିନ୍ତୁ ଏମିତି ବିଷୟରେ ଯାହା ଆପଣ ସ୍ୱୀକାର କରିବେ ନାହିଁ ।“ ମୁଁ ପ୍ରସ୍ତାବ ରଖିଲି ଯେ ଉତ୍ପାଦକ କାମ ଓ ଶିକ୍ଷା ମଧ୍ୟରେ କିପରି ସମ୍ପର୍କ ରହିବା ଉଚିତ ସେ ବିଷୟରେ ଏକ ସମୂହ ଗଠନ କଲେ ମୁଁ ତାହାର ଅଧ୍ୟକ୍ଷତା କରିବାକୁ ପ୍ରସ୍ତୁତ । ସେ ତତକ୍ଷଣାତ୍ ସ୍ୱୀକାର କରିନେଲେ ଓ ୨୧ତମ ସମୂହର ଗଠନ ହେଲା । 

ସେ ଶୃଙ୍ଖଳାରେ ଯେପରି ନାମ ଦିଆଯାଉଥିଲା- ନ୍ୟାସନାଲ ଫୋକସ୍ ଗ୍ରୁପ ଅନ୍ ... ଭିନ୍ନ ଭିନ୍ନ ବିଷୟ, ସେପରି ମୁଁ ଅଧ୍ୟକ୍ଷତା କଲି ନ୍ୟାସନାଲ ଫୋକସ୍ ଗ୍ରୁପ ଅନ୍ ୱର୍କ ଏଣ୍ଡ୍ ଏଜୁକେସନ । ସେଥିରେ ଦେଶର ବିଭିନ୍ନ ରାଜ୍ୟରୁ କୋଡିଏ ଜଣ ଭଳି ଲୋକ ସାମିଲ ହେଲେ । ଆମେ ଛଅ ସାତ ମାସ ପରିଶ୍ରମ କରି ଗାନ୍ଧିଙ୍କର ନିଜ ବିଚାରଗୁଡିକର ତତ୍କାଳୀନ ଅର୍ଥଶାସ୍ତ୍ର ଓ ରାଜନୈତିକ ସନ୍ଦର୍ଭରେ ଏକ ନୂଆ ସମୀକ୍ଷା ଲେଖିଲୁ । ଏହା କାହିଁକି ଦେଶର ବ୍ୟବସ୍ଥା ପାଇଁ ଏକ ମଡେଲ ହୋଇ ପାରିଲା ନାହିଁ ତାହାର ମଧ୍ୟ ସମୀକ୍ଷା ଲେଖିଲୁ । ସ୍ୱାଧୀନତା ପରେ ଗୁଜରାଟ ଓ ଦେଶର ଅନ୍ୟ ପ୍ରାନ୍ତରେ ଏହା ଉପରେ ଆମର ଯେଉଁ ଅନୁଭବ ରହିଛି ତାହାର ମଧ୍ୟ ବ୍ୟାଖ୍ୟା କଲୁ । ତା’ପରେ କହିଲୁ ଆଜିର ନୂଆ ଭାରତରେ ଯେଉଁ ନୂଆ ପରିସ୍ଥିତି ଉପୁଜିଛି –ଯେଉଁ ନବଉଦାରବାଦୀ ଅର୍ଥ ବ୍ୟବସ୍ଥା ଆସିଛି ଯାହାକୁ ଆପଣ ବୈଶ୍ୱୀକରଣ ବା ଜଗତିକରଣ ବା ଭୂମଣ୍ଡଳିକରଣ ନାମରେ ଜାଣିଥିବେ, ଯାହା ଭାରତର ସବୁ ସମ୍ବଳ ଉପରେ ଆକ୍ରମଣ କରୁଛି, ସେହି ସନ୍ଦର୍ଭରେ ଶିକ୍ଷା ଉପରେ ମଧ୍ୟ ଯେଉଁ ଆକ୍ରମଣ ହେଉଛି ତାହା ଧ୍ୟାନରେ ରଖି ଆଜି ନୟୀ ତାଲିମର ନୂଆ ରୂପ କିଭଳି ହେବା ଉଚିଚ, ଯାହା ନୂଆ ଆହ୍ୱାନଗୁଡିକୁ ସାମ୍ନା କରିବ ଓ ବିଦ୍ୟାର୍ଥିମାନଙ୍କୁ ସେହି ଆହ୍ୱାନଗୁଡିକୁ ସମ୍ମୁଖିନ ହେବା ପାଇଁ ପ୍ରସ୍ତୁତ କରିବ, ନୟୀ ତାଲିମର ମୌଳିକ ସିଦ୍ଧାନ୍ତ ଉପରେ ଆମେ ଏକ ନୂଆ ରୂପ ଗଢିଲୁ । ଏହା ଭିନ୍ନ କଥା ଯେ ୨୦୦୫ରେ ଏନ୍.ସି.ଇ.ଆର୍.ଟି ଦ୍ୱାରା ପାଠ୍ୟଚର୍ଯ୍ୟାର ଯେଉଁ ନୂଆ ରୂପ ଦେଶ ଆଗରେ ପ୍ରସ୍ତାବିତ କରାଗଲା ସେଥିରେ ଆମ ସମୂହର ରିପୋର୍ଟକୁ ଅଣଦେଖା କରି ଦିଆଯାଇଥିଲା, ପୁରାପୁରି ଭାବେ । ସେ ତ ଭିନ୍ନ ବିଷୟ, ଏବେ ସେଠାକୁ ଯିବା ନାହିଁ, ହୁଏତ ପରେ କେବେ ସୁଯୋଗ ମିଳିପାରେ । ସେଥିରେ କାମ ଓ ଶିକ୍ଷା ଉପରେ ଯାହା ବି କୁହାଗଲା ତାହା ଆମ ହିସାବରେ ନୟୀ ତାଲିମର ପରିଧି ବାହାରେ ଥିଲା ଓ ତାହାକୁ କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡ ଗ୍ରହଣ କରିନେଲେ ।


Monday, January 16, 2017


ନୟୀ ତାଲିମ ବକ୍ତୃତାମାଳା-୨


ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ



ବିଦ୍ୟାପୀଠର କୁଳାଧିପତି ଶ୍ରୀ ନାରାୟଣ ଦେଶାଇ, କୁଳପତି ଶ୍ରୀ ସୁଦର୍ଶନ ଆୟଙ୍ଗାର, ତାଲିମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜେ.ପି. ପାଣ୍ଡ୍ୟା, ଗାନ୍ଧିବାଦୀ ଶିକ୍ଷାବିତ ଶ୍ରୀ ଜ୍ୟୋତିଭାଇ ଦେଶାଇ ଏବଂ ବିଦ୍ୟାପୀଠର ବିଦ୍ୟାର୍ଥୀ, ଅଧ୍ୟାପକ ଓ ଅନ୍ୟ ନାଗରିକଗଣ ଏହି ବକ୍ତୃତାମାଳାରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ବକ୍ତୃତାର ଶେଷରେ ଲୋକମାନେ ଉଠାଇଥିବା ପ୍ରଶ୍ନଗୁଡିକୁ ସମ୍ପାଦିତ କରି ଡକ୍ଟର ସଦଗୋପାଲଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରଗୁଡିକୁ ମଧ୍ୟ ଏଠାରେ ଦିଆଯାଇଛି । 

ବିଦ୍ୟାପୀଠର କୁଳାଧିପତି ଶ୍ରୀ ନାରାୟଣ ଦେଶାଇ ବକ୍ତୃତାମାଳା ଉଦଘାଟନ ଅବସରରେ ନିଜ ବିଚାର ସବୁ ଏପରି ପରିବେଷଣ କରିଥିଲେ:

ଆମେ ଯେଉଁ ଶିକ୍ଷା ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏଠାରେ ଏକତ୍ରିତ ହୋଇଛୁ. ଆମେ କ’ଣ ନିଜ ନିଜ ପାଇଁ ନୟୀ ତାଲିମ ଖୋଜିବା ନା ସେହି ପୁରୁଣା କଥାଗୁଡିକୁ ହିଁ ଦୋହରେଇ ଚାଲିବା ? ଏ ବାବଦରେ ମୋ ପାଖରେ ଦୁଇଟି ପ୍ରଶ୍ନ ରହିଛି । ବାସ୍ତବରେ ଏହା ଗୋଟିଏ ପ୍ରଶ୍ନର ହିଁ ଦୁଇଟି ବିଭାବ । ମୋର ମନେ ହୁଏ, ଆପଣମାନେ ଖରାପ ଭାବିବେନି, ଆଜିର ଚାଲୁ ଶିକ୍ଷା ବ୍ୟବସ୍ଥାଟି ଅତି ଉତ୍ତମ ଶିକ୍ଷା ଅଟେ । କାରଣ ଏହା ଦୁଇଟି ବଡ ଉଦ୍ଦେଶ୍ୟ ସାଧନ କରୁଛି । ଏକ, ବର୍ତ୍ତମାନର ଯାହା ପରିସ୍ଥିତି ରହିଛି- ଯଥାସ୍ଥିତି ବା ଷ୍ଟାଟସ୍ କୋ, ତାହାକୁ ବଜାୟ ରଖିବାର ଦାୟିତ୍ୱ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଓ ଅତି ସୁଚାରୁ ରୂପେ ନିର୍ବାହ କରିଛି । ଆଉ ଏହି ଯଥାସ୍ଥିତିକୁ ବଜାୟ ରଖିବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଶିକ୍ଷାର ଦ୍ୱିତୀୟ କାମ । ପ୍ରଶ୍ନ ହେଉଛି, ଆମକୁ ସେହି ଷ୍ଟାଟସ୍ କୋ କୁ ବଜାୟ ରଖିବାର ଅଛି କି ? ଯେଉଁ ଯଥାସ୍ଥିତିରୁ ବୈଷମ୍ୟ, ହିଂସା, କ୍ରୁରତା ଆଦି ସୃଷ୍ଟି ହୋଇଛି, ଛାତ୍ରମାନଙ୍କ ମନରେ ପ୍ରତିଦ୍ୱନ୍ଦୀ ମନୋଭାବ, ଭୟ ଆଦି ସୃଷ୍ଟି ହୋଇଛି ଯଦି ଆମେ ଏ ସ୍ଥିତିକୁ ବଜାୟ ରଖିବାକୁ ଚାହୁଁ, ତେବେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାଟି ହେଉଛି ସବୁଠାରୁ ଉତ୍ତମ । ବିକଳ୍ପ କାହିଁକି ଖୋଜିବା ? ଆଉ ଯଦି ଆମକୁ ଏ ସ୍ଥିତିକୁ ବଦଳେଇବାର ଅଛି, ତେବେ କେଉଁଠାରେ କି ପ୍ରକାର ପରିବର୍ତ୍ତନ ସବୁ ଆଣିବାକୁ ହେବ ଯାହା ଦ୍ୱାରା କି ସମାଜ ବ୍ୟବସ୍ଥା ବଦଳିବା ସହ ସେଥିରେ ରହୁଥିବା ନାଗରିକମାନଙ୍କର ମଧ୍ୟ ପରିବର୍ତ୍ତନ ଘଟିବ । ବା ନାଗରିକଙ୍କର ପରିବର୍ତ୍ତନ ହେବା ସହ ଭବିଷ୍ୟତରେ ସେମାନଙ୍କ ବାସ ଯୋଗ୍ୟ ସମାଜ ବ୍ୟବସ୍ଥାଟିଏ ଗଢି ଉଠିବ । ଏହି ଦୁଇ ପ୍ରଶ୍ନର ବିଚାର ଯିଏ କରିବେ ମୋ ଦୃଷ୍ଟିରେ ତାହା ହିଁ ନୟୀ ତାଲିମର ଆଲୋଚନା । ମୁଁ ଆଶା କରୁଛି ଯେ ଆପଣମାନେ ଅନୀଲ ଭାଇଙ୍କ ସହ ସାତ ଦିନ ଧରି ଆଲୋଚନା କଲା ବେଳେ ଏହି ବିଷୟରେ ବି ଚର୍ଚ୍ଚା କରିବେ । କେବଳ ଏତିକି ହିଁ କହିବି । ଧନ୍ୟବାଦ ।

Friday, January 13, 2017

ନୟୀ ତାଲିମ ବକ୍ତୃତାମାଳା-୧

 ନୟୀ ତାଲିମର ପରିବର୍ତ୍ତନକାରୀ ଦୃଷ୍ଟିଭଙ୍ଗୀ



ଗୁଜରାଟ ବିଦ୍ୟାପୀଠ, ଅହମଦାବାଦ ଦ୍ୱାରା ୨୦୧୧ ମସିହାରେ ୨୮ ଫେବୃଆରୀରୁ ୬ ମାର୍ଚ୍ଚ ଯାଏ ଏକ ନୟୀ ତାଲିମ ବକ୍ତୃତାମାଳାର ଆୟୋଜନ କରାଯାଇଥିଲା । ନୟୀ ତାଲିମ ବିଚାରଧାରାକୁ ଆଜିର ସାମାଜିକ, ଆର୍ଥିକ ପରିସ୍ଥିତି ଓ ବର୍ତ୍ତମାନ ଶିକ୍ଷାନୀତିର ପରିପ୍ରେକ୍ଷୀରେ ଆକଳନ କରିବା ଓ ସେଥିରୁ ଶୈକ୍ଷିକ ସମ୍ଭାବନାଗୁଡିକୁ ଖୋଜିବା ଏହି ବକ୍ତୃତାମାଳାର ଉଦ୍ଦେଶ୍ୟ ଥିଲା । ସାତୋଟି ବକ୍ତୃତାର ଏହି ବକ୍ତୃତାମାଳାର ବକ୍ତା ଥିଲେ ବିଶିଷ୍ଟ ଶିକ୍ଷାବିତ ଡକ୍ଟର ଅନିଲ ସଦଗୋପାଲ । 

ଡକ୍ଟର ସଦଗୋପାଲଙ୍କର ଚାରି ଦଶକ ବ୍ୟାପୀ ବହୁମୁଖୀ ସାମାଜିକ ଓ ବୌଦ୍ଧିକ କର୍ମମାନ ତାଙ୍କର ତୃଣମୂଳସ୍ତରୀୟ ଅନୁଭୂତିଗୁଡିକ ଦ୍ୱାରା ପରିପୁଷ୍ଟ । ଏଇଥି ପାଇଁ ଅଳ୍ପ କେତୋଟି ଶବ୍ଦରେ ଡକ୍ଟର ସଦଗୋପାଲଙ୍କର ପରିଚୟ ଦେବା ଏକ କଷ୍ଟକର ବ୍ୟାପାର । ମୂଳତଃ ସେ ଜଣେ ବୈଜ୍ଞାନିକ । କାଲିଫର୍ଣ୍ଣିଆ ଇନଷ୍ଟିଚୁଟ୍ ଅଫ୍ ଟେକ୍ନୋଲୋଜି, ଆମେରିକାରୁ ବାୟୋକେମେଷ୍ଟ୍ରୀ ଓ ମଲିକ୍ୟୁଲାର ବାୟୋଲଜିରେ ପି.ଏଚ୍.ଡି ଅର୍ଜନ କରି ସେ ଭାରତର ମୁମ୍ବାଇଠାରେ ସ୍ଥିତ ଟାଟା ଇନଷ୍ଟିଚୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ ରେ ଗବେଷଣା ଓ ଅଧ୍ୟାପନା କଲେ । ଏକତିରିଶ ବର୍ଷ ବୟସରେ ସେଠାରୁ ଇସ୍ତଫା ଦେଇ ଡକ୍ଟର ସଦଗୋପାଲ ମଧ୍ୟପ୍ରଦେଶର ହୋସଙ୍ଗାବାଦ ଜିଲ୍ଲାରେ ଏକ ଆଦିବାସୀ ଗାଆଁରେ କିଶୋର ଭାରତୀ ନାମରେ ଏକ ସଂସ୍ଥା ସ୍ଥାପନ କଲେ । ପରବର୍ତ୍ତୀ କୋଡିଏ ବର୍ଷ ସେ ସେହିଠାରୁ ଗ୍ରାମୀଣ ବିକାଶ, ବିଦ୍ୟାଳୟସ୍ତରୀୟ ଶିକ୍ଷା, ଜନଶିକ୍ଷା, ଗଣତାନ୍ତ୍ରିକ ଅଧିକାର ଓ ଗାନ୍ଧିଜୀଙ୍କର ନୟୀ ତାଲିମ ଉପରେ ଅନେକଗୁଡିଏ ପ୍ରୟୋଗ ଓ କାର୍ଯ୍ୟକ୍ରମ ଚଳାଇଲେ । କିଶୋର ଭାରତୀ ଜରିଆରେ ଡକ୍ଟର ସଦଗୋପାଲ “ହୋସଙ୍ଗାବାଦ ବିଜ୍ଞାନ ଶିକ୍ଷଣ କାର୍ଯ୍ୟକ୍ରମ” (ହୋ.ବି.ଶି.କା)ର ନେତୃତ୍ୱ ନେଲେ । ସେଥିରେ ହୋସଙ୍ଗାବାଦ ଜିଲ୍ଲାର ପ୍ରାୟ ୩୦୦ଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ନିଜେ ପ୍ରୟୋଗ କରି ବିଜ୍ଞାନ ଶିଖିବାର ପାଠ୍ୟଚର୍ଯ୍ୟା ପ୍ରଣୟନ କରାଗଲା । ହୋ.ବି.ଶି.କା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କଥାଟିଏ ହେଲା ଏହି ଅନନ୍ୟ କାର୍ଯ୍ୟକ୍ରମର ଦୃଷ୍ଟିଭଙ୍ଗୀ ଗ୍ରହଣ କରି ସରକାରୀ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଅନେକ ପରିବର୍ତ୍ତନ କରାଗଲା । ନୂଆ ପାଠ୍ୟସାମଗ୍ରୀ ଓ ପ୍ରୟୋଗ କିଟ୍ ନିର୍ମାଣ କରାଗଲା । ଶିକ୍ଷକଙ୍କ ତାଲିମ ପାଇଁ ନୂଆ ଢାଞ୍ଚା ବିକଶିତ ହେଲା । ନୂଆ ପ୍ରଶାସନିକ ପ୍ରାବଧାନ ତିଆରି ହେଲା । ଏପରିକି ମୂଲ୍ୟାଙ୍କନ ଓ ବୋର୍ଡ ପରୀକ୍ଷାର ପ୍ରଣାଳୀଗୁଡିକ ମଧ୍ୟ ବଦଳିଲା । ଦଶ ବର୍ଷର ଉପଲବ୍ଧି ପରେ ଏକଲବ୍ୟ ସଂସ୍ଥାର ନିର୍ମାଣ ହେଲା ଯାହା ମାଧ୍ୟମରେ ହୋ.ବି.ଶି.କା ମଧ୍ୟ ପ୍ରଦେଶର ଆଉ ତେରଟି ଜିଲ୍ଲାରେ ହଜାରେ ବିଦ୍ୟାଳୟରେ ପହଞ୍ଚି ଗଲା । ତିରିଶ ବର୍ଷ ଯାଏଁ ଚାଲିଥିବା ହୋ.ବି.ଶି.କା ସରକାରୀ ବ୍ୟବସ୍ଥାରେ ନିହିତ ସମସ୍ତ ସମ୍ଭାବନା ଉଜାଗର କରି ଦେଶ ଆଗରେ “ସମାନ ବିଦ୍ୟାଳୟ ବ୍ୟବସ୍ଥା” ପକ୍ଷରେ ଜୋରଦାର ଯୁକ୍ତି ରଖିଲା । 

ଡକ୍ଟର ସଦଗୋପାଲ ପଚିଶ ବର୍ଷ ଧରି ଭାରତ ସରକାର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ଗଠିତ ଶିକ୍ଷା ସମ୍ବନ୍ଧୀୟ କମିଟି ଓ ଆୟୋଗଗୁଡିକରେ ସକ୍ରିୟ ଅଂଶଗ୍ରହଣ କଲେ । ଯଥା ରାଷ୍ଟ୍ରୀୟ ଶିକ୍ଷକ ଆୟୋଗ, କେନ୍ଦ୍ରୀୟ ଶିକ୍ଷା ଉପଦେଷ୍ଟା ବୋର୍ଡ ଓ ଏହାର ତିନୋଟି ସମିତି, ରାଷ୍ଟ୍ରୀୟ ଶିକ୍ଷାନୀତି ସମୀକ୍ଷା ସମିତି, ବିଦ୍ୟାଳୟ ପାଠ୍ୟଚର୍ଯ୍ୟାରେ କାମ ଓ ଶିକ୍ଷାର ସମ୍ପର୍କକୁ ନେଇ ଏନ.ସି.ଇ.ଆର.ଟି ଦ୍ୱାରା ଗଠିତ ନ୍ୟାସନାଲ ଫୋକସ ଗ୍ରୁପର ରିପୋର୍ଟ, ବିହାର ରାଜ୍ୟ ସରକାରଙ୍କର ସମାନ ବିଦ୍ୟାଳୟ ବ୍ୟବସ୍ଥା ଆୟୋଗ । ଏହି ଆୟୋଗ ଓ ସମିତି ଗୁଡିକରେ ନୀତିଗତ ପରିବର୍ତ୍ତନ ଓ ବିକଳ୍ପ ପାଇଁ ତାଙ୍କ ଲଢେଇ ଜନବାଦୀ ସଂଘର୍ଷର ପ୍ରେରଣାଦାୟକ ଉଦାହରଣ ଅଟେ ।
ସରକାରୀ ବ୍ୟବସ୍ଥା ସହ ତିନି ଦଶକରୁ ଉର୍ଦ୍ଧ୍ୱ ଅନୁଭୂତି ପରେ ଡକ୍ଟର ସଦଗୋପାଲ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ସରକାରୀ ନୀତି ନିର୍ଦ୍ଧାରଣରେ ଅଂଶଗ୍ରହଣ ଦ୍ୱାରା କୌଣସି ଢାଞ୍ଚାଗତ ପରିବର୍ତ୍ତନ ସମ୍ଭବପର ନୁହେଁ, ସରକାର ଦ୍ୱାରା ପୂର୍ବରୁ ନିର୍ମିତ ଢାଞ୍ଚାରେ କେବଳ କିଛି ମାମୁଲି ଅଦଳବଦଳ କରାଯାଇପାରେ । ବ୍ୟବସ୍ଥାମୂଳକ ପରିବର୍ତ୍ତନ ପାଇଁ ଜନଚେତନାର ଚାପ ଆବଶ୍ୟକ । ତେଣୁ ବିଗତ ପାଞ୍ଚ ବର୍ଷରୁ ମ୍ୟାକଲେଙ୍କର ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଅଖିଳ ଭାରତୀୟ ଶିକ୍ଷା ଅଧିକାର ମଞ୍ଚ ଜରିଆରେ ଦେଶବ୍ୟାପୀ ଆନ୍ଦୋଳନ ଛିଡା କରିବା କାମରେ ସେ ଲାଗି ପଡିଛନ୍ତି । ସରକାରୀ ବ୍ୟବସ୍ଥା ବିରୋଧରେ ଏହି ସର୍ଜ୍ଜନାତ୍ମକ ପ୍ରତିରୋଧ ପାଇଁ ଡକ୍ଟର ସଦଗୋପାଲ ଜଣେ ବିଦ୍ରୋହୀ ଶିକ୍ଷାବିତ ରୂପେ ଜଣା । ସେ ୟୁନିଅନ କାରବାଇଡ ବିରୁଦ୍ଧରେ ଚାଲିଥିବା ଭୋପାଳ ଗ୍ୟାସ ପୀଡିତଙ୍କ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେଇଥିଲେ ଓ ପୀଡିତଙ୍କ ଚିକିତ୍ସା, ପୁନର୍ବାସ ଓ କ୍ଷତିପୂରଣ ପାଇଁ ଲଢେଇ କରି ଜେଲ ମଧ୍ୟ ଯାଇଥିଲେ । ପରବର୍ତ୍ତୀ କାଳରେ ନର୍ମଦା ବଞ୍ଚାଅ ଆନ୍ଦୋଳନରେ ସଂଶ୍ଳିଷ୍ଟ ହୋଇ ବଡ ବନ୍ଧ ସନ୍ଦର୍ଭରେ ବିଶ୍ୱବ୍ୟାଙ୍କର ଜନବିରୋଧୀ ମତ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ପୁନଶ୍ଚ ଜେଲ ଯିବାକୁ ପଡିଲା । ଛତିଶଗଡରେ ଶହୀଦ ଶଙ୍କର ଗୁହା ନିୟୋଗୀଙ୍କ ନେତୃତ୍ୱରେ ଚାଲିଥିବା କ୍ରାନ୍ତିକାରୀ ଶ୍ରମିକ ଆନ୍ଦୋଳନ ସହ ମଧ୍ୟ ସେ ଜଡିତ ଥିଲେ । ଏହି ଆନ୍ଦୋଳନ ଉପରେ ଡକ୍ଟର ସଦଗୋପାଲ ସଂଘର୍ଷ ଓ ନିର୍ମାଣ ଶୀର୍ଶକ ପୁସ୍ତକଟିଏ ସଙ୍କଳନ କରିଛନ୍ତି । 

ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବିଭାଗରେ ପ୍ରାଧ୍ୟପକ ତଥା ଡିନ୍ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଭାରତ ସରକାରଙ୍କର ନେହେରୁ ମେମୋରିଆଲ ମ୍ୟୁଜିଅମ୍ ଆଣ୍ଡ୍ ଲାଇବ୍ରେରୀରେ ସିନିଅର ଫେଲୋ ଭାବେ ଶିକ୍ଷାନୀତି ଉପରେ ହେଉଥିବା ନବଉଦାରବାଦୀ ଆକ୍ରମଣ ବିଷୟରେ ସେ ପ୍ରଖର ଗବେଷଣା ଓ ଲେଖାଲେଖି କଲେ । “ଶିକ୍ଷାରେ ପରିବର୍ତ୍ତନର ପ୍ରଶ୍ନ” ନାମକ ବହି ଓ ଅନେକ ପତ୍ରପତ୍ରିକାରେ ଇଂରାଜୀ ଓ ହିନ୍ଦୀରେ ଲେଖାଲେଖି କରି, ଜନସଭା, ଧାରଣା, ରାଲିରେ ଭାଷଣ ଦେଇ ଡକ୍ଟର ଅନିଲ ସଦଗୋପାଲ ଆଜି ମଧ୍ୟ ତାଙ୍କ ବୈଚାରିକ ସଂଘର୍ଷ ଜାରି ରଖିଛନ୍ତି ।

ସାତ ଦିନ ଧରି ଚାଲିଥିବା ଏହି ବକ୍ତୃତାମାଳରେ ବ୍ରିଟିଶରାଜୁତି ପାଇଁ ମ୍ୟାକଲେଙ୍କ ଦ୍ୱାରା ନିର୍ମିତ ଶିକ୍ଷାନୀତିକୁ ମହାତ୍ମା ଜ୍ୟୋତିରାଓ ଫୁଲେ, ଗାନ୍ଧୀ ଓ ବାବାସାହେବ ଆମ୍ବେଦକରଙ୍କ ରାଜନୈତିକ ବିଚାରଧାରା ସନ୍ଦର୍ଭରେ ବିଶ୍ଳେଷଣ କରାଯାଇଛି । ଏଥି ସହିତ ଏକ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସମତାମୂଳକ, ନ୍ୟାୟଶୀଳ ଓ ପ୍ରବୁଦ୍ଧ ସମାଜ ଗଢିବା ପାଇଁ ବିକଳ୍ପ ଶିକ୍ଷା ବ୍ୟବସ୍ଥାର ଦୃଷ୍ଟି ଉପସ୍ଥାପନ କରାଯାଇଛି । ଏହି ବକ୍ତୃତାଗୁଡିକରୁ ରାଜନୈତିକ ଅର୍ଥଶାସ୍ତ୍ର ଓ ବୈଶ୍ୱିକ ପୁଞିର ନବଉଦାରବାଦୀ ଏଜେଣ୍ଡା ସନ୍ଦର୍ଭରେ ଶିକ୍ଷାର ଏକ ତୀକ୍ଷ୍ଣ ସମୀକ୍ଷା ଆଗକୁ ଆସିଛି । ଏବଂ ଶୈକ୍ଷିକ ପରିବର୍ତ୍ତନ ପାଇଁ ଏକ ଜନ ଆନ୍ଦୋଳନ ଛିଡା କରିବାର ଆହ୍ୱାନ କରି ଶହୀଦ ଶଙ୍କର ଗୁହା ନିୟୋଗୀଙ୍କ ‘ସଂଘର୍ଷ ଓ ନିର୍ମାଣ’ ଦର୍ଶନର ପଥ ଆପଣେଇବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି ।

Thursday, January 05, 2017

ପିଲାଙ୍କ କବିତା - 'ପରୀକ୍ଷା'


କବି - କୃଷ୍ଣଚନ୍ଦ୍ର ତ୍ରିପାଠୀ


୧୮୪୨ ମସିହାର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର

ଭୟଙ୍କର ବେଶେ ଆସିଲାଣି ପରୀକ୍ଷାଟା,
ନିମିଷକେ ଚାଲିଯିବ କରି ହଟହଟା ।

କେବେ ହେବ ପରୀକ୍ଷାଟା ମିଳିଚି ଖବର;
ପୋଥିପତ୍ର ବାଟି ପିଅ, ଯିଏ ଯେତେ ପାର !

ସେଦିନ ପରୀକ୍ଷା କେନ୍ଦ୍ରେ କରି ଉଦ୍ବିଧନ,
ଲଭିବ ଭବିଷ୍ୟେ ବାବୁ ମାନ ସନମାନ ।

ଏ ହୀନ ପରୀକ୍ଷା ଛାର ମାନବ କଳ୍ପନା,
ଏଥିକି ମନୁଷ୍ୟ ଜ୍ଞାନ ପଡ଼ିଥାଏ ଜଣା ।

କେତେ ବା ସ୍ୱର୍ଗୀୟ ଗୁଣ ପାଇଁ ମାନବର:
ତା କାହୁଁ ଜାଣିବ ହୀନ ଏ ପରୀକ୍ଷା ଛାର !

ଏ ପରୀକ୍ଷା ଦ୍ୱାରେ ଯେବେ ଯିବ ପରୀକ୍ଷାର୍ଥୀ: 
ବହି ଘୋଷି ଘୋଷି ଯିବ ଅର୍ଦ୍ଧ ଆୟୁ କଟି ।

ବି.ଦ୍ର. ଏହି କବିତାଟି ଶିକ୍ଷକ ଓ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ 'ନିରବଧି ନିରବ'ରୁ ସଙ୍ଗୃହିତ । ଆତ୍ମଜୀବନୀଟିର ପ୍ରକାଶକ ବାଲୁଗାଁର 'ସମନ୍ୱୟ'  ପ୍ରକାଶନ ସଂସ୍ଥା । ବହିଟିର ପ୍ରଥମ ସଂସ୍କରଣର ପ୍ରକାଶକାଳ ୨୦୧୩ ମସିହା । କବିତାଟି ଶ୍ରୀ ତ୍ରିପାଠୀ ଅବିଭକ୍ତ ପୁରୀ ଜିଲ୍ଲାର ତାପଙ୍ଗ ପାଖ ଓଳସିଂହ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଥିଲା ବେଳେ ଲେଖିଥିଲେ । କବିତାଟିର ରଚନାକାଳ ସମ୍ଭବତଃ ୧୯୨୮-୨୯ ମସିହା ।

Friday, December 30, 2016

ଟଙ୍କାର ଗୁହାରି

ଶ୍ରୀଯୁକ୍ତ ଭୂପତି ଭୂଷଣ ମୁଖୋପାଧ୍ୟାୟ, ଏମ୍. ଏ, ବି. ଏଲ୍


ବ୍ରିଟିଶ ଅମଳର ଏକ ଟଙ୍କିଆ ମୁଦ୍ରା
ଫୋଟ କ୍ରେଡିଟ: ୱିକିମିଡିଆ କମନସ୍

ମୋତେ ନ ଚିହ୍ନେ କିଏ ? ମୁଁ ନଥାଏ କୋଉଁଠି ? ଯେତେବେଳେ ଗୋଟିଏ ନୂଆ ପିଲା ଜନ୍ମ ହୁଏ ଓ ଲୋକେ ତାକୁ ଦେଖିବାକୁ ଆସନ୍ତି, ତା ହାତରେ ମୋତେ ଗୁଞ୍ଜି ଦେଇ ତା ମୁହଁ ଦେଖନ୍ତି ! ଲୋକେ ମୋତେ ହାର ଗୁନ୍ଥି ପିଲାଙ୍କ ବେକରେ ପିନ୍ଧାନ୍ତି ! ସେହି ଦିନୁ ମନୁଷ୍ୟମାନଙ୍କ ସଙ୍ଗରେ ମୋର ପ୍ରଥମ ପରିଚୟ । ତା ପରେ ଯେତେବେଳେ ପିଲାଟି ବଢିଯାଏ, ସେତେବେଳେ ମୁଁ ଲୋଡା ହୁଏ ତାର ଦରମା ଦେବାକୁ ! ଯେଉଁ ଭଲ ପିଲାଏ ମନ ଦେଇ ପାଠ ପଢନ୍ତି, ସେମାନେ ମୋତେ ବୃତ୍ତିରୂପେ ପାଆନ୍ତି ! ପଢାପଢି ଶେଷ ହେଲେ ମୋତେ ଖୋଜି ଖୋଜି ସେମାନେ ଏଣେ ତେଣେ ଦଉଡ ଧାପଡ କରନ୍ତି । ମୁଁ ନ ଥିଲେ ଲୋକେ ଖାଇବାକୁପାନ୍ତେ ନାହିଁ, ରହିବାର ଘର ପାନ୍ତେ ନାହିଁ, ପିନ୍ଧିବାର ଲୁଗା ଖଣ୍ଡିଏ ପାନ୍ତେ ନାହିଁ, ଦୋକାନୀଠାରୁ ଲୋକେ ଜିନିଷପତ୍ର ପାନ୍ତେ ନାହିଁ । ମୁଁ ନ ଥିଲେ ଚାଷୀର କୋଠିରେ ଧାନ ପୋକ ଲାଗିଯାନ୍ତା, କିନ୍ତୁ ସେ ପିନ୍ଧିବାର ଲୁଗା ପାନ୍ତାନାହିଁ, ଭାତରେ ଲୁଣ ପାନ୍ତା ନାହିଁ, ପିଲାପିଲିଙ୍କର ବିଭାଘର କରିପାରନ୍ତା ନାହିଁ, ହଳ ବଳଦ କିଣି ପାରନ୍ତା ନାହିଁ, ଜମିଦାରଙ୍କୁ ଖଜଣା ଦେଇ ପାରନ୍ତା ନାହିଁ ।


ଯେତେବେଳେ ଆମ ବଂଶକୁ ଲୋକେ ଭଲରୂପେ ଜାଣି ନ ଥିଲେ, ସେତେବେଳେ ଲୋକଙ୍କର କି ଅବସ୍ଥା ହେଉଥିଲା ଶୁଣ । ଗୋଟିଏ ଗାଁରେ ଗୋଟିଏ ଚଷା ଗୋଟିଏ କମାର ଘରକୁ ଗଲା ! ଚଷାର ହଳ କରିବା ଲାଗି ଖଣ୍ଡିଏ ଲଙ୍ଗଳ ଲୁହା ଦରକାର । ସେ କମାରକୁ କହିଲା – “ଭାଇ ! ଖଣ୍ଡେ ଲୁହା ଦେ ।“ କମାର କହିଲା – “ତୋତେ ମୁଁ ଖଣ୍ଡେ ଲୁହା ଦେଲେ ତୁ ମୋତେ କଣ ଦେବୁ !” ଚଷା କହିଲା “ ଆଉ କଣ ଦେବି ଭାଇ ! ଗଉଣିଏ ଧାନ ଦେବି ।“ କମାର କହିଲା – “ମୋର କଣ ଧାନ ନାହିଁ ? ମୋର ତ ଧାନ ଗଦା ସଢି ଯାଉଛି, ତୁ ମୋତେ କଣ ଧାନ ଦେଖାଉଛୁ । ଖଣ୍ଡେ ଲୁଗା ଦେଲେ ମୁଁ ତୋତେ ଗୋଟିଏ ଲୁହା ଦେବି ।“ ଚଷା ତହୁଁ ଗଲା ତନ୍ତି ଘରକୁ । ତନ୍ତି ସେହିପରି କହିଲା – “ମୋର ଧାନ କଣ ହେବ ? ଆଟିଏ ସୂତାଦେଲେ ଖଣ୍ଡେ ଲୁଗା ଦେବି ।“ ଚାଷୀ ବିଚରା କରେ କଣ ? ସେଇ ବାଟରେ ପାଠଶାଳାର ଅବଧାନ ଜଣେ ଯାଉଥିଲେ । ତାଙ୍କୁ ଚଷା ଯାଇଁ ସବୁକଥା କହିଲାରୁ ସେ ଆମ ବଂଶର ସନ୍ଧାନ କହିଲେ । ତହୁଁ ଚଷା ବିଚରା ଖୋଜି ଖୋଜି ମୋତେ ଗାଁକୁ ଆଣିଲା ! ମୋତେ ଦେଖିବାକୁ ସ୍ତିରୀ ବାଳକ ବୁଢା ଭେଣ୍ଡିଆ କେତେ ଲୋକ ଜମା ହୋଇ ପଡିଲେ ! କେତେ ଲୋକ ମୋତେ ହାତକୁ ନେଇ ଏ ପାଖ ସେ ପାଖ କରି ଦେଖିଲେ, ମୋର ଶବ୍ଦରେ ମୋହିତ ହୋଇ ମୋତେ ପଥର ଉପରେ ବାଡେଇଲେ, କଚାଡିଲେ । ବାଡିଆ କଚଡାରେ ମୋର ଦେହ ଦରଜ ହେଉଥାଏ, କିନ୍ତୁ ସେମାନେ ମୋତେ ବାଡେଇବାରେ ଆନନ୍ଦ ପାଉଥାନ୍ତି । ମୁଁ ଗାଁକୁ ଆସିଲା ଦିନୁ ଗାଁର ଲୋକେ ଭାରି ସୁଖରେ ରହିଲେ । ଚାଷିର କୋଠିର ଧାନ କୁଆଡେ ଉଭେଇ ଗଲା, ତାର ଲଙ୍ଗଳ ଲୁହା ପାଇବାକୁ ତାକୁ ଆଉ ଭାବନା କରିବାକୁ ହେଲାନାହିଁ ; କମାର ମୋ ଅନୁଗ୍ରହରୁ ନୂଆ ଲୁଗା ପିନ୍ଧିଲା ; ତନ୍ତି ସୂତା ଗୋଛା ଗୋଛା ଆଣି ଲୁଗା ବୁଣିବାକୁ ଲାଗିଲା ।



ତୁମ୍ଭେମାନେ ମୋର କ୍ଷମତା କଥା ଶୁଣି ନିଶ୍ଚୟ ମୋର ଜନ୍ମ କଥା ଶୁଣିବାକୁ ଇଚ୍ଛା କରିବ । ଭୂଗୋଳରେ ତୁମ୍ଭେମାନେ ଆମେରିକା ଦେଶ କଥା ପଢିଥିବ । ସେହି ଦେଶ ମୋର ଜନ୍ମଭୁମି । ସେତେବେଳେ ମୋର ଚେହେରା ଅନ୍ୟ ରକମ ଥିଲା । ଲୋକେ ସେଠାରୁ ମୋତେ ଖୋଳି ଜାହାଜରେ ଏ ଦେଶକୁ ଆଣିଲେ । ପ୍ରଥମେ ମୋତେ ଗୋଟାଏ ବଡ ପଥର କୋଠା ଭିତରକୁ ନେଇଗଲେ । ସେଠାରେ ଯାଇ ଶୁଣିଲି ସେ ଘରଟାର ନାମ ‘ଟଙ୍କାଶାଳ’ । ଦେଖିଲି, ସେ ଘରେ ଅନେକ କଳ ରହିଛି । ସେ ଘରେ ମୋତେ ଗୋଟାଏ ବଡ ଚୁଲ୍ଲି ଉପରେ ବସାଇଲେ ; ତଳେ ହୁ ହୁ ନିଆଁ ଜଳୁଛି । ଭାରି ଗରମ ; ସେ ଗରମରେ ମୁଁ ତରଳି ଗଲି ! ତାପରେ ମୋତେ ଗୋଟାଏ କଳ ଭିତରକୁ ନେଇ ଖଣ୍ଡ ଖଣ୍ଡ କରି କାଟି ପକାଇଲେ । ମୋର ଚେହେରା ଏକାବେଳକେ ବଦଳି ଗଲା । ଯେ ଲୋକଟି ମୋତେ ଆଣିଥିଲା, ସେ ଓଜନ କରି ଦେଖିଲା, ଯେତିକି ଓଜନ ମୋର ପୂର୍ବେ ଥିଲା, ସେତିକି ବର୍ତ୍ତମାନ ଓଜନ । ସେ ଭାରି ଖୁସି ହୋଇ ମୋତେ ଗୋଟାଏ ମୁଣି ଭିତରେ ପୁରାଇ ଘରକୁ ଘେନିଗଲା ।



ତାପରେ ମୁଁ କେତେ ଦେଶ ବୁଲିଲି ! କେତେ ଲୋକଙ୍କୁ ଚିହ୍ନିଲି ; କେହି ମୋତେ ଦେଖିଲା କ୍ଷଣି ପାକିଟିରେ ପୁରାଇଦିଏ ; କେହି ମୋତେ ପଥରରେ ବାଡେଇ ବାଡେଇ ମୋ ଦେହ ଦରଜ କରିଦିଏ । ଶେଷରେ ଯାଇଁ ପହଞ୍ଚିଲି ଗୋଟିଏ ମୋଟା ଲୋକ ପାଖରେ । ତା ମୁଣ୍ଡରେ ନାକ ଅଗରୁ ବେଣ୍ଚିଯାଏ ତିଳକଚିତା ; ବେକରେ ଗୋଛାଏ ମାଳି ; ପେଟଟି ଗଣେଶ ପେଟ ପରି ଥନ୍ତଲ ପେଟ । ଶୁଣିଲି, ତା ନାଆଁଟି ମହାଜନ ! ସେ ମୋତେ କେତେ ବାଡେଇଲା, କେତେ ପିଟିଲା, ଶେଷରେ ନେଇ ଗୋଟାଏ ବଡ ଲୁହା ସିନ୍ଧୁକ ଭିତରେ କିଟକିଟ ଅନ୍ଧାରରେ ରଖିଲା । ସେଠି କେତେ ଜାତି ଭାଇଙ୍କ ସାଙ୍ଗରେ ମୋର ଦେଖାହେଲା । କିନ୍ତୁ ସେଠି ବେଶି ଦିନ ରହି ପାରିଲି ନାହିଁ । ମହାଜନ ମୋତେ ନେଇ ଗୋଟିଏ ଗରିବ ଲୋକକୁ ଦେଲା ! ସେ ମୋତେ ତିନି ମାସ ପରେ ମହାଜନକୁ ଫେରାଇ ଦେଲା । କିନ୍ତୁ ମୋ ସାଙ୍ଗରେ ମୋର ପିଲା କେତୋଟି ମହାଜନ ଘରକୁ ଆସିଲେ !



ଆଜିକାଲି ଆମ ସୃଷ୍ଟି ସରକାରଙ୍କ ହାତରେ । ସରକାର ଦରକାର ବୁଝି ଆମକୁ ସୃଷ୍ଟି କରନ୍ତି ।



ଏତେ ଦିନ ଯାଏ ଆମ୍ଭେମାନେ ବେଶ ସୁଖରେ ଥିଲୁଁ ; କୌଣସି ଶତ୍ରୁ ଆମର ନଥିଲା । ସମସ୍ତେ ଆମ୍ଭମାନଙ୍କୁ ଭାରି ଆଦର କରୁଥିଲେ । କିନ୍ତୁ ଦୁଇ ବର୍ଷ ହେଲା ଆମର ଗୋଟାକେତେ ଶତ୍ରୁ ପହଞ୍ଚିଛନ୍ତି । ଖୁବ ଯୁଦ୍ଧ ହେଲାରୁ ଆମ ଜନ୍ମ ଦେଶରୁ ଆମ ଜାତି ଭାଇମାନେ ଏ ଦେଶକୁ ବେଶି ଆସିପାରିଲେ ନାହିଁ । ସରକାର ବାହାଦୂର ଗୋଟାଏ କୌଶଳ କଲେ । ଖଣ୍ଡେ ଖଣ୍ଡେ କାଗଜରେ ଲେଖିଦେଲେ –“ଏ କାଗଜଖଣ୍ଡିମାନ ଦେଖାଇବ, ସେ ଟଙ୍କାଟିଏ ପାଇବ, ଅଢେଇ ଟଙ୍କା ପାଇବ ।“ ଏ କାଗଜଟିମାନ ଯହୁଁ ଲୋକଙ୍କ ହାତରେ ପଡିଲା, ସରକାର ଆମ୍ଭମାନଙ୍କୁ ଆଣି ଗୋଟିଏ ସିନ୍ଧୁକରେ ବନ୍ଦ କରି ରଖିଲେ । ଯେତେବେଳେ କେହି ସେ କାଗଜଖଣ୍ଡମାନ ସରକାରଙ୍କୁ ଦେଲା ଓ ଆମ୍ଭମାନଙ୍କୁ ପାଇବାକୁ ଇଚ୍ଛା କଲା, ସେତେବେଳେ ଆମେ ସେ ସିନ୍ଧୁକରୁ ପୁଣି ବାହାରିଲୁଁ । ଲୋକେ ସେହି କାଗଜ ପାଇ ଭାରି ଖୁସି ; ଆମକୁ କ୍ରମେ ଭୁଲି ଯିବାକୁ ଲାଗିଲେ । ସେ କାଗଜ ଓଜନ ହେଲା ନାହିଁ, ତାର ଶବ୍ଦ ବି ନାହିଁ । ପାକିଟି ଭିତରେ ଆମରି ଭଳିଆ ହଜାର ହଜାର କାଗଜ ହୋଇ ରହିଗଲେ କେହି ଜାଣିବେ ନାହିଁ, ଚୋର ଡକାଇତର ଭୟ ନାହିଁ । ଗତ ଦୁଇ ବର୍ଷ ହେଲା ଆମ୍ଭମାନଙ୍କର ଏ ଶତ୍ରୁ ପ୍ରବଳ ହେବାରୁ ଆମ୍ଭେମାନେ ଆପଣା ଆପଣା କାନମୁଣ୍ଡାଟିମାନ ଆଉଁସି ଚୁପ ହୋଇ ରହିଛୁଁ । 


ବ୍ରିଟିଶ ଅମଳର ଏକ ଟଙ୍କିଆ ନୋଟ୍
ଫୋଟ କ୍ରେଡିଟ: ୱିକିମିଡିଆ କମନସ୍

ବି.ଦ୍ର: ଏହି ଲେଖାଟି ପ୍ରଥମେ ପଞ୍ଚାମୃତ ପତ୍ରିକାର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।