Showing posts with label ଇତିହାସ ଶିକ୍ଷା. Show all posts
Showing posts with label ଇତିହାସ ଶିକ୍ଷା. Show all posts

Tuesday, July 07, 2020

ଭୂଲମ୍ବ ଓ ଉଲମ୍ବ ରେଖାମାନେ

ରମାକାନ୍ତ ସାମନ୍ତରାୟ


ନିଜ ଷ୍ଟୁଡ଼ିଓରେ ୧୯୫୪ ମସିହାରେ ଆଗ୍ନେସ୍ ମାର୍ଟିନ୍
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପୁରା ନାମ ହେଉଛି ଆଗ୍ନେଶ ବର୍ଣ୍ଣିସ୍ ମାର୍ଟନ । କଳା ସମାଲୋଚକ ମାନେ ଆଗ୍ନେଶଙ୍କୁ ଜଣେ ମିନିମାଲିଷ୍ଟ ଚିତ୍ରଶିଳ୍ପୀ ଭାବରେ ଗ୍ରହଣ କରୁଥିବା ବେଳେ, ସେ କିନ୍ତୁ ନିଜକୁ ଜଣେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ଭାବରେ ପରିଚୟ ଦେଉଥିଲେ ।

ଆଗ୍ନେଶଙ୍କ ଜନ୍ମ ମାର୍ଚ୍ଚ ୨୨, ୧୯୧୨ରେ କାନାଡ଼ାରେ ହୋଇଥିଲା । ୧୯୩୧ ମସିହାରେ ସେ ତାଙ୍କ ଗର୍ଭବତୀ ବଡ଼ ଭଉଣୀକୁ ସାହାଯ୍ୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଆସିଥିଲେ ଓ ସେଇଠି ପାଠ ପଢ଼ି ୧୯୫୦ରେ ଆମେରିକାର ନାଗରିକ ହୋଇଯାଇଥିଲେ । ୧୯୪୭ ମସିହାରେ ଆଗ୍ନେଶ ଏକଦା ଡି.ଟି. ସୁଜୁକି ନାମକ ଜଣେ ଜାପାନୀ ଜେନ୍ ବୌଦ୍ଧ ଧର୍ମର ଲେଖକଙ୍କ ଭାଷଣ ଶୁଣି ଜେନ୍ ବୌଦ୍ଧ ଧର୍ମ ପ୍ରତି ଆକର୍ଷିତ ହୋଇପଡିଲେ । ତା' ପରଠୁ ଆଗ୍ନେଶ ସାରା ଜୀବନ ପ୍ରାଚ୍ୟ ଭୂଖଣ୍ଡ ପ୍ରତି ଅନୁରକ୍ତ ଥିଲେ l ଧର୍ମ ପରିବର୍ତ୍ତନ ନ କରିଥିଲେ ମଧ୍ୟ ସେ ସେଇଦିନରୁ କିନ୍ତୁ ଜେନ୍ ଓ ଦାଓ ଦର୍ଶନର ପରୀକ୍ଷା ନିଜ ଜୀବନଚର୍ଯ୍ୟାରେ କରି ଚାଲିଥିଲେ ।

ଆଗ୍ନେଶ ୧୯୫୭ ରେ ପାଠପଢ଼ା ସାରି ନିୟୁୟର୍କ ସହର ଆସିଥିଲେ l ଅନେକ ଚିତ୍ରଶିଳ୍ପୀ ବନ୍ଧୁ, ଚିତ୍ର ପ୍ରଦର୍ଶନୀ, ପ୍ରସିଦ୍ଧି ଓ ଗ୍ୟାଲେରୀ ଭିତରୁ ବାହାରି ଦିନେ ସେ କିନ୍ତୁ  ୧୯୬୭ରେ ଏକl ରହିବାକୁ ନିୟୁୟର୍କ ସହର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ରାସ୍ତାରେ ପୁରା ଅଠର ମାସ କଟେଇ ଶେଷରେ ନିଉ ମେକ୍ସିକୋର କ୍ୟୁବାରେ ପହଞ୍ଚିଥିଲେ । ତାହା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ସେ କଳା ରାଜ୍ୟ ସାଙ୍ଗରେ ତାଙ୍କର ସବୁ ପ୍ରକାର ସମ୍ପର୍କ ବିଛିନ୍ନ କରି ରଖିଥିଲେ । 

ଆଗ୍ନେସ୍ ମାର୍ଟିନ୍‌ଙ୍କର ଏକ କଳାକୃତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କ୍ୟୁବାଠାରେ ୧୯୭୭ ରୁ ୧୯୯୩ ପର୍ଯ୍ୟନ୍ତ ରହିଲା ପରେ ପୁଣି ଗାଲିଷ୍ଟେଓ ଚାଲିଯାଇଥିଲେ । ସେଠି ସେ ୧୯୯୩ ପର୍ଯ୍ୟନ୍ତ ରହିଥିଲେ । ଶେଷରେ ସେ ନିଉ ମେକ୍ସିକୋର ତାଉସ୍‌କୁ ଫେରି ଆସିଥିଲେ ଓ ୨୦୦୪ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଇଠି ହିଁ ରହିଥିଲେ l ସାରା ଜୀବନ ଏକା ରହିଥିବା ଆଗ୍ନେଶ ସବୁଠି ନିଜ ପାଇଁ ମେକ୍ସିକାନ ପାରମ୍ପରିକ ଶୈଳୀରେ ମାଟି ଘର ଗୋଟେ ଲେଖା ତିଆରି କରି ରହୁଥିଲେ ।

ଆଗ୍ନେଶ ମାନସିକ ରୋଗ ସ୍କିତ୍‌ଜୋଫ୍ରେନିଆରେ ଆକ୍ରାନ୍ତ ଥିଲେ ଓ ସେଥିପାଇଁ ଚିକିତ୍ସିତ ବି ହେଉଥିଲେ । ସାରା ଜୀବନ ଏକା ରହି ଓ ଜଣେ ମାନସିକ ରୋଗୀ ହୋଇ ବି ସେ ତାଙ୍କର ଚିତ୍ରମାନଙ୍କର ନାମକରଣ କିନ୍ତୁ ଖୁବ ସୁନ୍ଦର ଭାବରେ କରୁଥିଲେ l ଯେମିତିକି 'ଅନ୍ ଏ କ୍ଳିଅର ଡେ', 'ହାପି ହଲିଡେ', 'ଦ ହାରଭେଷ୍ଟ୍ ଗ୍ରାଟିଟୁଡ', 'ଆଇ ଲଭ ଦି ହୋଲ ୱାର୍ଲଡ' ପ୍ରଭୃତି l ତାଙ୍କର ଧରଣl ଥିଲା ଖୁସି ଓ ଆନନ୍ଦ ବିନା ସୌନ୍ଦର୍ଯ୍ୟର କିଛି ମାନେ ନାହିଁ ।

ଆଗ୍ନେଶଙ୍କ ଛବି ସବୁ ନିଉ ମେକ୍ସିକୋର ଉତ୍ତରରେ ଥିବା ମରୁଭୂମି ଘେରା ତାଉସ୍ ସହର ସାଙ୍ଗରେ ଗଭୀର ଭାବରେ ଯୋଡ଼ି ହୋଇ ରହିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଏ. ଡି. ରେନହାର୍ଟଙ୍କ ସହ ବନ୍ଧୁତା ଆଗ୍ନେଶଙ୍କ ଚିତ୍ରଧାରା ଓ ଚିନ୍ତାଧାରାକୁ ବହୁଧା ପ୍ରଭାବିତ କରିଥିଲା । ରେନହାର୍ଟଙ୍କ ବିୟୋଗ ଆଗ୍ନେଶଙ୍କ ନିୟୁୟର୍କ ସହର ଛାଡ଼ିବାର ଅନ୍ୟତମ କାରଣ ମଧ୍ୟ ଥିଲା ।


ମୋମାଠାରେ ୨୦୧୧ ମସିହାରେ ପ୍ରଦର୍ଶିତ ଆଗ୍ନେସ୍ ମାର୍ଟିନ୍‌ଙ୍କର ଏକ କଳାକୃତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଆପଣା ଜୀବନ କାଳ ଭିତରେ ୮୫ଟି ଏକକ ଚିତ୍ର ପ୍ରଦର୍ଶନ କରିଥିବା ଆଗ୍ନେଶ ନିଜ ମନ ପସନ୍ଦ ନହେଲେ ନିଜ କଳାକୃତିକୁ ସମ୍ପୂର୍ଣ୍ଣ ନଷ୍ଟ କରିବାରେ ମଧ୍ୟ ପ୍ରସିଦ୍ଧ ଥିଲେ । ପ୍ରାୟତଃ ଛ ଗୁଣନ ଛ ଫୁଟ ଆକାରରେ ଅଙ୍କା ଆଗ୍ନେଶଙ୍କ ଛବିରେ ରେଖା ମାନଙ୍କର ଜାଲି ଦେଖିବାକୁ ମିଳେ, ଯେଉଁଥିରେ ସେ ନାମକୁ ମାତ୍ର ବର୍ଣ୍ଣର ବ୍ୟବହାର କରୁଥିଲେ । ପରେ ବୟସ ଅଧିକ ହେଲାରୁ ସେ ତାଙ୍କ ଛବି ଆକାରକୁ ଛ ଗୁଣନ ଛ ଇଞ୍ଚକୁ ସାନ କରି ଦେଇଥିଲେ ।

ଆଗ୍ନେଶଙ୍କ କହିବା କଥା ହେଲା, ସେ ଥରେ ପାହାଡ଼ମାନଙ୍କ ଗହଣରେ ପାହାଡ଼ ଆଙ୍କୁଥିବା ବେଳେ ହଠାତ ସମତଳ ଅଞ୍ଚଳରେ ପହଞ୍ଚି ଯେଉଁ ଆଶ୍ୱାସ ଅନୁଭବ କଲେ, ସେଇ ଅନୁଭଵକୁ ହିଁ ଭୂଲମ୍ବ ରେଖା ସବୁ ଆଙ୍କି ବ୍ୟକ୍ତ କରିଥିଲେ । ପରେ ସେଥିରେ ଉଲମ୍ବ ରେଖାମାନ ଯୁକ୍ତ କରିଥିଲେ l ଆଖିକୁ ଦେଖିବାକୁ ଖୁବ ସହଜ ଓ ସରଳ ମନେ ହେଉଥିବା ଆଗ୍ନେଶଙ୍କ ଛବି ମାନଙ୍କର ପ୍ରସ୍ତୁତି ପ୍ରଣାଳୀ ଖୁବ ଜଟିଳ ଓ ସମୟ ସାପେକ୍ଷ ।

ପ୍ରକୃତିକୁ ଅତି ଅଳ୍ପ ଜ୍ୟାମିତିକ ରୂପରେ ପ୍ରକାଶ କରିବାର ତାଙ୍କର ଆଗ୍ରହ ଏପରି ଏକ ଚିତ୍ରକାରୀକୁ ଜନ୍ମ ଦେଇଥିଲା । ସେ ତାଙ୍କ ଛବିକୁ ସବୁବେଳେ ସଙ୍ଗୀତ ସାଙ୍ଗରେ ତୁଳନା କରୁଥିଲେ । ସରଳତା ଓ ନିରୋଳା ଆନନ୍ଦ ସନ୍ଧାନରେ ଜୀବନ କାଟିଥିବା ଓ ଜୀବନ ପ୍ରତି ସର୍ବଦା ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ଏହି ମହାନ ଚିତ୍ରଶିଳ୍ପୀଙ୍କ ଜୀବନୀ ଗ୍ରନ୍ଥ ୨୦୧୮ ମସିହାରେ ପ୍ରକାଶିତ । 'ଆଗ୍ନେଶ ମାର୍ଟିନ: ପାୟୋନିୟର, ପେଣ୍ଟର, ଆଇକନ' ନାମକ ଏହି ଗ୍ରନ୍ଥରେ ତାଙ୍କ ବିଷୟରେ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶିତ ହୋଇଛି ।

Monday, June 29, 2020

ଏକରୁ ଅସୀମ ଆଡ଼କୁ

ରମାକାନ୍ତ ସାମନ୍ତରାୟ


ରୋମାନ ଓପାଓକାଙ୍କର ଏକ ଟିତ୍ର
(ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ମଡର୍ଣ୍ଣ ଆର୍ଟ୍)

୧୯୬୫ ମସିହା । ପୋଲାଣ୍ଡର ରାଜଧାନୀ ଓର୍ସା । ରୋମାନ ଓପାଓକା ନାମକ ଜଣେ ଚିତ୍ରଶିଳ୍ପୀ ସେଦିନ ତାଙ୍କ ଷ୍ଟୁଡିଓରେ ଗୋଟେ କଳାରଙ୍ଗ ବୋଳା କ୍ୟାନଭାସରେ ଛୋଟିଆ ଗୋଟିଏ ବ୍ରସ ଧରି, ଧଳା ରଙ୍ଗରେ କ୍ୟାନଭାସର ବାମହାତି ଉପର କୋଣରେ ଲେଖିଲେ ଗାଣିତିକ ସଙ୍ଖ୍ୟା ଏକ (୧) । ତାପରେ ତା ପାଖକୁ ଦୁଇ ,ତା ପାଖକୁ ତିନି, ଏମିତି ସଙ୍ଖ୍ୟା ପରେ ସଙ୍ଖ୍ୟା କ୍ରମିକ ଭାବରେ ଧାଡ଼ି ପରେ ଧାଡ଼ି ଓପାଓକା ଲେଖିଚାଲିଲେ । ଶେଷରେ କ୍ୟାନଭାସର ଡାହାଣ କୋଣ ତଳର ଶେଷ ଧାଡିରେ ପହଞ୍ଚିଲା ବେଳକୁ ୩୫,୩୨୭ ସଙ୍ଖ୍ୟା ପାଖରେ ପହଞ୍ଚି ସାରିଥିଲେ ସେ । 

ଛୟାଳିଶ ବର୍ଷ ଶିଳ୍ପୀ ଜୀବନରେ ଓପାଓକା ଏମିତିକା ୨୨୨ଟି କ୍ୟାନଭାସ ପ୍ରସ୍ତୁତ କରିଥିଲେ । ସେ ତାଙ୍କର ସବୁ କ୍ୟାନଭାସ ର ନାମ ରଖିଥିଲେ '୧୯୬୫/୧-∞' ଆଉ ସବୁ କ୍ୟାନଭାସର ଆକାର ରଖିଥିଲେ ଛ ଫୁଟ ଗୁଣନ ଚାରି ଫୁଟ । ମଜା କଥାଟି ହେଲା, ଓପାଓକାଙ୍କ ଷ୍ଟୁଡିଓର ଦାଣ୍ଡ ଦରଜାଟି ଠିକ୍ ଏଇ ମାପର ହିଁ ଥିଲା । ଓପାଓକା ବହୁସମୟ ଧରି ଆପଣା ଷ୍ଟୁଡିଓରେ କାମ କରୁଥିଲେ ଓ ଦିନକୁ ହାରହାରି ୪୦୦ ପାଖାପାଖି ଅଙ୍କ (ଆଙ୍କୁଥିଲେ) ଲେଖୁଥିଲେ ।

ରୋମାନ ଓପାଓକାଙ୍କର ଏକ ଆଲୋକଚିତ୍ର (ୱିକିମିଡିଆ କମନ୍ସ୍)
ଚିତ୍ରୋତ୍ତୋଳକ - ଲୋଥା ୱଲି (୧୯୩୦-୧୯୭୯)

ଓପାଓକା ପ୍ରଥମେ ପ୍ରଥମେ କଳା ରଙ୍ଗ ଉପରେ ଧଳା ରଙ୍ଗରେ ସଙ୍ଖ୍ୟା ଲେଖୁଥିଲେ, କିନ୍ତୁ ୧୯୬୮ ବେଳକୁ କ୍ୟାନଭାସର ବ୍ୟାକଗ୍ରାଉଣ୍ଡର କଳାରଙ୍ଗର ଜାଗା ଗ୍ରେ ରଙ୍ଗ ନେଲା । ଏବଂ ୧୯୭୨ ମସିହା ସମୟକୁ ସେ ନିଷ୍ପତି ନେଲେ ଯେ, ଗ୍ରେ ବ୍ୟାକଗ୍ରାଉଣ୍ଡରେ ସେ ଏଥର ଅଳ୍ପ ଅଳ୍ପ ଧଳାରଙ୍ଗ ମିଶାଇ ଚାଲିବେ ଓ ଏମିତି ଧୀରେ ଧୀରେ ଅଳ୍ପ ଅଳ୍ପ ଗ୍ରେ ରଙ୍ଗରେ ଧଳା ମିଶାଇ ମିଶାଇ ଦିନେ ସେ ଧଳା ବ୍ୟାକଗ୍ରାଉଣ୍ଡ ଉପରେ ଧଳା ରଙ୍ଗରେ ସଙ୍ଖ୍ୟା ଲେଖିବେ । 

ସେ ହାରାହାରି ଗୋଟେ ହିସାବ ଲଗାଇଥିଲେ ଯେ ୭,୭୭୭,୭୭୭ ସଙ୍ଖ୍ୟା ପାଖରେ ପହଞ୍ଚିଲା ବେଳକୁ ତାଙ୍କ କ୍ୟାନଭାସର ବ୍ୟାକଗ୍ରାଉଣ୍ଡ ଗ୍ରେ ରୁ ସମ୍ପୂର୍ଣ ଧଳା ହୋଇସାରିଥିବ । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଲାବେଳକୁ, ସେ ୬,୦୦୦.୦୦୦ ସଙ୍ଖ୍ୟା ପାଖରେ କାମ କରିବା ଅବଶ୍ୟ ବନ୍ଦ କରିସାରିଥିଲେ ।
ସେତବେଳକୁ ସେ ଧଳା ରଙ୍ଗ ଉପରେ ଧଳା ରଙ୍ଗରେ ହିଁ ଲେଖୁଥିଲେ । ଜୀବନର ଶେଷ ତିନି ବର୍ଷ ଓପାଓକା ଧଳା କ୍ୟାନଭାସ ଉପରେ ଧଳା ରଙ୍ଗରେ କ୍ରମିକ ସଙ୍ଖ୍ୟା ସବୁ ଲେଖୁଥିଲେ । ଧଳା ଉପରେ ଧଳାରେ ଲିଖିତ ସଙ୍ଖ୍ୟା ସବୁ ଅଦୃଶ୍ୟ ହେବା ଆଗରୁ ଦୃଶ୍ୟମାନ ତାଙ୍କ ଲିଖିତ ଶେଷ ସଙ୍ଖ୍ୟାଟି ଥିଲା ୫,୬୦୭,୨୪୯ ।
ଫ୍ରାନ୍ସରେ ଜନ୍ମିତ ଏହି ପୋଲାଣ୍ଡର ଚିତ୍ରଶିଳ୍ପୀ ରୋମାନ ଓପାଓକାଙ୍କ ଜନ୍ମ ୨୭ ଅଗଷ୍ଟ ୧୯୩୧ରେ ହୋଇଥିଲା ଓ ମୃତ୍ୟୁ ତାଙ୍କର ଅଶୀତମ ଜନ୍ମଦିନର ମାତ୍ର ତିନି ସପ୍ତାହ ପୂର୍ବରୁ, ଅର୍ଥାତ ୬ ଅଗଷ୍ଟ ୨୦୧୧ରେ ହୋଇଥିଲା । କନ୍ସେପଚୁଆଲ କଳା ଚିନ୍ତନର ଜଣେ ପ୍ରମୁଖ ଚିତ୍ରଶିଳ୍ପୀ ଭାବରେ ଓପାଓକା ବିଶ୍ଵର ଅନେକ ବିଖ୍ୟାତ ଗ୍ୟାଲେରୀ, ମ୍ୟୁଜିୟମ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମାନଙ୍କରେ ସ୍ଥାନ ପାଇଛନ୍ତି । ଛୋଟିଆ କଥା ଭିତରେ କେତେ ଯେ ଗୁରୁତ୍ୱପୂର୍ଣ ବକ୍ତବ୍ୟ କୁହାଯାଇପାରେ, ତାହା ସେ ଦେଖାଇ ଦେଇଛନ୍ତି ।

Sunday, June 14, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା: ଓଡ଼ିଶା

କେଦାରନାଥ ମହାପାତ୍ର


ଯାଜପୁର ଜିଲ୍ଲାରେ ସ୍ଥିତ ଉଦୟପୁର ବୌଦ୍ଧ ସ୍ତୁପ (ସପ୍ତମରୁ ଦ୍ୱାଦଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ

ହର୍ଷଙ୍କ ପୂର୍ବରୁ ଓଡ଼ିଶାରେ କ୍ଷମତାଶାଳୀ ଭୌମବଂଶୀ ରାଜାମାନେ ରାଜତ୍ୱ କରୁଥିଲେ ଏହି ବଂଶର କେତେକ ରାଜା ବୌଦ୍ଧ ଥିଲେ ଏବଂ ଅନେକ ବୌଦ୍ଧ କୀର୍ତ୍ତି ନିର୍ମାଣ କରିଥିଲେ ପ୍ରାୟ ସପ୍ତ ଶତାବ୍ଦୀଠାରୁ ସମ୍ୱଲପୁର ଉତ୍ତର ଓଡ଼ିଶାରେ ସୋମବଂଶୀ ବା କେଶରୀ ରାଜାମାନେ ଖ୍ରୀ: ୧୧୩୨ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ  

ଏହି ବଂଶରେ ଯଯାତି କେଶରୀ ଉଦ୍ୟୋତ କେଶରୀ ନାମକ ଦୁଇଜଣ ପ୍ରସିଦ୍ଧ ରାଜା ଥିଲେ ଉଦ୍ୟୋତ କେଶରୀ ବଙ୍ଗଳା, ଲଙ୍କା, ଗୁଜୁରାଟ ଚୋଡ଼ଦେଶ ପ୍ରଭୃତି ଜୟ କରିଥିଲେ କେଶରୀମାନେ ଶୈବ ଥିଲେ ଓଡ଼ିଶାରେ ଶତ ଶତ ଶୈବ ମନ୍ଦିର ନିର୍ମାଣ କରିଥିଲେ ସେଥିମଧ୍ୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭାରତ ପ୍ରସିଦ୍ଧ  

କଟକ, ଯାଜପୁର, ଚଉଦ୍ୱାର, ଭୁବନେଶ୍ୱର, ପୁରୀ କଇଁଶିଳ (ପାଟଣା ରାଜ୍ୟରେ) ଏମାନଙ୍କ ସମୟରେ ଓଡ଼ିଶାର ପ୍ରଧାନ କେନ୍ଦ୍ର ଥିଲା ଏମାନଙ୍କ ରାଜତ୍ୱ କାଳରେ ଓଡ଼ିଶା ସବୁ ବିଷୟରେ ଉନ୍ନତି କରିଥିଲା  

କଳିଙ୍ଗ ବା ଗଞ୍ଜାମ ଜିଲ୍ଲାରେ ଗଙ୍ଗବଂଶୀ ରାଜାମାନେ ଷଷ୍ଠ ଶତାବ୍ଦୀ ପ୍ରାରମ୍ଭରୁ ରାଜତ୍ୱ କଲେ ସେମାନେ ଶୈବ ଥିଲେ ଅନେକ ଶୈବ କୀର୍ତ୍ତି ସ୍ଥାପନ କରିଥିଲେ ଏହି ବଂଶର ପରାକ୍ରମଶାଳୀ ରାଜା ଚୋଡ଼ଗଙ୍ଗ ଦେବ ୧୧୩୨ରେ କେଶରୀବଂଶ ରାଜାଙ୍କୁ ପରାସ୍ତ କରି ଉତ୍ତର ଓଡ଼ିଶା ଜୟ କଲେ ତାଙ୍କ ସମୟରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Thursday, March 12, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥାଗୁର୍ଜ୍ଜର ପ୍ରତିହର


କେଦାରନାଥ ମହାପାତ୍ର


ପ୍ରତିହାର ରାଜତ୍ୱ ସମୟର ଯକ୍ଷ ଗୋମୁଖ ଓ ତାଙ୍କ ସହଚରୀଙ୍କ ମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କନୌଜ ଗୁର୍ଜ୍ଜର ପ୍ରତିହରମାନଙ୍କର ରାଜଧାନୀ ଥିଲା ଏହି ବଂଶର (ପ୍ରଥମ) ଭୋଜ ମହେନ୍ଦ୍ରପାଳ ନାମକ ଦୁଇଟି ରାଜା ବିଶେଷ କ୍ଷମତାଶାଳୀ ଥିଲେ ପ୍ରଥମ ଭୋଳ (ଖ୍ରୀ:୮୩୬-ଖ୍ରୀ: ୮୯୩) ପର୍ଯ୍ୟନ୍ତ ରାଜତ୍ୱ  କରୁଥିଲେ ତାଙ୍କ ରାଜ୍ୟ ପଞ୍ଜାବଠାରୁ ବଙ୍ଗଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା ତାଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ (ଖ୍ରୀ: ୮୯୩-ଖ୍ରୀ: ୯୦୭) ରାଜା ହେଲେ ସେ ଏହି ବଂଶର ଶ୍ରେଷ୍ଠ ରାଜା ସେ ପଶ୍ଚିମରେ ଗୁଜୁରାଟ ପୂର୍ବରେ ବଙ୍ଗ ଜୟ କରି ନିଜ ରାଜ୍ୟ ସହିତ ମିଶାଇଥିଲେ ତାଙ୍କ ସଭାରେ ରାଜଶେଖର ନାମକ ଜଣେ ବିଖ୍ୟାତ ପଣ୍ଡିତ ଥିଲେ ତାଙ୍କ ପରେ ଏହି  ବଂଶ ଦୁର୍ବଳ ହୋଇ ପଡ଼ିଲା

ପ୍ରତିହରମାନଙ୍କ ପରେ ଏହି ଜାତିର ଚୌହାନ, ରାଠୋର ଶିଶୋଦୀୟ ଶାଖା କ୍ଷମତାଶାଳୀ ହୋଇଥିଲେ ଚୌହାନମାନେ ଆଜମୀରରେ ରାଜତ୍ୱ କରୁଥିଲେ ବୀର ପୃଥ୍ୱୀରାଜ ଏହି ବଂଶର ଶ୍ରେଷ୍ଠ ରାଜା ରାଠୋରମାନେ କନୌଜରେ ଶାସନ କରୁଥିଲେ ଜୟଚନ୍ଦ୍ର ଏହି ବଂଶର ଶ୍ରେଷ୍ଠ ରାଜା ମିବାରରେ ଶିଶୋଦୀୟ ରାଜପୁତମାନେ ରାଜତ୍ୱ କରୁଥିଲେ ଚିତୋର ମିବାରର ରାଜଧାନୀ ଥିଲା ସେମାନେ ସ୍ୱାଧୀନତା ସତୀତ୍ୱକୁ ପ୍ରାଣଠାରୁ ବଡ଼ ବୋଲି ଭାବୁଥିଲେ

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Sunday, February 09, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥାରାଜପୁତ ଜାତି


କେଦାରନାଥ ମହାପାତ୍ର


୧୯୦୭ରେ ଉତ୍ତୋଳିତ ଅଲୱାରର ଏକ ସାଗରର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ହର୍ଷବର୍ଦ୍ଧନଙ୍କ ପରେ ଉତ୍ତର ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ରାଜପୁତ ନାମକ ଗୋଟିଏ ବୀର ଜାତି ପଶ୍ଚିମ ଭାରତରେ ବିଶେଷ କ୍ଷମତାଶାଳୀ ହୋଇ ଉଠିଲେ । ରାଜପୁତ ଶବ୍ଦର ଅର୍ଥ ରାଜପୁତ୍ର ବା କ୍ଷତ୍ରିୟ । ସେମାନେ ଭାରି ସାହସୀ ଓ ଯୋଦ୍ଧା ଥିଲେ ଏବଂ ସ୍ୱାଧୀନତା ରକ୍ଷା କରିବା ପାଇଁ ନିଜ ଜୀବନ ଦେବାକୁ ସର୍ବଦା ପ୍ରସ୍ତୁତ ଥିଲେ । ପରବର୍ତ୍ତୀ କାଳରେ ସେମାନେ ହିନ୍ଦୁ ଧର୍ମ ଓ ଭାରତର ସ୍ୱାଧୀନତା ପାଇଁ ମୁସଲମାନମାନଙ୍କ ସହିତ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ । 

ସେମାନେ ନିଜକୁ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ କ୍ଷତ୍ରିୟ ବୋଲି କହନ୍ତି । ସେମାନଙ୍କ ଉତ୍ପତ୍ତି ସମ୍ୱନ୍ଧରେ ନାନାପ୍ରକାର ମତ ଦେଖାଯାଏ । କେତେକ ପଣ୍ଡିତଙ୍କ ମତରେ ସେମାନେ ଶକ, ପଲ୍ଲବ, ହୁନ ପ୍ରଭୃତି ବୈଦେଶିକ ଜାତିମାନଙ୍କର ବଂଶଧର । ସେମାନେ ଭାରତକୁ ଆସି ହିନ୍ଦୁ ଧର୍ମ ଗ୍ରହଣ କରି, ନିଜର ଯୁଦ୍ଧ କୌଶଳ ଯୋଗୁଁ କ୍ଷତ୍ରିୟ ବା ରାଜପୁତ୍ର ବୋଲି କଥିତ ହେଲେ । ଅନ୍ୟ କେତେକଙ୍କ ମତରେ ଆମ୍ଭ ଦେଶରେ ବୈଦିକ ଯୁଗରୁ ରାଜପୁତମାନଙ୍କ ପରି ସାହସୀ ଓ ବୀର କ୍ଷତ୍ରିୟ ଜାତି ଥିଲେ । ରାଜପୁତମାନେ ସେହି ପ୍ରାଚୀନ କ୍ଷତ୍ରିୟମାନଙ୍କର ବଂଶଧର । 

ପରବର୍ତ୍ତୀ କାଳରେ ବୈଦେଶିକମାନେ ଏମାନଙ୍କ ସହିତ ମିଶି ଯାଇଥିଲେ । ଚୌହ୍ୱାନ, ରାଠୋର, ଶିଶୋଦୀୟ, ଚାନ୍ଦେଲ, ବାଘେଲ, ଗୁର୍ଚ୍ଛର ପ୍ରତିହର, ପରମାର ବା ପ୍ରାମାର, ଶୋଲାଙ୍କି ପ୍ରଭୃତି ରାଜପୁତ ଜାତିର ଭିନ୍ନ ଭିନ୍ନ ଶାଖା ଅଟେ । ହର୍ଷଙ୍କ ମୃତ୍ୟୁର କିଛି କାଳ ପରେ ଏହି ଜାତିର ଗୁର୍ଚ୍ଛର ପ୍ରତିହର ଶାଖା କ୍ଷମତାଶାଳୀ ହୋଇଥିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Thursday, December 05, 2019

ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ

କେଦାରନାଥ ମହାପାତ୍ର


ହୁଏନ୍‌ସାଂ (୬୦୨-୬୬୪ ଖ୍ରୀଷ୍ଟାବ୍ଦ )
ୱିକିମିଡିଆ କମନ୍ସ୍

ହୁଏନ୍‌ସାଂ ଭାରତର ବୌଦ୍ଧ ପୀଠମାନ ଦେଖିବା ପାଇଁ ଓ ଧର୍ମଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଭାରତକୁ ଆସିଥିଲେ । ସେ ଭାରତରେ ଖ୍ରୀ: ୬୩୦ରୁ ଖ୍ରୀ: ୬୪୫ ପର୍ଯ୍ୟନ୍ତ ରହିଥିଲେ । ସେ ସମଗ୍ର ଭାରତରେ ବୁଲି ବିଭିନ୍ନ ରାଜ୍ୟ, ରାଜ୍ୟବଂଶ, ରାଜା, ହିନ୍ଦୁ ଓ ବୌଦ୍ଧପୀଠ ମାନଙ୍କ ସମ୍ୱନ୍ଧରେ ବିସ୍ତୃତ ବିବରଣ ଦେଇଛନ୍ତି । ସେ ହର୍ଷଙ୍କର ଜଣେ ପରମବନ୍ଧୁ ଥିଲେ ଓ ତାଙ୍କର ରାଜସଭାରେ କିଛି କାଳ କଟାଇଥିଲେ । ସେ ଲେଖିଛନ୍ତି ଯେ, ହର୍ଷ ଦୟାଳୁ ଓ ଧର୍ମପରାୟଣ ଥିଲେ । ସେ ବୌଦ୍ଧ ଥିଲେ ସୁଦ୍ଧା ଅନ୍ୟ କୌଣସି ଧର୍ମ ପ୍ରତି ଅନାଦର ଦେଖାଉ ନ ଥିଲେ । 

ପ୍ରୟାଗ ବା ଆଲ୍ଲାହାବାଦରେ ସେ ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ବୌଦ୍ଧ ମେଳା ବସାଉଥିଲେ । ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏହି ମେଳା ବସୁଥିଲା । ଧର୍ମାଲୋଚନା ଓ ଲୋକମାନଙ୍କୁ ଧର୍ମ ଉପଦେଶ ଦେବା ଏହି ସଭାର ଉଦ୍ଦେଶ୍ୟ ଥିଲା । ଏହି ସଭାରେ ତାଙ୍କର ଅଧୀନସ୍ଥ ରାଜାମାନେ ମଧ୍ୟ ଯୋଗ ଦେଉଥିଲେ । ସେ ମେଳା ଶେଷରେ ନିଜ ରାଜ୍ୟ ଓ ସେନା ଛଡ଼ା ରାଜକୋଷରେ ସଞ୍ଚିତ ସମସ୍ତ ଧନରତ୍ନ, ଏପରି କି ନିଜ ପୋଷାକ ମଧ୍ୟ ବୌଦ୍ଧ ସନ୍ନ୍ୟାସୀ ଓ ଗରିବ ଲୋକ ମାନଙ୍କୁ ଦାନ କରୁଥିଲେ । 

ହର୍ଷଙ୍କର ପ୍ରକାଣ୍ଡ ସେନା ଥିଲା । ସୁଶାସନ ପାଇଁ ସେ ରାଜ୍ୟର ସମସ୍ତ କାର୍ଯ୍ୟ ନିଜେ ବୁଝୁଥିଲେ ଓ ରାଜ୍ୟରେ ବେଳେ ବେଳେ ଗସ୍ତ କରୁଥିଲେ । ପ୍ରଜାମାନେ ସୁଖ ଶାନ୍ତିରେ ଥିଲେ । ସେମାନେ ବେଠି କରୁ ନ ଥିଲେ ଓ ଭୂମିର ଆୟର ଏକ ଷଷ୍ଠାଂଶ ରାଜସ୍ୱ ସ୍ୱରୂପ ଦେଉଥିଲେ ।

ପାଟଳୀପୁତ୍ର ନଗରୀ ଧ୍ୱଂସ ପ୍ରାପ୍ତ ହୋଇଥିଲା । କିନ୍ତୁ ହର୍ଷଙ୍କ ରାଜଧାନୀ କାନ୍ୟକୁବ୍‌ଜ ସମଗ୍ର ଭାରତରେ ଗୋଟିଏ ଶ୍ରେଷ୍ଠ ନଗରୀ ଥିଲା । ପାଟଳୀପୁତ୍ରର ଦକ୍ଷିଣରେ ନାଳନ୍ଦା ନାମକ ସ୍ଥାନରେ ଗୋଟିଏ ପ୍ରସିଦ୍ଧ ବିଦ୍ୟାପୀଠ ବା ବିଶ୍ୱବିଦ୍ୟାଳୟ ଥିଲା । ଭାରତର ସବୁ ସ୍ଥାନରୁ ଓ ଚୀନ, ଜାପାନ ପ୍ରଭୃତି ସୁଦୂର ବିଦେଶରୁ ଶତ ଶତ ଛାତ୍ର ସେଠାକୁ ପଢ଼ିବାକୁ ଆସୁଥିଲେ ।

ଦଶ ହଜାର ଛାତ୍ର ରହିବା ପାଇଁ ସେଠାରେ ଗୋଟିଏ ଛାତ୍ରାବାସ ବା ବୋର୍ଡିଂ ଥିଲାଛାତ୍ରମାନ ବିନା ଦରମାରେ ପାଠ ପଢ଼ୁଥିଲେ । ରାଜା ମହାରାଜାମାନେ ଛାତ୍ରମାନଙ୍କୁ ଖାଦ୍ୟ ଓ ପରିଧାନ ଯୋଗାଉଥିଲେ । ଭାରତର ପ୍ରସିଦ୍ଧ ପଣ୍ଡିତମାନେ ସେଠାରେ ଶିକ୍ଷା ଦେଉଥିଲେ । ପଢ଼ିବା ପାଇଁ ବଡ ବଡ ପୁସ୍ତକାଗାର ବା ଲାଇବ୍ରେରି ଥିଲା । ସେଠାରେ ନାନା ପ୍ରକାର ଶିକ୍ଷା ଦିଆ ଯାଉଥିଲା । ନାଳନ୍ଦା ପରି ଆଦର୍ଶ ବିଶ୍ୱବିଦ୍ୟାଳୟ ଏ ଯୁଗରେ ମଧ୍ୟ ପୃଥିବୀରେ କ୍ୱଚିତ ଦେଖାଯାଏ ।

ହୁଏନ୍‌ସାଂଙ୍କ ସମୟରେ ଓଡିଶା ପ୍ରଦେଶରେ ଉତ୍କଳ, କଙ୍ଗୋଦ, କୋଶଳ, କଳିଙ୍ଗ ନାମକ ଚାରୋଟି ବିଭାଗ ଥିଲା । ପୁଷ୍ପଗିରି (କଟକ ଜିଲ୍ଲାର ଲଳିତଗିରି) ଓ ସମ୍ୱଲପୁର ଅଞ୍ଚଳର ପରିମଳଗିରି ଓଡିଶାର ଦୁଇଟି ପ୍ରସିଦ୍ଧ ବୌଦ୍ଧପୀଠ ଥିଲା । ଦକ୍ଷିଣରେ ଚାଲୁକ୍ୟମାନେ ବଡ଼ ଶକ୍ତିଶାଳୀ ଥିଲେ । ଭାରତର ଅନ୍ୟାନ୍ୟ ପ୍ରଦେଶ ସମ୍ୱନ୍ଧରେ ମଧ୍ୟ ସେ ଅନେକ କଥା ଲେଖିଛନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Saturday, September 07, 2019

ହର୍ଷ ବର୍ଦ୍ଧନ

କେଦାରନାଥ ମହାପାତ୍ର


ହର୍ଷବର୍ଦ୍ଧନଙ୍କର ପ୍ରାସାଦର ଭଗ୍ନାବଶେଷ (ୱିକିମିଡିଆ କମନ୍ସ୍)

ସପ୍ତମ ଶତାବ୍ଦୀ ବେଳକୁ ଯୁକ୍ତ ପ୍ରଦେଶ [ବର୍ତ୍ତମାନର ଉତ୍ତର ପ୍ରଦେଶ] ର ଥାନେଶ୍ୱର ନାମକ ସ୍ଥାନରେ ବର୍ଦ୍ଧନ ବଂଶ କ୍ଷମତାଶାଳୀ ହୋଇ ଉଠିଲେ । ଏହି ବଂଶର ପ୍ରଭାକର ବର୍ଦ୍ଧନ କିଛି କାଳ ରାଜତ୍ୱ କରିବା ପରେ ତାଙ୍କ ପୁତ୍ର ରାଜ୍ୟ ବର୍ଦ୍ଧନ ରାଜା ହେଲେ । ସେ ଦୁଇ ବର୍ଷ ମାତ୍ର ରାଜତ୍ୱ କରିବା ପରେ ଗୌଡ ବା ବଙ୍ଗ ଦେଶର ରାଜା ଶଶାଙ୍କ ତାଙ୍କୁ ମାରି ପକାଇଲେ । ତେଣୁ ତାଙ୍କର ସାନ ଭାଇ ହର୍ଷ ବର୍ଦ୍ଧନ ୬୦୬ ଖ୍ରୀଷ୍ଟାବ୍ଦରେ ଥାନେଶ୍ୱରର ରାଜା ହେଲେ ଓ ୬୦୬ ଖ୍ରୀଷ୍ଟାବ୍ଦରୁ ହର୍ଷାବ୍ଦ ନାମକ ଗୋଟିଏ ଅବ୍ଦ ଚଳାଇଲେ । 

ରାଜା ହେବା ମାତ୍ରେ ସେ ଛଅ ବର୍ଷ କାଳ ଯୁଦ୍ଧ କରି ଉତ୍ତର ଭାରତର କେତେକ ରାଜ୍ୟ ଜୟ କରିଥିଲେ ଓ ତାଙ୍କର ଭଉଣୀ ରାଜ୍ୟଶ୍ରୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । କାମରୂପ ବା ଆସାମର ରାଜା ଭାସ୍କର ବର୍ମନଙ୍କ ସାହାଯ୍ୟରେ ବଙ୍ଗଳାର ରାଜା ଶଶାଙ୍କଙ୍କୁ ପରାସ୍ତ 
କରିଥିଲେ । ଉତ୍ତର ଭାରତ ଜୟ କରି ସେ ଦକ୍ଷିଣ ଭାରତ ଜୟ କରିବାକୁ ବାହାରିଲେ । 

ସେତେବେଳେ ଦାକ୍ଷିଣାତ୍ୟରେ ଚାଲୁକ୍ୟମାନେ ବିଶେଷ ଶକ୍ତିଶାଳୀ ଥିଲେ । ଚାଲୁକ୍ୟ ରାଜା ଦ୍ୱିତୀୟ ପୁଲକେଶୀ ହର୍ଷଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଥିଲେ ଓ ନର୍ମଦା ନଦୀ ଦୁହିଁଙ୍କ ରାଜ୍ୟର ସୀମା ରୂପେ ନିର୍ଦ୍ଦିଷ୍ଟ ହେଲା । ରାଜ୍ୟ ଶାସନର ସୁବିଧା ପାଇଁ ସେ ଥାନେଶ୍ୱରରୁ କାନ୍ୟକୁବ୍‌ଜକୁ ରାଜଧାନୀ ଉଠାଇ ନେଇଥିଲେ । ୬୪୨ ଖ୍ରୀଷ୍ଟାବ୍ଦରେ ସେ ଓଡ଼ିଶା ଜୟ କରିବାକୁ ଆସିଥିଲେ । କିନ୍ତୁ ଓଡ଼ିଶା ରାଜା ତାଙ୍କର ସମ୍ପୂର୍ଣ୍ଣ ଅଧୀନତା ସ୍ୱୀକାର କରି ନ ଥିଲେ । ସେ ରାଜତ୍ୱର ଶେଷ ବେଳକୁ ‘ମଗଧ ସମ୍ରାଟ’ ଉପାଧି ଧାରଣ କରିଥିଲେ । ତାଙ୍କର ରାଜ୍ୟ ହିମାଳୟଠାରୁ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ବ୍ରାହ୍ମପୁତ୍ରଠାରୁ ଯମୁନା ଓ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ୬୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

ସେ ପ୍ରଥମେ ଶୈବ ଥିଲେ, କିନ୍ତୁ ପରେ ବୌଦ୍ଧ ହୋଇ ଏହି ଧର୍ମର ଉନ୍ନତି ପାଇଁ ଚେଷ୍ଟା କରିଥିଲେ । ସେ ରାଜା ହୋଇ ମଧ୍ୟ ପଣ୍ଡିତ ଓ ସୁଲେଖକ ଥିଲେ ଓ କେତେଗୁଡିଏ ଉତ୍କୃଷ୍ଟ ଗ୍ରନ୍ଥ ରଚନା କରିଥିଲେ । ବାଣ ଭଟ୍ଟ ନାମକ ତାଙ୍କ ସଭାର ଜଣେ ପ୍ରସିଦ୍ଧ କବି ‘କାଦମ୍ୱରୀ’ ଓ ‘ହର୍ଷଚରିତ’ ନାମକ ଦୁଇଟି ଭଲ ଗ୍ରନ୍ଥ ଲେଖିଥିଲେ । 

ହର୍ଷଙ୍କ ରାଜତ୍ୱରେ ଚୀନ ଦେଶରୁ ହୁଏନ୍‌ସାଂ ନାମକ ବୌଦ୍ଧ ଭିକ୍ଷୁ ଭାରତକୁ ଆସିଥିଲେ । ସେ ଫାହିଆନ୍‌ଙ୍କ ପରି ଗୋଟିଏ ବିସ୍ତୃତ ଭ୍ରମଣ ବୃତ୍ତାନ୍ତ ଲେଖିଛନ୍ତି । ଏହା ତତ୍‌କାଳୀନ ଇତିହାସର ଗୋଟିଏ ଭଣ୍ଡାର ପରି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Saturday, July 27, 2019

ଗୁପ୍ତ ସାମ୍ରାଜ୍ୟ ପରେ ଦେଶର ଅବସ୍ଥା

କେଦାରନାଥ ମହାପାତ୍ର


ବୁଦ୍ଧଗୁପ୍ତଙ୍କ ସମୟରେ ମାଳବରୁ ପ୍ରାପ୍ତ ମୁଦ୍ରା (୪୭୬-୪୯୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯଶୋଧର୍ମ ଦେବ 

ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା । ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ହୁଣମାନେ ପ୍ରବଳ ହୋଇ ଉଠିଲେ । ‘ତୋରମାନ’ ଓ ‘ମିହିରକୁଳ’ ହୁଣ ରାଜାମାନଙ୍କ ମଧ୍ୟରେ ପ୍ରଧାନ । ପଞ୍ଜାବ ପ୍ରଦେଶର ଶାକଳ (ଶୈଳବୋଟ) ସେମାନଙ୍କର ରାଜଧାନୀ ଥିଲା । ଗୁପ୍ତମାନେ ଦୁର୍ବଳ ହୋଇ ପଡିବାରୁ ତୋରମାନ ମାଳବ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କର ପୁତ୍ର ମିହିରକୁଳ ବିଶେଷ ପରାକ୍ରମଶାଳୀ ଥିଲେ । ତାଙ୍କର ପ୍ରତାପରେ ସମଗ୍ର ଭାରତ କମ୍ପୁଥିଲା । କିନ୍ତୁ ଯଶୋଧର୍ମ ଦେବ ନାମକ ମାଳବର ଜଣେ କ୍ଷମତାଶାଳୀ ହିନ୍ଦୁରାଜା ମିହିରକୁଳଙ୍କ ସମ୍ପୂର୍ଣ୍ଣରୂପେ ପରାସ୍ତ କରି (୫୩୩ ଖ୍ରୀଷ୍ଟାବ୍ଦ) ଭାରତରୁ ହୁଣ ପ୍ରାଧାନ୍ୟ ଲୋପ କରିଥିଲେ । ଯଶୋଧର୍ମଦେବଙ୍କ ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଓଡିଶାର ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ, ପୂର୍ବରେ ବ୍ରହ୍ମପୁତ୍ରଠାରୁ ପଶ୍ଚିମରେ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ଭାରତର ଜଣେ ଶ୍ରେଷ୍ଠ ରାଜା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Monday, June 17, 2019

କୁମାରଗୁପ୍ତ ଓ ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ ତଥା ଗୁପ୍ତଯୁଗରେ ଭାରତର ଅବସ୍ଥା  


କେଦାରନାଥ ମହାପାତ୍ର



ଗୁପ୍ତ ସାମ୍ରାଜ୍ୟ ସମୟରେ ନିର୍ମିତ ଲୌହ ସ୍ତମ୍ଭ (ୱିକିମିଡିଆ କମନ୍ସ୍)
ବର୍ତ୍ତମାନ ଦିଲ୍ଲୀର କୁତବ୍ କମ୍ପ୍ଲେକ୍ସ ଭିତରେ ସ୍ଥିତ


କୁମାରଗୁପ୍ତ

ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର କୁମାରଗୁପ୍ତ ଖ୍ରୀ: ୪୧୩ ଠାରୁ ଖ୍ରୀ: ୪୫୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ଥିଲେ ଓ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । 

ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ

ସ୍କନ୍ଦଗୁପ୍ତଙ୍କ ପୂର୍ବରୁ ହୁଣ ନାମକ ଗୋଟିଏ ପାର୍ବତ୍ୟ ନୃଶଂସ ଜାତି ମଧ୍ୟ-ଏସିଆରୁ ଭାରତବର୍ଷକୁ ଆସିଥିଲେ । ସେ ହୁଣମାନଙ୍କୁ ପରାସ୍ତ କରି ଭାରତକୁ ପୁନର୍ବାର ବିଦେଶୀ ଶତୃମାନଙ୍କ ହାତରୁ ରକ୍ଷା କରିଥିଲେ । ସେ ପିତାମହଙ୍କ ତୁଲ୍ୟ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ସେ ଖ୍ରୀ: ୪୫୫ରୁ ଖ୍ରୀ: ୪୬୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ଗୁପ୍ତ ବଂଶ ଦୁର୍ବଳ ହୋଇଗଲା କିନ୍ତୁ ଗୁପ୍ତରାଜାମାନେ ବହୁ କାଳ ଭାରତର ନାନା ସ୍ଥାନରେ ରାଜତ୍ୱ କରିଥିଲେ । 

ଗୁପ୍ତଯୁଗରେ ଭାରତର ଅବସ୍ଥା 

ଗୁପ୍ତମାନଙ୍କ ରାଜତ୍ୱ କାଳରେ ଦେଶ ଶକ, ଯବନ, କୁଶାଣ ପ୍ରଭୃତି ବିଦେଶୀୟମାନଙ୍କ ହସ୍ତରୁ ମୁକ୍ତ ହୋଇଥିଲା । ବହୁ କାଳ ଲୁପ୍ତ ବ୍ରାହ୍ମଣଧର୍ମ ଗୁପ୍ତ ସମ୍ରାଟମାନଙ୍କ ସାହାଯ୍ୟରେ ଦେଶରେ ପୁନଃ-ପ୍ରତିଷ୍ଠିତ ହେଲା । ସଂସ୍କୃତ ସାହିତ୍ୟର ଚର୍ଚ୍ଚା ବୌଦ୍ଧଯୁଗରେ କମି ଯାଇଥିଲା । କିନ୍ତୁ ଗୁପ୍ତଯୁଗରେ ସଂସ୍କୃତରେ ଶତ ଶତ ପୁରାଣ, କାବ୍ୟ, ନାଟକ, ଶିଳାଲିପି, ତାମ୍ରଶାସନ ଲିଖିତ ହୋଇଥିଲା । ମହାକବି କାଳିଦାସ, କବି ହରି ସେନ, ଜ୍ୟୋତିଷାଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଓ ବରାହମିହିର ପ୍ରଭୃତି ଏହି ଯୁଗରେ ଜନ୍ମ ହୋଇଥିଲେ । ଅଜନ୍ତା ଗୁମ୍ପାରେ ଖୋଳା ହୋଇଥିବା ଚିତ୍ରଗୁଡିକ ସମଗ୍ର ପୃଥିବୀବିଖ୍ୟାତ । ଏହି ଯୁଗରେ ଭାରତୀୟମାନେ ବ୍ରହ୍ମଦେଶ, ଶ୍ୟାମ, କାମ୍ୱୋଡିଆ ଓ ଜାଭା, ସୁମାତ୍ରା ପ୍ରଭୃତିରେ ରାଜ୍ୟ ସ୍ଥାପନ କରି ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ଏହି ସମସ୍ତ ଉନ୍ନତି ଯୋଗୁଁ ଗୁପ୍ତ ରାଜତ୍ୱକୁ ‘ସୁବର୍ଣ୍ଣ ଯୁଗ’ ବୋଲି କହନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Saturday, June 01, 2019

ଫାହିଆନ୍ 


କେଦାରନାଥ ମହାପାତ୍ର


ଫାହିଆନ୍‌ଙ୍କର ଯାତ୍ରାର ମାନଚିତ୍ର (୧୮୬୯ ମସିହାରେ ଅଙ୍କିତ)

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ସମୁଦ୍ରଗୁପ୍ତଙ୍କ ରାଜତ୍ୱ କାଳରେ ଫାହିଆନ୍ ନାମକ ଚୀନ ଦେଶୀୟ ପରିବ୍ରାଜକ ଭାରତର ବୌଦ୍ଧ ପୀଠମାନ ଦେଖିବା ପାଇଁ ଓ ବୌଦ୍ଧ ଗ୍ରନ୍ଥମାନ ସଙ୍ଗ୍ରହ କରିବା ପାଇଁ ୪୦୧ ଖ୍ରୀଷ୍ଟାଦ୍ଦରେ ଖାଇବାର ଚିରିସଙ୍କଟ ବାଟେ ଭାରତକୁ ଆସିଥିଲେ । ସେ ଉତ୍ତର ଭାରତରେ ୧୫ ବର୍ଷ କାଳ ବୁଲି ଅନେକ ବୌଦ୍ଧ ତୀର୍ଥ ପରିଦର୍ଶନ କରିଥିଲେ । ତାଙ୍କ ଭ୍ରମଣ ବୃତ୍ତାନ୍ତରୁ ଜଣାଯାଏ ଯେ, ସେ ସମୟରେ ପାଟଳୀପୁତ୍ର ଭାରତର ରାଜଧାନୀ ନ ଥିଲେ ମଧ୍ୟ ଗୋଟିଏ ସୁନ୍ଦର ଧନଜନପୂର୍ଣ୍ଣ ନଗରୀ ଥିଲା । ସେଠାରେ ଅଶୋକଙ୍କର ଗୋଟିଏ ବିଶାଳ ରାଜପ୍ରାସାଦ ଥିଲା । 

ଭାରତର ଲୋକମାନେ ସୁଖ ଶାନ୍ତିରେ ରହିଥିଲେ । କରପୀଡ଼ା ଆଦୌ ନ ଥିଲା । ପ୍ରଜାମାନେ ଭୂମିକର ଛଡା ଅନ୍ୟ କୌଣସି କର ଦେଉ ନ ଥିଲେ । ଚୋରି ଡକାୟତି ପ୍ରଭୃତି ନ ଥିବାରୁ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ୱଚ୍ଛନ୍ଦରେ ଯାଇ ପାରୁଥିଲେ । ଉତ୍ତର ଭାରତରେ ଅନେକ ବୌଦ୍ଧମଠ, ଚୈତ୍ୟ, ବିହାର ଓ ଚିକିତ୍ସାଳୟ ଥିଲା । ଆଇନ କାନୁନ ସବୁ କଡ଼ା ନ ଥିଲା । 

ଭାରତରେ ହିନ୍ଦୁ ଓ ବୌଦ୍ଧ ଦୁଇଟି ପ୍ରଧାନ ଧର୍ମ ଥିଲା । ହିନ୍ଦୁ ଓ ବୌଦ୍ଧମାନେ ବନ୍ଧୁ ପରି ଚଳୁଥିଲେ । ଲୋକମାନେ ପିଆଜ, ରସୁଣ, ମଦ୍ୟ, ମାଂସ ଖାଉ ନ ଥିଲେ । ଚଣ୍ଡାଳମାନେ ଗ୍ରାମର ବାହାରେ ବାସ କରୁଥିଲେ । ତାମ୍ରଲିପି (ମେଦିନୀପୁରର ତମଲୁକ୍) ଗୋଟିଏ ଧନଜନ ପୂର୍ଣ୍ଣ ବନ୍ଦର ଥିଲା । ସେଠାରୁ ସେ ସମୁଦ୍ର ପଥରେ ନିଜ ଦେଶକୁ ଫେରିଥିଲେ । ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଖ୍ରୀ: ୩୭୫ରୁ ଖ୍ରୀ: ୪୧୩ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Tuesday, May 28, 2019

ଗୁପ୍ତବଂଶ


କେଦାରନାଥ ମହାପାତ୍ର


ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଜାରି କରିଥିବା ମୁଦ୍ରା ଯେଉଁଥିରେ ସେ ନିଜେ ଚିତ୍ରିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୁଶାଣ ବଂଶର ରାଜତ୍ୱ ପରେ ପ୍ରାୟ ୨୦୦ ବର୍ଷ କାଳ ଭାରତବର୍ଷ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ଶକ, ପଲ୍ଲବ ପ୍ରଭୃତି ବୈଦେଶିକମାନେ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ରାଜତ୍ୱ କରୁଥିଲେ । ସେତେବେଳେ ଭାରତରେ କୌଣସି ଶକ୍ତିଶାଳୀ ରାଜବଂଶ ରାଜତ୍ୱ କରୁ ନ ଥିଲେ । କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତବଂଶ ବିଶେଷ କ୍ଷମତାଶାଳୀ ହୋଇଥିଲା ।

ପ୍ରଥମ ଚନ୍ଦ୍ରଗୁପ୍ତ

ପ୍ରଥମ ଚନ୍ଦ୍ରଗୁପ୍ତ ଏହି ବଂଶର ପ୍ରତିଷ୍ଠାତା । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ୩୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ପାଟଳୀପୁତ୍ର ତାଙ୍କର ରାଜଧାନୀ ଥିଲା । ସେ ମିଥିଳାର ଲିଚ୍ଛାବିମାନଙ୍କୁ ପରାସ୍ତ କରି ଉକ୍ତ ବଂଶୀୟ କୁମାରଦେବୀଙ୍କୁ ବିବାହ କରିଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜାମାନଙ୍କୁ ଜୟ କରିଥିଲେ ଓ ‘ମହାରାଜାଧିରାଜ’ ଉପାଧି ଧାରଣ କରିଥିଲେ । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ଗୋଟିଏ ଅବ୍ଦ ଚଳାଇଥିଲେ । ତାହାର ନାମ ଗୁପ୍ତାବ୍ଦ ।

ସମୁଦ୍ରଗୁପ୍ତ (ଖ୍ରୀ:୩୩୦-ଖ୍ରୀ:୩୭୫)

ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ରାଜା ହୋଇଥିଲେ । ସେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜବଂଶଙ୍କୁ ନିର୍ମୂଳ କରି ଦାକ୍ଷିଣାତ୍ୟ ଜୟ କରିବାକୁ ବାହାରିଲେ । ରାଜଧାନୀରୁ ବାହାରି ଭାରତର ପୂର୍ବ ଉପକୂଳରେ ଥିବା କୋଶଳ, ଉତ୍କଳ, କଳିଙ୍ଗ ପ୍ରଭୃତି ରାଜ୍ୟ ଜୟ କରି କାଞ୍ଚିରେ ପହଞ୍ଚିଲେ ଓ କାଞ୍ଚିରାଜାଙ୍କୁ ପରାସ୍ତ କରି ନାସିକ ବାଟେ ନିଜର ରାଜଧାନୀକୁ ଫେରି ଆସିଲେ । ସେ ପୂର୍ବରେ ବଙ୍ଗଦେଶ, ଆସାମ ଓ ନେପାଳ ଏବଂ ପଶ୍ଚିମରେ ପଞ୍ଜାବ ଅଞ୍ଚଳର ଶକ ଓ କୁଶାଣମାନଙ୍କୁ ମଧ୍ୟ ଜୟ କରିଥିଲେ । ଏହି ପ୍ରକାରେ ସେ ସମଗ୍ର ଭାରତ ଜୟ କରିଥିଲେ । ତେଣୁ ସେ ‘ଭାରତର ନେପୋଲିୟନ’ ବୋଲି ଅଭିହିତ ହୁଅନ୍ତି । ସେ ତିବ୍ଦତ ରାଜ୍ୟମାନ ଅଧିକାର କରି ନ ଥିଲେ, କେବଳ ସେମାନଙ୍କଠାରୁ କର ଆଦାୟ କରୁଥିଲେ । ତାଙ୍କର ସାମ୍ରାଜ୍ୟ ହିମାଳୟଠାରୁ ନର୍ମଦା ପର୍ଯ୍ୟନ୍ତ ଓ ବ୍ରହ୍ମପୁତ୍ରଠାରୁ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମସ୍ତ ଦେଶ ଜୟ କରି ସେ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ସେ କବି, ସଙ୍ଗୀତଜ୍ଞ ମଧ୍ୟ ଥିଲେ । ତାଙ୍କର ଗୋଟିଏ ମୁଦ୍ରାରେ ସେ ବୀଣା ବଜାଉଥିବାର ଦେଖାଯାଏ । ତାଙ୍କ ରାଜତ୍ୱର ସମସ୍ତ ଘଟଣା ଆହ୍ଲାବାଦରେ ଥିବା ଗୋଟିଏ ଅଶୋକ ସ୍ତମ୍ଭରେ ଲେଖା ହୋଇଛି ।

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ 

ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ରାଜତ୍ୱ କରିଥିଲେ । ସେ ମାଳବ ଓ ସୌରାଷ୍ଟ୍ର (କାଥିଆବାଡ଼) ପ୍ରଦେଶ ଜୟ କରିଥିଲେ । ଭାରତରୁ ସମୁଦ୍ରଗୁପ୍ତ ଶକମାନଙ୍କୁ ନିର୍ମୂଳ କରି ସେ ‘ଶକାରି’ ଉପାଧି ଧାରଣ କରିଥିଲେ । ଶକମାନଙ୍କ ହସ୍ତରୁ ଭାରତକୁ ମୁକ୍ତ କରିଥିବାରୁ, ହିନ୍ଦୁମାନେ ତାଙ୍କୁ ବିଶେଷ ଭକ୍ତି ଓ ଆଦର କରୁଥିଲେ । ସେ ନିଜ କ୍ଷମତାର ଚିହ୍ନ ସ୍ୱରୂପ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ତାଙ୍କ ସମ୍ୱନ୍ଧରେ ଅନେକ କିମ୍ୱଦନ୍ତୀ ଅଦ୍ୟାପି ପ୍ରଚଳିତ ଅଛି । ସେଥିରୁ ଜଣା ଯାଏ ଯେ, କାଳିଦାସ, ଘଟକର୍ପର, ଅମର ସିଂହ ପ୍ରଭୃତି ନଅ ଜଣ ପ୍ରସିଦ୍ଧ ପଣ୍ଡିତ ତାଙ୍କ ସଭାରେ ଥିଲେ । ସେମାନେ ‘ନବରତ୍ନ’ ନାମରେ ପରିଚିତ । ମହାକବି କାଳିଦାସ ପୃଥିବୀର ଜଣେ ଶ୍ରେଷ୍ଠ କବି । ପାଟଳୀପୁତ୍ର ଓ ଉଜ୍ଜୟିନୀ ତାଙ୍କ ସାମ୍ରାଜ୍ୟର ଦୁଇଟି ପ୍ରଧାନ ନଗରୀ ଥିଲା । ସେ ବ୍ରାହ୍ମଣ ଧର୍ମର ଉନ୍ନତି କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।