Showing posts with label ନଗର ବିଜ୍ଞାନ ଶିକ୍ଷା. Show all posts
Showing posts with label ନଗର ବିଜ୍ଞାନ ଶିକ୍ଷା. Show all posts

Monday, December 18, 2017

ଗଣତାନ୍ତ୍ରିକ ସରକାର


ଏଥେନୀୟ ଗଣତନ୍ତ୍ରର ପ୍ରତିଷ୍ଠାତା କ୍ଲେଇସ୍ଥିନସ୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତ ଗୋଟିଏ ଗଣତନ୍ତ୍ର ଅଟେ । ଭାରତୀୟ ଜନଗଣଙ୍କର ଦୀର୍ଘ ଓ ଘଟଣାବହୁଳ ଲଢ଼େଇର ଫଳ ଭାବରେ ଆମେ ଏହା ହାସଲ କରିବାରେ ସଫଳ ହୋଇଛୁ । ପୃଥିବୀର ଅନ୍ୟାନ୍ୟ ଜାଗାରେ ମଧ୍ୟ ଲୋକେ ଗଣତାନ୍ତ୍ରିକ ସରକାର ଲାଭ କରିବା ପାଇଁ ଲଢିଆସିଛନ୍ତି । ତୁମେ ଜାଣିଛ କି ନିଜର ନେତା ନିର୍ବାଚନ କରିବା ଗଣତନ୍ତ୍ରମାନଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଲକ୍ଷଣ ଓ ବୈଷିଷ୍ଚ୍ୟ ଅଟେ । ଏଣୁ ଗୋଟିଏ ଭାବରେ ଦେଖିବାକୁ ଗଲେ, ଗଣତନ୍ତ୍ରର ଅର୍ଥ ହେଲା, ଲୋକଙ୍କର ନିଜର ନେତା ନିର୍ବାଚନ କରିବାର ଅଧିକାର । ଏହାର ଏକ ମୌଳିକ ଅର୍ଥ ହେଲା ଯେ ଲୋକେ ନିଜେ ଯେଉଁ ନିୟମମାନଙ୍କ ଦ୍ୱାରା ଚଳନ୍ତି, ସେଗୁଡ଼଼ିକ ତିଆରି କରିବାରେ ସେମାନେ ନିଜେ ଅଂଶଗ୍ରହଣ କରନ୍ତି । 

ଆମର ଯୁଗରେ, ଗଣତାନ୍ତ୍ରିକ ସରକାରକୁ ସାଧାରଣତଃ ପ୍ରତିନିଧିମୂଳକ ଗଣତନ୍ତ୍ର ବୋଲି ବିଚାର କରାଯାଇଥାଏ । ପ୍ରତିନିଧିମୂଳକ ଗଣତନ୍ତ୍ରରେ ଲୋକେ ନିଜେ ସିଧାସଳଖ ଶାସନରେ ଅଂଶଗ୍ରହଣ କରନ୍ତି ନାହିଁ । ପରନ୍ତୁ ସେମାନେ ଗୋଟିଏ ନିର୍ବାଚନୀ ପ୍ରକ୍ରିୟାରେ ନିଜର ପ୍ରତିନିଧିମାନଙ୍କୁ ବାଛନ୍ତି । ଏହି ପ୍ରତିନିଧି୍ମାନେ ସମ୍ମିଳିତ ହୋଇ ସମଗ୍ର ଜନସଂଖ୍ୟା ପାଇଁ ନିଷ୍ପତ୍ତି ନିଅନ୍ତି । ସାର୍ବଜନୀନ ସାବାଳକ ମତଦାନର ଅଧିକାର ନଥିଲେ ବର୍ତ୍ତମାନର ଯୁଗରେ କୌଣସି ଦେଶ ଗଣତାନ୍ତ୍ରିକ ଭାବରେ ଗଣାଯାଇ ପାରିବ ନାହିଁ । ସାର୍ବଜନୀନ ସାବାଳକ ମତଦାନର ଅଧିକାରର ମାନେ ହେଲା ଯେ, ଦେଶର ସବୁ ସାବାଳକ ଲୋକଙ୍କର ମତଦାନର ଅଧିକାର ଅଛି ।

ମାତ୍ର ଆଗରୁ ସବୁଦିନେ ଏହି ଅବସ୍ଥା ନଥିଲା । ତୁମେ ବିଶ୍ୱାସ କରିପାରିବ କି ଏପରି ଯୁଗ ମଧ୍ୟ ଥିଲା ଯେବେ ସରକାରମାନେ ଗରୀବ ଲୋକଙ୍କୁ ଓ ମହିଳାମାନଙ୍କୁ ଭୋଟ ଦେବା ପାଇଁ ଅନୁମତି ଦେଉନଥିଲେ ? ଗଣତନ୍ତ୍ରର ଆଦି କାଳରେ ସରକାରମାନେ କେବଳ ଶିକ୍ଷିତ, ସମ୍ପତ୍ତିର ମାଲିକ ହୋଇଥିବା ପୁରୁଷ ଲୋକମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ । ଏହାର ଅର୍ଥ ହେଲା, ସ୍ତ୍ରୀଲୋକେ, ଗରୀବ ଲୋକେ, ସମ୍ପତ୍ତିହୀନଜନମାନେ, ଏବଂ ଶିକ୍ଷାବିହୀନ ଆଦି ଜନଗଣ ଭୋଟ ଦେବାର ଅଧିକାରରୁ ବଞ୍ଚିତ ଥିଲେ । ଅଳ୍ପ କେତେ ଜଣ ପୁରୁଷମାନେ ତିଆରି କରୁଥିବା ନୀତି ଓ ନିୟମ ଅନୁସାରେ ଦେଶ ଚାଲୁଥିଲା ।

ସ୍ୱାଧୀନତା ପୂର୍ବରୁ ଗୋଟିଏ କ୍ଷୁଦ୍ର, ସଂଖ୍ୟାଲଘୁ ଗୋଷ୍ଠୀର ଭୋଟ ଦେବାର ଅଧିକାର ଥିଲା । ସେମାନେ ଏକତ୍ର ହୋଇ ବହୁସଂଖ୍ୟକ ଲୋକଙ୍କର ଭାଗ୍ୟ ନିର୍ଦ୍ଧାରଣ କରୁଥିଲେ । ଗାନ୍ଧିଜୀଙ୍କ ସମେତ ଅନେକ ଲୋକେ ଏହି ଅନ୍ୟାୟ ରୀତି ଦ୍ୱାରା ଚକିତ ହୋଇଥିଲେ । ସେମାନେ ସମସ୍ତ ସାବାଳକମାନଙ୍କ ପାଇଁ ମତାଧିକାରର ଦାବୀ କରୁଥିଲେ । ଏହାକୁ ସାର୍ବଜନୀନ ସାବାଳକ ମତଦାନର ଅଧିକାର କୁହାଯାଏ ।

୧୯୩୧ ମସିହାରେ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ, ମୁଁ ଏହା ସହିପାରେନା ଯେ ଜଣେ ସମ୍ପତ୍ତିବାନ ଲୋକ ପାଖରେ ଭୋଟ ଦେବାର ଅଧିକାର ରହିବ । ମାତ୍ର, ଜଣେ ଚରିତ୍ରବାନ ଲୋକ ଯାହା ପାଖରେ ଧନ ବା ସାକ୍ଷରତା ନାହିଁ, ସେ ଏହି ଅଧିକାରରୁ ବଞ୍ଚିତ ହେବ । ନିଜ ମୁଣ଼୍ଡ ଝାଳ ତୁଣ୍ଡରେ ମାରି ଦିନରାତି ପରିଶ୍ରମ କରି ସଚ୍ଚୋଟ ଉପାୟରେ ଜୀବିକା ନିର୍ବାହ କରୁଥିବା ଜଣେ ଲୋକ ଭୋଟଦାନର ଅଧିକାରରୁ ବଞ୍ଚିତ ହେବା ମୋ ପାଇଁ ଅସହ୍ୟ ଅଟେ । 

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ  ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ତୃତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ।

Saturday, December 16, 2017

ବୈଷମ୍ୟ ଓ ଭେଦଭାବ


ଫ୍ରାଙ୍କଫର୍ଟର ଇହୁଦି ବସ୍ତି ଉପରେ ଆକ୍ରମଣର ଚିତ୍ର - ୧୭ଶ ଶତାବ୍ଦୀ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେତେବେଳେ ଲୋକେ ନିଜର ପୂର୍ବାଗ୍ରହ ବା ଧରାବନ୍ଧା ଚିତ୍ର ଗୁଡ଼ିକର ଭିତ୍ତିରେ କାମ କରନ୍ତି, ସେତେବେଳେ ଭେଦଭାବ ଘଟେ । ତୁମେ ଯଦି ଅନ୍ୟ ଲୋକଙ୍କୁ ତଳୁଆ ଦେଖାଇବାକୁ ଚେଷ୍ଟା କରୁଛ, ତାଙ୍କୁ କେତେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାରୁ ରୋକୁଛ, କେତେ ପ୍ରକାରର କାମ କରିବାକୁ ସେମାନଙ୍କୁ ବାରଣ କରୁଛ, କେତେକ ପଡ଼ାରେ ସେମାନଙ୍କୁ ବସବାସ କରିବାକୁ ଦେଉନାହଁ, ତାଙ୍କୁ କୂଅ ବା ନଳକୂଅରୁ ପାଣି ନେବାକୁ ରୋକୁଛ, ସର୍ବସାଧାରଣରେ ବ୍ୟବହୃତ କପ ବା ଗିଲାସରେ ଚାହା ପିଇବାକୁ ସେମାନଙ୍କୁ ଦେଉନାହଁ, ତାହାହେଲେ, ତୁମେ ସେମାନଙ୍କ ବିରୁଦ୍ଧରେ ଭେଦଭାବ କରୁଅଛ ।

ଭେଦଭାବ ନାନାଦି କାରଣରୁ ହୋଇପାରେ । ତୁମେ ଯଦି ପୂର୍ବ ଆଲୋଚନାରୁ ପ୍ରଥମ ସମୀର ଓ ଦ୍ୱିତୀୟ ସମୀର ବିଷୟରେ ମନେ ପକାଇବ, ତାହାହେଲେ ବୋଧେହୁଏ ହେଜ ହେବ ଯେ ସେମାନେ ପରସ୍ପରଠାରୁ ଅନେକ ଦୃଷ୍ଟିରୁ ଭିନ୍ନ ଥିଲେ । ଉଦାହରଣ ସ୍ୱରୂପ ସେମାନଙ୍କର ଧର୍ମ ଭିନ୍ନ ଭିନ୍ନ ଥିଲା । ଏହା ବିବିଧତାର ଏକ ବିଭାବ ଅଟେ । ହେଲେ ଅନେକ ସମୟରେ ଏହି ବିବିଧତା ଭେଦଭାବର ଉତ୍ସ ବନିଯାଏ । ଭିନ୍ନ ଭାଷା କହୁଥିବା, ଅନ୍ୟ ଧର୍ମ ପାଳନ କରୁଥିବା, ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଲୋକଙ୍କର ଚାଲିଚଳନ, ଆଚାର ବ୍ୟବହାରକୁ ଯଦି ନିକୃଷ୍ଟ ବୋଲି ଦେଖାଯାଏ, ତାହାହେଲେ ତାହା ଭେଦଭାବର କାରଣ ବନେ ।

ତାଙ୍କର ଆର୍ଥିକ ସ୍ଥିତିରେ ଭିନ୍ନତା ଦୁଇଟି ସମୀରଙ୍କ ଭିତରେ ପ୍ରଭେଦର ଆଉ ଗୋଟିଏ କାରଣ ଥିଲା । ଦ୍ୱିତୀୟ ସମୀର ଥିଲା ଗରୀବ । ତୁମେ ଆଗରୁ ପଢ଼ିଛ ଯେ ଏହି ପ୍ରଭେଦଟିକୁ ଆମେ ବୈଷମ୍ୟ ବୋଲି ଜାଣୁ, ବିବିଧତା ବୋଲି ନୁହେଁ । ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ମଧ୍ୟ ଗରୀବ ଲୋକଙ୍କ ପାଖରେ ସମ୍ବଳ କିମ୍ବା ଟଙ୍କା ନ ଥାଏ । ସେମାନେ କାର୍ଯ୍ୟାଳୟ, ଡାକ୍ତରଖାନା, ବିଦ୍ୟାଳୟ ଇତ୍ୟାଦି ଯାଗାରେ ନିଜର ଦାରିଦ୍ର୍ୟ ଯୋଗୁଁ ନାନା ଭେଦଭାବ ଓ ଖରାପ ବ୍ୟବହାରର ସମ୍ମୁଖିନ ହୁଅନ୍ତି ।

କେତେକ ଲୋକେ ଉଭୟ ପ୍ରକାରର ଭେଦଭାବର ସମ୍ମୁଖିନ ହୁଅନ୍ତି । ସେମାନେ ଗରୀବ । ତାହା ଛଡ଼ା ସେମାନେ ଏପରି ଗୋଷ୍ଠୀର ଲୋକ ଯାହାଙ୍କର ସଂସ୍କୃତିକୁ ଅନେକ ଲୋକେ ମର୍ଯ୍ୟାଦା ଦିଅନ୍ତି ନାହିଁ । ଆଦିବାସୀ ଲୋକେ, କେତେକ ଧାର୍ମିକ ସମ୍ପ୍ରଦାୟର ଲୋକେ, ଏପରିକି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଏହିପରି କାରଣ ଯୋଗୁଁ ଭେଦଭାବର ଶୀକାର ହୁଅନ୍ତି । ଏହା ପରର ବିଭାଗରେ ଆମେ ଦେଖିବା କିପରି ଜଣେ ପ୍ରସିଦ୍ଧ ଭାରତୀୟ ଭେଦଭାବର ଶୀକାର ହୋଇଥିଲେ । ଏହା ଆମକୁ ଜାତିଗତ ଭେଦଭାବର ଶୀକାର ହୋଇଥିବା ବହୁତ ଲୋକଙ୍କର ଅନୁଭୁତିକୁ ଜାଣିବାରେ ସାହାଯ୍ୟ କରିବ ।

ମୁସଲମାନମାନଙ୍କ ବିଷୟରେ ଗୋଟିଏ ସାଧାରଣ ଧରାବନ୍ଧା ଚିତ୍ର ହେଲା ଯେ ସେମାନେ ନିଜ ଝିଅମାନଙ୍କୁ ପାଠ ପଢ଼ାଇବାକୁ ଚାହାନ୍ତି ନାହିଁ ଏଣୁ ସେମାନଙ୍କୁ ସ୍କୁଲ ପଠାନ୍ତି ନାହିଁ କିନ୍ତୁ ଆମେ ଗବେଷଣାରୁ ଜାଣୁ ଯେ ମୁସଲମାନଙ୍କର ଦାରିଦ୍ର୍ୟ ସେମାନେ ନିଜର ଝିଅମାନଙ୍କୁ ସ୍କୁଲ ପଠାଇବା କିମ୍ବା ଅଳପ କେଇ ବରଷ ପରେ ବିଦ୍ୟାଳୟ ଛାଡ଼ିବାର ଏକ ବଡ଼ କାରଣ ଅଟେ

ଯେଉଁଠାରେ ଗରୀବ ଲୋକଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କରାଇବା ପାଇଁ ଉଦ୍ୟମ ହୋଇଛି, ସେଠାରେ ମୁସଲମାନ ସମୁଦାୟର ଲୋକେ ନିଜର ଝିଅମାନଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ଆଗ୍ରହ ଦେଖାଇଛନ୍ତି

ଉଦାହରଣ ସ୍ୱରୂପ, କେରଳରେ ପିଲାଙ୍କର ଘର ବିଦ୍ୟାଳୟ ଭିତରେ ବାଟ ବେଶୀ ନୁହେଁ ସାର୍ବଜନୀନ ବସ ବ୍ୟବସ୍ଥା ସେଠାରେ ଭଲ ଫଳ ସ୍ୱରୂପ, ଶିକ୍ଷକମାନେ ଠିକ ସମୟରେ ବିଦ୍ୟାଳୟରେ ପହଞ୍ଚି ପାରୁଛନ୍ତି ଶତକଡ଼ା ଷାଠିଏ ଭାଗ ଶିକ୍ଷକ ମହିଳା ଏହି ସବୁ କାରଣ ଯୋଗୁଁ ଗରୀବ ପରିବାରର ପିଲାମାନେ, ବିଶେଷତଃ ମୁସଲମାନ ସମ୍ପ୍ରଦାୟର ପିଲାମାନେ, ବହୁଳ ସଂଖ୍ୟାରେ ସ୍କୁଲ ଯାଇପାରୁଛନ୍ତି

ଅନ୍ୟ ରାଜ୍ୟମାନଙ୍କରେ ଯେଉଁଠାରେ ଗରୀବ ପିଲାଙ୍କ ପାଇଁ (ସେ ମୁସଲମାନ ହୁଅନ୍ତି କି ଆଦିବାସୀ କି ତଥାକଥିତ ଛୋଟ ଜାତିର) ଏପରି ବ୍ୟବସ୍ଥା କରାଯାଇପାରି ନାହିଁ, ସେଠାରେ ସେମାନଙ୍କ ପାଇଁ ବିଦ୍ୟାଳୟ ଯିବା କଷ୍ଟକର ଅଟେ ଏଣୁ, ମୁସଲମାନ ପିଲା ଇସ୍କୁଲ ଯିବାର ମୂଳ କାରଣ ଦାରିଦ୍ର୍ୟ, ଧର୍ମ ନୁହେଁ


ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

Thursday, December 14, 2017

ଧରାବନ୍ଧା ଚିତ୍ରର ନିର୍ମାଣ



ଅଷ୍ଟାଦଶ ଶତାବ୍ଦୀର ନୃତତ୍ୱରେ ଧରାବନ୍ଧା ଚିତ୍ରର ନିର୍ମାଣ (୧୭୯୯)
ଚିତ୍ରକର - ଜେ ରାଟେଲବ୍ୟାଣ୍ଡ ତଥା ଜେ ବୁୱେର୍
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ଲିଙ୍ଗଗତ ପାର୍ଥକ୍ୟଗୁଡ଼ିକ ବିଷୟରେ ଆମର ଧାରଣା ଅଛି । ଗୋଟିଏ ଝିଅ ବା ପୁଅ ହେବା ବୋଇଲେ କଅଣ ? ତୁମ ଭିତରୁ ଅନେକ ଲୋକ କହିବେ ଯେ, “ଆମେ ପୁଅ ଓ ଝିଅ ଭାବରେ ଜନମ ନେଇଛୁ । ଏହା ପୂର୍ବ ନିର୍ଦ୍ଧାରିତ । ଏହି ବିଷୟରେ ଚିନ୍ତା କରିବାରେ କଅଣ ଅଛି ?” ଆସ ଦେଖିବା ଏହା କେତେ ସତ କେତେ ମିଛ ।

ତଳେ କିଛି ବାକ୍ୟ ଦିଆଯାଇଛି ଝିଅ ପୁଅ କରି ଦୁଇଟି ବିଭାଗ ମଧ୍ୟ କରାଯାଇଛି ତୁମକୁ ଯାହା ଠି ଲାଗୁଛି, ସେହି ଅନୁସାରେ ତଳେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ଏହି ଦୁଇଟି ବିଭାଗରେ ସଜାଇ ରଖ

ସେମାନେ ଭଲ ବ୍ୟବହାର ଦେଖାନ୍ତି
ସେମାନେ ଧୀରସ୍ଥିର ଭାବରେ କଥାବାର୍ତ୍ତା କରନ୍ତି ନମ୍ର ଅଟନ୍ତି
ସେମାନେ ଶାରରୀକ ଦୃଷ୍ଟିରୁ ଶକ୍ତିଶାଳୀ
ସେମାନେ ନାଚ ଚିତ୍ରାଙ୍କନରେ ପାରଦର୍ଶୀ
ସେମାନେ କାନ୍ଦନ୍ତି ନାହିଁ
ସେମାନେ ଗଣ୍ଡଗୋଳ କରନ୍ତି
ସେମାନେ ଖେଳରେ ପୋଖତ
ସେମାନଙ୍କୁ ରାନ୍ଧିବା ଭଲ ଜଣା
ସେମାନେ ମନୁଆ ଭାବପ୍ରଧାନ

ବାଳିକାମାନେ                             ବାଳକମାନେ
                                          
                                          
୩                                         
                                          
                                          

ଏବେ ତୁମେ ଶିକ୍ଷକଙ୍କର ସାହାଯ୍ୟ ନେଇ ଦେଖ ଯେ କିଏ କେଉଁ ବାକ୍ୟକୁ କେଉଁ ବିଭାଗରେ ରଖିଛନ୍ତି ପିଲମାନେ କାହିଁକି ଯେ ଏପରି କଲେ ସେ ବିଷୟରେ ଆଲୋଚନା କର ତୁମେମାନେ ପୁଅପିଲାମାନଙ୍କ ପାଇଁ ଯେଉଁ ସବୁ ଗୁଣଗୁଡ଼ିକ ଲେଖିଲ, ସେହିସବୁ ଗୁଣଗୁଡ଼ିକ କଅଣ ସେମାନଙ୍କର ଜନ୍ମଜାତ ଅଟେ ?


ତୁମେ ଏହି ବାକ୍ୟଟିକୁ ଦେଖ – “ସେମାନେ କାନ୍ଦନ୍ତି ନାହିଁ” । ତୁମେ ଦେଖିଥିବ ଯେ ଏହି ଗୁଣଟିକୁ ପୁଅ ପିଲା ଓ ପୁରୁଷଲୋକଙ୍କ ସହିତ ଯୋଡ଼ିଦିଆଯାଏ । ହେଲେ ଶିଶୁ ବା ବାଳକ ଅବସ୍ଥାରେ ପୁଅପିଲାମାନେ ତଳେ ପଡ଼ି ଆଘାତ ପାଇଲେ, ତାଙ୍କର ବାପା ମାଆ ଓ ପରିବାରର ଅନ୍ୟଲୋକମାନେ ତାଙ୍କୁ ସାନ୍ତ୍ୱନା ଦେବାପାଇଁ କହନ୍ତି, “କାନ୍ଦନା । ତୁ ପୁଅପିଲା ପରା । ପୁଅପିଲାମାନେ ସାହସୀ ହେବା କଥା । ସେମାନେ କାନ୍ଦନ୍ତି ନାହିଁ ।” ଯେତେବେଳେ ପିଲାମାନେ ବଡ଼ ହୁଅନ୍ତି, ସେମାନେ ବିଶ୍ୱାସ କରିବାକୁ ଲାଗନ୍ତି ଯେ ପୁଅପିଲାମାନେ କାନ୍ଦନ୍ତି ନାହିଁ । ଏପରିକି କାନ୍ଦିବାର ଇଚ୍ଛା ହେଲେ ମଧ୍ୟ ସେମାନେ ନିଜକୁ ରୋକିଦିଅନ୍ତି । ସେମାନେ ଏକଥା ମଧ୍ୟ ବିଶ୍ୱାସ କରିବାକୁ ଆରମ୍ଭ କରନ୍ତି ଯେ କାନ୍ଦିବା ଦୁର୍ବଳତାର ଲକ୍ଷଣ ଅଟେ । ଉଭୟ ପୁଅ ଓ ଝିଅ ପିଲାଙ୍କୁ ରାଗ ମାଡ଼ିଲେ କି କଷ୍ଟ ହେଲେ ସେମାନଙ୍କୁ କାନ୍ଦିବାକୁ ଇଚ୍ଛା ହୁଏ । ହେଲେ ବଡ଼ ହେଲାବେଳକୁ ପୁଅପିଲାମାନେ ଏ କଥା ଶିଖିଯାଇଥାଆନ୍ତି କିମ୍ବା ନିଜକୁ ଶିଖାଇ ଦେଇଥାଆନ୍ତି ଯେ ସେମାନେ କାନ୍ଦିବା ଉଚିତ ନୁହେଁ । ନ ହେଲେ ଲୋକେ ତାଙ୍କ ଉପରେ ହସିବେ କିମ୍ବା ଥଟ୍ଟା କରିବେ । ତେଣୁ ସେମାନେ ନିଜକୁ ଅନ୍ୟମାନଙ୍କ ଆଗରେ କାନ୍ଦିବାରୁ ରୋକନ୍ତି ।

ପୁଅ ପିଲାମାନେ ଏମିତି କରନ୍ତି; ଝିଅ ପିଲାମାନେ ଏମିତିଆ : ଆମେ ଏହିପରି ବାକ୍ୟଗୁଡ଼ିକୁ ନିରନ୍ତର ଶୁଣୁ । ଚିନ୍ତା ନ କରି ଏଗୁଡ଼ିକୁ ଗ୍ରହଣ ମଧ୍ୟ କରିଦେଉ । ଆମେ ଏକଥା ମଧ୍ୟ ବିଶ୍ୱାସ କରିବାକୁ ଆରମ୍ଭ କରୁ ଯେ ଆମକୁ ସେହିପରି ଭାବରେ ଆଚରଣ ମଧ୍ୟ କରିବାକୁ ହେବ । ଆମ ଚାରିପଟେ ସମାଜ ତିଆରି କରିଥିବା ଛାଞ୍ଚ ଭିତରେ ଆମେ ସବୁ ପୁଅ ଓ ଝିଅଙ୍କୁ ଖାପ ଖୁଆଇବାକୁ ଚାହୁଁଛୁ ।

ସେମାନେ ଧୀରସ୍ଥିର ଭାବରେ କଥାବାର୍ତ୍ତା କରନ୍ତି ନମ୍ର ଅଟନ୍ତି । ସେମାନେ ଭଲ ବ୍ୟବହାର ଦେଖାନ୍ତି

ତୁମେ ଉପରୋକ୍ତ ବାକ୍ୟଗୁଡ଼ିକୁ ନେଇ ଏଗୁଡ଼ିକ କିପରି ଝିଅ ପିଲାଙ୍କ ପାଇଁ ଉପଯୋଗ କରାଯାଏ, ସେକଥାର ଆଲୋଚନା କର । ଝିଅପିଲାମାନଙ୍କର ଏହି ସବୁ ଗୁଣଗୁଡ଼ିକ ଜନ୍ମଜାତ ନା ସେମାନେ ଏଗୁଡ଼ିକ ଅନ୍ୟମାନଙ୍କଠାରୁ ଶିଖନ୍ତି ? ଯେଉଁ ଝିଅ ମାନେ ନମ୍ର ନୁହନ୍ତି ଓ ଦୁଷ୍ଟାମି କରନ୍ତି, ତୁମେ ସେମାନଙ୍କ ବିଷୟରେ କଅଣ ଭାବ ?

ଆମେ ଯେବେ ଲୋକମାନଙ୍କୁ ଗୋଟିଏ ଖୋପ ଭିତରେ ରଖିବାକୁ ଚେଷ୍ଟା କରୁ, ସେଥି ଫଳରେ ଆମେ ଧରାବନ୍ଧା ଚିତ୍ରଟିଏର ନିର୍ମାଣ କରୁ । ଲୋକମାନେ ଯେତେବେଲେ କହନ୍ତି ଯେ ନିର୍ଦ୍ଦିଷ୍ଟ ଦେଶ, ଧର୍ମ, ଲିଙ୍ଗ, ବର୍ଣ୍ଣ ଓ ଆର୍ଥିକ ଶ୍ରେଣୀର ଲୋକେ ‘କୃପଣ’, ‘ଅଳସୁଆ’, ‘ଅପରାଧି’, କିମ୍ବା ‘ବୁଦ୍ଧୁ’, ସେମାନେ ଧରାବନ୍ଧା ଚିତ୍ର ଦେଇ ସେଇ ଲୋକମାନଙ୍କୁ ଦେଖୁଛନ୍ତି । ସବୁ ଦେଶ, ସବୁ ଧର୍ମ, ସବୁ ଗୋଷ୍ଠୀ, ତାହା ଧନୀ ହେଉ କି ଗରୀବ, ଲୋକେ ନାରୀ ହୁଅନ୍ତୁ କି ପୁରୁଷ, କୃପଣ ଓ ବଦାନ୍ୟ ଲୋକ ସବୁଆଡ଼େ ଅଛନ୍ତି । ଗୋଟିଏ ଗୋଷ୍ଠୀର କିଛି ଲୋକ ଗୋଟିଏ କାଟର ବୋଲି ସମସ୍ତେ ଯେ ସେମିତି ହେବ ସେପରି କଥା ତ ନୁହେଁ । ଆମେ କାହିଁକି ସେପରି ଚିନ୍ତା କରିବା ।

ଧରାବନ୍ଧା ଚିତ୍ର ଯୋଗୁଁ ଆମେ ଆଉ ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କୁ, ଅନ୍ୟମାନଙ୍କ ଠାରୁ ଭିନ୍ନ, ତଥା ସ୍ୱତନ୍ତ୍ର ବିଶେଷ ଗୁଣ ଓ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଭାବରେ ଦେଖିପାରୁନାହିଁ । ଧରାବନ୍ଧା ଚିତ୍ରଗୁଡ଼ିକ ଗୋଟିଏ ନକସା ବା ପ୍ରକାର ଭିତରେ ସମସ୍ତଙ୍କୁ ମାଡ଼ିମକଚି ଭରତି କରି ଦିଅନ୍ତି । ଏହି ଧରାବନ୍ଧା ଚିତ୍ରର ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼େ । ସେଗୁଡ଼ିକ ଆମେ ଅନେକ ଜିନିଷ ଯାହାକୁ କି ବହୁତ ଭଲ ଭାବରେ କରିପାରନ୍ତୁ, ସେସବୁକୁ କରିବାରୁ ରୋକେ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।