Showing posts with label ଶିକ୍ଷା ବିମର୍ଶ. Show all posts
Showing posts with label ଶିକ୍ଷା ବିମର୍ଶ. Show all posts

Thursday, October 29, 2020

 ଗିଜୁଭାଇଙ୍କ ଶିକ୍ଷାଦର୍ଶନ: କିଶୋର ଓ ଶିକ୍ଷଣ ସାହିତ୍ୟ ତଥା ସମ୍ପାଦନା

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

'ଦିବାସ୍ୱପ୍ନ'ର ଓଡ଼ିଆ ଅନୁବାଦର ମଲାଟ
ଲେଖକ - ଗିଜୁଭାଇ ବଧେକା
ପ୍ରକାଶକ - ନ୍ୟାଶନାଲ ବୁକ୍ ଟ୍ରଷ୍ଟ୍

କିଶୋର ଓ ଶିକ୍ଷଣ ସାହିତ୍ୟ

ପିଲା ବଡ଼ ହୋଇ କିଶୋର ଅବସ୍ଥାରେ ପହଞ୍ଚିଲେ । ତାଙ୍କ ପଢ଼ିବା ପାଇଁ ମଧ୍ୟ ଖୋରାକ ଦରକାର । ଗିଜୁଭାଇ ତାଙ୍କ ପାଇଁ କିଶୋର ସାହିତ୍ୟ ସୃଷ୍ଟି କଲେ । ସେ ସେର୍‌ଲକ୍ ହୋମ୍‌ସ୍, ଜୁଲ୍‌ସ୍ ଭର୍ଣ୍ଣଙ୍କ ଭଳି କିଛି ଲେଖକଙ୍କର ଇଂରାଜୀ ବହିକୁ ଗୁଜୁରାଟୀରେ ଅନୁବାଦ ମଧ୍ୟ କରିଥିଲେ । ଏବେ ଯାଏଁ ବି ଏସବୁ ବହି କିଶୋର ସାହିତ୍ୟ କ୍ଷେତ୍ରରେ ସବୁଠାରୁ ଭଲ ବୋଲି ଗ୍ରହଣ କରାଯାଏ ।

ସେ କେବଳ ଶିଶୁ କିମ୍ୱା କିଶୋର ସାହିତ୍ୟ ରଚନା କରିନଥିଲେ । ଶିକ୍ଷକ ଓ ମାତାପିତାଙ୍କ ପାଇଁ ମଧ୍ୟ ସେ ଅନେକ ପୁସ୍ତକ ରଚନା କରିଥିଲେ । 'ମଣ୍ଟେସୋରୀ ପଦ୍ଧତି', 'ପ୍ରାଥମିକ ଶାଲା ମେଁ ଶିକ୍ଷଣ ପଦ୍ଧତି', 'ଚିଠି ବାଚନ', 'ପ୍ରାଥମିକ ଶାଲା ମେଁ ଶିକ୍ଷକ', 'ମାତା ପିତା ସେ, ମାତା ପିତା କେ ପ୍ରଶ୍ନ' ଆଦି ଏହାର କିଛି ଉଦାହରଣ ।

ଗିଜୁଭାଇଙ୍କ ସମ୍ପାଦିତ ପତ୍ରିକା

'ଶିକ୍ଷଣ ପତ୍ରିକା' ଓ 'ଦକ୍ଷିଣାମୂର୍ତ୍ତି' ନାମକ ଦୁଇଟି ପତ୍ରିକା ଗିଜୁଭାଇ ସମ୍ପାଦନା କରୁଥିଲେ । ବାଲ ଶିକ୍ଷଣ ସଙ୍ଘର ମାସିକ ମୁଖପତ୍ର ଥିଲା ଶିକ୍ଷଣ ପତ୍ରିକା । ଏଥିରେ ଶିଶୁ ଶିକ୍ଷା ବିଷୟରେ ଆଲୋଚନା କରାଯାଉଥିଲା । ଗୁଜୁରାଟର ଅନେକ ସ୍କୁଲ, ପୁସ୍ତକାଳୟ ତଥା ବାପା ମା’ଙ୍କ ପାଖରେ ଏହି ପତ୍ରିକା ପହଞ୍ଚୁଥିଲା। ବାପା ମାଙ୍କର ପିଲାଙ୍କ ପ୍ରତି ଦୃଷ୍ଟିକୋଣ ବଦଳାଇବା ଦିଗରେ ଏହି ପତ୍ରିକାର ବଡ଼ ଭୂମିକା ରହିଥିଲା । 

ପତ୍ରିକାଟିକୁ ଦେଶର ଅନ୍ୟ ଅଞ୍ଚଳରେ ପହଞ୍ଚାଇବା ପାଇଁ ସେ ଦାଦରରୁ ଏହାର ମରାଠୀ ଓ ଇନ୍ଦୋରରୁ ହିନ୍ଦୀ ସଂସ୍କରଣ ପ୍ରକାଶ କରୁଥିଲେ । ଏହିପରି ସେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବି ନିଜର ଚିନ୍ତାଧାରା ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲେ । ଅନ୍ୟ ଭାଷାରେ ବି ଏଭଳି କାମ କରିବାର ତାଙ୍କର ଇଚ୍ଛା ଥିଲା । କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୂରା ହେବା ଆଗରୁ, ସେ ଦେହତ୍ୟାଗ କରିଥିଲେ । 

ଦକ୍ଷିଣାମୂର୍ତ୍ତି ସଂସ୍ଥାର ତ୍ରୈମାସିକ ମୁଖପତ୍ର ଥିଲା 'ଦକ୍ଷିଣାମୂର୍ତ୍ତି' ପତ୍ରିକା । ଗିଜୁଭାଇ ଓ ତାଙ୍କ ଅନ୍ୟ ସାଥିମାନେ ଏଥିରେ ନିୟମିତ ଲେଖୁଥିଲେ । ବିଷୟଗତ ବିବିଧତା, ଆଲୋଚନା, ବିଶ୍ୱବ୍ୟାପୀ ଚିନ୍ତାଧାରା, ଚିନ୍ତନ ଓ ମନନ ଆଦି ଯୋଗୁ ପତ୍ରିକା ବେଶ୍ ଉଚ୍ଚକୋଟୀର ଥିଲା ।ଗିଜୁଭାଇଙ୍କ ଲେଖା ଗୁଜୁରାଟୀରେ ବହୁତ ଲୋକପ୍ରିୟ ଥିଲା । ସେଥିପାଇଁ ତାଙ୍କର ବହି ସବୁ ହଜାର ହଜାର ସଙ୍ଖ୍ୟାରେ ବିକ୍ରି ହେଉଥିଲା । ଗୁଜୁରାଟର ପିଲା, ଶିକ୍ଷକ ଏବଂ ଅଭିଭାବକ ସମସ୍ତେ ତାଙ୍କ ଲେଖାକୁ ଆଗ୍ରହର ସହ ପଢ଼ୁଥିଲେ। 

ମୋଟରେ ସେ ପ୍ରାୟ ୨୦୦ ବହି ଲେଖିଥିଲେ । ତାଙ୍କର ବହି ଭିତରୁ ପ୍ରାଥମିକ ଶିକ୍ଷା ପାଇଁ ଅତି ମୂଲ୍ୟବାନ ଦୁଇଟି ହେଉଛି - ପ୍ରାଥମିକ ଶିକ୍ଷା ପଦ୍ଧତି ଓ ଦିବାସ୍ୱପ୍ନ । ପିଲାଙ୍କୁ ଗୋଟିଏ ନୂଆ ଉପାୟରେ ପଢ଼ାଇବାକୁ ଚେଷ୍ଟା କରୁଥିବା ଜଣେ କାଳ୍ପନିକ ଶିକ୍ଷକଙ୍କ ଅନୁଭୂତି ଉପରେ ଆଧାରିତ “ଦିବାସ୍ୱପ୍ନ” ତାଙ୍କ ସର୍ବଶ୍ରେଷ୍ଠ ବହି ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, September 26, 2020

 ଜ୍ଞାନଲାଭର ପ୍ରକ୍ରିୟା

ଶଶିଭୂଷଣ ରାୟ


ଚିତ୍ର - 'ୟଙ୍ଗ୍ ଗର୍ଲ୍ ରିଡ଼ିଙ୍ଗ୍' 
ଚିତ୍ରକର - ଫେଦେରିକୋ ଜାନ୍ଦୋମେନେଗି (୧୮୪୧-୧୯୧୭)

ଜ୍ଞାତବ୍ୟ ସମସ୍ତ ବିଷୟ ହିଁ ପୁସ୍ତକରେ ମିଳେ । ସୁତରାଂ ଜ୍ଞାନଦାନ ଓ ଜ୍ଞାନଲାଭ ସକାଶେ ପ୍ରଧାନତଃ ପୁସ୍ତକ ଉପରେ ଆମ୍ଭମାନଙ୍କୁ ନିର୍ଭର କରିବାକୁ ହେବ । ଏକ ପକ୍ଷରେ ପୁସ୍ତକପାଠ ଜ୍ଞାନଲାଭର ଅଧମ ଉପାୟ ହେଲେ ହେଁ, ଅପରପକ୍ଷରେ ସର୍ବଶ୍ରେଷ୍ଠ ଉପାୟ । ସ୍ୱୟଂ ପ୍ରତ୍ୟକ୍ଷ କଲେ ଅଥବା ଯେ ନିଜେ ପ୍ରତ୍ୟକ୍ଷ କରିଅଛନ୍ତି, ତାଙ୍କ ମୁହଁର ଶୁଣିଲେ ବିଷୟଗୁଡ଼ିକ ଯେପରି ଭଲ ବୁଝି ହୁଏ, ପୁସ୍ତକରେ ବର୍ଣ୍ଣିତ ବିଷୟସମୂହ ସେଭଳି ବୁଝିବା ଦୁଃସାଧ୍ୟ ସତ୍ୟ; କିନ୍ତୁ ସମସ୍ତ ଜ୍ଞାତବ୍ୟ ବିଷୟ ପୁସ୍ତକରୁ ମିଳିଯାଏ ।

ଶିକ୍ଷାଦାନ ସମ୍ୱନ୍ଧରେ ବିଦ୍ୟାଳୟରେ ପ୍ରଧାନତଃ ପୁସ୍ତକ ଉପରେ ନିର୍ଭର କରିବାକୁ ହେଲେ, ପ୍ରଥମ ଦିଓଟି ଉପାୟ ଯଥା ସମ୍ଭବ ଅବଲମ୍ୱନ କରିବା ବିଧେୟ । ଯେତେ ପରିମାଣରେ ଜ୍ଞାନ ପ୍ରଥମ ଦୁଇ ଉପାୟରେ ଦେବା ସମ୍ଭବ ହୋଇପାରିବ, କାହା ସକାଶେ ପୁସ୍ତକ ଉପରେ ନିର୍ଭର କରିବା ନିଷ୍ପ୍ରୟୋଜନ ମାତ୍ର । ଶିକ୍ଷାର ପ୍ରଥମାଂଶରେ ବିଷୟଜ୍ଞାନ ଦାନ ସକାଶେ ଏକାବେଳକେ ସେହି ପ୍ରଥମ ଉପାୟ ଦିଓଟି ଉପରେ ନିର୍ଭର କରିବା କର୍ତ୍ତବ୍ୟ । ସେତେବେଳେ ପୁସ୍ତକ ପଢ଼ାଇବାକୁ ହେବ ସତ୍ୟ, କିନ୍ତୁ ତାହା ବିଷୟଜ୍ଞାନ ଦାନ ସକାଶେ ନୁହେଁ, ପୁସ୍ତକ ପଢ଼ିବା ଶିଖାଇବା ସକାଶେ । ଅନ୍ୟାନ୍ୟ ବିଷୟ ଭଳି ପୁସ୍ତକର ଲିଖିତ ଭାଷା ମଧ୍ୟ ଗୋଟିଏ ବିଷୟ - ଅତି ପ୍ରୟୋଜନୀୟ ବିଷୟ; କାରଣ, ତାହା ସାହାଯ୍ୟରେ ବହୁ ବିଷୟ ବାଳକମାନେ ଶିଖି ପାରନ୍ତି । ସୁତରାଂ ତାହା ବିଶେଷରୂପେ ଚିହ୍ନିବାକୁ ହେବ - ତାହା ଭଲରୂପେ ପଢ଼ିବା ଓ ଲେଖିବା ଶିଖିବାକୁ ହେବ ।

ଲେଖିବାକୁ ଓ ପଢ଼ିବାକୁ ଶିଖି, ପୁସ୍ତକର ଭାଷା ଚିହ୍ନି, ବାଳକମାନେ ଯେତେବେଳେ ପୁସ୍ତକରୁ ଜ୍ଞାନ ଗ୍ରହଣ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ଶିକ୍ଷକମାନଙ୍କର ବିଶେଷଭାବରେ ସ୍ମରଣ ରଖିବା କର୍ତ୍ତବ୍ୟ ଯେ, ପୁସ୍ତକପାଠ ଜ୍ଞାନ ଶିକ୍ଷାର ଗୋଟିଏ ଉପାୟ ମାତ୍ର - ଶିକ୍ଷାର ବିଷୟ ନୁହେଁ । ପୁସ୍ତକର ବର୍ଣ୍ଣିତ ବିଷୟ ସମୂହ ବାଳକକୁ ଶିଖିବାକୁ ହେବ, କେବଳ ପୁସ୍ତକର ଭାଷା ନୁହେ । ପୁସ୍ତକର ଭାଷା ବିଷୟବୋଧ ବ୍ୟତୀତ କେହି ଶିଖିପାରନ୍ତି ନାହିଁ । ବିଷୟ ଓ ଭାଷା ଏହି ଦିଓଟି ପରସ୍ପର ଏଭଳି ଅବିଚ୍ଛିନ୍ନ ସମ୍ୱନ୍ଧରେ ସମ୍ବନ୍ଧ ଯେ, ଗୋଟିଏ ବ୍ୟତୀତ ଅପରର ଶିକ୍ଷା ଅସମ୍ଭବ । ବିଷୟ ଭାଷାରେ ବ୍ୟକ୍ତ ହୁଏ, ଭାଷା ବିଷୟ ବ୍ୟକ୍ତ କରିଥାଏ । ଭାଷା ବ୍ୟତୀତ ବିଷୟ ଦେହହୀନ ପ୍ରାଣ, ବିଷୟ ବ୍ୟତୀତ ଭାଷା ପ୍ରାଣହୀନ ଦେହ । ଦେହ-ପ୍ରାଣର ସଞ୍ଜୋଗରେ ଜୀବ ଭଳି ଭାଷା ଓ ବିଷୟର ସଞ୍ଜୋଗରେ ଜ୍ଞାନ ।

ପୁସ୍ତକର କେଉଁ ଶଦ୍ଦରେ କେଉଁ ବିଷୟ, କେଉଁ ବାକ୍ୟରେ କେଉଁ ବିଷୟର କେଉଁ କ୍ରିୟା, ବିଷୟାନ୍ତର ସଙ୍ଗରେ କେଉଁ ସମ୍ୱନ୍ଧ ବ୍ୟକ୍ତ ହେଉଅଛି, ଏସବୁ ପ୍ରଥମରେ ଶିକ୍ଷକମାନଙ୍କୁ ଭଲକରି ବୁଝି ନେବାକୁ ହେବ । ଏହା ଉତ୍ତାରୁ ତାହା ଶିକ୍ଷାର୍ଥୀ ବାଳକର ପ୍ରତ୍ୟକ୍ଷୀଭୂତ ବିଷୟ, ବିଷୟର କ୍ରିୟା ଓ ପରସ୍ପର ସମ୍ୱନ୍ଧର ଜ୍ଞାନ ତାହା ମନରେ ଯେପରି ପରିସ୍ଫୁଟ, ଯଥାସମ୍ଭବ ସେପରି ପରିସ୍ଫୁଟ କରି ତାହା ସମ୍ମୁଖରେ ରଖିବାକୁ ହେବ । ବାଳକର ଘର ଖଣ୍ଡିକ, ତାହାର ମାଙ୍କ ସ୍ନେହ-ଡାକ, ତାହାର କ୍ଷୁଧାର ଅନ୍ନ, ତୃଷ୍ଣାର ଜଳ, ଗ୍ରୀଷ୍ମର ଉତ୍ତାପ, ଶୀତର ବାୟୁ, ପିତାଙ୍କ ଗାଳି, ଅଜା-ଆଈଙ୍କ ଗେଲ, ଭାଇ-ଭଉଣୀଙ୍କ ସ୍ନେହ, ବଗିଚାର ଫୁଲ, ଆମ୍ୱ ଗଛରେ ପାଚିଲା ଆମ୍ୱ, ଅଗଣାରେ ଦୁବ ଘାସ ଉଠିବା ପ୍ରଭୃତି ତାହା ନିକଟରେ ଯେପରି, ଯଥାସମ୍ଭବ ସେହିପରି ପରିସ୍ଫୁଟ କରି ପୁସ୍ତକର ବିଷୟ, ବିଷୟର କ୍ରିୟା ଓ ସମ୍ୱନ୍ଧସମୂହ ତାହା ସମ୍ମୁଖରେ ଆଣି ଥୋଇବାକୁ ହେବ । ଏଭଳି କେଉଁ ବାଳକ ଅଛି ଯେ, ଏପରି ଭାବରେ ବିଷୟଗୁଡ଼ିକ ସମ୍ମୁଖରେ ଥୋଇଲେ ଯାହାର ଚିତ୍ତ ସେ ଆଡ଼କୁ ଆକୃଷ୍ଟ ହେବ ନାହିଁ; ଚିତ୍ତାକର୍ଷଣରେ ମନଃସଞ୍ଜୋଗ ଘଟିବ ନାହିଁ; ଅଥବା ମନଃସଞ୍ଜୋଗରେ ବିଷୟ ଜ୍ଞାନ ଲାଭ ହେବ ନାହିଁ ?

ଜ୍ଞାନରେ ଜ୍ଞାନ-କ୍ଷୁଧା ବଢ଼ିଯାଏ । ଏଭଳି ଜ୍ଞାନ ଯେତେ ଶିଖିବ, ସେତିକି ତାହାର ଶିଖିବାକୁ ଇଚ୍ଛା ବଳିବ । ବାଳକ ସ୍ୱୟଂ ଖୋଜି ଖୋଜି ପୁସ୍ତକ ପାଠ କରିବ; ଭାଷାର ଅନ୍ତରସ୍ଥ ବିଷୟ ପ୍ରତି ତାହାର ଦୃଷ୍ଟି ସ୍ୱତଃ ଆକୃଷ୍ଟ ହେବ ।

ଏହି ରୂପେ ଶିକ୍ଷକ ଯେବେ ଥରେ ବାଳକ ମନରେ ଜ୍ଞାନ ସୁଧାର ଉଦ୍ରେକ କରାଇପାରନ୍ତି, କି ପ୍ରକାରରେ ପୁସ୍ତକ ଭଣ୍ଡାରରୁ ସେହି କ୍ଷୁଧାର ଆହାର ସଙ୍ଗ୍ରହ କରିବାକୁ ହେବ, ଥରେ ଯେବେ ବାଳକକୁ ସେହି ଉପାୟ ଚିହ୍ନାଇ ଦେଇପାରନ୍ତି, ବାଳକ ଆପେ ଆପେ ଅନେକ ଶିଖିପାରିବ । ସାଧାରଣ ଭାବରେ ଶିକ୍ଷକଙ୍କ ପରିଚାଳନାର ଅଧୀନରେ ରହି ବାଳକ ନିଜ ପଦକ୍ଷେପରେ ସୋପାନ ଅତିକ୍ରମ କରି ଶିକ୍ଷାର ଅତ୍ୟୁଚ୍ଚ ସୌଧଚୂଡ଼ାରେ ଯାଇ ଉପସ୍ଥିତ ହେବ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Sunday, July 26, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଗ୍ରାମ୍ୟ ପାଠଶାଳାର ଶିକ୍ଷାଗତ ଆଦର୍ଶ


ଅନୁବାଦକ - ଚିତ୍ତରଞ୍ଜନ ଦାସ


କସ୍ତୁରବାଙ୍କ ସହ ମହାତ୍ମା ଗାନ୍ଧୀ (୧୯୧୫ରେ ଉତ୍ତୋଳିତ ଫଟୋ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ  ଦେଖୁଛି ଗାଉଁଲୀ ପାଠଶାଳାମାନଙ୍କରେ ଶିକ୍ଷାର ସ୍ତର ଏକ ପ୍ରକାରର ନୁହେଁ । କୌଣସିଠାରେ ଭଲ କାମ ହେଉଛି ତ କେତେକରେ ବଡ଼ କମ୍ ପାଠପଢ଼ା ହେଉଛି । ଅସ୍ପୃଶ୍ୟମାନଙ୍କ ପ୍ରତି ନ୍ୟାୟ ପ୍ରଦର୍ଶନ ଦୃଷ୍ଟିରୁ ଆମ ନିଜ ପିଲାଙ୍କୁ ହରିଜନ ପାଠଶାଳାକୁ ପଠାଇବା ଓ ସେଠାରେ ଶିକ୍ଷାର ସ୍ତର ଯେପରି ତଳକୁ ଖସି ନଯାଏ ସେଥିପ୍ରତି ସତତ ଧ୍ୟାନ ରଖିବା ଉଚିତ ।

କିନ୍ତୁ ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବାକୁ ହେବ । ଯେପରି ଗାଉଁଲୀ କର୍ମଚାରୀ ଅର୍ଥାତ୍ ଗାଁର ଲୋକେ ଚାକିରୀ ପାଇଁ ପ୍ରାର୍ଥୀଭାବରେ ଲାଳାୟିତ ହୋଇ ଶେଷକୁ ଅସ୍ୱାସ୍ଥ୍ୟକର ସହରରେ ପୁଝାରୀ, ଖାନସମା କିମ୍ୱା କାରଖାନାରେ କଦର୍ଯ୍ୟ ବାତାବରଣରେ ମଜୁରିଆ ଏବଂ ନିମ୍ନଶ୍ରେଣୀର କିରାଣୀ ,ଗୁମାସ୍ତା ହେବା ଭଳି ତିଆରି ନହୁଅନ୍ତି ଏହି ଦୃଷ୍ଚିରୁ ଶିକ୍ଷା କାର୍ଯ୍ୟ ନିୟନ୍ତ୍ରିତ ହେବା ଉଚିତ ।

ଏପରି ଢଙ୍ଗରେ ଶିକ୍ଷା ଦିଆଯିବ, ଯେପରି ସେମାନେ ପୈତୃକ ପେଷାକୁ ଅଧିକ ବୈଜ୍ଞାନିକ ଢଙ୍ଗରେ ଓ ଅଧିକ କୁଶଳତାରୁ ସହିତ ସମ୍ପାଦନ କରିବାକୁ ପସନ୍ଦ କରିବେ । ଗ୍ରାମ୍ୟ ଜୀବନ, ଗ୍ରାମ୍ୟଶିଳ୍ପ, ମୁକ୍ତବାୟୁ, ସ୍ୱାଧୀନ ଚିନ୍ତା ଓ ଆତ୍ମୀୟ ସେବା ଏହିସବୁ ପ୍ରତି ଆକର୍ଷଣ ଜନ୍ମାଇବା ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟ ହେବ ।

-ଗୁରୁକୁଳ ପୁରସ୍କାର ବିତରଣ ଉତ୍ସବ ଉପଲକ୍ଷେ-ଭାଷଣାଂଶ । ତା ୨୦-୩-୧୯୧୭ । ସଂ.ସା. ବା .୧୩ଶ ଖଣ୍ତ ପୂ.୨୬୨ ।

Saturday, July 11, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ସାହିତ୍ୟସ୍ରଷ୍ଟା ଗିଜୁଭାଇ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଜର୍ଜ ରୋମ୍ନି (୧୭୩୪-୧୮୦୨) ଙ୍କର ଏକ ଚିତ୍ର : ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୧୯୨୦-୧୯୨୫ ମସିହା ବେଳକୁ ପିଲାଙ୍କ ପଢ଼ିବା ପାଇଁ ଭଲ ବହି କିଛି ନଥିଲା । ପିଲାଙ୍କ ଭାଷାରେ ଲେଖା ବହିକୁ ଶିଶୁ ସାହିତ୍ୟ ଭାବରେ ଗଣା ଯାଉଥିଲା । ଗପ ବ୍ୟତୀତ ଅନ୍ୟ ବିଷୟରେ ବି ଶିଶୁ ସାହିତ୍ୟ ଲେଖା ଯାଇପାରେ ସେ କଥା କେହି ଚିନ୍ତା କରିପାରୁ ନଥିଲେ। ଶିଶୁ ମନୋବିଜ୍ଞାନକୁ ବୁଝି ସେମାନଙ୍କ ପାଇଁ ଲେଖିବା ପାଇଁ ଲେଖକ ବି ସେ ସମୟରେ ନଥିଲେ ।

ଏହି ସମୟରେ ଗିଜୁଭାଇଙ୍କର ଶିଶୁ ସାହିତ୍ୟ ରଚନା କାମ ଆରମ୍ଭ ହେଲା । ପ୍ରଥମେ ୧୯୨୦-୨୧ ମସିହାରେ ସେ “ଚାଲଣ ଗାଡ଼ି” ପ୍ରସ୍ତୁତ କରିଥିଲେ। ତା' ପର ବହି ଥିଲା “ମୋଟି ବେନ୍” ଏହା ପରେ "ସୁନ୍ଦର ପାଠ", "ଭେରୁ", "ଆମ୍ୱା ୱାଡ଼ିୟୁ" ଆଦି ବହି ଆସିଲା। ଏସବୁ ବହି ମାଧ୍ୟମରେ ପିଲା ଗଛଲତା, ଜୀବଜନ୍ତୁ, ପାହାଡ଼, ନଈ ଆଦି ବିଷୟରେ ଅନେକ କଥା ଜାଣି ପାରିଥିଲେ । ଏହିଭଳି ଅନେକ ଶିଶୁ ସାହିତ୍ୟର ସୃଷ୍ଟି ହୋଇ ଚାଲିଲା ।

ଏଥିରେ କେବଳ ଗିଜୁଭାଇ ଲେଖୁ ନଥିଲେ । ତାଙ୍କ ସହକର୍ମୀମାନେ ମଧ୍ୟ ଲେଖୁଥିଲେ କିମ୍ୱା ବିଭିନ୍ନ ଉତ୍ସରୁ ସଙ୍ଗ୍ରହ କରି ଗୁଜୁରାଟୀରେ ଅନୁବାଦ କରୁଥିଲେ । ଗିଜୁଭାଇଙ୍କ ଲେଖାର ଭାଷା ଏତେ ରୋଚକ ଥିଲା ଯେ, ପିଲା ତ ପିଲା, ଏପରିକି ବଡ଼ମାନେ ବି ସେଥିରେ ମଜ୍ଜି ଯାଉଥିଲେ ।

ଗିଜୁଭାଇଙ୍କ ଶିଶୁ ସାହିତ୍ୟରେ ପୌରାଣିକ କାହାଣୀ, ବିଜ୍ଞାନ ତଥା ପ୍ରକୃତି ପରିଚୟ, ମାନବ ଜୀବନର ପରିଚୟ, ଭାଷା ଶିକ୍ଷା, କାହାଣୀ, ମଜା କଥା, ଭୂଗୋଳ, ଐତିହାସିକ କାହାଣୀ, ନାଟକ, ଲୋକକଥା, ସଂକ୍ଷିପ୍ତ ସାହିତ୍ୟ, ଅନୁବାଦ, ପହେଳି, ଢଗଢମାଳି, କବିତା ଆଦି ରହିଥିଲା। ଗିଜୁଭାଇ ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏସବୁ ଆବଶ୍ୟକ ବୋଲି ମନେ କରୁଥିଲେ। ଗିଜୁଭାଇ ନିଜେ ସୃଷ୍ଟି କରିବା ସହିତ ସମକାଳୀନ ଅନ୍ୟ ଲେଖକମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରୁଥିଲେ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, July 06, 2020

ପ୍ରତ୍ୟକ୍ଷ୍ୟ  ଅନୁଭୂତି ଓ ଶ୍ରବଣରୁ ଜ୍ଞାନଲାଭ

ଶଶିଭୂଷଣ ରାୟ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ବାହାରେ ବାଳକମାନେ ନିଜେ ନିଜେ ସହଜରେ ଯେ ଏତେ ବିଷୟରେ ଏଭଳି ସୁନ୍ଦର ଜ୍ଞାନ ଲାଭ କରନ୍ତି, ତାହାର କାରଣ, ବିଷୟସମୂହ ସହଜରେ ଏବଂ ପୂର୍ଣ୍ଣାବୟବରେ ସେମାନଙ୍କର ପ୍ରତ୍ୟକ୍ଷାଭୂତ ହୋଇ, ବିଶେଷ ଚିତ୍ତାକର୍ଷକ ଶକ୍ତିବଳରେ ସେମାନଙ୍କର ଚିତ୍ତାକର୍ଷଣ କରିଥାଏ ଏବଂ ଦୃଢ ମନଃସଞ୍ଜୋଗ ଘଟାଇଥାଏ ।

ପ୍ରତ୍ୟକ୍ଷୀଭୂତ ବିଷୟଗୁଡିକ ସର୍ବାପେକ୍ଷା ପରିସ୍ପୁଟ ଭାବରେ ବାଳକମାନଙ୍କର ସମ୍ମୁଖୀନ ହୁଏ - ସେ ସମସ୍ତ ପ୍ରତି ଚିତ୍ତାକର୍ଷଣ ଓ ମନଃସଞ୍ଜୋଗ ମଧ୍ୟ ସର୍ବାପେକ୍ଷା ଅଧିକ ହୋଇଥାଏ । ସୁତରାଂ ବିଷୟ ପ୍ରତ୍ୟକ୍ଷ କରି ଯେଉଁ ଜ୍ଞାନ ଗ୍ରହଣ, ତାହା ହିଁ ଜ୍ଞାନଲାଭର ସର୍ବଶ୍ରେଷ୍ଠ ଉପାୟ । 

ଏହି ଉପାୟରେ ଯେତିକି ଜ୍ଞାନଲାଭ ହୁଏ, ବିଷୟଜ୍ଞାନ ମଧ୍ୟରେ ମଧ୍ୟ ସେହି ଜ୍ଞାନର ତୁଳନା ଅନ୍ୟ ଜ୍ଞାନ ସଙ୍ଗରେ ହୋଇ ନ ପାରେ । କିନ୍ତୁ ପ୍ରକୃତି ମାନସିକ ଉନ୍ନତି ଲାଭ କରିବାକୁ ହେଲେ ଏଭଳି ଅନେକ ବିଷୟର ଜ୍ଞାନଲାଭ ପ୍ରୟୋଜନ, ଯାହା କେତେବେଳେ ସୁଦ୍ଧା କୌଣସି ବାଳକର ପ୍ରତ୍ୟକ୍ଷ ସୀମା ମଧ୍ୟକୁ ଆସିବାକୁ ଅସମର୍ଥ ।

ଏହି ସମସ୍ତ ଅପ୍ରତ୍ୟକ୍ଷ ବିଷୟ ଯେ ପ୍ରତ୍ୟକ୍ଷ କରିଅଛନ୍ତି, ଏଭଳି କୌଣସି ବିଚକ୍ଷଣ ବ୍ୟକ୍ତି ମୁଖରେ ଯେବେ ସେହି ସମସ୍ତ ବାଳକମାନଙ୍କ ପ୍ରତ୍ୟକ୍ଷୀଭୂତ ବିଷୟସମୂହ ସହିତ ତୁଳନା କରି ପରିସ୍ପୁଟ ଭାବରେ ବର୍ଣ୍ଣନା କରିପାରନ୍ତି, ତାହାହେଲେ ପ୍ରାୟ ପ୍ରତ୍ୟକ୍ଷ ବିଷୟ ଭଳି ତାହା ବାଳକଗଣଙ୍କ କଳ୍ପନା-ନେତ୍ର ସମ୍ମୁଖରେ ପ୍ରତିଭାତ ହୋଇଥାଏ, ସୁତରାଂ ଏହିଭଳି “ଶୁଣି ଶିଖିବା” ରୂପ ଉପାୟକୁ ଶିକ୍ଷାର ମଧ୍ୟମ ଉପାୟ ବୋଲାଯିବ । 

କିନ୍ତୁ ଜ୍ଞାତବ୍ୟ ସମସ୍ତ ବିଷୟ ପ୍ରତ୍ୟକ୍ଷ କରିଥିବେ, ଏଭଳି ଶିକ୍ଷକ କେଉଁଠାରୁ ମିଳିବେ ? କୌଣସି ମାନବ ପକ୍ଷରେ ତାହା ସମ୍ଭବପର ନୁହେ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Thursday, April 30, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାରବିଦ୍ୟାଳୟରେ ସଙ୍ଗୀତର ସ୍ଥାନ

ଅନୁବାଦକ - ଚିତ୍ତରଞ୍ଜନ ଦାସ


ମହାତ୍ମା ଗାନ୍ଧୀ
୧୯୩୭ ମସିହା; ଦିଲ୍ଲୀ
ୱିକିମିଡିଆ କମନ୍ସ୍

ବାଳକବାଳିକାମାନଙ୍କ ମଧ୍ୟରେ ଶୁଦ୍ଧ ସଙ୍ଗୀତର ପ୍ରସାର ଲାଗି ଗାନ୍ଧିଜୀ ମହାବିଦ୍ୟାଳୟର ପଣ୍ଡିତ ଖାରେ ଜୀବନୋତ୍ସର୍ଗ କରିଅଛନ୍ତି । ଏ ଦିଗରେ ଯେଉଁ ଚମତ୍କାର ପ୍ରଗତି ଗୁଜରାତ ମଧ୍ୟରେ; ବିଶେଷ କରି ଅହମଦାବାଦରେ ହୋଇ ପାରିଛି, ତାହାର ଏକ ବିବରଣୀ ସେ ପଠାଇଛନ୍ତି । ଶିକ୍ଷା ବିଭାଗର କର୍ତ୍ତୃପକ୍ଷବୃନ୍ଦ ସଙ୍ଗୀତକୁ ଶିକ୍ଷାକ୍ରମ ମଧ୍ୟରେ ସ୍ଥାନ ଦେବାକୁ ଆଗ୍ରହୀ ନ ଥିଲା ଭଳି ଜଣାଯାଉଥିବା ଦେଖି ସେ ଦୁଃଖ ପ୍ରକାଶ କରିଅଛନ୍ତି । ପଣ୍ଡିତ ମହାଶୟଙ୍କ ମତରେ ସଙ୍ଗୀତ ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମରେ ମଧ୍ୟ ସ୍ଥାନ ପାଇବା ଏକାନ୍ତ ଆବଶ୍ୟକ । ନିଜର ବ୍ୟାପକ ଅଭିଜ୍ଞତା ଭିତ୍ତିରେ ସେ ଏପରି ମତ ବ୍ୟକ୍ତ କରିଛନ୍ତି । ତାଙ୍କର ପ୍ରସ୍ତାବ ପ୍ରତି ମୁଁ ମୋର ଆନ୍ତରିକ ଅନୁମୋଦନ ଜଣାଉଅଛି ।

ନୂତନ ପ୍ରଣାଳୀକୁ କାର୍ଯ୍ୟାନ୍ୱିତ କରିବା ପାଇଁ ଆମ ପାଖରେ ଅବଶ୍ୟ ଯଥେଷ୍ଟ ଶିକ୍ଷକ ନାହାନ୍ତି । ମାତ୍ର ଯେ କୌଣସି ଉଦ୍ୟମ ନୂଆକରି ଆରମ୍ଭ କଲାବେଳେ ଏହି ଅସୁବିଧା ରହିବ ହିଁ ରହିବ । ବର୍ତ୍ତମାନ ଆମ ହାତରେ ଯେତିକି ଶିକ୍ଷକ ଅଛନ୍ତି ସେମାନେ ନୂତନ ପ୍ରଣାଳୀ ଜାଣିବା ପାଇଁ ଇଚ୍ଛୁକ ଥିଲେ, ସେମାନଙ୍କୁ ଅବଶ୍ୟ ସେ ସୁବିଧା ମିଳିବା ଉଚିତ ଏବଂ ଆବଶ୍ୟକ ବିଷୟମାନ ଶିକ୍ଷା କରିସାରିବା ପରେ ସେମାନଙ୍କ ବେତନ ଆଶାନୁରୂପ ବୃଦ୍ଧି କରାଯିବ, ଏପରି ବ୍ୟବସ୍ଥା ହେବା ଉଚିତ । 

ପ୍ରାଥମିକ ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ପ୍ରତ୍ୟେକ ନୂତନ ବିଷୟ ପାଇଁ ସ୍ୱତନ୍ତ୍ର ଶିକ୍ଷକ ଯୋଗାଇ ଦେବା ସମ୍ଭବ ବୋଲି ମୁଁ କଳ୍ପନା କରିପାରୁ ନାହିଁ । ତଦ୍ଦ୍ୱାରା ଅତିରିକ୍ତ ଖର୍ଚ୍ଚ ବଢ଼ିବ ଏବଂ ତାହା ଅନାବଶ୍ୟକ । ହୁଏତ ଏପରି ହୋଇପାରେ ଯେ ପ୍ରାଥମିକ ଶିକ୍ଷା କାର୍ଯ୍ୟରେ ନିଯୁକ୍ତ ଥିବା କେତେକ ଶିକ୍ଷକ ଅଳ୍ପ ସମୟ ମଧ୍ୟରେ ନୂତନ ବିଷୟ ଶିକ୍ଷା କରିବାକୁ ଅସମର୍ଥ ହୋଇ ପାରନ୍ତି ମାତ୍ର ଯେଉଁ ପିଲା ମ୍ୟାଟ୍ରିକ୍ୟୁଲେସନ୍ ପର୍ଯ୍ୟନ୍ତ ପଢ଼ି ସାରିଛି ତା' ପକ୍ଷରେ ସଙ୍ଗୀତ, ଚିତ୍ରାଙ୍କନ,, ଶାରୀରିକ ବ୍ୟାୟାମ ଓ କୌଣସି ଏକ ଧନ୍ଦାର ମୌଳିକ ଜ୍ଞାନ ଅର୍ଜନ କରିବାକୁ ତିନି ମାସରୁ ଅଧିକ ସମୟ ଲାଗିବ ନାହିଁ । 

ଏ ସବୁ ବିଷୟରେ ଅନ୍ତତଃ ପକ୍ଷେ କାମ ଚଳିଲା ଭଳି ଜ୍ଞାନ ଅର୍ଜନ କରିପାରିଲେ, ସେ ଅଧ୍ୟାପନା ସଙ୍ଗେ ସଙ୍ଗେ ଅଧିକ ଜ୍ଞାନ ଅର୍ଜନ କରିପାରିବ । ଅବଶ୍ୟ ଏଥିପାଇଁ ଶିକ୍ଷକଙ୍କ ଭିତରେ ଆବଶ୍ୟକ ଆଗ୍ରହ ଓ ଉତ୍ସାହ ଥିବା ଦରକାର, ଏଥିରେ ସନ୍ଦେହ ନାହିଁ । ରାଷ୍ଟ୍ରୀୟ ପୁନର୍ଜାଗରଣ ଲାଗି ନିଜକୁ ଯଥାଶକ୍ତି ଉପଯୋଗୀ କରି ଗଢିବା ଉଦ୍ଦେଶ୍ୟରେ ସେହିପରି ଆଗ୍ରହ ଓ ଉତ୍ସାହ ଲୋଡା ।

-ହରିଜନ, ତା ୧୧.୯.୧୯୩୭

Wednesday, April 29, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ମଣ୍ଟେସୋରୀ ପଦ୍ଧତିର ଉପକରଣ ପ୍ରସ୍ତୁତି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


୧୮୨୦ ମସିହାର ଏକ ଶ୍ରେଣୀକକ୍ଷର ଚିତ୍ର (ୱିକିମିଡିଆ କମନ୍ସ୍)

ବାଲ ଶିକ୍ଷଣର ନୂଆ ପଦ୍ଧତି ଅନୁସାରେ ବାଲମନ୍ଦିର ସଙ୍ଖ୍ୟା ବଢିବାରେ ଲାଗିଲା  ସେସବୁ ପାଇଁ ମଣ୍ଟେସୋରୀ ପଦ୍ଧତିର ଉପକରଣ ମିଳିବା ଏକ ବଡ ସମସ୍ୟା ଥିଲା  ବିଦେଶରୁ ଉପକରଣ ଆମଦାନୀ କରିବା ବେଶ୍ ବ୍ୟୟବହୁଳ ଥିଲା  ପୁଣି ଦରକାର ସମୟରେ ତାହା ମିଳି ପାରୁନଥିଲା।  ସ୍ଥାନୀୟ ସାମଗ୍ରୀ ନେଇ ବାଲ ଶିକ୍ଷଣ ସଂସ୍ଥା ଏସବୁ ପ୍ରସ୍ତୁତ କରିବାର ଯୋଜନା କଲେ ସେ ସମୟରେ ଏହା ଗୋଟିଏ ବଡ଼ ସାହସିକ ପଦକ୍ଷେପ ଥିଲା 

ସେ ସମୟରେ (୧୯୨୦-୧୯୪୦) ସ୍ୱାଧୀନତା ଆନ୍ଦୋଳନ ଜୋରରେ ଚାଲିଥିଲା  ବିଦେଶୀ ଜିନିଷ ସବୁକୁ ବର୍ଜନ କରାଯାଉଥିଲା  ସ୍ୱଦେଶୀ ବିଦେଶୀ ଭାବନା ନେଇ ଲୋକମାନେ ବହୁତ ସ୍ପର୍ଶକାତର ଥିଲେ  ସେଥିପାଇଁ ଅନେକ ଲୋକ ମଣ୍ଟେସୋରୀ ପଦ୍ଧତିକୁ ବିଦେଶୀ ପଦ୍ଧତି, ପାଶ୍ଚାତ୍ୟ ସଂସ୍କୃତିର ଶିକ୍ଷା, ଭାରତୀୟ ସଂସ୍କୃତିରେ ଏହା ଖାପ ଖାଇବ ନାହିଁ ଆଦି କହି ଏହାକୁ ବିରୋଧ କରିବାକୁ ଲାଗିଥିଲେ  କିନ୍ତୁ ଗିଜୁଭାଇ ଆମ ଦେଶ ପାଇଁ ଅନୁକୂଳ ମଣ୍ଟେସୋରୀ ପଦ୍ଧତି ବିଷୟରେ କହି ଲୋକଙ୍କୁ ଜବାବ ଦେଉଥିଲେ 

ଆଉ ଗୋଟିଏ ଭୁଲ ଧାରଣା ମଧ୍ୟ ସୃଷ୍ଟି ହୋଇଥିଲା ଯେ, ମଣ୍ଟେସୋରୀ ପଦ୍ଧତି ସହରର ଧନୀ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ, ଭାରତର ଲକ୍ଷ ଲକ୍ଷ ଗାଁର ପିଲାଙ୍କ ପାଇଁ ଏହା ପ୍ରଯୁଜ୍ୟ ନୁହେଁ  ଏକଥାର ଉତ୍ତର ଦେବାକୁ ଯାଇ ଗିଜୁଭାଇ କିଛି ଯୁକ୍ତି କରିବା ବଦଳରେ କାମ କରି ଦେଖାଇ ଦେଇଥିଲେ  ଦକ୍ଷିଣାମୂର୍ତ୍ତି ବାଲମନ୍ଦିର ସାମନାରେ ରହୁଥିବା କୃଷକ ଏବଂ ଶ୍ରମିକ ଶ୍ରେଣୀର ପିଲାଙ୍କ ପାଇଁ ବାଲ ବିଦ୍ୟାଳୟ ସେ ଚଳାଇଥିଲେ 

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, March 14, 2020

ଜ୍ଞାନଲାଭର ପ୍ରଥମ ସୋପାନ

ଶଶିଭୂଷଣ ରାୟ


ଚିତ୍ର - 'ଦି ଗୁଡ଼୍ ଏଜୁକେସନ୍'
ଚିତ୍ରକର - ଜଁ ବାପ୍ତିସ୍ତ୍ ସିମଁ ସାର୍ଦଁ (୧୬୯୯ - ୧୭୭୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଜ୍ଞାନଲାଭର ପ୍ରଥମ ସୋପାନ ବିଷୟ ଦୃଷ୍ଟି, ବିଷୟ-ବୋଧ ଓ ବିଷୟ-ଜ୍ଞାନ । ବିଷୟ ପ୍ରତି ଚିତ୍ତାକର୍ଷଣ ଓ ମନଃସଂଯୋଗରୁ ଏହି ଜ୍ଞାନଲାଭ ହୋଇପାରେ ।

ପ୍ରଥମରେ ବିଷୟଟି ପ୍ରତ୍ୟକ୍ଷଭୂତ ହେବା ଆବଶ୍ୟକ, ଏହା ଉତ୍ତାରୁ ସେହି ପ୍ରତ୍ୟକ୍ଷୀଭୂତ ବିଷୟ ଯେବେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରିପାରେ, ତେବେ ତାହା ପ୍ରତି ଆମ୍ଭମାନଙ୍କର ମନଃସଂଯୋଗ ହୋଇଥାଏ । ଏହି ମନଃସଂଯୋଗ ହେତୁ ବିଷୟକୁ ଆମ୍ଭେମାନେ ମନକୁ ଟାଣି ନେଇଥାଉ, ଆମ୍ଭମାନଙ୍କ ମନରେ ତାହା ମୁଦ୍ରିତ ହୋଇଥାଏ । ଏହି ମୁଦ୍ରଣରୁ ଆମ୍ଭମାନଙ୍କର ଜ୍ଞାନ ହେବା ହିଁ ସ୍ୱାଭାବିକ । 
ଆମ୍ଭମାନେ ଯେତେବେଳେ ବଜାର ହାଟକୁ ଯାଉଁ, ଯାତ୍ରା ଓ ତୀର୍ଥ ପ୍ରଭୃତିକୁ ଯାଉ, ସେତେବେଳେ ବହୁ ମନୁଷ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼ିଥାଆନ୍ତି, ବହୁ ଶଦ୍ଦ ଆମ୍ଭମାନଙ୍କର ଶୃତି ଗୋଚର ହୁଏ, ବହୁ ଗନ୍ଧ ନାସିକାରେ ଆଘ୍ରାତ ହୁଏ, ବହୁ ସ୍ପର୍ଶ ଉତ୍କୃଷ୍ଟ ହୋଇଥାଏ । କିନ୍ତୁ ଯେତେବେଳେ ଫେରି ଆସୁଁ, ବୃହତ୍ ଜନସଘଂର ଗୋଟିଏ ଅସ୍ପଷ୍ଟ ଛାୟା, ବହୁମିଶ୍ରିତ କଳରବର ଗୋଟିଏ ଅସ୍ପଷ୍ଟ ଶୃତିର ସ୍ମୃତି, ବହୁବିଧ ଗନ୍ଧସ୍ପର୍ଶର ଗୋଟିଏ ଅବକ୍ତବ୍ୟ ଅନୁଭୂତି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ । 
କାହାର କି ପ୍ରକାର ଆକୃତି, କିଏ କଅଣ କହିଥିଲା, କେଉଁ କେଉଁ ବିଶେଷ ଗନ୍ଧ କେତେବେଳେ ପାଇଥିଲୁଁ, କେଉଁ ସ୍ପର୍ଶ ଠିକ୍ କିପରି ଅନୁଭୂତ ହୋଇଥିଲା, ଏ ସମସ୍ତ ଆମ୍ଭେମାନେ ଭଲରୂପେ ମନେ ରଖିପାରୁ ନାହିଁ । ନ ପାରିବାର ହେତୁ କଅଣ ? କାରଣ, କୌଣସି ବିଶେଷ ରୂପ, ଶବ୍ଦ, ଗନ୍ଧ ବା ସ୍ପର୍ଶ ପ୍ରତି ଆମ୍ଭମାନଙ୍କର ଚିତ୍ତାକର୍ଷଣ ଅଥବା ମନଃସଂଯୋଗ ହୋଇ ନାହିଁ । 
ଏଥିମଧ୍ୟରୁ ଯେବେ କୌଣସି ବସ୍ତୁ ନିଜର ବିଶେଷତ୍ୱ ବଳରେ ଅଥବା ବାହାରର କୌଣସି ଘଟନା ସମ୍ପର୍କରେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରେ, ମନଃସଂଯୋଗ ଘଟାଇଥାଏ, ତେବେ ସେତିକି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ, ଆମ୍ଭମାନଙ୍କର ସେତିକିର ଧାରଣା ଓ ଜ୍ଞାନ ହୋଇଥାଏ ।
ଏହିଭଳି ଜ୍ଞାତବ୍ୟ ବିଷୟଟି ଯେତେ ପରିସ୍ପୁଟ ଭାବରେ ଆମ୍ଭମାନଙ୍କର ପ୍ରତ୍ୟକ୍ଷୀଭୂତ ହେବ, ତାହା ପ୍ରତି ଚିତ୍ତାକର୍ଷଣ ଯେତେ ପ୍ରବଳ ହେବ, ମନଃସଂଯୋଗ ଯେତିକି ଦୃଢ ହେବ, ବିଷୟଟିର ଜ୍ଞାନ ଆମ୍ଭମାନଙ୍କର ସେତିକି ପରିସ୍ପୁଟ ହେବ,... ତାହା ସେତେ ଦୃଢ଼ ରୂପେ ଅଙ୍କିତ ହେବ ।
ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Sunday, March 08, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ପ୍ରଶିକ୍ଷଣ କେନ୍ଦ୍ର

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଗିଜୁଭାଇ ବଧେକାଙ୍କ ଏକ ବହିର ମଲାଟ

ଏହା ସହିତ ଅନ୍ୟ ଶିକ୍ଷକଙ୍କୁ ଏହି ଶିକ୍ଷା ପଦ୍ଧତି ବିଷୟରେ ତାଲିମ ଦେବା ପାଇଁ ସେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲେ ନୂଆ ଶିକ୍ଷା ପଦ୍ଧତିରେ ହିଁ ଭଲ ଶିଖିହେବ, ତାହା ସେମାନେ ଗିଜୁଭାଇଙ୍କ କଥାରୁ ନୁହେଁ, କାମରୁ ଜାଣୁଥିଲେ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀମାନେ ଗିଜୁଭାଇଙ୍କଠାରୁ ପ୍ରତ୍ୟକ୍ଷ ପ୍ରେରଣା ଓ ମାର୍ଗଦର୍ଶନ ପାଉଥିଲେ

ପ୍ରଥମେ ପ୍ରଶିକ୍ଷାର୍ଥୀଙ୍କ ସଙ୍ଖ୍ୟା କମ୍ ଥିଲା କିନ୍ତୁ ଧୀରେ ଧୀରେ ଏମାନଙ୍କ ସଙ୍ଖ୍ୟା ବଢ଼ିଲା  ସକାଳୁ ସଞ୍ଜ ଯାଏଁ ବାଲମନ୍ଦିର ଏବଂ ପ୍ରଶିକ୍ଷଣ କେନ୍ଦ୍ରରେ କାମ ଚାଲୁଥିଲା  ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ସେ ରାସ୍ତା ଉପରେ ମଧ୍ୟ ଏହି ଶିକ୍ଷା ପଦ୍ଧତି ବିଷୟରେ ଆଲୋଚନା କରୁଥିଲେ 

ଗିଜୁଭାଇଙ୍କଠାରୁ ପ୍ରଶିକ୍ଷଣ ନେବା ପାଇଁ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ଅଞ୍ଚଳରୁ ଛାତ୍ର ଆସୁଥିଲେ  ଏଠାରୁ ଯାଇ ସେମାନେ ନିଜ ନିଜ ଅଞ୍ଚଳରେ ବାଲମନ୍ଦିର ଢାଞ୍ଚାରେ ସ୍କୁଲ ଖୋଲି ନୂଆ ଶିକ୍ଷା ପଦ୍ଧତିର ପ୍ରସାର କରୁଥିଲେ  ଗିଜୁଭାଇ ମଧ୍ୟ ରାଜକୋଟ, ପୋରବନ୍ଦର, ଜାମନଗର, ସୁରେନ୍ଦ୍ର ନଗର, ନନ୍ଦିଆଦ, ପାଟଣା, ଦାଦର, ଅହମ୍ମଦାବାଦ, ଇନ୍ଦୋର ଆଦି ଅଞ୍ଚଳରେ ବାଲମନ୍ଦିର ଖୋଲିଥିଲେ  ଫଳରେ ଅଧିକରୁ ଅଧିକ ପିଲା ଏହି ଶିକ୍ଷାର ଲାଭ ପାଇ ପାରିଥିଲେ 

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, February 17, 2020

ଭଲ ଛାତ୍ର ଓ 'ଖରାପ' ଛାତ୍ର

ଶଶିଭୂଷଣ ରାୟ


ଚିତ୍ର -  'ଗ୍ରୀଷ୍ମ ରାତ୍ରିରେ ମାତା ଓ ସନ୍ତାନ'
ଚିତ୍ରଶିଳ୍ପୀ - କାତ୍ସୁଶିକା ହୋକୁସାଇ (୧୭୬୦-୧୮୪୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶତ ଶତ ବାଳକ ଜ୍ଞାନଲାଭ ସକାଶେ ଆମ୍ଭମାନଙ୍କ ବିଦ୍ୟାଳୟସମୂହରେ ପଢୁଅଛନ୍ତି । ଯେବେ କଲେଜର ଡିଗ୍ରି ପାଇବା ହିଁ ବିଦ୍ୟାଳୟ ଶିକ୍ଷାର ଚରମ ସାର୍ଥକତା ବୋଲି ବିବେଚିତ ହୋଇଥାଏ, ତେବେ ଏହି ଶତଶତ ଶିକ୍ଷାର୍ଥିଙ୍କ ମଧ୍ୟରେ କେତେ ଜଣଙ୍କର ସେହି ସାର୍ଥକତା ଲାଭ ହୁଏ ? ବିଦ୍ୟାଳୟ ସମୂହର ଅବସ୍ଥା, କାର୍ଯ୍ୟ ଓ ଫଳାଫଳ ସମ୍ୱନ୍ଧରେ ଯେଉଁମାନଙ୍କର ଅଭିଜ୍ଞତା ରହିଅଛି, ସେମାନେ ସମସ୍ତେ ଏକବାକ୍ୟରେ ସ୍ୱୀକାର କରିବେ ଯେ, ଶିକ୍ଷା ସକାଶେ ବିଦ୍ୟାଳୟ ସମୂହରେ ଯେତେ ଛାତ୍ର ପଢ଼ନ୍ତି, ତାଙ୍କ ମଧ୍ୟରୁ ହାରାହାରି ଶତକଡା ୨୫|୩୦ ଜଣରୁ ଅଧିକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ । ଯେଉଁ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ବିଶ୍ୱବିଦ୍ୟାଳୟର ଉଚ୍ଚ ଶିକ୍ଷାମନ୍ଦିରରେ ପ୍ରବେଶ ଲାଭ କରନ୍ତି, ତାଙ୍କ ମଧ୍ୟରୁ ଏକ ଚତୁର୍ଥାଂଶରୁ ବେଶି ଛାତ୍ର ଡିଗ୍ରି ଅର୍ଥାତ୍ ଉପାଧି ଲାଭରେ ଅସମର୍ଥ ହୋଇଥାଆନ୍ତି । 

ସୁତରାଂ ଉପାଧି ପାଇବା ହିଁ ଯେବେ ଜ୍ଞାନଲାଭର ଚରମ ସାର୍ଥକତା ବୋଲି ଧରାଯିବ, ତେବେ ଏହି ଶତ ଶତ ଛାତ୍ରଙ୍କ ମଧ୍ୟରେ ଶତକଡା ୮|୧୦ ଜଣଙ୍କ ମଧ୍ୟରେ ସେ ସାର୍ଥକତା ଲାଭ ହୋଇଥାଏ । ଶତକଡା ୧୫|୧୬ ଜଣଙ୍କ ପକ୍ଷରେ ଜ୍ଞାନଲାଭ ଚେଷ୍ଟା ଅର୍ଦ୍ଧସାର୍ଥକ ମାତ୍ର । ବାକୀ ସମସ୍ତଙ୍କ ପକ୍ଷରେ ତାହା ଏକ ପ୍ରକାର ବୃଥା କହିଲେ ଚଳେ ।

କାହିଁକି ଏପରି ହୋଇଥାଏ ? ଏ ଦେଶର ଭଦ୍ରବଂଶୀୟ ବାଳକମାନଙ୍କ ମଧ୍ୟରେ ଶତକଡା ପ୍ରାୟ ୮୦ ଜଣ କଅଣ ଏକା ବେଳକେ ବୁଦ୍ଧିହୀନ ? ଏ ଦେଶ କଅଣ ସତେ ଏଡେ ଦୁର୍ଭାଗ୍ୟ-ଜଡ଼ିତ ? ଏ ଦେଶର ଫଳ-ଜଳ-ଜାତ ମାନବଶୋଣିତ କଅଣ ଏକାବେଳକେ ଅସାର ? କିନ୍ତୁ ବାସ୍ତବିକ ତାହା ନୁହେ । ସ୍କୁଲ-ପାଠ ମନେ ରଖିପାରନ୍ତି ନାହିଁ, ଶଦ୍ଦର ଅର୍ଥ କହିପାରନ୍ତି ନାହିଁ, ବନାନ ଭୁଲ କରନ୍ତି, ବ୍ୟାକରଣ-ସୂତ୍ର ମୁଖସ୍ଥ କରି ପାରନ୍ତି ନାହିଁ, ଅଙ୍କ ବୁଝି ପାରନ୍ତି ନାହିଁ, ଇତିହାସ ଭୂଗୋଳ ପ୍ରଭୃତି କିଛି ଜାଣନ୍ତି ନାହିଁ, କୌଣସି ପରୀକ୍ଷାରେ ନମ୍ୱର ପାଆନ୍ତି ନାହିଁ, ଏଭଳି ଶତ ଶତ ଛାତ୍ର ଦେଖିଥାଉଁ । 

ଅଥଚ ସେହିମାନେ ବାହାରର ଅନେକ କଥା ଭଲ କରି ମନରେ ରଖନ୍ତି, ଅନେକ ଦେଖା ଶୁଣା ବିଷୟ ଖୁବ କହିପାରନ୍ତି, ଅନେକ କାର୍ଯ୍ୟରେ ଖୁବ ହିସାବ କରି ଚଳନ୍ତି-ପ୍ରକୃତ ଚତୁରତା ଦେଖାନ୍ତି । ଗ୍ରାମର କ୍ଷେତ, ବଗିଚା, ଶସ୍ୟ, ଗଛ, ପୋଖରୀ, ପଥ, ଏ ସାହି, ଆର ସାହି ପ୍ରଭୃତିରେ କେତେ ଲୋକ, କେତେ ଲୋକଙ୍କର କିପରି ଖବର, କାହାର କେତେ ଟଙ୍କା ଅଛି, କିଏ କିପରି ଖର୍ଚ୍ଚ କରନ୍ତି, ହାଟ ବଜାରରେ କେଉଁ ଜିନିଷ କିପରି ମୂଲ୍ୟରେ ବିକ୍ରୟ ହୁଏ, ସମସ୍ତ ସେମାନେ ଉତ୍ତମରୂପେ ଜାଣନ୍ତି; କେହି ପଚାରିଲେ ଏଗୁଡିକ ରୀତିମତ କହିପାରନ୍ତି । କୌଣସି ସ୍ଥାନରେ ନିମନ୍ତ୍ରଣ ହେଲେ ସମସ୍ତ ବିଷୟ ଏଭଳି କହି ଦିଅନ୍ତି ଯେ, ଆସ୍ୱାଦର ଭଲ ମନ୍ଦ ସୁଦ୍ଧା ବୁଝି ହେବ । 

ଖେଳ ଦେଖିବାକୁ ଗଲେ ଅବିରତ ଇତସ୍ତତଃ ଧାବମାନ ପ୍ରତ୍ୟେକ ବାଳକର କ୍ରୀଡ଼ାକୌଶଳ, କିଏ କାହାକୁ କିପରି ଧରିଥିଲା, ଛୁଇଁଲା ଇତ୍ୟାଦି ସମସ୍ତ ତାଙ୍କ ମନରେ ଆଲୋକଚିତ୍ର ଭଳି ଦର୍ଶନ ମାତ୍ରକେ ଲାଖି ରହିଯାଏ । ନାଟ ଦେଖିବାକୁ ଗଲେ, ସମସ୍ତ ବିଷୟ ତାଙ୍କର ଉତ୍ତମରୂପେ ମନରେ ରହିଯାଏ, କିଏ କେଉଁ ସାଜସଜ୍ଜାରେ କିପରି ଦିଶୁଥିଲା, କିଏ କିପରି କେଉଁ ରାଗିଣୀରେ ଗୀତ ଗାଇଥିଲା; ସମସ୍ତ ଚିତ୍ର ଭଳି ମନରେ ଅଙ୍କିତ ରହିଥାଏ । ହାଟବଜାରରୁ ସଉଦା କିଣିବାକୁ, ଖେଳର ବନ୍ଦୋବସ୍ତ କରିବାକୁ, ଉତ୍ସବରେ ଘର ପ୍ରଭୃତି ସଜାଇବାକୁ, ନିମନ୍ତ୍ରଣ ପ୍ରଭୃତିରେ ପରିବେଷଣ କରିବାକୁ ସେମାନେ ପ୍ରକୃତ ପାରଦର୍ଶୀ । କଳହରେ ସେମାନେ କଥାରେ ଠକନ୍ତି ନାହିଁ କି ମରାମରିରେ ସେମାନେ ହଟନ୍ତି ନାହିଁ ।

ଏମାନେ ଯଦି ଏତେ କାର୍ଯ୍ୟ କରିପାରନ୍ତି, ତେବେ ସ୍କୁଲର ପଢ଼ାପଢ଼ି କରିପାରନ୍ତ ନାହିଁ କାହିଁକି ? ପାରନ୍ତି ନାହିଁ - ସେମାନଙ୍କର ସୂକ୍ଷ୍ମ ଦୃଷ୍ଟି ଓ ମେଧା ବୁଦ୍ଧି ପ୍ରଭୃତି ଯେ ଏକାବେଳକେ ନାହିଁ ବୋଲି, ତାହା ନୁହେ, - କି କୌଶଳରେ ପାଠ୍ୟ ବିଷୟ ସେମାନଙ୍କର ଦୃଷ୍ଟି, ମେଧା ଓ ବୁଦ୍ଧିରେ ପ୍ରବିଷ୍ଟ କରାଇବାକୁ ହେବ, ଶିକ୍ଷକମାନେ ତାହା ଭଲରୂପେ ଜାଣନ୍ତି ନାହିଁ, ଅଥବା ଜାଣି ମଧ୍ୟ ସେ କୌଶଳ ଅବଲମ୍ୱନର କଷ୍ଟ ସ୍ୱୀକାର କରନ୍ତି ନାହିଁ ଏହା ହିଁ ପ୍ରକୃତ ହେତୁ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Tuesday, January 21, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ସ୍ୱାବଲମ୍ୱୀ ଶିକ୍ଷାରେ ଚରଖାର ଗୁରୁତ୍ୱ

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୨୭ ମସିହାରେ ଲିଖିତ ଗାନ୍ଧୀଜୀଙ୍କର ହସ୍ତଲିପି (ୱିକିମିଡିଆ କମନ୍ସ୍)

ଠେଠ୍ ନୌରୋବୀ (ଦକ୍ଷିଣ ଆଫ୍ରିକାର )ରୁ ଜଣେ ଭାଇ ଲେଖିଛନ୍ତି –

''ରାଷ୍ଟ୍ରୀୟ ଶିକ୍ଷାର ଅଗ୍ରଗତି ସମ୍ଭବ ନୁହେଁ କାରଣ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଏପରି ଶିକ୍ଷା ଦିଆଯାଉନାହିଁ ଯଦ୍ୱାରା ସେମାନେ ଭବିଷ୍ୟତରେ ସ୍ୱାବଲମ୍ୱୀ ହୋଇପାରିବେ । କୃଷିଶିକ୍ଷା ସେମାନେ ପାଇଲେ ଏହି ଅସୁବିଧା ଦୂର ହୋଇପାରନ୍ତା । ଚରଖା ତ ଅବଶ୍ୟ ରହିବ । ରାଷ୍ଟ୍ର ଭଳି ବିଦ୍ୟାଳୟରେ ମଧ୍ୟ କୃଷିର ସ୍ଥାନ ପ୍ରଥମ ଓ ଚରଖାର ସ୍ଥାନ ଦ୍ୱିତୀୟ ହେବା ଉଚିତ ।

କୃଷିଶିକ୍ଷାର ବ୍ୟବସ୍ଥା ନଥିବାରୁ ରାଷ୍ଟ୍ରୀୟ ଶିକ୍ଷା ଶିଥିଳ ହୋଇଛି, ଏପରି କଥା ସ୍ୱୀକାର୍ଯ୍ୟ ନୁହେଁ କିମ୍ୱା ସ୍ୱୀକାର କରିବାର କୌଣସି କାରଣ ନାହିଁ । ରାଷ୍ଟ୍ରୀୟ ଶିକ୍ଷା ଶିଥିଳ ହେବାର କାରଣ ଶିକ୍ଷକ । ଏକଥା ମୁଁ ବହୁବାର କହିସାରିଛି ଏବଂ ଏହା ପ୍ରମାଣିତ କରାଯାଇପାରେ । ଯେଉଁ ସ୍ଥାନମାନଙ୍କରେ ଚରିତ୍ରବାନ୍ ନିଷ୍ଠାପର ଶ୍ରଦ୍ଧାବାନ ଓ ଚତୁର ଶିକ୍ଷକ ଅଛନ୍ତି ସେଠାରେ ରାଷ୍ଟ୍ରୀୟ ବିଦ୍ୟାଳୟ ଆଜି ମଧ୍ୟ ଭଲ ଅବସ୍ଥାରେ ଚାଲିଅଛି । 

ଏହିପରି ମନ୍ଥରତା ପାଇଁ ଶିକ୍ଷକ ଦାୟୀ ହେଲେ ମଧ୍ୟ ତାଙ୍କୁ ଦୋଷ ଦିଆ ଯାଇପାରିବ ନାହିଁ । କାରଣ ସେହି ଶିକ୍ଷକମାନେ ଆଗରୁ ପ୍ରତିକୂଳ ରାଜତନ୍ତ୍ର ଅଧୀନତାରେ ଗୋଲାମ ଗଢ଼ୁଥିବା ଶିକ୍ଷାର କୁଫଳ ଭୋଗି ସେଥିରୁ ବହୁକଷ୍ଟରେ ମୁକ୍ତହୋଇ ପଳାଇ ଆସିଛନ୍ତି । ଯେତିକି ଶକ୍ତି ଦେବା ସେମାନଙ୍କ ପକ୍ଷରେ ସମ୍ଭବ ଥିଲା ସେତିକି ପ୍ରୟୋଗ କରିସାରି ଚୁପ୍ ହୋଇଯାଆନ୍ତି । ଯଦି ବିଦ୍ୟାଳୟଗୁଡ଼ିକ ଚିରସ୍ଥାୟୀ ହେବାର ଯୋଗ୍ୟତା ଅର୍ଜନ କରି ନିଜର ଶକ୍ତି ପ୍ରକାଶ କରିବାର ଅବସର ପାଆନ୍ତି, ତେବେ ସେହି ପରିସ୍ଥିତିରେ ରାଷ୍ଟ୍ରୀୟ ଶିକ୍ଷାର ପ୍ରଗତି କେବଳ ସମ୍ଭବ ହୋଇପାରେ । ସେ ଯାହାହେଉ ସରକାରୀ ବିଦ୍ୟାଳୟରେ ଏପରି ଶିକ୍ଷା କେଉଁଠି ଦିଆଯାଉଛି ଯଦ୍ୱାରା ସେଥିରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ର ସ୍ୱାବଲମ୍ୱୀ ହୋଇପାରିବ ? ସେପରି ନହୋଇ ମଧ୍ୟ ସେଗୁଡ଼ିକ ପୁଣି ଯଥାପୂର୍ବ ଧାରାରେ ଚାଲିଛି । 

ତାହାର ଏକ କାରଣ ହୋଇପାରେ ଯେ, ସରକାରୀ ବିଦ୍ୟାଳୟର ଚାକଚକ୍ୟରେ ଆମେ ଅନ୍ଧ ପାଲଟି ଯାଇଛୁ ଏବଂ ଅନ୍ୟ କାରଣ ହେଉଛି ଯେ ସେ ବିଦ୍ୟାଳୟରୁ ବାହାରିବା ପରେ (ସମସ୍ତେ ନହେଉନ୍ତୁ) କେହିହେଲେ ଜଣେ ଚାରିଶହ ଛଅଶହ ଟଙ୍କା ବେତନରେ ଗୋଟିଏ ଚାକିରୀ ପାଇବାର ସମ୍ଭାବନା ରହିଛି; ଠିକ୍ ଯେପରି ଜୁଆ କିମ୍ବା ଲଟାରିରେ  କାହାରିକୁ ହଜାର କି ଦୁଇ ହଜାର ପୁରସ୍କାର ମିଳିଯାଉଛି; ଏବଂ ପ୍ରତ୍ୟେକ ଲୋକ ସେହି ଆଶାରେ ନୂଆ ଖେଳୁଛି ବା ଲଟାରୀ ଟିକଟ କିଣୁଛି । ରାଷ୍ଟ୍ରୀୟ ଶିକ୍ଷାରେ ଏପରି ଲାଳସା ନାହିଁ ।

ବର୍ତ୍ତମାନ ଏହାର ଗୁଣ ଦୋଷ ବିଚାର କରାଯାଉ । କୃଷି ଆମ ଦେଶରେ ପ୍ରଧାନ କଥା । ମାତ୍ର ତାହା ବଞ୍ଚରହିଛି । ତାର ପୁନରୁଦ୍ଧାରର ଆବଶ୍ୟକତା ନାହିଁ । ଅବଶ୍ୟ ସଂସ୍କାର ପାଇଁ ବହୁତ କିଛି ଅବକାଶ ଅଛି । କିନ୍ତୁ କୃଷିର ସଂସ୍କାର ରାଷ୍ଟ୍ରୀୟ ଶିକ୍ଷକ ଶକ୍ତିର ବହିର୍ଭୁତ । କାରଣ ରାଜ୍ୟର ସାହାଯ୍ୟବିନା ଏହି କାର୍ଯ୍ୟ ଅଗ୍ରସର ହୋଇପାରିବ ନାହିଁ କି ଆକର୍ଷଣୀୟ ହୋଇପାରିବ ନାହିଁ । କେବଳ ଏହାର ପ୍ରୟୋଗ ପାଇଁ ଲକ୍ଷ ଲକ୍ଷ ଟଙ୍କାର ପ୍ରୟୋଜନ । ସ୍ୱରାଜ୍ୟ ଲାଭ ନହେଲେ ସେ କାମ ହେବା ଅସମ୍ଭବ ବୋଲି ମୋର ଦୃଢ଼ ମତ । ଦେଶର ଆର୍ଥକ ଅବସ୍ଥା ଦୃଷ୍ଟିରୁ କୃଷି ଆଇନ ଗଢ଼ାଯିବା ଦରକାର ଯାହା ଆଜି ସମ୍ଭବ ନୁହେଁ । 

କୃଷକମାନଙ୍କ ଶିକ୍ଷା ପାଇଁ ଆଦର୍ଶ କୃଷିକ୍ଷେତ୍ର ସ୍ଥାନେ ସ୍ଥାନେ ରହିବ; ସେମାନଙ୍କ ପାଇଁ କେତେକ ସ୍ୱତନ୍ତ୍ର ସୁବିଧା ରହିବ । ଏପରି କେତେକ ବିଷୟ ଅଛି ଯାହାକୁ ଶିକ୍ଷା ଦେବା ପାଇଁ କୃଷି କ୍ଷେତ୍ରକୁ ଯିବାକୁ ପଡ଼ିବ । ଏସବୁ ବ୍ୟବସ୍ଥା ଯେଉଁ ରାଜାମାନେ ଲୋକପ୍ରିୟ ଓ ଲୋକହିତ ଦୃଷ୍ଟିରୁ ଯାହାଙ୍କର ଶାସନ ପରିଚାଳିତ, ଆଜିର ସେହିଭଳି କେତେକ ରାଜାଗୁଡ଼ାଙ୍କ ଶାସନରେ ଦେଖିବାକୁ ମିଳିବ । 

ଏଥିପାଇଁ ଯାହାକୁ ନୌରୋବୀର ଭାଇ ସ୍ୱୀକାର କରୁଛନ୍ତି, ସେହି ଦ୍ୱିତୀୟ ଜିନିଷଟି ରାଷ୍ଟ୍ରୀୟ ଶିକ୍ଷକଙ୍କର ହାତରେ ବାକୀ ଅଛି । ଚରଖା ଓ ଚରଖାକୁ ନେଇ ଚାଲିଥିବା ଅନୁଷ୍ଠାନଗୁଡ଼ିକ ସେଗୁଡ଼ିକର ଆଶ୍ରିତବର୍ଗକୁ ସ୍ୱାବଲମ୍ୱୀ କରାଇପାରିବେ ଏବଂ ସମସ୍ତଙ୍କୁ ମଜୁରୀ ମଧ୍ୟ ଦେଇପାରିବେ । କିନ୍ତୁ ଜଣେ ଭଣ୍ତାରୀ ଓ ଜଣେ ଅମିନ ନିଜ ନିଜ ବ୍ୟବସାୟରେ ପାରଙ୍ଗମ ହେଲା ଭଳି ଚରଖା ଉପରେ ନିର୍ଭରଶୀଳ ବ୍ୟକ୍ତି ଚରଖାଶାସ୍ତ୍ରର ସମସ୍ତ ଜ୍ଞାନ ଓ କୌଶଳରେ ପାରଦର୍ଶୀ ହେବା ଆବଶ୍ୟକ । ଧୀରେ ଧୀରେ ନବଯୁବକ ଏହି ଶିକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇ ଚାଲିଛନ୍ତି । ଖଦୀ ଆନ୍ଦୋଳନର ବିକାଶ ସଙ୍ଗେ ସଙ୍ଗେ ରାଷ୍ଟ୍ରର କାମ ମଧ୍ୟ ଅନାୟାସରେ ବିକାଶ ଲାଭ କରିବ ।

-ଗୁଜୁରାତୀରୁ । ନବଜୀବନ / ହିନ୍ଦୀ ନବଜୀବନତା୯--୧୯୨୭ରିଖ

Monday, January 20, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ଅନ୍ୟ ଅନୁଷ୍ଠାନ ଓ ଅଭିଭାବକ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଚିତ୍ର - 'ବ୍ରିଟନ୍ ମଦର୍ ଆଣ୍ଡ୍ ଚାଇଲ୍‌ଡ଼୍' (୧୮୯୪)
ଚିତ୍ରକର - ରବର୍ଟ ବିଭାନ୍ (୧୮୬୫-୧୯୨୫)


ଗିଜୁଭାଇଙ୍କ ନାଁ ଚାରିଆଡ଼େ ବ୍ୟାପିବାରେ ଲାଗିଥିଲା । ସେଥିପାଇଁ ଅନ୍ୟ ଅନୁଷ୍ଠାନ ସବୁ ତାଙ୍କ ଶିକ୍ଷକଙ୍କ ସହ ଏହି ନୂଆ ଶିକ୍ଷା ପଦ୍ଧତି ବିଷୟରେ ଆଲୋଚନାର ବ୍ୟବସ୍ଥା କରୁଥିଲେ ।

କିନ୍ତୁ ଯେ ପର୍ଯ୍ୟନ୍ତ ବାପା ମା’ମାନେ ଏହି ନୂଆ ଶିକ୍ଷା ପଦ୍ଧତିକୁ ଗ୍ରହଣ ନକରିବେ, ସେ ଯାଏଁ ଏହା ସଫଳ ହୋଇପାରିବ ନାହିଁ । ବାପା ମା’ଙ୍କୁ ବି ଏହି ଶିକ୍ଷାରେ ଆଗ୍ରହୀ କରାଇବା ଶିକ୍ଷକମାନଙ୍କର ଦାୟିତ୍ୱ ବୋଲି ଗିଜୁଭାଇ ଭାବୁଥିଲେ । ତେଣୁ ସେ ବାପା ମା’ଙ୍କ ପାଇଁ ସଭା ଆୟୋଜନ କରି ପିଲାକୁ ନମାରିବାକୁ, ସଫା ପୋଷାକ ପିନ୍ଧାଇବାକୁ ବୁଝାଉଥିଲେ । ଘରେ ପିଲା କ'ଣ କରିବା ଉଚିତ ବାହାରେ ଖାଲିରେ କାହିଁକି ବୁଲିବା ଉଚିତ ନୁହେଁ, ସେ ବିଷୟରେ ମଧ୍ୟ ମା’ମାନଙ୍କ ସହ ଆଲୋଚନା କରୁଥିଲେ ।

ମା’ମାନେ ବେଶ୍ ଶୀଘ୍ର ଗିଜୁଭାଇଙ୍କ କଥା ମାନ ନେଉଥିଲେ । କିନ୍ତୁ ବାପାମାନେ ସହଜରେ ମାନୁନଥିଲେ । ପିଲାର ଶିକ୍ଷା ପାଇଁ ଉଭୟ ବାପା ଓ ମା ଏହାକୁ ଗ୍ରହଣ କରିବା ଜରୁରୀ ଥିଲା । ଗିଜୁଭାଇ ପିଲାର ପରିବେଶ ଓ ପରିବାର ବିଷୟରେ ଅନୁଧ୍ୟାନ କରିବା ପାଇଁ ସେମାନଙ୍କ ଘରକୁ ଯାଉଥିଲେ । ସେଠାରେ ସେ ବାପା ମା’ଙ୍କ ସମସ୍ୟା ଶୁଣୁଥିଲେ ଓ ଆଲୋଚନା କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧିବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକାସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Friday, December 06, 2019

ଶିକ୍ଷକମାନଙ୍କର ମର୍ଯ୍ୟାଦା


ଶଶିଭୂଷଣ ରାୟ


ତାମିଲନାଡ଼ୁର ଧର୍ମପୁରମରେ ରାମକୃଷ୍ଠ ମଠ ଚଳାଉଥିବା ଏକ ବିଦ୍ୟାଳୟର ବାରଣ୍ଡା
ଟିତ୍ରଟି ୨୦୧୦ ମସିହାରେ ଉତ୍ତୋଳିତ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କେହି କେହି କହିବେ, ଧନରେ ଶକ୍ତି, ଧନରେ ପ୍ରତିପତ୍ତି ଓ ଧନରେ ହିଁ ମର୍ଯ୍ୟାଦା । ଶିକ୍ଷକ ଦରିଦ୍ର, ସେ ସାମାଜିକ ପଦ-ମର୍ଯ୍ୟାଦା ଜାଣନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେ । ଧନର ଶକ୍ତି ଦେଶରେ ଅନେକ ପ୍ରାଧାନ୍ୟ ଲାଭ କରିଅଛି ସତ୍ୟ; କିନ୍ତୁ ପ୍ରତିଭା, ବିଦ୍ୟା ଓ ଜ୍ଞାନର କାର୍ଯ୍ୟକାରୀ ଶକ୍ତି ଉପରେ ତାହା ଯେ ଏକାବେଳକେ ଆଧିପତ୍ୟ ସ୍ଥାପନ କରିଅଛି, ତାହା ନୁହେଁ । ବିଦ୍ୱାନ୍ ଦରିଦ୍ରକୁ ଲୋକେ ସେପରି ମର୍ଯ୍ୟାଦା ଦିଅନ୍ତି ନାହିଁ ସତ୍ୟ, କିନ୍ତୁ ବିଦ୍ୟାହୀନ ଧନକୁବେରଙ୍କୁ ମଧ୍ୟ ଶ୍ରଦ୍ଧା କରନ୍ତି ନାହିଁ; ପୁଣି ବିଦ୍ୟା ଓ ଧନ ଉଭୟ ଯାହାଙ୍କର ଅଛି, ସେ ଯେବେ... କେବଳ ଆହାର ବିହାର, ଆମୋଦ ପ୍ରମୋଦରେ ଜୀବନ କଟାଇ ଦିଅନ୍ତି, ତାଙ୍କୁ କେତେଗୁଡ଼ିଏ ସ୍ୱାର୍ଥନ୍ୱେଷୀ ଚାଟୁକାର ବ୍ୟତୀତ ଆଉ କେହି ଶ୍ରଦ୍ଧା ଓ ସମ୍ମାନ ଦେଖାନ୍ତି ନାହିଁ । 

ଯେ ଯେଉଁ କର୍ମରେ ବ୍ରତୀ ହୁଅନ୍ତି, ଯେଉଁ ବୃତ୍ତି ଗ୍ରହଣ କରନ୍ତି, ତାଙ୍କ ପ୍ରକୃତିର ଗୁରୁତ୍ୱ ପ୍ରଭୃତିରୁ ସମାଜର ଇଷ୍ଟାନିଷ୍ଟର କେତେ ଦୂର ସମ୍ଭାବନା, ଏହି ସମସ୍ତ ବିବେଚନା ଉପରେ ସାମାଜିକ ପଦମର୍ଯ୍ୟାଦା ଓ ପ୍ରତିପତ୍ତିର ତାରତମ୍ୟ ନିର୍ଭର କରେ । ଧନରୁ ଇଷ୍ଟାନିଷ୍ଟ ସାଧନର ଶକ୍ତି ଅନେକ ପରିମାଣରେ ଆସିଥାଏ । ସୁତରାଂ ଅନ୍ୟ ବଳ ସହିତ ଧନବଳ ଯୁକ୍ତ ହେଲେ ତାହାର କାର୍ଯ୍ୟକାରୀ ଶକ୍ତି ସ୍ୱଭାବତଃ ବୃଦ୍ଧି ପାଇଥାଏ ଏବଂ ସେହି ଶକ୍ତି ସହିତ ସାମାଜିକ ପ୍ରତିପତ୍ତି ମଧ୍ୟ କିଛି ବଢ଼ିଥାଏ ।

ଲୋକେ ଯେବେ ଶିକ୍ଷାକାର୍ଯ୍ୟର ଗୁରୁତ୍ୱ ଓ ମହତ୍ତ୍ୱ ଉପଲବ୍‌ଧ କରିପାରନ୍ତେ, ଶିକ୍ଷକଙ୍କ ହାତରେ ଦେଶର ଓ ସମାଜର ମଙ୍ଗଳ ବିଧାନ ଭାର କି ପରିମାଣରେ ନ୍ୟସ୍ତ ରହିଅଛି, ସମସ୍ତେ ଯେବେ ଏତିକି ବୁଝିପାରନ୍ତେ, ଅଥବା ଶିକ୍ଷକମାନେ ନିଜ କାର୍ଯ୍ୟ ଦ୍ୱାରା ଲୋକଙ୍କୁ ଯେବେ ବୁଝାଇ ଦିଅନ୍ତେ ଯେ, ସମାଜ-ଶକ୍ତିର ଉତ୍ସ ସେହିମାନେ ଉନ୍ମୁକ୍ତ କରୁଅଛନ୍ତି, ଶକ୍ତିର ଭିତ୍ତି ସେମାନେ ପ୍ରତିଷ୍ଠିତ କରୁଅଛନ୍ତି, ସମାଜର ଗୌରବଦୀପ୍ତିର ଉଷାଲୋକ ସେମାନଙ୍କ ସାଧନା ବଳରେ ଫୁଟି ଉଠୁଅଛି, ତେବେ ସହସ୍ର ଦାରିଦ୍ର୍ୟ ମଧ୍ୟରେ, ଦୀନ କୁଟୀରରେ, ଦୀନ ଅନ୍ନଭୋଜନରେ, ପର୍ଣ୍ଣଶଯ୍ୟାରେ ଶାୟିତ ରହି ସୁଦ୍ଧା ରାଜେଶ୍ୱରଙ୍କ ଉର୍ଦ୍ଧ୍ୱରେ ସେମାନେ ସମାଜରେ ପୂଜିତ ହେଉଥାଆନ୍ତେ । ପ୍ରତିଭା, ବିଦ୍ୟା ଓ ଜ୍ଞାନର ଚରମ ସାର୍ଥକତାର ତୃପ୍ତିରେ ନିଜ ନିଜର ଜୀବନକୁ ଧନ୍ୟ ଜ୍ଞାନ କରୁଥାଆନ୍ତେ । ଏହି ତୃପ୍ତିର, ଏହି ଗୌରବର ପ୍ରଲୋଭନରେ ଆକୃଷ୍ଟ ହୋଇ ପ୍ରତିଭା, ବିଦ୍ୟା ଓ ଜ୍ଞାନରେ ଯେଉଁମାନେ ଜ୍ୟେଷ୍ଠ, ସେମାନେ ମଧ୍ୟ ଅର୍ଥକାରୀ ଅନ୍ୟ ସମସ୍ତ ବୃତ୍ତିକୁ ତୁଚ୍ଛ କରି ଏହି ଦୀନ ଶିକ୍ଷକତା ବୃତ୍ତି ଗ୍ରହଣ କରିବା ସକାଶେ ଆଗ୍ରହାନ୍ୱିତ ହେଉଥାଆନ୍ତେ ।

ଦୁଃଖର ବିଷୟ, ସମାଜ ଏହା ବୁଝେ ନାହିଁ ଏବଂ ଏ ସମ୍ୱନ୍ଧରେ ମଧ୍ୟ କିଛି ଚିନ୍ତା କରେ ନାହିଁ । ଶିକ୍ଷକମାନେ ମଧ୍ୟ ନିଜ କାର୍ଯ୍ୟରେ ସମାଜକୁ ଏହା ବୁଝାଇ ପାରନ୍ତି ନାହିଁ । ସମାଜ ଶିକ୍ଷକର ସମ୍ମାନ କରେ ନାହିଁ ଏବଂ ଶିକ୍ଷକ ମଧ୍ୟ ନିଜ ଶକ୍ତିରେ ସେ ସମ୍ମାନ ଆକର୍ଷଣ କରିବାକୁ ଅକ୍ଷମ ହୁଅନ୍ତି । ଏହାର କାରଣ, ସମାଜର ଅବହେଳାରେ ଶିକ୍ଷକତା କରିବାକୁ ସେଭଳି ବ୍ୟକ୍ତି କେହି ବାହାରନ୍ତି ନାହିଁ । 

ଏହି ବିକୃତ ଅବସ୍ଥାର ମୂଳ କାରଣ ସମାଜର ତ୍ରୁଟି ହେଲେ ହେଁ, ବର୍ତ୍ତମାନ ଉଭୟର ତ୍ରୁଟି ମଧ୍ୟରେ ଗୋଟିଏ କାର୍ଯ୍ୟ କାରଣ ସମ୍ୱନ୍ଧ ଘଟିଅଛି । ଏଭଳି ଅବସ୍ଥାରେ ପ୍ରତିକାର ସକାଶେ ଯେଉଁ ତ୍ରୁଟି ଦୂର କରିବା ସମ୍ଭବପର ଓ ସହଜସାଧ୍ୟ, ସେହି ତ୍ରୁଟି ଦୂର କରିବାର ଚେଷ୍ଟା ଅବଶ୍ୟ କର୍ତ୍ତବ୍ୟ ।

ସମାଜର ଯେଉଁ ଅବସ୍ଥା, ତହିଁରେ ସମାଜ ଯେ ନିଜ ମନକୁ ନିଜର ତ୍ରୁଟି ବୁଝିପାରିବ ଏବଂ ବୁଝି ତ୍ରୁଟି ଦୂର କରିପାରିବ, ଯେ ସମ୍ଭାବନା ନିତାନ୍ତ ଅଳ୍ପ । ପ୍ରତିଭା, ମନସ୍ୱିତା, ବିଦ୍ୟା ଓ ଜ୍ଞାନରେ ଯେଉଁମାନେ ଉନ୍ନତ, ଦେଶର ଓ ସମାଜର ଭବିଷ୍ୟତ ମଙ୍ଗଳ ଆଡ଼କୁ ଚାହିଁ ତ୍ୟାଗଧର୍ମ ବଳରେ ଦାରିଦ୍ର୍ୟ ଏବଂ ଦାରିଦ୍ର୍ୟ ଜାତ ଓ ଅନ୍ୟାନ୍ୟ କାରଣପ୍ରସୂତ ସମସ୍ତ ଅବହେଳା ସହିବାକୁ ପ୍ରସ୍ତୁତ ହୋଇ ଯେବେ ସେମାନେ ଶିକ୍ଷକତା ବ୍ରତ ଗ୍ରହଣ କରନ୍ତି, ତେବେ ସେମାନଙ୍କ ପ୍ରତିଭା ଓ ଜ୍ଞାନର ଶକ୍ତିରେ, ତ୍ୟାଗର ମହିମାରେ ଏ ଶିକ୍ଷକତା ବୃତ୍ତି ତାହାର ଯୋଗ୍ୟ ସ୍ଥାନକୁ ଉନ୍ନୀତ ହେବ ଏବଂ ପ୍ରକୃତ ମନୁଷ୍ୟତ୍ୱର ଯେଉଁ ଆଦର୍ଶ ଦେଶରେ ଏକ ସମୟରେ ଥିଲା, (ବର୍ତ୍ତମାନ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ) - ଐଶ୍ୱର୍ଯ୍ୟ, ଗୌରବ ଅପେକ୍ଷା ତ୍ୟାଗ ଓ ଦୀନତାର ମହତ୍ତ୍ୱ ଯେ ମହତ୍ତର - ସେହି ଆଦର୍ଶ ଦେଶକୁ ପୁଣି ଫେରି ଆସିବାର ସମ୍ଭାବନା ।

ଦେଶରେ ପ୍ରତିଭାରେ ଓ ଜ୍ଞାନରେ କଅଣ ଆତ୍ମଦାନର ଏହି ଶକ୍ତି ନାହିଁ ?

ବି.ଦ୍ର.ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର ।