Showing posts with label ଶିଶୁ ସାହିତ୍ୟ. Show all posts
Showing posts with label ଶିଶୁ ସାହିତ୍ୟ. Show all posts

Sunday, May 31, 2020

କବିତା - ପାତିର ମାଛଧରା

କବି - କୃଷ୍ଣଚନ୍ଦ୍ର କର (୧୯୦୬ - ୧୯୯୫)

ଚିତ୍ର -'ମାଙ୍କଡ଼'
ଚିତ୍ରକର - ମୋରି ସୋସେନ୍ (୧୭୪୭-୧୮୨୧)

ନଈକୂଳ ବରଗଛେ ବସି ବୁଢ଼ା ପାତି
ଦେଖିଲା କେଉଟ ଜାଲ ନଈରେ ପକାନ୍ତି ।

ମାଛ ଧରି ଅତାଡ଼ିରେ ଜାଲ ଦେଇ ପାରି
ଆନନ୍ଦେ କେଉଟ ଗଲେ ଘରକୁ ବାହାରି ।

ତା' ଦେଖି ପାତିଟି ଗଛୁଁ ଆସିଲା ଓହ୍ଲାଇ
କେଉଟଙ୍କ ପରି ଜାଲ ପକାଇବା ପାଇଁ ।

ବୋଇଲା, "ଏ ଜାଲେ ଆଜି ମାଛ ମୁଁ ଧରିବି
ପରମ ଆଦରେ ନେଇ ମାଙ୍କଡ଼ୀକି ଦେବି ।"

ଏତେ ବୋଲି ଜାଲମୁଠା ଧଇଲା ହାତରେ
ପକାଇ ଆସିଲା ତାକୁ ନଦୀର ଜଳରେ ।

ନିର୍ବୁଦ୍ଧିଆ ଜୀବ ପୁଣି ସହଜେ ତ ପାତି,
ସେ କାହୁଁ ଜାଣିବ ଜାଲ ପକାଇବା ରୀତି !

ତରତରେ ଶେଷେ ଜାଲ ଦିଅନ୍ତେ ପକାଇ
ଆପେ ଛନ୍ଦି ହୋଇ ଜଳେ ପଡ଼ିଲା ସେ ଯାଇ ।

ଚାହୁଁ ଚାହୁଁ ଜାଲ ସଙ୍ଗେ ପାତି ଗଲା ବୁଡ଼ି
ସେକାଳେ ବୋଇଲା ଦୁଃଖେ ଛାଡ଼ି ଘୋର ରଡ଼ି ।

"ଏ ପାପର ଏହି ଏକା ଉପଯୁକ୍ତ ଫଳ
ଭୋଗିଲି ମୁଁ ଆପେ ଆପେ ମୋ କରମ ଫଳ ।"

ଦିନେ ସୁଦ୍ଧା ନ ଜାଣେ ଯେ ଜାଲ ବ୍ୟବହାର
ତା' ପକ୍ଷେ ଏକାର୍ଯ୍ୟ ଅହୋ! କେଡ଼େ ଅବିଚାର !

ବି.ଦ୍ର. - ଏହି କବିତାଟି ମହେଶ୍ୱର ମହାନ୍ତିଙ୍କର ସମ୍ପାଦନାରେ ପ୍ରସ୍ତୁତ ବହି 'ଓଡ଼ିଆ ଶିଶୁକିଶୋର କବିତା'ରୁ ନିଆ ଯାଇଛି । ବହିଟି ଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଛପାଇଥିଲେ । ସମ୍ପାଦକଙ୍କ ଅନୁସାରେ କବିତାଟି ପ୍ରଥମ ଥର ପାଇଁ 'ପଞ୍ଚାମୃତ' ପତ୍ରିକାର ଦ୍ୱିତୀୟ ଖଣ୍ଡର ୧୩୩୩ ସାଲର ଜ୍ୟେଷ୍ଠ ମାସରେ ପ୍ରକାଶିତ ଦ୍ୱିତୀୟ ସଙ୍ଖ୍ୟାରେ ଛପିଥିଲା ।  

Saturday, November 23, 2019

ପିଲାଙ୍କ ଗୀତ -  'କାଇଁଚ କେରିଏ ଦେଉଁ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

ବେଣାଚେର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କାଇଁଚ କେରିଏ ଦେଉଁ
ବେଣା କେରିଏ ଦେଉଁ
କାହିଁ ଗଲା ମୋ ବାଇଆ ହାତୀ
ଖୋଜି ଖୋଜି ନ ପାଉଁ ।

ବାଉଁଶବାଡ଼ିକୁ ଯାଉଁ
ଅଣଳା କୋଳି ଖାଉଁ
ଖୋଜି ଖୋଜି ମୋ ଧନମାଳିକୁ
ପାଉଁଶଗଦାରେ ପାଉଁ । 

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, September 16, 2019

ପିଲାଙ୍କ ଢଗଢମାଳି - ୮

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଷୋଡ଼ଶ ଶତାବ୍ଦୀର ମୋଗଲ ମିନିଏଚର୍ ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୩୪

ଅଖାଇ ବୋଇଲେ ଚଳେ
ଶିଳୁପୁଆଟାକର ଗୁଣ୍ଡା ବଳେ

ଅର୍ଥ - ନିଜେ କିଛି କରୁଥିବାର ଛଳନା କରୁଥିବା ବେଳେ ସବୁ କିଛି କରେ ।

୩୫

ଅଗସ୍ତି ଦେଲେ ଦାନ
କଷା ଗୁଆକୁ ପଚା ପାନ ।

ଅର୍ଥ - ଅନିଚ୍ଛାକୃତ ଦାନର କିଛି ମୂଲ୍ୟ ନାହିଁ ।

୩୬

ଅଗସ୍ତି ଦେଲେ ଦାନ
ମାଛିଗୋଡ଼ଠାରୁ ସାନ ।

ଅର୍ଥ - କୃପଣର ଦାନ ତୁଚ୍ଛ ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ 

Sunday, July 28, 2019

ପିଲାଙ୍କ ଢଗଢମାଳି - ୭

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଏଡିନବରାର ଗୋଲକଧନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୩୧

ଅଖାଇ ନାନୀ ଖାଏ ନାହିଁ
ଖାଇଲେ ଦେହରେ ଯ।ଏ ନାହିଁ ।

ଅର୍ଥ - ନିଜେ ଯାହା ନ କରିବା ଏବଂ ଅନ୍ୟକୁ ତାହା କରାଇ ନ ଦେବା । ନିଜର ଭଲମନ୍ଦ ବିଚାର ଆଧାରରେ ଅନ୍ୟକୁ ଦେଖିବା ।

୩୨

ଅଖାଇ ରଙ୍କୁଣୀ ନ ଖାଏ ଭାତ
ମାରି ଦଉଥାଏ ପିହାଣ ସାତ ।

ଅର୍ଥ - ଯିଏ ଖାଇବାକୁ ଭଲ ଜିନିଷ ନ ପାଏ, ସେ ତାହାକୁ ଖାଇବାକୁ ବିକଳ ହୁଏ । 

୩୩

ଅଖାଇ ଅଖରା
ଅଖାଇ ନାନୀ ମାଡ଼ି ବସିଛି ମଝି ବଖରା ।

ଅର୍ଥ - ନିଜର କେଉଁଥିରେ କିଛି ନାହିଁ ବୋଲି ବାହାରକୁ ଦେଖାଇ ହେଉଥିଲେ ମଧ୍ୟ ଅସଲ କଥାରେ ନିଜକୁ ସମ୍ପୃକ୍ତ କରିବା ।  

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Tuesday, July 02, 2019

ପିଲାଙ୍କ ଢଗଢମାଳି - ୬

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୨୬

ଅଖଳ ମଖଳ ଚିତ୍ତ ଯା'ର
ପଦ୍ମ ପରି ପୁତ ତା'ର ।

ଅର୍ଥ - ଯେଉଁ ବ୍ୟକ୍ତିର ମନ କୂଟକପଟ ଛନ୍ଦବାଦଠାରୁ ଦୂରରେ ରହେ, ତାହାର ଭବିଷ୍ୟତ ଉଜ୍ଜଳ ହୋଇ ଥାଏ ।

୨୭

ଅଖା ଧୋଉ ଥିବ ଗୁଣ ଗାଉ ଥିବ ।
ଅର୍ଥ - କୌଣସି କାମ ବା କଥାର କୁଫଳ ପାଇଁ ସବୁ ଦିନେ ତା'କୁ ମନେ ପକାଇବା । ଏହା ସାଧାରଣତଃ କୁଫଳର ପରିଣାମକୁ ବୁଝାଏ ।

୨୮

ଅଖା ପଟକ
ଏ ଦେଶରେ ଭାବ ନାହିଁ, ଯିବା କଟକ ।
ଅର୍ଥ - ଦୂର ସ୍ଥାନ ଯାହା ହୋଇ ଥାଉନା କାହିଁକି, ତାହାର ସବୁ ସୁନ୍ଦର ଦିଶେ ।

୨୯

ଅଖାଇ ଖାଇ,
ସବୁ ଜଣା ଯାଏ ଯାତରା ଠେଇଁ ।
ଅର୍ଥ - କିଏ କଅଣ ଖାଏ ବା ନଖାଏ ତାହା ଯାତ୍ରାରେ ଜଣା ପଡ଼େ ।

୩୦

ଅଖାଇ ନାନୀ କରିଚି ଓଷା
ଡୋଲିକ ଚାଉଳ ଓଳିକେ ଖାଇଲା
ଦାନ୍ତ ଅଛି ଦରଘଷା
ଅର୍ଥ - ନିଜେ ସବୁ କିଛି କରି କିଛି ନକରିବା ପରି ନିଜକୁ ଦେଖେଇ ହେବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Wednesday, June 05, 2019

ପିଲାଙ୍କ ଢଗଢମାଳି - ୫

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଟିତ୍ର - 'ଦି ମାଉସ୍ ଷ୍ଟୋରି' (ଅଜ୍ଞାତ କଳାକାର; ୧୬ଶହ ଶତାବ୍ଦୀର ଜାପାନରେ ଅଙ୍କିତ କୃତି)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୨୧

ଅକାଳେ ଗୋଦରୀ କଲା ବେଉସା
ଲାଭ ଖାଇଗଲା ଚୂଟିଆ ମୂଷା ।
ଅର୍ଥ - କୌଣସି କାର୍ଯ୍ୟକୁ ଉପଯୁକ୍ତ ବ୍ୟକ୍ତି କରିବା ଦରକାର ।

୨୨

ଅକାଳେ ଝଡ଼ା ଫଳ ସୁଆଦିଆ ଲାଗେ ନାହିଁ ।
ଅର୍ଥ - ନିଷ୍ଠାର ସହ କାମ ନ କଲେ ଯେଉଁ ଫଳ ମିଳେ ତାହା ସନ୍ତୋଷ ଦିଏ ନାହିଁ ।

୨୩

ଅକାଳେ (ଆତୁରେ) ନିୟନ ନାସ୍ତି ।
ଅର୍ଥ - ଅସମୟରେ ବା ଅସୁବିଧା ପଡ଼ିଲେ ନିୟମ ମାନିବା ସମ୍ଭବ ହୋଇ ନ ଥାଏ ।

୨୪

ଅକାଳେ ମାଇଲି ଘାଏଁ
ଗଲା ଭୋଦୁଅ ଶିରାବଣ ଯାଏଁ ।
ଅର୍ଥ - ନିଷ୍ଠାର ସହ କାମ ନ କରି ସମୟ ନଷ୍ଟ କରିବା ।

୨୫

ଅଖ ଘୂରୁଥିଲେ ଚକ ଘୂରୁଥାଏ
ବୁଲି ଯାଉଥାଏ ପହି
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି ।
ଅର୍ଥ - ସଂସାର ସହ ନିଜକୁ ଖାପ ଖୁଆଇ ଚଳିବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Wednesday, May 29, 2019

ପିଲାଙ୍କ ଢଗଢମାଳି - ୪

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଅତିଥିମାନଙ୍କ ସହ ଯୋଗୀ (୧୭୮୦ ମସିହାରେ କାଗଜରେ ଅଙ୍କା ଜଳଛବି)
ହନଲୁଲୁ ମ୍ୟୁଜିଅମ୍ ଅଫ୍ ଆର୍ଟ୍‌ରେ ସ୍ଥାନିତ (ଫଟୋ କ୍ରେଡିଟ୍ -  ୱିକିମିଡିଆ କମନ୍ସ୍)
୧୬
ଅକାଳ ନନ୍ଦ, ବାଳ ଗୋବିନ୍ଦ ।
ବାଳ କେରି କେରି ପକାଏ ଛନ୍ଦ ।
ଅର୍ଥ - ଆଶା କରାଯାଉ ନ ଥିବା, ଏପରିକି ଅକାଳରେ ମିଳୁଥିବା, ଜିନିଷକୁ ଅଧିକ ଗୁରୁତ୍ୱ ଦିଆଯାଏ ।

୧୭
ଅକାଳ ପାଉଁଶ ସକାଳେ ପୂଜା ।
ଅର୍ଥ - ଆଜି ଯେଉଁ ପଦାର୍ଥ ଅଦରକାରୀ ଓ ଅଯୋଗ୍ୟ ସେ ଆଗାମୀ ଦିନରେ ଭଲ କାମରେ ଲାଗି ପାରେ ।

୧୮
ଅକାଳ ଯୋଗୀ ସକାଳେ ବା ଅକାଳ ବାବାଜୀ ସକାଳେ ଦେଖା ।
ଅର୍ଥ - ଯେଉଁ ବ୍ୟକ୍ତି ପହଞ୍ଚିବା ଆଶା କରାଯାଇ ନ ଥାଏ, ସେ ବ୍ୟକ୍ତି ହଠାତ୍ ଅସମୟରେ ଆସି ପହଞ୍ଚିବା ।

୧୯
ଅକାଳେ ଗଲି ଘଷି ସାଉଁଟି ।
ଘରେ ଥିଲେ ସୁଖ ପାଉ ଥାଆନ୍ତି ।
ଅର୍ଥ - ଠିକ୍ ସମୟରେ ଠିକ୍ କାମ ନ କରି ଦୁଃଖ ପାଇବା ।

୨୦
ଅକାଳେ ସକାଳେ କଲି ବେଉସା
ମୁଣ୍ଡରେ ବାଜିଲା କୁରାଢ଼ି ପଶା ।
ଅର୍ଥ - କୌଣସି କାମରେ ଅନଭ୍ୟସ୍ତ ବ୍ୟକ୍ତି ସେହି ନୂଆ କାର୍ଯ୍ୟଟି କରି ହଟହଟା ହେବା । 

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Wednesday, May 22, 2019

ପିଲାଙ୍କ ଢଗଢମାଳି - ୩

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୧୧
ଅକଳେ ବୈରାଗୀ ପଥର ବୁହେ ।
ଅର୍ଥ - ଅସୁବିଧାରେ ପଡ଼ି ନ କଲା କାମଟି କରିବା ।

୧୨
ଅକଲ ଗୁଡ଼ୁମ ହେବା
ଅର୍ଥ - ବୁଦ୍ଧି ବଣା ହେବା ।

୧୩
ଅକଲ ସଲାମି ।
ଅର୍ଥ - ଅଯଥାଟାରେ ସଲାମି ଦେବା । ବିନା କାରଣରେ ତଣ୍ଡରେ ପଡ଼ିବା ।

୧୪
ଅକାଳ କାଣ୍ଡ କପାଳେ ବାଜିବା ।
ଅଚାନକ ଦୈବ ବିପତ୍ତି ପଡ଼ିବା ।

୧୫
ଅକାଳ କୁଷ୍ମାଣ୍ଡ ।
ଅଦିନିଆ ପାଣିକଖାରୁ । ଅର୍ଥାତ୍ ଅପଦାର୍ଥ ବା କୁଳାଙ୍ଗାର ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Wednesday, April 17, 2019

ପିଲାଙ୍କ ଢଗଢମାଳି - ୨

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଇଣ୍ଡୋନେସିଆ ଦେଶର ବାଉଁଶକାମ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

୬ 

ଅଇଲି,
ମୋ କଥାଟିକି ଘୋଡ଼େଇ ପକେଇ ତୋ କଥାଟିକି କହିଲି ।
ଅର୍ଥ - ନିଜର ଦୋଷ ଦୁର୍ବଳତାକୁ ଘୋଡ଼େଇ ପକେଇ ଅନ୍ୟର ଦୋଷ ଓ ଦୁର୍ବଳତାକୁ ବଖାଣିବା ।

ଅଇଲେ ନାରଦ ମୁନି
କଳି କୋଥଳି କି କାଖରେ ଘେନି ।
ଅର୍ଥ - ନାରଦ ମୁନି... ପରସ୍ପର ଭିତରେ କଳି ଲଗାଇ ଦେଉ ଥିବାର ପୁରାଣରେ ବର୍ଣ୍ଣନା ଅଛି । ଆମ ସମାଜରେ ମଧ୍ୟ ଏପରି ଲୋକ ଅଛନ୍ତି, ଯେଉଁମାନେ କଜିଆ ଲଗାଇ ଖୁସି ହୁଅନ୍ତି ।...

ଅଉଲରୁ ବିଗିଡ଼ା, କେବେ ନୁହେଁ ସଜଡ଼ା
ଅର୍ଥ - ଆରମ୍ଭରୁ ଯାହା ବିଗିଡ଼ି ଯାଏ, ତାହା କେବେ ସଜାଡ଼ି ହୁଏ ନାହିଁ ।

ଅକଡ଼େଇବା
ଅର୍ଥ - ଅସୁବିଧାରେ ପକାଇବା ।

୧୦

ଅକର୍ମଶିଳା, କୁଳ ବାଳୁଙ୍ଗା ।
ଅର୍ଥ - ଭଲ କର୍ମ ନ କଲେ, ଜୀବନ ବୃଥା ହୁଏ ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Saturday, March 30, 2019

ପିଲାଙ୍କ ଢଗଢମାଳି - ୧

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ

ଚିତ୍ରକର - ଏଦୁଆର୍ଦ୍ ମାନେ (୧୮୩୨ - ୧୮୮୩)

୧ 

ଅଇଘରାକୁ ବାଇଗଣ ପକାଇବା ।
ଅର୍ଥ - ଅନିଶ୍ଚିତତା ଭିତରେ ଅବ୍ୟବସ୍ଥିତ ଭାବେ କିଛି କରି ଦେବା ।

ହାତରେ କାଉ ନ ହୁରୁଡ଼େଇବା ।
ଅର୍ଥ - ଅତିି ଲୋଭ ମନୋଭାବ ।

ଅଇଁଠା ପତରରୁ କୁଆକୁ ହୁରୁଡ଼ାନ୍ତି ନାହିଁ ।
ଅର୍ଥ - ଅଯଥା କାମ ନ କରିବା ।

ଅଇଲା ରାବଣ ହରିଲା ସୀତା,
ଏଥି ପାଇଁ କିଆଁ ପୋଥି ସାତୁଟା ।
ଅର୍ଥ - ଯେଉଁ କଥାର ସାର ଜଣା ଅଛି ତାହାକୁ ସବିଶେଷ ବର୍ଣ୍ଣନା କରି ଜଣେଇବାର ଆବଶ୍ୟକତା ନାହିଁ ।

ଅଇଲି ଗଲି,
ଯାହା ଦେଖିଥିଲି ତାହା କହିଲି । 
ଅର୍ଥ - ଯାହା ଦେଖିବା ତାହା କହିବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ପ୍ରକାଶିତ କରିଥିଲେ ।

Wednesday, March 13, 2019

କବିଗୁରୁ ରବୀନ୍ଦ୍ରନାଥଙ୍କ ଏକ ସଙ୍ଗୀତ

ଅନୁସୃଜନ - ଜ୍ୟୋତି ନନ୍ଦ 

ରବୀନ୍ଦ୍ରନାଥ ଠାକୁରଙ୍କର ମୋହର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖୁଛି ଆଗରେ ଏ ଶାନ୍ତିର ପାରାବାର
ବାହିନିଅ ତରଣୀଟି ଆହେ କର୍ଣ୍ଣଧାର ।

ତୁମେ ମୋର ଚିର ସାଥି,
ନେଇଯାଅ କୋଳ ପାତି
ଅସୀମର ପଥେ ଜ୍ୟୋତି 
ଜଳୁଅଛି ପରା ସେଇ ଧୃବ ତାରକାର ।

ମୁକ୍ତିଦାତା ହେ ଦୟା କ୍ଷମା ସାଥେ ତମର
ଚିରଯାତ୍ରାର ପଥ ସୁଖକର ମୋହର।
ଫିଟିଛି ଧରା ବନ୍ଧନ
ମୁକୁଳିତ ଆଲିଙ୍ଗନ
ବିରାଟ ବିଶ୍ଵ ନନ୍ଦନ
ଭୟ ନାହିଁ ଏବେମହା-ଅଜଣା ଅନ୍ତର ।

Tuesday, March 05, 2019

ପିଲାଙ୍କ କବିତା - 'ଉଡ଼ା ଖବର'

ଜଗନ୍ନାଥ ପ୍ରସାଦ ଦାସ

'ମାଛରଙ୍କା' (ଉନବିଂଶ ଶତାବ୍ଦୀର ଜାପାନୀ ଚିତ୍ର)
ଚିତ୍ରକର - ଉତାଗାୱା ହିରୋଶିଗେ (୧୭୯୭-୧୮୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭଦଭଦଳିଆ ଗଲା ଭଦ୍ରଖରୁ ସୋରୋ
ଖେଳରେ ରେଫରି କଲେ କଜଳପାତିକୁ
ମାଛରଙ୍କା ଝାମ୍ପ ଦେଲା ମଗର ପାଟିକୁ
କୁମ୍ଭାଟୁଆ ଗୀତ ଗାଏ ଆକାଶବାଣୀରେ
ପାଣିକୁଆ ବୁଡ଼ିଗଲା ଆଣ୍ଠୁଏ ପାଣିରେ
ଶଙ୍ଖଚିଲ ମରିଗଲା ହୋଇ ଦୁର୍ଘଟଣା
କାଠହଣା ଜଙ୍ଗଲକୁ ଆସିବାକୁ ମନା
ଦେବାଳିଆ ହୋଇଗଲା ହଳଦୀବସନ୍ତ
ହାଡ଼ଗିଳା କଲିକ୍‌ରେ ହୁଏ ହନ୍ତସନ୍ତ
ଖୋଲିଛି କୋଚିଲାଖାଇ ଔଷଧ ଦୋକାନ
ପାତିହଂସ ପାଇଗଲା ପଦ୍ମ ବିଭୂଷଣ  

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, March 03, 2019

ପିଲାଙ୍କ କବିତା - 'ନବକାଳିକା ଲାଳିକା'

ଜଗନ୍ନାଥ ପ୍ରସାଦ ଦାସ

ଜାପାନୀ ଖଣ୍ଡାର ଖୋଳ (୧୮୪୧-୧୮୮୪ ମସିହା ଭିତର କାମ)
କଳାକାର - ମିୟାତା ନୋବୁକିଓ (୧୮୧୭ - ୧୮୮୪)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖି ମିରିକାଳିକା କାଟି ଫାଳିଫାଳିକା
ଭାଳି ଭାଳିକା ଅନ୍ତ ଧରି
ରନ୍ଧା କେମନ୍ତ କରି କରିବା ମାଛ 'କରି'
ରାତିକି ଏମନ୍ତ ବିଚାରି ସେ ବୃକୋଦରୀ
ଭାବେ ସଞ୍ଚିଲେ ଏ ଫାଳକୁ
ଅଧା ଥିବ କାଲି ସକାଳକୁ
(ଉପେନ୍ଦ୍ର ଭଞ୍ଜଙ୍କର 'ଲାବଣ୍ୟବତୀ' କିଛି ଧାଡ଼ିର ଲାଳିକା) 

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, March 01, 2019

ପିଲାଙ୍କ କବିତା - 'ଦନ୍ତ୍ୟ'

ଜଗନ୍ନାଥ ପ୍ରସାଦ ଦାସ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କିଛି ପୀଡ଼ା ଶାରୀରିକ
କିଛି ମାନସିକ କିଛି ଆର୍ଥିକ
କିନ୍ତୁ ଯେ ପୀଡ଼ନଟି
ଏ ସବୁର ଅନ୍ତ୍ୟ
ତା' ହେଉଛି ଦନ୍ତ୍ୟ
(ଅଗଡେନ୍ ନାଶ୍‌ଙ୍କର କବିତାର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 27, 2019

ପିଲାଙ୍କ କବିତା - 'ବିଲାତ ଫେରନ୍ତା'

ଜଗନ୍ନାଥ ପ୍ରସାଦ ଦାସ

ସାହାରାନପୁରର ଜଣେ ବ୍ରାହ୍ମଣ - ପଣ୍ଡିତ ଶ୍ରୀ ଜ୍ୱାଳାନାଥ
୧୮୬୮ ମସିହାରେ ଉତ୍ତୋଳିତ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମଫସଲ କଲେଜର ସଂସ୍କୃତ ମାଷ୍ଟ୍ର
ବିଲାତରେ ପଢ଼ି ସାରି ଦର୍ଶନଶାସ୍ତ୍ର
ଫେରିଲେ ସେ ଜେଟ୍ ସେଟ୍
ନେଇ ସାଥେ ଆକ୍‌ସେଣ୍ଟ୍
କାଣ୍ଟ୍ କିଏର୍କ୍‌ଗାର୍ଡ଼୍ ହେଗେଲ୍ ଓ ସାର୍ତ୍ର

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 25, 2019

ପିଲାଙ୍କ କବିତା - 'ଲିମେରାଇକୁ'

ଜଗନ୍ନାଥ ପ୍ରସାଦ ଦାସ

ଚିତ୍ର - 'ମାରିଗୋଲ୍‌ଡ଼୍' (୧୯୦୯)
ଚିତ୍ରକର - କୋଲୋମାନ୍ ମୋସର୍ (୧୮୬୮-୧୯୧୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଥିଲା, ତିରିଲାକୁ ନେଇ ଗରିଲା
ଚରିଲା ଫୁଲ ଗଛଟି ମରିଲା
ମୋ କଥାଟି ସରିଲା ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Saturday, February 23, 2019

ପିଲାଙ୍କ କବିତା - 'ହାଇକୁ'

ଜଗନ୍ନାଥ ପ୍ରସାଦ ଦାସ

କବି ରାଙ୍ଗ୍ୟୁ ବିରଚିତ ୧୯ଶ ଶତାବ୍ଦୀର ଏକ ହାଇକୁ
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍

କ'ଣ କରିବି ବୋଲି ଯେତେବେଳେ
ପଚାରିଲା ସିଏ ଭାଇକୁ
ସେ କହିଲା, ତୁ ପୂରା ଅପଦାର୍ଥ
ଏତେ କମ୍ ତୋର ଆଇକ୍ୟୁ
ରୁଷି ଯାଇ ତେଣୁ ଘରୁ ଚାଲିଯାଇ
ଲେଖିଲା ସେ ବସି ହାଇକୁ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, February 21, 2019

ପିଲାଙ୍କ କବିତା - 'ଉପଧା ମିଳନ'

ଜଗନ୍ନାଥ ପ୍ରସାଦ ଦାସ

ଓଡ଼ିଆ ଚିତ୍ର କାବ୍ୟରେ ବିମାନବନ୍ଧ (ୱିକିମିଡିଆ କମନ୍ସ୍)

ପଦ ମିଳାଇବାକୁ ଥିଲା ସୌରଭ
କେତେ ଆଉ ଲେଖିବ ଗୌରବ ଗୌରବ
ବିରକ୍ତ ହୋଇ କବି ଧାଡ଼ିଟି କାଟିଦେଲା
ପରେ ଦେଖାଯିବ ଯାହା ହୌହବ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, February 20, 2019

ପିଲାଙ୍କ କବିତା - 'ଲିମେରିକ'

ଜଗନ୍ନାଥ ପ୍ରସାଦ ଦାସ

ନିଜ ବିଲେଇ 'ଫସ୍' ସହ ଇଂରାଜୀ ଲିମେରିକ ଲେଖକ ଏଡ଼‌ୱାର୍ଡ଼୍ ଲିଅର୍
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କବିତା ଲେଖିବା ପାଇଁ ବସିଥିବ ତମେ ଠିକ
ପ୍ରେରଣାର ବହି ପଢ଼ି ଇଂରେଜୀ ଆମେରିକ
ପଦରେ ପଦକୁ ଯୋଖି
ଯାହା ସବୁ ଯିବ ଲେଖି
ପାଞ୍ଚଟି ଧାଡ଼ିରେ ତାହା ହୋଇଯିବ ଲିମେରିକ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, February 18, 2019

ପିଲାଙ୍କ କବିତା - 'ଲୋମହର୍ଷକ'

ଜଗନ୍ନାଥ ପ୍ରସାଦ ଦାସ

ବ୍ୟଙ୍ଗଚିତ୍ର - "ଇନ୍ ଦି ଗୁ଼ଡ୍ ଓଲ୍‌ଡ଼୍ ସମର୍‌ଟାଇମ୍' (୧୯୦୪ରେ ଅଙ୍କିତ)
ଚିତ୍ରକର - ବବ୍ ସ୍ୟାଟର୍‌ଫିଲ୍ଡ଼୍ (୧୮୭୫ - ୧୯୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶାନ୍ତିରେ ରଖେ ନାହିଁ ଏଭଳି ସେ ଶାସକ
ନିରୀହର ରକ୍ତରେ ବଞ୍ଚେ ସେ ଶୋଷକ
ଯେତେ କର ଚିତ୍କାର
ନାହିଁ ତାର ପ୍ରତିକାର
ସରକାର ?  ପୋଲିସ୍ ? ନା ନା - ମଶକ

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।