Showing posts with label ସମାଜ ଚର୍ଚ୍ଚା. Show all posts
Showing posts with label ସମାଜ ଚର୍ଚ୍ଚା. Show all posts

Saturday, June 02, 2018

ଆନ୍ତର୍ଜାତିକ ନାରୀ ଦିବସର ଏକ ଉଦ୍ଧୃତିଭିତ୍ତିକ ଗାଥା

ଜ୍ୟୋତି ନନ୍ଦ


 
ଦ୍ୱାଦଶ ଶତାବ୍ଦୀର ଖ୍ରୀଷ୍ଟୀୟ ଚିନ୍ତକ ହିଲ୍‌ଡେଗାର୍ଡ଼ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାର୍ଚ୍ଚମାସ ଆଠ ତାରିଖ ଦିନ ଆନ୍ତର୍ଜାତିକ ନାରୀ ଦିବସ ପାଳିତ ହୁଏ । ଆରମ୍ଭରେ ଗୋଟିଏ ଲଘୁ ମନ୍ତବ୍ୟ କରିବାର ଅଳି କରୁଛି । ଆଜିର ଉଦ୍ଧୃତି ସର୍ବସ୍ୱ ଯୁଗରେ କିଏ ବେଶି ଉଦ୍ଧୃତି ଦିଏ, ପୁରୁଷ ନା ନାରୀ ? ଏଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଉପରେ ଆମେ ପତିପତ୍ନୀ ନିହାତି ପେଶାଦାର ଆଇନଜୀବୀଙ୍କ ଭଳି 'ଅମୁକ ଦିନ ଅମୁକ' ଭଳି ପ୍ରିସିଡେନ୍ସ ବା ପୂର୍ବ ଉଦାହାରଣମାନକୁ ଯଥାଯଥ ଉପସ୍ଥାପନ କରି ଆନ୍ତର୍ଜାତିକ ନାରୀ ଦିବସଟି ଦିନେ ପାଳନ କଲୁ । ସୌଭାଗ୍ୟର ବିଷୟ ମୋତେ ସକାଳର ନିତ୍ୟ ନିର୍ଦ୍ଧାରିତ ଚା' ଦୁଇ କପ ପାଇଁ 'ଟେପିଡୋଫୋବିଆ' ବା 'ଖରାପ ସ୍ୱାଦର ଚା' ମିଳିବାର ଭୟ' ଭୋଗିବାକୁ ହୋଇ ନାହିଁ । ଚା' ଦୁଇ କପ୍ ଯାକ ଆବଶ୍ୟକତାଠାରୁ ଭଲ ଥିଲା, ଆଉ ବାକି ଯାହା ସର୍ବସାଧାରଣରେ ଅପ୍ରକାଶ୍ୟ, ତାହାକୁ ମୁଁ ଛେଳି ଯୁଦ୍ଧ, ଋଷି ଶ୍ରାଦ୍ଧ ଆଉ ସକାଳର ମେଘାଡ଼ମ୍ବର ଭଳି ବହ୍ୟୁାରମ୍ଭେ ଲଘୁକ୍ରିୟା ବୋଲି କହିବି ।

ନାରୀଟିଏ ସାଧାରଣତଃ ବେଶି ଉଦ୍ଧୃତି ଦେଇଥାଏ ବୋଲି ଆମେ ପୁରୁଷମାନେ ସଚରାଚର କହୁଥିଲେ ବି (ଏଇ ଉଦ୍ଧୃତି କଥାକୁ ନେଇ ମୋ' ଭଳି ଆପଣଙ୍କର ସକାଳଟି ମେଘାଡ଼ମ୍ବର ନ ହେଉ ବୋଲି ଅନୁରୋଧ କରିବି) ହଜାର ହଜାର ବର୍ଷ ଧରି ବିଶିଷ୍ଟ ଚିନ୍ତକମାନେ ନାରୀ ବିଷୟରେ ହିଁ ଉଦ୍ଧୃତି ଦେଇ ଆସିଛନ୍ତି । ସେମାନେ ସବୁ ପୁରୁଷ । ତେଣୁ କହିବାକୁ ଗଲେ ପୁରୁଷମାନଙ୍କୁ ନାରୀଚିନ୍ତା ସବୁ ବାଇମୁଣ୍ଡିଙ୍କ କଟକ ଚିନ୍ତାଠୁ ଅଧିକ । ଆଜିକାଲି ଆମେ ଯେଉଁମାନେ ବିଶେଷତଃ ହ୍ୱାଟସ୍‌ଆପ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଅଛୁ, ସେମାନେ ଯେତିକି ଉତ୍ସାହର ସହ ଆମ ବନ୍ଧୁପରିଜନଙ୍କୁ ଉଦ୍ଧୃତିମାଳାରେ ଦୀପାବଳି କରିଦେବା ପାଇଁ ବଦ୍ଧ ପରିକର ରହିଛୁ, ସମାନୁରୂପରେ ଆମେ ନାରୀ ସମ୍ପର୍କରେ ପୁରୁଷଚିନ୍ତକଙ୍କ ଉଦ୍ଧୃତିକୁ ସବୁବେଳେ ସଠିକ୍ ବୋଲି ଏକ ପରିବେଶ ତିଆରି କରିବାରେ ବି ଲାଗି ପଡ଼ିଛୁ ।

ଅଳ୍ପ କେତୋଟି ମହାନ୍ ପୁରୁଷବାଦୀ ଉଦ୍ଧୃତି ରଖୁଛି ।

ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, "ନାରୀ ହେଉଛି ଏକ ଅସମ୍ପୂର୍ଣ୍ଣ ପୁରୁଷ" ।

ସନ୍ଥ ଥମାସ୍ ଆକ୍ୱିନାସ୍‌ଙ୍କ ମତରେ "ନାରୀ ହେଉଛି ପୁରୁଷ ବୀଜର ଏକ ତୃଟିଭାଗର ନିନ୍ଦନୀୟ ପରିପ୍ରକାଶ।"

ମାର୍ଟିନ୍ ଲୁଥର୍‌ଙ୍କ ମତରେ "ପୁରୁଷର ଚଉଡା କାନ୍ଧ ଆଉ ସରୁ ଅଣ୍ଟା ଥାଏ ଆଉ ସେଇଥି ପାଇଁ ସେମାନେ ବୁଦ୍ଧିମାନ । ନାରୀର ସରୁ କାନ୍ଧ ଓ ଚଉଡା ଅଣ୍ଟା ଥାଏ, ସେଇଥି ପାଇଁ ସେମାନେ ଘରକରଣା କାମ କରନ୍ତି ଓ ସନ୍ତାନ ଜନ୍ମ ଦିଅନ୍ତି ।

ଏଇ ଉଦ୍ଧୃତିକୁ ଆପଣ କେମିତି ଦେଖିବେ ଆଜି ?

ସକ୍ରେଟିସ୍, ଯାହାଙ୍କୁ ଆମେ ବିଶ୍ୱର ସବୁଠାରୁ ଉଦ୍ଧୃତିଯୋଗ୍ୟ ଚିନ୍ତାନାୟକ ବୋଲି ସ୍ୱୀକାର କରୁ, ତାଙ୍କ ଭିତରର ପୁରୁଷାକାରଟି ବି କହିପାରିଥିଲା ଯେ, ନାରୀର ବୁଦ୍ଧିବୃତ୍ତି ସାଧାରଣତଃ କମ୍ । ତାହାର କାରଣ ଦେବାକୁ ଯାଇ ଆମର ଏଇ ଚିନ୍ତାରାଜ୍ୟର ବିଶ୍ୱସମ୍ରାଟ ଜଣକ ଯେଉଁ ହାସ୍ୟକର ତର୍କଟି ଦେଇଥିଲେ ତାହା ଏହି ପରି, ନାରୀର ପୁରୁଷ ତୁଳନାରେ ପାଟିରେ ଥିବା ଦାନ୍ତ ସଙ୍ଖ୍ୟା କମ୍, ତେଣୁ ବୁଦ୍ଧି ସେମାନଙ୍କର କମ୍ । ପରିଣତ ବୟସରେ ବିବାହ କରିଥିବା ତରୁଣୀ ପତ୍ନୀ ଜାନଥିପିଙ୍କ ନିକଟରୁ ନାରୀର ଦନ୍ତ-ସୁମାରି କରି ବୁଦ୍ଧିର ଏହି ଦନ୍ତ-ତତ୍ତ୍ୱକୁ ପରୀକ୍ଷା କରିନେବାର ସିଦ୍ଧାନ୍ତକୁ ସକ୍ରେଟିସ୍ ଉଚିତ ମଣି ନାହାନ୍ତି ।

ଯଦିଓ ହେମଲକ୍ ବୋଲି ବିଶ୍ୱବିଦିତ ବିଷ ପାନ କରିବାର କିଛି ସମୟ ପୂର୍ବରୁ ସତୁରି ବୟସର ସକ୍ରେଟିସ୍‌ଙ୍କ ତୃତୀୟ ତଥା କୋଳପୋଛା ପୁଅଟି ଜାନଥିପିଙ୍କ କୋଳରେ ମାଆ ସହ କାନ୍ଦୁଥିଲା । କାରାଗାରର ପ୍ରକୋଷ୍ଠ ଭିତରେ ହେମଲକ୍‌ର ଯଥାଯଥ ମିଶ୍ରଣର ପାନୀୟ ପାତ୍ରଟିର ପ୍ରସ୍ତୁତି ଚାଲିଥିଲା ସମସ୍ତଙ୍କ ସାମ୍ନାରେ । ସକ୍ରେଟିସ୍‌ଙ୍କୁ ବନ୍ଧନମୁକ୍ତ କରାଗଲା । ଜାନଥିପି ଜଣେ କଳିହୁଡ଼ି ସ୍ତ୍ରୀ ବୋଲି ଅପଖ୍ୟାତି ପାଇଛନ୍ତି ଇତିହାସରେ, ହୁଏତ ତାଙ୍କର ସ୍ୱାମୀ ବିଶିଷ୍ଟ ଚିନ୍ତାନାୟକ ବୋଲି । ନିଜର କଳିହୁଡ଼ି ବୋଲି ଅପଖ୍ୟାତିଟିକୁ ଘୋଡ଼ାଇ ରଖିବା ଭଳି ରୂପ କି କ୍ଷମତା କି ଜ୍ଞାନ ର ଆଭରଣଟିଏ ଜାନଥିପିଙ୍କ ପାଖରେ ନ ଥିଲା । ତେଣୁ ସେ ଇତିହାସରେ ଅନ୍ୟାନ୍ୟ ଗୌଣ ଚରିତ୍ରମାନଙ୍କ ଭଳି, କେବଳ ସକ୍ରେଟିସ୍‌ଙ୍କ ପତ୍ନୀ ହୋଇ ରହିଗଲେ, ଯେଉଁଠୁ ତାଙ୍କୁ ସେମିତି ମୁଣ୍ଡ ଟେକି ଚାହିଁବାର ଅବକାଶ ନାହିଁ । ଅନ୍ୟ ପକ୍ଷରେ ସ୍ୱାମୀ ସକ୍ରେଟିସ୍ ସବୁକାଳ ପରିବେଷ୍ଟିତ ହୋଇ ରହିଛନ୍ତି ନିଜର ଜ୍ଞାନର ପ୍ରଭାମଣ୍ଡଳରେ ଯାହା ତାଙ୍କର ଛୋଟ ଛୋଟ ତୃଟିର ଅନ୍ଧାରକୁ ରହିବାକୁ ଦେବ ନାହିଁ । ସାମ୍ନାରେ ପ୍ରସ୍ତୁତ ହେମଲକ୍, ବନ୍ଧନମୁକ୍ତ ସକ୍ରେଟିସ୍ ଓ ସମବେତ ତାଙ୍କର କିଛି ଅନୁଗାମୀଙ୍କୁ ଦେଖି କୋଳରେ କାନ୍ଦୁଥିବା ପିଲାଟି ସହ କାନ୍ଦକାନ୍ଦ ଗଳାରେ ଏକଦା ସେଇ କଳିହୁଡ଼ି ପତ୍ନୀ ଜାନଥିପି କହି ଥିଲେ, ଶେଷ ବେଳ ହେଲା, କିଛି କହିବ ?

ସକ୍ରେଟିସ୍ ତାଙ୍କର ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଲେ ଜାନଥିପି ଆଉ ଶିଶୁପୁତ୍ରକୁ କାରାଗାର ଗୃହରୁ ବାହାରକୁ ନେଇ ଯିବା ପାଇଁ ।ସକ୍ରେଟିସ୍‌ଙ୍କ ଏହି କାର୍ଯ୍ୟର ପୁରୁଷୋଚିତ ତର୍ଜମା ଆମର ରହିଛି, ଯାହା ଅନୁସାରେ ସେ ନିଜର ପ୍ରିୟତମା ପତ୍ନୀଙ୍କ ଦୁଃଖକୁ ବହନ କରି ନିଜର ଶେଷ ଯାଏଁ ଯିବାକୁ ଚାହୁଁ ନ ଥିଲେ । କିନ୍ତୁ ପ୍ରକୃତ କଥାଟି ହେଲା, ସେ ତାଙ୍କର ଶେଷ ଦାର୍ଶନିକ ସୁସମାଚାରରେ କୌଣସି ବିଘ୍ନ ଚାହୁଁ ନ ଥିଲେ ।

ବିଶ୍ୱ ଇତିହାସରେ ଚିନ୍ତକଗଣ ଖାଲି ରାତି ଅଧ ନୁହଁ, ସବୁବେଳେ କାହିଁକି ଏତେ ବେଶି ପୁରୁଷ ହୋଇ ଉଠନ୍ତି, ତାହାର ସଠିକ କାରଣ କିଏ କହିବ ?

୨୦୦୯ ମସିହାରେ କଲମ୍ବିଆ ଦେଶର ବୋଗୋଟାଠାରେ ନାରୀ ଦିବସ ପାଳନର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ପରିପ୍ରେକ୍ଷୀରେ ନାରୀକୁ ନିଜର ଏକ କବିତାରେ ଗୋଟିଏ ସୁନ୍ଦର ସଂଜ୍ଞା ଦେଇ ଥିବା କବିଗୁରୁ ରବୀନ୍ଦ୍ରନାଥଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ସେହି କବିତାଂଶର ସୁନ୍ଦର ଉଦ୍ଧୃତିଯୋଗ୍ୟ ଅନୁବାଦଟି ନିମ୍ନରେ:

ଖାଲି ବିଧାତାର ସୃଷ୍ଟି ନୁହଁ ତୁମେ ନାରୀ,
ପୁରୁଷ ଗଢ଼େ ତୁମକୁ ସୌନ୍ଦର୍ଯ୍ୟ ସଞ୍ଚାରି
ଆପଣା ଅନ୍ତର ମଧ୍ୟେ ବସି କବିଗଣ,
ଉପମା ସୁବର୍ଣ୍ଣ ସୂତା ବୁଣନ୍ତି ବସନ ।
ଅର୍ପିଣ ତୁମ ଶରୀରେ ନୂତନ ମହିମା
ଅମର କରିଛି ଶିଳ୍ପୀ ତୁମରି ପ୍ରତିମା ।
ସମସ୍ତ ଭୂଷଣ ଆଉ ଗନ୍ଧ ଯେତେ ବର୍ଣ୍ଣ
ସିନ୍ଧୁ ଦିଏ ମୁକ୍ତା ଖଣି ଗରଭୁ ସୁବର୍ଣ୍ଣ ,
ବସନ୍ତର ଉପବନୁ ଆସେ ପୁଷ୍ପଭାର,
ଚରଣ ରଞ୍ଜନେ କୀଟ ବିସର୍ଜେ ଶରୀର ।
ଲଜ୍ଜା ଦାନ, ସଜ୍ଜା ଦାନ, ଦାନେ ଆବରଣ,
ତୁମକୁ ଦୁର୍ଲ୍ଲଭ ବେଶେ କରେ ସଙ୍ଗୋପନ ।
ଆରୋପି ଶରୀରେ ତୁମ ପ୍ରଦୀପ୍ତ ବାସନା,
ଅର୍ଦ୍ଧେକ ମାନବୀ ତୁମେ ଅର୍ଦ୍ଧେକ କଳ୍ପନା ।

କବିଗୁରୁଙ୍କ ନାରୀକୁ "ଅର୍ଦ୍ଧେକ ମାନବୀ ଆଉ ଅର୍ଦ୍ଧେକ କଳ୍ପନା"ବୋଲି ବ୍ୟାଖ୍ୟାନ ଟି ଆଜି ବି ବହୁଳ ଭାବରେ ଉଦ୍ଧୃତ । ଏହା ଭିତରେ ଆମର ନାରୀବୋଧଟି ଅତି ଯତ୍ନରେ ସୁରକ୍ଷିତ ହୋଇ ରହିଛି ବୋଲି ମୋର ବିଚାର ।

ଆଜିର ନାରୀଦିବସରେ ଆଉ ଜଣେ କବିଙ୍କୁ ସ୍ମରଣ କରୁଛି । ପ୍ରତିବେଶୀ କବି ଜଣକ ହେଲେ ଜୀବନାନନ୍ଦ ଦାସ, ଆଉ କବିତାଂଶଟି ମୋର ଅତିପ୍ରିୟ ପ୍ରେମାନୁଭବର କବିତା 'ବନଲତା ସେନ୍'ରୁ ଗୃହୀତ । ଅନୁବାଦଟି ଏହିଭଳି :

କେଶ ତା'ର କେବେକାର ଅନ୍ଧକାର ବିଦିଶାର ନିଶା,
ମୁଖ ତା'ର ଶ୍ରାବସ୍ତୀର କାରୁକାର୍ଯ୍ୟ, ଅତି ଦୂର ସମୁଦ୍ରରେ
ହାଲ୍‌ଭଙ୍ଗା ନାବିକ ସେ ହରାଇଛି ଦିଗ
ସବୁଜ ଘାସର ଦେଶ ଦେଖେ ଯେତେବେଳେ 
ଦାରୁଚିନି ଦ୍ୱୀପର ଭିତରେ;
ସେମିତି ଦେଖିଛି ତା'କୁ ଅନ୍ଧାରରେ, କହିଛି ସେ,
"ଏତେ ଦିନ କେଉଁଠି ଥିଲ ମ"
ପକ୍ଷୀର ନୀଡ଼ର ଭଳି ଆଖି ମେଲି ନାଟୋର୍‌ର 
ବନଲତା ସେନ୍ ।

ମୋର ପ୍ରିୟ ନାରୀ ବନଲତା ସେନ୍ ଆମର କଳ୍ପିତ ପୃଥିବୀ, ଯାହାକୁ ନାଟୋର ବୋଲି ନାମକରଣରେ ଚିହ୍ନିତ କରାଯାଇ ପାରିବ, ସେଇଠେ ସେ ରହୁଛି । ବିଦିଶାର ନିଶା ଆଉ ଶ୍ରାବସ୍ତୀର କାରୁକାର୍ଯ୍ୟର ଐତିହାସିକତାରୁ କ୍ରମଶଃ ଦୃଶ୍ୟମାନ ହେବାରେ ଲାଗିଛି ସେ ।ଆମେ ଯେତେ ଯେତେ ଦିଗହଜା ନାବିକ, ଯାହାର ବୋଇତର ହାଲ୍ ସବୁ ଭାଙ୍ଗି ଯାଇଛି ସୁଦୂର ସମୁଦ୍ରରେ ଯେତେବେଳେ ହଠାତ୍ ଆଶାର ଦାରୁଚିନି ଦ୍ୱୀପର ବାସ୍ନା ସହ ସବୁଜ ଘାସର ଦେଶରେ ସେ ଉଭା ହୋଇଛି । ଅନ୍ଧାରରେ ତାହା ସହ ଆମର ଚିରକାଳ ଦେଖା । ସବୁ ହଠାତ୍ । ସେଇ ହଠାତ୍ ଭିତରେ ଆମର ସଙ୍ଗୁପ୍ତ ଚିରକାଳ, "ଏତେ ଦିନ କେଉଁଠି ଥିଲ ମ", ଅପେକ୍ଷାର ମଧୁରତମ ପଦାବଳୀ ।

ନାରୀର ଆଖିରେ ପକ୍ଷୀବସା ଆଉ ପକ୍ଷୀବସାଠୁ ଅଧିକ ଶାନ୍ତ ସମ୍ମୋହନ ଅଧିକ କିଛି ମୋ' ବିଚାରରେ ନାହିଁ । ସେଇଥିପାଇଁ ଜୀବନାନନ୍ଦଙ୍କ ଏ ଉଦ୍ଧୃତି ।

ଫଟୋଟି ଜ୍ୟୋତି ନନ୍ଦଙ୍କର ଫେସବୁକ୍ କାନ୍ଥରୁ ସଙ୍ଗୃହିତ

ଶେଷ ଉଦ୍ଧୃତିଟି ଉପରେ ସଂଲଗ୍ନ ଚିତ୍ର । ଚିତ୍ରରେ ସବୁଠାରୁ ଆଦର୍ଶ ଦେବଦମ୍ପତ୍ତିଙ୍କ ପାରିବାରିକ ଉଚ୍ଛ୍ୱାସ । ସୃଷ୍ଟି ସ୍ଥିତି ଆଉ ବିନାଶର ଅବିସମ୍ବାଦିତ ନଟରାଜଙ୍କର ପତ୍ନୀଙ୍କ ସାଧାରଣ ତାଳରେ ନାଚିବାର ମୁକ୍ତ ଛନ୍ଦ ଓ ଆନନ୍ଦ । ଆଜି ଯଦି ଏଇ ଦେବଦମ୍ପତ୍ତିଙ୍କୁ ଅନୁକରଣ କରି ଆମେ ଆମ ସାଧାରଣ ଜୀବନରେ ନିଜ ନିଜ ପତ୍ନୀଙ୍କ ତାଳରେ କିଛି କିଛି ନୃତ୍ୟାଭ୍ୟାସ କରୁଛୁ, ତେବେ ଆମର ପୁରୁଷତନ୍ତ୍ରର ଏଥିରେ ହସିବାର କିଛି ନାହିଁ ।

ଅବଶ୍ୟ ଆମ ମୁଣ୍ଡରେ ବେଳେବେଳେ, ବିଶେଷତଃ ଦାମ୍ପତ୍ୟକଳହ ସମୟରେ, ସକ୍ରେଟିସ୍ ସବାର ହୋଇ ଯାଆନ୍ତି । ତାଙ୍କ ଭଳି ଚିନ୍ତକର ବୋଝକୁ ବୋହିବା ଯେତିକି କଷ୍ଟ, ଓହ୍ଲାଇବା ତାହାଠୁ ଅଧିକ ।

Tuesday, November 21, 2017

ମୁଣ୍ଡଖେଳ

ଜ୍ୟୋତି ନନ୍ଦ


ଚୀନ ଦେଶରେ ତିଆରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ମୁଣ୍ଡ


ଆଜି ଲେଖାରେ ଗାଳି ମିଳିବ, ଜାଣେ । ସେଇଥି ପାଇଁ ଲେଖାଟି ଦୀର୍ଘ । ଦୀର୍ଘତାର ଆଢୁଆଳରେ ଲୁଚିପଡିବା ବି ଏକ ଭଲ ଧରଣର ଲୁଚକାଳି ବୋଲି ଆପଣମାନଙ୍କୁ ବୁଝାଇ କହିବା ଦରକାର ନାହିଁ ।

ଦୀର୍ଘତା ଏକ ପ୍ରକାର ଗୋଲକଧନ୍ଦା ଯାହା ଗଦ୍ୟକାରର ପୌରାଣିକ ଶମୀବୃକ୍ଷ ବିଶେଷ ।

ଗାଳି ବ୍ୟାପାରରେ ମୁଁ କନଫୁସିଅସ୍ ଙ୍କୁ ଭାରି ମାନେ । ତମେ ଯଦି ଜଣକ ଗାଳିକୁ ଗ୍ରହଣ କରୁନାହଁ, ତେବେ ତାହାର ଗାଳିଟି ତାହାର ନିଜ ପାଖରେ ହିଁ ରହିଯିବ । ବିଚରା ସେଇ ଗାଳିବାଲା ନିଜ ଗାଳିଟି ସହ ତାହା ପରେ କେତେ ଦହସନ୍ତ ହେଉଥିବ ସେକଥା ସେ ନିଜେ ଓ ମାଆ ଗଙ୍ଗା ଉଭୟେ ଜାଣନ୍ତି ।

କନଫୁସିଅସ୍ ଚୀନର ଜଣେ ବୈଚାରିକ ବିଦ୍ୱାନ ବୋଲି ତାଙ୍କର ନାଆଁଟି ଉଲ୍ଲେଖ କଲେ ଆପଣମାନେ କ'ଣ ରୁଷ୍ଟ ହେବେ ?

ଆଜିକାଲି ତ ଆମେ ମୁଣ୍ଡରେ ବି ଚାଇନା ବାଣ ଫୁଟେଇବାକୁ ନାରାଜ । ଅବଶ୍ୟ ଆମେ ବାଣ ବୋଲି ଯେଉଁ ଦରବଟିକୁ ଆମର ବିଜୟଘୋଷ ବୋଲି ପ୍ରକମ୍ପିତ କରିଚାଲିଛୁ, ଖାଲି ଆମେ କ'ଣ ସାରା ପୃଥିବୀ, ସେଇ ବାଣଟିର ମୂଳ ବାରୁଦ ବୋଲି ଯେଉଁ ପଦାର୍ଥ, ତାହା ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀରେ ଜଣେ ଚୈନୀକ ପାଚକଙ୍କର ଉଦ୍ଭାବନ । ନିଶ୍ଚିତ ଭାବରେ ସେଇ ରୋଷେଇଆ ଜଣକ ଆମର ପ୍ରିୟ "ଚାଓ ମିନ୍" ରାନ୍ଧୁନଥିଲା ସେତେବେଳେ । ଏମିତିରେ ଆମର ଫାଷ୍ଟଫୁଡ୍‌ରେ ଯେଉଁ ଚୈନୀକ ଖାଦ୍ୟର ଆୟୋଜନ ହେଉଥାଏ, ଯାହା ତରୁଣମାନଙ୍କ ସହିତ ମୋ ଭଳି କିଛି ଅପରିଣତ ବୟସ୍କଙ୍କର ପ୍ରିୟ ଖାଦ୍ୟ ହୋଇ ରହିଛି, ତାହାକୁ ଚୈନୀକ ମାନେ ଛୁଅଁନ୍ତି ନାହିଁ ବୋଲି ମୁଁ କେଉଁଠି ପଢିଛି । ପ୍ରତ୍ୟକ୍ଷ ଗଣତନ୍ତ୍ର, ଅପ୍ରତ୍ୟକ୍ଷ ଗଣତନ୍ତ୍ର ସହ ଯେମିତି ଭାରତୀୟ ଗଣତନ୍ତ୍ର ବୋଲି ଗଣତନ୍ତ୍ରର ଯେମିତି ତିନୋଟି ପ୍ରକାରଭେଦ କରାଯାଇଛି, ସେମିତି ଇଣ୍ଡିଆନ-ଚାଇନିଜ୍ ଏକ ପ୍ରକାର ଭାରତୀୟ ଖାଦ୍ୟ । ସେ ଯାହାହେଉ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ସେଇ ପାଚକ ଜଣକ କ'ଣ ରାନ୍ଧିବାକୁ ବସିଥିଲେ, ତାହା ଜଣାନାହିଁ, କିନ୍ତୁ ତାହାର ରାନ୍ଧଣାଟି ଏକ ପ୍ରକାର ଘାଣ୍ଟ ଥିଲା । ଆଉ ଏଇ ଅଜ୍ଞାନ ଘାଣ୍ଟରେ ପଡିଥିଲା, ଗନ୍ଧକ, କୋଇଲା ଆଉ ସଲଟ୍‌ପିଟର୍ ବା ପଟାସିଅମ୍ ନାଇଟ୍ରେଟ୍ । ଏଇ ପଟାସିଅମ୍ ନାଇଟ୍ରେଟ୍ ଟି ମାଂସକୁ ବେଶି ଦିନ ସଂରକ୍ଷିତ ରଖିବା କାମରେ ଲାଗେ । ଏଇ ତିନିଟିର ଘାଣ୍ଟରୁ ବାହାରିଲା ଯେଉଁ ଆଲାଦିନ୍‌ର ବଶମ୍ବଦ ଦୈତ୍ୟ, ତାହାକୁ ଆମେ ନାଆଁ ଦେଲୁ ବାରୁଦ ।

ସେତେବେଳେ ଚୀନ୍‌ର ପାକଶାଳାରେ ସବୁବେଳେ ପଟାସିଅମ୍ ନାଇଟ୍ରେଟ୍ ମାଂସକୁ ବେଶି ଦିନ ସତେଜ ରଖିବା ପାଇଁ, ଗନ୍ଧକ ଜାଳେଣୀର ଉତ୍ତାପକୁ ଅଧିକ କରିବା ପାଇଁ, ଆଉ କୋଇଲା ଖାସ୍ ଜାଳେଣୀ ପାଇଁ ମହଜୁଦ ହୋଇ ରହୁଥିଲା । ଏଇ ତିନୋଟି ମିଶି ବାରୁଦ ହୋଇ ବାହାରିଲେ ।

ଚୈନୀକମାନେ ପ୍ରଥମେ ବାରୁଦକୁ ଯୁଦ୍ଧ କ୍ଷେତ୍ରକୁ ନେଇ ନ ଥିଲେ । ସେମାନେ ଦେଖିଲେ ଏଇ ବାରୁଦକୁ ଫମ୍ପା ବାଉଁଶନଳୀରେ ଭର୍ତ୍ତି କରି ନିଆଁ ଲଗାଇଲେ ତାହା ଖୁବ୍ ଧମାକଦାର ଶବ୍ଦ କରି ଆକାଶକୁ ଉଠିଯାଉଛି । ସେଇଠୁ ସେମାନଙ୍କ ମୁଣ୍ଡକୁ ଗୋଟିଏ ସୁନ୍ଦର ବୁଦ୍ଧି ଜୁଟିଲା ।ଏଇ ଜୋରଦାର୍ ଶବ୍ଦ ଆଉ ଆଲୁଅକୁ ଆଉ ଆକାଶମୁଖୀ ଶୂନ୍ୟତାର ତୀବ୍ର ଗତିକୁ ବ୍ୟବହାର କରାଯାଇପାରିବ । ଏହାକୁ ବ୍ୟବହାର କରାଯାଇ ପାରିବ ସେମାନଙ୍କୁ ଭୟଭୀତ କରି ଏଠାରୁ ତଡିଦେବା ପାଇଁ । ସେମାନେ, ମାନେ ଯେତେକ ଦୁଷ୍ଟ ଆତ୍ମା ଅଛନ୍ତି, ଏଇଠେ ସେମାନଙ୍କୁ ଆକାଶକୁ ତଡିଦିଆଯାଇ ପାରିବ । ପରେ ଏହାକୁ ବିବାହରେ, ବିଜୟରେ, ଆଉ ନୂଆବର୍ଷରେ ଉତ୍ସବପାଳନର ଅଂଶ ହିସାବରେ ବ୍ୟବହାର କରାଗଲା । ସେମାନେ ବାରୁଦର ବି ଗୋଟିଏ କାବ୍ୟିକ ନାମକରଣ କରିଥିଲେ, "ଉଡନ୍ତା ନିଆଁର ତୀର" । ମୁଁ କବିଟିଏ ହୋଇଥିଲେ ମୋର ସଙ୍କଳନ ପାଇଁ ଏଇ ନିଆଁର ତୀରରେ ଖପ୍ କରି ଲାଖ ବିନ୍ଧିଥାନ୍ତି । ଏ ଜନ୍ମରେ ହେଲାନାହିଁ ।

"ଉଡନ୍ତା ନିଆଁର ତୀର" ଆଉ ପରେ କବିତା ହୋଇ ରହିଲା ନାହିଁ । ରହିପାରିଲା ନାହିଁ । ତ୍ରୟୋଦଶ ଶତାବ୍ଦୀରେ ଜର୍ମାନୀର ଜଣେ ସାଧୁ ବେରଥୋଲଡ୍ ସ୍କୁୱାଜ୍ ଏଥିରେ ପ୍ରକୃତରେ ନିଆଁ ଲଗାଇବା କହିଲେ ଯାହା ବୁଝାଏ, ସେଇ କାମଟି କଲେ । ଏଇ ସାଧୁଟି ତିଆରି କରିଥିଲା ପୃଥିବୀର ସର୍ବପ୍ରଥମ ଆଗ୍ନେୟାସ୍ତ୍ର । ସାଧୁ ଆଉ ଆଗ୍ନେୟାସ୍ତ୍ର ଭିତରେ ସମ୍ପର୍କକୁ ଅଧିକ କହିବାର ଆବଶ୍ୟକତା ନାହିଁ । ତାହା ପୂର୍ବରୁ ଜଣେ କଳ୍ପନାପ୍ରବଣ ଚୈନୀକଙ୍କୁ ଆମର ଜାଣିବା ଉଚିତ । ତାଙ୍କର ନାଆଁ ୱାନ୍ ହୁ । ୱାନ୍ ହୁ ବାରୁଦକୁ ଉତ୍ସବ ପାଳନ ବ୍ୟତୀତ ଅନ୍ୟ କେଉଁ ପ୍ରାୟୋଗିକ କୌଶଳ ହିସାବରେ ବ୍ୟବହାର କରିହେବ, ସେଇ କଥାରେ ମନ ଦେଇଥିଲେ । ସେ ପ୍ରଥମେ ବ୍ୟୋମଜାନଟିଏ ତିଆରିକଲେ ।
 
ଦୁଇଟି ଗୁଡି ଆଉ ତାହା ମଝିରେ ନିଜେ ବସିବା ପାଇଁ ଗୋଟିଏ କାଠ ଚଉକି ଆଉ ତାହାକୁ ଆକାଶକୁ ପଠାଇବା ପାଇଁ ବୟାଳିଶଟି ରକେଟ ସଦୃଶ ବାଣରେ ତିଆରି ସେଇ ବ୍ୟୋମଜାନ । ୱାନ୍ ହୁ ନିଜେ ଆରାମରେ ସେଇ କାଠଚଉକିରେ ବସି ନିଜର ସହଯୋଗୀ ମାନଙ୍କୁ ଅଗ୍ନିସଞ୍ଜୋଗର ନିର୍ଦ୍ଦେଶ ଦେଲେ । ଆକାଶ ଯାତ୍ରା ଆରମ୍ଭ ହେଲା । କିଛି ସମୟ ପରେ କିନ୍ତୁ ଆକାଶରୁ ଖସିପଡିଲା କାଗଜ ଗୁଡି, କାଠ ଚଉକି, ଆଉ ୱାନ୍ ହୁଙ୍କର ଶରୀରର ଅବଶେଷ, ପାଉଁଶ ହୋଇ । ତେଣୁ ୱାନ୍ ହୁ ହେଉଛନ୍ତି ବାଣ-ବ୍ୟବସାୟର ସର୍ବପ୍ରଥମ ନଥିଭୂକ୍ତ ଶହୀଦ ।

ପ୍ରାୟ ସପ୍ତଦଶ ଶତାବ୍ଦୀ ବେଳକୁ ବିଗତ ଆଠ ଶତାବ୍ଦୀ ଧରି ଦିଶି ଆସୁଥିବା ହଳଦିଆ ଆଉ ଇଷତ ଲାଲ ଅମ୍ବର୍ ରଙ୍ଗର ବାଣକୁ ରଙ୍ଗୀନ କରାଗଲା ।  ବାଣରେ ରଙ୍ଗଦେବା କାମଟି ଆରମ୍ଭ ହୋଇଥିଲା ପ୍ରସିଦ୍ଧ ବରବୋଁ ରାଜବଂଶର ଚର୍ଚ୍ଚିତ ରାଜପ୍ରାସାଦ ଭର୍ସାଇରେ, ରାଜକୀୟ ବ୍ୟସନ ପାଇଁ । ତାହାପରଠାରୁ ପୃଥିବୀରେ ବାଣମାନ ରଙ୍ଗୀନ ହୋଇଗଲେ ।

କହିବା କଥା ହେଉଛି ଚୀନ୍‌ର ବାରୁଦରେ ଆମେ ନିଆଁ ଲଗାଉଛୁ ବୋଲି କହିଲେ, କଥାଟି ପ୍ରତୀକ ଦୃଷ୍ଟିରୁ ସେମିତି ଭୁଲ ହୋଇଯିବ ନାହିଁ । ଆମର ଏବେ ଯେହେତୁ ଚୀନ୍ ଶବ୍ଦରେ ଦେଶପ୍ରେମଭିତ୍ତିକ ଆପତ୍ତି ରହିଛି, ତେଣୁ ଗାଳି କଥାଟି ଯଦି କେଉଁ ମୁଣ୍ଡକୁ ଆସିଯାଏ, ଆଉ କ'ଣ କରାଯିବ ?  ମୁଣ୍ଡରେ ତ ଏଇଲେ ଚାଇନା ବାଣ ଫୁଟିଗଲା !

ଆଜିକାଲି ମହାଭାରତର ଚରିତ୍ରଟିକୁ ଉଦ୍ଧାର କରି ଉଦ୍ଧତ କଣ୍ଠରେ କହିଲେ ତାହା ଗାଳି ହେବନାହିଁ, ଲୋକକଥାକୁ ଉଦ୍ଧାର କରି କହିଲେ ତାହା ତ ଆଦୌ ଗାଳି ନୁହଁ, କିନ୍ତୁ ତମେ ଯଦି ଇତିହାସର ପୃଷ୍ଠା ଖୋଲିଲ, ତାହାହେଲେ ଆଜିର ଆମର ଯେଉଁ ଭାରତର ଅର୍ଥନୀତି ତଥା ଇତିହାସର ବିଶାରଦ ସାମାଜିକଗଣମାଧ୍ୟମନିବାସୀ ଭାରତବାସୀ ମାନେ ଅଛନ୍ତି, ସେମାନଙ୍କର ସ୍ୱପତ୍ନୀ ସହିତ ତମର ରାଖିବନ୍ଧା ସମ୍ପର୍କ ହୋଇଯିବା କଥାଟି ଥୟ ।

ସବୁ ଲୋକ ଘରମୁଁହା, ତାହା ଭିତରୁ କିଛି ଗାଳିମୁଁହା ।

ଆପଣମାନେ ଦୟାକରି କିଛି ଦିହକୁ ନେବେ ନାହିଁ । ଆଜି ଲେଖାଟି ଦେଖିବେ କେବଳ ମୁଣ୍ଡକୁ ଆଧାର କରି ଲେଖା ହୋଇଛି । ଯେହେତୁ ଏହା ମୁଣ୍ଡ ବିଷୟରେ, ତେଣୁ ଆପଣମାନଙ୍କୁ ମୁଣ୍ଡ ଖେଳାଇବା ପାଇଁ ଅନୁରୋଧ କରିବି ।

ରାଜନୀତିରେ ସବୁଠୁ ବଡ ଖେଳ ହେଉଛି ମୁଣ୍ଡଖେଳ । ଥରେ ଯଦି କିଏ କେଉଁ ବାଟରେ ଆମ ମୁଣ୍ଡକୁ କିଣିପାରିଲା, ତେବେ ଜାଣିବେ ଯେତେକ କିଲ୍ଲା ଅଛି ସବୁ ତାହାର ଫତେ ।

ଛବିରେ ଯେଉଁ ମୁଣ୍ଡଟି ଅଛି ସେଇ ମୁଣ୍ଡଟି ଆମର ପ୍ରିୟ ସର୍ଦ୍ଦାର, ଯାହାଙ୍କୁ ବର୍ଦ୍ଦୋଳିର ସର୍ଦ୍ଦାର ବୋଲି କୁହାଯାଏ, ସେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ମୁଣ୍ଡ । ଆମର ରାଜନୈତିକ ଚିନ୍ତକମାନେ ବିବେଚନା କରିଥାନ୍ତି ଯେ, ଆମର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୁଣ୍ଡଟି ଅବିକଳ ରହିଥିଲା ସର୍ଦ୍ଦାର ବଲ୍ଲଭଭାଇଙ୍କ ଦେହରେ ଆଉ ପଣ୍ଡିତ ଜହରଲାଲ୍‌ଙ୍କ ଦେହରେ ରହିଥିଲା ଗାନ୍ଧିଜୀଙ୍କ ହୃଦୟ । ପଣ୍ଡିତଜୀ ଆଉ ସର୍ଦ୍ଦାର ପଟେଲ୍‌ଙ୍କୁ ଏକାଠି କରି ଆମ ରାଜନୀତିରେ ଗାନ୍ଧିଜୀଙ୍କ ଅବର୍ତ୍ତମାନରେ ତାଙ୍କର ଧାରାବାହିକ ପ୍ରଭାବକୁ ଭାରତୀୟ ମାନେ ଅନୁଭବ କରିଆସିବା ସହ ଗାନ୍ଧୀବାଦକୁ ଏକ ସର୍ବଜନସ୍ୱୀକୃତି ପ୍ରଦାନ କରିଥିଲେ ।

ରାଜନୈତିକ ସ୍ଥିତିକୁ ବହାଲ ତବିୟତ୍‌ରେ ରଖିବା ପାଇଁ କିଏ କିଏ ଗାନ୍ଧିଜୀଙ୍କ ଗଣ୍ଡି ଆଉ ମୁଣ୍ଡକୁ ଅଲଗା କରି ଦେଖାଇବାର କୌଶଳ କରିପାରନ୍ତି ।

ଗଣ୍ଡି ଆଉ ମୁଣ୍ଡ କୁ ଅଲଗା କରିବା କିଛି ନୂଆ କଥା ନୁହଁ ।

ରେନେଁ ଦେକାର୍ତ୍ତେ ମଣିଷ ଶରୀରକୁ ବିଚାର ଦୃଷ୍ଟିରୁ ମୁଣ୍ଡ ଆଉ ଗଣ୍ଡି ବୋଲି ଯେଉଁ ଦୁଇଟି ଏକକରେ ଯାନ୍ତ୍ରିକ ବିଭାଜନ କରିଦେଲେ, ତାହା ପରଠାରୁ ବିତର୍କ ଆରମ୍ଭ ହୋଇଗଲା ସବୁ ବିଚାରବନ୍ତ ମଣିଷ ମାନଙ୍କର ଭିତରେ, ମଣିଷ ଟି କେଉଁଠି ଥାଏ, ମୁଣ୍ଡରେ ନା ଗଣ୍ଡିରେ ? ତାହା ପୂର୍ବରୁ ଏଇ ମୁଣ୍ଡ ଆଉ ଗଣ୍ଡି କୁ ନେଇଁ ଏଇ ଶ୍ରେଷ୍ଠତ୍ୱର ବିବାଦ ଆମ ଚିନ୍ତା ଚେତନାରେ ଢେର୍ ଦିନୁ ଚାଲି ଆସିଛି ।

ସରଳ ଗପଟିଏ କହିବି । ଗପଟି ସୋମଦେବ ବିରଚିତ "କଥା ସରିତ ସାଗର"ରୁ ଗୃହିତ । ଜଣେ ରାଜା ପୁଅ ଆଉ ମନ୍ତ୍ରୀ ପୁଅ ପିଲାଟି ଦିନରୁ ଜଡା ତେଲ ଆଉ ମେଣ୍ଢା ବାଳ ପରି ସାଙ୍ଗ, ଦି ଜଣଯାକ ସଙ୍ଗାତ । ଅତି ଅଲ୍ୟଳ ରାଜା ପୁଅଟି ଦେଖିବାକୁ ପତଳା ଆଉ ମନ୍ତ୍ରୀ ପୁଅଟି ବେଶ୍ ଡଉଲଡାଉଲ । ଦି ଜଣ ଯାକ ଏକାଠି ଚନ୍ଦ୍ରକଳା ପରି ବଢିଲେ । ଯେହେତୁ ଦୁଇଜଣଙ୍କ ଭବିଷ୍ୟତ ସୁରକ୍ଷିତ, ତେଣୁ ସେମାନଙ୍କର ପୃଥିବୀରେ ଖାଲି ଆନନ୍ଦର ମଳୟ ପବନ ବୋହୁଥିଲା ବୋଲି ଜାଣ । ଏହାପରେ ରାଜପୁତ୍ର ଗୋଟିଏ ପରମାସୁନ୍ଦରୀ ରାଜକନ୍ୟାକୁ ବିବାହ କଲା । ମନ୍ତ୍ରୀପୁଅଟି ସବୁଦିନ ନିୟମିତ ରାଜକୀୟ ବ୍ୟାୟାମଶାଳାକୁ ଯାଉଥାଏ, ଆଉ ଅପେକ୍ଷା କରୁଥାଏ କେଉଁ ପରମାସୁନ୍ଦରୀ ମନ୍ତ୍ରୀକନ୍ୟାର ଜୟମାଳା ତାହା ପାଇଁ ତିଆରିବାକୁ ବିଧାତା ବିଧାନ କରିଛି । 

ଥରେ ପାରିଧିକୁ ତିନିହେଁ ମାନେ ରାଜାପୁଅ,ତାହାର ପତ୍ନୀ ଆଉ ସାଙ୍ଗ ମନ୍ତ୍ରୀପୁଅ ବାହାରିଲେ । ଘୋର ଅଗନାଅଗନି ବନସ୍ତ । ସେଇଠି କାହାଣୀର ଖଳନାୟକ ଭାବରେ ସୁନ୍ଦର ମେକ୍‌ଅପ୍‌ରେ ପହଞ୍ଚିଗଲା ଗୋଟିଏ ଡକାଏତ୍ । ହାତରେ ଚକ୍‌ଚକ୍ ତଲୁଆର । ଏହା ନାରୀବାଦୀ ବିମର୍ଶର କଥା ନୁହଁ, ରାଜକନ୍ୟାଙ୍କୁ ଛାଡି ଆର ଦୁଇ ସୁନ୍ଦର ସୁକୁମାରଙ୍କର ଗଣ୍ଡିଠୁ ମୁଣ୍ଡକୁ ଅଲଗା କରିଦେଲା ସେ ପାପିଷ୍ଠ । ତାହା ପରେ ତାହାର କାହାଣୀରେ ପ୍ରୟୋଜନ ଶେଷ । ଉଭେଇ ଗଲା, ଯେମିତି ଆସିଥିଲା ସେମିତି । 

ପ୍ରାଚୀନ ଗଳ୍ପକଳାରେ ଉଭାନ୍ ବିଷୟଟିକୁ ଏକ ଚମତ୍କାର ବ୍ୟବହାରିକ କୌଶଳ ହିସାବରେ ବ୍ୟବହାର କରାଯାଇଛି । ଆଜି କାଲି କିଏ କିଏ ବି ସେମିତି କରନ୍ତି । ସେ ଯାହାହେଉ, ଏବେ ରାଜକନ୍ୟା ଏଇଠି ଦୁଇଟି ମୁଣ୍ଡ ଆଉ ଦୁଇଟି ଗଣ୍ଡି ସହ କ'ଣ କରିବ ? ଆକୁଳରେ କାନ୍ଦିବା ବ୍ୟତୀତ ଆଉ କିଛି କରିବାର ନାହିଁ ତାହାର । ରାଜକନ୍ୟାର କାନ୍ଦଣା ତମ ଆମର ଶଶିଦେଈ କାନ୍ଦ ନୁହଁ । ତାହାର ପ୍ରଭାବ କୋଟି ତପସ୍ୟାଠୁ ବଳି ।  ଏବେ ପୁଣି କାହାଣୀରେ ଉଭାନ୍ କୌଶଳର ପ୍ରୟୋଗ । ଉଭାନ୍ ହେବାକୁ ପହଞ୍ଚିଗଲେ ସ୍ୱୟଂ ବନଦେବୀ ।କହିଲେ, ଗଣ୍ଡି ଆଉ ମୁଣ୍ଡକୁ ଯୋଡି ତାହା ଉପରେ ପାଖ ଝରଣାର ପାଣି ଆଣି ଛିଞ୍ଚିଦେ । ବଞ୍ଚିଯିବେ । ରାଜକନ୍ୟା ଆମ କାହାଣୀର ପ୍ରାଚୀନ ବାର୍ବି ଡଲ୍, ତାହା କଲା । କାହାଣୀଟି ମଧୁରରେ ଶେଷ ହେଲା । ଦୁଇ ସାଙ୍ଗ ଗାଢ ନିଦରୁ ଉଠିଲା ପରେ କୁଣ୍ଢାକୁଣ୍ଢି ହେଲେ ।

ଦୁଇ ସାଙ୍ଗ ରାଜାପୁଅ ଆଉ ମନ୍ତ୍ରୀପୁଅ କଥାଟି ଜାଣି ପାରିଲେ ନାହିଁ । କିନ୍ତୁ ରାଜକନ୍ୟାର ଆଖିରେ ବିସ୍ମୟ । ଗୋଟିଏ ଭୁଲ ହୋଇଯାଇଛି । ରାଜକନ୍ୟାର ସାମ୍ନାରେ ଯେଉଁ ଦୁଇଟି ଜୀବନ୍ତ ଚରିତ୍ର ଏଇଲେ ଉପସ୍ଥିତ, ସେମାନେ ଏବେ ପ୍ରକୃତରେ ଗୋଟିଏ ଗୋଟିଏ ବିସ୍ମୟ ।ରାଜପୁତ୍ରର ମୁଣ୍ଡରେ ଲାଗିଛି ମନ୍ତ୍ରୀପୁଅର ଗଣ୍ଡି ଆଉ ମନ୍ତ୍ରୀପୁଅର ମୁଣ୍ଡରେ ରାଜାପୁଅର ଗଣ୍ଡି । ଘଟଣାକୁ ଜାଣିବା ପରେ ଦୁହେଁ ପରସ୍ପରକୁ ଅବାକ୍ ହୋଇ ଚାହିଁ ରହିଲେ । ସେହି ଅଗନାଅଗନି ବନସ୍ତରେ କୁଲାଟିଏ ଢାଉଁ କରି ପଡିଲା ଭଳି ସେତେବେଳେ କହିଥିଲା ଆମର ପରିଚିତା ରାଜକନ୍ୟା ଆନୁନାସିକ ଗଳାରେ, ଏଁ, ମୁଁ ଏବେ କିସ ବୁଦ୍ଧି କରିବି ? କିଏ ସେ ହବ ମୋ ଗର୍ଭରେ ବଢୁଥିବା ସନ୍ତାନର ପିତା ?

ସେଇଠି ପ୍ରଥମେ ପୃଥିବୀ ଜାଣିଲା ଯେ ଆମର ରାଜକନ୍ୟା ଗର୍ଭବତୀ । ଏମିତିରେ ଅନେକ ଗର୍ଭଜନିତ ଘଟଣାକୁ ନେଇ ଆମର ପ୍ରାଚୀନ କାହାଣୀ ଈର୍ଷାଦ୍ୱେଷ ଆଉ ହର୍ଷ ମୁଖର । ସମସ୍ତ ନିରିମାଖୀମାନେ ଯେମିତି କାଞ୍ଚନଫୁଲ ହୋଇ ଫୁଟିଯାଇଛନ୍ତି ଆମ କାହାଣୀର ବଗିଚାରେ, ଖାଲି ଅପେକ୍ଷା କରିଛନ୍ତି ଆମର ହାତବଢାଇବାର ଆକୁଳ ଡାକକୁ ।

ରାଜକନ୍ୟାର ସମସ୍ୟାର ସମାଧାନ ଆମ ହାତରେ ଅଗନାଅଗନି ବନସ୍ତରେ ନଥିଲା । ଆମ ହାତରେ ଥିଲେ ଆମେ ଉଭାନ୍ ତତ୍ତ୍ୱକୁ ପ୍ରୟୋଗ କରି ଦୈବୀବାଣୀଟିଏ ତ ସୃଷ୍ଟି କରି ସମସ୍ୟାର ସମାଧାନ କରିଦେଇଥାଆନ୍ତୁ । ତେଣୁ କାହାଣୀଟି ରାଜାଙ୍କ ଦରବାରକୁ ଗଲା ।ରାଜା ପାତ୍ରମନ୍ତ୍ରୀଙ୍କ ସହ ଢେର୍ ବିଚାର କଲେ । ଅବଶ୍ୟ ରାଜାପୁଅ ଓ ମନ୍ତ୍ରୀପୁଅର ପାରସ୍ପରିକ ଶରୀର ବିନିମୟଟି କ୍ଷମତାର ଅଳିନ୍ଦରେ ଏକ ସମନ୍ୱୟଭିତ୍ତିକ ଆନନ୍ଦର ସଞ୍ଚାର କରିଥିଲେ ହେଁ ସେଇ କଥା କହିବା ଭଳି ଆଧୁନିକ ଆମ ପ୍ରାଚୀନ କାହାଣୀକାର ମାନେ ନଥିଲେ।ଶେଷରେ ରାଜାଙ୍କ ବିଚାରରେ ନିଷ୍କର୍ଷ ଟି ହେଲା, ରାଜାପୁଅର ମୁଣ୍ଡ ଥିବା ଦେହଟି ରାଜକନ୍ୟାର ଆଗାମୀ ସନ୍ତାନର ବାପା । ମୁଣ୍ଡଟି ହେବ ଗଣ୍ଡିର ଏକମାତ୍ର ନିର୍ଣ୍ଣାୟକ । ମୁଣ୍ଡର ସାର୍ବଭୌମତ୍ୱକୁ ପ୍ରତିପାଦନ କରୁଥିବା ଏହି ଭାରତୀୟ କାହାଣୀକୁ ଉପଜୀବ୍ୟ କରି ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଜର୍ମାନ ଲେଖକ ଟମାସ୍ ମ୍ୟାନ୍ "ଦି ଟ୍ରାନସପୋଜଡ୍ ହେଡସ୍"ବୋଲି ଉପନ୍ୟାସଟିଏ ଲେଖିଛନ୍ତି ।

ମୁଣ୍ଡର ପ୍ରାଧାନ୍ୟ ଆମ ସମାଜରେ ସବୁବେଳେ ରହିଆସିଛି । ଆପଣ ଦେଖିବେ ଆମର ବର୍ଣ୍ଣ ବ୍ୟବସ୍ଥାରେ ଯିଏ ଯେତିକି ଶାରିରୀକ ଶ୍ରମ କରେ, ତାହାର ବର୍ଣ୍ଣ ସେତିକି ତଳେ । ସେହି ଦୃଷ୍ଟିରୁ ଆମର ଏଇଠି ଯେତେକ କବି ଅଛନ୍ତି, ସେମାନେ ସମସ୍ତେ ବ୍ରାହ୍ମଣ, ଆଉ ଆମେ ଗଦ୍ୟଲେଖକ ମାନେ ଜାତିରେ ଶୁଦ୍ର । ଆମର ସ୍ଥାନଟି ତେଣୁ ତଳେ ରହିବା ନିଧାର୍ଯ୍ୟ ।

ମୁଣ୍ଡ ସମ୍ପର୍କରେ ପୃଥିବୀର ସବୁଠାରୁ ଅପରିଷ୍କାର ସ୍ୱୈରାଚାରୀ ଜଣକ ଗୋଟିଏ ବିପ୍ଳବ ଆରମ୍ଭ କରିଥିଲେ ତାଙ୍କ ରାଜ୍ୟରେ । ସେଇ ଅପରିଷ୍କାର ସ୍ୱୈରାଚାରୀ ଜଣକ ହେଉଛନ୍ତି ଚୀନ୍‌ର ଚେୟାରମାନ୍ ମାଓ ସେ ତୁଙ୍ଗ୍ । ଅପରିଷ୍କାର ଏଇଥିପାଇଁ ଯେ, ସେ କଦବା କ୍ୱଚିତ ଗାଧୋଇବାକୁ ଇଚ୍ଛା କରିଥାନ୍ତି । ତାଙ୍କର ସେଇ କ୍ୱଚିତ ଗାଧୋଇବା କଥାଟି କହିବାକୁ ସେତେ ରୁଚିକର ନୁହଁ । ଉଲଗ୍ନ ନାରୀମାନେ ଦେହରେ ସ୍ପଞ୍ଜ୍‌ର ଓଦା ଜାକେଟ୍‌ମାନ ଗଳାଇ ମାଓଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଯେତିକି ଓଦା କରିଥାନ୍ତି ସେତିକି ହେଉଛି ତାଙ୍କର ଗାଧୁଆ । ସେ ଜୀବନରେ କେବେ ଦାନ୍ତ ଘଷି ନାହାଁନ୍ତି । ଇଚ୍ଛା ହେଲେ ଚା'ରେ କୁଳୁକୁଞ୍ଚା କରନ୍ତି ବେଳେ ବେଳେ । ସେଇଥିପାଇଁ ଏଇ କ୍ଷମତାବାନ ସ୍ୱୈରାଚାରୀ ଜଣକଙ୍କର ଦାନ୍ତଗୁଡିକ ନିହାତି ଶ୍ରୀହୀନ ଥିଲେ । 

ତାହା ଛଡା ଚେୟାରମ୍ୟାନ ମାଓ ଝାଡା ଗଲା ପରେ ଆଦୌ ପାଣି ଢାଳୁ ନଥିଲେ । ଏପରିକି ତାଙ୍କର ପ୍ରାସାଦର ବଗିଚାରେ ଗୋଲାପ ଗଛର ମୂଳରେ ନିଃସଙ୍କୋଚରେ ଝାଡା ଫେରିବାର ବିରଳ ପାର୍ଥୀବ କୃତିତ୍ୱଟି ଏଇ ଏସୀୟ ସ୍ୱୈରାଚାରୀର ରହିଛି । କୌଣସି ମୋଗଲ୍ ନରପତି ଭଳି ହଜାରେରୁ ଅଧିକ ରମଣୀଙ୍କ ଅନ୍ତରଙ୍ଗ ସାନ୍ନିଧ୍ୟରେ ରହୁଥିବା ମାଓଙ୍କ ମୁହଁର ଭାଷା ତାଙ୍କର ମୁହଁ ଭଳି ଦୁର୍ଗନ୍ଧଯୁକ୍ତ । ତାହାର ଉଦାହରଣକୁ ଡ୍ୟାସ୍ ଡ୍ୟାସ୍ ରେ ଲେଖିବା ରୁଚିକୁ ବାଧିବ । ତାଙ୍କର ପ୍ରିୟତମ ଆନନ୍ଦ ଥିଲା ଯେକୌଣସି ସ୍ଥାନରେ ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ସଭା ସମିତିରେ ସଶବ୍ଦରେ ପଶ୍ଚାତ୍‌ବାୟୁ ତ୍ୟାଗ କରିବା । ଯଦି ତମ ମୁହଁରେ ତାହା ଦୁର୍ଗନ୍ଧ ବୋଲି ଚେୟାରମ୍ୟାନ ମାଓ ପଢିନେଲେ, ତାହା ହେବ ତମର ପୃଥିବୀର ଶେଷ ଦିନ ।

ସେହି ମହାନ କ୍ଷମତାଶାଳୀ ସ୍ୱୈରାଚାରୀ ମାଓ ମୁଣ୍ଡକୁ ପରିଷ୍କାର କରି ରଖିବା ପାଇଁ ଗୋଟିଏ ବିପ୍ଳବର ଆହ୍ୱାନ ଦେଇଥିଲେ । ତାହାକୁ ସାଂସ୍କୃତିକ ବିପ୍ଳବ ବୋଲି କୁହାଯାଏ । ଗୋଟିଏ ସର୍ବହରାର ଗଣ୍ଡି ଉପରେ ବୁର୍ଜୁଆ ମୁଣ୍ଡଟିଏ ଗଜୁରି ଉଠି ପାରେ, ଆଉ ସେଇ ପ୍ରକାର ମୁଣ୍ଡଟିକୁ ବିଶୋଧନ କରିବା ପାଇଁ ମାଓ ସାଂସ୍କୃତିକ ବିପ୍ଳବର ପରିକଳ୍ପନା ।

ଏବେ ଆସିବା ମୂଖ୍ୟ ପ୍ରସଙ୍ଗକୁ । ଗଣ୍ଡି, ମୁଣ୍ଡ, ଚୀନ୍ ଆଉ ଗାଳି, ଏହାର ପ୍ରାସଙ୍ଗିକତାଟି କେଉଁଠି ?

ଛବିରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ଯେଉଁ ମୁଣ୍ଡଟି ଏଇଠି ସଂଲଗ୍ନ କରାଯାଇଛି, ସେଇଠି କିଛି ପରିମାଣରେ ରହିଛି ଏଇ ପ୍ରସଙ୍ଗ ।

ଏଠାରେ ନିବେଦିତ ନିମ୍ନ ଲିଖିତ ତଥ୍ୟ ଇଂରେଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସରୁ, ୨୦୧୫ ଅକ୍ଟୋବର ୨୦ ସଙ୍ଖ୍ୟାରୁ ଗୃହିତ ।

ଆପଣ ଜାଣନ୍ତି ଆମର ପୋଷାକପ୍ରିୟ ପ୍ରଧାନମନ୍ତ୍ରୀ ଗୁଜୁରାଟର ନର୍ମଦା ଜିଲ୍ଲାର ସାଧୁ ବେତ୍ ବୋଲି ଜାଗାରେ "ଷ୍ଟାଚ୍ୟୁ ଅଫ୍ ୟୁନିଟି" ନାମରେ ପୃଥିବୀ ସବୁଠାରୁ ବଡ଼, ଅର୍ଥାତ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭଭାଇଙ୍କର ଏକ ପ୍ରତିମା ନିର୍ମାଣର ପରିକଳ୍ପନା କରିଛନ୍ତି । ତିନି ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟ୍ଟକଳରେ ତିଆରି ହେବାକୁ ଥିବା ଲୌହମାନବଙ୍କର ପ୍ରତିମା ନିର୍ମାଣ କାମଟି ବିଶିଷ୍ଟ କମ୍ପାନୀ ଲାର୍ସନ ଆଣ୍ଡ୍ ଟୁବ୍ରୋ କୁ ଦିଆଯାଇଛି । ସେଇ ଅନୁସାରେ ଭାରତରେ ପ୍ରତିମାର ଗଣ୍ଡି ଅଂଶର କାମ ଚାଲିଛି ।

ଆମର କଥାଟି ହେଉଛି ସର୍ଦ୍ଦାର ଙ୍କ ମୁଣ୍ଡକୁ ନେଇ । ଏଇ ମୁଣ୍ଡ ଭାଗଟି ଅନ୍ୟତ୍ର ପ୍ରସ୍ତୁତ ହୋଇ ଆସିଛି ଏଠାରେ ଯୋଡା ହେବା ପାଇଁ ।ସର୍ଦ୍ଦାରଙ୍କର ଏଇ ସୁନ୍ଦର ମୁଣ୍ଡଟିକୁ ନିର୍ମାଣ କରିଛନ୍ତି ଜିଆଙ୍ଗକ୍ସି ଟକ୍ୟୁଇନ୍ ମେଟାଲ୍ କ୍ରାଫ୍ଟସ୍ କର୍ପୋରେସନ୍, ଯାହା ଚୀନ୍ ର ନାନଚାଙ୍ଗ୍ ପ୍ରଦେଶରେ ଅବସ୍ଥିତ ।

ଏହାପରେ ଚୀନ୍‌ର ମୁଣ୍ଡ ଆଉ ଭାରତର ଗଣ୍ଡିକୁ ନେଇ ଅନେକ ରାଜନୈତିକ ମୁଣ୍ଡଖେଳ ଚାଲିବ, ଯାହାଠୁ ଶହେ କୋଶ ନିରାପଦ ଦୂରତ୍ୱରେ ରହିଥିବେ ସାଧାରଣ ଜନତା, ନିଜର ତେଲ ଲୁଣର ସଂସାରରେ । ସେମାନେ ଅନେକାଂଶରେ ବିଶ୍ୱାସ କରନ୍ତି, ବୁଦ୍ଧଙ୍କର ସେଇ କଥାରେ, ଯେଉଁଠି କୁହାଯାଇଛି ଦିବ୍ୟଜ୍ଞାନ ଲଭିବାର ପ୍ରାଥମିକ ଆବଶ୍ୟକତା ହେଉଛି,  ସୁସ୍ଥ ମୁଣ୍ଡଟି ସହ ସୁସ୍ଥ ଗଣ୍ଡିଟିଏର ସଞୋଜନ ।

ପୃଥିବୀର ସବୁଠୁ ମଧୁରତମ ଗାଳି ଟି ଆପଣମାନେ ଜାଣନ୍ତି । ତାହା ହେଉଛି, ତୋ ମୁଣ୍ଡ ଆଉ ଗଣ୍ଡି । ନୁହଁ ?