Thursday, November 15, 2018

ବାଲେଶ୍ୱରର ପିଲାଙ୍କ ଗୀତ -  'ଗଡ଼ିଆର ଚାରି ପାଖେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

ଚିତ୍ର - 'କପା ତୋଳାଳୀ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ୱିଲିଅମ୍ ୱାକର୍ (୧୮୩୯ - ୧୯୨୧)

ଗଡ଼ିଆର ଚାରି ପାଖେ ବୁଣିଲି ସୋରିଷ
ସୋରିଷର ମଜା ନେଲା ମହୁରାଳି ମାଛ ।

ଗଡ଼ିଆର ଚାରି ପାଖେ ବୁଣିଲି ଧନିଆ
ଧନିଆର ମଜା ନେଲା ବିଦେଶୀ ବଣିଆ ।

ଗଡ଼ିଆର ଚାରି ପାଖେ ବୁଣିଲି ମୁଁ କପା
ଡାଳ ଭାଙ୍ଗି ଫୁଲ ତୋଳିଲା ରାଧିକାର ଅପା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, November 14, 2018

ଚଣ୍ଡିଖୋଲ ଅଞ୍ଚଳର ପିଲାଙ୍କ ଗୀତ -  'ସାତ ତାଳ ପାଣି ତଳେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାତ ତାଳ ପାଣି ତଳେ
ଶଙ୍ଖ ମଲ ମଲ ଘରେ
ତୁଳି ଶେଯ ଉପରେ ଶୋଇ
ମୋ କୁନୁ ଦେଖେ ସପନ
ଘୋଡ଼ା ଚଢ଼ି ଆସୁଛନ୍ତି
ମୋର କୁନି ରତନ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, November 12, 2018

ପିଲାଙ୍କ ପାଇଁ କବିତା - 'ଖରା ଯେ ଖରା'

କବି - ଜଗନ୍ନାଥ ପ୍ରସାଦ ଦାସ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଝାରସୁଗୁଡ଼ାରେ ଗରମ ଅତି
ଖଇ ଫୁଟୁଥାଏ ଏ ଭଳି ତାତି ।

ସେ ଦିନ ଦେଖିଲି ମଝି ସଡ଼କ
ଧପାଲି ଚାଲିଛି ଗୋଟିଏ ଲୋକ ।

ଦିନ ଦି' ପହରେ ପ୍ରବଳ ଖରା
ତରଳି ଗଲାଣି ଦେହଟା ପୂରା,

ତଥାପି ଆଗକୁ ଯାଇଛି ମାଡ଼ି
ତରତର ତା'ର ଚୁଟିଟି ଖାଲି । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Sunday, November 11, 2018

ପିଲାଙ୍କ ପାଇଁ କବିତା - 'ଲୁଚାଛପା'

କବି - ଜଗନ୍ନାଥ ପ୍ରସାଦ ଦାସ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚୁପଚାପ ରହିଥାଏ କାହାକୁ ମୁଁ ନ ଜଣାଇ କିଛି
କାହିଁକି କହିବି କହ କାହା ସାଙ୍ଗେ କଥା ମିଛାମିଛି ? 

ତମେ ଯଦି ପଚାରିବ ଜାଣିବାକୁ କ'ଣ ମୋର ନାମ
ମୁଁ କହିବି, "କହିବିନି କେବେ ହେଲେ ମୋର ନାଁ ରାମ?"

ତମେ ଯଦି ପଚାରିବ ଜାଣିବାକୁ କେତେ ମୋ ବୟସ
ମୁଁ କହିବି, "କିସ ହେବ ଜାଣିଲେ ମୋ ବୟସ ତେଇଶ ।"

କ'ଣ କରୁଛି ବୋଲି ଲାଗିଛ ମୋ ପଛେ, ଆଚ୍ଛା ଲୋକ !
ହେଲା, ନିଅ, ଶୁଣ ଏଇ କବିତାର ଆଠ ଧାଡ଼ି ଯାକ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, November 10, 2018

ପିଲାଙ୍କ ପାଇଁ କବିତା - 'କାଇଲା ଝିଅ'

କବି - ଜଗନ୍ନାଥ ପ୍ରସାଦ ଦାସ

ଚିତ୍ର - 'ନିଆଁ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ଜନ୍ କୋଲିଅର୍ (୧୮୫୦ - ୧୯୩୪)

ଯେ ଯାହା ଦେଲା ଖାଇଲା
ଯେଉଁଠି ହେଲେ ଶୋଇଲା
ନିଆଁରେ ଜଳି ଘାଇଲା
ବାପ ଘରକୁ ଯାଇଲା ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Friday, November 09, 2018

ପିଲାଙ୍କ ଖେଳ ଗୀତ -  'ତାଇ ତାଇ ତାଇ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

ଉତାଗାୱା କୁନିସାଦା ଓ ହିରୋସିଗେଙ୍କର ଯୁଗ୍ମ ଚିତ୍ର (ଉନବିଂଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତାଇ ତାଇ ତାଇ
ମାମୁଁ ଘର ଯାଇ
ମାମୁ ଦେଲା ଦହି
ଗୁହାଳେ ବସି ଖାଇ
ମାଈଁ ଅଇଲା ଝାଣ୍ଟା ଲେଇକି
ଦଉଡ଼ି ପଳାଇ ଯାଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, November 08, 2018

ପିଲାଙ୍କ ଖେଳ ଗୀତ -  'ଅଟର ମଟର କାଉଁରିଆ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

କାଉଁରିଆ ଯୋଗାଉ ଥିବା ନଳିତା ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଅଟର ମଟର କାଉଁରିଆ
ତୋ ପୁଅ ନାଁ ବାଉରିଆ ।

ବାଉରିଆ ଗଲା ମାଛ ଧରି
ଆଣିଲା ଶେଉଳ ଗୋଟେ ମାରି ।

ଅଧେ କଲା ଭଜା, 
ଅଧେ କଲା ସିଝା,
ତୋ' ଭଉଣୀ ରାଣୀ ଲୋ, 
ମୋ' ଭାଇ ରଜା ।

ରଜା ପୁଅ ବଗୁଲା
ସେଇଟା ବଡ଼ ଚଗଲା ।
ଆସିଲା ଦିନେ ଘୋଡ଼ା ଚଢ଼ି
ପଡ଼ିଲା ସେ ମୁହଁ ମାଡ଼ି ।

ବାଜିଲା ଢୋଲ ବାଜା,
ପିଲେ ମାଇଲେ ମଜା,
ତୋ' ଭଉଣୀ ରାଣୀ ଲୋ, 
ମୋ' ଭାଇ ରଜା  ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।