Thursday, August 31, 2017

ଡାକବଙ୍ଗଳାରେ ରାତି


କବି - ଜଗନ୍ନାଥ ପ୍ରସାଦ ଦାସ


୧୯୧୨ର ଆନିମେଶନ ସିନେମା, 'ହାଓ ଏ ମସ୍କିଟୋ ଅପରେଟସ୍', ର ଏକ ସ୍ଥିରଚିତ୍ର
ନିର୍ଦ୍ଦେଶକ - ଜିନାସ୍ ୱିନ୍ସର୍ ମ୍ୟାକ୍କେ (୧୮୬୯-୧୯୩୪)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଛଣା ଉପରେ ଶୋଇ ଲିଭାଇଛି ଲଣ୍ଠନ
ଓହ୍ଲାଇଲେ ଦେଢ଼ ଲକ୍ଷ ମଶାଙ୍କର ସ୍କ୍ୱାଡ଼୍ରନ
ଧରିଲେ ଉଡ଼ାଇ ନେବେ ସାଥିରେ
ଭାଗ୍ୟକୁ ମତେ ଟାଣି ରଖିଲେ
ବିଛଣାର ଦୁଇ ଲକ୍ଷ ଓଡ଼ଶଙ୍କ ପଲଟଣ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Tuesday, August 29, 2017

ମାଛ ଧରାଳୀ

କବି - ଜଗନ୍ନାଥ ପ୍ରସାଦ ଦାସ


ପଶୁ ପାଦର ଚପଲ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୋଖରୀ ବନ୍ଧରେ ଛଅ ଜଣ ସାଙ୍ଗ ବନଶୀ ନେଇ
ପାଖାପାଖି ହୋଇ ବସିଥିଲେ ମାଛ ଧରିବା ପାଇଁ ।

ରାମର କଣ୍ଟାରେ ବାଳିଆ ପଡ଼ିଲା
ଶ୍ୟାମର କଣ୍ଟାରେ ଭାକୁର
ହରକୁ ମିଳିଲା ମିରିକାଳି ମାଛ
ହରିକୁ ମିଳିଲା ମାଗୁର ।

ଆଉ ଦି ଜଣଙ୍କୁ ମିଳିଥାନ୍ତା ହେଲେ
ମୀନ ଦଣ୍ଡକିରି ଚିଙ୍ଗୁଡ଼ି
ତୋଡ଼ି ଅବା ଗେଣ୍ଡା କୋଚିଆ ଶାମୁକା
କିଛି ବି ନ ହେଲେ ବେଙ୍ଗୁଲି !

କପାଳ ଖରାପ ଯଦୁ ବନଶୀରେ
ଧରାଦେଲା ପଚା ଆପଲ
ମଧୁ ବିଚରାର କଣ୍ଟାରେ ଉଠିଲା
ପୁରୁଣା ହାୱାଇ ଚପଲ ।

ଉତ୍ସ - ଅନାବନା । ୨୦୦୮, ପ୍ରଥମ ସଂସ୍କରଣ । ପ୍ରକାଶକ - ଇଙ୍କ ଓଡ଼ିଶା । ଭୁବନେଶ୍ୱର ।

Friday, August 25, 2017

ନାମ ବନାମ


କବି - ଜଗନ୍ନାଥ ପ୍ରସାଦ ଦାସ


ମୋସେ ଶୁଆ (୨୦୦ ଖ୍ରୀଷ୍ଟାବ୍ଦ)
ପେରୁ ଦେଶର ଲିମା ଠାରେ ସ୍ଥିତ ଲାର୍କୋ ସଙ୍ଗ୍ରହଳାୟରେ ଅବସ୍ଥିତ

ସିଂହର ଶିଙ୍ଘ ନାହିଁ
ହାତ ନାହିଁ ହାତୀର
ବଳଦର ବଳ ନାହିଁ
ପାତ ନାହିଁ ପାତିର ।

ଛାର ନୁହେଁ ଛାରପୋକ
ଥୋଡ଼ ନାହିଁ ଥୋଡ଼ାର
ଭଲ ନୁହେଁ ଭଲ୍ଲୁକ
ଖାଲି ଦେହ ଘୋଡ଼ାର ।

ଗଣ୍ଡା ପାଖରେ ନାହିଁ
କଡ଼ାଏ ବି କଉଡ଼ି
ବସି ରହିଥାଏ ଶୁଆ
ଗୋ ଆସି ଦଉଡ଼ି  ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Wednesday, August 23, 2017

ପ୍ରଫେସର କର


କବି - ଜଗନ୍ନାଥ ପ୍ରସାଦ ଦାସ


ସେରେଲକ ହୋମସ୍ ସିରିଜର ଖଳଚରିତ୍ର ପ୍ରଫେସର ମରିଆର୍ଟି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଥିଲେ ଖର ପ୍ରକୃତିର ପ୍ରଫେସର କର
ପିତ୍ତ ଚଢ଼ୁଥିଲା ସଦା ମଥାଙ୍କୁ ତାଙ୍କର;
ରାଗେ ହୋଇ ଗରଗର
ମୁଣ୍ଡରୁ ଛିଣ୍ଡାନ୍ତି ବାଳ,
ଅତି ଶୀଘ୍ର ହୋଇଗଲେ ସମ୍ପୂର୍ଣ୍ଣ ଟାଙ୍ଗର ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Monday, August 21, 2017

ତିନି ମଞ୍ଚିକା


କବି - ଜଗନ୍ନାଥ ପ୍ରସାଦ ଦାସ



ମରିଶସ ଦେଶର ତ୍ରୁଆ ମାମାଲେସ୍ ପାହାଡ଼ର ଚିତ୍ର (୧୮୧୨)
ବ୍ରିଟିଶ ଲାଇବ୍ରେରୀର ସଙ୍ଗ୍ରହ : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତିନି ମଞ୍ଚିକା
ପର୍ବତ ଉପରେ ବସି ରହିଥାଏ
ସଞ୍ଚି ସଞ୍ଚିକା ।

ଦୁଇ ଦୁବଳିଆ ପାଖରେ ପାଇଲେ 
ଚୋବାଇ ଖାଏ
ଚାରି ଚୁଳିଆକୁ ଦୂରରୁ ଦେଖିଲେ
ପଳାଇ ଯାଏ
ଘୁଞ୍ଚି ଘୁଞ୍ଚିକା ।

ପର୍ବତ ଖୋପରେ ଲୁଚି ରହିଥାଏ
ତିନି ମଞ୍ଚିକା
ତିନି ମଞ୍ଚିକା

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Sunday, August 20, 2017

କାଉ କାଉ


କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭୀଷଣ ଭୋକରେ ହାଉଁ ହାଉଁ 
କାଉ କରୁଥିଲା ରାଉ ରାଉ
କବି ତା' ପାଇଁ ଖୋଜି ଆଣି ଦେଲା
ଚୀନା ହୋଟେଲରୁ ଚାଉ ଚାଉ;
କାଉ ବି ଚାଲାକ କବି ମନ ବୁଝି
ଖାଇ ଦେଲା ତାକୁ ଟାଉ ଟାଉ । 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Thursday, August 17, 2017

ଉତ୍ତମ ମଧ୍ୟମ


କବି - ଜଗନ୍ନାଥ ପ୍ରସାଦ ଦାସ


ପାଞ୍ଚ ପ୍ରକାରର କୁକୁରଙ୍କର ଚିତ୍ର (୧୫୪୭ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କେଉଁ ଡାକଟି ସବୁଠୁ ଖର
କୁକୁର କହିଲା, ଭୋ ଭୋ
କେଉଁ ତମାଖୁ ସବୁଠୁ ଭଲ
ବିଲୁଆ କହିଲା, ହୁକା ହୋ ।

କେଉଁ ଗୀତଟି ସବୁଠୁ ମିଠା
ବେଙ୍ଗ କହିଲା, କଟର କେଁ
କେଉଁ ମାସଟି ସବୁଠୁ ଚିଟା
ଛେଳି କହିଲା, ମେ ମେ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।