Friday, November 17, 2017

ଭାରତରେ ବିବିଧତା



ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭାରତ ବିବିଧତାରେ ଭରା ଗୋଟିଏ ଦେଶ । ଆମେ ନାନା ପ୍ରକାରର ଭାଷାରେ କଥାବାର୍ତ୍ତା କରୁ । ଆମେ ଅନେକ ଭିନ୍ନଭିନ୍ନ ପ୍ରକାରର ଖାଇବା ଜିନିଷ ଖାଉ । ଆମେ ନାନାଦି ପର୍ବପର୍ବାଣୀ ପାଳନ କରୁ ଓ ଅଲଗା ଅଲଗା ଧର୍ମ ଆଚରଣ କରୁ । କିନ୍ତୁ ତୁମେ ଯଦି ଏ ବିଷୟରେ ଭାବି ବସିବ ତାହାହେଲେ ତୁମର ଏହା ଅବବୋଧ ହେବ ଯେ ଆମେ ଅନେକ ଏପରି ଜିନିଷ କରୁ ଯାହା ପ୍ରାୟତଃ ଏକା ପ୍ରକାରର । ମାତ୍ର କେବଳ ଆମେ ତାହା ଅଲଗା ଅଲଗା ଭାବରେ କରୁ ।... ଦୁଇଶହ ବର୍ଷର ଆଗର ସମୟ କାଳରେ - ରେଳଗାଡ଼ି, ଉଡାଜାହାଜ, ବସ୍ କିମ୍ବା କାର୍ ଆମର ଜୀବନର ଅଂଶ ବନିବା ଆଗରୁ - ଲୋକେ ଦୁନିଆର ଗୋଟିଏରୁ ଅନ୍ୟ ଭାଗକୁ ଜାହାଜରେ, ଘୋଡ଼ାରେ, ଓଟରେ ବା ଚାଲିଚାଲି ଯାଉଥିଲେ ।

ଅନେକ ସମୟରେ ଲୋକେ ନୂଆ ଜେଗା ଖୋଜି ଯାଉଥିଲେ; ସେ ବସା ବାନ୍ଧି ରହିବା ପାଇଁ ହେଉ, ନହେଲେ ବେପାର ବଣିଜ କରିବା ପାଇଁ ହେଉ । ଯେହେତୁ ଯାତାୟାତ କରିବା ପାଇଁ ଏତେ ସମୟ ଲାଗୁଥିଲା, ଯେ ଥରେ ଲୋକେ ଗୋଟିଏ ଜେଗାକୁ ଗଲେ ସେହିଠାରେ ହିଁ ରହିଯାଉଥିଲେ, ଅଧିକାଂଶ ସମୟରେ ଦୀର୍ଘ କାଳ ପାଇଁ । ଅନେକ ଲୋକ ଘର ଛାଡ଼ି ଯାଉଥିଲେ କାରଣ ଦୁର୍ଭିକ୍ଷ ଓ ମରୁଡ଼ି କାରଣରୁ ଖାଦ୍ୟାଭାବ ଦେଖା ଦେଉଥିଲା । କିଛି ଲୋକ କାମ ଖୋଜି ବିଦେଶ କରିଯାଉଥିଲେ, ତ ଅନ୍ୟମାନେ ଯୁଦ୍ଧଯୋଗୁଁ ବାସ୍ତୁହରା ହୋଇ ଦେଶ ଛାଡ଼ୁଥିଲେ ।

ନୂଆ ଜେଗାରେ ଘର କରି ରହିଲା ପରେ, ବେଳେବେଳେ ଲୋକଙ୍କୁ ଟିକେ ବଦଳିବାକୁ ହେଉଥିଲା । କେତେବେଳେ ସେମାନେ ନିଜ ଭାବରେ ଚିରାଚରିତ ପୁରୁଣା ପରମ୍ପରାକୁ ଧରି ମଧ୍ୟ ଚଳିଯାଇପାରୁଥିଲେ । ଏହିପରି ଭାବରେ ତାଙ୍କର ଭାଷା, ଖାଦ୍ୟପେୟ, ସଙ୍ଗୀତ ଓ ଧର୍ମ ଇତ୍ୟାଦିରେ ନୂଆ ଓ ପୁରୁଣା ଫେଣ୍ଟାଫେଣ୍ଟି ହୋଇ, ଖେଚେଡ଼ି ହୋଇ, ଏହି ସାଂସ୍କୃତିକ ମିଶ୍ରଣରୁ କିଛି ନୂତନ ଓ ଭିନ୍ନ ମଧ୍ୟ ବାହାରୁ ଥିଲା ।

ଅନେକ ଜାଗାର ଇତିହାସ ଆମକୁ ଏହା ଦର୍ଶାଏ ଯେ ସେଠିକାର ଜନଜୀବନ ଓ ସଂସ୍କୃତି କେତେ ଭିନ୍ନଭିନ୍ନ ପ୍ରକାରର ସାଂସ୍କୃତିକ ପ୍ରଭାବରୁ ତିଆରି ହୋଇଛି । ନିଜର ଅନନ୍ୟ ସଂସ୍କୃତି ଯୋଗୁଁ ଅଞ୍ଚଳଗୁଡ଼ିକ ମଧ୍ୟରେ ବିବିଧତା ଦେଖାଯିବା ଆରମ୍ଭ କଲା ।ସେହିପରି ଭାବରେ, ଲୋକେ ନିଜର ଭୌଗଳିକ ପରିବେଶ ସହିତ ଖାପ ଖୁଆଇ ଚଳିବାକୁ ଲାଗିଲେ, ସେହି ପ୍ରକ୍ରିୟାରୁ ମଧ୍ୟ ବିବିଧତା ସୃଷ୍ଟି ହୁଏ । ଉଦାହରଣ ସ୍ୱରୂପ, ସାଗର କୂଳରେ ଜୀବନଧାରଣ କରିବା ଓ ପର୍ବତାଞ୍ଚଳରେ ବସବାସ କରିବା ଦୁଇଟି ପୂରା ଅଲଗା ଜିନିଷ ।

ଖାଲି ଏହା ନୁହେଁ ଯେ ଲୋକଙ୍କର ଖାଦ୍ୟପେୟ ଓ ପୋଷାକ ଇତ୍ୟାଦି ଅଲଗା । ସେମାନେ ଯେଉଁ କାମ ସବୁ କରି ପରିବାର ପୋଷନ୍ତି, ସେଗୁଡ଼ିକ ମଧ୍ୟ ଭିନ୍ନଭିନ୍ନ । ସହରମାନଙ୍କରେ ଅନେକ ସମୟରେ ଏହା ମନେରଖିବା କଷ୍ଟକର ହୋଇପରେ କି କେତେମାତ୍ରାରେ ଆମର ଜନଜୀବନ ଆମର ଭୌତିକ ବାତାବରଣ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଏହାର କାରଣ ହେଲା କି ସହରବଜାରମାନଙ୍କରେ ଲୋକେ ପ୍ରାୟତଃ ନିଜର ଖାଦ୍ୟଶସ୍ୟ ଓ ପନିପରିବା ଇତ୍ୟାଦି ନିଜେ ଚାଷକରି ଉପୁଯାଆନ୍ତି ନାହିଁ । ସେମାନେ ବଜାରରୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟ ଆବଶ୍ୟକୀୟ ଜିନିଷ ବଜାରରୁ ହିଁ କିଣନ୍ତି ।... ବିଭିନ୍ନ ସଂସ୍କୃତିର ପ୍ରଭାବ ପଡ଼ିବା କେବଳ ଅତୀତର କଥା ନୁହେଁ । ଆମର ସମସାମୟିକ ଜୀବନରେ ମଧ୍ୟ ଆମେ ଯେତେବେଳେ ଜୀବିକା ଅର୍ଜନ ପାଇଁ ସ୍ଥାନରୁ ସ୍ଥାନାନ୍ତର ହେଲାବେଳେ ଆମର ସାଂସ୍କୃତିକ ପରମ୍ପରା ଓ ଜୀବନଶୈଳୀ ଆମର ନୂଆ ବାସସ୍ଥାନର ଅଂଶବିଶେଷ ବନିଯାଏ । ସେହିପରିଭାବରେ ଆମେ ଆମର ନିଜର ପଡ଼ିଶାରେ ମଧ୍ୟ ଭିନ୍ନଭିନ୍ନ ଜନଗୋଷ୍ଠୀର ଲୋକମାନଙ୍କ ସହିତ ମିଶି ଚଳୁଛୁ । ପରସ୍ପରର କାମ କରିବାର ବାଟ ବିଷୟରେ ଜାଣିବା ତଥା ନିଜର ଓ ଅନ୍ୟର ଜୀବନ, ପରମ୍ପରା ଓ ଚଳଣୀ ବିଷୟରେ ଗପଟିମାନ ଶୁଣିବାରେ ଆମେ ଆମର ଦୈନନ୍ଦିନ ଜୀବନ ଅତିବାହିତ କରୁ । 

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମାଜ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ୍ ଆଣ୍ଡ୍ ପଲିଟିକାଲ ଲାଇଫ୍ - ୧' ର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ । 

No comments:

Post a Comment