Saturday, September 08, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୨'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ଥମାସ ବାବିଙ୍ଗଟନ ମାକଲେ (୧୮୦୦-୧୮୫୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତତ୍‌ପରେ ସେ ଅସହଯୋଗ ଅନୁଷ୍ଠାନଗୁଡ଼ିକର ଦୁଇଟି ରୂପ ବିଷୟରେ କହିଲେ । ସରକାର ସହିତ ସବୁ ପ୍ରକାର ଫଟକ ତୁଟାଇ ଦେବା ଫଳରେ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକ ଅଭବାତ୍ମକ ଦିନଟି ହାସଲ କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଛାଡ଼ି ଦେବାକୁ ଯେଉଁ ଛାତ୍ର ଓ ଶିକ୍ଷକମାନଙ୍କୁ ସେ ଆହ୍ୱାନ କରି ଥିଲେ, ସେମାନଙ୍କ ବିଷୟ ଭାବି ସେ ଅନୁତପ୍ତ ନୁହନ୍ତି । ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କର ପୂର୍ବ ଅନୁଷ୍ଠାନକୁ ଫେରି ଯାଇଛନ୍ତି, ଅସନ୍ତୁଷ୍ଟ ଓ ଦୁଃଖିତ ହୋଇଛନ୍ତି ବୋଲି ସେ ମଧ୍ୟ ଅନୁତପ୍ତ ନୁହନ୍ତି । ସେହିମାନଙ୍କ ପାଇଁ ସେ ଟିକିଏ ଦୁଃଖିତ ହୋଇଥିଲେ କାରଣ ସେମାନଙ୍କ ପ୍ରତି ତାଙ୍କର ଗଭୀର ସହାନୁଭୂତି ଥିଲା । ମାତ୍ର ସେ ଏଥିପାଇଁ ଅନୁତପ୍ତ ନୁହନ୍ତି ।

“ଏହି ସବୁ ଦୁଃଖ-କଷ୍ଟ ପ୍ରତିଦିନ ଆମକୁ ଭୋଗିବାକୁ ହେବ ଏବଂ ଆମର ଭୋଗିବା ଉଚିତ ମଧ୍ୟ । ସତ୍ୟପାଳନ ଗୋଲାପ-ପୃଷ୍ପର ଶଯ୍ୟାରେ ଶୟନ ପରି ଯଦି ପ୍ରୀତପ୍ରଦ ହୋଇ ଥାଆନ୍ତା, ବିନା ଆୟାସରେ ସୁଖେ ସହଜେ ଯଦି ଏହା ମିଳି ଯାଉଥା'ନ୍ତା, ତେବେ ସତ୍ୟପାଳନରେ ଆଉ କୌଣସି ସୌନ୍ଦର୍ଯ୍ୟ ବା ସରସତା ନ ଥା'ନ୍ତା । ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ୟ ସତ୍ୟପଥରେ ଆମକୁ ଦୃଢ଼ ରହିବାକୁ ହେବ । ସତ୍ୟ ଅନୁସରଣ କରିବାକୁ ଯାଇ ସମୁଦାୟ ପୃଥିବୀ ସହିତ ଭାରତକୁ ଯଦି ହରାଇବାକୁ ପଡ଼େ, ସେଥିରେ ଯାଏ ଆସେ କଣ ? 

ଈଶ୍ୱରଙ୍କର କୃପାରେ ଭାରତକୁ ମିଶାଇ ଆମ୍ଭମାନଙ୍କର ପ୍ରିୟ ବସ୍ତ୍ରଗୁଡ଼ିକ ଫେରି ପାଇବୁଁ, ଏହି ଦୃଢ଼ ବିଶ୍ୱାସ ପୋଷଣ କରି ଯଦି ମୃତ୍ୟୁ ପର୍ଯ୍ୟନ୍ତ ସତ୍ୟକୁ ଅବଲମ୍ୱନ କରିବୁ, ତେବେ ଆମ୍ଭେମାନେ ସତ୍ୟର ପ୍ରକୃତ ଭକ୍ତ ହୋଇ ପାରିବୁଁ । ଅନେକ ଶିକ୍ଷକ ଓ ଅଧ୍ୟାପକ ବଡ଼ ବିଚଳିତ ଓ କେତେକ ଅନଶନ କ୍ଲିଷ୍ଟ, ଏହା ମୁଁ ଜାଣେଁ । ଜାତୀୟ ବାୟୁମଣ୍ତଳରୁ ଉପଯୁକ୍ତ ଭାବରେ ଶୁଦ୍ଧ କରିବାକୁ ହେଲେ, ଏହି ପରି ତପଶ୍ଚର୍ଯ୍ୟ ଆବଶ୍ୟକ ।“

ଏହା ଅସହଯୋଗ ଆନ୍ଦୋଳନର ଅଭାବତ୍ମକ ସ୍ୱରୂପ । ତାହା କାର୍ଯ୍ୟରେ ପରିଣତ ହୋଇଛି ଓ ଯଥେଚିତ ପରିମାଣରେ ପ୍ରାୟଶ୍ଚିତ୍ତ ହୋଇଛି, ଜାଣି ଗାନ୍ଧୀଜୀ ଆନନ୍ଦ ପ୍ରକାଶ କରିଥିଲେ । ଏହି ଦ୍ୱୈତ ଜଗତରେ ଅସହଯୋଗର ଆହୁରି ଏକ ଭାବାତ୍ମକ ରୂପ ମଧ୍ୟ ଅଛି । ତାହା କଷ୍ଟସାଧ୍ୟ ହେଲେ ମଧ୍ୟ ତାର ଫଳ ସ୍ଥାୟୀ । ଏହି ପରି ବିଦ୍ୟାପୀଠ ବ୍ୟତୀତ ଆଉ କେଉଁଠାରେ ବା ସେ ଉଦ୍ଦେଶ୍ୟ ପୂର୍ଣ୍ଣ ହେବ ? ତତ୍‌ପରେ ଭାରତ ଓ ଇଉରୋପରେ ପ୍ରଚଳିତ ଶିକ୍ଷା-ପ୍ରଣାଳୀକୁ ସେ ତୁଳନା କରିଥିଲେ ।

“ଇଉରୋପରେ ଲୋକମାନଙ୍କର ପ୍ରକୃତିର ବୈଶିଷ୍ଟ୍ୟ ଦୃଷ୍ଟିରୁ ଶିକ୍ଷା ଅନୁସୃତ ହୁଏ । ଜନସାଧାରଣଙ୍କର ସଂସ୍କୃତି ଓ ପ୍ରତିଭାର ବିଭିନ୍ନତା ଦୃଷ୍ଟିରୁ ତିନୋଟି ବିଭିନ୍ନ ଦେଶରେ ଏକା ବିଷୟ ତିନୋଟି ବିଭିନ୍ନ ପ୍ରଣାଳୀରେ ଶିକ୍ଷା ଦିଆ ଯାଇ ଥାଏ । ଆମର ଦାସମନୋବୃତ୍ତି ହେତୁ ଇଂରାଜୀ ଆଦର୍ଶକୁ ଅନୁକରଣକାରୀ ରୂପେ ତିଆରି କରି ଦେବା ହେଉଛି, ବର୍ତ୍ତମାନ ପ୍ରଚଳିତ ଶିକ୍ଷାପ୍ରଣାଳୀର ଉଦ୍ଦେଶ୍ୟ । ଏଥିରେ କୌଣସି ନୂତନତ୍ୱ ନାହିଁ । 

ଯେଉଁମାନେ ଆମକୁ କେବେ ହେଲେ ଜାଣିବାକୁ ଯତ୍ନ କରନ୍ତି ନାହିଁ, ସେହିପରି ଅଜ୍ଞ ବ୍ୟକ୍ତିମାନଙ୍କ ଉପରେ ସବୁ ସମର୍ପ ଦେବା ଫଳରେ ଆମର ଏହିପରି ଦଶା ହୋଇଛି । ବିଚରା ମ୍ୟାକଲେ, ସେ କଣ କରନ୍ତେ ? ଆମର ସଂସ୍କୃତ ସାହିତ୍ୟ ଯେ କୁସଂସ୍କାରପୂର୍ଣ୍ଣ, ଏହା ତାଙ୍କର ବଦ୍ଧମୂଳ ବିଶ୍ୱାସ ଥିଲା । ପାଶ୍ଚାତ୍ୟ ସଂସ୍କୃତି ରୂପରେ ସେ ଆମକୁ ରସାୟନ ଦେଇ ପାରିବେ ବୋଲି ପ୍ରକୃତରେ ଚିନ୍ତା କରିଥିଲେ । ଅଜ୍ଞତାବଶତଃ ସେ ଆମର ଯେଉଁ ଅନିଷ୍ଟ କରି ଅଛନ୍ତି, ସେଥି ପାଇଁ ତାଙ୍କୁ ନିନ୍ଦା କରିବାଟା ଆମ ପକ୍ଷରେ ଉଚିତ ହେବ ନାହିଁ ।

ଇଂରାଜୀ ଭାଷା ଆମ ଶିକ୍ଷାର ମାଧ୍ୟମ ହେବା ଫଳରେ ଆମେ ଆମର ମୌଳିକତା ହରାଇ ବସିଛୁଁ । ପକ୍ଷବିହୀନ ପକ୍ଷୀ ସଦୃଶ ଆମର ଦଶା ହୋଇଛି । କିରାଣି ବା ସମ୍ପାଦକ କାମ କରିବା ଆମ ଜୀବନର ଚରମ ଆକାଙ୍‌କ୍ଷା ହୋଇଛି । ଲର୍ଡ ସିଂହଙ୍କ ପରି ଜଣେ ଅଧେ ପ୍ରଚଳିତ ପ୍ରଣାଳୀରୁ ଉତୁର ପାରନ୍ତି; ପ୍ରତ୍ୟେକେ ଖୁବ୍ ବେଶୀ ହେଲେ ଏ ବିଦେଶୀ ବଡ଼ କଳର ଗୋଟାଏ ଗୋଟାଏ ଅଙ୍ଗ ରୂପେ କାମ କରୁଛନ୍ତି। ମୋଜାଫରପୁରରେ ଗୋଟିଏ ପିଲା ଆସି ମୋତେ ପଚାରିଲା, ରାଷ୍ଟ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରିବା ଦ୍ୱାରା ଦିନେ ସେ ଲାଟସାହେବ ହୋଇ ପାରିବ କି ? ମୁଁ ତାକୁ କହିଲି, "ନା, ତୁମେ ଜଣେ ଗାଉଁଲି ଲାଟ ହେବ । ମାତ୍ର ଲର୍ଡ ସିଂହ ହୋଇ ପାରିବ ନାହିଁ । ଲର୍ଡ ବାର୍କେନ୍‌ହେଡ଼ କେବଳ ତୁମକୁ ତାହା କରି ଦେଇ ପାରିବେ ।"

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେ, ତା୧୦-୨-୧୯୨୭ରିଖରେ ଛପାଯାଇଥିଲା । 

No comments:

Post a Comment