Friday, November 02, 2018

ଓଡ଼ିଶାର ଭୂଗୋଳ - ଗଠନ ଓ ଭୂଚଳନ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ସୁକିନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପୂର୍ବଘାଟ ଆଞ୍ଚଳିକ ବିସ୍ତାର ମୁଖ୍ୟତଃ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଆଡ଼କୁ ଓଡିଶାର କୋରାପୁଟ ଜିଲ୍ଲାରେ ଦେଖା ଯାଇ ଥାଏ । ପଶ୍ଚିମ ଓଡ଼ିଶାର କଳାହାଣ୍ତି ଜିଲ୍ଲାରେ ଏହା କ୍ରମେ ଉତ୍ତର ଦକ୍ଷିଣକୁ ପରିବର୍ତ୍ତିତ ହୋଇ ପୂର୍ବରେ ଉତ୍ତରପୂର୍ବାଭିମୁଖୀ ହୋଇ ଉତ୍ତରରେ ପୁଣି ଥରେ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ବାଟ ଦେଇ ପଶ୍ଚିମ ଓଡ଼ିଶାରେ ସେଇ ଦିଗରେ ବିସ୍ତାରିତ ହୋଇଛି । ବଲାଙ୍ଗିର ଜିଲ୍ଲାରେ ପୂର୍ବ ଉତ୍ତରପୂର୍ବରୁ ପଶ୍ଚିମ ଦକ୍ଷିଣପଶ୍ଚିମକୁ ବିସ୍ତାରିତ ହୋଇଥିବା ପୂର୍ବଘାଟ ହଠାତ୍ ଦିଗ ପରିବର୍ତ୍ତିତ କରି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ (ମହାନଦୀ ଧାରା ସହିତ) ଯାଇଛି ଏବଂ ପୂର୍ବଘାଟର ଉତ୍ତରପୂର୍ବଭାଗ ପୂର୍ବ ଫୁଲବାଣୀ, ଢେଙ୍କାନାଳ, କଟକ ଓ ପୁରୀ ଜିଲ୍ଲା ଦେଇ ଉପକୂଳବର୍ତ୍ତୀ ଅବକ୍ଷେପର ତଳେ ଲୁକ୍କାୟିତ ହୋଇଛି । 

ପୂର୍ବଘାଟର ଏଇ ଦୃଶ୍ୟମାନ ପରିବର୍ତ୍ତିତ ଗତି ସଙ୍ଘଟିତ ହୋଇଛି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ ଅକ୍ଷରେ ଏକ ବୃହତ ଛେଦିତ ଭାଙ୍ଗ ଯୋଗୁ । ଏଇ ଅଧ୍ୟାରୋପଣ ବା ଛେଦିତ ଭାଞ୍ଜାୟନ ବହୁ ଗାଠନିକ ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି । ତେଣୁ ସଂକ୍ଷେପରେ ପୂର୍ବଘାଟର ଭୂଚଳନକୁ କର୍ଦ୍ଦମାକ୍ତ, ବାଲୁକାମୟ ଏବଂ ଚୂନମୟ ଅବକ୍ଷେପର ଭାଞ୍ଜାୟନ ଏବଂ ଗ୍ରାନାଇଟ ଫାସିଜର ପ୍ରଗାଢ଼ ରୂପାନ୍ତରଣ ଦ୍ୱାରା ଚାର୍ଣ୍ଣୋକାଇଟ ପ୍ରତିସ୍ଥାପନ ଶକ୍ତ ପଶ୍ଚିମାମୁଖୀ ଓଲଟ ଭାଞ୍ଜରେ ଅନ୍ତଃଭେଦନ (ନିର୍ଗମନ?) ଦ୍ୱାରା ସମ୍ଭବ ହୋଇଛି ବୋଲି କୁହା ଯାଇ ପାରେ । ତାହା ପରେ ଅବଶ୍ୟ ସେଥିରେ ଛେଦିତ ଭାଞ୍ଜାୟନ(ଅଧ୍ୟାରୋପଣ)ଭାଞ୍ଜାୟନ ଗ୍ରାବ୍ରୋ ଆନ୍ଥାସାଇଟର ଅନ୍ତର୍ଭେଦନ ଏବଂ ଇଚ୍ଚସ୍ତରୀୟ ପ୍ରଗାଢ଼ ଗ୍ରାନାଇଟ ଏବଂ ପଶ୍ଚିମସ୍ଥ ବକ୍ରସୀମାନାର ଗ୍ରାନୋଫାୟାର ଏବଂ ଆଲ୍‌କାଲିନ୍ ଶିଳାର ଅନ୍ତଃଭେଦନ ସହିତ କୁନ୍ତନ ଓ ବିଚ୍ୟୁତି ପରିଷ୍କାର ଭାବରେ ଦେଖା ଯାଇ ଥାଏ । ଏହା ପ୍ରଗାଢ଼ ଏକୀକରଣ ପରଚଳନ (ବିଶେଷକରି ପର୍ବତ୍ତନ ପ୍ରକ୍ରିୟା)ର ପ୍ରକୃଷ୍ଟ ପ୍ରମାଣ । ବିଭିନ୍ନ ଉଚ୍ଚତାରେ ଥିବା ଲାଟେରାଇଟ ଓ ବକ୍ସାଇଟ ଢାଙ୍କୁଣୀଯୁକ୍ତ କ୍ଷୟିତ ଉଭିଦ ଆଚ୍ଛାଦିତ ସମତଳରେ ପ୍ରବର୍ତ୍ତନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଶିଳା ଓ ବିଭିନ୍ନ ଭୂବିପର୍ଯ୍ୟୟର ବୟସ ନିରୁପଣ ଯଦିଓ ସମ୍ଭବ ନୁହେଁ । ତଥାପି, କୋରାପୁଟ ଜିଲ୍ଲାରୁ ଜଣାଯାଏ ଯେ ଏହି ଅଞ୍ଚଳ ବୋଧ ହୁଏ ଚତୁର୍ଥକଳ୍ପରେ ହିଁ ଏକାଧିକ ମହିଭାବକ ଚଳନ ଦ୍ୱାରା ଆକ୍ରାନ୍ତ ହୋଇଛି ।

ଲୌହ ଅୟସ୍କ ପୁଞ୍ଜର ଶିଳା ସମୁହର ଗତି କୋରାପୁଟ ଜିଲ୍ଲାର ସୁକମା ଶିଳାରେ ଉତ୍ତର ଦକ୍ଷିଣ ହୋଇ ଥିଲା ବେଳେ, କ୍ରମାନ୍ୱୟରେ ତାହା ସମ୍ୱଲପୁର ଜିଲ୍ଲାରେ ପହଞ୍ଚିଲା ବେଳକୁ ପୂର୍ବ ପଶ୍ଚିମ ହୋଇ ଯାଇଛି । ଢେଙ୍କାନାଳ ଓ କଟକ ଜିଲ୍ଲାରେ ଏଇ ଗତି ପଶ୍ଚିମଉତ୍ତର-ପଶ୍ଚିମ ପୂର୍ବ-ଦକ୍ଷିଣପୂର୍ବରୁ ପୂର୍ବ-ଉତ୍ତରପୂର୍ବ ପଶ୍ଚିମକୁ କିମ୍ୱା ଉତ୍ତରପୂର୍ବ ଦକ୍ଷିଣପଶ୍ଚିମକୁ ପରିବର୍ତ୍ତିତ ହୋଇଛି । ବୋଣାଇ ଅଞ୍ଚଳରେ କ୍ୱାର୍ଜାଇଟ୍‌ର ଏକ ଅତିରିକ୍ତ ଗତି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଦିଗରେ ହୋଇ ଥିଲା ବେଳେ, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ବାଦାମ ପାହାଡ଼ରେ ମଧ୍ୟ ସେଇ ପ୍ରବଣତା ପରିଲକ୍ଷିତ ହୋଇ ଥାଏ । ସମ୍ୱଲପୁର ଅଞ୍ଚଳରେ ପୂର୍ବ ପଶ୍ଚିମ କିମ୍ୱା ଉତ୍ତରପଶ୍ଚିମରୁ ଦକ୍ଷିଣପୂର୍ବ ଅକ୍ଷରେ ପ୍ରଗାଢ଼ ଭାବରେ ଭାଞ୍ଜିତ ହୋଇ ଦୃଢ଼ ସମପ୍ରବଣ ଭାଞ୍ଜରେ ପରିଣତ ହୋଇଛି । କଟକ ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ତାହା ଦକ୍ଷିଣପଶ୍ଚିମ ଦିଗରେ ଗତି କରିଛି ।


ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବି. ଏନ୍. ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ତିଆ ସ‌ଂସ୍ଥା ।

No comments:

Post a Comment