Showing posts with label ଭୁଗୋଳ ଶିକ୍ଷା. Show all posts
Showing posts with label ଭୁଗୋଳ ଶିକ୍ଷା. Show all posts

Thursday, April 04, 2019


ଓଡ଼ିଶାର ଭୂଗୋଳ - ନଦୀ ବିନ୍ୟାସ ଏବଂ ଜଳାଧାର

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଧଉଳି ସ୍ତୁପ ଉପରୁ ଦୟା ନଦୀର ଦୃଶ୍ୟ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


ଓଡ଼ିଶାର ସମସ୍ତ ନଦୀ ମୂଖ୍ୟତଃ ଉପଦ୍ୱୀପୀୟ ନଦୀ ଏବଂ ତିନୋଟି ପ୍ରମୁଖ ଉତ୍ପତ୍ତିସ୍ଥଳରୁ ଏଗୁଡ଼ିକ ସୃଷ୍ଟି ହୋଇଛି । ସେଗୁଡ଼ିକ ହେଲା ଉତ୍ତରରେ ଝାଡ଼ଖଣ୍ତର ଛୋଟନାଗପୁର ମାଳଭୂମି, ପଶ୍ଚିମରେ ମଧ୍ୟପ୍ରଦେଶର ଅମରକଣ୍ଟକ ମାଳଭୂମି ଏବଂ ଓଡ଼ିଶା ଭିତରେ ପୂର୍ବଘାଟ ପର୍ବତମାଳା ।

ଏସବୁ ନଦୀ ତୁଷାପୁଷ୍ଟ ହୋଇନଥିବାରୁ ଅନେକ ଚିରସ୍ରୋତା ନୁହନ୍ତି । ଓଡ଼ିଶାର ଅଧିକାଂଶ ପ୍ରମୁଖ ନଦୀଗୁଡ଼ିକର ଉତ୍ସ ହେଉଛି ଓଡ଼ିଶା ସୀମାର ବାହାରେ । ଏଥି ଭିତରୁ ଯେଉଁ ନଦୀଗୁଡ଼ିକର ସୃଷ୍ଟି ଓଡ଼ିଶା ଭିତରେ ହୋଇଛି, ସେଗୁଡ଼ିକ ହୁଏତ କ୍ଷୁଦ୍ର ଏବଂ ସ୍ଥାନୀୟ ଭାବରେ ପରିଚିତ କିମ୍ୱା ଓଡ଼ିଶା ବାହାରୁ ବହି ଆସୁଥିବା ବଡ଼ ନଦୀର ଦ୍ୱିତୀୟ, ତୃତୀୟ, ଏଭଳି କି ଚତୁର୍ଥସ୍ତରୀୟ ଉପନଦୀ ମାତ୍ର । 

ସମସ୍ତ ପ୍ରଥମ ସ୍ତରର ନଦୀ ବଙ୍ଗୋପସାଗରେ ପଡ଼ି ଅଛନ୍ତି । ଉତ୍ପତ୍ତି ସ୍ଥଳ ଅନୁସାରେ, ଓଡ଼ିଶାର ନଦୀଗୁ଼ଡ଼ିକୁ ନିମ୍ନମତେ ବିଭକ୍ତ କରାଯାଇ ପାରେ ।

ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Sunday, March 17, 2019

ଓଡ଼ିଶାର ଭୂଗୋଳ - ଭୂତାତ୍ତ୍ୱିକ ଇତିହାସ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


କୋରାପୁଟ ଜିଲ୍ଲାର ଦେଓମାଳି ପର୍ବତ ଶିଖର (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ଭୂତାତ୍ତ୍ୱିକ ଇତିହାସ

ପୂର୍ବଘାଟ ପର୍ବତମାଳାର ଗ୍ରାନୁଲିଟକ ଶିଳା ତିଆରି ସହିତ ଏହି ଅଞ୍ଚଳର ଭୂତାତ୍ତ୍ୱିକ ଇତିହାସ ଆରମ୍ଭ ହେଲା । ବୋଧହୁଏ ଏହା ହିଁ ସବୁଠାରୁ ପୁରାତନ ଶିଳା, ଯାହା ଉପରେ ଲୌହ ଅୟସ୍କ ପୁଞ୍ଜର ଅବକ୍ଷେପ ସଞ୍ଚିତ ହୋଇ ରହିଛି ଯାହା ଧାରୱାଡ଼ ଏବଂ ବ୍ରାହ୍ମଣୀର ଉପତ୍ୟକାରେ ଦେଖାଯାଇଥାଏ । ମିଳୁଥିବା ତେଜସ୍କ୍ରିୟ ତଥ୍ୟରୁ ପୂର୍ବଘାଟ ଶିଳାଗୁଡ଼ିକର ଐତିହାସିକ ସ୍ଥିରତା ବିଚାର କଲେ, ବେଶ୍ ଜଟିଳତା ସୃଷ୍ଟି ହୋଇଥାଏ । ଏଠାରେ ଆଞ୍ଚଳିକ ରୂପାନ୍ତରଣର ବୟସ ଚାର୍ଣ୍ଣୋକାଇଟର ପୁନଃସ୍ଥାପନ ସହିତ ହେଲା ୨୬୦ କୋଟି ବର୍ଷରେ ୧୩୦,୧୫୨ ଏବଂ ୭୦ ରୁ ୪୫ କୋଟି ବର୍ଷ ମଧ୍ୟରେ ।

ଲୌହ ଅୟସ୍କ ପୁଞ୍ଜର ରୂପାନ୍ତ ଅବକ୍ଷେପ ଓ ରୂପାନ୍ତବେସିକ୍ ଶିଳା ବୋଧହୁଏ ପୂର୍ବଘାଟର ସ୍ଥିର ଭୂଖଣ୍ଡର ସୀମାନ୍ତରେ ଥିବା ଭୂଅଭିନତିରେ ସଞ୍ଚିତ ହୋଇଥିଲା । ଏଇ ଶିଳାର ରୂପାନ୍ତରଣ ଭାଞ୍ଜ ଓ ଗ୍ରାନିଟାଇଜ୍ରେସନ ସହିତ ସିଂହଭୂମି ଗ୍ରାନାଇଟ ଓ ସମକାଳର ଶିଳା ସୃଷ୍ଟିର କାରଣ । ଲୌହ ଅୟସ୍କ ପର୍ବତନ ସଙ୍ଗଠିତ ହୋଇଥିଲା ୨୭୦ କୋଟି ବର୍ଷ ତଳେ । ଲୌହ ଅୟସ୍କ ପର୍ବତନର ସମାପ୍ତି ପରେ ହିଁ ପୂର୍ବଘାଟ ଏବଂ ଲୌହ ଅୟସ୍କ ପୁଞ୍ଜର ଶିଳାଗୁଡ଼ିକରେ ସ୍ଥାୟିତ୍ୱ ଆସିଥିଲା ।

କୋଇରା ଶିମିଳିପାଳ ପୁଞ୍ଜର ଭୂତାତ୍ତ୍ୱିକ ଇତିହାସରେ ଏକ ବିଶିଷ୍ଟ ଘଟଣା । ଏହି ସମୟରେ ପୃଥିବୀର ଆଭ୍ୟନ୍ତରରେ ଏକ ବୃହତ ଧରଣର ଫାଟ ସୃଷ୍ଟି ହେଲା, ଯାହା ଉପର ମାଣ୍ଟଲ ପର୍ଯ୍ୟନ୍ତ ଆସି ଯାଇଥିଲା । ସେଥି ପାଇଁ ଗାଢ଼ ଆଗ୍ନେୟ ବିସ୍ଫୋରଣ ଏବଂ ମାଗ୍ନାୟନ ସଙ୍ଘଟିତ ହୋଇଥିଲା । ଭଙ୍ଗକ୍ରିୟା ଯୋଗୁ ଶିଳାଗୁଡ଼ିକର ବିରୁପଣ ଘଟି ପ୍ରଶସ୍ତ ଖୋଲା ଏବଂ କେନ୍ଦ୍ରୀଭୂତ ଭାଞ୍ଜ ସୃଷ୍ଟି ହୋଇଥିଲା ଏବଂ କେତେକ ସ୍ଥଳରେ ତାହା ଓଲଟି ମଧ୍ୟ ଯାଇଥିଲା । ଗାଙ୍ଗପୁର ସିଂହଭୂମି ଶିଳା ସିଂହଭୂମି ପର୍ବତନ କ୍ରିୟା ଦ୍ୱାରା ଆକ୍ରାନ୍ତ ହୋଇଥିଲା । ଯାହା ଘଟିଥିଲା ୮୫ କୋଟି ବର୍ଷ ତଳେ ।

ପୁରାଜୀଜୀ କଳ୍ପର ଶେଷ ପର୍ଯ୍ୟନ୍ତ ପୂର୍ବଘାଟ ବଳୟରେ ସ୍ଥିରାବସ୍ଥା ରହିଥିଲା । ତାହା ପରେ ନଦୀ ଉପତ୍ୟକା ଅଞ୍ଚଳରେ ପ୍ରସାରିତ ଭାବରେ ଅସାମୁଦ୍ରିକ ନିକ୍ଷେପରେ ଥିବା କୋଇଲା ଶଯ୍ୟାଗୁଡ଼ିକର ଏକତ୍ର ବିଚ୍ୟୁତିକରଣ ଘଟିଲା । ଏହି ବିଚ୍ୟୁତ ଦ୍ରୋଣାଗୁଡ଼ିକ ଯୋଗୁଁ ବିସ୍ତାରିତ ହିମସଞ୍ଚରଣ ହେଲା, ଯାହା ଅବକ୍ଷେପଣ ସହିତ ଶୁକ୍କ ପାଗରେ ପରିବର୍ତ୍ତିତ ହୋଇଥିଲା । ସାମୟିକ ବିଚ୍ୟୁତି ଏବଂ ଅବନମନ ଫଳରେ ବେସିକ ସିଲ୍ ଏବଂ ଡାଇକ୍‌ମାନ ସୃଷ୍ଟି ହୋଇଥିଲା ।

ଓଡ଼ିଶାର ଉତ୍ତର ପୂ୍ର୍ବ ସୀମାରେ ପ୍ରାକ୍ କାମ୍ୱ୍ରିୟାନ ଆବରଣକୁ ଆଦ୍ୟ ତୃତୀୟ କଳ୍ପରେ ସାଗର ଦୂରକୁ ହଟେଇ ଦେଇଥିଲା । ବାରିପଦା ଶଯ୍ୟାର ଉପସ୍ଥିତି ଏବଂ ବର୍ତ୍ତମାନର ଉପକୂଳ ଗଠନରେ ତ୍ରିକୋଣଭୂମିର ଅବକ୍ଷେପ ପୂରଣ ଏହାର ପ୍ରକୃଷ୍ଟ ଉଦାହରଣ । ଉଚ୍ଚ ସ୍ଥାନରେ ଲାଟେରାଇଟ ସହିତ ଉଭିଦ ପୃଷ୍ଠ ଏଠି ୧,୦୦୦ରୁ ୧,୫୦୦ ମିଟର ମଧ୍ୟରେ ମିଳେ, ଯାହା ହୁଏତ ଚତୁର୍ଥ କଳ୍ପରେ ଉବ୍ଧାନ ଦ୍ୱାରା ସୃଷ୍ଟି ହୋଇଛି ।

ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Friday, November 02, 2018

ଓଡ଼ିଶାର ଭୂଗୋଳ - ଗଠନ ଓ ଭୂଚଳନ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ସୁକିନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପୂର୍ବଘାଟ ଆଞ୍ଚଳିକ ବିସ୍ତାର ମୁଖ୍ୟତଃ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଆଡ଼କୁ ଓଡିଶାର କୋରାପୁଟ ଜିଲ୍ଲାରେ ଦେଖା ଯାଇ ଥାଏ । ପଶ୍ଚିମ ଓଡ଼ିଶାର କଳାହାଣ୍ତି ଜିଲ୍ଲାରେ ଏହା କ୍ରମେ ଉତ୍ତର ଦକ୍ଷିଣକୁ ପରିବର୍ତ୍ତିତ ହୋଇ ପୂର୍ବରେ ଉତ୍ତରପୂର୍ବାଭିମୁଖୀ ହୋଇ ଉତ୍ତରରେ ପୁଣି ଥରେ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ବାଟ ଦେଇ ପଶ୍ଚିମ ଓଡ଼ିଶାରେ ସେଇ ଦିଗରେ ବିସ୍ତାରିତ ହୋଇଛି । ବଲାଙ୍ଗିର ଜିଲ୍ଲାରେ ପୂର୍ବ ଉତ୍ତରପୂର୍ବରୁ ପଶ୍ଚିମ ଦକ୍ଷିଣପଶ୍ଚିମକୁ ବିସ୍ତାରିତ ହୋଇଥିବା ପୂର୍ବଘାଟ ହଠାତ୍ ଦିଗ ପରିବର୍ତ୍ତିତ କରି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ (ମହାନଦୀ ଧାରା ସହିତଯାଇଛି ଏବଂ ପୂର୍ବଘାଟର ଉତ୍ତରପୂର୍ବଭାଗ ପୂର୍ବ ଫୁଲବାଣୀଢେଙ୍କାନାଳକଟକ ଓ ପୁରୀ ଜିଲ୍ଲା ଦେଇ ଉପକୂଳବର୍ତ୍ତୀ ଅବକ୍ଷେପର ତଳେ ଲୁକ୍କାୟିତ ହୋଇଛି । 

ପୂର୍ବଘାଟର ଏଇ ଦୃଶ୍ୟମାନ ପରିବର୍ତ୍ତିତ ଗତି ସଙ୍ଘଟିତ ହୋଇଛି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ ଅକ୍ଷରେ ଏକ ବୃହତ ଛେଦିତ ଭାଙ୍ଗ ଯୋଗୁ । ଏଇ ଅଧ୍ୟାରୋପଣ ବା ଛେଦିତ ଭାଞ୍ଜାୟନ ବହୁ ଗାଠନିକ ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି । ତେଣୁ ସଂକ୍ଷେପରେ ପୂର୍ବଘାଟର ଭୂଚଳନକୁ କର୍ଦ୍ଦମାକ୍ତବାଲୁକାମୟ ଏବଂ ଚୂନମୟ ଅବକ୍ଷେପର ଭାଞ୍ଜାୟନ ଏବଂ ଗ୍ରାନାଇଟ ଫାସିଜର ପ୍ରଗାଢ଼ ରୂପାନ୍ତରଣ ଦ୍ୱାରା ଚାର୍ଣ୍ଣୋକାଇଟ ପ୍ରତିସ୍ଥାପନ ଶକ୍ତ ପଶ୍ଚିମାମୁଖୀ ଓଲଟ ଭାଞ୍ଜରେ ଅନ୍ତଃଭେଦନ (ନିର୍ଗମନ?) ଦ୍ୱାରା ସମ୍ଭବ ହୋଇଛି ବୋଲି କୁହା ଯାଇ ପାରେ । ତାହା ପରେ ଅବଶ୍ୟ ସେଥିରେ ଛେଦିତ ଭାଞ୍ଜାୟନ(ଅଧ୍ୟାରୋପଣ)ଭାଞ୍ଜାୟନ ଗ୍ରାବ୍ରୋ ଆନ୍ଥାସାଇଟର ଅନ୍ତର୍ଭେଦନ ଏବଂ ଇଚ୍ଚସ୍ତରୀୟ ପ୍ରଗାଢ଼ ଗ୍ରାନାଇଟ ଏବଂ ପଶ୍ଚିମସ୍ଥ ବକ୍ରସୀମାନାର ଗ୍ରାନୋଫାୟାର ଏବଂ ଆଲ୍‌କାଲିନ୍ ଶିଳାର ଅନ୍ତଃଭେଦନ ସହିତ କୁନ୍ତନ ଓ ବିଚ୍ୟୁତି ପରିଷ୍କାର ଭାବରେ ଦେଖା ଯାଇ ଥାଏ । ଏହା ପ୍ରଗାଢ଼ ଏକୀକରଣ ପରଚଳନ (ବିଶେଷକରି ପର୍ବତ୍ତନ ପ୍ରକ୍ରିୟା)ର ପ୍ରକୃଷ୍ଟ ପ୍ରମାଣ । ବିଭିନ୍ନ ଉଚ୍ଚତାରେ ଥିବା ଲାଟେରାଇଟ ଓ ବକ୍ସାଇଟ ଢାଙ୍କୁଣୀଯୁକ୍ତ କ୍ଷୟିତ ଉଭିଦ ଆଚ୍ଛାଦିତ ସମତଳରେ ପ୍ରବର୍ତ୍ତନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଶିଳା ଓ ବିଭିନ୍ନ ଭୂବିପର୍ଯ୍ୟୟର ବୟସ ନିରୁପଣ ଯଦିଓ ସମ୍ଭବ ନୁହେଁ । ତଥାପି, କୋରାପୁଟ ଜିଲ୍ଲାରୁ ଜଣାଯାଏ ଯେ ଏହି ଅଞ୍ଚଳ ବୋଧ ହୁଏ ଚତୁର୍ଥକଳ୍ପରେ ହିଁ ଏକାଧିକ ମହିଭାବକ ଚଳନ ଦ୍ୱାରା ଆକ୍ରାନ୍ତ ହୋଇଛି ।

ଲୌହ ଅୟସ୍କ ପୁଞ୍ଜର ଶିଳା ସମୁହର ଗତି କୋରାପୁଟ ଜିଲ୍ଲାର ସୁକମା ଶିଳାରେ ଉତ୍ତର ଦକ୍ଷିଣ ହୋଇ ଥିଲା ବେଳେ, କ୍ରମାନ୍ୱୟରେ ତାହା ସମ୍ୱଲପୁର ଜିଲ୍ଲାରେ ପହଞ୍ଚିଲା ବେଳକୁ ପୂର୍ବ ପଶ୍ଚିମ ହୋଇ ଯାଇଛି । ଢେଙ୍କାନାଳ ଓ କଟକ ଜିଲ୍ଲାରେ ଏଇ ଗତି ପଶ୍ଚିମଉତ୍ତର-ପଶ୍ଚିମ ପୂର୍ବ-ଦକ୍ଷିଣପୂର୍ବରୁ ପୂର୍ବ-ଉତ୍ତରପୂର୍ବ ପଶ୍ଚିମକୁ କିମ୍ୱା ଉତ୍ତରପୂର୍ବ ଦକ୍ଷିଣପଶ୍ଚିମକୁ ପରିବର୍ତ୍ତିତ ହୋଇଛି । ବୋଣାଇ ଅଞ୍ଚଳରେ କ୍ୱାର୍ଜାଇଟ୍‌ର ଏକ ଅତିରିକ୍ତ ଗତି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଦିଗରେ ହୋଇ ଥିଲା ବେଳେ, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ବାଦାମ ପାହାଡ଼ରେ ମଧ୍ୟ ସେଇ ପ୍ରବଣତା ପରିଲକ୍ଷିତ ହୋଇ ଥାଏ । ସମ୍ୱଲପୁର ଅଞ୍ଚଳରେ ପୂର୍ବ ପଶ୍ଚିମ କିମ୍ୱା ଉତ୍ତରପଶ୍ଚିମରୁ ଦକ୍ଷିଣପୂର୍ବ ଅକ୍ଷରେ ପ୍ରଗାଢ଼ ଭାବରେ ଭାଞ୍ଜିତ ହୋଇ ଦୃଢ଼ ସମପ୍ରବଣ ଭାଞ୍ଜରେ ପରିଣତ ହୋଇଛି । କଟକ ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ତାହା ଦକ୍ଷିଣପଶ୍ଚିମ ଦିଗରେ ଗତି କରିଛି ।


ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Tuesday, October 16, 2018

ଓଡ଼ିଶାର ଭୂତତ୍ତ୍ୱ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


୧୯୧୧ ମସିହାରେ ପ୍ରକାଶିତ ଭାରତର ଭୂତାତ୍ତ୍ୱିକ ମାନଚିତ୍ର (ୱିକିମିଡିଆ କମନ୍ସ୍)


ଓଡିଶା ହେଲା ପୃଥିବୀର ଅନ୍ୟତମ ପୁରାତନ ଓ ସବୁଠାରୁ କଠିନ ଭୂଖଣ୍ତ ଉପଦ୍ୱୀପୀୟ ସାଞ୍ଜୁର ଅଂଶ ବିଶେଷ । ମୋଟାମୋଟି ଭାବରେ ଏହା ପ୍ରାକ୍‌କାମ୍ୱ୍ରୀୟ ଶିଳାର ଉପରେ ରହି ଥାଏ । ରାଜ୍ୟର ଏକ ଚତୁର୍ଥାଂଶ ହେଲା ଫେନୋମେଶୋଜୋଇକ୍ ଶିଳା, କ୍ୱାଟରନାରୀ ଶିଳା ଏବଂ ନୂତନରୁ ଅଳ୍ପ ନୂତନ ପଟୁମାଟି ଦ୍ୱାରା ଗଠିତ । ଶେଷୋକ୍ତ ପଟୁମାଟି ମୁଖ୍ୟତଃ ଉପକୂଳବର୍ତ୍ତୀ ସମତଳଅଞ୍ଚଳ ଏବଂ ମହାନଦୀ ଓ ବ୍ରାହ୍ମଣୀ ନଦୀର ଉପତ୍ୟକାରେ ହିଁ ଦେଖା ଯାଏ ।

ପିଲାଇଟିକ୍, ପାଶାମିଟିକ୍, ପାଶ୍‌ମୋପିଲାଇଟିକ୍, ର ଅପଭ୍ରଂଶ ଏବଂ ଚୂନପଥରଗୁଡ଼ିକ ପ୍ରାକ୍‌କାମ୍ୱ୍ରିଆନ୍ ରୂପାନ୍ତରିତ ଶିଳାର ଅଂଶବିଶେଷ ଅଟେ । ସେଗୁଡ଼ିକର ଆକୃତିରେ ଭିନ୍ନ କାରଣ ତୀବ୍ରତାର ବିକୃତି ଏବଂ ଭିନ୍ନ ପ୍ରକାରର ରୂପାନ୍ତରଣ ଯୋଗୁଁ ଦୃଷ୍ଟିଗୋଚର ହୋଇଥାଏ । ଏଇ ଅବକ୍ଷେପ ଏବଂ ରୂପାନ୍ତ ଅବକ୍ଷେପ ବିକ୍ଷିପ୍ତାଂଶ ଭାବରେ ବିଛାଡ଼ିହୋଇ ରହିଛି । 

ଗ୍ରାନାଇଟ୍ ଅର୍ଥୋ ଏବଂ ପାରାନାଇସ୍, ଅନ୍ତଭେଦନାଇସ୍, ମାଗମାଟାଇଟ୍, ଚାର୍ଣ୍ଣୋକାଇଟ୍, ଏବଂ ବେସିକ ଓ ଅତିବେସିକ ଅନ୍ତଃର୍ଭେଦନ ଓ ନିର୍ଗମନ ରୂପରେ ବିରାଟ ପଟ୍ଟି ଦ୍ୱାରା ବିଭାଜିତ ହୋଇ ଅଛନ୍ତି । ସ୍ୱଳ୍ପଭେଦ୍ୟ ବିକୃତ ଅବସ୍ଥାରୁ ଅତିବିକୃତ ଭୂଅଭିନତୀୟ ମଞ୍ଚ ପର୍ଯ୍ୟନ୍ତ ସମସ୍ତ ଭୂଚଳନୀୟ ପରିବେଶ ଏଠି ଦୃଷ୍ଟିଗୋଚର ହୋଇଥାଏ । 

ଏଠି ଥିବା ପ୍ରଜାବୀୟ ଶିଳାମଧ୍ୟରେ ଉପର ପୂରାଜୀବୀରୁ ମଧସ୍ଥ ମଧ୍ୟଜୀବୀ ପରି ଅତି ଗଣ୍ତୱାନା ପୁଞ୍ଜି ଏବଂ ତୃତୀୟ କଳ୍ପୀ ବାରିପଦା ଶଯ୍ୟର ପ୍ରସ୍ତର ରହି ଥାଏ । ଗଣ୍ତୱାନା ଶିଳା ଅସାମୁଦ୍ରିକ ମହାଦେଶୀୟ ଶ୍ରେଣୀର ହୋଇ ଥିଲା ବେଳେ, ତଳ ତୃତୀୟ କଳ୍ପୀ ଶିଳା ହୋଇଥାଏ ସମୁଦ୍ର ପରିବେଶୀୟ ।

ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Thursday, October 11, 2018

ଓଡ଼ିଶାର ମାଳଭୂମି ଓ ଉଚ୍ଚଭୂମି

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ବ୍ରାହ୍ମଣୀ ନଦୀ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

ମାଳଭୂମି ଏବଂ ତରଙ୍ଗାୟିତ ଉଚ୍ଚଭୂମି



ହାରାହାରି ୩୦୦ରୁ ୬୦୦ମି. ବିଶିଷ୍ଟ ପାର୍ବତ୍ୟାଞ୍ଚଳରେ ଉଚ୍ଚ ମାଳଭୂମିମାନ ଦେଖା ଯାଏ । ଉପଦ୍ୱୀପୀୟ ମାଳଭୂମିର ସମସ୍ତ ବୈଚିତ୍ର୍ୟ ଏଥିରେ ପ୍ରାୟ ଦେଖା ଯାଏ । ଏଗୁଡ଼ିକ ପ୍ରାୟ ସମତଳ ଏବଂ ଗଭୀର ନଦୀ ଉପତ୍ୟକା ଦ୍ୱାରା ଏହାର ସମତଳ ଭୂଦୃଶ୍ୟର ଏକରୂପତା ବହୁ ପରିମାଣରେ ଦୂର ହୋଇ ଥାଏ । କେନ୍ଦୁଝରର ବୈତରଣୀର ଉପର ମୁଣ୍ତର ଅବବାହିକା ଓ କୋରାପୁଟର ସାବରୀ ଅବବାହିକାରେ ଯଥାକ୍ରମେ ଏଭଳି ଦୃଶ୍ୟ ପ୍ରାୟ ଦେଖା ଯାଏ । ଏହି ସବୁ ମାଳ ଅଞ୍ଚଳରେ ଜଳ ଦ୍ୱାରା ସ୍ତର ସ୍ତର ହୋଇ ମୃତ୍ତିକାକ୍ଷୟ ପ୍ରାୟ ହୋଇ ଥାଏ ଏବଂ ନଦୀ ଉପତ୍ୟକାରେ ଗଭୀର କ୍ଷୁଦ୍ରନାଳୀ ଅବକ୍ଷୟମାନ ଦେଖା ଯାଏ । ଗଠନତତ୍ତ୍ୱ ଦୃଷ୍ଟିରୁ ଏହି ସବୁ ମାଳଭୂମିକୁ ନିମ୍ନ ପ୍ରକାରେ ବିଭକ୍ତ କରା ଯାଇ ପାରେ: (ଉପର ବୈତରାଣୀ ଅବବାହିକାର ପାନପୋଷ୍ କେନ୍ଦୁଝର ପାଲଲହଡ଼ା ମାଳଭୂମି; (ଉପର ସାବେରୀ ଅବବାହିକାର ନବରଙ୍ଗପୁର ଜୟପୁର ମାଳଭୂମି ।

ତରଙ୍ଗାୟିତ ଭୂମିଗୁଡି଼କର ଉଚ୍ଚତା କମ୍ ଏବଂ ସେସବୁ ୧୫୦ରୁ ୩୦୦ ମି. ମଧ୍ୟରେ ସୀମାବଦ୍ଧ । ଏହି ସବୁ ଉଚ୍ଚଭୂମିଗୁଡ଼ିକ ନଦୀର କାର୍ଯ୍ୟଦ୍ୱାରା ସୃଷ୍ଟି ହୋଇଛି ଏବଂ ଏଗୁଡ଼ିକ ପ୍ରାୟ ଚଟକା ଅଟେ । ଏହାର ମାଟି ଉର୍ବର ଏବଂ ଆର୍ଦ୍ର ଅଞ୍ଚଳରେ ଏଥିରେ ଧାନଚାଷ ବେଶ୍ ଭଲ ହୁଏ । ଏହି ସବୁ ଉଚ୍ଚଭୂମି ଉପର ବ୍ରାହ୍ମଣୀର ଶଙ୍ଖ କୋଏଲ ଅବବାହିକା ଲବ୍ ସୁକ୍ ତେଲ ଏବଂ ସାବେରୀ ଅବବାହିକାରେ ଦେଖା ଯାଏ । ଏହି ସବୁ ଉଚ୍ଚଭୂମି ପୂର୍ବଘାଟର ପଶ୍ଚିମ ପଟରେ ରହିଛି । ଏହି ତରଙ୍ଗାୟିତ ଉଚ୍ଚ ଭୂମିକୁ ନିମ୍ନଲିଖିତ ଗଠନତାତ୍ତ୍ୱିକ ବିଭାଗରେ ବିଭକ୍ତ କରା ଯାଇ ଥାଏ ।


(କୋଏଲ ଓ ଶଙ୍ଖନଦାର ରାଜଗାଙ୍ଗପୁର ପାନପୋଷ୍ ଉଚ୍ଚଭୂମି
(ଇବ୍ ଅବବାହିକାର ଝାରସୁଗୁଡ଼ା ଉଚ୍ଚଭୂମି
(ଜୀରା ଓ ଝଉ ଅବବାହିକାର ବରଗଡ଼ ଉଚ୍ଚଭୂମି
(ଉତ୍ତରତେଲ ଅବବାହିକାର ବଲାଙ୍ଗୀର ଟିଟିଲାଗଡ଼ ପାଟଣାଗଡ଼ ଉଚ୍ଚଭୂମି
(ଦକ୍ଷିଣତେଲ ଅବବାହିକାର ଭବାନୀପାଟଣା ଉଚ୍ଚଭୂମି
(ସାବେରୀ ଅବବାହିକାର ମାଲକାନଗିରି ଉଚ୍ଚଭୂମି


ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

ଓଡ଼ିଶାର ପାର୍ବତ୍ୟାଞ୍ଚଳ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଢେଙ୍କାନାଳର ସପ୍ତଶଯ୍ୟା ପାହାଡ଼ର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଶିମିଳିପାଳ ଏବଂ ମେଘାସନ ପର୍ବତ

ଏହି ଅର୍ଦ୍ଧବୃତ୍ତାକାର ପର୍ବତଟି ଏକ ଆଗ୍ନେୟ ପର୍ବତ । ଏହାର ଉଚ୍ଚତା ହାରାହାରି ସମୁଦ୍ର ପତ୍ତନ ଠାରୁ ୬୦୦ କି.ମି ରୁ ୧୦୫୦ ମି., ମଧ୍ୟରେ । ଏହା ବ୍ୟାପ୍ତିରେ ବର୍ତ୍ତୁଳାକାର ଏବଂ ଶିମିଳିପାଳ ତଥା ମେଘାସନ (୧୧୪୭ମିଠାରେ ଏହାର ଦୁଇଟି ଶୃଙ୍ଗ ରହିଛି । ଛତ୍ରାକାର ନଦୀପ୍ରବାହ ଏହାର ବୈଶିଷ୍ଟ୍ୟ ।

ବୈତରଣୀ ଏବଂ ବ୍ରାହ୍ମଣୀ ନଦୀ ମଧ୍ୟବର୍ତ୍ତୀ ମାଙ୍କଡ଼ାନଡ଼ା ମଳୟଗିରି ଏବଂ ଗନ୍ଧମାର୍ଦ୍ଧନ ପର୍ବତ

ଏହି ପର୍ବତମାଳାରେ ତିନୋଟି ଉଚ୍ଚଶୃଙ୍ଗ ରହିଛି ଏବଂ ଏହା ଉତ୍ତରରୁ ଦକ୍ଷିଣଆଡ଼େ ପରିବ୍ୟାପ୍ତ ପାଲଲହଡ଼ାଠାରେ ମଳୟଗିରି ଉଚ୍ଚତା ୧୧୭୦ମି. । ବଣେଇଠାରେ ମାଙ୍କଡ଼ନଗର ଉଚ୍ଚତା ୧୦୯୨ମି. ଏବଂ କେନ୍ଦୁଝରଠାରେ ଗନ୍ଧମାର୍ଦ୍ଦନ ଉଚ୍ଚତା ୧୦୪୪. । ଏ ସମସ୍ତ ପର୍ବତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏବଂ ଏହାର ବିସ୍ତୃତି ହେଉଛି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ । ବର୍ତ୍ତମାନ ଏହି ପର୍ବତମାଳା ଉତ୍ତର-ଦକ୍ଷିଣମୁଖୀ ହେବାର ପ୍ରଧାନ କାରଣ ହେଉଛି ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ନିୟମିତ ପ୍ରବାହଜନିତ କ୍ଷୟସାଧନ । ଏହି ଅଞ୍ଚଳ ହେଉଛି ଏକ କ୍ଷୟକାରୀ ଶକ୍ତିର ବହୁଚକ୍ରାବର୍ତ୍ତୀ ଅଞ୍ଚଳ ।

ବ୍ରାହ୍ମଣୀ ଏବଂ‌ ମହାନଦୀ ମଧସ୍ଥ ଜଳଛାୟା

ଏହି ପର୍ବତମାଳାର ବିବର୍ତ୍ତନ ପ୍ରାୟ ପୂର୍ବୋକ୍ତ ଅଞ୍ଚଳର ପର୍ବତମାଳାର ବିକାଶ ସହିତ ସମାନ । ତେବେ ଏଗୁଡ଼ିକ ମହାନଦୀ ଓ ବ୍ରାହ୍ମଣୀର ନିରବିଚ୍ଛିନ୍ନ କ୍ରିୟା ଦ୍ୱାରା ଅଧିକ ପ୍ରଭାବିତ । ଓଡ଼ିଶାର ଅନ୍ୟ ନଦୀ ତୁଳନାରେ ଏହି ନଦୀମାନଙ୍କର କ୍ଷୟକାରୀ ଶକ୍ତି ଅଧିକ ହୋଇ ଥିବାରୁ, ଏହି ପର୍ବତମାଳା ସମ୍ପ୍ରତି ମାତ୍ର ୬୦୦ମିଉଚ୍ଚତା ମଧ୍ୟରେ ସୀମାବଦ୍ଧ ଅଛନ୍ତି । ଉତ୍ତରଭାଗରେ ଏହିସବୁ ପର୍ବତର ବ୍ୟାପ୍ତି ଉତ୍ତରପଶ୍ଚିମମୁଖୀ ହୋଇ ଥିବା ବେଳେ ଦକ୍ଷିଣଭାଗରେ ଏହା ଉତ୍ତର ପଶ୍ଚିମରୁ ଦକ୍ଷିଣ ଦକ୍ଷିଣ ପୂର୍ବଆଡ଼କୁ ପରିବ୍ୟାପ୍ତ ।

ମହାନଦୀ ଋଷିକୂଲ୍ୟା ଏବଂ ବଂଶଧାରା ନଦୀ ମଧ୍ୟରେ ଥିବା ଜଳବିଭାଜନ

ଏହି ଜଳବିଭାଜକ ଅଞ୍ଚଳରେ ମୃତ୍ତିକା କ୍ଷୟର ପରିମାଣ ବହୁ ଅଧିକ ଏବଂ ଏହି କାରଣରୁ ଏହାର ଉଚ୍ଚତା ୬୦୦ ରୁ ୧୦୦୦ ମିମଧ୍ୟରେ ସୀମାବଦ୍ଧ । ନଦୀଗୁଡ଼ିକର ମଧ୍ୟବର୍ତ୍ତୀ ଅଞ୍ଚଳ ଉତ୍ତର ଦକ୍ଷିଣଭାବେ ପରିବ୍ୟାପ୍ତ ଏବଂ ଏଠାରେ କେତୋଟି ଶୃଙ୍ଗର ଉଚ୍ଚତା ୧୨୦୦ମି.ରୁ ଅଧିକ । ସେମାନଙ୍କ ମଧ୍ୟରେ ସିଙ୍ଗରାଜୁ ଏବଂ ମହେନ୍ଦ୍ରଗିରି (୧୫୦୦ମିରୁ ଅଧିକ ଉଚ୍ଚଏବଂ ଦେବଗିରି (୧୩୬୦ମି. ପ୍ରଭୃତିର ନାମ ଉଲ୍ଲେଖଯୋଗ୍ୟ ।

ପଟାଙ୍ଗି ଏବଂ ଚନ୍ଦ୍ରଗିରି ପର୍ବତମାଳା

ଏହି ପର୍ବତମାଳା ହେଉଛି ଓଡିଶାରେ ଉଚ୍ଚତମ ଏବଂ‌ ଏହାର ହାରାହାରି ଉଚ୍ଚତା ୯୦୦ମି. ରୁ ୧୩୫୦ମି ମଧ୍ୟରେ । ପୂର୍ବଘାଟ ପର୍ବତମାଳାର ପାଞ୍ଚଟି ଉଚ୍ଚତମ ଶୃଙ୍ଗ ଏଥିରେ ରହିଛି । ସେଗୁଡ଼ିକ ୧୫୦୦ମି. ରୁ ଅଧିକ ଉଚ୍ଚ ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ ହେଉଛି ଦେଓମାଳି ଏବଂ ଏହାର ଉଚ୍ଚତା ହେଉଛି ୧୬୭୨ ମି. । ସମଗ୍ର ପୂର୍ବଘାଟ ପର୍ବତମାଳାରେ ଏହା ହେଉଛି ଉଚ୍ଚତମ ଶୃଙ୍ଗ । ଅନ୍ ତିନୋଟି ଉଚ୍ଚତର ଶୃଙ୍ଗ ହେଉଛନ୍ତି ଗଲିକୋଣ୍ତା (୧୬୬୩ ମି.) ସିଙ୍ଖାରାମ (୧୬୨୦ ମି.) ଏବଂ ତୁରିଆକୋଣ୍ତା (୧୫୯୮ ମି.) ପୂର୍ବଘାଟ ପୂର୍ବତମାଳାର ବିସ୍ତୃତି, ଯାହା କି ଉ.. ରୁ ଦ.., ତାହା ଏଠାରେ ମଧ୍ୟ ବଳଦତ୍ତର ରହିଛି ବୋଲି କୁହା ଯାଇ ପାରେ । ଏହି ପର୍ବତମାଳା ନାଗାବଳୀ ଏବଂ ସାବେରୀ ନଦୀ ଦୁଇଟିର ଅବବାହିକାକୁ ପରସ୍ପରଠାରୁ ବିଚ୍ଛିନ୍ନ କରୁଛି । ଏହି ପର୍ବତମାଳା ବହୁ ସ୍ଥାନରେ ଦ୍ୱିଖଣ୍ତିତ ଏବଂ ଏହି ଉପତ୍ୟକାରେ ସୋପାନ ଚାଷ ବ୍ୟବସ୍ଥାର ପ୍ରଚଳନ ରହିଛି । ପୋଡ଼ୁ ଚାଷ ଯୋଗୁ ପର୍ବତ ଉପରେ କୌଣସି ଗଛଲତା ଦେଖିବାକୁ ମିଳେ ନାହିଁ ।

           ଓଡିଶାର ମୁଖ୍ୟ ପର୍ବତ ଶୃଙ୍ଗ
ଶୃଙ୍ଗର ନାମ()
ଜିଲ୍ଲା()
ମିଟରରେ ଉଚ୍ଚତା()
ଦେଓମାଳି
କୋରାପୁଟ
୧୬୭୨
ଗଲିକୁଣ୍ତା
କୋରାପୁଟ
୧୬୪୩
ସିଙ୍କରମ୍
କୋରାପୁଟ
୧୬୨୦
ତୁରିଆକୁଣ୍ତା
କୋରାପୁଟ
୧୫୯୮
ୟେଣ୍ଟ୍ରିକା
କୋରାପୁଟ
୧୫୮୨
ସିଙ୍ଗରାଜୁ
ଗଞ୍ଜାମ
୧୫୧୬
ନିୟାମଗିରି
କୋରାପୁଟ
୧୫୧୫
ମହେନ୍ଦ୍ରଗିରି
ଗଜପତି
୧୫୦୧
କର୍ଣ୍ଣପଦିକୁଣ୍ତା
କୋରାପୁଟ
୧୪୮୭
ହାତୀମାଳି
କୋରାପୁଟ
୧୩୯୧
ଦେବଗିରି
ଗଞ୍ଜାମ
୧୩୮୨
ଚନ୍ଦ୍ରଗିରି
ଗଜପତି
୧୨୬୯
ସୁବର୍ଣ୍ଣଗିରି
କନ୍ଧମାଳ
୧୨୫୭
ଚମ୍ପାଝରଣ
କନ୍ଧମାଳ
୧୨୫୭
ଟାଙ୍ଗିତୁଙ୍ଗର
କଳାହାଣ୍ତି
୧୨୨୯
ମୁରଳାସୋରୁ
କନ୍ଧମାଳ
୧୨୨୩
ବଫ୍‌ଲିମାଳି
କଳାହାଣ୍ତି
୧୨୨୦
କର୍ଲାପାଟମାଳ
କଳାହାଣ୍ତି
୧୨୧୩
ମଳୟଗିରି
ଅନୁଗୁଳ
୧୧୮୮
ମେଘାସନ
ମୟୂରଭଞ୍ଜ
୧୧୬୫
ଦୋଦାସୋରୁ
କନ୍ଧମାଳ
୧୧୫୬
ମାଙ୍କଡ଼ନଚା
କେନ୍ଦୁଝର
୧୧୧୭
କୋଣ୍ତାମାଳି
କୋରାପୁଟ
୧୦୭୭
ବାଦାମବାଡ଼ି
ସୁନ୍ଦରଗଡ
୧୦୭୪
କୁମ୍ରିଟର
ସୁନ୍ଦରଗଡ
୧୦୬୫
ଗନ୍ଧମାର୍ଦ୍ଦନ
କେନ୍ଦୁଝର
୧୦୬୦
ଗାର୍ଦାବାଡ଼ି
ଗଞ୍ଜାମ
୧୦୩୬
ରାୟଗଡ଼ଗୁରା
କୋରାପୁଟ
୧୦୨୬
ଛେଳିଆଟୋକା
ସୁନ୍ଦରଗଡ
୧୦୧୫
ଦଣ୍ତିକିଆ(ନୃସିଂହନାଥ)
ସମ୍ୱଲପୁର
୯୮୬
ଖୁଣ୍ତାବଳ
ଗଞ୍ଜାମ
୯୪୯
ଦେପ୍ପାଗିରି
କଳାହାଣ୍ତି
୯୨୪
ପାଞ୍ଚଧାର
ଢ଼େଙ୍କାନାଳ
୯୧୫
ରାଇଘର
ଗଞ୍ଜାମ
୮୮୧
ଟମ୍‌କା
କେନ୍ଦୁଝର
୭୮୨
ଗୁଆଳଦେଇ
ନୟାଗଡ଼
୭୬୪


ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Sunday, August 26, 2018


ଓଡ଼ିଶାର ମଧ୍ୟ ପାର୍ବତ୍ୟାଞ୍ଚଳ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ବ୍ରିଟିଶ ଅମଳର ଓଡ଼ିଶା ସମେତ କିଛି ପୂର୍ବ ଭାରତୀୟ ପ୍ରାନ୍ତର ମାନଚିତ୍ର
'ଓଡ଼ିଶା ଷ୍ଟେଟସ୍' ବୋଲି ଅଙ୍କିତ ଅଞ୍ଚଳ ପ୍ରାୟତଃ ଓଡ଼ିଶାର ମଧ୍ୟ ପାର୍ବତ୍ୟାଞ୍ଚଳର ଅଂଶ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆକାର ଦୃଷ୍ଟିରୁ ଏହି ପାର୍ବତ୍ୟାଞ୍ଚଳ ବର୍ତ୍ତମାନ ଓଡ଼ିଶାର ତିନିଚତୁର୍ଥାଂଶ ମାଡ଼ି ବସି ଥିବାରୁ, ଏହା ହିଁ ରାଜ୍ୟର ଅର୍ଥନୈତିକ ମାନ ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଅଂଶ ଭାରତୀୟ ଉପଦ୍ୱୀପର ଏକ ଅଂଶବିଶେଷ ଏବଂ ପୂର୍ବଘାଟ ପର୍ବତମାଳାର ଉତ୍‌ଥାନ ପୂର୍ବରୁ ଏହା ପଶ୍ଚିମରୁ ପୂର୍ବଆଡ଼କୁ ଢାଲୁ ଅବସ୍ଥାରେ ଥିଲା । ତାହା ପୂର୍ବରୁ ଉଭୟେ ପ୍ରାୟ ସମାନ ସ୍ତରରେ ଥିଲେ । ଏହି ଅଞ୍ଚଳର ନଦୀ ବିନ୍ୟାସ ପୂର୍ବଘାଟଠାରୁ ଅଧିକ ପ୍ରାଚୀନ ଏବଂ ସେହି ଅନୁବର୍ତ୍ତୀ ନଦୀଗୁଡ଼ିକ ରାଜ୍ୟର ଭୂପ୍ରକୃତି ଅନୁସାରେ ଉତ୍ତର-ପଶ୍ଚିମ ଉତ୍ତର ଠାରୁ ଦକ୍ଷିଣ-ପୂର୍ବ ଦକ୍ଷିଣମୁଖୀ ହୋଇଛନ୍ତି । ପୂର୍ବସ୍ଥିତି ଚେଉଢେଉକା ପ୍ରାଚୀନ ଭୂପୃଷ୍ଠ ଏକ ପରିଣତ ଜଳ ନିଷ୍କାସନ ପ୍ରଣାଳୀ ଦ୍ୱାରା ଧୌତ ହେଉଥିଲା । କଟକର ଉତ୍ତରପଶ୍ଚିମ ଦିଗରେ ଥିବା ନିମ୍ନ ଗଣ୍ତୱାନା ଭୂଅଂଶର ଏହା ପରିବର୍ତ୍ତନ । 

ଆରିବୀୟ ଯୁଗରେ ଭାରତର ପୂର୍ବଉପକୂଳ ସହିତ ସମାନ୍ତରାଳ ହୋଇ ଛୋଟନାଗପୁର ମାଳଭୂମିଠାରୁ ଆରମ୍ଭ କରି କେନ୍ଦୁଝରଢେଙ୍କାନାଳ, ସମ୍ୱଲପୁରର କିଛି ଅଂଶ ଫୁଲବାଣୀ ଉତ୍ତର-ଗଞ୍ଜାମ, କଳାହାଣ୍ତି ଏବଂ କୋରାପୁଟ ଜିଲ୍ଲା ସହିତ ଏହି ଅଂଶ ଏକ ଭୂ-ଭତ୍ତୋଳନ ପ୍ରକ୍ରିୟା ଦେଇ ଗତି କରିଥିଲା । ଏହା ମଧ୍ୟ ତାମିଲନାଡ଼ୁ ପର୍ଯ୍ୟନ୍ତ ବିସ୍ତୃତ ହୋଇ ଥିଲା । ପରିଣାମରେ ପ୍ରାଚୀନ ପରିଣତ ଭୂପୃଷ୍ଠ ୩୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠି ଆସିଥିଲା । 

ଓଡ଼ିଶାର ପ୍ରାୟ ସମସ୍ତ ପ୍ରମୁଖ ନଦୀମାନେ ପରିବର୍ତ୍ତନର ଏଇ ଝଡ଼ର ସମ୍ମୁଖୀନ ହେବାକୁ ସମର୍ଥ ହୋଇ ସେମାନଙ୍କର ଉତ୍ତର ଉତ୍ତର-ପଶ୍ଚିମରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଆଡ଼େ ଗତି ବଜାଇ ରଖି ପାରି ଥିଲେ । ନଦୀଗୁଡ଼ିକ ଏହି ୩୦୦ ମି. ସମୋଚ୍ଚରେଖାକୁ ଯଥାଯଥ ଭାବରେ ଅତିକ୍ରମ କରି ପାରି ଥିବାରୁ ହିଁ ଏହା ସମ୍ଭବ ହୋଇ ଥିଲା । ଯେତେଦୂର ସମ୍ଭବ ଏହି ଭୂତ୍ତୋଳନ ପୂର୍ବରୁ ମହାନଦୀର ଦକ୍ଷିଣ-ପଶ୍ଚିମ ବା ଉତ୍ତର-ପୂର୍ବରୁ ପ୍ରବାହିତ ହେଉଥିବା ଉପନଦୀଗୁଡ଼ିକର ଅସ୍ତିତ୍ୱ ନ ଥିଲା । ଏହି ଉତ୍ତୋଳିତ ମାଳଭୂମି ନୂତନ ସ୍ଥିତିରେ ଗଭୀର ଭାବରେ ଧୋଇ ଯିବାକୁ ଲାଗିଲା । ଏହି ଅଞ୍ଚଳ ପୁଣି ଆଉ ଦୁଇଟି ଭୂତ୍ୱକୀୟ ଉତ୍ତୋଳନର ସମ୍ମୁଖୀନ ହେବାରୁ ଭୂପୃଷ୍ଠ ପ୍ରଥମେ ୬୦୦ ମି ଏବଂ ପରେ ୯୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠିଯାଇଥିଲା ।
ନଦୀଶଯ୍ୟାଗୁଡ଼ିକ ମଧ୍ୟ ଏହି ଭଳି ୩୦୦ ମି.ରୁ ୬୦୦ ମି. ପର୍ଯ୍ୟନ୍ତ ଉପରକୁ ଉଠି ଯାଇ ଥିଲା । ଫଳରେ ଓଡ଼ିଶାର କେନ୍ଦ୍ର ଭାଗରେ ଏକ ଜଳଛାୟା ଅଞ୍ଚଳ ସୃଷ୍ଟି ହୋଇ ଗଲା । ପୁରୁଣା ନଦୀମାନେ ସେମାନଙ୍କର ଉତ୍ପତ୍ତିସ୍ଥଳରୁ ବିଚ୍ଛିନ୍ନ ହୋଇ ଗଲେ । ତେବେ ବ୍ରାହ୍ମଣୀ ଏବଂ ମହାନଜୀଭଳି କେତେକ ପ୍ରମୁଖ ନଦୀ ଏହି ଉତ୍ତୋଳନ ସତ୍ତ୍ୱେ ସେମାନଙ୍କର ପୁରୁଣା ଗତିପଥକୁ ବଜାୟ ରଖିଲେ । ଦେବଗଡ଼ର ଉତ୍ତରରେ ଥିବା ଉପର ବ୍ରାହ୍ମଣୀର ଗଭୀର ଉପତ୍ୟକା ହେଉଛି ଏହାର ପ୍ରମାଣ । 

ପରିବର୍ତ୍ତିତ ନଦୀଗୁଡ଼ିକ ହେଉଛନ୍ତି ବୁଢାବଳଙ୍ଗବୈତରଣୀଋଷିକୂଲ୍ୟା ,ବଂଶଧାରା ଏବଂ ନାଗାବଳୀ । ଏହି ଉତ୍ତୋଳନ ପରେ ପରେ ମହାନଦୀର ଦୁଇ ଶାଖା ଲବ୍ ଏବଂ ତେଲ ପୂର୍ବଘାଟର ପଶ୍ଚିମ ଢାଲୁରେ ଆତ୍ମପ୍ରକାଶ କଲେ ଏବଂ ଉତ୍ତୋଳିତ ଭୂଖଣ୍ତର ଢାଲୁକୁ ଅନୁସରଣ କରି ପ୍ରବାହିତ ହେଲେ । ବ୍ରାହ୍ମଣୀର ଦୁଇଟି ଉପନଦୀ ଶଙ୍ଖ ଓ କୋଏଲ ବୈତରଣୀ ନଦୀର ଉତ୍ତର ପୂର୍ବ ଦକ୍ଷିଣ ପଶ୍ଚିମ ଦିଗରେ ବହିବାକୁ ଲାଗିଲେ । ମହାନଦୀର ଉପନଦୀ ତେଲ ଋଷିକୂଲ୍ୟା, ବଂଶଧାରା, ଏବ‌ଂ ନାଗାବଳୀ ନଦୀଗୁଡ଼ିକୁ ଅପହରଣ କଲା ଏବଂ ଏହା ଦକ୍ଷିଣ ପଶ୍ଚିମରୁ ଉତ୍ତରପୂର୍ବ ଆଡ଼କୁ ପ୍ରବାହିତ ହୋଇ ସୋନପୁରଠାରେ ମହାନଦୀରେ ପଡ଼ିଲା । ଏଣୁ ତେଲ, ଇବ, କୋଏଲ ଏବଂ ଶଙ୍ଖ ପ୍ରଭୃତି ନଦୀମାନେ ପୂର୍ବ ସୂଚିତ ପ୍ରମୁଖ ନଦୀମାନଙ୍କର ପରେ ସୃଷ୍ଟି ହୋଇଛନ୍ତି । 

ପୂର୍ବ ଘାଟର ଉତ୍ତୋଳନ ପର୍ବ ତିନି ପର୍ଯ୍ୟାୟରେ ହୋଇଛି । ଭାରତୀୟ ଭୂତାତ୍ତ୍ୱିକ ସର୍ଭେ ଏହାର ବୃଦ୍ଧିକୁ ଯେଉଁଭଳି ଦ୍ୱିସ୍ତରୀୟ ବୋଲି ଉଲ୍ଲେଖ କରିଛନ୍ତି, ଏହା ସତ୍ୟ ନୁହେଁ । କିମ୍ୱା ଶେଷ ଦୁଇ ପର୍ଯ୍ୟାୟରେ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରହି ଥିଲା ଏବଂ ଏହାକୁ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ ରୂପେ ଗ୍ରହଣ କରି ନିଆ ଯାଇ ପାରେ । ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ପ୍ରସ୍ଥଚ୍ଛେଦ ଅଙ୍କନ କରି ଉତ୍ତୋଳନର ଏହି ତ୍ରିସ୍ତରୀୟ ସମ୍ଭାବନା କଥା କୁହା ଯାଇଛି । ପ୍ରତ୍ୟେକ ପ୍ରସ୍ଥଚ୍ଛେଦରୁ ୯୦୦୬୦୦ ଏବଂ ୩୦୦ ମି. ଉଚ୍ଚତାକୁ ନଦୀଗୁଡ଼ିକର ଉତ୍ପତ୍ତିସ୍ଥଳ ବୋଲି ପ୍ରମାଣ କରିଛି । ଏଥିରୁ ପ୍ରକୃତ ପ୍ରାଥମିକ ସ୍ତର ସମ୍ପର୍କରେ ମଧ୍ୟ ସୂଚନା ମିଳୁଛି ।

ପ୍ରତ୍ୟେକ ନଦୀ ଯେଉଁମାନେ କି ନିଜର ଉତ୍ପତ୍ତିସ୍ଥଳ ଠାରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି - ସେମାନଙ୍କର ମୁହାଣଗୁଡ଼ିକର ଆକାର ସେମାନଙ୍କର ଅବବାହିକା ତୁଳନାରେ ବଡ଼ ବୋଲି ଜଣାପ ଡ଼ୁଛି । କାରଣ, ବିଚ୍ଛିନ୍ନ ହେବାର ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକ ସଙ୍କୁଚିତ ହୋଇ ଯାଇ ଅଛନ୍ତି । ତେବେ ଏଇ ଅନୁମାନକୁ ପ୍ରମାଣ କରିବାକୁ ହେଲେ ଆହୁରି ଗଭୀର ଅନୁଧ୍ୟାନ ଆବଶ୍ୟକ ।

ଭୂ ଉତ୍ତୋଳନର ପର୍ଯ୍ୟାୟ ଏବଂ ଉତ୍ପତ୍ତିସ୍ଥଳ ବିଚ୍ଛିନ୍ନ

ନଦୀ
ଉତ୍ପତ୍ତିସ୍ଥଳଠାରୁ ବିଚ୍ଛିନ୍ନହେବା ସମୟରେ ଉତ୍ତୋଳନର ପର୍ଯ୍ୟାୟ
ମିଟର
ବୁଢ଼ାବଳଙ୍ଗ
ଦ୍ୱିତୀୟ
୪୫୦-୬୦୦
ବୈତରଣୀ
ତୃତୀୟ
୬୦୦-୯୦୦
ଋଷିକୂଲ୍ୟା
ତୃତୀୟ
୬୦୦-୯୦୦
ବଂଶଧାରା
ତୃତୀୟ
୬୦୦-୯୦୦
ନାଗାବଳୀ
ତୃତୀୟ
୬୦୦-୯୦୦

ଗଠନତତ୍ତ୍ୱ ଦୃଷ୍ଟିରୁ ମଧ୍ୟପାର୍ବତ୍ୟାଞ୍ଚଳ ନିମ୍ନମତେ ଗୌଣ ବିଭାଗରେ ବିଭକ୍ତ: 

(ଶିମିଳିପାଳ ଏବଂ ମେଘାସନ ପର୍ବତ
(ବୈତରଣୀ ଏବ‌ଂ ବ୍ରାହ୍ମଣୀନଦୀ ମଧ୍ୟବର୍ତ୍ତୀ ମାଙ୍କଡ଼ ନଚା ମଳୟଗିରି ଏବଂ ଗନ୍ଧମାର୍ଦ୍ଦନ ପର୍ବତ
(ବ୍ରାହ୍ମଣୀ ଏବଂ ମହାନଦୀ ମଧସ୍ଥ ଜଳବିଭାଜନ ଅଞ୍ଚଳ
(ମହାନଦୀ ଋଷିକୂଲ୍ୟା ଏବଂ ବଂଶଧାରା ମଧ୍ୟରେ ଥିବା ସାଧାରଣ ଜଳବିଭାଜନ
(ପଟାଙ୍ଗି ଏବଂ ଚନ୍ଦ୍ରଗିରି ପର୍ବତମାଳା 

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Sunday, August 12, 2018

ଓଡ଼ିଶାର ଉପସାଗର, ଦ୍ୱୀପ ତଥା ପ୍ରାକୃତିକ ପୋତାଶ୍ରୟ


ଲେଖକ - ବି. ଏନ୍. ସିଂ 


ଅନୁବାଦକ - ହେମନ୍ତ କୁମାର ଦାସ


ହୁକିଟୋଲାର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଉପସାଗର ଏବଂ ଦ୍ୱୀପ

ଓଡିଶା ଉପକୂଳ ହେଉଛି ଏକ ନିର୍ମିତ ଉପକୂଳ ଏବଂ ଏହା କ୍ରମେ କ୍ରମେ ଉତ୍ତୋଳିତ ହୋଇଛି । ସେଇଥି ପାଇଁ ଏଠାରେ ଉପସାଗରର କିମ୍ୱା ଖାଡ଼ି ସୃଷ୍ଟି ହୋଇ ନାହିଁ । ତେବେ ଜମ୍ୱୁ ନିକଟସ୍ଥ ହୁକିଟୋଲାଠାରେ ଏହି ଧରଣାର ଏକ ଉପସାଗର ନିର୍ମିତ ହୋଇଛି । ମହାନଦୀ ମୁହାଣର ଉତ୍ତରଦିଗରେ ଏକ ବିରାଟ ବାଲିକୁଦ ସୃଷ୍ଟି ହୋଇଥିବାରୁ ହିଁ ଏହା ସମ୍ଭବ ହୋଇଛି । ତେବେ ମହାନଦୀ ଏବଂ ତାହାର ଶାଖାନଦୀମାନଙ୍କ ଦ୍ୱାରା ଆନୀତ ପଟୁ ଦ୍ୱାରା ଏହା ଦୃତଗତିରେ ପୋତି ହୋଇ ଯିବାରେ ଲାଗିଛି ।

ଓଡ଼ିଶା ଉପକୂଳରେ ମାତ୍ର ଦୁଇଟି ଦ୍ୱୀପ ରହିଛି ।ଏହା ମହାନଦୀ ମୁହାଣରେ ଅବସ୍ଥିତ । ନଦୀବାହିତ ମୃତ୍ତିକା ଦ୍ୱାରା ହିଁ ଏହା ଗଠିତ । ସେଥିରୁ ଗୋଟିଏ ହେଉଛି ସର୍ବଦ୍ୱୀପ । ଅନ୍ୟଟିର ନାମ ହୁଇଲର ଦ୍ୱୀପ ଏବଂ ଏହା ଧାମରାମୁହାଣ ଏବଂ ମଇପୁରା ମଧ୍ୟବର୍ତ୍ତୀ ବଙ୍ଗୋପସାଗରେ କୂଳରୁ ଅଳ୍ପ କେଇ କି.ମି ଭିତରେ ଅବସ୍ଥିତ । କାଳକ୍ରମେ ଏହି ଦୁଇ ଦ୍ୱୀପ ମଧ୍ୟ ମୂଳ ସ୍ଥଳଭାଗ ସହିତ ମିଶିଯିବ । ପଟୁମାଟି ଦ୍ୱାରା ନିୟମିତ ଭାବରେ ମହାନଦୀ ତ୍ରିକୋଣଭୂମିର ଆକାର ବଢ଼ିବାରେ ଲାଗି ଥିବାରୁ ମୂଳଖଣ୍ତ ସହିତ ଏହା ମିଶି ଯିବାର ସମ୍ଭାବନା ଉଜ୍ୱଳ ହୋଇଛି । ତାହା ପରେ ସେଗୁଡ଼ିକ ମୁଖ୍ୟଭୂମିର ଏକ ଅଂଶ ରୂପେ ଗଠିତ ହେବେ ।

ପ୍ରାକୃତିକ ପୋତାଶ୍ରୟ

ଉପକୂଳ ସୀମାରେଖାର ପ୍ରକୃତି ଦୃଷ୍ଟିରୁ ପାରାଦ୍ୱୀପଠାରେ କେବଳ ଗୋଟିଏ ପ୍ରାକୃତିକ ପୋତାଶ୍ରୟ ସମ୍ଭବ ହୋଇ ପାରିଛି ।ସମଗ୍ର ଭାରତବର୍ଷରେ ଏହା ହେଉଛି ଗଭୀରତମ ବନ୍ଦର ଏବଂ ଏହା ୬୦୦୦୦ ଟନରୁ ଉର୍ଦ୍ଧ୍ୱ ମାଲବାହୀ ଜାହାଜଗୁଡ଼ିକୁ ଆଶ୍ରୟ ଦେବାପାଇଁ ସକ୍ଷମ । ଚାନ୍ଦବାଲି ଏବଂ ଗୋପାଳପୁରକୁ ଗୋଟିଏ ଗୋଟିଏ ମଧ୍ୟମ ଧରଣର ବନ୍ଦର ରୂପେ ପରିଣତ କରା ଯାଇଛି । ଧାମରା ହେଉଛି ଏକ କ୍ଷୁଦ୍ର ମାଛଧରା ବନ୍ଦର ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Monday, July 30, 2018

ଓଡ଼ିଶାର ହ୍ରଦ, ପାଟ ଏବଂ ସନ୍ତସନ୍ତିଆଭୂମି


ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଚିଲିକାର ମଙ୍ଗଳାଯୋଡ଼ିର ଦୃଶ୍ୟ (ଫଟୋ କ୍ରେଡ଼ିଟ -  ୱିକିମିଡିଆ କମନ୍ସ୍)


ଓଡ଼ିଶାର ହ୍ରଦଗୁଡ଼ିକୁ ପ୍ରାକୃତିକ ଏବଂ କୃତ୍ରିମ, ଏହି ପରି ଦୁଇଟି ବିଭାଗରେ ବିଭକ୍ତ କରା ଯାଇ ପାରେ । ହ୍ରଦ ଜଳରେ ଥିବା ଲୁଣର ପରିମାଣ ଦୃଷ୍ଟିରୁ ଏଗୁଡ଼ିକର ଏକ ସ୍ୱତନ୍ତ୍ର ବିଭାଗ ହୋଇପାରେ । ସ୍ୱାଧୀନତା ପୂର୍ବରୁ କୃତ୍ରିମ ହ୍ରଦର ସଙ୍ଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା । ଏ ଧରଣର ମାତ୍ର ଦୁଇଟି ଜଳଭଣ୍ତାର, ଗୋଟିଏ ଋଷିକୂଲ୍ୟା ନଦୀ ଅବବାହିକାର ସୋରଡ଼ାଠାରେ ଏବଂ ଅନ୍ୟଟି ଭଞ୍ଜନଗରଠାରେ ନିର୍ମିତ ହୋଇଥିଲା । ଏହାର ଜଳ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟାର ନିମ୍ନାଞ୍ଚଳରେ ଜଳସେଚନ ନିମନ୍ତେ ବ୍ୟବହୃତ ହେଉଥିଲା । ଏହା ଛଡ଼ା କଟକର ନରାଜ ଏବଂ ଯୋବ୍ରାଠାରେ ମହାନଦୀରେ ବିରୂପାରେ ଆନିକଟ ନିର୍ମାଣ କରାଯାଇ କୃତ୍ରିମ ଜଳଭଣ୍ତାରମାନ ସୃଷ୍ଟି କରା ଯାଇ ଥିଲା ।

ସ୍ୱାଧୀନତାପରେ ଏହି ସଙ୍ଖ୍ୟା ବଢ଼ିବାରେ ଲାଗିଲା ଏବଂ ସମ୍ୱଲପୁରର ହୀରାକୁଦଠାରେ ମହାନଦୀରେ ଏବଂ ମାଛକୁଣ୍ତଠାରେ ମାଛକୁଣ୍ତ ନଦୀରେ ବନ୍ଧ ଦିଆ ଯାଇ ଜଳଭଣ୍ତାରମାନ ସୃଷ୍ଟି କରାଗଲା । ବର୍ତ୍ତମାନ ବହୁ ନଦୀରେ ଜଳସେଚନ ନିମନ୍ତେ ଏହି ଧରଣର ଜଳଭଣ୍ତାରମାନ ସୃଷ୍ଟି କରା ଯାଇଛି ଏବଂ ସେଗୁଡ଼ିକୁ ମଧ୍ୟମ କିମ୍ୱା ବୃହତ୍ ଜଳସେଚନ ପ୍ରକଳ୍ପର ଅନ୍ତର୍ଭୁକ୍ତ କରା ଯାଇଛି । ବାଲିମେଳାଠାରେ ସିଲେରୁ ନଦୀରେ ସୃଷ୍ଟି କରା ଯାଇ ଥିବା ଜଳଭଣ୍ତାର, ବ୍ରାହ୍ମଣୀ ନଦୀର ରେଙ୍ଗାଲି ବ୍ରାହ୍ମଣୀନଦୀର ଏକ ଶାଖା ଜଳଭଣ୍ତାର । ଶଙ୍ଖ ନଦୀରେ ମନ୍ଦାର ଜଳଭଣ୍ତାର (ରାଉରକେଲା ନିକଟରେ) ଏବଂ ଇନ୍ଦ୍ରାବତୀ ନଦୀରେ ଉପର ଇନ୍ଦ୍ରାବତୀ ଜଳଭଣ୍ତାରଗୁଡ଼଼ିକ ପ୍ରମୁଖ ମଧ୍ୟରେ ଉଲ୍ଲେଖଯୋଗ୍ୟ । ଏହା ଛଡ଼ା ରାଜ୍ୟରେ ଅନେକ ମଧ୍ୟମ ଜଳସେଚନ ପ୍ରକଳ୍ପ ରହିଛି । ହଦଗଡ଼ଠାରେ ସାଳନ୍ଦୀ ନଦୀରେ ତଥା ପଟେରୁ ନଦୀରେ ଏହି ଭଳି ବନ୍ଧ ନିର୍ମାଣ କରାଯାଇ ଜଳଭଣ୍ତାରମାନ ସୃଷ୍ଟି କରା ଯାଇଛି । ପ୍ରାକୃତିକ ଜଳଭଣ୍ତାର ମଧ୍ୟରେ ଚିଲିକା ହେଉଛି ଅତ୍ୟନ୍ତ ପ୍ରସିଦ୍ଧ ଏବଂ ଏହା ସମଗ୍ର ଭାରତରେ ଏହି ଧରଣର ବୃହତ୍ତମ ହ୍ରଦ ।

ଚିଲିକା ହ୍ରଦର ଆକାର ହେଉଛି ଏକ ନାସ୍‌ପାତି ଫଳଭଳିଏହା ଉତ୍ତରପୂର୍ବରେ ଓସାରିଆ ଏବଂ ଦକ୍ଷିଣ ପଶ୍ଚିମ ଆଡ଼କୁ କ୍ରମଶଃ ସରୁ । ଏହାର ଦୈର୍ଘ୍ୟ ହେଉଛି ୭୨ କି.ମି (ଉତ୍ତରୁ ଦକ୍ଷିଣ)। ଏହାର ଉତ୍ତରାର୍ଦ୍ଧର ପ୍ରସ୍ଥ ହେଉଛି ପ୍ରାୟ ୩୨ କି.ମି ଏବଂ ଗୋଜିଆ ଦକ୍ଷିଣାର୍ଦ୍ଧର ପ୍ରସ୍ଥ ମୋଟାମୋଟି ଆଠ କି.ମି ।

ବିଭିନ୍ନ ଋତୁରେ ଏହି ହ୍ରଦର ଆକାରରେ ହ୍ରାସବୃଦ୍ଧି ହୋଇଥାଏ । ଖରାଦିନେ ଏହା ୮୯୧ ବର୍ଗ କି.ମି. ମଧ୍ୟରେ ସୀମାବଦ୍ଧ ଥିବା ବେଳେ ବର୍ଷାକାଳରେ ନଦୀମାନଙ୍କରେ ଯେତେବେଳେ ବନ୍ୟା ଆସେ ଏବଂ ଜୁଆର ସମୟରେ ଏହାର ଆକାର ୧୧୬୫ ବର୍ଗ କି.ମି.କୁ ବୃଦ୍ଧି ପାଇଥାଏ । ପୂର୍ବଘାଟ ପର୍ବତମାଳା ସହ ଏହାର କୂଳ ଲାଗି ଥିବାରୁ ପଶ୍ଚିମରୁ ହ୍ରଦ ମଧ୍ୟକୁ ପ୍ରଚୁର ପଟୁମାଟି ବୋହି ଆସେ । କାଳିଜାଇଠାରେ ଏହାର ଗଭୀରତମ ଅଂଶ ରହିଛି । 

ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ଚିଲିକା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପାଇଛି । ଓଡ଼ିଶା ସରକାର ମଧ୍ୟ ଏହାକୁ ଏକ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରିଛନ୍ତି । ଏପରିକି ସୁଦୂର ସାଇବେରିଆ ଅଞ୍ଚଳରୁ ଅନେକ ପକ୍ଷୀ ଏଠାକୁ ଆସିଥା'ନ୍ତି । ଏହା ମଧ୍ୟ ଚିଙ୍ଗୁଡ଼ି ଏବଂ କଙ୍କଡ଼ା ଚାଷ ପାଇଁ ଅନୁକୂଳ କ୍ଷେତ୍ର । ବିଦେଶରେ ଏହାର ପ୍ରଚୁର ଚାହିଦା ରହିଛି । ଏହି ହ୍ରଦଜଳର ଲବଣାଂଶ ବର୍ଷା ଋତୁରେ ହ୍ରାସ ପାଏ ଏବଂ ଶୀତ ଋତୁରେ ବଢ଼ିଯାଏ । ଏହାର ବଙ୍ଗୋପସାଗର ସହିତ ମୁହାଣ (୧୦୦କି.ମି) ରହିଛି । ସାମୁଦ୍ରିକ ଖରସ୍ରୋତ ଏହି ମୁହାଣକୁ ଖୋଲା ରଖିବାରେ ନାନା ଧରଣର ସମସ୍ୟା ସୃଷ୍ଟି କରୁଛି ।

ଅଂଶୁପା ହେଉଛି ଅନ୍ୟ ଏକ ମଧୁରଜଳ ବିଶିଷ୍ଟ ହ୍ରଦ । ଏହା କଟକ ଜିଲ୍ଲାର ବାଙ୍କିର ବିପରୀତ ପାର୍ଶ୍ୱରେ ମହାନଦୀର ବାମକୂଳରେ ଅବସ୍ଥିତ । ବସ୍ତୁତଃ ଏହି ହ୍ରଦ ମହାନଦୀର ତାହାର ଗତିପଥ ପରିବର୍ତ୍ତନ କରି ଥିବାରୁ ହିଁ ସୃଷ୍ଟି ହୋଇଛି । ଉଦୟନାଖଣ୍ତ ନାମରେ ଏକ ନିମ୍ନଭୂମି ରହିଛି । ଏହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାରେ ଇଚ୍ଛାପୁର ଉପକୂଳରେ ଅବସ୍ଥିତି । ଏହାର ଜଳ ଲାବଣାକ୍ତ । ସରହ୍ରଦ, ସମଗରାପାଟ ଏବଂ ତାମ୍ପରା ହେଉଛି ତିନୋଟି ଉପହ୍ରଦ । ଗୋଟିଏ ସମୟରେ ଏହା ବଙ୍ଗୋପସାଗରରୁ ବିଚ୍ଛିନ୍ନ ହୋଇ ସୃଷ୍ଟି ହୋଇଥିଲା । ଏସବୁ ପଟୁରେ ପ୍ରାୟ ପୋତି ହୋଇ ପଡ଼ିଲେଣି ଏବଂ ଏବେ ଖରାଦିନେ ଯେତେବେଳେ ପାଣି ଶୁଖିଯାଏ ଏବଂ ଉର୍ବର ମାଟି ଅଂଶ ବାହାରି ଆସେ, ସେତେବେଳେ ଏଥିରେ ପ୍ରଚୁର ଧାନଚାଷ କରାଯାଏ । ସରହ୍ରଦରେ ଜଳସେଚନ ବିଭାଗ ନୂଆନଈ ନାମରେ ଯେଉଁ କୃତ୍ରିମ ନାଳ ଖୋଳିଛନ୍ତି, ତାହା ଦ୍ୱାରା ଏହି ଅଞ୍ଚଳର ବନ୍ୟାସମସ୍ୟା ବହୁ ପରିମାଣରେ ଦୂର ହୋଇଛି ।

ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତି, ହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।