Wednesday, March 15, 2017

ଭିନ୍ନ ଭିନ୍ନ ଦେଶରେ ଲୋକେ କିପରି ମାଛ ମାରନ୍ତି


ଗୋପୀନାଥ ମହାନ୍ତି


ଶ୍ରୀଲଙ୍କାରେ ମାଛଧରା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମାଛ ମଣିଷର ଗୋଟିଏ ପ୍ରଧାନ ଖାଦ୍ୟ । ମନୁଷ୍ୟ ସଭ୍ୟ ହୋଇ ମାଛ ଖାଇବାକୁ ଶିଖିନାହିଁ, ଅତି ପୂର୍ବେ ଯେତେବେଳେ ଅସଭ୍ୟ ଥିଲା ଓ ଯେତେବେଳେ ତାକୁ ନିଜର ଖାଦ୍ୟ ସଙ୍ଗ୍ରହ କରିବାକୁ ପଡ଼ୁଥିଲା, ସେଦିନୁ ମାଛ ଖାଉଛି । ସମୁଦ୍ର ଭିତରେ, ସମୁଦ୍ର କୂଳରେ, ସମୁଦ୍ର ଛାଡ଼ି ନଈ ଓ ପୋଖରିରେ, ସବୁଠାରେ ମାଛ ମରାହୁଅନ୍ତି । ସମୁଦ୍ର ଭିତରେ ଯେଉଁଠି ଭୂଇଁ ବୁଡ଼ିଯାଇ ପାଣି ଭିତରେ ଅଳ୍ପ ଖାଲ ହୋଇଯାଇଛି ଓ ଯେଉଁଠି ଥଣ୍ଡା ସୁଅ ପଡ଼ିଛି ସେଠି ପ୍ରଚୁର ମାଛ ରହନ୍ତି । ଅଗହୀର ପାଣିରେ ସମୁଦ୍ର ଦଳ ହୁଏ, ସେଥିରେ ମାଛ ମାନେ ଡ଼ିମ୍ବ ଦିଅନ୍ତି । ତେଣୁ ଏପରି ସ୍ଥାନରେ ଅନେକ ମାଛ ରୁହନ୍ତି । ଉତ୍ତର ସମୁଦ୍ରରେ ଡ଼ଗର୍ ବ୍ୟାଙ୍କ୍, ନିଉ ଫାଉଣ୍ଡ୍-ଲ୍ୟାଣ୍ଡ୍ ପାଖ ଅଗହୀର ସମୁଦ୍ର, ଏଠି ମାଛର ଖଣି । କଡ୍, ହାଲିବର୍ଟ୍, ହ୍ୟାଡ଼କ୍, ଏହିପରି ଜାତିର ମାଛ ଏଠି ମରନ୍ତି । ସମୁଦ୍ର ସୁଅରେ ଅନେକ ଛୋଟ ଛୋଟ ମାଛ ମେରୁ ପ୍ରଦେଶ ଆଡ଼ୁ ଭାସି ଆସନ୍ତି । ବଡ଼ ମାଛମାନେ ଏମାନଙ୍କୁ ଖାଇ ବଞ୍ଚନ୍ତି ।

ସମୁଦ୍ର କୂଳରେ ମଧ୍ୟ ମାଛ ମରନ୍ତି । ମହାଦେଶର ଉପକୂଳରେ ନୋହିଲେ ଦ୍ୱୀପମାନଙ୍କ ପାଖରେ ଯେଉଁଠି ସମୁଦ୍ର ଅଗହୀର, ସେଠି ଅନେକ ପ୍ରକାର ମାଛ ଥାଆନ୍ତି । ତେଣୁ ଜାପାନ ଆଖପାଖରେ ପୃଥିବୀର ସବୁଠାରୁ ବେଶି ମାଛ ମରନ୍ତି । ବଙ୍ଗୋପସାଗର ଉପକୂଳରେ ଅନେକ ମାଛ ରୁହନ୍ତି । 

ହ୍ରଦମାନଙ୍କରୁ କିପରି ମାଛ ମରନ୍ତି ତାହା ତୁମେ ମାନେ ଜାଣିବ । ଅଂଶୁପା ହ୍ରଦ ଓ ଚିଲିକା ହ୍ରଦର ମାଛ ଓଡ଼ିଶାରେ ପ୍ରଧାନ । ନଈ ମାଛ ଓଡ଼ିଶାର ପ୍ରଧାନ ଖାଦ୍ୟ । ଜୁଆରିଆ ନଈରେ ସମୁଦ୍ରରୁ ମାଛ ଉଠି ଆସନ୍ତି । ମହାନଦୀର ମୂହାଣ ପାଖରେ ଏପରି ମାଛ ଧରା ହୁଅନ୍ତି । ମାଇଲ ମାଇଲ ଲମ୍ବା ବଡ଼ ଜାଲ ସିଧା କରି ବସାଇ ଦିଆହୁଏ । ଜୁଆର ପାଣି ତା ଉପରେ ମାଡ଼ିଯାଏ । ଯେତେବେଳେ ଜୁଆର ପାଣି ସମୁଦ୍ରକୁ ଲେଉଟିଯାଏ ମାଛମାନେ ଜାଲ ଭିତରେ ପଡ଼ି ପାକୁ ପାକୁ ହେଉଥାନ୍ତି । 

ଅସଭ୍ୟ ମନୁଷ୍ୟ ବୈଜ୍ଞାନିକ ଉପାୟରେ ମାଛ ମାରି ଜାଣି ନ ଥିଲେ । କିନ୍ତୁ ଆଜିକାଲି ପୋଖରିରେ ଜାଆଁଳା ରଖି ଲୋକେ ମାଛ ବଢ଼ାଉଛନ୍ତି । ମାଛ ତ ମାଛ, ଆମେରିକାରେ ଲୋକେ ପୋଖରିରେ ବେଙ୍ଗ ଜାଆଁଳା ରଖି ବଢ଼ାଉଛନ୍ତି, କାରଣ ସେମାନେ ଭାରି ବେଙ୍ଗ ଖାଆନ୍ତି । 

ମାଛ ଚଞ୍ଚଳ ସଢ଼ିଯାଏ, ତେଣୁ ତାକୁ ବିକ୍ରୀ କରି ପଠାଇବାକୁ ଲୋକେ ଅନେକ ଉପାୟ କରିଥାନ୍ତି । ଓଡ଼ିଶାର ତଳହଟିରେ ମାଛର ପେଟକୁ କାଟି ଅନ୍ତ ବାହାର କରି ନେଇ ତାକୁ ସମୁଦ୍ରର ଲୁଣି ବାଲିରେ ପୋତି ରଖି ଶୁଖୁଆ କରନ୍ତି । ବିଦେଶକୁ ସଜ ମାଛ ପଠାଇବାକୁ ହେଲେ ମାଛକୁ ବରଫରେ ବନ୍ଦ କରି ପଠାନ୍ତି । ଚିଲିକା କୂଳଯାକ ଦେଖିବ ବରଫକଳ ବସିଛି, ସେଠି ବରଫ ତିଆରି ହେଉଛି, ମାଛସବୁ ବରଫରେ ଘୋଡ଼ାହୋଇ ବିଦେଶ ଯାଉଛନ୍ତି । କଡ଼୍, ହ୍ୟାଲିବଟ୍ ପ୍ରଭୃତି ମାଛର ତେଲ ଭାରି ଉପକାରୀ । ତାକୁ ଖାଇଲେ ଲୋକେ ମୋଟା ହୋଇଯିବେ, କାରଣ ମନୂଷ୍ୟର ଦରକାରୀ ଭିଟାମିନ୍ ନାମକ ଖାଦ୍ୟ ତହିଁରେ ଅଛି । ପ୍ରତ୍ୟେକ ମାଛର ତେଲ ଉପକାରୀ ।

Monday, March 13, 2017

ପିଲାଙ୍କ ପାଇଁ କବିତା - 'ବିଲୁଆ ନନା'


କବି - ଜଗନ୍ନାଥ ପ୍ରସାଦ ଦାସ 


ବିଲୁଆ ନନାର ନାନା ଭାବନା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖରା ହେଉଥିଲା ବର୍ଷା ହେଉଥିଲା
ବରବେଶ ହୋଇ ବିଲୁଆ ନନା
ବାହା ହେବ ବୋଲି ବାହାରିବା ବେଳେ
କିଏ ସେ କହିଲା ପଛକୁ ଅନା ।

ପଛକୁ ଅନାଇ ବିଲୁଆ ଦେଖିଲା
ଘରଟି ତାହାର ଗଲାଣି ପୋଡ଼ି
ଠିକ କଲା ତେଣୁ ଏଥର ସେ ଯିବ
ଫାୟାର ବ୍ରିଗେଡ଼୍ ଗାଡ଼ିରେ ଚଢ଼ି । 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Sunday, March 12, 2017

ପିଲାଙ୍କ ପାଇଁ କବିତା - 'ନାଟର ଗୋବର୍ଦ୍ଧନ'


କବି - ଜଗନ୍ନାଥ ପ୍ରସାଦ ଦାସ


ହାତୀର ଏକ ରେଖାଟିତ୍ର (୧୬୩୭)
ଓଲନ୍ଦାଜ ଚିତ୍ରଶିଳ୍ପୀ ରେମ୍ବ୍ରାଁ (୧୬୦୬-୧୬୬୯) ଙ୍କ ଦ୍ୱାରା ଅଙ୍କିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

 

ବେଙ୍ଗ କରୁଥାଏ କଟର କଟର
ହାତୀ ଚଢ଼ିଯାଏ ମଟର,
ଗଛ କୋରଡ଼ରେ ପେଚା ଓ ମାଙ୍କଡ଼ୀ
ଗୋବର୍ଦ୍ଧନ ସବୁ ନାଟର ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Saturday, March 11, 2017

ଯେଉଁ ଦେଶରେ ବାସୁକୀ ପାଣି ଦିଏ


ମେଣ୍ଢାର ଦେଶ


ଗୋପୀନାଥ ମହାନ୍ତି 


ଚିତ୍ର - 'ନୂଆ ହଲାଣ୍ଡର କଙ୍ଗାରୁ' (୧୭୭୨)
ଚିତ୍ରକର - ଜର୍ଜ ଷ୍ଟବ୍ସ (୧୭୨୪-୧୮୦୬)




ନିଉଜିଲାଣ୍ଡ ପାଖରେ ଗୋଟିଏ ମହାଦେଶ ଅଛି, ସେ ସବୁ ମହାଦେଶଠାରୁ ସାନ । ତାର ଅଧିକାଂଶ ହେଉଛି ମରୁଭୂମି । ପୂର୍ବ ପାଖେ ଗୋଟାଏ ପର୍ବତ ଅଛି । ଦୁଇ ଚାରିଟା ଛୋଟ ଛୋଟ ନଈ ଅଛି । ସମୁଦ୍ର ଓ ପାହାଡ଼ ମଝିରେ ଅଳ୍ପ ସ୍ଥାନ ଅଛି, ଯେଉଁଠି ବର୍ଷା ହୁଏ, ପୂର୍ବ ପାଖେ ଲୋକେ ରହନ୍ତି । ପାହାଡ଼ ପଶ୍ଚିମକୁ ଅନେକ ଦୂର ପର୍ଯ୍ୟନ୍ତ ଘାସଭୂଇଁ ଅଛି, ସେଥିରେ ମେଣ୍ଢା ଚରନ୍ତି । ଲକ୍ଷ ଲକ୍ଷ ମାଣ ଘାସଭୂଇଁ ଚାରିକଡ଼ରେ ତାରର ବାଡ଼ ଦିଆ ହେଇଛି । ତାହାରି ଭିତରେ ମେଣ୍ଢା ରହନ୍ତି । ଯେତେ ଦୂର ଆଖି ଯିବ ଖାଲି ମେଣ୍ଢାଙ୍କ ରାଜ୍ୟ । କାଳେ ଠେକୁଆ ଆସି ଘାସ ଖାଇଯିବେ ବୋଲି ତାରର ଜାଲିରେ ତାରର କଣ୍ଟା ଦିଆଯାଇଛି । ବେଳେ ବେଳେ “କୀ” ଚଢେ଼ଇ ବୋଲି ଗୋଟାଏ ବଡ଼ ଚଢେ଼ଇ ଜୀଅନ୍ତା ମେଣ୍ଢାମାନଙ୍କୁ ମାରି ଖାଇଯାଏ । ଏ ମେଣ୍ଢାମାନଙ୍କର ଖୁବ୍ ବଡ଼ ବଡ଼ ରୁମ । ରୁମକଟା ସମୟ ହେଲେ ମେଣ୍ଢାମାନଙ୍କୁ ଫାର୍ମକୁ ଅଣାହୁଏ, ତାଙ୍କ ରୁମ (ଉଲ୍)କୁ ଲୋକେ କଇଁଚିରେ ନୋହିଲେ ବିଜୁଳି କଳରେ କାଟି ପକାନ୍ତି । ତା ପରେ ମେଣ୍ଢାମାନଙ୍କୁ ଛାଡ଼ି ଦିଅନ୍ତି । ଉଲ୍ କୁ ସଫା କରାଯାଇ କଳରେ ବୁଣାଯାଏ । ଏଥିରୁ ଗରମ କନା, ମୋଜା ପ୍ରଭୃତି ହୁଏ । ମେଣ୍ଢା ଛଡ଼ା ଲକ୍ଷ ଲକ୍ଷ ଗାଇ ଗୋରୁଙ୍କୁ ମଧ୍ୟ ଏଠି ଛାଡ଼ି ଦିଆ ଯାଇଛି । ସେମାନେ ଅରଣା ହୋଇ ବୁଲିଲା ପରି ଏଠି ବୁଲାନ୍ତି । ବେଳେ ବେଳେ ସତକୁ ସତ ବଣୁଆ ହୋଇ ଯାଆନ୍ତି, ତାଙ୍କୁ ଅଡେ଼ଇ ଆଣିବା କାଠିକର ପାଠ ହୁଏ । ଏଠି ଗାଇ ଓ ମେଣ୍ଢା ରଖୁଆଳିମାନେ ଘୋଡ଼ା ଚଢ଼ି ପଶୁ ଜଗନ୍ତି । 

ବଡ଼ ଜଙ୍ଗଲରେ ଡେ଼ଙ୍ଗା ଡେ଼ଙ୍ଗା ଇଉକ୍ୟାଲିପ୍ଟସ୍ ଗଛ ହୁଏ । ସିଧା ସିଧା ଏତେ ଉଚ୍ଚକୁ ବଢ଼ିଯାଏ ଯେ, ଇଉକ୍ୟାଲିପ୍ଟସ୍ ଜଙ୍ଗଲରେ ପଶିଲେ ଭାରି ସୁନ୍ଦର ଦିଶେ, ସତେ କି କେତେ ଗୁଡ଼ାଏ ଉଚ୍ଚ ଉଚ୍ଚ ଖୁଣ୍ଟ ଏକାଠି ପୋତା ହୋଇଛି ।

ତା ଛଡ଼ା ଅଧିକାଂଶ ସ୍ଥାନରେ ବୁଦିବୁଦିକିଆ ଜଙ୍ଗଲ । ମହାଦେଶର ଦକ୍ଷିଣରେ ଚାରିଅଡ଼କୁ ସମାନ ହୋଇ ଖାଲି ଏ ବୁଦାର ଜଙ୍ଗଲ ଧୀରେ ଧୀରେ ବଡ଼ ଜଙ୍ଗଲରେ ମିଶି ଯାଇଛି, କେଉଁଠି ଫାଙ୍କା ଫାଙ୍କା, କେଉଁଠି ବା ଗହଳ । ଏହି ଜଙ୍ଗଲରେ ଅଷ୍ଟ୍ରେଲିୟାର ବୁଦାଲୋକେ ରହିଛନ୍ତି । ସେମାନେ ଚାରିଆଡେ଼ ବ୍ୟାପି ଥିଲେ । ବର୍ତମାନ ଅଷ୍ଟ୍ରେଲିୟାରେ ସାହେବମାନେ ଘର କଲେଣି । ବୁଦା ଜଙ୍ଗଲ ଏ ପାଖେ ଯେପରି ବଡ଼ ଜଙ୍ଗଲରେ ମିଶି ଯାଇଛି, ସେ ପାଖେ ସେପରି ଘାସ ଭୂଇଁରେ ମିଶି ଯାଇଛି । ଏଠି ପଲ ପଲ କଙ୍ଗାରୁ ଚରନ୍ତି । ଏମାନଙ୍କ ଲାଙ୍ଗୁଡ଼ ବଡ଼ ଟାଣ, ଏମାନେ ଲାଙ୍ଗୁଡ଼କୁ ବାଡ଼ି ପରି ଭରା ଦେଇ ସିଧା ଠିଆ ହୋଇ ପଡନ୍ତି । ଚାଲିଲାବେଳେ ଡେ଼ଇଁ ଡେ଼ଇଁ ଚାଲନ୍ତି । ଏମାନଙ୍କୁ ଶିକାର କରିବାକୁ ଗଲାବେଳେ ଯଦି କଙ୍ଗାରୁ ପଳାଇ ନ ପାରେ ତେବେ କୌଣସି ଗୋଟିଏ ସ୍ଥାନରେ ସିଧା ହୋଇ ବସି ପଡ଼ି ଦାନ୍ତ ଦେଖାଏ ଓ ପଛ ଗୋଡ଼ର ବଡ଼ ବଡ଼ ନଖରେ ଆଘାତ କରି କୁକୁରମାନଙ୍କର ଅନ୍ତବୁଜୁଳି ବାହାର କରି ପକାଏ ।

ଠାଏ ଠାଏ ପଲ ପଲ ଏମୁ ଚଢେ଼ଇ ଚରୁଥିବାର ଦେଖାଯାଏ । ଏ ଚଢେ଼ଇମାନେ ଆକାରରେ ଭାରି ବଡ଼ । ଏମାନଙ୍କର ଲମ୍ବା ଲମ୍ବା ଗୋଡ଼, ତହିଁରେ ବିଜୁଳିପରି ଦଉଡ଼ି ପଳାନ୍ତି, କିନ୍ତୁ ଏମାନଙ୍କର ପକ୍ଷୀ ନାହିଁ, ଏମାନେ ଉଡ଼ି ପାରନ୍ତି ନାହିଁ । ଶିକାରୀ କୁକୁର ବେଳେ ବେଳେ ଏମାନଙ୍କ ଲାଞ୍ଜକୁ କାମୁଡ଼ି ଧରନ୍ତି ।

ଏ ଦେଶରେ ବଣୁଆ କୁକୁର ଅଛନ୍ତି; ସେମାନଙ୍କୁ ଡ଼ିଙ୍ଗୋ କୁହାଯାଏ । ସେମାନେ ଗଧିଆପରି ଭୀଷଣ । 

ଏ ଦେଶରେ ପ୍ଲାଟିପସ୍ ବୋଲି ଗୋଟାଏ ପ୍ରକାର ବଣୁଆ ହଂସ ଅଛନ୍ତି ।

ଏହି ଦେଶରେ ଯେଉଁ ବଣୁଆ ଲୋକ ଅଛନ୍ତି, ସେମାନଙ୍କର ରଙ୍ଗ ମାଟିଆ, ସ୍ଥାନକୁ ସ୍ଥାନ ସେମାନଙ୍କ ଚେହେରାରେ ଫରକ ପଡେ଼ । ସେମାନେ ଗଛ ଛେଲିରେ ତିଆରି ଛୋଟ ଛୋଟ କୁଡି଼ଆରେ ରହନ୍ତି, ସେ କୁଡ଼ିଆକୁ କହନ୍ତି “ଗୁଣ୍ୟାଃ” ।

ଏ ଦେଶରେ ବେଶୀ ଜନ୍ତୁ ନ ଥିଲେ । ତେଣୁ ଯାହା ମିଳେ ସବୁ ଏମାନେ ଖାଆନ୍ତି । ଗୋଧି, ଝିଟିପିଟି, ସାପ, ବେଙ୍ଗ, ପିମ୍ପୁଡ଼ି ଏହିସବୁ ଏମାନଙ୍କର ଖାଦ୍ୟ । ଭାଗ୍ୟଥିଲେ କଙ୍ଗାରୁ ବା ଅପୋସମ୍ ପରି ବଡ଼ ଜନ୍ତୁ ବା ଏମୁ ପରି ବଡ଼ ଚଢେ଼ଇ ଏମାନଙ୍କ କପାଳକୁ ଯୁଟେ । 

ଏ ଲୋକମାନେ ପିଠିରେ ଓ ଦେହର ଚାରିଆଡେ଼ ରଙ୍ଗରେ ଚିତ୍ର କରିଥାଆନ୍ତି । ଏମାନେ ଲଙ୍ଗଳା ଲୋକ, ପୂର୍ବେ ମଣିଷ ଖାଉଥିଲେ ।

ଅନ୍ୟାନ୍ୟ ବଣୁଆ ଜାତିର ଲୋକଙ୍କ ତୁଳନାରେ ଏମାନଙ୍କର ବୁଦ୍ଧି-ଶୁଦ୍ଧି କମ୍ । ଗଣିବାକୁ ପଡ଼ିଲେ ଏମାନଙ୍କର ବୁଦ୍ଧି ଭ୍ରମ ହୋଇଯାଏ । ଏମାନେ ଯେଁ ବର୍ଛା, ପଥର ଓ ହାଡ଼ର ଖଣ୍ଡା ପଭୃତି କରନ୍ତି ସେ ସବୁ ଅତି ନିରସା । ଏକମାତ୍ର ବିଚକ୍ଷଣ ଆୟୁଧ ହେଉଛି ବୁମ୍ରାଙ୍ଗ୍ । ଏ ଗୋଟିଏ ହାଲୁକା ଅସ୍ତ୍ର, ଦେଖିବାକୁ ଗୋଟିଏ ଅର୍ଦ୍ଧ-ଚନ୍ଦ୍ର ପରି । ଏ ଅସ୍ତ୍ର ଫୋପାଡ଼ିଲେ ସିଧା ଯାଏ ନାହିଁ, ଉଡ଼ିଲା ପରି ଯାଏ, ତେଣୁ ଏହା ଅତି ବିଚକ୍ଷଣ ।

ଯେଉଁ ବୁମ୍ରାଙ୍ଗ୍ ମାରି ଦେଇ ହାତକୁ ଫେରିଆସେ ସେ ଗୋଟାଏ ଖେଳନା ମାତ୍ର । ତହିଁରେ କେବଳ ଛୋଟ ଚଢେ଼ଇ ମରନ୍ତି ।

କିନ୍ତୁ ଏମାନେ ଜଙ୍ଗଲ ଭିତରେ ଖାଦ୍ୟ ଖୋଜି ବୁଲି ବୁଲି ଏମାନଙ୍କର ଇନ୍ଦ୍ରିୟ-ଶକ୍ତି ବଡ଼ ବିଚକ୍ଷଣ ହୋଇଯାଇଛି, ଦେଖିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯିବ । ଏମାନଙ୍କ ଘ୍ରାଣଶକ୍ତି ଓ ଦୃଷ୍ଟିଶକ୍ତି ଅତିଶୟ ତୀକ୍ଷ୍ଣ । ଗୋଟାଏ ଘୋଡ଼ା ଟାପୁର ଖୋଜ ଦେଖିଲେ ଏମାନେ କହିଦେବେ, କେତେ ସମୟ ହେଲା ସେବାଟେ ଘୋଡ଼ା ଯାଇଛି, ଆଉ ଘୋଡ଼ାଟାର ଆକାର କିପରି । 

ଗୋଟାଏ ଗାତ ଦେଖିଲେ ଏମାନେ କହିଦେବେ, ଯେ ସେ ଗାତ ଖୋଳିଛି ସେ କିପରି ଧରଣର କେଉଁ ଜାତିର ଲୋକ । ବୁଦା ଜଙ୍ଗଲ ଭିତରେ ବାଟ ଖୋଜିବା ବଡ଼ ଅସୁବିଧା, କାରଣ ଚାରିଆଡ଼ର ସବୁ ବୁଦା ଏକାପରି ଦିଶେ, କିନ୍ତୁ ଏ ଲୋକମାନେ ଅତି ସୁନ୍ଦର ଭାବେ ବାଟ ବାରି ପାରନ୍ତି ଓ କୌଣସି ଲୋକ ଚାଲି ଯାଇଥିଲେ ତାକୁ ଖୋଜି ବାହାର କରିପାରନ୍ତି । ପିଲାଦିନୁ ପୁଅ ଝିଅ ସମସ୍ତେ କେବଳ ଖେଳଭିତରେ ଏସବୁ ଶକ୍ତି ଅଭ୍ୟାସ କରିଥାଆନ୍ତି, କାରଣ ତାରି ଉପରେ ସେମାନଙ୍କର ଖାଦ୍ୟ ଖୋଜି ଗୋଟାଇ ନେବା ନିର୍ଭର କରେ ।

“ସମୁଦ୍ର-ଗାଇ” ବୋଲି ଗୋଟାଏ ବଡ଼ ମାଛ ଅଛି, ଏ ଲୋକମାନେ ସେ ମାଛକୁ ବର୍ଛାରେ ନୋହିଲେ ଧନୁଶରରେ ମାରନ୍ତି । ତହିଁରୁ ଖାଦ୍ୟ ଓ ତେଲ ପାଆନ୍ତି । ଏମାନେ ବଡ଼ ଅଦ୍ଭୁତ ଉପାୟରେ ମାଛ ମାରନ୍ତି । ଗୋଟାଏ ଡ଼ଙ୍ଗା ବା ପଥରରେ ଠିଆହୋଇ ପାଣି ଭିତରକୁ ବର୍ଚ୍ଛା କେଞ୍ଚି ମାଛ ମାରନ୍ତି । ନେହିଲେ ଛୁରି ଧରି ପାଣି ଭିତରେ ବୁଡ଼ି ବୁଡ଼ି ମାଛ ଶୀକାର କରନ୍ତି ।

ଏ ଲୋକମାନେ ଭାରି ଅନ୍ଧ-ବିଶ୍ୱାସୀ । ଏମାନଙ୍କର ଧାରଣା ଯେ, ଦେଢ଼ଶହ ମାଇଲ ଲମ୍ବା ଗୋଟାଏ କଳା ସାପ ଅଛି, ସେ ହେଉଛି ସାପ-ଦେବତା, ସବୁ ସାପଙ୍କର ପୂର୍ବପୁରୁଷ । ତାର ନାମ ୱେଲ୍ଲୁଙ୍କୁଆ । ତାର କାମ ହେଉଛି ଏମାନଙ୍କୁ ପାଣି ଯୋଗାଇବା, କିନ୍ତୁ ସେ ବରାବର କାମରେ ଖଇଚା କରେ । ତେଣୁ ଏ ଲୋକମାନେ ତାକୁ ସନ୍ତୋଷ କରିବାପାଇଁ ବରାବର ପୂଜା କରନ୍ତି ।

ଏମାନେ ଭାବନ୍ତି ଯେ, ଗୁଣି-ଗାରେଡ଼ି କଲେ ଏମାନଙ୍କର ସବୁ ସିଦ୍ଧି ହେବ । ଯେତେବେଳେ ଅଧରାତିରେ ଜହ୍ନ ଆଲୁଅ ପଡ଼ିଥାଏ, ଚାରିଆଡ଼ ଶୂନଶାନ୍, ସେତେବେଳେ ଏମାନେ ମଶାଲ ଜାଳି ଗୁଣି କରିବା ପାଇଁ “କାରୋବୋର୍” ବା ସଭା କରନ୍ତି । ଏପରି ସଭାକୁ କେହି ସ୍ତ୍ରୀ ବାଳକ ଆସି ପାରିବେ ନାହିଁ । ପିଲା ଯେତେବେଳେ ଯବାନ୍ ହୋଇଯାଏ ସେତେବେଳେ ତା ପାଇଁ ମଧ୍ୟ ଏମାନେ “କାରୋବୋର୍” କରନ୍ତି । ତା ଛଡ଼ା ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇଁ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ପ୍ରକାର କିମିଆ କରନ୍ତି । ଦେହରେ ସାପର ଛବି ଆଙ୍କି ନିଜକୁ ସାପ ପରି ସଜାଇ ଏମାନେ ସାପ-କିମିଆ କରନ୍ତି, ତହିଁରେ କୁଆଡେ଼ ଖାଇବାପାଇଁ ପ୍ରଚୁର ସାପ ମିଳିବେ । ମୁଣ୍ଡ ଉପରେ ପୁରୁଷେ ଉଚ୍ଚ କାଠ, ଚଢେ଼ଇ ପର ଓ ମଣିଷ ବାଳର ଦେଉଳିଆ ମୁକୁଟ ପିନ୍ଧି ଏମାନେ ଏମୁ କିମିଆ କରନ୍ତି, ତହିଁରେ କୁଆଡେ଼ ଏମୁ ଚଢେ଼ଇ ବେଶୀ ମିଳିବେ । ଗୋଟାଏ ବଡ଼ ଖୁଣ୍ଟତଳେ ଚିତ୍ର-ବିଚିତ୍ର ହୋଇ ଏମାନେ ପିମ୍ପୁଡ଼ି କିମିଆ କରନ୍ତି, ତହିଁରେ କୁଆଡେ଼ ପ୍ରଚୁର ପିମ୍ପୁଡ଼ି ମିଳିବେ ।

ସମଶୀତଳ ଦେଶର ଘାସଭୂଇଁ


ଗୋପୀନାଥ ମହାନ୍ତି 


ଚିଲି ଦେଶର ପାଟାଗୋନିଆର ତୃଣଭୂମି
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍


ଉଷ୍ଣ-କଟିବନ୍ଧର ବାହାରେ ସମଶୀତଳ ଦେଶର ଘାସ-ଭୂଇଁ । ଦକ୍ଷିଣ ଆଫ୍ରିକାର ପଶ୍ଚିମ ଅର୍ଦ୍ଧର ଭେଲଡ଼ଦକ୍ଷିଣ ଆମେରିକାର ଦକ୍ଷିଣ-ପଶ୍ଚିମରେ ଥିବା ପମ୍ପାସ୍ଅଷ୍ଟ୍ରେଲିୟାର ଦକ୍ଷିଣ-ପଶ୍ଚିମରେ ଥିବା ‘ଡ଼ାଉନସ୍’ଉତ୍ତର ଆମେରିକାର ମଝିରେ ଥିବା ପ୍ରେୟାରିଇଉରୋ୍ପର ଠିକ ମଝିରେ ଲମ୍ବା ହୋଇ ପୂର୍ବରୁ ପଶ୍ଚିମକୁ ଯାଇଛି ଯେଉଁ ଋଷିଆ ଓ ସାଇବେରିଆର ଷ୍ଟେପିସ୍ ଭୂଇଁସେହି ଧାଡ଼ିରେ ଚିନ ଦେଶର ପୂର୍ବକୁ ଯାଇଛି ଯେଉଁ ମଙ୍ଗୋଲିଆର ଷ୍ଟେପିସଏ ସବୁ ବିରାଟ ଦେଶ ଘାସଭୂଇଁ । ଆମ ସମୁଦାୟ ଭାରତବର୍ଷକୁମାରୀକାଠାରୁ ହିନ୍ଦୁକୁଶ ପର୍ଯ୍ୟନ୍ତ ଓ ବେଲୁଚିସ୍ଥାନଠାରୁ ଆସାମ ପର୍ଯ୍ୟନ୍ତ କେବଳ ଢେ଼ଉ ପରି ପଡ଼ିଥିବା ଉଠିଥିବା ଘାସରେ ପୂର୍ଣ ହେଲେ ଯେପରି ଦିଶନ୍ତାଉତ୍ତର ଆମେରିକାର ବିରାଟ ପ୍ରେୟାରି ଘାସ ଭୂଇଁ ସେହିପରି । ଆକାରରେ ଭାରତବର୍ଷଠାରୁ ବଡ଼ ହେବ । ଷ୍ଟେପିସ ତ ଗୋଟାଏ ମହାଦେଶରୁ ଆରମ୍ଭ ହୋଇ ଆଉ ଗୋଟାଏ ମହାଦେଶର ଶେଷପର୍ଯ୍ୟନ୍ତ ଲମ୍ବିଯାଇଛି ।

ଶୀତଦିନେ ଉତ୍ତର ଗୋଲାର୍ଦ୍ଧର ଘାସଭୂଇଁରେ ବରଫ ଜମାଟ ବାନ୍ଧିଯାଏ । ସବୁଆଡେ଼ ଶୁନଶାନ ହୋଇ ପଡ଼ି ରହେ ବିରାଟ ବରଫର ପଡ଼ିଆ । ଦକ୍ଷିଣ ଗୋଲାର୍ଦ୍ଧରେ କ୍ୱଚିତ ବରଫ ପଡେ଼ । ବସନ୍ତ ଆସିଲେ ବରଫ ତରଳେ ସାମାନ୍ୟ ବର୍ଷା ମଧ୍ୟ ହୁଏ । ଭୂଇଁ ଘାସର ଫୁଲରେ ପୂରିଯାଏ । ଉଚ୍ଚ ନୀଚ୍ଚ ଭୂଇଁରେ ସବୁଜ ଘାସ ଠିକ ଢେ଼ଉ ପରି ଦିଶେ କିନ୍ତୁ ଏ ଘାସ ଗରମ ଦେଶର ଘାସ ପରି ଏତେ ଉଚ୍ଚ ହୁଏ ନାହିଁ ।

ବସନ୍ତ ଯାଏଖରା ଆସେଚାରିଅଡେ଼ ଘାସ ମଉଳି ଆସେଅତି ଖରା ପଡ଼ିଗଲେ ଘାସ ଖରାରେ ପୋଡ଼ି ଯାଏ । ଚାରି ଆଡ଼ର ବିଶାଳ ପଡ଼ିଆ ଲଣ୍ଡା ହୋଇଯାଏ । ଗରମ ଦେଶର ଘାସଭୂଇଁ ପରି ଏଠି ଅନ୍ୟ କୌଣସି ପ୍ରକାର ଗଛ ନ ଥାଏଖାଲି ଘାସ । ତେଣୁ ଅତି ଖରା ହେଲେ ଚାରି ଆଡେ଼ ହତଶ୍ରୀ ଦିଶେ ।

ଏଠି ସେହି ଦୁଇ ପ୍ରକାର ଜନ୍ତୁଯେଉଁମାନେ ଘାସ ଖାଆନ୍ତି ଆଉ ଯେଉଁମାନେ ସେ ଜନ୍ତୁମାନଙ୍କୁ ଖାଆନ୍ତି । ଲୋକେ ଏଠି ଶିକାର କରି ବଞ୍ଚୁଥିଲେପ୍ରେୟାରି ଦେଶର ନାଲିମଣିଷମାନେ ଛୋଟ ହରିଣ ଶିକାର କରି ବଞ୍ଚୁଥିଲେ । ତା ପରେ ଲୋକେ ପଶୁ ପାଳିଲେ । ପ୍ରଥମେ ଘୋଡ଼ା ଘାସ ଖାଇ ଦୂରକୁ ଚାଲି ଯାଆନ୍ତି । ତା ପରେ ସେ ଭୂଇଁରେ ଗୋରୁ ଗାଇ ଚରନ୍ତି । ଶେଷରେ ଯାହା ଥାଏତାକୁ ମେଣ୍ଢାମାନେ ପୋଛି ପାଛି ଖାଇ ଯାଆନ୍ତି । ପଶୁ ପାଳକମାନଙ୍କୁ ଗୋଠ ଘେନି ଏଠୁ ସେଠିକୁ ବୁଲିବାକୁ ହୁଏ । ଶହ ଶହ ପଶୁ ଘେନି ଶହ ଶହ କୋଶ ବୁଲିବାକୁ ହୁଏ ବୋଲି ଏମାନେ ଭଲ ଘୋଡ଼ାସବାର ହୁଅନ୍ତି ଓ ପ୍ରତି ନୂଆ ସ୍ଥଳକୁ ନିଜର ଘର କରି ନିଅନ୍ତି । ଏମାନଙ୍କୁ ବୁଲିବାକୁ ହୁଏ ବୋଲି ଏମାନଙ୍କର ସ୍ଥାୟୀ ଘର ନାହିଁ । ପଶୁ ଏମାନଙ୍କର ଖାଦ୍ୟପଶୁର ଛାଲ ଏମାନଙ୍କର ପୋଷାକପଶୁ ଏମାନଙ୍କର ଧନ । ଏମାନେ ଦେଶ ସବୁ ଜୟ କରିଛନ୍ତି । ମଙ୍ଗୋଲ ରାଜା କୁବଲାଇ ଖାଁଙ୍କର ରାଜ୍ୟ ଇଉରୋପଠାରୁ ଏସିଆ ଶେଷ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏମାନେ ସାହସୀ ହୁଅନ୍ତିଖୋଲା ପଡ଼ିଆରେ ବୁଲି ବୁଲି ସ୍ୱାଧୀନତା-ପ୍ରିୟ ହୁଅନ୍ତିକଷ୍ଟ ସହି ସହି କଷ୍ଟସହିଷ୍ନୂ ଓ ଭାଗ୍ୟବିଶ୍ୱାସୀ ହୁଅନ୍ତି । ଷ୍ଟେପିସର ଖିର୍ଗିଜ ଓ ମଙ୍ଗୋଲିୟାର ମଙ୍ଗୋଲ ଏହି ଦେଶର ଲୋକ ।

ଏ ଘାସ ଭୂଇଁ ବର୍ତ୍ତମାନ ସଫା ହୋଇ ଗହମ କ୍ଷେତ ହେଲାଣି । ପ୍ରେୟାରି ଭୂଇଁ ଆମେରିକାର ଗହମ ଭଣ୍ଡାର । ଆମେରିକାରେ ଏ ଘାସ ଭୂଇଁରେ ପଶୁପାଳନ ହୁଏ । ଏଠି ମେଣ୍ଢାମାନେ ସୂନ୍ଦର ବଢ଼ନ୍ତି । ଆଫ୍ରିକା ଓ ଅଷ୍ଟ୍ରେଳିୟାରେ ଏ ଘାସ ଭୂଇଁରେ ଲକ୍ଷ ଲକ୍ଷ ମେଣ୍ଢା ବଢ଼ନ୍ତି । ଗୋରୁମେଣ୍ଢାଘୁସୁରି ହଣାା ହୋଇ ବିଦେଶକୁ ପଠାଯାଆନ୍ତି । ସେମାନଙ୍କର କୌଣସି ଅଂଶ ନଷ୍ଟ ହୁଏ ନାହିଁସବୁ କାମରେ ଲାଗେ । ବରଫରେ ମୁର୍ଦ୍ଦାର ସଢେ଼ ନାହିଁତେଣୁ ଅଷ୍ଟ୍ରେଲିୟାରୁ ବରଫରେ ବନ୍ଦ ହୋଇ ଘୁସୁରି ମାଂସ ଇଉରୋପକୁ ଜାହାଜରେ ପଠାଯାଏ । ଚମଡ଼ାରୁ ଜୋତା ହୁଏ ।

ଉତ୍ତର ଆମେରିକାର ପ୍ରେଆରି ଅଞ୍ଚଳର ବ୍ୟବସାୟ ହେଉଛି ମାଂସ ବ୍ୟବସାୟ ଓ ଜୋତା ବ୍ୟବସାୟ । ସେଥିରେ ସେମାନେ ପୃଥିବୀର ଚାରିଆଡ଼ୁ ଟଙ୍କା ଗୋଟାଇ ପକାନ୍ତି ।

Thursday, March 09, 2017

ଗରମ ଦେଶର ଘାସଭୂଇଁ


ଗୋପୀନାଥ ମହାନ୍ତି


ଫିଲିପାଇନ୍ସ ଦେଶର ତୃଣଭୂମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗରମ ଜଙ୍ଗଲ ଦେଶର ଦୁଇ ପାଖେ, ଉତ୍ତରରେ ଓ ଦକ୍ଷିଣରେ ଯେଉଁ ଅଞ୍ଚଳ ଅଛି, ସେ ଗରମ ଦେଶର ଘାସଭୂଇଁ । ବସନ୍ତ ଋତୁରେ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଅଳ୍ପ ବର୍ଷା ହୋଇଯାଏ, ତହିଁରେ ଘାସ ଗଛ କଅଁଳିଯାଏ । ତା ପରେ ଶୀତ ଋତୁରେ ଆଦୌ ବର୍ଷା ନାହିଁ । ଘାସ ଥରେ ବଢ଼ିଗଲେ ତା ପରେ ବର୍ଷା ନ ହେଲେ ସୁଦ୍ଧା ମରେ ନାହିଁ; କିନ୍ତୁ ଆଉ କୌଣସି ଗଛ ଏପରି ରହିପାରିବ ନାହିଁ । ପୁଣି ଏତେ ଅଳ୍ପ ବର୍ଷା ହେଉଥିବାରୁ ଘାସ ଛଡ଼ା ଅନ୍ୟ କିଛି ହୋଇ ପାରେ ନାହିଁ । ତେଣୁ ଏ ଗରମ ଦେଶର ଘାସଭୂଇଁ ।


ଏଠି ଯେଉଁ ଯେଉଁ ଅଞ୍ଚଳରେ ବର୍ଷା ସାମାନ୍ୟ ବେଶୀ, ସେଠି ବୁଦିବୁଦିକିଆ ଜଙ୍ଗଲ ହୁଏ । ତଳେ ଘାସ ଜାଲ ପରି ବାନ୍ଧି ରଖିଥାଏ । ଉପରକୁ ଦୁଇ ଦୁଇ ପୁରୁଷ ଉଚ୍ଚ ହୋଇ ଘାସ ବଢ଼ିଥାଏ । ତହିଁରେ ବାଘ ସିଂହ ଛପି ଛପି ରହିଥାନ୍ତି । ଏଠି ଦୁଇ ପ୍ରକାର ଜନ୍ତୁ ଦେଖାଯାଆନ୍ତି । ଯେଉଁମାନେ ଘାସ ଖାଆନ୍ତି ପୁଣି ଯେଉଁମାନେ ସେମାନଙ୍କୁ ଖାଆନ୍ତି । ଅନେକ ପ୍ରକାର ବଣୁଆ ଛେଳି, ମେଣ୍ଢା, ହରିଣ, ଓଟ, ଗଧ, ଘୋଡ଼ା ଏଠି ଚରି ବୁଲନ୍ତି । ସେମାନଙ୍କୁ ଦୂରକୁ ଦୂରକୁ ଚରି ବୁଲିବାକୁ ହୁଏ ଓ ବାଘ ସିଂହଙ୍କ ଦାଉରୁ ପଳାଇବାକୁ ପଡେ଼ । ତେଣୁ ସେମାନେ ଖୁବ୍ ଶୀଘ୍ର ଦଉଡ଼ି ପାରନ୍ତି । ତଥାପି ସେମାନେ ବାଘ ହାବୁଡେ଼ ପଡ଼ନ୍ତି । ବାଘ ସିଂହ ଯହା ଛାଡ଼ିୁ ଚାଲିଯାଆନ୍ତି, ତାକୁ ବିଲୁଆ, ଗଧିଆ ଶେଷ କରିଦିଅନ୍ତି । ଏମୁ ଚଢେ଼ଇ, ଓଟ ଚଢେ଼ଇ ପ୍ରଭୃତି ବଡ଼ ବଡ଼ ଡେ଼ଣା ନ ଥିବା ଚଢେ଼ଇ ଡେ଼ଙ୍ଗା ଡେ଼ଙ୍ଗା ଗୋଡ଼ରେ ଏଠି ଦୌଡ଼ା ଦୌଡ଼ି କରନ୍ତି । ଯେତେ ଦୂରକୁ ଆଖି ଯାଏ, ଖାଲି ଘାସଭୂଇଁ । ଘସ ଉପରେ ଢେ଼ଉ ଖେଳାଇ ଯାଉଛି ଜୋର ପବନ । ଲୋକେ ଶିକାର କରି ଖାଆନ୍ତି, ନେହିଲେ ପଶୁ ପାଳନ୍ତି । ଏଠି ମକା, ବାଜରା, ଗହମ ପ୍ରଭୃତି ଚାଷ ହୋଇ ପାରେ ।

ଏପରି ଦେଶ ମଧ୍ୟ ଆଫ୍ରିକା ଓ ଦକ୍ଷିଣ ଆମେରିକାରେ ଗରମ ଜଙ୍ଗଲ ଅଞ୍ଚଳ ଉପରକୁ ଓ ତଳକୁ ରହିଛି ।

Monday, March 06, 2017

ଗରମ ଦେଶର ମରୁଭୂମି


ଗୋପୀନାଥ ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ପୃଥିବୀର ଉପର ଅଧକ ଓ ତଳ ଅଧକରେ ଏପରି ଯାଗା ଅଛି ଯେଉଁଠି ପୃଥିବୀର ପାଞ୍ଚ ହଜାର ଫୁଟ ଉପରେ ଆସୁଥିବା ହାଲୁକା ପବନ ତଳକୁ ଓହ୍ଲାଇ ଆସେ । ଏ ସ୍ଥାନରେ ପବନ ଥମି ଯାଇଛି । ଏଠାକୁ ବାହାର ସମୁଦ୍ରରୁ କୌଣଶି ବାମ୍ଫ ମିଶା ପବନ ଆସେ ନାହିଁ । ତେଣୁ ଏଠି ବର୍ଷା ହୁଏ ନାହିଁ ।  ତେଣୁ ଏ ସ୍ଥାନ ମରୁଭୂମି । 

ପୃଥିବୀର ଉପର ଅଧକରେ ସାହାରା, ଆରବ, ପାରସ୍ୟ, ଭାରତ ମରୁଭୂମି ଓ ଉତ୍ତର ଆମେରିକାର ମେକ୍ସିକୋ ମରୁଭୁମି ରହିଛି । ପୃଥିବୀର ତଳ ଅଧକରେ ଦକ୍ଷିଣ ଆଫ୍ରିକାର କାଲାହାରି ମରୁଭୁମି, ଅଷ୍ଟ୍ରେଲିଆ ମଝିରେ ଥିବା ବିଶାଳ ମରୁଭୂମି, ପେରୁ ଚିଲ୍ଲିି ଦେଶ (ଦକ୍ଷିଣ ଆମୋରିକାରେ) ମାନଙ୍କର ମରୁଭୂମି ଅଛି ।

ଏ ଅ଼ଞ୍ଚଳରେ ଖାଲି ବାଲି । ଶହ ଶହ ହଜାର ହଜାର କ୍ରୋସ ପର୍ଯ୍ୟନ୍ତ ବାଲି ପଡ଼ିଛି । ପଥର ସବୁ ଦିନରେ ହଠାତ ତାତି ଯାଏ ରାତି ହଠାତ ଥଣ୍ଡା ହୋଇଯାଏ । ଗରମ ସଙ୍ଗେ ସଙ୍ଗେ ଥଣ୍ଡା ହେଲେ ପଥର ସବୁ ଫାଟିଯାଏ ଘୁଙ୍ଗାବାଲି ହୋଇଯାଏ । ଏଠି ଭାରି ଖରା ତେଜ । ତେଣୁ ଲୋକେ ମୁଣ୍ଡରେ ବଡ଼ ବଡ଼ ପଗଡ଼ି ବାନ୍ଧନ୍ତି । 

ଏ ବାଲିର ପତନ ସବୁଠି ସମାନ ନୁହେଁ । କେଉଁଠି ପାହାଡ଼ ପରି ଉଚ୍ଚ କେଉଁଠି ଖାଲ । ବିଶାଳ ସାହାରା ମରୁଭୁମିରେ ଏହିପରି ସବୁ ଖାଲଢ଼ିପ ରହିଛି । ଏଠି ଖାଇବାକୁ ନ ମିଳିବାରୁ ଲୁଚି ଲୁଚି ମରୁଭୁମିର ମଣିଷ-ମାରୁ ଚୋର ବୁଲୁଥାଆନ୍ତି । ସେମାନେ ମଣିଷକୁ ମାରି ଜିନିଷପତ୍ର ଛଡ଼ାଇ ନିଅନ୍ତି । ଚାରିଆଡ଼େ ତ ବାଲି ଏଠି ବାଟ ମିଳେ ନାହିଁ । ଲୋକେ ରାତିରେ ତାରାକୁ ଦେଖି ବାଟ ସୁମାରି କରି ଶିଖନ୍ତି । ତେଣୁ ଏମାନେ ଆକାଶର ନକ୍ଷତ୍ର ବିଷୟରେ ବହୁତ କଥା ଜାଣନ୍ତି । 

ମରୁଭୂମିରେ ସ୍ଥାନେ ସ୍ଥାନେ ପାଣି ମିଳେ । ପାଣିପାଖ ଦେଖି ଲୋକେ ତମ୍ବୁ ପକାଇ ଘର କରି ରହିଥାଆନ୍ତି । ବାଲିରେ ଓଟ ଛଡ଼ା ଅନ୍ୟ ଜନ୍ତୁ ଚଳିପାରିବେ ନାହିଁ । ଏତେ କଷ୍ଟ ସହିପାରିବେ ନାହିଁ । ବାଲିରେ ଗୋଡ଼ ଦବିଯିବ । ଓଟର ଗୋଡ଼ ଦବିଯାଏ ନାହିଁ । ଓଟ ଥରେ ପାଣି ପିଇଲେ ଅନେକ ସମୟ ବିନା ପାଣିରେ ରହିପାରେ । ତା ପେଟ ଭିତରେ ପାଣି ସାଇତି ରଖିବା ପାଇଁ ଥଳି ଅଛି । ତେଣୁ ଓଟ ଏହି ଲୋକମାନଙ୍କର ଆଶ୍ରା । ସମୁଦ୍ର ପରି ବାଲି ତହିଁରେ ପାରି ହେବାକୁ ଯାହାଜ ପରି ଓଟ । ଏହି ଲୋକମାନେ ଓଟର ବାଳକୁ ବୁଣି ତହିଁରେ ତମ୍ବୁ ତିଆରି କରନ୍ତି । ଦରକାର ପଡ଼ିଲେ ଓଟକୁ ମାରି ତା ପେଟରୁ ପାଣି ବାହାର କରି ପିଅନ୍ତି । ଓଟର ମାଂସକୁ ଖାଆନ୍ତି । 

ପାଣିପାଖ ଦେଖି ଲୋକେ ବସତି କରିଥାଆନ୍ତି । ପାଣି ଶୁଖିଗଲେ ଏମାନଙ୍କର ମରଣ ଦଶା ପଡେ଼ । ଅନ୍ୟ ପାଣି ଯାଗା ଖୋଜିବାକୁ ବାହାରି ପଡ଼ନ୍ତି । ସେଠି ତାଳ ଖଜୁରି ହୁଏ । ତାଳ, ଖଜୁରି ଓ ଓଟ ଦୁଧ ସେମାନଙ୍କର ଖାଦ୍ୟ । ଏ ଦେଶରେ ଏତେ କଷ୍ଟ ପଡ଼ିବାରୁ ଲୋକେ ପରକୁ ଆଶ୍ରା ଦେବାକୁ ଭାରି ତତ୍ପର । କିଏ କେଉଁ ଦୂରରୁ ଖରାତାତିରେ ଶିଝି ଶିଝି ଆସିଛି ତାକୁ ଆଶ୍ରା ନଦେଲେ କିପରି ହେବ । ପାଣି ପାଖ ଭୁଇଁକୁ ଓଏସିସ୍ କୁହନ୍ତି । ସାହାରା ମରୁଭୂମିରେ ଓଏସିସ୍ ସବୁ ବିଞ୍ଚି ହୋଇ ପଡ଼ିଛି । ବାଲିର ଦେଶକୁ ପାରି ହେବାକୁ ହେଲେ ଗୋଟିଏ ଓଏସିସ୍ ରୁ ଆଉ ଗୋଟେ ଓଏସିସ୍ ଯାଏ ଚାଲସବାକୁ ହୁଏ । ଲୋକେ ଓଟ ଉପରେ ପର୍ବତ ପରି ଜିନିଷ ଲଦି ଦିଅନ୍ତି; ଓଟମାନଙ୍କୁ ୟା ପଛକୁ ତା ପଛ ଲଗାଇ ଦଳ ବାନ୍ଧି ବାହାରି ପଡ଼ନ୍ତି । ବାଟରେ ବେଳେ ବେଳେ ତୋଫାନ ଉଠେ । ଲୋକେ ଯେଉଁଠି ତମ୍ବୁ ପକାଇ ଆଶ୍ରା କରିଥାନ୍ତି, ସେଠି ସବୁ ତମ୍ବୁ ଛିଣ୍ଡି ଫାଟି ଉଡ଼ିଯାଏ । ବାଲିର ପାହାଡ଼ ସବୁ ବୁଲିବୁଲିକା ଆକାଶକୁ ଉଠିଯାଏ; ଲୋକଙ୍କୁ ପୋତି ପକାଏ । ଲୋକେ ଭୁଇଁରେ ମୁହଁକୁ ତଳକୁ କରି ଶୋଇ ପଡ଼ଥାନ୍ତି । ବାଲି କେତେବେଳେ ଲୋକ, ଓଟ ସମସ୍ତଙ୍କୁ ପୋତିପକାଏ ।

ମରୁଭୂମିରେ ତାଳ, ଖଜୂରି ଓ ନାଗଫେଣୀ ପରି କଣ୍ଟା ଗଛ ହୁଏ । ଗୋଟାଏ ଗୋଟାଏ କଣ୍ଟା ଗଛ ବେଳେ ବେଳେ ତାଳଗଛ ପରି ଉଚ୍ଚ ହୁଏ । ତହିଁରେ ପତ୍ର ନାହିଁ । କେବଳ ନାଗଫେଣି ବା କଣ୍ଟା ସିଜୁପରି ଥୁଣ୍ଟା ଥୁଣ୍ଟା । ଚେର ଅତି ତଳକୁ ଯାଇ ପାଣି ଖୋଜେ । ବେଳେ ବେଳେ ଗୋଟିଏ ଗୋଟିଏ ଗଛ ପାଣି ସଞ୍ଚି ରଖିଥାନ୍ତି, ଶୋଷି ଲୋକେ ତହିଁରୁ ପାଣି କାଢ଼ି ପିଅନ୍ତି ।

ବି.ଦ୍ର. - ଶ୍ରୀ ଗୋପୀନାଥ ମହାନ୍ତି କୃତ ପାଠ୍ୟପୁସ୍ତକ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।