Sunday, May 14, 2017

ଅନ୍ୟାନ୍ୟ କୂଟୀର ଶିଳ୍ପ


ଗୋପୀନାଥ ମହାନ୍ତି 


ବେତ ଚଉକି ତିଆରିର ଚିତ୍ର (୧୭୫୯ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ଗ୍ରାମର ଚାଷୀ ଚେତି ଉଠି ଦେଖିଲା, ସେ ନିଜର ଅବସ୍ଥାକୁ ନିଜ ଚେଷ୍ଟାରେ ଅନେକ ଅଂଶରେ ବଦଳାଇ ପାରୁଛି । 

ଚାଷର ଉନ୍ନତି ଘଟିଛି । ଚାରିଆଡେ଼ ପ୍ରଚୁର ବାରିବଗିଚା, ଘରେ ଘରେ ଅରଟ । କେହି କେହି ଏଣ୍ଡି ଚାଷ ଆରମ୍ଭ କରି ଦେଲେଣି ।

ବଢେ଼ଇ ଓ କମାରଶାଳରେ ବେଶୀ ଲୋକ ଜମା, କେବଳ ଦେଖିବାକୁ ନୁହେଁ, ଶିଖିବାକୁ । କେବଳ ଜାତି ବଢ଼େଇ ନ ହେଲେ ବଢ଼େଇ କାମ କରିବା ଉଚିତ ନୁହେଁ କିମ୍ବା କେବଳ ଜାତି ଅନୂସାରେ କର୍ମବିଭାଗ,---ଏପରି ଧାରଣା ଲୋକଙ୍କ ମନରୁ କ୍ରମେ ଗଲାଣି । ସେମାନେ ଶିଖୁଛନ୍ତି, “ପେଟ ପୋଷ, ନାହିଁ ଦୋଷ” । କାହାରିକୁ ଠକିବା ଉଚିତ ନୁହେ କିମ୍ବା କୌଣସି କାମକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ । ଯେଉଁ ଉପାୟରେ ସାଧୂ ଭାବରେ ଦୁଇ ପଇସା ଆସି ପାରିବ, ତାର ବ୍ୟବସ୍ଥା କରିବା ଉଚିତ ।

ଏ ଗ୍ରାମରେ ପୂର୍ବେ ଯେପରି ଛୋଟ ଜାତିମାନଙ୍କ ପ୍ରତି ଘୃଣା ବିଦ୍ୱେଷ ଥିଲା, ତା ଯେପରି କ୍ରମେ କ୍ରମେ ଲୋପ ହୋଇଯାଉଛି । କାରଣ ସମସ୍ତେ ବୁଝିଲେଣି, ନିଜର ଦୁର୍ଦ୍ଦଶା ହୋଇଛି । ନିଜର ଅବସ୍ଥାର ଉନ୍ନତି କରିବାକୁ ହେଲେ ସମସ୍ତଙ୍କର ସମ୍ମିଳିତ ଉଦଯୋଗ ଦରକାର ।

ବାଉଁଶ ଓ ବେତ କାମ ଚାଲିଛି । ବେତ କାମ ଶିଖାଇବା ପାଇଁ ଗ୍ରାମ-ସଙ୍ଗଠନ ସଙ୍ଘରୁ ଜଣେ ଶିଖାଳି ଆସିଛି । ବେତର ଚଉକି, ଟେବୁଲ ପ୍ରଭୃତି ତିଆରି ହୋଇ ସହରକୁ ବିକ୍ରି ପାଇଁ ପଠା ଯାଉଛି । ବେତ କାମରେ ପ୍ରଚୁର ଲାଭ; ତେଣୁ ଗ୍ରାମର ବେତ ବ୍ୟବସାୟଟି କ୍ରମେ ବଡ଼ ହୋଇ ଉଠୁଛି । ଏଥିରେ ବାଉରିମାନେ ବିଶେଷ ଉଦଯୋଗ ଦେଖାଉଛନ୍ତି ।

ଏ ଗ୍ରାମ ଓ ତାର ଆଖପାଖରେ ଲୋକସମାଗମ ଯେପରି ବଢ଼ୁଛି, ଉନ୍ନତି ମଧ୍ୟ ସେହିପରି ପରିଷ୍କାର ଆଖିରେ ପଡ଼ୁଛି । କେଉଁଠି ହେଁସ ବୁଣା, କେଉଁଠି ବେତ ବୁଣା, କେଉଁଠି ନାନାପ୍ରକାର ମାଟିକାମ ଓ କଣ୍ଢେଇ ତିଆରି, କେଉଁଠି ଲୁଗା ବୁଣା, କେଉଁଠି ମଠା ବୁଣା, କେଉଁଠି ଶସ୍ତାରେ ଦଉନା-ଖଟ ତିଆରି, କେଉଁଠି ବା ବଢେ଼ଇ କାମ । ହଠାତ ହୋଇ ଏଥିରେ ବେଶୀ ଟଙ୍କା ଲଗାଇ ଦିଆ ହୋଇ ନାହିଁ; କିନ୍ତୁ ଅଳ୍ପ ଧନରେ ବ୍ୟବସାୟ କ୍ରମେ ବଢ଼ୁଛି ।

ପୂର୍ବେ ଏ ଅଞ୍ଚଳରେ ଲୋକେ ସାବୁନ୍ ବ୍ୟବହାର କରୁ ନ ଥିଲେ । ବର୍ତ୍ତମାନ ଗ୍ରାମର ବ୍ୟବହାର ଲାଗି ସାବୁନ୍ ତିଆରି ହୋଇ ପାରୁଛି । କେବଳ ତେଲ, କଷ୍ଟିକ ସୋଡ଼ା ଓ ପାଣି ମିଶାଇ ଆଉଟିଲେ ବା ସେହିପରି ଏକାଠି ରଖି ଘାଣ୍ଟିଲେ ସାବୁନ ହେଲା । ସେଥିରେ ବୁନ୍ଦାଏ ନେଇ ପାଣିରେ ପକାଇଦେଲେ ଯଦି ବୁଡ଼ିଯିବ, ତେବେ ଜଣା ପଡ଼ିବ, ସାବୁନ ଠିକ ହେଲାଣି । ତା ପରେ ଶୁଖିଗଲେ ବ୍ୟବହାରରେ ଲାଗିଲା । କଷ୍ଟିକ୍-ସୋଡ଼ା ସହରର ଦୋକାନମାନଙ୍କରେ ମିଳେ । ସାବୁନ ତିଆରି କରିବା ଅତି ସହଜ । ଯେତେ ଶସ୍ତାରେ ବିକିଲେ ମଧ୍ୟ ଲାଭ ଉଠିବ । ଗାଁରେ ଲୋକେ ସାଧାରଣତଃ ପରିଷ୍କାର ପରିଛନ୍ନତା ପାଇଁ ଆଦୌ ନିଘା କରନ୍ତି ନାହିଁ; କିନ୍ତୁ କ୍ରମେ ଯେତେବେଳେ ସେମାନେ ବୁଝିଲେ, ପିନ୍ଧା ଲୁଗାଟି ଛିଣ୍ଡାହେଲେ ସୁଦ୍ଧା ଦୋବ ଧାଉଳିଆ ଥିଲେ ତହିଁରେ କେତେ ଆନନ୍ଦ ଓ କେତେ ଗୌରବ ଓ ଯେତେବେଳେ ଦେଖିଲେ ଯେ, ନିଜ ଘରେ ନିଜର ବ୍ୟବହାର ଲାଗି ସାବୁନ ତିଆରି ହୋଇପାରେ କିମ୍ବା ଗାଁ-ତିଆରି ସାବୁନ ଶସ୍ତାରେ କିଣାଯାଇ ପାରେ, - ସେମାନେ ତହିଁରେ ପଛଘୁଞ୍ଚା ଦେଲେ ନାହିଁ ।

ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।

Friday, May 12, 2017

ଚାଷୀ ଭାଇର ଉପୂରି ଦି’ ପଇସା


ଗୋପୀନାଥ ମହାନ୍ତି 


ମହିଳାମାନଙ୍କର ରେଶମ ଚାଷର ଦୃଶ୍ୟ
ଲିଆଙ୍ଗ୍ କାଇ, ଚୀନ ଦେଶ, ତ୍ରୟୋଦଶ ଶତାବ୍ଦୀ



ପରି ବାବୁ, ମାଷ୍ଟରେ ଓ ପିଲାଏ ନିଜ ହାତରେ ‘କୋଡ଼ି’ ଧରି ସ୍କୁଲ ଘରର ଛୋଟ ହତାଟିକୁ ନନ୍ଦନ-କାନନ ପରି ଭଲ ଭଲ ଗଛରେ ପୂର୍ଣ୍ଣ କରି ଦେଲେ । ଅନ୍ୟ ଲୋକଙ୍କର ଏହା ଦେଖା ଦେଖି ଝୁଙ୍କ ଲାଗିଗଲା । ଚାରିଆଡେ଼ ଲୋକେ ନାନାପ୍ରକାର ଫଳ ଲଗାଇବାକୁ ଅଣ୍ଟା ଭିଡ଼ି ଲାଗି ପଡ଼ିଲେ । ଗାଁ ଲୋକେ ଲେଖା ଲେଖି କରି ଫାରମରୁ ଚାଷବିଦ୍ୟା ଶିଖାଇବାକୁ ମଣିଷ ମଗାଇ ଆଣିଲେ । ଘମା ଘୋଟ କାମ ଚାଲିଲା ।

ଘରେ ଘରେ ଲୋକଙ୍କୁ ବୁଝାଇ ଶୁଝାଇ ଅରଟ ଚଳାଇବାକୁ କୁହାଗଲା । ପରି ବାବୁ ଲୋକଙ୍କୁ ବୁଝାଇ ଦେଲେ, “ଆମ ଗାଁରେ ଲୁଗା କିଣା ହେବ ନାହିଁ । ସମସ୍ତେ ସୂତା କାଟ, ଫୁରସତ ବେଳେ ସୂତା କାଟି ଜମାଇ ରଖି ସେଥିରେ ଲୁଗା ବୁଣାଇ ଆଣିବା ।”

ଲୋକେ ଲାଗିପଡ଼ି ସୂତା କାଟିଲେ । ଯାହାର ଯେତେବେଳେ କିଛି କାମ ନ ଥାଏ, ସେ ସେତେବେଳେ ଅରଟ ଧରି ବସେ । ସେପରି କଲାରୁ ଲୋକଙ୍କୁ ଲୁଗା ପାଇଁ ଆଉ ବେଶୀ ପଇସା ଦେବାକୁ ପଡ଼ିଲା ନାହିଁ ।

ତା ପରେ ଝୁଙ୍କ ପଡ଼ିଲା ଏଣ୍ଡିଚାଷ ଉପରେ । ପ୍ରଥମେ ଏଣ୍ଡିପୋକର ଅଣ୍ଡାକୁ ଆଣି କନା ପୁଡ଼ିଆରେ ରଖାହୁଏ । ଶୀତଦିନେ ଅଣ୍ଡା ଏଗାରରୁ ଏକୋଇଶ ଦିନରେ ଫୂଟେ, ଅନ୍ୟାନ୍ୟ ଦିନେ ସାତ ଦିନରେ ଫୁଟେ । ଅଣ୍ଡା ଫୁଟିଲେ କିଛି କଅଁଳିଆ ଗବପତ୍ର କନା ଭିତରେ ପକାଇଦେଲେ ପୋକମାନେ ତହିଁରେ ଚଢ଼ି ଯାଆନ୍ତି । ତା ପରେ ପତ୍ରଗୁଡ଼ିକୁ ବହଳଭାବେ ଗୋଟିଏ ଡ଼ାଲାରେ ରଖାହୁଏ । ସବୁଦିନେ ନୂଆ ପତ୍ର ଖାଇବାକୁ ଦେଇ ଡ଼ାଲାକୁ ସଫା କରାହୁଏ; କିନ୍ତୁ ତୃତୀୟ, ପଞ୍ଚମ, ଅଷ୍ଟମ ଓ ଏକାଦଶ ଦିନରେ ପୋକମାନେ ମଲା ପରି ପଡ଼ି ରହନ୍ତି, କିଛି ଖାଆନ୍ତି ନାହିଁ; ତେଣୁ ସେ ଦିନ ଡ଼ାଲା ସଫା ହୁଏ ନାହିଁ । ଜନ୍ମ ଦିନଠାରୁ ଅଠର ଦିନରେ ପୋକମାନେ ପାକଳ ହୁଅନ୍ତି । ସେତେବେଳେ ଏମାନଙ୍କ ପିଠିରେ ଅଙ୍ଗୁଳି ଚଳାଇଲେ ଗୋଟିଏ ଶବ୍ଦ ବାହାରେ ।

ଟୋକେଇରେ ପ୍ରସ୍ତ ପ୍ରସ୍ତ ଆମ୍ବପତ୍ର ଦେଇ ପୋକମାନଙ୍କୁ ତହିଁରେ ରଖି ଉପର ଢ଼ାଙ୍କି ଦିଆଯାଏ । ସନ୍ଧ୍ୟା ପରେ ସେମାନେ ମୁହଁରୁ ସୂତା ବାହାର କରି ଗୋଟିଏ ଆବରଣ ବୁଣିବାରେ ଲାଗି ପଡ଼ନ୍ତି । ଏହିପରି ଚାରି ପାଞ୍ଚଦିନ ଚାଲିଯାଏ । ଶୀତଦିନେ ଆଠ ଦିନ ପରେ ଓ ଅନ୍ୟ ଦିନେ ପାଞ୍ଚଦିନ ପରେ ଆମ୍ବ ପତ୍ରରୁ ଛଡ଼ାଇ ନେଇ କୋଷାଗୁଡ଼ିକୁ ଡ଼ାଲାରେ ସଜାଇ ରଖନ୍ତି । ଶୀତଦିନେ ୪୦ ଦିନେ ଓ ଅନ୍ୟ ଦିନରେ ୧୮ ଦିନେ କୋଷା କଣା କରି ପ୍ରଜାପତି ବାହାରନ୍ତି ।

କୋଷାକୁ ସିଝାଇ ମଲା ପୋକମାନଙ୍କୁ ଫୋପାଡ଼ି ଦିଆଯାଏ । କୋଷା ସିଝିଲେ ତହିଁରୁ ସୂତା ବାହାରେ, ସେହି ସୂତା ରେଶମ ସୂତା । ପିମ୍ପୂଡ଼ି, ଜନ୍ଦା, ମୂଷା, ଝିଟିପିଟି, କାଉ---ଏମାନେ ଏଣ୍ଡିପୋକର ଶତ୍ରୁ । ତେଣୁ ସେମାନଙ୍କଠାରୁ ନିସ୍ତାର ପାଇବା ପାଇଁ ଘରର ଗୋଟିଏ କୋଣରେ ତଳେ ଜଳଯନ୍ତ୍ର କରି ବା କିରାସିନି କନା ଗୁଡ଼ାଇ ଏମାନଙ୍କୁ ରଖନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।

Thursday, May 11, 2017

ଗାଁର ଚାଷ


ଗୋପୀନାଥ ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ଗ୍ରାମ ସଙ୍ଗଠନ କାମ ଘମାଘୋଟ ଚାଲିଲା । ପଦାରୁ ଫାରମରୁ ଲୋକ ଆସି ଚାଷବାସ ବିଷୟରେ ଅନେକ କଥା ଶିଖାଇ ଦେଇଗଲେ । ସବୁଠାରୁ ବଡ଼ କଥା ହେଉଛି, କେଉଁ ଫସଲ ପରେ କେଉଁ ଫସଲ ଲଗାଇଲେ ଫସଲ ଭଲ ହେବ, ଜମି ପଡ଼ିଆ ପଡ଼ିବ ନାହିଁ, ଅଥଚ ଜମି ଉର୍ବର ହେବ । ଏ କଥା ସେମାନଙ୍କୁ ଖୁବ୍ ଭଲକରି ବୁଝାଇ ଦିଆହେଲା । ସେହି ଅନୁସାରେ ଚାଷ କାର୍ଯ୍ୟ ଚାଲିଲା ।

ଡ଼ିହ ଜମି :- ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ପର୍ଯ୍ୟନ୍ତ ନଳିତା, ବିଆଳି ଧାନ, ମାଣ୍ଡିଆ, କୋଳଥ କିମ୍ବା ମକା । ଭାଦ୍ରବ ଶେଷରୁ ମାର୍ଗଶିର ଅଧା ବିରି । କାର୍ତ୍ତିକଠାରୁ ଫାଲଗୁନ ଅଧ ପର୍ଯ୍ୟନ୍ତୁ ବିଲାତି ଆଳୁ ବା ଶୀତଦିନିଆ ପନିପରିବା, ଫାଲଗୁନ ଅଧରୁ ବୈଶାଖ ଶେଷ ପର୍ଯ୍ୟନ୍ତ ଖରାଦିନିଆ ପିଆଜ । ନୋହିଲେ ଜ୍ୟେଷ୍ଠ ଶେଷରୁ କାର୍ତ୍ତିକ ଅଧ ଚିନାବାଦାମ ।

ଲଘୁଧାନ ଜମିରେ ଜ୍ୟେଷ‌୍ଠରୁ କାର୍ତ୍ତିକ ଶେଷ ଲଘୁଧାନ, କାର୍ତ୍ତିକ ମାର୍ଗଶିର ମାସରେ ଆଖୁ ହୁଏ ।

ଖାଲ ଜମି :- ଖାଲ ଜମିରେ ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ନଳିତା, ଭାଦ୍ରବ ଅଧରୁ ପୌଷ ଶେଷ ଧାନ, ମାଘ ଅଧରୁ ବୈଶାଖ ଶେଷ ମୁଗ କରନ୍ତି ।

ପ୍ରଥମ କଥା ହେଉଛି, ସାର ଓ ଖତ କଥା । ସମସ୍ତେ ଗୁହାଳ ପାଖେ ଗୋଟିଏ ଖାତ କରନ୍ତି, ଗୁହାଳରୁ ନାଳି କାଟି ଦିଅନ୍ତି, ଯେପରି ଗୋରୁ ମୂତ ପ୍ରଭୃତି ଯାହା କିଛି ସବୁ ଗଡ଼ିଯାଇ ଗାତ ଭିତରେ ପଡ଼ିବ । ଏଣେ ଘର ଓଳେଇ ଅଳିଆ, ଗୋବର ସବୁ ପକାଇ ଦିଅନ୍ତି ସେ ଗୋବର ଖାତରେ । ତା ଉପରେ ଗୋଟାଏ ଘୋଡ଼ଣି ଘୋଡ଼ାଇ ଦିଆଯାଏ । ଏହିପରି ଗୋବର ସବୁ ଜମାଇ ଏକାଠି ବହୁତ ଦିନ ସଢ଼ିଗଲେ ସେଠୁ ଉଠାଇ ନେଇ ଜମିରେ ପକାଇ ଦଅନ୍ତି ।

ଫାରମ୍ ଲୋକଙ୍କ ଶିକ୍ଷାରେ ଅନେକ ନୂଆ ନୂଆ ଉପକାରୀ ସାର ବ୍ୟବହାର କରାଗଲା, ଯାହାର ଗୁଣ ଗୋବର ଖତ ପରି । ଜମିରେ ଫସଲ ହେବାର ଏକମାସ ପୂର୍ବରୁ ସେଠି ଧଣ୍ଡିଚା ବା ଛଣପଟ ବୁଣି ଗଛ ଦେଢ଼ଫୁଟ ଉଚ୍ଚ ହୋଇଗଲେ ତାକୁ ଲଙ୍ଗଳ ଓ ମଇ ଦେଇ ଜମିରେ ସଢ଼ାଇଦିଅନ୍ତି । ଧାନ ରୋଇବା ପାଇଁ ବୈଶଖ ଜ୍ୟେଷ୍ଠରେ ଧଣ୍ଡିଚା ବୁଣି ଏକ ମାସ ପରେ ତାକୁ ଚଷି ସଢ଼ାଇଦିଅନ୍ତି । ସାତ ଆଠ ଦିନ ପାଣିରେ ସଢ଼ିଗଲେ ହଳ ଓ ମଇ ଦେଇ ଧାନ ରୁଆ ହୁଏ ।

ଯେଉଁ ଜମିରେ ସାର କମିଯାଇଥାଏ, ସେଠି ଚିନାବାଦାମ, ମୁଗ, ବରଗୁଡ଼ି ଚାଷ କରନ୍ତି । କାରଣ ତାହା ଦ୍ୱାରା ଜମିର ଉର୍ବରା ଶକ୍ତି ବଢେ଼ ।

ଫାର୍ମ ଲୋକେ ଘର ଘର କରି ବୁଝାଇଲେ, ଅଳିଆକୁ ଫୋପାଡ଼ି ଦିଅ ନାହିଁ । କାରଣ ଅଳିଆ ଅତି ସୁନ୍ଦର ସାର । ପ୍ରତ୍ୟେକ ଗୃହସ୍ଥ ଦଶ ହାତ ଲମ୍ବା, ପାଞ୍ଚହାତ ଚୌଡ଼ା, ଦୁଇହାତ ଗଭୀର ଗାତ ଖୋଳି ରଖନ୍ତି । ତହିଁରେ ଘାସ, ଅଳିଆ, ପଚାପତ୍ର, ନଡ଼ା ପ୍ରଭୃତି ଯାହା କିଛି ସବୁ ପ୍ରତିଦିନ ପକାଇଦିଅନ୍ତି । ଦୁଇ ତିନି ଫୁଟ ଉଚ୍ଚ ହେଲେ ତାକୁ ଚୌରସ କରି ଦେଇ ତା ଉପରେ ଗୋରୁମୂତ ଓ ଗୋବର ପାଣି ଛିଞ୍ଚି ଦିଅନ୍ତି । ପୁଣି ଅଳିଆ ଜମା ହୁଏ । ତିନି ଚାରି ମାସ ରହି ସଢ଼ିଲା ପରେ ସେ ଖତକୁ ଆଖୁ, ଆଳୁ ଚାଷ ପ୍ରଭୃତିରେ ଦିଅନ୍ତି ।


ଗାଁରେ ପନିପରିବା ପୂର୍ଣ ହୋଇଗଲା । ଯେ ଯେଉଁଠି ବାରିସବୁ ପଡ଼ିଆ ପକାଇ ରଖିଥିଲେ, ସମସ୍ତେ ନୂଆ ଉତ୍ସାହରେ ଲାଗି ପଡ଼ିଲେ ।


ବାଲିଆ ଅଥଚ ଉର୍ବରା ମାଟି ଓ ପୋଖରୀ ହୁଡ଼ା ଦେଖି କଦଳୀ ଗଛମାନ ପଡ଼ିଗଲା । କାର୍ତିକ ଓ ଜ୍ୟେଷ୍ଠ ମାସରେ ସାତହାତ ଛାଡ଼ି ହାତେ ଗହୀର ଗାତ ସବୁ ଖୋଳା ହୁଏ । ତହିଁରେ ପାଉଁଶ, ଖତରା ମାଟି ଓ ଚଷୁ ପ୍ରଭୃତି ଦେଇ କଦଳୀପୁଆ ପକାନ୍ତି । ଗଛ ବଡ଼ ହୋଇଗଲେ ତଳେ ବେଶୀ ପୁଆ ରଖାଇ ଦିଅନ୍ତି ନାହିଁ ।

ପୂର୍ବେ ଏ ଗାଁରେ କୋବି କୋବି ଚାଷ ପ୍ରାୟ ଦେଖା ନ ଥିଲା, ଅଥଚ କୋବିରୁ ବେଶୀ ଲାଭ ମିଳେ । ଏଥର ପ୍ରଚୁର କୋବି-ଚାଷ ଆରମ୍ଭ ହେଲା । ଶ୍ରାବଣ ଶେଷ ଓ ଭାଦ୍ରବ, ଆଶ୍ୱିନ ମାସରେ ହାଣ୍ଡିମାନଙ୍କରେ ମାଟି ପୂରାଇ ତହିଁରେ ହୁଙ୍କାମାଟି, ଖତ ଓ ପିଡ଼ିଆ ମିଶାଇ ଦେଇ ମଞ୍ଜି ବୁଣନ୍ତି ଓ ତାହା ଉପରେ କିଛି ଗୁଣ୍ଡିମାଟି ଛିଞ୍ଚିଦେଇ ପାଣି ଛିଞ୍ଚନ୍ତି । ତିନି ଚାରି ଦିନ ପରେ ଅନ୍ୟ ସ୍ଥାନକୁ ତଳିଗୁଡ଼ିକୁ ଉଠାଇ ନିଅନ୍ତି । ତା ନ କଲେ ବର୍ଷାପାଣିରେ ଚାରା ନଷ୍ଟ ହୋଇଯିବ । ଯେତେ କାକର ପଡେ଼, ଚାରା ସେତେ ବଢେ଼ । ଚାରା ମୂଳରେ ପିମ୍ପୁଡ଼ି ହେଲେ ପାଉଁଶ ପକାନ୍ତି । ମଞ୍ଜି ବୁଣିବାର ମାସେ ପରେ ଚାରାକୁ କ୍ଷେତକୁ ଉଠାଇ ଦିଅନ୍ତି । କ୍ଷେତରେ ଖତ, ପିଡ଼ିଆ ଓ ସାର ଦିଆ ହୋଇଥାଏ । ଗଛ ବଡ଼ ହେଲେ ପିଡ଼ିଆ, ଛେଳିଲଣ୍ଡି ଓ ପାରାଗୁହ ସଢ଼ାଇ କରି ଦିଅନ୍ତି । ଫୁଲ ଓ ବନ୍ଧାକୋବି ଦୁଇ ଦୁଇ ଫୁଟ ଦୂରରେ ଓ ଓଲକୋବି ଫୁଟେ ଲେଖାଁଏ ଦୂରରେ ଲଗାନ୍ତି । ରୋଇବା ପରେ ଅଳ୍ପ ଅଳ୍ପ ପାଣି ଦିଆହୁଏ । ରୋଇବା ପରଦିନଠାରୁ ଚେର ଧରିବା ପର୍ଯ୍ୟନ୍ତି ଚାରାକୁ ବଡ଼ ବଡ଼ ପତ୍ର ବା ଖରାରେ ଖରାବେଳେ ଢ଼ାଙ୍କିଦିଅନ୍ତି । ପାଣି ମଡ଼ାଇ କାର୍ତିକ ମାସରେ ପିଡ଼ିଆ ଦେଇସାରି ହୁଡ଼ା ଟେକିଦିଅନ୍ତି । ପ୍ରୟୋଜନ ଅନୂସାରେ ପାଣି ଦିଆଯାଏ । ଲଗାଇବା ଦିନଠାରୁ ତିନି ଚାରି ମାସରେ କୋବି ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଏ ।

ଯେଉଁ ଫୁଲକୋବି ମଞ୍ଜି ରଖାଟାଏ, ତାକୁ ଫୁଲ ଫୁଟିବାର କିଛିଦିନ ପୂର୍ବରୁ କ୍ଷେତରୁ ଓପାଡ଼ି ନେଇ ଭଲ ସାରମାଟି ଦେଇ ଅନ୍ୟ ସ୍ଥାନରେ ଲଗାଇଦିଅନ୍ତି । ତହିଁରୁ ଯେଉଁ ବିହନ ହୁଏ, ତାହା ଭାରି ସତେଜ ।

ଗାଁରେ ଆହୁରି ଗୋଟିଏ ନୂଆ ଫସଲ ହେଲା । ତାହା ହେଉଛି ପୋଟଳ । ଫାରମରୁ ପୋଟଳ ଚେର ଅଣାହୋଇ ବଣ୍ଟାହେଲା । ଆଶ୍ୱିନ, କାର୍ତ୍ତିକ ମାସରେ ଚାରି ଚାରି ହାତ ଛାଡ଼ି ହାତେ ଓସାର ଓ ହାତେ ଗହୀର ଗାତରେ ଚାରି ପାଞ୍ଚଖଣ୍ଡ ପୁରୁଣା ଗଛର ସରୁ ଡ଼ଙ୍କ ପୋତି ମାଟି ଘୋଡ଼ାଇଦିଅନ୍ତି ଓ ଚେର ଉଷୁମ ପାଇବ ବୋଲି ଉପରେ କୁଟା ଢ଼ାଙ୍କି ଦିଅନ୍ତି । କୁଟା ଉପରେ ପାଣି ଢ଼ଳାଯାଏ । ପନ୍ଦର କୋଡ଼ିଏ ଦିନ ପରେ ଯେତେବେଳେ ଗଛ ବାହାରେ, ସେତେବେଳେ କୁଟା କାଢ଼ିନିଅନ୍ତି ଓ ହୁଡ଼ା କରିଦିଅନ୍ତି । ପୋଟଳ ଭୁଇଁରେ ବି ମାଡେ଼, ରଞ୍ଜାରେ ବି ଲଟାଏ । ତଳୂ ଯତ୍ନକରି ଘାସ ଓପାଡ଼ି କିଆରୀକୁ ସଫା ରଖନ୍ତି । ଡ଼ଙ୍କ ବହଳ ହେଲେ କଅଁଳ ଡ଼ାଳକୁ ଭାଙ୍ଗିଦେଇ ମୂଳ ନାଳକୁ ବଢ଼ିବାକୁ ଦିଅନ୍ତି, ନ ହେଲେ ଫଳ ଝଡ଼ିପଡ଼ିବ । ଚୈତ୍ର ମାସରେ ଫଳ ଫଳେ । ପୋଟଳ ଗଛ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରହେ । ଏଥିରେ ଯାହା ଖର୍ଚ୍ଚ ହୁଏ, ତାହାର ଚାରି ପାଞ୍ଚ ଗୁଣ ଲାଭ ହୁଏ । ଗାଁରେ ଯେଉଁଠି ଉର୍ବର ମାଟି, ସେଠି ପୋଟଳ ଚାଷ ହେଲା ।

ଅଙ୍ଗୁର ଡ଼ାଳ ପୋତିଲେ ଗଛ ହୁଏ । ଶୀତଦିନେ ନାଳକୁ କାଟି ଲଗାଯାଏ; ଚେର ହେଲେ ବର୍ଷା ପୂର୍ବରୁ ଜମିରେ ଲଗାଯାଏ । ଭାଡ଼ି କରାଯାଏ । ଚୈତ୍ରଠାଣୁ ଆଷାଢ଼ ପର୍ଯ୍ୟନ୍ତ ଏହାର ଫଳ ମିଳେ । ମାର୍ଗଶିର ଓ ପୌଷମାସରେ ଅଙ୍ଗୁର ଗଛର ଚେର କାଟି କୋଡ଼ିଏ ଏକୋଇଶ ଦିନ ମୂଳକୁ ଖୋଲା ପକାନ୍ତି । ପରେ ଶୁଖୁଆସାର ପ୍ରଭୃତି ଦେଇ ଗାତକୁ ବନ୍ଦ କରିଦିଅନ୍ତି । ପ୍ରୟୋଜନ ଅନୁସାରେ ଡ଼ାଳ ଓ ଚେର ଛାଣ୍ଟି ଦିଆଯାଏ । ଗାଁରେ ଅନେକ ଅଙ୍ଗୁର ଗଛ ଲଗାହେଲା ।

ଛାଇତଳ ବାରିରେ ସପୁରି ଲଗାହେଲା । ଜ୍ୟେଷ୍ଠ ଆଷାଢ଼ ମାସରେ ପୁଆ ପୋତାହୁଏ । ମାର୍ଗଶିର ମାସରେ ଗଛ ମୂଳ କୋଳି ସଢ଼ା ଗୋବର ଦିଆଯାଏ । ଫଳ ଉପରେ ଥିବା ପୁଆ ଅପେକ୍ଷା ଗଛମୂଳରେ ଥିବା ପୁଆ ବେଶୀ ଲଗାହେଲା । କାରଣ ତହିଁରେ ଶୀଘ୍ର ଫଳ ଫଳେ ।

କେହି କେହି ଡ଼ାଳିମ୍ବ ବଗିଚା କଲେ । ଜମିରେ ଚୂନ ମିଶାଇ ଦିଅନ୍ତି ଓ ଗୋବରଖତ, ପିଡ଼ିଆ ଦିଅନ୍ତି । ଗଛଗୁଡ଼ିକୁ ଛାଡ଼ି ଛାଡ଼ି ଲଗାଇଥାନ୍ତି ।
ଅନେକ ମିଠାଲେମ୍ବୁ ଳଗାଇଲେ । ଶୀଘ୍ର ଫଳିବ ବୋଲି ଗଛଗୋଟିକ ଟ୦.୧ ଠାରୁ ଟ ୦.୫ ପର୍ଯ୍ୟନ୍ତ ଦେଇ ଫାରମରୁ କଲମିଗଛ କିଣି ଆଣିଲେ । ଦୋରସା ମାଟିରେ ନିଗଡ଼ା ଭୂଇଁରେ ଲେମ୍ବୁ ଲାଗିଲା । ମାଟିରେ ଚୂନ ମିଶାହେଲା । ଦଶପନ୍ଦର ହାତ ଛାଡ଼ି ଛାଡ଼ି ଦୁଇ ହାତ ଚଉଡ଼ା ଦୁଇ ହାତ ଗହୀର ଗାତ ସବୁ ଖୋଳାହେଲା । ଗାତ ଭିତର ଘସି-ନିଆଁରେ ପୋଡ଼ା ହେଲା । କାରଣ ଏଥିରେ ଉଇରୁ ରକ୍ଷା ମିଳିପାରିବ । ପରେ ବାଲି ଓ ଖାରମାଟି, ପୁରୁଣା ଗୋବରଖତ ଓ ଛେଳିଲଣ୍ଡି ମିଶାଇ ମାଟି ପୂରାଇ ଦିଆହେଲା । ବର୍ଷା ପୂର୍ବରୁ ଗାତ ଖୋଳା ହୋଇ ରହିଥାଏ । ଯେପରି କି ତହିଁରେ ଥିବା ମାଟି ଦବିଯିବ । ତା ପରେ ଆଶ୍ୱିନ କାର୍ତ୍ତିକରେ ତହିଁରେ କଲମି-ଗଛ ଲଗା ହୁଏ ।

ବର୍ଷକ ପରେ ଗଛ ଚାରିପାଖ ଖୋଳି ସଢ଼ା ଗୋବରଖତ ଓ ଆମୋନିଆ ସାର ଦିଆ ହୁଏ । ପୁଣି ଦୁଇ ବର୍ଷରେ ଫସପେଟ୍ ସାର, ଶୁଖୁଆସାର ଓ ଗୋବରଖତ ଦିଆହୁଏ । ବର୍ଷାଦିନେ ପାଣି ଯିବା ପାଇଁ ମନ୍ଦାରୁ ନାଳି କଟା ହୁଏ ।

ଖରାଦିନେ ଗଛମୂଳ ଖୁସାଇ ପାଳ ବା ଶୁଖିଲା ପତ୍ର ବିଛାଇ ଦେଲେ ମାଟିରୁ ଶୀଘ୍ର ବତର ଚାଲିଯାଏ ନାହିଁ । ନାଗପୁର ଲେମ୍ବୁ ସାଧାରଣତଃ ବର୍ଷକେ ଦୁଇଥର ଫଳେ; ଥରେ ମାଘ ଫାଲଗୁନରେ ଫୁଲ ଧରେ, ପୁଣି ଥରେ ଜ୍ୟେଷ୍ଠ ଆଷାଢ଼ରେ । ମାଘ ଫାଲଗୁନର ଫୁଲରୁ ଯେଉଁ ଫଳ ହୁଏ, ତାହା ଖରା ଲାଗି ଝଡ଼ି ପଡ଼ିବାର ଦେଖିଲେ, ଗଛ ମୂଳରେ ଅଧିକ ପାଣି ଦିଆ ହୁଏ ଓ ପିଚକାରୀରେ ଉପରକୁ ପାଣି ଫୋପଡ଼ା ହୁଏ । ବର୍ଷା ସମୟରେ ଯେଉଁ ଫୁଲ ହୁଏ ତାର ଫଳ ମାଘଠାରୁ ଚୈତ୍ରମାସ ଭିତରେ ପାଚେ । ଏ ଫଳ ଅଧିକ ମିଠା ହୁଏ ।

ଚାଷର ଉନ୍ନତି ସଙ୍ଗେ ସଙ୍ଗେ ଗୋ-ଜାତିର ଉନ୍ନତି ଦିଗରେ ମଧ୍ୟ ଚେଷ୍ଟା ହେବାକୁ ଲାଗିଲା ।

ଗୋରୁର ଖାଦ୍ୟ ବଢ଼ାଇବା ପାଇଁ ଯତ୍ନ କରାହେଲା । ଫାରମରୁ ବଡ଼ ଘାସର ମଞ୍ଜି ଅଣାହୋଇ ଲଗା ହେଲା । ଏଥିପୂର୍ବରୁ ଲୋକଙ୍କର ଧାରଣା ନ ଥିଲା ଯେ, ଘାସ ଚାଷ କରା ହୋଇପାରେ । ଖରାଦିନେ ଘାସ ଉଣା ହୋଇ ଗୋରୁଙ୍କର ବଡ଼ କଷ୍ଟ ହୁଏ । ତେଣୁ ଫାର୍ମ ଲୋକଙ୍କ ଶିକ୍ଷାରେ ପୂର୍ବରୁ ଘାସକୁ ଗାତରେ ଖଣି ପଖାଇ ଢ଼ାଙ୍କି ସାଇତି ରଖାହୁଏ । ତାହା ଛଡ଼ା ଗୋରୁମାନଙ୍କୁ ପ୍ରଚୁର ପରିମାଣରେ ଭୁଷି, ପିଡ଼ିଆ, କୋଳଥ, କୁଳୁଚି ଓ କପାମଞ୍ଜି ଦିଆହୁଏ । ଏହିପରି ସମସ୍ତେ ଗୋଜାତି ପ୍ରତି ଦୃଷ୍ଟି ଦେଲେ ।

ବି.ଦ୍ର. - ଏହି ଲେଖାଟି ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।

Wednesday, May 10, 2017

ଗାଁରେ ପାଠ ପଢ଼ା


ଗୋପୀନାଥ ମହାନ୍ତି 


ଆବ୍ରାହମ ଲିଙ୍କନଙ୍କର ସ୍କୁଲ

ଦିନ କେଇଟାରେ ସମସ୍ତଙ୍କ ସହିତ ମିଶି ବନ୍ଧୁତା କରି ପରି ବାବୁ ଗାଁଟାକୁ ପ୍ରଥମେ ଭେଳେଇ ନେଲେ । ତା ପରେ ଦିନେ ପିଲାମାନଙ୍କୁ କହିଲେ, “ଗୋଟାଏ ଗଣତି କଲ, ତୁମ ଗାଁରେ କେତେ ଜଣ ଲୋକ ଚିଠି ଲେଖି ଚିଠି ପଢ଼ି ଜାଣନ୍ତି ?” ସୁମାରି ହେଲା । ଦେଖିଲାବେଳକୁ ଲେଖା ପଢ଼ା ଲୋକ ଅତି କମ୍ ।

ପରି ବାବୁ ଲୋକଙ୍କୁ ମତେଇଲେ, “ତୁମେ ପାଠ ପଢ଼ ।” ଲୋକେ କହିଲେ, “ଏ ବୁଢ଼ା ଦିନେ ଖଡ଼ି ଧରିବା ନା ? ଲାଭ କଣ ହେବ ?” ପରି ବାବୁ ବୁଝାଇଲେ, “ଦେଖ, ପାଠରେ ବୟସ ଧରା ହୁଏ ନାହିଁ । ତୁମେ ସାଧାରଣ ନାଁ ଦସ୍ତଖତ କରି ଜାଣିନା, କେଡେ଼ ଲଜ୍ଜାର କଥା । ପଢ଼ି ଜାଣିଥିଲେ ସିନା ଦେଶ କଥା ଦଶ କଥା ଜାଣନ୍ତ । ତୁମେ ପଢ଼, ତୁମେ ସବୁ ପୁରୁଖା ଲୋକ, ଖଡ଼ି ଧରୁ ଧରୁ ପାଠ ହୋଇଯିବ ।”

ବହୁତ ଧରାଧରି କରିବା ପରେ ଠିକଣା ହେଲା ଯେ, ରାତିରେ ଲୋକେ ପଢ଼ିବାକୁ ଆସିବେ । ଦିନରେ ତ ବାର ଧନ୍ଦା, ରାତିରେ ଘଣ୍ଟାଏ ପଢ଼ି ଦେଇ ଯାହାର ମନ ହେବ ସେ ଆଖଡ଼ାକୁ ଚାଲିଯିବ । ସେଇଠୁ ରାତି ସ୍କୁଲ ଆରମ୍ଭ ହେଲା । ପରି ବାବୁ ନିଜେ ପଢ଼ାଇଲେ । ବୁଢ଼ା ବୁଢ଼ା ଲୋକ ଯାହାର ବାଳ ପାଚି ଗଲାଣି ଏପରି ଲୋକଙ୍କୁ ମଧ୍ୟ ନିଜେ ଯାଇ ଗୋଟେଇ ଆଣନ୍ତି । ଦିନରେ ଯାଇ ବେଳେ ବେଳେ ପଢ଼ାଇ ଦେଇ ଆସନ୍ତି । ଘର ଧନ୍ଦା ଯୋଗୁଁ ଲୋକେ ନ ଆସି ପାରିଲେ ଯାଇ ବୁଝେଇ ସୁଝେଇ ଆଣନ୍ତି ।

ଲୋକଙ୍କୁ ଭୁଲାଇ ଭୁଲାଇ ପଢ଼ାନ୍ତି । ଏଣୁ ତେଣୁ ଗପ ପଡେ଼, ଭାଗବତ ପଢ଼ା ହୁଏ, ଖବର କାଗଜ ବି ପଢ଼ା ହୁଏ । ପରି ବାବୁଙ୍କ ମତ, ପ୍ରତି ଗାଁରେ ରାତି ସ୍କୁଲ ରହିବ ।

ଏଣେ ଗାଁ ସ୍କୁଲରେ କାମ ଚାଲିଥାଏ । ନୁଆ ମାଷ୍ଟ୍ରେ ପିଲାଙ୍କ ସଙ୍ଗେ ବଡ଼ଭାଇ ପରି ମିଶିଯାଇଥାନ୍ତି ; ଏତେ ଭଲ ପାଆନ୍ତି ଯେ କହିବାର ନୁହେଁ । ପିଲାଏ ମନ ଦେଇ ପାଠ ପଢ଼ନ୍ତି, ନୋହିଲେ ମାଷ୍ଟ୍ରଙ୍କ ମନକଷ୍ଟ ହେବ । ଯେଉଁ ଦିନ ତିନି ଚାରି ଜଣ ପିଲା ନ ଆସିବେ, ସେ ଦିନ ମାଷ୍ଟ୍ରେ ଭାତ ଖାଆନ୍ତି ନାହିଁ । ଯାହାର ଦେହ ମୁଣ୍ଡ ହେଲେ ନିଜେ ଯାଇ ତତ୍ତ୍ୱ ନିଅନ୍ତି । ଛୋଟ ଛୋଟ ପିଲାଏ ମାଷ୍ଟରଙ୍କୁ ଖୁସି କରିବାକୁ ନିଜେ ଭଲ ବ୍ୟବହାର କରନ୍ତି । ତାଙ୍କ ମନରେ ଗର୍ବ ହୁଏ । କାରଣ ମାଷ୍ଟ୍ର ଓ ପରି ବାବୁ ବାରମ୍ବାର କହନ୍ତି – ତୁମେ ଦେଶର ଆଶା ଭରଶା । ତୁମ ଦେଶ ସେଇ ଭାରତବର୍ଷରେ, ଯେଉଁଠି ବଡ଼ ବଡ଼ ଲୋକ ଜନ୍ମ ହୋଇ ବଡ଼ ବଡ଼ କଥା କରି ଦେଖାଇଯାଇଛନ୍ତି ।

ତୁମ ଗାଁ ହେଉଛି ଓଡ଼ିଶା ଦେଶ । ତୁମ ପୂର୍ବପୁରୁଷ ଦରିଆରେ ବୋଇତ ଭସାଇ ସାତ ସମୁଦ୍ରରୁ ହୀରା ମାଣିକ ବୋହି ଆଣୁଥିଲେ । ତୁମ ଦେହରେ ଯେଉଁ ରକ୍ତ ଅଛି, ତୁମ ମନରେ ଯେଉଁ ଶକ୍ତି ଅଛି, ତା ଆଉ କାହାରି ନାହିଁ । ତୁମେ ନିଜକୁ କାମରେ ଲଗାଇ ପାରୁନ ବୋଲି ପଡ଼ି ରହିଛ । ପିଲାଙ୍କୁ ବାରମ୍ବାର ଏପରି କହିବାରୁ ସେମାନେ ନିଜକୁ ଆଉ ହେୟ ମଣିଲେ ନାହିଁ । ସମସ୍ତଙ୍କର ଉଚ୍ଚ ଆଶା ହେଲା, କିପରି ବଡ଼ ହେବେ ।

ଏଣେ ପରି ବାବୁ ବହୁତ କଷ୍ଟ କରି ପ୍ରତି ରବିବାର ଦିନ ରାତିରେ ସେ ଗାଁ ଲୋକଙ୍କର ଗୋଟିଏ ସଭା କରନ୍ତି । ତହିଁରେ ସମସ୍ତେ ଆସି ଗାଁର କିପରି ମଙ୍ଗଳ ହେବ ସେ କଥା ଭାବନ୍ତି । ନ୍ୟାୟ ନିଶାପ ପଡେ଼ । ଯେତେବେଳେ କଜିଆ ଗୋଳ ହୋଇଥାଏ, ପରି ବାବୁ, ମାଷ୍ଟର ଓ ଅନ୍ୟାନ୍ୟ ଲୋକେ ନିଶାପ କରି କଥାଟା ତୁଟାଇଦିଅନ୍ତି । କେହି ମକଦ୍ଦମା କଥା ପକାଇଲେ ପରି ବାବୁ କହନ୍ତି, “କାହିଁକି ମକଦ୍ଦମାକୁ ଯିବ, ଏଣେ ଘରେ ଖାଇବାକୁ ପାଉନା । ଗୋଟାଏ ଆନର ରିହରେ ଘର ବନ୍ଧା ଦେଇ ପଇସା ନେଇ ଥୋଇବ ପର ଘରେ ? ଏଠି ସୁନ୍ଦର ନ୍ୟାୟ ହୋଇ ପାରିବ । ଆଉ ଦୂରକୁ କାହିଁକି ଯିବ ?” ପରି ବାବୁ ଧିରେ ଧିରେ ଗ୍ରାମ ସଙ୍ଗଠନ ଆରମ୍ଭ କଲେ ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Tuesday, May 09, 2017

ଗ୍ରାମ-ସଙ୍ଗଠନର ସୂଚନା


ଗୋପୀନାଥ ମହାନ୍ତି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ପରି ବାବୁ ବି.ଏ. ଯେମିତି ପାଶ୍ କରିସାରିଲେ, ସେମିତି ତାଙ୍କ ବାପା ଧୂମ୍ ଲଗାଇଲେ, “ପରି, ଏଥର ଚାକିରୀ ଖଣ୍ଡେ କର ।”

ପରି ବାବୁ କହିଲେ, “ବାପା, ଘରେ ତୁମେ ଆଉ ବୋଉ, ମୁଁ ତ ଏକୁଟିଆ ଲୋକ । ଜମି ଜମା ଯାହା ଅଛି, ସେତକ ଭାଗ ଲଗାଇଦେଲେ ତୁମେ ତ ବର୍ଷକ ସୁଖରେ ଚଳୁଛ, ମୁଁ ଆଉ ଚାକିରୀ କାହିଁକି କରିବି ?”

ବାପା କହିଲେ, “ଚାକିରୀ କଲେ ଦରମା ଗଣ୍ଡାକ ତ ଆସିବ । ଜମିରୁ ତା କାହୁଁ ଆସିବ ? ବିନା ଚାକିରୀରେ ବାବୁଗିରି ରହିପାରିବ ନାହିଁ ।”

ପରି ବାବୁ କହିଲେ, “ସହରରେ ପାଠ ପଢ଼ି ସହର କଥା ମୁଁ ଦେଖି ଆସିଲି । ଚାକିରୀଆଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା । ଦରମା ପାଆନ୍ତି କମ୍, କାମ କରନ୍ତି ବେଶୀ । ମୁଁ ଠିକ୍ କରିଛି, ଚାକିରୀ କରିବି ନାହିଁ । ଅସଲ ବଡ଼ଲୋକି ମାଛ-ଭାତ ଖାଇଲେ ରହେ ନାହିଁ, ଅସଲ ବଡ଼ଲୋକି ଥାଏ ମନରେ ।”

ବାପପୁଅଙ୍କର ତର୍କ ଲାଗିଲା । ବାପ ଯହୁଁ ଦେଖିଲେ ପୁଅର ମନ ଆଉ ଆଡେ଼ ଚାଲିଛି, ସେ ବାଧ୍ୟ କଲେ ନାହିଁ । ପରି ବାବୁ ଗାଁରେ ରହିଲେ ।

ପରି ବାବୁ ପ୍ରଥମେ ଗାଁ ଚାଟଶଳୀ ପ୍ରତି ନଜର ଦେଲେ । ପୁରୁଣା ମାଷ୍ଟର ପଢ଼ାଇବାରେ ଭାରି ଫାଙ୍କି ଦିଅନ୍ତି । ତାଙ୍କ ଦ୍ୱାରା ଚଳୁ ନାହିଁ, ସେ ଖାଲି ବୋଲହାକ କରାଉଛନ୍ତି, ପାଠ ଅର୍ଥ ଖାଲି ମାଡ଼ । ତହୁଁ ଗାଁ ଲୋକଙ୍କୁ କହି ସେ ମାଷ୍ଟରଙ୍କୁ ତଡ଼ି ଦେଲେ ।

ଯେ ପର୍ଯ୍ୟନ୍ତ ନୁଆ ମାଷ୍ଟର ନ ଆସିଛନ୍ତି, ନିଜେ ଚାହାଳିରେ ବସିଲେ; ସେ ପିଲାଙ୍କ ଖେଳା ବୁଲା ବଢ଼ାଇ ଦେଲେ । ଖେଳାଇ ଖେଳାଇ ପାଠ ପଢ଼ାଇଲେ । ନାନାପ୍ରକାର ଉତ୍ସାହ ଦେଖାଇଲେ । 

ଏଣେ ପିଲାଏ ପାଠ ପଢ଼ୁଥାନ୍ତି, ତେଣେ ସ୍କୁଲ ହତାରେ ବଗିଚା କରୁଥାନ୍ତି । ଗୋଟାଏ ଗାଡ଼ିଆ ଥାଏ,- ସେଥିରେ ମାଛ ଛାଡ଼ୁଥାନ୍ତି, ମାଛ ମାରୁଥାନ୍ତି । କଣ୍ଢେଇ ଗଢ଼ି ଖରାରେ ଶୁଖାଇ ରଖୁଥାନ୍ତତି । ଅରଖ ଗଛର ପୋକ ପାଳି ପ୍ରଜାପତି କରୁଥାନ୍ତି ।


ବି.ଦ୍ର. - ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Monday, May 08, 2017

ସଭ୍ୟତାର ତିନି ଶକ୍ତି

କୋଇଲା, ଲୁହା ଓ ପେଟ୍ରୋଲିୟମ


ଗୋପୀନାଥ ମହାନ୍ତି 


ଚୀନ ଦେଶରେ କୋଇଲା ଉତ୍ତୋଳନର ଚିତ୍ର (୧୬୩୭)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆଜିକାଲିକା ପୃଥିବୀ ହେଉଛି କଳକାରଖାନାର ପୃଥିବୀ । ଚାଷବାସର ଦିନ ଚାଲିଯାଇଛି । ଯେଉଁଠି କଳକାରଖାନା, ସେଠି ବେଶୀ ମଣିଷ, ସେଠି ବେଶୀ ଧନଦୌଲତ ।

କଳକାରଖାନା ପାଇଁ ଲୁହା, କୋଇଲା, ପେଟ୍ରୋଲ ଓ ବିଜୂଳି ବଳ ଦରକାର । ଆଜିକାଲି ତ ଲୁହାର ଯୂଗ, ପ୍ରତ୍ୟେକ ଦରକାରୀ ଜିନିଷ ଲୁହାରେ ତିଆରି । ଲୁହା ବିଷୟ ତୁମେମାନେ “କାଳିମାଟି କଥା”ରୁ ପଢ଼ିଥିବ ।

କଳକାରଖାନା ଚଳାଇବା ପାଇଁ “ଶକ୍ତି” ଦରକାର । ଫୁଟିଲା ପାଣି ବା ଫୁଟିଲା ପେଟ୍ରୋଲ ତେଲରୁ ଯେଉଁ ବାମ୍ଫ ବାହାରେ ତାର ଠେଲିବା ଶକ୍ତିରେ ସବୁ କଳ ଚାଲେ । ଏତେ ବଡ଼ ଯେଉଁ ରେଳଗାଡ଼ି ବିରାଟ ଅସୁର ପରି ମାଡ଼ି ଚାଲେ, ତାର ଜୋର୍ ରହିଛି ଏହିପରି ଠେଲିବା ଶକ୍ତିରେ । ବିଜୁଳି ଶକ୍ତି ମଧ୍ୟ ନାନା କାର୍ଯ୍ୟ କରେ । ଠେଲିବା, କଳ ଚଳାଇବା, ତତାଇବା, ଆଲୁଅ କରିବା, ସବୁ କାର୍ଯ୍ୟରେ ବିଜୁଳି ଶକ୍ତି ଲାଗୁଛି । କିନ୍ତୁ ଏ ବିଜୁଳି ଶକ୍ତି ଆପଣା ଆପେ ଆକାଶରୁ ଆସେ ନାହିଁ । ମଣିଷ ନିଜେ କାରଖାନା ବସାଇ ବିଜୁଳି ଶକ୍ତି ତିଆରି କରେ । 

ତେଣୁ ସେଠି ମଧ୍ୟ ବିନା ପେଟ୍ରୋଲ ଓ କୋଇଲାରେ ଯନ୍ତ୍ର ଚାଲିବା ସକାଶେ ତାତି ତିଆରି ହୋଇପାରିବ ନାହିଁ । 

ଅତଏବ ନିଦାନ ହେଉଛି, କୋଇଲା ଓ ତେଲ । ତାକୁ ଜାଳିଲେ ଯେଉଁ ତାତି ବାହାରେ, ତହିଁରେ ଆଜିକାଲିକାର ସବୁ ସଭ୍ୟତା ଗଢ଼ା 

ହେଉଛି । କୋଇଲା ଓ ପେଟ୍ରୋଲ ତେଲ ନ ଥିଲେ ରେଳ, ମଟରଗାଡ଼ି, ଜାହାଜ, ଉଡ଼ାଜାହାଜ, ବିଜୁଳି କଳ ସବୁ ବନ୍ଦ ହୋଇଯାନ୍ତା । ଯେଉଁ ବଡ଼ ବଡ଼ ବ୍ୟବସାୟୀମାନେ ପୃଥିବୀର ବଡ଼ ବଡ଼ କୋଇଲାଖଣି ଓ ପେଟ୍ରୋଲ ତେଲର ଖଣି ଆବୋରି ବସିଛନ୍ତି, ସେମାନେ କରୋଡ଼ପତି । ସେମାନେ ଅତି ବଡ଼ ରାଜା ମହାରାଜାଙ୍କଠାରୁ ଅଧିକ ପରାକ୍ରମୀ । କାରଣ ଆଜିକାଲିକା ପୃଥିବୀରେ ଦୁଇଟା ବଡ଼ ବଡ଼ ରାଜା, - ଜଣେ କୋଇଲା ରାଜା, ଆର ଜଣକ ପେଟ୍ରୋଲିୟମ ରାଜା । 
ପୂର୍ବେ ପୃଥିବୀରେ ବଡ଼ ବଡ଼ ସନ୍ତସନ୍ତିଆ ଭୂଇଁ ଥିଲା । ସେଠି ଘନ ଜଙ୍ଗଲ ମଧ୍ୟ ଥିଲା । କାଳକ୍ରମେ ସେସବୁ ଭୂମିକମ୍ପ ଓ ଆଗ୍ନେୟଗିରିର ଦାଉରେ ପୋତି ହୋଇ ପଡ଼ିଛି । ଏପରି ପୋତି ହୋଇ ରହିବାର ହଜାର ହଜାର ବର୍ଷ ପରେ ପୃଥିବୀର ଭିତରର ତାତି ଓ ଉପରର ଓଜନରେ ମଲା ଗଛ ଓ ସେକାଳର ମଲା ଜନ୍ତୁ ସମସ୍ତେ କୋଇଲା ପାଲଟିଯାଇଛନ୍ତି । ସେ କାଳର ବିରାଟ ବିରାଟ ଜନ୍ତୁ, ଯେଉଁମାନେ ଗୋଟାଏ ଲେଖାଏଁ ପାହାଡ଼ମୁଣ୍ଡିଆ ପରି, ସେମାନେ ସବୁ କୋଇଲା ପାଲଟି ଯାଇଛନ୍ତି । କୋଇଲା ଖଣିରୁ ପ୍ରାଗ୍ ଐତିହାସିକ ଯୁଗର ବିଚିତ୍ର ଜନ୍ତୁମାନଙ୍କର ସନ୍ଧାନ ମିଳେ ।

ଜଙ୍ଗଲ ସବୁ ମାଟି ଚପା ପଡ଼ି କୋଇଲା ପାଲଟିଯାଇଛି । ତାହା ଉପରେ କେତେ ଦାଉଦାପଟ ଚାଲିଗଲାଣି । ଯାହା ଥିଲା ପୃଥିବୀ ଉପରେ ଜଙ୍ଗଲ, ତାହା ବର୍ତ୍ତମାନ ପୃଥିବୀର ହଜାର ହଜାର ଫୁଟ ତଳେ କୋଇଲାଖଣି ହୋଇଛି । ସ୍ତର ସ୍ତର ହୋଇ ଯୂଗଯୂଗର ଜଙ୍ଗଲ ତଳକୁ ଚାଲିଯାଇ ସ୍ତର ସ୍ତର ହୋଇ କୋଇଲା ହୋଇ ରହିଛି । ଅତି ଗହୀର କୋଇଲାଖଣି ସବୁ ଆଉ ମଣିଷ ଆୟତ୍ତ କରିପାରିବ ନାହିଁ । ତଥାପି ଚାରିହଜାର ଫୁଟ ଗଭୀର କୋଇଲା ଖଣିରୁ ସୁଦ୍ଧା କୋଇଲା ଅଣାହେଉଛି ।

କୋଇଲାଖଣି ଆବିଷ୍କାର କରିବା ପରେ ସେଠି ଅନେକ ଗୁଡ଼ିଏ ଗାତ ଖୋଳାଯାଏ । ଏ ଗାତସବୁ ପ୍ରାୟ ପନ୍ଦର ଫୁଟ ଚଉଡ଼ା, ଅତି ଗହୀର, ପାତାଳକୁ ଚାଲିଗଲା ପରି ଲାଗେ । ଉପରେ କଳ ବସିଛି, ମଜୁରିଆ ମାନଙ୍କୁ ତଳେ ଛାଡ଼ିଦେବା ପାଇଁ ଯନ୍ତ୍ର ରହିଛି । ସେମାନେ ସେଥିରେ ବସିଲେ ସେମାନଙ୍କୁ ତଳେ ଓହ୍ଲାଇ ଦିଆଯାଏ । ସେମାନେ କୋଡ଼ି, ଗଇଁତିରେ କୋଇଲାକୁ ହାଣି ବଡ଼ ବଡ଼ ଟୋକେଇରେ ଥୋଇଦେଲେ କଳ ସାହାର୍ଯ୍ୟରେ ସେ କୋଇଲା ଉପରକୁ ଉଠିଆସେ । ଗାତର କଡ଼ସବୁ ପକା ଗାନ୍ଥନିରେ ବନ୍ଧା ହୋଇଥାଏ । କୋଇଲା ଖୋଳାଳିମାନେ ତଳେ ଖୋଳି ଖୋଳିକା ଅନେକ ସୁଡ଼ଙ୍ଗ ତିଆରି କରିପକାନ୍ତି । ମଝିରେ ବଡ଼ ବଡ଼ କୋଇଲାର ଖୁଣ୍ଟ ସବୁ ଛାଡ଼ି ସେମାନେ ତଳକୁ ଖୋଳି ଫମ୍ପା କରିପକାନ୍ତି । ତଳେ ଏପରି ସୁଡ଼ଙ୍ଗ ହୋଇଯାଏ ଯେ, କୋଇଲା ଖଣି ଭିତରକୁ ପଶିଲେ ଗୋଟିଏ ନୂଆ ରାଜ୍ୟରେ ପଶିଲା ପରି ଲାଗେ ।

ସୁଡ଼ଙ୍ଗ ସବୁ ରାସ୍ତା ପରି ଚାଲିଯାଇଛି । ସୁବିଧା ହେବ ବୋଲି ତହିଁରେ ପକ୍କା ଗଢେ଼ଇ ହୋଇଛି । ଅନେକ ଗୁଡ଼ିଏ କୋଠରୀ, ଅଫିସ୍ ଘର, ଖୋଳାଳିଙ୍କ ପାଇଁ ସୁବିଧା କରାହୋଇଛି । ମୂଳ ଗାତଠାରୁ କିଏ କେତେ ଦୂରରେ କାମ କରୁଛି; ତେଣୁ ଟେଲିଫୋନ୍ ଯନ୍ତ୍ର ଲାଗିଛି । ଯେପରି କି ତଳ ଲୋକେ ନିଜ ନିଜ ଭିତରେ ଓ ଉପରେ ଥିବା ଲୋକଙ୍କ ସହିତ ଦୂରରେ ଥାଇ କଥାବାର୍ତ୍ତା କରିପାରିବେ । କୋଇଲା ହାଣିସାରି ମୂଳ ଗାତ ପାଖକୁ ପଠାଇବା ଲାଗି ଛୋଟ ଛୋଟ ଗାଡ଼ିର ବନ୍ଦୋବସ୍ତ ହୋଇଛି । 

ଏତେ ତଳେ ଆଲୁଅ କେଉଁଠୁ ଆସିବ ? ସେଠି ସବୁବେଳେ ରାତି; ତେଣୁ ଚାରିଆଡେ଼ ବିଜୁଳି ଆଲୁଅ । ସ୍ଥାନେ ସ୍ଥାନେ ଖୋଳାଳିମାନେ ଗୋଟିଏ ବିଚିତ୍ର ପ୍ରକାର ଲଣ୍ଠନ ବ୍ୟବହାର କରନ୍ତି ।

ଲୋକେ ଅଣନିଃଶ୍ୱାସୀ ହୋଇ ମରିଯିବେ ବୋଲି ଖଣି ଉପରେ ପ୍ରକାଣ୍ଡ ପ୍ରକାଣ୍ଡ ବିଜୁଳି ପଙ୍ଖା ଲାଗି ଦମକଳ ଦ୍ୱାରା ତଳକୁ ପବନ ପମ୍ପ୍ କରା ହେଉଥାଏ । ପିମ୍ପୁଡ଼ି ପରି ଲୋକ ଲାଗି କାମ କରୁଥାନ୍ତି । ଦଳେ ଉଠି ଆସିଲେ ଆଉ ଦଳେ କାମ କରିବାକୁ ଯାଆନ୍ତି । ଉଠି ଆସିଲାବେଳକୁ ଲୋକଗୁଡ଼ିକ କଳାରେ ବୁଡ଼ିଥାନ୍ତି, ପରିଶ୍ରମ କରି କରି ଝାଳନାଳ ହୋଇଯାଇଥାନ୍ତି ।

ଏତେ ସୁବିଧା ଥିଲେ କଣ ହେବ, କୋଇଲା ଖଣିରେ ବିପଦ ଥାଏ । ଏତେ ଗହୀର ଗାତ ହେବାରୁ ବେଳେ ବେଳେ ତଳୁ ପାଣି ଝରି ଚାରିଆଡ଼ ବୁଡ଼ାଇଦିଏ । ସେଥିପାଇଁ ଉପରେ ପମ୍ପ୍ ଲାଗି ପାଣି କାଢ଼ି ସଫା କରାହେଉଥାଏ । ବେଳେ ବେଳେ ଖୋଳାଳିମାନଙ୍କ ଉପରେ ଛାତ ଭାଙ୍ଗିପଡେ଼, ଯେ ଯେଉଁଠି ଜୀବନ୍ତ ସମାଧି ପାଇଯାନ୍ତି । ସ୍ଥାନେ ସ୍ଥାନେ ବିଷାକ୍ତ ବାଷ୍ପରେ ଲୋକଙ୍କର ମୃତ୍ୟୁ ଘଟେ । ସବୁଠାରୁ ବିପଦ ହେଉଛି ନିଆଁ ବିପଦ । କୋଇଲାଖଣି ଭିତରେ ଏକପ୍ରକାର ବାଷ୍ପ ଥାଏ । ତହିଁରେ ନିଆଁ ଲାଗିଲେ ଆଉ ରକ୍ଷା ନାହିଁ । ଦେଖିଲେ ଜଣାପଡ଼ିବ, ଯେପରି ପବନରେ ନିଆଁ ଲାଗି ଆଗକୁ ଆଗକୁ ମାଡ଼ି ଚାଲୁଛି । ଏଥିରେ ସମସ୍ତେ ପୋଡ଼ି ମରନ୍ତି । ନିଆଁ ଚହଟିଗଲେ ଲୋକେ ପ୍ରାଣ ବିକଳରେ ଛୋଟ ଛୋଟ କୋଠରୀରେ ପଶିଯାଇ କବାଟ କିଳିଦିଅନ୍ତି, ଅନ୍ଧି ସନ୍ଧି ବୁଜି ଦିଅନ୍ତି, ଯେପରି କି ବାହାରର ନିଆଁ ବାଷ୍ପ ଭିତରକୁ ଆସି ପାରିବ ନାହିଁ । ଏହିପରି କରି ଭିତରେ ପଡ଼ି ଅଣନିଃଶ୍ୱାସୀ ହୋଇ ଛଟ ପଟ ହେଉଥାନ୍ତି । ଭାଗ୍ୟ ଥିଲେ ଉପର ଲୋକେ କୋଠରୀ ଛାତକୁ କଣା କରି ପବନ ପମ୍ପ କରନ୍ତି ଓ ଏମାନଙ୍କୁ ଉଦ୍ଧାର କରି ନିଅନ୍ତି ।

ବେଳେ ବେଳେ ଉଡ଼ୁଥିବା କୋଇଲା ଧୂଳିରେ ନିଆଁ ଲାଗି ଖଣି ପ୍ରଭୃତି ସବୁ ଢ଼ୁ ଢ଼ା କରି ଫୁଟିଯାଏ । ଭୂମିକମ୍ପ ହେଲା ପରି ଦୁଲ୍ ଦାଲ୍ କମ୍ପି ଭାଙ୍ଗିପଡେ଼ । ଘର ମଣିଷ ହାବେଳି ମାରିଲା ପରି ଆକାଶକୁ ଫୋପାଡ଼ି ହୋଇ ଖଣ୍ଡ ବିଖଣ୍ଡ ହୋଇ ପଡ଼ନ୍ତି । କୋଇଲା ଖଣିର ଦୁର୍ଘଟନା କମାଇବା ପାଇଁ ଅନେକ ଉପାୟ କରାଯାଏ ।

କୋଇଲା କଢ଼ା ହୋଇ ରେଳରେ ବୋଝାଇ ହୋଇ ଲୁହା କାରଖାନା ଓ ଅନ୍ୟାନ୍ୟ ସ୍ଥାନକୁ ବିକ୍ରୀ ପାଇଁ ପଠାହୁଏ ।

ପୃଥିବୀରେ ସବୁଠାରୁ ବେଶୀ ପଥରକୋଇଲା ଓ ପେଟ୍ରୋଲିୟମ ତେଲ ଆମେରିକା ଯୁକ୍ତପ୍ରଦେଶରୁ ମିଳେ ।

କୋଇଲା ପରି ପେଟ୍ରୋଲିୟମ୍ ତେଲ ମଧ୍ୟ ସେ ଯୂଗର ଜଙ୍ଗଲ ସବୁ ମାଟିତଳେ ଚାପି ହୋଇ ରହିବାରୁ ଆପଣା ମନକୁ ତିଆରି ହୋଇଛି । ଏ ପୁସ୍ତକର ଅନ୍ୟତ୍ର ଯେଉଁ ଜୀବାଣୁମାନଙ୍କ କଥା ଲେଖା ହୋଇଛି, ସେମାନଙ୍କ ଉଦ୍ୟମରେ ବାଲିତଳେ ଚାପି ହୋଇ ରହିଥିବା ସନ୍ତସନ୍ତିଆ ଲୁଣି ପାଣିରେ ଥିବା ମଲା ଜଙ୍ଗଲରୁ ପେଟ୍ରୋଲ ତେଲ ଝରି ମାଟି ତଳେ ରହିଛି । ଏ ଖଣିରେ ତଳେ ଖୋଳାଳି ଲାଗନ୍ତି ନାହିଁ । ଉପରୁ ତେଲ ପାଖକୁ କୂଅ ଖୋଳା ହୋଇ ତହିଁରେ ଲୁହାର ନଳ ବସେ । ତେଲ ଉପରେ ଥିବା ବାଷ୍ପ ଗୁଡ଼ାକ ଖଲାସ ହୋଇଗଲେ, ତେଲ ଆସେ । ସ୍ଥାନେ ସ୍ଥାନେ ଲୁହା ନଳିବାଟେ ତେଲ ଆପଣା ମନକୁ ଉତ୍ସ ହୋଇ ଉଠିଆସେ । ସ୍ଥାନେ ସ୍ଥାନେ ଦମକଳ ଲଗାଇ ପାଣି କାଢ଼ିଲା ପରି ତେଲକୁ କଢ଼ାଯାଏ । ତେଲ ଉଠି ଆସିଲେ ଶହ ଶହ ମାଇଲ୍ ଲମ୍ବା ଲୁହା ନଳରେ ତାକୁ ପମ୍ପ କରି ଦୂରକୁ ପଠାଇ ଦିଅନ୍ତି । ସେଠି ଯନ୍ତ୍ର ବସି ସେ ତେଲ ସଫା ହୁଏ । ଏ ମୋଟା ତେଲରୁ କିରାସିନି ଓ ପେଟ୍ରୋଲ ତେଲ ବାହାରେ । ଭେସଲିନ୍, କଳକବଜାରେ ଲଗାଇବା ତେଲ ବାହାରେ ଓ ପ୍ୟାରାପିନ ବୋଲି ଗୋଟିଏ ଜିନିଷ ବାହାରେ;- ଯହିଁରେ ମହମବତୀ ତିଆରି ହୁଏ । ସଫା ହୋଇ ସାରିଲେ ତେଲକୁ ଅତି ଯତ୍ନରେ ଜାହାଜରେ ବିଦେଶକୁ ବିକ୍ରୀ ପାଇଁ ପଠାଇ ଦିଅନ୍ତି । ଏ ତେଲ ଅତି ସହଜରେ ନିଆଁ ଧରେ । ନିଆଁ ଲାଗିଲେ ସବୁ ଭସ୍ମ ହୋଇଯିବ ।