Saturday, July 08, 2017

ପିଲାଙ୍କ ପାଇଁ କବିତା - 'ଖଣ୍ଡାା ନାକ'


କବି - ଜଗନ୍ନାଥ ପ୍ରସାଦ ଦାସ


ଗଣ୍ଡାର ଉଡ଼କଟ୍ ଚିତ୍ର (୧୫୧୫)
ଜର୍ମାନ କଳାକାର ଆଲବ୍ରେଖ୍ଟ୍ ଦିଉରର୍ (୧୪୭୧-୧୫୨୮)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖଣ୍ଡା ଭଳିଆ ନାକ
ସେ ହେଉଛି ନାୟକ;
ନାକ ଉପରେ ଖଣ୍ଡା
ସେ ହେଉଛି ଗଣ୍ଡା 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Tuesday, July 04, 2017

ଚିଲିକାର ବିଭବ - ୭


ଦୁର୍ଗାଚରଣ ପଣ୍ଡା


ଚିଲିକା ବକ୍ଷରେ ନଉକା ଯ।ତ୍ରା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୮ ଚିଲିକା କୂଳେ ବିଜ୍ଞାନାଗାର 


ଏ ବିଜ୍ଞାନ ଯୁଗରେ ଭାରତର ଅନ୍ୟ ସବୁ ପ୍ରାଦେଶିକ ସରକାର ନିଜ ନିଜ ଅଞ୍ଚଳରେ ବିଦ୍ୟୁତ ସାହାଯ୍ୟରେ ବହୁତ କାରଖାନା ଖୋଲିଛନ୍ତି କିନ୍ତୁ ଓଡ଼ିଶା ସରକାର ଏ ପର୍ଯ୍ୟନ୍ତ ନୀରବ ଅଛନ୍ତି ।

ଯୁଦ୍ଧୋତ୍ତର ପୁନର୍ଗଠନ କାର୍ଯ୍ୟନେଇ ଆମ ସରକାର ଏଇ ଚିଲିକା କୂଳରେ କେତୋଟି କାରଖାନା କରିବା ଆଶା କରାଯାଏ । ତନ୍ମଧ୍ୟରୁ ଗୋଟିଏ ବଡ଼ ଦରର 'ବରଫକଳ' ଏବଂ ମାଛକୁ ସିଦ୍ଧକରି ବାଷ୍ପଶୂନ୍ୟ ଟିଣରେ ରଖିବାପାଇଁ ଆବଶ୍ୟକୀୟ ଯନ୍ତ୍ର ସ୍ଥାପନ ପ୍ରଧାନ ହେବା ଦରକାର, ମାଛ ବିଦେଶକୁ ପଠାଇବା ପାଇଁ ପ୍ରଚୂର ବରଫ ଦରକାର । ଏକ୍ଷଣି କାଳୁପଡ଼ା ନାମକ ସ୍ଥାନରେ ଗୋଟିଏ ବରଫ କଳ ଅଛି କିନ୍ତୁଏଠାରେ ଅତିକମ୍ ପରିମାଣ ତିଆରି ହୁଏ ।  ମାଛକୁ ଶୁଖୁଆ କରିବା ଏବଂ ଗ୍ରୀଷ୍ମ ଦିନରେ ଯେଉଁ ଚିଙ୍ଗୁଡ଼ି ମିଳେ ତାହାକୁ ସିଦ୍ଧକରି ତହିଁରୁ ରସ ବାହାରକରିବାପାଇଁ କେତେକ ଯନ୍ତ୍ରପାତି ଦରକାର, ଏହି ରସ ବ୍ରହ୍ମଦେଶ ବାସୀଙ୍କପାଇଁ ରପ୍ତାନୀ ହୁଏ ।

ଏ ପର୍ଯ୍ୟନ୍ତ କେବଳ କଳେ ବଳେ କୌଶଳେ ଚିଲିକାରୁ ମାଛ ଧରି ତାକୁ ଖାଇବା ଓ ବିକ୍ରିକରିବା ବ୍ୟତିତ ଏହି ମାଛର ପରିମାଣ କିପରି ବୃଦ୍ଧିହେବ ସେ ଦିଗରେ କେହିହେଲେ ଯତ୍ନବାନ କରିନାହାନ୍ତି । ମାଛ ଛାଣି ନେବା ସଙ୍ଗେ ସଙ୍ଗେ ଏଠାର ଜଳବାୟୁରେ ଅଧିକ ପରିମାଣ ମାଛ କିପରି ଜାତହେବ ସେ ଦିଗରେ ମଧ୍ୟ ଆୟୋଜନ କରିବାକୁ ହେବ ---ତା' ନହେଲେ କ୍ରମେ ଚିଲିକାରୁ ମାଛ ପରିମାଣ କମିଯିବା ଅସମ୍ଭବ ନୁହେଁ । ଏଣୁ ନିକଟରେ ଏଠାରେ [ବାଲୁଗାଁ] ଗୋଟିଏ ବିଜ୍ଞାନାଗାର ଖୋଲାଯାଇ ଚିଲିକାର ମତ୍ସଶିଳ୍ପ ଉନ୍ନତ କରାଯିବା ଯୋଗାଡ଼ ଚାଲିଛି । (କ୍ରମଶଃ)

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

ଚିଲିକାର ବିଭବ - ୬

ଦୁର୍ଗାଚରଣ ପଣ୍ଡା


ଚିଲିକା କୁଳରେ ବାଲୁଗାଁର ଦୃଶ୍ୟ

୬ ଦଳ


ଚିଲିକା ପାଣିରେ ଅନେକ ଶ୍ରେଣୀର ଦଳ ଜାତହୁଏ । ତନ୍ମଧ୍ୟରୁ ଚିଙ୍ଗୁଡ଼ିଆ ଦଳରୁ "ଆଓଡେନ" [ଡାକ୍ତରୀ ଔଷଧ] ତିଆରିହେବା ସମ୍ଭବ ଦେଖାଯାଏ । ଏ ଦିଗରେ ବିଶେଷ ଅନୁସନ୍ଧାନକରିବା ଦରକାର । ଏଇ ଦଳରେ ଭଲ ଗଦି ଓ ସାହେବ ଟୋପି ତିଆରି ହୁଏ । ଦଳକୁ ଉତ୍ତମ ରୂପେ ସିଦ୍ଧ କଲେ ଏକ ପ୍ରକାର ସରୁ ସୁତା ଆଦାୟ ହୁଏ । ଏଇ ସୁତାରେ ଏକପ୍ରକାର ପାଟ ମଧ୍ୟ ତିଆରି ସମ୍ଭବ । ଏ ସବୁ ଦିଗରେ ଅନୁସନ୍ଧାନ କରିବାକୁ ହେବ । 

୭ ସ୍ୱାସ୍ଥ୍ୟ ନିବାସ 


ଚିଲିକା ପାଣିରେ ପ୍ରଚୁର ପରିମାଣ ଲବଣାଂଶ ଅଛି । ଏଣୁ ଏଠାର ଜଳବାୟୁ ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ । ଚିଲିକାର କେତେକ ଦ୍ୱୀପପୁଞ୍ଜରେ ଏବଂ କୁଳର କେତେକ ସ୍ଥାନରେ ଉତ୍ତମ ସ୍ୱାସ୍ଥ୍ୟ ନିବାସମାନ ତିଆରିକଲେ ଏଠାରେ ରୋଗୀମାନେ ରହି ନିଜର ସ୍ୱାସ୍ଥ୍ୟ ଲାଭ କରିବା ସମ୍ଭବ ଦେଖାଯାଏ । ଏ ଦିଗରେ ଓଡ଼ିଶା ସରକାର ତଥା ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ପଡ଼ିବା ଦରକାର । 

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Wednesday, June 28, 2017

ଚିଲିକାର ବିଭବ - ୫


ଦୁର୍ଗାଚରଣ ପଣ୍ଡା



ଶିପ ଓ ଶାମୁକାଗୁଡ଼ିକର ଏକ ପୁସ୍ତକରେ ଅନ୍ତର୍ଭୁକ୍ତ ଅଳଙ୍କରଣ (୧୭୩୫)
ସଙ୍କଳନ - ଓଲନ୍ଦାଜ ଔଷଧତତ୍ତ୍ୱବିଦ ଆଲବେର୍ତ୍ତସ୍ ସେବା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୪ ଲୁଣମରା 


ଇଂରାଜୀ ଅଧିକାରର ବହୁ ଆଗରୁ ଚିଲିକା ମଧ୍ୟସ୍ଥ ଦ୍ୱୀପ ପୁଞ୍ଜରେ ଭାରତର ଅତି ଉତ୍କୃଷ୍ଟ ଲୁଣ ଆଦାୟ ହେଉଥିଲା । ଏକ ସମୟରେ ଗୋଟିଏ ବର୍ଷରେ ପ୍ରାୟ ଦୁଇଲକ୍ଷ୍ୟ ମହଣ ଲୁଣ ତିଆରି ହେବାର ଜଣାଯାଏ, ଏଇ ଲୁଣ ଯୋଗୁଁ ଚିଲିକାରେ ଭଲ ବୋଇତ ବାଣିଜ୍ୟ ମଧ୍ୟ ଚାଲୁ ହେଉଥିଲା କିନ୍ତୁ ଇଂରାଜୀ ମାନଙ୍କ ନିଷ୍ଠୁର ନୀତି ଯୋଗୁଁ ଏଇ ବ୍ୟବସାୟ ବନ୍ଦ ହେବାରୁ ଏଠାଲୋକେ ଭୋକ ଓପାସେ ଦିନ କାଟନ୍ତି !

ଏବେ କେତେବର୍ଷ ହେଲା ଏ ବ୍ୟବସାୟର ପୁନରୁଦ୍ଧାର କରାଯାଇଛି । କିନ୍ତୁ ଏକ୍ଷଣି ମାନ୍ଦ୍ରାଜ ଅଞ୍ଚଳରୁ ଅତି ଶସ୍ତାଲୁଣ ଆସି ଓଡ଼ିଶା ବଜାରରେ ବିକ୍ରୀ ହେଉଥିବାରୁ ଆମର ଏଠା ଦେଶୀଲୁଣର ଆଦର ଓଡ଼ିଶାରେ ନାଇଁ ! ସେଥିପାଇଁ ଏଠା ବ୍ୟବସାୟ ମଧ୍ୟ ମୁଣ୍ଡ ଟେକିପାରୁନି !

୫ ଶିପ, ଶାମୁକା ଓ ଚୁନଗୋଡ଼ି 


ଚିଲିକାର ଦ୍ୱୀପପୁଞ୍ଜ ଗୁଡ଼ିକରେ ବହୁସ୍ଥାନରୁ ଭୂଗର୍ଭରୁ ଶିପ ଓ ଶାମୁକା ପ୍ରଚୁର ପରିମାଣରେ ମିଳେ । ବହୁକାଳ ପୂର୍ବେ ଚିଲିକା ବଙ୍ଗୋପସାଗର ସଙ୍ଗେ ସମ୍ପୂର୍ଣ୍ଣରୂପେ ମିଶିଥିବାରୁ ଏବଂ କାଳକ୍ରମେ ଚିଲିକା ଓ ସମୁଦ୍ର ମଧ୍ୟରେ ଏକ ବାଲିବନ୍ତ ସୃଷ୍ଟି ହେବାରୁ ଏଠା ଦ୍ୱୀପଗୁଡ଼ିକ ମୁଣ୍ଡ ଟେକିପାରିଥିଲା ।  ଏଇ ପୋତା ସ୍ଥାନଗୁଡ଼ିକରେ ଭୂଗର୍ଭରେ ସ୍ତର ସ୍ତର ହୋଇ ଶିପ ଓ ଶାମୁକା ପୋତି ହୋଇ ରହିଛି । ଏଗୁଡ଼ିକୁ ଖୋଳି କାଢ଼ି ଚୁନପାଇଁ ପୋଡ଼ିବା ବ୍ୟବସାୟ କେତେକ ଲୋକ କରନ୍ତି । ସ୍ଥାନୀୟ ଜମୀଦାର ମାନେ ଏ ସ୍ଥାନଗୁଡ଼ିକୁ ପଟ୍ଟାଦେଇ ବାର୍ଷିକ କିଛି ଟଙ୍କା ପାନ୍ତି --- ଏବଂ ଯେଉଁମାନେ ପଟ୍ଟାକରି ନିଅନ୍ତି ସେମାନେ ଏଇ ଶିପ ଓ ଶାମୁକାକୁ ଼଼ଡଙ୍ଗାରେ ରପ୍ତାନୀ କରି ଲାଭବାନ ହୁଅନ୍ତି । 

ଚିଲିକା ମଧ୍ୟସ୍ଥ ପାହାଡ଼ିଆ ଅଞ୍ଚଳରେ ବିଶେଷତଃ, ଜଟିଆ ଓ ଦୀପ ଆଡ଼ିଆ ପାହାଡ଼ ଗୁଡ଼ିକରୁ ଚୁନ ଗୋଡ଼ି ମଧ୍ୟ ମିଳେ । ଏ ଗୋଡ଼ି ଆଣି କେତେକ ବ୍ୟବସାୟୀ ଚୁନ ତିଆରି କରି ଲାଭବାନ୍ ହୁଅନ୍ତି । ଏ ଅଞ୍ଚଳର ଚୁନ ପୁରୀ, କଟକ ଓ ବ୍ରହ୍ମପୁର ଯାଏ ରପ୍ତାନୀ ହୁଏ ।  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Saturday, June 24, 2017

ଚିଲିକାର ବିଭବ - ୪


ଦୁର୍ଗାଚରଣ ପଣ୍ଡା



ଚିଲିକାରେ ଦେଖାଯାଉଥିବା ଇରାବତି ଶିଶୁମାର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୩ ଚିଲିକାରେ ଜଳଜୀବ


ବର୍ଷା ଆରମ୍ଭ ଓ ଶୀତ ଶେଷ - ଅର୍ଥାତ୍ ପ୍ରତିବର୍ଷର ଆଷାଢ଼ ମାସଠାରୁ ମାଘ ଶେଷ ପର୍ଯ୍ୟନ୍ତ ଚିଲିକାରେ ଯେତେ ଜାତି ଓ ବର୍ଣ୍ଣର ପକ୍ଷୀ ଦେଖାଯାନ୍ତି ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ସେପରି ଦେଖିବାକୁ ମିଳେ କି ନାହିଁ ସନ୍ଦେହ । ବିଶେଷତଃ, ମାର୍ଗଶୀର ଓ ମାଘମାସ ମଧ୍ୟରେ ଏଗୁଡ଼ିକର ସ‌ଂଖ୍ୟା ଗଣନାତୀତ ହୁଏ । ଠିକ ଏହି ସମୟରେ ବହୁସଙ୍ଖ୍ୟକ ଶିକାରୀ ଭାରତର ବିଭିନ୍ନ ସ୍ଥାନରୁ ଆସି ଏଇ ନିରୀହ ପକ୍ଷୀଗୁଡିକୁ ବନ୍ଦୁକ ଚୋଟରେ ମାରିଖାନ୍ତି !

ପ୍ରାୟ ୧୫୦ ଶ୍ରେଣୀର ମାଛ ଚିଲିକା ପ୍ରାଣୀରେ ରହନ୍ତି, ସାଧାରଣ ଚିଙ୍ଗୁଡ଼ି, ଇଲିସୀ, ଓ ପାତୁଆ ଠାରୁ ଆରମ୍ଭ କରି ଅତିବଡ଼ ଖଙ୍ଗା, ଭେକେଟା, ଭୁଆଷୁଣୀ ଓ ମଗର ମଧ୍ୟ ଏଠାରେ ଦେଖାଯାନ୍ତି ।  ଗୋଟିଏ ଗୋଟିଏ ଭେକେଟା ଶଗଡ଼ରେ ବୁହାହୁଅନ୍ତି । ଭୁଆଷୁଣୀ ଓ ମଗର ମାଛ ଗୁଡ଼ିକ ଗୋଟିଏ ଗୋଟିଏ ମନୁଷ୍ୟକୁ ଗିଳିବାଭଳି ଦେଖାଯାନ୍ତି । ସାଙ୍କୁଚ, ଚିଲ୍ଲି ଓ କାଉନ୍ଦା ପ୍ରଭୃତି ବିଷାକ୍ତ ଜୀବ ମଧ୍ୟ ଚିଲିକାରେ ଦେଖାଯାନ୍ତି । ଏଗୁଡ଼ିକ କ୍ଷତ କଲେ ଲୋକମାନେ ବିଶେଷ ଯନ୍ତ୍ରଣା ଭୋଗନ୍ତି । 

କେବଳ ମାଛଧରି ନିଜର ଜୀବନ ବଞ୍ଚାଉଥିବା ପ୍ରାୟ ୧୦ ହଜାର ମତ୍ସ୍ୟଜୀବି ଜାତି ଚିକିଲା ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ଏବଂ ଏହାର ଚତୁର୍ଦିଗସ୍ତ କୂଳ ଗ୍ରାମ ଗୁଡ଼ିକରେ ବାସ କରନ୍ତି । ପ୍ରତିଦିନ, ନିଶାରାତିରେ ଏବଂ ବଡ଼ିଭୋର କିମ୍ବା ମଧ୍ୟାହ୍ନ ସମୟରେ ଗହୀର ଚିଲିକାରୁ ମାଛ ଧରି ଆଣି ତାକୁ ବିକ୍ରି କରି ସେଇ କଞ୍ଚା ପଇସାରେ ନିଜର ପେଟ ପୋଷିବାହିିଁ ଏଠା ମତ୍ସ୍ୟଜୀବିଙ୍କର ପ୍ରଧାନ ବ୍ୟବସାୟ । ପ୍ରତିବର୍ଷ ସମଗ୍ର ଚିଲିକାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ମାଛ ଧରାଯାଏ । ଏଥିରୁ ଅଧିକାଂଶ ମାଛ ରେଳରେ କଲିକତାକୁ ରପ୍ତାନୀ ହୁଏ । ଯେଉଁମାନେ ଏଠା ମାଛ ରପ୍ତାନୀ କରନ୍ତି, ସେଥିରୁ ଅଧିକାଂଶ ମହାଜନ ବିଦେଶୀ ଅଟନ୍ତି । ଏହି ବିଦେଶୀମାନେ ମତ୍ସଦିଆଙ୍କୁ ଆଗତୁରା ଟଙ୍କା ଦେଇ ଅଳ୍ପ ମୂଲ୍ୟରେ ମାଛ ନିଅନ୍ତି ଏବଂ କଲିକତାରେ ବହୁ ମୂଲ୍ୟରେ ବିକ୍ରି କରି ଲାଭବାନ ହୁଅନ୍ତି ! ଗତ କୋଡ଼ିଏ ବର୍ଷ ମଧ୍ୟରେ ଅନେକ ମହାଜନ ଲକ୍ଷାଧିକ ଟଙ୍କା ଏ ପ୍ରଣାଳୀରେ ସଞ୍ଚୟ କରିଛନ୍ତି । କିନ୍ତୁ ଯେଉଁ ଗରିବ ମଳିମୁଣ୍ଡିଆ ମାଛଧରା ହାଡ଼ଭଙ୍ଗା ପରିଶ୍ରମ କରେ ତାର ଘର ଛପର ନହେଇ ପଡ଼ିଛି । ତା ଦେହ ଘୋଡାଇବାକୁ କନା ନାଇଁ କି ପେଟ ପୁରିବାକୁ ଦାନାମିଳୁନି ! ଏଇ ଗରିବଙ୍କ ଦୁରବସ୍ଥା ଦୂର କରିବା ଦିଗରେ କୌଣସି ମହାଜନ କେବେ ଚିନ୍ତିତ ଥିବାର ଦେଖାଯାନ୍ତି ନାଇଁ, ଏହାକି କମ୍ ଚିନ୍ତାର ବିଷୟ ? [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Monday, June 19, 2017

ଚିଲିକାର ବିଭବ - ୩


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକା କୂଳରେ ଡଙ୍ଗା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - ସୁଜିତ କୁମା

୨ ବୋଇତ ବାଣିଜ୍ୟ -


ସାଧବ ଘର ସାତ ପୁଅ ବୋଇତ ବାଣିଜ୍ୟକରି ଯିବା କଥା ପିଲା ଦିନରୁ ଆଇ ମାଙ୍କଠାରୁ ଆମେମାନେ ଶୁଣିଥିଲୁ --- ଏଇ ବୋଇତ ବାଣିଜ୍ୟକରି ଆମଦେଶର ସାଧବମାନେ ସୁଦୂର ଜାଭା ଓ ମଳୟ  ପ୍ରଭୃତି ଦ୍ୱୀପପୁଞ୍ଜରେ ଦିନେ ବସତି ସ୍ଥାପନ କରିଥିବାର ଇତିହାସରୁ ଜଣାଯାଏ । ସେ କାଳରେ ଯେଉଁ 'ଅର୍ଣ୍ଣବପୋତ' ମାନ ବ୍ୟବହାର କରାଯାଉଥିଲା ତାହାର କୌଣସି ଚିହ୍ନ ଏଠାରେ ନାହିଁ ସତ, କିନ୍ତୁ ସେକାଳର ଗୋଟିଏ 'ବତୀଘର' ଏଇ ବାଲୁଗାଁ ନିକଟବର୍ତ୍ତୀ ଚିଲିକାକୂଳସ୍ଥ 'ଦୀପମୁଣ୍ଡିଆ' ପାହାଡ଼ ଉପରେ ଥିବାର ଚିହ୍ନ ରହିଛି । ଏକ ସମୟରେ ଚିଲିକାରେ ଅତିବଡ଼ ବୁଡ଼ାଜାହଜ ଓ ଶକ୍ତ ଲୁହାରେ ତିଆରି ହେବା ବୋଇତ ମଧ୍ୟ ବ୍ୟବହାର କରୁଥିବାର ପ୍ରମାଣ ମିଳେ, ଇଂରାଜୀମାନେ ଓଡ଼ିଶା ଅଧିକାର କରିବା ପରେ ମଧ୍ୟ କିଛିକାଳ ଯାଏ ଏଠା ଅଦିବାସୀ ଚିଲିକାରେ ବୋଇତ ବାଣିଜ୍ୟ ଚଳାଇଲେ । କେବଳ ଏହାର କୂଳଦେଇ ରେଳପଥ ତିଆରି ହେବାରୁ ଗଞ୍ଜାମ ଓ ପୁରୀ---କଟକ ଜିଲ୍ଲାର ବାଣିଜ୍ୟ ଜିନିଷ ରେଳରେ ବୋହି ଯାଉଛି ---ଫଳରେ ଚିଲିକାର ବୋଇତ ବାଣିଜ୍ୟ ଲୋପ ହୋଇଛି ! ଏବେସୁଦ୍ଧା ଚିଲିକାର ଏକାଧିକ ସ୍ଥାନରେ ଛୋଟ ଓ ବଡ଼ ନାହା, ଡଙ୍ଗା ପଢ଼ୋଉ ପ୍ରଭୃତି ତିଆରି ହୁଏ, ଏବଂ ରମ୍ଭାଠାରୁ, କେଶପୁର, ବାଲୁଗାଁ, କୌରି କାଳୁପଡ଼ା ଓ ଭୁଷଣ୍ଡପୁର ପ୍ରଭୃତି ସ୍ଥାନ ଗୁଡ଼ିକ ବୋଇତ ବାଣିଜ୍ୟର ପ୍ରଧାନ ପେଣ୍ଠ ହୋଇରହିଛି । ଏ ସବୁ ସ୍ଥାନରେ ଛୋଟ ଓ ବଡ ଡଙ୍ଗାରେ ଧାନ, କାଠ, ଚୂନ, ଶିପ, ବାଉଁଶ --- ୠତୁ ଅନୁସାରେ ---- ଲୁଣ ଓ ଶୁଖୁଆ ପ୍ରଭୃତି ବୁହାଯାଏ ।   ମାଛମାରି ଆଣିବା ପାଇଁ ପ୍ରତିଦିନ ଶତାଧିକ ଡଙ୍ଗା ଚିଲିକାରେ ଯା' ଆସ କରେ । ପ୍ରାୟ ପ୍ରତିଦିନ ଦର୍ଶକ ମାନେ ଚିଲିକାରେ ବୁଲିବା ପାଇଁ କିମ୍ବା ପକ୍ଷୀ ଶିକାର କରିବା ପାଇଁ ଡଙ୍ଗାଚଢ଼ି ବୁଲୁଥିବାର ଦେଖାଯାନ୍ତି ! ଏ ସବୁ ଦୃଶ୍ୟ ଦେଖିଲେ ଓଡ଼ିଆ 'ନାବିକମାନେ ଏ ପର୍ଯ୍ୟନ୍ତ ବୋଇତ ବାଣିଜ୍ୟ' କଥା ପାଶୋରି ନାହାନ୍ତି ବୋଲି ସ୍ପଷ୍ଟ କହିପାରୁ, କେବଳ ସୁବିଧା ପାଇଲେ ଏଇ ବାଣିଜ୍ୟ ଯେ ଅଧିକ ଉନ୍ନତି ଲାଭ କରିପାରେ ଏ ଆଶା ରହିଛି । [କ୍ରମଶଃ]  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Sunday, June 04, 2017

ଚିଲିକାର ବିଭବ - ୨


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୧ ପ୍ରାକୃତିକ ସୌନ୍ଦର୍ଯ୍ୟ


କବି ଓ ଭାବୁକ ମାନଙ୍କ ପାଇଁ ଯେଉଁସବୁ ଉପାଦାନ ପ୍ରକୃତିରେ ମିଳିବା ଦରକାର ସେସବୁ ଚିଲିକାର ପ୍ରତ୍ୟେକ ସ୍ଥାନରୁ ମିଳିଥାଏ । ଏଥିପାଇଁ ଲେଖକରମାତ୍ରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୁଅନ୍ତି । ବାସ୍ତବରେ କହିବାକୁ ହେବଯେ, ଓଡ଼ିଶାର ଯେଉଁ ଭାବୁକ ବା ଲେଖକ ଚିଲିକାର  ଏ ସୌନ୍ଦର୍ଯ୍ୟ ଦେଖି ନାହାନ୍ତି,  ତାହାଙ୍କ ଜୀବନରେ ଗୋଟିଏ ପ୍ରଧାନ ଅଭାବ ଚିଲିକା ଦେଖିବା ରହିଛି ବୋଲି ସ୍ପଷ୍ଟ କହିପାରୁଁ । ଇଟାଲିର 'ଭେନୀସ୍' ସହର ସମ୍ବନ୍ଧରେ ଇଂରାଜୀରେ ଲେଖାଅଛି । "ସି ଭେନୀସ୍ ଆଣ୍ଡ୍ ଡାଏ" ['ଭେନୀସ୍ ଦେଖି ମରିଯାଅ'] ଏ ଦୃଷ୍ଟିରେ ଆମକୁ କହିବାକୁ ହେବ - ଯେଉଁମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରନ୍ତି - ସେମାନେ ଜୀବନରେ ଥରେହେଲେ ଚିଲିକା ଦେଖନ୍ତୁ ।  ନଚେତ ସେମାନଙ୍କର ଏ ଅଭାବଟି ଅପୂର୍ଣ୍ଣ ରହିବ ମାତ୍ର । 

 ସୌନ୍ଦର୍ଯ୍ୟ ବର୍ଣ୍ଣନା ନେଇ କବିବର ରାଝାନାଥ ତାଙ୍କର 'ଚିଲିକା' କାବ୍ୟରେ ଲେଖିଛନ୍ତି । 

"ଆହା, ଏ ଶୋଭାର କାହିଁ ପଟାନ୍ତର
ଥିଲେ ଥିବ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର,
ପାଶୋରିବ ଦେଖି, କହ କେହୁଜନ,
ଏ ଶୋକ ପାସୋରା ଅପ୍ସରା ଭୁବନ"

ପୁଣି - କବିବର ଚିନ୍ତାମଣି ମହାନ୍ତି ତାହାଙ୍କର 'ଚିଲିକା ଭ୍ରମଣ' ପୁସ୍ତିକାରେ ଲେଖିଛନ୍ତି :-  "ଚିଲିକାର ପ୍ରାକୃତିକ ଦୃଶ୍ୟ ଅତୀବ ରମଣୀୟ ଓ ବିଚିତ୍ର ଅଟେ, ତାହାର ନିତ୍ୟ ନୂତନ ବେଶ ଦେଖି ଦର୍ଶକ ମାତ୍ରକେ ମୁଗ୍ଧ ନହୋଇ ରହିପାରିବ ନାହିଁ, ଚିଲିକାର ଦୃଶ୍ୟ କେବଳ ନିତ୍ୟ ନୂତନ ନୁହେ, ତାହା କ୍ଷଣ ନୂତନ ମଧ୍ୟ ଅଟେ, ତାହା କେବଳ ଅନୁଭବିର ଅନୁଭବ୍ୟ ସୁତରାଂ ବର୍ଣ୍ଣନାତୀତ ।"

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।