Monday, October 08, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଅଞ୍ଜୁ ମଞ୍ଜୁ ସଞ୍ଜୁ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଞ୍ଜୁ ମଞ୍ଜୁ ସଞ୍ଜୁ
କାକୁଡ଼ି ହେଲା କଞ୍ଜୁ,
ସଞ୍ଜୁକୁ ହେଲା ଜର,
ତା' ଭଉଣୀ ବାହା ହେଲା
ଚେପ୍‌ଟାନାକିଆ ବର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

ପିଲାଙ୍କ ଖେଳ କଉତୁକ ଗୀତ - 'ଅଲ୍ ମଲ୍'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଲ୍ ମଲ୍ ଢିଙ୍କି ଡଲ୍
ବେଙ୍ଗ ବଜାଏ ଢୋଲ
କିସ୍‌କା ନଗର କହିଯାଇଚି
ଏଇ ପିଲାଟି ଚୋର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Sunday, October 07, 2018

ପିଲାଙ୍କ ପାଇଁ କବିତା - 'ବିଲାତୀ ଜନ୍ତୁ'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ହୋ ହୋ ହୋଇ ହସୁଛି ହାଇନା
କୁକୁର ଧକାଏ ଥକି,
ଜେବ୍ରା ଚାଲୁଛି ସହର ଛକରେ
ପଟା ପଟା ଦାଗ ଦେଖି ।

ବିଲେଇ ଯାଉଛି ଚୋରି କରିବାକୁ
ଠେକୁଆ ମାରିଲା ମୁଥି,
କୋକିଶିଆଳୀର ତାକ୍‌ଧିନ୍ ଦେଖି
ହେଟାବାଘ ଦେଲା ସିଟି ।

କୁମ୍ଭୀର କାନ୍ଦୁଛି ସକ ସକ ହୋଇ
ଆଖିରେ ଆଖିଏ ଲୁହ,
ଦି ହାତରେ ଭାଲୁ ଜାବୁଡ଼ି ଧରିଛି
କେମିତି ଖସିବ କହ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ପିଲାଙ୍କ ପାଇଁ କବିତା - 'ଅର୍ଦ୍ଧବିରାମ'

କବି - ଜଗନ୍ନାଥ ପ୍ରସାଦ ଦାସ


ଆଲିଏନିଜ୍ ଭାଷାର ଲିପି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବନ୍ଧନୀର ବାହୁ ପାଶେ ବନ୍ଦ ରହି କବି
ଡାକୁଥିଲା ତ୍ରାହି ତ୍ରାହି କେବେ ମୁକୁଳିବି ।

ଛାଡ଼ ପାଇ ଲେଖି ବସେ ଅତି ସରାଗରେ
ଅକ୍ଷରକୁ ରଖେ ନେଇ ଅକ୍ଷର ଆଗରେ ।

ଶବ୍ଦରେ ଆହୁରି ଶବ୍ଦ ଆଦରେ ସଜାଡ଼ି
ଚାଲିଥାଏ ସବୁ ଠିକ, ଧାଡ଼ି ପରେ ଧାଡ଼ି ।

ହଠାତ୍ କୁଆଡ଼େ ମନ ଚାଲିଗଲା ଭାସି
କଲମ ଅଟକି ଗଲା କମା ପାଖେ ଆସି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Wednesday, October 03, 2018

ପିଲାଙ୍କ ପାଇଁ କବିତା - 'ଶଠେ ଶାଠ୍ୟମ୍'

କବି - ଜଗନ୍ନାଥ ପ୍ରସାଦ ଦାସ


ଚିତ୍ରକର - ଗାଙ୍କୁ କିଶି (୧୭୪୯-୧୮୩୮)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୀର୍ଘ ଦିନ ଅକର୍ମଣ୍ୟ ଅସହାୟ ଭୋକରେ ଉଚ୍ଚାଟ
ନଖ ଦନ୍ତ ହୀନ ବ୍ୟାଘ୍ର ବସିଥିଲା ତଡ଼ାଗର ତଟ ।

ଡାକୁଥିଲା ପଥିକଙ୍କୁ ହାତେ ଧରି ସୁବର୍ଣ୍ଣ କଙ୍କଣ
ପହଞ୍ଚିଲା ତା' ପାଖରେ ଅବିଳମ୍ବେ ଲୁବ୍ଧକ ବ୍ରାହ୍ମଣ ।

ଲଗାଇଲା ନିଶ୍ଚେତକ ଶାର୍ଦ୍ଦୁଳକୁ କରିଲା କବଳ
ବ୍ୟାଘ୍ର ଚର୍ମ ପାଇବାର ଏହା ଥିଲା ସହଜ କୌଶଳ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Tuesday, October 02, 2018

ଚରିତ୍ରଂ ହି ପରଂ ବଳଂ” - ୧୧


ଗୋପବନ୍ଧୁ ଦାସ

ସପ୍ତମ ଦିବସକୁ ଆଶୀର୍ବାଦରତ ଈଶ୍ୱରଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)
ଚିତ୍ରକର - ୱିଲିଅମ ବ୍ଲେକ୍ (୧୭୫୭-୧୮୨୭)


ଅନନ୍ତ ବିଶ୍ୱ ଇଚ୍ଛାମୟଙ୍କର ଅନନ୍ତ ଲୀଳା । ଏହା ପ୍ରେମପୂର୍ଣ୍ଣ । ସେହି ପ୍ରେମରୁ ତିଳେ ଲଭି ମାନବର ଆତ୍ମା ଜୀବିତ । ମାନବ ସେ ପ୍ରେମ ବିଶ୍ୱରେ ଦେଖେ ଏବଂ ଅନୁକରଣ କରେ । ସେଥିରେ ହିଁ ସମାଜ, ଜାତି, ପରିବାର ପ୍ରଭୃତିରେ ସେ ଆତ୍ମାକୁ ବିସ୍ତୀର୍ଣ୍ଣ ଦେଖେ । ବିଧାତାଙ୍କର ଅନନ୍ତ କରୁଣା ଅନୁକରଣ କରି ସେ ଜୀବନରେ ଦୟା କରେ । 

ତୁମ୍ଭେ ବଡ଼ ହେଲେ ବୁଝିବ, ବର୍ତ୍ତମାନ ହୁଏତ ଜାଣିଥିବ, ତୁମ୍ଭେ ଭଲ ମନୁଷ୍ୟ ହୋଇ ସମାଜ ଓ ଜାତିରେ ନିଜର କ୍ରିୟା ସ୍ଥିର କଲ। ପରେ ମଧ୍ୟ ଅନୁଭବ କରିବ, ତଥାପି କି ଏକ ଅଭାବ ଯେପରି ପ୍ରାଣରେ ରହିଗଲା । ସେହି ଅଭାବର ଜ୍ଞାନ ମାନବ ପ୍ରାଣରେ ନିତ୍ୟ ଏବଂ ସେହି ସୂତ୍ରରେ ସେ ଦେବତା ହେବାକୁ ପାଏ । ବିଶ୍ୱତନ୍ତ୍ରରେ ମିଶି ଯିବାକୁ ଆକାଂକ୍ଷା ରଖେ ।

ଆପାତ ପ୍ରବୃତ୍ତି ଚରିତାର୍ଥ କରି ସେ ଯେଉଁ ସୁଖ ପାଏ, ଚରିତ୍ର ଗଠିତ ହୋଇ ଉଠିଲେ ସେ ସେଥିରେ ଆଉ ପ୍ରୀତି ପାଏ ନାହିଁ । ସେ ବୋଧ କରେ, ଯେପରି କି ଏକ ଅଭୁତ ଶାନ୍ତି ଓ ଦିବ୍ୟ ଆନନ୍ଦର ଅପେକ୍ଷାରେ ତାହାର ଆତ୍ମା ଉନ୍ମୃକ୍ତ ରହି ଅଛି । ପ୍ରାଣ ଫେଡ଼ି ଦେଖି ପାରିଲେ, ସମସ୍ତେ ବୁଝିବେ ସତ୍ୟ କହିବା, ସତ୍ କାର୍ଯ୍ୟ କରିବା, ପର ପାଇଁ ପ୍ରାଣ ଦେବା, ଜୀବନକୁ ଉପଯୋଗୀ କରିବା, ପ୍ରଭୃତି, ସବୁଥିରେ ମାନବର ସେହି ଅନନ୍ତ ଶାଶ୍ୱତ ଶାନ୍ତି ଓ ଆନନ୍ଦ ଲାଭର ଉଦ୍ୟମ । 

ଆତ୍ମା ସର୍ବଦା ସେ ଶାନ୍ତିର ଆରାମ ଲୋଡ଼ୁ ଅଛି । ସେହି ଆନନ୍ଦ ପାଇଲେ ବୋଲି କର୍ମ କରୁଅଛି । ଅନନ୍ତ ବିଚିତ୍ର ବିଶ୍ୱରେ ବିଧାତାଙ୍କୁ ଦେଖି ବିଧାତାଙ୍କ ସଙ୍ଗେ ଏକ ହୋଇ ଯିବାକୁ ଯେପରି କି ବିଚାରୁଛି । ସେହି ଶାନ୍ତି, ସେହି ଆନନ୍ଦ ପାଇବା ପାଇଁ ଯୋଗୀମାନେ ଚିରତପସ୍ୟା କରନ୍ତି । ସେଥିପାଇଁ ମନୁଷ୍ୟ ଭଲ ମନୁଷ୍ୟ ହୁଏ । ଶେଷରେ ସେହି ଭଲ ମନୁଷ୍ୟତା ହିଁ ଜୀବନର ଉଦ୍ଦେଶ୍ୟ ତାହାରି ନାମ ମୁକ୍ତି । ତାହା ହିଁ ପ୍ରତ୍ୟେକ ମାନବର ଚରମ ଲକ୍ଷ୍ୟ । ଏ ଉଦ୍ଦେଶ୍ୟ ଥରେ ହସ୍ତଗତ ହେଲେ, ଏ ଚରିତ୍ର ଥରେ ସ୍ଥିର ହେଲେ, ଇଚ୍ଛା ଆଉ ଅନ୍ୟ ଦିଗରେ ଯାଏ ନାହିଁ । ମାନବ ନିର୍ବିକଳ୍ପରେ କର୍ମ କରିଯାଏ, ଫଳାଫଳ କଥା ଭାବେ ନାହିଁ । ସେତିକି ବେଳେ ସେ ହୃଦୟ ଖୋଲି କହି ପାରେ ।

ତ୍ୱୟା ହୃଷୀକେଶ ହୃଦିସ୍ଥିତେନ
ଯଥା ନିୟୁକ୍ତୋସ୍ମି ତଥା କରୋମି।”
ଅର୍ଥାତ୍ 
"ହେ ଅନ୍ତଯାର୍ମୀ ବିଧାତା ତୁମ୍ଭେ ମୋର ଜୀବନର ଉଦ୍ଦେଶ୍ୟ ଓ ଆଦର୍ଶ । 
ତୁମ୍ଭେ ଯାହା କରାଉଛ, ମୁଁ ତାହା ହିଁ କରୁ ଅଛି ।"

ବାସ୍ତବିକ ଏ ଆଦର୍ଶ ଜୀବନରେ ଥରେ ସ୍ଥିର ହେଲେ ସତ୍ୟ ବୋଲ, ସତ୍‌କାର୍ଯ୍ୟ ବୋଲ, ଦୟା ବୋଲ, ମୈତ୍ରୀ ବୋଲ, ସବୁ ନିଜେ ନିଜ ଚରିତ୍ରର ଅଙ୍ଗ ହୋଇ ଯିବ । ଆଉ ଆୟାସ ନାହିଁ, ସମସ୍ତ ଆୟାସ ଆନନ୍ଦରେ ସ୍ଥିର ହେବ । ପ୍ରାଣରେ ଅନନ୍ତ ବିଭୁପ୍ରେମ ବିକଶିତ ହେବ ଓ ମାନବ ସଚ୍ଚିଦାନନ୍ଦର ପୁଣ୍ୟ ଅନୁଭବରେ ବିହ୍ୱଳ ହେବ । ମନେ ରଖ, ଚରିତ୍ର ହିଁ ଏ ସମସ୍ତର ପୀଠ । ତେଣୁ ଚରିତ୍ର ହିଁ ମାନବର ସର୍ବସ୍ୱ, ମାନବର ମାନବତ୍ୱ ଓ ଦେବତ୍ୱ । ଏହି ଚରିତ୍ର ହିଁ ମାନବର ସମ୍ୱଳ ଓ ପରମ ବଳ ।

ବି. ଦ୍ର. - ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ, ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭, ମସିହାରେ ଛପାଯାଇଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ ।

Monday, October 01, 2018

ଚରିତ୍ରଂ ହି ପରଂ ବଳଂ” - ୧୦

ଗୋପବନ୍ଧୁ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏତିକିରେ ତୁମ୍ଭ ସଙ୍ଗେ ଆଜିର କଥା ଶେଷ ହୁଅନ୍ତା । କିନ୍ତୁ ଯେଉଁ ମାନ ଲାଗି ମନୁଷ୍ୟ ଏତେ ବଡ଼, ସେହି ମନ ସମ୍ୱନ୍ଧରେ ଦୁଇଟି ଗୋଟିଏ କଥା ଏଠାରେ କହିବି । ସେଥିରେ ତୁମ୍ଭ ଜୀବନର ଉଦ୍ଦେଶ୍ୟ ଓ ଚରିତ୍ରର ନିଗୂଢ଼ କଥା ଅଛି । ତୁମ୍ଭେମାନେ ସମସ୍ତେ ହୁଏତ ଏଠାରେ ତାହା ଭଲ ବୁଝି ପାରିବ ନାହିଁ । ତଥାପି ଶୁଣି ରଖ । ମନ କି ବ୍ୟସ୍ତ ତାହା ବର୍ଣ୍ଣନା କରି ପାରିବା କଠିନ । 

କିନ୍ତୁ ମନୁଷ୍ୟ ଯେତେ ଦୂର ଆଲୋଚନା କରି ପାରେ, ସେଥିରେ ମନ ଭିତରେ ତିନୋଟି ବିଭିନ୍ନ ବିଭାବ ଲକ୍ଷ୍ୟ କରା ଯାଇ ପାରେ । ସେଥି ମଧ୍ୟରୁ ଗୋଟିଏ ଅନୁଭବ, ଅପରଟି ଜ୍ଞାନ, ତୃତୀୟଟି ଇଚ୍ଛା; ଏ ତିନୋଟି ବିଭାବ ମନରେ କେହି କାହାକୁ ଛାଡ଼ି ଏକାକୀ ଦେଖା ଦିଅନ୍ତି ନାହିଁ ।  କିନ୍ତୁ ବେଳେବେଳେ ଗୋଟିଏକର ପ୍ରାଧାନ୍ୟ ଥାଏ । 

ଅନୁଭବରେ ଜ୍ଞାନ ଅଛି ଓ ଇଚ୍ଛା ସେଥିରେ ବାହାରେ । ଜ୍ଞାନରେ ଅନୁଭବ ଅଛି ଏବଂ ଇଚ୍ଛାର ମଧ୍ୟ ସେହିଠାରେ ଉଦ୍ରେକ । ଇଚ୍ଛାରେ ଅନୁଭବ ଓ ଜ୍ଞାନ ରହି ଅଛି । ଅଭାବରୁ ଇଚ୍ଛା  ହୁଏ । ଅଭାବ ଗୋଟିଏ ଅନୁଭବ । ସେ ଅନୁଭବର ଜ୍ଞାନ ହେଲେ ଇଚ୍ଛା ଜାତ ହୁଏ । ଅର୍ଥାତ୍, ଆମ୍ଭେ ଅଭାବ ଦୂର କରିବାକୁ ଯାଉ । ଗୋଟିଏ ପୋକକୁ ଛୁଇଁ ଦେଲେ ସେ ସଙ୍କୁଚିତ ହୁଏ । ପ୍ରଥମେ ତାହାର ସ୍ପର୍ଶ ଅନୁଭବତତ୍‌ପରେ ଅନ୍ୟ ବସ୍ତୁ ସମ୍ପର୍କର ଜ୍ଞାନ ଓ ପରେ ଇଚ୍ଛା ଏବଂ ଫଳରେ ଶରୀର ସଙ୍କୋଚ ରୂପ କ୍ରିୟା । ଇତର ପ୍ରାଣୀମାନଙ୍କ ମଧ୍ୟରେ ଏ ତିନୋଟିର କ୍ରମ ଏହିପରି ଦେଖା ଯାଏ । ମାତ୍ର ବୁଝିବାକୁ ହେବ, ଏ ଚିନୋଟି ମଧ୍ୟରୁ କେବଳ ଇଚ୍ଛାରେ ମନ ସ୍ପଷ୍ଟତଃ କ୍ରିୟାବାନ୍ ଜ୍ଞାନରେ ତାଦୃଶ ନୁହେଁ, ଅନୁଭବରେ ଆଦୌ ନୁହେଁ। 

ଗୋଟିଏ ସୁନ୍ଦର ଘୋର ମହୀୟାନ ବସ୍ତୁ ବା ଦୃଶ୍ୟ ଦେଖିଲେ ମନ ଅନୁଭୂତିରେ ଅଭିଭୂତ ହୁଏ । ସେଠାରେ ମନ କିଛି କାର୍ଯ୍ୟ କରେ ନାହିଁ । ଯେଉଁ ସୌନ୍ଦର୍ଯ୍ୟରେ ମନ ଅଭିଭୂତ ହୁଏ, ସେହି ସୌନ୍ଦର୍ଯ୍ୟ ମନ ଉପରେ ପଡ଼ି ଥାଏ । ମନ ନିର୍ଦ୍ଧିଷ୍ଟ ହୋଇ ସେଥିରେ ବିହ୍ୱଳ ହୁଏ । ତତ୍ପରେ ବସ୍ତୁଟିର ଯେଉଁ ଜ୍ଞାନ ହୁଏ, ସେଥିରେ ମନର କ୍ରିୟା ସାମାନ୍ୟ ମାତ୍ର ଦେଖା ଯାଏ । ମନ ତାହା ଜାଣେ । ପରେ ହୁଏତ ବସ୍ତୁଟିକୁ ପୁନଃ ପୁନଃ ଦେଖିବାକୁ ଇଚ୍ଛା ହୁଏ । ଏହିଠାରେ ମନ ସ୍ପଷ୍ଟତଃ ଓ ସମ୍ପୂର୍ଣ୍ଣ ।

ଏହି ଇଚ୍ଛାର କ୍ରିୟା ହିଁ ମନର ଉନ୍ନତତମ ବିକାଶ ଓ ମହାଶକ୍ତି । ଏହା ହିଁ ଜଗତରେ ଏକମାତ୍ର ଶକ୍ତି । ଏହି ଇଚ୍ଛାରୁ ହିଁ ମାନବର ମାନସ ବିକାଶ ହୁଏ । ଟିକିଏ ଭିତରକୁ ପଶି ଦେଖିଲେ ଦେଖା ଯିବ, ସମସ୍ତ ଜଗତ ମଧ୍ୟ ଗୋଟିଏ ଅନନ୍ତ ଇଚ୍ଛା ଶକ୍ତିର ବିକାଶ । ସେଥି ପାଇଁ ଭଗବାନ ଅନନ୍ତ ଇଚ୍ଛାମୟ ବୋଲି କଥିତ ହୁଅନ୍ତି । ଅନନ୍ତ ସୃଷ୍ଟିର କର୍ମରେ ଚଳୁ ଅଛି । ସୃଷ୍ଟି ଗୋଟିଏ ଅନନ୍ତ କ୍ରିୟା । ଏହା ବିଧାତାଙ୍କ ଇଚ୍ଛା ଅବତାର । ଏହି ଇଚ୍ଛାରୁ ଅନନ୍ତ ଜ୍ଞାନ ଓ ଅନନ୍ତ ଅନୁଭାବର ଉଦ୍‌ଭବ । 

ସୂର୍ଯ୍ୟ କିରଣ ଦେବେ, ଜଗତ ଜାଗିବ, ବର୍ଷା ଆସିବ, ଶସ୍ୟ ହେବ । ବସନ୍ତ ଆସିବ, ଫୁଲ ଫୁଟିବ । ଏହି ଭଳି ସଂସାରର ଯାବତୀୟ କ୍ରିୟା କାହାର ଇଚ୍ଛାରେ ଯେପରି କି ନିତ୍ୟନିୟତ ବର୍ମରେ ଚାଲି ଅଛି । ସୂର୍ଯ୍ୟ ସୃଷ୍ଟିରେ ଭାତି ଉଠିଲା । କାହାର ମଙ୍ଗଳମୟ ଇଚ୍ଛା ଯେପରି କି କାର୍ଯ୍ୟରେ ପ୍ରକାଶିତ ହେଲା । ଏହି ପରି ଅନନ୍ତ ସର୍ଗ ଗୋଟିଏ ଅନନ୍ତ ଇଚ୍ଛାର ସ୍ୱଭାବ ବିକାଶ । ସେ ଇଚ୍ଛା ଯେପରି କି ମହା ଆଦର୍ଶର ନିୟତ ପଥରେ ସର୍ବଦା ଚାଲି ଅଛି । ଜଗତରେ ଯାହା ଅଛି, ଅର୍ଥାତ ଯାହା ସତ୍, ତାହା ସେହି ଇଚ୍ଛା । ସେହି କେବଳ ସୃଷ୍ଟିର ମୂଳାଧାର । ସେହି ବିଧାତା ।

ଅନନ୍ତ ଇଚ୍ଛାର ବିକାଶ ଏହି ସୃଷ୍ଟି ପୁଣି ଜ୍ଞାନମୟ । ସୃଷ୍ଟିରେ ସବୁ ଯେପରି କି ଏକ ଆଦର୍ଶରେ ଚାଲି ଅଛି । ଗ୍ରହମାନେ ଯେଝାବାଟେ ନିୟମରେ ଚାଲନ୍ତି । କେହି କାହାର ସଙ୍ଗେ ବାଜେ ନାହିଁ । ସକାଳ ହେଲେ ସୂର୍ଯ୍ୟ ଯେପରି ଜାଣିଲା ପରି ଆମ୍ଭଙ୍କୁ ଶେଯରୁ ଡ଼ାକି ଉଠାଏ । ଏପରି କି କାଠ ଭିତର ପୋକ ପାଇଁ ମଧ୍ୟ ଖାଇବାକୁ ରଖା ହୋଇ ଥାଏ । ଘାସ ଉପରେ ଯେଉଁ ଝିଣ୍ଟିକାଟି ଅଛି, ଶତୃମାନେ କାଳେ ଜାଣି ତାହାକୁ ଖାଇଯିବେ, ସେଥି ପାଇଁ ତାହାର ରଙ୍ଗ ଘାସ ପରି ଯେପରି କି ଜାଣି କରି କିଏ କରି ଅଛି । ଇତ୍ୟାଦି ଅନନ୍ତ କ୍ରିୟାରେ ଅନନ୍ତ ଉଦ୍ଦେଶ୍ୟର ଅନନ୍ତ ଜ୍ଞାନ ଓ ଅନନ୍ତ ପୁରୋଦୃଷ୍ଟି ପ୍ରକାଶ ପାଉ ଅଛି । ସେହି କ୍ରିୟାମୟ ସତ୍ ପୁଣି ଅନନ୍ତ ଜ୍ଞାନ ବା ଚତ୍ ରୂପରେ ଜଗତରେ ବିଭାସିତ ରହି ଅଛନ୍ତି।

ସେହି ସତ୍ ଚିତ୍‌ର ବିକାଶ ଏହି ସୃଷ୍ଟିରେ ସମସ୍ତେ ନିଜ ନିଜର ମଙ୍ଗଳ ଲାଭ କରୁ ଅଛନ୍ତି । ଫଳରେ ଅନନ୍ତ ଶାନ୍ତି, ଅନନ୍ତ ସାମଞ୍ଜସ୍ୟ ଓ ଅନନ୍ତ ପ୍ରୀତି ସଂସାରରେ ବିରାଜ କରୁ ଅଛି । ସ୍ଥିତିର ପ୍ରେମ ଆନନ୍ଦରେ ଯେପରି କି ଜଗତ୍ ବିହ୍ୱଳ ହୋଇ ସର୍ବଦା ବୁଡ଼ି ରହିଛି । ଏହି ସତ୍‌ଚିଦାନନ୍ଦର ଅନନ୍ତ ବିକାଶରେ ଜଗତର ସ୍ଥିତି । ନିଶ୍ଚଳ, ସବଳ, ଜଡ଼, ଜନ୍ତୁ, ସମସ୍ତେ ଏହି ନିତ୍ୟ ନିୟମରେ ଅଧୀନ । 

ମାତ୍ର ମନେ ରଖ ସେହି ବିଶ୍ୱନିୟମରେ ତୁମ୍ଭର ସ୍ୱତନ୍ତ୍ର ଇଚ୍ଛାର ବିକାଶ । ତୁମ୍ଭ ମନରେ ମଧ୍ୟ ଏହି ବିଶ୍ୱବୀଜ ନିହିତ ଅଛି । ଜନ୍ମ ବେଳୁ ଅନନ୍ତ ପ୍ରବୃତ୍ତିର ଉଦ୍ରେକରେ ତୁମ୍ଭେ ଜୀବନର କ୍ରିୟା-ପରମ୍ପରା ଆରମ୍ଭ କଲ, ହାତ ଗୋଡ଼ ଛାଟିଲ, ଯାହା ଇଚ୍ଛା ତାହା ଖାଇବାକୁ ଧରିବାକୁ ଲାଗିଲ । କ୍ରମେ ଜ୍ଞାନର ବିକାଶ ହେଲା । ତୁମ୍ଭର ଇଚ୍ଛା ତଥା କ୍ରିୟା ଶୃଙ୍ଖଳାରେ ପଡ଼ିଲା । ବିବେଚନା ବଢ଼ିଲା । ତୁମ୍ଭ ଆଗରେ ଜୀବନର ଉଦ୍ଦେଶ୍ୟ ଉନ୍ମୃକ୍ତ ହେଲା । ପୁରୋଦୃଷ୍ଟିରେ ପ୍ରାଣିତ ହୋଇ ତୁମ୍ଭେ ଇଚ୍ଛା ସଂଯତ କଲ । ଚରିତ୍ର ଗଠିତ ହେଲା । 

ଏହି ଚରିତ୍ର ତୁମ୍ଭର ସ୍ଥିର ହେଲେ ତୁମ୍ଭେ ଜୀବନର କର୍ତ୍ତବ୍ୟ ସମାଧାନ କରି ଅନନ୍ତ ଶାନ୍ତି ଓ ଆନନ୍ଦ ପାଇବ । ତୁମ୍ଭର ଇଚ୍ଛା, ଜ୍ଞାନ ଓ କର୍ମ ଏକ ହୋଇ ଯିବ । ତୁମ୍ଭେ ଜୀବନର ଆନନ୍ଦରେ ବିହ୍ୱଳ ହେବ । ଏକ କଥାରେ କହିଲେ, ତୁମ୍ଭେ ସଚ୍ଚିଦାନମୟ ହେବ । ତୁମ୍ଭେ ମନୁଷ୍ୟ, ଏ ଅଧିକାର ତୁମ୍ଭର ଅଛି । ଚରିତ୍ର ଗଠନରେ ହିଁ ତୁମ୍ଭେ ଏ ଅଧିକାର ନିଜର କରିବ ।

ବି.ଦ୍ର.ଏହି ଲେଖାଟି ସତ୍ୟବାଦୀ ପତ୍ରିକାର ୨ୟ ଖଣ୍ଡରେ୮ମରୁ ୧୨ଶ ସଙ୍ଖ୍ୟାଗୁଡ଼ିକରେ, ୧୯୧୭ମସିହାରେ ଛପା ଯାଇ ଥିଲା । ଏହା ମୂଳତଃ ସତ୍ୟବାଦୀ ବିଦ୍ୟାଳୟର କେତେକ ଉଚ୍ଚ ଶ୍ରେଣୀର ଛାତ୍ରଙ୍କୁ କୁହାଯାଇଥିବା ଉପଦେଶରୁ ସଙ୍ଗୃହିତ