Friday, March 31, 2017

ସୂର୍ଯ୍ୟ 


ଫକୀର ମୋହନ ସେନାପତି


ତ୍ରୁନ୍ଧୋଲ୍ମ ସୂର୍ଯ୍ୟରଥ (ଦିନାମାର ଦେଶ, ୧୩୫୦ ଖ୍ରୀଷ୍ଟପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସୂର୍ଯ୍ୟ ଏକ ମହାଗ୍ରହ । ଏହି ମହାଗ୍ରହ ଯେଉଁ ଜଗତର କେନ୍ଦ୍ର, ତାହାକୁ ସୌରଜଗତ ବୋଲି । ଆମ୍ଭମାନଙ୍କର ବାସଭୂମି ଏହି ପୃଥିବୀ ସୌରଜଗତର ଅନ୍ତର୍ଭୁକ୍ତ । ଆମ୍ଭେମାନେ ସୂର୍ଯ୍ୟଠାରୁ ତେଜ ଓ ଆଲୋକ ପ୍ରାପ୍ତ ହୋଇ ପ୍ରାଣଧାରଣ କରୁଅଛୁଁ । ଗ୍ରହ, ଉପଗ୍ରହ, ଧୂମକେତୁ ଓ ଉଲ୍କାପିଣ୍ଡ ନାମରେ ଅନେକ ଜ୍ୟୋତିଷ୍କ ଅନୁକ୍ଷଣ ସୂର୍ଯ୍ୟମଣ୍ଡଳକୁ ପ୍ରଦକ୍ଷିଣ କରୁଛନ୍ତି ଏବଂ ଅନନ୍ତ ଆକାଶରେ ସୂର୍ଯ୍ୟାକର୍ଷଣରେ ରକ୍ଷିତ ହୋଇ ଅଛନ୍ତି । ଯେଉଁ ସକଳ ଜ୍ୟୋତିଷ୍କ କେବଳ ସୂର୍ଯ୍ୟକୁ ପ୍ରଦକ୍ଷିଣ କରନ୍ତି ସେମାନଙ୍କୁ ଗ୍ରହ ଓ ଯେଉଁ ଜ୍ୟୋତିଷ୍କମାନେ କୌଣସି ଗ୍ରହକୁ ପ୍ରଦକ୍ଷିଣ କରନ୍ତି ସେମାନଙ୍କୁ ଉପଗ୍ରହ ବୋଲି । ଆଉ ଗୃହମାର୍ଜନୀ ପହଁରା ସଦୃଶ ଯେଉଁ ଜ୍ୟୋତିଷ୍କ ସୂର୍ଯ୍ୟକୁ ପ୍ରଦକ୍ଷିଣ କରେ, ତାହାର ନାମ ଧୂମକେତୁ ।

ଉଲ୍କାପିଣ୍ଡମାନ କେତେକ ଭଗ୍ନ ଗ୍ରହ, ସେମାନ ସୂର୍ଯ୍ୟ ଚାରିଆଡ଼େ ଭ୍ରମଣ କରୁଁ କରୁଁ ଯେଉଁ ଗ୍ରହର ନିକଟବର୍ତ୍ତୀ ହୁଏ, ସେଥିରେ ଆକୃଷ୍ଟ ହୋଇ ପଡ଼ିଯାଏ ।

ସୂର୍ଯ୍ୟର ଆକାର ଗୋଲ, ଉତ୍ତର ଦକ୍ଷିଣରେ କିଞ୍ଚିତ୍ ଚେପା । ସୂର୍ଯ୍ୟର ବ୍ୟାସ ପ୍ରାୟ ୪୪୩୫୦୦  କୋଶ । ୨୫ ଦିନ ୮ ଘଣ୍ଟା ୯ ମିନିଟ୍ ରେ ଏ ଥରେ ସ୍ୱକୀୟ ନାଭିକୁ ବେଷ୍ଟନ କରଇ । ପୃଥିବୀଠାରୁ ସୂର୍ଯ୍ୟ ୪୭୫୦୦୦୦୦ କ୍ରୋଶ ଦୂରରେ ଅବସ୍ଥିତ ଏବଂ ପୃଥିବୀଠାରୁ ୧୩୮୪୪୭୨ ଗୁଣ ବଡ଼ ଅଟେ । ସବୁ ଗ୍ରହକୁ ଠୁଳକଲେ ଯେତେ ହେବ ସୂର୍ଯ୍ୟ ତାହାଠାରୁ ୮୩୮ ଗୁଣ ବଡ଼ ।

ସୂର୍ଯ୍ୟରୁ ଯେ ପ୍ରଖର ତେଜ ଆସଇ ତାହା ତାହାର ନିଜ ଅଙ୍ଗଜାତ ନୁହଇ, ସୂର୍ଯ୍ୟର ଚତୁର୍ଦିଗରେ ଏକ ପ୍ରକାର ତେଜୋମୟ ବାୟୁରାଶି ଅଛି; ସେହି ବାୟୁ ରାଶିରୁ ଜ୍ୟୋତିଃ ଆସି ପୃଥିବ୍ୟାଦି ଗ୍ରହରେ ପତିତ ହୁଅଇ । ଗ୍ରହମାନେ ନିଜ କକ୍ଷରେ ଭ୍ରମଣ କରୁଁ କରୁଁ ଯେଉଁ ଗ୍ରହର ଯେଉଁ ପାର୍ଶ୍ୱ ସୂର୍ଯ୍ୟଆଡ଼କୁ ପଡ଼ଇ ସେ ପାର୍ଶ୍ୱ ଆଲୋକିତ ଓ ତାହାର ବିପରୀତ ପାର୍ଶ୍ୱ ଅନ୍ଧକାର ବିଶିଷ୍ଟ ହୋଇଥାଏ ।

ସୂର୍ଯ୍ୟାଲୋକରେ ଅବଶ୍ୟ ଜୀବମାନେ ବାସ କରୁଅଛନ୍ତି । ଆମ୍ଭେମାନେ ସୂର୍ଯ୍ୟଠାରୁ କିଛି କମ ପାଞ୍ଚକୋଟୀ କ୍ରୋଶ ଦୂରରେ ରହି ତହିଁରୁ ଆସୁଥିବା କିରଣ ସହିପାରୁନାହୁଁ, ତେବେ କିପରି ସେ ଜୀବମାନେ ସେ ଅସହନୀୟ ତେଜ ସହିପାରୁଅଛନ୍ତି ? ଏଥିରେ ସନ୍ଦେହ କରିବା ବୃଥା । ପରମ ବିଜ୍ଞାନବିତ୍ ପରମେଶ୍ୱର ସେଠା ଜୀବମାନଙ୍କୁ ଏଭଳି ଅଙ୍ଗବିଶିଷ୍ଟ କରି ନିର୍ମାଣ କରିଅଛନ୍ତି ଯେ ସେମାନଙ୍କର ସେ ମହାତେଜ ନିକଟରେ ଥିବା ଯୋଗୁଁ କୌଣସି କଷ୍ଟ ଅନୁଭବ ହେଉନାହିଁ ।

ସୂର୍ଯ୍ୟ ଏକଠାବରେ ସ୍ଥିର ନୁହଇ । ଗ୍ରହ ଉପଗ୍ରହାଦି ଘେନି ନିୟତ ଆକାଶ ପଥରେ ଧାବିତ ହେଉଅଛି; ତେଣୁ ଶନି, ବୁଧ, ବୃହଷ୍ପତି, ଶୁକ୍ର, ପୃଥିବୀ ଓ ମଙ୍ଗଳାଦି ଗ୍ରହମାନଙ୍କର ସୂର୍ଯ୍ୟଠାରୁ ଯେଉଁ ଦୂରତା ତାହାର ଯେ କୌଣସି ଉଣା ଅଧିକ ହେଉଅଛି ଏମନ୍ତ ନୁହଇ, ସଦା ଏକଭାବରେ ରହିଅଛି ।      

Saturday, March 25, 2017

ପିଲାଙ୍କ ପାଇଁ କବିତା - 'ଭାଗୀରଥି ଭାଇନା'


କବି - ଜଗନ୍ନାଥ ପ୍ରସାଦ ଦାସ 



ଫ୍ରାନ୍ସ୍ ର ଶଭେତ ଗୁମ୍ଫାରେ ହାଇନାର ଚିତ୍ର (୩୦, ୦୦୦ ଖ୍ରୀଷ୍ଟ ପୂର୍ବ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭୀମଖୋଲର ଭାଗୀରଥି ଭାଇନା
ବାହାରିଥିଲେ ଯିବେ ବୋଲି ଚାଇନା
ପାଇଲେ ନାହିଁ ଭିସା
ତଥାପି ବୁଲା ନିଶା
'ଜୁ'ରେ ଯାଇ ଦେଖି ଆସିଲେ ହାଇନା ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Thursday, March 16, 2017

ଆମେ ଯେଉଁ ଚା ପିଉ


ଗୋପୀନାଥ ମହାନ୍ତି


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅନେକ ଲୋକ ସକାଳୁ ଉଠି ଚା ପିଅନ୍ତି । କାଉ କା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଚା ପିଇବା ଦରକାର । ବିଲାତ ପ୍ରଭୃତି ଥଣ୍ଡା ଦେଶରେ ଚା ପିଇଲେ ଦେହ ଗରମ ରହେ । ଥଣ୍ଡା ପଡ଼ିଲେ ଚା ପିଇବା ଭଲ । ବେଶି ଚା ପିଇଲେ ତହିଁରେ ଯେଉଁ ଟାନିନ୍ ବିଷ ଥାଏ, ତଦ୍ୱାରା ଅପକାର ହୁଏ, ଭୋକ ମରିଯାଏ, ପେଟ ଫାମ୍ପେ, କଫ ହୁଏ, ଦେହ ଶୁଖିଯାଏ । ଚା ପିଇଲେ ଝୁଙ୍କରେ କାମ କରିହୁଏ । ପଖାଳ ତୋରାଣି ପିଇଲେ ତହିଁରେ ନିଦ ମାଡେ଼ । କାରଣ ତହିଁରେ ସାମାନ୍ୟ ଭାତ ଉକୁଟି ଯାଇ ସାମାନ୍ୟ ମଦ ହୋଇଯାଇଥାଏ ।

ଇଂରେଜମାନେ ଆସିବା ସଙ୍ଗେ ଭାରତ ବର୍ଷର ଲୋକେ ଚା ପିଇ ଶିଖିଲେ । ପୂର୍ବେ ଚିନ୍ ଦେଶରେ ଲୋକେ ଚା ପିଉଥିଲେ । ଅତି ପୂର୍ବେ ସେମାନେ ଚା ପତ୍ରକୁ ସାଗ ପରି ଖାଉଥିଲେ, ପାଣିକୁ ଫୋପାଡ଼ି ଦେଉଥିଲେ । ଚା ଗୋଟିଏ ଚିନ୍ ଶବ୍ଦ ।

ଚା ଗଛ ଆସାମ, ବ୍ରହ୍ମଦେଶ ଓ ଚିନ ଦେଶର ଜଙ୍ଗଲରେ ବଣୁଆ ହୋଇ ବଢ଼ୁଥିଲା । ଏ ଗଛ ପିଜୁଳି ଗଛ ପରି ଉଚ୍ଚ ହେଉଥିଲା । ବର୍ତ୍ତମାନ ରୀତିମତ ଚା ଗଛ କରାଯାଉଛି, ଗଛକୁ କାଟି କାଟି ଛୋଟ କରାଯାଉଛି । ହିମାଳୟ ପର୍ବତର ତଳି ପାହାଡ଼, ଆସାମ, ଦକ୍ଷିଣର ନୀଳଗିରି ପାହାଡ଼ ଓ ସିଂହଳ ଦ୍ୱୀପରେ ବେଶି ଚା ଚାଷ ହୁଏ ।

ଯେଉଁଠି ହାଲୁକା ବାଲିଆ ମାଟି ଥିବ, ପ୍ରଚୁର ବର୍ଷା ହୋଇ ପାଣି ବୋହିଯାଉଥିବ, ବର୍ଷସାରା ପବନରେ ପାଣି ବାମ୍ଫପୁର୍ଣ ରହିଥିବ, ଓଡ଼ିଶାରେ ଦଶହରା ସମୟରେ ଯେତିକି ଗରମ ହୁଏ, ବର୍ଷସାରା ସେତିକି ଗରମ ହେଉଥିବ, ସେପରି ସ୍ଥାନରେ ଚା ଭଲ ହେବ । ଯେଉଁ ଜମିରେ ପୂର୍ବେ ଘର ଥିଲା, ସେଠି ଚା ଉଧାଇବ ନାହିଁ । କାରଣ ସେଠି ମାଟି ବସିଯାଇଥିବ । ପାହାଡ଼ କଡ଼ରେ କ୍ଷେତ କାଟି ସେଠି ଚା ଲଗାଯାଏ । କାରଣ ସେଠି ବର୍ଷାପାଣି ତଳକୁ ଗଡ଼ି ଆସୁଥାଏ; କିନ୍ତୁ ସବୁକଥା ଭଲ ହେଲେ ପାହାଡ଼ ଅପେକ୍ଷା ତଳେ ଚା ଭଲ ହୁଏ ।

ଆସାମ ପ୍ରଦେଶରେ ଗାରୋ, ଖାସି ପ୍ରଭୃତି ପର୍ବତ ଅଛି । ଉପରେ ହିମାଳୟ, ମଝିରେ ନଈ । ପାହାଡ଼ କଡ଼ରେ ଓ ନଈ ଉପତ୍ୟକାରେ ଚା ଚାଷ ହୁଏ । ଆସାମର ଚା ବଗିଚାରେ କାମ କରିବା ପାଇଁ ଓଡ଼ିଶାରୁ ଅଂସଖ୍ୟ ଲୋକ ସେଠାକୁ ଯାଆନ୍ତି, କାରଣ ଦେଶରେ ଖାଇବାକୁ ମିଳେନାହିଁ; ବିଦେଶକୁ ଗଲେ ମୂଲ ଲାଗି ବଞ୍ଚିବେ ।

ଯେଉଁ ଗଛରୁ ମଞ୍ଜି ନିଆଯାଏ, ତାକୁ ସେହିପରି ଛାଡ଼ି ଦିଅନ୍ତି । ସେ ତିରିଶ ଚାଳିଶ ଫୁଟ ଉଚ୍ଚକୁ ବଢ଼ିଯାଏ । ଦଶହରା ଦେବୀ ପୂଜା ସମୟରେ ଗଛରେ ପହିଲି ମୁଥ ଫୁଲ ଧରେ, ପୁଣି ଆର ମୁଥକ ଫୁଲ ଧରିବା ପାଇଁ ହରିତାଳିକା ପର୍ଯ୍ୟନ୍ତ ଚାଲିଯାଏ । ମଞ୍ଜି ପାଚୁ ପାଚୁ ବରଷେ ଚାଲିଯାଏ । ତା ପରେ ମଞ୍ଜିକୁ ତୋଳି ଲଗାଇବା ପାଇଁ ବିଦେଶକୁ ପଠାଇ ଦିଅନ୍ତି । ମଞ୍ଜି ବେଶି ଦିନ ଘରେ ରହିଗଲେ ଆଉ ଗଛ ହୁଏ ନାହିଁ । ତା ପରେ ମଞ୍ଜି ତଳି ପକାଇବା ପାଇଁ କ୍ଷେତ ତିଆରି ହୁଏ । ତହିଁରେ ଗୋବର ଦେଇ ମାଟିକୁ ଖୁବ ଭଲ କରି ଠିକଣା କରାଯାଏ । ପାଣି ଯିବା ପାଇଁ ସିଅ କାଟି ଦିଆଯାଏ । ଛାଡ଼ି ଛାଡ଼ି ଇଞ୍ଚେ ଲେଖାଏଁ ଗହିରକୁ ମଞ୍ଜି ପୋତି ଦିଅନ୍ତି । ଗଛ ଉଠିବା ମାତ୍ରେ ତା ଉପରେ ମସିଣା ବା ଘାସ ଚେକା ଦେଇ ଛାମୁଡ଼ିଆ ବାନ୍ଧି ଦିଅନ୍ତି । ଛ ମାସ ବା ବର୍ଷକର ଚାରା ହେଲେ ସେଠୁ ଉଠାଇ ନେଇ ଅଲଗା କ୍ଷେତରେ ରୋପି ଦିଅନ୍ତି । ଏ ଜମିକୁ ବଡ଼ ସାବଧାନରେ ତିଆରି କରାଯାଇଥାଏ । ଘାସର ଚେର, ଗଛର ଖୁଣ୍ଟା ଯାହା କିଛି ଥାଏ, ଜମିକୁ ଚାଷ କରିସାରି ସେ ସବୁ ଓପାଡ଼ି ଫୋପାଡ଼ି ଦିଅନ୍ତି । ତା ପରେ ବଡ଼ ବଡ଼ ଗାତ କରି ତହିଁରେ ଚାରା ଗୁଡ଼ିକୁ ମାଟି ମିଶା କରି ଆଣି ପୋତି ଦିଅନ୍ତି । ପରେ ସୁବିଧା ଦେଖି ଖତ, ଗୋବର, ଘର ଅଳିଆ ବା ପିଡ଼ିଆ ସାର ଦିଅନ୍ତି ।

ଗଛ ରୋପିସାରିଲା ପରଠାରୁ କୁଲିମାନଙ୍କର ପରିଶ୍ରମ ବଢେ଼ । କାରଣ ବର୍ଷାରେ କେତେ ଏଣୁ ତେଣୁ ବାଜେ ଗଛ ଆଉ ଘାସ ଉଠେ । ସେ ଗୁଡ଼ାକୁ ଗୋଟି ଗୋଟି କରି ଉପାଡ଼ିବାକୁ ପଡେ଼ । ବେଶି ବର୍ଷା ହେଲେ ବେଶି ଅଗଛିଆ ଉଠେ; ତେଣୁ ପାଣ କାଦୁଅରେ ତିନ୍ତି ବୁଡ଼ି ଆଣ୍ଠେଇ ପଡ଼ି ଖଟିବାକୁ ହୁଏ ।

ଶୀତଦିନ ହୋଇ ଆସିଲେ ଚା ଗଛକୁ ଛାଣ୍ଟି ଦିଆଯାଏ । କାରଣ ଛାଣ୍ଟି ଦେଲେ ଗଛ ଝଙ୍କା ହେବ ଓ ତହିଁରେ ବେଶି ପତ୍ର ହେବ । ଏହି ଛାଣ୍ଟିବା କାମଟି ବଡ଼ କଷ୍ଟ ଓ ଏଥିରେ ଅନେକ ବୁଦ୍ଧି ଦରକାର ପଡେ଼ । ଗଛକୁ ଆଦୌ ଉପରୁକୁ ବଢ଼ିବାକୁ ଦିଆଯାଏ ନାହିଁ । ମାର୍ଚ୍ଚ ମାସ ହୋଇଗଲେ ପତ୍ର ଖୁଣ୍ଟିବା ଆରମ୍ଭ ହୁଏ । କୁଲିମାନେ ପିଠିରେ ଟୋକେଇ ଝୁଲାଇ ଅଗଅଗର କଅଁଳିଆ ପତ୍ର ଖୁଣ୍ଟିବାରେ ଲାଗି ଯାଆନ୍ତି । ଏ କଅଁଳିଆ ପତ୍ର ହିଁ ଭଲ ଚା ହୁଏ । ସ୍ଥାନେ ସ୍ଥାନେ ପାହାଡ଼ ଉପରୁ ତେର୍ଛା ହୋଇ ତଳକୁ ତାର ଟଣା ହୋଇଥାଏ । ଟୋକେଇ ପୂରିଗଲେ ତାକୁ ତାରରେ ଗଳାଇ ଦିଅନ୍ତି । ସେ କାରଖାନାକୁ ସଡ଼୍ ସାଡ଼୍ ଖସିଆସେ ।

କାରଖାନାରେ ପ୍ରଥମେ ପତ୍ରଗୁଡ଼ାକୁ ଦିନ ଗୋଟାଏ ବନ ବାଉଁସ ଡ଼ାଲାରେ ମଉଳିବାକୁ ରଖି ଦିଆଯାଏ । ତା ପରେ ସେଗୁଡ଼ାକୁ ମେସିନ୍ ରେ ପକାଯାଏ । କଳରେ ପତ୍ରଗୁଡ଼ାକ ଚିପି ହୋଇ ଦଳି ହୋଇଯାଏ । ତା ଭିତରୁ ରସ ବାହାରି ଉପରଯାକ ଲାଗିଯାଏ । ଗୋଟିଏ ସନ୍ତସନ୍ତିଆ ଥଣ୍ଡା ଅନ୍ଧାର ଘରେ ଖୁବ ପରିଷ୍କୃତ ପରିଛନ୍ନ କରି ଅନ୍ୟ ଡ଼ାଲା ମାନଙ୍କରେ ପତ୍ରଗୁଡ଼ାକୁ ରଖି ଦିଆଯାଏ । ପ୍ରାୟ ଛ ଘଣ୍ଟା ରଖିବା ଉତାରୁ ପତ୍ରଗୁଡ଼ାକ କସରା ହୋଇଯାଏ । ତହିଁରୁ ଚା ର ବାସ୍ନା ବାହାରେ । 

ଏ ସମୟଟି ଜଗିବାର କଥା । କାରଣ ବେସି ବେଳ ବା ଅଳ୍ପ ବେଳ ହୋଇଗଲେ ଚା ନଷ୍ଟ ହୋଇଯିବ । ତାହା ଉତାରୁ ଏ ଡ଼ାଲା ଭିତରେ ବିଜୁଳି ପଙ୍ଖା ସାହାଯ୍ୟରେ ଖୁବ ଗରମ ପବନ ଫୁଙ୍କା ଯାଇ ପତ୍ରଗୁଡ଼ାକୁ ଶୁଖାଯାଏ । ତହୁଁ ଗୋଟାଏ ମସ୍ତବଡ଼ ଚାଲୁଣିରେ ପୁରାଇ ବଡ଼ ପତ୍ର, ଛୋଟ ପତ୍ର ଓ ଗୁଣ୍ଡିକୁ ଅଲଗା କରାଯାଏ । ତା ପରେ ଶେଷରେ ଥରେ ସେକିଦେଇ ଅନ୍ୟ କୋଠରିକୁ ବନ୍ଦକରିବାପାଇଁ ନିଆଯାଏ । ସେଠି କାଠର ବାକ୍ସ ଭିତରେ ଶିସା ପାତିଆ ଦେଇ ତହିଁରେ ଚା କୁ ବନ୍ଦ କରାଯାଏ । ଯେପରିକି ବାହାର ପବନ ଆଦୌ ପଶି ପାରିବ ନାହିଁ । ପବନ ପଶିଲେ ଚା ଖରାପ ହୋଇଯିବ ।

ଅତଏବ ଆମେ ଯେଉଁ ଚା ଖାଉଛୁ ତହିଁରେ ଏତେ ପରିଶ୍ରମ ଓ ଏତେ ଉପାୟ ହୋଇ ସେ ଆମର ଚା କେଟଲିକୁ ଆସୁଛି । ଗୋଟାଏ କପ ଚାକୁ ଚାରି ପଇସା ଦାମ, ତେଣୁ ବୁଝିପାରୁଛ, ଚା ଗଛ ନୁହେଁ ସେ ଟଙ୍କା ଗଛ । ସେଥିପାଇଁ ଏତେ ଯତ୍ନ ଏତେ ପରିଶ୍ରମ । 

Wednesday, March 15, 2017

ଭିନ୍ନ ଭିନ୍ନ ଦେଶରେ ଲୋକେ କିପରି ମାଛ ମାରନ୍ତି


ଗୋପୀନାଥ ମହାନ୍ତି


ଶ୍ରୀଲଙ୍କାରେ ମାଛଧରା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମାଛ ମଣିଷର ଗୋଟିଏ ପ୍ରଧାନ ଖାଦ୍ୟ । ମନୁଷ୍ୟ ସଭ୍ୟ ହୋଇ ମାଛ ଖାଇବାକୁ ଶିଖିନାହିଁ, ଅତି ପୂର୍ବେ ଯେତେବେଳେ ଅସଭ୍ୟ ଥିଲା ଓ ଯେତେବେଳେ ତାକୁ ନିଜର ଖାଦ୍ୟ ସଙ୍ଗ୍ରହ କରିବାକୁ ପଡ଼ୁଥିଲା, ସେଦିନୁ ମାଛ ଖାଉଛି । ସମୁଦ୍ର ଭିତରେ, ସମୁଦ୍ର କୂଳରେ, ସମୁଦ୍ର ଛାଡ଼ି ନଈ ଓ ପୋଖରିରେ, ସବୁଠାରେ ମାଛ ମରାହୁଅନ୍ତି । ସମୁଦ୍ର ଭିତରେ ଯେଉଁଠି ଭୂଇଁ ବୁଡ଼ିଯାଇ ପାଣି ଭିତରେ ଅଳ୍ପ ଖାଲ ହୋଇଯାଇଛି ଓ ଯେଉଁଠି ଥଣ୍ଡା ସୁଅ ପଡ଼ିଛି ସେଠି ପ୍ରଚୁର ମାଛ ରହନ୍ତି । ଅଗହୀର ପାଣିରେ ସମୁଦ୍ର ଦଳ ହୁଏ, ସେଥିରେ ମାଛ ମାନେ ଡ଼ିମ୍ବ ଦିଅନ୍ତି । ତେଣୁ ଏପରି ସ୍ଥାନରେ ଅନେକ ମାଛ ରୁହନ୍ତି । ଉତ୍ତର ସମୁଦ୍ରରେ ଡ଼ଗର୍ ବ୍ୟାଙ୍କ୍, ନିଉ ଫାଉଣ୍ଡ୍-ଲ୍ୟାଣ୍ଡ୍ ପାଖ ଅଗହୀର ସମୁଦ୍ର, ଏଠି ମାଛର ଖଣି । କଡ୍, ହାଲିବର୍ଟ୍, ହ୍ୟାଡ଼କ୍, ଏହିପରି ଜାତିର ମାଛ ଏଠି ମରନ୍ତି । ସମୁଦ୍ର ସୁଅରେ ଅନେକ ଛୋଟ ଛୋଟ ମାଛ ମେରୁ ପ୍ରଦେଶ ଆଡ଼ୁ ଭାସି ଆସନ୍ତି । ବଡ଼ ମାଛମାନେ ଏମାନଙ୍କୁ ଖାଇ ବଞ୍ଚନ୍ତି ।

ସମୁଦ୍ର କୂଳରେ ମଧ୍ୟ ମାଛ ମରନ୍ତି । ମହାଦେଶର ଉପକୂଳରେ ନୋହିଲେ ଦ୍ୱୀପମାନଙ୍କ ପାଖରେ ଯେଉଁଠି ସମୁଦ୍ର ଅଗହୀର, ସେଠି ଅନେକ ପ୍ରକାର ମାଛ ଥାଆନ୍ତି । ତେଣୁ ଜାପାନ ଆଖପାଖରେ ପୃଥିବୀର ସବୁଠାରୁ ବେଶି ମାଛ ମରନ୍ତି । ବଙ୍ଗୋପସାଗର ଉପକୂଳରେ ଅନେକ ମାଛ ରୁହନ୍ତି । 

ହ୍ରଦମାନଙ୍କରୁ କିପରି ମାଛ ମରନ୍ତି ତାହା ତୁମେ ମାନେ ଜାଣିବ । ଅଂଶୁପା ହ୍ରଦ ଓ ଚିଲିକା ହ୍ରଦର ମାଛ ଓଡ଼ିଶାରେ ପ୍ରଧାନ । ନଈ ମାଛ ଓଡ଼ିଶାର ପ୍ରଧାନ ଖାଦ୍ୟ । ଜୁଆରିଆ ନଈରେ ସମୁଦ୍ରରୁ ମାଛ ଉଠି ଆସନ୍ତି । ମହାନଦୀର ମୂହାଣ ପାଖରେ ଏପରି ମାଛ ଧରା ହୁଅନ୍ତି । ମାଇଲ ମାଇଲ ଲମ୍ବା ବଡ଼ ଜାଲ ସିଧା କରି ବସାଇ ଦିଆହୁଏ । ଜୁଆର ପାଣି ତା ଉପରେ ମାଡ଼ିଯାଏ । ଯେତେବେଳେ ଜୁଆର ପାଣି ସମୁଦ୍ରକୁ ଲେଉଟିଯାଏ ମାଛମାନେ ଜାଲ ଭିତରେ ପଡ଼ି ପାକୁ ପାକୁ ହେଉଥାନ୍ତି । 

ଅସଭ୍ୟ ମନୁଷ୍ୟ ବୈଜ୍ଞାନିକ ଉପାୟରେ ମାଛ ମାରି ଜାଣି ନ ଥିଲେ । କିନ୍ତୁ ଆଜିକାଲି ପୋଖରିରେ ଜାଆଁଳା ରଖି ଲୋକେ ମାଛ ବଢ଼ାଉଛନ୍ତି । ମାଛ ତ ମାଛ, ଆମେରିକାରେ ଲୋକେ ପୋଖରିରେ ବେଙ୍ଗ ଜାଆଁଳା ରଖି ବଢ଼ାଉଛନ୍ତି, କାରଣ ସେମାନେ ଭାରି ବେଙ୍ଗ ଖାଆନ୍ତି । 

ମାଛ ଚଞ୍ଚଳ ସଢ଼ିଯାଏ, ତେଣୁ ତାକୁ ବିକ୍ରୀ କରି ପଠାଇବାକୁ ଲୋକେ ଅନେକ ଉପାୟ କରିଥାନ୍ତି । ଓଡ଼ିଶାର ତଳହଟିରେ ମାଛର ପେଟକୁ କାଟି ଅନ୍ତ ବାହାର କରି ନେଇ ତାକୁ ସମୁଦ୍ରର ଲୁଣି ବାଲିରେ ପୋତି ରଖି ଶୁଖୁଆ କରନ୍ତି । ବିଦେଶକୁ ସଜ ମାଛ ପଠାଇବାକୁ ହେଲେ ମାଛକୁ ବରଫରେ ବନ୍ଦ କରି ପଠାନ୍ତି । ଚିଲିକା କୂଳଯାକ ଦେଖିବ ବରଫକଳ ବସିଛି, ସେଠି ବରଫ ତିଆରି ହେଉଛି, ମାଛସବୁ ବରଫରେ ଘୋଡ଼ାହୋଇ ବିଦେଶ ଯାଉଛନ୍ତି । କଡ଼୍, ହ୍ୟାଲିବଟ୍ ପ୍ରଭୃତି ମାଛର ତେଲ ଭାରି ଉପକାରୀ । ତାକୁ ଖାଇଲେ ଲୋକେ ମୋଟା ହୋଇଯିବେ, କାରଣ ମନୂଷ୍ୟର ଦରକାରୀ ଭିଟାମିନ୍ ନାମକ ଖାଦ୍ୟ ତହିଁରେ ଅଛି । ପ୍ରତ୍ୟେକ ମାଛର ତେଲ ଉପକାରୀ ।

Monday, March 13, 2017

ପିଲାଙ୍କ ପାଇଁ କବିତା - 'ବିଲୁଆ ନନା'


କବି - ଜଗନ୍ନାଥ ପ୍ରସାଦ ଦାସ 


ବିଲୁଆ ନନାର ନାନା ଭାବନା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଖରା ହେଉଥିଲା ବର୍ଷା ହେଉଥିଲା
ବରବେଶ ହୋଇ ବିଲୁଆ ନନା
ବାହା ହେବ ବୋଲି ବାହାରିବା ବେଳେ
କିଏ ସେ କହିଲା ପଛକୁ ଅନା ।

ପଛକୁ ଅନାଇ ବିଲୁଆ ଦେଖିଲା
ଘରଟି ତାହାର ଗଲାଣି ପୋଡ଼ି
ଠିକ କଲା ତେଣୁ ଏଥର ସେ ଯିବ
ଫାୟାର ବ୍ରିଗେଡ଼୍ ଗାଡ଼ିରେ ଚଢ଼ି । 

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Sunday, March 12, 2017

ପିଲାଙ୍କ ପାଇଁ କବିତା - 'ନାଟର ଗୋବର୍ଦ୍ଧନ'


କବି - ଜଗନ୍ନାଥ ପ୍ରସାଦ ଦାସ


ହାତୀର ଏକ ରେଖାଟିତ୍ର (୧୬୩୭)
ଓଲନ୍ଦାଜ ଚିତ୍ରଶିଳ୍ପୀ ରେମ୍ବ୍ରାଁ (୧୬୦୬-୧୬୬୯) ଙ୍କ ଦ୍ୱାରା ଅଙ୍କିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

 

ବେଙ୍ଗ କରୁଥାଏ କଟର କଟର
ହାତୀ ଚଢ଼ିଯାଏ ମଟର,
ଗଛ କୋରଡ଼ରେ ପେଚା ଓ ମାଙ୍କଡ଼ୀ
ଗୋବର୍ଦ୍ଧନ ସବୁ ନାଟର ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Saturday, March 11, 2017

ଯେଉଁ ଦେଶରେ ବାସୁକୀ ପାଣି ଦିଏ


ମେଣ୍ଢାର ଦେଶ


ଗୋପୀନାଥ ମହାନ୍ତି 


ଚିତ୍ର - 'ନୂଆ ହଲାଣ୍ଡର କଙ୍ଗାରୁ' (୧୭୭୨)
ଚିତ୍ରକର - ଜର୍ଜ ଷ୍ଟବ୍ସ (୧୭୨୪-୧୮୦୬)




ନିଉଜିଲାଣ୍ଡ ପାଖରେ ଗୋଟିଏ ମହାଦେଶ ଅଛି, ସେ ସବୁ ମହାଦେଶଠାରୁ ସାନ । ତାର ଅଧିକାଂଶ ହେଉଛି ମରୁଭୂମି । ପୂର୍ବ ପାଖେ ଗୋଟାଏ ପର୍ବତ ଅଛି । ଦୁଇ ଚାରିଟା ଛୋଟ ଛୋଟ ନଈ ଅଛି । ସମୁଦ୍ର ଓ ପାହାଡ଼ ମଝିରେ ଅଳ୍ପ ସ୍ଥାନ ଅଛି, ଯେଉଁଠି ବର୍ଷା ହୁଏ, ପୂର୍ବ ପାଖେ ଲୋକେ ରହନ୍ତି । ପାହାଡ଼ ପଶ୍ଚିମକୁ ଅନେକ ଦୂର ପର୍ଯ୍ୟନ୍ତ ଘାସଭୂଇଁ ଅଛି, ସେଥିରେ ମେଣ୍ଢା ଚରନ୍ତି । ଲକ୍ଷ ଲକ୍ଷ ମାଣ ଘାସଭୂଇଁ ଚାରିକଡ଼ରେ ତାରର ବାଡ଼ ଦିଆ ହେଇଛି । ତାହାରି ଭିତରେ ମେଣ୍ଢା ରହନ୍ତି । ଯେତେ ଦୂର ଆଖି ଯିବ ଖାଲି ମେଣ୍ଢାଙ୍କ ରାଜ୍ୟ । କାଳେ ଠେକୁଆ ଆସି ଘାସ ଖାଇଯିବେ ବୋଲି ତାରର ଜାଲିରେ ତାରର କଣ୍ଟା ଦିଆଯାଇଛି । ବେଳେ ବେଳେ “କୀ” ଚଢେ଼ଇ ବୋଲି ଗୋଟାଏ ବଡ଼ ଚଢେ଼ଇ ଜୀଅନ୍ତା ମେଣ୍ଢାମାନଙ୍କୁ ମାରି ଖାଇଯାଏ । ଏ ମେଣ୍ଢାମାନଙ୍କର ଖୁବ୍ ବଡ଼ ବଡ଼ ରୁମ । ରୁମକଟା ସମୟ ହେଲେ ମେଣ୍ଢାମାନଙ୍କୁ ଫାର୍ମକୁ ଅଣାହୁଏ, ତାଙ୍କ ରୁମ (ଉଲ୍)କୁ ଲୋକେ କଇଁଚିରେ ନୋହିଲେ ବିଜୁଳି କଳରେ କାଟି ପକାନ୍ତି । ତା ପରେ ମେଣ୍ଢାମାନଙ୍କୁ ଛାଡ଼ି ଦିଅନ୍ତି । ଉଲ୍ କୁ ସଫା କରାଯାଇ କଳରେ ବୁଣାଯାଏ । ଏଥିରୁ ଗରମ କନା, ମୋଜା ପ୍ରଭୃତି ହୁଏ । ମେଣ୍ଢା ଛଡ଼ା ଲକ୍ଷ ଲକ୍ଷ ଗାଇ ଗୋରୁଙ୍କୁ ମଧ୍ୟ ଏଠି ଛାଡ଼ି ଦିଆ ଯାଇଛି । ସେମାନେ ଅରଣା ହୋଇ ବୁଲିଲା ପରି ଏଠି ବୁଲାନ୍ତି । ବେଳେ ବେଳେ ସତକୁ ସତ ବଣୁଆ ହୋଇ ଯାଆନ୍ତି, ତାଙ୍କୁ ଅଡେ଼ଇ ଆଣିବା କାଠିକର ପାଠ ହୁଏ । ଏଠି ଗାଇ ଓ ମେଣ୍ଢା ରଖୁଆଳିମାନେ ଘୋଡ଼ା ଚଢ଼ି ପଶୁ ଜଗନ୍ତି । 

ବଡ଼ ଜଙ୍ଗଲରେ ଡେ଼ଙ୍ଗା ଡେ଼ଙ୍ଗା ଇଉକ୍ୟାଲିପ୍ଟସ୍ ଗଛ ହୁଏ । ସିଧା ସିଧା ଏତେ ଉଚ୍ଚକୁ ବଢ଼ିଯାଏ ଯେ, ଇଉକ୍ୟାଲିପ୍ଟସ୍ ଜଙ୍ଗଲରେ ପଶିଲେ ଭାରି ସୁନ୍ଦର ଦିଶେ, ସତେ କି କେତେ ଗୁଡ଼ାଏ ଉଚ୍ଚ ଉଚ୍ଚ ଖୁଣ୍ଟ ଏକାଠି ପୋତା ହୋଇଛି ।

ତା ଛଡ଼ା ଅଧିକାଂଶ ସ୍ଥାନରେ ବୁଦିବୁଦିକିଆ ଜଙ୍ଗଲ । ମହାଦେଶର ଦକ୍ଷିଣରେ ଚାରିଅଡ଼କୁ ସମାନ ହୋଇ ଖାଲି ଏ ବୁଦାର ଜଙ୍ଗଲ ଧୀରେ ଧୀରେ ବଡ଼ ଜଙ୍ଗଲରେ ମିଶି ଯାଇଛି, କେଉଁଠି ଫାଙ୍କା ଫାଙ୍କା, କେଉଁଠି ବା ଗହଳ । ଏହି ଜଙ୍ଗଲରେ ଅଷ୍ଟ୍ରେଲିୟାର ବୁଦାଲୋକେ ରହିଛନ୍ତି । ସେମାନେ ଚାରିଆଡେ଼ ବ୍ୟାପି ଥିଲେ । ବର୍ତମାନ ଅଷ୍ଟ୍ରେଲିୟାରେ ସାହେବମାନେ ଘର କଲେଣି । ବୁଦା ଜଙ୍ଗଲ ଏ ପାଖେ ଯେପରି ବଡ଼ ଜଙ୍ଗଲରେ ମିଶି ଯାଇଛି, ସେ ପାଖେ ସେପରି ଘାସ ଭୂଇଁରେ ମିଶି ଯାଇଛି । ଏଠି ପଲ ପଲ କଙ୍ଗାରୁ ଚରନ୍ତି । ଏମାନଙ୍କ ଲାଙ୍ଗୁଡ଼ ବଡ଼ ଟାଣ, ଏମାନେ ଲାଙ୍ଗୁଡ଼କୁ ବାଡ଼ି ପରି ଭରା ଦେଇ ସିଧା ଠିଆ ହୋଇ ପଡନ୍ତି । ଚାଲିଲାବେଳେ ଡେ଼ଇଁ ଡେ଼ଇଁ ଚାଲନ୍ତି । ଏମାନଙ୍କୁ ଶିକାର କରିବାକୁ ଗଲାବେଳେ ଯଦି କଙ୍ଗାରୁ ପଳାଇ ନ ପାରେ ତେବେ କୌଣସି ଗୋଟିଏ ସ୍ଥାନରେ ସିଧା ହୋଇ ବସି ପଡ଼ି ଦାନ୍ତ ଦେଖାଏ ଓ ପଛ ଗୋଡ଼ର ବଡ଼ ବଡ଼ ନଖରେ ଆଘାତ କରି କୁକୁରମାନଙ୍କର ଅନ୍ତବୁଜୁଳି ବାହାର କରି ପକାଏ ।

ଠାଏ ଠାଏ ପଲ ପଲ ଏମୁ ଚଢେ଼ଇ ଚରୁଥିବାର ଦେଖାଯାଏ । ଏ ଚଢେ଼ଇମାନେ ଆକାରରେ ଭାରି ବଡ଼ । ଏମାନଙ୍କର ଲମ୍ବା ଲମ୍ବା ଗୋଡ଼, ତହିଁରେ ବିଜୁଳିପରି ଦଉଡ଼ି ପଳାନ୍ତି, କିନ୍ତୁ ଏମାନଙ୍କର ପକ୍ଷୀ ନାହିଁ, ଏମାନେ ଉଡ଼ି ପାରନ୍ତି ନାହିଁ । ଶିକାରୀ କୁକୁର ବେଳେ ବେଳେ ଏମାନଙ୍କ ଲାଞ୍ଜକୁ କାମୁଡ଼ି ଧରନ୍ତି ।

ଏ ଦେଶରେ ବଣୁଆ କୁକୁର ଅଛନ୍ତି; ସେମାନଙ୍କୁ ଡ଼ିଙ୍ଗୋ କୁହାଯାଏ । ସେମାନେ ଗଧିଆପରି ଭୀଷଣ । 

ଏ ଦେଶରେ ପ୍ଲାଟିପସ୍ ବୋଲି ଗୋଟାଏ ପ୍ରକାର ବଣୁଆ ହଂସ ଅଛନ୍ତି ।

ଏହି ଦେଶରେ ଯେଉଁ ବଣୁଆ ଲୋକ ଅଛନ୍ତି, ସେମାନଙ୍କର ରଙ୍ଗ ମାଟିଆ, ସ୍ଥାନକୁ ସ୍ଥାନ ସେମାନଙ୍କ ଚେହେରାରେ ଫରକ ପଡେ଼ । ସେମାନେ ଗଛ ଛେଲିରେ ତିଆରି ଛୋଟ ଛୋଟ କୁଡି଼ଆରେ ରହନ୍ତି, ସେ କୁଡ଼ିଆକୁ କହନ୍ତି “ଗୁଣ୍ୟାଃ” ।

ଏ ଦେଶରେ ବେଶୀ ଜନ୍ତୁ ନ ଥିଲେ । ତେଣୁ ଯାହା ମିଳେ ସବୁ ଏମାନେ ଖାଆନ୍ତି । ଗୋଧି, ଝିଟିପିଟି, ସାପ, ବେଙ୍ଗ, ପିମ୍ପୁଡ଼ି ଏହିସବୁ ଏମାନଙ୍କର ଖାଦ୍ୟ । ଭାଗ୍ୟଥିଲେ କଙ୍ଗାରୁ ବା ଅପୋସମ୍ ପରି ବଡ଼ ଜନ୍ତୁ ବା ଏମୁ ପରି ବଡ଼ ଚଢେ଼ଇ ଏମାନଙ୍କ କପାଳକୁ ଯୁଟେ । 

ଏ ଲୋକମାନେ ପିଠିରେ ଓ ଦେହର ଚାରିଆଡେ଼ ରଙ୍ଗରେ ଚିତ୍ର କରିଥାଆନ୍ତି । ଏମାନେ ଲଙ୍ଗଳା ଲୋକ, ପୂର୍ବେ ମଣିଷ ଖାଉଥିଲେ ।

ଅନ୍ୟାନ୍ୟ ବଣୁଆ ଜାତିର ଲୋକଙ୍କ ତୁଳନାରେ ଏମାନଙ୍କର ବୁଦ୍ଧି-ଶୁଦ୍ଧି କମ୍ । ଗଣିବାକୁ ପଡ଼ିଲେ ଏମାନଙ୍କର ବୁଦ୍ଧି ଭ୍ରମ ହୋଇଯାଏ । ଏମାନେ ଯେଁ ବର୍ଛା, ପଥର ଓ ହାଡ଼ର ଖଣ୍ଡା ପଭୃତି କରନ୍ତି ସେ ସବୁ ଅତି ନିରସା । ଏକମାତ୍ର ବିଚକ୍ଷଣ ଆୟୁଧ ହେଉଛି ବୁମ୍ରାଙ୍ଗ୍ । ଏ ଗୋଟିଏ ହାଲୁକା ଅସ୍ତ୍ର, ଦେଖିବାକୁ ଗୋଟିଏ ଅର୍ଦ୍ଧ-ଚନ୍ଦ୍ର ପରି । ଏ ଅସ୍ତ୍ର ଫୋପାଡ଼ିଲେ ସିଧା ଯାଏ ନାହିଁ, ଉଡ଼ିଲା ପରି ଯାଏ, ତେଣୁ ଏହା ଅତି ବିଚକ୍ଷଣ ।

ଯେଉଁ ବୁମ୍ରାଙ୍ଗ୍ ମାରି ଦେଇ ହାତକୁ ଫେରିଆସେ ସେ ଗୋଟାଏ ଖେଳନା ମାତ୍ର । ତହିଁରେ କେବଳ ଛୋଟ ଚଢେ଼ଇ ମରନ୍ତି ।

କିନ୍ତୁ ଏମାନେ ଜଙ୍ଗଲ ଭିତରେ ଖାଦ୍ୟ ଖୋଜି ବୁଲି ବୁଲି ଏମାନଙ୍କର ଇନ୍ଦ୍ରିୟ-ଶକ୍ତି ବଡ଼ ବିଚକ୍ଷଣ ହୋଇଯାଇଛି, ଦେଖିଲେ ଲୋକ ଆଶ୍ଚର୍ଯ୍ୟ ହୋଇଯିବ । ଏମାନଙ୍କ ଘ୍ରାଣଶକ୍ତି ଓ ଦୃଷ୍ଟିଶକ୍ତି ଅତିଶୟ ତୀକ୍ଷ୍ଣ । ଗୋଟାଏ ଘୋଡ଼ା ଟାପୁର ଖୋଜ ଦେଖିଲେ ଏମାନେ କହିଦେବେ, କେତେ ସମୟ ହେଲା ସେବାଟେ ଘୋଡ଼ା ଯାଇଛି, ଆଉ ଘୋଡ଼ାଟାର ଆକାର କିପରି । 

ଗୋଟାଏ ଗାତ ଦେଖିଲେ ଏମାନେ କହିଦେବେ, ଯେ ସେ ଗାତ ଖୋଳିଛି ସେ କିପରି ଧରଣର କେଉଁ ଜାତିର ଲୋକ । ବୁଦା ଜଙ୍ଗଲ ଭିତରେ ବାଟ ଖୋଜିବା ବଡ଼ ଅସୁବିଧା, କାରଣ ଚାରିଆଡ଼ର ସବୁ ବୁଦା ଏକାପରି ଦିଶେ, କିନ୍ତୁ ଏ ଲୋକମାନେ ଅତି ସୁନ୍ଦର ଭାବେ ବାଟ ବାରି ପାରନ୍ତି ଓ କୌଣସି ଲୋକ ଚାଲି ଯାଇଥିଲେ ତାକୁ ଖୋଜି ବାହାର କରିପାରନ୍ତି । ପିଲାଦିନୁ ପୁଅ ଝିଅ ସମସ୍ତେ କେବଳ ଖେଳଭିତରେ ଏସବୁ ଶକ୍ତି ଅଭ୍ୟାସ କରିଥାଆନ୍ତି, କାରଣ ତାରି ଉପରେ ସେମାନଙ୍କର ଖାଦ୍ୟ ଖୋଜି ଗୋଟାଇ ନେବା ନିର୍ଭର କରେ ।

“ସମୁଦ୍ର-ଗାଇ” ବୋଲି ଗୋଟାଏ ବଡ଼ ମାଛ ଅଛି, ଏ ଲୋକମାନେ ସେ ମାଛକୁ ବର୍ଛାରେ ନୋହିଲେ ଧନୁଶରରେ ମାରନ୍ତି । ତହିଁରୁ ଖାଦ୍ୟ ଓ ତେଲ ପାଆନ୍ତି । ଏମାନେ ବଡ଼ ଅଦ୍ଭୁତ ଉପାୟରେ ମାଛ ମାରନ୍ତି । ଗୋଟାଏ ଡ଼ଙ୍ଗା ବା ପଥରରେ ଠିଆହୋଇ ପାଣି ଭିତରକୁ ବର୍ଚ୍ଛା କେଞ୍ଚି ମାଛ ମାରନ୍ତି । ନେହିଲେ ଛୁରି ଧରି ପାଣି ଭିତରେ ବୁଡ଼ି ବୁଡ଼ି ମାଛ ଶୀକାର କରନ୍ତି ।

ଏ ଲୋକମାନେ ଭାରି ଅନ୍ଧ-ବିଶ୍ୱାସୀ । ଏମାନଙ୍କର ଧାରଣା ଯେ, ଦେଢ଼ଶହ ମାଇଲ ଲମ୍ବା ଗୋଟାଏ କଳା ସାପ ଅଛି, ସେ ହେଉଛି ସାପ-ଦେବତା, ସବୁ ସାପଙ୍କର ପୂର୍ବପୁରୁଷ । ତାର ନାମ ୱେଲ୍ଲୁଙ୍କୁଆ । ତାର କାମ ହେଉଛି ଏମାନଙ୍କୁ ପାଣି ଯୋଗାଇବା, କିନ୍ତୁ ସେ ବରାବର କାମରେ ଖଇଚା କରେ । ତେଣୁ ଏ ଲୋକମାନେ ତାକୁ ସନ୍ତୋଷ କରିବାପାଇଁ ବରାବର ପୂଜା କରନ୍ତି ।

ଏମାନେ ଭାବନ୍ତି ଯେ, ଗୁଣି-ଗାରେଡ଼ି କଲେ ଏମାନଙ୍କର ସବୁ ସିଦ୍ଧି ହେବ । ଯେତେବେଳେ ଅଧରାତିରେ ଜହ୍ନ ଆଲୁଅ ପଡ଼ିଥାଏ, ଚାରିଆଡ଼ ଶୂନଶାନ୍, ସେତେବେଳେ ଏମାନେ ମଶାଲ ଜାଳି ଗୁଣି କରିବା ପାଇଁ “କାରୋବୋର୍” ବା ସଭା କରନ୍ତି । ଏପରି ସଭାକୁ କେହି ସ୍ତ୍ରୀ ବାଳକ ଆସି ପାରିବେ ନାହିଁ । ପିଲା ଯେତେବେଳେ ଯବାନ୍ ହୋଇଯାଏ ସେତେବେଳେ ତା ପାଇଁ ମଧ୍ୟ ଏମାନେ “କାରୋବୋର୍” କରନ୍ତି । ତା ଛଡ଼ା ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇଁ ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ପ୍ରକାର କିମିଆ କରନ୍ତି । ଦେହରେ ସାପର ଛବି ଆଙ୍କି ନିଜକୁ ସାପ ପରି ସଜାଇ ଏମାନେ ସାପ-କିମିଆ କରନ୍ତି, ତହିଁରେ କୁଆଡେ଼ ଖାଇବାପାଇଁ ପ୍ରଚୁର ସାପ ମିଳିବେ । ମୁଣ୍ଡ ଉପରେ ପୁରୁଷେ ଉଚ୍ଚ କାଠ, ଚଢେ଼ଇ ପର ଓ ମଣିଷ ବାଳର ଦେଉଳିଆ ମୁକୁଟ ପିନ୍ଧି ଏମାନେ ଏମୁ କିମିଆ କରନ୍ତି, ତହିଁରେ କୁଆଡେ଼ ଏମୁ ଚଢେ଼ଇ ବେଶୀ ମିଳିବେ । ଗୋଟାଏ ବଡ଼ ଖୁଣ୍ଟତଳେ ଚିତ୍ର-ବିଚିତ୍ର ହୋଇ ଏମାନେ ପିମ୍ପୁଡ଼ି କିମିଆ କରନ୍ତି, ତହିଁରେ କୁଆଡେ଼ ପ୍ରଚୁର ପିମ୍ପୁଡ଼ି ମିଳିବେ ।