Wednesday, June 28, 2017

ଚିଲିକାର ବିଭବ - ୫


ଦୁର୍ଗାଚରଣ ପଣ୍ଡା



ଶିପ ଓ ଶାମୁକାଗୁଡ଼ିକର ଏକ ପୁସ୍ତକରେ ଅନ୍ତର୍ଭୁକ୍ତ ଅଳଙ୍କରଣ (୧୭୩୫)
ସଙ୍କଳନ - ଓଲନ୍ଦାଜ ଔଷଧତତ୍ତ୍ୱବିଦ ଆଲବେର୍ତ୍ତସ୍ ସେବା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୪ ଲୁଣମରା 


ଇଂରାଜୀ ଅଧିକାରର ବହୁ ଆଗରୁ ଚିଲିକା ମଧ୍ୟସ୍ଥ ଦ୍ୱୀପ ପୁଞ୍ଜରେ ଭାରତର ଅତି ଉତ୍କୃଷ୍ଟ ଲୁଣ ଆଦାୟ ହେଉଥିଲା । ଏକ ସମୟରେ ଗୋଟିଏ ବର୍ଷରେ ପ୍ରାୟ ଦୁଇଲକ୍ଷ୍ୟ ମହଣ ଲୁଣ ତିଆରି ହେବାର ଜଣାଯାଏ, ଏଇ ଲୁଣ ଯୋଗୁଁ ଚିଲିକାରେ ଭଲ ବୋଇତ ବାଣିଜ୍ୟ ମଧ୍ୟ ଚାଲୁ ହେଉଥିଲା କିନ୍ତୁ ଇଂରାଜୀ ମାନଙ୍କ ନିଷ୍ଠୁର ନୀତି ଯୋଗୁଁ ଏଇ ବ୍ୟବସାୟ ବନ୍ଦ ହେବାରୁ ଏଠାଲୋକେ ଭୋକ ଓପାସେ ଦିନ କାଟନ୍ତି !

ଏବେ କେତେବର୍ଷ ହେଲା ଏ ବ୍ୟବସାୟର ପୁନରୁଦ୍ଧାର କରାଯାଇଛି । କିନ୍ତୁ ଏକ୍ଷଣି ମାନ୍ଦ୍ରାଜ ଅଞ୍ଚଳରୁ ଅତି ଶସ୍ତାଲୁଣ ଆସି ଓଡ଼ିଶା ବଜାରରେ ବିକ୍ରୀ ହେଉଥିବାରୁ ଆମର ଏଠା ଦେଶୀଲୁଣର ଆଦର ଓଡ଼ିଶାରେ ନାଇଁ ! ସେଥିପାଇଁ ଏଠା ବ୍ୟବସାୟ ମଧ୍ୟ ମୁଣ୍ଡ ଟେକିପାରୁନି !

୫ ଶିପ, ଶାମୁକା ଓ ଚୁନଗୋଡ଼ି 


ଚିଲିକାର ଦ୍ୱୀପପୁଞ୍ଜ ଗୁଡ଼ିକରେ ବହୁସ୍ଥାନରୁ ଭୂଗର୍ଭରୁ ଶିପ ଓ ଶାମୁକା ପ୍ରଚୁର ପରିମାଣରେ ମିଳେ । ବହୁକାଳ ପୂର୍ବେ ଚିଲିକା ବଙ୍ଗୋପସାଗର ସଙ୍ଗେ ସମ୍ପୂର୍ଣ୍ଣରୂପେ ମିଶିଥିବାରୁ ଏବଂ କାଳକ୍ରମେ ଚିଲିକା ଓ ସମୁଦ୍ର ମଧ୍ୟରେ ଏକ ବାଲିବନ୍ତ ସୃଷ୍ଟି ହେବାରୁ ଏଠା ଦ୍ୱୀପଗୁଡ଼ିକ ମୁଣ୍ଡ ଟେକିପାରିଥିଲା ।  ଏଇ ପୋତା ସ୍ଥାନଗୁଡ଼ିକରେ ଭୂଗର୍ଭରେ ସ୍ତର ସ୍ତର ହୋଇ ଶିପ ଓ ଶାମୁକା ପୋତି ହୋଇ ରହିଛି । ଏଗୁଡ଼ିକୁ ଖୋଳି କାଢ଼ି ଚୁନପାଇଁ ପୋଡ଼ିବା ବ୍ୟବସାୟ କେତେକ ଲୋକ କରନ୍ତି । ସ୍ଥାନୀୟ ଜମୀଦାର ମାନେ ଏ ସ୍ଥାନଗୁଡ଼ିକୁ ପଟ୍ଟାଦେଇ ବାର୍ଷିକ କିଛି ଟଙ୍କା ପାନ୍ତି --- ଏବଂ ଯେଉଁମାନେ ପଟ୍ଟାକରି ନିଅନ୍ତି ସେମାନେ ଏଇ ଶିପ ଓ ଶାମୁକାକୁ ଼଼ଡଙ୍ଗାରେ ରପ୍ତାନୀ କରି ଲାଭବାନ ହୁଅନ୍ତି । 

ଚିଲିକା ମଧ୍ୟସ୍ଥ ପାହାଡ଼ିଆ ଅଞ୍ଚଳରେ ବିଶେଷତଃ, ଜଟିଆ ଓ ଦୀପ ଆଡ଼ିଆ ପାହାଡ଼ ଗୁଡ଼ିକରୁ ଚୁନ ଗୋଡ଼ି ମଧ୍ୟ ମିଳେ । ଏ ଗୋଡ଼ି ଆଣି କେତେକ ବ୍ୟବସାୟୀ ଚୁନ ତିଆରି କରି ଲାଭବାନ୍ ହୁଅନ୍ତି । ଏ ଅଞ୍ଚଳର ଚୁନ ପୁରୀ, କଟକ ଓ ବ୍ରହ୍ମପୁର ଯାଏ ରପ୍ତାନୀ ହୁଏ ।  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Saturday, June 24, 2017

ଚିଲିକାର ବିଭବ - ୪


ଦୁର୍ଗାଚରଣ ପଣ୍ଡା



ଚିଲିକାରେ ଦେଖାଯାଉଥିବା ଇରାବତି ଶିଶୁମାର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୩ ଚିଲିକାରେ ଜଳଜୀବ


ବର୍ଷା ଆରମ୍ଭ ଓ ଶୀତ ଶେଷ - ଅର୍ଥାତ୍ ପ୍ରତିବର୍ଷର ଆଷାଢ଼ ମାସଠାରୁ ମାଘ ଶେଷ ପର୍ଯ୍ୟନ୍ତ ଚିଲିକାରେ ଯେତେ ଜାତି ଓ ବର୍ଣ୍ଣର ପକ୍ଷୀ ଦେଖାଯାନ୍ତି ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ସେପରି ଦେଖିବାକୁ ମିଳେ କି ନାହିଁ ସନ୍ଦେହ । ବିଶେଷତଃ, ମାର୍ଗଶୀର ଓ ମାଘମାସ ମଧ୍ୟରେ ଏଗୁଡ଼ିକର ସ‌ଂଖ୍ୟା ଗଣନାତୀତ ହୁଏ । ଠିକ ଏହି ସମୟରେ ବହୁସଙ୍ଖ୍ୟକ ଶିକାରୀ ଭାରତର ବିଭିନ୍ନ ସ୍ଥାନରୁ ଆସି ଏଇ ନିରୀହ ପକ୍ଷୀଗୁଡିକୁ ବନ୍ଦୁକ ଚୋଟରେ ମାରିଖାନ୍ତି !

ପ୍ରାୟ ୧୫୦ ଶ୍ରେଣୀର ମାଛ ଚିଲିକା ପ୍ରାଣୀରେ ରହନ୍ତି, ସାଧାରଣ ଚିଙ୍ଗୁଡ଼ି, ଇଲିସୀ, ଓ ପାତୁଆ ଠାରୁ ଆରମ୍ଭ କରି ଅତିବଡ଼ ଖଙ୍ଗା, ଭେକେଟା, ଭୁଆଷୁଣୀ ଓ ମଗର ମଧ୍ୟ ଏଠାରେ ଦେଖାଯାନ୍ତି ।  ଗୋଟିଏ ଗୋଟିଏ ଭେକେଟା ଶଗଡ଼ରେ ବୁହାହୁଅନ୍ତି । ଭୁଆଷୁଣୀ ଓ ମଗର ମାଛ ଗୁଡ଼ିକ ଗୋଟିଏ ଗୋଟିଏ ମନୁଷ୍ୟକୁ ଗିଳିବାଭଳି ଦେଖାଯାନ୍ତି । ସାଙ୍କୁଚ, ଚିଲ୍ଲି ଓ କାଉନ୍ଦା ପ୍ରଭୃତି ବିଷାକ୍ତ ଜୀବ ମଧ୍ୟ ଚିଲିକାରେ ଦେଖାଯାନ୍ତି । ଏଗୁଡ଼ିକ କ୍ଷତ କଲେ ଲୋକମାନେ ବିଶେଷ ଯନ୍ତ୍ରଣା ଭୋଗନ୍ତି । 

କେବଳ ମାଛଧରି ନିଜର ଜୀବନ ବଞ୍ଚାଉଥିବା ପ୍ରାୟ ୧୦ ହଜାର ମତ୍ସ୍ୟଜୀବି ଜାତି ଚିକିଲା ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ଏବଂ ଏହାର ଚତୁର୍ଦିଗସ୍ତ କୂଳ ଗ୍ରାମ ଗୁଡ଼ିକରେ ବାସ କରନ୍ତି । ପ୍ରତିଦିନ, ନିଶାରାତିରେ ଏବଂ ବଡ଼ିଭୋର କିମ୍ବା ମଧ୍ୟାହ୍ନ ସମୟରେ ଗହୀର ଚିଲିକାରୁ ମାଛ ଧରି ଆଣି ତାକୁ ବିକ୍ରି କରି ସେଇ କଞ୍ଚା ପଇସାରେ ନିଜର ପେଟ ପୋଷିବାହିିଁ ଏଠା ମତ୍ସ୍ୟଜୀବିଙ୍କର ପ୍ରଧାନ ବ୍ୟବସାୟ । ପ୍ରତିବର୍ଷ ସମଗ୍ର ଚିଲିକାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ମାଛ ଧରାଯାଏ । ଏଥିରୁ ଅଧିକାଂଶ ମାଛ ରେଳରେ କଲିକତାକୁ ରପ୍ତାନୀ ହୁଏ । ଯେଉଁମାନେ ଏଠା ମାଛ ରପ୍ତାନୀ କରନ୍ତି, ସେଥିରୁ ଅଧିକାଂଶ ମହାଜନ ବିଦେଶୀ ଅଟନ୍ତି । ଏହି ବିଦେଶୀମାନେ ମତ୍ସଦିଆଙ୍କୁ ଆଗତୁରା ଟଙ୍କା ଦେଇ ଅଳ୍ପ ମୂଲ୍ୟରେ ମାଛ ନିଅନ୍ତି ଏବଂ କଲିକତାରେ ବହୁ ମୂଲ୍ୟରେ ବିକ୍ରି କରି ଲାଭବାନ ହୁଅନ୍ତି ! ଗତ କୋଡ଼ିଏ ବର୍ଷ ମଧ୍ୟରେ ଅନେକ ମହାଜନ ଲକ୍ଷାଧିକ ଟଙ୍କା ଏ ପ୍ରଣାଳୀରେ ସଞ୍ଚୟ କରିଛନ୍ତି । କିନ୍ତୁ ଯେଉଁ ଗରିବ ମଳିମୁଣ୍ଡିଆ ମାଛଧରା ହାଡ଼ଭଙ୍ଗା ପରିଶ୍ରମ କରେ ତାର ଘର ଛପର ନହେଇ ପଡ଼ିଛି । ତା ଦେହ ଘୋଡାଇବାକୁ କନା ନାଇଁ କି ପେଟ ପୁରିବାକୁ ଦାନାମିଳୁନି ! ଏଇ ଗରିବଙ୍କ ଦୁରବସ୍ଥା ଦୂର କରିବା ଦିଗରେ କୌଣସି ମହାଜନ କେବେ ଚିନ୍ତିତ ଥିବାର ଦେଖାଯାନ୍ତି ନାଇଁ, ଏହାକି କମ୍ ଚିନ୍ତାର ବିଷୟ ? [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Monday, June 19, 2017

ଚିଲିକାର ବିଭବ - ୩


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକା କୂଳରେ ଡଙ୍ଗା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍
ଚିତ୍ରୋତ୍ତଳକ - ସୁଜିତ କୁମା

୨ ବୋଇତ ବାଣିଜ୍ୟ -


ସାଧବ ଘର ସାତ ପୁଅ ବୋଇତ ବାଣିଜ୍ୟକରି ଯିବା କଥା ପିଲା ଦିନରୁ ଆଇ ମାଙ୍କଠାରୁ ଆମେମାନେ ଶୁଣିଥିଲୁ --- ଏଇ ବୋଇତ ବାଣିଜ୍ୟକରି ଆମଦେଶର ସାଧବମାନେ ସୁଦୂର ଜାଭା ଓ ମଳୟ  ପ୍ରଭୃତି ଦ୍ୱୀପପୁଞ୍ଜରେ ଦିନେ ବସତି ସ୍ଥାପନ କରିଥିବାର ଇତିହାସରୁ ଜଣାଯାଏ । ସେ କାଳରେ ଯେଉଁ 'ଅର୍ଣ୍ଣବପୋତ' ମାନ ବ୍ୟବହାର କରାଯାଉଥିଲା ତାହାର କୌଣସି ଚିହ୍ନ ଏଠାରେ ନାହିଁ ସତ, କିନ୍ତୁ ସେକାଳର ଗୋଟିଏ 'ବତୀଘର' ଏଇ ବାଲୁଗାଁ ନିକଟବର୍ତ୍ତୀ ଚିଲିକାକୂଳସ୍ଥ 'ଦୀପମୁଣ୍ଡିଆ' ପାହାଡ଼ ଉପରେ ଥିବାର ଚିହ୍ନ ରହିଛି । ଏକ ସମୟରେ ଚିଲିକାରେ ଅତିବଡ଼ ବୁଡ଼ାଜାହଜ ଓ ଶକ୍ତ ଲୁହାରେ ତିଆରି ହେବା ବୋଇତ ମଧ୍ୟ ବ୍ୟବହାର କରୁଥିବାର ପ୍ରମାଣ ମିଳେ, ଇଂରାଜୀମାନେ ଓଡ଼ିଶା ଅଧିକାର କରିବା ପରେ ମଧ୍ୟ କିଛିକାଳ ଯାଏ ଏଠା ଅଦିବାସୀ ଚିଲିକାରେ ବୋଇତ ବାଣିଜ୍ୟ ଚଳାଇଲେ । କେବଳ ଏହାର କୂଳଦେଇ ରେଳପଥ ତିଆରି ହେବାରୁ ଗଞ୍ଜାମ ଓ ପୁରୀ---କଟକ ଜିଲ୍ଲାର ବାଣିଜ୍ୟ ଜିନିଷ ରେଳରେ ବୋହି ଯାଉଛି ---ଫଳରେ ଚିଲିକାର ବୋଇତ ବାଣିଜ୍ୟ ଲୋପ ହୋଇଛି ! ଏବେସୁଦ୍ଧା ଚିଲିକାର ଏକାଧିକ ସ୍ଥାନରେ ଛୋଟ ଓ ବଡ଼ ନାହା, ଡଙ୍ଗା ପଢ଼ୋଉ ପ୍ରଭୃତି ତିଆରି ହୁଏ, ଏବଂ ରମ୍ଭାଠାରୁ, କେଶପୁର, ବାଲୁଗାଁ, କୌରି କାଳୁପଡ଼ା ଓ ଭୁଷଣ୍ଡପୁର ପ୍ରଭୃତି ସ୍ଥାନ ଗୁଡ଼ିକ ବୋଇତ ବାଣିଜ୍ୟର ପ୍ରଧାନ ପେଣ୍ଠ ହୋଇରହିଛି । ଏ ସବୁ ସ୍ଥାନରେ ଛୋଟ ଓ ବଡ ଡଙ୍ଗାରେ ଧାନ, କାଠ, ଚୂନ, ଶିପ, ବାଉଁଶ --- ୠତୁ ଅନୁସାରେ ---- ଲୁଣ ଓ ଶୁଖୁଆ ପ୍ରଭୃତି ବୁହାଯାଏ ।   ମାଛମାରି ଆଣିବା ପାଇଁ ପ୍ରତିଦିନ ଶତାଧିକ ଡଙ୍ଗା ଚିଲିକାରେ ଯା' ଆସ କରେ । ପ୍ରାୟ ପ୍ରତିଦିନ ଦର୍ଶକ ମାନେ ଚିଲିକାରେ ବୁଲିବା ପାଇଁ କିମ୍ବା ପକ୍ଷୀ ଶିକାର କରିବା ପାଇଁ ଡଙ୍ଗାଚଢ଼ି ବୁଲୁଥିବାର ଦେଖାଯାନ୍ତି ! ଏ ସବୁ ଦୃଶ୍ୟ ଦେଖିଲେ ଓଡ଼ିଆ 'ନାବିକମାନେ ଏ ପର୍ଯ୍ୟନ୍ତ ବୋଇତ ବାଣିଜ୍ୟ' କଥା ପାଶୋରି ନାହାନ୍ତି ବୋଲି ସ୍ପଷ୍ଟ କହିପାରୁ, କେବଳ ସୁବିଧା ପାଇଲେ ଏଇ ବାଣିଜ୍ୟ ଯେ ଅଧିକ ଉନ୍ନତି ଲାଭ କରିପାରେ ଏ ଆଶା ରହିଛି । [କ୍ରମଶଃ]  

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Sunday, June 04, 2017

ଚିଲିକାର ବିଭବ - ୨


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୧ ପ୍ରାକୃତିକ ସୌନ୍ଦର୍ଯ୍ୟ


କବି ଓ ଭାବୁକ ମାନଙ୍କ ପାଇଁ ଯେଉଁସବୁ ଉପାଦାନ ପ୍ରକୃତିରେ ମିଳିବା ଦରକାର ସେସବୁ ଚିଲିକାର ପ୍ରତ୍ୟେକ ସ୍ଥାନରୁ ମିଳିଥାଏ । ଏଥିପାଇଁ ଲେଖକରମାତ୍ରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୁଅନ୍ତି । ବାସ୍ତବରେ କହିବାକୁ ହେବଯେ, ଓଡ଼ିଶାର ଯେଉଁ ଭାବୁକ ବା ଲେଖକ ଚିଲିକାର  ଏ ସୌନ୍ଦର୍ଯ୍ୟ ଦେଖି ନାହାନ୍ତି,  ତାହାଙ୍କ ଜୀବନରେ ଗୋଟିଏ ପ୍ରଧାନ ଅଭାବ ଚିଲିକା ଦେଖିବା ରହିଛି ବୋଲି ସ୍ପଷ୍ଟ କହିପାରୁଁ । ଇଟାଲିର 'ଭେନୀସ୍' ସହର ସମ୍ବନ୍ଧରେ ଇଂରାଜୀରେ ଲେଖାଅଛି । "ସି ଭେନୀସ୍ ଆଣ୍ଡ୍ ଡାଏ" ['ଭେନୀସ୍ ଦେଖି ମରିଯାଅ'] ଏ ଦୃଷ୍ଟିରେ ଆମକୁ କହିବାକୁ ହେବ - ଯେଉଁମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରନ୍ତି - ସେମାନେ ଜୀବନରେ ଥରେହେଲେ ଚିଲିକା ଦେଖନ୍ତୁ ।  ନଚେତ ସେମାନଙ୍କର ଏ ଅଭାବଟି ଅପୂର୍ଣ୍ଣ ରହିବ ମାତ୍ର । 

 ସୌନ୍ଦର୍ଯ୍ୟ ବର୍ଣ୍ଣନା ନେଇ କବିବର ରାଝାନାଥ ତାଙ୍କର 'ଚିଲିକା' କାବ୍ୟରେ ଲେଖିଛନ୍ତି । 

"ଆହା, ଏ ଶୋଭାର କାହିଁ ପଟାନ୍ତର
ଥିଲେ ଥିବ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର,
ପାଶୋରିବ ଦେଖି, କହ କେହୁଜନ,
ଏ ଶୋକ ପାସୋରା ଅପ୍ସରା ଭୁବନ"

ପୁଣି - କବିବର ଚିନ୍ତାମଣି ମହାନ୍ତି ତାହାଙ୍କର 'ଚିଲିକା ଭ୍ରମଣ' ପୁସ୍ତିକାରେ ଲେଖିଛନ୍ତି :-  "ଚିଲିକାର ପ୍ରାକୃତିକ ଦୃଶ୍ୟ ଅତୀବ ରମଣୀୟ ଓ ବିଚିତ୍ର ଅଟେ, ତାହାର ନିତ୍ୟ ନୂତନ ବେଶ ଦେଖି ଦର୍ଶକ ମାତ୍ରକେ ମୁଗ୍ଧ ନହୋଇ ରହିପାରିବ ନାହିଁ, ଚିଲିକାର ଦୃଶ୍ୟ କେବଳ ନିତ୍ୟ ନୂତନ ନୁହେ, ତାହା କ୍ଷଣ ନୂତନ ମଧ୍ୟ ଅଟେ, ତାହା କେବଳ ଅନୁଭବିର ଅନୁଭବ୍ୟ ସୁତରାଂ ବର୍ଣ୍ଣନାତୀତ ।"

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Monday, May 29, 2017

ଚିଲିକାର ବିଭବ - ୧


ଡାକ୍ତର ରାଧାଚରଣ ପଣ୍ଡା


ଚିଲିକା ହ୍ରଦରେ ନଉକା ଚାଳନା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"କର୍ପୂର ଉଡ଼ିଯାଇ କନା ପଡ଼ିଛି" ବୋଲି ସମସ୍ତେ କହନ୍ତି---, କିନ୍ତୁ ସେଇ କନାରେ ଯେ କର୍ପୁରର ଗନ୍ଧ ରହିଛି, ଏକଥା ଜାଣିବାକୁ କେଇହେଲେ ଇଚ୍ଛା କରନ୍ତି ନାଇଁ--- ଏହାହିଁ ଚିନ୍ତାର ବିଷୟ !

କର୍ପୁର ଉଡ଼ିଯାଉ--- କନା ଯେତେବେଳେ ଆମହାତରେ ରହିଛି---ଚାଲ--- ପୁଣି ନୂଆ କର୍ପୂର ଆଣି ତହିଁରେ ବାନ୍ଧିବା--- ଜଣେତ କେଇ ଏପରି କର୍ପୂର ବାନ୍ଧିଥିଲା--- ଆମେ କିଆଁ ସେପରି ନବାନ୍ଧିବା ? ଏପରି ମନୋଭାବ ଆମର କାଇଁ ? 

ଆମ ଓଡ଼ିଶାର ସବୁ 'ବଡ଼' - ବଡ଼ ଠାକୂର, ବଡ଼ନଦୀ, ବଡ଼ଦାଣ୍ଡ, ବଡ଼ପଣ୍ଡା--- ଓଗେର ତା' ପଛକୁ ବଡ଼ ବନ୍ୟା, ବଡ଼ ଦୁର୍ଭିକ୍ଷ, ବଡ଼ ରୋଗ, ବଡ଼ ଗରିବ, ବଡ଼ କୂଲି--- ଇତ୍ୟାଦି, ଏସବୁ---

"ପୂର୍ବ ପୁରୁଷର ପ୍ରତିଷ୍ଠା ବିଶାଳ
ବିକି ଭାଙ୍ଗି ଖାଉଥିବା କେତେ କାଳ"? 

ଓଡ଼ିଶାର ପ୍ରକୃତି ସୁନ୍ଦରୀ - ଶୋକ ପାସୋରା ଅପସରା ଭୁବନ--- ଏବଂ ମରାଳ ମାଳିନୀ - ନୀଳାମ୍ବୁ ଚିଲିକା କହିଲେ ଆମଦେଶର ପାଠୁଆ ମାନେ କେବଳ ରାଧାନାଥଙ୍କର 'ଚିଲିକା' କାବ୍ୟଟିକୁ  ମନେ ପକାନ୍ତି --- କିନ୍ତୁ ଏ ପ୍ରକୃତି ସୁନ୍ଦରୀ ଗର୍ଭରେ ଓଡ଼ିଶାର କି ବିଭବ-ସମ୍ପଦ ରହିଛି ତା' ଜାଣିବା ପାଇଁ କେତେଜଣ - ବିଶେଷତଃ, ଓଡ଼ିଶାବାସୀ- ଇଚ୍ଛା କରନ୍ତି ? ପ୍ରତିବର୍ଷ ବହୁ ସଙ୍ଖ୍ୟକ ସ୍ଲୁଲଛାତ୍ର --- ଶିକ୍ଷକ---ଦର୍ଶକ ଆସି ଚିଲିକା ଦେଖିଯାନ୍ତି, କିନ୍ତୁ କେଇ ହେଲେ ଏହାର ବିଭବ ନେଇ କିଛି ଆଲୋଚନା ଓ ଅନୁସନ୍ଧାନ କରନ୍ତି କି ନାହିଁ ସନ୍ଦେହ । ଯା' ହେଉ ଏକ୍ଷଣି ଏଇ ଚିଲିକା ବିଭବ ନେଇଁ କେତେକଥା ଏଠାରେ ବର୍ଣ୍ଣନା କରିବି:-

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Saturday, May 27, 2017

ପିଲାଙ୍କ ପାଇଁ କବିତା - 'ଡର'


କବି - ଜଗନ୍ନାଥ ପ୍ରସାଦ ଦାସ



ଗ୍ରୀକେ ସୁରାଭାଣ୍ଡରେ ଛାଗଯୁଥଙ୍କର ଦୃଶ୍ୟ (ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଛାଗର ଡର ବାଘକୁ
ଫାଗକୁ ଡରେ ବାଘ
ଫାଗ ଡରିଥାଏ ଛାଗକୁ
ତିନିହେଁ ତିନିଙ୍କି ଆଗ ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।

Monday, May 22, 2017

ଓଟ ମେଳା

ବିଶ୍ୱଜିତ ଆପଟ 



ଭାରତର ଉତ୍ତର-ପଶ୍ଚିମ ସୀମାରେ ପାକିସ୍ତାନକୁ ଲାଗି ଯେଉଁ ରାଜ୍ୟଟି ରହିଛି, ତାହାର ନାମ ହେଲା ରାଜସ୍ଥାନ । ରାଜସ୍ଥାନର ଆଜମେର ଜିଲ୍ଲାରେ ପୁଷ୍କର ବୋଲି ଗୋଟିଏ ସହର ଅଛି । ଏହି ସହରରେ କାର୍ତ୍ତିକ ଏକାଦଶୀ ଠାରୁ ପୂନେଇ ଯାଏଁ ପାଞ୍ଚ ଦିନ ଧରି ଏକ ବଡ ମେଳା ଲାଗେ । ଇଂରାଜୀ କାଲେଣ୍ଡର ଅନୁସାରେ ମେଳା ପ୍ରାୟ ଅକ୍ଟୋବର-ନଭେମ୍ବର ମାସରେ ପଡେ । ପଚାଶ ହାଜାର ଓଟଙ୍କ ସହିତ ତିନି ଲକ୍ଷ ଲୋକ ମଧ୍ୟ ଏଠାରେ ଏକାଠି ହୁଅନ୍ତି । ଏହି ମେଳାକୁ “ପୁଷ୍କର ଓଟ ମେଳା” ବା କେବଳ “ପୁଷ୍କର ମେଳା” ବୋଲି ଲୋକେ କହିଥାଆନ୍ତି । ଏହା ପୃଥିବୀର ସବୁଠାରୁ ବଡ ଓଟ ମେଳା । କେବଳ ଓଟ ନୁହେଁ, ଅନ୍ୟାନ୍ୟ ପାଳିତ ପଶୁ ଯେପରିକି ଗାଇ, ଛେଳି, ମେଣ୍ଢା, ଏପରିକି ଘୋଡା ମଧ୍ୟ ବିକ୍ରି କରିବାକୁ ଏଠାକୁ ଅଣାଯାଇଥାଏ । ପଶୁ କିଣାବିକା ବ୍ୟତୀତ ଏଠାରେ ଅନେକ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୁଏ; ଯେମିତିକି, ମାଠିଆ ଭାଙ୍ଗିବା ପ୍ରତିଯୋଗିତା, ଲମ୍ବା ନିଶ ପ୍ରତିଯୋଗିତା ଓ ଆହୁରି କେତେ କ’ଣ । ଏଣୁ ଧୀରେ ଧୀରେ ପୁଷ୍କର ମେଳା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ହୋଇଉଠିଛି । କେତେ ବର୍ଷ ହେଲା ସ୍ଥାନୀୟ ପିଲାଏ ବିଦେଶୀ ପର୍ଯ୍ୟଟକଙ୍କ ସହ କ୍ରିକେଟ ମ୍ୟାଚ ମଧ୍ୟ ଆୟୋଜନ କରୁଛନ୍ତି । 



ପଶୁ ବେପାର, ପର୍ଯ୍ୟଟନ, ପ୍ରତିଯୋଗିତା ଇତ୍ୟାଦି ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଛି – ତୀର୍ଥଯାତ୍ରା । ଏ ମେଳାର ଏକ ଧାର୍ମିକ ମହତ୍ତ୍ୱ ରହିଛି । ପୁଷ୍କର ଏକ ଛୋଟିଆ ସହର, କିନ୍ତୁ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ଏହା ଏକ ପବିତ୍ର ସ୍ଥାନ ଅଟେ । ଏହି ସହର ପୁଷ୍କର ନାମକ ହ୍ରଦ ଉପକୂଳରେ ଗଢିଉଠିଛି । ସହରଟିର ଓ ହ୍ରଦର ରାମାୟଣ, ମହାଭାରତ ତଥା ପୁରାଣଗୁଡିକରେ ବର୍ଣ୍ଣନା ରହିଛି ।

ଯେମିତିକି ପଦ୍ମ ପୁରାଣରେ କୁହାଯାଇଛି ଯେ, ବଜ୍ରନାଭ ବୋଲି ଜଣେ ଦାନବ ଲୋକଙ୍କୁ ଅତ୍ୟାଚାର କରୁଥିଲା ଓ ନିଜ ପିଲାମାନଙ୍କୁ ହତ୍ୟା କରିବାକୁ ଚେଷ୍ଚା କରୁଥିଲା । ଏହା ବ୍ରହ୍ମାଙ୍କ ଆଖିରେ ପଡିଲା ଓ ସେ ତତକ୍ଷଣାତ ସେ ନିଜ ଅସ୍ତ୍ର ଦ୍ୱାରା ସେହି ଦାନବକୁ ବଧ କଲେ । ବ୍ରହ୍ମା ପ୍ରୟୋଗ କରିଥିବା ଅସ୍ତ୍ରଟି ହେଉଛି ଏକ ପଦ୍ମ ଫୁଲ । ସେହି ପଦ୍ମ ଫୁଲର ପାଖୁଡା ତିନୋଟି ସ୍ଥାନରେ ପଡିଲା ଓ ସେ ଜାଗାରୁ ଝରଣାଟିଏ ବାହାରିଲା । ତିନୋଟି ଝରଣାରୁ ତିନୋଟି ହ୍ରଦ ସୃଷ୍ଟି ହେଲା – ଜ୍ୟେଷ୍ଠ ପୁଷ୍କର, ମଧ୍ୟ ପୁଷ୍କର ଓ କନିଷ୍ଠ ପୁଷ୍କର । ବ୍ରହ୍ମାଙ୍କ ‘କର’ ବା ହାତରୁ ‘ପୁଷ୍ପ’ ପଡି ସେ ହ୍ରଦଟିମାନ ସୃଷ୍ଟି ହୋଇଥିବାରୁ ନାମ ରହିଲା ପୁଷ୍କର । ଏଠାରେ ବ୍ରହ୍ମାଙ୍କର ଏକ ମନ୍ଦିର ଅଛି । ଭାରତରେ ବ୍ରହ୍ନାଙ୍କ ମନ୍ଦିର ଆଉ କେଉଁଠାରେ ଅଛି କହିପାରିବ କି ? 

ଏଣୁ ପୁଷ୍କର ସହର ଏକ ତୀର୍ଥସ୍ଥଳୀ ଅଟେ । କାର୍ତ୍ତିକ ପୂର୍ଣ୍ଣିମା ଦିନର ପାହାନ୍ତାରେ ପୁଷ୍କର ହ୍ରଦରେ ବୁଡ ପକାଇବା ଏକ ପବିତ୍ର କଥା ବୋଲି ମାନ୍ୟତା ରହିଛି । ସ୍ନାନ ପରେ ଲୋକେ ବ୍ରହ୍ମାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି ।


୧୮୭୮ ମସିହାରେ ନର୍ଥ ମାରିଏନ ଆଙ୍କିଥିବା ପୁଷ୍କର ହ୍ରଦର ଚିତ୍ର

ମେଳାରେ ପୁରୁଷମାନେ ପଶୁ କିଣାବିକା କଲାବେଳେ ମହିଳାମାନେ ଚୁଡି ଓ ଲୁଗାପଟା ଦେକାନଗୁଡିକରେ ଭିଡ ଜମାନ୍ତି । ଅନେକ ଦୋକାନରେ ସ୍ଥାନୀୟ କଳା ଓ ଶିଳ୍ପ ଦେଖିବାକୁ ମିଳେ । ମେଳା ଆରମ୍ଭ ହୁଏ ଓଟ ଦୌଡରୁ । ଓଟମାନଙ୍କୁ ଭଲ ଭାବେ ଗାଧୋଇ ସୁନ୍ଦର ଭାବେ ସଜାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ପ୍ରତିଯୋଗିତା କରି ସବୁଠାରୁ ସୁନ୍ଦର ଭାବେ ସଜାଯାଇଥିବା ଓଟ, ସବୁଠାରୁ ବେଶୀ ଲୋକଙ୍କୁ ପିଠିରେ ବୋହିନେଇ ପାରୁଥିବା ଓଟ ଆଦିଙ୍କୁ ପୁରସ୍କାର ଦିଆଯାଏ । ତାହା ପରେ କେତେ ପ୍ରକାରର ସଙ୍ଗୀତ, ନୃତ୍ୟ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆଦି ପାଞ୍ଚ ଦିନ ଧରି ଚାଲେ । ମହିଳାମାନଙ୍କର ରଙ୍ଗବେରଙ୍ଗ ପୋଷାକ, ପୁରୁଷଙ୍କର ସଫେଦ ପୋଷାକ, ପାରମ୍ପରିକ ଗହଣାଗାଣ୍ଠି, ପଶୁଙ୍କ ଗହଣା, ରାଜସ୍ଥାନୀ ଖାଦ୍ୟ, ଭଳିକିଭଳି ଦୋଳି, ଉଡନ୍ତା ବେଲୁନ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାହାରରେ ଏକ ରଙ୍ଗୀନ ପରିବେଶ ସୃଷ୍ଟି ହୁଏ । ପାଖରେ ଥିବା ଆରାବଳୀ ପର୍ବତ ଚଢି ମଧ୍ୟ ଏ ଦୃଶ୍ୟ ଉପଭୋଗ କରାଯାଇପାରେ ।



ଆରାବଳୀ ପର୍ବତ ଉପରୁ ପୁଷ୍କର ସହର ହ୍ରଦର ଦୃଶ୍ୟ


ସମସ୍ତ ଚିତ୍ରର ଉତ୍ସ: ୱିକିମିଡିଆ କମନସ୍

ଆଲୋଚନା ବିନ୍ଦୁ:
୧. ପିଲାମାନେ ପାକିସ୍ତାନ, ରାଜସ୍ଥାନ, ଆଜମେର, ପୁଷ୍କର ସହର ଓ ହ୍ରଦର ଅବସ୍ଥିତି ମାନଚିତ୍ରରେ ଦେଖାଇବେ 

୨. ଆରାବଳୀ ପର୍ବତ 

୩. ହିନ୍ଦୁ କାଲେଣ୍ଡର

୪. ରାଜସ୍ଥାନୀ ଜନଜୀବନରେ ଓଟ କାହିଁକି ମହତ୍ୱପୂର୍ଣ୍ଣ 

୫. ରାଜସ୍ଥାନର ପାରମ୍ପାରିକ କଳାଶିଳ୍ପ, ସଙ୍ଗୀତ, ଖାଦ୍ୟ ଓ ବେଶ ପୋଷାକ

୬. ପର୍ଯ୍ୟଟନ ଓ ତୀର୍ଥଯାତ୍ରା

୭. ସ୍ଥାନୀୟ ଅର୍ଥନୀତି ପାଇଁ ମେଳାର କ’ଣ ଗୁରୁତ୍ୱ ରହିଛି