Tuesday, August 21, 2018

ଆମେରିକୀୟ କବି ଜଏସ୍ କିଲ୍‌ମର୍‌ଙ୍କ କବିତା 'ବୃକ୍ଷଠାରୁ ଅଧିକ ମନୋହର'

ଅନୁବାଦିକା - ଆତ୍ମଜା


ଚିତ୍ର - 'ଅଣ୍ଡର୍ ଦି ବାନ୍ୟନ୍ ଟ୍ରି' (୧୯୩୧ ମସିହାରେ ଅଙ୍କିତ)
ଚିତ୍ରକର: ଚାର୍ଲ୍ସ୍ ଡବ୍ଲ୍ୟୁ. ବାର୍ଟ୍‌ଲେଟ୍ (୧୮୬୦ - ୧୯୪୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବୃକ୍ଷ ଠାରୁ ଅଧିକ ମନୋହର କେବେ
କବିତାଟେ ଦେଖି ନାହିଁ,
ଦେଖିବାର ସମ୍ଭାବନା ନାହିଁ ।

ଯେ ବୃକ୍ଷ କ୍ଷୁଧାରେ ତା'ର
ଅଧରରେ ଚାପି ଧରେ
ଏ ଧରାର ସୁମଧୁର ଉଛୁଳା ସ୍ତନକୁ;
ଚତୁଷ୍ପାର୍ଶ୍ୱେ ଚାହିଁ ଦେଖେ ଇଶ୍ୱରତତ୍ତ୍ୱକୁ,
ବାହୁ ତା'ର ତୋଳି କରେ 
ପ୍ରାର୍ଥନା ତା' ପ୍ରଭୁ ପାଦେ,
ପର୍ଣ୍ଣ ହସ୍ତ ଥାଏ ସଦା, ସମର୍ପିତ ଭାବେ ।

ତା' କେଶର ଆଶ୍ରୟରେ 
ଗଭାରେ ସେ ନାଇ ପାରେ
ଗ୍ରୀଷ୍ମ କାଳେ ବିହଙ୍ଗର ଛୋଟ ନୀଡ଼ଟିଏ;
ବକ୍ଷ ସ୍ଥଳେ ପଡ଼େ ଯା'ର ଶିଶିରର ହେମାଳ ବେଳାରେ
ତୁଷାରର ଆସ୍ତରଣ ପ୍ରସ୍ତ ପ୍ରସ୍ତ ହୋଇ
ତା' ତନୁକୁ ଦିଏ ଯେ ଘୋଡ଼ାଇ;
ବରଷାର ଜଳଧାରା
ତା' ଶରୀର ସିକ୍ତ କରେ
ତା' ସାଥିରେ ରହେ ସେ ଯେ ଅନ୍ତରଙ୍ଗ ଭାବେ ।

ବୃକ୍ଷ ପରି ଆଲେଖଟେ
ଲେଖି ମୁଁ ପାରିବି ନାହିଁ ।
ମୋ ପରି ଅଧମ ଜନ କବିତା ରଚନ୍ତି;
ବୃକ୍ଷର ସର୍ଜନା ମାତ୍ର  ଈଷ ହିଁ କରନ୍ତି ।

Monday, August 20, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବାଙ୍ଗାଲୋର ବିଜ୍ଞାନ ଭବନରେ ବକ୍ତୃତା'

ଅନୁବାଦ - ଚିତ୍ତରଞ୍ଜନ ଦାସ


ଭାରତୀୟ ବିଜ୍ଞାନ ସଂସ୍ଥାନର ମୂଖ୍ୟ କୋଠାର ଭିତର ବାରଣ୍ଡାର ଚିତ୍ର

ଗାନ୍ଧୀଜୀ ଦୀର୍ଘ ନିଃଶ୍ୱାସ ପକାଇ କହିଲେ ”ମୁଁ କେଉଁଠି ଆସି ପହଞ୍ଚିଲି ?  ମୋ ଭଳି ଗାଉଁଲି ଲୋକର ଏଠି ସ୍ଥାନ ନାହିଁ । ଭୟ ଓ ବିସ୍ମୟରେ ମୋର ବାକ୍‌ରୋଧ ହୋଇ ଯାଉଛି । ମୋର ବେଶି କିଛି କହିବାକୁ ମନ ଚଳୁ ନାହିଁ । ମୁଁ ଏତିକି କହି ପାରେ ଯେ, ଏହି ଯେଉଁ ସବୁ ବିଶାଳ ଗବେଷଣାଗାର ଓ ବୈଦ୍ୟୁତିକ ଯନ୍ତ୍ରପାତି ଆପଣମାନେ ଦେଖୁଛନ୍ତି, ସେସବୁ ଲକ୍ଷଲକ୍ଷ ଲୋକଙ୍କର ପରିଶ୍ରମ ଯୋଗୁଁ-ଅନିଚ୍ଛା-ପୂର୍ଣ୍ଣ ଓ ବାଧ୍ୟତାମୂଳକ ପରିଶ୍ରମ ଯୋଗୁଁ-ସମ୍ଭବ ହୋଇଛି । ଟାଟାଙ୍କର ତିରିଶ ଲକ୍ଷ ଟଙ୍କା ବାହାରୁ ଆସି ନାହିଁ କିମ୍ୱା ମହୀଶୂର-ଦାନ ଅନ୍ୟ କେଉଁଠାରୁ ଆସି ନାହିଁ । ସବୁ ଏହି ଭିକାରୀର ସଂସାରରୁ ଆସିଅଛି । 

ଯଦି ଆମ୍ଭେମାନେ ଗ୍ରାମବାସୀମାନଙ୍କୁ ଭେଟି ବୁଝାଇ ଦେଉଁ ଯେ, ଯେଉଁ କୋଠାବାଡ଼ କଳକବ୍‌ଜାରେ ସେମାନଙ୍କର କିଛି ଉପକାର ନାହିଁମାତ୍ର ସେମାନଙ୍କର ଭବିଷ୍ୟତ ବଂଶଧରମାନେ ଉପକୃତ ହେବେଏହି ଯୁକ୍ତିରେ ସେମାନଙ୍କର ଧନକୁ ଆମେ କିପରୁ ଖର୍ଚ୍ଚ କରୁଅଛୁଁ,ସେମାନେ କିଛି ବୁଝିବେ ନାହିଁ । ସେମାନେ ଉଦାସୀନ ରହିବେ । ଆମ୍ଭେମାନେ କେବେହେଁ ସେମାନଙ୍କ ବିଶ୍ୱାସଭଜନ ହୋଇପାରୁ ନାହିଁ । ଆମେ ସେମାନଙ୍କର ଉପରେ ଆମର ଅଧିକାର ଅଛି ବୋଲି ଧରି ନେଇଛୁଁ । 

“ପ୍ରଜାମାନଙ୍କର ନାହିଁ ମତ, ନାହିଁ କର”ସେମାନଙ୍କର ଏହି ନୀତି ଆମ ପ୍ରତି ମଧ୍ୟ ପ୍ରଯୁଜ୍ୟ ବୋଲି ଆମେ ଭୁଲି ଯାଉଛୁଁ । ଯଦି ପ୍ରକୃତରେ ଏହି ନିୟମକୁ ପ୍ରୟୋଗ କରାଯାଏ ଏବଂ ସେମାନଙ୍କୁ ଏପରି ଖର୍ଚ୍ଚର ହିସାବ ଦେବାକୁ ଆପଣମାନେ ଦାୟୀ ବୋଲି ଉପଲ୍‌ବଧ କରନ୍ତିତାହା ହେଲେ ଏସବୁ ସାଜ-ସରଞ୍ଜାମର ଆଉ ଗୋଟିଏ ଦିଗ ଅଛି ବୋଲି ବୁଝିବେ ସେତେବେଳେ ଯାଇ ଆପଣମାନେ ବୁଝିବେ ଯେ, ଆପଣମାନଙ୍କର ହୃଦୟରେ ସେମାନଙ୍କ ପାଇଁ କ୍ଷୁଦ୍ର ନୁହେଁ ମାତ୍ର ବିଶାଳ ସହାନୁଭୂତି ଅଛି । ପୁଣି ଯଦି ଏହି ସହାନୁଭୂତିକୁ ବଜାୟ ରଖନ୍ତିତାହା ହେଲେ ଯେଉଁ କୋଟିକୋଟି ଲୋକଙ୍କର ପରିଶ୍ରମ ଉପରେ ଆପଣମାନଙ୍କର ଶିକ୍ଷା ନିର୍ଭର କରୁ ଅଛିସେହିମାନଙ୍କ ଉପକାରରେ ଆପଣମାନଙ୍କର ଜ୍ଞାନର ସଦୂପଯୋଗ କରିବେ । 

ଆପଣମାନେ ମୋତେ ଯେଉଁ ପାଣ୍ଠି ଦେଇଛନ୍ତି, ମୁଁ ତାକୁ ଦରିଦ୍ର ନାରାୟଣଙ୍କ ସେବାରେ ଲଗାଇବି । ପ୍ରକୃତ ଦରିଦ୍ର ନାରାୟଣଙ୍କୁ ମୁଁ ସୁଦ୍ଧା ଦେଖି ନାହିଁ, ମାତ୍ର ମୋର କଳ୍ପନା ବଳରେ ଜାଣିଛି । ଯେଉଁ କଟାଳିମାନେ ଏ ପଇସା ପାଇବେ, ସେମାନେ ପ୍ରକୃତ ଦରିଦ୍ର-ନାରାୟଣ ନୁହନ୍ତି । ପ୍ରକୃତ ଦରିଦ୍ର ନାରାୟଣ ବହୁ ଦୂର ଗାଁଆମାନଙ୍କର ନିଭୃତ କୋଣରେ ରହନ୍ତି । ସେଗୁଡ଼ିକ ଆମେ ଏ ପର୍ଯ୍ୟନ୍ତ ଦେଖି ନାହୁଁ । ଆପଣମାନଙ୍କର ଅଧ୍ୟାପକ ମୋତେ କହିଲେ ଯେ, କେତେକ ରାସାୟନିକ ପଦାର୍ଥର ଧର୍ମ (ପ୍ରପର୍ଟିଜ୍) ଜାଣିବାକୁ ବର୍ଷବର୍ଷ ଲାଗିବ । କିନ୍ତୁ ଏସବୁ ଗାଁଆକୁ କିଏ ଖୋଜି ବାହାର କରିବ ? ଯେପରି ଆପଣମାନଙ୍କର ଗବେଷଣାଗାରରେ ଦିନରାତି ଚବିଶ ଘଣ୍ଟା ପ୍ରୟୋଗ ଚାଲିଛି, ଠିକ୍ ସେହିପରି ଆପଣମାନଙ୍କର ହୃଦୟର ବିଶାଳ ସହାନୁଭୂତ କୋଟି କୋଟି ଦରିଦ୍ର ଜନତାଙ୍କର ହିତରେ ସଦା ସର୍ବଦା ଜାଗରୁକ ରହିଥାଉ ।

ସାଧାରଣ ବାଟଗଲା ଲୋକ ଅପେକ୍ଷା ଆପଣମାନଙ୍କ ଠାରୁ ମୁଁ ବହୁତ ବେଶୀ ଆଶା କରେଁ । ମୋତେ ଯତ୍‌ସାମାନ୍ୟ ଦାନ କରିଛନ୍ତି, ସେତିକିରେ ସନ୍ତୁଷ୍ଟ ରହନ୍ତୁ ନାହିଁ ଏବଂ କହନ୍ତୁ ନାହିଁ, “ଆମେ ଯାହା ପାରୁଁ କରି ସାରିଛୁ, ଚାଲନ୍ତୁ ଟେନିସ୍ ଓ ବିଲିୟାର୍ଡ ଖେଲିବା ।“ ମୁଁ କହି ରଖୁଛି, ବିଲିୟାର୍ଡ ଖେଳିବାର ଘର ଏବଂ ଟେନିସ୍ କୋର୍ଟରେ ଆପଣମାନେ ଚିନ୍ତା କରନ୍ତୁ, ଆପଣମାନଙ୍କର ଉପରେ କେତେ ଋଣ ଗଦା ହୋଇ ଦିନକୁ ଦିନ ବଢ଼ି ଚାଲିଛି । 

ମାତ୍ର ଭିକ୍ଷୁକ ତାହାର ମନମୁତାବକ ଭିକ୍ଷା ଦାବୀ କରିପାରେ ନାହିଁ । ଆପଣମାନଙ୍କର ଦାନ ପାଇଁ ମୁଁ ଧନ୍ୟବାଦ ଦେଉଅଛି । ମୁଁ ଯେଉଁ ନିବେଦନ କରିଛି, ତାହାକୁ ସ୍ମରଣ କରନ୍ତୁ ଏବଂ କାର୍ଯ୍ୟରେ ପରିଣତ କରନ୍ତୁ । ଦରିଦ୍ର ମା, ଭଉଣୀମାନେ ଯେଉଁ ଲୁଗା ତିଆରି କରି ଦେଇଛନ୍ତିତା'କୁ ପିନ୍ଧିବା ପାଇଁ ଭୟ କରନ୍ତୁ ନାହିଁ । ଆପଣମାନେ ଖଦୀ ପିନ୍ଧିବା ଦ୍ୱାରା ଯଦି କର୍ତ୍ତୃପକ୍ଷ ଆପଣମାନଙ୍କୁ ଅନୁଷ୍ଠାନରୁ ବାହାର କରି ଦିଅନ୍ତି, ତେବେ ଭୟ କରନ୍ତୁ ନାହିଁ ଏବଂ ନିଜର ବିଶ୍ୱାସରେ ଦୃଢ଼ ହୋଇ ଦୁନିଆ ଆଗରେ ଠିଆ ହୁଅନ୍ତୁ । 

ଧନ-ସମ୍ପତ୍ତି ଲୋଭରେ କୋଟି କୋଟି ମୂଳ ଦେଶବାସୀଙ୍କର ପ୍ରତି ଆପଣମାନଙ୍କର (ସେବାର) ଆବେଗପୂର୍ଣ୍ଣ ଆଗ୍ରହ ରୁଦ୍ଧ ହୋଇ ନ ଯାଉ । ଯେଉଁ ଆଭ୍ୟନ୍ତରୀଣ ବା ଅନ୍ତରେ ଗବେଷଣା ଆପଣମାନଙ୍କର ହୃଦୟକୁ କୋଟି ଜନତାର ହୃହୟ ସହିତ ଗୁନ୍ଥିପାରେ ଏବ‌ଂ ଯାହା ପାଇଁ ବାହ୍ୟ ଗବେଷଣା ଆବଶ୍ୟକ ନାହିଁଆପଣମାନେ ସେପରି ଏକ ଅଧିକ ଶକ୍ତିଶାଳୀ ବା ମହତ୍ତର ବେତାର ଯନ୍ତ୍ର ଉଭାବନ କରି ପାରନ୍ତି । ଯେଉଁ ଗବେଷଣା ଅନ୍ତରର ଗବେଷଣା ସହିତ ସମ୍ପୃକ୍ତ ନୁହେଁ, ତାହା ନିରର୍ଥକ । 

ଯଦ୍ୟପି ଆପଣମାନଙ୍କର ଆବିଷ୍କ୍ରିୟ ଗୁଡ଼ିକର ଲକ୍ଷ୍ୟ ଦରିଦ୍ର ଲୋକଙ୍କର କଲ୍ୟାଣ ନ ହୁଏ, ତେବେ ଆପଣମାନଙ୍କର କାରଖାନାଗୁଡ଼ିକ ଶୟତାନର କାରଖାନା ଗୁଡ଼ିକଠାରୁ କୌଣସି ଗୁଣରେ ଭଲ ହେବ ନାହିଁ । ଏକଥା ରାଜଗୋପାଳଚାରୀ ପରିହାସରେ କହିଥିଲେ । ଗବେଷଣାକାରୀ ଛାତ୍ରମାନେ ଯେପରି ଚିନ୍ତାଶୀଳ ହେବା ଉଚିତ, ଆପଣମାନଙ୍କର ଚିତ୍ତ ଯଦି ସେହିପରି ଚିନ୍ତାଶୀଳତେବେ ତାହା ପାଇଁ ମୁଁ ଯଥେଷ୍ଟ ଖାଦ୍ୟ ଦେଲିଣି ।"

- 'ୟଙ୍ଗ ଇଣ୍ତିଆ'; ତା - ୨୧--୧୯୨୭

Sunday, August 19, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଇଚିରି ମିଚିରି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


୧୬୪୮ ମସିହାର ଏକ ଇଂ‌ରାଜୀ ହସ୍ତରେଖାଶାସ୍ତ୍ରରୁ ଆନୀତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଇଚିରି ମିଚିରି ଧୋବ ଖିର୍ ଖିର୍
ଇଟା ଟିଙ୍ଗା ଝୋଲୁ ।
ହାଡ଼ କୁଟି କୁଟି ମାଉଁସ କୁଟି
ଆଙ୍ଗୁଠି ଗୋଟେ ମୋର ।

ଖଏର୍ ଖାର ବାହାନାର
ଇଟା ଟିଙ୍ଗା ଝୋଲ୍
ହାଡ଼ କୁଟି ମାଉଁସ କୁଟି
ଆଙ୍ଗୁଠି ଗୋଟେ ମୋର ।

ବି.ଦ୍ର.: ଏହି ଗୀତ ଗାଇ ଜଣେ ପିଲା ଆଙ୍ଗୁଠି ଖୋଲି ଦେଖାଏ । ସାଥୀ ପିଲାମାନେ ପଦେ ପଦେ ଗୀତ ଗାଇ ଗୋଟିଏ ଆଙ୍ଗୁଠି ଟାଣି ଧରନ୍ତି । ଏହି ପରି ସେମାନେ ଗଣି ଶିଖନ୍ତି । 

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Saturday, August 18, 2018

ପିଲାଙ୍କ ଖେଳ କଉତୁକ ଗୀତ - 'କୂଳ ମୂଳ ଦଉଡ଼ି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୂଳ ମୂଳ ଦଉଡ଼ି,
ବାଘ ନେଲା ଘଉଡ଼ି,
ତାଳଗଛରେ ଭଅଁର ପୋକ
ମୁଁ କି ଜାଣେ ପିଲା ଲୋକ ?

ହୁଁ କରାଟ ପିଠଉ ବାଟ,
ରଙ୍ଗଦଉଡ଼ିଆ ଛାଟ,
ଭରତ ମାଇଲେ ଯୋଡ଼ା ବାଟୁଳି
ପଡ଼ିଗଲା ହନୁମନ୍ତ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, August 17, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଗୁଆ ଗଛ ଧାଡ଼ିକି ଧାଡ଼ି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ପାନ୍‌କର୍ବୋ: ପାସି‌ଂ ଟ୍ରେନ୍' (୧୯୦୧ ମସିହାରେ ଅଙ୍କିତ)
ଚିତ୍ରକର - ଦାରିଓ ଦି ରେଗୋୟୋସ୍ (ସ୍ପେନ ଦେଶ: ୧୮୫୭, ଜନ୍ମ - ୧୯୧୩ ମୃତ୍ୟୁ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗୁଆ ଗଛ ଧାଡ଼ିକି ଧାଡ଼ି
ଅଇଲାଣି ଭାଇ ମେଲ୍ ଗାଡ଼ି 
ମେଲ୍ ଗାଡ଼ିରେ ବହୁତ ଲୋକ
ମୁହଁ ଦିଶୁଥାଏ ଜକ ଜକ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, August 16, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ଶୀତ ଗୀତ'


ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ନେପାଳ ଦେଶରେ କାର୍ତ୍ତିକ ମାସର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କାର୍ତ୍ତିକ, ଶୀତ କରେ ରାତିକ ।
ମାର୍ଗଶୀର, ଶୀତ କରେ ଶିର ଶିର ।
ପଉଷ, ଶୀତର ବଢ଼େ ସାହସ ।
ମାଘ, ଶୀତ ହୁଏ ବାଘ (ଶୀତର ବଡ଼ ରାଗ)
ଫଗୁଣ, ଶୀତ କରେ ଦି' ଗୁଣ ।
ଚଇତ, ଶୀତ ଯାଏ ବୋଇତ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, August 15, 2018

ପିଲାଙ୍କ ଖେଳ କଉତୁକ ଗୀତ - 'ବାଘ ପାଣି ପିଏ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ସୁନ୍ଦରବନରେ ପୀର ଗାଜି ଓ ତାଙ୍କର ବାଘ
୧୮ଶହ-୧୯ଶହ ଶତାବ୍ଦୀର ଚିତ୍ର: ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଘ ପାଣି ପିଏ ଚାକୁରୁ ଚାକୁରୁ
ବିଲୁଆ ବୋବାଏ ହାକୁରୁ ହାକୁରୁ
ଟିଙ୍ଗରି ଚଢ଼େଇ ଟିଙ୍ଗ୍‌ଟିଙ୍ଗ୍,
ମୂଷା ଧାନ ଖାଏ କୁଟୁରୁ କୁଟୁରୁ
ଲାଞ୍ଜ କରୁଥାଏ ଚୁଟୁରୁ ଚୁଟୁରୁ
ଗୁଣ୍ଡୁଚି ବୋବାଏ ପିଙ୍ଗ୍‌ପିଙ୍ଗ୍ ।
(ଦୁଇ ହାତକୁ ଯୋଡ଼ି କ୍ରମାନ୍ୱୟରେ ହଲାଇ ଏ ଗୀତ ବୋଲାଯାଏ ।)

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।