Saturday, March 14, 2020

ଜ୍ଞାନଲାଭର ପ୍ରଥମ ସୋପାନ

ଶଶିଭୂଷଣ ରାୟ


ଚିତ୍ର - 'ଦି ଗୁଡ଼୍ ଏଜୁକେସନ୍'
ଚିତ୍ରକର - ଜଁ ବାପ୍ତିସ୍ତ୍ ସିମଁ ସାର୍ଦଁ (୧୬୯୯ - ୧୭୭୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଜ୍ଞାନଲାଭର ପ୍ରଥମ ସୋପାନ ବିଷୟ ଦୃଷ୍ଟି, ବିଷୟ-ବୋଧ ଓ ବିଷୟ-ଜ୍ଞାନ । ବିଷୟ ପ୍ରତି ଚିତ୍ତାକର୍ଷଣ ଓ ମନଃସଂଯୋଗରୁ ଏହି ଜ୍ଞାନଲାଭ ହୋଇପାରେ ।

ପ୍ରଥମରେ ବିଷୟଟି ପ୍ରତ୍ୟକ୍ଷଭୂତ ହେବା ଆବଶ୍ୟକ, ଏହା ଉତ୍ତାରୁ ସେହି ପ୍ରତ୍ୟକ୍ଷୀଭୂତ ବିଷୟ ଯେବେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରିପାରେ, ତେବେ ତାହା ପ୍ରତି ଆମ୍ଭମାନଙ୍କର ମନଃସଂଯୋଗ ହୋଇଥାଏ । ଏହି ମନଃସଂଯୋଗ ହେତୁ ବିଷୟକୁ ଆମ୍ଭେମାନେ ମନକୁ ଟାଣି ନେଇଥାଉ, ଆମ୍ଭମାନଙ୍କ ମନରେ ତାହା ମୁଦ୍ରିତ ହୋଇଥାଏ । ଏହି ମୁଦ୍ରଣରୁ ଆମ୍ଭମାନଙ୍କର ଜ୍ଞାନ ହେବା ହିଁ ସ୍ୱାଭାବିକ । 
ଆମ୍ଭମାନେ ଯେତେବେଳେ ବଜାର ହାଟକୁ ଯାଉଁ, ଯାତ୍ରା ଓ ତୀର୍ଥ ପ୍ରଭୃତିକୁ ଯାଉ, ସେତେବେଳେ ବହୁ ମନୁଷ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼ିଥାଆନ୍ତି, ବହୁ ଶଦ୍ଦ ଆମ୍ଭମାନଙ୍କର ଶୃତି ଗୋଚର ହୁଏ, ବହୁ ଗନ୍ଧ ନାସିକାରେ ଆଘ୍ରାତ ହୁଏ, ବହୁ ସ୍ପର୍ଶ ଉତ୍କୃଷ୍ଟ ହୋଇଥାଏ । କିନ୍ତୁ ଯେତେବେଳେ ଫେରି ଆସୁଁ, ବୃହତ୍ ଜନସଘଂର ଗୋଟିଏ ଅସ୍ପଷ୍ଟ ଛାୟା, ବହୁମିଶ୍ରିତ କଳରବର ଗୋଟିଏ ଅସ୍ପଷ୍ଟ ଶୃତିର ସ୍ମୃତି, ବହୁବିଧ ଗନ୍ଧସ୍ପର୍ଶର ଗୋଟିଏ ଅବକ୍ତବ୍ୟ ଅନୁଭୂତି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ । 
କାହାର କି ପ୍ରକାର ଆକୃତି, କିଏ କଅଣ କହିଥିଲା, କେଉଁ କେଉଁ ବିଶେଷ ଗନ୍ଧ କେତେବେଳେ ପାଇଥିଲୁଁ, କେଉଁ ସ୍ପର୍ଶ ଠିକ୍ କିପରି ଅନୁଭୂତ ହୋଇଥିଲା, ଏ ସମସ୍ତ ଆମ୍ଭେମାନେ ଭଲରୂପେ ମନେ ରଖିପାରୁ ନାହିଁ । ନ ପାରିବାର ହେତୁ କଅଣ ? କାରଣ, କୌଣସି ବିଶେଷ ରୂପ, ଶବ୍ଦ, ଗନ୍ଧ ବା ସ୍ପର୍ଶ ପ୍ରତି ଆମ୍ଭମାନଙ୍କର ଚିତ୍ତାକର୍ଷଣ ଅଥବା ମନଃସଂଯୋଗ ହୋଇ ନାହିଁ । 
ଏଥିମଧ୍ୟରୁ ଯେବେ କୌଣସି ବସ୍ତୁ ନିଜର ବିଶେଷତ୍ୱ ବଳରେ ଅଥବା ବାହାରର କୌଣସି ଘଟନା ସମ୍ପର୍କରେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରେ, ମନଃସଂଯୋଗ ଘଟାଇଥାଏ, ତେବେ ସେତିକି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ, ଆମ୍ଭମାନଙ୍କର ସେତିକିର ଧାରଣା ଓ ଜ୍ଞାନ ହୋଇଥାଏ ।
ଏହିଭଳି ଜ୍ଞାତବ୍ୟ ବିଷୟଟି ଯେତେ ପରିସ୍ପୁଟ ଭାବରେ ଆମ୍ଭମାନଙ୍କର ପ୍ରତ୍ୟକ୍ଷୀଭୂତ ହେବ, ତାହା ପ୍ରତି ଚିତ୍ତାକର୍ଷଣ ଯେତେ ପ୍ରବଳ ହେବ, ମନଃସଂଯୋଗ ଯେତିକି ଦୃଢ ହେବ, ବିଷୟଟିର ଜ୍ଞାନ ଆମ୍ଭମାନଙ୍କର ସେତିକି ପରିସ୍ପୁଟ ହେବ,... ତାହା ସେତେ ଦୃଢ଼ ରୂପେ ଅଙ୍କିତ ହେବ ।
ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Thursday, March 12, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥାଗୁର୍ଜ୍ଜର ପ୍ରତିହର


କେଦାରନାଥ ମହାପାତ୍ର


ପ୍ରତିହାର ରାଜତ୍ୱ ସମୟର ଯକ୍ଷ ଗୋମୁଖ ଓ ତାଙ୍କ ସହଚରୀଙ୍କ ମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କନୌଜ ଗୁର୍ଜ୍ଜର ପ୍ରତିହରମାନଙ୍କର ରାଜଧାନୀ ଥିଲା ଏହି ବଂଶର (ପ୍ରଥମ) ଭୋଜ ମହେନ୍ଦ୍ରପାଳ ନାମକ ଦୁଇଟି ରାଜା ବିଶେଷ କ୍ଷମତାଶାଳୀ ଥିଲେ ପ୍ରଥମ ଭୋଳ (ଖ୍ରୀ:୮୩୬-ଖ୍ରୀ: ୮୯୩) ପର୍ଯ୍ୟନ୍ତ ରାଜତ୍ୱ  କରୁଥିଲେ ତାଙ୍କ ରାଜ୍ୟ ପଞ୍ଜାବଠାରୁ ବଙ୍ଗଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା ତାଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ (ଖ୍ରୀ: ୮୯୩-ଖ୍ରୀ: ୯୦୭) ରାଜା ହେଲେ ସେ ଏହି ବଂଶର ଶ୍ରେଷ୍ଠ ରାଜା ସେ ପଶ୍ଚିମରେ ଗୁଜୁରାଟ ପୂର୍ବରେ ବଙ୍ଗ ଜୟ କରି ନିଜ ରାଜ୍ୟ ସହିତ ମିଶାଇଥିଲେ ତାଙ୍କ ସଭାରେ ରାଜଶେଖର ନାମକ ଜଣେ ବିଖ୍ୟାତ ପଣ୍ଡିତ ଥିଲେ ତାଙ୍କ ପରେ ଏହି  ବଂଶ ଦୁର୍ବଳ ହୋଇ ପଡ଼ିଲା

ପ୍ରତିହରମାନଙ୍କ ପରେ ଏହି ଜାତିର ଚୌହାନ, ରାଠୋର ଶିଶୋଦୀୟ ଶାଖା କ୍ଷମତାଶାଳୀ ହୋଇଥିଲେ ଚୌହାନମାନେ ଆଜମୀରରେ ରାଜତ୍ୱ କରୁଥିଲେ ବୀର ପୃଥ୍ୱୀରାଜ ଏହି ବଂଶର ଶ୍ରେଷ୍ଠ ରାଜା ରାଠୋରମାନେ କନୌଜରେ ଶାସନ କରୁଥିଲେ ଜୟଚନ୍ଦ୍ର ଏହି ବଂଶର ଶ୍ରେଷ୍ଠ ରାଜା ମିବାରରେ ଶିଶୋଦୀୟ ରାଜପୁତମାନେ ରାଜତ୍ୱ କରୁଥିଲେ ଚିତୋର ମିବାରର ରାଜଧାନୀ ଥିଲା ସେମାନେ ସ୍ୱାଧୀନତା ସତୀତ୍ୱକୁ ପ୍ରାଣଠାରୁ ବଡ଼ ବୋଲି ଭାବୁଥିଲେ

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Tuesday, March 10, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ନୂତନ ତାଲିମର ବ୍ୟାବହାରିକ ରୂପ

ଅନୁବାଦକ - ଚିତ୍ତରଞ୍ଜନ ଦାସ


ସେବାଗ୍ରାମସ୍ଥ ନୟି ତାଲିମ ସମିତିର କବିର ଭବନର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ ଯେଉଁ ବିଦ୍ୟାଳୟ ଚଳାଇବାକୁ ଯାଉଛି ସେଥିରେ ବାରବର୍ଷ ପର୍ଯ୍ୟନ୍ତ ବୟସର ପିଲା ନିଆଯିବେ । ଯେତେ ପିଲା ମିଳିବେ ସେମାନଙ୍କୁ ବହୁମୁଖୀ ଶିକ୍ଷା ଦିଆଯିବାର କଳ୍ପନା ଅଛି । ସେମାନଙ୍କୁ ହିନ୍ଦୀ ବା ଉର୍ଦ୍ଦୁ ଶିକ୍ଷା ଦିଆଯିବ । ତାହାରି ମାଧ୍ୟମରେ ଗଣିତ, ଇତିହାସ, ଭୂଗୋଳର ପ୍ରାରମ୍ଭିକ ଧାରଣା ଦେବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ତଥ୍ୟ ସହିତ ପରିଚୟ କରାଇ ଦିଆଯିବ ଓ କେତେକ ଧନ୍ଦା ମଧ୍ୟ ଶିଖାଇ ଦିଆଯିବ । 

ବର୍ତ୍ତମାନ ସୁଦ୍ଧା ଏହାର କୌଣସି ପାଠ୍ୟକ୍ରମ ପ୍ରସ୍ତୁତ ହୋଇନାହିଁ । କାରଣ ଏହା ଏକ ନୂତନ ମାର୍ଗ । ଅଧୁନା ପ୍ରଚଳିତ ଶିକ୍ଷାକୁ ମୁଁ ଭୟ ଓ ଅବିଶ୍ୱାସ ଦୃଷ୍ଟିରେ ଦେଖୁଅଛି । ଏହି ଶିକ୍ଷାରେ ପିଲାର ମାନସିକ ଓ ନୈତିକ ବିକାଶ ହେବା ଅପେକ୍ଷା ସେ ଶକ୍ତି ଜଡ଼ ହୋଇଯାଉଛି । ବର୍ତ୍ତମାନର ଶିକ୍ଷାପଦ୍ଧତିରେ ଭଲ ଦିଗ କଥା ମନକୁ ଆସିଲେ ମୋ ପ୍ରୟୋଗରେ ନିହିତ ତୃଟି ବାରିହୋଇ ପଡ଼ୁଛି । 

ମାତ୍ର ମୁଁ ସେଥି ପ୍ରତି ଅବହିତ ନହେବାର କାରଣ ହେଉଛି ଯେ ଆଗେ ପିଲାମାନେ ମାର୍ଜିତ ରୁଚି ସମ୍ପନ୍ନ ସ୍ତ୍ରୀ ପୁରୁଷମାନଙ୍କ ସମ୍ପର୍କରେ ଆସନ୍ତୁ ଏବଂ ସେମାନଙ୍କର ଚରିତ୍ର ନିଷ୍ପଳଙ୍କ ହେଉ ଏହାହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ । ମୋ ଦୃଷ୍ଟିରେ ତାହା ହିଁ ଶିକ୍ଷା । ଉକ୍ତ ଉଦ୍ଦେଶ୍ୟ ପୂରଣ ସକାଶେ ଏକ ଅବଲମ୍ୱନ ରୂପରେ ଅକ୍ଷରଜ୍ଞାନକୁ ବ୍ୟବହୃତ କରାଯାଇପାରେ । 

ଜୀବିକାର୍ଜନର ଅଧିକା ଉପାୟ ଜାଣିବା ପାଇଁ ଯେଉଁ ବାଳକ ବାଳିକାମାନେ ଆସିବେ ସେମାନଙ୍କ ପାଇଁ କେତେକ ଧନ୍ଦା ଶିକ୍ଷାର ଆୟୋଜନ କରାଯିବ । ଏପରି ଉଦ୍ଦେଶ୍ୟ ନାହିଁ ଯେ ଶିକ୍ଷା ଶେଷରେ ସେମାନେ ପୈତୃକ ପେଷାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବେ । ବରଂ ବିଦ୍ୟାଳୟରେ ସେ ଯେଉଁ ଜ୍ଞାନ ଲାଭ କରିଥିବେ ତାହାରି ସାହାଯ୍ୟରେ କୃଷିରେ ଏବଂ କୃଷକ ଜୀବନରେ ଯେଉଁ ସଂସ୍କାର ହିତକର ହେବ ତାହା କରିବେ । 

ଆମର ଶିକ୍ଷକ ବର୍ଗ ବୟସ୍କ ଲୋକମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଯାହା ସମ୍ଭବ ତାହା କରିବେ ଏବଂ ସମ୍ଭବ ହେଲେ ସ୍ତ୍ରୀମାନଙ୍କୁ ଉନ୍ନତ ଜୀବନ ଗଢ଼ିବାରେ ପ୍ରଭାବିତ କରିବେ । ସ୍ୱାସ୍ଥ୍ୟରକ୍ଷା, ସହଯୋଗଶୀଳତା, ସାମୂହିକ କଲ୍ୟାଣ ଦୃଷ୍ଟିରୁ ଗ୍ରାମର ରାସ୍ତା ମରାମତି, କୂପଖନନ ଆଦି ବିଷୟ ବୟସ୍କମାନଙ୍କ ଶିକ୍ଷାର ଅନ୍ତର୍ଗତ ହେବ । ଏହି ହେତୁରୁ ସଚ୍ଚରିତ୍ର, ସୁଶିକ୍ଷିତ ପୁରୁଷ ବା ସ୍ତ୍ରୀ ଅଧ୍ୟାପନା କାର୍ଯ୍ୟ ପାଇଁ ନ ମିଳିଲେ ବରଂ କୌଣସି ବିଦ୍ୟାଳୟ ଖୋଲାଯିବ ନାହିଁ । ମୋ ଯୋଜନାରେ ଦାତବ୍ୟ ଚିକିତ୍ସା ବ୍ୟବସ୍ଥା କଥା ଅଛି ।

- ନଭେମ୍ୱର ୧୯୨୭ ଚମ୍ପାରଣ (ବିହାର)ରେ ଖୋଲିଥିବା ଏକ ବିଦ୍ୟାଳୟରେ ଭାଷଣ ।

Sunday, March 08, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ପ୍ରଶିକ୍ଷଣ କେନ୍ଦ୍ର

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଗିଜୁଭାଇ ବଧେକାଙ୍କ ଏକ ବହିର ମଲାଟ

ଏହା ସହିତ ଅନ୍ୟ ଶିକ୍ଷକଙ୍କୁ ଏହି ଶିକ୍ଷା ପଦ୍ଧତି ବିଷୟରେ ତାଲିମ ଦେବା ପାଇଁ ସେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲେ ନୂଆ ଶିକ୍ଷା ପଦ୍ଧତିରେ ହିଁ ଭଲ ଶିଖିହେବ, ତାହା ସେମାନେ ଗିଜୁଭାଇଙ୍କ କଥାରୁ ନୁହେଁ, କାମରୁ ଜାଣୁଥିଲେ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀମାନେ ଗିଜୁଭାଇଙ୍କଠାରୁ ପ୍ରତ୍ୟକ୍ଷ ପ୍ରେରଣା ଓ ମାର୍ଗଦର୍ଶନ ପାଉଥିଲେ

ପ୍ରଥମେ ପ୍ରଶିକ୍ଷାର୍ଥୀଙ୍କ ସଙ୍ଖ୍ୟା କମ୍ ଥିଲା କିନ୍ତୁ ଧୀରେ ଧୀରେ ଏମାନଙ୍କ ସଙ୍ଖ୍ୟା ବଢ଼ିଲା  ସକାଳୁ ସଞ୍ଜ ଯାଏଁ ବାଲମନ୍ଦିର ଏବଂ ପ୍ରଶିକ୍ଷଣ କେନ୍ଦ୍ରରେ କାମ ଚାଲୁଥିଲା  ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ସେ ରାସ୍ତା ଉପରେ ମଧ୍ୟ ଏହି ଶିକ୍ଷା ପଦ୍ଧତି ବିଷୟରେ ଆଲୋଚନା କରୁଥିଲେ 

ଗିଜୁଭାଇଙ୍କଠାରୁ ପ୍ରଶିକ୍ଷଣ ନେବା ପାଇଁ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ଅଞ୍ଚଳରୁ ଛାତ୍ର ଆସୁଥିଲେ  ଏଠାରୁ ଯାଇ ସେମାନେ ନିଜ ନିଜ ଅଞ୍ଚଳରେ ବାଲମନ୍ଦିର ଢାଞ୍ଚାରେ ସ୍କୁଲ ଖୋଲି ନୂଆ ଶିକ୍ଷା ପଦ୍ଧତିର ପ୍ରସାର କରୁଥିଲେ  ଗିଜୁଭାଇ ମଧ୍ୟ ରାଜକୋଟ, ପୋରବନ୍ଦର, ଜାମନଗର, ସୁରେନ୍ଦ୍ର ନଗର, ନନ୍ଦିଆଦ, ପାଟଣା, ଦାଦର, ଅହମ୍ମଦାବାଦ, ଇନ୍ଦୋର ଆଦି ଅଞ୍ଚଳରେ ବାଲମନ୍ଦିର ଖୋଲିଥିଲେ  ଫଳରେ ଅଧିକରୁ ଅଧିକ ପିଲା ଏହି ଶିକ୍ଷାର ଲାଭ ପାଇ ପାରିଥିଲେ 

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, February 17, 2020

ଭଲ ଛାତ୍ର ଓ 'ଖରାପ' ଛାତ୍ର

ଶଶିଭୂଷଣ ରାୟ


ଚିତ୍ର -  'ଗ୍ରୀଷ୍ମ ରାତ୍ରିରେ ମାତା ଓ ସନ୍ତାନ'
ଚିତ୍ରଶିଳ୍ପୀ - କାତ୍ସୁଶିକା ହୋକୁସାଇ (୧୭୬୦-୧୮୪୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶତ ଶତ ବାଳକ ଜ୍ଞାନଲାଭ ସକାଶେ ଆମ୍ଭମାନଙ୍କ ବିଦ୍ୟାଳୟସମୂହରେ ପଢୁଅଛନ୍ତି । ଯେବେ କଲେଜର ଡିଗ୍ରି ପାଇବା ହିଁ ବିଦ୍ୟାଳୟ ଶିକ୍ଷାର ଚରମ ସାର୍ଥକତା ବୋଲି ବିବେଚିତ ହୋଇଥାଏ, ତେବେ ଏହି ଶତଶତ ଶିକ୍ଷାର୍ଥିଙ୍କ ମଧ୍ୟରେ କେତେ ଜଣଙ୍କର ସେହି ସାର୍ଥକତା ଲାଭ ହୁଏ ? ବିଦ୍ୟାଳୟ ସମୂହର ଅବସ୍ଥା, କାର୍ଯ୍ୟ ଓ ଫଳାଫଳ ସମ୍ୱନ୍ଧରେ ଯେଉଁମାନଙ୍କର ଅଭିଜ୍ଞତା ରହିଅଛି, ସେମାନେ ସମସ୍ତେ ଏକବାକ୍ୟରେ ସ୍ୱୀକାର କରିବେ ଯେ, ଶିକ୍ଷା ସକାଶେ ବିଦ୍ୟାଳୟ ସମୂହରେ ଯେତେ ଛାତ୍ର ପଢ଼ନ୍ତି, ତାଙ୍କ ମଧ୍ୟରୁ ହାରାହାରି ଶତକଡା ୨୫|୩୦ ଜଣରୁ ଅଧିକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ । ଯେଉଁ ସମସ୍ତ ଉତ୍ତୀର୍ଣ୍ଣ ଛାତ୍ର ବିଶ୍ୱବିଦ୍ୟାଳୟର ଉଚ୍ଚ ଶିକ୍ଷାମନ୍ଦିରରେ ପ୍ରବେଶ ଲାଭ କରନ୍ତି, ତାଙ୍କ ମଧ୍ୟରୁ ଏକ ଚତୁର୍ଥାଂଶରୁ ବେଶି ଛାତ୍ର ଡିଗ୍ରି ଅର୍ଥାତ୍ ଉପାଧି ଲାଭରେ ଅସମର୍ଥ ହୋଇଥାଆନ୍ତି । 

ସୁତରାଂ ଉପାଧି ପାଇବା ହିଁ ଯେବେ ଜ୍ଞାନଲାଭର ଚରମ ସାର୍ଥକତା ବୋଲି ଧରାଯିବ, ତେବେ ଏହି ଶତ ଶତ ଛାତ୍ରଙ୍କ ମଧ୍ୟରେ ଶତକଡା ୮|୧୦ ଜଣଙ୍କ ମଧ୍ୟରେ ସେ ସାର୍ଥକତା ଲାଭ ହୋଇଥାଏ । ଶତକଡା ୧୫|୧୬ ଜଣଙ୍କ ପକ୍ଷରେ ଜ୍ଞାନଲାଭ ଚେଷ୍ଟା ଅର୍ଦ୍ଧସାର୍ଥକ ମାତ୍ର । ବାକୀ ସମସ୍ତଙ୍କ ପକ୍ଷରେ ତାହା ଏକ ପ୍ରକାର ବୃଥା କହିଲେ ଚଳେ ।

କାହିଁକି ଏପରି ହୋଇଥାଏ ? ଏ ଦେଶର ଭଦ୍ରବଂଶୀୟ ବାଳକମାନଙ୍କ ମଧ୍ୟରେ ଶତକଡା ପ୍ରାୟ ୮୦ ଜଣ କଅଣ ଏକା ବେଳକେ ବୁଦ୍ଧିହୀନ ? ଏ ଦେଶ କଅଣ ସତେ ଏଡେ ଦୁର୍ଭାଗ୍ୟ-ଜଡ଼ିତ ? ଏ ଦେଶର ଫଳ-ଜଳ-ଜାତ ମାନବଶୋଣିତ କଅଣ ଏକାବେଳକେ ଅସାର ? କିନ୍ତୁ ବାସ୍ତବିକ ତାହା ନୁହେ । ସ୍କୁଲ-ପାଠ ମନେ ରଖିପାରନ୍ତି ନାହିଁ, ଶଦ୍ଦର ଅର୍ଥ କହିପାରନ୍ତି ନାହିଁ, ବନାନ ଭୁଲ କରନ୍ତି, ବ୍ୟାକରଣ-ସୂତ୍ର ମୁଖସ୍ଥ କରି ପାରନ୍ତି ନାହିଁ, ଅଙ୍କ ବୁଝି ପାରନ୍ତି ନାହିଁ, ଇତିହାସ ଭୂଗୋଳ ପ୍ରଭୃତି କିଛି ଜାଣନ୍ତି ନାହିଁ, କୌଣସି ପରୀକ୍ଷାରେ ନମ୍ୱର ପାଆନ୍ତି ନାହିଁ, ଏଭଳି ଶତ ଶତ ଛାତ୍ର ଦେଖିଥାଉଁ । 

ଅଥଚ ସେହିମାନେ ବାହାରର ଅନେକ କଥା ଭଲ କରି ମନରେ ରଖନ୍ତି, ଅନେକ ଦେଖା ଶୁଣା ବିଷୟ ଖୁବ କହିପାରନ୍ତି, ଅନେକ କାର୍ଯ୍ୟରେ ଖୁବ ହିସାବ କରି ଚଳନ୍ତି-ପ୍ରକୃତ ଚତୁରତା ଦେଖାନ୍ତି । ଗ୍ରାମର କ୍ଷେତ, ବଗିଚା, ଶସ୍ୟ, ଗଛ, ପୋଖରୀ, ପଥ, ଏ ସାହି, ଆର ସାହି ପ୍ରଭୃତିରେ କେତେ ଲୋକ, କେତେ ଲୋକଙ୍କର କିପରି ଖବର, କାହାର କେତେ ଟଙ୍କା ଅଛି, କିଏ କିପରି ଖର୍ଚ୍ଚ କରନ୍ତି, ହାଟ ବଜାରରେ କେଉଁ ଜିନିଷ କିପରି ମୂଲ୍ୟରେ ବିକ୍ରୟ ହୁଏ, ସମସ୍ତ ସେମାନେ ଉତ୍ତମରୂପେ ଜାଣନ୍ତି; କେହି ପଚାରିଲେ ଏଗୁଡିକ ରୀତିମତ କହିପାରନ୍ତି । କୌଣସି ସ୍ଥାନରେ ନିମନ୍ତ୍ରଣ ହେଲେ ସମସ୍ତ ବିଷୟ ଏଭଳି କହି ଦିଅନ୍ତି ଯେ, ଆସ୍ୱାଦର ଭଲ ମନ୍ଦ ସୁଦ୍ଧା ବୁଝି ହେବ । 

ଖେଳ ଦେଖିବାକୁ ଗଲେ ଅବିରତ ଇତସ୍ତତଃ ଧାବମାନ ପ୍ରତ୍ୟେକ ବାଳକର କ୍ରୀଡ଼ାକୌଶଳ, କିଏ କାହାକୁ କିପରି ଧରିଥିଲା, ଛୁଇଁଲା ଇତ୍ୟାଦି ସମସ୍ତ ତାଙ୍କ ମନରେ ଆଲୋକଚିତ୍ର ଭଳି ଦର୍ଶନ ମାତ୍ରକେ ଲାଖି ରହିଯାଏ । ନାଟ ଦେଖିବାକୁ ଗଲେ, ସମସ୍ତ ବିଷୟ ତାଙ୍କର ଉତ୍ତମରୂପେ ମନରେ ରହିଯାଏ, କିଏ କେଉଁ ସାଜସଜ୍ଜାରେ କିପରି ଦିଶୁଥିଲା, କିଏ କିପରି କେଉଁ ରାଗିଣୀରେ ଗୀତ ଗାଇଥିଲା; ସମସ୍ତ ଚିତ୍ର ଭଳି ମନରେ ଅଙ୍କିତ ରହିଥାଏ । ହାଟବଜାରରୁ ସଉଦା କିଣିବାକୁ, ଖେଳର ବନ୍ଦୋବସ୍ତ କରିବାକୁ, ଉତ୍ସବରେ ଘର ପ୍ରଭୃତି ସଜାଇବାକୁ, ନିମନ୍ତ୍ରଣ ପ୍ରଭୃତିରେ ପରିବେଷଣ କରିବାକୁ ସେମାନେ ପ୍ରକୃତ ପାରଦର୍ଶୀ । କଳହରେ ସେମାନେ କଥାରେ ଠକନ୍ତି ନାହିଁ କି ମରାମରିରେ ସେମାନେ ହଟନ୍ତି ନାହିଁ ।

ଏମାନେ ଯଦି ଏତେ କାର୍ଯ୍ୟ କରିପାରନ୍ତି, ତେବେ ସ୍କୁଲର ପଢ଼ାପଢ଼ି କରିପାରନ୍ତ ନାହିଁ କାହିଁକି ? ପାରନ୍ତି ନାହିଁ - ସେମାନଙ୍କର ସୂକ୍ଷ୍ମ ଦୃଷ୍ଟି ଓ ମେଧା ବୁଦ୍ଧି ପ୍ରଭୃତି ଯେ ଏକାବେଳକେ ନାହିଁ ବୋଲି, ତାହା ନୁହେ, - କି କୌଶଳରେ ପାଠ୍ୟ ବିଷୟ ସେମାନଙ୍କର ଦୃଷ୍ଟି, ମେଧା ଓ ବୁଦ୍ଧିରେ ପ୍ରବିଷ୍ଟ କରାଇବାକୁ ହେବ, ଶିକ୍ଷକମାନେ ତାହା ଭଲରୂପେ ଜାଣନ୍ତି ନାହିଁ, ଅଥବା ଜାଣି ମଧ୍ୟ ସେ କୌଶଳ ଅବଲମ୍ୱନର କଷ୍ଟ ସ୍ୱୀକାର କରନ୍ତି ନାହିଁ ଏହା ହିଁ ପ୍ରକୃତ ହେତୁ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Sunday, February 09, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥାରାଜପୁତ ଜାତି


କେଦାରନାଥ ମହାପାତ୍ର


୧୯୦୭ରେ ଉତ୍ତୋଳିତ ଅଲୱାରର ଏକ ସାଗରର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ହର୍ଷବର୍ଦ୍ଧନଙ୍କ ପରେ ଉତ୍ତର ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ରାଜପୁତ ନାମକ ଗୋଟିଏ ବୀର ଜାତି ପଶ୍ଚିମ ଭାରତରେ ବିଶେଷ କ୍ଷମତାଶାଳୀ ହୋଇ ଉଠିଲେ । ରାଜପୁତ ଶବ୍ଦର ଅର୍ଥ ରାଜପୁତ୍ର ବା କ୍ଷତ୍ରିୟ । ସେମାନେ ଭାରି ସାହସୀ ଓ ଯୋଦ୍ଧା ଥିଲେ ଏବଂ ସ୍ୱାଧୀନତା ରକ୍ଷା କରିବା ପାଇଁ ନିଜ ଜୀବନ ଦେବାକୁ ସର୍ବଦା ପ୍ରସ୍ତୁତ ଥିଲେ । ପରବର୍ତ୍ତୀ କାଳରେ ସେମାନେ ହିନ୍ଦୁ ଧର୍ମ ଓ ଭାରତର ସ୍ୱାଧୀନତା ପାଇଁ ମୁସଲମାନମାନଙ୍କ ସହିତ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ । 

ସେମାନେ ନିଜକୁ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ କ୍ଷତ୍ରିୟ ବୋଲି କହନ୍ତି । ସେମାନଙ୍କ ଉତ୍ପତ୍ତି ସମ୍ୱନ୍ଧରେ ନାନାପ୍ରକାର ମତ ଦେଖାଯାଏ । କେତେକ ପଣ୍ଡିତଙ୍କ ମତରେ ସେମାନେ ଶକ, ପଲ୍ଲବ, ହୁନ ପ୍ରଭୃତି ବୈଦେଶିକ ଜାତିମାନଙ୍କର ବଂଶଧର । ସେମାନେ ଭାରତକୁ ଆସି ହିନ୍ଦୁ ଧର୍ମ ଗ୍ରହଣ କରି, ନିଜର ଯୁଦ୍ଧ କୌଶଳ ଯୋଗୁଁ କ୍ଷତ୍ରିୟ ବା ରାଜପୁତ୍ର ବୋଲି କଥିତ ହେଲେ । ଅନ୍ୟ କେତେକଙ୍କ ମତରେ ଆମ୍ଭ ଦେଶରେ ବୈଦିକ ଯୁଗରୁ ରାଜପୁତମାନଙ୍କ ପରି ସାହସୀ ଓ ବୀର କ୍ଷତ୍ରିୟ ଜାତି ଥିଲେ । ରାଜପୁତମାନେ ସେହି ପ୍ରାଚୀନ କ୍ଷତ୍ରିୟମାନଙ୍କର ବଂଶଧର । 

ପରବର୍ତ୍ତୀ କାଳରେ ବୈଦେଶିକମାନେ ଏମାନଙ୍କ ସହିତ ମିଶି ଯାଇଥିଲେ । ଚୌହ୍ୱାନ, ରାଠୋର, ଶିଶୋଦୀୟ, ଚାନ୍ଦେଲ, ବାଘେଲ, ଗୁର୍ଚ୍ଛର ପ୍ରତିହର, ପରମାର ବା ପ୍ରାମାର, ଶୋଲାଙ୍କି ପ୍ରଭୃତି ରାଜପୁତ ଜାତିର ଭିନ୍ନ ଭିନ୍ନ ଶାଖା ଅଟେ । ହର୍ଷଙ୍କ ମୃତ୍ୟୁର କିଛି କାଳ ପରେ ଏହି ଜାତିର ଗୁର୍ଚ୍ଛର ପ୍ରତିହର ଶାଖା କ୍ଷମତାଶାଳୀ ହୋଇଥିଲା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Tuesday, January 21, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ସ୍ୱାବଲମ୍ୱୀ ଶିକ୍ଷାରେ ଚରଖାର ଗୁରୁତ୍ୱ

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୨୭ ମସିହାରେ ଲିଖିତ ଗାନ୍ଧୀଜୀଙ୍କର ହସ୍ତଲିପି (ୱିକିମିଡିଆ କମନ୍ସ୍)

ଠେଠ୍ ନୌରୋବୀ (ଦକ୍ଷିଣ ଆଫ୍ରିକାର )ରୁ ଜଣେ ଭାଇ ଲେଖିଛନ୍ତି –

''ରାଷ୍ଟ୍ରୀୟ ଶିକ୍ଷାର ଅଗ୍ରଗତି ସମ୍ଭବ ନୁହେଁ କାରଣ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ଏପରି ଶିକ୍ଷା ଦିଆଯାଉନାହିଁ ଯଦ୍ୱାରା ସେମାନେ ଭବିଷ୍ୟତରେ ସ୍ୱାବଲମ୍ୱୀ ହୋଇପାରିବେ । କୃଷିଶିକ୍ଷା ସେମାନେ ପାଇଲେ ଏହି ଅସୁବିଧା ଦୂର ହୋଇପାରନ୍ତା । ଚରଖା ତ ଅବଶ୍ୟ ରହିବ । ରାଷ୍ଟ୍ର ଭଳି ବିଦ୍ୟାଳୟରେ ମଧ୍ୟ କୃଷିର ସ୍ଥାନ ପ୍ରଥମ ଓ ଚରଖାର ସ୍ଥାନ ଦ୍ୱିତୀୟ ହେବା ଉଚିତ ।

କୃଷିଶିକ୍ଷାର ବ୍ୟବସ୍ଥା ନଥିବାରୁ ରାଷ୍ଟ୍ରୀୟ ଶିକ୍ଷା ଶିଥିଳ ହୋଇଛି, ଏପରି କଥା ସ୍ୱୀକାର୍ଯ୍ୟ ନୁହେଁ କିମ୍ୱା ସ୍ୱୀକାର କରିବାର କୌଣସି କାରଣ ନାହିଁ । ରାଷ୍ଟ୍ରୀୟ ଶିକ୍ଷା ଶିଥିଳ ହେବାର କାରଣ ଶିକ୍ଷକ । ଏକଥା ମୁଁ ବହୁବାର କହିସାରିଛି ଏବଂ ଏହା ପ୍ରମାଣିତ କରାଯାଇପାରେ । ଯେଉଁ ସ୍ଥାନମାନଙ୍କରେ ଚରିତ୍ରବାନ୍ ନିଷ୍ଠାପର ଶ୍ରଦ୍ଧାବାନ ଓ ଚତୁର ଶିକ୍ଷକ ଅଛନ୍ତି ସେଠାରେ ରାଷ୍ଟ୍ରୀୟ ବିଦ୍ୟାଳୟ ଆଜି ମଧ୍ୟ ଭଲ ଅବସ୍ଥାରେ ଚାଲିଅଛି । 

ଏହିପରି ମନ୍ଥରତା ପାଇଁ ଶିକ୍ଷକ ଦାୟୀ ହେଲେ ମଧ୍ୟ ତାଙ୍କୁ ଦୋଷ ଦିଆ ଯାଇପାରିବ ନାହିଁ । କାରଣ ସେହି ଶିକ୍ଷକମାନେ ଆଗରୁ ପ୍ରତିକୂଳ ରାଜତନ୍ତ୍ର ଅଧୀନତାରେ ଗୋଲାମ ଗଢ଼ୁଥିବା ଶିକ୍ଷାର କୁଫଳ ଭୋଗି ସେଥିରୁ ବହୁକଷ୍ଟରେ ମୁକ୍ତହୋଇ ପଳାଇ ଆସିଛନ୍ତି । ଯେତିକି ଶକ୍ତି ଦେବା ସେମାନଙ୍କ ପକ୍ଷରେ ସମ୍ଭବ ଥିଲା ସେତିକି ପ୍ରୟୋଗ କରିସାରି ଚୁପ୍ ହୋଇଯାଆନ୍ତି । ଯଦି ବିଦ୍ୟାଳୟଗୁଡ଼ିକ ଚିରସ୍ଥାୟୀ ହେବାର ଯୋଗ୍ୟତା ଅର୍ଜନ କରି ନିଜର ଶକ୍ତି ପ୍ରକାଶ କରିବାର ଅବସର ପାଆନ୍ତି, ତେବେ ସେହି ପରିସ୍ଥିତିରେ ରାଷ୍ଟ୍ରୀୟ ଶିକ୍ଷାର ପ୍ରଗତି କେବଳ ସମ୍ଭବ ହୋଇପାରେ । ସେ ଯାହାହେଉ ସରକାରୀ ବିଦ୍ୟାଳୟରେ ଏପରି ଶିକ୍ଷା କେଉଁଠି ଦିଆଯାଉଛି ଯଦ୍ୱାରା ସେଥିରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ର ସ୍ୱାବଲମ୍ୱୀ ହୋଇପାରିବ ? ସେପରି ନହୋଇ ମଧ୍ୟ ସେଗୁଡ଼ିକ ପୁଣି ଯଥାପୂର୍ବ ଧାରାରେ ଚାଲିଛି । 

ତାହାର ଏକ କାରଣ ହୋଇପାରେ ଯେ, ସରକାରୀ ବିଦ୍ୟାଳୟର ଚାକଚକ୍ୟରେ ଆମେ ଅନ୍ଧ ପାଲଟି ଯାଇଛୁ ଏବଂ ଅନ୍ୟ କାରଣ ହେଉଛି ଯେ ସେ ବିଦ୍ୟାଳୟରୁ ବାହାରିବା ପରେ (ସମସ୍ତେ ନହେଉନ୍ତୁ) କେହିହେଲେ ଜଣେ ଚାରିଶହ ଛଅଶହ ଟଙ୍କା ବେତନରେ ଗୋଟିଏ ଚାକିରୀ ପାଇବାର ସମ୍ଭାବନା ରହିଛି; ଠିକ୍ ଯେପରି ଜୁଆ କିମ୍ବା ଲଟାରିରେ  କାହାରିକୁ ହଜାର କି ଦୁଇ ହଜାର ପୁରସ୍କାର ମିଳିଯାଉଛି; ଏବଂ ପ୍ରତ୍ୟେକ ଲୋକ ସେହି ଆଶାରେ ନୂଆ ଖେଳୁଛି ବା ଲଟାରୀ ଟିକଟ କିଣୁଛି । ରାଷ୍ଟ୍ରୀୟ ଶିକ୍ଷାରେ ଏପରି ଲାଳସା ନାହିଁ ।

ବର୍ତ୍ତମାନ ଏହାର ଗୁଣ ଦୋଷ ବିଚାର କରାଯାଉ । କୃଷି ଆମ ଦେଶରେ ପ୍ରଧାନ କଥା । ମାତ୍ର ତାହା ବଞ୍ଚରହିଛି । ତାର ପୁନରୁଦ୍ଧାରର ଆବଶ୍ୟକତା ନାହିଁ । ଅବଶ୍ୟ ସଂସ୍କାର ପାଇଁ ବହୁତ କିଛି ଅବକାଶ ଅଛି । କିନ୍ତୁ କୃଷିର ସଂସ୍କାର ରାଷ୍ଟ୍ରୀୟ ଶିକ୍ଷକ ଶକ୍ତିର ବହିର୍ଭୁତ । କାରଣ ରାଜ୍ୟର ସାହାଯ୍ୟବିନା ଏହି କାର୍ଯ୍ୟ ଅଗ୍ରସର ହୋଇପାରିବ ନାହିଁ କି ଆକର୍ଷଣୀୟ ହୋଇପାରିବ ନାହିଁ । କେବଳ ଏହାର ପ୍ରୟୋଗ ପାଇଁ ଲକ୍ଷ ଲକ୍ଷ ଟଙ୍କାର ପ୍ରୟୋଜନ । ସ୍ୱରାଜ୍ୟ ଲାଭ ନହେଲେ ସେ କାମ ହେବା ଅସମ୍ଭବ ବୋଲି ମୋର ଦୃଢ଼ ମତ । ଦେଶର ଆର୍ଥକ ଅବସ୍ଥା ଦୃଷ୍ଟିରୁ କୃଷି ଆଇନ ଗଢ଼ାଯିବା ଦରକାର ଯାହା ଆଜି ସମ୍ଭବ ନୁହେଁ । 

କୃଷକମାନଙ୍କ ଶିକ୍ଷା ପାଇଁ ଆଦର୍ଶ କୃଷିକ୍ଷେତ୍ର ସ୍ଥାନେ ସ୍ଥାନେ ରହିବ; ସେମାନଙ୍କ ପାଇଁ କେତେକ ସ୍ୱତନ୍ତ୍ର ସୁବିଧା ରହିବ । ଏପରି କେତେକ ବିଷୟ ଅଛି ଯାହାକୁ ଶିକ୍ଷା ଦେବା ପାଇଁ କୃଷି କ୍ଷେତ୍ରକୁ ଯିବାକୁ ପଡ଼ିବ । ଏସବୁ ବ୍ୟବସ୍ଥା ଯେଉଁ ରାଜାମାନେ ଲୋକପ୍ରିୟ ଓ ଲୋକହିତ ଦୃଷ୍ଟିରୁ ଯାହାଙ୍କର ଶାସନ ପରିଚାଳିତ, ଆଜିର ସେହିଭଳି କେତେକ ରାଜାଗୁଡ଼ାଙ୍କ ଶାସନରେ ଦେଖିବାକୁ ମିଳିବ । 

ଏଥିପାଇଁ ଯାହାକୁ ନୌରୋବୀର ଭାଇ ସ୍ୱୀକାର କରୁଛନ୍ତି, ସେହି ଦ୍ୱିତୀୟ ଜିନିଷଟି ରାଷ୍ଟ୍ରୀୟ ଶିକ୍ଷକଙ୍କର ହାତରେ ବାକୀ ଅଛି । ଚରଖା ଓ ଚରଖାକୁ ନେଇ ଚାଲିଥିବା ଅନୁଷ୍ଠାନଗୁଡ଼ିକ ସେଗୁଡ଼ିକର ଆଶ୍ରିତବର୍ଗକୁ ସ୍ୱାବଲମ୍ୱୀ କରାଇପାରିବେ ଏବଂ ସମସ୍ତଙ୍କୁ ମଜୁରୀ ମଧ୍ୟ ଦେଇପାରିବେ । କିନ୍ତୁ ଜଣେ ଭଣ୍ତାରୀ ଓ ଜଣେ ଅମିନ ନିଜ ନିଜ ବ୍ୟବସାୟରେ ପାରଙ୍ଗମ ହେଲା ଭଳି ଚରଖା ଉପରେ ନିର୍ଭରଶୀଳ ବ୍ୟକ୍ତି ଚରଖାଶାସ୍ତ୍ରର ସମସ୍ତ ଜ୍ଞାନ ଓ କୌଶଳରେ ପାରଦର୍ଶୀ ହେବା ଆବଶ୍ୟକ । ଧୀରେ ଧୀରେ ନବଯୁବକ ଏହି ଶିକ୍ଷା ପାଇଁ ଉତ୍ତୀର୍ଣ୍ଣ ହୋଇ ଚାଲିଛନ୍ତି । ଖଦୀ ଆନ୍ଦୋଳନର ବିକାଶ ସଙ୍ଗେ ସଙ୍ଗେ ରାଷ୍ଟ୍ରର କାମ ମଧ୍ୟ ଅନାୟାସରେ ବିକାଶ ଲାଭ କରିବ ।

-ଗୁଜୁରାତୀରୁ । ନବଜୀବନ / ହିନ୍ଦୀ ନବଜୀବନତା୯--୧୯୨୭ରିଖ