Sunday, November 27, 2016

ଲଦ୍ଦାଖ ଓ କେରଳ : ଭାରତରେ ବିବିଧତା


ଲଦ୍ଦାଖର ହେମିସ ମଠର ଚିତ୍ର (୧୮୭୬ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଲଦ୍ଦାଖ ଜାମ୍ମୁ ଓ କାଶ୍ମୀର ରାଜ୍ୟର ପୂର୍ବଭାଗରେ ଅବସ୍ଥିତ ପର୍ବତାଞ୍ଚଳର ଏକ ମରୁଭୂମି । ଏଠାରେ ବହୁତ ଅଳପ ଭାବରେ ଚାଷବାସ ସମ୍ଭବ । କାରଣ ଏହି ଅଞ୍ଚଳରେ ପ୍ରାୟତଃ ବରଷା ହୁଏ ନାହିଁ । ବରଷଯାକର ଅଧିକାଂଶ ସମୟ ଭୂଇଁ ବରଫରେ ଢାଙ୍କି ହେଇଥାଏ । ଏହି ଅଞ୍ଚଳରେ ବହୁତ କମ ପ୍ରକାରର ଗଛବୁରୁଛ ଉଧେଇପାରିବେ । ଖରାଦିନେ ତରଳୁଥିବା ବରଫ ଉପରେ ହିଁ ଲୋକମାନେ ନିଜର ପିଇବା ପାଣି ପାଇଁ ନିର୍ଭର କରନ୍ତି ।

ଏଠାକାର ଲୋକେ ମେଣ୍ଢା ପୋଷନ୍ତି । ଏହି ମେଣ୍ଢାଗୁଡ଼ିକ ଏକ ବିଶେଷ ପ୍ରକାରର ମେଣ୍ଢା କାରଣ ଏମାନଙ୍କର ରୁମରୁ ପଶ୍ମିନା ଉଲ ମିଳେ । ଏହି ଉଲ ର ଚାହିଦା ବହୁତ । ପଶ୍ମିନାରୁ ବୁଣାହୋଇଥିବା ଚାଦରର ଦାମ ବହୁତ ବେଶୀ । ଲଦ୍ଦାଖର ଲୋକମାନେ ଏହି ମେଣ୍ଢାଙ୍କର ଉଲ କୁ ଅତି ଯତ୍ନର ସହିତ ସଙ୍ଗ୍ରହ କରନ୍ତି । ଏହି ଉଲକୁ ସେମାନେ କାଶ୍ମୀରର ବେପାରୀମାନଙ୍କୁ ବିକନ୍ତି । ପଶ୍ମିନା ଚାଦର କାଶ୍ମୀରରେ ହିଁ ବୁଣାଯାଏ ।

ଲୋକେ ପ୍ରାୟତଃ ମାଂସ ଖାଆନ୍ତି ଓ ଦୁଗ୍ଧଜାତ ପଦାର୍ଥ, ଯଥା ଛେନା ଓ ଲହୁଣୀ ଆଦି ଖାଆନ୍ତି । ପ୍ରତ୍ୟେକ ପରିବାରର କେତୋଟି ଲେଖାଏଁ ଛେଳି, ଗାଇ ଓ ଜୋ ( ଏକ ପ୍ରକାରର ଚମରୀ ଗାଇ) ଥାଏ । ଲଦ୍ଦାଖ ଗୋଚିଏ ମରୁଭୂମି ନିଶ୍ଚୟ । ମାତ୍ର ତାହାର ମାନେ ଏହା ନୁହେଁ ଯେ ଏଠାକୁ ବେପାର ବଣିଜ କରିବା ପାଇଁ ବେପାରୀମାନେ ଆସୁନଥିଲେ । ଏହି ଅଞ୍ଚଳ ଗୋଟିଏ ଭଲ ବୈପାରିକ ରାସ୍ତା ଭାବରେ ଅତୀତରେ ଜଣାଶୁଣା ଥିଲା । କାରଣ ଲଦ୍ଦାଖରେ ଅନେକ ଘାଟିରାସ୍ତା ଅଛି ଯାହା ଦେଇ ଆଜିକାଲିର ତିବ୍ବତକୁ କାର୍ୱାଁ ଯାଉଥିଲା । ଏହି କାର୍ୱାଁରେ ଲୁଗାପଟା, ମସଲା, କଞ୍ଚା ରେଶମ ଇତ୍ୟାଦି ବୁହାହୋଇ ନିଆଯାଉଥିଲା ।

ବୌଦ୍ଧ ଧର୍ମ ତିବ୍ବତ ଦେଇ ଲଦ୍ଦାଖରେ ପହଞ୍ଚିଲା । ଲଦ୍ଦାଖକୁ କୁନି ତିବ୍ବତ ମଧ୍ୟ କୁହାଯାଏ । ଚାରିଶହ ବରଷ ପୂର୍ବେ ଏହି ଅଞ୍ଚଳରେ ଇସଲାମ ଧର୍ମର ପ୍ରସାର ଆରମ୍ଭ ହେଲା । ଏବେ ଏଠାରେ ବଡ଼ ଆକାରରେ ମୁସଲମାନ ସମ୍ପ୍ରଦାୟର ଲୋକେ ମଧ୍ୟ ଦେଖିବାକୁ ମିଳନ୍ତି । ଲଦ୍ଦାଖରେ ମୌଖିକ ଭାବରେ ପ୍ରଚଳିତ ଗୀତ ଓ କବିତାର ଏକ ସମୃଦ୍ଧ ପରମ୍ପରା ପ୍ରଚଳିତ ଅଛି । ତିବ୍ବତୀୟ ଜାତୀୟ ପୁରାଣ କେଶର ଗାଥାର ସ୍ଥାନୀୟ ସଂସ୍କରଣ ଲଦ୍ଦାଖରେ ପ୍ରଦର୍ଶିତ ଓ ଗାୟନ କରାଯାଏ ।

କେରଳ ଦେଶର ଦକ୍ଷିଣ ପଶ୍ଚିମ କୋଣରେ ଅବସ୍ଥିତ ଏକ ରାଜ୍ୟ । ଏହାର ଗୋଟିଏ ପଟେ ପାହାଡମାଳା ତ ଅନ୍ୟ ପଟେ ସମୁଦ୍ର । ଏହି ରାଜ୍ୟରେ ପର୍ବତମାନଙ୍କରେ ଗୋଲମରିଚ, ଲବଙ୍ଗ ଓ ଡାଲଚିନି ଆଦି ମସଲା ଚାଷ କରାଯାଏ । ଏହି ମସଲାଗୁଡ଼ିକ ପାଇଁ ଏହି ଅଞ୍ଚଳ ପ୍ରତି ବ୍ୟବସାୟୀମାନେ ସର୍ବଦା ଆକର୍ଷିତ ହୋଇ ଆସିଛନ୍ତି । ଇହୁଦୀ ଓ ଆରବ ବେପାରୀମାନେ ଏଠାକୁ ସବୁଠୁ ଆଗେ ଆସିଥିଲେ । ଯୀଶୁଙ୍କର ଧର୍ମଦୂତ ସନ୍ଥ ଥମା ଏଠାକୁ ପାଖାପାଖି ଦୁଇ ହଜାର ବରଷ ଆଗରୁ ଆସିଥିବାର ବିଶ୍ୱାସ କରାଯାଏ । ତାଙ୍କୁ ଭାରତକୁ ଖ୍ରୀଷ୍ଟଧର୍ମର ଆଗମନ ପାଇଁ ଶ୍ରେୟ ମଧ୍ୟ ଦିଆଯାଏ ।

ଅନେକ ଆରବ ବଣିକମାନେ ମଧ୍ୟ ଏଠାକୁ ଆସି ଏଠାରେ ବସବାସ କରିବା ଆରମ୍ଭ କଲେ । ଇବନ ବତୁତା ନାମକ ପ୍ରସିଦ୍ଧ ପରିବ୍ରାଜକ ମଧ୍ୟ ସାତଶହ ବରଷ ଆଗରୁ ଏଠାକୁ ଭ୍ରମଣକରିବାକୁ ଆସି ଏଠିକାର ଅନୁଭୂତି ବିଷୟରେ ଏକ ଭ୍ରମଣ କାହାଣୀ ଲେଖିଥିଲେ । ସେଥିରେ ସେ ସ୍ଥାନୀୟ ମୁସଲମାନମାନଙ୍କର ଜୀବନଚର୍ଯ୍ୟା ବିଷୟରେ ବର୍ଣ୍ଣନା କରି କୁହନ୍ତି ଯେ ସେମାନେ ଏକ ସମ୍ମାନାଷ୍ପଦ ଭାବରେ ଜୀବନଯାପନ କରୁଥିଲେ । ଯେତେବେଳେ ଭାସ୍କୋଡିଗାମା ୟୁରୋପରୁ ଭାରତକୁ ସିଧା ସାମୁଦ୍ରିକ ପଥର ଆବିଷ୍କାର କଲେ, ସେତେବେଳେ ତାଙ୍କର ଜାହଜ ଆସି କେରଳ ଉପକୁଳରେ ହିଁ ଲାଗିଲା ।

ଏହି ସବୁ ନାନାଦି ଐତିହାସିକ ପ୍ରଭାବଗୁଡ଼ିକ ଯୋଗୁଁ କେରଳର ଲୋକେ ଇହୁଦୀ ଧର୍ମ, ଇସଲାମ, ଖ୍ରୀଷ୍ଟଧର୍ମ, ହିନ୍ଦୁଧର୍ମ ଓ ବୈଦ୍ଧଧର୍ମ ଆଦି ଅନେକ ଧାର୍ମିକ ପରମ୍ପରାର ଅନୁସରଣ କରନ୍ତି ।

ଏଠାରେ ପ୍ରଚଳିତ ମାଛମରା ଜାଲ ଚୀନ ଦେଶର ଜାଲ ପରି ଦୁଶେ ଓ ଏହାକୁ ଚୀନା-ଭାଲ ମଧ୍ୟ କୁହାଯାଏ । ଏପରିକି ଛଣାଛଣି ପାଇଁ ବ୍ୟବହାର କରାଯାଉଥିବା ବାସନକୁ ଚୀନାଚଟ୍ଟି କୁହାଯାଏ । ଏହା ବିଶ୍ୱାସ କରାଯାଏ ଯେ ଚୀନ ଶବ୍ଦଟି ଚୀନ ଦେଶରୁ ହିଁ ଆସିଛି । ଏଠିକାର ଉର୍ବର ମାଟି ଓ ଜଳବାୟୁ ଧାନ ଚାଷ ପାଇଁ ଉପଯୁକ୍ତ । ଏଠିକାର ଅଧିକାଂଶ ଲୋକେ ଭାତ, ମାଛ ଓ ପନିପରିବା ଖାଆନ୍ତି । 

ନିଜର ଭୌଗଳିକ ବୈଶିଷ୍ଟ୍ୟ ଦୃଷ୍ଟିରୁ କେରଳ ଓ ଲଦ୍ଦାଖ ପରସ୍ପରଠାରୁ ଅଲଗା ହେଲେ ମଧ୍ୟ ଏହି ଦୁଇଟି ଅଞ୍ଚଳର ଇତିହାସରେ ଆମେ ବିବିଧ ସାଂସ୍କୃତିକ ପ୍ରଭାବର ସ୍ପର୍ଷ ଦେଖିବାକୁ ପାଇବା । ଉଭୟ ଅଞ୍ଚଳ ଚୈନିକ ଓ ଆରବୀୟ ବଣିକ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ । କେରଳର ଭୂଗୋଳ ଯୋଗୁଁ ହିଁ ସେଠାରେ ମସଲାମସଲି ଇତ୍ୟାଦିର ଚାଷବାସ ହୋଇପାରିଲା ତଥା ଲଦ୍ଦାଖର ବିଶେଷ ଭୌଗଳିକ ଅବସ୍ଥିତି ଓ ଏହାର ପଶମ ଯୋଗୁଁ ହିଁ ଏହି ଅଞ୍ଚଳଗୁଡ଼ିକୁ ବେପାରିମାନେ ଆକର୍ଷିତ ହୋଇ ଆସିଲେ । ଅତଏବ ଗୋଟିଏ ଅଞ୍ଚଳର ସାଂସ୍କୃତିକ ଜୀବନରେ ଅନେକ ସମୟରେ ଇତିହାସ ଓ ଭୂଗୋଳ ଛନ୍ଦିହୋଇଥାଆନ୍ତି ।

ବିଭିନ୍ନ ସଂସ୍କୃତିର ପ୍ରଭାବ ପଡ଼ିବା କେବଳ ଅତୀତର କଥା ନୁହେଁ । ଆମର ସମସାମୟିକ ଜୀବନରେ ମଧ୍ୟ ଆମେ ଯେତେବେଳେ ଜୀବିକା ଅର୍ଜନ ପାଇଁ ସ୍ଥାନରୁ ସ୍ଥାନାନ୍ତର ହେଲାବେଳେ ଆମର ସାଂସ୍କୃତିକ ପରମ୍ପରା ଓ ଜୀବନଶୈଳୀ ଆମର ନୂଆ ବାସସ୍ଥାନର ଅଂଶବିଶେଷ ବନିଯାଏ । ସେହିପରିଭାବରେ ଆମେ ଆମର ନିଜର ପଡ଼ିଶାରେ ମଧ୍ୟ ଭିନ୍ନଭିନ୍ନ ଜନଗୋଷ୍ଠୀର ଲୋକମାନଙ୍କ ସହିତ ମିଶି ଚଳୁଛୁ । ପରସ୍ପରର କାମ କରିବାର ବାଟ ବିଷୟରେ ଜାଣିବା ତଥା ନିଜର ଓ ଅନ୍ୟର ଜୀବନ, ପରମ୍ପରା ଓ ଚଳଣୀ ବିଷୟରେ ଗପଟିମାନ ଶୁଣିବାରେ ଆମେ ଆମର ଦୈନନ୍ଦିନ ଜୀବନ ଅତିବାହିତ କରୁ ।
 
ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ପ୍ରଥମ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

No comments:

Post a Comment