Tuesday, November 29, 2016

ନାରୀମାନଙ୍କ ପାଇଁ ମତଦାନର ଅଧିକାର


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କୌଣସିଠାରେ ସରକାରମାନେ ସ୍ୱେଚ୍ଛାପୂର୍ବକ କ୍ଷମତାରେ ଭାଗପ୍ରଦାନ କରିନାହାନ୍ତି । ସରକାରରେ ଅଂଶଗ୍ରହଣର ଅଧିକାର ପାଇଁ ସାରା ୟୁରୋପରେ ଓ ଆମେରିକାରେ ଗରୀବ ଲୋକଙ୍କୁ ଓ ମହିଳାମାନଙ୍କୁ ଲଢ଼ିବାକୁ ପଡ଼ିଛି । ମହିଳାମାନଙ୍କର ମତାଧିକାର ପାଇଁ ଆନ୍ଦୋଳନ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୟୁରୋପରେ ବଳସଙ୍ଗ୍ରହ କଲା । ଏହି ଆନ୍ଦୋଳନକୁ ନିର୍ବାଚନାଧିକାର ଆନ୍ଦୋଳନ କୁହାଯାଏ ।

ଏହି ସମୟରେ ଅନେକ ପୁରୁଷଲୋକେ ଯୁଦ୍ଧ ପାଇଁ ଦୂରଦେଶରେ ଥିଲେ । ଆଗରୁ ଯେଉଁ ସବୁ କାମକୁ ପୁରୁଷଜନୋଚିତ କାମ ବୋଲି ଗଣା ଯାଉଥିଲା, ସେସବୁ କ୍ଷେତ୍ରଗୁଡ଼ିକରେ ଏବେ ସ୍ତ୍ରୀଲୋକମାନେ କାମ କରିବାକୁ ଲାଗିଲେ । ଅନେକ ମହିଳାମାନେ ନାନା ପ୍ରକାରର କାମ ସଙ୍ଗଠିତ କରିବାକୁ ଓ ପରିଚାଳିତ କରିବାକୁ ଲାଗିଲେ । ଏହା ଦେଖି ଲୋକେ ସ୍ତ୍ରୀଲୋକମାନଙ୍କ ବିଷୟରେ ଓ ସେମାନଙ୍କର ନାନାଦି କାମ କରିବାର କ୍ଷମତା ବିଷୟରେ ସେମାନଙ୍କ ନିଜର ଧରାବନ୍ଧାଚିତ୍ରଗୁଡ଼ିକ ନେଇ ପ୍ରଶ୍ନ ଉଠାଇବାକୁ ଲାଗିଲେ । ଏଣୁ ସ୍ତ୍ରୀଲୋକମାନେ ନିଜକୁ ନିଷ୍ପତ୍ତି ନେବାରେ ସମାନ ବୋଲି ଜ୍ଞାନ କରିବାକୁ ଲାଗିଲେ ।

ନିର୍ବାଚନାଧିକାରର ଆନ୍ଦୋଳନକାରୀମାନେ ମହିଳାମାନଙ୍କ ପାଇଁ ଭୋଟ ଦେବାର ଅଧିକାର ଦାବୀ କଲେ । ଏଥି ପ୍ରତି ଦାବୀ ଆକର୍ଷିତ କରିବା ପାଇଁ ସେମାନେ ନିଜକୁ ଶିକୁଳିରେ ରେଲିଙ୍ଗ ଇତ୍ୟାଦିରେ ବାନ୍ଧୁଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଜେଲ ମଧ୍ୟ ଗଲେ । ଅନଶନରେ ମଧ୍ୟ ବସିଲେ । ଅନଶନରେ ବସିଥିବା ଅନେକ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଖାଦ୍ୟ ଖୁଆଯାଉଥିଲା । ଆମେରିକାର ମହିଳାମାନେ ୧୯୨୦ ମସିହାରେ ଭୋଟ ଦେବାର ଅଧିକାର ପାଇଲେ । ପୁରୁଷମାନଙ୍କ ସହିତ ସମତା ଭିତ୍ତିରେ ଭୋଟ ଦେବାର ଅଧିକାର ବିଲାତର ମହିଳାମାନଙ୍କୁ ୧୯୨୮ ମସିହାରେ ମିଳିଲା ।

ବି.ଦ୍ର. - ଏନ.ସି.ଇ.ଆର.ଟି. ଛାପିଥିବା ଷଷ୍ଠ ଶ୍ରେଣୀର ସମାଜ ବିଜ୍ଞାନ ପୁସ୍ତକ 'ସୋସାଲ ଆଣ୍ଡ ପଲିଟିକାଲ ଲାଇଫ - ୧'ର ତୃତୀୟ ଅଧ୍ୟାୟର କିଛି ଅନୁଦିତ ତଥା ସମ୍ପାଦିତ ଅଂଶ ।

No comments:

Post a Comment