Wednesday, March 14, 2018

ମହାଦେଶ

ଅନୁବାଦ - ବିଶ୍ୱଜିତ ଆପଟ


ବିନା ମହାସାଗରରେ ମହାଦେଶଗୁଡ଼ିକର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୃଥିବୀରେ ସାତୋଟି ମହାଦେଶ ଅଛି । ବିସ୍ତୀର୍ଣ୍ଣ ଜଳଭାଗ ଦ୍ୱାରା ଏଗୁଡିକ ପରସ୍ପରଠାରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ଏହି ମହାଦେଶଗୁଡିକ ହେଲେ, ଏସିଆ, ଇଉରୋପ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକା । ପୃଥିବୀ ମାନଚିତ୍ରକୁ ଦେଖ (ଚିତ୍ର କ୍ରମାଙ୍କ ୫.) ଓ ଲକ୍ଷ୍ୟ କର ଯେ ପୃଥିବୀର ଅଧିକାଂଶ ସ୍ଥଳଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଛି ।

ଏସିଆ ହେଉଛି ବୃହତ୍ତମ ମହାଦେଶ । ଏହା ଆକାରରେ ପୃଥିବୀର ସମୁଦାୟ ସ୍ଥଳଭାଗର ପ୍ରାୟ ଏକ-ତୃତୀୟାଂଶ ଭାଗ । ଏହି ମହାଦେଶଟି ପୂର୍ବ ଗୋଲାର୍ଦ୍ଧରେ ରହିଛି । ଏହି ମହାଦେଶ ଦେଇ କର୍କଟକ୍ରାନ୍ତି ଯାଇଛି । ଏସିଆର ପଶ୍ଚିମରେ ଥିବା ୟୁରାଲ ପର୍ବତ ଏହାକୁ ଇଉରୋପଠାରୁ ଅଲଗା କରି ରଖିଛି (ଚିତ୍ର କ୍ରମାଙ୍କ ୫.) । ଇଉରୋପ ଓ ଏସିଆକୁ ମିଶାଇ ସମୁଦାୟ ଭୂଭାଗଟିକୁ ଇଉରେସିଆ (ଇଉରୋପ + ଏସିଆ) କୁହାଯାଏ ।

ଇଉରୋପ ଏସିଆଠାରୁ ବହୁତ ଛୋଟ । ଏହା ଏସିଆର ପଶ୍ଚିମରେ ଅବସ୍ଥିତ । ଏହା ମଧ୍ୟ ଦେଇ ସୁମେରୁ ବୃତ୍ତ ଯାଇଅଛି । ଏହାର ତିନି ପାଖକୁ ଜଳଭାଗ ଘେରି ରହିଛି । ପୃଥିବୀ ମାନଚିତ୍ର ଦେଖି ଏହାର ଅବସ୍ଥିତି ଲକ୍ଷ୍ୟ କର ।

ଆଫ୍ରିକା ହେଉଛି ଏସିଆ ପରେ ଦ୍ୱିତୀୟ ବୃହତ୍ତମ ମହାଦେଶ । ବିଷୁବବୃତ୍ତ ବା ୦° ଅକ୍ଷାଂଶ ପ୍ରାୟ ଏହାର ମଧ୍ୟଭାଗ ଦେଇ ଯାଇଛି । ଆଫ୍ରିକା ମହାଦ୍ଶର ଏକ ବଡ ଭାଗ ଉତ୍ତର ଗୋଲାର୍ଦ୍ଧରେ ରହିଛି । ମାନଚିତ୍ରକୁ ଦେଖ (ଚିତ୍ର କ୍ରମାଙ୍କ ୫.) ଓ ଲକ୍ଷ୍ୟ କର ଯେ ଆଫ୍ରିକା ହେଉଛି ଏକ ମାତ୍ର ମହାଦେଶ ଯାହା ମଧ୍ୟ ଦେଇ କର୍କଟକ୍ରାନ୍ତି, ବିଷୁବବୃତ୍ତ ଓ ମକରକ୍ରାନ୍ତି – ତିନୋଟି ଯାକ ମୁଖ୍ୟ ଅକ୍ଷାଂଶ ଯାଇଛି ।
ପୃଥିବୀର ସର୍ବବୃହତ ଉଷ୍ଣ ମରୁଭୂମି- ସାହାରା ମରୁଭୂମି ଆଫ୍ରିକାରେ ଅବସ୍ଥିତ । ମହାଦେଶଟି ସବୁ ଦିଗରୁ ମହାସାଗର ଓ ସମୁଦ୍ର ଦ୍ୱାରା ଆଚ୍ଛାଦିତ ହୋଇ ରହିଛି । ମାନଚିତ୍ରକୁ ଦେଖ । ତୁମେ ସକ୍ଷ୍ୟ କରିବ ଯେ ପୃଥିବୀର ଦୀର୍ଘତମ ନଦୀ – ନୀଳ ନଦୀ ଆଫ୍ରିକା ଦେଇ ପ୍ରବାହିତ ହେଉଛି । ଆଫ୍ରିକାର ମାନଚିତ୍ର ଦେଖି କୁହ ଯେ, କର୍କଟକ୍ରାନ୍ତି, ବିଷୁବବୃତ୍ତ ଓ ମକରକ୍ରାନ୍ତି ଏହାର କେଉଁ ଭାଗ ଦେଇ ଯାଇଛି ।

ଉତ୍ତର ଆମେରିକା ପୃଥିବୀର ତୃତୀୟ ବୃହତ୍ତମ ମହାଦେଶ ଅଟେ । ଏହା ଦକ୍ଷିଣ ଆମେରିକା ସହ ଏକ ସଙ୍କୀର୍ଣ୍ଣ ସ୍ଥଳଭାଗ ଦ୍ୱାରା ସଂଯୁକ୍ତ ଯାହାକୁ ପାନାମା ଯୋଜକ କୁହାଯାଏ । ଏହି ମହାଦେଶଟି ସମ୍ପୂର୍ଣ୍ଣ ଭାବରେ ଉତ୍ତର ଓ ପଶ୍ଚିମ ଗୋଲାର୍ଦ୍ଧରେ ଅବସ୍ଥିତ । ଏହି ମହାଦେଶକୁ ତିନୋଟି ମହାସାଗର ଘେରି ରହିଛି । ତୁମେ ସେଗୁଡିକର ନାମ କହିପାରିବ କି ?

ଦକ୍ଷିଣ ଆମେରିକାର ଅଧିକାଂଶ ଭାଗ ଦକ୍ଷିଣ ଗୋଲାର୍ଦ୍ଧରେ ରହିଛି । ଏହାର ପୂର୍ବ ଓ ପଶ୍ଚିମରେ କେଉଁ ଦୁଇଟି ମହାସାଗର ରହିଛି ? ପୃଥିବୀର ସବୁଠାରୁ ଲମ୍ବା ପର୍ବତଶ୍ରେଣୀ ଆଣ୍ଡିଜ୍ ଏହାର ଉତ୍ତରରୁ ଦକ୍ଷିଣ ଯାଏଁ ବିସ୍ତୃତ । ଦକ୍ଷିଣ ଆମେରିକାରେ ପୃଥିବୀର ବୃହତ୍ତମ ନଦୀ ଆମାଜନ ପ୍ରବାହିତ ହୁଏ ।

ଅଷ୍ଟ୍ରେଲିଆ ପୃଥିବୀର କ୍ଷୁଦ୍ରତମ ମହାଦେଶ ଓ ଏହା ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ । ଏହାର ଚତୁଃପାର୍ଶ୍ୱ ମହାସାଗର ଓ ସାଗରଗୁଡିକ ଦ୍ୱାରା ଆଚ୍ଛାଦିତ । ଏହାକୁ ଦ୍ୱୀପ ମହାଦେଶ କୁହାଯାଏ ।

ଆଣ୍ଟାର୍କଟିକା ଏକ ବିଶାଳ ମହାଦେଶ ଅଟେ । ଏହା ସମ୍ପୂର୍ଣ୍ଣ ଭାବେ ଦକ୍ଷିଣ ମହାଦେଶରେ ରହିଛି । ଦକ୍ଷିଣ ମେରୁ ପ୍ରାୟ ଏହାର କେନ୍ଦ୍ରରେ ଅବସ୍ଥିତ । ଦକ୍ଷିଣ ମେରୁ ଅଞ୍ଚଳରେ ଥିବାରୁ ଏହା ସର୍ବଦା ବରଫ ଦ୍ୱାରା ଆଚ୍ଛାଦିତ ଥାଏ । ଏଠାରେ ସ୍ଥାୟୀ ଜନବସତି ନାହିଁ । ଆଣ୍ଟାର୍କଟିକାରେ ବିଭିନ୍ନ ଦେଶର ଗବେଷଣାଗାର ରହିଛି । ଏଠାରେ ଭାରତର ମଧ୍ୟ ଗବେଷଣାଗାରମାନ ଅଛି । ସେଗୁଡିକର ନାମ ମୈତ୍ରୀ ଓ ଦକ୍ଷିଣ ଗଙ୍ଗୋତ୍ରୀ

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Monday, March 12, 2018

ଶିକ୍ଷା ଓ ଶାନ୍ତି

ଗୋପବନ୍ଧୁ ଦାଶ



ଗ୍ରୀକ ଶାନ୍ତିର ଦେବୀ ଆଇରିନ୍, ନିଜର ପୁତ୍ର ପ୍ଲୁଟୋଙ୍କ ସହ
ୱିକିମିଡିଆ କମନ୍ସ୍ 

ଅନେକେ ମନେ କରନ୍ତି, ଶିକ୍ଷା ହେତୁ ଏ ଦେଶରେ ଅଶାନ୍ତି ଓ ଅରାଜକତା ବଢୁଛି ବୋଲି ସରକାରଙ୍କର ବିଶ୍ୱାସ। ତେଣୁ ସରକାର ଏ ଦେଶରେ ଅଧିକ ଶିକ୍ଷା-ବିସ୍ତାରର ପକ୍ଷପାତୀ ନୁହନ୍ତି। ଏଭଳି ଆଶଙ୍କାର ଯଥାର୍ଥରେ କୌଣସି ଭିତ୍ତି ନାହିଁ। ଦିନକୁ ଦିନ ଶିକ୍ଷାବିଭାଗର ବ୍ୟୟ ବଢୁଛି ଏବଂ ନୂତନ ନୂତନ ଶିକ୍ଷାନୁଷ୍ଠାନମାନ ବଢ଼ୁଛି। ଦେଶର ଲୋକସାଧାରଣଙ୍କ ମନରେ ଶିକ୍ଷା ନିମନ୍ତେ ଯେପରି ବ୍ୟାକୁଳତା ଆସିଅଛି, ସରକାରୀ କର୍ତ୍ତୁପକ୍ଷମାନେ ତତ୍‌ପ୍ରତି ସେହିପରି ସହାନୁଭୂତି ଓ ଉଦ୍‌ବେଗ ଦେଖାଇବାରେ ତ୍ରୁଟି କରୁନାହାନ୍ତି। ତେବେ ପରସ୍ପର ମଧ୍ୟରେ ବୁଝିବାରେ କେବେ କେବେ ଟିକିଏ ଭ୍ରମ ହୋଇଥାଏ। ମନୁଷ୍ୟର ସାଂସାରିକ ବ୍ୟବହାରରେ ଏପରି ଭ୍ରମ ଘଟିବା ଅବଶ୍ୟମ୍ଭାବୀ। କିନ୍ତୁ ଉଭୟ ପକ୍ଷର ପ୍ରାଣରେ ସରଳତା, ଉଦ୍ଦେଶ୍ୟରେ ଉଦାରତା ଏବଂ କାର୍ଯ୍ୟରେ ଆନ୍ତରିକତା ଥିଲେ, ଏ ଭ୍ରମ ବେଶି ଦିନ ରହିବ ନାହିଁ।

ବଙ୍ଗଳା ଶିକ୍ଷାବିଭାଗର ଉରେକ୍‌ଟର ସାହେବ ସେ ଦିନ ଏକ ପୁରସ୍କାର ବିତରଣୀ ସଭାରେ କହିଥିଲେ “ଅରାଜକତା ନିବାରଣର ଉପାୟ ଅଳ୍ପ ଶିକ୍ଷା ବା ଅଳ୍ପ ବିଦ୍ୟାଳୟ ନୁହେଁ ବର‌ଂ ଅଧିକ ଶିକ୍ଷା ଏବଂ ଅଧିକ ବିଦ୍ୟାଳୟ ଆବଶ୍ୟକ।“ ବାସ୍ତବରେ ଦେଶର ଜନସାଧାରଣ ଶିକ୍ଷିତ ନହେଲେ ଦେଶର ଉନ୍ନତି ସମ୍ଭବ ନୁହେଁ ଏବଂ ଦେଶର ଉନ୍ନତି ବିନା ଶାସନର ଶୃଙ୍ଖଳା ଏବଂ ସୁବ୍ୟବସ୍ଥା କିପରି ହେବ? ଯେ କୌଣସି ଦେଶର ଅପରାଧୀମାନଙ୍କର ହିସାବ ନେଲେ ଦେଖାଯିବ ଉତ୍କଟ ଅପରାଧ ହେତୁ କାରାବଦ୍ଧ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଅଶିକ୍ଷିତ। ଶିକ୍ଷା ନ ପାଇଲେ ଲୋକର ଆତ୍ମାମର୍ଯ୍ୟାଦା ଜନ୍ମେ ନାହିଁ ଏବଂ ଯେଉଁମାନଙ୍କର ଆତ୍ମାମର୍ଯ୍ୟାଦା ନାହିଁ ସେମାନଙ୍କ ପ୍ରତି କାରାବାସର କୌଣସି ଅର୍ଥ ନାହିଁ। ସୁତରାଂ ଦେଶରେ ଯେଉଁ ପରିମାଣରେ ବିଦ୍ୟାଳୟ ବଢିବ ସେହି ପରିମାଣରେ କାରାବାସ କମିବ ଯେଉଁ ପରିମାଣରେ ଶିକ୍ଷକ ସଂଖ୍ୟା ବଢିବ ସେହି ପରିମାଣରେ ମାଜିଷ୍ଟ୍ରେଟ୍ ସଂଖ୍ୟା କମିବ। ଶିଳ୍ପ, ସ୍ୱାସ୍ଥ୍ୟ ବା ଅନ୍ୟ ଯେକୌଣସି ସାଧାରଣ ହିତକର ପ୍ରସ୍ତାବକୁ ଶିକ୍ଷିତ ସମାଜରେ କାର୍ଯ୍ୟରେ ପରିଣତ କରିବା ଯେପରି ସହଜ ଏବଂ ସୁସାଧ୍ୟ କୁ ସଂସ୍କାର ପୂର୍ଣ୍ଣ ଅଶିକ୍ଷିତ ସମାଜରେ ସେପରି ନୁହେଁ। ଜ୍ଞାନ ଅଶାନ୍ତିର ହେତୁ ବୋଲି ଖ୍ରୀଷ୍ଟିୟାନମାନଙ୍କର ବିଶ୍ୱାସ ଥିଲା। ସେମାନେ କହନ୍ତି ଜ୍ଞାନବୃକ୍ଷର ଫଳ ଆସ୍ୱାଦନଦ୍ୱାରା ମାନବ ଚିରକାଳ ପାଇଁ ସୁଖଶାନ୍ତି ହରାଇଛି ମାତ୍ର ଜଗତରେ ଜ୍ଞାନ ପ୍ରଚାର ବିଷୟରେ ଆଜି ଖ୍ରୀଷ୍ଟିୟାନମାନେ ଅଗ୍ରଣୀ ଖ୍ରୀଷ୍ଟଧର୍ମ ପ୍ରଚାରକ ଗଣ ଅସଭ୍ୟ ବର୍ବର ଲୋକମାନଙ୍କ ମଧ୍ୟରେ ଶିକ୍ଷା ସଭ୍ୟତା ପ୍ରଚାର କରି ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ କି ଅଭାବନୀୟ ପରିବର୍ତ୍ତନ ଘଟାଇ ଅଛନ୍ତି, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ମାନବପ୍ରାଣ ସବୁବେଳେ ଅନ୍ଧକାରରୁ ଆଲୋକକୁ ଯିବାକୁ ଲୋଡ଼ାଅଛି, ଅସତ୍ୟରୁ ସତ୍ୟ ଆଡ଼କୁ ଯିବାକୁ ବ୍ୟାକୁଳ ହେଉଅଛି।


ଅସତୋ ମାଂ ସଦ୍‌ଗମୟ, ତମସୋ ମା ଜ୍ୟୋତିର୍ରାମୟ। “ ବୈଦିକ ଆର୍ଯ୍ୟଋଷିମାନଙ୍କର ଏହି ଅମର ଭକ୍ତିରେ ମାନବର ସହଜ ଅନନ୍ତ ଆକାଂକ୍ଷା ପ୍ରକାଶିତ ହୋଇଅଛି। ଏହି ଆକାଂକ୍ଷା ହିଁ ଯଥାର୍ଥରେ ମାନବର ପ୍ରାଣ ଏବଂ ମାନବର ସକଳ ଉନ୍ନତିର ନିଦାନ। କ୍ରମାଗତ ଏହି ଆକାଂକ୍ଷାର ଉତ୍ତରୋତ୍ତର ପରିତୃପ୍ତି ହେଉଥିଲେ ଆମ୍ଭମାନଙ୍କର ଏହି ଜଗତ ନିତ୍ୟଶାନ୍ତିର ନିକେତନ ହୁଅନ୍ତା। ଆବହମାନ କାଳରୁ ଭାରତୀୟ ଆର୍ଯ୍ୟମାନେ ଏହି ଆକାଂକ୍ଷା ଚରିତାର୍ଥ କରିବା ନିମନ୍ତେ ପ୍ରୟାସୀ। ତେଣୁ ନାନା ଅବସ୍ଥା ବିପର୍ଯ୍ୟୟ ମଧ୍ୟରେ ଭାରତବାସୀ କେବେ ନିଜର ଧୈର୍ଯ୍ୟ ଓ ଶାନ୍ତି ହରାଇ ନାହିଁ, ପାର୍ଥିବ ଅଧିକାର ଆଶାରେ ଧର୍ମପଥରୁ ବିଚଳିତ ହୋଇ ନାହିଁ। ଭାରତୀୟ ଦୃଷ୍ଟିରେ ମାନବଜୀବନ ସଂକୀର୍ଣ୍ଣ, ସୀମାବଦ୍ଧ ନୁହେଁ। ପଚାଶ ଷାଠିଏ ବର୍ଷରେ ଏହା ଏହିଠାରେ ଶେଷ ହୁଏ ନାହିଁ। ଏହାର ଗତି ଅନନ୍ତ ଲକ୍ଷ୍ୟ ଅନନ୍ତ। ଏହିପରି ଉଦାର ବ୍ୟାପକ ଭାବରେ ଜୀବନକୁ ଦେଖି ନ ଶିଖିବା ଯାଏ ଆମ୍ଭମାନଙ୍କର ନିଜତ୍ୱ ଆସିବ ନାହିଁ, ଶାନ୍ତି ମିଳିବ ନାହିଁ, ମୁକ୍ତିର ଦ୍ୱାର ଫିଟିବ ନାହିଁ


(ସତ୍ୟବାଦୀ, ୨ୟ ଖଣ୍ଡ, ୫ମ, ୬ଷ୍ଠ ଓ ୭ମ ସଂଖ୍ୟା, ୧୯୧୬)

Saturday, March 10, 2018

ପ୍ରଜାପତି

ବାଞ୍ଛାନିଧି ଷଡ଼ଙ୍ଗୀ


ଚିତ୍ର - ବଟରଫ୍ଲାଏ ଆଣ୍ଡ ଚାଇନିଜ ୱିଷ୍ଟେରିଆ ଫ୍ଲାୱାର୍ସ୍ (୯୭୦ ମସିହା)
ସଙ୍ଗ୍ ବଂଶର ଚିତ୍ରକର ଜୁ ଜି ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ -ୱିକିମିଡିଆ କମନ୍ସ୍

ଧଅନା ଧଅନା ପ୍ରଜାପତିଟିକି
ଉଡ଼ୁ ସେ ଆପଣାଛାଆଁ,
ଲୁଚିଲୁଚିକା ତା ପଛେ ପଛେ ବୁଲି
ଦୂରେଇ ଦୂରେଇ ଚାହାଁ ।

ଧରି ପକାଇଲେ ପାତଳ ପଖିଟି
ଛିଡ଼ିଯିବ କାଳେ ତାର,
ଖେଳୁ ଖେଳୁ, ଆହା ! ଜୀବନ ମାରିବୁ
କିଆଁ ପ୍ରଜାପତିଟାର ।

ଟୋପି ଟୋପି କଳା ଧଳା ହଳଦିଆ
ପଖି ହଲହଲ କରି,
ଏ ଫୁଲେ ସେ ଫୁଲେ ବଗିଚାଟା ଯାକ
ବୁଲୁଛି କିପରି ହଲି ।
କାହିଁ ବସୁ ନାହିଁ ମଠ କରି ଟିକେ
ଉଠିଯାଏ କାମ ସାରି,
ଶିଖିବୁ ଯେବେ ତା ଚଞ୍ଚଳପଣିଆ
ପୁଅରେ ହେବୁ ସୁମାରି ।

 ବି.ଦ୍ର.: ଏହି ଶିଶୁ କବିତାଟି ୧୩୨୮ ସାଲରେ ପ୍ରକାଶିତ ପିଲାଙ୍କ  ପତ୍ରିକା 'ପଞ୍ଚାମୃତ'ର ପ୍ରଥମ ଭାଗର ପ୍ରଥମ ସଙ୍ଖ୍ୟାରୁ ସଙ୍ଗୃହିତ । ପତ୍ରିକାର ସମ୍ପାଦକ ହେଲେ ଚିନ୍ତାମଣି ଆଚାର୍ଯ୍ୟ ।

Thursday, March 08, 2018


ପୃଥିବୀର ପ୍ରମୁଖ ମଣ୍ଡଳ ସମୂହ


ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ପ୍ରମୁଖ ପ୍ଲେଟ୍ ସମୁହ (ୱିକିମିଡିଆ କମନ୍ସ୍)

ତୁମେ ପ୍ରଥମ ଅଧ୍ୟାୟରେ ପଢିଛ ଯେ ପୃଥିବୀ ଏକ ମାତ୍ର ଗ୍ରହ ଯେଉଁଠି ଜୀବଜଗତ ତିଷ୍ଠି ରହିଛି । ମନୁଷ୍ୟମାନେ ଏଠାରେ ଜୀବନ ଧାରଣ କରିପାରିବେ କାରଣ ମାଟି, ପାଣି, ପବନରେ ରହିଥିବା ଜୀବନ ସୃଷ୍ଟିକାରୀ ଉପାଦାନ ପୃଥିବୀରେ ରହିଛି ।

ପୃଥିବୀ ପୃଷ୍ଠରେ ପରିବେଶର ତିନୋଟି ମୁଖ୍ୟ ଉପାଦାନର ସମାବେଶ ହୋଇଥାଏ ଓ ସେମାନେ ପରସ୍ପରକୁ ପ୍ରଭାବିତ କରନ୍ତି । ପୃଥିବୀର କଠିନ ପୃଷ୍ଠ ଯାହା ଉପରେ ଆମେ ବାସ କରୁ ତାହାକୁ ଅଶ୍ମମଣ୍ଡଳ କୁହାଯାଏ । ପୃଥିବୀକୁ ଘେରି ରହିଥିବା ଗ୍ୟାସର ପରସ୍ତକୁ ବାୟୁମଣ୍ଡଳ କୁହାଯାଏ ଯେଉଁଥିରେ ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ ତଥା ଅନ୍ୟ କେତେକ ଗ୍ୟାସ ରହିଅଛି । ପୃଥିବୀର ଏକ ବଡ ଭାଗ ଜଳ ଦ୍ୱାରା ଆଚ୍ଛାଦିତ ଯାହାକୁ ବାରିମଣ୍ଡଳ କୁହାଯାଏ । ବାରିମଣ୍ଡଳରେ ଜଳ ଏହାର ସବୁ ଅବସ୍ଥାରେ ଥାଏ ଯଥା ବରଫ, ଜଳ ଓ ବାଷ୍ପ ।

ଜୈବମଣ୍ଡଳ ଏକ ସଙ୍କୀର୍ଣ୍ଣ କ୍ଷେତ୍ର ଅଟେ ଯେଉଁଠାରେ ସ୍ଥଳ, ଜଳ ଓ ପବନର ସମାବେଶ ଘଟେ ଓ ଯେଉଁଠାରେ ସବୁ ପ୍ରକାରର ଜୀବ ରହିଥାଆନ୍ତି ।

ଅଶ୍ମମଣ୍ଡଳ

ଭୂପୃଷ୍ଠର କଠିନ ଭାଗକୁ ଅଶ୍ମମଣ୍ଡଳ କୁହାଯାଏ । ଏହା ଭୂତ୍ୱକର ବିଭିନ୍ନ ଶିଳା ଓ ମୃତ୍ତିକାର ପତଳା ସ୍ତରକୁ ନେଇ ଗଠିତ । ଜୀବମାନଙ୍କର ଜୀବନଧାରଣ ପାଇଁ ଆବଶ୍ୟକୀୟ ପୋଷକ ଉପାଦାନ ଏଥିରେ ରହିଥାଏ ।

ଭୂପୃଷ୍ଠ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ । ବିଶାଳ ସ୍ଥଳଭାଗଗୁଡିକୁ ମହାଦେଶ କୁହାଯାଏ ଓ ବିଶାଳ ଜଳଭାଗଗୁଡିକୁ ମହାସାଗର କୁହାଯାଏ । ପୃଥିବୀର ପ୍ରତ୍ୟେକ ମହାସାଗର ପରସ୍ପର ସହ ସଂଯୁକ୍ତ । ପୃଥିବୀର ମାନଚିତ୍ରକୁ ଦେଖ । ସମସ୍ତ ସ୍ଥଳଭାଗ ପରସ୍ପର ସହ ସଂଯୁକ୍ତ କି ?

ମହାସାଗରର ଜଳସ୍ତର ସବୁଆଡେ ସମାନ । ବିଭିନ୍ନ ସ୍ଥାନର ଉଚ୍ଚତା ସମୁଦ୍ରପତ୍ତନଠାରୁ ହିସାବ କରାଯାଏ ଅର୍ଥାତ ସମୁଦ୍ରର ଜଳସ୍ତରର ଉଚ୍ଚତା ଶୂନ ଧରାଯାଏ । ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟର ଉଚ୍ଚତା ସମୁଦ୍ରପତ୍ତନ ଠାରୁ ୮୮୪୮ ମିଟର । ଗଭୀରତମ ସ୍ଥାନ ପ୍ରଶାନ୍ତ ମହାସାଗରର ମାରିଆନା ସାମୁଦ୍ରିକ ଖାତ ଅଟେ ଯାହାର ଗଭୀରତା ହେଉଛି ୧୧,୦୨୨ ମିଟର । ତୁମେ କ’ଣ କେବେ କଳ୍ପନା କରିଥିଲ ଯେ ସମୁଦ୍ରର ଗଭୀରତା ପୃଥିବୀର ସର୍ବୋଚ୍ଚ ସ୍ଥାନଠାରୁ ମଧ୍ୟ ଏତେ ଅଧିକ ହୋଇପାରେ ?

ବି.ଦ୍ର.
 - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପଞ୍ଚମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।


Monday, March 05, 2018

ଛାତ୍ରମାନଙ୍କ ସ୍ୱାସ୍ଥ୍ୟର ଅବସ୍ଥା

ଗୋପବନ୍ଧୁ ଦାଶ


ଚିତ୍ର -'ଏସ୍.ଏ. ରାଚିନ୍‌ସ୍କିଙ୍କର ସାଧାରଣ ବିଦ୍ୟାଳୟରେ ମାନସାଙ୍କ' (୧୮୯୫)
ଚିତ୍ରକର - ନିକୋଲାଇ ବୋଗ୍‌ଦାନୋଭ୍ ବେଲ୍‌ସ୍କି (୧୮୬୮-୧୯୪୫)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଶିକ୍ଷା ବିଭାଗର କର୍ତ୍ତୁପକ୍ଷ ବିଶେଷ ସାବଧାନ । ସେମାନେ ବିଦ୍ୟାଳୟ ଲାଗି କୋଠାଘର ଲୋଡ଼ନ୍ତି, ଛାତ୍ରବାସ ନିମନ୍ତେ ଏଭଳି ଘର ଏଭଳି ଉରକରଣ ଆୟୋଜନ କରନ୍ତି ଯେ ଉତ୍ତର କାଳରେ ଛାତ୍ର ଗୃହସ୍ଥାଶ୍ରମ କରି ଅର୍ଥୋପାୟ ଦ୍ୱାରା କେବେ ସେଭଳି ସଂସ୍ଥାନ କରିପାରିବା ସହଜ ନୁହେଁ । ସ୍କୁଲ କଲେଜମାନଙ୍କର ଅବସ୍ଥାନ ଯେତେ ଦୂର ସମ୍ଭବ ସ୍ୱାସ୍ଥ୍ୟକର ସ୍ଥାନରେ ହୋଇଥାଏ । ଯଥା ସମୟରେ ବିଶ୍ରାମ ଏବଂ ବିହାର ନିମନ୍ତେ ବ୍ୟବସ୍ଥା ଥାଏ । ଘରେ ଛାତ୍ରର ପାରିବାରିକ ଅବସ୍ଥା ଯାହା ହେଉ ସ୍କୁଲ କଲେଜରେ ପଢିବା ବେଳେ ଅଧିକାଂଶଙ୍କର ଖାଦ୍ୟପେୟରେ ତେତେ ବେନିୟମ ବା ଅଭାବ ଘଟେ ବୋଲି କୁହାଯାଇ ନପାରେ । ତଥାପି ଆମ୍ଭମାନଙ୍କ ଛାତ୍ରସମାଜର ସ୍ୱାସ୍ଥ୍ୟ କାହିଁକି ଆଶାନୁରୂପ ନୁହେଁ ? ଉଦାରମୟ ଏବଂ ମୁଣ୍ଡବ୍ୟଥା ଛାତ୍ରଦଳର ସାଧାରଣ ରୋଗ । ଏହାଛଡ଼ା ଆଉ ଅନେକ ପ୍ରକାର ବ୍ୟାଧି ଅଛି । ଗତବର୍ଷ ବମ୍ୱେ ନଗରରେ କେତେକ ଛାତ୍ରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଦେଖା ଗଲା ୧୯୪୬ ଜଣଙ୍କ ମଧ୍ୟରେ ୧୦୦୦ ଜଣଙ୍କର ତୋଟି, ନାକ ଏବଂ କାନରେ ଏପରି ଦୋଷ ରହିଅଛି ଯେ ଅଳ୍ପ ଦିନ ମଧ୍ୟରେ କ୍ଷୟ ରୋଗ ହେବା ସମ୍ଭବ । ୧୨୩୮ ଜଣଙ୍କର ଦାନ୍ତ ଖରାପ । ୪୮୪ ଜଣଙ୍କର ଆଖିରେ ଦୋଷ ରହିଅଛି । ୨୭୩ ଜଣଙ୍କର ପ୍ଲୀହା ବଢିଛି ଏବଂ ୯୧୬ ଜଣଙ୍କର ଫୁସ୍‌ଫୁସ୍ ଆଦି ଆଭ୍ୟନ୍ତରିକ ଯନ୍ତ୍ର ଦୋଷଯୁକ୍ତ । ଅବଶ୍ୟ ଡାକ୍ତରମାନଙ୍କର ଛୁଞ୍ଚିମାଛି ପରୀକ୍ଷା ହେତୁ କାହାରି କାହାରି ପକ୍ଷେ ଟିକିଏ ଅତ୍ୟଧିକ ଆଶଙ୍କା ହୋଇଥିବା ବିଚିତ୍ର ନୁହେଁ । ସେଥିଲାଗି କିଛି ବାଦ ଦେଲେ ସୁଦ୍ଧା ସଙ୍ଖ୍ୟା ତ ଅଳ୍ପ ଭୟଙ୍କର ନୁହେଁ । ଜନାକୀର୍ଣ୍ଣ ସହରରେ ସ୍କୁଲ କଲେଜମାନଙ୍କର ଅବସ୍ଥାନ ଏହି ସ୍ୱାସ୍ଥ୍ୟଭଙ୍ଗର କାରଣ ବୋଲି ଅନେକେ ମନେ କରନ୍ତି । ଯଥାର୍ଥରେ ସହର ଜୀବନ ଦିନକୁ ଦିନ ଅତ୍ୟନ୍ତ ଅସ୍ୱାଭାବିକ ହୋଇପଡୁଅଛି । ବିଳାସିତା ବଢ଼ୁଛି ଛାତ୍ରଜୀବନରେ ପୂର୍ବର ସେ ସଞ୍ଜମ ନାହିଁ । ପଞ୍ଜାବ ଗଭର୍ଣ୍ଣମେଣ୍ଟଙ୍କ ବ୍ୟବସ୍ଥାପକ ସଭାରେ ଛାତ୍ରମାନଙ୍କର ଧୂମପାନ ନିବାରଣ ଲାଗି ଆଇନ ପ୍ରଣୟନ ବ୍ୟବସ୍ଥା ହେଉଛି ପରା । ପୁଣି ଅଧ୍ୟୟନ ସମୟ ଅଧ୍ୟାପନାର ରୀତି ପାଠର ପରିମାଣ ପରୀକ୍ଷାର ପ୍ରକୃତି ଇତ୍ୟାଦି ନାନା କାରଣ ଏ ସ୍ୱାସ୍ଥ୍ୟଭଙ୍ଗରେ ସାହାଯ୍ୟ କରୁଅଛି ।

ପ୍ରାଚୀନ କାଳରେ ବିଦ୍ୟାଳୟମାନ ସହରରୁ ଦୂରରେ ଥିଲା । ବାହାରର କୌଣସି ପ୍ରଭାବ ବା ପ୍ରଲୋଭନରେ ଛାତ୍ରମାନେ ବିଚଳିତ ହେବାର ଆଦୌ ଅବକାଶ ନଥିଲା । ଛାତ୍ରଜୀବନର ପଦ୍ଧତି ନିୟମବଦ୍ଧ ଥିଲା । ଆହାର ବିହାର ସ୍ନାନ ପାନ ବାକ୍ୟ ବ୍ୟବହାରର ସବୁଥିରେ ସଞ୍ଜମ ପ୍ରତି ବିଶେଷ ଦୃଷ୍ଟି ଥିଲା । ପ୍ରକୃତିର ଉନ୍ମୁକ୍ତ ଉତ୍ସଙ୍ଗରେ ସ୍ୱଚ୍ଛନ୍ଦ ବିଚରଣ କରିବା ଲାଗି ଛାତ୍ରମାନେ ଯଥେଷ୍ଟ ସୁବିଧା ପାଉଥିଲେ । ପରୀକ୍ଷା ଉଦ୍‌ବେଗ ସେମାନଙ୍କ ପ୍ରାଣକୁ ଏତେ ଆକୁଳ କରୁନଥିଲା । ଗୁରୁଙ୍କର ବାତ୍ସଲ୍ୟ-ପ୍ରୀତି ପ୍ରତି ମୁହୂର୍ତ୍ତରେ ସେମାନଙ୍କ ହୃଦୟକୁ ପୁଲକିତ କରି ରଖିଥିଲା । ଶିକ୍ଷା ଧର୍ମାନୁଷ୍ଟାନର ଅଙ୍ଗ ବୋଲି ବିଶ୍ୱାସ ଥିଲା । ସ୍ଥୁଳରେ ସେ କାଳର ଛାତ୍ରଜୀବନ ସରଳ, ସଞ୍ଜତ, ଶୁଦ୍ଧ, ଶାନ୍ତ, ସୁମଧୁର ଥିଲା । ସେ କାଳର ଅବସ୍ଥା ଏ ଯୁଗରେ ଫେରାଇ ଆଣିବା ଅସମ୍ଭବ । ମାତ୍ର ଛାତ୍ରମାନଙ୍କର ସ୍ୱାସ୍ଥ୍ୟରକ୍ଷା ଏବ‌ଂ ବଳାଧାନ ନିମନ୍ତେ ସେ କାଳର କୌଣସି କୌଣସି ରୀତିକୁ ବର୍ତ୍ତମାନ ଅବସ୍ଥାରେ ସ୍ଥଳବିଶେଷରେ ପରୀକ୍ଷା ସ୍ୱରୂପ ପ୍ରୟୋଗ କରିବା ଅସଙ୍ଗତ ହେବନାହିଁ । ଲଣ୍ଡନ ବିଶ୍ୱବିଦ୍ୟାଳୟର ଏମ.ଡି. ଡାକ୍ତର ଲାଙ୍କେଷ୍ଟର ଜଣେ ପ୍ରବୀଣ ଚିକିତ୍ସକ ସେ ଯକ୍ଷ୍ମା ଓ କ୍ଷୟରୋଗ ସମ୍ୱନ୍ଧ ଅନୁସନ୍ଧାନ କରିବା ଲାଗି ଭାରତ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଯୁକ୍ତ ସେ ଥରେ ସତ୍ୟବାଦୀର ବନ ବିଦ୍ୟାଳୟ ଦେଖିବାକୁ ଆସିଥିଲେ । ପ୍ରଶସ୍ତ ଉଦ୍ୟାନର ଗଛମୂଳେ ଅଧ୍ୟାପନା ଦେଖି ସେ ଅତିଶୟ ପ୍ରୀତ ହୋଇଥିଲେ । ସେ ମତ ବ୍ୟକ୍ତ କରିଥିଲେ ଯେ ଭାରତର ଅନେକ ସ୍ଥାନରେ ଏହିପରି ବିଦ୍ୟାଳୟ ହୋଇପାରେ ଏବଂ ହେବା ଉଟିତ । ଏ ରୀତି ବିଦ୍ୟାଳୟଦ୍ୱାରା ଛାତ୍ରମାନଙ୍କର ଯକ୍ଷ୍ମା ବା କ୍ଷୟରୋଗର ଆଶଙ୍କା ବହୁ ପରିମାଣରେ କମିଯିବ ବୋଲି ତାଙ୍କର ବିଶ୍ୱାସ । ଏହିପରି ପୂର୍ବର ଆଉ କୌଣସି କୌଣସି ଶିକ୍ଷାରୀତି ମଧ୍ୟ ପରୀକ୍ଷା କରାଯାଇପାରେ । ଶିକ୍ଷା ସମସ୍ତ ପ୍ରକାର ଜାତୀୟ ଉନ୍ନତିର ମୂଳଭିତ୍ତି ଏବଂ ଛାତ୍ରମାନେ ସମାଜର ଓ ସାମ୍ରାଜ୍ୟର ଭାବୀ ଆଶା । ସେମାନଙ୍କୁ ସୁସ୍ଥ ସବଳ କରିବା ଲାଗି ସମାଜ ଶିକ୍ଷକ ଶାସକ ସମସ୍ତଙ୍କର ତତ୍ପର ହେବା ସବର୍ଥା କର୍ତ୍ତବ୍ୟ ।

(ସତ୍ୟବାଦୀ, ୨ୟ ଖଣ୍ଡ ୫ମ ୬ଷ୍ଠ ଓ ୭ମ ସଙ୍ଖ୍ୟା ୧୯୧୬)

Saturday, March 03, 2018

ପିଲାଙ୍କ କବିତା - 'ଜହ୍ନ ମାମୁ'


କବି - ନୀଳକଣ୍ଠ ଦାସ (୧୮୮୪ - ୧୯୬୭)


ମାଇକ୍ରୋଗ୍ରାଫିଆ ଗ୍ରନ୍ଥରେ ଚନ୍ଦ୍ରର ଚିତ୍ର (୧୬୬୫ ମସିହା)
ଲେଖକ ଓ ଚିତ୍ରକର - ରବର୍ଟ ହୁକ (୧୬୩୫ - ୧୭୦୩)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆରେ ଜହ୍ନମାମୁ ଥିଲୁ ତୁ କାହିଁ  ?
ଦିନବେଳେ କିମ୍ପା ଦିଶିଲୁ ନାହିଁ  ?
ମାମୁଘର ମୋର ବହୁତ ଦୂର
ମାମୁ ମାଇଁଙ୍କର ବଡ଼ ଆଦର

ପାଚିଲା କଦଳୀ, ପାଚିଲା ଆତ,
ଛେନାଗୁଡ଼, ଦୁଧ, ତବତ ଭାତ,
ଖାଇବାକୁ ମାଇଁ ଦିଅନ୍ତି ମୋତେ,
ମା' ପରି ସେନେହ କରନ୍ତି କେତେ ।

ଆଈମା' ଶରଧା ବେଶି କରନ୍ତି,
ରାଜାରାଣୀ ଗପ କେତେ କହନ୍ତି ।
ମାମୁପୁଅ ଭାଇ ମୋ' ସଙ୍ଗେ ଖେଳେ,
ଖେଳିବାକୁ ଯାଏ ତାଙ୍କରି ମେଳେ ।

ମାମୁଘରକୁ ମୁଁ ଯେଦିନ ଯିବି,
ମାମୁମାଈଁଙ୍କୁ ମୁଁ ଜୁହାର ହେବି ।
ଆରେ ଜହ୍ନମାମୁ, ଜୁହାର ତୋତେ,
ତୋ' ରୂପଟି ଭଲ ଦିଶଇ ମୋତେ ।

ଠିଆ ହୋଇଥିବି ସବୁଜ ଘାସେ,
ଦେଖୁଥିବି ତୋତେ ନୀଳ ଆକାଶେ । 

Thursday, March 01, 2018

ରେଖାଚିତ୍ର ଓ ନକ୍ସା


ଅନୁବାଦ - ବିଶ୍ୱଜିତ ଆପଟ


ଏକ କାଳ୍ପନିକ ଦ୍ୱୀପ 'ସୋଡ଼ର'ର ମାନଚିତ୍ର (ୱିକିମିଡିଆ କମନ୍ସ୍)


ରେଖାଚିତ୍ର


ପର୍ଯ୍ୟବେକ୍ଷଣ କରି ସ୍ମୃତି ଆଧାରରେ ରେଖାଚିତ୍ର ଅଙ୍କନ କରାଯାଏ ଯାହା କି ମାପଚୁପ ପାଇଁ ଉଦ୍ଦିଷ୍ଟ ନୁହେଁ । ଅନ୍ୟ ସ୍ଥାନଗୁଡିକର ସନ୍ଦର୍ଭରେ କୌଣସି ସ୍ଥାନର ଅବସ୍ଥିତି ଦର୍ଶାଇବା ପାଇଁ ବେଳେବେଳେ ଏପରି ଚିତ୍ରର ଆବଶ୍ୟକତା ପଡେ । ଧରାଯାଉ ତୁମେ ତୁମର ଜଣେ ବନ୍ଧୁଙ୍କ ଘରକୁ ଯିବାକୁ ଚାହୁଁଛକିନ୍ତୁ ତୁମକୁ ବାଟ ଜଣାନାହିଁ । ତୁମ ବନ୍ଧୁ ତାଙ୍କ ଘରକୁ ବାଟ ଦେଖାଇବା ପାଇଁ ଏକ ସାଧାରଣ ଚିତ୍ର ଆଙ୍କି ପାରିବେ । ଏହିପରି ଚିତ୍ରରେ ମାନ ବ୍ୟବହୃତ ହୋଇନଥାଏ ।

ନକ୍ସା



ନକ୍ସା ହେଉଛି ଏକ ଛୋଟିଆ ଜାଗାର ଚିତ୍ର ଯାହା ଖୁବ ବଡ ମାନରେ ଅଙ୍କାଯାଇଥାଏ । ବୃହତମାନ ବିଶିଷ୍ଟ ମାନଚିତ୍ରରେ ଅନେକ ତଥ୍ୟ ଦର୍ଶାଯାଇଥାଏକିନ୍ତୁ ଆମେ ହୁଏତ ବେଳେବେଳେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଜାଣିବାକୁ ଚାହିଁବା ଯେପରିକିକୌଣସି କୋଠରୀର ଦୈର୍ଘ୍ୟ ଓ ପ୍ରସ୍ଥ ଯାହା ମାନଚିତ୍ରରେ ଦର୍ଶାଯାଇପାରିବ ନାହିଁ । ସେତେବେଳେ ଆମେ ନକ୍ସାର ସାହାଯ୍ୟ ନେଇ ପାରିବା ଯାହାକି ମାନ ସହିତ ଅଙ୍କାଯାଇଥାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।