ଦାରିଦ୍ର୍ୟ
ଓ ଛାତ୍ରଜୀବନ
ଗୋପବନ୍ଧୁ ଦାଶ
 |
| ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଓଡିଶାର
ଅଧିକାଂଶ ଛାତ୍ର ଅତ୍ୟନ୍ତ ଦରିଦ୍ର ।
ତେଣୁ ଅନେକେ ଅଧାବାଟରୁ ପଢ଼ା
ଛାଡ଼ି ଦେଇଥାଆନ୍ତି । ସେମାନଙ୍କ
ସାହାଯ୍ୟ ନିମନ୍ତେ ସେପରି ପ୍ରଚୁର
ବ୍ୟବସ୍ଥା ମଧ୍ୟ ନାହିଁ । ବ୍ରାହ୍ମଣ
ସମିତି କରଣ ସମିତି ପ୍ରଭୃତି ଯେ
ଦୁଇ ତିନୋଟି ସାମ୍ପ୍ରଦାୟିକ
ଦଳଗତ ଉଦ୍ୟମ ଅଛି । ସେମାନଙ୍କ ଦ୍ୱାରା
ଯଥାର୍ଥରେ ବିଶେଷ କିଛି କାର୍ଯ୍ୟ
ହେଉଅଛି ବୋଲି କୁହାଯାଇ ନ ପାରେ ।
ସେମାନେ ଅତି ନିସ୍ତେଜ ଓ ନିର୍ଜୀବ
ଅବସ୍ଥାରେ ନାମକୁ ମାତ୍ର ଅଛନ୍ତି ।
କୌଣସି ସ୍କୁଲରେ ଛାତ୍ରମାନଙ୍କ
ଯତ୍ନ ଓ ଉଦ୍ୟମରେ ଦରିଦ୍ର ଛାତ୍ର
ପାଣ୍ଠି (ପୁଅର ଫଣ୍ଡ) ଅଛି।
ମାତ୍ର ତାହାର କୃତିତ୍ୱ କୌଣସି
ଛାତ୍ର ଦଳ ବିଶେଷଙ୍କ ଉତ୍ସାହ ଓ
ଅଧ୍ୟବସାୟର ଫଳ । ସ୍କୁଲରୁ ସେ
ଛାତ୍ର ଦଳ ଚାଲିଗଲେ ପାଣ୍ଠି କ୍ରମେ
କ୍ଷୀଣ ହୋଇ ଆସେ । ଏହା ଛଡ଼ା
ବ୍ୟକ୍ତିବିଶେଷଙ୍କର ଦାନ ଦରିଦ୍ର
ଛାତ୍ରମାନଙ୍କ ସାହାଯ୍ୟରେ ଅନ୍ୟତମ
ଉପାୟ ।
ମାତ୍ର
ଏଭଳି ଦାନ ମଧ୍ୟ ଓଡିଶାରେ ବଡ଼ ବେଶୀ
ଦେଖାଯାଏ ନାହିଁ । କେତେକ ସଦାଶୟ
ସହୃଦୟ ବ୍ୟକ୍ତିଙ୍କର ଏ କ୍ଷେତ୍ରରେ
ଗୁପ୍ତ ଦାନ ଅଛି । ମାତ୍ର ପ୍ରୟୋଜନ
ଦୃଷ୍ଟିରେ ଏହାର ପରିମାଣ ସ୍ୱଳ୍ପ ।
କଲିକତାରେ ଏବଂ ଅନ୍ୟାନ୍ୟ
ସହରମାନଙ୍କରେ ଦେଖାଯାଏ, କେହି
କେହି ଧନାଢ଼୍ୟ ବ୍ୟକ୍ତି ପଚାଶ
ଶହେ ବା ତତୋଧିକ ପିଲାଙ୍କ ପାଇଁ
ଖାଇବାର ବ୍ୟବସ୍ଥା କରି ଦେଇଅଛନ୍ତି ।
ଛାତ୍ରମାନେ ଯେ ଯାହାର ସ୍ୱତନ୍ତ୍ର
ବସା କରିଅଛନ୍ତି । ନିର୍ଦ୍ଧିଷ୍ଟ
ସମୟରେ ଆସି ଭୋଜନ କରିଯାଆନ୍ତି ।
ଏହିପରି ବ୍ୟବସ୍ଥା ନ ଥିଲେ ବଙ୍ଗଦେଶ
ଆଜି ଯାହା ହୋଇଅଛି,
ତାହା
ହୋଇପାରିଥାନ୍ତା କି ?
ଦରିଦ୍ରତା
ଯୋଗୁଁ ଓଡିଶାର ଛାତ୍ରମାନେ
ହତାଶ ହେବା ଉଚିତ ନୁହେଁ । ସେମାନେ
ବୋଧହୁଏ ଜାଣନ୍ତି ନାହିଁ,
ମାନ୍ଦ୍ରାଜର
ଅନେକ ଛାତ୍ର ସେହିମାନଙ୍କ ପରି
ଦରିଦ୍ର ।
ଅନେକେ
ସେମାନଙ୍କୁ ବଳି ଦରିଦ୍ର ।
ମାନ୍ଦ୍ରାଜରେ ଏକ ଶ୍ରେଣୀର ଦରିଦ୍ର
ଛାତ୍ର ଅଛନ୍ତି,
ସେମାନଙ୍କୁ
ମାଧୁକରି କହନ୍ତି । ସେମାନେ ଯେ
ପ୍ରଣାଳୀରେ ନିଜର ଖାଦ୍ୟ ସଙ୍ଗ୍ରହ
କରନ୍ତି, ସେହି
ପ୍ରଣାଳୀରୁ ସେମାନଙ୍କର ଏପରି
ନାମ ହୋଇଅଛି । ଏହି ଛାତ୍ରମାନେ
ସମସ୍ତେ ପ୍ରାୟ ବ୍ରାହ୍ମଣ ।
ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ
ଏମାନେ ଆପଣା ଖାଦ୍ୟ ସଙ୍ଗ୍ରହ କରିବା
ନିମନ୍ତେ ଲୋକଙ୍କ ଦ୍ୱାରସ୍ଥ
ହୁଅନ୍ତି । ବ୍ରାହ୍ମଣ ଭିନ୍ନ
ଅନ୍ୟ କୌଣସି ବର୍ଣ୍ଣର ଦ୍ୱାରକୁ
ଯାଆନ୍ତି ନାହିଁ । ଏମାନେ ଦ୍ୱାରସ୍ଥ
ହେବା ମାତ୍ରେ ଗୃହସ୍ୱାମୀ ବା
ତାଙ୍କ ଗୃହିଣୀ ଅତି ଆଗ୍ରହ ସହକାରେ
ମୁହୂର୍ତ୍ତେ ମାତ୍ର କାଳ ବିଳମ୍ୱ
ନ କରି ସେଦିନ ତାଙ୍କ ଘରେ ପ୍ରସ୍ତୁତ
ହୋଇଥିବା ଅନ୍ନ ବ୍ୟଞ୍ଜନ ଆଣି
ତାଙ୍କୁ ଦିଅନ୍ତି । ଇଂରାଜୀ ପଢ଼ନ୍ତୁ
ବା ସଂସ୍କୃତ ପଢ଼ନ୍ତୁ ବ୍ରାହ୍ମଣ ଛାତ୍ର
ଦାକ୍ଷିଣାତ୍ୟରେ ଗୃହସ୍ଥର ସବର୍ଦା
ପୂଜ୍ୟ । ଗୃହୀ ପୂର୍ବେ ବ୍ରହ୍ମଚାରୀମାନଙ୍କ
ପ୍ରତି ଯେ ଆଦର ଶ୍ରଦ୍ଧା ଦେଖାଉଥିଲେ
ତହିଁରେ ସଂସ୍କାର ଅଦ୍ୟାପି
ମାନ୍ଦ୍ରାଜରେ ପୂରା ମାତ୍ରାରେ
ଦେଖାଯାଏ । ଛାତ୍ର ଏହି ପରି ଦୁଇ ଚାରି
ଦ୍ୱାରରୁ ଦିନକ ଲାଗି ଯଥେଷ୍ଟ
ଖାଦ୍ୟ ସଙ୍ଗ୍ରହ କରି ଫେରି ଆସନ୍ତି ।
ଏଥିରେ ତାଙ୍କର ବେଶି ସମୟ ନଷ୍ଟ
ହୁଏନାହିଁ । କାରଣ ସେ ବେଳ ଜାଣି
ଯାଆନ୍ତି ଏବଂ ସଙ୍ଗେ ସଙ୍ଗେ
ବିଦା ହୋଇ ଆସନ୍ତି । ସଙ୍ଗୃହିତ
ଖାଦ୍ୟରୁ ଏକ ବେଳା ଯାହା ଖାଇବାର
ଖାଇ ଅବଶିଷ୍ଟ ଅନ୍ୟ ବେଳା ପାଇଁ
ପଖାଳ ରଖି ଦିଅନ୍ତି ।
ମଧୁକର
ନାନା ଫୁଲରୁ ମଧୁ ସଙ୍ଗ୍ରହ କଲା ପରି
ଏହି ଛାତ୍ରମାନେ ନାନା ଘରୁ ଖାଦ୍ୟ
ସଙ୍ଗ୍ରହ କରିବା ଯୋଗୁଁ ଏମାନଙ୍କୁ
ମାଧୁକରି କୁହାଯାଏ ।
ଓଡ଼ିଶାର
ଛାତ୍ରମାନେ ଜାଣିଥିବେ କି ନାହିଁ
କେଜାଣି ଦାକ୍ଷିଣାତ୍ୟର ଛାତ୍ରମାନେ
ଅତ୍ୟନ୍ତ କଷ୍ଟସହିଷ୍ଣୁ ଏବଂ
ମିତବ୍ୟୟୀ । ସେମାନଙ୍କ ମିତବ୍ୟୟ
ଦେଖିଲେ କେହି କେହି ଦରିଦ୍ର
ଓଡିଆଛାତ୍ର ତାଙ୍କୁ ଚୋଠା ବୋଲି
ବ୍ୟଙ୍ଗ ବିଦୃପ କରିବା ଆଶ୍ଚର୍ଯ୍ୟ
ନୁହେଁ । କେବଳ ଭାତ ଓ ଚାରୁପାଣି
ହେଲେ ସେମାନଙ୍କର କାର୍ଯ୍ୟ
ଚଳିଯାଏ । ସାମାନ୍ୟ ମୁଗ ଡ଼ାଲି
ଟିକିଏ ବା ବାଇଗଣ କିମ୍ୱା ନଡ଼ିଆ
ଚଟଣିଟାଏ ହେଲେ ସେମାନଙ୍କର
ଖାଦ୍ୟରେ ଆଉ ବିଶେଷ କିଛି ଅଭାବ
ରହେ ନାହିଁ । ଅତ୍ୟନ୍ତ ଆକ୍ଷେପର
କଥା ଓଡ଼ିଶାର କେତେ ଦରିଦ୍ର ଛାତ୍ର
ସ୍କୁଲ କଲେଜର ଛାତ୍ରବାସରେ କିମ୍ୱା
ମେସରେ ରହି ସମୟେ ସମୟେ ବିଳାସିତା
ଆଡ଼କୁ ଟିକିଏ ଢଳି ପଡ଼ନ୍ତି । ଘରେ ବାପ ଭାଇମାନେ କିପରି ଚଳୁଛନ୍ତି,
ସେ
କଥା ମନେ ପକାନ୍ତି ନାହିଁ ।
ଅପେକ୍ଷାକୃତ ସଙ୍ଗତିସମ୍ପନ୍ନ
ଛାତ୍ରମାନଙ୍କ ସହବାସରେ ସେମାନେ
ନିଜ ଅବସ୍ଥା ଭୁଲି ଯାଆନ୍ତି ।
ଏପରି ଦେଖାଯାଏ କୌଣସି କୌଣସି
ଛାତ୍ର ଅନ୍ୟଠାରୁ ସାହାଯ୍ୟ ଆଣି
ଯେପରି ପୋଷାକିରେ ଥାଆନ୍ତି
କିମ୍ୱା ରହିବାକୁ ପ୍ରୟାସ କରନ୍ତି,
ତାଙ୍କ
ସାହାଯ୍ୟକାରୀ ସେପରି ଥାଆନ୍ତି
କି ନାହିଁ, ସନ୍ଦେହ ।
ଅବଶ୍ୟ ବୟସ ଓ ବେଷ୍ଟନୀ ଦ୍ୱାରା
ସେମାନେ କେତେକ ପରିମାଣରେ ପ୍ରଭାବିତ
ହୁଅନ୍ତି । ମାତ୍ର ସେମାନଙ୍କର
ମନେ ରଖିବା ଉଚିତ ଯେ ଦେଶରେ ତାଙ୍କରି
ପରି ସହସ୍ର ସହସ୍ର ଦରିଦ୍ର ଛାତ୍ର
ଅଭାବରେ ନିଷ୍ପେଷିତ ହୋଇ ଚିରଦିନ
ଲାଗି ଜ୍ଞାନାଲୋକରୁ ବଞ୍ଚିତ
ହୋଇ ରହିଅଛନ୍ତି । ସେମାନେ
ସୌଭାଗ୍ୟବଶତଃ ପଢ଼ିବାର ଯେ ସୁଯୋଗ
ପାଇଛନ୍ତି, ତାହା
ହରାଇଲେ ଅକାରଣ ମନସ୍ତାପ ସାର
ହେବ।
ଅଧ୍ୟୟନ
କେବଳ ଛାତ୍ରମାନଙ୍କର ତପ । ଏହି ତପସ୍ୟା ସେମାନଙ୍କର "ମନ୍ତ୍ରଂ
ବା ସାଧୟେତ୍ ଶରୀରଂ ବା ପାତୟେତ୍”
ନୀତିହେବା ଉଚିତ । ଧନୀ ଛାତ୍ରମାନଙ୍କର
ବିଳାସ ବିଭବ ଦେଖି ବିଚଳିତ ହେବା
ସେମାନଙ୍କ ପକ୍ଷେ ସର୍ବଥା
ଅକଲ୍ୟାଣକର । ଦରିଦ୍ର ଛାତ୍ରମାନଙ୍କ
ମଧ୍ୟରେ ଅଧିକାଂଶ ଶକ୍ତିଶାଳୀ
ଓ ବୁଦ୍ଧିମାନ୍ । ଏକଆଡ଼େ ଭଗବାନ
ସେମାନଙ୍କୁ ଯେପରି ବଞ୍ଚିତ
କରିଅଛନ୍ତି, ଅନ୍ୟଆଡ଼େ
ସେମାନଙ୍କ ମଧ୍ୟରୁ ଅନେକଙ୍କୁ
ସେହି ପରି ଧୀଶକ୍ତିସମ୍ପନ୍ନ କରି
କ୍ଷତିପୂରଣ କରିଅଛନ୍ତି । ଅନେକ
ସ୍ଥଳେ ଦେଖା ଯାଇଥାଏ,
ଅଭାବ
ଛାତ୍ରଙ୍କର ଶକ୍ତି ବିକାଶରେ
ସହାୟ ହୋଇଥାଏ । ସେମାନେ ମ୍ରିୟମାଣ ନ ହୋଇ ଦୃଢ଼ ଈଶ୍ୱରବିଶ୍ୱାସ
ସହକାରେ କାର୍ଯ୍ୟ କରନ୍ତି ଏବଂ
ଅଭାବର ନିର୍ମମ କଠୋର କଷାଘାତରେ
ସେମାନଙ୍କର ଚରିତ୍ର ସଙ୍ଗଠିତ
ହୁଏ। ଆମ୍ଭେମାନେ ଓଡ଼ିଶାର ଅନେକ
ଦରିଦ୍ର ଛାତ୍ରଙ୍କୁ ଅବସ୍ଥା
ଦେଖିଅଛୁଁ ଏବଂ ବ୍ୟାକୁଳ ହୃଦୟରେ
ନୀରବରେ ଆଖିରୁ ଲୁହ ବୁହାଉଅଛୁଁ ।
ଥରେ ଦିନ ଭିତରେ ଜଳଖିଆ କରିବାକୁ
ପଇସାଏ ବା ଅଧଲାଏ ମିଳିଲେ ଏମାନଙ୍କୁ
ସ୍ୱାସ୍ଥ୍ୟ ଯେ କେବଳ ଭଲ ରହନ୍ତା
ତାହା ନୁହେଁ, ଏମାନେ
ପଢ଼ାରେ ଅଧିକ ପରିଶ୍ରମ ଓ ଅଭିନିବେଶ
କରି ପାରନ୍ତେ । ମାତ୍ର ଜୀବନରେ
ଏ କାଠିନ୍ୟ ମଧ୍ୟରେ ଏହି ଶ୍ରେଣୀରେ
ଛାତ୍ରମାନଙ୍କୁ ମଧ୍ୟରୁ କେହି
କେହି ଚରିତ୍ରର ନୈଷ୍ଠିକତା ଅଭ୍ୟାସ
କରିବାର ସୁଯୋଗ ପାଆନ୍ତି,
ତାହା
ସେମାନଙ୍କର ଭବିଷ୍ୟତ ମନୁଷ୍ୟତାର
ସୁଦୃଢ଼ ଭିତ୍ତି ।
ଏକା
ଭାରତ ବର୍ଷରେ ନୁହେଁ ପୃଥିବୀର
ଅନ୍ୟାନ୍ୟ ସଭ୍ୟ ଦେଶରେ ମଧ୍ୟ
ଜୀବନର ନାନା ବିଭାଗରେ ଯେଉଁମାନେ
କୃତିତ୍ୱ ଦେଖାଇଛନ୍ତି,
ସମାଜର
ଯେଉଁମାନେ ପ୍ରଭୃତ କଲ୍ୟାଣ ସାଧନ
କରିଅଛନ୍ତି, ନିଜର
ପ୍ରତିଭା ଏବଂ ବୃଦ୍ଧି ଓ ଚରିତ୍ର ପ୍ରଭାବରେ
ଯେଉଁମାନେ ମାନବ ସଭ୍ୟତାର ଉନ୍ନତି
ବିଧାନ କରିଅଛନ୍ତି,
ସେମାନଙ୍କ
ମଧ୍ୟରୁ ଅଧିକାଂଶଙ୍କର ଛାତ୍ରଜୀବନ
ଘୋର ଅଭାବପ୍ରପୀଡ଼ିତ। ତେଣୁ
ଆମ୍ଭମାନଙ୍କ ଦରିଦ୍ର ଛାତ୍ରଗଣ
ହତାଶ ହେବାର କୌଣସି କାରଣ ନାହିଁ ।
ଆମ୍ଭମାନଙ୍କ ଦେଶ ଦରିଦ୍ର ଅର୍ଥାତ୍
ଏଦେଶ ଦରିଦ୍ରମାନଙ୍କର । ସୁତରାଂ
ଶିକ୍ଷିତ ଦରିଦ୍ର ସନ୍ତାନଗଣ
ଦେଶର ଅଭାବ ଆକାଂଶା ଯେପରି
ବୁଝିପାରିବେ ଅନ୍ୟ କେହି ସେପରି
ବୁଝିପାରିବେ ନାହିଁ । ଦରିଦ୍ର
ଛାତ୍ରଗଣ ସବୁବେଳେ ଏହି ଦୃଢ଼
ବିଶ୍ୱାସରେ ଅନୁପ୍ରାଣିତ ହେବା
ଉଚିତ ଯେ ସେହିମାନେ ହିଁ ଦେଶର
ଭାବୀ ଭାଗ୍ୟବିଧାତା । ହୁଏତ ତ
ଜୀବନଯାକ ସେମାନଙ୍କର ଅଭାବ ଲାଗି
ରହିଥିବ କିନ୍ତୁ ଏହି ନିରବଚ୍ଛିନ୍ନ
ଅଭାବ ମଧ୍ୟରେ ସେମାନଙ୍କୁ ସମାଜରେ
ମହାଭାବର ପ୍ରତିଷ୍ଠା କରିବାକୁ
ହେବ ।
ଏହି
ପ୍ରସଙ୍ଗରେ ଅପେକ୍ଷାକୃତ ସଙ୍ଗତି
ସମ୍ପନ୍ନ ଛାତ୍ରମାନଙ୍କୁ
ଆମ୍ଭମାନଙ୍କର ଏହି ବକ୍ତବ୍ୟ ଯେ
ଓଡିଶାର ଉତ୍କଟ ଦରିଦ୍ରତା ଦୃଷ୍ଟିରେ
ସେମାନେ ଆପାଣକୁ ଧନିକ ସନ୍ତାନ
ବୋଲି ମନେ କରିପାରନ୍ତି,
ମାତ୍ର
ଅନ୍ୟାନ୍ୟ ଦେଶ ପ୍ରଦେଶ ତୁଳନାରେ
ସେମାନେ ନିଜ ନିଜ ଅବସ୍ଥାରେ
ଅହଂକାର କରିବାର ବିଶେଷ କାରଣ
ନାହିଁ । ନ ହେଲେ ଆଜି ସେମାନେ
ବଡ଼ଲୋକର ପୁଅ ହୋଇଛନ୍ତି କିନ୍ତୁ
ସେମାନଙ୍କର ବାପ ବଡ଼ ବାପମାନେ
ଯେ ଦୀନ ଦରିଦ୍ର ଭାବରେ ବହୁ କଷ୍ଟ
ସହି ଛାତ୍ରଜୀବନ କଟାଇଥିଲେ ଏବଂ
ସେହିପରି କରିଥିଲେ ବୋଲି ତ ଆଜି
ପୁଅ ନାତିମାନେ ଅପେକ୍ଷାକୃତ
ଅଧିକ ସୁଖରେ ଅଛନ୍ତି । ସେମାନେ
ଯେପରି ଦରିଦ୍ର ସହପାଠୀମାନଙ୍କୁ
ଅବଜ୍ଞା ନ କରନ୍ତି । ପୂର୍ବେ ଭାରତର
ଗୁରୁଗୃହରେ ଛାତ୍ରମାନଙ୍କ ମଧ୍ୟରେ
ଧନୀ ଦରିଦ୍ର ଇତର ବିଶେଷ ନଥିଲା
। ସମସ୍ତେ ସମାନ । ବିଦ୍ୟାଧ୍ୟୟନ
ସଙ୍ଗେ ସଙ୍ଗେ ଭିକ ମାଗିବା ଗୋରୁ
ଚରାଇବାଠାରୁ ଆରମ୍ଭ କରି ଆଶ୍ରମର
ଯାବତୀୟ କାର୍ଯ୍ୟ ସମସ୍ତଙ୍କୁ
ସମାନ ଭାବରେ କରିବାକୁ ପଡ଼ଥିଲା ।
ରାଜା ମହାରାଜ କୁମାରମାନେ ଦରିଦ୍ର
ବ୍ରାହ୍ଣଣ ବାଳକମାନଙ୍କ ସେମାନଙ୍କ
ଜୀବନର ପୂର୍ଣ୍ଣତା ଓ ଚରିତ୍ରର
ସୌଷ୍ଠବ ସମ୍ପାଦିତ ହେଉଥିଲା ।
ଧନୀ ଛାତ୍ରଗଣ । ତୁମ୍ଭେମାନେ
ଦରିଦ୍ର ସହପାଠୀମାନଙ୍କ ସଙ୍ଗେ
ନ ମିଶିଲେ, ସେମାନଙ୍କ
ପ୍ରାଣ ସଙ୍ଗେ ନିଜ ପ୍ରାଣ ନ ମିଳାଇଲେ
ସେମାନଙ୍କ ଅଭାବରେ କାତର ନ ହେଲେ
ଏବଂ ସେମାନଙ୍କ ସଙ୍ଗେ ସହାନୁଭୂତି
ଦେଖାଇ ସମୟ ବିଶେଷରେ ନିଜର ସୁଖ
ନ ଚାହିଁ ସେମାନଙ୍କ ଦୁଃଖ ନିର୍ଯ୍ୟାତନ
ନିବାରଣ ପ୍ରୟାସ ନ କଲେ ତୁମ୍ଭମାନଙ୍କୁ
ଶିକ୍ଷା ଅସମ୍ପୂର୍ଣ୍ଣ ରହିବ । ଭବିଷ୍ୟତରେ ତୁମ୍ଭେମାନେ ଏ ଦରିଦ୍ର
ଦେଶକୁ ଯଥାର୍ଥରେ କେବେ ବୁଝିପାରିବ
ନାହିଁ । ତୁମ୍ଭର ସଙ୍ଗତି ଅଛି ହୁଏ
ତ ଶକ୍ତି ଅଛି... ଦେଶରେ ବଡ଼ଲୋକ ହେବ ସମାଜର
ଅଧିନାୟକ ହେବ ମାତ୍ର ବିଦ୍ୟାଳୟରୁ
ଦରିଦ୍ରତା ସଙ୍ଗେ ସହାନୁଭୂତି
ଓ ସମପ୍ରାଣତା ଅଭ୍ୟାସ ନ କଲେ
ତୁମ୍ଭ ହୃଦୟରେ ଭାବ ସହଜରେ ଅଙ୍କିତ
ହୋଇପାରିବ । ମନେ ରଖ ଏ ଜଗତ ଧନୀ
ଦରିଦ୍ର ଉଭୟଙ୍କର କିମ୍ୱା ଟଣାଟଣି
ଲାଗିଲେ ଅଧିକ ଭାବ ଦରିଦ୍ରଙ୍କର
ସିନା ଧନୀଙ୍କର ନୁହେଁ । ଏକା ଏହି
ଜଗତ କାହିଁକି ସ୍ୱର୍ଗ ରାଜ୍ୟରେ
ମଧ୍ୟ ସେମାନଙ୍କ ଅଂଶ ଓ ଅଧିକାର
ଅଧିକ ।
(ସତ୍ୟବାଦୀ, ୪ର୍ଥ
ଖଣ୍ଡ, ପ୍ରଥମ,
ଦ୍ୱିତୀୟ
ଓ ୩ୟ ସଂଖ୍ୟା)-୧୯୧୮)