Monday, May 14, 2018

ଗିଜୁଭାଇ ବଧେକା: ଶିକ୍ଷାରେ ପ୍ରବେଶ ତଥା ବାଲମନ୍ଦିର ଆରମ୍ଭ


ସମ୍ପାଦନା - ନିଖିଳ ମୋହନ ପଟ୍ଟନାୟକ


ଦକ୍ଷିଣ ଆଫ୍ରିକାରେ ଗାନ୍ଧୀ (୧୯୧୩ କିମ୍ବା ୧୯୩୪ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଶିକ୍ଷାରେ ପ୍ରବେଶ

କିନ୍ତୁ ଧୀରେ ଧୀରେ ଓକିଲାତି କାମ ତାଙ୍କୁ [ଗିଜୁଭାଇଙ୍କୁ] ଆଉ ଭଲ ଲାଗିଲା ନାହିଁ । ଓକିଲାତି ବ୍ୟବସାୟରେ ମିଛ କହିବା ପାଇଁ ଆସୁଥିବା ଚାପ ତାଙ୍କର ପସନ୍ଦ ନ ଥିଲା । ସେ ଶିକ୍ଷା କ୍ଷେତ୍ରରେ କାମ କରିବାକୁ ଆଗ୍ରହୀ ହେଲେ । ତାଙ୍କ ମାମୁଙ୍କଠାରୁ ଚିଠି ନେଇ ଦକ୍ଷିଣାମୂର୍ତ୍ତୀଠାରେ ଏକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କଲେ । ସେଠାରେ ତାଙ୍କର ଆଗ୍ରହ ଓ ଶିକ୍ଷା ପଦ୍ଧତି ସମସ୍ତଙ୍କୁ ମୁଗ୍ଧ କରିଥିଲା । ୧୯୧୦ରୁ ୧୯୨୦ ଯାଏଁ ଦେଶରେ ଏକ ଅଲଗା ପ୍ରକାରର ସମୟ ଥିଲା । ବିନୋବା, ଦତ୍ତାତ୍ରେୟ କାଲେଲକର, କୃପାଳିନୀ, ରାଜେନ୍ଦ୍ର ପ୍ରସାଦ, ଠକ୍କରବାପା, ଗୋଖଲେ ଆଦି ନିଜ ନିଜର ଚିନ୍ତାଧାରା ଅନୁସାରେ କାମ ଆରମ୍ଭ କରିସାରିଥିଲେ । ଗିଜୁଭାଇ ବି ଏହି ଜାତୀୟ ଆନ୍ଦୋଳନରେ ଭାଗିଦାର ହେବା ପାଇଁ ବାହାରିଲେ ।

ବାଲମନ୍ଦିର ଆରମ୍ଭ

ଦକ୍ଷିଣାମୂର୍ତ୍ତୀ ବିନୟ ମନ୍ଦିର (ହାଇସ୍କୁଲ)ର ଆଚାର୍ଯ୍ୟ ଭାବରେ ସେ ଚାରି ବର୍ଷ କଟାଇଲେ । ସେହି ଚାରି ବର୍ଷ ଭିତରେ ସେ ଜଣେ ଶିକ୍ଷକ ଓ ସଙ୍ଗଠକ ଭାବରେ ସେହି ଅନୁଷ୍ଠାନର ଏକ ଟାଣୁଆ ମୂଳଦୁଆ ପକାଇ ପାରିଲେ ଓ ତାହାର ଭବିଷ୍ୟତ ବିକାଶ ପାଇଁ ବାଟ ଖୋଲିଦେଲେ । ଏହା ଭିତରେ ଗିଜୁଭାଇ ଅନୁଭବ କଲେ ଯେ ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କୁ ଭଲ ସଂସ୍କାର ଦେବାକୁ ହେବ । ସେଥି ପାଇଁ ବଡ଼ ପିଲା ନୁହେଁ, ବରଂ ଖୁବ ଛୋଟ ପିଲାଙ୍କଠାରୁ ଶିକ୍ଷାଦାନ ଆରମ୍ଭ କରିବାକୁ ହେବ । ସମସ୍ତଙ୍କ ସ୍ୱୀକୃତି ନେଇ ୧୯୨୦ ମସିହାରେ ସେ ଛୋଟ ପିଲାଙ୍କ ପାଇଁ ବାଲମନ୍ଦିର ବିଦ୍ୟାଳୟ ଆରମ୍ଭ କଲେ ।

ବାଲମନ୍ଦିରର ପ୍ରତିଟି କାମ ତାଙ୍କୁ ମୂଳରୁ ଆରମ୍ଭ କରିବାକୁ ହୋଇଥିଲା । ସେ ନିଜର କ୍ଷମତା, ଶକ୍ତି ଏବଂ ସୀମା ବିଷୟରେ ସଚେତନ ଥିଲେ । ମଣ୍ଟେସୋରୀ ପଦ୍ଧତି ସ୍ଥାନୀୟ ପରିବେଶରେ କେତେ ଦୂର ଫଳପ୍ରଦ ହେବ ସେ ଦିଗରେ ସେ ପରୀକ୍ଷା ଆରମ୍ଭ କରିଥିଲେ । ସେ ସମୟରେ ସମାଜ ବି ଏଭଳି ନୂଆ ଚିନ୍ତାଧାରା ପ୍ରତି ଅନୁକୂଳ ନ ଥିଲା । କିନ୍ତୁ ଗିଜୁଭାଇ ଶିକ୍ଷା ପାଇଁ ନୂଆ ବାଟ ସବୁ ଖୋଜିବାରେ କାମ ଜାରି ରଖିଲେ ।

ସେବେଠାରୁ ତାଙ୍କର ସବୁ ସମୟ କେବଳ ପିଲାଙ୍କ ଚିନ୍ତାରେ ହିଁ କଟି ଯାଉଥିଲା । ଗୋଟି ଗୋଟି କରି ପ୍ରତ୍ୟେକ ପିଲାଙ୍କ କଥା ଭାବି, ପ୍ରତ୍ୟେକଙ୍କ ପାଇଁ ଅଲଗା କାର୍ଯ୍ୟପ୍ରଣାଳୀ ସେ ସ୍ଥିର କରୁଥିଲେ । ପିଲାଙ୍କ ସହିତ ନିଜକୁ ସେ ସମ୍ପର୍ଣ୍ଣ ରୂପରେ ମିଶେଇ ଦେଇଥିଲେ । ନିଜ କଥା ଭାବିବାକୁ ବି ସେ ସମୟ ପାଉ ନ ଥିଲେ। କେବେ କେହି ଛୋଟ ପିଲା ଆସି ତାଙ୍କୁ କହୁଥିଲେ ଯେ, ଘରେ ମା' ତାକୁ ମାଡ଼ ଦେଇଛି । ଗିଜୁଭାଇ ସେ ମା' ପାଖକୁ ଧାଡିଏ ଚିଠି “ଆଉ ଏକୁ ମାରିବ ନାହିଁ” ଲେଖି, ପିଲା ହାତରେ ପଠାଇ ଦେଉଥିଲେ । ଲାଜରୁ ଓ ଗିଜୁଭାଇଙ୍କ ପ୍ରତି ଶ୍ରଦ୍ଧାରୁ ମାଡ଼ ବନ୍ଦ ହେଉଥିଲା ।

ଗିଜୁଭାଇଙ୍କ ମତରେ ପିଲାମାନେ ସ୍ନେହ କରି ମତେ ନୂଆ ଜୀବନ ଦେଇଛନ୍ତି । ସେମାନଙ୍କୁ ଶିଖାଇବା ବେଳେ ପ୍ରକୃତରେ ମୁଁ ହିଁ ବେଶି ଶିଖୁଛି । ସେମାନେ ତଳୁ ଉପରକୁ ଉଠିବା ବେଳେ ମୁଁ ବି ଉପରକୁ ଉଠୁଛି । ସେମାନଙ୍କ ଗୁରୁ ହେବା ଭିତରେ ସେମାନଙ୍କର ଗୁରୁପଣିଆ ଦେଖୁଛି ।

ଗିଜୁଭାଇଙ୍କ ବାଲମନ୍ଦିର ସମସ୍ତଙ୍କ ପାଇଁ ଏକ ଆଦର୍ଶ ଉଦାହରଣ ଥିଲା । ସେହି ଢାଞ୍ଚାରେ ବିଭିନ୍ନ ସ୍ଥାନରେ ବାଲମନ୍ଦିରମାନ ଖୋଲାଗଲା । ଫଳରେ ଅଧିକରୁ ଅଧିକ ପିଲା ଉପକୃତ ହୋଇପାରିଲେ । ମଣ୍ଟେସୋରୀ ସଙ୍ଘ ଗଢ଼ାଗଲା ଏବଂ ଦକ୍ଷିଣାମୂର୍ତ୍ତି ଓ ଶିକ୍ଷଣ ପତ୍ରିକା ନାଁରେ ଦୁଇଟି ପତ୍ରିକା ପ୍ରକାଶ କରାଗଲା । ଏହି ସମୟରେ ଗିଜୁଭାଇ ତାଙ୍କର ଲେଖାଲେଖି କାମ ମଧ୍ୟ ଜୋରରେ ଚଳାଇଲେ । ଶିଶୁ ସାହିତ୍ୟ, ଶିକ୍ଷା ବିଚାର, ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ଲେଖା କାମ ଚାଲିଲା । ମଣ୍ଟେସୋରୀ ସଙ୍ଘର କାର୍ଯ୍ୟକ୍ରମ ବଢ଼ିଲା ଏବଂ କେତେ ସମ୍ମିଳନୀ ଆୟୋଜନ କରାଗଲା । ମଣ୍ଟେସୋରୀ ପଦ୍ଧତିର ଉପକରଣ ଆମ ଦେଶରେ ତିଆରି କରିବା ପାଇଁ ମଧ୍ୟ ସେ ଲାଗି ପଡିଥିଲେ । ଏ ସବୁ ଫଳରେ ଗିଜୁଭାଇଙ୍କର ଦାୟିତ୍ୱ ଓ କାମର ପରିସର ବଢ଼ିବାକୁ ଲାଗିଲା ।

୧୯୩୦ ମସିହାରେ ସ୍ୱାଧୀନତା ଆନ୍ଦୋଳନ ଆସିଲା । ଗିଜୁଭାଇଙ୍କ ଶିକ୍ଷକ ଆତ୍ମା ଚିନ୍ତା କରିବାକୁ ଲାଗିଲା ଯେ, ଏଭଳି ପରିସ୍ଥିତିରେ ସେ କ'ଣ କରିପାରିବେ । ସ୍ୱାଧୀନତା ପାଇବାରେ ଏବଂ ତାକୁ ଧରି ରଖିବାରେ ସାକ୍ଷରତାର ଗୁରୁତ୍ୱ ସେ ବୁଝୁଥିଲେ । ତେଣୁ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସେ ଯୋଜନା କଲେ ।

କାମରେ ମାତି ରହି ନିଜ ସ୍ୱାସ୍ଥ୍ୟ ପ୍ରତି ସେ ବିଶେଷ ଧ୍ୟାନ ଦେଉ ନ ଥିଲେ । ଫଳରେ ଧୀରେ ଧୀରେ ତାଙ୍କର ଦେହ ଖରାପ ହେବାକୁ ଲାଗିଲା । ଜଳବାୟୁର ପରିବର୍ତ୍ତନ ପାଇଁ ତାଙ୍କୁ ଅନ୍ୟ ଜାଗାକୁ ନିଆଗଲା । କିନ୍ତୁ ଗିଜୁଭାଇଙ୍କର ଅସୁସ୍ଥତା ବଢ଼ିବାରେ ଲାଗିଲା । ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ ଦେଖିବାକୁ ଆସିଲେ । ଗାନ୍ଧିଜୀ ତାଙ୍କ କଥା ପଚାରି ଶ୍ରଦ୍ଧାରେ ଲୁହ ଗଡ଼ାଇଥିଲେ । କିଛି ଦିନର ଅସୁସ୍ଥତା ପରେ ୧୯୩୯ ମସିହା ଜୁନ ୨୩ ତାରିଖ ଦିନ ବମ୍ୱେଠାରେ ତାଙ୍କର ଜୀବନଦୀପ ଲିଭିଗଲା । ତାଙ୍କ ଶିକ୍ଷା ପଦ୍ଧତି, ପିଲାଙ୍କ ପାଇଁ କରିଥିବା କାର୍ଯ୍ୟ, ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲା ।

କର୍ମଯୋଗୀ ଗିଜୁଭାଇ ତାଙ୍କ ଜୀବନ ସାରା କେବଳ କର୍ମ ହିଁ କରିଛନ୍ତି । ଖାଇବା ଓ ଶୋଇବା ଭୁଲି, ସେ କେବଳ କାମରେ ଲାଗି ରହୁଥିଲେ । ସେ କହୁଥିଲେ, “ଶହେ ବର୍ଷ ବଞ୍ଚିବାର ଆଶା ରଖି ଦଶ ବର୍ଷର ବି କାମ ନ କରିବା ଅପେକ୍ଷା ପଚାଶ ବର୍ଷ ବଞ୍ଚିବାକୁ ଆଶା ରଖି ଶହେ ବର୍ଷର କାମ କରି ପାରିବା ବେଶୀ ଭଲ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Saturday, May 12, 2018

ଭାରତର ନାମକରଣ ଓ ଅତୀତକୁ ଜାଣିବାର ମାଧ୍ୟମ

ଅନୁବାଦ - କାମିଲେଶ୍ୱରୀ ପଟ୍ଟନାୟକ


ସିନ୍ଧୁ ସଭ୍ୟତାର ଲୋଥାଲର ପ୍ରତ୍ନତାତ୍ତ୍ୱିକ ସ୍ଥଳୀ (ୱିକିମିଡିଆ କମନ୍ସ୍)

ସାଧାରଣତଃ ଏହି ଅଞ୍ଚଳର ଦୁଇଟି ନାମ ଅଛି । ସେଗୁଡିକ ହେଲା ‘ଇଣ୍ଡିଆ’ ଓ ‘ଭାରତ’ । ‘ଇଣ୍ଡିଆ’ ଶଦ୍ଦଟି ଇଣ୍ଡସ୍ ନଦୀ ଯାହାକୁ କି ସଂସ୍କୃତରେ ସିନ୍ଧୁ ନଦୀ କୁହାଯାଏ, ସେହୀ ନାମରୁ ଅପଭ୍ରଂଶ ହୋଇ ଆସିଛି । ଅଢ଼େଇ ହଜାର ବର୍ଷ ପୂର୍ବେ ଗ୍ରୀକ୍ ଓ ଇରାନୀ ଲୋକମାନେ ଏହି ଅଞ୍ଚଳକୁ ଉତ୍ତର-ପଶ୍ଚିମରୁ ଆସୁଥିଲେ । ସେମାନେ ଇଣ୍ଡସ୍ ବା ସିନ୍ଧୁ ନଦୀ ସହିତ ଭଲ ଭାବରେ ପରିଚିତ ଥିଲେ ଓ ସିନ୍ଧୁ ନଦୀକୁ ‘ହିନ୍‌ଣ୍ଡୋସ୍’ ବା ‘ଇଣ୍ଡୋସ୍’ କହୁଥିଲେ । ତେଣୁ ଇଣ୍ଡସ୍ ନଦୀର ପୂର୍ବରେ ଥିବା ପ୍ରାନ୍ତକୁ ସେମାନେ ‘ଇଣ୍ଡିଆ’ ବୋଲି କହିବା ଆରମ୍ଭ କରିଥିଲେ ।

୩୫୦୦ ବର୍ଷ ପୂର୍ବର ଋଗ୍‌ବେଦ ଅନୁସାରେ ଏହି ଅଞ୍ଚଳରେ ଉତ୍ତର-ପଶ୍ଚିମରେ ବାସ କରୁଥିବା ଗୋଟିଏ ଶ୍ରେଣୀର ଲୋକଙ୍କୁ ଭାରତ କୁହାଯାଉଥିଲା, ପରେ ଏହା ଆମ ଦେଶର ନାମ ଭାବରେ ନାମିତ ହେଲା ।

ଅତୀତକୁ ଜାଣିବା ପାଇଁ ମାଧ୍ୟମ

ଅତୀତରେ ଇତିହାସକୁ ଜାଣିବା ପାଇଁ ବର୍ତ୍ତମାନ ଆମ ପାଖରେ ଅନେକ ମାଧ୍ୟମ ଅଛି । ସେଥିରୁ ଗୋଟିଏ ହେଲା ବହୁ ପୂରାତନ କାଳରେ ଲେଖାଯାଇଥିବା ପୁସ୍ତକ ବା ବହି । ପ୍ରଥମେ ଲେଖାଯାଇଥିବା ବହିସବୁକୁ ପାଣ୍ଡୁଲିପି କୁହାଯାଏ କାରଣ ସେ ସବୁ ହାତରେ ଲେଖା ଯାଉଥିଲା । ସାଧାରଣତଃ ପାଣ୍ଡୁଲିପି ଗୁଡିକ ତାଳପତ୍ରରେ କିମ୍ୱା ହିମାଳୟରେ ମିଳୁଥିବା ଭୁର୍ଜ ବୃକ୍ଷର ବକ୍କଳରେ ଲେଖା ଯାଉଥିଲା । ହଜାର ହଜାର ବର୍ଷ ପୁରାତନ ଅନେକ ପାଣ୍ଡୁଲିପି ସବୁ କୀଟ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ନଷ୍ଟ ହୋଇଯାଇଥିଲେ ମଧ୍ୟ କିଛିଟା ପାଣ୍ଡିଲିପିକୁ ପୁରରୁଦ୍ଧାର କରାଯାଇ ପାରିଛି ଓ ସେ ସବୁକୁ ମନ୍ଦିର, ମଠ ଓ ସଙ୍ଗ୍ରହାଳୟ ମାନଙ୍କରେ ସଙ୍ଗୃହିତ କରି ରଖାଯାଇଛି । ସେହି ସବୁ ପାଣ୍ଡୁଲିପିଗୁଡିକରୁ ସେହି ସମୟରେ ଲୋକଙ୍କ ଧାର୍ମିକ ବିଶ୍ୱାସ, ଚାଲିଚଳନ ଓ ସେ ସମୟର ରାଜା ଓ ସେମାନଙ୍କ ରାଜତ୍ୱ, ସାମାଜିକ ଅବସ୍ଥା, ବିଜ୍ଞାନ, ଔଷଧ ଇତ୍ୟାଦି ବିଷୟରେ ଅନେକ ତଥ୍ୟ ସବୁ ମିଳିପାରୁଛି । ଏହା ଛଡ଼ା ଅନେକ ମହାଗ୍ରନ୍ଥ, କବିତା, ନାଟକ ଇତ୍ୟାଦିର ମଧ୍ୟ ପାଣ୍ଡୁଲିପି ସବୁ ମିଳିଛି । କିଛି ପାଣ୍ଡୁଲିପି ସଂସ୍କୃତରେ ଏବଂ କିଛି ସେ ସମୟରେ ସାଧାରଣ ଲୋକେ ବ୍ୟବହାର କରୁଥିବା ପ୍ରାକୃତ ଭାଷାରେ ଏବଂ କିଛି ତାମିଲଳ ଭାଷାରେ ମିଳିଛି ।

ଦ୍ୱିତୀୟରେ ଆମେ ପୂରାତନ ଶିଳାଲେଖମାନଙ୍କରୁ ମଧ୍ୟ ସେ ଯୁଗ ବିଷୟରେ ଆମେ ଅନେକ ବିଷୟରେ ଜାଣିବାକୁ ପାଉଛୁ । ଶିଳାଲିପି ବା ଶିଳାଲେଖ ଗୁଡିକ ପାଣ୍ଡୁଲିପିଠାରୁ କଠିନ ପୃଷ୍ଠରେ ଲେଖାଯାଇଛି । ସେହି କଠିନ ପୃଷ୍ଠ ଗୁଡିକ ହେଲା ପଥର ଏବଂ ଧାତୁ ।

ସେ ସମୟରେ ଶାସକମାନେ ତାଙ୍କ ଆଦେଶ ବା ନିୟମ ସବୁ ଶିଳାଲେଖ ଆକାରରେ ଏପରି ସ୍ଥାନରେ ଖୋଦେଇ କରୁଥିଲେ, ଯାହା କି ସମସ୍ତଙ୍କ ନଜରରେ ପଡ଼ି ପାରିବ ଓ ସମସ୍ତେ ତାହାକୁ ମାନି ଚଳିବେ ମଧ୍ୟ । ଆହୁରି ଏପରି ଶିଳାଲେଖ ମଧ୍ୟ ମିଳିଛି, ଯେଉଁଥିରେ ସେ ସମୟରେ ରାଜା ବା ରାଣୀଙ୍କ ଦ୍ୱାରା ଘଟିଥିବା ଅନେକ ଘଟଣା ଖୋଦେଇ ହୋଇଛି । ଉଦାହରଣ ସ୍ୱରୂପ ଅନେକ ଯୁଦ୍ଧର ବିବରଣୀ ।

ତୁମେ ଚିନ୍ତା କରିପାରିବ କି, କଠିନ ପୃଷ୍ଠରେ ଖୋଦେଇ କରି ଲେଖିବାରେ କେତେ ସୁବିଧା ଓ କେତେ ଅସୁବିଧା । ଆହୁରି ଅନେକ ପ୍ରକାରର ଜିନିଷ ସବୁ ମଧ୍ୟ ଆବିଷ୍କାର ହୋଇଛି, ଯାହା ସେହି ସମୟରେ ତିଆରି ହୋଇ ବ୍ୟବହାର ହେଉଥିଲା । ଯେଉଁମାନେ ଏହି ସବୁ ଆବିଷ୍କାର କରି ତାହା ବିଷୟରେ ଅନୁଧ୍ୟାନ ସହ ଅଧ୍ୟୟନ କରିଥାଆନ୍ତି, ସେମାନଙ୍କୁ ପ୍ରତ୍ନତତ୍ତ୍ୱବିତ୍ କୁହାଯାଏ । ସେମାନେ ଇଟା ଓ ପଥରର ପୁରୁଣା ଭଗ୍ନାବଶେଷ, ଚିତ୍ରପଟ, ମୂର୍ତ୍ତି ଇତ୍ୟାଦିର ଅନୁଶୀଳନ କରିବା ସଙ୍ଗେ ସଙ୍ଗେ, ସେ ସମୟରେ ବ୍ୟବହୃତ ହେଉଥିବା ଅନେକ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର, ଅଳଙ୍କାର, ହାଣ୍ଡି, ପାତ୍ର ଓ ମୁଦ୍ରା ସବୁକୁ ମଧ୍ୟ ଆବିଷ୍କାର କରିଛନ୍ତି । ପ୍ରତ୍ନତତ୍ତ୍ୱବିଦ୍‌ଙ୍କ ଦ୍ୱାରା ମାଟିରୁ ଖନନ ଦ୍ୱାରା ବାହାରିଥିବା ଜିନିଷ ସବୁ ହାଡ଼, ପଥର, ପୋଡ଼ାମାଟି ଏବଂ ବିଭିନ୍ନ ପ୍ରକାର ଧାତୁରେ ତିଆରି ଓ ବର୍ତ୍ତମାନ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ରହିଛି ।

ପ୍ରତ୍ନତତ୍ତ୍ୱବିତ୍

ସେହି ସମୟର ଲୋକେ କ'ଣ ଖାଉଥିଲେ, କ'ଣ ପିନ୍ଧୁଥିଲେ ଇତ୍ୟାଦି ଜାଣିବା ପାଇଁ, ପ୍ରତ୍ନତତ୍ତ୍ୱବିତ୍‌ମାନେ ଅନେକ ପଶୁ, ପକ୍ଷୀ ଓ ମାଛ ମାନଙ୍କର ହାଡ଼କୁ ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଉଦ୍ଭିଦ ଆଦିର ଅବଶେଷ ମିଳିବା ବହୁତ କଷ୍ଟ । ତଥାପି କାଠ, ମଞ୍ଜି, ବିହନ ଇତ୍ୟାଦି ପୋଡ଼ି ଯିବା ଦ୍ୱାରା, ତାହାର ଅବଶେଷ କୋଇଲା ବା ଅଙ୍ଗାର ଆକାରରେ ମିଳେ ।

ତୁମେ ଜାଣିଛ କି, ପ୍ରତ୍ନତତ୍ତବିତ୍‌ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଲୁଗାପଟାର ଅବଶେଷ ମଧ୍ୟ ପାଇଛନ୍ତି । ଯେଉଁମାନେ ପୁରୁଣା ସମୟ ବିଷୟରେ ଅଧ୍ୟୟନ କରିଥାଆନ୍ତି ସେମାନଙ୍କୁ ‘ଇତିହାସକାର’ ବା ‘ଐତିହାସିକ’ କୁହାଯାଏ । ସେମାନଙ୍କ ମତରେ ପାଣ୍ଡୁଲିପି, ଶିଳାଲେଖ, ପ୍ରତ୍ନତତ୍ତ୍ୱ ଆଦି ହେଉଛି ଇତିହାସର ଉଦ୍‌ଗମ ବା ଉତ୍ସ । ଜଣଙ୍କ ପାଇଁ ଇତିହାସ ପଢ଼ିବା ଆନନ୍ଦଦାୟକ ହୋଇ ପାରିବ, ଯଦି ତାହାର ଉତ୍ସ ବା ଉଦ୍‌ଗମ ବିଷୟକୁ ଜାଣି ହେବ, ତଥା ତାହାର ପୁନଃନିର୍ମାଣ କରାଯିବା ପାଇଁ ଚେଷ୍ଟା କରାଯାଇ ପାରିବ । ତେଣୁ ପ୍ରକୃତରେ ଇତିହାସକାରମାନେ ହେଲେ ଜଣେ ଜଣେ ‘ଗୁଇନ୍ଦା’, କାରଣ ସେମାନେ ଇତିହାସର ଉଦ୍‌ଗମକୁ ନିଜର ଅନ୍ୱେଷଣ ଦ୍ୱାରା ଜାଣି ଆମର ଅତୀତ ସହିତ ପରିଚିତ କରାଇ ପାରୁଛନ୍ତି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Thursday, May 10, 2018

ପିଲାଙ୍କ ଆବୃତ୍ତି - କୌତୁକ ଗୀତ


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆସରେ ପିଲେ ଜାମୁକୋଳି ଖାଇ ଯିବା
କୁସୁମୀ ନଈରେ ପାଣି ପଡ଼ିଛି
ବୁଢ଼ୀକି ଭସେଇଦେବା ।୧।

ଅଦଢ଼ଦଢ଼
ଘରେ ଭାତ ନାହିଁ ବୁଢ଼ୀକି ତଡ଼
ବୁଢ଼ୀ ପଳାଇଲା ବଡ଼ମ୍ବା ଗଡ଼ ।
ବଡ଼ମ୍ବା ଗଡ଼େ ପିଲେ ମାଇଲେ ଧକା
ବୁଢ଼ୀ ପଳେଇଲା ଏକା ଏକା ।୧।

ନଈକି ଫିଙ୍ଗିଲି ଗିଲ
ନଈ ଚାରିପାଖ ମନ୍ଦାର ଫୁଲ
ବୁଢ଼ୀକି ଝିଙ୍କିଲା ଚିଲ ।୩।

ବି.ଦ୍ର.  - ୧୯୫୯ ମସିହାରେ ପ୍ରଥମ ପ୍ରକାଶିତ ଚକ୍ରଧର ମହାପାତ୍ର କୃତ 'ଉତ୍କଳ ଗାଉଁଲି ଗୀତ' ବହିଟିର ୨୦୦୮ ମସିହାରେ କଟକ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟା ପ୍ରକାଶନ ଛାପିଥିବା ପୁନଃପ୍ରକାଶିତ ସଂସ୍କରଣରୁ ଏହି ଗୀତଟି ଉଦ୍ଧୃତ ହୋଇଛି ।  

Tuesday, May 08, 2018

ଓଡିଶା ପାଇଁ ବିଶ୍ୱବିଦ୍ୟାଳୟ ସ୍ୱପ୍ନ

ଗୋପବନ୍ଧୁ ଦାଶ


ଢାକା ବିଶ୍ୱବିଦ୍ୟାଳୟର ଜ୍ୟୋତିର୍ମୟ ଗୁହା-ଠାକୁର୍‌ତା ଭବନ (ୱିକିମିଡିଆ କମନ୍ସ୍)

ଆମ୍ଭେମାନେ ଏଥି ପୂର୍ବ ଢାକା ଓ ନାଗପୁରରେ ନୂଆ ବିଶ୍ୱବିଦ୍ୟାଳୟ ବସିବା କଥା ଲେଖିଥିଲୁଁ । ନାଗପୁର ବିଶ୍ୱବିଦ୍ୟାଳୟ ବସିବାରେ ବିଳମ୍ୱ ଅଛି । କିନ୍ତୁ ଢାକା ବିଶ୍ୱବିଦ୍ୟାଳୟ ଶୀଘ୍ର ଫିଟିବା ପାଇଁ ସରକାରଙ୍କର ଉଦ୍ୟମ ଲାଗି ଅଛି । ବୋଧହୁଏ ଆସନ୍ତା ଅପ୍ରେଲ ମାସ ସରିକି ଢାକା ବିଶ୍ୱବିଦ୍ୟାଳୟ ବସିଯିବ । ଏ ବିଷୟରେ ମତ ଦେବା ପାଇଁ କଲିକତା ବିଶ୍ୱବିଦ୍ୟାଳୟ ବସିଯିବ । ଏ ବିଷୟରେ ମତ ଦେବା ପାଇଁ କଲିକତା ବିଶ୍ୱବିଦ୍ୟାଳୟର କାର୍ଯ୍ୟ ନିର୍ବାହିକା ସେମିତିଙ୍କୁ ପଚରା ଯାଇଥିଲା । ସେମାନେ କହିଲେ କାର୍ଯ୍ୟ ନିର୍ବାହିକା ସମିତି ଏଥିରେ ମତ ଦେଇପାରିବେ ନାହିଁ । ସମସ୍ତ ବିଶ୍ୱବିଦ୍ୟାଳୟ ମହାସଭା ଅର୍ଥାତ୍ ସେନେଟ୍‌ଙ୍କୁ ଏ ବିଷୟ ପଚାରିବା ଦରକାର । ପୁଣି ଏତେ ତରତର କରି ଏ ବିଷୟରେ ମତ ଦେବା ସମ୍ଭବ ନୁହେଁ । ସରକାର ସେଥିପାଇଁ ତାଙ୍କୁ ଆହୁରି ଏକ ମାସ ସମୟ ଦେଇ ଅଛନ୍ତି । ଜାନୁୟାରି ପହିଲା ଆଗରୁ ସେମାନେ ମତ ଦେବେ ।

ଢାକା ୟୁନିଭରସିଟି ହୋଇଯିବ । ଏହିପରି ଆମ ଦେଶରେ ଉଚ୍ଚ ଶିକ୍ଷାର ପ୍ରଚାର ପାଇଁ ଗୋଟିକ ପରେ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ ବସୁଅଛି । ଏଥିରେ ଉଚ୍ଚ ଶିକ୍ଷାର ବ୍ୟୟ ବଢ଼ିପାରେ ଏବଂ ତାହାର ଫଳରେ ନିମ୍ନ ଶିକ୍ଷା ନିମନ୍ତେ ଟଙ୍କା ନଅଣ୍ଟ ହୋଇପାରେ । ତଥାପି ଉଚ୍ଚ ଶିକ୍ଷା ବଢ଼ାଇବା ସରକାରଙ୍କର ଉଚିତ । ମାତ୍ର ଏ ସବୁ କଥା ଭାବିଲା ବେଳେ ଆମ୍ଭମାନଙ୍କର ଘର କଥା ମନେ ପଡ଼େ । ସରକାର ଓଡିଶାକୁ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଦେବାରେ ବିଳମ୍ୱ କଲେ ଓଡିଆମାନଙ୍କର ଦାବୀ କରିବାର କଥା । ଆମ୍ଭମାନଙ୍କର କଣ ସେ ଅବସ୍ଥା ହେବ ନାହିଁ 

ଢାକାରେ ଶୀଘ୍ର ଏକ ବିଶ୍ୱବିଦ୍ୟାଳୟ ହେବ, ସେ ବିଷୟରେ ବଡ଼ଲାଟଙ୍କ ସଭାରେ ଆଇନର ପ୍ରସ୍ତାବ ହୋଇଛି। । କମିଟି ଆଇନର ବିଶେଷ ଆଲୋଚନା କରି ସାରିଲେ, ଏହି ବର୍ଷ ମଧ୍ୟରେ ତାହା ମଞ୍ଜୁର ହେବ । ଏ ବିଶ୍ୱବିଦ୍ୟାଳୟ ଲାଗି ନୂଆ କଲେଜ ବସିବା ଦରକାର ନାହିଁ । କେବଳ ଢାକା କଲେଜକୁ ଏ ବିଶ୍ୱବିଦ୍ୟାଳୟ ହେବ । ଇଉରୋପରେ ଏହି ପରି ଗୋଟିଏ ଗୋଟିଏ କଲେଜରେ ଏକ ଏକ ବିଶ୍ୱବିଦ୍ୟାଳୟ ଅନେକ ଅଛି । କଲିକତା ବିଶ୍ୱବିଦ୍ୟାଳୟ କମିଶନ ରିପୋର୍ଟ ଅନୁସାରେ ଇଣ୍ଟରମିଡ଼ିଏଟ ପାସ୍ କଲା ପରେ ଛାତ୍ରମାନେ ଢ଼ାକା ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବେ। ଏଣିକି ଇଣ୍ଟରମିଡ଼ିଏଟ କ୍ଲାସ ସବୁ ହାଇସ୍କୁଲମାନଙ୍କ ସଙ୍ଗେ ରହିବା ଦରକାର 

ମଧ୍ୟପ୍ରଦେଶରେ ନାଗପୁର ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ଏଥର ବଡ଼ଲାଟ ସଭାରେ ମଧ୍ୟ ପ୍ରସ୍ତାବ ଉଠିଥିଲା । ପ୍ରସ୍ତାବ ମଞ୍ଜୁର ହୋଇଅଛି । ଖୁବ୍ ସମ୍ଭବ ଢାକା ବିଶ୍ୱବିଦ୍ୟାଳୟ ପରେ ଆର ବର୍ଷ ଆଡ଼କୁ ନାଗପୁର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । କଟକ ଖବର କଣ ? ପାଟଣା ଇଉନିଭରସିଟି କମିଟି ତାଙ୍କ ରିପୋର୍ଟରେ କଟକ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ସ୍ପଷ୍ଟ ଭାବରେ ସୂଚାଇଛନ୍ତି । ନିଜେ ଲାଟଲର ଏଡୁଆର୍ଡ ଗେଟ୍ ଓଡିଶା ଲାଗି ଅଲଗା ବିଶ୍ୱବିଦ୍ୟାଳୟ ହେବ ବୋଲି କେତେ ଥର କହିଛନ୍ତି । ସେ ଥରେ କହିଥିଲେ କଟକରେ ରେଭେନ୍‌ସା କଲେଜ ଘେନି ହିନ୍ଦୁ ବିଶ୍ୱବିଦ୍ୟାଳୟ ହୋଇଅଛି, ଢାକାର ଏକମାତ୍ର କଲେଜକୁ ନେଇ ଢାକା ବିଶ୍ୱବିଦ୍ୟାଳୟ ହେବ। ଅଳ୍ପ ଦିନ ଆଗେ ରେଭେନ୍‌ସା କଲେଜ ଢାକା କଲେଜଠାରୁ କୌଣସି ବିଷୟରେ ନୂନ୍ୟ ନ ଥିଲା । ମାତ୍ର ପାଟଣା ଉପରେ ପୂରା ନଜର ପଡ଼ିବା ଦିନୁ ରେଭେନ୍‌ସା କଲେଜର ଦଶା ମନ୍ଦ ହୋଇଅଛି । କଟକରେ ଆଉ ନୂଆ କଲେଜ ବସିବା ଯାଏଁ ଅପେକ୍ଷା ନ କରି ରେଭେନ୍‌ସା କଲେଜରେ ଅଧିକ ଉପଯୁକ୍ତ ଅଧ୍ୟାପକ ଏବଂ ପ୍ରୟୋଜନୀୟ ଉପକରଣ ମାନ ଯୋଗାଇ ତାହାକୁ ବିଶ୍ୱବିଦ୍ୟାଳୟ କରାଯାଇପାରେ ।

(ସମାଜ ତା ୧୧-୧୦-୧୯୧୯, ପ୍ରଥମ ଭାଗ, ଦ୍ୱିତୀୟ ସଂଖ୍ୟା)


Sunday, May 06, 2018

ଗିଜୁଭାଇ ବଧେକା: ଜୀବନ ଓ ଦର୍ଶନ

ସମ୍ପାଦନା - ନିଖିଳ ମୋହନ ପଟ୍ଟନାୟକ

୧୮୫୫ ମସିହାର କାଥିଆୱାଡ଼ର ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍)

ଶିଶୁମାନଙ୍କ ଭିତରେ ରହିଥିବା ମହାନ ଆତ୍ମାଟିକୁ ମୁଁ ସବୁବେଳେ ଦେଖୁଛି। ସେମାନଙ୍କର ନ୍ୟାଯ୍ୟ ଅଧିକାର ପାଇବା ଦିଗରେ ସାହାଯ୍ୟ କରିବା ପାଇଁ ଏହା ମତେ ପ୍ରେରଣା ଯୋଗାଏ।  - ଗିଜୁଭାଇ

ପିଲାଙ୍କ ଗାନ୍ଧିଜୀ”, “ନିଶବାଲୀ ମା” ଇତ୍ୟାଦି ନାଁ ପାଇଥିଲେ ଗିଜୁଭାଇ (ଶ୍ରୀ ଗିରିଜାଶଙ୍କର ଭଗବାନ ଜୀ ବଧେକା, ଗୁଜୁରାଟ, ୧୮୮୫-୧୯୩୯। ସେ ଜଣେ ଓକିଲ ଥିଲେ ଏବଂ କିଛି ଦିନ ପାଇଁ ଓକିଲାତି ମଧ୍ୟ କରିଥିଲେ । କିନ୍ତୁ ତାଙ୍କର ମନ ଓ ପ୍ରାଣ ଥିଲା ପିଲାମାନଙ୍କ ସାଙ୍ଗରେ । ତେଣୁ ସେ ଓକିଲାତି ଛାଡ଼ି ଶିକ୍ଷା ଉପରେ ବିଭିନ୍ନ ପରଖ କରିବାରେ ଓ ଲେଖିବାରେ ଲାଗିଲେ । ପିଲାଙ୍କୁ ନୂଆ ଢାଞ୍ଚାରେ ପଢାଇବା ପାଇଁ ସେ ଶିକ୍ଷାନୁଷ୍ଠାନମାନ ଖୋଲିଥିଲେ । ସେ ଛଅ ଶହରୁ ବେଶୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେଇଥିଲେ ଏବଂ ୨୨୩ ଖଣ୍ଡ ବହି ଲେଖିଥିଲେ । ତାହା ଭିତରେ ଥିଲା ପିଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଗପ ଓ ସାଧାରଣ ଜ୍ଞାନ ଭରା ବହି । ଏହା ଛଡ଼ା ମା' ବାପା ଓ ଶିକ୍ଷକମାନଙ୍କ ପାଇଁ ସେ ଅନେକ ଉପାଦେୟ ବହି ମଧ୍ୟ ଲେଖିଥିଲେ ।

୧୮୮୫ ମସିହା ନଭେମ୍ୱର ୧୫ ତାରିଖ ଦିନ ଗୁଜୁରାଟର ସୌରାଷ୍ଟ୍ର ଅଞ୍ଚଳରେ ଗିଜୁଭାଇ (ଗିରିଜାଶଙ୍କର ଭଗବାନ୍ ଜୀ ବଧେକା) ଜନ୍ମ ହୋଇଥିଲେ । ପାଞ୍ଚ ବର୍ଷ ବୟସରେ ସେ ସ୍କୁଲ ଗଲେ। ସେତେବେଳେ ବିଦ୍ୟାଳୟ ଭୟ ପ୍ରଦର୍ଶନର କେନ୍ଦ୍ରସ୍ଥଳ ଥିଲା । ପିଲାଦିନର ସେହି ପରିବେଶ ତାଙ୍କ ମନରେ ଗଭୀର ଛାପ ପକାଇଥିଲା ।

ପିଲାଦିନ

ପାଠପଢ଼ାରେ ଗିଜୁଭାଇ ଖୁବ୍ ଆଗୁଆ ଥିଲେ । ସାହସୀ, ଆଗ୍ରହୀ ତଥା ଦୃଢ଼ ମନୋଭାବ ଥିଲା ତାଙ୍କର ସ୍ୱଭାବ । ପ୍ରାଥମିକ ଶିକ୍ଷା ଶେଷ କରି ଗିଜୁଭାଇ ତାଙ୍କ ମାମୁଘରକୁ ଗଲେ ଓ ସେଠାରେ ରହି ଆଗକୁ ପଢ଼ିଲେ । କବିତା ପଢ଼ିବାକୁ ସେ ବହୁତ ଭଲ ପାଉଥିଲେ । ଏହି ଭଳି ଭାବରେ ସେ ମାଟ୍ରିକ ପାଠ ଶେଷ କଲେ ।

କଲେଜରେ ପଢ଼ିଲା ବେଳେ ତାଙ୍କର ବାହାଘର ହୋଇଥିଲା । ଦୁଇ-ଚାରି ବର୍ଷର ବୈବାହିକ ଜୀବନ ପରେ ତାଙ୍କ ପତ୍ନୀ ହରିବେନ୍‌ଙ୍କର ଦେହାନ୍ତ ହୋଇଥିଲା । କିଛି ବର୍ଷ ପରେ ସେ ଜଡିବେନ୍‌ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହାର କିଛି ଦିନ ପରେ ତାଙ୍କର ମା'ଙ୍କର ମୃତ୍ୟୁ ହୋଇଯାଇଥିଲା ଓ ସେହି ବୟସରୁ ତାଙ୍କୁ ଘରର ବିଭିନ୍ନ ଦାୟିତ୍ୱ ସମ୍ଭାଳିବାକୁ ହୋଇଥିଲା । ବମ୍ୱେରେ ତାଙ୍କୁ ଗୋଟିଏ ଚାକିରି ମିଳିଥିଲା । କିନ୍ତୁ ସେହି ଚାକିରିରେ ତାଙ୍କର ମନ ଲାଗିଲା ନାହିଁ । କିଛି ନୂଆ କାମ ଆଶାରେ ସେ ଆଫ୍ରିକା ଚାଲିଗଲେ । ଆଫ୍ରିକାରେ ସାଢ଼େ ତିନି ବର୍ଷର ରହଣି ତାଙ୍କ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ନିଜସ୍ୱ ବିଚାରଧାରା ନିର୍ଭୟତା, ସହନଶୀଳତା, ସମସ୍ତଙ୍କୁ ଭଲ ପାଇବା ଆଦି  ଗୁଣ ତାଙ୍କର ସେହିଠାରେ ହିଁ ବିକଶିତ ହୋଇଥିଲା ।

ଓକିଲାତି ଆରମ୍ଭ

ଭାରତରୁ ଫେରି ସେ ଓକିଲାତି କରିବାକୁ ସ୍ଥିର କଲେ । ଏହା ବେଶ୍ କଷ୍ଟସାଧ୍ୟ ଥିଲା । କିନ୍ତୁ ସେ ଥରେ ଯାହା କରିବାକୁ ସ୍ଥିର କରୁଥିଲେ ତାହା ନିଶ୍ଚୟ କରୁଥିଲେ । ସାଙ୍ଗେ ସାଙ୍ଗେ କୌଣସି ନିଷ୍ପତ୍ତି ନେବା ଓ ତାକୁ କାର୍ଯ୍ୟକାରୀ କରିବା ଭଳି ଆତ୍ମବିଶ୍ୱାସ ଗିଜୁଭାଇଙ୍କର ଥିଲା । ସେ ବମ୍ୱରେ ରହି ଖୁବ୍ କଷ୍ଟରେ ତାଙ୍କର ପଢା ଶେଷ କଲେ । ଏହି ସମୟରେ ରବିଶଙ୍କର ରାୱଲ, ମହାଦେବ ଭାଇ ଦେଶାଇ, ରାମନାରାୟଣ ବିଶ୍ୱନାଥ ପାଠକଙ୍କ ଭଳି ମହାନ ଚିତ୍ରକର, କବି ଆଦି ତାଙ୍କର ସାଙ୍ଗ ହୋଇଥିଲେ । ଏମାନଙ୍କର ପ୍ରଭାବ ଗିଜୁଭାଇଙ୍କ ଉପରେ ପଡୁଥିଲା ।

ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ଏହି ସମୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଚିଶ ବର୍ଷର ଯୁବକ ଗିଜୁଭାଇ ନିଜ ସମବୟସ୍କ ସାଥିମାନଙ୍କ ସହ ମିଶି ଭବିଷ୍ୟତ ଜୀବନର ସ୍ୱପ୍ନ ଦେଖିବାକୁ ଲାଗିଲେ । ଏହି ସମୟରେ ବାଲ ଗଙ୍ଗାଧର ତିଳକ ତାଙ୍କ ମନ୍ତ୍ରଧ୍ୱନି, 'ସ୍ୱାଧୀନତା ଆମର ଜନ୍ମଗତ ଅଧିକାର', ଦେଶରେ ଦେଇ ସାରିଥାନ୍ତି। ଏହାର ପ୍ରଭାବ ଗିଜୁଭାଇଙ୍କ ଉପରେ ପଡ଼ିଥିଲା । ସେ ଚିନ୍ତା କରିବାକୁ ଲାଗିଲେ ଦେଶ ପାଇଁ ସେ କ'ଣ କରିପାରିବେ ।

ଏହା ସହିତ ସ୍ୱାଧୀନତା ଆନ୍ଦୋଳନରେ ମଧ୍ୟ ସେ ସାମିଲ ଥିଲେ । ସମୟ କ୍ରମେ ଗିଜୁଭାଇ ବମ୍ୱେ ହାଇକୋର୍ଟରେ ଓକିଲ ଭାବରେ କାମ କଲେ । ଏହି ସମୟରେ ସେ କିଛି ଓକିଲ ସାଙ୍ଗଙ୍କ ସହ ମିଶି ଓକିଲାତି ଶିଖାଇବା ପାଇଁ ଗୋଟିଏ ଦଳ ଗଢ଼଼ିଥିଲେ । ଚାରି ପାଞ୍ଚ ବର୍ଷର ଓକିଲାତି ଜୀବନ ତାଙ୍କର ଖୁବ୍ ମୂଲ୍ୟବାନ ଥିଲା । ସେ ବିଶ୍ୱାସ କରୁଥିଲେ ଯେ, ମଣିଷ ଯେ କୌଣସି କାମ କରୁ, ସେହି କାମ ବିଷୟରେ ତା'ର ଯଥେଷ୍ଟ ଜ୍ଞାନ ରହିଥିବା ଦରକାର । ବୋଧହୁଏ ସେଥିପାଇଁ ସେ ଓକିଲାତି ଶିଖାଇବା ପାଇଁ ପ୍ରଶିକ୍ଷଣ ବିଦ୍ୟାଳୟ ସ୍ଥାପନ କରିବାକୁ ଚିନ୍ତା କରିଥିଲେ ।

ଓକିଲାତି ତାଙ୍କର ଭଲ ଚାଲିଥିଲା । ପଇସା ବି ଭଲ ମିଳୁଥିଲା । ଜୀବନରେ ପ୍ରତିଷ୍ଠା, ଲୋକଙ୍କର ବିଶ୍ୱାସ ତଥା ଆନନ୍ଦ ବି ମିଳିବାରେ ଲାଗିଲା । ଘର ପ୍ରତି ଉଦାସୀନ ଥିବା ଗିଜୁଭାଇ କିନ୍ତୁ ଓକିଲାତିରେ ବେଶ୍ ଆଗ୍ରହୀ ଥିଲେ । ଯେଉଁ କେଶ୍ ସେ ହାତକୁ ନେଉଥିଲେ ସେଥିପାଇଁ ସେ ବହୁତ ପରିଶ୍ରମ କରୁଥିଲେ ।... କ୍ରମଶଃ

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Friday, May 04, 2018

ଭାରତରେ ମାନବ ଜାତିର ଆଦ୍ୟ ଉନ୍ମେଷ 


ଅନୁବାଦ - କାମିଲେଶ୍ୱରୀ ପଟ୍ଟନାୟକ


ଭାରତୀୟ ଉପମହାଦେଶରେ ସିନ୍ଧୁ ନଦୀର ଚିତ୍ର (ୱିକିମିଡିଆ କମନ୍ସ୍)


ଲୋକେ କେଉଁଠି ବସବାସ କରୁଥିଲେ ?

ନର୍ମଦା ନଦୀ ଭାରତର ପ୍ରଧାନ ନଦୀ ମାନଙ୍କ ମଧ୍ୟରୁ ଗୋଟିଏ । ଏହି ନଦୀ ଅବବାହିକାରେ ଲୋକମାନେ ହଜାର ହଜାର ବର୍ଷ ଧରି ବସବାସ କରୁଥିଲେ । ସବୁଠାରୁ ପୂରାତନ ଲୋକମାନେ ହେଲେ ଯାଯାବର ବା ସଙ୍ଗ୍ରହକାରୀ ଶ୍ରେଣୀର । ସେମାନେ ନିଜ ଚାରିପାଖରେ ଥିବା ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ, ଫଳ, ମୂଳ ଇତ୍ୟାଦି ନିଜର ଖାଦ୍ୟ ପାଇଁ ସଙ୍ଗ୍ରହ କରୁଥିଲେ ଓ ପଶୁପକ୍ଷୀ ମାନଙ୍କୁ ମଧ୍ୟ ନିଜ ଖାଦ୍ୟ ପାଇଁ ଶିକାର କରୁଥିଲେ ।

ବର୍ତ୍ତମାନ ଉତ୍ତର-ପଶ୍ଚିମର ସୁଲେମାନ ଓ କିରିଆର ପାହାଡ ବିଷୟରେ କିଛି, ଜାଣିବା ।

ପ୍ରାୟ ୮୦୦୦ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ କିଛି ଜଙ୍ଗଲକୁ ସଫାକରି ମନୁଷ୍ୟମାନେ (ସ୍ତ୍ରୀ ଓ ପୁରୁଷ) ଗହମ, ବାର୍ଲି ଇଦ୍ୟାଦି ଚାଷ କରିଥିବା ପ୍ରମାଣ ମିଳେ । ପ୍ରାୟ ମଧ୍ୟ ସେହି ସମୟରୁ ମନୁଷ୍ୟ ଛେଳି, ମେଣ୍ଢା, ଗାଈ ଇତ୍ୟାଦି ପଶୁ ମାନଙ୍କୁ ପାଳିବା ସଙ୍ଗେ ସଙ୍ଗେ ସେଠାରେ ବସତି ସବୁ ସ୍ଥାପନ କରି ରହୁଥିବା ମଧ୍ୟ ଜଣାପଡ଼େ ।

ଭାରତର ଉତ୍ତର-ପୂର୍ବର ଗାରୋ ଆଉ ମଧ୍ୟ ଭାରତର ବିନ୍ଧ୍ୟ ପର୍ବତମାଳା 

ଭାରତର ଗାରୋ ଆଉ ବିନ୍ଧ୍ୟ ପର୍ବତମାଳାର ଆଖପାଖରେ ହିଁ ପ୍ରଥମେ କୃଷି ଓ ବସତି ସ୍ଥାପନ ହୋଇଥିବା ପ୍ରମାଣ ମିଳେ । ପ୍ରଥମେ ବିନ୍ଧ୍ୟ ପର୍ବତମାଳାର ଉତ୍ତରରେ ଧାନ ଚାଷ ହୋଇଥିଲା । ପ୍ରାୟ ୨୫୦୦ ବର୍ଷ ପୂର୍ବେ ଗଙ୍ଗା ତାହାର ଉପନଦୀମାନଙ୍କର ଅବବାହିକାରେ ଓ ସମୁଦ୍ର ଉପକୂଳ ଅଞ୍ଚଳମାନଙ୍କରେ ଉନ୍ନତ ଧରଣର ସହର ସବୁ ଗଢ଼ି ଉଠିଥିବାର ପ୍ରମାଣ ମିଳେ ।

ସିନ୍ଧୁ ନଦୀ, ତାହାର ଉପନଦୀ ସବୁ ଏବଂ ସେମାନଙ୍କ ଅବବାହିକା 

ଛୋଟ ଛୋଟ ନଦୀ ସବୁ ଯାଇ ଅପେକ୍ଷାକୃତ ବଡ଼ ନଦୀରେ ମିଶି ପ୍ରବାହିତ ହୋଇଥାଆନ୍ତି, ସେହି ଛୋଟ ଛୋଟ ନଦୀଗୁଡିକୁ ବଡ଼ନଦୀର ଉପନଦୀ କୁହାଯାଏ

ପ୍ରାୟ ୪୭୦୦ ବର୍ଷ ପୂର୍ବେ ସିନ୍ଧ ନଦୀ ଓ ତାହାର ଉପନଦୀ ଓ ଶାଖାନଦୀ ଗୁଡିକର ଉପତ୍ୟକାରେ ହିଁ ପ୍ରଥମ ସହର ସବୁ ବିକଶିତ ହୋଇଥିବା ପ୍ରମାଣ ମିଳେ । ପ୍ରାୟ ୨୫୦୦ ବର୍ଷ ପୂର୍ବେ ଭାରତରେ ପ୍ରଥମେ ଗଙ୍ଗା ଓ ତାହାର ଉପନଦୀ ଓ ସମୁଦ୍ର ଉପକୂଳ ଅଞ୍ଚଳ ଗୁଡ଼ିକ ନିକଟରେ ଉନ୍ନତ ଧରଣର ସହର ସବୁ ସ୍ଥାପିତ ହୋଇଥିବା ମଧ୍ୟ ପ୍ରମାଣ ମିଳେ ।

ପୁରାତନ କାଳରେ ଗଙ୍ଗା ଓ ତାହାର ଉପନଦୀର ପାଖାପାଖି ଅଞ୍ଚଳକୁ, ମାନେ ଗଙ୍ଗା ନଦୀର ଦକ୍ଷିଣରେ ଥିବା ଅଞ୍ଚଳକୁ, ମଗଧ କୁହାଯାଉଥିଲା । ସେହି ସମୟରେ ମଗଧର ଶାସକମାନେ ବହୁତ ବଳଶାଳୀ ଥିବାରୁ ସେମାନେ ବଡ଼ ବଡ଼ ସାମ୍ରାଜ୍ୟ ସବୁ ସେହି ସ୍ଥାନମାନଙ୍କରେ ସ୍ଥାପନ କରିଥିଲେ । ସେହି ସମୟରେ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ବିଭିନ୍ନ ପ୍ରକାର ରାଜ୍ୟ ଓ ସାମ୍ରାଜ୍ୟ ସବୁର ସ୍ଥାପନା ହୋଇଥିଲା ।

ସେହି ସମୟରେ ଲୋକମାନେ ଏହି ଉପମହାଦେଶରୁ ଅନ୍ୟାନ୍ୟ ଦେଶମାନଙ୍କୁ ଯାତ୍ରା କରୁଥିଲେ । ଯଦିଓ ହିମାଳୟ ପର୍ବତମାଳା, ମରୁଭୂମିବିଭିନ୍ନ ନଦୀ, ନାଳ,  ଜଙ୍ଗଲ ଦେଇ ଯାତ୍ରା ବିପଦସଙ୍କୁଳ ଥିଲା, ତଥାପି ଲୋକେ ଏହି ସବୁକୁ ସଫଳତାର ସହ ପାରି କରିପାରୁଥିଲେ । ସେହି ସମୟରେ ମନୁଷ୍ୟମାନେ ଖାଦ୍ୟ ଅନ୍ୱେଷଣରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁଥିଲେ । ଖାଲି ଯେ ଖାଦ୍ୟ ପାଇଁ ନୁହେଁ, ବନ୍ୟାବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ସେମାନେ ଯାଯାବରର ଜୀବନଯାପନ କରୁଥିଲେ । ବେଳେବେଳେ ମନୁଷ୍ୟର ଗୋଟିଏ ଶ୍ରେଣୀ ସଙ୍ଗଠିତ ହୋଇ ସୈନିକମାନଙ୍କ ଭଳି ରାଜ୍ୟ ସବୁକୁ ପରାଜୟ କରି ସେମାନଙ୍କ ଅଞ୍ଚଳ ସବୁକୁ ଅଧିକାର କରୁଥିଲେ । ତାହା ଛଡ଼ା ବ୍ୟବସାୟୀମାନେ ପଶୁମାନଙ୍କ ପିଠିରେ କିମ୍ୱା ନୌକା ସାହାଯ୍ୟରେ ନିଜର ବହୁମୂଲ୍ୟ ଜିନିଷପତ୍ର ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନମାନଙ୍କୁ ଜଳଯାତ୍ରା କରୁଥିଲେ । ବିଭିନ୍ନ ଧର୍ମଗୁରୁ ବା ଧର୍ମପ୍ରଚାରକମାନେ ମଧ୍ୟ ଗାଁ ଗଣ୍ଡା, ସହରକୁ ଧର୍ମପ୍ରଚାର କରିବା ପାଇଁ ଯାତ୍ରା କରୁଥିଲେ । ଶେଷରେ କିଛି ମନୁଷ୍ୟ ଦୁଃସାହସିକତାର ଆନନ୍ଦ ନେବା ପାଇଁ ବିଭିନ୍ନ ନୂତନ ସ୍ଥାନମାନଙ୍କୁ ମଧ୍ୟ ଆବିଷ୍କାର କରିବା ସଙ୍ଗେସଙ୍ଗେ ଲୋକମାନଙ୍କ ମଧ୍ୟରେ ଆଚାର ଓ ବିଚାରର ଆଦାନ ପ୍ରଦାନ ହୋଇ ପାରୁଥିଲା ।

ବର୍ତ୍ତମାନ ସମୟରେ ଲୋକେ କାହିଁକି ଯାତ୍ରା କରୁଛନ୍ତି

ଆମ ଉପମହାଦେଶଟି ପାହାଡ, ପର୍ବତ, ନଦୀ ଏବଂ ସମୁଦ୍ର ଭଳି ପ୍ରାକୃତିକ ସୀମାନ୍ତ ଦ୍ୱାରା ପରିବେଷ୍ଟିତ । ନିଜ ଇଚ୍ଛାରେ ବର୍ତ୍ତମାନ ଲୋକମାନେ ଏହି ସବୁ ପାହାଡ଼, ପର୍ବତ, ନଦୀ ଓ ସମୁଦ୍ର ସବୁକୁ ପାରି କରି ଅନ୍ୟ ଦେଶକୁ ଯାଉଛନ୍ତି ଓ ଅନ୍ୟ ସ୍ଥାନରୁ ମଧ୍ୟ ଅନେକ ମନୁଷ୍ୟ ଏହି ଉପମହାଦେଶକୁ ଆସୁଛନ୍ତି ଓ ଏଠାରେ ବସତି ସ୍ଥାପନ କରି ରହିଯାଉଛନ୍ତି । ଏହି ଆତଯାତ ଦ୍ୱାରା ଲୋକଙ୍କ ମଧ୍ୟରେ ସାମାଜିକ ଓ ପାରମ୍ପରିକ ଓ ରାଜନୀତିର ଆଦାନ ପ୍ରଦାନ ହୋଇ ପାରୁଛି । ଶହ ଶହ ବର୍ଷ ଧରି ଶିଳ୍ପ, କଳା, ସଙ୍ଗୀତ, ନୃତ୍ୟ, ପାକକଳା ଇଦ୍ୟାଦିର ନୂତନ ପନ୍ଥାସବୁ ମଧ୍ୟ ଆଦାନ ପ୍ରଦାନ ହୋଇ ଚାଲିଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଇତିହାସ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Wednesday, May 02, 2018

ପିଲାଙ୍କ ପାଇଁ କବିତା - 'ପଣ୍ଡିତଙ୍କ ଫଟ'

କବି - ଜଗନ୍ନାଥ ପ୍ରସାଦ ଦାସ


୧୮୨୦ ଦଶକରେ ଅଙ୍କିତ ଫ୍ରେଡ଼େରିକ ଶୋବେର୍ଲଙ୍କର ଚିତ୍ର
ଆର୍. ଆକର୍‌ମାନ୍‌ଙ୍କର ବହି 'ଦି ୱର୍ଲଡ଼୍ ଇନ୍ ମିନିଏଚର୍: ହିନ୍ଦୁସ୍ତାନ'ରୁ ଆନୀତ
  

ଜଣେ ପଣ୍ଡିତ ଅତି ପତଳା ଆଉ ଜଣକ ମୋଟା 
ଠା'ରେ ବସି ପେଟ ପୂଜାରେ ଚଢ଼ାଉଥିଲେ ପିଠା
ଦେଖିବ ଯଦି କିଏ କେତିକି ସରୁ କେତିକି ମୋଟ
ଉପର ଧାଡ଼ି ଦୁଇ ପାଖରେ ଅଛି ତାଙ୍କର ଫଟ । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।