Wednesday, June 13, 2018

ଗିଜୁଭାଇଙ୍କ ଶିକ୍ଷାକର୍ମର ଭାରତୀୟ ପୃଷ୍ଠଭୂମି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


୧୯୧୩ ମସିହାରେ ଉତ୍ତୋଳିତ ମାରିଆ ମଣ୍ଟେସୋରିଙ୍କର ଟିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
ଭାରତରେ ଶିକ୍ଷା

ପରାଧୀନ ଭାରତରେ ଶିକ୍ଷାର ଅବସ୍ଥା ଖୁବ ସଙ୍କଟାପନ୍ନ ଥିଲା । ଶିକ୍ଷକମାନଙ୍କର ସଙ୍ଖ୍ୟା ଦିନକୁ ଦିନ କମିବାରେ ଲାଗିଥିଲା । ଶିକ୍ଷାର ଉନ୍ନତି ଦିଗରେ କୌଣସି କାର୍ଯ୍ୟକ୍ରମ ଚାଲୁ ନ ଥିଲା । ଭାରତୀୟମାନେ ମଧ୍ୟ ନିଜକୁ ବେଶ୍ ସୀମିତ କରି ରଖିଥିଲେ । ଶିକ୍ଷା ପାଇଁ ବିଦେଶ ଗଲା ବେଳେ ଏହି ସୀମିତ ମନୋଭାବ ପାଇଁ ଗାନ୍ଧିଜୀଙ୍କୁ ଅନେକ ଅସୁବିଧା ସହିବାକୁ ପଡ଼ିଥିଲା । ନାରୀଶିକ୍ଷାକୁ ଅଦରକାରୀ ମନେ କରା ଯାଉ ଥିଲା । ସେହି ସମୟରେ ଗୋଖଲେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଉପରେ ଖୁବ୍ ଜୋର ଦେଇଥିଲେ । କିନ୍ତୁ ଆମ ଦେଶର ଲୋକଙ୍କର ଏ ଦିଗରେ କୌଣସି ଆଗ୍ରହ ନ ଥିଲା । ଏଭଳି ପରିସ୍ଥିତିରେ ନୂଆ ଶିକ୍ଷାପଦ୍ଧତି ପ୍ରଚଳନର ସମ୍ଭାବନା ହିଁ ନ ଥିଲା ।

ସେତେବେଳେ ସମସ୍ତଙ୍କର ଧାରଣା ଥିଲା ଯେ, ପିଲାମାନେ କଞ୍ଚାମାଟିର ଗୁଳା ଭଳି । ଆମେ ସେମାନଙ୍କୁ ଯେଭଳି ରୂପ ଦେବାକୁ ଚାହିଁବା, ସେଭଲି ଶିକ୍ଷା ଦେବା । ଏଥିପାଇଁ କିଛି ଅଧିକ ଚିନ୍ତାର ଆବଶ୍ୟକତା ନାହିଁ । ଲୋକମାନଙ୍କର ଏଭଳି ମଧ୍ୟ ଧାରଣା ଥିଲା ଯେ, ଛୋଟ ପିଲାମାନେ କିଛି ବି ବୁଝି ପାରନ୍ତି ନାହିଁ । ବିବେକ ବୋଲି ସେମାନଙ୍କର କିଛି ନ ଥାଏ । କେଉଁ ଥିରେ ତା'ର ମଙ୍ଗଳ ହେବ, ସେକଥା ସେ ଜାଣି ପାରେ ନାହିଁ । ତା'ର ଭଲ ପାଇଁ ଆମେ ହିଁ ତା'କୁ ଗାଳି ମାଡ଼ ଦେଇ ଯାହା ଦରକାର ତାହା ଶିଖାଇବା ।

ଶିକ୍ଷା ସହିତ ଖୁସି ହେବାର ସମ୍ପର୍କ ବିଲେଇ-ମୂଷାର ସମ୍ପର୍କ ଭଳି ଥିଲା । ପାଠକୁ ସେତେ ବେଳେ ଘୋଷି ମନେ ରଖିବା ହିଁ ପାଠ ପଢ଼ାର ଏକମାତ୍ର ଧାରା ଥିଲା । ଶିକ୍ଷା କ୍ଷେତ୍ରରେ ପିଲାର ରୁଚି, ତା'ର କିଛି ସିଦ୍ଧାନ୍ତ ବା ଅନୁଭବନିଜକୁ ପ୍ରକାଶ କରିବାର ଇଚ୍ଛାସ୍ୱାଧୀନତା ଆଦିର କୌଣସି ସ୍ଥାନ ନ ଥିଲା । ତେବେ ଗୁରୁକୂଳ ଆଶ୍ରମର ଶିକ୍ଷା ପଦ୍ଧତି ଏ ଦିଗରେ କିଛି ବାଟ ଦେଖାଇଥିଲା । ହରିଦ୍ୱାରର ସ୍ୱାମୀ ଶ୍ରଦ୍ଧାନନ୍ଦ ତାଙ୍କ ଶିକ୍ଷା ବ୍ୟବସ୍ଥାରେ ରାଷ୍ଟ୍ରୀୟତାଭାରତୀୟ ସଂସ୍କୃତିସଂସ୍କୃତ ଭାଷାଶାରୀରିକ ବିକାଶ ଆଦି ବିଷୟକୁ ସ୍ଥାନ ଦେଇଥିଲେ । ଶାନ୍ତି ନିକେତନରେ ଆଧ୍ୟାତ୍ମିକତାଖୁସିରେ ଶିଖିବା ଆଦି ନୂଆ ନୂଆ କଥା ସବୁ ସ୍ଥାନ ପାଇଥିଲା । ସେମାନେ ସେଠାରେ ଅନ୍ତର୍ରାଷ୍ଟ୍ରୀୟ ସଦ୍ଭାବ ଶିକ୍ଷା ଦେବାରେ ମଧ୍ୟ ଗୁରୁତ୍ୱ ଦେଉଥିଲେ । ମାଡ୍ରାସର ଗୋଟିଏ ସଂସ୍ଥାରେ ମଧ୍ୟ ନୂତନ ଶିକ୍ଷା ପ୍ରୟୋଗ କରା ଯାଉ ଥିଲା ।

ଧୀରେ ଧୀରେ ଜନ ସଚେତନତା ବଢ଼ିଲା ଓ ଭାରତୀୟମାନେ ମଧ୍ୟ ଆଉ କାହାକୁ ଅନୁକରଣ କରିବା ବଦଳରେ ନିଜ ଦେଶର ଆବଶ୍ୟକତା ଅନୁଯାୟୀ ଶିକ୍ଷା ପଦ୍ଧତିର ପ୍ରଚଳନ ହେବା ଉଚିତ ବୋଲି ଅନୁଭବ କରି ପାରିଲେ ।

ଗୁଜୁରାଟରେ ଶିକ୍ଷା

ଗୁଜୁରାଟରେ ପ୍ରଥମେ କେବଳ ସରକାରୀ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଥିଲା । ପରେ ବେସରକାରୀ ଉଦ୍ୟମରେ କିଛି ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ଚାଲିଲା । [ବରୋଦାର] ମହାରାଜ ଗାଏକୱାଡ଼ ବିଦେଶରୁ ବହି ମଗାଇ ଲୋକଙ୍କ ଭିତରେ ନୂଆ ବିଚାରଧାରା ସୃଷ୍ଟି ପାଇଁ ଚେଷ୍ଟା କରୁଥିଲେ । ଗୋପାଳଦାସ ତାଙ୍କ ଗାଁର ପିଲାଙ୍କୁ ମଣ୍ଟେସୋରୀ ପଦ୍ଧତିରେ ପଢ଼ାଇବାର ବ୍ୟବସ୍ଥା କରିଥିଲେ । ମଣ୍ଟେସୋରୀ ପଦ୍ଧତିର ଅନେକ ବହି ସେ ଗୁଜୁରାଟି ଭାଷାରେ ଅନୁବାଦ କରିଥିଲେ । କେତେ ଜାଗାରେ କିଣ୍ଡରଗାର୍ଟନ ଶିକ୍ଷା ବ୍ୟବସ୍ଥା ମଧ୍ୟ ଚଳାଯାଉଥିଲା ।

ବି.ଦ୍ର.ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, June 11, 2018

ଏକ ଦୁଃଖଦ ଖବର

ଜ୍ୟୋତି ନନ୍ଦ

ମୃତ୍ୟୁର ଚିହ୍ନ (ୱିକିମିଡିଆ କମନ୍ସ୍)
ଖବରଟି ନିହାତି ଦୁଃଖର ।
ଗୋଟିଏ ମୃତ୍ୟୁ ସମ୍ବାଦ ଆପଣଙ୍କୁ ଦେବାକୁ ଯାଉଛି ।

ମୋର ବିଚାରରେ ପୃଥିବୀର ଏଇ ଏକମାତ୍ର ମୃତ୍ୟୁ ସମ୍ବାଦ ଯାହାକୁ ପଢ଼ିବା ପରେ ଆପଣମାନେ ସମ୍ଭବତଃ ହସି ପାରନ୍ତି ।

ଏଇ ମୃତ୍ୟୁସମ୍ବାଦଟି ଅସଲରେ ଯାହାର ମୃତ୍ୟୁ ବିଷୟକ ଥିଲା, ସେହି ବ୍ୟକ୍ତି ଜଣକ ତାହାକୁ ନିଜେ ପଢ଼ି ଏକ ଅଟ୍ଟହାସ୍ୟ ଦେଇ କିଛି ସମୟ ଚୁପ୍ ରହିବା ପରେ କହିଥିଲେ:

"ମୋର ମୃତ୍ୟୁର ବିବରଣୀଟି ପ୍ରକୃତରେ ଏକ ଅତିରଞ୍ଜନ ଥିଲା ।" ଇଂରାଜୀରେ - "ଦି ରିପୋର୍ଟ ଅଫ୍ ମାଇ ଡେଥ୍ ୱାଜ୍ ଆନ୍ ଏକ୍‌ସାଜରେସନ୍।"

ସେହି ବ୍ୟକ୍ତି ଜଣକଙ୍କର ଏହି ପ୍ରତିକ୍ରିୟାଟି ଖବରକାଗଜରେ ପ୍ରକାଶ ପାଇବା ପରେ ଏହି ବିଶେଷ ବାକ୍ୟଟି ଇଂରାଜୀ ଭାଷାରେ ଏକ ଜନପ୍ରିୟ ପ୍ରୟୋଗରେ ପରିଣତ ହୋଇ ଯାଇଥିଲା ।

ଜୁନ୍ ମାସ ଦୁଇ ତାରିଖ ଦିନ ଅଠରଶହ ସତାନବେ ମସିହାରେ 'ଦି ନ୍ୟୁୟର୍କ ଜର୍ଣ୍ଣାଲ୍' ରେ ନିଜ ମୃତ୍ୟୁ ସମ୍ବାଦ ପଢ଼ିବା ପରର ତାଙ୍କର ଉପରୋକ୍ତ ପ୍ରତିକ୍ରିୟାଟିକୁ ବେଶ୍ ପ୍ରମୁଖତାର ସହ ପ୍ରକାଶ କରାଯାଇଥିଲା । ସେ ସେତେବେଳକୁ ଜଣେ ପ୍ରସିଦ୍ଧ ବିଶ୍ୱସ୍ତରର ଖ୍ୟାତିମାନ ଲେଖକ ।

ତାଙ୍କର କେତୋଟି ଉକ୍ତି ଓ ଉଦ୍ଧୃତି:

"ମଣିଷ ଯେତେବେଳେ ନିଜକୁ ମିଥ୍ୟାବାଦୀ ବୋଲି ସ୍ୱୀକାର କରେ ସେତେବେଳେ ସେ ସବୁଠାରୁ ବେଶି ସତ୍ୟବାଦୀ ।"

"ସାଧାରଣ କଥାବାର୍ତ୍ତାରେ ମଣିଷ ପ୍ରାୟତଃ ଯେଉଁ ବିଶେଷଣ ଗୁଡିକୁ ବ୍ୟବହାର କରୁଥାଏ ତାହା ସାଧାରଣତଃ ଯେଉଁ ଚରିତ୍ରଟି ପାଇଁ ବେଶି ପ୍ରଯୁଜ୍ୟ ହେବ, ତାହା ସେ ନିଜେ ।"

"ମଣିଷ କହେ ପଶୁ ହେଉଛି ମୂକ ଆଉ ଏମିତି କହିବା ମଣିଷର ଗର୍ବ ଆଉ ଅବାନ୍ତରପଣ, କାରଣ ମଣିଷ ନିଜର ନିର୍ବୋଧ ଅବବୋଧ ପ୍ରତି ସର୍ବଦା ମୂକ ।"

"ଗଳ୍ପ ହେଉଛି ସର୍ବଦା ସମ୍ଭାବନାମୟ,ସତ୍ୟ ନୁହଁ ।"

"ସବୁଠାରୁ ଶ୍ରେଷ୍ଠ ଆବିଷ୍କାରକ ହେଉଛି, ଦୁର୍ଘଟଣା ।"

"ତମର ବନ୍ଧୁମାନେ ଯେତେବେଳେ ତମକୁ ବେଶ୍ ତରୁଣ ଦେଖାଯାଉଛ ବୋଲି ପ୍ରଶଂସା କରନ୍ତି, ମାନେ ବୁଝିବାକୁ ହେବ ଯେ ତମେ ବୁଢ଼ା ଦିଶିଲଣି ।"

"ବ୍ୟଙ୍ଗ ଏମିତିରେ କୌଣସି ଶିକ୍ଷା ନୁହଁ କି କୌଣସି ଜ୍ଞାନ ନୁହଁ, ମାତ୍ର ଦୀର୍ଘ ଦିନ ରହିଗଲେ ଏହା ଉଭୟ ।"

"ଶହୀଦତ୍ୱ ବହୁବିଧ ପାପକୁ ଆବୃତ କରି ରଖିଥାଏ ।"

"ମିଛ ଅଛି, ଦି ପ୍ରକାର; ନିନ୍ଦନୀୟ ମିଛ ଓ ତଥ୍ୟାବଳୀ (ବା ଷ୍ଟାଟି।ଷ୍ଟିକ୍‌ସ୍) ।"

"ଭଲ ବନ୍ଧୁ, ଭଲ ବହି ଆଉ ସୁପ୍ତ ବିବେକ; ଏହା ହିଁ ଆଦର୍ଶ ଜୀବନ।"

ସେଇ ଲେଖକର ଉଦ୍ଧୃତିକୁ ସହଜରେ ଛାଡ଼ି ହେବ ନାହିଁ । ଇଚ୍ଛା ହେଉଛି ଯେମିତି ହଜାରେ ଉଦ୍ଧୃତିକୁ ବାଛି ଅନୁବାଦ କରି ପକାଇଲେ ନିଜକୁ ଘଡ଼ିଏ ତୃପ୍ତ ଲାଗିବ ।

ସେଇ ବିଶିଷ୍ଟ ଲେଖକଙ୍କର ଦୁର୍ଭାଗ୍ୟ ହେଉଛି, ତାଙ୍କର ଜଣେ ଭାଇର ପୁଅ ଥିଲା, ତାହାର ନାଆଁ ହେଉଛି ଜେମସ୍ ରସ୍ କ୍ଲେମେନ୍ସ ।ତାହାର ଶରୀର ଅସୁସ୍ଥ ହେଲେ ସମ୍ବାଦ ପତ୍ରରେ ଖବର ବାହାରୁ ଥିଲା ଯେ, ଏହି ଲେଖକ ଜଣକ ଅସୁସ୍ଥ । ସେହି ଭାଇର ପୁଅଟି ଅର୍ଥାତ୍ ଜେମସ୍ ରସ୍ କ୍ଲେମେନ୍ସ୍‌ଙ୍କ ମୃତ୍ୟୁ ସମ୍ବାଦ ଟି ବାହାରିଥିଲା ଲେଖକଙ୍କ ମୃତ୍ୟୁ ସମ୍ବାଦ ଆକାରରେ ।

ଏହି କମେଡ଼ି ଅଫ୍ ଏରର୍ ପାଇଁ ଲେଖକଙ୍କ ନାଆଁଟି ହିଁ ବିଶେଷତଃ ଦାୟୀ । ଏହି ବିଶ୍ୱପ୍ରସିଦ୍ଧ ଲେଖକଙ୍କ ନାଆଁଟି ଥିଲା, ସାମୁଏଲ୍ ଲଙ୍ଗହର୍ଣ୍ଣ କ୍ଲେମେନ୍ସ୍ । ମୁଖ୍ୟତଃ ନାଆଁର ଏହି କ୍ଲେମେନ୍ସ୍ ଭାଗକୁ ନେଇ ସବୁ ଜଟିଳତା ।

ଆଉ ଅଧିକ ରହସ୍ୟ ନାହିଁ  । ଏଇ ପ୍ରସିଦ୍ଧ ଆମେରିକୀୟ ଲେଖକଙ୍କୁ ସାମୁଏଲ୍ ଲଙ୍ଗହର୍ଣ୍ଣ କ୍ଲେମେନ୍ସ୍ ବୋଲି କହିଲେ କେହି ଚିହ୍ନିବେ ନାହିଁ । ସେ ଜଣେ ଦୁଃସାହସିକ ଯାତ୍ରୀ । 'ହକଲବରୀ ଫିନ୍‌ର ଦୁଃସାହସିକ ଯାତ୍ରା' ଓ 'ଟମ୍ ସାୟାର୍‌ର ଦୁଃସାହସିକ ଯାତ୍ରା'ର ଏଇ ବିଖ୍ୟାତ ଲେଖକଙ୍କୁ ସମସ୍ତେ ମାର୍କ ଟ୍ୱେନ୍ (୧୮୩୫-୧୯୧୦) ବୋଲି ଚିହ୍ନନ୍ତି ଓ ଶ୍ରଦ୍ଧା କରନ୍ତି ।

Friday, June 08, 2018


ଦେଶୀୟ ଭାଷାରେ ଶିକ୍ଷାଦାନ


ଗୋପବନ୍ଧୁ ଦାଶ


 ୧୮୭୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟର ଚିତ୍ର (ୱିକିମିଡିଆ କମନ୍ସ୍)

କଲିକତା ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଦିନକୁ ଦିନ ବଢ଼ୁଅଛିମ। ବିଶ୍ୱବିଦ୍ୟାଳୟର ଶିକ୍ଷା ଓ କାର୍ଯ୍ୟ ପ୍ରଣାଳୀରେ କେତେକ ପରିବର୍ତ୍ତନ ଆବଶ୍ୟକମ। ତାହା ସ୍ଥିର କରିବା କାରଣ ବଡ଼ ସାହେବ ଆଦେଶ ମତେ ଏକ କମିଶନ ନିଯୁକ୍ତ ହୋଇଥିଲେମ। ଇଉରୋପର ବିଶ୍ୱବିଦ୍ୟାଳୟମାନଙ୍କର କେତେଜଣ ପ୍ରଧାନ ଅଧ୍ୟକ୍ଷ ଏ କମିଶନର ସଭ୍ୟମଥିଲେମ। ବଙ୍ଗଳାର ଭିନ୍ନଭିନ୍ନ କଲେଜମାନ ପରିବର୍ତ୍ତନ କଲେ, କୌଣସି କୌଣସି ସ୍କୁଲ ମଧ୍ୟ ଦେଖିଲେମ। ଭାରତର ଆଉ କେତେକ ସ୍ଥାନର ପ୍ରସିଦ୍ଧି ଶିକ୍ଷା ଅନୁଷ୍ଠାନ ମଧ୍ୟ ଦେଖିଲେ । ବର୍ତ୍ତମାନ କମିଶନଙ୍କ ରିପୋର୍ଟ ବାହାରିଅଛି । ସମ୍ୱାଦପତ୍ରମାନଙ୍କରେ ତହିଁରୁ ଆଲୋଚନା ଚାଲିଅଛି । ମ୍ୟାଟ୍ରିକୁଲେସନ ବା ପ୍ରବେଶିକା ପାଶ୍ କରିଥିବା ଛାତ୍ରମାନେ ମଧ୍ୟ କଲେଜରେ [ପଢ଼ିବା ନିମନ୍ତେ] ଉପଯୁକ୍ତ ନୁହନ୍ତି ବୋଲି କମିଶନଙ୍କ ମତ । ଏ ମତ ଅନେକ ପରିମାଣରେ ଠିକ୍ । ଉପଯୁକ୍ତ ଶିକ୍ଷକଙ୍କ ଅଭାବ ଏଥିର ମୁଖ୍ୟ କାରଣ ବୋଲି କମିଶନ ନିର୍ଦ୍ଦେଶ କରି ଅଛନ୍ତି । ଅବଶ୍ୟ ଯୋଗ୍ୟତର ଶିକ୍ଷକମାନଙ୍କ ଦ୍ୱାରା ଅଧିକ ସୁଫଳ ଫଳିବାରେ ସନ୍ଦେହ ନାହିଁ । କିନ୍ତୁ ଶିକ୍ଷକର ଅଭାବ ଏକମାତ୍ର କାରଣ ନୁହେଁ ।

ବର୍ତ୍ତମାନର ପରୀକ୍ଷା ପ୍ରଣାଳୀକୁ କମିଶନ ନିନ୍ଦା କରି ଅଛନ୍ତି । ବାସ୍ତବରେ ଏଥିରେ ଛାତ୍ରମାନଙ୍କୁ ଯେତେ ପରିଶ୍ରମ ଯେତେ ଉଦ୍‌ବେଗ ସହିବାକୁ ପଡ଼ୁଅଛି, ଫଳ ଦୃଷ୍ଟିରେ ତାହା ଅତ୍ୟଧିକ ଏବଂ ସେଥିରେ ଅନେକ ଛାତ୍ରଙ୍କର ଜୀବନନଷ୍ଟ ହେଉଅଛି । ଗୋଟାଏ ନମ୍ୱର ଲାଗି କେହି କେହି ଛାତ ଏକାଧିକଥର ଅକୃତକାର୍ଯ୍ୟ ହୋଇ ପ୍ରାଣରେ ଯେ ଆଘାତ ପାଉଛନ୍ତି, ସେଥିରେ ସେମାନେ ଏକା ବେଳେକେ ଅକର୍ମଣ୍ୟ ହୋଇ ପଡ଼ୁ ଅଛନ୍ତି । ଏହି ପରି ବିଶ୍ୱବିଦ୍ୟାଳୟ ଶିକ୍ଷାରେ ଯେସବୁ ତୃଟି ଅଛି, ତାହାର ନିବାରଣ ଲାଗି କୌଣସି କମିଶନ କୌଣସି ବିହିତ ପ୍ରତିକାର ପ୍ରସ୍ତାବ କରିଛନ୍ତି ବୋଲି ଆମ୍ଭମାନଙ୍କୁ ବୋଧ ହେଉ ନାହିଁ । ଏଥିର ଯଥାର୍ଥ ନିଦାନ ମଧ୍ୟ ନିରୁପଣ କରି ନାହାନ୍ତି । ଇଂରାଜୀ ଭାଷା ସାହାଯ୍ୟରେ ଶିକ୍ଷା ଦିଆ ଯାଉଥିବା ଏ ଦୋଷମାନ କଦାପି ଘୁଞ୍ଚିବ ନାହିଁ । ଆମ୍ଭମାନଙ୍କ ସ୍କୁଲ କଲେଜରେ ଛାତ୍ରମାନଙ୍କର ବିଷୟବୋଧ ପ୍ରତି ତେତେ ଦୃଷ୍ଟି ନାହିଁ । କେବଳ ଇଂରାଜୀ ଭାଷା ଶିଖୁ ଶିଖୁ ସାରା ଜୀବନ ଅତିବାହିତ ହେଉ ଅଛି । ତଥାପି ଇଂରାଜୀରେ ତୃଟି କେବେ ପୂରଣ ହେଉ ନାହିଁ ।...
 
କମିଶନଙ୍କ ମତରେ ମାଟ୍ରିକ୍ୟୁଲେସନ ପାସ କରି କଲେଜରେ ପଶିବା ଠିକ୍ ନୁହେଁ । କଲେଜର ଆଇ.ଏ. ଏବଂ ଆଇ.ଏସ୍‌.ସି. କ୍ଲାସମାନଙ୍କୁ ସ୍କୁଲରେ ସାମିଲ କରିବା ସେମାନଙ୍କର ପ୍ରସ୍ତାବ । ସେଥିରେ ଉତ୍ତୀର୍ଣ୍ଣ ହେଲେ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ଉପାଧି ନିମନ୍ତେ କଲେଜରେ ପ୍ରବେଶ କରିବେ । ବି.ଏ. ତିନି ବର୍ଷର ପାଠ ହେବ। ଏ ସବୁ ପ୍ରସ୍ତାବ କାର୍ଯ୍ୟରେ ପରିଣତ କରିବାକୁ ବହୁ ବ୍ୟୟ ଲାଗିବ । ମାତ୍ର ଏହା ଦ୍ୱାରା କଲେଜ ଶିକ୍ଷା ଭଲ ହେବ ସନ୍ଦେହ ନାହିଁ । ବାସ୍ତବିକ ମାଟ୍ରିକ୍ୟୁଲେସନ ପାଶ କରିଥିବା ଅନେକ ଛାତ୍ର କଲେଜର ପାଠ୍ୟ ବିଷୟ ସହଜରେ ଅନୁଧାବନ କରି ପାରନ୍ତି ନାହିଁ ।

କଲିକତା ବିଶ୍ୱବିଦ୍ୟାଳୟ ଦେଶୀୟ ଭାଷାରେ ଏମ୍.ଶିକ୍ଷାର ବ୍ୟବସ୍ଥା କରି ଅଛନ୍ତି। ଦେଶୀୟ ଭାଷାମାନ କ୍ରମେ ଉନ୍ନତ ହେଉଅଛି । ଆମ୍ଭମାନଙ୍କର ଆଶା ଥିଲା କମିଶନ ଶିକ୍ଷା ବିଧାନରେ ଦେଶୀୟ ଭାଷାର ଅଧିକ ପ୍ରୟୋଜନୀୟତା ସ୍ୱୀକାର କରିବେ । ମାତ୍ର ଫଳରେ 'ବିଷସ୍ୟ ବିଷମୌଷଧଂ' ନୀତିର ଅନୁସରଣ ହେବାର ଦେଖି ଅନେକେ ହତାଶ ହୋଇଛନ୍ତି ।

(ସମାଜ)

Wednesday, June 06, 2018

ପିଲାଙ୍କ ପାଇଁ କବିତା - 'ଭୁଲା ଚଲା'

କବି - ଜଗନ୍ନାଥ ପ୍ରସାଦ ଦାସ


ଜର୍ମାନ ଦାର୍ଶନିକ ମାର୍କ୍ସ ଷ୍ଟର୍ଣ୍ଣର୍‌ (୧୮୦୬-୧୮୫୬) ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସଡ଼କେ ଯାଉ ଯାଉ ଚମକିଲି ଦେଖି
ନାକରେ ଚଷମା ଅଛି ନାହିଁ ମୋର ଆଖି ।
ଚାଲିଛନ୍ତି ମଚ ମଚ ମୋର ଜୋତା ଯୋଡ଼ି
ଯଦିଓ ପାଦକୁ ଘରେ ଆସିଛି ମୁଁ ଛାଡ଼ି ।


ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Monday, June 04, 2018

ଗିଜୁଭାଇଙ୍କ ଶିକ୍ଷାକର୍ମର ପୃଷ୍ଠଭୂମି

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଆମେରିକୀୟ ଶିକ୍ଷାବିଦ୍  ଜନ ଡୁଇ (୧୮୫୯-୧୯୫୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗିଜୁଭାଇଙ୍କର ବିଚାର ଓ ଶିକ୍ଷାର ଧାରାକୁ ବୁଝିବାକୁ ହେଲେ, ସେ ସମୟରେ ଶିକ୍ଷାର ପରିସ୍ଥିତି ବିଷୟରେ ପ୍ରଥମେ କିଛି ଜାଣିବା ଦରକାର । ଏହି ସମୟଟି ଥିଲା ବିଂଶ ଶତାଦ୍ଦୀର ପ୍ରଥମ ଦଶକ । ଗୋଟିଏ ଦିଗରେ ଭାରତରେ ସ୍ୱାଧୀନତା ଚିନ୍ତା ମୁଣ୍ଡ ଟେକିଥାଏ । ଅନ୍ୟ ଦିଗରେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ମଧ୍ୟ ବଢ଼ୁଥାଏ । ଦେଶର ଭବିଷ୍ୟତ ବିକାଶ ଆମର ପରମ୍ପରାକୁ ଆଧାର କରିବା ବା ପାଶ୍ଚାତ୍ୟ ଧାରାକୁ ଆଦରିବା, ସେ ବିଷୟରେ ବିତର୍କ ଉଠୁଥାଏ । ଶିକ୍ଷା କ୍ଷେତ୍ର ମଧ୍ୟ ଏହି ବିତର୍କ ଭିତରକୁ ଆସୁଥିଲା ଏବଂ ସମାଧାନର ବାଟ ପାଇବା ପାଇଁ ବିଭିନ୍ନ ପରୀକ୍ଷା ଚାଲୁଥିଲା ।

ଇଉରୋପର ଶିକ୍ଷା ବ୍ୟବସ୍ଥା

୧୮୦୦ ମସିହା ବେଳକୁ ଇଉରୋପରେ ବ୍ୟକ୍ତି ସ୍ୱାଧୀନତା ସହିତ ପଛୁଆ ବର୍ଗର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକ୍ରମମାନ ଚାଲୁଥିଲା । ସେଠାର ପ୍ରଗତିଶୀଳ ଶିକ୍ଷାଧାରାର ଦୁଇଟି ପ୍ରାଧାନ୍ୟ ରହିଥିଲାପିଲାମାନଙ୍କୁ ବିନା ଦଣ୍ଡରେ ଶିକ୍ଷା ଦେବା; ଏବଂସେମାନଙ୍କର ଇଚ୍ଛା ଓ ଆବଶ୍ୟକତାକୁ ଚାହିଁ ଶିକ୍ଷା ଦେବା ।

ବିଂଶ ଶତାଦ୍ଦୀର ଆରମ୍ଭରେ ସେଠାରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନୂଆ ନୂଆ ଶିକ୍ଷା ପ୍ରୟୋଗମାନ ଚାଲି ପାରୁଥିଲା । ଗୋଟିଏ ପଟେ ଋଷୋହର୍ବାଟପେଷ୍ଟୋଲୋଜି ଏବଂ ଫ୍ରୋବେଲ ପିଲାଙ୍କ ପାଇଁ ନୂତନ ଶିକ୍ଷା ପଦ୍ଧତିମାନ ପ୍ରସ୍ତୁତ କରୁଥିଲେ । ଆଉ ଅନ୍ୟ ପଟେ, ଇଟାର୍ଡ଼ ଓ ସେରୁଇନଙ୍କ ଧାରାରେ ରୋମ ନଗରୀର ଗରିବ ବସ୍ତିରେ ମାରିଆ ମଣ୍ଟେସୋରୀ ତାଙ୍କର ନୂତନ ପଦ୍ଧତି ବାହାର କରିଥିଲେ । ମଣ୍ଟେସୋରୀଙ୍କର ଶିକ୍ଷା ପଦ୍ଧତି କେବଳ ପ୍ରାଥମିକ ସ୍ତରରେ ନୁହେଁମାଧ୍ୟମିକ ସ୍ତରରେ ମଧ୍ୟ ବ୍ୟବହୃତ ହେବା ପାଇଁ ଉପଯୋଗୀ ଥିଲା । ମହର୍ଷି ଟଲଷ୍ଟୟ ମଧ୍ୟ ଶିକ୍ଷା ଦିଗରେ ତାଙ୍କର ବିଚାରଧାରା ପ୍ରୟୋଗ କରୁଥିଲେ । ଦାର୍ଶନିକ ତଥା ଶିକ୍ଷାବିତ ଜନ ଡୁଇ ମଧ୍ୟ ନୂତନ ବିଚାରଧାରାର ଶିକ୍ଷା ପଦ୍ଧତି ବାହାର କରି ଏ ଦିଗରେ ପଥ ପ୍ରଦର୍ଶନ କରିଥିଲେ ।

(ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।) 

Saturday, June 02, 2018

ଆନ୍ତର୍ଜାତିକ ନାରୀ ଦିବସର ଏକ ଉଦ୍ଧୃତିଭିତ୍ତିକ ଗାଥା

ଜ୍ୟୋତି ନନ୍ଦ


 
ଦ୍ୱାଦଶ ଶତାବ୍ଦୀର ଖ୍ରୀଷ୍ଟୀୟ ଚିନ୍ତକ ହିଲ୍‌ଡେଗାର୍ଡ଼ଙ୍କର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାର୍ଚ୍ଚମାସ ଆଠ ତାରିଖ ଦିନ ଆନ୍ତର୍ଜାତିକ ନାରୀ ଦିବସ ପାଳିତ ହୁଏ । ଆରମ୍ଭରେ ଗୋଟିଏ ଲଘୁ ମନ୍ତବ୍ୟ କରିବାର ଅଳି କରୁଛି । ଆଜିର ଉଦ୍ଧୃତି ସର୍ବସ୍ୱ ଯୁଗରେ କିଏ ବେଶି ଉଦ୍ଧୃତି ଦିଏ, ପୁରୁଷ ନା ନାରୀ ? ଏଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଉପରେ ଆମେ ପତିପତ୍ନୀ ନିହାତି ପେଶାଦାର ଆଇନଜୀବୀଙ୍କ ଭଳି 'ଅମୁକ ଦିନ ଅମୁକ' ଭଳି ପ୍ରିସିଡେନ୍ସ ବା ପୂର୍ବ ଉଦାହାରଣମାନକୁ ଯଥାଯଥ ଉପସ୍ଥାପନ କରି ଆନ୍ତର୍ଜାତିକ ନାରୀ ଦିବସଟି ଦିନେ ପାଳନ କଲୁ । ସୌଭାଗ୍ୟର ବିଷୟ ମୋତେ ସକାଳର ନିତ୍ୟ ନିର୍ଦ୍ଧାରିତ ଚା' ଦୁଇ କପ ପାଇଁ 'ଟେପିଡୋଫୋବିଆ' ବା 'ଖରାପ ସ୍ୱାଦର ଚା' ମିଳିବାର ଭୟ' ଭୋଗିବାକୁ ହୋଇ ନାହିଁ । ଚା' ଦୁଇ କପ୍ ଯାକ ଆବଶ୍ୟକତାଠାରୁ ଭଲ ଥିଲା, ଆଉ ବାକି ଯାହା ସର୍ବସାଧାରଣରେ ଅପ୍ରକାଶ୍ୟ, ତାହାକୁ ମୁଁ ଛେଳି ଯୁଦ୍ଧ, ଋଷି ଶ୍ରାଦ୍ଧ ଆଉ ସକାଳର ମେଘାଡ଼ମ୍ବର ଭଳି ବହ୍ୟୁାରମ୍ଭେ ଲଘୁକ୍ରିୟା ବୋଲି କହିବି ।

ନାରୀଟିଏ ସାଧାରଣତଃ ବେଶି ଉଦ୍ଧୃତି ଦେଇଥାଏ ବୋଲି ଆମେ ପୁରୁଷମାନେ ସଚରାଚର କହୁଥିଲେ ବି (ଏଇ ଉଦ୍ଧୃତି କଥାକୁ ନେଇ ମୋ' ଭଳି ଆପଣଙ୍କର ସକାଳଟି ମେଘାଡ଼ମ୍ବର ନ ହେଉ ବୋଲି ଅନୁରୋଧ କରିବି) ହଜାର ହଜାର ବର୍ଷ ଧରି ବିଶିଷ୍ଟ ଚିନ୍ତକମାନେ ନାରୀ ବିଷୟରେ ହିଁ ଉଦ୍ଧୃତି ଦେଇ ଆସିଛନ୍ତି । ସେମାନେ ସବୁ ପୁରୁଷ । ତେଣୁ କହିବାକୁ ଗଲେ ପୁରୁଷମାନଙ୍କୁ ନାରୀଚିନ୍ତା ସବୁ ବାଇମୁଣ୍ଡିଙ୍କ କଟକ ଚିନ୍ତାଠୁ ଅଧିକ । ଆଜିକାଲି ଆମେ ଯେଉଁମାନେ ବିଶେଷତଃ ହ୍ୱାଟସ୍‌ଆପ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଅଛୁ, ସେମାନେ ଯେତିକି ଉତ୍ସାହର ସହ ଆମ ବନ୍ଧୁପରିଜନଙ୍କୁ ଉଦ୍ଧୃତିମାଳାରେ ଦୀପାବଳି କରିଦେବା ପାଇଁ ବଦ୍ଧ ପରିକର ରହିଛୁ, ସମାନୁରୂପରେ ଆମେ ନାରୀ ସମ୍ପର୍କରେ ପୁରୁଷଚିନ୍ତକଙ୍କ ଉଦ୍ଧୃତିକୁ ସବୁବେଳେ ସଠିକ୍ ବୋଲି ଏକ ପରିବେଶ ତିଆରି କରିବାରେ ବି ଲାଗି ପଡ଼ିଛୁ ।

ଅଳ୍ପ କେତୋଟି ମହାନ୍ ପୁରୁଷବାଦୀ ଉଦ୍ଧୃତି ରଖୁଛି ।

ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, "ନାରୀ ହେଉଛି ଏକ ଅସମ୍ପୂର୍ଣ୍ଣ ପୁରୁଷ" ।

ସନ୍ଥ ଥମାସ୍ ଆକ୍ୱିନାସ୍‌ଙ୍କ ମତରେ "ନାରୀ ହେଉଛି ପୁରୁଷ ବୀଜର ଏକ ତୃଟିଭାଗର ନିନ୍ଦନୀୟ ପରିପ୍ରକାଶ।"

ମାର୍ଟିନ୍ ଲୁଥର୍‌ଙ୍କ ମତରେ "ପୁରୁଷର ଚଉଡା କାନ୍ଧ ଆଉ ସରୁ ଅଣ୍ଟା ଥାଏ ଆଉ ସେଇଥି ପାଇଁ ସେମାନେ ବୁଦ୍ଧିମାନ । ନାରୀର ସରୁ କାନ୍ଧ ଓ ଚଉଡା ଅଣ୍ଟା ଥାଏ, ସେଇଥି ପାଇଁ ସେମାନେ ଘରକରଣା କାମ କରନ୍ତି ଓ ସନ୍ତାନ ଜନ୍ମ ଦିଅନ୍ତି ।

ଏଇ ଉଦ୍ଧୃତିକୁ ଆପଣ କେମିତି ଦେଖିବେ ଆଜି ?

ସକ୍ରେଟିସ୍, ଯାହାଙ୍କୁ ଆମେ ବିଶ୍ୱର ସବୁଠାରୁ ଉଦ୍ଧୃତିଯୋଗ୍ୟ ଚିନ୍ତାନାୟକ ବୋଲି ସ୍ୱୀକାର କରୁ, ତାଙ୍କ ଭିତରର ପୁରୁଷାକାରଟି ବି କହିପାରିଥିଲା ଯେ, ନାରୀର ବୁଦ୍ଧିବୃତ୍ତି ସାଧାରଣତଃ କମ୍ । ତାହାର କାରଣ ଦେବାକୁ ଯାଇ ଆମର ଏଇ ଚିନ୍ତାରାଜ୍ୟର ବିଶ୍ୱସମ୍ରାଟ ଜଣକ ଯେଉଁ ହାସ୍ୟକର ତର୍କଟି ଦେଇଥିଲେ ତାହା ଏହି ପରି, ନାରୀର ପୁରୁଷ ତୁଳନାରେ ପାଟିରେ ଥିବା ଦାନ୍ତ ସଙ୍ଖ୍ୟା କମ୍, ତେଣୁ ବୁଦ୍ଧି ସେମାନଙ୍କର କମ୍ । ପରିଣତ ବୟସରେ ବିବାହ କରିଥିବା ତରୁଣୀ ପତ୍ନୀ ଜାନଥିପିଙ୍କ ନିକଟରୁ ନାରୀର ଦନ୍ତ-ସୁମାରି କରି ବୁଦ୍ଧିର ଏହି ଦନ୍ତ-ତତ୍ତ୍ୱକୁ ପରୀକ୍ଷା କରିନେବାର ସିଦ୍ଧାନ୍ତକୁ ସକ୍ରେଟିସ୍ ଉଚିତ ମଣି ନାହାନ୍ତି ।

ଯଦିଓ ହେମଲକ୍ ବୋଲି ବିଶ୍ୱବିଦିତ ବିଷ ପାନ କରିବାର କିଛି ସମୟ ପୂର୍ବରୁ ସତୁରି ବୟସର ସକ୍ରେଟିସ୍‌ଙ୍କ ତୃତୀୟ ତଥା କୋଳପୋଛା ପୁଅଟି ଜାନଥିପିଙ୍କ କୋଳରେ ମାଆ ସହ କାନ୍ଦୁଥିଲା । କାରାଗାରର ପ୍ରକୋଷ୍ଠ ଭିତରେ ହେମଲକ୍‌ର ଯଥାଯଥ ମିଶ୍ରଣର ପାନୀୟ ପାତ୍ରଟିର ପ୍ରସ୍ତୁତି ଚାଲିଥିଲା ସମସ୍ତଙ୍କ ସାମ୍ନାରେ । ସକ୍ରେଟିସ୍‌ଙ୍କୁ ବନ୍ଧନମୁକ୍ତ କରାଗଲା । ଜାନଥିପି ଜଣେ କଳିହୁଡ଼ି ସ୍ତ୍ରୀ ବୋଲି ଅପଖ୍ୟାତି ପାଇଛନ୍ତି ଇତିହାସରେ, ହୁଏତ ତାଙ୍କର ସ୍ୱାମୀ ବିଶିଷ୍ଟ ଚିନ୍ତାନାୟକ ବୋଲି । ନିଜର କଳିହୁଡ଼ି ବୋଲି ଅପଖ୍ୟାତିଟିକୁ ଘୋଡ଼ାଇ ରଖିବା ଭଳି ରୂପ କି କ୍ଷମତା କି ଜ୍ଞାନ ର ଆଭରଣଟିଏ ଜାନଥିପିଙ୍କ ପାଖରେ ନ ଥିଲା । ତେଣୁ ସେ ଇତିହାସରେ ଅନ୍ୟାନ୍ୟ ଗୌଣ ଚରିତ୍ରମାନଙ୍କ ଭଳି, କେବଳ ସକ୍ରେଟିସ୍‌ଙ୍କ ପତ୍ନୀ ହୋଇ ରହିଗଲେ, ଯେଉଁଠୁ ତାଙ୍କୁ ସେମିତି ମୁଣ୍ଡ ଟେକି ଚାହିଁବାର ଅବକାଶ ନାହିଁ । ଅନ୍ୟ ପକ୍ଷରେ ସ୍ୱାମୀ ସକ୍ରେଟିସ୍ ସବୁକାଳ ପରିବେଷ୍ଟିତ ହୋଇ ରହିଛନ୍ତି ନିଜର ଜ୍ଞାନର ପ୍ରଭାମଣ୍ଡଳରେ ଯାହା ତାଙ୍କର ଛୋଟ ଛୋଟ ତୃଟିର ଅନ୍ଧାରକୁ ରହିବାକୁ ଦେବ ନାହିଁ । ସାମ୍ନାରେ ପ୍ରସ୍ତୁତ ହେମଲକ୍, ବନ୍ଧନମୁକ୍ତ ସକ୍ରେଟିସ୍ ଓ ସମବେତ ତାଙ୍କର କିଛି ଅନୁଗାମୀଙ୍କୁ ଦେଖି କୋଳରେ କାନ୍ଦୁଥିବା ପିଲାଟି ସହ କାନ୍ଦକାନ୍ଦ ଗଳାରେ ଏକଦା ସେଇ କଳିହୁଡ଼ି ପତ୍ନୀ ଜାନଥିପି କହି ଥିଲେ, ଶେଷ ବେଳ ହେଲା, କିଛି କହିବ ?

ସକ୍ରେଟିସ୍ ତାଙ୍କର ଅନୁଗାମୀମାନଙ୍କୁ ନିର୍ଦ୍ଦେଶ ଦେଲେ ଜାନଥିପି ଆଉ ଶିଶୁପୁତ୍ରକୁ କାରାଗାର ଗୃହରୁ ବାହାରକୁ ନେଇ ଯିବା ପାଇଁ ।ସକ୍ରେଟିସ୍‌ଙ୍କ ଏହି କାର୍ଯ୍ୟର ପୁରୁଷୋଚିତ ତର୍ଜମା ଆମର ରହିଛି, ଯାହା ଅନୁସାରେ ସେ ନିଜର ପ୍ରିୟତମା ପତ୍ନୀଙ୍କ ଦୁଃଖକୁ ବହନ କରି ନିଜର ଶେଷ ଯାଏଁ ଯିବାକୁ ଚାହୁଁ ନ ଥିଲେ । କିନ୍ତୁ ପ୍ରକୃତ କଥାଟି ହେଲା, ସେ ତାଙ୍କର ଶେଷ ଦାର୍ଶନିକ ସୁସମାଚାରରେ କୌଣସି ବିଘ୍ନ ଚାହୁଁ ନ ଥିଲେ ।

ବିଶ୍ୱ ଇତିହାସରେ ଚିନ୍ତକଗଣ ଖାଲି ରାତି ଅଧ ନୁହଁ, ସବୁବେଳେ କାହିଁକି ଏତେ ବେଶି ପୁରୁଷ ହୋଇ ଉଠନ୍ତି, ତାହାର ସଠିକ କାରଣ କିଏ କହିବ ?

୨୦୦୯ ମସିହାରେ କଲମ୍ବିଆ ଦେଶର ବୋଗୋଟାଠାରେ ନାରୀ ଦିବସ ପାଳନର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ପରିପ୍ରେକ୍ଷୀରେ ନାରୀକୁ ନିଜର ଏକ କବିତାରେ ଗୋଟିଏ ସୁନ୍ଦର ସଂଜ୍ଞା ଦେଇ ଥିବା କବିଗୁରୁ ରବୀନ୍ଦ୍ରନାଥଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ସେହି କବିତାଂଶର ସୁନ୍ଦର ଉଦ୍ଧୃତିଯୋଗ୍ୟ ଅନୁବାଦଟି ନିମ୍ନରେ:

ଖାଲି ବିଧାତାର ସୃଷ୍ଟି ନୁହଁ ତୁମେ ନାରୀ,
ପୁରୁଷ ଗଢ଼େ ତୁମକୁ ସୌନ୍ଦର୍ଯ୍ୟ ସଞ୍ଚାରି
ଆପଣା ଅନ୍ତର ମଧ୍ୟେ ବସି କବିଗଣ,
ଉପମା ସୁବର୍ଣ୍ଣ ସୂତା ବୁଣନ୍ତି ବସନ ।
ଅର୍ପିଣ ତୁମ ଶରୀରେ ନୂତନ ମହିମା
ଅମର କରିଛି ଶିଳ୍ପୀ ତୁମରି ପ୍ରତିମା ।
ସମସ୍ତ ଭୂଷଣ ଆଉ ଗନ୍ଧ ଯେତେ ବର୍ଣ୍ଣ
ସିନ୍ଧୁ ଦିଏ ମୁକ୍ତା ଖଣି ଗରଭୁ ସୁବର୍ଣ୍ଣ ,
ବସନ୍ତର ଉପବନୁ ଆସେ ପୁଷ୍ପଭାର,
ଚରଣ ରଞ୍ଜନେ କୀଟ ବିସର୍ଜେ ଶରୀର ।
ଲଜ୍ଜା ଦାନ, ସଜ୍ଜା ଦାନ, ଦାନେ ଆବରଣ,
ତୁମକୁ ଦୁର୍ଲ୍ଲଭ ବେଶେ କରେ ସଙ୍ଗୋପନ ।
ଆରୋପି ଶରୀରେ ତୁମ ପ୍ରଦୀପ୍ତ ବାସନା,
ଅର୍ଦ୍ଧେକ ମାନବୀ ତୁମେ ଅର୍ଦ୍ଧେକ କଳ୍ପନା ।

କବିଗୁରୁଙ୍କ ନାରୀକୁ "ଅର୍ଦ୍ଧେକ ମାନବୀ ଆଉ ଅର୍ଦ୍ଧେକ କଳ୍ପନା"ବୋଲି ବ୍ୟାଖ୍ୟାନ ଟି ଆଜି ବି ବହୁଳ ଭାବରେ ଉଦ୍ଧୃତ । ଏହା ଭିତରେ ଆମର ନାରୀବୋଧଟି ଅତି ଯତ୍ନରେ ସୁରକ୍ଷିତ ହୋଇ ରହିଛି ବୋଲି ମୋର ବିଚାର ।

ଆଜିର ନାରୀଦିବସରେ ଆଉ ଜଣେ କବିଙ୍କୁ ସ୍ମରଣ କରୁଛି । ପ୍ରତିବେଶୀ କବି ଜଣକ ହେଲେ ଜୀବନାନନ୍ଦ ଦାସ, ଆଉ କବିତାଂଶଟି ମୋର ଅତିପ୍ରିୟ ପ୍ରେମାନୁଭବର କବିତା 'ବନଲତା ସେନ୍'ରୁ ଗୃହୀତ । ଅନୁବାଦଟି ଏହିଭଳି :

କେଶ ତା'ର କେବେକାର ଅନ୍ଧକାର ବିଦିଶାର ନିଶା,
ମୁଖ ତା'ର ଶ୍ରାବସ୍ତୀର କାରୁକାର୍ଯ୍ୟ, ଅତି ଦୂର ସମୁଦ୍ରରେ
ହାଲ୍‌ଭଙ୍ଗା ନାବିକ ସେ ହରାଇଛି ଦିଗ
ସବୁଜ ଘାସର ଦେଶ ଦେଖେ ଯେତେବେଳେ 
ଦାରୁଚିନି ଦ୍ୱୀପର ଭିତରେ;
ସେମିତି ଦେଖିଛି ତା'କୁ ଅନ୍ଧାରରେ, କହିଛି ସେ,
"ଏତେ ଦିନ କେଉଁଠି ଥିଲ ମ"
ପକ୍ଷୀର ନୀଡ଼ର ଭଳି ଆଖି ମେଲି ନାଟୋର୍‌ର 
ବନଲତା ସେନ୍ ।

ମୋର ପ୍ରିୟ ନାରୀ ବନଲତା ସେନ୍ ଆମର କଳ୍ପିତ ପୃଥିବୀ, ଯାହାକୁ ନାଟୋର ବୋଲି ନାମକରଣରେ ଚିହ୍ନିତ କରାଯାଇ ପାରିବ, ସେଇଠେ ସେ ରହୁଛି । ବିଦିଶାର ନିଶା ଆଉ ଶ୍ରାବସ୍ତୀର କାରୁକାର୍ଯ୍ୟର ଐତିହାସିକତାରୁ କ୍ରମଶଃ ଦୃଶ୍ୟମାନ ହେବାରେ ଲାଗିଛି ସେ ।ଆମେ ଯେତେ ଯେତେ ଦିଗହଜା ନାବିକ, ଯାହାର ବୋଇତର ହାଲ୍ ସବୁ ଭାଙ୍ଗି ଯାଇଛି ସୁଦୂର ସମୁଦ୍ରରେ ଯେତେବେଳେ ହଠାତ୍ ଆଶାର ଦାରୁଚିନି ଦ୍ୱୀପର ବାସ୍ନା ସହ ସବୁଜ ଘାସର ଦେଶରେ ସେ ଉଭା ହୋଇଛି । ଅନ୍ଧାରରେ ତାହା ସହ ଆମର ଚିରକାଳ ଦେଖା । ସବୁ ହଠାତ୍ । ସେଇ ହଠାତ୍ ଭିତରେ ଆମର ସଙ୍ଗୁପ୍ତ ଚିରକାଳ, "ଏତେ ଦିନ କେଉଁଠି ଥିଲ ମ", ଅପେକ୍ଷାର ମଧୁରତମ ପଦାବଳୀ ।

ନାରୀର ଆଖିରେ ପକ୍ଷୀବସା ଆଉ ପକ୍ଷୀବସାଠୁ ଅଧିକ ଶାନ୍ତ ସମ୍ମୋହନ ଅଧିକ କିଛି ମୋ' ବିଚାରରେ ନାହିଁ । ସେଇଥିପାଇଁ ଜୀବନାନନ୍ଦଙ୍କ ଏ ଉଦ୍ଧୃତି ।

ଫଟୋଟି ଜ୍ୟୋତି ନନ୍ଦଙ୍କର ଫେସବୁକ୍ କାନ୍ଥରୁ ସଙ୍ଗୃହିତ

ଶେଷ ଉଦ୍ଧୃତିଟି ଉପରେ ସଂଲଗ୍ନ ଚିତ୍ର । ଚିତ୍ରରେ ସବୁଠାରୁ ଆଦର୍ଶ ଦେବଦମ୍ପତ୍ତିଙ୍କ ପାରିବାରିକ ଉଚ୍ଛ୍ୱାସ । ସୃଷ୍ଟି ସ୍ଥିତି ଆଉ ବିନାଶର ଅବିସମ୍ବାଦିତ ନଟରାଜଙ୍କର ପତ୍ନୀଙ୍କ ସାଧାରଣ ତାଳରେ ନାଚିବାର ମୁକ୍ତ ଛନ୍ଦ ଓ ଆନନ୍ଦ । ଆଜି ଯଦି ଏଇ ଦେବଦମ୍ପତ୍ତିଙ୍କୁ ଅନୁକରଣ କରି ଆମେ ଆମ ସାଧାରଣ ଜୀବନରେ ନିଜ ନିଜ ପତ୍ନୀଙ୍କ ତାଳରେ କିଛି କିଛି ନୃତ୍ୟାଭ୍ୟାସ କରୁଛୁ, ତେବେ ଆମର ପୁରୁଷତନ୍ତ୍ରର ଏଥିରେ ହସିବାର କିଛି ନାହିଁ ।

ଅବଶ୍ୟ ଆମ ମୁଣ୍ଡରେ ବେଳେବେଳେ, ବିଶେଷତଃ ଦାମ୍ପତ୍ୟକଳହ ସମୟରେ, ସକ୍ରେଟିସ୍ ସବାର ହୋଇ ଯାଆନ୍ତି । ତାଙ୍କ ଭଳି ଚିନ୍ତକର ବୋଝକୁ ବୋହିବା ଯେତିକି କଷ୍ଟ, ଓହ୍ଲାଇବା ତାହାଠୁ ଅଧିକ ।

Friday, June 01, 2018

ଶିକ୍ଷା ଓ ଚାଷ

ଗୋପବନ୍ଧୁ ଦାଶ


ଆନ୍ଧ୍ରପ୍ରଦେଶରେ ସୂର୍ଯ୍ୟମୂଖୀ ଚାଷର ଦୃଶ୍ୟ (୨୦୧୩ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚଷା ବୋଇଲେ ଆମ ଦେଶରେ ଗୋଟିଏ ଗାଳି, ମାତ୍ର ଚାଷ ଯୋଗୁଁ ପୃଥିବୀରେ ସମସ୍ତେ ବଞ୍ଚିଛନ୍ତି। ଏବେ ଚାଷ ବିଷୟ ଶିକ୍ଷା ଦେବା ପାଇଁ କେତେ ଜାଗାରେ ବଡ଼ବଡ଼ ସ୍କୁଲ କଲେଜ ହୋଇଛି। ବି..ଏମ୍.ଏ ପାସ୍ କରିସାରି କେତେଲୋକ ସେଠାରେ ପଢୁଛନ୍ତି। ଆମ ବିହାର ଓଡିଶା ପ୍ରଦେଶରେ ଏପରି କଲେଜ ଦୁଇ ଜାଗାରେ ଅଛି। ବମ୍ୱେଇ ପ୍ରଦେଶରେ ପୁନାରେ ଏକ କଲେଜ ଅଛି। ବମ୍ୱେଇର ଲାଟ ସାହେବ ଏହି କଲେଜ ଛାତ୍ରମାନଙ୍କୁ ଅଳ୍ପ ଦିନ ତଳେ କେତେକ ଅତି ସୁନ୍ଦର ଉପଦେଶ ଦେଇଥିଲେ। ସେ କହିଥିଲେ ବିଲାତରେ ବଡ଼ବଡ଼ ବ୍ୟବସାୟୀ ଏବଂ ଧନୀ ମହାଜନ ପିଲାମାନେ ସାଧାରଣ କୁଲୀଙ୍କ ସଙ୍ଗେ ପ୍ରଥମେ କଳକାରଖାନାରେ କାମ କରି ବ୍ୟବସାୟର ସବୁ ସୂତ୍ର ଓ ଭେଦ ଶିଖନ୍ତି। କୃଷି ଅତି ପୁରାତନ ଏବଂ ଉତ୍‌କୃଷ୍ଟ ବ୍ୟବସାୟ। ତାକୁ ଭଲକରି ନଶିଖିଲେ କିଛି ଜାଣି ପାରିବ ନାହିଁ। ପ୍ରକୃତ ଚଷା ହେବାରେ ଗୌରବ ଅଛି ତୁମ୍ଭେମାନେ ନିଜ କାର୍ଯ୍ୟଦ୍ୱାରା ଚାଷର ଗୌରବ ବଢ଼ାଅ। ଏଣିକି ଚାଷ ଆଉ ମୂର୍ଖ ଲୋକଙ୍କ ବ୍ୟବସାୟ ହୋଇ ରହିବ ନାହିଁ। ଚାଷ କରିବାକୁ ଦେଶର ବିଚକ୍ଷଣ ଏବଂ ବିଦ୍ୟାବନ୍ତ ଲୋକ ଦରକାର।“ ଆମ ଦେଶର ସ୍କୁଲ କଲେଜ ଛାତ୍ରମାନେ ଏ ଉପଦେଶକୁ ଧୀର ଚିତ୍ତରେ ବିଚାର କରିବେ କି

(ସମାଜ ୩୧--୧୯୨୦)