Friday, September 07, 2018


ଗାନ୍ଧୀଜୀଙ୍କର ଶିକ୍ଷାବିଚାର - 'ବିହାର ବିଦ୍ୟାପୀଠରେ ସମାବର୍ତ୍ତନ ଭାଷଣ:୧'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ସ୍ପେନ ଦେଶର ସ୍ଥାପତ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଗାନ୍ଧୀଜୀଙ୍କର ଏହି ଭାଷଣକୁ ଏକ ବକ୍ତୃତା ପରିବର୍ତ୍ତେ ହୃଦୟଗ୍ରାହୀ କଥୋପକଥନ ବୋଲି କୁହା ଯାଇ ପାରେ । ଛାତ୍ରମାନଙ୍କ ଉପରନ୍ତୁ ସାଧାରଣ ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହି ଜନସାଧାରଣ ଗାନ୍ଧୀଜୀଙ୍କ ପୂର୍ଣ୍ଣ ବିଶ୍ୱାସ-ଭାଜନ ହୋଇ ପାରି ଥିଲେ । କାରଣ ,ସେମାନେ ଯେ କେବଳ ଗାନ୍ଧୀଜୀଙ୍କର ବକ୍ତୃତା ଶୁଣୁଥିଲେ, ତାହା ନୁହେଁ, ହୃଦୟର ସେହି ନୀରବ ଭାଷା ବୁଝୁ ଥିଲେ । ତାଙ୍କର ସେହି କଥୋପକଥନ ନାନା ବୈଚତ୍ର୍ୟହୃଦୟର ବ୍ୟାକୁଳତା ଓ ଆତ୍ମଜୀବନ ନାନା ଉଦାହରଣରେ ଭରପୁର ହୋଇଥିଲା । 

ସେ ଆରମ୍ଭରୁ ଆଶା କରିଥିଲେ ସ୍ନାତକମାନେ ସେଦିନ ଯେଉଁ ଶପଥ ଗ୍ରହଣ କରିଛନ୍ତି, ସେହି ଅନୁସାରେ ଜୀବନଯାପନ କରିବେ । ଗୁଜୁରାତ ବିଦ୍ୟାପୀଠର ସମାବର୍ତ୍ତନ ଉତ୍ସବ ସମୟରେ ସେ ଯେପରି କହିଥିଲେଯଦି ସେହିପରି ଏ ବିଦ୍ୟାପୀଠ ଜଣେ ମାତ୍ର ଆଦର୍ଶଛାତ୍ର ଓ ଜଣେ ମାତ୍ର ଆଦର୍ଶ ଶିକ୍ଷକ ବାହାର କରି ପାରେ, ତେବେ ତାହାର ତିଷ୍ଠି ରହିବା ଯଥାର୍ଥତାର ଅଧିକ ପ୍ରତିପାଦିତ ହୋଇ ଯିବ, ନୋହିଲେ ଏପରି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ ତେବେ କଣ ? ଯେତେ କମ୍ ହେଉ ପଛକେ, ସେହି ପବିତ୍ର ପ୍ରଶାନ୍ତ ରତ୍ନମାନଙ୍କୁ ଆବିଷ୍କାର କରିବା ଏହାର କାର୍ଯ୍ୟ ନୁହେଁ କି ? ତାହା ପରେ ସେ ତାଙ୍କର ଦକ୍ଷିଣ ଆଫ୍ରିକାର ଗୋଟିଏ ସ୍ମୃତି ଉଦ୍ଧାର କରି କହିଲେ ।

ମୁଁ ଆଫ୍ରିକାରେ କୋଡ଼ିଏ ବର୍ଷ ରହିଲି । ସେଠାରେ ଥିବା ହୀରାଖଣ ଦେଖି ଯିବାକୁ ଥରେ ହେଲେ ଭାବି ନାହିଁ । କାରଣ ଭୟ ଥାଏ, କାଳେ ମୋତେ ଅସ୍ଫୁଶ୍ୟ ବୋଲି ଅନୁମତି ମିଳିବ ନାହିଁ, ଫଳରେ ଅପମାନ ପାଇବି । କିନ୍ତୁ,ଯେତେବେଳେ ଗୋଖଲେ ସେଠାରେ ଥିଲେ, ,ତାଙ୍କୁ ସେଠିକାର ପ୍ରଧାନ ଶିଳ୍ପସମ୍ପଦ ଦେଖାଇବାର କର୍ତ୍ତବ୍ୟ ମୁଁ ଅନୁଭବ କଲି । ତାଙ୍କର ଅପମାନିତ ହେବାର ଭୟ ନ ଥିଲା । ତେଣୁ, ଆମେ ସବୁଠାରୁ ବଡ଼ ଖଣିକୁ ଯାଇଥିଲୁ । 

ସେଠାରେ ଯାହା ଦେଖିଲି ମୁଁ ତାହା ଏ ପର୍ଯ୍ୟନ୍ତ ଭୁଲି ଯାଇ ନାହିଁ । ପର୍ବତ ସମାନ ଗଦା ଗଦା ହୋଇ ମାଟି ଓ ପଥର ରହିଛି ମାତ୍ର ହୀରା ନାହିଁ । ଲକ୍ଷ ଲକ୍ଷ ମହଣ ମାଟି-ପଥର ଖୋଲି ଲକ୍ଷଲକ୍ଷ ଲୋକଙ୍କ ଶକ୍ତି-କ୍ଷୟ ହେଲା ପରେ ହାତଗଣତି କେତେଟା ମୂଲ୍ୟବାନ ପଥର ମିଳେ । କେତେ ବର୍ଷର ପରିଶ୍ରମ ଫଳରେ ଲକ୍ଷଲକ୍ଷ ସ୍ୱର୍ଣ୍ଣମୁଦ୍ରାର ବ୍ୟୟରେ ଜାରଙ୍କ ମୁକୁଟରେ ଶୋଭିତ ହୀରକ ଓ କୋହୀନୁର ହୀରକଠାରୁ ବଡ଼ ଏକ ପ୍ରସ୍ତରଖଣ୍ତ ଯେତେବେଳେ କଲୀନନ୍ ପାଇଲେ ଓ ନିଜ ନାମ ଅନୁସାରେ ତାହାର ନାମକରଣ କଲେ, ସେତେବେଳେ ତାଙ୍କର ଆନନ୍ଦ କେତେ ହୋଇଥିବ, ତୁମେ ଅନୁମାନ କର । ସେ ମନେ କଲେ ଯେପରି ଜୀବନର କର୍ତ୍ତବ୍ୟ ଶେଷ ହୋଇଗଲା । 

ଆମେ ଯଦି ଏକ କୃତ୍ରିମ ସମ୍ପଦର ଆହରଣରେ ଏତେ ଶ୍ରମ ଓ ଅର୍ଥ ବ୍ୟୟ କରିବାକୁ କୁଣ୍ଠିତ ନୋହୁଁ, ତେବେ ମାନବରତ୍ନ ଆହରଣରେ ଆମକୁ କେତେ ଖର୍ଚ୍ଚ କରିବାକୁ ବା ନ ପଡ଼ିବ ଏହିପରି ମନୋଭାବ ରଖି ଆମମାନଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ

ଏହା ଗୋଟିଏ ଭଲ ଉପମା ରସ୍କିନ୍‌ଙ୍କର “ଆତ୍ମର ନିର୍ମାଣ” ଏହି ଶବ୍ଦ ପୁଞ୍ଜି କରିବାଠାରୁ ଏହା ଆହୁରି ଉପାଦେୟ । କେବଳ ଈଶ୍ୱରଙ୍କ ଶକ୍ତିରେ ଆତ୍ମା ତିଆରି ହୋଇ ପାରିବ । ଯ।ହା ଭଗବାନଙ୍କର ଗନ୍ତାଘରରେ ଆଗରୁ ସଞ୍ଚିତ ରହିଛି, ତାହାକୁ କେବଳ ଖୋଜି ବାହାର କରିବା ଈଶ୍ୱର ମଣିଷର କାର୍ଯ୍ୟ ।

ବି.ଦ୍ର. -  ବିହାର ବିଦ୍ୟାପୀଠର ବାର୍ଷିକ ଉତ୍ସବରେ ଗାନ୍ଧୀଜୀ ଛାତ୍ରମାନଙ୍କୁ ଯେଉଁ ଭାଷଣ ଶୁଣଇଥିଲେ ତାହାର ବିବରଣୀ ଦେସାଇ ଏହିଠାରେ ଦେଇଛନ୍ତି । ଏହି ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ'ରେ, ତା୧୦--୧୯୨୭ରିଖରେ ଛପାଯାଇଥିଲା । 

Thursday, September 06, 2018

କେନ୍ଦୁଝରର ପିଲାଙ୍କ ଖେଳ କଉତୁକ ଗୀତ - 'ଅକଲ୍ ମକଲ୍'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଅକଲ୍ ମକଲ୍ ଚଇକି ଚକଲ୍

ନାଡ଼ିକି ନିତା  ପୋଇ ପୋଇକା

ଖଙ୍ଖଚିଲ ଭାଇ ମାଇଲା ହିକା
ଓଡ଼ ମୋଡ଼, ଦନେଇ ବାଡ଼ିର କହ୍ନେଇ ଚୋର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, September 05, 2018

ପିଲାଙ୍କ ପାଇଁ କବିତା - 'ରଙ୍ଗବେରଙ୍ଗ'

କବି - ଜଗନ୍ନାଥ ପ୍ରସାଦ ଦାସ


୧୯୧୧ ମସିହାରେ ଅଙ୍କିତ ଚିତ୍ର
ଟିତ୍ରକର - ଫ୍ରାଞ୍ଜ ମାର୍କ (୧୮୮୦-୧୯୧୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଇଗଣୀ ଆଉ ଘନନୀଳ ନୀଳ
ସବୁଜ ହଳଦୀ କମଳା ନାଲି,
ଯେତେବେଳେ ତମେ ଖୋଜି ବୁଲୁଥିବ
କାହାକୁ କେଉଁଠି ଦେଖିବ ବୋଲି,
ଆକାଶରେ ଯାଇ ସବୁ ହୋଇଯିବ
ଗୋଟିଏ ଇନ୍ଦ୍ରଧନୁ ହୋଲି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Tuesday, September 04, 2018

ଘୁମୁସରର ପିଲାଙ୍କ ଖେଳ କଉତୁକ ଗୀତ - 'କାନ୍ଦୁଲ ବାଡ଼ିକି ଯାଏ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଗେଟି ସେଣ୍ଟରରେ ସ୍ଥିତ ୧୪୩୦-୧୪୪୦ରେ ଅଙ୍କିତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାନ୍ଦୁଲ ବାଡ଼ିକି ଯାଏ ହରିଣ ନଇଁ ନଇଁ
ମୁଗ ବାଡ଼ିକି ଯାଏ ହରିଣ ନଇଁ ନଇଁ
ବଣୁଆ ଭାଇ ବାଣ ମାରିଲା
ଫୁର କିନା ଗଲା ଡେଇଁ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, September 03, 2018


କଲେଜ ଛାତ୍ରମାନଙ୍କ ପ୍ରତି

ଗୋପବନ୍ଧୁ ଦାସ



ରେଭେନ୍ସା ବିଶ୍ୱବିଦ୍ୟାଳୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କେତେ ଦିନ ତଳେ 'ସମାଜ'ରେ 'କଲେଜରେ ସ୍ୱର୍ଗପ୍ରାପ୍ତି' ବୋଲି ଗୋଟିଏ ଲେଖା ବାହାରି ଥିଲା । ସେ ବିଷୟ ନେଇ ଓଡିଶାର ଛାତ୍ର ମହଲରେ ଓ ସମ୍ୱାଦପତ୍ର ମଧ୍ୟରେ ଟିକିଏ ଚହଳ ପଡ଼ି ଯାଇ ଥିବାରୁ ଜଣା ଯାଏ । କଲେଜ ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଆ କାଗଜ ପଢ଼ନ୍ତି ନାହିଁ, ପଢ଼ିବାର ସୁବିଧା ପାଆନ୍ତି ନାହିଁ । ସମାଜ ଲେଖାରେ ସେମାନଙ୍କର ଦୃଷ୍ଟି ପଡ଼ିଥିବା ଭାଗ୍ୟର କଥା । ସେ ଲେଖାରେ କେତେକ କଲେଜ ଛାତ୍ରଙ୍କ ମନରେ କ୍ରୋଧ ଆସି ଥିବାର ଜଣା ଯାଏ । କେତେ ଜଣ ଉପାଧିଧାରୀ ଛାତ୍ରଙ୍କ ମନରେ କ୍ରୋଧ ଆସି ଥିବାର ଜଣା ଯାଏ । 

କେତେ ଜଣ ଉପାଧିଧାରୀ ଛାତ୍ର ତହିଁର ଏକ ପ୍ରତିବାଦ ଦୀପିକାରେ ପ୍ରକାଶ କରି ଥିଲେ । ଉକ୍ତ ଲେଖାଟି ସମ୍ପାଦକୀୟ ସ୍ତମ୍ଭରେ ବାହାରି ଥିଲେ ସୁଦ୍ଧା, ସେମାନେ ମତେ ବ୍ୟକ୍ତିଗତ ଆକ୍ରମଣ ଓ କଟାକ୍ଷ କରିଛନ୍ତି । ମୁଁ ସେଥିରେ ଲେଶ ଦୁଃଖିତ ନୁହେଁ, ବରଂ ଓଡ଼ିଶାର ଛାତ୍ରମାନଙ୍କୁ ନିସ୍ତେଜ ନିଷ୍କ୍ରଭ ଏବଂ ମ୍ରିୟମାଣ ଦେଖିଲେ ମୋର ଦୁଃଖ ଓ ଗ୍ଲାନି ହୋଇ ଥାଏ । ସତ୍ୟବାଦୀ ସ୍କୁଲରେ ଛାତ୍ରମାନଙ୍କର ଉତ୍‌ଫୁଲ୍ଲତା ଓ ସ୍ଫୂର୍ତ୍ତି ନିମନ୍ତେ ଆମ୍ଭେମାନେ ନାନା ପ୍ରକାର ବିଧି ବ୍ୟବସ୍ଥା କରି ଥିଲୁ । ପ୍ରୋକ୍ତ ପ୍ରବନ୍ଧରେ ବିଳାସିତାର ନିନ୍ଦା କରା ଯାଇ ଥିଲା । ଏବେ ସୁଦ୍ଧା ମୁଁ ସହସ୍ର ମୁଖରେ ବିଳାସିତାର ନିନ୍ଦା କରୁ ଅଛି । ବିଳାସିତା ଛାତ୍ର ଜୀବନରେ ସର୍ବଥା ପରିହାର୍ଯ୍ୟ, ବିଶେଷତଃ ଓଡ଼ିଶାର ବର୍ତ୍ତମାନ ଅବସ୍ଥାରେ ଦେଶର ଆଶା ଭରସାର ସ୍ଥଳ ଛାତ୍ରମାନଙ୍କ ପକ୍ଷେ ଏହା ଦୂଷଣୀୟ । 

ଛାତ୍ରମାନଙ୍କୁ ମୁଁ ଯେତେ ଦୋଷୁ ନାହିଁ, ଶିକ୍ଷାନୀତି ଓ ପ୍ରଣାଳୀକି ଦୋଷୁଛି । ପ୍ରବନ୍ଧଟିକୁ ପଢ଼ି ନାହାନ୍ତି ସେଥିରେ ଗଣେଶ ପୂଜାର ନାମ ଗନ୍ଧ ନାହିଁ । ଗଣେଶପୂଜା ଉପଲକ୍ଷେ କରାଯାଇଥିବା ନାଟକ ଅଭିନୟର ବିଷୟ ଆଦୌ ଲେଖା ନାହିଁ । ଗଣେଶପୂଜା ବା ସେହି ପରି ଅନ୍ୟାନ୍ୟ ଜାତୀୟ ଉତ୍ସବରେ ନିର୍ଦୋଷ ଆମୋଦ ପ୍ରମୋଦ କରିବା କଦାପି ଦୋଷାବହ ନୁହେଁ, ବଡ଼ ବଡ଼ କଲେଜ ଛାତ୍ରମାନଙ୍କ ପକ୍ଷେ ଏଭଳି ଘଟନାରେ ନାଟକ ଅଭିନୟ ଶିକ୍ଷାର ଏକ ଅଙ୍ଗ ବୋଲି ମୁଁ ମନେ କରେ । ଗଣେଶପୂଜା ଓ ସରସ୍ୱତୀ ପୂଜା ସମାରୋହରେ ସତ୍ୟବାଦୀ ସ୍କୁଲରେ ହେଉ ଥିଲା । ପଦ୍ୟାବୃତ୍ତି ଅଭିନୟ ପ୍ରଭୃତି ସାହିତ୍ୟିକ ଆମୋଦ ଏ ଉତ୍ସବରେ ପ୍ରଧାନ ଅଙ୍ଗ ରଖା ଯାଇ ଥିଲା । 

ଛାତ୍ର ସମାଲୋଚକମାନେ ନ ବୁଝି ନ ପଢ଼ି ଯେପରି ଅନ୍ଧାରରେ ଚେକା ମାରିଛନ୍ତି, ଓଡ଼ିଶାର କୌଣସି କୌଣସି ସମ୍ୱାଦପତ୍ର ମଧ୍ୟ ସେହିପରି ସମାଜ ଲେଖାର ପ୍ରତିବାଦ କରିଛନ୍ତି । ଯେପରି ଦେଖୁଛି, ଛାତ୍ରମାନଙ୍କ ମନକୁ ସେ ଲେଖାରେ ଗୋଟିଏ କଥା ବଡ଼ ବାଧିଛି । କିନ୍ତୁ, ଓଡ଼ିଶାରେ ବାପ ଭାଇ ଖୁଡୁତା ଏପରିକି ମା' ମାନେ ଅନେକ ସମୟରେ ପୁଅ ଭାଇ ପୁତୁରାମାନଙ୍କ ପ୍ରତି କୌଣସି କାର୍ଯ୍ୟରେ ବିରକ୍ତି ବା ଅସନ୍ତୁଷ୍ଟ ହେଲେ ପ୍ରାୟ କହିଥାନ୍ତି, କୁଳକ୍ଷୟ ବେଳକୁ ଘୋଡ଼ାମୁହଁ। ଜାତ । ଏ କଥାଟାର ବ୍ୟବହାର ଦେଶରେ ଏତେ ସାଧାରଣ ଯେ, କେହି ପ୍ରାୟ ତେତେ ଛଳ କରନ୍ତି ନାହିଁ । 

ଯଦି ଏହା ଦ୍ୱାରା କୌଣସି ଛାତ୍ରମନରେ ଆଘାତ ହୋଇଥାଏ ସେଥିଲାଗି ମୁଁ ବିଶେଷ ଦୁଃଖିତ ଏବଂ ତାଙ୍କୁ ସରଳ ଭାବରେ କହୁଛି, ଏହା ସେମାନଙ୍କ ପ୍ରତି ମୋର କ୍ରୋଧ ନୁହେଁ ସ୍ନେହ ଓ ଆଦରର ପରିଚୟ । ମୁଁ ସେମାନଙ୍କୁ ନିଜର ବୋଲି ଭାବେ । ଆପଣାର ପୁଅ ପୁତୁରା ଭାଇ ଭଣଜା ଦୃଷ୍ଟିରେ ଦେଖେଁ ବୋଲି ଏପରି ଭାବରେ କହି ପକାଇ ଥିଲି । ଦୀପିକାରେ ପ୍ରକାଶିତ ପ୍ରତିବାଦରେ ସେମାନେ ନିଜର ମିତବ୍ୟୟିତାର ପ୍ରମାଣରେ ଗୋଟାଏ ହିସାବ ଦେଖାଇ ଅଛନ୍ତି । ଦରକାର ନ ଥିଲା, ତେବେ ମିତବ୍ୟୟିତାର ଆବଶ୍ୟକ ସେମାନେ ବୁଝିଛନ୍ତି, ଏହା ହିଁ ମୋ ପକ୍ଷରେ ଆହ୍ଲାଦ । 

ଏ ପ୍ରତିବାଦ ସହ, ଆଉ ଏକ ପ୍ରତିବାଦ ବହୁସଙ୍ଖ୍ୟକ କଲେଜ ଛାତ୍ରଙ୍କ ସ୍ୱାକ୍ଷରରେ ଦୀପିକାରେ ବାହାରିଛି । କଟକର କେତେକ ସ୍କୁଲର ଛାତ୍ର ମଧ୍ୟ ସେମାନଙ୍କୁ ସମର୍ଥନ କରି ଅଛନ୍ତି । ମୋ ପ୍ରତି କଲେଜ ଛାତ୍ରମାନେ କଟାକ୍ଷ କରି ଥିବାରୁ ଏମାନେ ଦୁଃଖ ପ୍ରକାଶ କରିଛନ୍ତି। ଛାତ୍ରସମାଜର ଏ ସ୍ନେହ ଆଦରକୁ ମୁଁ ପରମ ବିପଦ ବୋଲି ମଣୁଛି । କିନ୍ତୁ ମୋ ମତରେ ଏ ପ୍ରତିବାଦ ଆବଶ୍ୟକ ନ ଥିଲା। ଛାତ୍ରସମାଜର ଯେ ମତେ ଯାହା କହନ୍ତୁ ନିନ୍ଦା କରନ୍ତୁ ବା ପ୍ରଶଂସା କରନ୍ତୁ । ଆଦର କରନ୍ତୁ ବା ଅପମାନ କରନ୍ତୁ, ସେ ସମସ୍ତେ ମୋ ନିଜର। ମୋ ନିଜ ପୁଅ ପୁତୁରାଙ୍କଠାରୁ ଯେ କୌଣସି ପ୍ରକାର ବ୍ୟବହାର ପାଇଲେ ସୁଦ୍ଧା ସେମାନଙ୍କୁ ଯେପରି ଭଲ ପାଇ ମୁଁ ରହି ନ ପାରେ, ଛାଡ଼ି ଅଲଗା ହୋଇ ନ ପାରେ, ଛାତ୍ରସମାଜ ମୋତେ ଯେ ଦୃଷ୍ଟିରେ ଦେଖୁ ପଛକେ ମୁଁ ସେମାନଙ୍କୁ ହୃଦୟରୁ ଅନ୍ତର କରି ପାରିବି ନାହିଁ । 

ଉତ୍କଳର ଭବିଷ୍ୟତ ଲାଗି ମୁଁ ସବୁବେଳେ ଯୁବକ ଶିକ୍ଷିତ ଯୁବକ ସମାଜ ଆଡ଼କୁ ସତୃଷ୍ଣ ନୟନରେ ଅନାଇ ରହି ଅଛି । ଏ ହାହାକାରମୟ ତମସାଚ୍ଛନ୍ନ ଦେଶରେ ସେହିମାନେ ଏକା ଆଶାର ଆଲୋକ ରେଖା । ପ୍ରଭୁ ସେମାନଙ୍କୁ ଆୟୁ, ବଳ, ବୀର୍ଯ୍ୟ ଉତ୍ସାହ, ସାଧନା, ଶକ୍ତି, ସୁବିଚାର ଦିଅନ୍ତୁ; ସେମାନେ ଦେଶର କୃତିସନ୍ତାନ ହୋଇ ଏ ଜାତିର କଲ୍ୟାଣ ସାଧାନରେ ସଦା ନିରତ ହୁଅନ୍ତୁ; ଏହା, ମୋର ଆନ୍ତରିକ କାମନା ।

(ସମାଜ ୮ମ ଭାଗ,୨ୟ ସଂଖ୍ୟା ତା ୯-୧୦-୧୯୨୬)

Sunday, September 02, 2018

ପିଲାଙ୍କ ପାଇଁ କବିତା - 'ନବଗୁଞ୍ଜର'

କବି - ଜଗନ୍ନାଥ ପ୍ରସାଦ ଦାସ


ଜଗନ୍ନାଥଙ୍କ ମୁଣ୍ଡ ଥିବା ନବଗୁଞ୍ଜରର ଚିତ୍ର (ୱିକିମିଡିଆ କମନ୍ସ୍)

ମୁଣ୍ଡଟି କୁକୁଡ଼ା ଭଳି ବେକଟି ମୟୁର,
ସିଂହ କଟୀ ସାପ ଲାଞ୍ଜ ବୃଷଭର ଚୂଳ,
ତିନିଗୋଟି ଗୋଡ଼ ଘୋଡ଼ା ହାତୀ ଓ ବାଘର,
ଆହୁରି ଗୋଟିଏ ଗୋଡ଼ ହାତ ମଣିଷର ।

ଏଭଳି ଗୋଟିଏ ଜୀବ ଦେଖିଛ କି ଅଛି କେଉଁଠାରେ 
ମୁଁ ବି କେବେ ଦେଖି ନାହିଁ ଚିତ୍ରକାର କଳ୍ପନା ବାହାରେ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ମାଛମରା କଥା

ଜ୍ୟୋତି ନନ୍ଦ


ଇ. ଏଚ୍. କାର୍ (୧୮୯୨ - ୧୯୮୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମତେ ଯଦି ସୌଭାଗ୍ୟବଶତଃ ଓଡିଶାର କୌଣସି ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ସର୍ବୋଚ୍ଚ କର୍ତ୍ତା ହେବାର ସୁଯୋଗ ମାତ୍ର ଦଶ ମିନିଟ ପାଇଁ ମିଳେ, ତେବେ ସେହି ଦଶ ମିନିଟ ସମୟର ସଦୁପଯୋଗ କରିବା ପାଇଁ ମୁଁ ଗୋଟିଏ ମାତ୍ର ନିର୍ଦ୍ଦେଶ ଦେଇ ଅପସାରିତ ହୋଇ ଗଲେ ନିଜର ଜୀବନକୁ କୃତାର୍ଥ ମଣିବି ଅବଶିଷ୍ଠ କାଳ ପାଇଁ ।

କିନ୍ତୁ ସେପରି ଏ ଜୀବଦ୍ଦଶାରେ ହେବାର ନାହିଁ । ଓ ଇଚ୍ଛାମାନେ ସବୁବେଳେ ଭିକ୍ଷୁକଙ୍କ ପ୍ରଥମ ପସନ୍ଦର ଅଉଲ କିସମର ଅଶ୍ୱ । ଓ ମୁଁ ସେହିଭଳି ଏକ ପ୍ରଖର ଅଶ୍ୱାରୋହୀ ଭିକ୍ଷୁକ ।

ମାତ୍ର ସେହି ଦଶ ମିନିଟର ଅଶ୍ୱାରୋହଣଜନିତ ମୋର ନିଷ୍ପତ୍ତିଟି ହେବ ମାତ୍ର ଗୋଟିଏ ବହିର ଓଡିଆରେ ଅନୁବାଦ । ସେହି ବହିଟି ହେଉଛି ଏଡୱାର୍ଡ ହାଲେଟ୍ କାର୍ ବା ଇ.ଏଚ୍. କାର୍‌ଙ୍କର ବିଶ୍ୱବିଖ୍ୟାତ ବହି, 'ହ୍ୱାଟ୍ ଇଜ୍ ହିଷ୍ଟୋରି' । ଯେଉଁମାନେ ଇତିହାସ କ'ଣ ଓ କାହିଁକି ବୋଲି ସନ୍ଦର୍ଭରେ, ତଥା ଯାହାକୁ ଇତିହାସତତ୍ତ୍ୱ ବୋଲି କୁହାଯାଏ ସେହି ବିଷୟରେ, ଆଗ୍ରହ ରଖନ୍ତି ସେମାନଙ୍କ ପାଇଁ ଏହା ଏକ ପବିତ୍ର ଧର୍ମଗ୍ରନ୍ଥ ସଦୃଶ । ପ୍ରାତ୍ୟହିକ ଏକ ଏକ ଅଧ୍ୟାୟ ପଠନ କର୍ତ୍ତବ୍ୟ ।

'ହ୍ୱାଟ୍ ଇଜ୍ ହିଷ୍ଟୋରି'ର ପ୍ରଥମ ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିଦେଶରେ ଇତିହାସ ପାଠ ସହିତ ଇତିହାସତତ୍ତ୍ୱର ଅଧ୍ୟୟନ ଅନିର୍ବାର୍ଯ୍ୟ ହୋଇ ଆସିଛି ବିଂଶ ଶତାବ୍ଦୀର ଏକଦମ୍ ପ୍ରାକ୍ କାଳରୁ । ମାତ୍ର ଆମେ ଇତିହାସକୁ କେବଳ ଏକ ସମୟ ନିର୍ଘଣ୍ଟର କାର୍ଯ୍ୟକାଳ ହିସାବରେ, ଯୁଦ୍ଧକର୍ମାଦିର ଆୟୋଜନ ହିସାବରେ ପଢ଼ି ଥାଉ । ଇତିହାସର ତାତ୍ତ୍ୱିକ ପ୍ରସଙ୍ଗ ତଥା ଇତିହାସ କହିଲେ କ'ଣ ବୋଲି ଆମେ ବୁଝିବା, ସେହି ଦିଗରେ ଆମର ଏଠିକାର ଇତିହାସ ବିଦ୍ୱାନମାନେ ପ୍ରାୟତଃ ଉଦାସୀନ । ତେଣୁ ଆମର ପିଲାଙ୍କର ଇତିହାସର ତାତ୍ତ୍ୱିକ ଦିଗଟି ସମ୍ପୂର୍ଣ୍ଣ ଅଗୋଚରରେ ରହିଯାଏ, ଆଉ ତାହା ଫଳରେ ସେମାନଙ୍କର ଇତିହାସ ବୋଧଟି ବିକଶିତ ହୁଏ ନାହିଁ ।

ଅନ୍ୟ ସମସ୍ତ ସମାଜବିଜ୍ଞାନରେ ତାତ୍ତ୍ୱିକ ଅଧ୍ୟୟନକୁ ଉଚ୍ଚଶିକ୍ଷାରେ ପ୍ରାଧାନ୍ୟ ଦିଆ ଯାଉ ଥିଲା ବେଳେ, କେବଳ ଇତିହାସରେ ଏଇ ତାତ୍ତ୍ୱିକ ବିରୂପତାର ପ୍ରକୃତ କାରଣଟି ଯେ କ'ଣ, ପ୍ରାୟ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ପିଲାଙ୍କ ସହ ଏକାଠି ଇତିହାସ ପଢ଼ିବା ସତ୍ତ୍ୱେ, ମୁଁ ନିର୍ଣ୍ଣୟ କରି ପାରି ନାହିଁ । ମୁଁ ସଠିକ ଜାଣି ନାହିଁ, ହୁଏତ ଇତିହାସ ତତ୍ତ୍ୱକୁ ଏକ ବିଶେଷ ତତ୍ତ୍ୱ ହିସାବରେ ଆମର ସିଲାବସ୍ ପ୍ରସ୍ତୁତକାରୀ ଇତିହାସ ବିଦ୍ୱାନମାନେ ହୃଦ୍‌ବୋଧ କରିବା କାରଣରୁ ତାହାକୁ ପାଠ୍ୟକ୍ରମର ସର୍ବୋଚ୍ଚ ବର୍ଗ ତଥା ଏମ୍.ଏ. ଓ ଏମ୍.ଫିଲ୍. ରେ ରଖି ସେମାନେ ସ୍ୱଚ୍ଛନ୍ଦ ଅନୁଭବ କରୁ ଥାଇ ପାରନ୍ତି ।

ଯେ କୌଣସି ତତ୍ତ୍ୱକୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ପଢ଼ା ଯାଇ ପାରିବ । ଆମ ଇତିହାସରେ ପଞ୍ଚମ ଶ୍ରେଣୀ ପିଲାଟିଏ ବୌଦ୍ଧଧର୍ମ ବିଷୟରେ ପଢ଼େ, ଆଉ ଠିକ୍ ସେହି ବୌଦ୍ଧ ଧର୍ମ କଥା ଏମ୍.ଏ. ଶ୍ରେଣୀର ପିଲାଟିଏ ବି ପଢ଼େ । ଦୁଇଟି କ'ଣ ସମାନ କଥା ? ବା ସମାନ ଇତିହାସ ପାଠ ? ହଁ ଗୌତମ ବୁଦ୍ଧଙ୍କ ଜନ୍ମ କି ତାଙ୍କ ବାପାମାଆଙ୍କ ନାଆଁ ଜଣେ ଏମ୍.ଏ. ପଢ଼ିଲା ବୋଲି ପଞ୍ଚମ ଶ୍ରେଣୀ ପିଲାଠୁ ଅଲଗା ଲେଖିବ ସେକଥା ନୁହଁ । କିଛି ପ୍ରାଥମିକ ପାଠ ତଳ ଶ୍ରେଣୀରେ ହେବ, ଆଉ ପରେ ବୟଃକ୍ରମରେ ତର୍ଜମାଜନିତ ପାଠ ବଢ଼ି ବଢ଼ି ଚାଲି ଥିବ ।

ପ୍ରାଥମିକ ଭାବରେ ଇତିହାସ ତତ୍ତ୍ୱକୁ ଏତେ ଅସ୍ୱୀକୃତି କାହିଁକି ? ଏଥି ପାଇଁ ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବା ପ୍ରାସଙ୍ଗିକ ନୁହଁ । ତେବେ କାହାକୁ କୁହା ଯିବ ? ଏଇ କଥାଟି କ'ଣ ନିହାତି ଏଡ଼ାଇ ଯିବା ଭଳି କଥା ?

ଏହି ଭିକ୍ଷୁକ ଅଶ୍ୱାରୋହୀର ମତ, ଇତିହାସ ଶିକ୍ଷାରେ ଗୁଣଗତ ବିକାଶ ସମ୍ଭବପର, ଯଦି ତାହା ସହିତ ବାଧ୍ୟତାମୂଳକ ଇତିହାସତତ୍ତ୍ୱଟି ଯୋଡ଼ା ହୋଇ ରହି ଥାଏ ତେବେ । ନ ହେଲେ ଇତିହାସ ଆମ ପାଇଁ କେବଳ ରୋଚକ ରାଜକାହାଣୀ ମାତ୍ର, କୌଣସି ସମୟବୋଧ ପ୍ରସ୍ତୁତ କରିବାକୁ ତାହା ଅସମର୍ଥ ହେବ ।

ଏବେ ଇତିହାସ ତତ୍ତ୍ୱର ଧର୍ମଗ୍ରନ୍ଥ 'ହ୍ୱାଟ୍ ଇଜ୍ ହିଷ୍ଟୋରି'ର ପ୍ରଣେତା ଇ. ଏଚ୍. କାର୍‌ଙ୍କ ଇତିହାସ ବିଚାରରୁ କିଛି ଆପଣଙ୍କ ପାଇଁ ଅନୁସୃଜିତ:

"ଇତିହାସର ତଥ୍ୟାବଳୀ ଦେଖିବାକୁ ଗଲେ ଗୋଟିଏ ବିରାଟ ଅଶାନ୍ତ ମହାସାଗରରେ ପହଁରୁଥିବା ମାଛ ଭଳି, ସେଥିରୁ ଯେଉଁତକ ମାଛ ଜଣେ ଐତିହାସିକର ଭାଗ୍ୟରେ ପଡ଼ିବ, ତାହା ଏକ ପ୍ରକାରେ ଅକସ୍ମାତ; କିନ୍ତୁ ମୂଖ୍ୟତଃ ମହାସାଗରର କେଉଁ ଅଞ୍ଚଳକୁ ସେ ମାଛ ମାରିବାକୁ ଯାଇଛି, ଆଉ ଭେଟିଥିବା ପ୍ରତିବନ୍ଧକ ସେ କେଉଁପରି ଦୂର କରି ପାରିଛି, ଏଇ ଦୁଇଟି କଥା ହିଁ ନିର୍ଭର କରେ ସେ କେଉଁ ପ୍ରକାର ମାଛ ମାରିବାକୁ ଅସଲରେ ଚାହେଁ ।"