Wednesday, March 13, 2019

କବିଗୁରୁ ରବୀନ୍ଦ୍ରନାଥଙ୍କ ଏକ ସଙ୍ଗୀତ

ଅନୁସୃଜନ - ଜ୍ୟୋତି ନନ୍ଦ 

 
ରବୀନ୍ଦ୍ରନାଥ ଠାକୁରଙ୍କର ମୋହର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖୁଛି ଆଗରେ ଏ ଶାନ୍ତିର ପାରାବାର
ବାହିନିଅ ତରଣୀଟି ଆହେ କର୍ଣ୍ଣଧାର ।

ତୁମେ ମୋର ଚିର ସାଥି,
ନେଇଯାଅ କୋଳ ପାତି
ଅସୀମର ପଥେ ଜ୍ୟୋତି 
ଜଳୁଅଛି ପରା ସେଇ ଧୃବ ତାରକାର ।

ମୁକ୍ତିଦାତା ହେ ଦୟା କ୍ଷମା ସାଥେ ତମର
ଚିରଯାତ୍ରାର ପଥ ସୁଖକର ମୋହର।
ଫିଟିଛି ଧରା ବନ୍ଧନ
ମୁକୁଳିତ ଆଲିଙ୍ଗନ
ବିରାଟ ବିଶ୍ଵ ନନ୍ଦନ
ଭୟ ନାହିଁ ଏବେମହା-ଅଜଣା ଅନ୍ତର ।

Monday, March 11, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ଇନ୍ଦ୍ରିୟ ଶିକ୍ଷା ଓ ଶିକ୍ଷକର ଗୁଣଧର୍ମ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ



ମଧ୍ୟଯୁଗୀୟ ୟୁରୋପ୍‌ର ଏକ ଶ୍ରେଣୀକକ୍ଷ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)




ଇନ୍ଦ୍ରିୟ ଶିକ୍ଷା

ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ ଦିଗରେ ଇନ୍ଦ୍ରିୟ ଶିକ୍ଷା ନିତାନ୍ତ ଆବଶ୍ୟକ ବୋଲି ଗିଜୁଭାଇ କହୁଥିଲେ । ଆମର ଇନ୍ଦ୍ରିୟଗୁଡ଼ିକ ଆମ ଜ୍ଞାନ ଆହରଣର ପ୍ରଥମ ଓ ପ୍ରଧାନ ମାଧ୍ୟମ ।

ମଣ୍ଟେସୋରୀଙ୍କ ମତରେ ଇନ୍ଦ୍ରିୟଗୁଡ଼ିକର ବିକାଶ ହେଲେ ହିଁ ବୁଦ୍ଧିର ଯଥାର୍ଥ ବିକାଶ ସମ୍ଭବ ହୋଇ ପାରିବ । ଗିଜୁଭାଇ ମଧ୍ୟ ଏହି ମତକୁ ଗ୍ରହଣ କରୁଥିଲେ । ତିନିରୁ ସାତ ବର୍ଷ ଯାଏଁ ଇନ୍ଦ୍ରିୟ ଶିକ୍ଷାର ପ୍ରକୃଷ୍ଟ ସମୟ । କାରଣ ଏହା ହେଉଛି ପିଲାଙ୍କର ଶରୀର ଗଠନର ସମୟ । ଯେତେବେଳେ ପ୍ରକୃତି ପିଲାକୁ ସ୍ୱାଗତ ଜଣାଇବ, "ମୋ ପାଖକୁ ଆସ, ମୋ ରଙ୍ଗ ଏମିତି, ମୋ ରୂପ ଏମିତି, ମୋର ଗନ୍ଧ ଏହି ପରି, ମୋର ଧ୍ୱନି ଏହି ପରି", ସେତେବେଳେ ଏହି ଆମନ୍ତ୍ରଣ ପାଇଥିବା ପିଲାଟିର ଇନ୍ଦ୍ରିୟ ଶିକ୍ଷା ପୂରା ହେଲା ବୋଲି ଜଣାଯିବ ।

ଶିକ୍ଷକର ଗୁଣଧର୍ମ

ଜଣେ ଶିକ୍ଷକର ଗୁଣଧର୍ମ ବିଷୟରେ ଗିଜୁଭାଇ କୁହନ୍ତି -

. ନିରୀକ୍ଷଣ କରିବା ଶିକ୍ଷକର ପ୍ରଥମ ଗୁଣ ହେବା ଦରକାର । ଶିକ୍ଷକ ଧୈର୍ଯ୍ୟବାନ ହେବେ । ପିଲାମାନଙ୍କର ଆବଶ୍ୟକତା ଅନୁଯାୟୀ ହିଁ ସେମାନଙ୍କୁ ସାହାଯ୍ୟ କରିବେ ।

. ବାକ୍‌ସଂଯମ - ଶିକ୍ଷକ ଯେତେ ସମ୍ଭବ କମ୍ କଥା କହିବେ । ନିହାତି ଦରକାର ହେଲେ ହିଁ ସେ ପିଲାଙ୍କୁ କିଛି କହିବେ ।

. ନମ୍ରତା - ଶିକ୍ଷକ ନମ୍ର ହେବେ । ପିଲାମାନଙ୍କ ସହିତ ଯେପରି କିଛି ଅନ୍ୟାୟ ନ ହୁଏ, ସେଥି ପ୍ରତି ସଜାଗ ରହିବେ ।

. ମନୋବୈଜ୍ଞାନିକ ଦୃଷ୍ଟିକୋଣ - ଶିକ୍ଷକ ଧୈର୍ଯ୍ୟର ସହିତ ପିଲାଙ୍କ କଥା ଶୁଣିବେ ଏବଂ ତାଙ୍କ ମନକୁ ବୁଝିବାକୁ ଚେଷ୍ଟା କରିବେ । ପିଲାଙ୍କର ଦୃଷ୍ଟିକୋଣ ସହିତ ନିଜକୁ ଦୃଷ୍ଟିକୋଣ ମିଶାଇ ପାରୁଥିବେ ।

. ବିଶ୍ୱାସ - ପିଲାମାନଙ୍କର ବ୍ୟକ୍ତିତ୍ୱ ପ୍ରତି ଶିକ୍ଷକଙ୍କ ମନରେ ଦୃଢ଼ ବିଶ୍ୱାସ ରହିଥିବା ଜରୁରି । ପିଲାଙ୍କ ପ୍ରତି ଶିକ୍ଷକମାନେ ସହାନୁଭୂତିଶୀଳ ହେବେ, ସେମାନଙ୍କୁ ଶ୍ରଦ୍ଧା କରୁଥିବେ ।

ଏହି ସବୁ ଗୁଣ ପ୍ରତ୍ୟେକ ଶିକ୍ଷକଙ୍କ ପାଖରେ ରହିଥିବା ଆବଶ୍ୟକ । ଗିଜୁଭାଇ ନିଜର ବିଚାରଧାରା ଅନୁଯାୟୀ ଜଣେ ସଫଳ ଶିକ୍ଷକର ଜୀବନ ବଞ୍ଚି ପାରିଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, March 09, 2019

ବିନ୍ଦୁସାର ଓ ଅଶୋକ

କେଦାରନାଥ ମହାପାତ୍ର


ଧଉଳି ଶାନ୍ତୁ ସ୍ତୁପ ଉପରୁ ଦୟା ନଦୀର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ବିନ୍ଦୁସାର 

ଚନ୍ଦ୍ରଗୁପ୍ତଙ୍କ ପରେ ବିନ୍ଦୁସାର ମଗଧର ସମ୍ରାଟ ହେଲେ । ତାଙ୍କ ସଙ୍ଗରେ କଳିଙ୍ଗ ଓ କାବେରୀ ନଦୀର ଦକ୍ଷିଣରେ ଥିବା ରାଜ୍ୟମାନଙ୍କ ବ୍ୟତୀତ ସମସ୍ତ ଭାରତବର୍ଷ ତାଙ୍କ ଦ୍ୱାରା ଶାସିତ ହେଉଥିଲା । ବିନ୍ଦୁସାର ଦାକ୍ଷିଣାତ୍ୟ ବିଜୟ କରିଥିବାର ଅନେକ ମନେ କରନ୍ତି ।

ପ୍ରିୟଦର୍ଶୀ ଅଶୋକ

ବିନ୍ଦୁସାରଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ରମାନଙ୍କ ମଧ୍ୟରେ ସିଂହାସନ ପାଇଁ ବିବାଦ ଲାଗିଥିଲା । କିନ୍ତୁ ଶେଷରେ ଅଶୋକ ସମସ୍ତଙ୍କୁ ହରାଇ ପିତାଙ୍କ ମୃତ୍ୟୁର ଚାରି ବର୍ଷ ପରେ ଖ୍ରୀ: ପୂ: ୨୬୯ରେ ରାଜା ହେଲେ । ସେ ରାଜା ହେବାର ଆଠ ବର୍ଷ ପରେ କଳିଙ୍ଗ ବା ଓଡ଼ିଶା ପ୍ରଦେଶ ଜୟ କରିବାକୁ ବାହାରିଲେ । 

ସେତେବେଳେ କଳିଙ୍ଗ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏଠାର ଲୋକମାନେ ବଳବାନ୍, ସାହସୀ ଓ ଧନୀ ଥିଲେ । ଭାରତ ମହାସାଗରେ ଥିବା ଦ୍ୱୀପପୁଞ୍ଜ ଓ ବ୍ରହ୍ମଦେଶ ସହିତ ସମୁଦ୍ର ବାଣିଜ୍ୟ କରି ଏମାନେ ବହୁ ଧନରତ୍ନ ଦେଶକୁ ଆଣୁଥିଲେ । କଳିଙ୍ଗ ରାଜାଙ୍କର ପ୍ରକାଣ୍ଡ ସେନା ଥିଲା । ଅଶୋକ ଏହି ଶକ୍ତିଶାଳୀ ରାଜ୍ୟକୁ ଜୟ କରିବାପାଇଁ ବହୁତ ସୈନ୍ୟ ଆଣିଥିଲେ । 

କଳିଙ୍ଗବାସୀମାନେ ତାଙ୍କ ସହିତ ଦୁଇ ବର୍ଷ କାଳ ଭୀଷଣ ଯୁଦ୍ଧ କଲେ । ଏହି ଯୁଦ୍ଧରେ କଳିଙ୍ଗର ଦେଢ଼ ଲକ୍ଷ ଲୋକ ବନ୍ଦୀ ଓ ଲକ୍ଷେ ଲୋକ ନିହତ ହେଲେ ଏବଂ ଅନାହାର ଓ ଯନ୍ତ୍ରଣାରେ ଅସଙ୍ଖ୍ୟ ଲୋକ ମରିଗଲେ । ଅଶୋକ ଯୁଦ୍ଧରେ ଜୟଲାଭ କଲେ ସତ, କିନ୍ତୁ କଳିଙ୍ଗର ପାର୍ବତ୍ୟ ଅଞ୍ଚଳ ମିଳିତ ହୋଇ ପାରିଲା ନାହିଁ । ଏହି ଯୁଦ୍ଧରୁ ସ୍ପଷ୍ଟ ଜଣାଯାଏ ଯେ, ସେକାଳର ଓଡ଼ିଆମାନେ ଖୁବ୍ ସାହସୀ ଓ ଯୋଦ୍ଧା ଥିଲେ । ମାତୃଭୂମିର ସ୍ୱାଧୀନତା ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ।

ଏହି ଯୁଦ୍ଧର ବିକଟ ଦୃଶ୍ୟ ଦେଖି ଅଶୋକଙ୍କ ମନରେ ଭୀଷଣ ଦୁଃଖ ହେଲା । ଯୁଦ୍ଧରେ ଘଟିଥିବା ରକ୍ତପାତ ଓ ଦେଶଧ୍ୱଂସ ବିଷୟ ଚିନ୍ତା କରି, ସେ ବିଶେଷ ଅନୁତାପ ଭୋଗ କଲେ । ତାଙ୍କ ହୃଦୟ ଆକୁଳ ହେଲା ଓ ସେ ଶାନ୍ତି ପାଇଁ ସର୍ବଦା ବ୍ୟାକୁଳ ହେଲେ । ପରିଶେଷରେ ସେ ଉପଗୁପ୍ତ ନାମକ ବୌଦ୍ଧସନ୍ନ୍ୟାସୀଙ୍କ ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । 

ସେ ପ୍ରଥମେ ଜଣେ ଉପାସକ ବା ଗୃହୀ ବୌଦ୍ଧ ଥିଲେ । କିନ୍ତୁ ଏହି ଧର୍ମପ୍ରତି ସେ କ୍ରମେ କ୍ରମେ ଏପରି ଆକୃଷ୍ଟ ହେଲେ ଯେ ଶେଷରେ ଜଣେ ନୈଷ୍ଠିକ ବୌଦ୍ଧ ହେଲେ । ଏହି ଧର୍ମର ଉନ୍ନତି ଓ ପ୍ରସାର ପାଇଁ ସେ ନିଜର ସମସ୍ତ ଧନ ଓ ଶକ୍ତି ବ୍ୟୟ କରିଥିଲେ । 

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Thursday, March 07, 2019

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ସ୍ନାତକମାନଙ୍କ ପ୍ରତି ବାର୍ତ୍ତା


ମହିଳା ବିଦ୍ୟାଳୟରେ ଗାନ୍ଧୀ ଓ ଟାଗୋର୍ (୧୯୨୦ ମସିହାରେ ଉତ୍ତୋଳିତ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଆପଣଙ୍କ ସ୍କୁଲ କଲେଜକୁ ଯଦି ଗଭର୍ଣ୍ଣମେଣ୍ଟ ସ୍କୁଲ କଲେଜ ସହିତ ତୁଳନା କରନ୍ତି, ତେବେ ଆପଣମାନଙ୍କର ନୈରାଶ୍ୟ ସୁନିଶ୍ଚିତ । ଏ ଦୁଇଟି ଦୁଇ ବିଭିନ୍ନ ପ୍ରକାରର । ସରକାରୀ ଅନୁଷ୍ଠାନଗୁଡ଼ିକ ଲୋକଙ୍କ ଅର୍ଥରେ ଚଳୁଛନ୍ତି । ତେଣୁ ସେଥିରେ ପ୍ରାସାଦ ଭଳି ସୌଧ ରହିଛି ଓ ଅଧିକ, ବେତନପ୍ରାପ୍ତ ବିଦ୍ୱାନ୍ ଅଧ୍ୟାପକ ଓ ଶିକ୍ଷକ ଅଛନ୍ତି । ଆପଣଙ୍କର ସେହି ପ୍ରକାରର ପ୍ରାସାଦ ଓ ଶିକ୍ଷକ-ମଣ୍ତଳୀ ହୋଇପାରିବେ ନାହିଁ । 

ମୁଖ୍ୟତଃ କିରାଣୀ ତିଆରି କରିବା ଏବଂ ବିଦେଶୀ ଶାସକଙ୍କ ପାଇଁ ଅନ୍ୟାନ୍ୟ ସାହାଯ୍ୟକାରୀ ତିଆରି କରିବା ସରକାରୀ ଅନୁଷ୍ଠାନଗୁଡ଼ିକର ଲକ୍ଷ୍ୟ । ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଲକ୍ଷ୍ୟ ସମ୍ପୂର୍ଣ୍ଣ ବିପରୀତ । କିରାଣୀ ଏବଂ ସେହି ପ୍ରକାରର ଲୋକ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ନୁହେଁ । ଯେତେ କିଛି ତ୍ୟାଗ କରିବାକୁ ପଡ଼ୁ ପଛକେ, ବିଦେଶୀ ଶାସନର ଉଚ୍ଛେଦ ଯଥାସମ୍ଭବ ଶୀଘ୍ର ସାଧନ କରିବା ପାଇଁ ଦୃଢ଼ପ୍ରତିଜ୍ଞ ମନୁଷ୍ୟ ପ୍ରସ୍ତୁତ କରିବା ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନର ଲକ୍ଷ୍ୟ । 

ସ୍ୱଭାବତଃ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ବିଦେଶୀ ସରକାରଙ୍କ ପ୍ରତି ଅନୁରକ୍ତ ରହିବେ । ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଅନୁରକ୍ତ ଦେଶ ପ୍ରତି ରହିବ । ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚ ବେତନ ମିଳୁଥିବା ଚାକିରୀର ଆଶା ରହିଛି । ଏହା ବଦଳରେ ରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନରେ ଦେଶର ପୂରା ସେବା କରିବା ପାଇଁ କେବଳ ଚଳିବା ମୁତାବକ ଭରଣପୋଷଣ ମିଳିବ । 

ତିନୋଟି ଋଣ ପରିଶୋଧ କରିବା ପାଇଁ ଆପଣ ଏବେ ଶପଥ ନେଲେ । ବାସ୍ତବରେ ମ୍ୟାକ୍‌ସ ମ୍ୟୁଲର୍‌ଙ୍କର କଥା ସ୍ମରଣ କରାଯାଇ ପାରେ ଯେ, ଜୀବନଟା ଆମ ପକ୍ଷରେ କର୍ତ୍ତବ୍ୟ । କର୍ତ୍ତବ୍ୟର ଯଥାର୍ଥ ସମ୍ପାଦକ ଫଳରେ ଦାବୀର ପ୍ରଶ୍ନ ଏହା ସହିତ ନିଃସନ୍ଦେହରେ ଆସିଯାଏ । କିନ୍ତୁ ଯେଉଁ ଲୋକ ସୁବିଧା ଭୋଗ କରିବା ଆଶାରେ କର୍ତ୍ତବ୍ୟ ସମ୍ପାଦନ କରନ୍ତି, ସେ ସାଧାରଣତଃ ତାଙ୍କର କର୍ତ୍ତବ୍ୟ ଉଦାସୀନଭାବରେ କରନ୍ତି । ଯେଉଁ ଦାବୀ ହାସଲ କରିବାର ଆଶା ରଖିଥା'ନ୍ତି, ସେଥିରେ ସେ ଅଧିକାଂଶ ସମୟରେ ବିଫଳ ହୁଅନ୍ତି କିମ୍ୱା ଯେତେବେଳେ ସେ ଦାବୀ ସାଧନ କରିବାରେ ସଫଳ ହୁଅନ୍ତି, ସେସବୁ ସେତେବେଳେ ତାଙ୍କର ବୋଝ ହୋଇ ପଡ଼େ । 

ଆପଣଙ୍କର ହିଁ କେବଳ ସେବା କରିବାର ସୁଯୋଗ ରହିଛି । ଦେଶର ସ୍ୱାଧୀନତା ହାସଲ ନ କରିବା ଯାଏଁ ଆପଣଙ୍କର ପକ୍ଷରେ ବିଶ୍ରାମ ମିଳି ନ ପାରେ । ଆପଣଙ୍କ ଶିକ୍ଷାନୁଷ୍ଠାନ ଓ ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଏହି ମୌଳିକ ପାର୍ଥକ୍ୟକୁ ଉତ୍ତମ ରୂପେ ବୁଝି ପାରିବେତେବେ ଆପଣ ଯେଉଁ ପନ୍ଥା ବାଛିଛନ୍ତି, ସେଥି ପାଇଁ କଦାପି ଦୁଃଖିତ ହେବେ ନାହିଁ । 

କିନ୍ତୁ ମୁଁ ଜାଣେ ଯେ ଆପଣଙ୍କର ସଂଖ୍ୟା ଅଳ୍ପ ହୋଇ ଥିବାରୁ, ଆପଣମାନେ ଅନେକ ସମୟରେ ଉଦ୍‌ବିଗ୍ନ ଓ ଆପଣମାନଙ୍କ ମଧ୍ୟରୁ କେତେକ ଆପଣମାନଙ୍କର ପୁରାତନ ଅନୁଷ୍ଠାନକୁ ଛାଡ଼ି ଦେବା ଦ୍ୱାରା ବିଜ୍ଞ କାମ କରିଛନ୍ତି କି ନା ସନ୍ଦେହ କରନ୍ତି ଓ ସେଠାକୁ ପ୍ରତ୍ୟାବର୍ତ୍ତନ କରିବାକୁ ଗୋପନରେ ଇଚ୍ଛା ପୋଷଣ କରନ୍ତି । 

ପ୍ରତ୍ୟେକ ମହାନ୍ କାର୍ଯ୍ୟରେ ସାଧକଙ୍କର ସଙ୍ଖ୍ୟା ବଡ଼ କଥା ନୁହେଁ । କିନ୍ତୁ ସେମାନଙ୍କ ଗୁଣ ହିଁ ସମସ୍ତ ସ୍ଥିର କରେ । ପୃଥିବୀର ପ୍ରତ୍ୟେକ ମହାପୁରୁଷ ସର୍ବଦା ଏ ବିଷୟରେ ଏକାକୀ ଚାଲି ଥିଲେ । ଜୋରାଷ୍ଟରବୁଦ୍ଧଯୀଶଖ୍ରୀଷ୍ଟ ଏବଂ ଅନ୍ୟ ଯେଉଁ ସବୁ ମହାତ୍ମାଙ୍କର ନାମ ମୁଁ କହି ପାରିବି, ସେମାନେ ସମସ୍ତେ ଏକାକୀ ଚାଲିଥିଲେ । କିନ୍ତୁ ସେମାନେ ନିଜ ଉପରେ ଓ ଭଗବାନଙ୍କଠାରେ ଜୀବନ୍ତ ବିଶ୍ୱାସ ରଖି ଥିଲେ । ଭଗବାନ ସେମାନଙ୍କ ସପକ୍ଷରେ ଅଛନ୍ତି ଏଥିରେ ବିଶ୍ୱାସ କରୁ ଥିବାରୁ ସେମାନେ କଦାପି ଏକାକୀ ଅନୁଭବ କରୁ ନ ଥିଲେ । 

ଆପଣ ସ୍ମରଣ କରି ପାରନ୍ତି ଯେ, ଆବୁ ବକର୍, ଯେ କି ଯୁଦ୍ଧ ସମୟରେ ମହମ୍ମଦଙ୍କ ସହିତ ଯାତ୍ରା କରୁଥିଲେ, ତାଙ୍କୁ ଅସଙ୍ଖ୍ୟ ଶତୃ ଅନୁଧାବନ କରିବାରୁ, ସେ ସେମାନଙ୍କର ଭବିଷ୍ୟତ୍ କଥା ଚିନ୍ତା କରି ଭୟରେ ଥରି ଉଠି ଥିଲେ ଏବଂ କହି ଥିଲେ, ’’ଯେଉଁ ଶତୃ ଆମ୍ଭମାନଙ୍କୁ ପଛରୁ ଧରିବାକୁ ଆସୁଛନ୍ତି, ସେମାନଙ୍କ ସଙ୍ଖ୍ୟା ପ୍ରତି ଦୃଷ୍ଟି ଦିଅ । ଆମେ ଦୁଇ ଜଣ ଏହି ଭୟଙ୍କର ବିପଦରେ କଣ କରିବା ?”  କ୍ଷଣମାତ୍ର ଚିନ୍ତା ନ କରି ମହମ୍ମଦ ତାଙ୍କର ବିଶ୍ୱସ୍ତ ସହଚରକୁ ଭତ୍ସନା କଲେ ଏବଂ କହିଲେ, "ନା, ଆବୁ ବକର୍, ଆମେ ତିନି ଜଣ । କାରଣ ଭଗବାନ ଆମ ସହିତ ଅଛନ୍ତି ।“ 

କିମ୍ୱା ଆପଣ ବିଭୀଷଣ ଏବଂ ପ୍ରହ୍ଲାଦର ଅଜେୟ ବିଶ୍ୱାସ ସମ୍ୱନ୍ଧରେ ଚିନ୍ତା କରନ୍ତି । ମୁଁ ଚାହେଁ ଯେ, ଆପଣଙ୍କର ସେପରି ବଳିଷ୍ଠ ଆତ୍ମବିଶ୍ୱାସ ହେଉ ଏବଂ ଆପଣଙ୍କର ଭଗବାନ୍‌ଙ୍କ ଠାରେ ଦୃଢ଼ ବିଶ୍ୱାସ ରହୁ

-ୟଙ୍ଗ ଇଣ୍ତିଆ, ତା ୧୦-୧୦-୧୯୨୯

Tuesday, March 05, 2019

ପିଲାଙ୍କ କବିତା - 'ଉଡ଼ା ଖବର'

ଜଗନ୍ନାଥ ପ୍ରସାଦ ଦାସ


'ମାଛରଙ୍କା' (ଉନବିଂଶ ଶତାବ୍ଦୀର ଜାପାନୀ ଚିତ୍ର)
ଚିତ୍ରକର - ଉତାଗାୱା ହିରୋଶିଗେ (୧୭୯୭-୧୮୫୮)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ି ଦେଲା ପର
ଭଦଭଦଳିଆ ଗଲା ଭଦ୍ରଖରୁ ସୋରୋ
ଖେଳରେ ରେଫରି କଲେ କଜଳପାତିକୁ
ମାଛରଙ୍କା ଝାମ୍ପ ଦେଲା ମଗର ପାଟିକୁ
କୁମ୍ଭାଟୁଆ ଗୀତ ଗାଏ ଆକାଶବାଣୀରେ
ପାଣିକୁଆ ବୁଡ଼ିଗଲା ଆଣ୍ଠୁଏ ପାଣିରେ
ଶଙ୍ଖଚିଲ ମରିଗଲା ହୋଇ ଦୁର୍ଘଟଣା
କାଠହଣା ଜଙ୍ଗଲକୁ ଆସିବାକୁ ମନା
ଦେବାଳିଆ ହୋଇଗଲା ହଳଦୀବସନ୍ତ
ହାଡ଼ଗିଳା କଲିକ୍‌ରେ ହୁଏ ହନ୍ତସନ୍ତ
ଖୋଲିଛି କୋଚିଲାଖାଇ ଔଷଧ ଦୋକାନ
ପାତିହଂସ ପାଇଗଲା ପଦ୍ମ ବିଭୂଷଣ  

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, March 03, 2019

ପିଲାଙ୍କ କବିତା - 'ନବକାଳିକା ଲାଳିକା'

ଜଗନ୍ନାଥ ପ୍ରସାଦ ଦାସ


ଜାପାନୀ ଖଣ୍ଡାର ଖୋଳ (୧୮୪୧-୧୮୮୪ ମସିହା ଭିତର କାମ)
କଳାକାର - ମିୟାତା ନୋବୁକିଓ (୧୮୧୭ - ୧୮୮୪)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖି ମିରିକାଳିକା କାଟି ଫାଳିଫାଳିକା
ଭାଳି ଭାଳିକା ଅନ୍ତ ଧରି
ରନ୍ଧା କେମନ୍ତ କରି କରିବା ମାଛ 'କରି'
ରାତିକି ଏମନ୍ତ ବିଚାରି ସେ ବୃକୋଦରୀ
ଭାବେ ସଞ୍ଚିଲେ ଏ ଫାଳକୁ
ଅଧା ଥିବ କାଲି ସକାଳକୁ
(ଉପେନ୍ଦ୍ର ଭଞ୍ଜଙ୍କର 'ଲାବଣ୍ୟବତୀ' କିଛି ଧାଡ଼ିର ଲାଳିକା) 

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, March 01, 2019

ପିଲାଙ୍କ କବିତା - 'ଦନ୍ତ୍ୟ'

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କିଛି ପୀଡ଼ା ଶାରୀରିକ
କିଛି ମାନସିକ କିଛି ଆର୍ଥିକ
କିନ୍ତୁ ଯେ ପୀଡ଼ନଟି
ଏ ସବୁର ଅନ୍ତ୍ୟ
ତା' ହେଉଛି ଦନ୍ତ୍ୟ
(ଅଗଡେନ୍ ନାଶ୍‌ଙ୍କର କବିତାର ଅନୁସରଣରେ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।