Saturday, November 23, 2019

ପିଲାଙ୍କ ଗୀତ -  'କାଇଁଚ କେରିଏ ଦେଉଁ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ବେଣାଚେର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କାଇଁଚ କେରିଏ ଦେଉଁ
ବେଣା କେରିଏ ଦେଉଁ
କାହିଁ ଗଲା ମୋ ବାଇଆ ହାତୀ
ଖୋଜି ଖୋଜି ନ ପାଉଁ ।

ବାଉଁଶବାଡ଼ିକୁ ଯାଉଁ
ଅଣଳା କୋଳି ଖାଉଁ
ଖୋଜି ଖୋଜି ମୋ ଧନମାଳିକୁ
ପାଉଁଶଗଦାରେ ପାଉଁ । 

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Tuesday, November 19, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଆମ ଦେଶରେ ପ୍ରଚଳିତ ଶିକ୍ଷାର ଅନୁପଯୋଗିତା


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୦୮ ମସିହାରେ ଉତ୍ତୋଳିତ ମହାତ୍ମା ଗାନ୍ଧୀଙ୍କର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) 

ଶିକ୍ଷାର ଅର୍ଥ କଅଣ ? ଏହା ସରଳଭାବରେ ଅକ୍ଷରଜ୍ଞାନକୁ ବୁଝାଏ । ଏହା କେବଳ ଏକ ସାଧନ ଯନ୍ତ୍ର ଆମେ କୌଣସି ସାଧନର ସଦ୍‌ବ୍ୟବହାର କରିପାରୁଁ କିମ୍ୱା ଅସଦ୍ ବ୍ୟବହାର କରିପାରୁଁ । କୌଣସି ଅସ୍ତ୍ର ଦ୍ୱାରା କୌଣସି ରୋଗୀକୁ ଆରୋଗ୍ୟ କରାଯାଇପାରେ, ପୁଣି ସେହି ଅସ୍ତ୍ର ଦ୍ୱାରା ତାହାର ପ୍ରାଣ ନିଆଯାଇପାରେ । ଅକ୍ଷର ଜ୍ଞାନ କ୍ଷେତ୍ରରେ ଏହି ଉକ୍ତି ପ୍ରୟୋଗ କରାଯାଇପାରେ । ଆମ୍ଭେମାନେ ପ୍ରତିଦିନ ଲକ୍ଷ୍ୟ କରୁଛୁଁ ଯେ, ବହୁ ଲୋକ ଏହାର ଅପବ୍ୟବହାର କରୁଛନ୍ତି ଏବଂ ଅତି ଅଳ୍ପ ଲୋକେ ଏହାର ସଦ୍ ବ୍ୟବହାର କରୁଛନ୍ତି । ଯଦି ଆମର ଏ କଥା ସତ ହୋଇଥାଏ, ତେବେ ଅକ୍ଷର ଜ୍ଞାନ ଦ୍ୱାରା ହିତ ଅପେକ୍ଷା ହାନି ଅଧିକ ହୋଇଛି ବୋଲି ପ୍ରମାଣିତ ହେଲା ।

ସମ୍ପାଦକ: ବାଳକ (ବାଳିକା) ମାନଙ୍କୁ ପଠନ ଲିଖିନ ଓ ଗଣିତ ଶିକ୍ଷା ଦେବାକୁ ପ୍ରାଥମିକ ଶିକ୍ଷା କହନ୍ତି । ଚାଷୀ ସତ୍ ଉପାୟରେ ମୁଣ୍ତଝାଳ ତୁଣ୍ତରେ ମାରି ତାହାର ଜୀବିକା ଅର୍ଜନ କରେ । ସଂସାର ବିଷୟରେ ତାହାର ସାଧାରଣ ଜ୍ଞାନ ଥାଏ । ନିଜର ପିତା ମାତା ସ୍ତ୍ରୀ ସନ୍ତାନ,ସାଥୀ ଗ୍ରାମବାସୀ ମାନଙ୍କ ସହ କିପରି ବ୍ୟବହାର କରିବାକୁ ହୁଏ, ତାହା ସେ ଜାଣେ । ନୈତିକ ନିୟମମାନ ସେ ଜାଣେ ଏବଂ ପାଳନ କରେ ମାତ୍ର ସେ ନିଜର ନାମ ଲେଖି ଜାଣେ ନାହିଁ । ତା'କୁ ଅକ୍ଷରଜ୍ଞାନ ଦେଇ ତାହାର କଅଣ କରିପାରିବେ ବୋଲି ଆପଣ ଭାବୁଛନ୍ତି ? ଆପଣ ତାହାର ସୁଖରେ କାଣିଚାଏ ଯୋଗ କରିବେ କି ତାହାର କୁଡ଼ିଆଘର ଓ ଆପଣାର ଭାଗ୍ୟ ବିଷୟରେ ଆପଣ ତାହା ମନରେ ଅସନ୍ତୋଷ ଜନ୍ମାଇବାକୁ ଚାହାନ୍ତି କିଁ ? ଆପଣ ତାହା କରିବାକୁ ଚାହୁଁଥିଲେ ସୁଦ୍ଧା ଚାଷୀ ଏପରି ଶିକ୍ଷା ଚାହେଁ ନାହିଁ ।ପାଶ୍ଚାତ୍ୟ ବିଚାରବନ୍ୟାରେ ଭାସି ଯାଇ, ସପକ୍ଷ ଓ ବିପକ୍ଷରେ ଯୁକ୍ତିଗୁଡ଼ିକ ଓଜନ ନ କରି ଆମେ ସିଦ୍ଧାନ୍ତ କରିପକାଇଛୁଁ ଯେ, ଦେଶବାସୀଙ୍କୁ ଏହି ଶିକ୍ଷା ଦେବା ଉଚିତ ଅଟେ । ବର୍ତ୍ତମାନ ଉଚ୍ଚଶିକ୍ଷାର କଥା ବିଚାର କରାଯାଉ । ମୁଁ ଭୂଗୋଳଗଣିତ, ଜ୍ୟୋତିଷ, ବୀଜ-ଗଣିତଜ୍ୟାମିତି ଆଦି ପଢ଼ିଛି । ସେଥିରେ ମୋହର କଅଣ ହୋଇଯାଇଛି ? ମୁଁ ଏସବୁ ପଢ଼ିବା ଦ୍ୱାରା ମୋର ନିଜର ବା ପଡ଼଼ୋଶୀମାନଙ୍କର କି ଉପକାର ହୋଇଛି

ଅଧ୍ୟାପକ ହକ୍‌ସ୍ଲେ ଶିକ୍ଷାର ସଂଜ୍ଞା ନିମ୍ନମତେ ଦେଇଛନ୍ତି । ଯେ କିଶୋର ଅବସ୍ଥାରେ ଏପରି ତାଲିମ ପାଇଛି ଯେ, ତାହାର ଶରୀର ନିଜ ଇଚ୍ଛାଶକ୍ତିର ସଦା ଆଜ୍ଞାବହ; ଗୋଟିଏ ଯନ୍ତ୍ର ଭାବରେ ଦେହ ଯାହା କରିବାକୁ ସମର୍ଥ ତାହା ସେ ଅନାୟାସରେ ଓ ଆନନ୍ଦରେ କରିଯାଉଥାଏଯାହାର ବୁଦ୍ଧି ସ୍ୱଚ୍ଛ, ଶାନ୍ତ (ଉତ୍ତେଜନାଶୂନ୍ୟ) ତର୍କର ଇଞ୍ଜିନ ଏବଂ ଯେଉଁ ଇଞ୍ଜିନର ସକଳ ଅଙ୍ଗ ସମାନ ଶକ୍ତିଯୁକ୍ତ ଓ ସୁନ୍ଦର କାର୍ଯ୍ୟକାରୀ ଅବସ୍ଥାରେ ଅଛି,... ପ୍ରକୃତିର ମୌଳିକ ସତ୍ୟଗୁଡ଼ିକର ଜ୍ଞାନରେ ଯାହାର ମାନସ ପରିପୂର୍ଣ୍ଣ... ଯାହାର ପ୍ରବଳ ଇଚ୍ଛାଶକ୍ତି ଉଗ୍ର ବାସନାଗୁଡ଼ିକୁ ନିଜର ଆୟତ୍ତରେ ରଖିପାରିଛି, ଯେ କୋମଳ ବିବେକର ଶାସନ ଦ୍ୱାରା ସେଗୁଡ଼ିକୁ ବଶ କରିପାରିଛି,... ଯେ ସକଳ ପ୍ରକାରର ନୀଚତାକୁ ଘୃଣା କରେ ଏବଂ ଅନ୍ୟକୁ ଆପଣା ପରି ସମ୍ମାନ ଦିଏ ଏପରି ବ୍ୟକ୍ତି ଯଥାର୍ଥରେ ଉଦାର ଶିକ୍ଷା ଲାଭ କରିଛି ବୋଲି ମୁଁ କହିବି । ଏହା ଭିନ୍ନ ଆଉ କେହି ଉଦାର ଶିକ୍ଷା ପାଇଛି ବୋଲି ମୁଁ କହିବି ନାହିଁ । କାରଣ, ସେ (ପ୍ରକୃତ ଶିକ୍ଷିତ ବ୍ୟକ୍ତି) ପ୍ରକୃତି ସହ ଐକ୍ୟ ସ୍ଥାପନ କରିପାରିଛି । ସେ ପ୍ରକୃତିର ଓ ପ୍ରକୃତି ତାହାର ସର୍ବୋତ୍କୃଷ୍ଟ ବ୍ୟବହାର କରିପାରିବ ।

ଏହାକୁ ହିଁ ଯଦି ଯଥାର୍ଥ ଶିକ୍ଷା କୁହାଯାଏ, ତେବେ ଯେଉଁ ବିଜ୍ଞାନଗୁଡ଼ିକର କଥା କହିଲି,ମୋର ଇନ୍ଦ୍ରିୟ ଗୁଡ଼ିକୁ ସଞ୍ଜତ କରିବା ପାଇଁ ମୁଁ ସେଗୁଡ଼ିକୁ ବ୍ୟବହାର କରିପାରି ନାହିଁ । ତେଣୁ ପ୍ରାଥମିକ ଶିକ୍ଷା ହେଉ ବା ଉଚ୍ଚ ଶିକ୍ଷା ହେଉଅସଲ ଉଦ୍ଦେଶ୍ୟ ପାଇଁ ଏହା ଲୋଡ଼ା ନାହିଁ । ଏ ସବୁ ଆମକୁ ମଣିଷ କରାଇ ପାରିବ ନାହିଁ । ଆପଣା କର୍ତ୍ତବ୍ୟ କରିବାରେ ଏହା ଆମକୁ ଅଧିକ ସମର୍ଥ କରିପାରିବ ନାହିଁ ।

ପାଠକ: ଏହା ହୋଇଥିଲେ ଆପଣଙ୍କୁ ମୋର ଆଉ ଗୋଟିଏ ପ୍ରଶ୍ନ କରିବାକୁ ଅଛି । କାହା ବଳରେ ଆପଣ ମୋତେ ଏ ସବୁ ବିଷୟ ବୁଝାଇ କହିପାରିଛନ୍ତି ? ଯଦି ଆପଣ ଉଚ୍ଚ ଶିକ୍ଷା ପାଇ ନଥା'ନ୍ତେ, ଆପଣ ମୋତେ ଏସବୁ ବୁଝାଇ ପାରିଥା'ନ୍ତେ କି ?

ସମ୍ପାଦକ: ଆପଣ ଭଲ ପ୍ରଶ୍ନଟିଏ ଉଠାଇଛନ୍ତି । କିନ୍ତୁ ମୋର ଉତ୍ତର ଅତି ସରଳ । ଉଚ୍ଚ ବା ନିମ୍ନ ଶିକ୍ଷା ପାଇ ନ ଥିଲେ ମୋ' ଜୀବନ ଯେ ବ୍ୟର୍ଥ ହୋଇଯାଇଥା'ନ୍ତା, ମୂହୁର୍ତ୍ତକ ପାଇଁ ମୁଁ ଏପରି ବିଶ୍ୱାସ କରୁନାହିଁ । ମୁଁ କହିବୋଲି ପାରୁଛି ବୋଲି ଯେ ମୁଁ କାହାର ସେବା କରିପକାଉଛି –ଏହା ମୁଁ ଭାବୁନାହିଁ । କିନ୍ତୁ ମୋ ଭିତରେ ସେବା କରିବାର ତୀବ୍ର ଭାବନା ଅଛି ଏବଂ ସେହି ଇଚ୍ଛା ପୂରଣ କରିବା ପାଇଁ ମୋର ଶିକ୍ଷାକୁ ମୁଁ କାର୍ଯ୍ୟରେ ଲଗାଉଛି । ମୁଁ ଏହି ଶିକ୍ଷାର ସଦ୍‌ବ୍ୟବହାର କରୁଥିଲେ ହେଁ ଏହା କୋଟି କୋଟି ଲୋକଙ୍କ ପାଇଁ ନୁହେଁ କେବଳ ଆପଣଙ୍କ ପରି କେତେକଙ୍କ ପାଇଁ । ଏହି ଦୃଷ୍ଟିରୁ ମୋର ଯୁକ୍ତି ପ୍ରତିଷ୍ଠିତ ହୋଇଯାଉଛି । ଆପଣ ଓ ମୁଁ ଯେଉଁ ବିଷମୟ ପ୍ରଭାବରେ ପଡ଼ିଛୁଁ ,ତାହା ପ୍ରଧାନତଃ ଭ୍ରାନ୍ତ ଶିକ୍ଷା । ଏହି ଭ୍ରାନ୍ତ ଶିକ୍ଷାର କୁପ୍ରଭାବରୁ ନିଜକୁ ମୁକ୍ତ କରିପାରିଛି ବୋଲି ମୁଁ ଦାବୀ କରୁଛି ଏବଂ ମୋର ଅଭିଜ୍ଞତାର ଉପକାର ଆପଣଙ୍କୁ ଦେବା ପାଇଁ ଚେଷ୍ଟା କରୁଛି । ଏହା ଦ୍ୱାରା ମୁଁ ଏହି ଶିକ୍ଷାର ଅସାରତା ପ୍ରମାଣ କରି ଦେଖାଉଛି ।

ଅଧିକନ୍ତୁ ସକଳ ପରିସ୍ଥିତିରେ ମୁଁ ସାକ୍ଷରତାର ବା ପୁସ୍ତକଗତ ଜ୍ଞାନର ଯେ ବିରୋଧ କରୁଛିତାହା ନୁହେଁ । ମୁଁ ଏତିକି ମାତ୍ର ଦେଖାଇଛି ଯେ ଏହାକୁ ଆମେ ଏକ ବରଦାନକାରୀ ଦେବତା ବୋଲି ଭାବିବା ଉଚିତ ନୁହେଁ । ଏ ଆମର କାମଧୂକ ନୁହେଁ । ଯଥା ସ୍ଥାନରେ ଥିବା ପର୍ଯ୍ୟନ୍ତ ଏହା ଆମର କାମରେ ଆସିପାରିବ । ଏହା ଦ୍ୱାରା ଯେତେବେଳେ ଇନ୍ଦ୍ରିୟଗୁଡ଼ିକୁ ଆମର ବଶୀଭୂତ କରିପାରିବୁ, ଆମର ନୀତିମୟ ଜୀବନଦର୍ଶନକୁ ଏକ ସୁଦୃଢ଼ ମୂଳଦୁଆ ଉପରେ ପ୍ରତିଷ୍ଠିତ କରିପାରିବୁଁ ସେତିକିବେଳେ ମୁଁ କହିବି ଏହାର ଆବଶ୍ୟକତା ଅଛି । ସେତେବେଳେ ଆମେ ସେହି ଶିକ୍ଷା ପାଇବାକୁ ଚାହିଁଲେ ଆମେ ତାହାର ସଦ୍‌ବ୍ୟବହାର କରିପାରୁ । ଅଳଙ୍କାର ପରି ଏହା ଆମଠାରେ ସମସ୍ତଙ୍କ ସକାଶେ ବାଧ୍ୟତାମୂଳକ କରିବା ଅନାବଶ୍ୟକ । ଆମର ପ୍ରାଚୀନ ଶିକ୍ଷାପଦ୍ଧତି ଆମ ପକ୍ଷରେ ଯଥେଷ୍ଟ । ଚରିତ୍ର ଗଠନକୁ ଏଥିରେ ପ୍ରଥମ ସ୍ଥାନ ଦିଆଯାଇଛି ଏବଂ ତାହା ହିଁ ପ୍ରାଥମିକ ଶିକ୍ଷା । ସେହି ମୂଳଦୁଆ ଉପରେ ଆମେ ଯାହା ଗଢିବୁଁ ତାହା ତିଷ୍ଠିବ ।


(ହିନ୍ଦ ସ୍ୱରାଜ୍ ,୧୮ଶ ଅଧ୍ୟାୟ-୧୯୦୮ ମସିହାର ସଂସ୍କରଣ)

Tuesday, October 08, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ପ୍ରାଥମିକ ଶିକ୍ଷାର ପ୍ରସାର: ସହକର୍ମୀ ଓ ଶିକ୍ଷକ ସମାଜ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗିଜୁଭାଇ ନିଜେ ନିଜେ ଅଭ୍ୟାସ, ପ୍ରୟୋଗ ଏବଂ ଅନୁଭବରୁ ଜଣେ ସଫଳ ପ୍ରାଥମିକ ଶିକ୍ଷକ ହୋଇ ପାରିଥିଲେ। ପିଲାଙ୍କ ସହ କାମ କରିବାର ନୂଆ ଦୃଷ୍ଟିକୋଣ, ନୂଆ ବିଚାରଧାରା ଏବଂ ନୂଆ କୌଶଳ ସେ ହାସଲ କରିଥିଲେ । କିନ୍ତୁ ଏତିକି ଯଥେଷ୍ଟ ନଥିଲା । କିପରି ଏହି ଶିକ୍ଷା ପଦ୍ଧତି ଆହୁରି ବ୍ୟାପକ ହେବ ଏବଂ ଅଧିକରୁ ଅଧିକ ପିଲା ଏହାର ଲାଭ ପାଇବେ ସେ ଦିଗରେ ଗିଜୁଭାଇ ଚିନ୍ତା କରୁଥିଲେ ।

ସହକର୍ମୀ

ଏ ଦିଗରେ ଚିନ୍ତା କରିବା ବେଳେ ପ୍ରଥମେ ତାଙ୍କ ନଜରକୁ ତାଙ୍କ ସହକର୍ମୀମାନେ ଆସିଥିଲେ । ସେଥିପାଇଁ ଦିନବେଳେ କାମ ସାରି ସନ୍ଧ୍ୟାବେଳେ ସେ ସେମାନଙ୍କୁ ଏ ବିଷୟରେ ବୁଝାଉଥିଲେ । କିଛି ସାଥିଙ୍କ ମନରେ ସନ୍ଦେହ ଆସିଥିଲା ଯେ, ପିଲାଙ୍କୁ ସ୍ୱାଧୀନତା ଦେଲେ ସେମାନେ ବିଶୃଙ୍ଖଳ ହୋଇଯିବେ । ଏଭଳି ପରିସ୍ଥିତିରେ କଣ କରାଯିବ ? ସାଥିମାନେ ନିଜେ ନିଜେ ଏ ବିଷୟରେ ଚିନ୍ତା କରି ସମାଧାନର ବାଟ ଖୋଜିଲେ । ଏହି ବାଟ ଖୋଜା ଭିତରେ ହିଁ ସେମାନଙ୍କର ଶିକ୍ଷା ଗଭୀରତର ହେଉଥିଲା ।

ଶିକ୍ଷକ ସମାଜ

ଧୀରେ ଧୀରେ ଗିଜୁଭାଇଙ୍କ ସହକର୍ମୀମାନେ ତାଙ୍କର ଏହି ଶିକ୍ଷା ପଦ୍ଧତିକୁ ଗ୍ରହଣ କରି ନେଇଥିଲେ, ତେଣୁ ସେ ଏବେ ନିଜ ସ୍କୁଲ ବାହାରର ଶିକ୍ଷକଙ୍କ କଥା ଚିନ୍ତା କଲେ । ସେ ଶିକ୍ଷକମାନଙ୍କୁ ଏକାଠି କରି 'ଶିକ୍ଷକ କିପରି ହେବା ଉଚିତ, ପିଲା ସହ କିପରି ବ୍ୟବହାର କରିବା ଦରକାର, କିପରି ପାଠ ପଢ଼ାଇବେ' ଆଦି ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ଲାଗିଲେ । ଏହିଭଳି ମିଳାମିଶା ଓ ଆଲୋଚନା ମାଧ୍ୟମରେ ସେମାନେ ଶିକ୍ଷାର ନୂଆ ଦିଗ ପ୍ରତି ଶିକ୍ଷକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧିବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକାସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, October 05, 2019

ଶିକ୍ଷକମାନଙ୍କର ଆର୍ଥିକ ସ୍ଥିତି


ଶଶିଭୂଷଣ ରାୟ


ଚିତ୍ର 'ସ୍କୁଲ୍ ଟିଚର୍' (୧୭୨୭ ମସିହାରେ କାନ୍‌ଭାସ୍ ଉପରେ ଅଙ୍କିତ ତୈଳଚିତ୍ର)
ଚିତ୍ରକର - କ୍ରିସ୍ତଫ୍ ଲୁବିଏନିଏଚ୍‌କି (୧୬୫୯ - ୧୯୨୯; ପୋଲାଣ୍ଡ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଶିକ୍ଷକମାନେ ଦରିଦ୍ର । ଅନ୍ୟାନ୍ୟ ବୃତ୍ତି ତୁଳନାରେ ଶିକ୍ଷକର ବେତନ ନିତାନ୍ତ ଅଳ୍ପ । ଯେ ନିଜ ଶକ୍ତିବଳରେ ଅଧିକ ଅର୍ଥ ଉପାର୍ଜନ-କ୍ଷମ, ସେ ଅଳ୍ପ ଅର୍ଥରେ କାହିଁକି ସନ୍ତୁଷ୍ଟ ହେବେ ?
ଏହି ହେତୁରୁ ଅନେକେ କହିଥାଆନ୍ତି ପ୍ରତିଭାଶାଳୀ ବ୍ୟକ୍ତି ଅନ୍ୟ ବୃତ୍ତି ଅବଲମ୍ୱନ କଲେ ସହଜରେ ଶିକ୍ଷକ ହେବାକୁ ଇଚ୍ଛୁକ ହୁଅନ୍ତି ନାହିଁ । ପୁଣି ଶିକ୍ଷକଙ୍କର ପଦମର୍ଯ୍ୟାଦା ଏବଂ ପ୍ରତିପତ୍ତି ବଡ ଅଳ୍ପ । ଶିକ୍ଷକ ସାଧାରଣତଃ ନିତାନ୍ତ ଅବଜ୍ଞାତ; ବିଦ୍ୟା, ଜ୍ଞାନ, ଧର୍ମ, ଚରିତ୍ର ଏବଂ ମନସ୍ୱିତାରେ ସମକକ୍ଷ, ଏପରି କି ମହତ୍ତର ହେଲେ ହେଁ ପଦସ୍ଥ ରାଜକର୍ମଚାରୀ, ଆଇନ-ବ୍ୟବସାୟୀ ଏବଂ ଚିକିତ୍ସିକ ପ୍ରଭୃତି ସମାଜରେ ଯେପରି ଆଦୃତ ଏବଂ ସମ୍ମାନିତ ହୁଅନ୍ତି, ଶିକ୍ଷକ ସେପରି ହୁଅନ୍ତି ନାହିଁ; ସେମାନଙ୍କର ସମାଜରେ ଯେଭଳି ପ୍ରତିପତ୍ତି ଥାଏ, ଶିକ୍ଷକ ତାହା ପାଆନ୍ତି ନାହିଁ । ଅନେକ ଯୋଗ୍ୟ ଶିକ୍ଷକ ଏହା ଅନୁଭବ କରିଅଛନ୍ତି, ସୂକ୍ଷ୍ମଦର୍ଶୀ ମାତ୍ରକେ ଏହା ଲକ୍ଷ୍ୟ କରୁଥିବେ; ସତ୍ୟାନୁରାଗୀ କୌଣସି ବ୍ୟକ୍ତି ଏହା ଅସ୍ୱୀକାର କରିପାରିବେ ନାହିଁ ।
ପ୍ରତିଭାଶାଳୀ ବ୍ୟକ୍ତି କେହି ଶିକ୍ଷକତା ଅବଲମ୍ୱନ କରି ଅଛନ୍ତି ଶୁଣିଲେ ଅନେକେ ନାସିକା କୁଞ୍ଚିତ କରିଥାଆନ୍ତି । ମନେ କରନ୍ତି ଏବଂ କହନ୍ତି, 'ଲୋକଟି ଅପଦାର୍ଥ ହୋଇଗଲା, ତାହାର ଶକ୍ତି ସମସ୍ତ ବିଫଳ ହେଲା । ଏତେ ଶିଖି, ଏତେ ଯୋଗ୍ୟତା ଲାଭ କରି ଶେଷରେ ମାଷ୍ଟର ହେଲା? ସମସ୍ତ ଶକ୍ତି ଶେଷରେ ବୃଥା କରିବାକୁ ବସିଲା? ଯେବେ ବଡ ନ ହେଲା, ପଦମର୍ଯ୍ୟାଦା ଲାଭ ନ କଲା, ତେବେ ଏତେ ଶକ୍ତି, ଏତେ ବିଦ୍ୟାଲାଭର କି ପ୍ରୟୋଜନ ଥିଲା?' 
ଏଭଳି ପ୍ରଶ୍ନସମୂହର ଉତ୍ତର ଅନେକ ଶିକ୍ଷକଙ୍କୁ ସ୍ୱୀୟ ହିତୈଷୀ ଆତ୍ମୀୟ ବାନ୍ଧବଙ୍କ ନିକଟରେ ଦେବାକୁ ହୋଇଥାଏ । ବାଳକ ଭବିଷ୍ୟତରେ ଶିକ୍ଷକ ହେବ, କୌଣସି ଅଭିଭାବକ ଏହା ସହଜରେ ଇଚ୍ଛା କରନ୍ତି ନାହିଁ । ସମାଜରେ ପଦଗୌରବ ଓ ପ୍ରତିଷ୍ଠା ଲାଭରେ ଯେଉଁମାନଙ୍କର ଆକାଂକ୍ଷା ରହିଅଛି, ଏଭଳି ଯୁବକ ଶିକ୍ଷକ ହେବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ ।
ଶିକ୍ଷକ ଦରିଦ୍ର, ଶିକ୍ଷକ ଅବଜ୍ଞାତ । ସମ୍ପଦ ଏବଂ ସମ୍ମାନ-ପାର୍ଥିବ ପ୍ରଧାନ ଦୁଇ ବସ୍ତୁ, ଯହିଁରୁ ଗୋଟିଏ ସୁଦ୍ଧା ଯେଉଁ ବୃତ୍ତିରେ ନାହିଁ, ସେହି ବୃତ୍ତି ଗ୍ରହଣରେ ଲୋକଙ୍କର, ବିଶେଷତଃ ପ୍ରତିଭାବାନ୍ ଲୋକଙ୍କର ଆଗ୍ରହ ହେବ କାହିଁକି ?
ଶିକ୍ଷକ ଦରିଦ୍ର, ତାଙ୍କୁ ଦରିଦ୍ର ହୋଇ ରହିବାକୁ ହେବ । ଦରିଦ୍ର ଦୋଷ ଦୂର କରି ସମ୍ପଦର ପ୍ରଲୋଭନ ଏହି ବୃତ୍ତିରେ ଆନୟନ କରିବା ଦୁଃସାଧ୍ୟ । ଦେଶ ଦରିଦ୍ର, ଦେଶରେ ଯେତେ ବାଳକ ପଢ଼ନ୍ତି, ସେମାନଙ୍କ ପାଇଁ କେତେଗୁଡ଼ିଏ ବିଦ୍ୟାଳୟ ପ୍ରୟୋଜନ, ସମସ୍ତ ସ୍ଥାପନ କରି ତହିଁରେ ଶିକ୍ଷାର ଅନ୍ୟ ସମସ୍ତ ବନ୍ଦୋବସ୍ତ ଯାହା ଅଭାବରେ ସୁଶିକ୍ଷା ହେବ ନାହିଁ ଦେଶ ଏହାର ବ୍ୟୟ ଦେବାକୁ ଅସମର୍ଥ । ସେହି ଦେଶ ଯେ ଶିକ୍ଷକଙ୍କୁ ବେଶି ବେତନ ଦେଇପାରିବ, ଏଭଳି ଆଶା କରିବା ବିଡ଼ମ୍ୱନା ମାତ୍ର ।
ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟ ଓ ଭୋଗବିଳାସସମ୍ଭୋଗ ଅର୍ଥସାପେକ୍ଷ । ଅର୍ଥବଳ ସାମାଜିକ ପଦମର୍ଯ୍ୟାଦା ଓ ପ୍ରତିପତ୍ତି ଲାଭରେ ଅନେକ ସହାୟତା କରିଥାଏ । ସୁତରାଂ ପ୍ରତିଭା ଓ ବିଦ୍ୟାବଳରେ ଅର୍ଥୋପାର୍ଜ୍ଜନର ଶକ୍ତି ଯାହାଙ୍କର ଅଛି, ତାଙ୍କ ପକ୍ଷରେ ଅର୍ଥୋପାର୍ଜ୍ଜନର ପ୍ରଲୋଭନ ବଡ଼ ପ୍ରବଳ । କିନ୍ତୁ ଏହି ହେତୁରୁ ପ୍ରତିଭା ଏବଂ ବିଦ୍ୟାର ଅଧିକାରୀ ହିଁ ଯେ ଏହି ପ୍ରଲୋଭନରେ ପ୍ରଲୁବ୍‌ଧ ହେବେ, ସମସ୍ତେ ହିଁ ଯେ ଅର୍ଥୋପାର୍ଜ୍ଜନ ଓ ଅର୍ଥଲଭ୍ୟ ସୁଖସମ୍ମାନ ବ୍ୟତୀତ ନିଜର ପ୍ରତିଭା ଓ ବିଦ୍ୟା ନିରର୍ଥକ ହେଲା ବୋଲି ମନରେ ପାଞ୍ଚିବେ, ଏହା ଅନୁମାନ କରିବା ମଧ୍ୟ ଭୁଲ । 
ସୁତରାଂ ଦାରିଦ୍ର୍ୟ ଭୟରେ ଯେ ସେମାନେ ଶିକ୍ଷକତା ଗ୍ରହଣ କରନ୍ତି ନାହିଁ, ଏହା ମଧ୍ୟ ସତ୍ୟ ନୁହେ । ଦାରିଦ୍ୟ ଅନେକେ ସହି ପାରନ୍ତି; କିନ୍ତୁ ଅବଜ୍ଞା ସହିବା ବଡ଼ କଠିନ । ଶିକ୍ଷକମାନେ ଯେବେ ଦେଖୁଥାଆନ୍ତେ, ସମାଜରେ ସେମାନଙ୍କର ଯୋଗ୍ୟ ପଦ ଓ ଯୋଗ୍ୟ ସମ୍ମାନରେ ସେମାନେ ପୂଜିତ ହେଉଅଛନ୍ତି, ତାହା ହେଲେ କେବଳ ଦାରିଦ୍ୟ ଭୟରେ ସେମାନେ କୁଣ୍ଠିତ ହୁଅନ୍ତେ ନାହିଁ ।
କାହିଁକି ସେମାନେ ଏ ସମ୍ମାନ ପାଆନ୍ତି ନାହିଁ ? ଦେଶରେ ଶିକ୍ଷକ କାହିଁକି ଏତେ ଅବଜ୍ଞାତ ?
ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Monday, September 16, 2019

ପିଲାଙ୍କ ଢଗଢମାଳି - ୮

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଷୋଡ଼ଶ ଶତାବ୍ଦୀର ମୋଗଲ ମିନିଏଚର୍ ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୩୪

ଅଖାଇ ବୋଇଲେ ଚଳେ
ଶିଳୁପୁଆଟାକର ଗୁଣ୍ଡା ବଳେ

ଅର୍ଥ - ନିଜେ କିଛି କରୁଥିବାର ଛଳନା କରୁଥିବା ବେଳେ ସବୁ କିଛି କରେ ।

୩୫

ଅଗସ୍ତି ଦେଲେ ଦାନ
କଷା ଗୁଆକୁ ପଚା ପାନ ।

ଅର୍ଥ - ଅନିଚ୍ଛାକୃତ ଦାନର କିଛି ମୂଲ୍ୟ ନାହିଁ ।

୩୬

ଅଗସ୍ତି ଦେଲେ ଦାନ
ମାଛିଗୋଡ଼ଠାରୁ ସାନ ।

ଅର୍ଥ - କୃପଣର ଦାନ ତୁଚ୍ଛ ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ 

Saturday, September 07, 2019

ହର୍ଷ ବର୍ଦ୍ଧନ

କେଦାରନାଥ ମହାପାତ୍ର


ହର୍ଷବର୍ଦ୍ଧନଙ୍କର ପ୍ରାସାଦର ଭଗ୍ନାବଶେଷ (ୱିକିମିଡିଆ କମନ୍ସ୍)

ସପ୍ତମ ଶତାବ୍ଦୀ ବେଳକୁ ଯୁକ୍ତ ପ୍ରଦେଶ [ବର୍ତ୍ତମାନର ଉତ୍ତର ପ୍ରଦେଶ] ର ଥାନେଶ୍ୱର ନାମକ ସ୍ଥାନରେ ବର୍ଦ୍ଧନ ବଂଶ କ୍ଷମତାଶାଳୀ ହୋଇ ଉଠିଲେ । ଏହି ବଂଶର ପ୍ରଭାକର ବର୍ଦ୍ଧନ କିଛି କାଳ ରାଜତ୍ୱ କରିବା ପରେ ତାଙ୍କ ପୁତ୍ର ରାଜ୍ୟ ବର୍ଦ୍ଧନ ରାଜା ହେଲେ । ସେ ଦୁଇ ବର୍ଷ ମାତ୍ର ରାଜତ୍ୱ କରିବା ପରେ ଗୌଡ ବା ବଙ୍ଗ ଦେଶର ରାଜା ଶଶାଙ୍କ ତାଙ୍କୁ ମାରି ପକାଇଲେ । ତେଣୁ ତାଙ୍କର ସାନ ଭାଇ ହର୍ଷ ବର୍ଦ୍ଧନ ୬୦୬ ଖ୍ରୀଷ୍ଟାବ୍ଦରେ ଥାନେଶ୍ୱରର ରାଜା ହେଲେ ଓ ୬୦୬ ଖ୍ରୀଷ୍ଟାବ୍ଦରୁ ହର୍ଷାବ୍ଦ ନାମକ ଗୋଟିଏ ଅବ୍ଦ ଚଳାଇଲେ । 

ରାଜା ହେବା ମାତ୍ରେ ସେ ଛଅ ବର୍ଷ କାଳ ଯୁଦ୍ଧ କରି ଉତ୍ତର ଭାରତର କେତେକ ରାଜ୍ୟ ଜୟ କରିଥିଲେ ଓ ତାଙ୍କର ଭଉଣୀ ରାଜ୍ୟଶ୍ରୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । କାମରୂପ ବା ଆସାମର ରାଜା ଭାସ୍କର ବର୍ମନଙ୍କ ସାହାଯ୍ୟରେ ବଙ୍ଗଳାର ରାଜା ଶଶାଙ୍କଙ୍କୁ ପରାସ୍ତ 
କରିଥିଲେ । ଉତ୍ତର ଭାରତ ଜୟ କରି ସେ ଦକ୍ଷିଣ ଭାରତ ଜୟ କରିବାକୁ ବାହାରିଲେ । 

ସେତେବେଳେ ଦାକ୍ଷିଣାତ୍ୟରେ ଚାଲୁକ୍ୟମାନେ ବିଶେଷ ଶକ୍ତିଶାଳୀ ଥିଲେ । ଚାଲୁକ୍ୟ ରାଜା ଦ୍ୱିତୀୟ ପୁଲକେଶୀ ହର୍ଷଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଥିଲେ ଓ ନର୍ମଦା ନଦୀ ଦୁହିଁଙ୍କ ରାଜ୍ୟର ସୀମା ରୂପେ ନିର୍ଦ୍ଦିଷ୍ଟ ହେଲା । ରାଜ୍ୟ ଶାସନର ସୁବିଧା ପାଇଁ ସେ ଥାନେଶ୍ୱରରୁ କାନ୍ୟକୁବ୍‌ଜକୁ ରାଜଧାନୀ ଉଠାଇ ନେଇଥିଲେ । ୬୪୨ ଖ୍ରୀଷ୍ଟାବ୍ଦରେ ସେ ଓଡ଼ିଶା ଜୟ କରିବାକୁ ଆସିଥିଲେ । କିନ୍ତୁ ଓଡ଼ିଶା ରାଜା ତାଙ୍କର ସମ୍ପୂର୍ଣ୍ଣ ଅଧୀନତା ସ୍ୱୀକାର କରି ନ ଥିଲେ । ସେ ରାଜତ୍ୱର ଶେଷ ବେଳକୁ ‘ମଗଧ ସମ୍ରାଟ’ ଉପାଧି ଧାରଣ କରିଥିଲେ । ତାଙ୍କର ରାଜ୍ୟ ହିମାଳୟଠାରୁ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ବ୍ରାହ୍ମପୁତ୍ରଠାରୁ ଯମୁନା ଓ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ୬୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

ସେ ପ୍ରଥମେ ଶୈବ ଥିଲେ, କିନ୍ତୁ ପରେ ବୌଦ୍ଧ ହୋଇ ଏହି ଧର୍ମର ଉନ୍ନତି ପାଇଁ ଚେଷ୍ଟା କରିଥିଲେ । ସେ ରାଜା ହୋଇ ମଧ୍ୟ ପଣ୍ଡିତ ଓ ସୁଲେଖକ ଥିଲେ ଓ କେତେଗୁଡିଏ ଉତ୍କୃଷ୍ଟ ଗ୍ରନ୍ଥ ରଚନା କରିଥିଲେ । ବାଣ ଭଟ୍ଟ ନାମକ ତାଙ୍କ ସଭାର ଜଣେ ପ୍ରସିଦ୍ଧ କବି ‘କାଦମ୍ୱରୀ’ ଓ ‘ହର୍ଷଚରିତ’ ନାମକ ଦୁଇଟି ଭଲ ଗ୍ରନ୍ଥ ଲେଖିଥିଲେ । 

ହର୍ଷଙ୍କ ରାଜତ୍ୱରେ ଚୀନ ଦେଶରୁ ହୁଏନ୍‌ସାଂ ନାମକ ବୌଦ୍ଧ ଭିକ୍ଷୁ ଭାରତକୁ ଆସିଥିଲେ । ସେ ଫାହିଆନ୍‌ଙ୍କ ପରି ଗୋଟିଏ ବିସ୍ତୃତ ଭ୍ରମଣ ବୃତ୍ତାନ୍ତ ଲେଖିଛନ୍ତି । ଏହା ତତ୍‌କାଳୀନ ଇତିହାସର ଗୋଟିଏ ଭଣ୍ଡାର ପରି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Thursday, August 01, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷା କିପରି ହେବା ଉଚିତ

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୮୦୧ ମସିହାରେ ଅଙ୍କିତ ଇଟନ ବିଦ୍ୟାଳୟର ଦୃଶ୍ୟ (ୱିକିମିଡିଆ କମନ୍ସ୍)


ପାଶ୍ଚାତ୍ୟ ଦେଶଗୁଡ଼଼ିକରେ ଶିକ୍ଷାର ମୂଲ୍ୟ ଏତେ ବେଶୀ ଯେ, ବଡ଼ ବଡ଼ ଶିକ୍ଷକଙ୍କୁ ବହୁତ ସମ୍ମାନ ମିଳେ । ଇଂଲଣ୍ତରେ ଆଜି ମଧ୍ୟ ଶହ ଶହ ବର୍ଷର ପୁରୁଣା ସ୍କୁଲମାନ ଅଛି ଏବଂ ଏଥିରୁ ବହୁ ପ୍ରସିଦ୍ଧ ବ୍ୟକ୍ତି ବାହାରିଛନ୍ତି । ଏହି ପ୍ରସିଦ୍ଧ ସ୍କୁଲମାନଙ୍କ ମଧ୍ୟରୁ ଇଟନ ଗୋଟିଏ । ସେହି ସ୍କୁଲର ପୁରାତନ ଛାତ୍ରମାନେ କେତେ ମାସ ପୂର୍ବରୁ ସେଥିର ପ୍ରଧାନ ଅଧ୍ୟାପକ ଡକ୍ଟର ୱେରଙ୍କୁ ଅଭିନନ୍ଦନ ଜଣାଇଥି୍ଲେ । ସାରା ଇଂରେଜୀଭାଷୀ ଦୁନିଆରେ ତାଙ୍କର ଖ୍ୟାତି ଅଛି । ସେହି ସମୟରେ ସେଠାକାର ପ୍ରସିଦ୍ଧ ସମ୍ୱାଦପତ୍ର 'ଫଲମଲ୍ ଗେଜଟ୍' ପ୍ରକୃତ ଶିକ୍ଷାର ଯାହା ବର୍ଣ୍ଣନା କରିଥିଲେ ତାହା ଆମ ସମସ୍ତଙ୍କର ଜାଣିବା ଆବଶ୍ୟକ । 
'ଫଲମଲ୍ ଗେଜେଟ୍‌'ର ଲେଖକ କହୁଛନ୍ତି –

'ପୁରୁଣା ବା ବର୍ତ୍ତମାନ ପୁସ୍ତକଗୁଡ଼ିକରୁ ଜ୍ଞାନ ଅର୍ଜନ କରିବା ପ୍ରକୃତ ଶିକ୍ଷାର ଅର୍ଥ ନୁହେଁ ଏହା ଆମେ ସ୍ୱୀକାର କରୁଅଛୁଁ । ପ୍ରକୃତ ଶିକ୍ଷା ବାତାବରଣରେ ଥାଏ, ନିକଟବର୍ତ୍ତୀ ପରିପାର୍ଶ୍ୱରେ ଥାଏଯେଉଁ ସାଙ୍ଗସାଥୀମାନଙ୍କଠାରୁ ଆମେ ଜ୍ଞାତସାରରେ ବା ଅଜ୍ଞାତସାରରେ ନାନା ଅଭ୍ୟାସ ଶିଖୁଁ ଓ ଯେଉଁମାନଙ୍କ ସହ କାର୍ଯ୍ୟ କରୁ ସେମାନଙ୍କ ଠାରୁ ଶିକ୍ଷା ପାଇଥାଉଁ । ଆମେ ଉତ୍ତମ ପୁସ୍ତକମାନ ପଢ଼ିବା ବା ଅନ୍ୟ ଉତ୍ସରୁ ସଙ୍ଗ୍ରହ କରି ଜ୍ଞାନ ବଢ଼ାଇବା ଆମମାନଙ୍କର ଉଚିତ । ମାତ୍ର ମନୁଷ୍ୟତା ଶିଖିବା ଆମ ପକ୍ଷରେ ଅଧିକ ଆବଶ୍ୟକ ଅଟେ । ଏଥିପାଇଁ ଶିକ୍ଷାର ପ୍ରକୃତ କାର୍ଯ୍ୟ ହେଉଛି ମନୁଷ୍ୟତା ଶିଖାଇବା, ବର୍ଣ୍ଣମାଳା ଶିଖାଇବା ନୁହେଁ । ଆରିଷ୍ଟଟ୍‌ଲ କହି ଯାଇଥିଲେ ଯେ, ମୋଟା ମୋଟା ବହି ପଢ଼ିଲେ ସଦ୍‌ଗୁଣ ଆସିଯାଏ ନାହିଁ, ସତକର୍ମ କଲେ ଯାଇ ସଦ୍‌ଗୁଣ ଜନ୍ମେ । ଆଉ ଜଣେ ମହାନ୍ ଲେଖକ କହିଛନ୍ତି ଯେ, ଆପଣଙ୍କର କୌଣସି ବିଷୟକୁ ଉତ୍ତମ ରୂପେ ଜାଣିବା ତ ଠିକୁ ଅଟେ । କିନ୍ତୁ ଆପଣ ଠିକ୍ ରୂପେ ତାହା ଆଚରଣ କଲେ ଯାଇ ସୁଖୀ ହେବେ । ଏହି ମାପକାଠିରେ ଇଂଲଣ୍ତର ସ୍କୁଲଗୁଡ଼ିକ ଊଣା ଯୋଗ୍ୟ ତାହା ନୁହେଁ । ମନୁଷ୍ୟ-ନିର୍ମାଣର ସ୍ଥାନ ରୂପେ ଯଦି ଆମେ ଇଂଲଣ୍ତର ସ୍କୁଲଗୁଡ଼ିକୁ ବିଚାର କରୁ ତେବେ ଦେଖିବୁ ଯେ, ଏଗୁଡ଼ିକ ଆମକୁ ଶାସନକର୍ତ୍ତା ଯୋଗାଉଛନ୍ତି । ଜର୍ମାନ୍ ସ୍କୁଲଗୁଡ଼ିକର ଛାତ୍ରମାନଙ୍କର ଜ୍ଞାନ ଯେତେ ଅଧିକ ହେଲେ ହେଁ ଯଦି ଇଟନ ସ୍କୁଲ ପରି ସମାନ କାର୍ଯ୍ୟ ସେଗୁଡ଼ିକଠାରୁ ଆମେ ଚାହୁଁ, ତେବେ ସେ ଦକ୍ଷତା ଆମେ ସେଥିରୁ ପାଇବୁଁ ନାହିଁ । ଇଂଲଣ୍ତର ସ୍କୁଲଗୁଡ଼ିକରେ ଆଉ ଯେତେ ଦୋଷ ଥାଉ ପଛକେ, ସେଗୁଡ଼ିକ ପ୍ରକୃତ ମନୁଷ୍ୟ ଗଢ଼ୁଛନ୍ତି । ସେଗୁଡିକ ଏପରି ଲୋକ ଗଢ଼ୁଛନ୍ତି ଯେ ଯଦି ଇଂଲଣ୍ତର ଦ୍ୱାରଦେଶରେ ଅନ୍ୟ ଲୋକ (ଶତୃ?)ପହଞ୍ଚିଯା'ନ୍ତି, ତେବେ ସେମାନଙ୍କୁ ଜବାବ୍ ଦେବାକୁ ପ୍ରସ୍ତୁତ ଥାନ୍ତି ।'

ଯେଉଁ ଦେଶରେ ଶିକ୍ଷାର ଏଡ଼େ ସୁନ୍ଦର ଅର୍ଥ କରାଯାଉଛି, ସେ ଦେଶ କାହିଁକି ସମ୍ପଦଯୁକ୍ତ ତାହା ଅବିଳମ୍ୱେ ଆମେ ବୁଝିପାରିବୁଁ । ଏପରି ଶିକ୍ଷା ଯଦି ଭାରତର ବାଳକମାନେ ପାଇବେ, ତେବେ ଭାରତର ଭାଗ୍ୟ ଫେରିଯିବ । ପିତାମାତା ଶିକ୍ଷକ ଓ ଛାତ୍ରମାନେ ସମସ୍ତେ ଏହି ଉକ୍ତି ପ୍ରତି ଧ୍ୟାନ ଦେବା ଆବଶ୍ୟକ । କେବଳ ଏ କଥାକୁ ଜାଣିଲେ ଯଥେଷ୍ଟ ହେବ ନାହିଁ । ତଦନୁସାରେ କାର୍ଯ୍ୟ କରି ଦେଖାଇବା ଉଚିତ । ଉଦ୍ଦେଶ୍ୟ ହେଉଛି ପିତାମାତାଙ୍କର ସନ୍ତାନମାନଙ୍କୁ ସେହିପରି ସୁନ୍ଦର ଶିକ୍ଷା ଦେବା ଉଚିତ । ଅକ୍ଷରଜ୍ଞାନକୁ ଶିକ୍ଷା କୁହଯ।ଏ ନାହିଁ, ଏହା ବୁଝି ଶିକ୍ଷକ ମାନଙ୍କର ନିଜର ଦାୟିତ୍ୱ ସମ୍ପାଦନ କରିବା ଉଚିତ ।

ଗୁଜୁରାତୀ ଇଣ୍ତିଆନ୍ ଓପିନିୟନ୍ ତା ୧୮--୧୯୦୭