Sunday, October 30, 2016

ଭାରତରେ ଶିଶୁ-କୈନ୍ଦ୍ରିକ ଶିକ୍ଷା


ବିଶ୍ୱଜିତ ଆପଟ


ଶତାୟୁ ନୟି ତାଲିମ କର୍ମୀ ଚିତ୍ତଭୂଷଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 



ଭାରତାୟ ଶିକ୍ଷା ବ୍ୟବସ୍ଥା ପାଠ୍ୟପୁସ୍ତକ-କୈନ୍ଦ୍ରିକ ଓ ପରୀକ୍ଷା-କୈନ୍ଦ୍ରିକ । ଏଥିରେ ବିଦ୍ୟାର୍ଥୀଙ୍କୁ ପୁସ୍ତକଗତ ବିଦ୍ୟାକୁ ମୁଖସ୍ତକରି ପରୀକ୍ଷା ଖାତାରେ ଢାଳିଦେବାକୁ ପଡେ । ଶ୍ରେଣୀଗୃହରେ ଶିକ୍ଷକ ଶିକ୍ଷୟତ୍ରୀଙ୍କର ଏକଛତ୍ରବାଦ ଚାଲେ । ଏହି ପରିପ୍ରେକ୍ଷୀରେ ଶିଶୁ-କୈନ୍ଦ୍ରିକ ଶିକ୍ଷା ନିମନ୍ତେ ବର୍ତ୍ତମାନ ଯେଉଁସବୁ ପଦକ୍ଷେପମାନ ନିଆଯାଉଛି, ସେସବୁ ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବ ବୋଲି ଆମେ ସମସ୍ତେ ଆଶା ବାନ୍ଧିଛୁ । କିନ୍ତୁ ଟିକେ ନିରୀକ୍ଷଣ କଲେ ଆମେ ଦେଖିବା ଯେ ଶିଶୁ-କୈନ୍ଦ୍ରିକ ଶିକ୍ଷା ବୋଲି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଶୈକ୍ଷଣିକ ପ୍ରଣାଳୀ ନାହିଁ । ଅଲଗା ଅଲଗା ଦାର୍ଶନିକ ଉତ୍ସ ଦ୍ୱାରା ପ୍ରେରିତ ଭିନ୍ନ ଭିନ୍ନ ଶୈକ୍ଷଣିକ ଶୈଳୀ ଯେଇଁ ପ୍ରଗତିଶୀଳ, ମାନବିକ ଓ ଗଠନମୂଳକ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ରଖିଲେ, ତାହା ଶିଶୁ-କୈନ୍ଦ୍ରିକ ଶିକ୍ଷା ନାମରେ ବିଦିତ ହୋଇଛି । ୧୯୬୦ ଓ ୭୦ ଦଶକର ବ୍ରିଟେନରେ ଯେତେବେଳେ ଶିଶୁ-କୈନ୍ଦ୍ରିକ ଆନ୍ଦୋଳନର ସୂତ୍ରପାତ ହେଲା, ଶିକ୍ଷାଦାନର ଲକ୍ଷ୍ୟ “ଶିଶୁର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ବିକାଶ” ବୋଲି କୁହାଗଲା । ଶିଶୁ-କୈନ୍ଦ୍ରିକ ଶିକ୍ଷାର ଲକ୍ଷ୍ୟ ରଖି ଏବେ ଯେଉଁ ଉପକ୍ରମଗୁଡ଼ିକ ଭାରତରେ ଆରମ୍ଭ ହୋଇଛି, ସେସବୁ ବିଦ୍ୟାଳୟ ସ୍ତରରେ ବେଳେ ବେଳେ ଭାରି ଭିନ୍ନ ଭିନ୍ନ ସ୍ୱରୂପ ଧାରଣ କରୁଛନ୍ତି । ଗଣତାନ୍ତ୍ରିକ ପରିବେଶରେ ଶିକ୍ଷାଦାନ, ପାଠ୍ୟକ୍ରମ ଓ ବିଦ୍ୟାର ସୀମା ସରହଦକୁ ନେଇ ଆମର ପୁରୁଣାକାଳିଆ ମନୋବୃତ୍ତିରେ ପରିବର୍ତ୍ତନ, ତଥା ଶିଶୁ ଓ ଶିକ୍ଷକଙ୍କ ମଧ୍ୟରେ ରହୁଥିବା ଭୟ ଉଦ୍ରେକ କଲାପରି ବ୍ୟବଧାନ ହ୍ରାସ କରିବା ଆଦି ବିଷୟରେ ଅବଶ୍ୟ ସବୁଠାରେ ଗୁରୁତ୍ୱାରୋପ କରାଯାଉଛି । ଏସବୁ ବିଷୟର ଆଲୋଚନା ବର୍ତ୍ତମାନ ଅଭିନବ ମନେହେଉଥିଲେ ମଧ୍ୟ ଭାରତରେ ଏତାଦୃଶ ଦୃଷ୍ଚିକୋଣର ଚର୍ଚ୍ଚା ବହୁ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି । 

ଇଂରେଜ ଅଧୀନସ୍ଥ ଭାରତରେ ବିଦ୍ୟାଳୟର ଶିକ୍ଷା ଉଚ୍ଚ ଜାତିର ଓ ଶ୍ରେଣୀର ପୁରୁଷମାନଙ୍କ ମଧ୍ୟରେ ପ୍ରାୟ ସୀମାବଦ୍ଧ ଥିଲା । ଔପନିବେଶିକ ଶାସନ ପ୍ରଦତ୍ତ ଏହି ଶିକ୍ଷାର ମୂଳ ଲକ୍ଷ୍ୟ ଥିଲା ସାମାଜିକ ନିୟନ୍ତ୍ରଣ । ଏଣୁ ଏ କାଳର ଶୈକ୍ଷଣିକ ପଦ୍ଧତି ମଧ୍ୟ ଶାସନ କଳ ଦ୍ୱାରା ବହୁଳ ମାତ୍ରାରେ ନିୟନ୍ତ୍ରିତ ହୋଇ ରହୁଥିଲା । ଶିକ୍ଷାଦାନ ଶିଶୁ ମନରେ ଉତ୍ସୁକତା ଜାଗ୍ରତ କରାଇବାକୁ ଅକ୍ଷମ ଥିଲା । ସ୍ୱାଧୀନତା ସଙ୍ଗ୍ରାମ ସମୟରେ ଭାରତୀୟ ଦାର୍ଶନିକ ଓ ଶିକ୍ଷାବିତମାନେ ଏକ ନୂତନ ଶିକ୍ଷା ବ୍ୟବସ୍ଥାର ରୂପରେଖ କଳ୍ପନାରେ ଲାଗିପଡିଲେ । 

ଯେଉଁମାନେ ଭାରତୀୟ ଜାତୀୟତାର ପ୍ରଚ୍ଛଦରେ ଥିବା ଭାରତୀୟ ଆଧ୍ୟାତ୍ମିକତା ଓ ପାଶ୍ଚାତ୍ୟ ବସ୍ତୁବାଦୀ ସଭ୍ୟତା ଭିତରେଥିବା ପାର୍ଥକ୍ୟକୁ ଭିତ୍ତିକରି ଏକ ପୁନଃଉତ୍ଥାନବାଦୀ ଧାରାର ଆବାହକ ଥିଲେ, ସେମାନେ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଆଧ୍ୟାତ୍ମିକତାର ଭୂମିକା ଉପରେ ଜୋର ଦେଲେ । ସ୍ୱାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ଘୋଷଙ୍କର ଶିକ୍ଷା ଦର୍ଶନରେ ଆମେ ପୁନଃଉତ୍ଥାନବାଦୀ ଜାତୀୟତା ଓ ଆଧୁନିକ ଶିକ୍ଷଣ ବିଦ୍ୟା, ଏ ଉଭୟ ଆଦର୍ଶ ଦେଖିବାକୁ ପାଉ । କିନ୍ତୁ ଗାନ୍ଧିଜୀ ଓ ରବୀନ୍ଦ୍ରନାଥ ଠାକୁରଙ୍କର ଦୃଷ୍ଟିକୋଣ ସ୍ୱାଧୀନ ଭାରତର ଔଦ୍ୟୋଗୀକରଣର ସମ୍ଭାବନାଗୁଡିକୁ ଆଖି ଆଗରେ ରଖି ପ୍ରସ୍ତୁତ ହୋଇଥିଲା । ରବୀନ୍ଦ୍ରନାଥ ୟୁରୋପୀୟ ପରମ୍ପରାର ଆଧୁନିକ ମାନବବାଦୀ ଶିକ୍ଷାରୁ ଉପାଦାନ ସଙ୍ଗ୍ରହ କରି ଏକ ମୁକ୍ତିକାମୀ ଶୈକ୍ଷଣିକ ପଦ୍ଧତିର ରଚନା କଲେ । ଏହାର କେନ୍ଦ୍ରବିନ୍ଦୁ ଥିଲା ଶୈଶବ । ଦାର୍ଶନିକ ଡେୱି ଓ ଶିକ୍ଷାବିତ ମଣ୍ଚେସରିଙ୍କ ଆଦିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏପରି ଏକ ଶିକ୍ଷା ଦର୍ଶନ ବାଢିଦେଲେ ଯେଉଁଥିରେ ଶିକ୍ଷକଙ୍କ ମୂଳ କର୍ତ୍ତବ୍ୟଥିଲା ଶିଶୁମାନେ ସୃଜନାତ୍ମକ କାର୍ଯ୍ୟକଳାପରେ ବ୍ରତୀ ହୋଇପାରିବା ଭଳି ଏକ ପରିବେଶର ବିକାଶ । ତାଙ୍କର ଆକ୍ଟିଭିଟି-ଭିତ୍ତିକ ପାଠ୍ୟକ୍ରମରେ ଶିଶୁର ଉତ୍ସୁକତା, ସୃଜନଶୀଳତା ଓ ସ୍ୱୟଂଚାଳିତ ହେବାର କ୍ଷମତା ପ୍ରତି ବିଶେଷ ଗୁରୁତ୍ୱ ରହିଥିଲା । 

ଗାନ୍ଧିଜୀଙ୍କ ପ୍ରସ୍ତାବ ‘ନୟୀ ତାଲିମ୍’ ନାମରେ ଜଣାଶୁଣା । ସେ ଆଞ୍ଚଳିକ ହସ୍ତକର୍ମ ଓ ହସ୍ତଶିଳ୍ପ ମାଧ୍ୟମରେ ଶି‌କ୍ଷାଲାଭକୁ ପ୍ରାଧାନ୍ୟ ଦେଲେ । ଏହି ପ୍ରସ୍ତାବ ଇଂରେଜମାନେ ଚଳାଇଥିବା ଅତ୍ୟଧିକ କେନ୍ଦ୍ରିଭୂତ ପାଠ୍ୟକ୍ରମ ଓ ଶୈକ୍ଷଣିକ ପ୍ରଣାଳୀର ବିପରୀତ ଥିଲା । ‘ନୟୀ ତାଲିମ୍’ ର ଶିକ୍ଷା ପଦ୍ଧତି ବିଦ୍ୟାଳୟ ଶିକ୍ଷାକୁ ଶିଶୁର ସାମାଜିକ ଜୀବନ ସହ ଯୋଡି ପାରିଥିଲା । ଶି‌କ୍ଷକଙ୍କ ଦକ୍ଷତା, ଆଞ୍ଚଳିକ ବିଦ୍ୟା ଓ କର୍ମ ମାଧ୍ୟମରେ ବିଦ୍ୟାର୍ଜନ ଥିଲା ଗାନ୍ଧୀଙ୍କ ପ୍ରସ୍ତାବର ଆଧାରଶୀଳା । ଏହିସବୁ ପ୍ରଗତିବାଦୀ ଶୈକ୍ଷଣିକ ପଦ୍ଧତିଗୁଡିକୁ ନେଇ ମଧ୍ୟବିତ୍ତ ଓ ଉଚ୍ଚବର୍ଗୀୟ ବ୍ୟକ୍ତିମାନଙ୍କ ପ୍ରୋତ୍ସାହନରେ ବେସରକାରୀ ବିଦ୍ୟାଳୟ କିଛି ଗଢିଉଠିଲା । 

ସରକାରୀ ନୀତି ନିର୍ଦ୍ଧାରଣ ସ୍ତରରେ ଶିଶୁ-କୈନ୍ଦ୍ରିକ ଶିକ୍ଷା ସମ୍ବନ୍ଧୀୟ ଚିନ୍ତନର ପ୍ରଥମ ସ୍ପଷ୍ଟ ସଙ୍କେତ ମିଳେ ୧୯୮୬ ମସିହାର ଜାତୀୟ ଶିକ୍ଷାନୀତିରେ । ସ୍ୱାଧୀନତା ପରବର୍ତ୍ତୀ ତିନି ଦଶକରେ ପ୍ରାଥମିକ ଶିକ୍ଷା ପ୍ରସାରିତ ହୋଇଛି । ଯଦିଓ ୧୯୮୧ର ଜନଗଣନା ତଥ୍ୟ ହିସାବରେ ସାକ୍ଷରତା ହାର ମାତ୍ର ୪୩.୭ ପ୍ରତିଶତ ଥିଲା । ଏହି ପରିପ୍ରେକ୍ଷୀରେ ୧୯୮୬ର ଶିକ୍ଷାନୀତିରେ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ ହୁଏ । ସେହି ଯୋଜନାରୁ ଜନ୍ମ ନିଏ ଅପରେସନ୍ ବ୍ଲାକବୋର୍ଡ: ବିଦ୍ୟାଳୟଗୁଡିକୁ ସର୍ବନିମ୍ନ ସାଧନ ଯୋଗାଇ ଦେବାପାଇଁ ; ତଥା ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ସଂସ୍ଥା, ଶିକ୍ଷକଙ୍କ ପ୍ରଶିକ୍ଷଣ ପାଇଁ ।

ପ୍ରାଥମିକ ଶିକ୍ଷାରେ ଶିଶୁ-କୈନ୍ଦ୍ରିକ ଓ. ଆକ୍ଟିଭିଟି-ଭିତ୍ତିକ ଶୈଳୀ ଆପଣେଇ ନେବା ପାଇଁ ଶିକ୍ଷାନୀତି ପରାମର୍ଶ ଦେଲେ । ଏହା ସହିତ ରହିଥିଲା ଦଣ୍ଡମୁକ୍ତ ଶିକ୍ଷାଦାନ, ଶିଶୁଙ୍କୁ ପରୀକ୍ଷାରେ ପାସ୍-ଫେଲ୍ ର ଜଞ୍ଜାଳରୁ ମୁକ୍ତ କରିବା, ମୂଲ୍ୟାଙ୍କନ ବ୍ୟବସ୍ଥାରେ ସଂସ୍କାର ଆଣିବା, ଶିଶୁଙ୍କ ସୁବିଧା ଅନୁସାରେ ବିଦ୍ୟାଳୟ ସମୟ ସାରଣୀ ପ୍ରସ୍ତୁତ କରିବା ଇତ୍ୟାଦି ଆଲୋଚନା । ଏଥିରେ ମୁଖ୍ୟବିନ୍ଦୁଟି ଏଇ ଯେ, ଶିଶୁଙ୍କୁ ଅବୋଧ ଓ ଅଜ୍ଞାନ ମନେକରି ଶିକ୍ଷାନୀତି ପ୍ରସ୍ତୁତ କରିବା ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପକାଇ ଶିଶୁଙ୍କୁ ଉତ୍ସୁକ ବିଦ୍ୟାର୍ଥୀ ରୂପେ କଳ୍ପନା କରି ପ୍ରସ୍ତାବମାନ ପରିବେଷିତ ହୋଇଥିଲା । ଜଣେ ବିଦ୍ୟାର୍ଥୀ ନିଜ ସୁବିଧା ଅନୁସାରେ ଶିଖୁ, ନିଜ ବେଗରେ ଶିଖୁ ଓ ନିଜେ ଶିଖିବା ଶିଖୁ; ଏକଛତ୍ରବାଦୀ ଶିକ୍ଷକଙ୍କ ଛାଟ ଅବା ବାର୍ଷିକ ପରୀକ୍ଷାରେ ଫେଲ୍ ହେବା ଭୟରେ ନୁହେଁ । କିନ୍ତୁ ଏହି ଶିକ୍ଷାନୀତିରେ ଶିଶୁ-କୈନ୍ଦ୍ରିକ ଶିକ୍ଷାର ତତ୍ତ୍ୱ-ଦର୍ଶନ ବିଶେଷ କିଛି ନଥିଲା । କାରଣ ନୀତି ନିର୍ଦ୍ଧାରକଙ୍କ ଲକ୍ଷ୍ୟ ଥିଲା ବିଦ୍ୟାଳୟରେ ନାମଲେଖା ଓ ଉପସ୍ଥାନରେ ବୃଦ୍ଧି ।

୧୯୯୮ରେ ଜାତୀୟ ପାଠ୍ୟଚର୍ଯ୍ୟା ଖସଡ଼ା ବା ଜା.ପା.ଖ. (ନାଶନାଲ କରୁକୁଲମ ଫ୍ରେମୱର୍କ) ପ୍ରସ୍ତୁତ କରାଗଲା । ଏଥିରେ ୧୯୮୬ ଶିକ୍ଷାନୀତିର ସିଦ୍ଧାନ୍ତଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ମାର୍ଗଦର୍ଶନ ରହିଥିଲା । ଶିଶୁଙ୍କୁ ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ଯୋଜନାର କେନ୍ଦ୍ରରେ ରଖିପାରିଲେ ହିଁ ଶି‌କ୍ଷା ଦ୍ୱାରା ଶିଶୁର ବ୍ୟକ୍ତିତ୍ୱ ବିକାଶ ସମ୍ଭବ ହେବ, ଏଇ ବିଶ୍ୱାସ ସହିତ, ଶିଶୁ ପାଇଁ ଯଥୋଚିତ ସମ୍ମାନ ଓ ଶିଶୁର ଆବଶ୍ୟକତା, ଆଗ୍ରହ ଓ ଦକ୍ଷତା ଇତ୍ୟାଦି ବିଷୟ ପ୍ରତି ସଚେତନତା ସୃଷ୍ଟି କରାଗଲା । ଏହା ହେଉଛି ଶିଶୁ ପ୍ରତି ଏକ ମାନବିକ ଦୃଷ୍ଟିକୋଣ । ଶିକ୍ଷାଦାନ ବେଳେ ଶିଶୁ-କୈନ୍ଦ୍ରିକ ହେବାର ଅର୍ଥ କଅଣ ତାହାର ମଧ୍ୟ ବିସ୍ତୃତ ବର୍ଣ୍ଣନା ଜା.ପା.ଖ. ରେ ଦିଆଗଲା । ଶିକ୍ଷକଙ୍କୁ ସହାୟକର ଭୂମିକା ତୁଲାଇବାକୁ ହେବ । ଶିକ୍ଷକଙ୍କ ଭାଷଣ ଓ ବିଦ୍ୟାର୍ଥୀଙ୍କ ଘୋଷା ରେ ପରିବର୍ତ୍ତନ ଆଣିବାକୁ ହେବ । ଶିଶୁର ସ୍ୱାଧୀନ ଚିନ୍ତାଧାରା, ଉତ୍ସୁକତା, ଯୋଜନା କରିବାର ଓ ସ‌ମସ୍ୟା ସମାଧାନ କରିବାର ଦକ୍ଷତା ହେବ ଶିକ୍ଷକଙ୍କର ଫୋକସ୍ । 

ଜା.ପା.ଖ. ଦ୍ୱାରା ଶିଶୁ-କୈନ୍ଦ୍ରିକ ଚିନ୍ତାଧାରା ପ୍ରସାରିତ ହୋଇଥିଲେ ମଧ୍ୟ ଶିଶୁଠାରୁ ଆଶା କରାଯାଉଥିବା ପରିଣାମ ସବୁ ପୂର୍ବ ପରି ସଂକୀର୍ଣ୍ଣ ରହିଲା । ୧୯୯୧ରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ହେଲା ମିନିମମ୍ ଲେଭେଲସ୍ ଅଫ୍ ଲର୍ଣ୍ଣିଙ୍ଗ୍ ଆଟ୍ ପ୍ରାଇମେରୀ ଷ୍ଟେଜ୍ (ଏମ୍.ଏଲ୍,ଏଲ୍) ଶୀର୍ଷକ ଏକ ଦସ୍ତାବେଜ ଯେଉଁଥିରେ ବିଦ୍ୟାର୍ଥୀମାନଙ୍କ ଠାରୁ ଆଶା କରାଯାଉଥିବା ଦକ୍ଷତା ସବୁ ଶ୍ରେଣୀ ଓ ବିଷୟ ଅନୁସାରେ ବିସ୍ତୃତ ଭାବେ ଦିଆଯାଇଥିଲା । ଯଦିଓ ଏହି ଦସ୍ତାବେଜଟି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଓ ବିଦ୍ୟାଳୟସ୍ତରରେ ମାର୍ଗଦର୍ଶନ ଓ ଉତ୍ତରଦାୟିତ୍ୱ ବଢାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଗଲା, ଏହାର ଦୃଢ ଢାଞ୍ଚା ଶିଶୁ-କୈନ୍ଦ୍ରିକ ଶିକ୍ଷା ଆଦର୍ଶର ବିରୋଧୀ ଥିଲା । 

ଏଣେ ୧୯୮୬ ଶିକ୍ଷିାନୀତି ପ୍ରଣୟନ ପରବର୍ତ୍ତୀ ଆଲୋଚନାମାନଙ୍କରେ ପାଠ୍ୟକ୍ରମର ଭାର କଥାଟି ମଧ୍ୟ ପଦାକୁ ଆସିଲା । ଅଯଥା ବିସ୍ତୃତ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଉପରେ ଅନାବଶ୍ୟକ ଗୁରୁତ୍ୱ ଶୈଶବକୁ ଭାରାକ୍ରାନ୍ତ କରି ରଖିଥିଲା । ୧୯୯୩ ରେ ପ୍ରକାଶିତ ୟଶପାଲ କମିଟି ରିପୋର୍ଟ ‘ଲର୍ଣ୍ଣିଙ୍ଗ୍ ଉଇଦାଉଟ୍ ବର୍ଡନ୍’ ଏ ବିଷୟରେ ସବିଶେଷ ଆଲୋଚନା ବାଢିଲେ । କେମିତି ଆମର ତଥ୍ୟ ଦ୍ୱାରା ଭାରାକ୍ରାନ୍ତ ପାଠ୍ୟପୁସ୍ତକ ସବୁ ଓ ତାହା ଉପରେ ତଥ୍ୟ ସମ୍ବଳିତ ପରୀକ୍ଷାର ଜଞ୍ଜାଳ ଏକ ଆନନ୍ଦବିହୀନ ଶିକ୍ଷାର ପରମ୍ପରା ସୃଷ୍ଟି କରିଛି, ଏହା ଥିଲା ଏ ରିପୋର୍ଟ ର ମୁଖ୍ୟ ବିଷୟବସ୍ତୁ । 

ୟଶପାଲ କମିଟି ଶ୍ରେଣୀଗୃହର କାରବାରରେ ଆନନ୍ଦ ଓ ଅନୁସନ୍ଧାନ ମନୋବୃତ୍ତି ଉପରେ ଧ୍ୟାନ ଦେବାପାଇଁ ଉପଦେଶ ଦେଲେ । ଶିଶୁର ନିଜସ୍ୱ ପରିବେଶ, ଅନୁଭବ, ଭାବାବେଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଏହା ହେଉଛି ଶିଶୁ ପ୍ରତି ଏକ ଭାବାତ୍ମକ ଦୃଷ୍ଟିକୋଣ । ଅଥଚ ଶିକ୍ଷା ପ୍ରଶାସନର ବୋଝରେ ଚାପି ହୋଇ ରହିଥିବା ଶିକ୍ଷକ ଓ ଇଂରେଜ କାଳରୁ ଚାଲି ଆସିଥିବା ଅଭ୍ୟାସ ଓ ପରମ୍ପରା ସବୁ ୟଶପାଲ ରିପୋର୍ଟ କାର୍ଯ୍ୟକାରୀ ହେବା ଦିଗରେ ସହାୟକ ହେଲେ ନାହିଁ । ବରଂ ୨୦୦୦ ମସିହାରେ ଭାଜପା ସରକାର ହିନ୍ଦୁତ୍ତ୍ୱ ର ଢ଼ାଞ୍ଚାରେ ଏନ୍.ସି.ଏଫ୍ ର ପୁନର୍ଲିଖନ କରାଇଦେଲେ । ଏହି ସଂସ୍କରଣର ପୃଷ୍ଠଭୂମିରେ ରହିଲା ଜାତୀୟତା, ତଥାକଥିତ ଆଧ୍ୟାତ୍ମିକତା ଓ ନୈତିକତାର ଉଦ୍ରେକ ପାଇଁ ଶିକ୍ଷାର ଭୂମିକା । ଶିକ୍ଷାର ସାମାଜିକ ଲକ୍ଷ୍ୟ ବଦଳି ଗଲା । କିନ୍ତୁ ଶିଶୁ-କୈନ୍ଦ୍ରିକ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା ଅପରିବର୍ତ୍ତିତ ରହିଲା । ଅବଶ୍ୟ ଏ ଆଲୋଚନା ଏତେ ସୂକ୍ଷ୍ମ ରୂପ ଧାରଣ କରିସାରିଥିଲା ଯେ ଶିକ୍ଷା ବ୍ୟବସ୍ଥା ଏଥିରୁ ପ୍ରେରଣା ପାଇବା ସମ୍ଭବପର ହେଲାନାହିଁ । 

ଶିଶୁ-କୈନ୍ଦ୍ରିକ ଆଦର୍ଶ ପ୍ରଥମ ଥର ପାଇଁ କିଛି ମାତ୍ରାରେ ଯୋଜନାବଦ୍ଧ ହୋଇଥିଲା ଡିଷ୍ଟ୍ରିକ୍ଟ ପ୍ରାଇମେରୀ ଏଜୁକେଶନ୍ ପ୍ରୋଗ୍ରାମ୍ (ଡି.ପି.ଇ.ପି.) । ଏହି କାର୍ଯ୍ୟକ୍ରମ ବିଶ୍ୱ ବ୍ୟାଙ୍କ ଓ ଆଉ କିଛି ଆନ୍ତର୍ଜାତୀୟ ସଂସ୍ଥାମାନଙ୍କର ପୁଞ୍ଜି ଓ ଆଦେଶର ନିୟନ୍ତ୍ରଣରେ ଥିଲା । ଆଞ୍ଚଳିକ ସଂସାଧନ କେନ୍ଦ୍ର, ଶିକ୍ଷକଙ୍କ ପ୍ରଶିକ୍ଷଣ, ଭିତ୍ତିଭୂମିର ବିକାଶ ଇତ୍ୟାଦି ଏହି ଯୋଜନାର ଅନ୍ତର୍ଗତ ଥିଲା । ଏହା ସହିତ ଆକ୍ଟିଭିଟି-ଭିତ୍ତିକ ଶିକ୍ଷାଦାନ ଓ ଆନନ୍ଦମୂଳକ ଶିକ୍ଷା ଇତ୍ୟାଦି ଆଦର୍ଶ ମଧ୍ୟ ବିଭିନ୍ନ ପ୍ରକଳ୍ପର ରୂପ ନେଲା । ପରବର୍ତ୍ତୀ କାଳରେ ଏହି ପ୍ରକଳ୍ପଗୁଡ଼ିକୁ ସର୍ବ ଶିକ୍ଷା ଅଭିଯାନରେ ସାମିଲ କରାଗଲା । ଡି.ପି.ଇ.ପି ର ମୂଖ୍ୟ ଚେଷ୍ଟା ଥିଲା ପାଠ୍ୟପୁସ୍ତକରେ ପରିବର୍ତ୍ତନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା । ତାହା ମଧ୍ୟ ଏମ୍.ଏଲ୍.ଏଲ୍. କୁ ଆଖି ଆଗରେ ରଖି । ଏଣୁ ଶିକ୍ଷକ, ବିଦ୍ୟାର୍ଥୀ ଓ ଶ୍ରେଣୀଗୃହ ମଧ୍ୟରେ ଥିବା ଜଟିଳ ସମ୍ପର୍କଟି ସମ୍ପୂର୍ଣ୍ଣ ଅଣଦେଖା ହୋଇଗଲା । 

ଡି.ପି.ଇ.ପି. ର ପ୍ରତିଶୃତି ଓ ପରିଣାମ ଭିତରେ ଥିବା ବ୍ୟବଧାନକୁ କମାଇବା ପାଇଁ ପୁନର୍ବିଚାରର ଆବଶ୍ୟକତା ପଡିଲା । ଏଥିରୁ ଜନ୍ମ ନେଲା ୨୦୦୫ ମସିହାର ଜା.ପା.ଖ. । ନୂତନ ଜା.ପା.ଖ. ସମାଜ ଗଠନର ସାମ୍ବିଧାନିକ ଆଦର୍ଶ ଆପଣାଇଲା । ଏଥିରେ ପାଠ୍ୟକ୍ରମ ସଂସ୍କାରରେ ଆସୁଥିବା ଢାଞ୍ଚାଗତ ଓ ତତ୍ତ୍ୱଗତ ସମସ୍ୟାଗୁଡ଼ିକ ଆଲୋଚିତ ହେଲା । ଏହି ବିଷୟଗୁଡିକ ହେଲା ଶିକ୍ଷାର ସାମାଜିକ ସନ୍ଦର୍ଭ, ଶିକ୍ଷାର ପରିବେଶ, ବିଦ୍ୟାର ନିର୍ମାଣ, ଶିଖିବାର ପ୍ରକ୍ରିୟା, ଶିକ୍ଷକଙ୍କ ଶିକ୍ଷା, ପରୀକ୍ଷା ଢାଞ୍ଚା ଓ ଶିକ୍ଷା ପ୍ରଶାସନରେ ସୁଧାର ଇତ୍ୟାଦି । ପୂର୍ବରୁ ଶିଶୁର ଗ୍ରହଣଶୀଳତା ଉପରେ ଜୋର ଦିଆଯାଉଥିଲା । ନୂତନ ଜା.ପା.ଖ.ରେ ଶିଶୁକୁ ଜଣେ ସକ୍ରିୟ ଓ ସୃଜନଶୀଳ ବ୍ୟକ୍ତି ରୂପରେ ଦେଖାଗଲା । ଶିଶୁ-କୈନ୍ଦ୍ରିକ ଶିକ୍ଷାର ଅର୍ଥ ଶିକ୍ଷଣ ପ୍ରକ୍ରିୟାରେ ଶିଶୁର ଅନୁଭବ, ଶିଶୁର ସ୍ୱର ଓ ଶିଶୁର ସକ୍ରିୟ ଅଂଶଗ୍ରହଣ । ଶିଶୁର ମାନସିକ ବିକାଶ ଓ ଆଗ୍ରହକୁ ଆଖି ଆଗରେ ରଖି ଶିକ୍ଷାଦାନ ଯୋଜନା ପ୍ରସ୍ତୁତ କରିବାକୁ ହେବ । ବିଦ୍ୟାଳୟର ଶିକ୍ଷାକୁ ବିଦ୍ୟାଳୟ ବାହାରେ ଶିଶୁର ଜୀବନ ସହ ଯୋଡିବାକୁ ହେବ । ଘୋଷା ବିଦ୍ୟା ଓ ପାଠ୍ୟପୁସ୍ତକ-କୈନ୍ଦ୍ରିକ ନ ହୋଇ ଶିଶୁର ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେବାକୁ ହେବ । ଜା.ପା.ଖ. ୨୦୦୫ ଶିଶୁ-କୈନ୍ଦ୍ରିକ ଶିକ୍ଷା ଦିଗରେ ନୂଆ ଦୃଷ୍ଟିକୋଣ ରଖିଛି ଓ ନୂଆ ସମ୍ଭାବନାର ଦ୍ୱାର ଖୋଲିଦେଇଛି । ଏବେ ଶିକ୍ଷକଙ୍କର ଭୂମିକାକୁ ପାଠ୍ୟକ୍ରମର ବନ୍ଧନରୁ ମୁକୁଳାଇ, ଶିଖିବା-ଶିଖେଇବାର ପ୍ରକ୍ରିୟାରେ ଗୁରୁତର ଭାବେ ଜଡିତ ଜଣେ ଜଣେ ଶିକ୍ଷାବିତ ରୂପେ ପୁନର୍ଗଠନ କରିବାର ସମୟ ଆସିଛି ।

Friday, September 30, 2016

କାଳିମାଟି କଥା

ଗୋପୀନାଥ ମହାନ୍ତି 


ରାତିରେ ଟାଟା ଷ୍ଟିଲ୍ ର ଇସ୍ପାତ କାରଖାନାର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଓଡ଼ିଶାରୁ ଏତେ ଲୋକ କାଳିମାଟିରେ କାମ କରନ୍ତି ଯେ, ପ୍ରତ୍ୟେକ ଓଡ଼ିଶାବାସୀର କେହି ନା କେହି ବନ୍ଧୁବାନ୍ଧବ ଖୋଜିଲେ କାଳିମାଟିରେ ଥିବେ । ଏ କାଳିମାଟି ଅତି ବଡ଼ ସହର । ଏଠି ପ୍ରାୟ ଲକ୍ଷେ ଲୋକ ରହନ୍ତି । ତାହାର କାରଣ, ଏଠି ପୃଥିବୀ ପ୍ରସିଦ୍ଧ ଟାଟା ଲୁହା କାରଖାନା ଅଛି । ଏ କାରଖାନା ଏତେ ବଡ଼ କାରଖାନା ଯେ, ଏ କେବଳ ଏହାର ଜିନିଷପତ୍ର ନେବା ଆଣିବା କରି ଗାଡ଼ି ଭଡ଼ାରେ ରେଳବାଇ କମ୍ପାନୀ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରେ । ଏଥିରେ ଚଉତିରିଶ ହଜାର ଲୋକ କାମ କରନ୍ତି । କାରଖାନା ଭିତରେ ଜିନିଷପତ୍ର ନେବା ଆଣିବା ପାଇଁ ଯେତେ ରେଳଲାଇନ୍ ପଡ଼ିଛି, ତାକୁ ସିଧା କରି ପକାଇଦେଲେ ଶହେ ମାଇଲ ପର୍ଯ୍ୟନ୍ତ ଲମ୍ବିଯିବ । 

କିନ୍ତୁ ପୂର୍ବେ ଏଠି ଥିଲା ଗୋଟିଏ ସାକ୍‌ଚି ବୋଲି ଜଙ୍ଗଲ ଗାଁ । ୧୯୦୭ ସାଲରେ ଟାଟା ଏଠି ଜମି କିଣିଲେ; ଦୁଇ ବର୍ଷ ପରେ କାରଖାନା ଖୋଲିଲେ । ୧୯୧୧ ସାଲରେ ଢଳା ଲୁହା ତିଆରି କଲେ । ତା’ର ଦୁଇବର୍ଷ ପରେ ଇସ୍ପାତ ତିଆରି ହେଲା, ଯାହା ବି ଭାରତବର୍ଷରେ ଏହା ପୂର୍ବେ କେବେ ତିଆରି ହୋଇ ନଥିଲା । ବର୍ତ୍ତମାନ ଏଠି ଅନେକ ପ୍ରକାର ଲୁହା ଓ ଲୁହାପଦାର୍ଥ ତିଆରି ହେଉଛି । ଟାଟା କମ୍ପାନୀକୁ ଛାଡ଼ିଦେଲେ ଅନ୍ୟାନ୍ୟ ଅନେକ ଛୋଟ ବଡ଼ ହୋଇ କମ୍ପାନୀ କାରଖାନା ଖୋଲିଛନ୍ତି । ଟାଟା କମ୍ପାନୀକୁ ପୃଥିବୀରେ କିଏ ନ ଚିହ୍ନେ, ଏପରି ନୁହେଁ ।

ଏ ସ୍ଥାନରେ ସହର ବଢ଼ିବାର କାରଣ ଅଛି । ଏଠିକା ମାଟି ଉପରେ ମଜବୁତ୍ କୋଠା ଗଢ଼ା ହୋଇପାରେ । ଏଠି ଦୁଇଟି ନଦୀ, ସୁବର୍ଣ୍ଣରେଖା ଓ ଖୋରଖାଇ ଏକାଠି ମିଶିଛନ୍ତି । ସେ ଦୁଇ ନଦୀଙ୍କ ସଙ୍ଗମ ସ୍ଥଳୀର ତ୍ରିକୋଣ ଭୂମି ଉପରେ ଏ ସହର । ନଦୀ ଶୁଖେ ନାହିଁ, ତେଣୁ ଜଳକଷ୍ଟ ନାହିଁ ।

ଲୁହା କାରଖାନା ପାଇଁ ଲୁହାମାଟି ଓ ପଥର କୋଇଲା ଦରକାର । ଏ ଉଭୟ ପଦାର୍ଥ ଏଠୁ ଅଳ୍ପ ଦୂରରେ ମିଳେ, - ଓଡ଼ିଶାର ଲୁହା ଓ ବିହାରର କୋଇଲା । ତେଣୁ ଏଠି ଏ ସହର ବଡ଼ ହୋଇପାରିଛି । ବର୍ତ୍ତମାନ ଏ ସହରର କ୍ଷେତ୍ରଫଳ ପଚିଶ ବର୍ଗ ମାଇଲ । ଆହୁରି ବଢ଼ିବାକୁ ସ୍ଥାନ ପଡ଼ିରହିଛି ।

ବେଙ୍ଗଲ ନାଗପୁର ରେଳବାଇରେ ଯାଇ ଟାଟାନଗର ଷ୍ଟେସନରେ ଓହ୍ଲାଇବ, - ଏହାକୁ କହନ୍ତି କାଳିମାଟି । ଅନ୍ଧାର ରାତିରେ ବିଜୁଳି ଆଲୁଅ ଓ ତତଲା ଆଲୁଅରେ ଏ ଗୋଟିଏ ପରୀ ରାଇଜ ପରି ଦିଶେ । ଷ୍ଟେସନରୁ ଦେଢ଼ ମାଇଲ୍ ଦୂରରେ ସହରଟି ପଡେ଼ । ଦୂରରେ ଜଙ୍ଗଲ । ଅତି ସୁନ୍ଦର ଆଧୁନିକ ସହର, ପରିଷ୍କୃତ ପରିଚ୍ଛନ୍ନ ଯେପରି, ବଗିଚା ଓ ପାର୍କରେ ପୂର୍ଣ୍ଣ ହୋଇଛି ସେହିପରି । ସଭ୍ୟ ଦେଶମାନଙ୍କର ଅତି ଆଧୁନିକ ନଗର-ଗଠନ-ପ୍ରଣାଳୀରେ ଏ ସହର ବସା ହୋଇଛି । ମଝିରେ ପ୍ରଧାନ ରାସ୍ତା, ତହିଁରୁ ଅନେକ ସାନ ସାନ ରାସ୍ତା ଯାଇଛି । ରାସ୍ତା ଉପରେ ଆଲକାତ୍ରା ଦିଆ ହୋଇ ମରାମତି ହୋଇ ରହିଛି । ନାଳ ଓ ନର୍ଦ୍ଦମା ବ୍ୟବସ୍ଥା ଅତି ସୁନ୍ଦର । ଚାରିଆଡ଼େ ପାଣିକଳ ଓ ବିଜୁଳି ଆଲୁଅ । 

ଘରଗୁଡ଼ିକ କମ୍ପାନୀ ତିଆରି କରିଛନ୍ତି । ଧାଡ଼ି ଧାଡ଼ି ହୋଇ ଘର; ଅନେକ ଗୁଡ଼ିଏ ପଡ଼ା ରହିଛି । ରହିବା ଘରକୁ ଛାଡ଼ି ଦୋକାନ, ବଜାର, ଅଫିସ, ଡାକ୍ତରଖାନା, ସ୍କୁଲ ଘର, ଖେଳଘର ଏପରି ଅନେକ ରହିଛି । ପୃଥିବୀର ନାନା ଜାତିର ଲୋକ ଏଠି ଥାନ୍ତି; ସାହେବ, ଆମେରିକାନ୍, ପଞ୍ଜାବୀ, ଓଡ଼ିଆ, ନେପାଳୀ, ମାନ୍ଦ୍ରାଜୀ, ଏହିପରି ଅନେକ ଜାତି । କ୍ରମେ ଟାଟା କମ୍ପାନୀ ଅଧିକ ଅଧିକ ଭାରତୀୟ ଲୋକ ନିଯୁକ୍ତ କରୁଛନ୍ତି; କିନ୍ତୁ ବିଶେଷଜ୍ଞ ଉଚ୍ଚ କର୍ମଚାରୀମାନଙ୍କ ଭିତରୁ ଅଧିକାଂଶ ଆମେରିକାନ୍ ।

ସହରଠାରୁ କିଛି ଦୂରରେ ଟାଟା ଲୁହା କାରଖାନା । ଏଠି ମଧ୍ୟ ଗୋଟିଏ ସହର । ଲୁହା ତିଆରି ପାଇଁ ବିରାଟ ବିରାଟ ଚୁଲି ଉପରୁ ଆକାଶି ଚିମିଣିମାନଙ୍କରୁ ଭସ୍ ଭସ୍ ଧୂଆଁ ବାହାରି ଆକାଶକୁ ଢାଙ୍କି ଦେଉଛି । ଏ ଚୁଲିକୁ ‘ବ୍ଲାଷ୍ଟ ଫର୍ଣ୍ଣେଶ୍’ କହନ୍ତି । ଏଥିରେ ଲୁହାମାଟି, ଗେଙ୍ଗୁଟି ଓ କୋଇଲା ଦିଆହୋଇ ତତା ହୁଏ । ତାତିରେ ଲୁହାମାଟିରୁ ଲୁହା ତରଳି ବାହାରି ପଡେ଼ । ଏ ତରଳା ଲୁହାକୁ ଗୋଟିଏ ସ୍ଥାନରେ ତଳେ ଢାଳି ଦିଅନ୍ତି । ଏ ଲୁହା ଏତେ ତାତିଥାଏ ଯେ, ଏଥିରୁ ଯେଉଁ ବିରାଟ ନିଆଁ ହୁଳା ଆଲୁଅ ବାହାରେ, ତାହା ରାତିରେ ତିନି ମାଇଲ୍ ଦୂରକୁ ସୁଦ୍ଧା ଦିଶେ । କମ୍ପାନୀଙ୍କର ପାଞ୍ଚଟି ବ୍ଲାଷ୍ଟ ଫର୍ନେଶ୍ ଅଛି ।

ଚାରିଆଡେ଼ ଖାଲି କଳକବଜା ଜିନିଷ ବୋଝାଇ ହୋଇ ରେଳଗାଡ଼ି ଡବାସବୁ ଝଣ ଝଣ୍ ହୋଇ ଚାଲିଛି । କାରଖାନାର ଯନ୍ତ୍ର ଚାଲିବା ଶବ୍ଦରେ ଆକାଶ କମ୍ପିଯାଉଛି । ଲୁହା ଆଉଟା ଆଉଟି ହେଉଥିବାରୁ ଅତିଶୟ ତାତିଥାଏ; ଏ ନିଆଁ ଆଉ ନିଭେ ନାହିଁ, ଦିନରାତି କାର୍ଯ୍ୟ ଚାଲିଥାଏ । ପ୍ରତି ଆଠଘଣ୍ଟାରେ ଲୋକେ ବଦଳି ହୁଅନ୍ତି । ସଦାବେଳେ କାମ । କଳକବଜାରେ ବିଜୁଳି କାମ ଲାଗିଛି; ତେଣୁ ଟାଟା କମ୍ପାନୀଙ୍କର ଦୁଇଟି ବଡ଼ ବଡ଼ ବିଜୁଳି କାରଖାନା । 

ଏଠି ଇସ୍ପାତ ତିଆରି ହୁଏ । ଯେଉଁ ଚୁଲିରେ ଇସ୍ପାତ ତିଆରି ହୁଏ, ସେଥିରେ ଢଳା ଲୁହା ଅଜଡ଼ା ହୁଏ । କପି କଳ ଲଗାଇ ବଡ଼ ବଡ଼ ବାଲଟିରେ ତରଳ ଢଳା ଲୁହାକୁ ଉପରକୁ ଉଠାଇ ଚୁଲିରେ ଢାଳନ୍ତି । ଯଦି ବାଲଟି ଛିଣ୍ଡିବା ତଳେ ଠିଆ ହୋଇଥିବା ଲୋକେ ପୋଡ଼ିହୋଇ ମରିଯିବେ । କଳକବଜାର କାରଖାନାରେ ଅସାବଧାନ ହେଲେ ପଦେ ପଦେ ମରଣ । ତାହା ଛଡ଼ା ଦୈବ ଦୁର୍ଘଟଣା ତ ଅଛି । ଲୋକଙ୍କୁ ସାବଧାନ ହୋଇ କାର୍ଯ୍ୟ କରିବାକୁ ଉପଦେଶ ଦିଆହୋଇ ଚାରିଆଡ଼େ ଲେଖା ହୋଇଛି । କଳ କବଜା ଦ୍ୱାରା ସବୁ ହୁଏ, କେବଳ କଳ ଚଳାଇବା କଥା । ପ୍ରତ୍ୟେକ ଲୋକ ନିଜ ସ୍ଥାନରେ ରହି ନିଜର କାର୍ଯ୍ୟଟି କରିଦିଏ । ଏଥିରେ ଟିକିଏ ସମୟ ଡେରି ହୋଇଗଲେ ବା ଅସାବଧାନ ହେଲେ ନିଜର ଓ ଅନ୍ୟାନ୍ୟଙ୍କର ବିପଦ ।

ନାନା ପ୍ରକାର ଲୁହା ଓ ଲୁହାର ଜିନିଷ, କଡ଼ି, ବର୍ଗା, ଲୁହା ନଳ, ମାଲଗାଡ଼ିର ଡବା ପ୍ରଭୃତି ଅନେକ ପ୍ରକାର ଜିନିଷ ଏଠି ଆପେ ଆପେ ଯନ୍ତ୍ରରେ ତିଆରି ହୁଏ । ଲୁହା ତିଆରି କାର୍ଯ୍ୟରେ ଅନେକ ପଦାର୍ଥ ବ୍ୟବହୃତ ହୁଏ । ଲୁହା ବାହାରିଗଲେ ଚୁଲିରେ ଯେଉଁ ଖଦିରା ବା ସ୍ଲାଗ୍ ରହେ, ତାହାକୁ ଗୋଟିଏ ପୋଖରୀ ଭିତରେ ଗଡ଼ାଇ ପକାନ୍ତି । ତହିଁରୁ ସୁଦ୍ଧା ଅନେକ ପ୍ରକାର ପଦାର୍ଥ ତିଆରି ହୁଏ । ଲୁହା କାରଖାନାର ଏହା ମଧ୍ୟ ଗୋଟିଏ ବିଶେଷତ୍ୱ ଯେ, ଏଠି ଆନୁସଙ୍ଗିକ ପଦାର୍ଥ ସୁଦ୍ଧା କାମ ଦିଏ । ଧୂଆଁକୁ ଅନେକ ସମୟରେ ଉପରକୁ ଛାଡ଼ି ନଦେଇ ତାଉ ଦେବାକୁ ବ୍ୟବହାର କରନ୍ତି । ନାନାପ୍ରକାର ଦ୍ରାବ ଓ ସାର ଲୁହା କାରଖାନାର ଆନୁସଙ୍ଗିକ ଉତ୍ପାଦନ ।

ଏତେ ବଡ଼ ଟାଟାନଗର ସହର ଯାହାଙ୍କ ନାମ ଅନୁସାରେ ହୋଇଛି, ସେ ହେଉଛନ୍ତି ପରଲୋକଗତ ଜାମସେଦଜି ନସେରୱନଜି ଟାଟା । ସେ ବମ୍ବେଇର ଜଣେ ପାର୍ସି କ୍ରୋଡ଼ପତି । ଯାହାଙ୍କର ଜନ୍ମ ହୋଇଥିଲା ଭାରତର ଶିଳ୍ପର ଉନ୍ନତି କରିବା ପାଇଁ । ବମ୍ବେଇରେ ବିରାଟ ପୃଥିବୀବିଖ୍ୟାତ ତାଜମହଲ ହୋଟେଲ, ଜଳ-ବିଦ୍ୟୁତ କାରଖାନା, ଅନେକ କପା-କଳ ଓ ଟାଟା ଲୁହା-କାରଖାନା ଜାମସେଦଜି ଟାଟା ଗଢ଼ିଥିଲେ । 

ଏତେ ବଡ଼ ଲୁହା କାରଖାନା ଚାଲିଛି, ଆମରି ଗରିବ ଓଡ଼ିଶା ଦେଶର ସମ୍ପତ୍ତିରେ, ଯଦିଚ ଟାଟା ଓଡ଼ିଶା ପାଇଁ କିଛି କରିନାହାନ୍ତି । ଯେଉଁଠି ଟାଟା କାରଖାନା ବସିଛି, ସେ ସ୍ଥାନ ଓଡ଼ିଶା ବିଚ୍ଛିନ୍ନ ଅଞ୍ଚଳ ସିଂହଭୂମି । ଏ କାରଖାନାକୁ ଲୁହାମାଟି ଯୋଗାଉଛି, ମୟୂରଭଞ୍ଜର ଗୋରୁମହିଷାଣି ପାହାଡ଼ ଓ ବାଦାମ ପାହାଡ଼ । ଟାଟାନଗରରୁ, ଏଠାକୁ ରେଳ ଲାଇନ୍ ଯାଇଛି । ଲୁହା ମାଟି ଆଣିବା ପାଇଁ ପାହାଡ଼ ଉପରକୁ ଅନେକ ରେଳ ଲାଇନ୍ ବଙ୍କେଇ ବଙ୍କେଇ ଯାଇଛି । ଉପରେ କୁଲିମାନେ ଲାଗି ବିରାଟ ବିରାଟ ଲୁହା ପଥରକୁ ଭାଙ୍ଗି ଗୁଣ୍ଡା କରୁଛନ୍ତି । ତା’ପରେ ମାଲଗାଡ଼ି ବୋଝାଇ ହୋଇ ତଳକୁ ଘଡ଼ ଘଡ଼ କରି ଗଡ଼ିଆସୁଛି । 

କୋଡ଼ିଏ ବର୍ଷ ପରେ ଏ ଲୁହାଖଣି ସରିଯିବ, ତା’ପରେ ଟାଟା କାରଖାନା କେନ୍ଦୁଝରରୁ ଲୁହା ଆଣିବେ । ସେଠି ପୃଥିବୀର ସବୁଠାରୁ ବଡ଼ ଲୁହାଖଣି ଅଛି ବୋଲି ବିଶାରଦମାନେ କହନ୍ତି । ଆମ ଗଡ଼ଜାତମାନଙ୍କରେ ଏତେ ସମ୍ପତ୍ତି ରହିଛି, ତହିଁରେ ଅନ୍ୟଲୋକେ କ୍ରୋଡ଼ପତି ହେଉଛନ୍ତି, କିନ୍ତୁ ଆମେ ଯେଉଁ ଗରିବକୁ ସେହି ଗରିବ ।

ସମ୍ପାଦକୀୟ ଟୀକା: ଆମେ କାଳିମାଟି ବା ଟାଟାନଗରକୁ ଜାମସେଦପୁର ସହର ଭାବରେ ଜାଣୁ । ଏବେ ଏହା ଝାଡ଼ଖଣ୍ଡ ପ୍ରଦେଶର ଏକ ନଗର । ଭାରତରେ ଟାଟା କମ୍ପାନୀ କାଳିମାଟିରେ ଇସ୍ପାତ ତିଆରିବାର ଅନେକ ଆଗରୁ (ଶହ ଶହ ବର୍ଷ ପୂର୍ବରୁ) ଦେଶରେ ଏହି ଧାତୁ ନିର୍ମାଣ କରିବାର କଳାକୌଶଳ ଜଣା ଥିଲା - ଯଦିଓ ଏତେ ପରିମାଣରେ, ଗୋଟିଏ ଜାଗାରେ ଇସ୍ପାତ ତିଆରି ହେବା ଭାରତରେ ବୋଧ ହୁଏ ଏହା ପ୍ରଥମ ।

Thursday, September 29, 2016

ଯେଉଁ ଲୋକଙ୍କ ନାଁ ଗୋଟିଏ ଲେଖାଏଁ ବାକ୍ୟ


ଗୋପୀନାଥ ମହାନ୍ତି



      ଓଜିବୱା ମାନଙ୍କର ଘର - ୱିଗ୍-ୱାମ୍  


ଗୋଟିଏ ଜାତିର ଲୋକ ଅଛନ୍ତି ଯେଉଁମାନଙ୍କ ନାଁ ହେଉଛି ଗୋଟିଏ ଲେଖାଁ ବାକ୍ୟ ବା ବାକ୍ୟାଂଶ । ଜଣେ ଲୋକର ନାଁ ହେଉଛି, ‘ସେ ଠିକ ମୁଣ୍ଡର ଖପୁରି ଉପରେ ଆଘାତ କରେ ।’ ଆଉ ଜଣକର ନାଁ ହେଉଛି, ‘ସେ ସେମାନଙ୍କୁ ଖୋଜି ବାହାର କରେ ଓ ମାରି ପକାଏ ।’ ତାଙ୍କ ନାଁ ଯେ ଏତେଗୁଡ଼ାଏ ଭିନ୍ନ ଭିନ୍ନ ଶବ୍ଦ ତାହା ନୁହେଁ, କିନ୍ତୁ ତାଙ୍କ ନାଁର ଅର୍ଥ ଏହିପରି । ଅବଶ୍ୟ ଏ ଅର୍ଥ ଲୋକଙ୍କର କାର୍ଯ୍ୟକୁ ବୁଝାଏ ନାହିଁ । ଏ ଖାଲି ଗୋଟିଏ ଲେଖାଁ ନାଁ ।

ପୃଥିବୀର ଆର ପାଖରେ ଅର୍ଥାତ ଆମ ଗୋଡ଼ତଳେ ଉତ୍ତର ଓ ଦକ୍ଷିଣ ଆମେରିକା ବୋଲି ଯେଉଁ ଦୁଇଟି ବିଶାଳ ମହାଦେଶ ଅଛି, ଏମାନେ ସେହି ଦେଶର ଲୋକ। ଉତ୍ତର ଆମେରିକାର ପଶ୍ଚିମ ପଟେ ପର୍ବତମାଳା, ପୂର୍ବ ପାଖରେ ପାହାଡ଼, ଉତ୍ତରରେ ଅତି ଥଣ୍ଡା, ପାଇନ୍ ଗଛର ଜଙ୍ଗଲ ଓ ବରଫ, ମଝିରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଛି ବିଶାଳ ଗୋଟିଏ ପଡ଼ିଆ - ଯାହାର କଥା ‘ସମଶୀତଳ ଦେଶର ଘାସ ଭୂଇଁ’ରେ ତୁମେ ପଢ଼ିଛ। ଏହାକୁ ପ୍ରେୟାରି କହନ୍ତି । 

ଦକ୍ଷିଣ ଆମେରିକାର ପଶ୍ଚିମକୁ ଉତ୍ତର ଆମେରିକାର ପର୍ବତମାଳା ଲମ୍ବି ଆସିଛି । ଏ ମହାଦେଶର ଚଉଡ଼ା ଉତ୍ତରଭାଗ ହେଉଛି ‘ଗରମ ଦେଶର ଜଙ୍ଗଲ’ । ତଳକୁ ତଳକୁ ଘାସ ଭୂଇଁ ଅଛି । ଗରମ ଦେଶର ଘାସ ଭୂଇଁ ଭିତରେ ଶାଖା ପ୍ରଶାଖା ମେଲାଇ ଯାଇଛି ପୃଥିବୀର ସବୁଠାରୁ ବଡ଼ ନଦୀ, ଆମେଜୋନ୍ ନଦୀ । ଉତ୍ତର ଆମେରିକାର ମଝିରୁ ଦକ୍ଷିଣକୁ ଚାଲିଯାଇଛି ମିଶୋରି-ମିଶିଶିପି ନଦୀ,  ଯହିଁରେ ଅସଙ୍ଖ୍ୟ ଗଙ୍ଗାନଦୀ ରହିଯାଇପାରିବେ ।

ଏହି ଦୁଇ ଦେଶରେ ଯେଉଁ ଲୋକେ ଅଛନ୍ତି ସେମାନଙ୍କୁ ସାହେବମାନେ କହନ୍ତି ‘ରେଡ଼୍ ଇଣ୍ଡିୟାନ୍’ ବା ‘ଲୋହିତ ଭାରତୀୟ’ । କାରଣ ଏ ଦେଶ ଯେତେବେଳେ ଆବିଷ୍କୃତ ହେଲା ସେମାନେ ଏହାକୁ ଭାରତବର୍ଷ ବୋଲି ସନ୍ଦେହ କରିଥିଲେ । ଏ ଦେଶର ଲୋକେ ପ୍ରକୃତରେ ନାଲି ନୁହନ୍ତି, ସେମାନଙ୍କ ରଙ୍ଗ ତମ୍ବାରଙ୍ଗ ପରି । ଏମାନେ ପୂର୍ବେ ସାରା ଆମେରିକା ବ୍ୟାପି ଥିଲେ । ତା’ପରେ ଇଉରୋପରୁ ଧଳା ଲୋକେ ଆସିଲେ । 

ନୂଆ ପରିସ୍ଥିତିକୁ ଏମାନେ ଆଦରି ନେଇପାରିଲେ ନାହିଁ । ସାହେବମାନଙ୍କୁ ସେମାନେ ଅତି ଆଦରରେ ପାଛୋଟି ନେଇଥିଲେ, ଡେଇଁ ହାତ ହଲାଇ କିଳିକିଳା ରଡ଼ି ଛାଡ଼ି ଆନନ୍ଦ ଦେଖାଇ ସେମାନଙ୍କୁ ଅଭ୍ୟର୍ଥନା କଲେ । ପରେ ଯେତେବେଳେ ଦେଖିଲେ ଯେ, ସାହେବମାନେ ତାଙ୍କ ଦେଶକୁ ତନ୍ନ ତନ୍ନ କରି ଦେଖି, ପାଦ୍ରୀ ପଠାଇ ଲୋକଙ୍କୁ ବାଗକୁ ଆଣି ଓ ତୋପ ଦେଖାଇ ଦେଶଟାକୁ ନେଇ ଯାଉଛନ୍ତି, ସେତେବେଳଠରୁ ସେମାନେ ଧଳା-ଲୋକଙ୍କର ଶତ୍ରୁ ହୋଇପଡ଼ିଲେ । 

ସେମାନେ ସାହେବମାନଙ୍କୁ ତାଙ୍କ ଭାଷାରେ କହନ୍ତି ‘ଶେଥାମୁହାଁ’, ଆମେ ଯେପରି କହୁ ‘ଗୋରା’ । ‘ଶେଥା-ମୁହାଁ’ମାନଙ୍କ ସଙ୍ଗେ ଧନୁ, ଛୁରି, କୁରାଢ଼ୀ ଓ ବେପାରୀମାନଙ୍କଠାରୁ କିଣିଥିବା ବନ୍ଧୁକରେ ଯୁଦ୍ଧ କରି ଏମାନେ କ୍ଷୟ ପାଇଗଲେ । ଯୁଦ୍ଧରେ ଯେତେ ନମଲେ, ସେତେ ଲୋକ ମଲେ ରୋଗରେ । ତାଙ୍କ ଖୋଲା ଦେଶରେ ପୂର୍ବେ ବସନ୍ତ-ରୋଗ ଦେଖା ନଥିଲା । ସେ ଆସିଲା ଇଉରୋପର ଲୋକମାନଙ୍କ ସହିତ; ଏହିପରି ଅନେକ ରୋଗ ଇଉରୋପର ଲୋକେ ଆଣିଲେ । 

ଏମାନେ ପୂର୍ବେ ମଦ ଖାଉ ନଥିଲେ । ସାହେବମାନେ ସେମାନଙ୍କ ଭିତରେ ‘ନିଆଁ-ପାଣି’ ବା ମଦ ବିକ୍ରି କଲେ । ତହିଁରେ ସେମାନଙ୍କର ଅନିଷ୍ଟ ହେଲା । ଏହିପରି ଏହିପରି ଦୁଇ ଦୁଇଟା ମହାଦେଶ ବ୍ୟାପିଥିବା ଏତେବଡ଼ ଜାତିଟା ପ୍ରାୟ ଧ୍ୱଂସ ପାଇଗଲା । ବର୍ତ୍ତମାନ ଆମେରିକାର ସରକାର ଏମାନଙ୍କୁ ଯତ୍ନରେ ରଖିବାକୁ ଚେଷ୍ଟା କରୁଛନ୍ତି ଓ ଏମାନଙ୍କ ପାଇଁ ଅଲଗା ଜମି ଖଞ୍ଜି ଦେଇଛନ୍ତି । ଏମାନେ ବର୍ତ୍ତମାନ ସବୁଠାରୁ ବେଶୀ ଅଛନ୍ତି ଓକ୍ଲାହାମା ପ୍ରଦେଶରେ । ସେଠି ପ୍ରାୟ ସତୁରି ହଜାର, ‘ଲୋହିତ ଭାରତୀୟ’ ଘର କରିଛନ୍ତି ।

ଏମାନେ ଦିନେ ଆମେରିକାର ବିସ୍ତୃତ ପ୍ରେୟାରି ଭୂଇଁରେ ଛୋଟ ହରିଣ ଶିକାର କରି ବୁଲୁଥିଲେ । ଲୋକେ କହନ୍ତି, ଏମାନେ ଏସିଆର ଲୋକ । ବହୁ ବର୍ଷ ପୂର୍ବେ ଯେତେବେଳେ ଏସିଆ ଓ ଆମେରିକା ଏକାଠି ଲାଗିଥିଲା, ସେତିକିବେଳେ ଶିକାର କରିବାକୁ ଏମାନେ ଏଠିକୁ ଚାଲି ଆସିଥିଲେ ।

ଏମାନେ ଛୋଟ ଛୋଟ କୁଡ଼ିଆରେ ରହନ୍ତି, ତାକୁ କହନ୍ତି ‘ଉଇଗ୍-ୱାମ୍’ । ଘରର ଗୃହିଣୀକୁ କୁହାଯାଏ ‘ସ୍ତୂ’ ଓ ଗୃହସ୍ଥକୁ କହନ୍ତି ‘ଯୋଦ୍ଧା’। ଏମାନେ ବଡ଼ ଶିକାରୀ ଲୋକ କିନ୍ତୁ ଏମାନେ ଦଳବାନ୍ଧି ରହନ୍ତି, ସର୍ଦ୍ଦାରର କଥା ଶୁଣନ୍ତି । ଏଠି ବଡ଼ ବଡ଼ କାମରେ ହାତଦେବା ପୂର୍ବରୁ ଲୋକେ ଏକାଠି ରୁଣ୍ଡ ହୋଇ ସଭା କରନ୍ତି । କହଳ ବା ଯୁଦ୍ଧ ବନ୍ଦ କରିବାର ହେଲେ ଉଭୟ ପକ୍ଷର ଲୋକେ କୁରାଢ଼ୀକୁ ପୋତି ପକାନ୍ତି ଓ ଏକାଠି ବସି ଧୂଆଁ ପିଅନ୍ତି । 

ନାନାଜାତିର ଚଢ଼େଇର ପକ୍ଷୀକୁ ଏକାଠି ବୁଣି ଏମାନେ ମୁଣ୍ଡରେ ମୁକୁଟ କରି ପିନ୍ଧନ୍ତି ଓ ପଶୁମାନଙ୍କର ଚମଡ଼ା ପିନ୍ଧନ୍ତି । ଏମାନଙ୍କର ଅସ୍ତ୍ର ହେଉଛି ଟୋମାହକ୍ ଅର୍ଥାତ୍ କୁରାଢ଼ୀ । ସେଥିରେ ଏମାନେ ମୁଣ୍ଡର ଖପୁରି ଫଟାଇ ଦିଅନ୍ତି ଓ ଶିକାର ମଧ୍ୟ କରନ୍ତି । ଏ ଲୋକମାନେ ସବୁ ପ୍ରକାର ଦେହଜୋର ଖେଳରେ ଧୁରନ୍ଧର । ଏମାନଙ୍କ ସଙ୍ଗେ ଦୌଡ଼ି ଜିତିବା ସହଜ ନୁହେଁ । ଜଙ୍ଗଲରେ ବୁଲି ବୁଲି ଏମାନଙ୍କର ବାଟ ଖୋଜିବା ବିଷୟରେ ଅଦ୍ଭୁତଶକ୍ତି ହୋଇଯାଇଛି । ପୁଅମାନେ ପିଲାଦିନୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶିଖନ୍ତି । ଝିଅମାନେ ମା’ମାନଙ୍କୁ ସାହାଯ୍ୟ କରି ଶିଖନ୍ତି । ଶର ଫୋପାଡ଼ିବାରେ ଏମାନଙ୍କର ଅଦ୍ଭୁତ ଲକ୍ଷ୍ୟ । 

ଏ ଲୋକମାନେ କ୍ୱଚିତ୍ ହସନ୍ତି, ତା’ ବୋଲି ହାସ ପରିହାସ ଭଲ ନ ପାଆନ୍ତି ଏପରି ନୁହେଁ । ଏମାନେ ସ୍ତ୍ରୀ ଓ ପିଲାମାନଙ୍କୁ ଭାରି ଭଲ ପାଆନ୍ତି, ସେମାନଙ୍କର କଥା ଆଗ ଭାବନ୍ତି । ଏମାନେ ଶତ୍ରୁମାନଙ୍କ ଉପରେ ଯେପରି ଦାଉ ସାଧନ୍ତି, ବନ୍ଧୁଟିଏ ପାଇଲେ ଜୀବନ ଦେଇ ତା’ର ଉପକାର କରନ୍ତି । ଏମାନେ ପିଲାମାନଙ୍କୁ ଏତେ ସ୍ନେହ କରନ୍ତି ଯେ, ପିଲାମାନେ ଦୁଷ୍ଟାମି କଲେ ସୁଦ୍ଧା ସେମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ ବା ମାରନ୍ତି ନାହିଁ । ଭେଣ୍ଡା ଭେଣ୍ଡା ପୁଅମାନେ ଶିକାରରୁ ଫେରିଲେ ବାପମାନେ ସେମାନଙ୍କୁ କୁଣ୍ଢାଇ ପକାଇ ଗେଲ କରିବାକୁ ସଙ୍କୋଚ କରନ୍ତି ନାହିଁ ।

ଯଦି ଏମାନେ ବେପାର ପଡ଼ନ୍ତି, ତାହାହେଲେ ବାମ୍ଫରେ ଗାଧୁଅନ୍ତି । ପଶୁ ଚମଡ଼ା ପ୍ରଭୃତି ଝୁଲାଯାଇ ଗୋଟାଏ ଘର ତିଆରି ହୋଇଥାଏ । ରୋଗୀ ତା' ଭିତରେ ପଶେ । ତା' ଭିତରେ ପାଣି ରହିଥାଏ । ପଦାରୁ ବନ୍ଧୁମାନେ ପଥର ଖଣ୍ଡ ସବୁ ତତାଇ ଭିତରକୁ ଗେଞ୍ଜି ଦିଅନ୍ତି । ସେ ଘରେ ବାମ୍ଫ ଉଠେ । ଏମାନେ ବାମ୍ଫରେ କିଛି ସମୟ ରହିଲା ଉତ୍ତାରୁ ଯାଇ ନଈରେ ବା ପୋଖରୀରେ ବୁଡ଼ିପଡ଼ି ଆସନ୍ତି । ଏଇ ତାଙ୍କର ଚିକିତ୍ସା ।

ପାଗଲା ଲୋକଙ୍କ ପ୍ରତି ଏମାନଙ୍କର ଭାରି ଦୟା । ଥରେ ଯୁକ୍ତପ୍ରଦେଶର ଜିଓଲୋଜିକାଲ ସର୍ଭେ ବିଭାଗର ବୈଜ୍ଞାନିକ ଅଧ୍ୟାପକ ହେଡ଼େନ୍ ସେ ଦେଶର ପ୍ରଥମ ପରୀକ୍ଷା କରିବାକୁ ଯାଇ ଏ ଲୋକମାନଙ୍କ ହାବୁଡ଼େ ପଡ଼ିଲେ। ସେତେବେଳେ ଆମେରିକାନ୍ ମାନଙ୍କ ସହିତ ଏମାନଙ୍କର ଶତୃତା ଥାଏ ।

ଏମାନେ ତାଙ୍କ ପକେଟ ଅଣ୍ଡାଳିଲେ, ଦେଖିଲେ ଖାଲି ଜାତି ଜାତିକା ଖଣ୍ଡ ଖଣ୍ଡ ପଥର ରହିଛି । ତାଙ୍କର ପକେଟରୁ ଗୋଟିଏ ଡବା ବାହାରିଲା; ତାକୁ ଖୋଲି ଦେଖିଲେ ଯେ, ତହିଁରେ ଖାଲି ଜାତି ଜାତିକା ପୋକ ରହିଛନ୍ତି । ତା' ପରେ ସେମାନେ ଭାରି ହସିଲେ, ଅଧ୍ୟାପକଙ୍କୁ ପାଗଳ ଭାବି ତାଙ୍କର ପଥର ଓ ପୋକ ତାଙ୍କୁ ଫେରାଇଦେଇ ବିଦା କରିଦେଲେ ।

ଏମାନେ ବର୍ତ୍ତମାନ ଆଉ ସେତେ ନାହାନ୍ତି । ଏମାନେ ଅତି ପୂର୍ବେ ସଭ୍ୟ ଥିଲେ, ମେକ୍ସିକୋ ଓ ପେରୁ ରାଜ୍ୟରେ ଏମାନଙ୍କର ସଭ୍ୟତା ଅଦ୍ୟାପି ଜଗତର ବିସ୍ମୟ ଉପୁଯାଉଛି । ଏମାନେ ଆଜିକାଲି ସ୍କୁଲ୍ କଲେଜରେ ପଡ଼ିଲେଣି, ମଟର ଚଢ଼ିଲେଣି, ସାହେବି ପୋଷାକ ପିନ୍ଧିଲେଣି । ଏମାନଙ୍କ ଜାତିକୁ ବଞ୍ଚାଇ ରଖିବା ପାଇଁ ଏ ଦେଶର ସରକାର ଅନେକ ପ୍ରକାର ଆଇନ ବାନ୍ଧିଛନ୍ତି ।

Sunday, September 11, 2016

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ -

ଯେଉଁ ଦେଶରେ ଲୋକେ ମୁହଁରେ ଚିତା କୁଟନ୍ତି


ଉନବିଂଶ ଶତାବ୍ଦୀର ମାଓରି ମୁଖିଆ ରେୱି ମାଙ୍ଗା ମାନିଆପୋତୋଙ୍କର ଚିତ୍ର
ଚିତ୍ରକର - ଗଟଫ୍ରେଡ଼୍ ଲିଣ୍ଡୋର୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଗୋଟିଏ ଜାତିର ଖେଳ ଦେଖିଛ ? ସବୁ ପିଲାଏ ଏକାଠି ଗୋଲ ହୋଇ ବସିବେ, ତା’ପରେ ସମସ୍ତେ ମୁହଁକୁ ଭ୍ରୁକୁଟି କରି ଦାନ୍ତ ଦେଖାଇ ଆଖି ବୁଲାଇ ମୁହଁକୁ ଏପରି ଭାବରେ କରିବେ, ଯେପରି କି ଯେ ଦେଖିବ ଡରିଯିବ । ଏଣେ ଗର୍ଜନ ଛାଡ଼ୁଥିବେ । ହାତ ଗୋଡ଼ ଦେହ ଟାଙ୍କି ହେଉଥିବ । ଯାହାର ମୁହଁ ସବୁଠାରୁ ଭୟଙ୍କର ଦିଶିବ, ଆଉ ଯାହାର ଗର୍ଜନ ସବୁଠାରୁ ଭୟଙ୍କର ହେବ, ସେହି ଜିତିଲା ବୋଲି ଜାଣିବାକୁ ପଡ଼ିବ ।

ଏ ଖେଳ କେବଳ ଖେଳନ୍ତି ସେହିମାନେ, ଯେଉଁମାନଙ୍କୁ ମାଓରି କୁହାଯାଏ । ଏ ମାଓରିମାନେ ଏଠୁ ବହୁତ ଦୂରରେ ପ୍ରଶାନ୍ତ ମହାସାଗରରେ ଥିବା ଏକାଠି ପାଖ ପାଖ ଦୁଇଟି ଦ୍ୱୀପରେ ରହନ୍ତି । ସେ ଦ୍ୱୀପକୁ ନିଉଜିଲାଣ୍ଡ କୁହାଯାଏ । ସେମାନେ କୁହନ୍ତି ଯେ, ସେମାନଙ୍କ ବଂଶ ଯେଉଁ ଲୋକଠାରୁ ଉତ୍ପନ୍ନ ହୋଇଛି, ତାଙ୍କ ନାମ ଥିଲା ମାଉଇ । ସେ ମାଉଇଙ୍କୁ ଭାରି ଯାଦୁବିଦ୍ୟା ଜଣାଥିଲା, ଆଉ ତାଙ୍କର ଶକ୍ତି ଏପରି ଥିଲା ଯେ, ସବୁ ଦେବତା ତାଙ୍କୁ ଡରୁଥିଲେ । ଦିନକର ମାଉଇ ମାଛ ମାରି ଯାଉଛନ୍ତି । ତାଙ୍କର ବନ୍ସି କଣ୍ଟା ଗୋଟିଏ କାଉଁରିହାଡ଼ରେ ତିଆରି । ବନ୍ସି ଡୋର ସମୁଦ୍ର ଭିତରକୁ ବହୁତ ତଳକୁ ଚାଲିଗଲା - ମାଛ ଦେବତାଙ୍କ ଘର ପର୍ଯ୍ୟନ୍ତ । ମାଛ ଦେବତାଙ୍କ ନାମ ଟୋଙ୍ଗାରୋରା । ସେତେବେଳେ ତାଙ୍କ ନାତି ଟୋଙ୍ଗାନି ରାଜୁତି କରୁଥିଲେ । ମାଉଇଙ୍କ ବନ୍ସି କଣ୍ଟା ଯାଇ ଲାଗିଲା ଟୋଙ୍ଗାନିଙ୍କ ରଜା ନଅରର ମୁଣ୍ଡରେ । ମାଉଇ ଟାଣିଲେ । ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିଲା, ପାଣି ଦି’ଭାଗ ହୋଇ ଯାଉଥାଏ । ଟୋଙ୍ଗାନିଙ୍କ ରଜା ନଅର ଆଉ ରାଜ୍ୟ ସବୁଯାକ ପାଣି ଉପରକୁ ଉଠିଆସିଲା । ସେଇ ରାଜ୍ୟ ହେଲା ନିଉଜିଲାଣ୍ଡ । 

ଏ ଦ୍ୱିପ ଭାରି ସୁନ୍ଦର । ଦୁଇ ଦ୍ୱୀପ ଭିତରେ ଅଳ୍ପ ଫାଙ୍କ, ମଝିରେ ମେରୁଦଣ୍ଡ ପରି ଧାଡ଼ିଏ ପର୍ବତ ଉତ୍ତରକୁ ଆସି ତଳେ ବେଶୀ ଚଉଡ଼ା ହୋଇ ଚାଲିଯାଇଛି । ନାନାଜାତି ଫୁଲରେ ପୂର୍ଣ୍ଣ ହୋଇଛି । ଏଠି ବହୁତ ମହୁ ମରା ହୋଇ ବିଦେଶକୁ ପଠାଯାଏ । ସବୁଜ ପାହାଡ଼ ଉପରେ ବରଫ ଚିକ୍ ଚିକ୍ କରୁଛି । ଏଠି ବରଫର ନଈ ବିଜୁଳିବେଗରେ ପାହାଡ଼ ଉପରୁ ଛାଡ଼ିଆସୁଛି । ପୃଥିବୀ ତଳୁ ଗରମ ପାଣି ଝରଣା ହୋଇ ବାହାରୁଛି, ସେଠି ଚାଉଳ ପକାଇ ଦେଲେ ଭାତ ହୋଇଯିବ । ଗରମ ପାଣି ପିଚକାରି ମାରିଲା ପରି ଉପରକୁ ଉଠି ପଡ଼ିଯାଉଛି । ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଦିଶୁଛି ହୀରାପରି । ମାଓରିମାନେ ସେଥିରେ ରୋଷେଇ କରନ୍ତି ଆଉ ଗାଧୁଅନ୍ତି ।

ଜଙ୍ଗଲରେ ଲେମ୍ବୁ ପାଚି ଲାଲ ଦିଶୁଛି । ଲେମ୍ବୁ ବାସନାରେ ଚାରିଆଡ଼ କମ୍ପିଯାଉଛି । ଅସଙ୍ଖ୍ୟ ମେଣ୍ଢା, ଛେଳି ଚରି ବୁଲୁଛନ୍ତି । ଜଙ୍ଗଲରେ ମସ୍ତ ବଡ଼ ବଡ଼ ଗଛ, ତା’ର ନାଁ କାଉରି ଗଛ । ଦୁଇହଜାର ବର୍ଷର ପୁରୁଣା କାଉରିଗଛ ଏଠି ଅଦ୍ୟାପି ବଢ଼ୁଛି, କଟା ହୋଇ ଜାହାଜର ମାସ୍ତୁଲ ହେଉଛି । ସେ ଗଛରୁ ଅଠା ବାହାରେ, ତହିଁରେ ବାର୍ଣ୍ଣିଶ୍ ତିଆରି ହୁଏ । ଅସଙ୍ଖ୍ୟ ନଈ ପାହାଡ଼ରୁ ଦୌଡ଼ି ଦୌଡ଼ି ସମୁଦ୍ରରେ ପଡ଼ିଛି । ସୁଅ ଏତେ ଟାଣ ଯେ, ତହିଁରେ ମେସିନ୍ ଚଳାହୋଇ ବିଜୁଳି ଶକ୍ତି ତିଆରି ହୁଏ ।

ଏ ସୁନ୍ଦର ଦେଶରେ ସାହେବମାନେ ଅଛନ୍ତି ପୁଣି ଆଦିମ ଅଧିବାସୀ ମାଓରିମାନେ ଅଛନ୍ତି । ଏମାନେ ବଳୁଆ ଲୋକ, ଅତି ଯୋଦ୍ଧା ଜାତି । ପୂର୍ବେ ଏ ଅସଭ୍ୟ ଲୋକେ ନରମାଂସ ଖାଉଥିଲେ । ଏମାନେ ଭୟଙ୍କର ଦିଶିବା ପାଇଁ ମୁହଁଯାକ ଚିତା କୁଟନ୍ତି । ଏ ଚିତା କୁଟିବାକୁ ‘ମୋକୋ’ କରିବା କହନ୍ତି । ଚଢ଼େଇ ହାଡ଼, ମଗରର ଦାନ୍ତ ଓ ଗୋଜିଆ ପଥରରେ ଏମାନେ ‘ମୋକୋ’ ହୁଅନ୍ତି ।

ଏମାନେ ତ ଯୋଦ୍ଧା ଜାତି । ପାହାଡ଼ ଉପରେ ଏମାନେ ଗାଁ ବସାଉଥିଲେ । ଏମାନେ ଡଙ୍ଗାରେ ଚଢ଼ି, ବର୍ଚ୍ଛା, ଫାର୍ସା, ଧନୁଶର ଧରି ଯୁଦ୍ଧ କରିବାକୁ ଯାଉଥିଲେ । ଯୁଦ୍ଧ ଡଙ୍ଗାରେ ନାଲି ରଙ୍ଗ ବେଳା ହୋଇଥାଏ । ପୁଣି ଭାରି ସୁନ୍ଦର ଖୋଳାଇକାମ ହୋଇଥାଏ । ଯୋଦ୍ଧାମାନେ ଦେହଯାକ ଚିତ୍ର କରିଥାନ୍ତି । ସାହେବମାନେ ତ ଏମାନଙ୍କ ଦେଶକୁ ନେଇଗଲେ । ସେମାନେ ଏମାନଙ୍କ ଉପରେ ଅତ୍ୟାଚାର ମଧ୍ୟ କଲେ । ତେଣୁ ଏମାନେ ୧୮୬୧ ସାଲରୁ ୧୮୭୧ ସାଲ ପର୍ଯ୍ୟନ୍ତ ସାହେବମାନଙ୍କ ତୋପ ବନ୍ଧୁକ ବିରୁଦ୍ଧରେ ନିଜର ପୁରୁଣା ବର୍ଚ୍ଛା, ଖଣ୍ଡା ଧରି ଲଢ଼ିଲେ । ହାରିଲେ ତ, କିନ୍ତୁ ଭାରି ବୀରତ୍ୱ ଦେଖାଇଥିଲେ ।

ଏମାନେ ନାଚିବାକୁ ଭାରି ଭଲ ପାଆନ୍ତି । ତାଙ୍କ ନାଚ ସବୁ ପୂଜାପଦ୍ଧତି ପରି ହୁଏ । ବେଳେବେଳେ ସେ ନାଚ ଭିତର ଦେଇ ମୋନଙ୍କ ବିଗତ ଇତିହାସ ସେମାନେ ଦେଖାନ୍ତି । ଗୋଟିଏ ନାଚ ଅଛି, ତା’ର ନାଁ ଡଙ୍ଗା-ନାଚ । ଏଥିରେ ତିରିଶି ଚାଳିଶି ଜଣ ସ୍ତ୍ରୀ’ଲୋକ ଲାଗିଯାଆନ୍ତି । କେତେଜଣ ତ ଏକାଠି ବସି ପଡ଼ନ୍ତି । ସେ ଦଳଟା ହୁଏ ସେମାନଙ୍କର ଡଙ୍ଗା । ତାଙ୍କ ପଛଆଡ଼େ ଅନ୍ୟମାନେ ଠିଆହୋଇ ଦେହକୁ ନାନାପ୍ରକାର ହଲାନ୍ତି, ଫୁଲାନ୍ତି ଆଉ ଝୁଲାନ୍ତି, ଯହିଁରେ ଜଣାପଡ଼ିବ ଯେ, ଢେଉ ସବୁ ଉଠୁଛି ପଡ଼ୁଛି । ସେମାନେ ତ ଫ୍ଲାକ୍ସରେ ତିଆରି ଘାଗରା ପିନ୍ଧିଥାନ୍ତି । ଦେହ ହଲାଇଲାବେଳକୁ ସେ ପୋଷାକଗୁଡ଼ିକ, ପାଣି ବାଜିଲାପରି ଚବ୍ ଚବ୍ କରେ । 

ଏମାନେ ଘରର ଖୁଣ୍ଟ ଉପରେ ଅନେକ ପ୍ରକାରର ଭୟଙ୍କର ଛବି ଖୋଳି ଦେଇଥାନ୍ତି । ବଡ଼ ବଡ଼ ଆଖି, ବଡ଼ ବଡ଼ ଦାନ୍ତ, ଏହିପରି । କିନ୍ତୁ ଏମାନଙ୍କର ଦଣ୍ଡବତ କରିବା ବିଧି ସବୁଠାରୁ ମଉଜି । ଦୁଇଜଣ ଭେଟା ଭେଟି ହେଲେ ହାତ ଧରାଧରି ହୁଅନ୍ତି, ତା’ପରେ ନାକକୁ ନାକ ଘସି କେମିତି ଗୋଟିଏ କରୁଣ ଚିତ୍କାର କରନ୍ତି, - ଏଇ ତାଙ୍କର ଦଣ୍ଡବତ । ମୁହଁକୁ ମୁହଁ ଓଠକୁ ଓଠ ଲଗାଇ ଗେଲ କରିବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ ।

Thursday, September 08, 2016

ପଠାଣି ସାମନ୍ତ


ମୃତ୍ୟୁଞ୍ଜୟ ରଥ


ପଠାଣି ସାମନ୍ତ
ଫଟୋ କ୍ରେଡ଼ିଟ୍ - ୱିକିପିଡ଼ିଆ କମନ୍ସ୍

ତୁମ୍ଭର ଜନ୍ମଦିନ, ଗଣେଶ ଚଉଠି, ଶ୍ରୀପଞ୍ଚମୀ, ସ୍କୁଲଛୁଟି, ଓଷା ପର୍ବ ଆଦି କେଉଁ ଦିନ, କେଉଁ ମାସର କେତେ ତାରିଖ, ଏହା ସବୁ ପାଞ୍ଜି ନଥିଲେ ଜାଣିପାରନ୍ତ କି ? ପାଞ୍ଜିରେ ବର୍ଷକ ଯାକର ଦିନ, ବାର, ତିଥି, ସଙ୍କ୍ରାନ୍ତି, ପୁନିଅଁ, ଅମାସ୍ୟା ପୁଣି ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ସବୁ ଗଣାହୋଇ ଲେଖା ଥାଏ ।

ଏବେ ପାଞ୍ଜି ଛପାବହି ହୋଇ ବାହାରୁଛି । ଆଗେ ତାଳପତ୍ର ପୋଥିରେ ଚଳୁଥିଲା । ଏବେ ମଧ୍ୟ ଗାଁମାନଙ୍କରେ ଜ୍ୟୋତିଷ ନାୟକମାନେ ଘରକୁ ଘର ବୁଲି କାଖରୁ ଆପଣା ତାଳପତ୍ର ପାଞ୍ଜି ବିଡ଼ାଟି କାଢ଼ି ଓଷା, ବାର, ସଙ୍କ୍ରାନ୍ତି ବା କୌଣସି ନିମିତ୍ତକୁ ଶୁଭଦିନ ବିଚାରି କହନ୍ତି । ମାତ୍ର ତାଙ୍କର ପାଞ୍ଜି ଅସଲ ପାଞ୍ଜି ନୁହେଁ। ସେ ଛପାପାଞ୍ଜିରୁ କେତେକ ସାର ସାର କଥା ଟିପି ରଖିଥାନ୍ତି ।

ବଡ଼ ଛାପାପାଞ୍ଜି ଜଣେ ଜଣେ ବଡ଼ ଜ୍ୟୋତିଷ ପଣ୍ଡିତ ଗଣନା କରିଥାନ୍ତି । ସେପରି ପାଞ୍ଜି ଆମ୍ଭ ଦେଶରେ ଏବେ ଦୁଇ ତିନିଟା ଚଳୁଛି । ସେସବୁ ପାଞ୍ଜିଠାରୁ ପଠାଣ ସାମନ୍ତଙ୍କ ପାଞ୍ଜି ଶୁଦ୍ଧ । ଆଉ ପାଞ୍ଜିକାରମାନେ ତାଙ୍କରିଠାରୁ ଶିଖି ପାଞ୍ଜି ତୋଳୁଛନ୍ତି । ସେ ପଠାଣି ସାମନ୍ତ କିଏ ଜାଣିଛ ? ସେ ଜ୍ୟୋତିଷ୍କରେ ଜଣେ ବଡ଼ ପଣ୍ଡିତ ଥିଲେ । କିନ୍ତୁ ସେ ଜ୍ୟୋତିଷ ନାୟକ ନଥିଲେ, ସେ ଜଣେ କ୍ଷତ୍ରିୟ ରାଜପୁତ୍ର । ତାଙ୍କର ପୂରା ନାମ ଥିଲା - ସାମନ୍ତ ଶ୍ରୀ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ।

କଟକର ପ୍ରାୟ ୨୦ କ୍ରୋଶ ପଶ୍ଚିମରେ ମହାନଦୀର ଦକ୍ଷିଣକୁ ଖଣ୍ଡପଡ଼ା ବୋଲି ଗୋଟିଏ ଗଡ଼ଜାତ ଅଛି । ସେହି ରାଜ୍ୟର ଆଗ ରାଜା ଥିଲେ ଶ୍ରୀ ନଟବର ସିଂହ ଭ୍ରମରବର ରାୟ । ତାଙ୍କର ସେ କକେଇ ବା ଦାଦା ସାମନ୍ତ ଥିଲେ । ତାଙ୍କର ଜନ୍ମ ଆଜକୁ ୮୫ ବର୍ଷ ହେବ । ପନ୍ଦର ବର୍ଷ ତଳେ ତାଙ୍କର କାଳ ହୋଇଅଛି । 

ବାପା, ମା’ଙ୍କର ଅପ୍ରତ୍ୟାଶି ଥିବାରୁ ତାଙ୍କର ଡାକ ନାମ ହୋଇଥିଲା ‘ପଠାଣି’ । ପଠାଣି ସାମନ୍ତ ପିଲାଦିନେ ଖଡ଼ିପାଠ ଆରମ୍ଭ କରି ତହୁଁ ପୋଥିରୁ ନାନା ଛାନ୍ଦ, ଗୀତ, ପୁରାଣ ଆଉ ରାମାୟଣ, ମହାଭାରତ ପଢ଼ିଥିଲେ । ତାଙ୍କର ବାପା ଶ୍ୟାମବନ୍ଧୁ ସାମନ୍ତ ଜ୍ୟୋତିଷରେ ଜଣେ ଭାରି ପଣ୍ଡିତ ଥିଲେ । ଆପଣା ପୁଅକୁ ତାହା ସେ ଉତ୍ତମରୂପେ ଶିଖାଇଥିଲେ ଆଉ ଆକାଶର ସାନ-ବଡ଼ ତାରାମାନ ଚିହ୍ନାଇ ଦେଇଥିଲେ ।

ମାତୃଭାଷାରେ ଭଲ ଜ୍ଞାନ ହୋଇଯିବା ପରେ ସାମନ୍ତ ଜଣେ ଦୁଇଜଣ ବ୍ରାହ୍ମଣ ପଣ୍ଡିତଙ୍କ ପାଖରେ ସଂସ୍କୃତ ପଢ଼ିଥିଲେ । ତାଙ୍କର ବୁଦ୍ଧି ଏପରି ପ୍ରଖର ଥିଲା ଯେ, ବେଳେବେଳେ ପଣ୍ଡିତଙ୍କୁ ଅସାଧ୍ୟ ପ୍ରଶ୍ନ ପଚାରି ବାଉଳା କରିପକାଉଥିଲେ । ଏହିପରି ପଢ଼ୁ ପଢ଼ୁ ସେ କାବ୍ୟ ନାଟକ, ଅଳଙ୍କାର, ସ୍ମୃତି, କର୍ମକାଣ୍ଡ ଆଦି ବହୁତ ଶାସ୍ତ୍ରରେ ପଣ୍ଡିତ ହୋଇଥିଲେ । ଏସବୁ ଶାସ୍ତ୍ର ଅପେକ୍ଷା ସେ ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ହୋଇ ଆଶ୍ଚର୍ଯ୍ୟ ଫଳ ଦେଖାଇଥିଲେ । ଜ୍ୟୋତିଷ ବିଷୟରେ ଯେଉଁଠି ଯେତେ ପୋଥି ଥିଲା, ସବୁ ଖୋଜି ଲୋଡ଼ି ଆଣି ସେ ପଢ଼ିଥିଲେ ।

ତୁମ୍ଭେମାନେ ମନେ କରୁଥିବ, ଆଜିକାଲିକା ଛପାବହି ପରି ବହିଖଣ୍ଡମାନ ଧରି ସୁଖରେ ପଢ଼ି ଚାଲିଯାଉଥିଲେ, ତାହା ନୁହେଁ । ତାଙ୍କର ଦେହକଟାଯାକ ତାଳପତ୍ର ପୋଥିରୁ ପଢ଼ା । ତାଳପତ୍ର ଲେଖକ ଛଡ଼ା କାଗଜ କଲମ କେବେ ଧରୁ ନଥିଲେ । ତାଳପତ୍ରରେ ବଡ଼ ବଡ଼ ଅଙ୍କମାନ ମଧ୍ୟ ସେ କଷିପକାଉଥିଲେ, ଅଙ୍କ କଷିବାରେ ତାଙ୍କର ମନ ଏତେ ଟାଣ ଥିଲା ଯେ, କାହିଁରେ କିଛି ନଲେଖି ମଧ୍ୟ ବଡ଼ ବଡ଼ ଅଙ୍କ ସମସ୍ତ କଷି ଚଞ୍ଚଳ ଫଳ କହିଦେଉଥିଲେ - ଏହି ଗୁଣରୁ ସେ ଶେଷକାଳକୁ କ’ଣ କରିଥିଲେ, ତଳେ କହୁଛି ଶୁଣ ।

ପିଲାଦିନରେ ପଠାଣି ସାମନ୍ତ ଆଉ ପିଲାଙ୍କ ପରି ଧୂଳିଖେଳ ନକରି ଆକାଶକୁ ଚାହିଁ ଉଡ଼ନ୍ତା ଶାଗୁଣା ବା ଆଉ ପକ୍ଷୀ ଦେଖିଲେ କେତେଟା ଉଡ଼ୁଛନ୍ତି ବୋଲି ଜାଣିବାକୁ ବଡ଼ ସୁଖ ପାଉଥିଲେ । ବଡ଼ ମେଘ ବର୍ଷିଲାବେଳେ ତାହାର ମୋଟା ମୋଟା ଧାର ସେହିପରି ଗଣି ଖୁସି ହେଉଥିଲେ । ଏହି କୌତୁକରେ ସେ ବାଣ ଦେଖିବାକୁ ମଧ୍ୟ ଭାରି ସୁଖ ପାଉଥିଲେ । ବାଣଟାଏ ମଲେ ତାହା ପର୍ବତ ଉପରୁ କେତେ ଦୂରକୁ ଗଲା ଏବଂ କେତେ ଦୂରରେ ଯାଇ ପଡ଼ିଲା, ତାହା ହିସାବ କରି ଲୋକଙ୍କୁ କହିଦେଉଥିଲେ, କେତେବେଳେ ବା ଆପେ ଟିପି ରଖୁଥିଲେ ।

ଏହି ଅଭ୍ୟାସ ତାଙ୍କର ଏତେ ବଢ଼ିଥିଲା ଯେ, ଶେଷକ ବାଟରେ ଗୋଟାଏ ଦେଉଳ କି ଗଛ କି କୋଠା ଦେଖିଲେ ତାହା କେତେ ଉଚ୍ଚ ମନେ ମନେ କଷି ଯାହା କହିଦେଉଥିଲେ, ମାପିଲାବେଳକୁ ଠିକ୍ ସେୟା ହେଉଥିଲା । ଖାଲି କ’ଣ ଏତିକି ସେ ଗଣନା କରୁଥିଲେ ? ରାତିରେ ଆକାଶକୁ ଏକ ଆଖିରେ ଚାହିଁ ରହିଥା'ନ୍ତି । କେଉଁ ଦିନ କେଉଁ ନକ୍ଷତ୍ର କେତେ ସ୍ଥାନ ଛାଡ଼ିଛି, କେତେ ଉଠିଛି ବା ତଳକୁ ଆସିଛି, କେଉଁ ଦିନ ଚନ୍ଦ୍ରର କେତେ କଳା ବଢ଼ିଛି ବା ଛିଡ଼ିଛି, କେଉଁ ଗ୍ରହର କେତେବେଳେ ଉଦୟ ବା ଅସ୍ତ୍ର ହେଲା, ଏହାକୁ ଦେଖୁ ଦେଖୁ ଦିନେ ଦିନେ ତାଙ୍କର ରାତି ପାହି ଯାଉଥିଲା ।

ପ୍ରତିଦିନ ବେକ ଭାଙ୍ଗି ଆଖିରୁ ପାଣି ମାରି ଏହିପରି ଦେଖି ଦେଖି ତାଙ୍କର ମାସେ ନୁହେଁ, କି ବର୍ଷେ ନୁହେଁ, ଏକାଧାରାକେ କୋଡ଼ିଏ ବର୍ଷ ବିତି ଯାଇଥିଲା । ବେଳେବେଳେ ସେ ରାତିରେ ଖଟ ଉପରେ ଚିତି ହୋଇପଡ଼ି ଚାଳ ଭତର କଣାରେ ଗ୍ରହ ନକ୍ଷତ୍ରକୁ ଚାହିଁ ସେମାନଙ୍କର ଗତି ସ୍ଥିତି ଆଦି ବୁଝୁଥିଲେ । ଏହି କେତକେ ବର୍ଷ କାଳ ଦେଖି ଦେଖି ଯାହା ସେ ଅଙ୍କ କଷି ଫଳ ବାହାର କରୁଥିଲେ, ପୁରୁଣା ଜ୍ୟୋତିଷ ପୋଥିର ଅଙ୍କ ସଙ୍ଗେ ତାହା ନ ମିଳିବାରୁ ପୁରୁଣା ପେୋଥି ସହିତ ସବୁ ବିଷୟ ଥରେ ମିଳାଇଯିବାକୁ ତାଙ୍କର ଆଗ୍ରହ ହେଲା ।

କୋଟିନିଧି ପରି ଯେଉଁ ନୂତନ ତତ୍ତ୍ୱଟିମାନ ସେ ପାଇଲେ, ତାକୁ ଶ୍ଳୋକରେ ନିଜେ ରଚନା କରି ତାଳପତ୍ର ଖେଦାରେ ଟିପି ରଖୁଥିଲେ । ଏହିପରି କୋଡ଼ିଏ ବର୍ଷର ଟିପା ଶ୍ଳୋକମାନ ମିଶି ପଛକୁ ଗୋଟିଏ ବଡ଼ ପୋଥି ପରି ହୋଇଗଲା । ସେଗୁଡ଼ିକ ପୁରୁଣା ପୋଥିର ମାର୍ଗରେ ସଜାଇ ଯେଉଁ ନୂଆ ଜ୍ୟୋତିଷ ଗ୍ରନ୍ଥ କଲେ, ତାହାର ନାମ ‘ସିଦ୍ଧାନ୍ତ ଦର୍ପଣ’ ।

ପୁରୁଣା ଗ୍ରନ୍ଥ ଖଣ୍ଡିର ନାମ ଥିଲା ‘ସିଦ୍ଧାନ୍ତଶିରୋମଣି’ । ଆଜିକୁ ଆଠଶ ବର୍ଷ ତଳେ ଭାସ୍କରାଚାର୍ଯ୍ୟ ବୋଲି ଜଣେ ଦକ୍ଷିଣର ଜ୍ୟୋତିଷ ପଣ୍ଡିତ ରଚନା କରିଥିଲେ । ଏହି ଆଚାର୍ଯ୍ୟଙ୍କ ପରେ ଆଜିଯାଏଁ ଆମ ଦେଶରେ ‘ସିଦ୍ଧାନ୍ତ ଦର୍ପଣ’ ପରି ଜ୍ୟୋତିଷ ଗ୍ରନ୍ଥ ଆଉ କେହି ଲେଖିନାହାନ୍ତି ।

ଏ ଗ୍ରନ୍ଥ ଯେତେବେଳେ ଦେବନାଗରୀ ଅକ୍ଷରରେ ଛପା ହୋଇ ଚାରିଆଡ଼କୁ ଗଲା, ତାକୁ ଦୂର ଦେଶର ପଣ୍ଡିତମାନେ ପଢ଼ି ଆଚମ୍ବିତ ହୋଇଗଲେ । ଭାରତବର୍ଷ ଯାକ ତାଙ୍କର ପ୍ରଶଂସା ହୋଇଗଲା - ବିଲାତରେ ମଧ୍ୟ ତାଙ୍କର ଖୁବ୍ ନାମ ହେଲା । ସେ ସୂର୍ଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ଯେଉଁଦିନ ଯେତେବେଳେ ହେବ ବୋଲି କହି ଦେଉଥିଲେ, ଠିକ୍ ସେହି ଦିନ ସେତିକିବେଳେ ଘଟିବାର ଦେଖି ସାହେବମାନେ ଆଶ୍ଚର୍ଯ୍ୟ ହୋଇଗଲେ । ବଡ଼ଲାଟ୍ ସାହେବ ତାଙ୍କର ଏପରି ଯୋଗ୍ୟତା ଥିବାର ଶୁଣି ତାଙ୍କୁ ‘ମହାମହୋପାଧ୍ୟାୟ’ ପଦ ଦେଇଥିଲେ। ମୃତ୍ୟୁ ପୂର୍ବରୁ ଅଳ୍ପକାଳ ମାସକୁ ଟ. ୫୦ ସରକାରୀ ବୃତ୍ତି ପାଇଥିଲେ ।

ଏହି ‘ସିଦ୍ଧାନ୍ତ ଦର୍ପଣ’ ଗ୍ରନ୍ଥର ସୂତ୍ର ଧରି ସେ ଯେଉଁ ପାଞ୍ଜି ପ୍ରଥମେ ଛପାଇଲେ, ସେହି ପାଞ୍ଜି ଶୁଦ୍ଧ ବୋଲି ସମସ୍ତେ ଜାଣିଲେ ଏବଂ ଫଳ ଘଟିବା ଦେଖି ମଧ୍ୟ ବୁଝି ପାରିଲେ । ଏବେ ତାଙ୍କର ମଧ୍ୟମ ପୁତ୍ର ଗଦାଧର ସିଂହ ତାଙ୍କ ଅନ୍ତେ ପାଞ୍ଜି କରୁଅଛନ୍ତି । 

ଆଶ୍ଚର୍ଯ୍ୟର କଥା ଯେ, ଆଜି କାଲି ଆକାଶର ଗ୍ରହ ନକ୍ଷତ୍ରତତ୍ତ୍ୱ ପଣ୍ଡିତମାନେ ନଜରନଳୀ ବା ଦୂରବୀକ୍ଷଣରେ ଦେଖି ଯାହା ଠିକ୍ କରି କହିପାରୁ ନାହାନ୍ତି, ତାହାକୁ ସାମନ୍ତ ଖଣ୍ଡେ ମାପ କାଠି ଧରି ନିଜ ଆଖିରେ ଦେଖି କହିଦେଉଥିଲେ । ସେ ମାପ କାଠି ବା ମାନଯନ୍ତ୍ର ତାଙ୍କର ନୂଆ ଭିଆଣ । ସେଥିରେ ଦେଖି ଯେଉଁ ଅନ୍ତରା କଳା ବା ଅଂଶ ଆଦି କାଢ଼ି ହିସାବ କରି ସେ ଯେଉଁ ଫଳ କହିଅଛନ୍ତି ତାହା ବିଲାତରେ ନଜର ନଳୀରେ ଦେଖି ସାହେବମାନେ ଯାହା କିଛି କହିଅଛନ୍ତି, ତାହା ସହିତ ମୁଣ୍ଡାମୁଣ୍ଡି ସମାନ । ଏପରି ମହାତ୍ମା ଆମ୍ଭ ଦେଶରେ ଜନ୍ମିଥିବାରୁ ଆମ୍ଭ ଦେଶ ଧନ୍ୟ ହୋଇଅଛି । ଯାହା ଯୋଗରେ ଦେଶ ଧନ୍ୟ ହୁଏ, ଆଉ କୁଳ ପବିତ୍ର ହୁଏ, ସେହି ସିନା ବଡ଼ଲୋକ ।

ପଠାଣି ସାମନ୍ତ ଭାରି ନିଷ୍ଠାପର ଓ ଆଚାରବନ୍ତ ଲୋକ। ଶୌଚ ଆଉ ପୂଜା ହୋମରେ ତାଙ୍କ ଆଗରେ ପୁରୋହିତ ବ୍ରାହ୍ମଣ ବି ମାନ ହେବେନାହିଁ । ତାଙ୍କ ଆଖିରେ ଟିକିଏ ଦୋଷ ସୁହାଯାଏ ନାହିଁ । ସେପରି ନିର୍ମଳଚଳିତ୍ର ଲୋକ ଆଉ ଦେଖାଯାଉ ନାହାନ୍ତି । ପୁରୁଷୋତ୍ତମରେ ପିଣ୍ଡରୁ ପ୍ରାଣ ଗଲେ ତାଙ୍କର ସଦ୍‌ଗତି ହେବ ବୋଲି ବହୁ ଦିନର ବାଞ୍ଛା ଥିଲା । ଶେଷ କାଳକୁ ସେ ଆଗରୁ ଦିନ ଅନୁମାନ କରି ପୁରୀକୁ ଯାଇଥିଲେ ଏବଂ ବଡ଼ ଦେଉଳରେ ଜଗନ୍ନାଥଙ୍କୁ ଦର୍ଶନ କରି ମେଲାଣି ମାଗିଥିଲେ - ସେତିକି ଯାହା ଦର୍ଶନ, ତହିଁର ପ୍ରାୟ ୧୨ ଦିନରେ ତାଙ୍କର ସ୍ୱର୍ଗପ୍ରାପ୍ତି ହୋଇଥିଲା ।

ବି.ଦ୍ର. - ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ 'ପଞ୍ଚାମୃତ' ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଂଙ୍ଖ୍ୟାରେ ଛପା ହୋଇଥିଲା । ପତ୍ରିକାଟି ସୃଜନିକ ସଂସ୍ଥାଙ୍କର ଡିଜିଟାଲ୍ ଅଭିଲେଖାଗାର 'ଓଡ଼ିଆ ବିଭବ' ସୂତ୍ରରୁ  ମିଳିଥିବାରୁ ଆମେ ଅନୁଷ୍ଠାନ ପାଖରେ କୃତଜ୍ଞ ।

Tuesday, September 06, 2016

ଫୁଟବଲ ଖେଳ


ରେଭରେଣ୍ଡ ଏଇଚ୍. ଡବଲିଉ. ପାଇକ୍


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପୃଥିବୀର ଚାରିଆଡ଼େ ଫୁଟବଲ ଖେଳ ଦେଖାଯାଏ ଏବଂ ଏହା କି ଯୁବା କି ପିଲା ସମସ୍ତଙ୍କ ବିଶେଷ ପ୍ରିୟ ଖେଳ । ଇୟୁରୋପ, ଏସିଆ, ଆଫ୍ରିକା ପ୍ରଭୃତି ମହାଦେଶର ଯେଉଁ ସବୁ ସ୍ଥାନମାନଙ୍କରେ ସାହେବମାନେ ଅଛନ୍ତି, ସେହି ସବୁ ସ୍ଥାନମାନଙ୍କରେ ଏହି ଖେଳ ବିଶେଷ ଭାବରେ ଦେଖାଯାଏ । ଏହି ଖେଳ ବିଶେଷ ଆମୋଦକର ଏବଂ ସୁଖକର । ମନୁଷ୍ୟ ପ୍ରକୃତିରେ ଏହି ଖେଳ ଗୋଟିଏ କ୍ଷୁଦ୍ର ଯୁଦ୍ଧର ଭାବ ଆଣିଥାଏ । ଏହା କେବଳ ଖେଳ ନୁହେଁ, ତାହାଠାରୁ କିଛି ଅଧିକ । ଚରିିତ୍ରଗଠନ ପାଇଁ ଏହା ଗୋଟିଏ ଶିକ୍ଷାର ସ୍ଥାନ । ପିଲା ଖେଳୁଆଳମାନେ ଅବଶ୍ୟ ଏସବୁ କଥା ଭାବନ୍ତି ନାହିଁ, ସେମାନେ କେବଳ ସାଧାରଣ ଖେଳ ପରି ଏହାକୁ ଖେଳନ୍ତି, ତାହା ହେଲେ ସୁଦ୍ଧା ଏହା ସେମାନଙ୍କ ଚରିତ୍ରରେ କେତେକ ସୁପରିବର୍ତ୍ତନ ଘଟାଏ ।

ସାମାଜିକ ଚରିତ୍ରଗଠନ ଏହି ଖେଳର ଗୁଣମାନଙ୍କ ମଧ୍ୟରୁ ଅନ୍ୟତମ । ଏସୋସିଏସନ୍ ଫୁଟବଲ୍ ହେଉ ବା ରଗ୍ୱି ଫୁଟବଲ ହେଉ ଯେକୌଣସି ଫୁଟବଲ୍ ଖେଳରେ କୋଡ଼ିଏ ତିରିଶ ଜଣ ପିଲାଙ୍କ ମଧ୍ୟରେ ସଦ୍ଭାବ ଜନ୍ମିଥାଏ । ଏହି ଦେଶରେ ଅଧିକାଂଶ ଲୋକ ଆସୋସିଏସନ୍ ଫୁଟବଲ୍ ଖେଳନ୍ତି; କିନ୍ତୁ ରଗ୍ବି ଫୁଟବଲ୍ ଖେଳୁଆଳମାନେ ତାଙ୍କ ଖେଳ ବେଶୀ ସୁଖକର ବୋଲି କହନ୍ତି । ରଗ୍ବି ଫୁଟବଲ ଖେଳରେ ଯେଉଁ ବଲ୍ ରେ ଖେଳ ହୁଏ, ତାହା ଦେଖିବାକୁ ଅଣ୍ଡାପରି । ଏହି ଖେଳ କେବଳ ଗୋଡ଼ରେ ହୁଏନାହିଁ, ବଲ୍ କୁ ଗୋଡ଼ରେ ମାରନ୍ତି; ସମୟ ସମୟରେ ମଧ୍ୟ ହାତରେ କୁଣ୍ଢେଇ ଧରି ଅପର ପକ୍ଷର ଖେଳୁଆଳମାନଙ୍କ ଭିତର ଦେଇ ଗୋଲ ପୋଷ୍ଟ ଆଡ଼କୁ ଦୌଡ଼ନ୍ତି । ଯେ କୌଣସି ଫୁଟ୍ବଲ୍ ଖେଳ ହେଉ, ଉପକାର ସବୁଥିରେ ସମାନ ।

ବର୍ତ୍ତମାନ ଦେଖାଯାଉ ଯେ ଉପକାରଗୁଡ଼ିକ କ’ଣ ? ମୁଁ ଏଠାରେ ସେଥିମଧ୍ୟରୁ କେତେକ ଉଲ୍ଲେଖ କରିବି । କେତେକ ଦେଶରେ, ବିଶେଷତଃ ଏ ଭାରତବର୍ଷରେ ଲୋକେ ମନେ କରନ୍ତି ଯେ, ଫୁଟବଲ୍ ଖେଳ ବୁଦ୍ଧିମାନ ପିଲାମାନପଙ୍କର ସମ୍ମାନ ହାନି କରେ ଏବଂ ବୃଥା ସମୟ ନଷ୍ଟ କରେ । ଏହିପରି କଥା ମୁଁ ଅନେକ ଅଭିଭାବକ ଓ ପିତାମାତାମାନଙ୍କ ଠାରୁ ଶୁଣିଅଛି । କିନ୍ତୁ ଦେଖାଯାଉଛି ଯେ, ଏହା ଗୋଟିଏ ଭ୍ରାନ୍ତି ।

ଫୁଟବଲ୍ ଖେଳ ଅଭ୍ୟାସ କଲେ ସ୍ୱାସ୍ଥ୍ୟ, ଶରୀରର ତେଜ, ଚଞ୍ଚଳତା, କଷ୍ଟ ସହିବା ଶକ୍ତି ଓ ମନୁଷ୍ୟତା ଜନ୍ମେ । ଯେଉଁ ବାଳକ ଫୁଟବଲ୍ କିମ୍ବା ସେହିପରି ଅନ୍ୟ କୌଣସି ଖେଳ ନ ଖେଳି କେବଳ ବହି ପଢ଼ାରେ ସମସ୍ତ ସମୟ କଟାଏ, ତାହାଠାରେ ଏସବୁ ଗୁଣ ଦେଖାଯାଏ ନାହିଁ । ଯେ ଫୁଟବଲ୍ ଖେଳେ, ସେ ଅନ୍ୟାନ୍ୟ ପିଲାମାନଙ୍କଠାରୁ ବେଶି ବଳବାନ୍, ବେଶୀ ଚଞ୍ଚଳ, ବେଶୀ ସାହସୀ ଓ ବେଶୀ ତେଜସ୍ୱୀ । ଶାରୀରିକ ଉନ୍ନତି ଫୁଟବଲ୍ ଖେଳର ଉପକାର ମଧ୍ୟରେ ଗୋଟିଏ ସାମାନ୍ୟ ମାତ୍ର, ଏହି ଖେଳ ଗୋଟିଏ ଶୃଙ୍ଖଳାବଦ୍ଧ ଖେଳ । 

ପ୍ରତ୍ୟେକ ଦେଶର ଉନ୍ନତି ସେହି ଦେଶର ଲୋକମାନଙ୍କର ସାଧାରଣ ହିତକର କାର୍ଯ୍ୟ ପ୍ରତି ଅନୁରାଗ ଓ ନୀତିଶିକ୍ଷା ଉପରେ ନିର୍ଭର କରେ । ଯେଉଁ ଦେଶରେ ଏକତା ନାହିଁ, ଯେଉଁ ଦେଶର ଲୋକମାନେ କେବଳ ନିଜ ନିଜର ସୁବିଧା ସୁଯୋଗ ପାଇଁ ବ୍ୟସ୍ତ ଏବଂ ତହିଁ ନିମିତ୍ତ ଯେଉଁ ବ୍ୟବସାୟରେ ଲାଗୁଅଛନ୍ତି, ତହିଁ ପ୍ରତି କୌଣସି ଭ୍ରୁକ୍ଷେପ ଓ ବିଚାର ନାହିଁ, ସେ ଦେଶ ସ୍ୱଭାବତଃ ଦୁର୍ବଳ ଏବଂ ଅନୁନ୍ନତ । 


ଦେଶରେ ପ୍ରକୃତ ଜାତୀୟ ଜୀବନ ବିକଶିତ ହେବା ପୂର୍ବରୁ ଲୋକଙ୍କର ଏହା ଦୃଢ଼ ରୂପେ ହୃଦୟଙ୍ଗମ କରିବା ଆବଶ୍ୟକ ଯେ, ସେମାନେ ପ୍ରତ୍ୟେକେ ଜାତିର ଗୋଟିଏ ଗୋଟିଏ ଅଂଶ ଅନ୍ୟାନ୍ୟ ମାନଙ୍କର ସେହିମାନଙ୍କ ପରି ସମାନ ଅଧିକାର ରହିଅଛି ଏବଂ ଜାତୀୟ ଉନ୍ନତି ସକାଶେ ନିଜର ସମସ୍ତ ସ୍ୱାର୍ଥ ବଳି ଦେବା ପ୍ରତେକର ଉଚିତ । ଏହିଠାରେ ହିଁ ଫୁଟବଲ୍ ଖେଳର ମୂଲ୍ୟ ରହିଅଛି । 


ଯେଉଁ ଖେଳାଳିମାନେ ଦର୍ଶକମାନଙ୍କ ପାଖରେ ନିଜର ବଡ଼ିମା ଦେଖାଇବ ପାଇଁ ବଲ୍ କୁ ଘେନି ଦୌଡ଼ନ୍ତି, ସେମାନେ ସେହି ଦଳର ଅନିଷ୍ଟକାରୀ । ଯେଉଁ ସମୟରେ ବଲ୍ କୁ ଅନ୍ୟ ଖେଳାଳି ଆଡ଼କୁ ମାରିଦେବା ଉଚିତ, ସେ ସମୟରେ ତାହା ନକରି ଯେଉଁମାନେ ନାନା ପ୍ରକାର କୌଶଳ କରି ଖୁବ୍ ଦ୍ରୁତଗତିରେ ଦୌଡ଼ି ଆଶ୍ଚର୍ଯ୍ୟଜନକ ଖେଳ ଦେଖାନ୍ତି, ସେମାନେ ଦଳର କୌଣସି ହିସାବରେ ମଙ୍ଗଳ କରନ୍ତି ନାହିଁ । 


ବିଜ୍ଞ ପରିଦର୍ଶକମାନେ ଅବଶ୍ୟ ସ୍ୱୀକାର କରିବେ ଯେ, ସେମାନଙ୍କର ଏହି ପ୍ରକାର ଚତୁରତା ଦଳର ବଳବୃଦ୍ଧି ନକରି ବରଂ ଦଳକୁ ଦୁର୍ବଳ କରି ପକାଏ । ଏହିପରି ଖେଳାଳୀମାନେ ଯେତେବେଳ ପର୍ଯ୍ୟନ୍ତ ଏହା ବୁଝିନାହାନ୍ତି ଯେ, ସେମାନେ ଦଳର ଗୋଟିଏ ଗୋଟିଏ କ୍ଷୁଦ୍ର ଅଂଶ, ଦଳର ତୁଳନାରେ ସେମାନଙ୍କର ମୂଲ୍ୟ ଖୁବ୍ ଅଳ୍ପ, ସେ ପର୍ଯ୍ୟନ୍ତ ସେମାନେ ଦଳର ଦୁର୍ବଳ ଅଙ୍ଗ ହୋଇ ରହିଥିବେ । ସେମାନଙ୍କର ଏହା ଶିକ୍ଷା କରିବା ଉଚିତ ଯେ, ସେମାନେ ଦଳ ଲାଗି ନିଜ ନିଜର ସ୍ୱାର୍ଥ ତ୍ୟାଗ କରିବେ
ଯେକୌଣସି ପ୍ରକାରେ ଜୟଲାଭ କଲେ ହେଲା ନାହିଁ । ନିଜର ସମ୍ମାନ ରକ୍ଷା କରି ବିପକ୍ଷଠରୁ ତୁମ୍ଭେ ଯେ ବେଶୀ ଚତୁର ଏବଂ ଦକ୍ଷ, ଏହି ଭାବ ଦେଖାଇ ଜୟ ଲାଭ କରିବାକୁ ହେବ । 


ସମୟ ସମୟରେ ଗୋଟିଏ ଗୋଟିଏ ବଳବାନ୍ ଦଳ କେବଳ ବଳ ଓ ବିଶୃଙ୍ଖଳା ପ୍ରୟୋଗ କରି ଜିତିଯାଆନ୍ତି । ସେମାନେ ଖେଳପଡ଼ିଆରେ ଜିତନ୍ତି ସତ କିନ୍ତୁ ସେମାନଙ୍କର ଏ ପ୍ରକାର ଜୟ ନୈତିକ ଭାବରେ ସାଧାରଣ ଦୃଷ୍ଟିରେ ଅତି ନୀଚ । ଦଳରେ ଥିବା ଖେଳୁଆଳମାନଙ୍କର ବଳ ଅବଶ୍ୟ ଫଳ ହୋଇଥାଏ, ମାତ୍ର ଖେଳର ସମସ୍ତ ବିଧିଗୁଡ଼ିକ ସମ୍ପୂର୍ଣ୍ଣରୂପେ ପାଳନ କରି ଅତି ଚତୁର ଭାବରେ ବଳ ପ୍ରୟୋଗ ଦ୍ୱାରା ଜୟ କରିବା ହିଁ ପ୍ରକୃତ ଜୟ । 

ଏହି ପ୍ରକାର ନିୟମ ପାଳନ କରିବାର ଶିକ୍ଷା ହିଁ ଏହି ଖେଳ ଗୋଟିଏ ମହତ୍ତର ଶିକ୍ଷା । ଭଲ ଖେଳାଳି ଯେ, ସେ ପଛକେ ହାରିଯିବ କିନ୍ତୁ କୌଣସି ପ୍ରକାର ଅନ୍ୟାୟ କରି ବା ଖେଳର ନିୟମ ଭଙ୍ଗ କରି ଜିତିବାକୁ ଇଚ୍ଛା କରିବ ନାହିଁ । ଅନ୍ୟାୟଗୁଡ଼ିକ ଜଣା ପଡ଼ିଯିବାର ଉପାୟ ନଥିଲେ ସୁଦ୍ଧା ସେ ତାହା କରିବ ନାହିଁ। ଯେତେବେଳେ ସେ ଅନୁଭବ କରେ ଯେ ଜୟଳାଭ କରିବାର ସେ ଉପଯୁକ୍ତ, ସେତେବେଳେ ଜୟ ତା ପ୍ରତି ଆନନ୍ଦଦାୟକ । ନତୁବା ସେ ସେଥିରେ ଆନନ୍ଦ ପାଏନାହିଁ।


ପରାଜିତ ଦଳ ପ୍ରଥମେ ଜୟ କରିଥିବା ଦଳକୁ ଉତ୍ସାହିତ କରି ଆନନ୍ଦଧ୍ୱନି କରନ୍ତି । ତଦ୍ୱାରା ସେମାନେ ନିଜର ନମ୍ରତା ଦେଖାଇ ବିଧିମତେ ପରାସ୍ତ ହୋଇଥିବାର ପ୍ରକାଶ କରନ୍ତି । ଅନ୍ୟପକ୍ଷ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଆନନ୍ଦଧ୍ୱନି କରନ୍ତି । ଏହିପରି ରୀତିରେ ପରସ୍ପର ମଧ୍ୟରେ ଆଳାପ ନ ହେବା କ୍ୱଚିତ ଦେଖାଯାଏ । ଯେଉଁଠାରେ ଏହି ରୀତି ଦେଖା ନଯାଏ, ସେଠାରେ ବୁଝିବାକୁ ହେବ ଯେ, ଖେଳ ସାଧୁଭାବରେ ସମ୍ପନ୍ନ ହୋଇନାହିଁ କିମ୍ବା ପରସ୍ପର ମଧ୍ୟରେ ହିଂସା ଭାବ ସ୍ଥାନ ପାଇଅଛି । 


ଯୋଗ୍ୟତର ଲୋକର ଜୟରେ ଆନନ୍ଦ ପ୍ରକାଶ କରିବା ଓ ପରାଜିତ ପ୍ରତି ଉଦାର ଭାବ ଦେଖାଇବା ଅବଶ୍ୟ ମନୁଷ୍ୟର ଐଶରିକ ଗୁଣ । ଏହା କଲେ ମନୁଷ୍ୟ ତାହାର ମନର ସମସ୍ତ ବୃତ୍ତି ପ୍ରବୃତ୍ତିଗୁଡ଼ିକୁ ଦମନ କରିଅଛି ବୋଲି ଜଣାପଡ଼େ ।


ଭଲ ଫୁଟବଲ୍ ଖେଳାଳି ଜଣେ ସ୍ୱଦେଶବତ୍ସଳ ପରି ଶିକ୍ଷା କରେ ଯେ, ସେ ଦଳର ଗୋଟିଏ ଅଂଶ ମାତ୍ର । ସେ ନିଜର ଉପକାର ପାଇଁ ବା ବୁଦ୍ଧିର ତାତ୍ପର୍ଯ୍ୟ ଦେଖାଇବା ପାଇଁ କେବଳ ଯେ ଖେଳେ, ତାହା ନୁହେଁ । ଯେଉଁ ଦଳରେ ସେ ଖେଳୁଅଛି, ସେହି ଦଳର ଜୟ ଲାଗି ଅନ୍ୟମାନଙ୍କ ସହିତ କେବଳ ଚେଷ୍ଟା କରୁଅଛି । 

ଯେଉଁମାନେ ଦେଶର ମଙ୍ଗଳ କରିବାକୁ ଯାଉଛନ୍ତି, ଫୁଟବଲ୍ ଖେଳ ସେମାନଙ୍କୁ ନିୟମ ଶିକ୍ଷା, ନିୟମାଧୀନରେ ଚାଲିବା, ନିଜ ସ୍ୱାର୍ଥ ତ୍ୟାଗ କରିବା, ଦଳର ମଙ୍ଗଳ ପାଇଁ ସର୍ବଦା ସଚେଷ୍ଟ ହେବା ପ୍ରଭୃତି ଗୁଣଗୁଡ଼ିକ ଶିକ୍ଷା ଦେଉଅଛି । ଏଗୁଡ଼ିକ କିଛି ସାମାନ୍ୟ ନୁହେଁ । ଏହି ଗୁଣଗୁଡ଼ିକ ଦେଶର କର୍ମକ୍ଷେତ୍ରରେ ଦେଖାଇପାରିଲେ ତୁମ୍ଭେମାନେ ପ୍ରକୃତ ଦେଶବାସୀ ହୋଇପାରିବ ଏବଂ ଦେଶର ଯଥେଷ୍ଟ ଉନ୍ନତି କରିପାରିବ ।

କେବଳ ସେତିକି ନୁହେଁ, ଫୁଟବଲ୍ ଖେଳରୁ ଆମ୍ଭେମାନେ ସାହସ, ସତ୍ସ୍ୱଭାବ, ସଙ୍ଗଲିପ୍ସା ଶିକ୍ଷା କରିଥାଉ। ଖେଳଟି ବିଧିମତେ ସାଧୁଭାବରେ ହେଲେ ଏସବୁ ଗୁଣ ସମ୍ଭବ, ନହେଲେ ନୁହେଁ ।

ବିଧିମତେ ଖେଳଟି କିପରି ? ହଁ, ଫୁଟବଲ୍ ଖେଳ ‘ବନ୍ଧୁମାନଙ୍କ ମଧ୍ୟରେ ସଦ୍ଭାବ ଅକ୍ଷୁର୍ଣ୍ଣ ରଖି ଦକ୍ଷତା ପ୍ରଦର୍ଶନର କ୍ଷେତ୍ର ।’ ଯଦି ଆମ୍ଭେମାନେ ଏହି ଭାବଟିକୁ ସର୍ବଦା ହୃଦୟରେ ରଖି ଖେଳୁ, ତାହା ହେଲେ ପ୍ରକୃତ ବିଧିମତେ ଖେଳ ହେଲା । ଏହି ଭାବଟି ଅତ୍ୟନ୍ତ ଗୁରୁତର ଓ ସମସ୍ତଙ୍କର ଚିନ୍ତା କରିବାର ବିଷୟ ।

ଯେହେତୁ ପ୍ରତ୍ୟେକ ପକ୍ଷ ପରସ୍ପରକୁ ପରାଜୟ କରିବାକୁ ପ୍ରାଣପଣେ ଚେଷ୍ଟା କରୁଅଛି ଏହା ନିଶ୍ଚୟ ଗୋଟିଏ ପ୍ରତିଯୋଗିତା କ୍ଷେତ୍ର । କିନ୍ତୁ ଏହା କେବଳ ପ୍ରତିଯୋଗିତା ନୁହେଁ, ଦକ୍ଷତା ପ୍ରଦର୍ଶନର ପ୍ରତିଯୋଗିତା । ଏଥିରେ ଭଲ, ମନ୍ଦ ଯେକୌଣସି ଭାବରେ ଜୟ କଲେ ଚଳିବ ନାହିଁ । କେବଳ ବଳ ଦେଖାଇ ଧୁମ୍ ଧାମ୍ କରି ଖେଳିଲେ ଫୁଟ୍ ବଲ୍ ଖେଳ ହୁଏନାହିଁ । ଯେଉଁମାନେ ପ୍ରକୃତ ଦକ୍ଷ ଖେଳୁଆଳ, ସେମାନେ ବିବେକୀ ଦର୍ଶକମାନଙ୍କଠାରୁ ଦୁର୍ନାମ ଏବଂ ନିନ୍ଦା ପାଇବା ପରିବର୍ତ୍ତେ ପରାଜୟ ଲଭିବାକୁ ବେଶୀ ପସନ୍ଦ କରନ୍ତି । 

ଖେଳରେ ପ୍ରତିଯୋଗିତା କଥା କହିବାକୁ ଯାଇ ମୁଁ କହୁ ନାହିଁ ଯେ, ବିପକ୍ଷ ଦଳ ପ୍ରତି ଆମ୍ଭମାନଙ୍କର ସଦ୍ଭାବ, ବନ୍ଧୁତା ଓ ସହାନୁଭୂତି ଇତ୍ୟାଦି ଦୂରକୁ ଫୋପାଡ଼ି ଦେବା । ଏଗୁଡ଼ିକ ରକ୍ଷା କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଉଦାହରଣସ୍ୱରୂପ ମୁଁ କହିପାରେ ଯେ ମଲ୍ଲଯୁଦ୍ଧରେ ମଲ୍ଲମାନେ ତାଙ୍କର ଭୀଷଣ ଯୁଦ୍ଧ ଆରମ୍ଭ କରିବା ପୂର୍ବରୁ ପରସ୍ପର କରମର୍ଦ୍ଦନ କରନ୍ତି ଏବଂ ଶେଷରେ ପରାଜିତ ମଲ୍ଲ କଥା କହି ନପାରୁଥିଲେ ସୁଦ୍ଧା ତା’ର ଶତ୍ରୁକୁ ଆଲିଙ୍ଗନ କରିଥାଏ । ଏହି ରୀତି ଇଂଲଣ୍ଡ ପ୍ରଭୃତି ଦେଶର ସ୍କୁଲ ଦଳମାନଙ୍କ ଭିତରେ ଦେଖାଯାଇଥାଏ । 

ଅତଏବ ମୋର ଦୃଢ଼ ବିଶ୍ୱାସ ଯେ, ଯଦିବା ପିଲାମାନଙ୍କ ପ୍ରତି ଫୁଟବଲ କେବଳ ଗୋଟିଏ ଖେଳ, ଅଭିଭାବକମାନେ ଅବଶ୍ୟ ବୁଝିବେ ଯେ, ଏହା ଜୀବନ ସଂଗ୍ରାମ ପାଇଁ ଉପଯୁକ୍ତ ଗୁଣଗୁଡ଼ିକ ଶିକ୍ଷା କରିବାର ଗୋଟିଏ କ୍ଷେତ୍ର, ଆଉ ସେମାନଙ୍କ ମନରେ ଖେଳ ସମ୍ବନ୍ଧରେ ଯେଉଁ ଭ୍ରାନ୍ତି ଅଛି, ତାହା ଦୂର ହୋଇଯିବ ।

ବି.ଦ୍ର. - ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ ପଞ୍ଚାମୃତ ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଙ୍ଖ୍ୟାରେ ଛପା ହୋଇଥିଲା  ।

Tuesday, August 23, 2016

କଟକ ବିଜୟ

ଲେଖକ - ଚିନ୍ତାମଣି ଆଚାର୍ଯ୍ୟ


୧୮୧୩ ମସିହାର ଜଣେ ମରାଠା ସୈନିକଙ୍କର ଚିତ୍ର
ଚିତ୍ର - ବ୍ରିଟିଶ୍ ଲେଖକ ଓ କଳାକାର ଜେମ୍ସ୍ ଫୋବ୍ସ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଭାରତ  ବର୍ଷରେ ଇଂରେଜମାନେ ସବୁ ଅଞ୍ଚଳ ଜୟ କଲା ପରେ ଓଡ଼ିଶା ଜୟ କରିଥିଲେ । ମରହଟ୍ଟାମାନେ ୧୮୦୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଶାର ରାଜା ଥିଲେ । ଇଂରାଜମାନେ ୧୯୦୩ ଅବ୍ଦ ପୂର୍ବରୁ ଉତ୍ତରରେ ବଙ୍ଗଦେଶ ପ୍ରଭୃତି ଓ ଦକ୍ଷିଣରେ ଗଞ୍ଜାମ ପର୍ଯ୍ୟନ୍ତ ଅଧିକାର କରିସାରିଥିଲେ; କିନ୍ତୁ ମରହଟ୍ଟାମାନଙ୍କର ଜୁଲୁମ ହେତୁରୁ ସେହି ଅଞ୍ଚଳମାନଙ୍କର ରାଜସ୍ୱ ନିୟମିତ ରୂପେ ଆଦାୟ ହୋଇ ପାରୁ ନ ଥିଲା । ମରହଟ୍ଟାମାନଙ୍କୁ ଏକାବେଳକେ ତଡ଼ି ଦେଇ ନ ପାରିଲେ ସୁୁବିଧା ହେବ ନାହିଁ ବୋଲି ଗଞ୍ଜାମର କିଲଟର ଲେଖିଲେ । ସେତେବେଳେ ଲର୍ଡ଼ ଉଏଲସଲି ଭାରତବର୍ଷର ବଡ଼ଲାଟ । ଦଳେ ସୈନ୍ୟ ପଠାଇବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ମରହଟ୍ଟାମାନଙ୍କୁ ଏକାବେଳେକେ ଦୂର କରିଦେବା ନିମନ୍ତେ ଲାଟ ସାହେବ ପ୍ରତିଜ୍ଞା କରିଥିଲେ ।

୧୮୦୩ ଅବ୍ଦର ଜୁଲାଇ ମାସରେ ଗଞ୍ଜାମର ରାଜକର୍ମଚାରିମାନେ ଯୁଦ୍ଧ ସାମଗ୍ରୀମାନ ଓ ସୈନ୍ୟମାନଙ୍କର ଖାଦ୍ୟଦ୍ରବ୍ୟାଦିର  ଆୟୋଜନ କରିବାରେ ଲାଗିଲେ । ଟ ୪୫୦୦୦୦/ ଖରଚ କରିବାକୁ ଗଞ୍ଜାମ କିଲଟରଙ୍କୁ ଆଦେଶ ଦିଆ ଯାଇଥିଲା । ପାଞ୍ଚ ସପ୍ତାହ ମଧ୍ୟରେ ସମସ୍ତ ଆୟୋଜନ ହୋଇଗଲା । ୨୪୦୦ ଶହ ଦେଶୀ ଓ ୬୦୦ ସାହେବ ସୈନ୍ୟ ଆସିଲେ । 

ସେପ୍ଟେମ୍ବର ମାସ ୪ ତାରିଖରେ ସୈନ୍ୟମାନେ ଗଞ୍ଜାମଠାରୁ ଯୁଦ୍ଧଯାତ୍ରା କଲେ । ସେହି ସୈନ୍ୟମାନଙ୍କର ସେନାପତି ହେଲେ କର୍ଣ୍ଣେଲ ହାରକଟ୍ । ଇଂରେଜ ସୈନ୍ୟ ପ୍ରଥମ ରାତିରେ ପ୍ରୟାଗୀ ନଦୀକୂଳରେ ରହିଲେ । ତହିଁ ପରଦିନ ଓଡ଼ିଶା ସୀମାରେ ପହଞ୍ଚିଲେ । ସେମାନଙ୍କ ସଙ୍ଗେ ୮୦୦ ଖଣ୍ଡ ବଳଦଗାଡ଼ିରେ ଖାଦ୍ୟସାମଗ୍ରୀ ଓ  ଟ ୧୪୫ ୦୦୦/  ଆସିଥିଲା । 

ମରହଟ୍ଟାମାନେ ସେମାନଙ୍କ ରାଜତ୍ୱର ଶେଷ କାଳରେ ଏତେ ଦୂର ଅତ୍ୟାଚାର ଆରମ୍ଭ କରିଥିଲେ ଯେ, ଲୋକେ ସେମାନଙ୍କୁ ବିଶେଷ ଘୃଣା କରୁଥିଲେ;  ଓଡ଼ିଶାର ପ୍ରଧାନ ପ୍ରଧାନ ଲୋକମାନେ ଇ‌ଂରାଜ ସୈନ୍ୟମାନଙ୍କ ଆଗମନ ବିଷୟ ଜାଣି ପାରି ସେମାନଙ୍କର ଶରଣାପନ୍ନ ହେଲେ । ପୁରୀ ଓ ଅନ୍ୟାନ୍ୟ ଧର୍ମସ୍ଥାନମାନଙ୍କର ପଣ୍ଡା ଓ ପଢ଼ିହାରୀମାନେ ସେମାନଙ୍କର ଶରଣ ପଶି ଜଣାଇଲେ, "ଆପଣମାନେ ରାଜ୍ୟ ଅଧିକାର କରନ୍ତୁ ମରହଟ୍ଟାମାନଙ୍କୁ ତଡ଼ି ଦେଉନ୍ତୁ; ଆମ୍ଭମାନଙ୍କର  ରକ୍ଷଣାବେକ୍ଷଣ କରନ୍ତୁ; କିନ୍ତୁ ଆମ୍ଭମାନଙ୍କର ଧର୍ମରେ ହସ୍ତକ୍ଷେପ ନ କରନ୍ତୁ ।" ହିନ୍ଦୁଧର୍ମରେ କାହିଁକି, ଭାରତୀୟ କୌଣସି ଧର୍ମରେ ହସ୍ତକ୍ଷେପ ନ କରିବା ଇଂରାଜ ଶାସନର ମୂଳ ନୀତି ।

୧୮ ତାରିଖ ସେପ୍ଟେମ୍ବରରେ ଇଂରାଜ ସୈନ୍ୟ ପୁରୀରେ ଉପସ୍ଥିତ ହେଲେ । ଏହି ଚଉଦ ଦିନ ମଧ୍ୟରେ ମରହଟ୍ଟାମାନେ କଣ କରୁଥିଲେ ?ସେମାନେ ଓଡିଶାବାସୀଙ୍କର ସାହାଯ୍ୟ ଲୋଡିଥିଲେ ମଧ୍ୟ ପାଇଲେ ନାହିଁ । ମରହଟ୍ଟା ସୈନ୍ୟମାନେ ଭାର୍ଗବୀ ନଦୀକୂଳରେ ଏକତ୍ରିତ ହେଲେ । ସେ ସମୟରେ ବର୍ଷାକାଳ; ନଦୀ ବୃଦ୍ଧି ହେତୁରୁ ନଦୀ ପାର ହେବା ଇଂରାଜମାନଙ୍କ ପକ୍ଷରେ ଦୁଃସାଧ୍ୟ ହୋଇ ଥିଲେ ମଧ୍ୟ ସେମାନେ ସାହସପୂର୍ବକ ନଦୀ ପାର ହୋଇ ମରହଟ୍ଟା ସୈନ୍ୟମାନଙ୍କୁ ଆକ୍ରମଣ କଲେ; ମରହଟ୍ଟା ସୈନ୍ୟମାନେ ପରାସ୍ତ ହୋଇ ପଳାୟନ କଲେ । ଇଂରାଜ ସୈନ୍ୟମାନେ ସେମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ପଚାଶ ମାଇଲ ପର୍ଯ୍ୟନ୍ତ ତଡ଼ି ଘେନି ଯାଇଥିଲେ । ମରହଟ୍ଟାମାନଙ୍କ ପକ୍ଷରୁ ଯେଉଁମାନଙ୍କ ଉପରେ ଘାଟ ଜଗିବା ଭାର ଥିଲା, ସେମାନେ ବିଶ୍ୱାସଘାତକତା କରି ଘାଟ ଛାଡ଼ି ଦେଲେ ।

ଅକ୍ଟୋବର ମାସର ୨ ତାରିଖରେ ମରହଟ୍ଟା ସୈନ୍ୟମାନେ ସେମାନଙ୍କ ଶିବିରରେ ଭୋଜନ କାର୍ଯ୍ୟରେ ନିଯୁକ୍ତ ଥିବା ସମୟରେ ଇଂରାଜ ସୈନ୍ୟ ଅଜ୍ଞାତଭାବରେ ସେମାନଙ୍କୁ ଆକ୍ରମଣ କରିଥିଲେ । ସେମାନଙ୍କୁ ପୁନର୍ବାର ବହୁଦୂରକୁ ତଡ଼ି ଦେଇଥିଲେ ।

କଟକ ନଗର ଆକ୍ରମଣ କରିବାକୁ ଇଂରାଜମାନଙ୍କୁ କୌଣସି କଷ୍ଟ ସହ୍ୟ କରିବାକୁ ହୋଇ ନାହିଁ । ଲାଲବାଗ ଫାଟକ ଦେଇ ସେମାନେ କଟକ ନଗରରେ ପ୍ରବେଶ କରିଥିଲେ । କେହି ସେମାନଙ୍କ ଗତି ରୋଧ କରି ନ ଥିଲା;  ଛ ଦିନ ମଧ୍ୟରେ ସେମାନଙ୍କର ବନ୍ଧୁକ, ତୋପ, ଗୁଲି ସବୁ ଆସି ପହଞ୍ଚିଗଲା । ଛ ଦିନ ସେମାନେ କିଲ୍ଲାର ଦୁର୍ଗଦ୍ୱାରରେ ଉପସ୍ଥିତ ହେଲେ । ଅକ୍ଟୋବର ମାସ ୧୪ ତାରିଖ ଦିନ ୧୦ଟା ସମୟରେ ଜଣେ ପ୍ରଧାନ ଇଂରାଜ ସୈନିକ ଓଡ଼ିଶାର ପ୍ରାଚୀନ କୀର୍ତ୍ତି ସେହି ଦୁର୍ଗଦ୍ୱାରକୁ ତୋପଦ୍ୱାରା ଫଟାଇ ଦେଇଥିଲେ । 

ଦୁର୍ଗ ମଧ୍ୟସ୍ଥ ବିପକ୍ଷ ସେନାମାନେ ଇଂରାଜ ସେନାଙ୍କୁ ଆକ୍ରମଣ କଲେ । କିଛି ସମୟ ଯୁଦ୍ଧ ହେଲା । ବିପକ୍ଷପକ୍ଷର ସେନାପତିଙ୍କ ପାଦରେ ହଠାତ ଆଘାତ ହେବାରୁ ସେ ତଳେ ପଡ଼ିଗଲେ, ମରହଟ୍ଟାମାନେ ତହିଁ ଉତ୍ତାରୁ ଦୁର୍ଗର ପ୍ରାଚୀରବାଟେ ଡେଇଁ ପଳାଇବାକୁ ଲାଗିଲେ । ଏହି ଯୁଦ୍ଧରେ ତିରିଶ ଜଣ ମରହଟ୍ଟାଙ୍କର ମୃତ୍ୟୁ ହୋଇଥିଲା । ଯୁଦ୍ଧ ଶେଷରେ ସେମାନଙ୍କ ମୃତଦେହକୁ ବଳଦଗାଡ଼ିରେ ମହାନଦୀ କୂଳକୁ ନେଇ ଫିଙ୍ଗି ଦିଆଯାଇଥିଲା । ଏହି ୧୪ ତାରିଖଠାରୁ ସମଗ୍ର ଉତ୍କଳଖଣ୍ଡ ଇଂରାଜ ଶାସନରେ ରହିଲା ।

କର୍ଣ୍ଣେଲ ହାରକଟ୍ କଟକର ଭାର ନେଲେ । ଜେମସ୍ ହଣ୍ଟର ସାହେବଙ୍କୁ ସେହି ଦିନ ପୁରୀ ପଠାଗଲା । କଟକ ଓ ପୁରୀର ମଧ୍ୟବର୍ତ୍ତୀ ପିପିଲିଠାରେ ପୁନଶ୍ଚ ମରହଟ୍ଟାମାନଙ୍କ ସହିତ ଥରେ ଯୁଦ୍ଧ ହୋଇଥିଲେ ମଧ୍ୟ ସେଥିରେ ମରହଟ୍ଟା ଶକ୍ତି ଏକାବେଳେକେ ଲୁପ୍ତ ହେଲା; ଇଂରାଜମାନେ ରାଜାଧିରାଜ ହେଲେ ।

ଉଇଲିୟମ ହଣ୍ଟର ସାହେବ ଜଣେ ବଡ଼ ଐତିହାସିକ । ତାଙ୍କ ମତରେ ଓଡ଼ିଶା ସ୍କଟଲଣ୍ଡ ପରି ଗୋଟି ବଡ଼ ଦେଶ ଓ ସ୍କଟଲଣ୍ଡଠାରୁ କୋଡ଼ିଏ ଗୁଣ ଉର୍ବର କ୍ଷେତ୍ର । ଏ ଦେଶକୁ ଇଂରାଜମାନେ କେବଳ ଟ ୪୫୦ ୦୦୦ /  ଓ ପଚାଶ ଲୋକ ସାହାଯ୍ୟରେ ଅଧିକାର କଲେ ।

ବି.ଦ୍ର. - ଏହି ଲେଖାଟି ୧୯୨୦ ମସିହାରେ ପ୍ରକାଶିତ ପଞ୍ଚାମୃତ ପତ୍ରିକାର ପ୍ରଥମ ଭାଗର ପ୍ରଥମ ସଂଖ୍ୟାରେ ଛପା  ହୋଇଥିଲା ।