Monday, March 05, 2018

ଛାତ୍ରମାନଙ୍କ ସ୍ୱାସ୍ଥ୍ୟର ଅବସ୍ଥା

ଗୋପବନ୍ଧୁ ଦାଶ


ଚିତ୍ର -'ଏସ୍.ଏ. ରାଚିନ୍‌ସ୍କିଙ୍କର ସାଧାରଣ ବିଦ୍ୟାଳୟରେ ମାନସାଙ୍କ' (୧୮୯୫)
ଚିତ୍ରକର - ନିକୋଲାଇ ବୋଗ୍‌ଦାନୋଭ୍ ବେଲ୍‌ସ୍କି (୧୮୬୮-୧୯୪୫)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଶିକ୍ଷା ବିଭାଗର କର୍ତ୍ତୁପକ୍ଷ ବିଶେଷ ସାବଧାନ । ସେମାନେ ବିଦ୍ୟାଳୟ ଲାଗି କୋଠାଘର ଲୋଡ଼ନ୍ତି, ଛାତ୍ରବାସ ନିମନ୍ତେ ଏଭଳି ଘର ଏଭଳି ଉରକରଣ ଆୟୋଜନ କରନ୍ତି ଯେ ଉତ୍ତର କାଳରେ ଛାତ୍ର ଗୃହସ୍ଥାଶ୍ରମ କରି ଅର୍ଥୋପାୟ ଦ୍ୱାରା କେବେ ସେଭଳି ସଂସ୍ଥାନ କରିପାରିବା ସହଜ ନୁହେଁ । ସ୍କୁଲ କଲେଜମାନଙ୍କର ଅବସ୍ଥାନ ଯେତେ ଦୂର ସମ୍ଭବ ସ୍ୱାସ୍ଥ୍ୟକର ସ୍ଥାନରେ ହୋଇଥାଏ । ଯଥା ସମୟରେ ବିଶ୍ରାମ ଏବଂ ବିହାର ନିମନ୍ତେ ବ୍ୟବସ୍ଥା ଥାଏ । ଘରେ ଛାତ୍ରର ପାରିବାରିକ ଅବସ୍ଥା ଯାହା ହେଉ ସ୍କୁଲ କଲେଜରେ ପଢିବା ବେଳେ ଅଧିକାଂଶଙ୍କର ଖାଦ୍ୟପେୟରେ ତେତେ ବେନିୟମ ବା ଅଭାବ ଘଟେ ବୋଲି କୁହାଯାଇ ନପାରେ । ତଥାପି ଆମ୍ଭମାନଙ୍କ ଛାତ୍ରସମାଜର ସ୍ୱାସ୍ଥ୍ୟ କାହିଁକି ଆଶାନୁରୂପ ନୁହେଁ ? ଉଦାରମୟ ଏବଂ ମୁଣ୍ଡବ୍ୟଥା ଛାତ୍ରଦଳର ସାଧାରଣ ରୋଗ । ଏହାଛଡ଼ା ଆଉ ଅନେକ ପ୍ରକାର ବ୍ୟାଧି ଅଛି । ଗତବର୍ଷ ବମ୍ୱେ ନଗରରେ କେତେକ ଛାତ୍ରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଦେଖା ଗଲା ୧୯୪୬ ଜଣଙ୍କ ମଧ୍ୟରେ ୧୦୦୦ ଜଣଙ୍କର ତୋଟି, ନାକ ଏବଂ କାନରେ ଏପରି ଦୋଷ ରହିଅଛି ଯେ ଅଳ୍ପ ଦିନ ମଧ୍ୟରେ କ୍ଷୟ ରୋଗ ହେବା ସମ୍ଭବ । ୧୨୩୮ ଜଣଙ୍କର ଦାନ୍ତ ଖରାପ । ୪୮୪ ଜଣଙ୍କର ଆଖିରେ ଦୋଷ ରହିଅଛି । ୨୭୩ ଜଣଙ୍କର ପ୍ଲୀହା ବଢିଛି ଏବଂ ୯୧୬ ଜଣଙ୍କର ଫୁସ୍‌ଫୁସ୍ ଆଦି ଆଭ୍ୟନ୍ତରିକ ଯନ୍ତ୍ର ଦୋଷଯୁକ୍ତ । ଅବଶ୍ୟ ଡାକ୍ତରମାନଙ୍କର ଛୁଞ୍ଚିମାଛି ପରୀକ୍ଷା ହେତୁ କାହାରି କାହାରି ପକ୍ଷେ ଟିକିଏ ଅତ୍ୟଧିକ ଆଶଙ୍କା ହୋଇଥିବା ବିଚିତ୍ର ନୁହେଁ । ସେଥିଲାଗି କିଛି ବାଦ ଦେଲେ ସୁଦ୍ଧା ସଙ୍ଖ୍ୟା ତ ଅଳ୍ପ ଭୟଙ୍କର ନୁହେଁ । ଜନାକୀର୍ଣ୍ଣ ସହରରେ ସ୍କୁଲ କଲେଜମାନଙ୍କର ଅବସ୍ଥାନ ଏହି ସ୍ୱାସ୍ଥ୍ୟଭଙ୍ଗର କାରଣ ବୋଲି ଅନେକେ ମନେ କରନ୍ତି । ଯଥାର୍ଥରେ ସହର ଜୀବନ ଦିନକୁ ଦିନ ଅତ୍ୟନ୍ତ ଅସ୍ୱାଭାବିକ ହୋଇପଡୁଅଛି । ବିଳାସିତା ବଢ଼ୁଛି ଛାତ୍ରଜୀବନରେ ପୂର୍ବର ସେ ସଞ୍ଜମ ନାହିଁ । ପଞ୍ଜାବ ଗଭର୍ଣ୍ଣମେଣ୍ଟଙ୍କ ବ୍ୟବସ୍ଥାପକ ସଭାରେ ଛାତ୍ରମାନଙ୍କର ଧୂମପାନ ନିବାରଣ ଲାଗି ଆଇନ ପ୍ରଣୟନ ବ୍ୟବସ୍ଥା ହେଉଛି ପରା । ପୁଣି ଅଧ୍ୟୟନ ସମୟ ଅଧ୍ୟାପନାର ରୀତି ପାଠର ପରିମାଣ ପରୀକ୍ଷାର ପ୍ରକୃତି ଇତ୍ୟାଦି ନାନା କାରଣ ଏ ସ୍ୱାସ୍ଥ୍ୟଭଙ୍ଗରେ ସାହାଯ୍ୟ କରୁଅଛି ।

ପ୍ରାଚୀନ କାଳରେ ବିଦ୍ୟାଳୟମାନ ସହରରୁ ଦୂରରେ ଥିଲା । ବାହାରର କୌଣସି ପ୍ରଭାବ ବା ପ୍ରଲୋଭନରେ ଛାତ୍ରମାନେ ବିଚଳିତ ହେବାର ଆଦୌ ଅବକାଶ ନଥିଲା । ଛାତ୍ରଜୀବନର ପଦ୍ଧତି ନିୟମବଦ୍ଧ ଥିଲା । ଆହାର ବିହାର ସ୍ନାନ ପାନ ବାକ୍ୟ ବ୍ୟବହାରର ସବୁଥିରେ ସଞ୍ଜମ ପ୍ରତି ବିଶେଷ ଦୃଷ୍ଟି ଥିଲା । ପ୍ରକୃତିର ଉନ୍ମୁକ୍ତ ଉତ୍ସଙ୍ଗରେ ସ୍ୱଚ୍ଛନ୍ଦ ବିଚରଣ କରିବା ଲାଗି ଛାତ୍ରମାନେ ଯଥେଷ୍ଟ ସୁବିଧା ପାଉଥିଲେ । ପରୀକ୍ଷା ଉଦ୍‌ବେଗ ସେମାନଙ୍କ ପ୍ରାଣକୁ ଏତେ ଆକୁଳ କରୁନଥିଲା । ଗୁରୁଙ୍କର ବାତ୍ସଲ୍ୟ-ପ୍ରୀତି ପ୍ରତି ମୁହୂର୍ତ୍ତରେ ସେମାନଙ୍କ ହୃଦୟକୁ ପୁଲକିତ କରି ରଖିଥିଲା । ଶିକ୍ଷା ଧର୍ମାନୁଷ୍ଟାନର ଅଙ୍ଗ ବୋଲି ବିଶ୍ୱାସ ଥିଲା । ସ୍ଥୁଳରେ ସେ କାଳର ଛାତ୍ରଜୀବନ ସରଳ, ସଞ୍ଜତ, ଶୁଦ୍ଧ, ଶାନ୍ତ, ସୁମଧୁର ଥିଲା । ସେ କାଳର ଅବସ୍ଥା ଏ ଯୁଗରେ ଫେରାଇ ଆଣିବା ଅସମ୍ଭବ । ମାତ୍ର ଛାତ୍ରମାନଙ୍କର ସ୍ୱାସ୍ଥ୍ୟରକ୍ଷା ଏବ‌ଂ ବଳାଧାନ ନିମନ୍ତେ ସେ କାଳର କୌଣସି କୌଣସି ରୀତିକୁ ବର୍ତ୍ତମାନ ଅବସ୍ଥାରେ ସ୍ଥଳବିଶେଷରେ ପରୀକ୍ଷା ସ୍ୱରୂପ ପ୍ରୟୋଗ କରିବା ଅସଙ୍ଗତ ହେବନାହିଁ । ଲଣ୍ଡନ ବିଶ୍ୱବିଦ୍ୟାଳୟର ଏମ.ଡି. ଡାକ୍ତର ଲାଙ୍କେଷ୍ଟର ଜଣେ ପ୍ରବୀଣ ଚିକିତ୍ସକ ସେ ଯକ୍ଷ୍ମା ଓ କ୍ଷୟରୋଗ ସମ୍ୱନ୍ଧ ଅନୁସନ୍ଧାନ କରିବା ଲାଗି ଭାରତ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିଯୁକ୍ତ ସେ ଥରେ ସତ୍ୟବାଦୀର ବନ ବିଦ୍ୟାଳୟ ଦେଖିବାକୁ ଆସିଥିଲେ । ପ୍ରଶସ୍ତ ଉଦ୍ୟାନର ଗଛମୂଳେ ଅଧ୍ୟାପନା ଦେଖି ସେ ଅତିଶୟ ପ୍ରୀତ ହୋଇଥିଲେ । ସେ ମତ ବ୍ୟକ୍ତ କରିଥିଲେ ଯେ ଭାରତର ଅନେକ ସ୍ଥାନରେ ଏହିପରି ବିଦ୍ୟାଳୟ ହୋଇପାରେ ଏବଂ ହେବା ଉଟିତ । ଏ ରୀତି ବିଦ୍ୟାଳୟଦ୍ୱାରା ଛାତ୍ରମାନଙ୍କର ଯକ୍ଷ୍ମା ବା କ୍ଷୟରୋଗର ଆଶଙ୍କା ବହୁ ପରିମାଣରେ କମିଯିବ ବୋଲି ତାଙ୍କର ବିଶ୍ୱାସ । ଏହିପରି ପୂର୍ବର ଆଉ କୌଣସି କୌଣସି ଶିକ୍ଷାରୀତି ମଧ୍ୟ ପରୀକ୍ଷା କରାଯାଇପାରେ । ଶିକ୍ଷା ସମସ୍ତ ପ୍ରକାର ଜାତୀୟ ଉନ୍ନତିର ମୂଳଭିତ୍ତି ଏବଂ ଛାତ୍ରମାନେ ସମାଜର ଓ ସାମ୍ରାଜ୍ୟର ଭାବୀ ଆଶା । ସେମାନଙ୍କୁ ସୁସ୍ଥ ସବଳ କରିବା ଲାଗି ସମାଜ ଶିକ୍ଷକ ଶାସକ ସମସ୍ତଙ୍କର ତତ୍ପର ହେବା ସବର୍ଥା କର୍ତ୍ତବ୍ୟ ।

(ସତ୍ୟବାଦୀ, ୨ୟ ଖଣ୍ଡ ୫ମ ୬ଷ୍ଠ ଓ ୭ମ ସଙ୍ଖ୍ୟା ୧୯୧୬)

Saturday, March 03, 2018

ପିଲାଙ୍କ କବିତା - 'ଜହ୍ନ ମାମୁ'


କବି - ନୀଳକଣ୍ଠ ଦାସ (୧୮୮୪ - ୧୯୬୭)


ମାଇକ୍ରୋଗ୍ରାଫିଆ ଗ୍ରନ୍ଥରେ ଚନ୍ଦ୍ରର ଚିତ୍ର (୧୬୬୫ ମସିହା)
ଲେଖକ ଓ ଚିତ୍ରକର - ରବର୍ଟ ହୁକ (୧୬୩୫ - ୧୭୦୩)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆରେ ଜହ୍ନମାମୁ ଥିଲୁ ତୁ କାହିଁ  ?
ଦିନବେଳେ କିମ୍ପା ଦିଶିଲୁ ନାହିଁ  ?
ମାମୁଘର ମୋର ବହୁତ ଦୂର
ମାମୁ ମାଇଁଙ୍କର ବଡ଼ ଆଦର

ପାଚିଲା କଦଳୀ, ପାଚିଲା ଆତ,
ଛେନାଗୁଡ଼, ଦୁଧ, ତବତ ଭାତ,
ଖାଇବାକୁ ମାଇଁ ଦିଅନ୍ତି ମୋତେ,
ମା' ପରି ସେନେହ କରନ୍ତି କେତେ ।

ଆଈମା' ଶରଧା ବେଶି କରନ୍ତି,
ରାଜାରାଣୀ ଗପ କେତେ କହନ୍ତି ।
ମାମୁପୁଅ ଭାଇ ମୋ' ସଙ୍ଗେ ଖେଳେ,
ଖେଳିବାକୁ ଯାଏ ତାଙ୍କରି ମେଳେ ।

ମାମୁଘରକୁ ମୁଁ ଯେଦିନ ଯିବି,
ମାମୁମାଈଁଙ୍କୁ ମୁଁ ଜୁହାର ହେବି ।
ଆରେ ଜହ୍ନମାମୁ, ଜୁହାର ତୋତେ,
ତୋ' ରୂପଟି ଭଲ ଦିଶଇ ମୋତେ ।

ଠିଆ ହୋଇଥିବି ସବୁଜ ଘାସେ,
ଦେଖୁଥିବି ତୋତେ ନୀଳ ଆକାଶେ । 

Thursday, March 01, 2018

ରେଖାଚିତ୍ର ଓ ନକ୍ସା


ଅନୁବାଦ - ବିଶ୍ୱଜିତ ଆପଟ


ଏକ କାଳ୍ପନିକ ଦ୍ୱୀପ 'ସୋଡ଼ର'ର ମାନଚିତ୍ର (ୱିକିମିଡିଆ କମନ୍ସ୍)


ରେଖାଚିତ୍ର


ପର୍ଯ୍ୟବେକ୍ଷଣ କରି ସ୍ମୃତି ଆଧାରରେ ରେଖାଚିତ୍ର ଅଙ୍କନ କରାଯାଏ ଯାହା କି ମାପଚୁପ ପାଇଁ ଉଦ୍ଦିଷ୍ଟ ନୁହେଁ । ଅନ୍ୟ ସ୍ଥାନଗୁଡିକର ସନ୍ଦର୍ଭରେ କୌଣସି ସ୍ଥାନର ଅବସ୍ଥିତି ଦର୍ଶାଇବା ପାଇଁ ବେଳେବେଳେ ଏପରି ଚିତ୍ରର ଆବଶ୍ୟକତା ପଡେ । ଧରାଯାଉ ତୁମେ ତୁମର ଜଣେ ବନ୍ଧୁଙ୍କ ଘରକୁ ଯିବାକୁ ଚାହୁଁଛକିନ୍ତୁ ତୁମକୁ ବାଟ ଜଣାନାହିଁ । ତୁମ ବନ୍ଧୁ ତାଙ୍କ ଘରକୁ ବାଟ ଦେଖାଇବା ପାଇଁ ଏକ ସାଧାରଣ ଚିତ୍ର ଆଙ୍କି ପାରିବେ । ଏହିପରି ଚିତ୍ରରେ ମାନ ବ୍ୟବହୃତ ହୋଇନଥାଏ ।

ନକ୍ସା



ନକ୍ସା ହେଉଛି ଏକ ଛୋଟିଆ ଜାଗାର ଚିତ୍ର ଯାହା ଖୁବ ବଡ ମାନରେ ଅଙ୍କାଯାଇଥାଏ । ବୃହତମାନ ବିଶିଷ୍ଟ ମାନଚିତ୍ରରେ ଅନେକ ତଥ୍ୟ ଦର୍ଶାଯାଇଥାଏକିନ୍ତୁ ଆମେ ହୁଏତ ବେଳେବେଳେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଜାଣିବାକୁ ଚାହିଁବା ଯେପରିକିକୌଣସି କୋଠରୀର ଦୈର୍ଘ୍ୟ ଓ ପ୍ରସ୍ଥ ଯାହା ମାନଚିତ୍ରରେ ଦର୍ଶାଯାଇପାରିବ ନାହିଁ । ସେତେବେଳେ ଆମେ ନକ୍ସାର ସାହାଯ୍ୟ ନେଇ ପାରିବା ଯାହାକି ମାନ ସହିତ ଅଙ୍କାଯାଇଥାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Tuesday, February 27, 2018

ବିଦ୍ୟାଳୟରେ ପାଠର ସମୟ

ଗୋପବନ୍ଧୁ ଦାଶ


ପ୍ଲାଟୋଙ୍କର ଅକାଦେମୀର ଚିତ୍ର
ଇତାଲୀ ଦେଶର ପମ୍ପେଇ ନଗରସ୍ଥ ମୋଜାଗି: ପ୍ରଥମ ଶତାବ୍ଦୀ (ୱିକିମିଡିଆ କମନ୍ସ୍)

ସରକାରୀ କଚେରି ସ୍କୁଲ, କାରଖାନା,ସବୁଥିରେ ଆଜିକାଲି କାର୍ଯ୍ୟର ସମୟ ସକାଳ ଦଶଟା ଓ ଏଗାରଟା ଠାରୁ ଉପର ବେଳା ୪ଟା ୫ଟା ପର୍ଯ୍ୟନ୍ତ । ସରକାର ତ ସବୁ ବିଷୟରେ ଆଦର୍ଶ । ଯଥା ରାଜା ତଥା ପ୍ରଜା । ସରକାରଙ୍କ ଦେଖାଦେଖି ଅନ୍ୟାନ୍ୟମାନେ ମଧ୍ୟ ସେହି ସମୟ ସମୟରେ ପାଠପଢ଼ା ହେଉଛି । କିନ୍ତୁ ଭାରତରେ ଏ ସମୟ କାର୍ଯ୍ୟ ପକ୍ଷେ କଦାପି ପ୍ରଶସ୍ତ ନୁହେଁ । ଚିରକାଳ ଏ ଦେଶରେ ସବୁ କ୍ଷେତ୍ରରେ କାର୍ଯ୍ୟକାଳ ଦୁଇ ବେଳା ସକାଳଓଳି ଓ ଉପରଓଳି । ଦୁଇ ପ୍ରହର ବା ମଧ୍ୟାହ୍ନ ସମୟରେ ବିଶ୍ରାମ । ଏ ଦେଶର ଜଳବାୟୁ, ଖାଦ୍ୟପେୟ ପ୍ରଭୃତି ସକଳ ବିଷୟ ଦୃଷ୍ଟିରେ ଏଭଳି ସମୟ ନିର୍ଦ୍ଦେଶ ସ୍ୱାସ୍ଥ୍ୟକର ଏବଂ ସୁବିଧାଜନକ । ସକାଳେ କାର୍ଯ୍ୟ କରିବା ଲାଗି ଦେହ ଓ ମନ ଉଭୟରେ ସ୍ଫୂର୍ତ୍ତି ଥାଏ । ପରିଶ୍ରମ ପରେ ମଧ୍ୟାହ୍ନ ସମୟରେ ଭୋଜନ ବେଳକୁ କ୍ଷୁଧା ହୁଏ । ମଧ୍ୟାହ୍ନ ଭୋଜନ ପରେ ଶରୀର ସାଧାରଣତଃ ଟିକିଏ ଅବସନ୍ନ ହୋଇଆସେ । ସାମାନ୍ୟ ବିଶ୍ରାମ ପରେ ପୁଣି ନବଶକ୍ତିର ସଞ୍ଚୟ ହୁଏ ଏବଂ ଉପରବେଳା କାର୍ଯ୍ୟ ହୁଏ ଏବଂ କର୍ମୀ ସହଜରେ କ୍ଲାନ୍ତ ହୁଏ ନାହିଁ । ଏହା ଭାରତରେ ଚରନ୍ତର କାର୍ଯ୍ୟପ୍ରଣାଳୀ । କିନ୍ତୁ ଅନ୍ୟାନ୍ୟ ଅନେକ ବିଷୟରେ ଭାରତୀୟ ପ୍ରଥା ପ୍ରକୃତି ନ ବୁଝି ଯେପରି ନୂତନ ବିଧାନର ପ୍ରବର୍ତ୍ତନ ହୋଇଅଛି, ଏ କ୍ଷେତ୍ରରେ ମଧ୍ୟ ସେହିପରି ଅବଶ୍ୟ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ କାଳ ଚଳି ଆସିବାରୁ ଏହା ଏକ ପ୍ରକାର ଅଭ୍ୟାସ ପଡିଗଲାଣି । କିନ୍ତୁ ଏଥିରେ ଯେ କି ଅନିଷ୍ଟ ହେଉଛି, ଟିକିଏ ଚିନ୍ତା କଲେ ଅନାୟାସରେ ଜଣାପଡ଼େ । ଦୁଇ ବେଳା କାର୍ଯ୍ୟ କରିବା ଲୋକଙ୍କ ସଙ୍ଗେ ୧୧ଟାଠାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ଲୋକଙ୍କର ତୁଳନା କରି ଦେଖିଲେ ପ୍ରଥମୋକ୍ତମାନେ ଅଧିକ ସତେଜ ଓ ଶକ୍ତି ଥିବାର ଦେଖାଯିବ । ଯେଉଁମାନେ ସ୍କୁଲ କଲେଜରେ ପଢ଼ନ୍ତି ବା କଚେରିରେ କାମ କରନ୍ତି, ସେମାନଙ୍କ ମଧ୍ୟରୁ ସତେଜ ଜଣ ସୁସ୍ଥ ସବଳ ? ଦେହକୁ ଜଗି ଚଳିବାରେ ସେମାନଙ୍କର ସମୟ ନିଅଣ୍ଟ । କିନ୍ତୁ ଆଜି ପେଟ ହେଲେ କାଲି ମୁଣ୍ଡ. କ୍ରମାଗତ କିଛି ନା କିଛି ଗୋଟାଏ ଆଧିବ୍ୟାଧି ତ ଲାଗି ରହିଛି । ଅଜୀର୍ଣ୍ଣ ଉଦରାମୟ ରୋଗ ଶିକ୍ଷିତ ସମ୍ପ୍ରଦାୟକୁ ଏକପ୍ରକାର ଛାରଖାର କରି ଦେଲାଣି । ଯଥାସମୟରେ ଉପଯୁକ୍ତ ବିଶ୍ରାମର ଅଭାବ ଏହାର ପ୍ରଧାନ କାରଣ । ୧୧ଟା ବେଳେ ଭୋଜନ କଲା ମାତ୍ର କର୍ମକ୍ଷେତ୍ରକୁ ଦଉଡିବାକୁ ପଡ଼େ । ଏ ଦେଶର ଲୋକେ ସାଧାରଣତଃ ଦୁଇ ଥର ଖାଆନ୍ତି । ତେଣୁ ପ୍ରତି ଥର ପେଟ ପୂରାଇ ଖାଆନ୍ତି । ପାକସ୍ଥଳୀ ଉପରେ ଟିକିଏ ବେଶି ଚାପ ପଡେ, କିନ୍ତୁ ଏଣେ ପାକସ୍ଥଳୀକି ଆଦୌ ବିଶ୍ରାମ ମିଳେ ନାହିଁ । ୧୦ଟା ୧୧ଟା ବେଳେ ନିଶ୍ଚୟ କର୍ମକ୍ଷେତ୍ରକୁ ଯିବାକୁ ଦରକାର ଆଉ ଭୋକ ଥାଉ ନ ଥାଉ ଖାଇବାକୁ ହେବ । ଏଥିରେ ଜୀବନକ୍ରିୟାର ସ୍ୱାଚ୍ଛନ୍ଦ୍ୟ ଏବଂ ପ୍ରାକୃତିକତା ନଷ୍ଟ ହୋଇଯାଉଛି । ସବୁ ଗୋଟାଏ ଯନ୍ତ୍ରରେ ଚାଲିବା ପରି ଚାଲୁଛି । ଶୀତପ୍ରଧାନ ଦେଶର ଖାଦ୍ୟ ବ୍ୟବହାର ଅନ୍ୟ ପ୍ରକାର ଜଳବାୟୁ ଅନ୍ୟ ପ୍ରକାର । ସେଠା ନିୟମ ଏଠା ଲୋକଙ୍କ ପ୍ରତି ଖଟିବ କାହୁଁ ? ପ୍ରକୃତି ସବୁବେଳେ ତାର ନିଜ ବାଟରେ ଚାଲିବାକୁ ଲୋଡ଼େ । ସାମାନ୍ୟ ବ୍ୟତିକ୍ରମ ହେଲେ ସଙ୍ଗେ ସଙ୍ଗେ ପରାଭାବ ଦିଏ । ଅଳ୍ପ ଦିନ ପୂର୍ବେ ମାନ୍ଦ୍ରାଜ ଅନ୍ତର୍ଗତ ନେଲୋରଠାରେ ଯେଉଁ ଛାତ୍ର-ସମ୍ମିଳନୀ ହୋଇଥିଲା ତହିଁରେ ସଭାପତି ଶ୍ରାମତୀ ଆନି ବେଶାନ୍ତ ଭାରତୀୟ ବିଦ୍ୟାଳୟମାନଙ୍କରେ ଏହିପରି ଅପ୍ରାକୃତିକ କାର୍ଯ୍ୟକାଳ ରୀତିକି ଆକ୍ଷେପ କରିଥିଲେ । ସେ ଦୁଇ ଓଳି ପଢ଼ା ହେବା ରୀତିର ପକ୍ଷପାତୀ । ପ୍ରାଚୀନ ରୀତିର ସଂସ୍କୃତ ଟୋଲ ଏବଂ ମଫସଲ ଚାଟଶାଳୀମାନଙ୍କରେ ଅନେକ ସ୍ଥଳେ ଏବେ ସୁଦ୍ଧା ଦୁଇ ଓଳି ପଢ଼ା ହୁଏ । ଟୋଲର ଛାତ୍ରମାନଙ୍କ ଅପେକ୍ଷା ଇଂରାଜୀ ସ୍କୁଲ କଲେଜରେ ଅବସ୍ଥା ଅଧିକ ସ୍ୱଚ୍ଛଳ ଏବଂ ସେମାନେ ଟିକିଏ ଅଧିକ ସୁଖସ୍ୱାଚ୍ଛନ୍ଦ୍ୟରେ ଚଳନ୍ତି । ତଥାପି ଟୋଲ ଛାତ୍ରମାନଙ୍କଠାରୁ ଏମାନେ ଅଧିକ ସବଳ ବୋଲି ମନେହୁଏ ନାହିଁ । ସେ ଯାହା ହେଉ ଭୋଜନର ଅବ୍ୟବହିତ ପରେ ଦିନର ମଧ୍ୟଭାଗରେ ଏକାଦିକ୍ରମେ କିମ୍ୱା ମଝିରେ ଥରେ ସାମାନ୍ୟ ବ୍ୟବଧାନ ପରେ ୫ ଘଣ୍ଟା ମାନସିକ ପରିଶ୍ରମ ଯେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକର ଏହା ଏକପ୍ରକାର ସର୍ବବାଦୀସମ୍ମତ । ଯାହା ସମସ୍ତେ ଅଙ୍ଗେ ଭୋଗୁଛନ୍ତି, ସେଥିରେ ଆଉ ତର୍କ ଯୁକ୍ତିର ପ୍ରୟେଜନ ନାହିଁ । ଗତବର୍ଷ ଗ୍ରୀଷ୍ମାବିକାଶ ପୂର୍ବରୁ ସତ୍ୟବାଦୀ ସ୍କୁଲରେ ଦୁଇ ବେଳା ଅଧ୍ୟାପନା ରୀତି କେତେକ ଦିନ ଚଳିଥିଲା । ସକାଳେ ସାଢ଼େ ଛଅଟାଠାରୁ ସାଢେ଼ ନଅଟା ପୁଣି ଉପରଓଳି ସାଢ଼େ ତିନିଠାରୁ ସାଢେ ପାଞ୍ଚଟା । ଏ ପ୍ରଣାଳୀରେ ଅଧିକ କାର୍ଯ୍ୟ ହୁଏ, ଶିକ୍ଷକ ଓ ଛାତ୍ରମାନଙ୍କର ବେଶି ସ୍ଫୂର୍ତ୍ତି ହୁଏ ଏବଂ କାର୍ଯ୍ୟରେ ଅଧିକ ମନୋନିବେଶ ହୁଏ । ତଦାନୀନ୍ତର ଶିକ୍ଷା ବିଭାଗର ଇନ୍‌ସପେକ୍‌ଟର ମାକୁମ ସାହେବ ଏ ରୀତିର ଉପକାରତା ମଧ୍ୟ ସ୍ୱୀକାର କରିଥିଲେ । କିନ୍ତୁ ବିଦ୍ୟାଳୟ ସଂଲଗ୍ନ ଛାତ୍ରାବାସରେ ଏବଂ ବିଦ୍ୟାଳୟର ନିକଟବର୍ତ୍ତୀ ଏକ ମାଇଲ ଦୂରରେ ଯେଉଁମାନେ ବାସ କରନ୍ତି, ସେମାନେ ସ୍ୱଚ୍ଛନ୍ଦରେ ଦୁଇ ବେଳା ଯାଇ ଆସିପାରନ୍ତି । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମର ବ୍ୟବସ୍ଥା ହେଲେ ଦୂର ସ୍ଥାନର ଛାତ୍ରମାନଙ୍କର କୌଣସି ଅସୁବିଧା ରହିବ ନାହିଁ । ଶିକ୍ଷା ସମ୍ୱନ୍ଧେ ସରକାର ଏବଂ ଦେଶର ଚିନ୍ତାଶୀଳ ବ୍ୟକ୍ତିମାନେ ନାନା ସଂସ୍କାର କଳ୍ପନା କରୁଅଛନ୍ତି । ଆମ୍ଭମାନଙ୍କ ଶିକ୍ଷିତ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଓ ଶାରୀରିକ ଅବସ୍ଥା ଦୃଷ୍ଟିରେ କାର୍ଯ୍ୟର ସମୟ ଆଲୋଚନା ବିଷୟ ହେବା ଆବଶ୍ୟକ ନୁହେଁ କି ?

(ସତ୍ୟବାଦୀ ୨ୟ ଖଣ୍ଡ, ୩ୟ ସଂଖ୍ୟା, ୧୯୧୬)

Saturday, February 24, 2018

ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ

ଅନୁବାଦ - ବିଶ୍ୱଜିତ ଆପଟ


ସେ ସମୟରେ ଜ୍ଞାତ ପୃଥିବୀର ଏକ ମଧ୍ୟଯୁଗୀୟ ମାନଚିତ୍ର (୧୪୮୨ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ଥାଏ : ଦୂରତା, ଦିଗ ଓ ସଙ୍କେତ ।

ଦୂରତା


ମାନଚିତ୍ରଗୁଡିକରେ ସମଗ୍ର ପୃଥିବୀ ବା ଏହାର ଏକ ଅଂଶକୁ ଫର୍ଦ୍ଦେ କାଗଜରେ ସୀମିତ କରାଯାଏ । କିମ୍ବା ଆମେ କହିପାରିବା ଯେ ମାନଚିତ୍ରଗୁଡିକ କ୍ଷୁଦ୍ର ମାନ ଦ୍ୱାରା ଅଙ୍କିତ ହୋଇଥାଏ । କିନ୍ତୁ ମାନ ହ୍ରାସକଲାବେଳେ ଭାରି ସତର୍କତା ଅବଲମ୍ବନ କରାଯାଏ ଯେପରି ଦୁଇଟି ସ୍ଥାନର ଦୂରତା ବାସ୍ତବ ଦୂରତାର ଅନୁରୂପ ହୁଏ । ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ କାଗଜ ଉପରେ ଅଳ୍ପ ଦୂରତା ଭୂପୃଷ୍ଠରେ ବିଶାଳ ଦୂରତାକୁ ଦର୍ଶାଇପାରିବ । ଏଥିପାଇଁ ମାନ ସ୍ଥିର କରି ବ୍ୟବହାର କରାଯାଏ । ମାନ ହେଉଛି ଭୂପୃଷ୍ଠରେ ଦୁଇଟି ସ୍ଥାନ ମଧ୍ୟରେ ପ୍ରକୃତ ଦୂରତା ଓ ମାନଚିତ୍ରରେ ଦର୍ଶାଯାଇଥିବା ଦୂରତା ମଧ୍ୟରେ ଅନୁପାତ । ଉଦାହରଣ ସ୍ୱରୂପ, ତୁମ ଘର ଠାରୁ ତୁମ ବିଦ୍ୟାଳୟର ଦୂରତା ହେଉଛି ୧୦ କିଲୋମିଟର । ଯଦି ତୁମେ ଏହି ୧୦ କିଲୋମିଟର ଦୂରତାକୁ ଏକ ମାନଚିତ୍ରରେ ୨ ସେଣ୍ଟିମିଟର ଦ୍ୱାରା ଦର୍ଶାଇବ ଏହାର ଅର୍ଥ ହେବ ମାନଚିତ୍ରରେ ୧ ସେଣ୍ଟମିଟର ପୃଥିବୀ ପୃଷ୍ଟରେ ୫ କିଲୋମିଟର ବୁଝାଏ । ତୁମ ମାନଚିତ୍ରର ମାନ ହେବ ୧ ସେ.ମି = ୫ କି.ମି. । ଏଣୁ ପ୍ରତ୍ୟେକ ମାନଚିତ୍ର ପାଇଁ ମାନ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ଯଦି ତୁମକୁ ମାନ ଜଣାଥାଏ ତେବେ ମାନଚିତ୍ରରେ ଯେ କୌଣସି ସ୍ଥାନ ଦ୍ୱୟ ମଧ୍ୟରେ ଦୂରତା ତୁମେ ହିସାବ କରିପାରିବ ।

ଯେତେବେଳେ ମହାଦେଶ, ଦେଶ ଭଳି ବିଶାଳ ଭୂଖଣ୍ଡ କାଗଜରେ ଦର୍ଶାଯାଏ ଆମେ ଅତି କ୍ଷୁଦ୍ର ମାନ ବ୍ୟବହାର କରୁ । ଯେପରିକି ମାନଚିତ୍ରରେ ୫ ସେ.ମି. ଦ୍ୱାରା ଭୂପୃଷ୍ଠରେ ୫୦୦ କି.ମି. ଦର୍ଶାଇବା । ଏହାକୁ କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର କୁହାଯାଏ ।

ଯେତେବେଳେ ତୁମ ଗାଁ ବା ସହର ପରି ଏକ ଛୋଟ ଅଞ୍ଚଳକୁ ଆମେ ମାନଚିତ୍ରରେ ଦର୍ଶାଉ ଆମେ ଏକ ବଡ ମାନର ବ୍ୟବହାର କରୁ ଯେପରି ମାନଚିତ୍ରରେ ୫ ସେ.ମି. ଦ୍ୱାରା ଭୂପୃଷ୍ଠରେ ୫୦୦ ମିଟର ଦର୍ଶାଇବା । ଏହାକୁ ବୃହତମାନବିଶିଷ୍ଟ ମାନଚିତ୍ର କୁହାଯାଏ ।ବୃହତମାନବିଶିଷ୍ଟ ମାନଚିତ୍ରରେ କ୍ଷୁଦ୍ରମାନବିଶିଷ୍ଟ ମାନଚିତ୍ର ଅପେକ୍ଷା ଅଧିକ ତଥ୍ୟ ରହିଥାଏ ।

ଦିଗ


ଅଧିକାଂଶ ମାନଚିତ୍ରର ଡାହାଣ ପାର୍ଶ୍ୱର ଉପର ଭାଗରେ ଏକ ତୀର ଚିହ୍ନ ପାଇବ ଯାହା ଉପରେ “N” ଲେଖା ହୋଇଥାଏ । ଏହି ତୀରଟି ଉତ୍ତର ଦିଗ ଦର୍ଶାଇଥାଏ । ଏହାକୁ ଉତ୍ତରରେଖା କୁହାଯାଏ । ଯେତେବେଳେ ତୁମକୁ ଉତ୍ତର ଦିଗଟି ଜଣା ତୁମେ ଅନ୍ୟ ଦିଗ ସବୁ ମଧ୍ୟ ଜାଣିପାରିବ । ଚାରିଟି ମୁଖ୍ୟ ଦିଗ ରହିଛି : ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ (ଚିତ୍ର କ୍ରମାଙ୍କ ୪.-) । ଏଗୁଡିକୁ ପ୍ରଧାନ ଦିଗ କୁହାଯାଏ । ଅନ୍ୟ ଚାରୋଟି ମଧ୍ୟବର୍ତ୍ତୀ ଦିଗଗୁଡିକ ହେଲେ : ଉତ୍ତର-ପୂର୍ବ, ଦକ୍ଷିଣ-ପୂର୍ବ, ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପଶ୍ଚିମ । ମଧ୍ୟବର୍ତ୍ତୀ ଦିଗଗୁଡିକର ସାହାଯ୍ୟରେ ଆମେ କୌଣସି ସ୍ଥାନର ଅବସ୍ଥିତି ସଠିକ ଭାବରେ ଦର୍ଶାଇପାରିବା ।

ଚିତ୍ର କ୍ରମାଙ୍କ ୪.୧ ଦେଖି ଏବେ ଦିଗ ନିରୂପଣ କର । କ) ବିକାଶ ଘର ଠାରୁ ଗ୍ରାମସଭା ଗୃହ ଓ ଖେଳ ପଡିଆ କେଉଁ ଦିଗରେ ଅଛି ? ) ବଜାର ଠାରୁ ବିଦ୍ୟାଳୟ କେଉଁ ଦିଗରେ ଅଛି ?

ଆମେ କମ୍ପାସ ସାହାଯ୍ୟରେ କୌଣସି ସ୍ଥାନ କେଉଁ ଦିଗରେ ଅଛି ନିର୍ଣ୍ଣୟ କରିପାରିବା । ଏହି ଯନ୍ତ୍ରଟି ମୁଖ୍ୟ ଦିଗଗୁଡିକୁ ନିରୂପଣ କରିବା ପାଇଁ ବ୍ୟବହାର କରାଯାଏ । ଏହା ମଧ୍ୟରେ ଥିବା ଚୁମ୍ବକୀୟ ସୂଚକଟି ସବୁବେଳେ ଉତ୍ତର-ଦକ୍ଷିଣ ହୋଇ ରହିଥାଏ (ଚିତ୍ର କ୍ରମାଙ୍କ ୪.-)

ସଙ୍କେତ


ଏହା ମାନଚିତ୍ରର ତୃତୀୟ ବୈଶିଷ୍ଟ୍ୟ ଅଟେ । ମାନଚିତ୍ରରେ ଘର, ରାସ୍ତା, ପୋଲ, ଗଛ, ରେଳପଥ, କୂଅ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଆଙ୍କିବା ସମ୍ଭବ ନୁହେଁ । ଏଣୁ ଏଗୁଡିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଇତ୍ୟାଦି ଦ୍ୱାରା ଦର୍ଶାଯାଇଥାଏ । ଏହି ସଙ୍କେତଗୁଡିକ ଦ୍ୱାରା ସୀମିତ ସ୍ଥାନରେ ଅନେକଗୁଡିଏ ତଥ୍ୟ ଉପସ୍ଥାପନ କରାଯାଇପାରେ । ଏହି ସଙ୍କେତଗୁଡିକର ବ୍ୟବହାର ଯୋଗୁଁ ମାନଚିତ୍ର ଆଙ୍କିବା ଓ ପଢିବାରେ ସୁବିଧା ହୁଏ । ଯଦିବା ତୁମେ କୌଣସି ଅଞ୍ଚଳର ଭାଷା ଜାଣିନାହଁ ଓ ସେହି କାରଣରୁ କାହାକୁ ଦିଗ ପଚାରି ପାରୁନାହଁ, ଏହି ସଙ୍କେତଗୁଡିକର ସାହାଯ୍ୟରେ ତୁମେ ମାନଚିତ୍ରରୁ ଅନେକ ତଥ୍ୟ ସଙ୍ଗ୍ରହ କରିପାରିବ । ମାନଚିତ୍ରଗୁଡିକର ଏକ ସାର୍ବଜନୀନ ଭାଷା ଅଛି ଯାହାକୁ ସମସ୍ତେ ବୁଝିପାରିବେ । ଏହି ସଙ୍କେତମାନଙ୍କର ବ୍ୟବହାର ପାଇଁ ଏକ ଆନ୍ତର୍ଜାତିକ ରାଜିନାମା ରହିଛି । ଏଗୁଡିକୁ ପ୍ରଚଳିତ ସଙ୍କେତ କୁହାଯାଏ । ଚିତ୍ର କ୍ରମାଙ୍କ ୪.୩ ରେ କିଛି ପ୍ରଚଳିତ ସଙ୍କେତ ଦର୍ଶାଯାଇଛି ।

ବିଭିନ୍ନ ରଙ୍ଗର ବ୍ୟବହାର ମଧ୍ୟ ଏହି ଉଦ୍ଦେଶ୍ୟରେ ହୋଇଥାଏ । ଉଦାହରଣ ସ୍ୱରୂପ, ନୀଳ ରଙ୍ଗ ଜଲରାଶି ପାଇଁ, ବାଦାମୀ ରଙ୍ଗ ପର୍ବତ ପାଇଁ, ହଳଦିଆ ରଙ୍ଗ ମାଳଭୂମି ପାଇଁ ଓ ସବୁଜ ରଙ୍ଗ ସମତଳ ଭୂମି ପାଇଁ ବ୍ୟବହୃତ ହୁଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Friday, February 23, 2018

ଦେଶୀୟ ରାଜ୍ୟରେ ଶିକ୍ଷା

ଗୋପବନ୍ଧୁ ଦାଶ


୧୮୯୩ ମସିହାର ବ୍ରିଟେନର ଭାରତୀୟ ସାମ୍ରାଜ୍ୟର ମାନଚିତ୍ର (ୱିକିମିଡିଆ କମନ୍ସ୍)

ବିଚକ୍ଷଣ ମହାମତି ଗୋଖଲେ ବୁଝଥିଲେ ଭାରତର ସର୍ବପ୍ରଧାନ ଓ ପ୍ରଥମ ପ୍ରୟୋଜନ ଶିକ୍ଷା । ଶିଳ୍ପ ବୋଲସ୍ୱାସ୍ଥ୍ୟ ବୋଲ ସହଯୋଗିତା ବୋଲ ଶିକ୍ଷା ନ ପାଇଲେ କୌଣସି ବିଷୟରେ ଲୋକସାଧାରଣଙ୍କ ଆଖି ଫିଟିବ ନାହିଁ । ସରକାର ଯେ ଏତେ ସହଜ କଥାଟିଏ ବୁଝିପାରିଲେ ନାହିଁ, ତାହା ନୁହେଁ । କିନ୍ତୁ ଗୋଖଲେଙ୍କ କଥା ରହିଲା ନାହିଁ । ଗୋଖଲେ ପ୍ରାଥମିକ ଶିକ୍ଷା ସମ୍ୱନ୍ଧେ ଯେ ପ୍ରସ୍ତାବ କରିଥିଲେ ଇଁରେଜ ଶାସିତ ଭାରତରେ ତାହା ଅସମ୍ଭବ ବିବେଚିତ ହେଲେ ହେଁ ବରୋଦା ରାଜ୍ୟରେ ତାହା ସୁସାଧ୍ୟ ହେଲା । ଏକା ବରୋଦା ନୁହେଁ, ଅନ୍ୟାନ୍ୟ କେତେକ ଦେଶୀୟ ରାଜ୍ୟ ମଧ୍ୟ ବୁଝି ପାରିଲେଣି ଯେ ଲୋକେ ନିରକ୍ଷର ରହିଲେ କୌଣସି ପ୍ରକାର ଉନ୍ନତି ସମ୍ଭବପର ନୁହେଁ । ତେଣୁ ଶିକ୍ଷା ପ୍ରଚାରର ନାନା ଆୟୋଜନ ଲାଗିଛି । ବରୋଦା ଦେଖାଦେଖି ମହୀଶୂରରେ ଏବେ ଯେପରି ଆୟୋଜନ ଲାଗିଛି, ଦେଖିଲେ ପ୍ରାଣ ନାଚି ଉଠୁଛି । କେବଳ ପ୍ରାଥମିକ ଶିକ୍ଷା ଲାଗି ବିଦ୍ୟାଳୟ ବସୁ ନାହିଁ, ଲୋକଶିକ୍ଷା ନିମନ୍ତେ ସ୍ଥାନେ ସ୍ଥାନେ ପୁସ୍ତକାଳୟ ସ୍ଥାପିତ ହେଉଅଛି, ଉପେକ୍ଷିତ ବର୍ଣ୍ଣମାନଙ୍କ ଉନ୍ନତି ନିମନ୍ତେ ବିଶେଷ ବନ୍ଦୋବସ୍ତ ହେଉଅଛି, ଶିଳ୍ପ ଓ କୃଷିର ଉନ୍ନତି ନିମନ୍ତେ ବିରାଟ ଆୟୋଜନ ଲାଗିଛି । ଶାସନପ୍ରଣାଳୀରେ ମଧ୍ୟ ଅନେକଗୁଡିଏ ଲୋକହିତକର ପରିବର୍ତ୍ତନ ପ୍ରବର୍ତ୍ତିଅଛି । ମହୀଶୂର ରାଜ୍ୟରେ ଏବେ ମହାସମାରୋହରେ ଯେଉଁ ସମ୍ମିଳନୀ ହୋଇଥିଲା ତହିଁର ବିବରଣ ପଢିଲେ ସେ ରାଜ୍ୟର ଉଦ୍ୟମ ସହଜରେ ଜଣାଯିବ ।

ସମ୍ପ୍ରତି ତ୍ରିବାଙ୍କୁଡ଼ ଜାଗ୍ରତ ହୋଇଥିବାରୁ ଜଣାଯାଏ । ତ୍ରିବାଙ୍କୁଡ଼ର ଶିକ୍ଷା ସମ୍ୱନ୍ଧେ ଯାହା ପ୍ରକାଶ ପାଇଛି, ତାହା ଉକ୍ତ ରାଜ୍ୟ ପକ୍ଷେ ବଡ ପ୍ରଶଂସାର ବିଷୟ । ସ୍କୁଲରେ ପଢିବାଯୋଗ୍ୟ ବାଳକ ବାଳିକାମାନଙ୍କ ମଧ୍ୟରୁ ଅଧେ ବର୍ତ୍ତମାନ ପଢ଼ୁଅଛନ୍ତି । ପ୍ରତି ତିନି ବର୍ଗମାଇଲ ମଧ୍ୟରେ ଗୋଟିଏ ବିଦ୍ୟାଳୟ ଅଛି । ଗୋଟିଏ ନିର୍ଦ୍ଦିଷ୍ଟ ତାଲୁକାର ସମଗ୍ର ବାଳକ ବାଳିକା ସ୍କୁଲରେ ପଢୁଅଛନ୍ତି କେହି ନ ପଢି ବୁଲୁନାହିଁ । ଯେଉଁ ତାଲୁକାରେ ଶିକ୍ଷା ସବୁଠାରୁ ଉଣା ସେଥିରେ ଶତକଡ଼ା ୩୦ଜଣ ପିଲା ସ୍କୁଲରେ ଅଛନ୍ତି । ଭାରତରେ ଦେଶୀୟ ରାଜ୍ୟ ସଙ୍ଖ୍ୟା କମ୍ ନୁହେଁ । ଏଗୁଡିକର ଉନ୍ନତି ଉପରେ ଭାରତର ଜାତୀୟ ଉନ୍ନତି ବହୁ ପରିମାଣରେ ନିର୍ଭର କରେ । ବରୋଦା, ତ୍ରିବାଙ୍କୁଡ଼, ମହୀଶୂରର ଆଦର୍ଶରେ ଅନ୍ୟାନ୍ୟ ରାଜ୍ୟମାନ ଶିକ୍ଷା ଓ ଶିଳ୍ପର ଉନ୍ନତିରେ ମନ ବଳାଇଲେ ଅଚିରେ ବହୁ କଲ୍ୟାଣ ସାଧିତ ହୁଅନ୍ତା । ବଡ ବଡ ରାଜ୍ୟ ଅପେକ୍ଷା କ୍ଷୁଦ୍ର ରାଜ୍ୟରେ କାର୍ଯ୍ୟ କରିବା ଅନେକ ସ୍ଥଳରେ ସୁବିଧାଜନକ । କ୍ଷୁଦ୍ର ରାଜ୍ୟରେ ସମସ୍ତ କାର୍ଯ୍ୟ ରାଜା ବା ଦେବାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇପାରେ । ଦେଶୀୟ ରାଜ୍ୟର ପ୍ରଜାମାନେ ଆବହମାନ କାଳରୁ ପୁରୁଷାକ୍ରମେ ରାଜାଙ୍କୁ ମା-ବାପା ହର୍ତ୍ତାକର୍ତ୍ତା ବୋଲି ମାନି ଆସିଅଛନ୍ତି । ଏ ବିଶ୍ୱାସ ସେମାନଙ୍କର ମଜ୍ଜାଗତ । ରାଜାଙ୍କର କୌଣସି ହିତକର ପ୍ରସ୍ତାବରେ ସେମାନେ ଅକୁଣ୍ଠିତ ଭାବରେ ମନପ୍ରାଣ ଢାଳି ଦେବା ସ୍ୱାଭାବିକ । ପ୍ରଜାମାନଙ୍କର ଉନ୍ନତିରେ ରାଜାଙ୍କର ଶ୍ରେୟ ଏବଂ ରାଜ୍ୟର କଲ୍ୟାଣ ।

(ସତ୍ୟବାଦୀ ୨ୟ ଖଣ୍ଡ ୩ୟ ସଂଖ୍ୟା, ୧୯୧୬)

Wednesday, February 21, 2018

ମାନଚିତ୍ର


ଅନୁବାଦ - ବିଶ୍ୱଜିତ ଆପଟ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗ୍ଲୋବର ମହତ୍ତ୍ୱ କ’ଣ ତାହା ତୁମେ ପୂର୍ବ ଅଧ୍ୟାୟରେ ଜାଣିଲ । କିନ୍ତୁ ଗ୍ଲୋବର କିଛି ସୀମା ମଧ୍ୟ ରହିଛି । ଯେତେବେଳେ ଆମେ ପୃଥିବୀର ସାମଗ୍ରିକ ରୂପେ ଅଧ୍ୟୟନ କରିବାକୁ ଚାହିଁବା ଗ୍ଲୋବ ସେତେବେଳେ ଖୁବ ଉପଯୋଗୀ ହୁଏ । ମାତ୍ର ଯେତେବେଳେ ପୃଥିବୀର କୌଣସି ଗୋଟିଏ ଭାଗ ଯେପରିକି ଆମ ଦେଶ, ରାଜ୍ୟ, ଜିଲ୍ଲା, ସହର ତଥା ଗ୍ରାମର ଅଧ୍ୟୟନ କରିବାକୁ ଚାହୁଁ ସେତେବେଳେ ଗ୍ଲୋବ ବିଶେଷ ଉପାଦେୟ ହୁଏ ନାହିଁ । ଏପରି ସ୍ଥିତିରେ ଆମେ ମାନଚିତ୍ରର ବ୍ୟବହାର କରୁ । ମାନଚିତ୍ର ହେଉଛି ସମଗ୍ର ପୃଥିବୀର ବା ଏହାର ଏକ ଅଂଶର ଚିତ୍ର ଯାହା କୌଣସି ସମତଳ ଉପରେ ଏକ ନିର୍ଦ୍ଦିଷ୍ଚ ମାନରେ ଅଙ୍କନ କରାଯାଇଥାଏ । କିନ୍ତୁ ଏକ ଗୋଲାକାର ପୃଷ୍ଠକୁ ସମ୍ପୂର୍ଣ୍ଣ ସମତଳ ପୃଷ୍ଠରେ ଦର୍ଶାଇବା ଅସମ୍ଭବ ଅଟେ ।

ବିଭିନ୍ନ ଧରଣର ଆବଶ୍ୟକତା ପାଇଁ ଆମେ ମାନଚିତ୍ର ବ୍ୟବହାର କରିଥାଉ । କିଛି ମାନଚିତ୍ରରେ ଏକ ଛୋଟ ଅଞ୍ଚଳ ଓ ଅଲ୍ପ ତଥ୍ୟ ଦର୍ଶାଯାଇଥାଏ । ଅନ୍ୟ ମାନଚିତ୍ରରେ ବଡ ବହିଟିଏ ଭଳି ଅନେକ ତଥ୍ୟ ଥାଇପାରେ । ଅନେକଗୁଡିଏ ମାନଚିତ୍ରକୁ ଏକାଠିକରି ପ୍ରକାଶିତ କଲେ ତାହା ଆଟଲାସ୍ ହୋଇଯାଏ । ଆଟଲାସ୍ ବିଭିନ୍ନ ଆକାରର ହୋଇଥାଏ ଯେଉଁଥିରେ ଭିନ୍ନ ଭିନ୍ନ ମାନରେ ଅଙ୍କିତ ମାନଚିତ୍ର ରହିଥାଏ । ମାନଚିତ୍ରରୁ ଗ୍ଲୋବ ଅପେକ୍ଷା ଅଧିକ ତଥ୍ୟ ମିଳିଥାଏ । ବିଭିନ୍ନ ପ୍ରକାରର ମାନଚିତ୍ର ଅଛି । ସେଥିମଧ୍ୟରୁ କିଛି ନିମ୍ନରେ ଦିଆଗଲା

ପ୍ରାକୃତିକ ମାନଚିତ୍ର


ଯେଉଁ ମାନଚିତ୍ରରେ ପୃଥିବୀର ପ୍ରାକୃତିକ ବିଭବମାନ ଯେପରିକି ପର୍ବତ, ମାଳଭୂମି, ସମତଳ ଭୂମି, ନଦୀ, ମହାସାଗର ଇତ୍ୟାଦି ଦର୍ଶାଯାଇଥାଏ ତାହାକୁ ପ୍ରାକୃତିକ ମାନଚିତ୍ର କୁହାଯାଏ ।

ରାଜନୀତିକ ମାନଚିତ୍ର


ଯେଉଁ ମାନଚିତ୍ରରେ ବିଭିନ୍ନ ସହର, ଗ୍ରାମ ଏବଂ ପୃଥିବୀର ବିଭିନ୍ନ ଦେଶ, ରାଜ୍ୟ ଓ ସେଗୁଡିକର ସୀମା ସରହଦ ଇତ୍ୟାଦି ଦର୍ଶାଯାଇଥାଏ ତାହାକୁ ରାଜନୀତିକ ମାନଚିତ୍ର କୁହାଯାଏ ।

ପ୍ରାସଙ୍ଗିକ ମାନଚିତ୍ର


କିଛି ମାନଚିତ୍ରରେ କୌଣସି ଏକ ନିର୍ଦ୍ଦିଷ୍ଚ ପ୍ରସଙ୍ଗଭିତ୍ତିକ ତଥ୍ୟ ଉପସ୍ଥାପନା ଉପରେ ଧ୍ୟାନ ଦିଆଯାଇଥାଏ ଯେପରିକି ସଡକ ମାନଚିତ୍ର, ବୃଷ୍ଟିପାତ ମାନଚିତ୍ର, ଅରଣ୍ୟ ଓ ଶିଳ୍ପ ମାନଚିତ୍ର ଇତ୍ୟାଦି । ଏସବୁକୁ ପ୍ରାସଙ୍ଗିକ ମାନଚିତ୍ର କୁହାଯାଏ । ମାନଚିତ୍ରରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ମାନଚିତ୍ର ପାଇଁ ଉପଯୁକ୍ତ ନାମ ଦିଆଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।