Wednesday, April 18, 2018

ଖୋଲାସ୍କୁଲ

ଗୋପବନ୍ଧୁ ଦାଶ


ଶାନ୍ତି ନିକେତନର ଆମ୍ରକୁଞ୍ଜ (ୱିକିମିଡିଆ କମନ୍ସ୍)

ଭାରତର ବିଦ୍ୟାଳୟ ବିଶାଳ ବନ ପ୍ରାନ୍ତରରେ ଉନୁକ୍ତ ଆକାଶ ତଳେ ଏବଂ ସ୍ୱଚ୍ଛନ୍ଦବାୟୁ ପ୍ରବାହରେ । ଆବଦ୍ଧ କୋଠରୀରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉ ନ ଥିଲା । ଖୋଲାଜାଗାରେ ସ୍କୁଲ ହେଉଥିବାରୁ ବର୍ଷା ସମୟରେ ଅଧ୍ୟାପନା ବନ୍ଦ ରହୁଥିଲା । ବର୍ଷା ଋତୁରେ ଉପାଧ୍ୟାୟ ଏବଂ ଛାତ୍ରମାନେ ଚତୁର୍ମାସ୍ୟା ବ୍ରତ ପାଳନ କରୁଥିଲେ । ଅନ୍ୟ କୌଣସି ସମୟରେ ଆକାଶରେ ମେଘାଗମ ଦେଖାଇଲେ ଅଧ୍ୟୟନ ହେଉ ନ ଥିଲା । ଏହି ପ୍ରାଚୀନ ଆଶ୍ରମବିଧି କ୍ରମାଗତ ଏ ଦେଶରେ ଏପରି ଭାବରେ ଚାଲି ଆସିଥିଲା ଯେ, ପୂର୍ବର ଗ୍ରାମ ପାଠଶାଳାମାନ ମଧ୍ୟ ଖୋଲା ଜାଗାରେ ହେଉଥିଲା । ଯେଉଁସ୍ଥାନେ ଶିକ୍ଷା ଦିଆଯାଏ, ସଂସ୍କୃତରେ ତାକୁ ଚତୁଷ୍ପାଠୀ କହନ୍ତି । ଆମ୍ଭମାନଙ୍କ ଦେଶୀୟ ପ୍ରଚଳିତ ଭାଷାରେ ତାହାର ନାମ ଚଉପାଢ଼ୀ । ଏହା କେବଳ ଏକ ଉଚ୍ଚ ପ୍ରଶସ୍ତ ବେଦୀ ଏବଂ ତା' ଉପରେ ଚାଳ ବା ଅନ୍ୟ କୌଣସି ପ୍ରକାର ଆବରଣ ଥାଏ । ମାତ୍ର ଚାରିପାଖ ମେଲା । ଏହା ହିଁ ଗ୍ରାମ ବିଦ୍ୟାଳୟ ।

ଆଜିକାଲି ପଲ୍ଲୀର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଘର ସଂଲଗ୍ନରେ ଏପରି ଚଉପାଢ଼ୀ ଦେଖାଯାଏ । ସେଠାରେ ଗ୍ରାମର ସାମୟିକ ବୈଠକ ହୁଏ, ପୁରାଣ ପାଠ ହୁଏ । ବିଦ୍ୟାଳୟ ପ୍ରାୟ ଆଉ ସେଠାରେ ହୁଏ ନାହିଁ । ସ୍କୁଲଘର ତିଆରିରେ ବର୍ତ୍ତମାନ ଅନେକ ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର ଏ ଘର ପୂର୍ବର ଚଉପୀଢ଼ୀ ପରି ଛାତ୍ରମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟର ତେତେ ଉପଯୋଗୀ ହେଉଅଛି କି ନାହିଁ, ସନ୍ଦେହ । ଆମ୍ଭମାନଙ୍କର ବିଶ୍ୱାସ ଏପରି ଆବଦ୍ଧ ଘର ଛାତ୍ରମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱଚ୍ଛନ୍ଦ ବିକାଶ ପକ୍ଷରେ ପ୍ରଧାନ ଅନ୍ତରାୟ । ଉନ୍ମୁକ୍ତବାୟୁ ଏବଂ ଆଲୋକର ଉପକାରିତା ଆଜିକାଲି ସମୟର ଡାକ୍ତରମାନେ ଯଥେଷ୍ଟ ଭାବରେ ସ୍ୱୀକାର କରନ୍ତି । ଶିକ୍ଷା ବିଭାଗର ଭାଗ୍ୟ ନିୟନ୍ତାମାନେ ମଧ୍ୟ ବିଦ୍ୟାଳୟ ନିର୍ମାଣରେ ଏହି ତିନି ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେଇଥାନ୍ତି । ମାତ୍ର ବାୟୁ ଆଲୋକ ଯେବେ ମୁଖ୍ୟ ପ୍ରୟୋଜନ ହେଲା ତେବେ ଆବଦ୍ଧ ଘର ଆବଶ୍ୟକ କାହିଁକି ? ପ୍ରାଚୀନ ଚତୁଷ୍ପାଠୀ ଦ୍ୱାରା ତ ଏ ପ୍ରୟୋଜନ ସୁନ୍ଦର ନିର୍ବାହିତ ହେଉଥିଲା ।

କେହି କେହି କହିପାରନ୍ତି, ଉନ୍ମୁକ୍ତ ବିଦ୍ୟାଳୟରେ ଛାତ୍ରମାନଙ୍କର ଚିତ୍ତ ବିକ୍ଷେପ ଘଟିବାର ସମ୍ଭାବନା ଆବଦ୍ଧ ଘରର ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ମନ ଏଣେତେଣେ ଖେଳିବା ଲାଗି ପ୍ରାୟ ସୁବିଧା ପାଏ ନାହିଁ । ଖୋଲାଜାଗାରେ ଚଞ୍ଚଳମତି ଶିଶୁମାନଙ୍କର ପ୍ରଥମାବସ୍ଥାରେ ଚିତ୍ତବିକ୍ଷେପ ଘଟିପାରେ, ମଧ୍ୟ ସାଧାରଣତଃ ଘଟିଥାଏ । ମାତ୍ର ତାହା ଅଧିକ ଦିନ ରହେ ନାହିଁ । ବରଂ ଭାରତୀୟ ବିଧି ଅନୁସାରେ ଚିତ୍ତର ଏକାଗ୍ରତା ସାଧନା ନିମନ୍ତେ ଏହାହିଁ ପ୍ରଶସ୍ତ କ୍ଷେତ୍ର । ଏଠାରେ ମନ ନିଶ୍ଚଳ ରଖି ପାରିଲେ ଆଉ କୁତ୍ରାପି ଚାଞ୍ଚଲ୍ୟର ଆଶଙ୍କା ନଥିବ । ଉନ୍ମୁକ୍ତ ସ୍ଥାନରେ ଚିତ୍ତର ଏକାଗ୍ରତା ନିମନ୍ତେ ପ୍ରୟାସ ଆମ୍ଭମାନଙ୍କ ଦେଶର ଚିରନ୍ତର ରୀତି । ନଦୀ ପୁଷ୍କରିଣୀ ଆଦିରେ ସ୍ନାନ କରି ସେହିଠାରେ ସନ୍ଧ୍ୟା ବନ୍ଦାପନା କରିବାର ବିଧାନ ଏବେ ସୁଦ୍ଧା ଅକ୍ଷୁର୍ଣ୍ଣ ରହିଅଛି । ଉପରେ ଉନ୍ମୁକ୍ତ ଆକାଶ ତଳେ ପ୍ରଶସ୍ତ ଜଳରାଶି ଏବଂ ଶ୍ୟାମଳ ଘାସବୃକ୍ଷ ଇତ୍ୟାଦି ପରିଶୋଭିତ ଭୂଭାଗ ଏ ଉଭୟ ମଧ୍ୟରେ ଉନ୍ମୁକ୍ତ ଶୀତଳ ପବନର ସ୍ୱଚ୍ଛନ୍ଦ ପ୍ରବାହ । ଏହିଠାରେ ମାନସିକ ନିଶ୍ଚଳତା ଏବଂ ଧ୍ୟାନ ବଳରେ ଭଗବତ ଧାରଣା ନିମନ୍ତେ ଭାରତୀୟ ଆର୍ଯ୍ୟର ପ୍ରତ୍ୟହ ନିୟମିତ ପ୍ରଯତ୍ନ । ଚିତ୍ତ ବିକ୍ଷେପର ଅସଙ୍ଖ୍ୟ ଉପକରଣ ମଧ୍ୟରେ ଚିତ୍ତ ସଞ୍ଜମ ହିଁ ପ୍ରକୃତ ସଞ୍ଜମ ।

ଶୀତ ପ୍ରଧାନ ପାଶ୍ଚାତ୍ୟ ଦେଶରେ ଉନ୍ମୁକ୍ତ ବିଦ୍ୟାଳୟର କଳ୍ପନା ଅସମ୍ଭବ । ସେଠାରେ ଘରର ଚାରିଆଡ଼େ ଆବଦ୍ଧ ରଖିବା ଆବଶ୍ୟକ । ମାତ୍ର ଏ ଦେଶରେ ଘରେ କାନ୍ଥ ତେତେ ଲୋଡ଼ା ନୁହେଁ, ବରଂ କାନ୍ଥ ଦେହରେ ଜଳା ଫିଟାଇବା ପ୍ରୟୋଜନ । ଏ ଦେଶରେ ଅବସ୍ଥା ଅନୁସାରେ ମୂଳରୁ ବ୍ୟବସ୍ଥା ହୋଇଥିଲେ କେବଳ ଘର ତୋଳାରେ ଏତେ ବିସ୍ତର ଅର୍ଥ ବ୍ୟୟ ହୋଇ ନଥାନ୍ତା । ଆମ୍ଭେମାନଙ୍କ ଦେଶରେ ଶିକ୍ଷାନୁରାଗୀ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମନଯୋଗ ଏଥି ପ୍ରତି କ୍ରମେ ବିଶେଷ ଭାବରେ ଆକୃଷ୍ଟ ହେଉଅଛି । ବଙ୍ଗଦେଶରେ ସାର୍ ରବୀନ୍ଦ୍ରନାଥ ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ହେଲା ଖୋଲାସ୍କୁଲର ସୃଷ୍ଟି କରିଅଛନ୍ତି । ଆମ୍ଭମାନଙ୍କର କ୍ଷୁଦ୍ର ସତ୍ୟବାଦୀ ବିଦ୍ୟାଳୟରେ ଆଜିକୁ ଦଶ ବର୍ଷ ହେଲା ଗଛମୂଳେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଅଛି। ଆମ୍ଭମାନଙ୍କୁ ପକ୍ଷେ ପରମ ସୁଖର ବିଷୟ ଏହି ଯେ, ବିହାର ଓଡ଼ିଶା ସରକାର ଏ ପ୍ରଣାଳୀର ବିଦ୍ୟାଳୟକୁ ମଞ୍ଜୁର କରିଅଛନ୍ତି । ଏଣିକି ସୁବିଧା ଅନୁସାରେ ସ୍ଥଳ ବିଶେଷରେ ଖୋଲା ସ୍କୁଲ କରାଯାଇପାରେ । ସରକାରଙ୍କର ଏଥିରେ କୌଣସି ଆପତ୍ତି ହେବ ନାହିଁ । ଯଥେଷ୍ଟ ଆଲୋକ ପ୍ରବେଶ ଏବଂ ବାୟୁ ସଞ୍ଚାରର ସୁବିଧା ଥାଇ ଏକ ଶ୍ରେଣୀର ଗୋଳମାଳ ଅନ୍ୟ ଶ୍ରେଣୀରେ ପହଞ୍ଚି ନ ପାରିବା ଲାଗି ବ୍ୟବସ୍ଥା ରହିଲେ ହେଲା । ସ୍କୁଲ ଅଗଣାରେ ଛାୟାପ୍ରଦ ବୃକ୍ଷ ରହିବା ଆବଶ୍ୟକ ଏହା ଦ୍ୱାରା ସ୍ଥାନର ସୌନ୍ଦର୍ଯ୍ୟ ବଢ଼େ । ଗ୍ରୀଷ୍ମ ପ୍ରଧାନ ଦେଶରେ ସ୍ନିଗ୍‌ଧତା ଅବସାଦ ଅନ୍ତର କରେ ଏ ଦେଶରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଛାୟାପ୍ରଦ ଆମ୍ୱ ପଣସର ସୁପ୍ରଶସ୍ତ ସୁନ୍ଦର ଉଦ୍ୟାନ ଅଛି । ସେଠାରେ ସାମାନ୍ୟ ବ୍ୟୟରେ ଖୋଲାସ୍କୁଲ ହୋଇପାରେ ଏବଂ ବର୍ଷା ଦିନ ଲାଗି ଗୋଟିଏ ଖୋଲା ଚାଳ ଘର ହେଲେ ନିର୍ବାଧାରେ କାର୍ଯ୍ୟ ଚଳିବ। ଆଶା ହୁଏ । ଏଣିକି ଜିଲ୍ଲା ବୋର୍ଡ଼ମାନ ଏବଂ ସ୍ଥାନୀୟ ବିଭାଗୀୟ କର୍ତ୍ତାମାନେ ଏ ଶ୍ରେଣୀର ବିଦ୍ୟାଳୟ ସ୍ଥାପନରେ ଲୋକସାଧାରଣଙ୍କୁ ଉତ୍ସାହିତ କରିବେ ।

Monday, April 16, 2018

ପିଲାଙ୍କ ପାଇଁ କବିତା - 'ମେଳ ଅମେଳ'

ଜଗନ୍ନାଥ ପ୍ରସାଦ ଦାସ


ହାଇନାର ଚିତ୍ର (ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ) : ୱିକିମିଡିଆ କମନ୍ସ୍
ରୋମର ପାଖରେ ଥିବା ସହର ପାଲେଷ୍ଟ୍ରିନାରେ ଥିବା ମୋଜାଗି

ହାଇନା ପାଖରେ ମଇନା
ଶେଉଳ ପାଖରେ ନେଉଳ;

ଜେବରା ପାଖରେ ଗୋବରା
କୁକୁର ପାଖରେ ଚକୋର;

ଠେକୁଆ ପାଖରେ ଚକୁଆ
କିନ୍ତୁ

ମେଳ ନାହିଁ ଲୋକ ଲୋକର ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, April 14, 2018

ଭାରତର ପଡ଼ୋଶୀ ଓ ପ୍ରଶାସନିକ ବିଭାଗ


ଅନୁବାଦ - ବିଶ୍ୱଜିତ ଆପଟ


ଭାରତର ରାଜନୈତିକ ମାନଟିତ୍ର (ୱିକିମିଡିଆ କମନ୍ସ୍)


ଭାରତର ପଡୋଶୀ ଦେଶ

ସାତୋଟି ଦେଶର ସୀମା ଭାରତର ସୀମାକୁ ଲାଗି ରହିଛି । ସେଗୁଡ଼ିକ ହେଲେ ଆଫଗାନିସ୍ଥାନ, ପାକିସ୍ଥାନ, ଚୀନ, ନେପାଳ, ଭୁଟାନ, ବଙ୍ଗଳାଦେଶ ଓ ବର୍ମା । ସେମାନଙ୍କ ମଧ୍ୟରୁ କେତୋଟି ଦେଶର ସମୁଦ୍ର ଉପକୂଳ ଆଦୌ ନାହିଁ । ଶ୍ରୀଲଙ୍କା ଓ ମାଳଦ୍ୱୀପ ଆମର ନିକଟତମ ଦରିଆପାରି ପଡୋଶୀ ରାଷ୍ଟ୍ର । ଶ୍ରୀଲଙ୍କା ଭାରତଠାରୁ ପକ୍ ପ୍ରଣାଳୀ ଦ୍ୱାରା ବିଚ୍ଛିନ୍ନ ହୋଇଛି ।

ରାଜନୀତିକ ଓ ପ୍ରଶାସନିକ ବିଭାଗ

ଭାରତ ଏକ ବିଶାଳ ଦେଶ । ପ୍ରଶାସନିକ ସୁବିଧା ପାଇଁ ଏହାକୁ ୨୮ ଟି ରାଜ୍ୟ ଓ ୭ ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି ଦିଲ୍ଲୀ ଭାରତର ରାଜଧାନୀ । ରାଜ୍ୟଗୁଡିକୁ ମୁଖ୍ୟତଃ ଭାଷା ଭିତ୍ତିରେ ଗଠନ କରାଯାଇଛି । କ୍ଷେତ୍ରଫଳ ଦୃଷ୍ଟିରୁ ରାଜସ୍ଥାନ ହେଉଛି ବୃହତ୍ତମ ରାଜ୍ୟ ଓ ଗୋଆ ହେଉଛି କ୍ଷୁଦ୍ରତମ ରାଜ୍ୟ ପ୍ରତ୍ୟେକ ରାଜ୍ୟକୁ କେତେଗୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ସପ୍ତମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Thursday, April 12, 2018

ଦାରିଦ୍ର୍ୟ ଓ ଛାତ୍ରଜୀବନ

ଗୋପବନ୍ଧୁ ଦାଶ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଓଡିଶାର ଅଧିକାଂଶ ଛାତ୍ର ଅତ୍ୟନ୍ତ ଦରିଦ୍ର । ତେଣୁ ଅନେକେ ଅଧାବାଟରୁ ପଢ଼ା ଛାଡ଼ି ଦେଇଥାଆନ୍ତି । ସେମାନଙ୍କ ସାହାଯ୍ୟ ନିମନ୍ତେ ସେପରି ପ୍ରଚୁର ବ୍ୟବସ୍ଥା ମଧ୍ୟ ନାହିଁ । ବ୍ରାହ୍ମଣ ସମିତି କରଣ ସମିତି ପ୍ରଭୃତି ଯେ ଦୁଇ ତିନୋଟି ସାମ୍ପ୍ରଦାୟିକ ଦଳଗତ ଉଦ୍ୟମ ଅଛି । ସେମାନଙ୍କ ଦ୍ୱାରା ଯଥାର୍ଥରେ ବିଶେଷ କିଛି କାର୍ଯ୍ୟ ହେଉଅଛି ବୋଲି କୁହାଯାଇ ନ ପାରେ । ସେମାନେ ଅତି ନିସ୍ତେଜ ଓ ନିର୍ଜୀବ ଅବସ୍ଥାରେ ନାମକୁ ମାତ୍ର ଅଛନ୍ତି । କୌଣସି ସ୍କୁଲରେ ଛାତ୍ରମାନଙ୍କ ଯତ୍ନ ଓ ଉଦ୍ୟମରେ ଦରିଦ୍ର ଛାତ୍ର ପାଣ୍ଠି (ପୁଅର ଫଣ୍ଡ) ଅଛି। ମାତ୍ର ତାହାର କୃତିତ୍ୱ କୌଣସି ଛାତ୍ର ଦଳ ବିଶେଷଙ୍କ ଉତ୍ସାହ ଓ ଅଧ୍ୟବସାୟର ଫଳ । ସ୍କୁଲରୁ ସେ ଛାତ୍ର ଦଳ ଚାଲିଗଲେ ପାଣ୍ଠି କ୍ରମେ କ୍ଷୀଣ ହୋଇ ଆସେ । ଏହା ଛଡ଼ା ବ୍ୟକ୍ତିବିଶେଷଙ୍କର ଦାନ ଦରିଦ୍ର ଛାତ୍ରମାନଙ୍କ ସାହାଯ୍ୟରେ ଅନ୍ୟତମ ଉପାୟ ।

ମାତ୍ର ଏଭଳି ଦାନ ମଧ୍ୟ ଓଡିଶାରେ ବଡ଼ ବେଶୀ ଦେଖାଯାଏ ନାହିଁ । କେତେକ ସଦାଶୟ ସହୃଦୟ ବ୍ୟକ୍ତିଙ୍କର ଏ କ୍ଷେତ୍ରରେ ଗୁପ୍ତ ଦାନ ଅଛି । ମାତ୍ର ପ୍ରୟୋଜନ ଦୃଷ୍ଟିରେ ଏହାର ପରିମାଣ ସ୍ୱଳ୍ପ । କଲିକତାରେ ଏବଂ ଅନ୍ୟାନ୍ୟ ସହରମାନଙ୍କରେ ଦେଖାଯାଏକେହି କେହି ଧନାଢ଼୍ୟ ବ୍ୟକ୍ତି ପଚାଶ ଶହେ ବା ତତୋଧିକ ପିଲାଙ୍କ ପାଇଁ ଖାଇବାର ବ୍ୟବସ୍ଥା କରି ଦେଇଅଛନ୍ତି । ଛାତ୍ରମାନେ ଯେ ଯାହାର ସ୍ୱତନ୍ତ୍ର ବସା କରିଅଛନ୍ତି । ନିର୍ଦ୍ଧିଷ୍ଟ ସମୟରେ ଆସି ଭୋଜନ କରିଯାଆନ୍ତି । ଏହିପରି ବ୍ୟବସ୍ଥା ନ ଥିଲେ ବଙ୍ଗଦେଶ ଆଜି ଯାହା ହୋଇଅଛି, ତାହା ହୋଇପାରିଥାନ୍ତା କି ?

ଦରିଦ୍ରତା ଯୋଗୁଁ ଓଡିଶାର ଛାତ୍ରମାନେ ହତାଶ ହେବା ଉଚିତ ନୁହେଁ । ସେମାନେ ବୋଧହୁଏ ଜାଣନ୍ତି ନାହିଁ, ମାନ୍ଦ୍ରାଜର ଅନେକ ଛାତ୍ର ସେହିମାନଙ୍କ ପରି ଦରିଦ୍ର ଅନେକେ ସେମାନଙ୍କୁ ବଳି ଦରିଦ୍ର । ମାନ୍ଦ୍ରାଜରେ ଏକ ଶ୍ରେଣୀର ଦରିଦ୍ର ଛାତ୍ର ଅଛନ୍ତି, ସେମାନଙ୍କୁ ମାଧୁକରି କହନ୍ତି । ସେମାନେ ଯେ ପ୍ରଣାଳୀରେ ନିଜର ଖାଦ୍ୟ ସଙ୍ଗ୍ରହ କରନ୍ତି, ସେହି ପ୍ରଣାଳୀରୁ ସେମାନଙ୍କର ଏପରି ନାମ ହୋଇଅଛି । ଏହି ଛାତ୍ରମାନେ ସମସ୍ତେ ପ୍ରାୟ ବ୍ରାହ୍ମଣ । ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଏମାନେ ଆପଣା ଖାଦ୍ୟ ସଙ୍ଗ୍ରହ କରିବା ନିମନ୍ତେ ଲୋକଙ୍କ ଦ୍ୱାରସ୍ଥ ହୁଅନ୍ତି । ବ୍ରାହ୍ମଣ ଭିନ୍ନ ଅନ୍ୟ କୌଣସି ବର୍ଣ୍ଣର ଦ୍ୱାରକୁ ଯାଆନ୍ତି ନାହିଁ । ଏମାନେ ଦ୍ୱାରସ୍ଥ ହେବା ମାତ୍ରେ ଗୃହସ୍ୱାମୀ ବା ତାଙ୍କ ଗୃହିଣୀ ଅତି ଆଗ୍ରହ ସହକାରେ ମୁହୂର୍ତ୍ତେ ମାତ୍ର କାଳ ବିଳମ୍ୱ ନ କରି ସେଦିନ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଅନ୍ନ ବ୍ୟଞ୍ଜନ ଆଣି ତାଙ୍କୁ ଦିଅନ୍ତି । ଇଂରାଜୀ ପଢ଼ନ୍ତୁ ବା ସଂସ୍କୃତ ପଢ଼ନ୍ତୁ ବ୍ରାହ୍ମଣ ଛାତ୍ର ଦାକ୍ଷିଣାତ୍ୟରେ ଗୃହସ୍ଥର ସବର୍ଦା ପୂଜ୍ୟ । ଗୃହୀ ପୂର୍ବେ ବ୍ରହ୍ମଚାରୀମାନଙ୍କ ପ୍ରତି ଯେ ଆଦର ଶ୍ରଦ୍ଧା ଦେଖାଉଥିଲେ ତହିଁରେ ସଂସ୍କାର ଅଦ୍ୟାପି ମାନ୍ଦ୍ରାଜରେ ପୂରା ମାତ୍ରାରେ ଦେଖାଯାଏ । ଛାତ୍ର ଏହି ପରି ଦୁଇ ଚାରି ଦ୍ୱାରରୁ ଦିନକ ଲାଗି ଯଥେଷ୍ଟ ଖାଦ୍ୟ ସଙ୍ଗ୍ରହ କରି ଫେରି ଆସନ୍ତି । ଏଥିରେ ତାଙ୍କର ବେଶି ସମୟ ନଷ୍ଟ ହୁଏନାହିଁ । କାରଣ ସେ ବେଳ ଜାଣି ଯାଆନ୍ତି ଏବଂ ସଙ୍ଗେ ସଙ୍ଗେ ବିଦା ହୋଇ ଆସନ୍ତି । ସଙ୍ଗୃହିତ ଖାଦ୍ୟରୁ ଏକ ବେଳା ଯାହା ଖାଇବାର ଖାଇ ଅବଶିଷ୍ଟ ଅନ୍ୟ ବେଳା ପାଇଁ ପଖାଳ ରଖି ଦିଅନ୍ତି ମଧୁକର ନାନା ଫୁଲରୁ ମଧୁ ସଙ୍ଗ୍ରହ କଲା ପରି ଏହି ଛାତ୍ରମାନେ ନାନା ଘରୁ ଖାଦ୍ୟ ସଙ୍ଗ୍ରହ କରିବା ଯୋଗୁଁ ଏମାନଙ୍କୁ ମାଧୁକରି କୁହାଯାଏ ।

ଓଡ଼ିଶାର ଛାତ୍ରମାନେ ଜାଣିଥିବେ କି ନାହିଁ କେଜାଣି ଦାକ୍ଷିଣାତ୍ୟର ଛାତ୍ରମାନେ ଅତ୍ୟନ୍ତ କଷ୍ଟସହିଷ୍ଣୁ ଏବଂ ମିତବ୍ୟୟୀ । ସେମାନଙ୍କ ମିତବ୍ୟୟ ଦେଖିଲେ କେହି କେହି ଦରିଦ୍ର ଓଡିଆଛାତ୍ର ତାଙ୍କୁ ଚୋଠା ବୋଲି ବ୍ୟଙ୍ଗ ବିଦୃପ କରିବା ଆଶ୍ଚର୍ଯ୍ୟ ନୁହେଁ । କେବଳ ଭାତ ଓ ଚାରୁପାଣି ହେଲେ ସେମାନଙ୍କର କାର୍ଯ୍ୟ ଚଳିଯାଏ । ସାମାନ୍ୟ ମୁଗ ଡ଼ାଲି ଟିକିଏ ବା ବାଇଗଣ କିମ୍ୱା ନଡ଼ିଆ ଚଟଣିଟାଏ ହେଲେ ସେମାନଙ୍କର ଖାଦ୍ୟରେ ଆଉ ବିଶେଷ କିଛି ଅଭାବ ରହେ ନାହିଁ । ଅତ୍ୟନ୍ତ ଆକ୍ଷେପର କଥା ଓଡ଼ିଶାର କେତେ ଦରିଦ୍ର ଛାତ୍ର ସ୍କୁଲ କଲେଜର ଛାତ୍ରବାସରେ କିମ୍ୱା ମେସରେ ରହି ସମୟେ ସମୟେ ବିଳାସିତା ଆଡ଼କୁ ଟିକିଏ ଢଳି ପଡ଼ନ୍ତି । ଘରେ ବାପ ଭାଇମାନେ କିପରି ଚଳୁଛନ୍ତି, ସେ କଥା ମନେ ପକାନ୍ତି ନାହିଁ । ଅପେକ୍ଷାକୃତ ସଙ୍ଗତିସମ୍ପନ୍ନ ଛାତ୍ରମାନଙ୍କ ସହବାସରେ ସେମାନେ ନିଜ ଅବସ୍ଥା ଭୁଲି ଯାଆନ୍ତି । ଏପରି ଦେଖାଯାଏ କୌଣସି କୌଣସି ଛାତ୍ର ଅନ୍ୟଠାରୁ ସାହାଯ୍ୟ ଆଣି ଯେପରି ପୋଷାକିରେ ଥାଆନ୍ତି କିମ୍ୱା ରହିବାକୁ ପ୍ରୟାସ କରନ୍ତି, ତାଙ୍କ ସାହାଯ୍ୟକାରୀ ସେପରି ଥାଆନ୍ତି କି ନାହିଁ, ସନ୍ଦେହ । ଅବଶ୍ୟ ବୟସ ଓ ବେଷ୍ଟନୀ ଦ୍ୱାରା ସେମାନେ କେତେକ ପରିମାଣରେ ପ୍ରଭାବିତ ହୁଅନ୍ତି । ମାତ୍ର ସେମାନଙ୍କର ମନେ ରଖିବା ଉଚିତ ଯେ ଦେଶରେ ତାଙ୍କରି ପରି ସହସ୍ର ସହସ୍ର ଦରିଦ୍ର ଛାତ୍ର ଅଭାବରେ ନିଷ୍ପେଷିତ ହୋଇ ଚିରଦିନ ଲାଗି ଜ୍ଞାନାଲୋକରୁ ବଞ୍ଚିତ ହୋଇ ରହିଅଛନ୍ତି । ସେମାନେ ସୌଭାଗ୍ୟବଶତଃ ପଢ଼ିବାର ଯେ ସୁଯୋଗ ପାଇଛନ୍ତିତାହା ହରାଇଲେ ଅକାରଣ ମନସ୍ତାପ ସାର ହେବ।

ଅଧ୍ୟୟନ କେବଳ ଛାତ୍ରମାନଙ୍କର ତପ । ଏହି ତପସ୍ୟା ସେମାନଙ୍କର "ମନ୍ତ୍ରଂ ବା ସାଧୟେତ୍ ଶରୀରଂ ବା ପାତୟେତ୍” ନୀତିହେବା ଉଚିତ । ଧନୀ ଛାତ୍ରମାନଙ୍କର ବିଳାସ ବିଭବ ଦେଖି ବିଚଳିତ ହେବା ସେମାନଙ୍କ ପକ୍ଷେ ସର୍ବଥା ଅକଲ୍ୟାଣକର । ଦରିଦ୍ର ଛାତ୍ରମାନଙ୍କ ମଧ୍ୟରେ ଅଧିକାଂଶ ଶକ୍ତିଶାଳୀ ଓ ବୁଦ୍ଧିମାନ୍ । ଏକଆଡ଼େ ଭଗବାନ ସେମାନଙ୍କୁ ଯେପରି ବଞ୍ଚିତ କରିଅଛନ୍ତି, ଅନ୍ୟଆଡ଼େ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସେହି ପରି ଧୀଶକ୍ତିସମ୍ପନ୍ନ କରି କ୍ଷତିପୂରଣ କରିଅଛନ୍ତି । ଅନେକ ସ୍ଥଳେ ଦେଖା ଯାଇଥାଏ, ଅଭାବ ଛାତ୍ରଙ୍କର ଶକ୍ତି ବିକାଶରେ ସହାୟ ହୋଇଥାଏ । ସେମାନେ ମ୍ରିୟମାଣ ନ ହୋଇ ଦୃଢ଼ ଈଶ୍ୱରବିଶ୍ୱାସ ସହକାରେ କାର୍ଯ୍ୟ କରନ୍ତି ଏବଂ ଅଭାବର ନିର୍ମମ କଠୋର କଷାଘାତରେ ସେମାନଙ୍କର ଚରିତ୍ର ସଙ୍ଗଠିତ ହୁଏ। ଆମ୍ଭେମାନେ ଓଡ଼ିଶାର ଅନେକ ଦରିଦ୍ର ଛାତ୍ରଙ୍କୁ ଅବସ୍ଥା ଦେଖିଅଛୁଁ ଏବଂ ବ୍ୟାକୁଳ ହୃଦୟରେ ନୀରବରେ ଆଖିରୁ ଲୁହ ବୁହାଉଅଛୁଁ । ଥରେ ଦିନ ଭିତରେ ଜଳଖିଆ କରିବାକୁ ପଇସାଏ ବା ଅଧଲାଏ ମିଳିଲେ ଏମାନଙ୍କୁ ସ୍ୱାସ୍ଥ୍ୟ ଯେ କେବଳ ଭଲ ରହନ୍ତା ତାହା ନୁହେଁ, ଏମାନେ ପଢ଼ାରେ ଅଧିକ ପରିଶ୍ରମ ଓ ଅଭିନିବେଶ କରି ପାରନ୍ତେ । ମାତ୍ର ଜୀବନରେ ଏ କାଠିନ୍ୟ ମଧ୍ୟରେ ଏହି ଶ୍ରେଣୀରେ ଛାତ୍ରମାନଙ୍କୁ ମଧ୍ୟରୁ କେହି କେହି ଚରିତ୍ରର ନୈଷ୍ଠିକତା ଅଭ୍ୟାସ କରିବାର ସୁଯୋଗ ପାଆନ୍ତି, ତାହା ସେମାନଙ୍କର ଭବିଷ୍ୟତ ମନୁଷ୍ୟତାର ସୁଦୃଢ଼ ଭିତ୍ତି ।

ଏକା ଭାରତ ବର୍ଷରେ ନୁହେଁ ପୃଥିବୀର ଅନ୍ୟାନ୍ୟ ସଭ୍ୟ ଦେଶରେ ମଧ୍ୟ ଜୀବନର ନାନା ବିଭାଗରେ ଯେଉଁମାନେ କୃତିତ୍ୱ ଦେଖାଇଛନ୍ତି, ସମାଜର ଯେଉଁମାନେ ପ୍ରଭୃତ କଲ୍ୟାଣ ସାଧନ କରିଅଛନ୍ତି, ନିଜର ପ୍ରତିଭା ଏବଂ ବୃଦ୍ଧି ଓ ଚରିତ୍ର ପ୍ରଭାବରେ ଯେଉଁମାନେ ମାନବ ସଭ୍ୟତାର ଉନ୍ନତି ବିଧାନ କରିଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଛାତ୍ରଜୀବନ ଘୋର ଅଭାବପ୍ରପୀଡ଼ିତ। ତେଣୁ ଆମ୍ଭମାନଙ୍କ ଦରିଦ୍ର ଛାତ୍ରଗଣ ହତାଶ ହେବାର କୌଣସି କାରଣ ନାହିଁ । ଆମ୍ଭମାନଙ୍କ ଦେଶ ଦରିଦ୍ର ଅର୍ଥାତ୍ ଏଦେଶ ଦରିଦ୍ରମାନଙ୍କର । ସୁତରାଂ ଶିକ୍ଷିତ ଦରିଦ୍ର ସନ୍ତାନଗଣ ଦେଶର ଅଭାବ ଆକାଂଶା ଯେପରି ବୁଝିପାରିବେ ଅନ୍ୟ କେହି ସେପରି ବୁଝିପାରିବେ ନାହିଁ । ଦରିଦ୍ର ଛାତ୍ରଗଣ ସବୁବେଳେ ଏହି ଦୃଢ଼ ବିଶ୍ୱାସରେ ଅନୁପ୍ରାଣିତ ହେବା ଉଚିତ ଯେ ସେହିମାନେ ହିଁ ଦେଶର ଭାବୀ ଭାଗ୍ୟବିଧାତା । ହୁଏତ ତ ଜୀବନଯାକ ସେମାନଙ୍କର ଅଭାବ ଲାଗି ରହିଥିବ କିନ୍ତୁ ଏହି ନିରବଚ୍ଛିନ୍ନ ଅଭାବ ମଧ୍ୟରେ ସେମାନଙ୍କୁ ସମାଜରେ ମହାଭାବର ପ୍ରତିଷ୍ଠା କରିବାକୁ ହେବ ।

ଏହି ପ୍ରସଙ୍ଗରେ ଅପେକ୍ଷାକୃତ ସଙ୍ଗତି ସମ୍ପନ୍ନ ଛାତ୍ରମାନଙ୍କୁ ଆମ୍ଭମାନଙ୍କର ଏହି ବକ୍ତବ୍ୟ ଯେ ଓଡିଶାର ଉତ୍କଟ ଦରିଦ୍ରତା ଦୃଷ୍ଟିରେ ସେମାନେ ଆପାଣକୁ ଧନିକ ସନ୍ତାନ ବୋଲି ମନେ କରିପାରନ୍ତି, ମାତ୍ର ଅନ୍ୟାନ୍ୟ ଦେଶ ପ୍ରଦେଶ ତୁଳନାରେ ସେମାନେ ନିଜ ନିଜ ଅବସ୍ଥାରେ ଅହଂକାର କରିବାର ବିଶେଷ କାରଣ ନାହିଁ । ନ ହେଲେ ଆଜି ସେମାନେ ବଡ଼ଲୋକର ପୁଅ ହୋଇଛନ୍ତି କିନ୍ତୁ ସେମାନଙ୍କର ବାପ ବଡ଼ ବାପମାନେ ଯେ ଦୀନ ଦରିଦ୍ର ଭାବରେ ବହୁ କଷ୍ଟ ସହି ଛାତ୍ରଜୀବନ କଟାଇଥିଲେ ଏବଂ ସେହିପରି କରିଥିଲେ ବୋଲି ତ ଆଜି ପୁଅ ନାତିମାନେ ଅପେକ୍ଷାକୃତ ଅଧିକ ସୁଖରେ ଅଛନ୍ତି । ସେମାନେ ଯେପରି ଦରିଦ୍ର ସହପାଠୀମାନଙ୍କୁ ଅବଜ୍ଞା ନ କରନ୍ତି । ପୂର୍ବେ ଭାରତର ଗୁରୁଗୃହରେ ଛାତ୍ରମାନଙ୍କ ମଧ୍ୟରେ ଧନୀ ଦରିଦ୍ର ଇତର ବିଶେଷ ନଥିଲା । ସମସ୍ତେ ସମାନ । ବିଦ୍ୟାଧ୍ୟୟନ ସଙ୍ଗେ ସଙ୍ଗେ ଭିକ ମାଗିବା ଗୋରୁ ଚରାଇବାଠାରୁ ଆରମ୍ଭ କରି ଆଶ୍ରମର ଯାବତୀୟ କାର୍ଯ୍ୟ ସମସ୍ତଙ୍କୁ ସମାନ ଭାବରେ କରିବାକୁ ପଡ଼ଥିଲା । ରାଜା ମହାରାଜ କୁମାରମାନେ ଦରିଦ୍ର ବ୍ରାହ୍ଣଣ ବାଳକମାନଙ୍କ ସେମାନଙ୍କ ଜୀବନର ପୂର୍ଣ୍ଣତା ଓ ଚରିତ୍ରର ସୌଷ୍ଠବ ସମ୍ପାଦିତ ହେଉଥିଲା । ଧନୀ ଛାତ୍ରଗଣ । ତୁମ୍ଭେମାନେ ଦରିଦ୍ର ସହପାଠୀମାନଙ୍କ ସଙ୍ଗେ ନ ମିଶିଲେ, ସେମାନଙ୍କ ପ୍ରାଣ ସଙ୍ଗେ ନିଜ ପ୍ରାଣ ନ ମିଳାଇଲେ ସେମାନଙ୍କ ଅଭାବରେ କାତର ନ ହେଲେ ଏବଂ ସେମାନଙ୍କ ସଙ୍ଗେ ସହାନୁଭୂତି ଦେଖାଇ ସମୟ ବିଶେଷରେ ନିଜର ସୁଖ ନ ଚାହିଁ ସେମାନଙ୍କ ଦୁଃଖ ନିର୍ଯ୍ୟାତନ ନିବାରଣ ପ୍ରୟାସ ନ କଲେ ତୁମ୍ଭମାନଙ୍କୁ ଶିକ୍ଷା ଅସମ୍ପୂର୍ଣ୍ଣ ରହିବ । ଭବିଷ୍ୟତରେ ତୁମ୍ଭେମାନେ ଏ ଦରିଦ୍ର ଦେଶକୁ ଯଥାର୍ଥରେ କେବେ ବୁଝିପାରିବ ନାହିଁ । ତୁମ୍ଭର ସଙ୍ଗତି ଅଛି ହୁଏ ତ ଶକ୍ତି ଅଛି... ଦେଶରେ ବଡ଼ଲୋକ ହେବ ସମାଜର ଅଧିନାୟକ ହେବ ମାତ୍ର ବିଦ୍ୟାଳୟରୁ ଦରିଦ୍ରତା ସଙ୍ଗେ ସହାନୁଭୂତି ଓ ସମପ୍ରାଣତା ଅଭ୍ୟାସ ନ କଲେ ତୁମ୍ଭ ହୃଦୟରେ ଭାବ ସହଜରେ ଅଙ୍କିତ ହୋଇପାରିବ । ମନେ ରଖ ଏ ଜଗତ ଧନୀ ଦରିଦ୍ର ଉଭୟଙ୍କର କିମ୍ୱା ଟଣାଟଣି ଲାଗିଲେ ଅଧିକ ଭାବ ଦରିଦ୍ରଙ୍କର ସିନା ଧନୀଙ୍କର ନୁହେଁ । ଏକା ଏହି ଜଗତ କାହିଁକି ସ୍ୱର୍ଗ ରାଜ୍ୟରେ ମଧ୍ୟ ସେମାନଙ୍କ ଅଂଶ ଓ ଅଧିକାର ଅଧିକ ।

(ସତ୍ୟବାଦୀ୪ର୍ଥ ଖଣ୍ଡ, ପ୍ରଥମ, ଦ୍ୱିତୀୟ ଓ ୩ୟ ସଂଖ୍ୟା)-୧୯୧୮)

Tuesday, April 10, 2018

ପିଲାଙ୍କ ପାଇଁ ପହେଳି - ୮

ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପହେଳି - ଅମଞ୍ଜ ମଞ୍ଜା, 
ମଞ୍ଜି ନାହିଁ ତା'ର ପତ୍ରରୁ ଗଜା ।
ଉତ୍ତର - ଅମରପୋଇ

ପହେଳି - ଅରଟ ଚଢ଼େଇ ବରଡ଼ ପକ୍ଷୀ
କେଉଁ ଚଢ଼େଇର ତିନୋଟି ଆଖି ।
ଉତ୍ତର - ନଡ଼ିଆ

ପହେଳି - ଅଳପ ଜାଣେ ବହୁ ବଖାଣେ
ମରିବା ଜୀଇବା ଦୁଇ ନ ଜାଣେ ।
ଉତ୍ତର - ଜ୍ୟୋତିଷ

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

Sunday, April 08, 2018

ଭାରତର ଅବସ୍ଥିତି

ଅନୁବାଦ - ବିଶ୍ୱଜିତ ଆପଟ


୧୯୫୧ ମସିହାର ଭାରତର ମାନଟିତ୍ର (ୱିକିପିଡ଼ିଆ କମନ୍ସ୍)


ଭାରତ ଏକ ବିଶାଳ ଦେଶ । ଉତ୍ତରରେ ଏହାକୁ ସୁଉଚ୍ଚ ହିମାଳୟ ଘେରି ରହିଛି । ପଶ୍ଚିମରେ ଆରବ ସାଗର, ପୂର୍ବରେ ବଙ୍ଗୋପସାଗର ଓ ଦକ୍ଷିଣରେ ଭାରତ ମହାସାଗର ଭାରତୀୟ ଉପଦ୍ୱୀପର ତଟ ଧୌତ କରୁଛନ୍ତି ।

ଭାରତର ସମୁଦାୟ କ୍ଷେତ୍ରଫଳ ୩.୨୮ ନିୟୁତ ବର୍ଗ କିଲୋମିଟର । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ଏହାର ଉତ୍ତର-ଦକ୍ଷିଣ ବିସ୍ତାର ପ୍ରାୟ ୩୨୦୦ କିଲୋମିଟର । ଅରୁଣାଚଳ ପ୍ରଦେଶ ଠାରୁ କଚ୍ଛ ପର୍ଯ୍ୟନ୍ତ ପୂର୍ବ-ପଶ୍ଚିମ ଦୂରତା ପ୍ରାୟ ୨୯୦୦ କିଲୋମିଟର । ସୁଉଚ୍ଚ ହିମାଳୟ, ବୃହତ୍ ଭାରତୀୟ ମରୁଭୂମି, ଉତ୍ତରସ୍ଥ ସମତଳ ଭୂମି, ଅସମାନ ମାଳ ଅଞ୍ଚଳ, ସମୁଦ୍ର ତଟ ଓ ଦ୍ୱୀପ ଆଦି ଭାରତର ଭୂମିରୂପରେ ବିବିଧତା ଆଣିଥାଆନ୍ତି । ଜଳବାୟୁ, ବୃକ୍ଷଲତା, ଜୀବଜନ୍ତୁ ଏବଂ ଲୋକଙ୍କ ଭାଷା ଓ ସଂସ୍କୃତିରେ ମଧ୍ୟ ଅନେକ ବିବିଧତା ଦେଖାଯାଏ । ତେବେ ବିବିଧତା ମଧ୍ୟରେ ଏକତା ଆମ ଦେଶର ବିଶେଷତ୍ୱ । ଭାରତୀୟ ପରମ୍ପରା ହିଁ ଆମକୁ ଏକ ଜାତି ଭାବେ ବାନ୍ଧିରଖିଛି । ୨୦୧୧ ମସିହା ପରଠାରୁ ଭାରତର ଜନସଙ୍ଖ୍ୟା ଶହେ କୋଡ଼ିଏ କୋଟିରୁ ଅଧିକ । ଚୀନ୍ ପଛକୁ ଭାରତ ପୃଥିବୀର ଦ୍ୱିତୀୟ ଜନବହୁଳ ଦେଶ

ଅବସ୍ଥିତି

ଭାରତ ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । କର୍କଟକ୍ରାନ୍ତି (୨୩°୩୦' .) ଏହାର ମଧ୍ୟଭାଗ ଦେଇ ଯାଇଛି (ଚିତ୍ର କ୍ରମାଙ୍କ ୭.) । ଭାରତର ମୁଖ୍ୟ ଭୂଭାଗ ଉତ୍ତରରୁ ଦକ୍ଷିଣକୁ ୮°'. ଓ ୩୭°'. ଅକ୍ଷାଂଶ ମଧ୍ୟରେ ବିସ୍ତୃତ । ପଶ୍ଚିମରୁ ପୂର୍ବକୁ ଭାରତ ୬୮°'ପୂ. ରୁ ୯୭°୨୫'ପୂ. ଅକ୍ଷାଂଶ ମଧ୍ୟରେ ବିସ୍ତୃତ । ପୃଥିବୀକୁ ଆମେ ଯଦି ପୂର୍ବ ଓ ପଶ୍ଚିମ ଗୋଲାର୍ଦ୍ଧରେ ବିଭକ୍ତ କରିଦେବା ଭାରତ କେଉଁ ଗୋଲାର୍ଦ୍ଧରେ ରହିବ ? ଆମ ଦେଶର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ମଧ୍ୟରେ ଦ୍ରାଘିମାଗତ ଦୂରତା ପ୍ରାୟ ୨୯°ରୁ ଅଧିକ । ତେଣୁ ପୂର୍ବ ଓ ପଶ୍ଚିମ ପ୍ରାନ୍ତର ସ୍ଥାନୀୟ ସମୟରେ ପ୍ରାୟ ଦୁଇ ଘଣ୍ଟା ପାର୍ଥକ୍ୟ ଦେଖାଯାଏ । ଆମେ ପୂର୍ବ ପାଠରେ ପଢିଛେ ଯେ, ପ୍ରତି ଏକ ଡିଗ୍ରୀ ଦ୍ରାଘିମା ପରିବର୍ତ୍ତନ ପାଇଁ ୪ ମିନିଟ ସମୟରେ ପାର୍ଥକ୍ୟ ଆସିଯାଏ । ଏଥିପାଇଁ ଅରୁଣାଚଳ ପ୍ରଦେଶରେ ଗୁଜୁରାଟ ତୁଳନାରେ ଦୁଇ ଘଣ୍ଟା ଆଗରୁ ସୂର୍ଯ୍ୟୋଦୟ ହୋଇଥାଏ । ୮୨° ୩୦' ପୂ. ଦ୍ରାଘିମାର ସ୍ଥାନୀୟ ସମୟକୁ କାହିଁକି ଆମ ଦେଶର ପ୍ରମାଣ ସମୟ ରୂପେ ନିଆଯାଇଛି ତାହା ତୁମେ ପଢ଼ିଛ । ଏହି ଦ୍ରାଘିମା ରେଖାକୁ ଭାରତର ପ୍ରମାଣ ଦ୍ରାଘିମା ରେଖା ମଧ୍ୟ କୁହାଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ସପ୍ତମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Friday, April 06, 2018


ପ୍ରାଦେଶିକ ଭାଷା ସାହାଯ୍ୟରେ ଉଚ୍ଚଶିକ୍ଷା


ଗୋପବନ୍ଧୁ ଦାଶ


୧୯୦୫ ମସିହାରେ ଉତ୍ତୋଳିତ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର ସିନେଟ ହାଉସର ଚିତ୍ର
(ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯେ କୌଣସି ଜାତିର ଶିକ୍ଷା ସେହି ଜାତିର ନିଜ ଭାଷାରେ ନ ହେବା ଯାଏ ତାହା ଜାତୀୟ ଶିକ୍ଷା ନୁହେଁ । ଭାଷା ଭାବ ପ୍ରକାଶର ଉପାୟ ମାତ୍ର ସତ କିନ୍ତୁ ଯେଉଁ ଭାଷା ମନୁଷ୍ୟର ନିଜ ଭାଷା ଯେଉଁ ଭାଷାର ବେଷ୍ଟନୀ ମଧ୍ୟରେ ସେ ଜନ୍ମଦିନୁ ଲାଳିତ ପାଳିତ ସେ ଭାଷାରେ ଭାବ ଯେପରି ସୁବୋଧ୍ୟ ହୁଏ ଅନ୍ୟ ଭାଷାରେ ସେପରି ହୁଏ ନାହିଁ । ଇଂରାଜୀ ଶିକ୍ଷା ଏ ଦେଶରେ ବହୁ ଦିନ ହେଲା ଚଳିଲାଣି । ଦେଶୀୟ ଲୋକଙ୍କ ମଧ୍ୟରୁ ଅନେକେ ଇଂରାଜୀରେ ବ୍ୟୁତ୍‌ପନ୍ନ ପଣ୍ଡିତ ହୋଇ ଅଛନ୍ତି, ବଡ଼ବଡ଼ ଗ୍ରନ୍ଥ ଲେଖୁଅଛନ୍ତି, ବକ୍ତୃତା ଦେଉଅଛନ୍ତି, ଦୈନିକ ଖବର ଚଳାଉଛନ୍ତି ମାତ୍ର ନିଜ ମାତୃଭାଷା କହିଲାବେଳେ ଯେତେ ସହଜ ଓ ସ୍ୱଚ୍ଛନ୍ଦ ଲାଗେ ଇଂରାଜୀ କହିଲାବେଳେ ସେପରି ବୋଧ କରନ୍ତି କି ? ଆମ୍ଭେମାନେ କୌଣସି ବିଦେଶୀୟ ଭାଷା ଲେଖିଲା ବେଳେ ବା କହିବା ବେଳେ ସଙ୍ଗେ ସଙ୍ଗେ ମନେ ମନେ ସେହି ଭାଷାରେ ମାତୃଭାଷାର ଅନୁବାଦ କରିଥାଉ । ଅବଶ୍ୟ ଯେଉଁମାନେ ଅତି ଶୈଶବ କାଳରୁ ବୈଦେଶିକ ଭାଷାବେଷ୍ଟନୀ ମଧ୍ୟରେ ବଢ଼ିଛନ୍ତି ସେମାନଙ୍କ କଥା ସ୍ୱତନ୍ତ୍ର । ଇଂରାଜୀ ବର୍ଣ୍ଣପରିଚୟଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଉଚ୍ଚ ଉପାଧି ପର୍ଯ୍ୟନ୍ତ ଯେଉଁମାନେ ପଢ଼ୁଅଛନ୍ତି ଅନେକେ ବଳବୟସ ବ୍ୟୟ କରି କେବଳ ଇଂରାଜୀ ଭାଷା ଶିଖୁଅଛନ୍ତି କହିଲେ ଚଳେ। ବହୁତ ଗୁଡିଏ ଇଚ୍ଚ ଶ୍ରେଣୀର ଗ୍ରନ୍ଥ ପଢ଼ନ୍ତି ସତ ମାତ୍ର ସେ ସବୁର ଭାବରାଶି ସମ୍ପୂର୍ଣ୍ଣ ରୂପେ ସେମାନଙ୍କର ନିଜସ୍ୱ ହୋଇପାରେ ନାହିଁ । ଏହି କାରଣରୁ ବିଲାତ ବିଶ୍ୱବିଦ୍ୟାଳୟ ବି.. ଉପାଧିଧାରୀମାନେ ଭାରତରେ ବି.ଏ. ଏମ.ଏ. ଉପାଧିଧାରୀମାନଙ୍କର ଅଧ୍ୟାପକ ହୋଇପାରୁଛନ୍ତି ଏବଂ ଭାରତୀୟ ଉପାଧିଧାରୀମାନେ ଅନ୍ୟାନ୍ୟ ଦେଶର ଉପାଧିଧାରୀମାନଙ୍କ ସଙ୍ଗେ ସମକକ୍ଷ ହୋଇପାରୁ ନାହାନ୍ତି - ବିଶ୍ୱବିଦ୍ୟାଳୟ କମିଶନ ବସୁ, ଛାତ୍ରବାସ ସହ କଲେଜ ବ୍ୟବସ୍ଥା ହେଉ ବା ଆଉ ଯାହା କିଛି ହେଉ । ବିଦେଶୀୟ ଭାଷା ଆୟତ୍ତ କରିବାରେ ଭାରତୀୟ ଛାତ୍ରମାନଙ୍କର ଯେତେ ଦିନ ଏହି ପରି ରକ୍ତମାଂସ କ୍ଷୟ ହେଉଥିବ, ସେତେ ଦିନ ଯାଏ ଏ ଦେଶରେ ଉଚ୍ଚଶିକ୍ଷାର ଆଶାନୁରୂପ ଫଳ କଦାପି ଦେଖାଯିବ ନାହିଁ ।

ସ୍କୁଲ କଲେଜରେ ଅଧିକାଂଶ ଛାତ୍ରଙ୍କଠାରୁ ଶୁଣାଯାଏ, ଇଂରାଜୀରେ ପାସ୍ କଲେ ପାସ୍ କରିଯିବି । ଅଥଚ ଅନ୍ୟାନ୍ୟ ବିଷୟ ଅପେକ୍ଷା ଇଂରାଜୀରେ ପ୍ରାୟ ସମସ୍ତ ଛାତ୍ର ଅଧିକ ମନଧ୍ୟାନ ଦେଇଥାଆନ୍ତି । ଇଂରାଜୀରେ କେହି ସୁନ୍ଦର ଦୁଇ କଥା କହିଲେ ବା ଲେଖିଲେ ଶିକ୍ଷିତ ସମାଜରେ ତାଙ୍କର ଅତ୍ୟଧିକ ଖାତିର ହୋଇଥାଏ । ମୋଟ କଥା ଆମ୍ଭେମାନେ ଭାବ ଛାଡ଼ି ଭାଷାରେ ସମସ୍ତ ଶକ୍ତି ଅପଚୟ କରୁଅଛୁ । ନ କରି ଗତି କାହିଁ ?
ଭାରତୀୟ ଛାତ୍ରମାନଙ୍କର ଏହି ଦୁର୍ଗତିକି ଲକ୍ଷ୍ୟ କରି ଭାରତ ବଡ଼ଲାଟ ଲର୍ଡ ଚେମସ୍‌ଫୋର୍ଡ ଶିକ୍ଷା ବିଭାଗୀୟ ଡ଼ାଇରେକ୍‌ଟରମାନଙ୍କ ସମ୍ମିଳନୀରେ କହିଥିଲେ ବିଦେଶୀୟ ଭାଷା ସାହାଯ୍ୟରେ ଭାରତୀୟ ଛାତ୍ରମାନେ ଅତି ସୁକଠିନ ଗଭୀର ବିଷୟମାନଙ୍କର ଆଲୋଚନା କରନ୍ତି ଏବଂ ଅନେକ ସ୍ଥଳେ ସେହି ଭାଷାରେ ସେମାନଙ୍କର ସମୁଚିତ ଜ୍ଞାନ ଅଭାବରୁ ସମଗ୍ର ପାଠ୍ୟପୁସ୍ତକକୁ ଆମ୍ଭେମାନେ ତୀବ୍ର ଭାବରେ ସମାଲୋଚନା କରିଥାଉଁ । ମାତ୍ର ମୁଁ ମନେକରେ ଭାରତୀୟ ଛାତ୍ରମାନେ ଜ୍ଞାନ ଅନୁଶୀଳନୀ ଛାଡ଼ି ନ ଦେଇ ବୁଝି ନ ବୁଝି ସମଗ୍ର ପୃଷ୍ଠା ଏବଂ ସମଗ୍ର ପୁସ୍ତକ ମାନ ଯେ ମୁଖସ୍ଥ କରନ୍ତି ଏହା ସେମାନଙ୍କର ଧୈର୍ଯ୍ୟ ଓ ଉତ୍ସାହ ପକ୍ଷେ ଅତ୍ୟନ୍ତ ପ୍ରଶଂସାର ବିଷୟ । ମାତ୍ର ଏହା ଯେ ଶିକ୍ଷାର ବିକୃତି ଏଥିରେ କୌଣସି ସନ୍ଦେହ ନାହିଁ ।"

ବାସ୍ତବିକ ଏହି ବିଦେଶୀୟ ଭାଷା ସାହାଯ୍ୟରେ ଶିକ୍ଷାଲାଭ କରିବା ଦ୍ୱାରା ଆମ୍ଭମାନଙ୍କର ବୁଦ୍ଧିବୃତ୍ତି ଯେ କେବଳ ଅପଚିତ ହେଉଅଛି, ତାହା ନୁହେଁ, ଶାରୀରିକ ଶକ୍ତି, ସ୍ୱାସ୍ଥ୍ୟ ଏବଂ ସମୟ ବିସ୍ତର ନଷ୍ଟ ହେଉଅଛି ।

ବିଶ୍ୱବିଦ୍ୟାଳୟର ଉଚ୍ଚତମ ଶିକ୍ଷା ଦେଶୀୟ ଭାଷା ସାହାଯ୍ୟରେ ଦିଆଯିବା ଭାରତୀୟ ଶିକ୍ଷାନୀତିର ଲକ୍ଷ୍ୟ ହେବା ଉଚିତ । ଏକାଦିନକେ ଏ ଲକ୍ଷ୍ୟ ସାଧିତ ହେବ ବୋଲି କେହି କହୁ ନାହିଁ । ପ୍ରାଦେଶିକ ଭାଷାରେ ଉପଯୁକ୍ତ ପୁସ୍ତକର ଅଭାବ ଏଥିରେ ପ୍ରଧାନ ଅନ୍ତରାୟ । ମାତ୍ର ଲକ୍ଷ୍ୟ ଗୃହୀତ ହେଲେ ଏବଂ ଏହାର ସାଧନ ନିମନ୍ତେ ସରକାରଙ୍କର ତଥା ଦେଶର ଶିକ୍ଷିତ ସାଧାରଣଙ୍କର ଯତ୍ନ ହେଲେ ଏ ବାଧା ଅତିକ୍ରମ କରିବାକୁ ବେଶି ଦିନ ଲାଗିବ ନାହିଁ । ଜାପାନ ତାହାର ଆଧୁନିକ ଜ୍ଞାନ ସକଳ ପାଶ୍ଚାତ୍ୟ ଦେଶମାନଙ୍କଠାରେ ଗ୍ରହଣ କରିଅଛି ତ ? ମାତ୍ର ଏହି ଅଳ୍ପ କେତେ ବର୍ଷ ମଧ୍ୟରେ ସେ ସବୁ ଜାପାନର ନିଜସ୍ୱ ହୋଇଯାଇଅଛି ଜାପାନର ବାଳକ ବାଳିକାମାନେ ସେ ସବୁକୁ ନିଜ ଘର ଜିନିଷ ପରି ଅତି ଅନାୟାସରେ ଗ୍ରହଣ କରୁଅଛନ୍ତି, ପିଲାଦିନୁ ବାପମାଆଙ୍କଠାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଠାରୁ ନିଜ ଘର ଭାଷାରେ ଅବଲୀଳାକ୍ରମେ ଶିଖି ଯାଉଅଛନ୍ତି । ଇଂରାଜୀ ଭାଷା ଯେଉଁ ଦିନୁ ଏ ଦେଶର ଶିକ୍ଷାବିଭାଗରେ ଚଳିଲାଣି, ଏହି ଲକ୍ଷ୍ୟରେ କାର୍ଯ୍ୟ ହୋଇଥିଲେ ଦେଶୀୟ ଭାଷାମାନଙ୍କରେ ଆଜି ପୁସ୍ତକର ଅଭାବ ନ ଥାଆନ୍ତା । ଉତ୍କୃଷ୍ଟ ଇଂରାଜୀ ପୁସ୍ତକମାନଙ୍କର ଅନୁବାଦ ହୋଇ ସାରନ୍ତାଣି । ମାତ୍ର ଇଂରାଜୀ ସାହାଯ୍ୟରେ ଶିକ୍ଷା ବରାବର ଚାଲିଲେ ଦେଶୀୟ ଭାଷାମାନଙ୍କର ଏ ସୌଭାଗ୍ୟ କଦାପି ଘଟିବ ନାହିଁ । ଅବଶ୍ୟ କେହି କେହି ସାହିତ୍ୟାନୁରାଗୀ ଇଂରାଜୀ ଭାଷାର ପୁସ୍ତକ ଖଣ୍ଡେ ଖଣ୍ଡେ ନିଜ ଭାଷାରେ ଅନୁବାଦ କରୁଅଛନ୍ତି ବା ଇଂରାଜୀ ଭାବ ଅବଲମ୍ୱନରେ ନିଜ ଭାଷାରେ ନୂତନ ପୁସ୍ତକ ଲେଖୁଅଛନ୍ତି । ସେମାନଙ୍କ ସଙ୍ଖ୍ୟା କେତେ ? ଅନ୍ୟ ପ୍ରେରଣା ଥିଲେ ଅଧିକ ସଙ୍ଖ୍ୟକ ଶିକ୍ଷତ ବ୍ୟକ୍ତି ଏ ଦିଗରେ ଉଦ୍ୟମ କରୁଥାଆନ୍ତେ ।

ଇଂରାଜୀରେ ଶିକ୍ଷା ଦେବାର ଉଦ୍ଦେଶ୍ୟ ସରକାରୀ ଚାକିରି ଲାଗି ଲୋକ ପ୍ରସ୍ତୁତ କରିବା। ସମସ୍ତଙ୍କର ଇଂରାଜୀ ପଢ଼ିବାର ଅବସ୍ଥା ନାହିଁ, ତେଣୁ ଯେଉଁମାନେ ପଢ଼ୁଅଛନ୍ତି, ସାଧାରଣଙ୍କଠାରୁ ସେମାନଙ୍କର କିଛି ବିଶେଷତ୍ୱ ଅଛି ବୋଲି ସେମାନେ ମନେ କରନ୍ତି ଏବଂ ସେହି ଚାକିରି ଛଡା ଅନ୍ୟ କୌଣସି ଉଦ୍ଦେଶ୍ୟ ସେମାନଙ୍କର ନ ଥାଏ ପ୍ରାଦେଶିକ ଭାଷାରେ ଶିକ୍ଷା ଦିଆଗଲେ ଉଚ୍ଚଶିକ୍ଷା ପରିସର ବଢ଼ିବ । ବିଶ୍ୱବିଦ୍ୟାଳୟ ଶିକ୍ଷା ଶେଷ କଲାପରେ ଶିକ୍ଷିତ ଯୁବକମାନଙ୍କର ନୂତନ ବିଷୟର ଆଲୋଚନା ଓ ଅନୁସନ୍ଧାନ ଲାଗି ନିଜ ଭାଷାର ସମୃଦ୍ଧି ବିଧାନ ଲାଗି ଯଥେଷ୍ଟ ଶକ୍ତି ଏବଂ ଉତ୍ସାହ ଥିବ । ପାଶ୍ଚାତ୍ୟ ରାଜ୍ୟରେ ବିଶ୍ୱବିଦ୍ୟାଳୟରୁ ବାହାରିବା ପରେ ପ୍ରକୃତ ଜ୍ଞାନ ଆଲୋଚନା ଆରମ୍ଭ ହୁଏ । ମାତ୍ର ଆମ୍ଭମାନଙ୍କର ଦେଶରେ କଲେଜରୁ ବାହାରିବା ସଙ୍ଗେ ସଙ୍ଗେ ପୋଥି ବନ୍ଧା ହୁଏ । ଏହାର କାରଣ ବିଦେଶୀୟ ଭାଷାର ଅସୁବିଧା ହେତୁ କଲେଜରେ ଆମ୍ଭମାନଙ୍କର ସମସ୍ତ ଶକ୍ତି ନିଃଶେଷ ହୋଇଥାଏ, ଥାଏ କେବଳ ଚାକିରିର ତୃଷ୍ଣା ଏବଂ ବିଶ୍ୱବିଦ୍ୟାଳୟର ଉପାଧି ସଙ୍ଗେ ସଙ୍ଗେ ଶରୀରରେ କିଛି ଗୋଟାଏ ବ୍ୟାଧି ।

ନିଜ ଭାଷାରେ ଉନ୍ନତ ଜ୍ଞାନ ଲାଭ କଲା ପରେ ବିଦେଶୀୟ ଭାଷା ପଢ଼ି ଭାବ ଅବରୋଧ କରିବା ଅପେକ୍ଷାକୃତ ସହଜ । ମାନବର ମନୋବୃତ୍ତି ବିକାଶ ନିମନ୍ତେ ଜ୍ଞାନଲାଭର ଏହା ହିଁ ନୈସର୍ଗିକ ପନ୍ଥା । ଯେକୌଣସି ଆଡ଼ୁ ଦେଖିଲେ ଶିକ୍ଷା କାର୍ଯ୍ୟରେ ମାତୃଭାଷାର ପ୍ରୟୋଜନୀୟତା ସୁସ୍ପଷ୍ଟ ହେବ। ଏହା ଅବଶ୍ୟ ଏକ ଗୁରୁତର ସମସ୍ୟା । ଏହାର ସୁମୀମାଂସା ଉପରେ ଭାରତର ଭବିଷ୍ୟତ ନିର୍ଭର କରେ। ମାତ୍ର ଭାରାତୀୟ ଯୁବକମାନଙ୍କ ସ୍ୱାସ୍ଥ୍ୟ, ଶାନ୍ତି, ସ୍ୱାଧୀନ ଚିନ୍ତା ନିମନ୍ତେ ଶକ୍ତି ଓ ଉତ୍ସାହ ସମ୍ପାଦନ ଲାଗି ଦେଶୀୟ ଭାଷା ସାହାଯ୍ୟରେ ଉଚ୍ଚଶିକ୍ଷା ଦିଆଯିବା ଯେ ଆବଶ୍ୟକ, ଏହା କଦାପି ଅସ୍ୱୀକାର କରାଯାଇ ନ ପାରେ ।

(ସତ୍ୟବାଦୀ, ୩ୟ ଖଣ୍ଡ, ୫ମ ଓ ୬ଷ୍ଠ ସଂଖ୍ୟା-୧୯୧୮)