Wednesday, October 31, 2018

କେନ୍ଦୁଝରର ପିଲାଙ୍କ ଖେଳ କଉତୁକ ଗୀତ -  'ଆପଟ ବାପଟ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ଫ୍ଲୋରୋସିଲାସ୍'
ଚିତ୍ରକର - ଇଉଜେନିଓ କୃଜ୍ ଭାର୍ଗାସ୍ (୧୯୨୩ - ୨୦୧୪)

ଆପଟ ବାପଟ କାନ ମଡ଼କା
ଇସିକି ନାଗର ଦହି ତୋଡ଼କା
ରାଇ ରଙ୍ଗ ଫିରିକି ଫୁଲ
ବାପ କହିଲେ ଏଇଟି ଚୋର ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, October 29, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର


'ଛାତ୍ରମାନେ କଅଣ କରିବେ' - ୩


୧୯୩୦ ଦଶକର ବଜାର କଳାକୃତି (ୱିକିମିଡ଼ିଆ କମନ୍ସ୍)

ସବୁଠାରୁ ସହଜ କାର୍ଯ୍ୟ

ଖଦୀ ବ୍ୟତୀତ ଆଉ କିଛି ବ୍ୟବହାର କରିବେ ନାହିଁ ଏହି ସିଦ୍ଧାନ୍ତ ଶେଷ ଥର ପାଇଁ କରିବା ଆପଣମାନଙ୍କ ପକ୍ଷରେ ଦୁନିଆରେ ସବୁଠାରୁ ସହଜ କାର୍ଯ୍ୟ ହେବ । କାରଣ ଯେଉଁମାନେ ସବୁଠାରୁ ବେଶୀ ଅଭାବଗ୍ରସ୍ତ, ସେମାନଙ୍କ ହାତରେ କାର୍ଯ୍ୟ ହେବ, କାରଣ ଯେଉଁମାନେ ସବୁଠାରୁ ବେଶୀ ଅଭାବଗ୍ରସ୍ତ ସେମାନଙ୍କ ହାତରେ ଏହା ଦୁଇ ପଇସା ଦେବ ମୁଁ ଶୁଣୁଛି ଯେ, କେବଳ ଏହି ଗୋଟିଏ ଅନୁଷ୍ଠାନରେ ଆପଣମାନେ ୧୪୦୦ ଜଣ ଅଛନ୍ତି । ଏହି ଚଉଦ ଶହ ଜଣ ଯଦି ପ୍ରତିଦିନ ଅଧ ଘଣ୍ଟା ଲେଖାଏଁ ସୂତା କାଟନ୍ତି, ସେମାନେ ଦେଶର ସମ୍ପଦ ବସ୍ତତଃ କେତେ ଚଢ଼ାଇ ପାରିବେ ତାହା ବିଚାର କରନ୍ତୁ । ତଥାକଥିତ ଅସ୍ପୃଶ୍ୟମାନଙ୍କ ପାଇଁ ଏହି ଚଉଦଶହ ଛାତ୍ର କଣ କରିପାରିବେ ଭାବି ଦେଖନ୍ତୁ । 

ଯଦି ଏହି ଚଉଦଶହ ଯୁବକ ବାଲ୍ୟ ବିବାହ ସହିତ କୌଣସି ପ୍ରକାରର ସମ୍ପର୍କ ନ ରଖିବାକୁ ଦୃଢ଼ ସଂକଳ୍ପ କରନ୍ତି, ତେବେ ଆପଣମାନଙ୍କର ପାରିପାର୍ଶ୍ୱିକ ସମାଜରେ କେଡ଼େ ବଡ଼ ସଂସ୍କାର ଆଣି ପାରିବେ ତାହା କଳ୍ପନା କରନ୍ତୁ । ଯଦି ଏହି ଚଉଦଶହ ଜଣ ବା ଏଥି ମଧ୍ୟରୁ ଉଲ୍ଲେଖଯୋଗ୍ୟ ସଙ୍ଖ୍ୟାର ଛାତ୍ର ସେମାନଙ୍କର ଅବସର ସମୟରେ କିମ୍ୱା ରବିବାରର ଆଂଶିକ ସମୟ ମଦ୍ୟାସକ୍ତ ଲୋକମାନଙ୍କ ପାଖକୁ ଯାଇ ଯଥାସମ୍ଭବ ମୃଦୁ ମେଳାପୀ ଭାବରେ ସେମାନଙ୍କ ସହ ବ୍ୟବହାର କରି ସେମାନଙ୍କ ହୃଦୟ ଅଧିକାର କରି ପାରିବେତେବେ ଆପଣମାନେ ସେମାନଙ୍କର ଓ ଦେଶର କେଡ଼େ ସେବା କରିପାରିବେ ଅନୁମାନ କରନ୍ତୁ । ବର୍ତ୍ତମାନ ପ୍ରଚଳିତ ଦୋଷଯୁକ୍ତ ଶିକ୍ଷାପ୍ରଣାଳୀ ସତ୍ୱେ ଆପଣମାନେ ଏହା କରି ପାରିବେ । ଏଥି ପାଇଁ ଆପଣମାନଙ୍କୁ ବେଶି କିଛି କରିବାକୁ ପଡ଼ିବ ନାହିଁ । କେବଳ ନିଜର ହୃଦୟ ପରିବର୍ତ୍ତନ କଲେ କିମ୍ୱା ରାଜନୀତିକ ଜଗତରେ ପ୍ରଚଳିତ ଭାଷାରେ କହିବାକୁ ଗଲେ “ଦୃଷ୍ଟିକୋଣ ବଦଳାଇଲେ,” ଏହା ହୋଇ ପାରିବ ।

ଗମ୍ଭୀର ପରିସ୍ଥିତି

ଯେଉଁ ଗମ୍ଭୀର ପରିସ୍ଥିତିରେ ଆମ୍ଭେମାନେ ଆଜି ସନ୍ଧ୍ୟାରେ ଏଠାରେ ଏକତ୍ର ହୋଇ ଅଛୁଁ ଏବଂ ଯେଉଁ ସନ୍ଦର୍ଭରେ ମୋର ବକ୍ତୃତା ମୁଁ ଆରମ୍ଭ କଲି, ତାକୁ ଯଦି ଆପଣମାନେ ବିଚାର କରନ୍ତି, ତେବେ ଆପଣମାନେ ଏହି ଅବସରରେ ସଦ୍‌ବ୍ୟବହାର କରିବେ ବୋଲି ମୁଁ ଆଶା କରେ । ପାରିବାରିକ ଦୁଃଖ ହେତୁରୁ ଯଦି କୌଣସି ଛାର ସଂସାରୀ ଏହି ଅନୁଷ୍ଠାନରେ ଯୋଗ ଦେବାକୁ କ୍ଷାନ୍ତ ହୁଅନ୍ତି ତେବେ ସେ ଠିକ୍ କରିଛନ୍ତି ବୋଲି ନିଜେ ଓ ଦୁନିଆ କହିବେ । ଯେଉଁବ୍ୟକ୍ତି ଏପରି ଶୋକ୍ଲକୁ ଝୁରି ନହୋଇ ସେହି ଶୋକକୁ ଭଗବାନ ଓ ମାନବ ଜାତିର ସେବାରେ ରୂପାନ୍ତରିତ କରି ପାରନ୍ତି, ତେବେ ତାଙ୍କଠାରେ ମହତ୍ତ୍ୱ ଓ ଶକ୍ତି ଅଛି ବୋଲି ବୁଝିବାକୁ ହେବ । ସମଗ୍ର ମାନବ ସମାଜ ସେ ମୂଳତଃ ଏକ ଏହା ଏହିପରି କାର୍ଯ୍ୟରୁ ଆମ୍ଭେମାନେ ବୁଝିବାକୁ ସମର୍ଥ ହେଉ । ମୋର ବକ୍ତବ୍ୟ ଆପଣମାନେ ଭଗବାନ୍‌ଙ୍କ କୃପାରୁ ବୁଝି ପାରନ୍ତୁ । ଆପଣମାନଙ୍କର ଅଭିନନ୍ଦନ ଅର୍ଥସାହାଯ୍ୟ ଓ ବକ୍ତବ୍ୟ ପାଇଁ ପୁଣି ଥିରେ ମୁଁ ଧନ୍ୟବାଦ ଦେଉ ଅଛି ।

ବିଦ୍ର. - ଏହି  ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆପତ୍ରିକାର ତା୮--୧୯୨୭ରିଖର ପ୍ରକାଶିତ ସଙ୍ଖ୍ୟାରେ ପ୍ରକାଶ  ପାଇଥିଲା । 

Sunday, October 28, 2018

ଗାନ୍ଧୀଜୀଙ୍କର ଶିକ୍ଷାବିଚାର


'ଛାତ୍ରମାନେ କଅଣ କରିବେ' - ୨


ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଖଦିବୁଣାର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ଗୋଟିଏ ଅପରିହାର୍ଯ୍ୟ ସର୍ତ୍ତ


ବର୍ତ୍ତମାନ ପରିସ୍ଥିତି ଦୃଷ୍ଟିରୁ ଆଲୋଚନା କଲେ ଛାତ୍ରମାନଙ୍କ ପକ୍ଷରେ କଣ କରିବା ସମ୍ଭବ ଓ ଦେଶର ସେବା କରିବା ପାଇଁ ଆମେ ଅଧିକ କ'ଣ କରି ପାରିବୁ, ଏହା ଆମକୁ ବିଚାର କରିବାକୁ ହେବ । ଯେଉଁମାନେ ଛାତ୍ରମାନଙ୍କଠାରୁ ବହୁତ ଆଶା ରଖି ଅଛନ୍ତି, ସେମାନଙ୍କର ଓ ମୋ ନିଜର ମତରେ ଏହି ପ୍ରଶ୍ନର ଉତ୍ତର ହେଉଛି, ସେମାନଙ୍କୁ ନିଜ ନିଜର ହୃଦୟର ଅନୁସନ୍ଧାନ କରିବାକୁ ଓ ବ୍ୟକ୍ତିଗତ ଚରିତ୍ରର ତତ୍ତ୍ୱ ନେବାକୁ ପଡ଼ିବ । ନିର୍ଦ୍ଦୋଷ ଶିକ୍ଷାପ୍ରଣାଳୀ ଗଠନର ଏକ ଅପରିହାର୍ଯ୍ୟ ସର୍ତ୍ତ୍ୱ ହେଉଛି, ବ୍ୟକ୍ତିଗତ ଜୀବନର ପବିତ୍ରତା । ଯେଉଁ ଅଗଣିତ ଛାତ୍ର ମୋ ପାଖରେ କୌଣସି କଥା ଗୁପ୍ତ ନରଖି ବିଶ୍ୱାସରେ ହୃଦୟ ଖୋଲି ସେମାନଙ୍କ ଅନ୍ତରର ଭାବ ବ୍ୟକ୍ତ କରନ୍ତି, ସେମାନଙ୍କର ସେହି ଚିଠିପତ୍ରରୁ ଓ ସେମାନଙ୍କ ସହ ଦେଖାସାକ୍ଷାତରୁ ସ୍ପଷ୍ଠରୂପେ ଜଣାଯାଏ ସେ ସେମାନଙ୍କ ଠାରୁ ବହୁତ କିଛି ଆଶା କରା ଯାଇ ପାରେ ।

ମୋ କଥାର ମର୍ମ ଆପଣମାନେ ଉତ୍ତମରୂପେ ବୁଝି ପାରୁ ଥିବେ । ଆମ ଭାଷାରେ ଛାତ୍ର ଶବ୍ଦର ଗୋଟିଏ ସୁନ୍ଦର ପ୍ରତିଶବ୍ଦ ଅଛି । ତାହା ହେଉଛି, ବ୍ରହ୍ମଚାରୀ । ମୋର ଆଶା ବ୍ରହ୍ମଚାରୀ ଶବ୍ଦର ଅର୍ଥ ଆପଣମାନେ ଜାଣନ୍ତି । ଏହାର ଅର୍ଥ ଯେ ଈଶ୍ୱରଙ୍କୁ ଅନ୍ୱେଷଣ କରେ ଏବଂ ସବୁଠାରୁ ଅଳ୍ପ ସମୟରେ ଈଶ୍ୱରଙ୍କୁ ନିକଟବର୍ତ୍ତୀ ହେବାପାଇଁ ନିଜକୁ ପରିଚାଳନା କରେ । ସବୁ ଧର୍ମର ପରସ୍ପର ମଧ୍ୟରେ ଯେତେ ପାର୍ଥକ୍ୟ ଥାଉ ପଛକେ, ପୃଥିବୀର ସମସ୍ତ ପ୍ରଧାନ ଧର୍ମ ପୂର୍ଣ୍ଣ ରୂପେ ଏକମତ ଯେ, କୌଣସି ନର ବା ନାରୀ ଅପବିତ୍ର ହୃଦୟର ପୂର୍ଣ୍ଣ ପବିତ୍ରତା ଅନୁଶୀଳନ କରିବାରେ ଆମ୍ଭେମାନେ ସମର୍ଥ ନ ହେଉ, ତେବେ ବେଦର ସମସ୍ତ ଜ୍ଞାନ ଓ ଆବୃତ୍ତିସଂସ୍କୃତଲାଟିନ୍ଗ୍ରୀକ୍ ଭାଷାର ଜ୍ଞାନ ଏବଂ ଆଉ ଯାହା କିଛି ସବୁ ନିରର୍ଥକ ଅଟେ । ଚରିତ୍ରଗଠନ ପ୍ରତ୍ୟେକ ଜ୍ଞାନର ଚରମ ଲକ୍ଷ୍ୟ ହେବା ଉଚିତ ।

ବିଶ୍ୱାସ ହରାଅ ନାହିଁ

ଶିମୋଗାରେ ଆଗରୁ ମୋର ଜଣେ ଅପରିଚିତ ଇଂରେଜ ବନ୍ଧୁ ମୋ ପାଖକୁ ଆସି ପଚାରିଲେ ଯେ, ଭାରତ ଯଦି ପ୍ରକୃତରେ ଆଧ୍ୟାତ୍ମିକ ଦୃଷ୍ଠିରୁ ଗୋଟିଏ ଅଗ୍ରଗାମୀ ଦେଶ, ତେବେ ଭାରତୀୟ ଛାତ୍ରମାନଙ୍କର ଈଶ୍ୱରଙ୍କ ବିଷୟରେ ଜ୍ଞାନ ଲିପ୍‌ସା କାହିଁକି ଦେଖା ଯାଏ ନାହିଁ । ଏପରିକି ଛାତ୍ରମାନଙ୍କର ମଧ୍ୟରୁ ଅଧିକାଂଶ ଭଗବଦ୍‌ଗୀତା କଅଣ ତାହା ଜାଣନ୍ତି ନାହିଁ । ତାଙ୍କ ଦ୍ୱାରା ଆବିଷ୍କୃତ ଛାତ୍ରମାନଙ୍କର ଏହି ଦୋଷ ପାଳନ କରି ମୁଁ ସକଳ କୈଫିଅତ୍ ଦେଲି । ମାତ୍ର ସେହି କୈଫିୟତ୍ କିମ୍ୱା ଏହି ବିରାଟ ଓ ଭୟଙ୍କର ତୃଟିକୁ ଘୋଡ଼ାଇବାର ଯୁକ୍ତି ଆପଣମାନଙ୍କ ଆଗରେ ଥୋଇବାକୁ ମୁଁ ଚାହୁଁ ନାହିଁ । 

ଆପଣମାନଙ୍କୁ ମୋର ସର୍ବାଦୌ ପ୍ରଥମ ଓ ଐକାନ୍ତିକ ଅନୁରୋଧ ଯେ, ଆପଣମାନେ ପ୍ରତ୍ୟେକ ନିଜର ହୃଦୟ ମନ୍ଥନ କରନ୍ତୁ ଏବଂ ଯେଉଁଠାରେ ମୋର ମନ୍ତବ୍ୟକୁ ଯୁକ୍ତିଯୁକ୍ତ ଦେଖୁଛନ୍ତିସେଠାରେ ନିଜକୁ ସଂସ୍କୃତ ଓ ପୁନର୍ଗଠିତ କରନ୍ତୁ । ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ହିନ୍ଦୁ (ମୁଁ ଜାଣେ ଯେ ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ହିନ୍ଦୁ ଅଟନ୍ତି) ସେମାନେ ଗୀତାର ସରଳ ସୁନ୍ଦର ଓ ଭାବୋଦ୍ଦୀପକ ବା ଜ୍ଞାନୋଦ୍ଦୀପକ ସନ୍ଦେଶକୁ ବୁଝିବା ପାଇଁ ଚେଷ୍ଟା କରିବେ । ଯେଉଁମାନେ ନିଜର ହୃଦୟକୁ ପବିତ୍ର କରିବା ନିମିତ୍ତ ସତ୍ୟର ଅନୁସନ୍ଧାନରେ ପ୍ରକୃତରେ ବ୍ରତୀ ହୋଇଅଛନ୍ତିସେମାନଙ୍କର ପ୍ରତ୍ୟେକଙ୍କରଜଣକୁ ସୁଦ୍ଧା ବାଦ୍ ନ ଦେଇ ଅନୁଭବ ହୋଇଛି ଯେ ସର୍ବଶକ୍ତିମାନ ପରମେଶ୍ୱରଙ୍କୁ ଆନ୍ତରିକ ପ୍ରାର୍ଥନା ବ୍ୟତୀତ ଏହି ପବିତ୍ରତା ଲାଭ କରିବା ସମ୍ପୂର୍ଣ୍ଣ ରୂପେ ଅସମ୍ଭବ । 

ତେଣୁ ଆପଣମାନେ ଯାହା କରନ୍ତୁ ପଛକେ, ଈଶ୍ୱରଙ୍କ ଠାରେ ବିଶ୍ୱାସ ହରାନ୍ତୁ ନାହିଁ । ଯୁକ୍ତତର୍କ ଦ୍ୱାରା ମୁଁ ଆପଣମାନଙ୍କୁ ତାହା ବୁଝାଇ ଦେଇ ପାରିବି ନାହିଁ । କାରଣ ପ୍ରକୃତରେ ପ୍ରକୃତ ନମ୍ରତା ଆପଣମାନେ ପୋଷଣ କରିବେ ଏବଂ ଏତେ ବହୁ ଉପଦେଷ୍ଠା ଋଷି ଓ ପୃଥିବୀର ଅନ୍ୟ ବହୁଦର୍ଶୀ ବ୍ୟକ୍ତିଙ୍କର ଅନୁଭବକୁ ନିବଚାରରେ ପ୍ରତ୍ୟାଖ୍ୟାନ କରିବେ ନାହିଁ ଏବଂ ସେମାନଙ୍କୁ ଅନ୍ଧବିଶ୍ୱାସୀ ବୋଲି ଭାବିବେ ନାହିଁଏହା ମୁଁ ଆପଣମାନଙ୍କଠାରୁ ଆଶା କରେ । 

ଆପଣମାନେ ଯଦି କେବଳ ଏତିକି କରନ୍ତି, ତେବେ ମୁଁ ଯାହା କହିବାକୁ ବସିଛିସେଗୁଡ଼ିକ ଆପଣମାନଙ୍କ ଆଗରେ ସ୍ଫଟିକ ପରି ସ୍ୱଚ୍ଛ ଦେଖା ଯିବ । ଆପଣମାନେ ଯେ ନିଜର ପ୍ରକାଶ୍ୟ ଘୋଷଣାରେ (ନିଜକୁ ବିଦ୍ୟାର୍ଥୀ ବୋଲାଇବାରେସଚ୍ଚୋଟ ଅଟନ୍ତିମୋ ଦୃଷ୍ଟିରେ ବ୍ୟଥିତ ନ ହୋଇ ଆପଣମାନେ ରହି ପାରିବେ ନାହିଁ । ଅରଟ ଓ ଖଦୀଅସ୍ପୃଶ୍ୟତାତଥା ସଂପୂର୍ଣ୍ଣ ନିଶା-ନିବାରଣ କିମ୍ୱା ବାଳବିଧବା ଓ ବାଲ୍ୟବିବାହ ସମ୍ପର୍କରେ ସାମାଜିକ ସଂସ୍କାର ଏବଂ ତଦୃପ ଅନ୍ୟାନ୍ୟ କାର୍ଯ୍ୟ ସହିତ ନିଜକୁ ଅବିଚ୍ଛେଦ୍ୟ ଭାବରେ ସମ୍ପୃକ୍ତ କରି ଅଛି । ସେଗୁଡ଼ିକ ଆପଣମାନେ ସମର୍ଥନ କରୁ ଅଛନ୍ତି ଓ ସେଥି ପ୍ରତି ସହାନୁଭୂତ ଦେଖାଉ ଅଛନ୍ତିସେଥିରେ ମୁଁ ଆନନ୍ଦିତ । ଆପଣମାନେ ଖଦୀ ସମ୍ପର୍କରେ ଏଣିକି ଅଧିକ ଭଲ କାର୍ଯ୍ୟ କରିବେ, ମୁଁ ଏହି ପ୍ରତିଶୃତି ଗ୍ରହଣ କରୁ ଅଛି ।

ବି. ଦ୍ର. - ଏହି  ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ' ପତ୍ରିକାର ତା୮--୧୯୨୭ରିଖର ପ୍ରକାଶିତ ସଙ୍ଖ୍ୟାରେ ପ୍ରକାଶ  ପାଇଥିଲା । 

Wednesday, October 24, 2018


ଗାନ୍ଧୀଜୀଙ୍କର ଶିକ୍ଷାବିଚାର


'ଛାତ୍ରମାନେ କଅଣ କରିବେ' - ୧


୧୯୨୦ ଦଶକର ଶେଷ ଭାଗରେ ଉତ୍ତୋଳିତ ଗାନ୍ଧୀଜୀଙ୍କର ଚିତ୍ର
ଫଟୋ କ୍ରେଡ଼ିଟ ୱିକିମିଡିଆ କମନ୍ସ୍

ଆପଣମାନଙ୍କର ଅଧ୍ୟକ୍ଷ ମହାଶୟଙ୍କର ଯେଉଁ ପାରିବାରିକ ଦୁଃଖ ଘଟି ଅଛି, ମୁଁ କିଛି କହିବା ପୂର୍ବରୁ ସେଥିରେ ଗଭୀର ସମବେଦନା ପ୍ରକାଶ କରୁ ଅଛି । ଏଠାରେ ପହଞ୍ଚିବା ସଙ୍ଗେ ସଙ୍ଗେ ତାହା ମୁଁ ଶୁଣିବାକୁ ପାଇଲି । ଅଧ୍ୟକ୍ଷ ମହାଶୟ! ଆପଣଙ୍କର ବିଦ୍ୟାୟତନରେ ଆପଣ ଏହି ଅନୁଷ୍ଠାନର ଆୟୋଜନ କରିଛନ୍ତି, କେବଳ ସେଥି ପାଇଁ ନୁହେଁ, ମାତ୍ର ପାରିବାରିକ ଦୁଃଖ ସତ୍ତ୍ୱେ ଆପଣ ଯେ ଏହି ଅନୁଷ୍ଠାନରେ ଯୋଗ ଦେଇ ଅଛନ୍ତି ଓ ସଭ୍ୟତାର ଆସନ ଅଳଙ୍କୃତ କରି ମୋ ପ୍ରତି ଯେଉଁ ସମ୍ମାନ ସଦର୍ଶନ କରି ଅଛନ୍ତି, ସେଥି ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉ ଅଛି । ଆପଣଙ୍କର ଦୁଃଖରେ ମୋତେ ସମଦୁଃଖୀ ବୋଲି ବିବେଚନା କରିବେ ।

ଗୋଟିଏ ସାଧାରଣ ଲକ୍ଷଣ
ଆଜି ଅପରାହ୍ନ ମୋତେ ଅଭିନନ୍ଦନ ଓ ଖଦୀ ପାଣ୍ଠି ପାଇଁ ଯେଇଁ ଦାନ ଦିଆ ଯାଇଛି ସେଥିପାଇଁ ମୁଁ ଛାତ୍ରମାନଙ୍କୁ ଓ ଅନ୍ୟମାନଙ୍କୁ ଧନ୍ୟବାଦ ଦେଉଛି । ଆପଣମାନେ ମୋ ପ୍ରତି ଯେଉଁ ଶ୍ରଦ୍ଧା ଜ୍ଞାପନ କରି ଅଛନ୍ତି ଓ ଏହି ଦେଶର ଦରିଦ୍ରତମ ଜନସାଧାରଣ ସହିତ ନିଜକୁ ଯେଉଁ ସମଜ୍ଞନ କରି ଅଛନ୍ତି ,ତାହା ମୋତେ ବର୍ତ୍ତମାନ ଆଶ୍ଚର୍ଯ୍ୟନ୍ୱିତ କରୁ ନାହିଁ । କାରଣ ଏହି ସୁନ୍ଦର ଦେଶର ଏ ମୁଣ୍ତରୁ ସେ ମୁଣ୍ତ ପର୍ଯ୍ୟନ୍ତ ମୁଁ ଯେଉଁ ଆଡ଼େ ଯାଇଛି ,ସର୍ବତ୍ର ଏହି ଏକା କଥା ଦେଖିଛି । ଅନେକ ବାଧାବିଘ୍ନ ଥାଇ ସୁଦ୍ଧା ଏହା ମୋ ପକ୍ଷରେ ଏତେ ଦେଶୀ ଆନନ୍ଦ ଓ ଆଶ୍ୱାସନାର କଥା ଯେ, ଭାରତର ଛାତ୍ରମାନେ ସେମାନଙ୍କ ହୃଦୟରେ ମୋତେ ଆଦରରେ ସ୍ଥାନ ଦେଇ ଅଛନ୍ତି । 

ଛାତ୍ରମାନେ ମୋତେ ଏହି ବ୍ୟକ୍ତିଗତ ସମ୍ମାନ ପ୍ରଦର୍ଶନ କରିବା ଓ ଦରିଦ୍ର ଜନସାଧାରଣଙ୍କ ସହିତ ନିଜକୁ ସମାନ ଜ୍ଞାନ କରିବା ସତ୍ତ୍ୱେ ସେମାନଙ୍କର ଯେ ଆହୁରି ଅନେକ କାର୍ଯ୍ୟ କରିବାକୁ ଅଛି, ମୋର ଏହି ମନୋଭବ ମୁଁ ବ୍ୟକ୍ତି ନ କରି ରହି ପାରୁ ନାହିଁ । କାରଣ ଆପଣମାନେ ହିଁ ଭବିଷ୍ୟତରେ ଆଶାଭରସା । ସ୍କୁଲ ଓ କଲେଜ ଶିକ୍ଷା ଶେଷ କରିବା ପରେ ଆପଣମାନଙ୍କୁ ସାଧାରଣ ଜୀବନ ଯାପନ କରିବାକୁ ଏ ଦେଶରେ ଦରିଦ୍ର ଜନସାଧାରଣଙ୍କୁ ଚଳାଇବାକୁ ଆହ୍ନାନ ଆସିବ । ତେଣୁ ଆପଣମାନେ (ଛାତ୍ରମାନେ) ନିଜର ଦାୟିତ୍ୱ ଉପଲ‌ବ୍‌ଧ କରିବେ ଏବଂ ସେହି ଉପଲବ୍‌ଧିକୁ ଆହୁରି ଅଧିକ ପ୍ରତ୍ୟକ୍ଷ ଭାବରେ ଦେଖାଇବେ ଏହା ମୁଁ ଆଶା କରେ । 

ଏହା ଏକ ଉଲ୍ଲେଖଯୋଗ୍ୟ ତଥା ଦୁଃଖର କଥା ସେ ଅଧିକାଂଶ ଛାତ୍ର ଛାତ୍ରାବସ୍ଥାରେ ଯେଉଁ କ୍ଷଣିକ ମହନୀୟ ଆବେଗ ହୃଦୟରେ ପୋଷଣ କରି ଥାଆନ୍ତି, ପାଠ ପଢ଼ା ଶେଷ ହେବା ସଙ୍ଗେ ସଙ୍ଗେ ସେ ସବୁ କୁଆଡ଼େ ଉଭେଇ ଯାଏ । ଅଧିକାଂଶ ଛାତ୍ର ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟର ଆଶାରେ ରହନ୍ତି । ନିଶ୍ଚୟ କିଛି ଭୁଲ ଏ ବ୍ୟବସ୍ଥାରେ ରହି ଯାଇଛି । ଗୋଟିଏ କାରଣ ଅଛି, ଯାହା ସୃସ୍ପଷ୍ଟ । ପ୍ରତ୍ୟେକ ଶିକ୍ଷାବିତ୍ ଏବଂ ଯେଉଁମାନେ ଛାତ୍ରମାନଙ୍କ ସମ୍ପର୍କରେ ଆସନ୍ତିସେମାନେ ସମସ୍ତ ଉପଲବ୍‌ଧ କରି ଅଛନ୍ତି ଯେ, ଆମର ଶିକ୍ଷା-ପଦ୍ଧତି ଦୋଷଯୁକ୍ତ । ପ୍ରକୃତରେ ଏ ଦେଶରେ ଆବଶ୍ୟକତା ସଙ୍ଗେ, ବିଶେଷତଃ ଦରିଦ୍ର ଭାରତର ଆବଶ୍ୟକତା ସଙ୍ଗେ, ଏହି ଶିକ୍ଷାର କୌଣସି ସାମଞ୍ଜସ୍ୟ ନାହିଁ । ଯେଉଁ ଶିକ୍ଷା ଦିଆ ଯାଉ ଅଛିତାହା ଏଭଳି ଏକ ବ୍ୟାପକ ବିଷୟ ଯେ, ଏପରି ସଭାରେ ଆପଣମାନେ ଓ ମୁଁ ଆଲୋଚନା କରି ପାରିବା ନାହିଁ ।

ବି. ଦ୍ର. - ଏହି  ଲେଖାଟି ପ୍ରଥମେ 'ୟଙ୍ଗ ଇଣ୍ତିଆ' ପତ୍ରିକାର ତା୮--୧୯୨୭ରିଖର ପ୍ରକାଶିତ ସଙ୍ଖ୍ୟାରେ ପ୍ରକାଶ ପାଇଥିଲା ।

Tuesday, October 23, 2018

ପିଲାଙ୍କ ପାଇଁ କବିତା - 'ଶୀତ ଯେ ଶୀତ'

କବି - ଜଗନ୍ନାଥ ପ୍ରସାଦ ଦାସ


ଫୁଲବାଣୀର ବିହଙ୍ଗମ ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଦାରିଙ୍ଗିବାଡ଼ିରେ ଶୀତ ଯେ ଶୀତ
କୋଲ ମାରିଯାଏ ଦିହ ଓ ହାତ ।

ବାହାରିଲେ କଥା ପାଟିରୁ ଯାଇ
ବସିଯାଏ ସବୁ ଜମାଟ ହୋଇ ।

ଶୁଣୁ ସେ କଥାକୁ ଘରକୁ ଆଣି
କଡ଼େଇରେ ତାକୁ ତେଲରେ ଛାଣି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Monday, October 22, 2018


ମୌର୍ଯ୍ୟବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ

 କେଦାରନାଥ ମହାପାତ୍ର


ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଏକ ଆଧୁନିକ ପ୍ରତିମୂର୍ତ୍ତି (ୱିକିମିଡିଆ କମନ୍ସ୍)

ନନ୍ଦବଂଶର ଶେଷ ରାଜାଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମଗଧର ସିଂହାସନରେ ଆରୋହଣ କରି ଥିଲେ । କେତେକଙ୍କ ମତରେ ସେ ନନ୍ଦରାଜାଙ୍କର ରକ୍ଷିତା ‘ମୁରା’ ନାମ୍ନୀ ସ୍ତ୍ରୀଙ୍କର ପୁତ୍ର ଥିବାରୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ମୌର୍ଯ୍ୟବଂଶ । କିନ୍ତୁ ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ ପିପ୍ପଳବନ ନାମକ ସ୍ଥାନରେ ମୌର୍ଯ୍ୟ ନାମକ କ୍ଷତ୍ରିୟକୁଳ ବାସ କରୁଥିଲେ । ଚନ୍ଦ୍ରଗୁପ୍ତ ସେହି ବଂଶର ପ୍ରଥମ କ୍ଷମତାଶାଳୀ ରାଜା ଥିବାରୁ ଏହି ବଂଶର ନାମ ମୌର୍ଯ୍ୟବଂଶ ହେଲା ।

ନନ୍ଦବଂଶର ଅତ୍ୟାଚାରରେ ଲୋକମାନେ ବଡ ଅସନ୍ତୁଷ୍ଟ ହେଉ ଥିଲେ । ନନ୍ଦରାଜା ତକ୍ଷଶିଳାର ଚାଣକ୍ୟ ବା କୌଟିଲ୍ୟ ନାମକ ଜଣେ ବ୍ରାହ୍ମଣ ପଣ୍ଡିତଙ୍କୁ ଅପମାନ ଦେଇ ଥିଲେ । ଚାଣକ୍ୟ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ସେ ନନ୍ଦରାଜାଙ୍କ ଅପମାନର ପ୍ରତିଶୋଧ ନେବାପାଇଁ ଅଟଳ ପ୍ରତିଜ୍ଞା କରିଥିଲେ । ସେ ଚନ୍ଦ୍ରଗୁପ୍ତଙ୍କୁ ସାହାଯ୍ୟ ଦେଇ ନନ୍ଦବଂଶର ଧ୍ୱଂସ ସାଧନ କରି ଥିଲେ । ନନ୍ଦରାଜାଙ୍କୁ ମାରି ଚନ୍ଦ୍ରଗୁପ୍ତ ଖ୍ରୀ: ପୂ ୩୨୨ରେ ମଗଧର ସମ୍ରାଟ ହେଲେ । ଆଲେକଜାଣ୍ଡରଙ୍କ ମୃତ୍ୟୁ ଖବର ପାଇ ଚନ୍ଦ୍ରଗୁପ୍ତ କେତେକ ପାହାଡ଼ିଆ ଜାତିଙ୍କ ସାହାଯ୍ୟରେ ଗ୍ରୀକ୍‌ମାନଙ୍କୁ ପଞ୍ଜାବରୁ ତଡ଼ି ଦେଇ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରି ଥିଲେ ।

ଆଲେକଜାଣ୍ଡରଙ୍କ ମୃତ୍ୟୁ ପରେ ତାଙ୍କର ସେନାପତି ସେଲିଉକସ୍ ପୁନର୍ବାର ପଞ୍ଜାବ ଜୟ କରିବା ପାଇଁ ଚେଷ୍ଟା କରି ଥିଲେ । କିନ୍ତୁ ଚନ୍ଦ୍ରଗୁପ୍ତ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରି ଥିଲେ । ଗ୍ରୀକ୍ ସେନାପତି ବାଧ୍ୟ ହୋଇ ସନ୍ଧି କରି ଥିଲେ । ଏହି ସନ୍ଧି ଫଳରେ ସେ ତାଙ୍କ ରାଜ୍ୟର ଚାରୋଟି ପ୍ରଦେଶ, ଅର୍ଥାତ୍ ଆଧୁନିକ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ଚନ୍ଦ୍ରଗୁପ୍ତଙ୍କ ଛାଡ଼ି ଦେଇ ଥିଲେ । ସେ ନିଜ କନ୍ୟାଙ୍କୁ ଚନ୍ଦ୍ରଗୁପ୍ତଙ୍କ ସହିତ ବିବାହ କରାଇ ଥିଲେ ଓ ମେଗାସ୍ଥନିସ୍ ନାମକ ଗ୍ରୀକ୍ ଦୂତଙ୍କୁ ତାଙ୍କ ସଭାକୁ ପଠାଇ ଥିଲେ । ଗ୍ରୀକ୍ ଦୂତ ମୌର୍ଯ୍ୟ ରାଜସଭାରେ ବହୁ ଦିନ ରହି ଥିଲେ । ଚନ୍ଦ୍ରଗୁପ୍ତ ଗ୍ରୀକ୍‌ମାନଙ୍କ ହସ୍ତରୁ ଭାରତକୁ ରକ୍ଷା କରି ଥିଲେ ଓ ସର୍ବପ୍ରଥମେ ଭାରତରେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରି ଥିଲେ ।

ସମଗ୍ର ଉତ୍ତର ଭାରତ ଓ ସୌରାଷ୍ଟ୍ର (କାଠିଆବାଡ଼) ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ମହୀଶୂର ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ବିସ୍ତୃତ ଥିବାର କେତେକ କିମ୍ୱଦନ୍ତୀରୁ ଜଣା ଯାଏ । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ନୃପତି ଏପରି ବିଶାଳରାଜ୍ୟ ଶାସନ କରୁ ଥିବାର ଜଣା ଯାଏ ନାହିଁ । କିନ୍ତୁ ତାଙ୍କ ସମୟରେ ଆମ୍ଭ ଓଡିଶା ଦେଶ ସ୍ୱାଧୀନ ଥିଲା । ଚାଣକ୍ୟ ତାଙ୍କର ମନ୍ତ୍ରୀ ଥିଲେ । ସେ ଅର୍ଥଶାସ୍ତ୍ର ନାମକ ବିରାଟ ଗ୍ରନ୍ଥରେ ରାଜନୀତି ସମ୍ୱନ୍ଧରେ ଅନେକ କଥା ଲେଖି ଅଛନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।


Sunday, October 21, 2018

ପିଲାଙ୍କ ପାଇଁ କବିତା - 'ଲାଞ୍ଜ'

କବି - ଜଗନ୍ନାଥ ପ୍ରସାଦ ଦାସ


"ମାର୍ଭେଲ୍ସ୍ ଅଫ୍ ଥିଙ୍ଗ୍ସ୍ସ୍ କ୍ରିଏଟେଡ଼୍ ଆଣ୍ଡ ମିରିକୁଲସ୍ ଆସ୍ପକେ୍ଟ୍ସ୍ ଅଫ୍ ଥିଙ୍ଗ୍ସ୍ ଏକ୍ଜିଷ୍ଟିଂ'" ର ଅଳଙ୍କରଣ
ବହିଟି ତ୍ରୟୋଦଶ ଶତାବ୍ଦୀର ଲେଖକ ଜକାରିଆ ଅଲ୍ କାଜ୍‌ୱିନିଙ୍କର କୃତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦନ୍ତାବଳ ପଛେ ବଳଦ ରହିଛି
ଠେକୁଆ ପଛରେ କୁଆ,
ଚକୋଇ ପଛରେ କୋଇଲି ଲାଗିଛି
ଜଟିଆ ପଛରେ ଟିଆ,
ଲାଞ୍ଜ ଅଛି ବୋଲି କୁକୁର ପଛରେ
କୁରଙ୍ଗ ହୋଇଛି ଠିଆ ।


ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।