Saturday, July 27, 2019

ଗୁପ୍ତ ସାମ୍ରାଜ୍ୟ ପରେ ଦେଶର ଅବସ୍ଥା

କେଦାରନାଥ ମହାପାତ୍ର


ବୁଦ୍ଧଗୁପ୍ତଙ୍କ ସମୟରେ ମାଳବରୁ ପ୍ରାପ୍ତ ମୁଦ୍ରା (୪୭୬-୪୯୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯଶୋଧର୍ମ ଦେବ 

ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା । ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ହୁଣମାନେ ପ୍ରବଳ ହୋଇ ଉଠିଲେ । ‘ତୋରମାନ’ ଓ ‘ମିହିରକୁଳ’ ହୁଣ ରାଜାମାନଙ୍କ ମଧ୍ୟରେ ପ୍ରଧାନ । ପଞ୍ଜାବ ପ୍ରଦେଶର ଶାକଳ (ଶୈଳବୋଟ) ସେମାନଙ୍କର ରାଜଧାନୀ ଥିଲା । ଗୁପ୍ତମାନେ ଦୁର୍ବଳ ହୋଇ ପଡିବାରୁ ତୋରମାନ ମାଳବ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କର ପୁତ୍ର ମିହିରକୁଳ ବିଶେଷ ପରାକ୍ରମଶାଳୀ ଥିଲେ । ତାଙ୍କର ପ୍ରତାପରେ ସମଗ୍ର ଭାରତ କମ୍ପୁଥିଲା । କିନ୍ତୁ ଯଶୋଧର୍ମ ଦେବ ନାମକ ମାଳବର ଜଣେ କ୍ଷମତାଶାଳୀ ହିନ୍ଦୁରାଜା ମିହିରକୁଳଙ୍କ ସମ୍ପୂର୍ଣ୍ଣରୂପେ ପରାସ୍ତ କରି (୫୩୩ ଖ୍ରୀଷ୍ଟାବ୍ଦ) ଭାରତରୁ ହୁଣ ପ୍ରାଧାନ୍ୟ ଲୋପ କରିଥିଲେ । ଯଶୋଧର୍ମଦେବଙ୍କ ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଓଡିଶାର ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ, ପୂର୍ବରେ ବ୍ରହ୍ମପୁତ୍ରଠାରୁ ପଶ୍ଚିମରେ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ଭାରତର ଜଣେ ଶ୍ରେଷ୍ଠ ରାଜା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Friday, July 26, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷାରେ ପ୍ରହେଳିକା


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୩୭ ମସିହାରେ ଗାନ୍ଧିଜୀ
ଫଟୋ କ୍ରେଡ଼ିଟ୍ -  ୱିକିମିଡ଼ିଆ କମନ୍ସ୍


ଗାନ୍ଧିଜୀ - “ଏହି ନୂତନ ସଂସ୍କାର ଭିତରେ ସବୁଠାରୁ ନିଦ୍ଦୟ ବିଦୃପ ହେଉଛି ଯେ, ନିଜର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ମଦ୍ୟପାନରୁ ଆୟ ଛଡ଼ା ଆମଠାରେ ଆଉ କିଛି ନାହି । ଶିକ୍ଷା ସମ୍ୱନ୍ଧରେ ଆମ ଆଗରେ ଏହା ହିଁ ସବୁଠାରୁ ବଡ଼ ସମସ୍ୟା । ମାତ୍ର ଏଥିରେ ଆମର ବିଚଳିତ ହୋଇପଡ଼ିବା ଉଚିତ ନୁହେଁ । ଆମେ ଏହାର ପ୍ରତିକାର ଖୋଜି ବାହାର କରିବା ଦରକାର । ଆମକୁ ଯାହା ମୂଲ୍ୟ ଦେବାକୁ ପଡ଼ୁ ପଛକେ, ଏହାର ସମାଧାନରେ ଯେପରି ପୂର୍ଣ୍ଣ ନିଶାନିବାରଣ ଯୋଜନାରୁ ଆମେ ଅଣୁ ମାତ୍ର ପଛଘୁଞ୍ଚା ନ ଦେଉଁ । ଯଦି ଆମକୁ ମଦ୍ୟପାନରୁ ଆୟ ନ ମିଳେ, ତେବେ ଆମେ ନିଜର ପିଲାମାନଙ୍କୁ ପାଠ ପଢ଼ାଇ ପାରିବୁ ନାହିଁ ଏ କଥା ଆମ ପକ୍ଷରେ ଲଜ୍ଜାଜନକ ଓ ଅପମାନଜନକ ବୋଲି ଆମେ ହୃଦୟଙ୍ଗମ କରିବା ଉଚିତ । ଯଦି ଏପରି ପରିସ୍ଥିତି ଆସି ପହଞ୍ଚେ, ତେବେ ଆମେ ଅପେକ୍ଷାକୃତ କମ୍ ବିପଦଟିକୁ ମୁଣ୍ଡାଇବୁ । ଯଦି ଆମେ କେବଳ ସଙ୍ଖ୍ୟା ଦେଖି ବିହ୍ୱଳ ହୋଇ ନ ପଡ଼ୁ ଏବଂ ଆଜିକାଲି ପିଲାମାନେ ଯେଉଁ ଶିକ୍ଷା ପାଉଛନ୍ତି, ଠିକ୍ ସେହି ଶିକ୍ଷା ଦେବାକୁ ଲାଳାୟିତ ନ ହେଉଁ, ତେବେ ଏ ସମସ୍ୟା ଆମର ବୁଦ୍ଧି ବଣା କରିଦେବ ନାହିଁ ।”


ପ୍ରଶ୍ନତେବେ ତ ଆପଣ ପ୍ରକୃତରେ ମାଧ୍ୟମିକ ଶିକ୍ଷାକୁ ଏକାବେଳକେ ଉଠାଇଦେବାକୁ ଚାହାନ୍ତି ଏବଂ ମ୍ୟାଟ୍ରିକୁଲେସନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଗ୍ରାମ ବିଦ୍ୟାଳୟରେ ଦେବାକୁ ଇଚ୍ଛା କରନ୍ତି ?

ଗାନ୍ଧିଜୀନିଶ୍ଚୟ । ଶେଷରେ ଆପଣଙ୍କର ମାଧ୍ୟମିକ ଶିକ୍ଷା କଅଣ ? ନିଜର ମାତୃଭାଷାରେ ପିଲା ଯେଉଁ ବିଷୟମାନ ଦୁଇ ବର୍ଷରେ ଶିକ୍ଷା କରିପାରିଥା'ନ୍ତା, ତାକୁ ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ସାତ ବର୍ଷ କାଳ ପଢ଼ିବା ଛଡା ଆଉ କଅଣ ? ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ପଢ଼ିବାର ବୋଝରୁ ଯଦି ଆପଣ ପିଲାମାନଙ୍କୁ ମୁକ୍ତ କରି ଦିଅନ୍ତେ ଏବଂ ସେମାନଙ୍କର ହାତ-ଗୋଡ଼ରୁ ଲାଭଜନକ ଧନ୍ଦାରେ ଲଗାଇବାର ଶିଖାନ୍ତେ, ତାହା ହେଲେ ଏହି ଶିକ୍ଷାପ୍ରହେଳିକାର ସମାଧାନ ହୋଇଯା'ନ୍ତା । ତାହା ହେଲେ ବିନା ଦ୍ୱିଧାରେ ଆପଣ ମଦ୍ୟପାନରୁ ଆୟକୁ ବିସର୍ଜନ କରି ପାରନ୍ତେ । ମାତ୍ର ଏହି ଆୟ ଆପଣ ପରିତ୍ୟାଗ କରିବେଏ କଥା ଆଗେ ନିଶ୍ଚୟ ଅଙ୍ଗୀକାର କରିବା ଆବଶ୍ୟକ ଏବଂ ତାହା ପରେ ଶିକ୍ଷା ସମ୍ୱନ୍ଧରେ ଉପାୟ ଚିନ୍ତା କରିବେ । ଏହି ବିରାଟ ସାହସ ବାନ୍ଧି କାମ ଆରମ୍ଭ କରନ୍ତୁ ।

ହରିଜନ, ତା ୨୧..୧୯୩୭

Thursday, July 25, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳମନ୍ଦିରରେ ନିତିଦିନିଆ କାର୍ଯ୍ୟକଳାପ ଓ ପିଲାଙ୍କ ଖେଳ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଚିତ୍ର - 'କ୍ରୀଡ଼ାରତ ଶିଶୁଗଣ' (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଚିତ୍ରକର - ସୁ ହାନ୍‌ଚେନ୍ (୧୧୦୧-୧୧୬୧)
ଦ୍ୱାଦଶ ଶତାବ୍ଦୀରେ ଚୀନ ଦେଶର ସଙ୍ଗ୍ ବଂଶର ରାଜତ୍ୱ ସମୟରେ ଅଙ୍କିତ ଚିତ୍ର

ନିତିଦିନିଆ କାର୍ଯ୍ୟକଳାପ

ହାତଗୋଡ ଧୋଇବା, ଲୁଗା ପିନ୍ଧିବା ଓ ବଦଳାଇବା, ବୋତାମ ଲଗାଇବା, ଜଳଖିଆ ଖାଇବା ଭଳି ନିଜର କାମ ତଥା ଖାଇବା ବାଢ଼ିବା, ବାସନ ଧୋଇବା, ଅଗଣା ଓ କୋଠରୀ ସଫା କରିବା, ବଗିଚାରେ କାମ କରିବା, ଧାନ କୁଟିବା, ଆଦି ସାମୂହିକ ନିତିଦିନିଆ କାମ ବାଳମନ୍ଦିରର ଶିକ୍ଷାର ଏକ ଅଂଶ ଥିଲା । ଗିଜୁଭାଇ ଓ ତାଙ୍କ ସାଥିମାନେ ଅତି ସ୍ୱାଭାବିକ ଭାବରେ ଏସବୁ କାମ କରୁଥିଲେ । ତେଣୁ ଛୋଟ ପିଲାମାନେ ମଧ୍ୟ ତାହା କରୁଥିଲେ ଏବଂ ସ୍ୱାବଲମ୍ୱନଶୀଳ ହୋଇ ପାରୁଥିଲେ ।

ଧନ୍ଦାମୂଳକ ଶିକ୍ଷା 

ଏଥି ପାଇଁ ଗିଜୁଭାଇ ବାଲମନ୍ଦିରରେ କାଠର ଇଟା, ସିନ୍ଦୁକ, ମେକାନେ ତିଆରି, ମାଟି, ଚମଡ଼ା ଓ କାଚ କାମ ତଥା ଚିତ୍ରକଳା ଆଦି ଶିକ୍ଷା ଦେଉଥିଲେ । ପିଲାର ବିକାଶ କ୍ଷେତ୍ରରେ ଏହି ଧନ୍ଦାମୂଳକ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଥିଲା ।

ପିଲାଙ୍କ ଖେଳ

ପିଲାମାନେ ନିଜ ନିଜ ଭିତରେ ମିଶି ଅନେକ ଖେଳ ଖେଳିଥା'ନ୍ତି । ଗିଜୁଭାଇ ସେସବୁ ଖେଳକୁ ବାଳମନ୍ଦିରରେ ମଧ୍ୟ ଖେଳାଉଥିଲେ । ସେ ଅନେକ ପ୍ରକାରର ପିଲାଙ୍କ ଖେଳ ସଙ୍ଗ୍ରହ କରିଥିଲେ ଏବଂ ଆବଶ୍ୟକତା ଅନୁଯାୟୀ ସେଗୁଡିକୁ ବଦଳାଇଥିଲେ । ଏସବୁ ଖେଳ ପିଲାକୁ ଶାନ୍ତ ଏବଂ ବ୍ୟବସ୍ଥିତ କରିବାରେ, ପିଲାମାନଙ୍କ ଭିତରେ ସୁସମ୍ପର୍କ ଆଣିବାରେ, ପିଲା-ଶିକ୍ଷକଙ୍କ ଭିତରେ ସ୍ନେହର ସମ୍ପର୍କ ଯୋଡ଼ିବାରେ ଏବଂ ପିଲାର ଶାରୀରିକ ଓ ମାନସିକ ବିକାଶ ଦିଗରେ ବହୁତ ଉପଯୋଗୀ ଥିଲା ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Tuesday, July 23, 2019

ଶିକ୍ଷା - ଶିକ୍ଷକଙ୍କର ଯୋଗ୍ୟତା

ଶଶିଭୂଷଣ ରାୟ


ପଶ୍ଚିମ ଭାରତର ଇହୁଦି ବେନେ-ଇସ୍ରାଏଲ ଜାତିର ଶିକ୍ଷକ
୧୮୫୫-୧୮୬୨ ମସିହା ମଧ୍ୟରେ ଉତ୍ତୋଳିତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆମ୍ଭମାନଙ୍କ ବିଦ୍ୟାଳୟସମୂହର ଶିକ୍ଷାବ୍ୟବସ୍ଥାର ଓ ସାଧାରଣ ଅବସ୍ଥାର ଏଭଳି କେତେଗୁଡିଏ ତୃଟି ରହିଅଛି, ଯହିଁଁରେ ସମସ୍ତ ବାଳକ-ବାଳିକାଙ୍କ ଚକ୍ଷୁରେ ପ୍ରକୃତ ଜ୍ଞାନ-ବିକାଶ ହେବା ଏକପ୍ରକାର ଅସମ୍ଭବ ହୋଇଥାଏ । କିନ୍ତୁ ଏହି ସମସ୍ତ ତୃଟି ଥିଲେ ମଧ୍ୟ ଯେଉଁମାନଙ୍କ ମଧ୍ୟରେ ଯେଉଁଟିକ ଜ୍ଞାନ-ବିକାଶ ହେବାର ସମ୍ଭାବନା, ବିଦ୍ୟାଳୟର ସାଧାରଣ ଜ୍ଞାନଦାନପ୍ରଣାଳୀ ଦୋଷରୁ ସେତିକି ମଧ୍ୟ ହୁଏ ନାହିଁ । ଶିକ୍ଷକମାନଙ୍କ ହାତରେ ଜ୍ଞାନଦାନର ଭାର ରହିଅଛି, ସୁତରାଂ ଛାତ୍ରମାନଙ୍କୁ ଜ୍ଞାନ-ଲାଭ ଭଲ ନ ହେଲେ ସେଥି ସକାଶେ ଶିକ୍ଷକ ହିଁଁ ଦାୟୀ, ଏ କଥା ସମସ୍ତେ କହିବେ । ଏହାର ପ୍ରତିବାଦ କରିବା ମଧ୍ୟ କଠିନ । କାରଣ, ଦେଶରେ ଭଲ ଏବଂ ପ୍ରବୀଣ ଶିକ୍ଷକ ବଡ ଅଳ୍ପ ।

ଏହି ସଂସାର କ୍ଷେତ୍ରରେ ଯେ ଯେଉଁ କର୍ମ ଅବଲମ୍ୱନ କରିବେ, ସେହି କର୍ମ ଯଥାନିୟମରେ ପରିଚାଳନା ସକାଶେ, ସେହି କର୍ମରେ ସିଦ୍ଧିଲାଭ ସକାଶେ ଯଥାଯୋଗ୍ୟ ଦକ୍ଷତା ଲାଭ କରିବାକୁ ହେଲେ, ଯାହାଙ୍କର ଯେଉଁ ବିଦ୍ୟା-ବିଶେଷର ଅଧିକାରୀ ହେବାର ପ୍ରୟୋଜନ, ତାଙ୍କୁ ଯନ୍ତ୍ର ସହକାରେ ସେହି ବିଦ୍ୟାରେ ଅଧିକାର ଲାଭ କରିବାକୁ ହୁଏ ।

ଦେହତତ୍ତ୍ୱ, ବସ୍ତୁତତ୍ତ୍ୱ, ଚିକିତ୍ସା-ବିଜ୍ଞାନ ପ୍ରଭୃତି ଶାସ୍ତ୍ରରେ ବ୍ୟୁତ୍ପନ୍ନ ନ ହେଲେ ରୋଗ ଚିହ୍ନି, ରୋଗର କାରଣ ଓ ପ୍ରତିକାରର ଉପାୟ ବୁଝି ରୋଗୀର ଔଷଧ-ପଥ୍ୟର ବ୍ୟବସ୍ଥା କେହି କରି ପାରନ୍ତି ନାହିଁ । ସୁତରାଂ ଯେ ଚିକିତ୍ସିତ ହେବେ, ତାଙ୍କୁ ସର୍ବାଗ୍ରେ ସେହି ସବୁ ଶାସ୍ତ୍ରରେ ଜ୍ଞାନଲାଭ କରିବାକୁ ହେବ । ଆଇନ ନ ଜାଣି, ବିଚାର-ପ୍ରଣାଳୀ ନ ବୁଝି କେହି ମକଦ୍ଦମା ଚଳାଇ ପାରନ୍ତି ନାହିଁ; ସୁତରାଂ ଓକିଲ ହେଲେ ପ୍ରଥମରେ ବ୍ୟବସ୍ଥା-ଶାସ୍ତ୍ର ପଢ଼ିବାକୁ ହୋଇଥାଏ । ବିଜ୍ଞାନ ଓ କଳ-କୌଶଳ ଯେ ଆୟତ୍ତ କରିଅଛନ୍ତି, ସେ ଇଞ୍ଜିନିୟର ହେବେ । ବାଣିଜ୍ୟରେ ଦେଶର ଶ୍ରୀ-ସମ୍ପଦ ବୃଦ୍ଧି ଯେ କରିବାକୁ ଇଚ୍ଛୁକ, ତାଙ୍କୁ ଅର୍ଥନୀତି ଶାସ୍ତ୍ରର ତତ୍ତ୍ୱାଧିକାରୀ ହେବାକୁ ପଡିବ । କିରାଣୀ ହେଲେ କିରାଣୀ ବିଦ୍ୟା ଅଭ୍ୟାସ କରିବାକୁ ହେବ ।

ସଂସାରରେ ସମସ୍ତ କର୍ମ ମଧ୍ୟରେ ଶିକ୍ଷା-ଦାନ କର୍ମ କଣ ଏଡ଼େ ସହଜ ଯେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା ଲାଭର ପ୍ରୟୋଜନ ହୁଏ ନାହିଁ ? ଏହା କଣ ଭାତ ଖାଇବା ଭଳି, ଲୁଗା ପିନ୍ଧିବା ଭଳି, ଅଥବା ଶୋଇବା ଭଳି ଗୋଟାଏ 
ସାମାନ୍ୟ କାର୍ଯ୍ୟ ଯେ, ଯେ କେହି ଇଚ୍ଛା କଲେ କରିପାରିବେ ?

ଅବଶ୍ୟ କେବଳ ବର୍ଣ୍ଣ-ବିନ୍ୟାସ ଶିଖାଇବା, ବହି ପଢ଼ାଇବା, ଲେଖାଇବା, ପଢ଼ା ଦେବା ଓ ନେବା, ନ ପାରିଲେ ବେତ୍ରାଘାତ, ଏହି ସବୁ ଯେବେ ଶିକ୍ଷାଦାନ ହୁଏ ଏବଂ ଏଥିରେ ଯେବେ ଶିକ୍ଷା ଦାନ କର୍ମରେ ସିଦ୍ଧିଲାଭ ହୁଏ, ତେବେ ଏହା ଅତ୍ୟନ୍ତ ସହଜ କାର୍ଯ୍ୟ, ସନ୍ଦେହ ନାହିଁ । ଯେ ଯେଉଁ ବହିରୁ ପଢ଼ା ଦିଅନ୍ତି ଓ ନିଅନ୍ତି, ତାଙ୍କର ସେହି ବହିଖଣ୍ଡିକର ସାଧାରଣ ଭାବରେ ବୁଝିବାର ବିଦ୍ୟା ଥିଲେ ତାଙ୍କ ପକ୍ଷରେ ଅବଶ୍ୟ ଯଥେଷ୍ଟ ।

ଜ୍ଞାନ-ଗ୍ରହଣରେ ଓ ଜ୍ଞାନର ଅଧିକାରରେ ବାଳକର ମନ, ମନର ଶକ୍ତି ଓ ବୃତ୍ତିସମୂହର ପୁଷ୍ଟି ଓ ବିକାଶସାଧନ ପ୍ରଭୃତି ହିଁ ଶିକ୍ଷାଦାନର ପ୍ରକୃତ ଉଦ୍ଦେଶ୍ୟ । ବାଳକ ଯହିଁରେ ଦତ୍ତ ଜ୍ଞାନ ମନରେ ଗ୍ରହଣ ଓ ଆୟତ୍ତ କରିପାରିବ, ଯହିଁରେ ଦତ୍ତ ଜ୍ଞାନ ମନରେ ଗ୍ରହଣ ଓ ଆୟତ୍ତ କରିପାରିବ, ଯହିଁରେ କ୍ରମେ କ୍ରମେ ଏହି ଆୟତ୍ତ ଜ୍ଞାନରୁ ବାଳକର ମନୋବୃତ୍ତି ଓ ମାନସିକ ଶକ୍ତି ସମୂହର ନିୟମିତ ସ୍ଫୁରଣ ହେବ, ଶିକ୍ଷକଙ୍କୁ ସେହିଭଳି ଭାବରେ ଶିକ୍ଷାଦାନ କରିବାକୁ ହେବ । ସୁତରାଂ ମନ ପଦାର୍ଥଟି-ମନର ଶକ୍ତି ଓ ବୃତ୍ତିସମୂହର ସ୍ୱାଭାବିକ ପ୍ରକୃତି, ଗତି ଓ କ୍ରିୟା କିପରି, ଶିକ୍ଷକଙ୍କୁ ସର୍ବପ୍ରଥମରେ ବିଶେଷ ଭାବରେ ତାହା ଚିହ୍ନିବାକୁ ହେବ । ଏହା ଉତ୍ତାରୁ ତାହାଙ୍କୁ ଶିଖିବାକୁ ହେବ, କି କୌଶଳରେ ବିଷୟ ପ୍ରତି ବାଳକର ଚିତ୍ତାକର୍ଷଣ ଓ ମନଃସଞ୍ଜୋଗ ହେବ, ମନରେ ଜ୍ଞାନ ଅଙ୍କିତ ହେବ ଏବଂ କିପରି ସେହି ଅଙ୍କିତ ଓ ଗୃହିତ ଜ୍ଞାନ ଅବଲମ୍ୱନରେ ବାଳକର ଚିନ୍ତା ଓ କଳ୍ପନାଶକ୍ତି ପରିଚାଳିତ ଓ ଅନୁଶୀଳିତ ହେବ, କ୍ରମେ କ୍ରମେ କିପରି ତହିଁରୁ ବିଚାର ଓ ଯୁକ୍ତିଶକ୍ତିର ଉନ୍ମେଷ ହେବ । ଜ୍ଞାନର ଅଧିକାରରେ ବାଳକର ଜ୍ଞାନ ପିପାସା କିପରି ବଢ଼ିବ, କେଉଁଠାରୁ କିପରି ଭାବରେ ଜ୍ଞାନାମୃତରସ ଆଣି ସେହି ପିପାସାର ତୃପ୍ତି ସାଧନ କରିବାକୁ ହେବ, ତାହା ଶିକ୍ଷକଙ୍କୁ ଶିଖିବାକୁ ହେବ ।

ଏହା କଅଣ ସବୁ ପ୍ରକାର ଲୋକଙ୍କ କାର୍ଯ୍ୟ ? ବିଶେଷ କୌଣସି ବିଦ୍ୟାର ଆଲୋଚନା ବ୍ୟତୀତ ସହଜରେ ଏହି ଦକ୍ଷତା ଲାଭ କରିବାକୁ କେହି ସମର୍ଥ ନୁହନ୍ତି ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Tuesday, July 02, 2019

ପିଲାଙ୍କ ଢଗଢମାଳି - ୬

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୨୬

ଅଖଳ ମଖଳ ଚିତ୍ତ ଯା'ର
ପଦ୍ମ ପରି ପୁତ ତା'ର ।

ଅର୍ଥ - ଯେଉଁ ବ୍ୟକ୍ତିର ମନ କୂଟକପଟ ଛନ୍ଦବାଦଠାରୁ ଦୂରରେ ରହେ, ତାହାର ଭବିଷ୍ୟତ ଉଜ୍ଜଳ ହୋଇ ଥାଏ ।

୨୭

ଅଖା ଧୋଉ ଥିବ ଗୁଣ ଗାଉ ଥିବ ।
ଅର୍ଥ - କୌଣସି କାମ ବା କଥାର କୁଫଳ ପାଇଁ ସବୁ ଦିନେ ତା'କୁ ମନେ ପକାଇବା । ଏହା ସାଧାରଣତଃ କୁଫଳର ପରିଣାମକୁ ବୁଝାଏ ।

୨୮

ଅଖା ପଟକ
ଏ ଦେଶରେ ଭାବ ନାହିଁ, ଯିବା କଟକ ।
ଅର୍ଥ - ଦୂର ସ୍ଥାନ ଯାହା ହୋଇ ଥାଉନା କାହିଁକି, ତାହାର ସବୁ ସୁନ୍ଦର ଦିଶେ ।

୨୯

ଅଖାଇ ଖାଇ,
ସବୁ ଜଣା ଯାଏ ଯାତରା ଠେଇଁ ।
ଅର୍ଥ - କିଏ କଅଣ ଖାଏ ବା ନଖାଏ ତାହା ଯାତ୍ରାରେ ଜଣା ପଡ଼େ ।

୩୦

ଅଖାଇ ନାନୀ କରିଚି ଓଷା
ଡୋଲିକ ଚାଉଳ ଓଳିକେ ଖାଇଲା
ଦାନ୍ତ ଅଛି ଦରଘଷା
ଅର୍ଥ - ନିଜେ ସବୁ କିଛି କରି କିଛି ନକରିବା ପରି ନିଜକୁ ଦେଖେଇ ହେବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Monday, June 17, 2019

କୁମାରଗୁପ୍ତ ଓ ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ ତଥା ଗୁପ୍ତଯୁଗରେ ଭାରତର ଅବସ୍ଥା  


କେଦାରନାଥ ମହାପାତ୍ର



ଗୁପ୍ତ ସାମ୍ରାଜ୍ୟ ସମୟରେ ନିର୍ମିତ ଲୌହ ସ୍ତମ୍ଭ (ୱିକିମିଡିଆ କମନ୍ସ୍)
ବର୍ତ୍ତମାନ ଦିଲ୍ଲୀର କୁତବ୍ କମ୍ପ୍ଲେକ୍ସ ଭିତରେ ସ୍ଥିତ


କୁମାରଗୁପ୍ତ

ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର କୁମାରଗୁପ୍ତ ଖ୍ରୀ: ୪୧୩ ଠାରୁ ଖ୍ରୀ: ୪୫୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ଥିଲେ ଓ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । 

ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ

ସ୍କନ୍ଦଗୁପ୍ତଙ୍କ ପୂର୍ବରୁ ହୁଣ ନାମକ ଗୋଟିଏ ପାର୍ବତ୍ୟ ନୃଶଂସ ଜାତି ମଧ୍ୟ-ଏସିଆରୁ ଭାରତବର୍ଷକୁ ଆସିଥିଲେ । ସେ ହୁଣମାନଙ୍କୁ ପରାସ୍ତ କରି ଭାରତକୁ ପୁନର୍ବାର ବିଦେଶୀ ଶତୃମାନଙ୍କ ହାତରୁ ରକ୍ଷା କରିଥିଲେ । ସେ ପିତାମହଙ୍କ ତୁଲ୍ୟ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ସେ ଖ୍ରୀ: ୪୫୫ରୁ ଖ୍ରୀ: ୪୬୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ଗୁପ୍ତ ବଂଶ ଦୁର୍ବଳ ହୋଇଗଲା କିନ୍ତୁ ଗୁପ୍ତରାଜାମାନେ ବହୁ କାଳ ଭାରତର ନାନା ସ୍ଥାନରେ ରାଜତ୍ୱ କରିଥିଲେ । 

ଗୁପ୍ତଯୁଗରେ ଭାରତର ଅବସ୍ଥା 

ଗୁପ୍ତମାନଙ୍କ ରାଜତ୍ୱ କାଳରେ ଦେଶ ଶକ, ଯବନ, କୁଶାଣ ପ୍ରଭୃତି ବିଦେଶୀୟମାନଙ୍କ ହସ୍ତରୁ ମୁକ୍ତ ହୋଇଥିଲା । ବହୁ କାଳ ଲୁପ୍ତ ବ୍ରାହ୍ମଣଧର୍ମ ଗୁପ୍ତ ସମ୍ରାଟମାନଙ୍କ ସାହାଯ୍ୟରେ ଦେଶରେ ପୁନଃ-ପ୍ରତିଷ୍ଠିତ ହେଲା । ସଂସ୍କୃତ ସାହିତ୍ୟର ଚର୍ଚ୍ଚା ବୌଦ୍ଧଯୁଗରେ କମି ଯାଇଥିଲା । କିନ୍ତୁ ଗୁପ୍ତଯୁଗରେ ସଂସ୍କୃତରେ ଶତ ଶତ ପୁରାଣ, କାବ୍ୟ, ନାଟକ, ଶିଳାଲିପି, ତାମ୍ରଶାସନ ଲିଖିତ ହୋଇଥିଲା । ମହାକବି କାଳିଦାସ, କବି ହରି ସେନ, ଜ୍ୟୋତିଷାଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଓ ବରାହମିହିର ପ୍ରଭୃତି ଏହି ଯୁଗରେ ଜନ୍ମ ହୋଇଥିଲେ । ଅଜନ୍ତା ଗୁମ୍ପାରେ ଖୋଳା ହୋଇଥିବା ଚିତ୍ରଗୁଡିକ ସମଗ୍ର ପୃଥିବୀବିଖ୍ୟାତ । ଏହି ଯୁଗରେ ଭାରତୀୟମାନେ ବ୍ରହ୍ମଦେଶ, ଶ୍ୟାମ, କାମ୍ୱୋଡିଆ ଓ ଜାଭା, ସୁମାତ୍ରା ପ୍ରଭୃତିରେ ରାଜ୍ୟ ସ୍ଥାପନ କରି ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ଏହି ସମସ୍ତ ଉନ୍ନତି ଯୋଗୁଁ ଗୁପ୍ତ ରାଜତ୍ୱକୁ ‘ସୁବର୍ଣ୍ଣ ଯୁଗ’ ବୋଲି କହନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Wednesday, June 12, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୩'

ଅନୁବାଦକ - ଚିତ୍ତରଞ୍ଜନ ଦାସ


କଙ୍ଗ୍ରେସ କର୍ମୀ ମୃଦୁଲା ସାରାଭାଇଙ୍କ ସହ ମହାତ୍ମା ଗାନ୍ଧୀ (୧୯୪୨ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଲୋକେ ଇଂରେଜୀ ବକ୍ତୃତା ବିନ୍ଦୁବିସର୍ଗ ବୁଝିପାରୁ ନଥିଲେ ହେଁ ସେମାନଙ୍କର ଧୈର୍ଯ୍ୟ ଓ ସହଜାତ ଶିଷ୍ଠାଚାର ଦେଖି ମୁଁ ଆଶ୍ଚର୍ଯ୍ୟନ୍ୱିତ ହୋଇଗଲି । ସେମାନେ ଇଚ୍ଛା କରିଥିଲେ ଗୋଳମାଳ କରିଥାନ୍ତେ ;ମାତ୍ର ସେମାନେ ତାହା କରନ୍ତି ନାହିଁ । ମୋର ଏ କଥାରେ ଆପଣମାନଙ୍କର ସନ୍ଦେହ ହେଉଥିଲେ ଶ୍ରୋତାମାନଙ୍କୁ ହାତ ଉଠାଇବାକୁ କହି ମୁଁ ପ୍ରମାଣ କରିଦେଇପାରେ ଯେ କେତେ ଅଳ୍ପ ଛାତ୍ରମାନଙ୍କ ମଧ୍ୟରୁ କେତେ ଅଳ୍ପ ତାହା ବୁଝିଛନ୍ତି ।

ଆଉ ଗୋଟିଏ ବିଷୟ ପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମୋର ଲୋଭ ହେଉଅଛି । ମୁଁ ଯାହା ଆଦୌ ଆଶା କରି ନଥିଲି ସେପରି ଗୋଟିଏ ଦୃଶ୍ୟ ଆଜି ସକାଳେ ଦେଖିଲେ । ମାଲବୀୟଜୀଙ୍କଠାରୁ ନୀରବ ଆଶୀର୍ବାଦ ଗ୍ରହଣ କରି ତାଙ୍କ ଘର ବାଟେ ଛାତ୍ରମାନେ ଶୋଭାଯାତ୍ରା କରି ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଯାଉଥିଲେ । ସେମାନେ ଯେପରି ଚାଲୁଥିଲେ ସେଥିରୁ ବ୍ୟାୟାମ ଶିକ୍ଷାର ଅତି ପ୍ରାଥମିକ ଜ୍ଞାନର ଅଭାବ ଧରାପଡ଼ିଯାଉଥିଲା । ସୈନ୍ୟମାନଙ୍କ ପରି ଶୃଙ୍ଖଳିତ ଭାବରେ ପାଦ ମିଳାଇ ଓ ମେରୁଦଣ୍ତକୁ ସିଧା କରି ଚାଲିବା ପରିବର୍ତ୍ତରେ ସେମାନେ ବିଶୃଙ୍ଖଳ ଓ ନିର୍ଲକ୍ଷ୍ୟ ଭାବରେ ଯାଉଥିଲେ ।

ବିଶ୍ୱବିଦ୍ୟାଳୟ ପ୍ରକାଣ୍ତ ପ୍ରବେଶ ପଥରେ ଯେଉଁ ଦୃଶ୍ୟ ଆପଣମାନଙ୍କୁ ସ୍ୱାଗତ ଜଣାଏ,ତାହା ବିଷୟରେ ପଦେ ନକହି ମୁଁ ରହିପାରୁ ନାହିଁ । ଚାହିଁବା ମାତ୍ରେ ମାଲବୀୟଜୀଙ୍କୁ ମିଳିଯାଉଥିବା ଅର୍ଥ ଯୋଗୁଁ ଏଠାକାର ସୁଗମ୍ୟ ପ୍ରାସାଦମାଳା ସହିତ ଏହି ତୋରଣର ମଧ୍ୟ ସାମଞ୍ଜସ୍ୟ ଅଛି । ମାତ୍ର ତୋରଣର ଶିଖରରେ ମୁଁ କଅଣ ଦେଖିଲି ? ଇଂରାଜୀରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଧିକ ଭାଗ (ତିନି-ଚତୁର୍ଥାଂଶ) ମାଡ଼ି ବସିଛି । ଯେଉଁ ହିନ୍ଦୀ ଭାଷାରେ ଆପଣମାନେ ଜ୍ଞାନ ଅର୍ଜନ କରିବାର କଥା ସେହି ହିନ୍ଦୀରେ ମାତ୍ର ଏକ-ଚତୁର୍ଥାଂଶ ପରିସରରେ ଲେଖାହୋଇଛି । ଏଠାରେ ଇଂରାଜୀ ଭାଷାର କି ଆବଶ୍ୟକତା ଥିଲା ମୁଁ ବୁଝିପାରୁ ନାହିଁ ଯେଉଁମାନେ ଏହାର ଦାୟିତ୍ୱରେ ଥିଲେ ସେମାନେ ଟିକିଏ ଚିନ୍ତା କରିଥିଲେ ଜାଣିପାରିଥାନ୍ତେ ଯେ ଦେବନାଗରୀ ଓ ପାର୍ଶୀ ଲିପିରେ ଏ ନାମ ଲେଖା ହୋଇଥିଲେ ଠିକ୍ ହୋଇଥାନ୍ତା । ମାଲବୀୟଜୀଙ୍କର ବିଶ୍ୱବିଦ୍ୟାଳୟ ପାଇଁ ଓ ସାର୍ ରାଧାକୃଷ୍ଣନ୍‌ଙ୍କର ସାଂପଦାୟିତ ଐକ୍ୟ ପାଇଁ ଯେଉଁ ଅଭିଳାଷ ଅଛି ଏହି ଲେଖା ଲୋକଙ୍କ ଆଗରେ ଗୋଟିଏ ସଙ୍କେତ ହୋଇଥାନ୍ତା । ହିନ୍ଦୀ ଓ ଉର୍ଦ୍ଦୁ ଉଭୟକୁ ଏ ଅଞ୍ଚଳ ଲୋକେ ବୁଝୁଥିବାରୁ ଏବଂ ଉଭୟ ଲିପି ସହ ପରିଚିତ ହୋଇଥିବାରୁ ଏହା ଶୋଭା ପାଇଥାନ୍ତା । ଇଂରେଜୀ ଶିଖିବାରେ ଆମେ ବହୁକାଳ ନଷ୍ଟ କରିବା ହେତୁ ଆମର ମନ ଜଡ଼ ଓ ସ୍ମୃତିଶକ୍ତି ଓ କଳ୍ପନାଶକ୍ତି ଖର୍ବ ହୋଇଯାଇଛି ।

ହିନ୍ଦୀ କହି ଜାଣି ନଥିବା ଲୋକ ପକ୍ଷରେ ହିନ୍ଦୀ ଓ ହିନ୍ଦୁସ୍ତାନୀ ଶିଖିବା ଆଦୌ କଷ୍ଟକର ନୁହେଁ । ଗୁଜୁରାତୀ,ବଙ୍ଗଳା ବା ମରାଠୀ ଜାଣିଥିବା ଲୋକକୁ ମୁଁ ମାତ୍ର ତିନି ମାସ ମଧ୍ୟରେ ହିନ୍ଦୀ ଶିଖାଇ ଦେଇପାରେ । ଦକ୍ଷିଣ ଭାରତୀୟ ଭାଷା ତାମିଲ,ତେଲୁଗୁ,ମଲୟାଲମ୍ କନ୍ମଦ-ସଂସ୍କୃତ ଶବ୍ଧରେ ପୂର୍ଣ୍ଣ । ଯଦି ଆମ ଭିତରେ ଟିକିଏ ଆଗ୍ରହ ଓ ସ୍ୱଦେଶପ୍ରୀତ ଥାନ୍ତା ,ତେବେ ଦକ୍ଷିଣ ଭାରତୀୟ ଭାଷାପୁଞ୍ଜ ସମେତ ସମସ୍ତ ସଂସ୍କୃତ ସମ୍ଭୁତ ଭାଷାକୁ ଦେବନାଗରୀ ଲିପିରେ ଲେଖିବାକୁ ଆମ୍ଭେମାନେ ଦ୍ୱିଧା କରନ୍ତୁ ନାହିଁ ଏହି ଭାଷାଗୁଡ଼ିକରେ ବହୁ ଶବ୍ଧ ସମାନ ଅଛି । କେବଳ ସେତିକି ନୁହେଁ ମାତ୍ର ଲିପିଗୁଡ଼ିକ ମଧ୍ୟରେ ହଠାତ୍ ଦୃଷ୍ଟିରେ ପଡ଼ିବା ଭଳି ସାମଞ୍ଜସ୍ୟ ମଧ୍ୟ ଅଛି । ଆମ୍ଭମାନଙ୍କର ମନ ଅବସନ୍ନ ହୋଇ ପଡ଼ି ନଥିଲେ ଆମ୍ଭେମାନେ ସହଜରେ ଅଧଡ଼... ଭାରତୀୟ ଭାଷା ଶିଖି ନିଅନ୍ତେ । ପଣ୍ତିତମାନେ ହିନ୍ଦୀରେ ଯେପରି ସଂସ୍କୃତ ଓ ଶବ୍ଦମାନ ଭଳି ଦେଉଛନ୍ତି ସେହିପରି ଉର୍ଦ୍ଦୁ ପାଠୁଆମାନେ ସେଥିରେ ପାର୍ଶୀ ଓ ଆରବୀ ଶବ୍ଦ ଖନ୍ଦି ଦେବାକୁ ଗର୍ବ ଅନୁଭବ କରୁ ନଥିଲେ ଉର୍ଦ୍ଦୁ ଶିଖିବା କଷ୍ଟକର ହୁଅନ୍ତା ନାହିଁ ।

ଆଉ ଗୋଟିଏ କଥା ଆପଣମାନଙ୍କୁ କହିଥାଏଁ । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ପରମ୍ପରା ଏହାର ପାର୍ଥକ୍ୟ ସୂଚକ ଅଭିବ୍ୟକ୍ତି ଥିବା ଆଶା କରାଯାଏ । ଉଦାହରଣ ସ୍ୱରୂପ ଅକ୍‌ସଫୋର୍ଡ ଓ କ୍ୟାମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟ ପାଶ୍ଚାତ୍ୟ ସଭ୍ୟତାର ବ୍ଲଟିଂ ପେପର (ଗ୍ରୁପା କାଗଜ) । ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଅଛୁଁ ବୋଲି ଆତ୍ମପ୍ରସାଦ ଲାଭ କରିଛୁଁ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲୋକସାଧାରଣଙ୍କର ଅଭାବ ଅସୁବିଧା ବା ଆବଶ୍ୟକତାକୁ ପ୍ରତିଫଳିତ ଓ ପୁରାଣ କରୁଛନ୍ତି କି? ଆପଣଙ୍କର ଏହି ବିଦ୍ୟାଳୟ ବିଶେଷତ୍ୱ ଏହା ଯେ ଏଠାରେ ଯେଉଁ ଇଞ୍ଜିନିୟରିଂ ଓ ଟେକ୍‌ନୋଲଜୀ ଶିକ୍ଷା ଦିଆଯାଏ ,ତାହା ଅନ୍ୟ କୁ ମାପି ନାହିଁ । ଏହାକୁ ମୁଁ ଗୋଟିଏ ବିଶେଷତ୍ୱ ବୋଲି ବିଚାର ନାହିଁ । ମୁଁ ଗୋଟିକର ସୂଚନା ଦେଉଛି । ଆଲିଗଡ଼ରୁ ଯୁବକ ବିଦ୍ୟାର୍ଥୀମାନଙ୍କୁ ଆପଣମାନଙ୍କର ବିଶ୍ୱବିଦ୍ୟାଳୟକୁ ଆକର୍ଷଣ କରିପାରିଛନ୍ତି କି? ସେମାନଙ୍କ ସହିତ ଆପଣମାନେ ନିଜକୁ ମିଳାଇ ଦେଇପାରିଛନ୍ତି କି? ମୁଁ ମନେ କରୁଛି ଯେ ତାହା ହିଁ ଆପଣମାନଙ୍କର ବିଶ୍ୱବିଦ୍ୟାଳୟର ବିଶେଷ ଅବଦାନ ଖାସ କାର୍ଯ୍ୟ ହେଉ । ଈଶ୍ୱର ମାଲବୀୟଜୀଙ୍କୁ ଆମ ଭିତରେ ଆଉ କେତେ ବର୍ଷ ରଖିଲେ ଅର୍ଥ ଆସିବ, ଅର୍ଥ ଅଧିକ ଆସିବ, ମାତ୍ର ମୁଁ ଯେଉଁ ଅଲୌକିକ କାର୍ଯ୍ୟ ଚାହୁଁଛି- ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ହୃଦୟର ମିଳନ-ତାହା ପଇସା ଦ୍ୱାରା ହୋଇ ପାରିବ ନାହିଁ । 

ମୁସଲମାନମାନଙ୍କୁ ଏଠାକୁ ନିମନ୍ତ୍ରଣ କରି ଆଣନ୍ତୁ ଏବଂ ସେମାନେ ଉକ୍ତ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ, ଆପଣମାନେ ମନରେ କିଛି ଧରନ୍ତୁ ନାହିଁ । ଲୋକମାନ୍ୟ ତିଳକଙ୍କର ଗଣନାରେ ଯେଉଁ ସଭ୍ୟତା ଦଶ ହଜାର ବର୍ଷର ପୁରୁଣା ବା ଅନ୍ୟମାନଙ୍କର ଗଣନାରେ ଆହୁରି ପୁରୁଣା, ଆପଣମାନେ ସେହି ମହାନ୍ ସଭ୍ୟତାର ପ୍ରତିନିଧି । ସେହି ସଭ୍ୟତାର ବିଶେଷ ଅବଦାନ ହେଉଛି ସାରା ସଂସାରକୁ ମିତ୍ର କରିବା । ପବିତ୍ର ଗଙ୍ଗାନଦୀ ପରି ଆମର ସଭ୍ୟତା ବାହାରର ବହୁ ଧାରାକୁ ନିଜ ଭିତରେ ମିଳାଇ ନେଇଛି ଏବଂ‌ ମୋର ନିବେଦନ ଯେ ଯେଉଁ ହିନ୍ଦୁ ବିଶ୍ୱବିଦ୍ୟାଳୟ ହିନ୍ଦୁ ସଂସ୍କୃତ ଓ ସଭ୍ୟତାର ପ୍ରତିନିଧିତ୍ୱ କରିବାକୁ ଯତ୍ନ କରୁଛି । ଅନ୍ୟ ସଂସ୍କୃତରେ ଯାହା କିଛି ଉତ୍କଷ୍ଟ ରହିଛି, ସେଗୁଡ଼ିକ ସ୍ୱାଗତ କରୁ ଓ ନିଜ ଭିତରେ ସମାବିଷ୍ଟ କରିନେଉ ଏବଂ ସାଂପ୍ରଦାୟିକ ଐକ୍ୟ ଓ ସଂପ୍ରୀତିର ଆଦର୍ଶ ହେଉ । ଏପରି ଗଢି ଉଠିବାକୁ ଇଂରେଜୀ ସାହାଯ୍ୟ କରିବ ନାହିଁ । ଆମର ପ୍ରାଚୀନ ଜ୍ଞାନ ଆମର ଧର୍ମଶାସ୍ତ୍ରଗୁଡ଼ିକୁ ଯଥୋଚିତ ଭାବରେ ଆମେ ଅଧ୍ୟୟନ କଲେ ଓ ସେଗୁଡ଼ିକ ମର୍ମ ବୁଝିଲେ-ଆପଣମାନଙ୍କର ସହାୟକ ହେବ ।

ଆଉ ପଦେ କହି ମୋର ବକ୍ତବ୍ୟ ଶେଷ କରିବି । ଆପଣମାନେ ପ୍ରାସାଦୋପମ ଛାତ୍ରାବାସରେ ରହୁଛନ୍ତି ; ମାତ୍ର ପଣ୍ତିତଜୀ ଯେଉଁ କ୍ଷୁଦ୍ର କୁଟୀରରେ ଅତି ସାଦାସିଧା ଭାବରେ ଓ ନିରାଡ଼ମ୍ୱର ଭାବରେ ରହନ୍ତି ତାକୁ ଦେଖନ୍ତୁ । ତାଙ୍କ କୋଠରୀ ଭିତରକୁ ଯାଇ ଦେଖନ୍ତୁ କୌଣସି ସାଜସଜ୍ଜା ନାହିଁ ଏବଂ ଅତି ସାମାନ୍ୟ ଉପକରଣ । ଆପଣମାନେ ତାଙ୍କର ଉତ୍ତରାଧିକାରୀ ହେବେ ତାଙ୍କର ଜୀବନର ଅନୁକରଣରେ ନିଜର ଜୀବନ ଗଢ଼ନ୍ତୁ । ଆପଣମାନଙ୍କ ମଧ୍ୟରୁ ଅନେକେ ଦରିଦ୍ର ପିତାମାତାଙ୍କର ସନ୍ତାନ । ଦରିଦ୍ର ଲୋକଙ୍କର ପ୍ରତିନିଧିତ୍ୱ ଆପଣମାନେ କରିବେ, ଏକଥା ଭୁଲିଯାନ୍ତୁ ନାହିଁ । ତେଣୁ ଅୟସ-ବିଳାସର ଜୀବନ ଆମ ଦେଶର ଦାରିଦ୍ର୍ୟ ସହ ଖାପ୍ ଖାଏ ନାହିଁ । ମାଲବୀୟଜୀଙ୍କର ପରି ଆପଣମାନେ ପ୍ରତ୍ୟେକେ ସରଳ ଜୀବନ ଯାପନ ଓ ମହାନ୍ ଚିନ୍ତନର ପ୍ରତିମୂର୍ତ୍ତି ହେଉନ୍ତୁ । ମୋର ବକ୍ତବ୍ୟ ଯଦି ଆପଣମାନଙ୍କର ହୃଦୟକୁ ସ୍ପର୍ଶ କରିଛି , ତେବେ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଭଗବାନ ପ୍ରଜ୍ଞା ଓ ଦୀର୍ଘାୟୁ ଆପଣମାନଙ୍କୁ ଦିଅନ୍ତୁ ।

ହରିଜନ ,ତା ୧--୧୯୪୨