Thursday, August 01, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷା କିପରି ହେବା ଉଚିତ

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୮୦୧ ମସିହାରେ ଅଙ୍କିତ ଇଟନ ବିଦ୍ୟାଳୟର ଦୃଶ୍ୟ (ୱିକିମିଡିଆ କମନ୍ସ୍)


ପାଶ୍ଚାତ୍ୟ ଦେଶଗୁଡ଼଼ିକରେ ଶିକ୍ଷାର ମୂଲ୍ୟ ଏତେ ବେଶୀ ଯେ, ବଡ଼ ବଡ଼ ଶିକ୍ଷକଙ୍କୁ ବହୁତ ସମ୍ମାନ ମିଳେ । ଇଂଲଣ୍ତରେ ଆଜି ମଧ୍ୟ ଶହ ଶହ ବର୍ଷର ପୁରୁଣା ସ୍କୁଲମାନ ଅଛି ଏବଂ ଏଥିରୁ ବହୁ ପ୍ରସିଦ୍ଧ ବ୍ୟକ୍ତି ବାହାରିଛନ୍ତି । ଏହି ପ୍ରସିଦ୍ଧ ସ୍କୁଲମାନଙ୍କ ମଧ୍ୟରୁ ଇଟନ ଗୋଟିଏ । ସେହି ସ୍କୁଲର ପୁରାତନ ଛାତ୍ରମାନେ କେତେ ମାସ ପୂର୍ବରୁ ସେଥିର ପ୍ରଧାନ ଅଧ୍ୟାପକ ଡକ୍ଟର ୱେରଙ୍କୁ ଅଭିନନ୍ଦନ ଜଣାଇଥି୍ଲେ । ସାରା ଇଂରେଜୀଭାଷୀ ଦୁନିଆରେ ତାଙ୍କର ଖ୍ୟାତି ଅଛି । ସେହି ସମୟରେ ସେଠାକାର ପ୍ରସିଦ୍ଧ ସମ୍ୱାଦପତ୍ର 'ଫଲମଲ୍ ଗେଜଟ୍' ପ୍ରକୃତ ଶିକ୍ଷାର ଯାହା ବର୍ଣ୍ଣନା କରିଥିଲେ ତାହା ଆମ ସମସ୍ତଙ୍କର ଜାଣିବା ଆବଶ୍ୟକ । 
'ଫଲମଲ୍ ଗେଜେଟ୍‌'ର ଲେଖକ କହୁଛନ୍ତି –

'ପୁରୁଣା ବା ବର୍ତ୍ତମାନ ପୁସ୍ତକଗୁଡ଼ିକରୁ ଜ୍ଞାନ ଅର୍ଜନ କରିବା ପ୍ରକୃତ ଶିକ୍ଷାର ଅର୍ଥ ନୁହେଁ ଏହା ଆମେ ସ୍ୱୀକାର କରୁଅଛୁଁ । ପ୍ରକୃତ ଶିକ୍ଷା ବାତାବରଣରେ ଥାଏ, ନିକଟବର୍ତ୍ତୀ ପରିପାର୍ଶ୍ୱରେ ଥାଏଯେଉଁ ସାଙ୍ଗସାଥୀମାନଙ୍କଠାରୁ ଆମେ ଜ୍ଞାତସାରରେ ବା ଅଜ୍ଞାତସାରରେ ନାନା ଅଭ୍ୟାସ ଶିଖୁଁ ଓ ଯେଉଁମାନଙ୍କ ସହ କାର୍ଯ୍ୟ କରୁ ସେମାନଙ୍କ ଠାରୁ ଶିକ୍ଷା ପାଇଥାଉଁ । ଆମେ ଉତ୍ତମ ପୁସ୍ତକମାନ ପଢ଼ିବା ବା ଅନ୍ୟ ଉତ୍ସରୁ ସଙ୍ଗ୍ରହ କରି ଜ୍ଞାନ ବଢ଼ାଇବା ଆମମାନଙ୍କର ଉଚିତ । ମାତ୍ର ମନୁଷ୍ୟତା ଶିଖିବା ଆମ ପକ୍ଷରେ ଅଧିକ ଆବଶ୍ୟକ ଅଟେ । ଏଥିପାଇଁ ଶିକ୍ଷାର ପ୍ରକୃତ କାର୍ଯ୍ୟ ହେଉଛି ମନୁଷ୍ୟତା ଶିଖାଇବା, ବର୍ଣ୍ଣମାଳା ଶିଖାଇବା ନୁହେଁ । ଆରିଷ୍ଟଟ୍‌ଲ କହି ଯାଇଥିଲେ ଯେ, ମୋଟା ମୋଟା ବହି ପଢ଼ିଲେ ସଦ୍‌ଗୁଣ ଆସିଯାଏ ନାହିଁ, ସତକର୍ମ କଲେ ଯାଇ ସଦ୍‌ଗୁଣ ଜନ୍ମେ । ଆଉ ଜଣେ ମହାନ୍ ଲେଖକ କହିଛନ୍ତି ଯେ, ଆପଣଙ୍କର କୌଣସି ବିଷୟକୁ ଉତ୍ତମ ରୂପେ ଜାଣିବା ତ ଠିକୁ ଅଟେ । କିନ୍ତୁ ଆପଣ ଠିକ୍ ରୂପେ ତାହା ଆଚରଣ କଲେ ଯାଇ ସୁଖୀ ହେବେ । ଏହି ମାପକାଠିରେ ଇଂଲଣ୍ତର ସ୍କୁଲଗୁଡ଼ିକ ଊଣା ଯୋଗ୍ୟ ତାହା ନୁହେଁ । ମନୁଷ୍ୟ-ନିର୍ମାଣର ସ୍ଥାନ ରୂପେ ଯଦି ଆମେ ଇଂଲଣ୍ତର ସ୍କୁଲଗୁଡ଼ିକୁ ବିଚାର କରୁ ତେବେ ଦେଖିବୁ ଯେ, ଏଗୁଡ଼ିକ ଆମକୁ ଶାସନକର୍ତ୍ତା ଯୋଗାଉଛନ୍ତି । ଜର୍ମାନ୍ ସ୍କୁଲଗୁଡ଼ିକର ଛାତ୍ରମାନଙ୍କର ଜ୍ଞାନ ଯେତେ ଅଧିକ ହେଲେ ହେଁ ଯଦି ଇଟନ ସ୍କୁଲ ପରି ସମାନ କାର୍ଯ୍ୟ ସେଗୁଡ଼ିକଠାରୁ ଆମେ ଚାହୁଁ, ତେବେ ସେ ଦକ୍ଷତା ଆମେ ସେଥିରୁ ପାଇବୁଁ ନାହିଁ । ଇଂଲଣ୍ତର ସ୍କୁଲଗୁଡ଼ିକରେ ଆଉ ଯେତେ ଦୋଷ ଥାଉ ପଛକେ, ସେଗୁଡ଼ିକ ପ୍ରକୃତ ମନୁଷ୍ୟ ଗଢ଼ୁଛନ୍ତି । ସେଗୁଡିକ ଏପରି ଲୋକ ଗଢ଼ୁଛନ୍ତି ଯେ ଯଦି ଇଂଲଣ୍ତର ଦ୍ୱାରଦେଶରେ ଅନ୍ୟ ଲୋକ (ଶତୃ?)ପହଞ୍ଚିଯା'ନ୍ତି, ତେବେ ସେମାନଙ୍କୁ ଜବାବ୍ ଦେବାକୁ ପ୍ରସ୍ତୁତ ଥାନ୍ତି ।'

ଯେଉଁ ଦେଶରେ ଶିକ୍ଷାର ଏଡ଼େ ସୁନ୍ଦର ଅର୍ଥ କରାଯାଉଛି, ସେ ଦେଶ କାହିଁକି ସମ୍ପଦଯୁକ୍ତ ତାହା ଅବିଳମ୍ୱେ ଆମେ ବୁଝିପାରିବୁଁ । ଏପରି ଶିକ୍ଷା ଯଦି ଭାରତର ବାଳକମାନେ ପାଇବେ, ତେବେ ଭାରତର ଭାଗ୍ୟ ଫେରିଯିବ । ପିତାମାତା ଶିକ୍ଷକ ଓ ଛାତ୍ରମାନେ ସମସ୍ତେ ଏହି ଉକ୍ତି ପ୍ରତି ଧ୍ୟାନ ଦେବା ଆବଶ୍ୟକ । କେବଳ ଏ କଥାକୁ ଜାଣିଲେ ଯଥେଷ୍ଟ ହେବ ନାହିଁ । ତଦନୁସାରେ କାର୍ଯ୍ୟ କରି ଦେଖାଇବା ଉଚିତ । ଉଦ୍ଦେଶ୍ୟ ହେଉଛି ପିତାମାତାଙ୍କର ସନ୍ତାନମାନଙ୍କୁ ସେହିପରି ସୁନ୍ଦର ଶିକ୍ଷା ଦେବା ଉଚିତ । ଅକ୍ଷରଜ୍ଞାନକୁ ଶିକ୍ଷା କୁହଯ।ଏ ନାହିଁ, ଏହା ବୁଝି ଶିକ୍ଷକ ମାନଙ୍କର ନିଜର ଦାୟିତ୍ୱ ସମ୍ପାଦନ କରିବା ଉଚିତ ।

ଗୁଜୁରାତୀ ଇଣ୍ତିଆନ୍ ଓପିନିୟନ୍ ତା ୧୮--୧୯୦୭

Tuesday, July 30, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ପ୍ରକୃତି ପରିଚୟ ଓ ଭ୍ରମଣ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଚିତ୍ର - 'ଉତ୍ତର ଭାରତରେ ଜ୍ୟୋତ୍ସ୍ନାସିକ୍ତ ରାତିରେ ବରଗଛ ତଳେ କିଛି ହାତୀ ଓ ମଣିଷ' 
ଚିତ୍ରକର - ଅଗସ୍ତ୍ ବୋର୍ଜେଟ୍ (୧୮୦୯ - ୧୮୭୭)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରକୃତି ପରିଚୟ


ପିଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରକୃତି ପରିଚୟ ନିହାତି ଆବଶ୍ୟକ ବୋଲି ଗିଜୁଭାଇ ମନେ କରୁଥିଲେ। ଏଥି ପାଇଁ ବାଳମନ୍ଦିରରେ ପକ୍ଷୀ ନିରୀକ୍ଷଣପ୍ରାଣୀ ଚିହ୍ନଟଠେକୁଆ ପାଳନକୀଟପତଙ୍ଗ ପାଳନଚଢ଼େଇ ବସା ଖୋଜା ଓ ଦେଖା ଆଦି କାର୍ଯ୍ୟକ୍ରମ କରାଯାଉଥିଲା । ବାଳମନ୍ଦିର ସ୍କୁଲର ପରିବେଶ ଦେଖିଲେ ବି ଗିଜୁଭାଇଙ୍କର ପ୍ରକୃତି ପ୍ରେମର ପରିଚୟ ମିଳେ ।

ଭ୍ରମଣ 

ଆଖପାଖର ଛୋଟ ଛୋଟ ଜାଗାକୁ ବୁଲିଯିବା ବି ବାଳମନ୍ଦିରର ନିୟମିତ କାର୍ଯ୍ୟକ୍ରମ ଭିତରେ ରହୁଥିଲା । ଏସବୁ ଭ୍ରମଣ ପୂରା ଯୋଜନାବଦ୍ଧ ଭାବରେ କରାଯାଉଥିଲା । ଭ୍ରମଣ ସମୟରେ ଗିଜୁଭାଇ ପିଲାଙ୍କ ମନସ୍ୱଭାବହାବଭାବ ଏବଂ ବ୍ୟକ୍ତିତ୍ୱକୁ ନିରନ୍ତର ନିରୀକ୍ଷଣ କରୁଥିଲେ । ପିଲାଙ୍କୁ ବିଭିନ୍ନ ଜାଗା ବୁଲାଇବା ବେଳେ ଗିଜୁଭାଇ ସେ ଜାଗା ସବୁ ବିଷୟରେ ଅନେକ ତଥ୍ୟ ଦେଉଥିଲେ ଏବଂ ଅନ୍ୟ ମଜା ମଜା କଥା ବି କହୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭା ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, July 29, 2019

ଶିକ୍ଷକତା କାହିକିଁ ?

ଶଶିଭୂଷଣ ରାୟ


ଚିତ୍ର - 'ଦି ସ୍କୁଲ୍‌ମାଷ୍ଟର୍' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ଅଟୋ ରେଥେଲ୍ (୧୮୨୨ - ୧୮୯୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଯେ ମେଧାବୀ, ତୀକ୍ଷ୍‌ଣବୁଦ୍ଧି ବିଶିଷ୍ଟ, ମନସ୍ୱୀ ଓ ପଣ୍ଡିତ, ସେ ଯେବେ ଶିକ୍ଷକତାକୁ ଜୀବନର ବୃତ୍ତି ଓ ବ୍ରତ ରୂପେ ଗ୍ରହଣ କରିବାକୁ ଅଭିଳାଷୀ ହୁଅନ୍ତି, ଯେବେ ସେହି ବ୍ରତର ପୂର୍ଣ୍ଣ ପରିଚାଳନ ସକାଶେ ଅଥବା ସେହି ବ୍ରତରେ ସିଦ୍ଧିଲାଭ ସକାଶେ ଯତ୍ନଶୀଳ ହୁଅନ୍ତି, ଶିକ୍ଷା-ବିଜ୍ଞାନ-ଶାସ୍ତ୍ରାଲୋଚନାରେ ଯତ୍ନଶୀଳ ହୋଇ ଯେବେ ସେହି କାର୍ଯ୍ୟରେ ସେ ବ୍ରତୀ ହୁଅନ୍ତି, ତେବେ ତାଙ୍କଦ୍ୱାରା ପ୍ରକୃତ ଶିକ୍ଷାଦାନ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଶିକ୍ଷାରେ ଯେବେ ବାଳକର ପ୍ରକୃତ ମାନସିକ ଉନ୍ନତି କରିବାକୁ ହୁଏ, ତେବେ ଏହି ପ୍ରକାର ଶିକ୍ଷକ ହିଁ ଆବଶ୍ୟକ ।

ଦୁର୍ଭାଗ୍ୟକ୍ରମେ ଜ୍ଞାନ ଓ ଶକ୍ତିରେ ଉତ୍ତମ ବ୍ୟକ୍ତିଙ୍କ କଥା ଦୂରେ ଥାଉ, ମଧ୍ୟମ କାହିଁକି କୌଣସି ଅଧମ ବ୍ୟକ୍ତି ମଧ୍ୟ ଶିକ୍ଷକ ହେବାକୁ ଆଗ୍ରହାନ୍ୱିତ ନୁହନ୍ତି । ଜୀବନର ବୃତ୍ତି ଓ ବ୍ରତ ରୂପେ ଶିକ୍ଷକତା ଗ୍ରହଣ କରନ୍ତି-ଏ ଭଳି ଲୋକ ଅତି ଅଳ୍ପ ।

ଅବଶ୍ୟ ଦେଶରେ ଶିକ୍ଷକର ଅଭାବ ନାହିଁ । ଦେଶରେ ଅସଙ୍ଖ୍ୟ ବିଦ୍ୟାଳୟ, ସର୍ବତ୍ର ହିଁ ପ୍ରୟୋଜନାନୁସାରେ ଶିକ୍ଷକ ରହିଅଛନ୍ତି, ଆବଶ୍ୟକ ହେଲେ ପ୍ରୟୋଜନରୁ ଅତିରିକ୍ତ ଶିକ୍ଷକ ମଧ୍ୟ ମିଳନ୍ତି । କେହି ଡେପୁଟି, ଓକିଲ, ବଡ଼ ହାକିମ ଅଥବା କିରାଣୀ ହେବେବିଶ୍ୱବିଦ୍ୟାଳୟର ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ମଧ୍ୟରେ ପ୍ରାୟ ସମସ୍ତଙ୍କ ମନରେ ଏହିପରି ଗୋଟାଏ ଆଶା ଓ ଆକାଂକ୍ଷ୍ୟା ରହିଥାଏ । ଯେତେ ଦିନ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ, ସେତେ ଦିନ କିଛି ଅର୍ଥୋପାର୍ଜନ ହୋଇପାରିବ ଏବଂ ତହିଁ ସଙ୍ଗେ ସଙ୍ଗେ ଆକାଂକ୍ଷିତ ପଦଲାଭ ସକାଶେ ପରୀକ୍ଷାଦିନ ପ୍ରଭୃତି ହୋଇପାରିବ, ଏ ଭଳି କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେଲେ, ସେମାନଙ୍କର ସମ୍ପୂର୍ଣ୍ଣ ସୁବିଧା ହୁଏ । ସ୍କୁଲ ଅନେକ, ଶିକ୍ଷକ ମଧ୍ୟ ଅନେକ ଆବଶ୍ୟକ ।...
ଏହି ଶ୍ରେଣୀର ଶିକ୍ଷକ ବ୍ୟତୀତ ଆଉ ଏକ ଶ୍ରେଣୀର ଶିକ୍ଷକ ଦୃଷ୍ଟ ହୁଅନ୍ତି । ଆମ୍ଭମାନଙ୍କର ଶିକ୍ଷାର୍ଥୀ ବାଳକ ଓ ଯୁବକମାନଙ୍କ ମଧ୍ୟରେ ଅତ୍ୟଳ୍ପ ଲୋକଙ୍କ ଜୀବନର ଗୋଟିଏ ସ୍ଥିର ଲକ୍ଷ୍ୟ ସେହି ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହେବାର ଚେଷ୍ଟା ଦୃଷ୍ଟ ହୁଏ । ଭବିଷ୍ୟତରେ କଅଣ ହେବ, କଅଣ କରିବାକୁ ହେବ, କାହିଁରେ ଜୀବନ ସାର୍ଥକ ହେବ, ଏ ସମସ୍ତ ଚିନ୍ତା କେହି କରନ୍ତି ନାହିଁ । ସମସ୍ତେ ପଢ଼ନ୍ତି, ଅଭିଭାବକ ସ୍କୁଲକୁ ପ୍ରେରଣ କରନ୍ତି ବୋଲି ପଢ଼ନ୍ତି । ଯେତେ ଦିନ ପଢ଼ାପଢ଼ି ଚାଲୁଥାଏ, ଅଥବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଥାଏ, ସେତେ ଦିନ ପର୍ଯ୍ୟନ୍ତ ଏମାନେ ପଢ଼ନ୍ତି । ଯେତେବଳେ ପଢ଼ାପଢ଼଼ି ଅଚଳ ହୁଏ, ପ୍ରତିବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବିରକ୍ତ ହୋଇଥାଆନ୍ତି, ଅଥବା ବୁଝନ୍ତି, ଆଉ ପଢ଼ାପଢ଼ି କରି କୌଣସି ଲାଭ ନାହିଁ, ସେତେବେଳେ ଏମାନେ ପାଠ ପରିତ୍ୟାଗ କରି ବାହାର ହୁଅନ୍ତି । ଏହି ସମୟରେ ପରିବାରର ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ଦାୟିତ୍ୱ ଏମାନଙ୍କ ମଧ୍ୟରୁ ଅନେକଙ୍କ ସ୍କନ୍ଧରେ ନ୍ୟସ୍ତ ହୋଇଥାଏ । ଅର୍ଥୋପାର୍ଜ୍ଜନ ସକାଶେ କିଛି କରିବା ଆବଶ୍ୟକ, ଅନ୍ୟ ଚାକିରୀ ଅପେକ୍ଷା ଶିକ୍ଷକତା ସହଜରେ ମିଳେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା-ଲାଭର ପ୍ରୟୋଜନ ବି ହୁଏ ନାହିଁ; ସୁତରାଂ ତାହା ହିଁ ଆଦରି ନିଅନ୍ତି । ଏମାନଙ୍କର ସୌଭାଗ୍ୟ ଫଳରୁ ଯେବେ ଅନ୍ୟ କିଛି ପାଆନ୍ତି, ତେବେ ସେହି ମୁହୂର୍ତ୍ତରେ ଶିକ୍ଷକତା ଛାଡି ଚାଲିଯାଆନ୍ତି ।

ଯେଉଁମାନେ ପ୍ରତିଭାଶାଳୀ, ସେମାନେ ପ୍ରାୟତଃ ଶିକ୍ଷକ ହେବାକୁ ଆସନ୍ତି ନାହିଁ, ଆସିଲେ ମଧ୍ୟ ତାହା ଦୁଇ ଦିନ ପାଇଁ ଅନ୍ୟ କାର୍ଯ୍ୟ ଚେଷ୍ଟାର ଅବସରରେ କିଛି ଅର୍ଥ ଉପାର୍ଜ୍ଜନ ସକାଶେ । ଯେଉଁମାନଙ୍କର ପ୍ରତିଭାର ଅଭାବ, ଅଥବା ପ୍ରତିଭାଶାଳୀ ହେଲେ ହେଁ ଦୈବ ଯେଉଁମାନଙ୍କର ପ୍ରତିକୂଳ, ସେମାନେ ଆକାଂକ୍ଷିତ ପଦଲାଭରେ ଅସମର୍ଥ ହୋଇ ଅନିଚ୍ଛା ଓ ଅସନ୍ତୁଷ୍ଟ ଚିତ୍ତରେ ଶିକ୍ଷକତା କରୁଥାଆନ୍ତି । ଆଉ ଯେଉଁମାନେ ଶିକ୍ଷକତା କରନ୍ତି, ସେମାନଙ୍କ ଜୀବନ ସାଧାରଣତଃ ଲକ୍ଷ୍ୟହୀନ, ମନ ଚିନ୍ତାହୀନ, ହୃଦୟ ଉଚ୍ଚଭାବଶୂନ୍ୟ ଓ ଆକାକ୍ଷାଂବିହୀନ, ପ୍ରକୃତି ବଳୟ ଓ ଅବସ୍ଥା ଦୁର୍ବଳ, ପ୍ରାଣ ନିରୁଦ୍ୟମ ଓ ତିରୁତ୍ସାବବିଶିଷ୍ଟ । କିଛି ଗୋଟାଏ କରିବାକୁ ହେବ, ଶିକ୍ଷକତା ସହଜରେ ମିଳିଗଲା, ସୁତାରଂ ତାହା କଲେ । 

ଏହା ହିଁ ଯେତେବେଳେ ଶିକ୍ଷକତା ବୃତ୍ତିର ସାଧାରଣ ଅବସ୍ଥା, ଯେତେବେଳେ ଅଧିକାଂଶ ଶିକ୍ଷକତା କରିବାକୁ ଅନିଚ୍ଛୁକ, ଯେଉଁମାନେ ହୁଅନ୍ତି, ସେମାନଙ୍କର ବିଶେଷ ଗରଜ ନ ପଡ଼ିଲେ ଶିକ୍ଷକ ହେବେ ନାହିଁ; ସୁତରାଂ ଭଲ ରୂପେ ଶିକ୍ଷାଦାନ କରିବା ସକାଶେ ସେମାନେ ଯେ ବିଶେଷ ଭାବରେ ଯତ୍ନଶୀଳ ହେବେ ଅଥବା ଚିନ୍ତା କରିବେ, ଶିକ୍ଷା-ବିଜ୍ଞାନର ଆଲୋଚନାରେ କଷ୍ଟ ସ୍ୱୀକାର କରିବେ, ଏହା ଆଶା କରିବା ବିଡମ୍ୱନା ମାତ୍ର । ଯେଉଁ କାର୍ଯ୍ୟରେ ମନର ଆଗ୍ରହ ନାହିଁ, ଜୀବନରେ ସାର୍ଥକତା ବୋଧ ନାହିଁ, ପ୍ରାଣର ପ୍ରକୃତ ତୃପ୍ତି ନାହିଁ, ସେ କାର୍ଯ୍ୟରେ କେହି ଯତ୍ନଶୀଳ ହୋଇପାରିବେ ନାହିଁ । 

ଶିକ୍ଷକଙ୍କୁ ଗାଳି ଦେଲେ ଏ ଦୋଷ ଘୁଞ୍ଚିବ ନାହିଁ, ବୁଝାଇ ବାଧ୍ୟ କରି କାର୍ଯ୍ୟ ଆଦାୟର ଚେଷ୍ଟା ମଧ୍ୟ ବୃଥା । କାହିଁକି ପ୍ରତିଭାଶାଳୀ ବ୍ୟକ୍ତି ଶିକ୍ଷକ ହେବାକୁ ଅନିଚ୍ଛୁକ, ଆମ୍ଭମାନଙ୍କୁ ସେତିକି ଦେଖିବାକୁ ହେବ । ସେମାନେ କିପରି ଶିକ୍ଷକ ହେବେ, କିପରି ସେମାନଙ୍କ ଚିନ୍ତା ଏଥିରେ ଆକୃଷ୍ଟ ହେବ, କିପରି ସେମାନଙ୍କ ମନରେ ଆଗ୍ରହ ଜନ୍ମିବ, କିପରି ସେମାନଙ୍କ ଜୀବନର ଆକାଂକ୍ଷାର ପୂର୍ଣ୍ଣତାରେ ପ୍ରାଣ ତୃପ୍ତ ହେବ, ଆମ୍ଭମାନଙ୍କୁ ଏହା ଦେଖିବାକୁ ହେବ ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Sunday, July 28, 2019

ପିଲାଙ୍କ ଢଗଢମାଳି - ୭

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଏଡିନବରାର ଗୋଲକଧନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୩୧

ଅଖାଇ ନାନୀ ଖାଏ ନାହିଁ
ଖାଇଲେ ଦେହରେ ଯ।ଏ ନାହିଁ ।

ଅର୍ଥ - ନିଜେ ଯାହା ନ କରିବା ଏବଂ ଅନ୍ୟକୁ ତାହା କରାଇ ନ ଦେବା । ନିଜର ଭଲମନ୍ଦ ବିଚାର ଆଧାରରେ ଅନ୍ୟକୁ ଦେଖିବା ।

୩୨

ଅଖାଇ ରଙ୍କୁଣୀ ନ ଖାଏ ଭାତ
ମାରି ଦଉଥାଏ ପିହାଣ ସାତ ।

ଅର୍ଥ - ଯିଏ ଖାଇବାକୁ ଭଲ ଜିନିଷ ନ ପାଏ, ସେ ତାହାକୁ ଖାଇବାକୁ ବିକଳ ହୁଏ । 

୩୩

ଅଖାଇ ଅଖରା
ଅଖାଇ ନାନୀ ମାଡ଼ି ବସିଛି ମଝି ବଖରା ।

ଅର୍ଥ - ନିଜର କେଉଁଥିରେ କିଛି ନାହିଁ ବୋଲି ବାହାରକୁ ଦେଖାଇ ହେଉଥିଲେ ମଧ୍ୟ ଅସଲ କଥାରେ ନିଜକୁ ସମ୍ପୃକ୍ତ କରିବା ।  

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Saturday, July 27, 2019

ଗୁପ୍ତ ସାମ୍ରାଜ୍ୟ ପରେ ଦେଶର ଅବସ୍ଥା

କେଦାରନାଥ ମହାପାତ୍ର


ବୁଦ୍ଧଗୁପ୍ତଙ୍କ ସମୟରେ ମାଳବରୁ ପ୍ରାପ୍ତ ମୁଦ୍ରା (୪୭୬-୪୯୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯଶୋଧର୍ମ ଦେବ 

ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା । ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ହୁଣମାନେ ପ୍ରବଳ ହୋଇ ଉଠିଲେ । ‘ତୋରମାନ’ ଓ ‘ମିହିରକୁଳ’ ହୁଣ ରାଜାମାନଙ୍କ ମଧ୍ୟରେ ପ୍ରଧାନ । ପଞ୍ଜାବ ପ୍ରଦେଶର ଶାକଳ (ଶୈଳବୋଟ) ସେମାନଙ୍କର ରାଜଧାନୀ ଥିଲା । ଗୁପ୍ତମାନେ ଦୁର୍ବଳ ହୋଇ ପଡିବାରୁ ତୋରମାନ ମାଳବ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କର ପୁତ୍ର ମିହିରକୁଳ ବିଶେଷ ପରାକ୍ରମଶାଳୀ ଥିଲେ । ତାଙ୍କର ପ୍ରତାପରେ ସମଗ୍ର ଭାରତ କମ୍ପୁଥିଲା । କିନ୍ତୁ ଯଶୋଧର୍ମ ଦେବ ନାମକ ମାଳବର ଜଣେ କ୍ଷମତାଶାଳୀ ହିନ୍ଦୁରାଜା ମିହିରକୁଳଙ୍କ ସମ୍ପୂର୍ଣ୍ଣରୂପେ ପରାସ୍ତ କରି (୫୩୩ ଖ୍ରୀଷ୍ଟାବ୍ଦ) ଭାରତରୁ ହୁଣ ପ୍ରାଧାନ୍ୟ ଲୋପ କରିଥିଲେ । ଯଶୋଧର୍ମଦେବଙ୍କ ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଓଡିଶାର ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ, ପୂର୍ବରେ ବ୍ରହ୍ମପୁତ୍ରଠାରୁ ପଶ୍ଚିମରେ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ଭାରତର ଜଣେ ଶ୍ରେଷ୍ଠ ରାଜା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Friday, July 26, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷାରେ ପ୍ରହେଳିକା


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୩୭ ମସିହାରେ ଗାନ୍ଧିଜୀ
ଫଟୋ କ୍ରେଡ଼ିଟ୍ -  ୱିକିମିଡ଼ିଆ କମନ୍ସ୍


ଗାନ୍ଧିଜୀ - “ଏହି ନୂତନ ସଂସ୍କାର ଭିତରେ ସବୁଠାରୁ ନିଦ୍ଦୟ ବିଦୃପ ହେଉଛି ଯେ, ନିଜର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ମଦ୍ୟପାନରୁ ଆୟ ଛଡ଼ା ଆମଠାରେ ଆଉ କିଛି ନାହି । ଶିକ୍ଷା ସମ୍ୱନ୍ଧରେ ଆମ ଆଗରେ ଏହା ହିଁ ସବୁଠାରୁ ବଡ଼ ସମସ୍ୟା । ମାତ୍ର ଏଥିରେ ଆମର ବିଚଳିତ ହୋଇପଡ଼ିବା ଉଚିତ ନୁହେଁ । ଆମେ ଏହାର ପ୍ରତିକାର ଖୋଜି ବାହାର କରିବା ଦରକାର । ଆମକୁ ଯାହା ମୂଲ୍ୟ ଦେବାକୁ ପଡ଼ୁ ପଛକେ, ଏହାର ସମାଧାନରେ ଯେପରି ପୂର୍ଣ୍ଣ ନିଶାନିବାରଣ ଯୋଜନାରୁ ଆମେ ଅଣୁ ମାତ୍ର ପଛଘୁଞ୍ଚା ନ ଦେଉଁ । ଯଦି ଆମକୁ ମଦ୍ୟପାନରୁ ଆୟ ନ ମିଳେ, ତେବେ ଆମେ ନିଜର ପିଲାମାନଙ୍କୁ ପାଠ ପଢ଼ାଇ ପାରିବୁ ନାହିଁ ଏ କଥା ଆମ ପକ୍ଷରେ ଲଜ୍ଜାଜନକ ଓ ଅପମାନଜନକ ବୋଲି ଆମେ ହୃଦୟଙ୍ଗମ କରିବା ଉଚିତ । ଯଦି ଏପରି ପରିସ୍ଥିତି ଆସି ପହଞ୍ଚେ, ତେବେ ଆମେ ଅପେକ୍ଷାକୃତ କମ୍ ବିପଦଟିକୁ ମୁଣ୍ଡାଇବୁ । ଯଦି ଆମେ କେବଳ ସଙ୍ଖ୍ୟା ଦେଖି ବିହ୍ୱଳ ହୋଇ ନ ପଡ଼ୁ ଏବଂ ଆଜିକାଲି ପିଲାମାନେ ଯେଉଁ ଶିକ୍ଷା ପାଉଛନ୍ତି, ଠିକ୍ ସେହି ଶିକ୍ଷା ଦେବାକୁ ଲାଳାୟିତ ନ ହେଉଁ, ତେବେ ଏ ସମସ୍ୟା ଆମର ବୁଦ୍ଧି ବଣା କରିଦେବ ନାହିଁ ।”


ପ୍ରଶ୍ନତେବେ ତ ଆପଣ ପ୍ରକୃତରେ ମାଧ୍ୟମିକ ଶିକ୍ଷାକୁ ଏକାବେଳକେ ଉଠାଇଦେବାକୁ ଚାହାନ୍ତି ଏବଂ ମ୍ୟାଟ୍ରିକୁଲେସନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଗ୍ରାମ ବିଦ୍ୟାଳୟରେ ଦେବାକୁ ଇଚ୍ଛା କରନ୍ତି ?

ଗାନ୍ଧିଜୀନିଶ୍ଚୟ । ଶେଷରେ ଆପଣଙ୍କର ମାଧ୍ୟମିକ ଶିକ୍ଷା କଅଣ ? ନିଜର ମାତୃଭାଷାରେ ପିଲା ଯେଉଁ ବିଷୟମାନ ଦୁଇ ବର୍ଷରେ ଶିକ୍ଷା କରିପାରିଥା'ନ୍ତା, ତାକୁ ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ସାତ ବର୍ଷ କାଳ ପଢ଼ିବା ଛଡା ଆଉ କଅଣ ? ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ପଢ଼ିବାର ବୋଝରୁ ଯଦି ଆପଣ ପିଲାମାନଙ୍କୁ ମୁକ୍ତ କରି ଦିଅନ୍ତେ ଏବଂ ସେମାନଙ୍କର ହାତ-ଗୋଡ଼ରୁ ଲାଭଜନକ ଧନ୍ଦାରେ ଲଗାଇବାର ଶିଖାନ୍ତେ, ତାହା ହେଲେ ଏହି ଶିକ୍ଷାପ୍ରହେଳିକାର ସମାଧାନ ହୋଇଯା'ନ୍ତା । ତାହା ହେଲେ ବିନା ଦ୍ୱିଧାରେ ଆପଣ ମଦ୍ୟପାନରୁ ଆୟକୁ ବିସର୍ଜନ କରି ପାରନ୍ତେ । ମାତ୍ର ଏହି ଆୟ ଆପଣ ପରିତ୍ୟାଗ କରିବେଏ କଥା ଆଗେ ନିଶ୍ଚୟ ଅଙ୍ଗୀକାର କରିବା ଆବଶ୍ୟକ ଏବଂ ତାହା ପରେ ଶିକ୍ଷା ସମ୍ୱନ୍ଧରେ ଉପାୟ ଚିନ୍ତା କରିବେ । ଏହି ବିରାଟ ସାହସ ବାନ୍ଧି କାମ ଆରମ୍ଭ କରନ୍ତୁ ।

ହରିଜନ, ତା ୨୧..୧୯୩୭

Thursday, July 25, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳମନ୍ଦିରରେ ନିତିଦିନିଆ କାର୍ଯ୍ୟକଳାପ ଓ ପିଲାଙ୍କ ଖେଳ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଚିତ୍ର - 'କ୍ରୀଡ଼ାରତ ଶିଶୁଗଣ' (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଚିତ୍ରକର - ସୁ ହାନ୍‌ଚେନ୍ (୧୧୦୧-୧୧୬୧)
ଦ୍ୱାଦଶ ଶତାବ୍ଦୀରେ ଚୀନ ଦେଶର ସଙ୍ଗ୍ ବଂଶର ରାଜତ୍ୱ ସମୟରେ ଅଙ୍କିତ ଚିତ୍ର

ନିତିଦିନିଆ କାର୍ଯ୍ୟକଳାପ

ହାତଗୋଡ ଧୋଇବା, ଲୁଗା ପିନ୍ଧିବା ଓ ବଦଳାଇବା, ବୋତାମ ଲଗାଇବା, ଜଳଖିଆ ଖାଇବା ଭଳି ନିଜର କାମ ତଥା ଖାଇବା ବାଢ଼ିବା, ବାସନ ଧୋଇବା, ଅଗଣା ଓ କୋଠରୀ ସଫା କରିବା, ବଗିଚାରେ କାମ କରିବା, ଧାନ କୁଟିବା, ଆଦି ସାମୂହିକ ନିତିଦିନିଆ କାମ ବାଳମନ୍ଦିରର ଶିକ୍ଷାର ଏକ ଅଂଶ ଥିଲା । ଗିଜୁଭାଇ ଓ ତାଙ୍କ ସାଥିମାନେ ଅତି ସ୍ୱାଭାବିକ ଭାବରେ ଏସବୁ କାମ କରୁଥିଲେ । ତେଣୁ ଛୋଟ ପିଲାମାନେ ମଧ୍ୟ ତାହା କରୁଥିଲେ ଏବଂ ସ୍ୱାବଲମ୍ୱନଶୀଳ ହୋଇ ପାରୁଥିଲେ ।

ଧନ୍ଦାମୂଳକ ଶିକ୍ଷା 

ଏଥି ପାଇଁ ଗିଜୁଭାଇ ବାଲମନ୍ଦିରରେ କାଠର ଇଟା, ସିନ୍ଦୁକ, ମେକାନେ ତିଆରି, ମାଟି, ଚମଡ଼ା ଓ କାଚ କାମ ତଥା ଚିତ୍ରକଳା ଆଦି ଶିକ୍ଷା ଦେଉଥିଲେ । ପିଲାର ବିକାଶ କ୍ଷେତ୍ରରେ ଏହି ଧନ୍ଦାମୂଳକ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଥିଲା ।

ପିଲାଙ୍କ ଖେଳ

ପିଲାମାନେ ନିଜ ନିଜ ଭିତରେ ମିଶି ଅନେକ ଖେଳ ଖେଳିଥା'ନ୍ତି । ଗିଜୁଭାଇ ସେସବୁ ଖେଳକୁ ବାଳମନ୍ଦିରରେ ମଧ୍ୟ ଖେଳାଉଥିଲେ । ସେ ଅନେକ ପ୍ରକାରର ପିଲାଙ୍କ ଖେଳ ସଙ୍ଗ୍ରହ କରିଥିଲେ ଏବଂ ଆବଶ୍ୟକତା ଅନୁଯାୟୀ ସେଗୁଡିକୁ ବଦଳାଇଥିଲେ । ଏସବୁ ଖେଳ ପିଲାକୁ ଶାନ୍ତ ଏବଂ ବ୍ୟବସ୍ଥିତ କରିବାରେ, ପିଲାମାନଙ୍କ ଭିତରେ ସୁସମ୍ପର୍କ ଆଣିବାରେ, ପିଲା-ଶିକ୍ଷକଙ୍କ ଭିତରେ ସ୍ନେହର ସମ୍ପର୍କ ଯୋଡ଼ିବାରେ ଏବଂ ପିଲାର ଶାରୀରିକ ଓ ମାନସିକ ବିକାଶ ଦିଗରେ ବହୁତ ଉପଯୋଗୀ ଥିଲା ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।