Tuesday, October 08, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ପ୍ରାଥମିକ ଶିକ୍ଷାର ପ୍ରସାର: ସହକର୍ମୀ ଓ ଶିକ୍ଷକ ସମାଜ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗିଜୁଭାଇ ନିଜେ ନିଜେ ଅଭ୍ୟାସ, ପ୍ରୟୋଗ ଏବଂ ଅନୁଭବରୁ ଜଣେ ସଫଳ ପ୍ରାଥମିକ ଶିକ୍ଷକ ହୋଇ ପାରିଥିଲେ। ପିଲାଙ୍କ ସହ କାମ କରିବାର ନୂଆ ଦୃଷ୍ଟିକୋଣ, ନୂଆ ବିଚାରଧାରା ଏବଂ ନୂଆ କୌଶଳ ସେ ହାସଲ କରିଥିଲେ । କିନ୍ତୁ ଏତିକି ଯଥେଷ୍ଟ ନଥିଲା । କିପରି ଏହି ଶିକ୍ଷା ପଦ୍ଧତି ଆହୁରି ବ୍ୟାପକ ହେବ ଏବଂ ଅଧିକରୁ ଅଧିକ ପିଲା ଏହାର ଲାଭ ପାଇବେ ସେ ଦିଗରେ ଗିଜୁଭାଇ ଚିନ୍ତା କରୁଥିଲେ ।

ସହକର୍ମୀ

ଏ ଦିଗରେ ଚିନ୍ତା କରିବା ବେଳେ ପ୍ରଥମେ ତାଙ୍କ ନଜରକୁ ତାଙ୍କ ସହକର୍ମୀମାନେ ଆସିଥିଲେ । ସେଥିପାଇଁ ଦିନବେଳେ କାମ ସାରି ସନ୍ଧ୍ୟାବେଳେ ସେ ସେମାନଙ୍କୁ ଏ ବିଷୟରେ ବୁଝାଉଥିଲେ । କିଛି ସାଥିଙ୍କ ମନରେ ସନ୍ଦେହ ଆସିଥିଲା ଯେ, ପିଲାଙ୍କୁ ସ୍ୱାଧୀନତା ଦେଲେ ସେମାନେ ବିଶୃଙ୍ଖଳ ହୋଇଯିବେ । ଏଭଳି ପରିସ୍ଥିତିରେ କଣ କରାଯିବ ? ସାଥିମାନେ ନିଜେ ନିଜେ ଏ ବିଷୟରେ ଚିନ୍ତା କରି ସମାଧାନର ବାଟ ଖୋଜିଲେ । ଏହି ବାଟ ଖୋଜା ଭିତରେ ହିଁ ସେମାନଙ୍କର ଶିକ୍ଷା ଗଭୀରତର ହେଉଥିଲା ।

ଶିକ୍ଷକ ସମାଜ

ଧୀରେ ଧୀରେ ଗିଜୁଭାଇଙ୍କ ସହକର୍ମୀମାନେ ତାଙ୍କର ଏହି ଶିକ୍ଷା ପଦ୍ଧତିକୁ ଗ୍ରହଣ କରି ନେଇଥିଲେ, ତେଣୁ ସେ ଏବେ ନିଜ ସ୍କୁଲ ବାହାରର ଶିକ୍ଷକଙ୍କ କଥା ଚିନ୍ତା କଲେ । ସେ ଶିକ୍ଷକମାନଙ୍କୁ ଏକାଠି କରି 'ଶିକ୍ଷକ କିପରି ହେବା ଉଚିତ, ପିଲା ସହ କିପରି ବ୍ୟବହାର କରିବା ଦରକାର, କିପରି ପାଠ ପଢ଼ାଇବେ' ଆଦି ବିଭିନ୍ନ ବିଷୟରେ ଆଲୋଚନା କରିବାକୁ ଲାଗିଲେ । ଏହିଭଳି ମିଳାମିଶା ଓ ଆଲୋଚନା ମାଧ୍ୟମରେ ସେମାନେ ଶିକ୍ଷାର ନୂଆ ଦିଗ ପ୍ରତି ଶିକ୍ଷକମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, October 05, 2019

ଶିକ୍ଷକମାନଙ୍କର ଆର୍ଥିକ ସ୍ଥିତି


ଶଶିଭୂଷଣ ରାୟ


ଚିତ୍ର 'ସ୍କୁଲ୍ ଟିଚର୍' (୧୭୨୭ ମସିହାରେ କାନ୍‌ଭାସ୍ ଉପରେ ଅଙ୍କିତ ତୈଳଚିତ୍ର)
ଚିତ୍ରକର - କ୍ରିସ୍ତଫ୍ ଲୁବିଏନିଏଚ୍‌କି (୧୬୫୯ - ୧୯୨୯; ପୋଲାଣ୍ଡ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଶିକ୍ଷକମାନେ ଦରିଦ୍ର । ଅନ୍ୟାନ୍ୟ ବୃତ୍ତି ତୁଳନାରେ ଶିକ୍ଷକର ବେତନ ନିତାନ୍ତ ଅଳ୍ପ । ଯେ ନିଜ ଶକ୍ତିବଳରେ ଅଧିକ ଅର୍ଥ ଉପାର୍ଜନ-କ୍ଷମ, ସେ ଅଳ୍ପ ଅର୍ଥରେ କାହିଁକି ସନ୍ତୁଷ୍ଟ ହେବେ ?
ଏହି ହେତୁରୁ ଅନେକେ କହିଥାଆନ୍ତି - ପ୍ରତିଭାଶାଳୀ ବ୍ୟକ୍ତି ଅନ୍ୟ ବୃତ୍ତି ଅବଲମ୍ୱନ କଲେ ସହଜରେ ଶିକ୍ଷକ ହେବାକୁ ଇଚ୍ଛୁକ ହୁଅନ୍ତି ନାହିଁ । ପୁଣି ଶିକ୍ଷକଙ୍କର ପଦମର୍ଯ୍ୟାଦା ଏବଂ ପ୍ରତିପତ୍ତି ବଡ ଅଳ୍ପ । ଶିକ୍ଷକ ସାଧାରଣତଃ ନିତାନ୍ତ ଅବଜ୍ଞାତ; ବିଦ୍ୟା, ଜ୍ଞାନ, ଧର୍ମ, ଚରିତ୍ର ଏବଂ ମନସ୍ୱିତାରେ ସମକକ୍ଷ, ଏପରି କି ମହତ୍ତର ହେଲେ ହେଁ ପଦସ୍ଥ ରାଜକର୍ମଚାରୀ, ଆଇନ-ବ୍ୟବସାୟୀ ଏବଂ ଚିକିତ୍ସିକ ପ୍ରଭୃତି ସମାଜରେ ଯେପରି ଆଦୃତ ଏବଂ ସମ୍ମାନିତ ହୁଅନ୍ତି, ଶିକ୍ଷକ ସେପରି ହୁଅନ୍ତି ନାହିଁ; ସେମାନଙ୍କର ସମାଜରେ ଯେଭଳି ପ୍ରତିପତ୍ତି ଥାଏ, ଶିକ୍ଷକ ତାହା ପାଆନ୍ତି ନାହିଁ । ଅନେକ ଯୋଗ୍ୟ ଶିକ୍ଷକ ଏହା ଅନୁଭବ କରିଅଛନ୍ତି, ସୂକ୍ଷ୍ମଦର୍ଶୀ ମାତ୍ରକେ ଏହା ଲକ୍ଷ୍ୟ କରୁଥିବେ; ସତ୍ୟାନୁରାଗୀ କୌଣସି ବ୍ୟକ୍ତି ଏହା ଅସ୍ୱୀକାର କରିପାରିବେ ନାହିଁ ।
ପ୍ରତିଭାଶାଳୀ ବ୍ୟକ୍ତି କେହି ଶିକ୍ଷକତା ଅବଲମ୍ୱନ କରି ଅଛନ୍ତି ଶୁଣିଲେ ଅନେକେ ନାସିକା କୁଞ୍ଚିତ କରିଥାଆନ୍ତି । ମନେ କରନ୍ତି ଏବଂ କହନ୍ତି, 'ଲୋକଟି ଅପଦାର୍ଥ ହୋଇଗଲା, ତାହାର ଶକ୍ତି ସମସ୍ତ ବିଫଳ ହେଲା । ଏତେ ଶିଖି, ଏତେ ଯୋଗ୍ୟତା ଲାଭ କରି ଶେଷରେ ମାଷ୍ଟର ହେଲା? ସମସ୍ତ ଶକ୍ତି ଶେଷରେ ବୃଥା କରିବାକୁ ବସିଲା? ଯେବେ ବଡ ନ ହେଲା, ପଦମର୍ଯ୍ୟାଦା ଲାଭ ନ କଲା, ତେବେ ଏତେ ଶକ୍ତି, ଏତେ ବିଦ୍ୟାଲାଭର କି ପ୍ରୟୋଜନ ଥିଲା?' 
ଏଭଳି ପ୍ରଶ୍ନସମୂହର ଉତ୍ତର ଅନେକ ଶିକ୍ଷକଙ୍କୁ ସ୍ୱୀୟ ହିତୈଷୀ ଆତ୍ମୀୟ ବାନ୍ଧବଙ୍କ ନିକଟରେ ଦେବାକୁ ହୋଇଥାଏ । ବାଳକ ଭବିଷ୍ୟତରେ ଶିକ୍ଷକ ହେବ, କୌଣସି ଅଭିଭାବକ ଏହା ସହଜରେ ଇଚ୍ଛା କରନ୍ତି ନାହିଁ । ସମାଜରେ ପଦଗୌରବ ଓ ପ୍ରତିଷ୍ଠା ଲାଭରେ ଯେଉଁମାନଙ୍କର ଆକାଂକ୍ଷା ରହିଅଛି, ଏଭଳି ଯୁବକ ଶିକ୍ଷକ ହେବାକୁ ସମ୍ପୂର୍ଣ୍ଣ ଅନିଚ୍ଛୁକ ।
ଶିକ୍ଷକ ଦରିଦ୍ର, ଶିକ୍ଷକ ଅବଜ୍ଞାତ । ସମ୍ପଦ ଏବଂ ସମ୍ମାନ-ପାର୍ଥିବ ପ୍ରଧାନ ଦୁଇ ବସ୍ତୁ, ଯହିଁରୁ ଗୋଟିଏ ସୁଦ୍ଧା ଯେଉଁ ବୃତ୍ତିରେ ନାହିଁ, ସେହି ବୃତ୍ତି ଗ୍ରହଣରେ ଲୋକଙ୍କର, ବିଶେଷତଃ ପ୍ରତିଭାବାନ୍ ଲୋକଙ୍କର ଆଗ୍ରହ ହେବ କାହିଁକି ?
ଶିକ୍ଷକ ଦରିଦ୍ର, ତାଙ୍କୁ ଦରିଦ୍ର ହୋଇ ରହିବାକୁ ହେବ । ଦରିଦ୍ର ଦୋଷ ଦୂର କରି ସମ୍ପଦର ପ୍ରଲୋଭନ ଏହି ବୃତ୍ତିରେ ଆନୟନ କରିବା ଦୁଃସାଧ୍ୟ । ଦେଶ ଦରିଦ୍ର, ଦେଶରେ ଯେତେ ବାଳକ ପଢ଼ନ୍ତି, ସେମାନଙ୍କ ପାଇଁ କେତେଗୁଡ଼ିଏ ବିଦ୍ୟାଳୟ ପ୍ରୟୋଜନ, ସମସ୍ତ ସ୍ଥାପନ କରି ତହିଁରେ ଶିକ୍ଷାର ଅନ୍ୟ ସମସ୍ତ ବନ୍ଦୋବସ୍ତ ଯାହା ଅଭାବରେ ସୁଶିକ୍ଷା ହେବ ନାହିଁ - ଦେଶ ଏହାର ବ୍ୟୟ ଦେବାକୁ ଅସମର୍ଥ । ସେହି ଦେଶ ଯେ ଶିକ୍ଷକଙ୍କୁ ବେଶି ବେତନ ଦେଇପାରିବ, ଏଭଳି ଆଶା କରିବା ବିଡ଼ମ୍ୱନା ମାତ୍ର ।
ପାର୍ଥିବ ସୁଖସ୍ୱାଚ୍ଛନ୍ଦ୍ୟ ଓ ଭୋଗବିଳାସସମ୍ଭୋଗ ଅର୍ଥସାପେକ୍ଷ । ଅର୍ଥବଳ ସାମାଜିକ ପଦମର୍ଯ୍ୟାଦା ଓ ପ୍ରତିପତ୍ତି ଲାଭରେ ଅନେକ ସହାୟତା କରିଥାଏ । ସୁତରାଂ ପ୍ରତିଭା ଓ ବିଦ୍ୟାବଳରେ ଅର୍ଥୋପାର୍ଜ୍ଜନର ଶକ୍ତି ଯାହାଙ୍କର ଅଛି, ତାଙ୍କ ପକ୍ଷରେ ଅର୍ଥୋପାର୍ଜ୍ଜନର ପ୍ରଲୋଭନ ବଡ଼ ପ୍ରବଳ । କିନ୍ତୁ ଏହି ହେତୁରୁ ପ୍ରତିଭା ଏବଂ ବିଦ୍ୟାର ଅଧିକାରୀ ହିଁ ଯେ ଏହି ପ୍ରଲୋଭନରେ ପ୍ରଲୁବ୍‌ଧ ହେବେ, ସମସ୍ତେ ହିଁ ଯେ ଅର୍ଥୋପାର୍ଜ୍ଜନ ଓ ଅର୍ଥଲଭ୍ୟ ସୁଖସମ୍ମାନ ବ୍ୟତୀତ ନିଜର ପ୍ରତିଭା ଓ ବିଦ୍ୟା ନିରର୍ଥକ ହେଲା ବୋଲି ମନରେ ପାଞ୍ଚିବେ, ଏହା ଅନୁମାନ କରିବା ମଧ୍ୟ ଭୁଲ । 
ସୁତରାଂ ଦାରିଦ୍ର୍ୟ ଭୟରେ ଯେ ସେମାନେ ଶିକ୍ଷକତା ଗ୍ରହଣ କରନ୍ତି ନାହିଁ, ଏହା ମଧ୍ୟ ସତ୍ୟ ନୁହେ । ଦାରିଦ୍ୟ ଅନେକେ ସହି ପାରନ୍ତି; କିନ୍ତୁ ଅବଜ୍ଞା ସହିବା ବଡ଼ କଠିନ । ଶିକ୍ଷକମାନେ ଯେବେ ଦେଖୁଥାଆନ୍ତେ, ସମାଜରେ ସେମାନଙ୍କର ଯୋଗ୍ୟ ପଦ ଓ ଯୋଗ୍ୟ ସମ୍ମାନରେ ସେମାନେ ପୂଜିତ ହେଉଅଛନ୍ତି, ତାହା ହେଲେ କେବଳ ଦାରିଦ୍ୟ ଭୟରେ ସେମାନେ କୁଣ୍ଠିତ ହୁଅନ୍ତେ ନାହିଁ ।
କାହିଁକି ସେମାନେ ଏ ସମ୍ମାନ ପାଆନ୍ତି ନାହିଁ ? ଦେଶରେ ଶିକ୍ଷକ କାହିଁକି ଏତେ ଅବଜ୍ଞାତ ?
ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Monday, September 16, 2019

ପିଲାଙ୍କ ଢଗଢମାଳି - ୮

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଷୋଡ଼ଶ ଶତାବ୍ଦୀର ମୋଗଲ ମିନିଏଚର୍ ଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୩୪

ଅଖାଇ ବୋଇଲେ ଚଳେ
ଶିଳୁପୁଆଟାକର ଗୁଣ୍ଡା ବଳେ

ଅର୍ଥ - ନିଜେ କିଛି କରୁଥିବାର ଛଳନା କରୁଥିବା ବେଳେ ସବୁ କିଛି କରେ ।

୩୫

ଅଗସ୍ତି ଦେଲେ ଦାନ
କଷା ଗୁଆକୁ ପଚା ପାନ ।

ଅର୍ଥ - ଅନିଚ୍ଛାକୃତ ଦାନର କିଛି ମୂଲ୍ୟ ନାହିଁ ।

୩୬

ଅଗସ୍ତି ଦେଲେ ଦାନ
ମାଛିଗୋଡ଼ଠାରୁ ସାନ ।

ଅର୍ଥ - କୃପଣର ଦାନ ତୁଚ୍ଛ ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ 

Saturday, September 07, 2019

ହର୍ଷ ବର୍ଦ୍ଧନ

କେଦାରନାଥ ମହାପାତ୍ର


ହର୍ଷବର୍ଦ୍ଧନଙ୍କର ପ୍ରାସାଦର ଭଗ୍ନାବଶେଷ (ୱିକିମିଡିଆ କମନ୍ସ୍)

ସପ୍ତମ ଶତାବ୍ଦୀ ବେଳକୁ ଯୁକ୍ତ ପ୍ରଦେଶ [ବର୍ତ୍ତମାନର ଉତ୍ତର ପ୍ରଦେଶ] ର ଥାନେଶ୍ୱର ନାମକ ସ୍ଥାନରେ ବର୍ଦ୍ଧନ ବଂଶ କ୍ଷମତାଶାଳୀ ହୋଇ ଉଠିଲେ । ଏହି ବଂଶର ପ୍ରଭାକର ବର୍ଦ୍ଧନ କିଛି କାଳ ରାଜତ୍ୱ କରିବା ପରେ ତାଙ୍କ ପୁତ୍ର ରାଜ୍ୟ ବର୍ଦ୍ଧନ ରାଜା ହେଲେ । ସେ ଦୁଇ ବର୍ଷ ମାତ୍ର ରାଜତ୍ୱ କରିବା ପରେ ଗୌଡ ବା ବଙ୍ଗ ଦେଶର ରାଜା ଶଶାଙ୍କ ତାଙ୍କୁ ମାରି ପକାଇଲେ । ତେଣୁ ତାଙ୍କର ସାନ ଭାଇ ହର୍ଷ ବର୍ଦ୍ଧନ ୬୦୬ ଖ୍ରୀଷ୍ଟାବ୍ଦରେ ଥାନେଶ୍ୱରର ରାଜା ହେଲେ ଓ ୬୦୬ ଖ୍ରୀଷ୍ଟାବ୍ଦରୁ ହର୍ଷାବ୍ଦ ନାମକ ଗୋଟିଏ ଅବ୍ଦ ଚଳାଇଲେ । 

ରାଜା ହେବା ମାତ୍ରେ ସେ ଛଅ ବର୍ଷ କାଳ ଯୁଦ୍ଧ କରି ଉତ୍ତର ଭାରତର କେତେକ ରାଜ୍ୟ ଜୟ କରିଥିଲେ ଓ ତାଙ୍କର ଭଉଣୀ ରାଜ୍ୟଶ୍ରୀଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । କାମରୂପ ବା ଆସାମର ରାଜା ଭାସ୍କର ବର୍ମନଙ୍କ ସାହାଯ୍ୟରେ ବଙ୍ଗଳାର ରାଜା ଶଶାଙ୍କଙ୍କୁ ପରାସ୍ତ 
କରିଥିଲେ । ଉତ୍ତର ଭାରତ ଜୟ କରି ସେ ଦକ୍ଷିଣ ଭାରତ ଜୟ କରିବାକୁ ବାହାରିଲେ । 

ସେତେବେଳେ ଦାକ୍ଷିଣାତ୍ୟରେ ଚାଲୁକ୍ୟମାନେ ବିଶେଷ ଶକ୍ତିଶାଳୀ ଥିଲେ । ଚାଲୁକ୍ୟ ରାଜା ଦ୍ୱିତୀୟ ପୁଲକେଶୀ ହର୍ଷଙ୍କୁ ସମ୍ପୂର୍ଣ୍ଣ ରୂପେ ପରାସ୍ତ କରିଥିଲେ ଓ ନର୍ମଦା ନଦୀ ଦୁହିଁଙ୍କ ରାଜ୍ୟର ସୀମା ରୂପେ ନିର୍ଦ୍ଦିଷ୍ଟ ହେଲା । ରାଜ୍ୟ ଶାସନର ସୁବିଧା ପାଇଁ ସେ ଥାନେଶ୍ୱରରୁ କାନ୍ୟକୁବ୍‌ଜକୁ ରାଜଧାନୀ ଉଠାଇ ନେଇଥିଲେ । ୬୪୨ ଖ୍ରୀଷ୍ଟାବ୍ଦରେ ସେ ଓଡ଼ିଶା ଜୟ କରିବାକୁ ଆସିଥିଲେ । କିନ୍ତୁ ଓଡ଼ିଶା ରାଜା ତାଙ୍କର ସମ୍ପୂର୍ଣ୍ଣ ଅଧୀନତା ସ୍ୱୀକାର କରି ନ ଥିଲେ । ସେ ରାଜତ୍ୱର ଶେଷ ବେଳକୁ ‘ମଗଧ ସମ୍ରାଟ’ ଉପାଧି ଧାରଣ କରିଥିଲେ । ତାଙ୍କର ରାଜ୍ୟ ହିମାଳୟଠାରୁ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ବ୍ରାହ୍ମପୁତ୍ରଠାରୁ ଯମୁନା ଓ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ୬୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

ସେ ପ୍ରଥମେ ଶୈବ ଥିଲେ, କିନ୍ତୁ ପରେ ବୌଦ୍ଧ ହୋଇ ଏହି ଧର୍ମର ଉନ୍ନତି ପାଇଁ ଚେଷ୍ଟା କରିଥିଲେ । ସେ ରାଜା ହୋଇ ମଧ୍ୟ ପଣ୍ଡିତ ଓ ସୁଲେଖକ ଥିଲେ ଓ କେତେଗୁଡିଏ ଉତ୍କୃଷ୍ଟ ଗ୍ରନ୍ଥ ରଚନା କରିଥିଲେ । ବାଣ ଭଟ୍ଟ ନାମକ ତାଙ୍କ ସଭାର ଜଣେ ପ୍ରସିଦ୍ଧ କବି ‘କାଦମ୍ୱରୀ’ ଓ ‘ହର୍ଷଚରିତ’ ନାମକ ଦୁଇଟି ଭଲ ଗ୍ରନ୍ଥ ଲେଖିଥିଲେ । 

ହର୍ଷଙ୍କ ରାଜତ୍ୱରେ ଚୀନ ଦେଶରୁ ହୁଏନ୍‌ସାଂ ନାମକ ବୌଦ୍ଧ ଭିକ୍ଷୁ ଭାରତକୁ ଆସିଥିଲେ । ସେ ଫାହିଆନ୍‌ଙ୍କ ପରି ଗୋଟିଏ ବିସ୍ତୃତ ଭ୍ରମଣ ବୃତ୍ତାନ୍ତ ଲେଖିଛନ୍ତି । ଏହା ତତ୍‌କାଳୀନ ଇତିହାସର ଗୋଟିଏ ଭଣ୍ଡାର ପରି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Thursday, August 01, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷା କିପରି ହେବା ଉଚିତ

ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୮୦୧ ମସିହାରେ ଅଙ୍କିତ ଇଟନ ବିଦ୍ୟାଳୟର ଦୃଶ୍ୟ (ୱିକିମିଡିଆ କମନ୍ସ୍)


ପାଶ୍ଚାତ୍ୟ ଦେଶଗୁଡ଼଼ିକରେ ଶିକ୍ଷାର ମୂଲ୍ୟ ଏତେ ବେଶୀ ଯେ, ବଡ଼ ବଡ଼ ଶିକ୍ଷକଙ୍କୁ ବହୁତ ସମ୍ମାନ ମିଳେ । ଇଂଲଣ୍ତରେ ଆଜି ମଧ୍ୟ ଶହ ଶହ ବର୍ଷର ପୁରୁଣା ସ୍କୁଲମାନ ଅଛି ଏବଂ ଏଥିରୁ ବହୁ ପ୍ରସିଦ୍ଧ ବ୍ୟକ୍ତି ବାହାରିଛନ୍ତି । ଏହି ପ୍ରସିଦ୍ଧ ସ୍କୁଲମାନଙ୍କ ମଧ୍ୟରୁ ଇଟନ ଗୋଟିଏ । ସେହି ସ୍କୁଲର ପୁରାତନ ଛାତ୍ରମାନେ କେତେ ମାସ ପୂର୍ବରୁ ସେଥିର ପ୍ରଧାନ ଅଧ୍ୟାପକ ଡକ୍ଟର ୱେରଙ୍କୁ ଅଭିନନ୍ଦନ ଜଣାଇଥି୍ଲେ । ସାରା ଇଂରେଜୀଭାଷୀ ଦୁନିଆରେ ତାଙ୍କର ଖ୍ୟାତି ଅଛି । ସେହି ସମୟରେ ସେଠାକାର ପ୍ରସିଦ୍ଧ ସମ୍ୱାଦପତ୍ର 'ଫଲମଲ୍ ଗେଜଟ୍' ପ୍ରକୃତ ଶିକ୍ଷାର ଯାହା ବର୍ଣ୍ଣନା କରିଥିଲେ ତାହା ଆମ ସମସ୍ତଙ୍କର ଜାଣିବା ଆବଶ୍ୟକ । 
'ଫଲମଲ୍ ଗେଜେଟ୍‌'ର ଲେଖକ କହୁଛନ୍ତି –

'ପୁରୁଣା ବା ବର୍ତ୍ତମାନ ପୁସ୍ତକଗୁଡ଼ିକରୁ ଜ୍ଞାନ ଅର୍ଜନ କରିବା ପ୍ରକୃତ ଶିକ୍ଷାର ଅର୍ଥ ନୁହେଁ ଏହା ଆମେ ସ୍ୱୀକାର କରୁଅଛୁଁ । ପ୍ରକୃତ ଶିକ୍ଷା ବାତାବରଣରେ ଥାଏ, ନିକଟବର୍ତ୍ତୀ ପରିପାର୍ଶ୍ୱରେ ଥାଏ, ଯେଉଁ ସାଙ୍ଗସାଥୀମାନଙ୍କଠାରୁ ଆମେ ଜ୍ଞାତସାରରେ ବା ଅଜ୍ଞାତସାରରେ ନାନା ଅଭ୍ୟାସ ଶିଖୁଁ ଓ ଯେଉଁମାନଙ୍କ ସହ କାର୍ଯ୍ୟ କରୁ ସେମାନଙ୍କ ଠାରୁ ଶିକ୍ଷା ପାଇଥାଉଁ । ଆମେ ଉତ୍ତମ ପୁସ୍ତକମାନ ପଢ଼ିବା ବା ଅନ୍ୟ ଉତ୍ସରୁ ସଙ୍ଗ୍ରହ କରି ଜ୍ଞାନ ବଢ଼ାଇବା ଆମମାନଙ୍କର ଉଚିତ । ମାତ୍ର ମନୁଷ୍ୟତା ଶିଖିବା ଆମ ପକ୍ଷରେ ଅଧିକ ଆବଶ୍ୟକ ଅଟେ । ଏଥିପାଇଁ ଶିକ୍ଷାର ପ୍ରକୃତ କାର୍ଯ୍ୟ ହେଉଛି ମନୁଷ୍ୟତା ଶିଖାଇବା, ବର୍ଣ୍ଣମାଳା ଶିଖାଇବା ନୁହେଁ । ଆରିଷ୍ଟଟ୍‌ଲ କହି ଯାଇଥିଲେ ଯେ, ମୋଟା ମୋଟା ବହି ପଢ଼ିଲେ ସଦ୍‌ଗୁଣ ଆସିଯାଏ ନାହିଁ, ସତକର୍ମ କଲେ ଯାଇ ସଦ୍‌ଗୁଣ ଜନ୍ମେ । ଆଉ ଜଣେ ମହାନ୍ ଲେଖକ କହିଛନ୍ତି ଯେ, ଆପଣଙ୍କର କୌଣସି ବିଷୟକୁ ଉତ୍ତମ ରୂପେ ଜାଣିବା ତ ଠିକୁ ଅଟେ । କିନ୍ତୁ ଆପଣ ଠିକ୍ ରୂପେ ତାହା ଆଚରଣ କଲେ ଯାଇ ସୁଖୀ ହେବେ । ଏହି ମାପକାଠିରେ ଇଂଲଣ୍ତର ସ୍କୁଲଗୁଡ଼ିକ ଊଣା ଯୋଗ୍ୟ ତାହା ନୁହେଁ । ମନୁଷ୍ୟ-ନିର୍ମାଣର ସ୍ଥାନ ରୂପେ ଯଦି ଆମେ ଇଂଲଣ୍ତର ସ୍କୁଲଗୁଡ଼ିକୁ ବିଚାର କରୁ ତେବେ ଦେଖିବୁ ଯେ, ଏଗୁଡ଼ିକ ଆମକୁ ଶାସନକର୍ତ୍ତା ଯୋଗାଉଛନ୍ତି । ଜର୍ମାନ୍ ସ୍କୁଲଗୁଡ଼ିକର ଛାତ୍ରମାନଙ୍କର ଜ୍ଞାନ ଯେତେ ଅଧିକ ହେଲେ ହେଁ ଯଦି ଇଟନ ସ୍କୁଲ ପରି ସମାନ କାର୍ଯ୍ୟ ସେଗୁଡ଼ିକଠାରୁ ଆମେ ଚାହୁଁ, ତେବେ ସେ ଦକ୍ଷତା ଆମେ ସେଥିରୁ ପାଇବୁଁ ନାହିଁ । ଇଂଲଣ୍ତର ସ୍କୁଲଗୁଡ଼ିକରେ ଆଉ ଯେତେ ଦୋଷ ଥାଉ ପଛକେ, ସେଗୁଡ଼ିକ ପ୍ରକୃତ ମନୁଷ୍ୟ ଗଢ଼ୁଛନ୍ତି । ସେଗୁଡିକ ଏପରି ଲୋକ ଗଢ଼ୁଛନ୍ତି ଯେ ଯଦି ଇଂଲଣ୍ତର ଦ୍ୱାରଦେଶରେ ଅନ୍ୟ ଲୋକ (ଶତୃ?)ପହଞ୍ଚିଯା'ନ୍ତି, ତେବେ ସେମାନଙ୍କୁ ଜବାବ୍ ଦେବାକୁ ପ୍ରସ୍ତୁତ ଥାନ୍ତି ।'

ଯେଉଁ ଦେଶରେ ଶିକ୍ଷାର ଏଡ଼େ ସୁନ୍ଦର ଅର୍ଥ କରାଯାଉଛି, ସେ ଦେଶ କାହିଁକି ସମ୍ପଦଯୁକ୍ତ ତାହା ଅବିଳମ୍ୱେ ଆମେ ବୁଝିପାରିବୁଁ । ଏପରି ଶିକ୍ଷା ଯଦି ଭାରତର ବାଳକମାନେ ପାଇବେ, ତେବେ ଭାରତର ଭାଗ୍ୟ ଫେରିଯିବ । ପିତାମାତା ଶିକ୍ଷକ ଓ ଛାତ୍ରମାନେ ସମସ୍ତେ ଏହି ଉକ୍ତି ପ୍ରତି ଧ୍ୟାନ ଦେବା ଆବଶ୍ୟକ । କେବଳ ଏ କଥାକୁ ଜାଣିଲେ ଯଥେଷ୍ଟ ହେବ ନାହିଁ । ତଦନୁସାରେ କାର୍ଯ୍ୟ କରି ଦେଖାଇବା ଉଚିତ । ଉଦ୍ଦେଶ୍ୟ ହେଉଛି ପିତାମାତାଙ୍କର ସନ୍ତାନମାନଙ୍କୁ ସେହିପରି ସୁନ୍ଦର ଶିକ୍ଷା ଦେବା ଉଚିତ । ଅକ୍ଷରଜ୍ଞାନକୁ ଶିକ୍ଷା କୁହଯ।ଏ ନାହିଁ, ଏହା ବୁଝି ଶିକ୍ଷକ ମାନଙ୍କର ନିଜର ଦାୟିତ୍ୱ ସମ୍ପାଦନ କରିବା ଉଚିତ ।

- ଗୁଜୁରାତୀ ଇଣ୍ତିଆନ୍ ଓପିନିୟନ୍ ତା ୧୮-୫-୧୯୦୭

Tuesday, July 30, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ପ୍ରକୃତି ପରିଚୟ ଓ ଭ୍ରମଣ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଚିତ୍ର - 'ଉତ୍ତର ଭାରତରେ ଜ୍ୟୋତ୍ସ୍ନାସିକ୍ତ ରାତିରେ ବରଗଛ ତଳେ କିଛି ହାତୀ ଓ ମଣିଷ' 
ଚିତ୍ରକର - ଅଗସ୍ତ୍ ବୋର୍ଜେଟ୍ (୧୮୦୯ - ୧୮୭୭)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରକୃତି ପରିଚୟ


ପିଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରକୃତି ପରିଚୟ ନିହାତି ଆବଶ୍ୟକ ବୋଲି ଗିଜୁଭାଇ ମନେ କରୁଥିଲେ। ଏଥି ପାଇଁ ବାଳମନ୍ଦିରରେ ପକ୍ଷୀ ନିରୀକ୍ଷଣ, ପ୍ରାଣୀ ଚିହ୍ନଟ, ଠେକୁଆ ପାଳନ, କୀଟପତଙ୍ଗ ପାଳନ, ଚଢ଼େଇ ବସା ଖୋଜା ଓ ଦେଖା ଆଦି କାର୍ଯ୍ୟକ୍ରମ କରାଯାଉଥିଲା । ବାଳମନ୍ଦିର ସ୍କୁଲର ପରିବେଶ ଦେଖିଲେ ବି ଗିଜୁଭାଇଙ୍କର ପ୍ରକୃତି ପ୍ରେମର ପରିଚୟ ମିଳେ ।

ଭ୍ରମଣ 

ଆଖପାଖର ଛୋଟ ଛୋଟ ଜାଗାକୁ ବୁଲିଯିବା ବି ବାଳମନ୍ଦିରର ନିୟମିତ କାର୍ଯ୍ୟକ୍ରମ ଭିତରେ ରହୁଥିଲା । ଏସବୁ ଭ୍ରମଣ ପୂରା ଯୋଜନାବଦ୍ଧ ଭାବରେ କରାଯାଉଥିଲା । ଭ୍ରମଣ ସମୟରେ ଗିଜୁଭାଇ ପିଲାଙ୍କ ମନ, ସ୍ୱଭାବ, ହାବଭାବ ଏବଂ ବ୍ୟକ୍ତିତ୍ୱକୁ ନିରନ୍ତର ନିରୀକ୍ଷଣ କରୁଥିଲେ । ପିଲାଙ୍କୁ ବିଭିନ୍ନ ଜାଗା ବୁଲାଇବା ବେଳେ ଗିଜୁଭାଇ ସେ ଜାଗା ସବୁ ବିଷୟରେ ଅନେକ ତଥ୍ୟ ଦେଉଥିଲେ ଏବଂ ଅନ୍ୟ ମଜା ମଜା କଥା ବି କହୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, July 29, 2019

ଶିକ୍ଷକତା କାହିକିଁ ?

ଶଶିଭୂଷଣ ରାୟ


ଚିତ୍ର - 'ଦି ସ୍କୁଲ୍‌ମାଷ୍ଟର୍' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ଅଟୋ ରେଥେଲ୍ (୧୮୨୨ - ୧୮୯୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଯେ ମେଧାବୀ, ତୀକ୍ଷ୍‌ଣବୁଦ୍ଧି ବିଶିଷ୍ଟ, ମନସ୍ୱୀ ଓ ପଣ୍ଡିତ, ସେ ଯେବେ ଶିକ୍ଷକତାକୁ ଜୀବନର ବୃତ୍ତି ଓ ବ୍ରତ ରୂପେ ଗ୍ରହଣ କରିବାକୁ ଅଭିଳାଷୀ ହୁଅନ୍ତି, ଯେବେ ସେହି ବ୍ରତର ପୂର୍ଣ୍ଣ ପରିଚାଳନ ସକାଶେ ଅଥବା ସେହି ବ୍ରତରେ ସିଦ୍ଧିଲାଭ ସକାଶେ ଯତ୍ନଶୀଳ ହୁଅନ୍ତି, ଶିକ୍ଷା-ବିଜ୍ଞାନ-ଶାସ୍ତ୍ରାଲୋଚନାରେ ଯତ୍ନଶୀଳ ହୋଇ ଯେବେ ସେହି କାର୍ଯ୍ୟରେ ସେ ବ୍ରତୀ ହୁଅନ୍ତି, ତେବେ ତାଙ୍କଦ୍ୱାରା ପ୍ରକୃତ ଶିକ୍ଷାଦାନ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଶିକ୍ଷାରେ ଯେବେ ବାଳକର ପ୍ରକୃତ ମାନସିକ ଉନ୍ନତି କରିବାକୁ ହୁଏ, ତେବେ ଏହି ପ୍ରକାର ଶିକ୍ଷକ ହିଁ ଆବଶ୍ୟକ ।

ଦୁର୍ଭାଗ୍ୟକ୍ରମେ ଜ୍ଞାନ ଓ ଶକ୍ତିରେ ଉତ୍ତମ ବ୍ୟକ୍ତିଙ୍କ କଥା ଦୂରେ ଥାଉ, ମଧ୍ୟମ କାହିଁକି କୌଣସି ଅଧମ ବ୍ୟକ୍ତି ମଧ୍ୟ ଶିକ୍ଷକ ହେବାକୁ ଆଗ୍ରହାନ୍ୱିତ ନୁହନ୍ତି । ଜୀବନର ବୃତ୍ତି ଓ ବ୍ରତ ରୂପେ ଶିକ୍ଷକତା ଗ୍ରହଣ କରନ୍ତି-ଏ ଭଳି ଲୋକ ଅତି ଅଳ୍ପ ।

ଅବଶ୍ୟ ଦେଶରେ ଶିକ୍ଷକର ଅଭାବ ନାହିଁ । ଦେଶରେ ଅସଙ୍ଖ୍ୟ ବିଦ୍ୟାଳୟ, ସର୍ବତ୍ର ହିଁ ପ୍ରୟୋଜନାନୁସାରେ ଶିକ୍ଷକ ରହିଅଛନ୍ତି, ଆବଶ୍ୟକ ହେଲେ ପ୍ରୟୋଜନରୁ ଅତିରିକ୍ତ ଶିକ୍ଷକ ମଧ୍ୟ ମିଳନ୍ତି । କେହି ଡେପୁଟି, ଓକିଲ, ବଡ଼ ହାକିମ ଅଥବା କିରାଣୀ ହେବେ- ବିଶ୍ୱବିଦ୍ୟାଳୟର ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ମଧ୍ୟରେ ପ୍ରାୟ ସମସ୍ତଙ୍କ ମନରେ ଏହିପରି ଗୋଟାଏ ଆଶା ଓ ଆକାଂକ୍ଷ୍ୟା ରହିଥାଏ । ଯେତେ ଦିନ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ, ସେତେ ଦିନ କିଛି ଅର୍ଥୋପାର୍ଜନ ହୋଇପାରିବ ଏବଂ ତହିଁ ସଙ୍ଗେ ସଙ୍ଗେ ଆକାଂକ୍ଷିତ ପଦଲାଭ ସକାଶେ ପରୀକ୍ଷାଦିନ ପ୍ରଭୃତି ହୋଇପାରିବ, ଏ ଭଳି କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେଲେ, ସେମାନଙ୍କର ସମ୍ପୂର୍ଣ୍ଣ ସୁବିଧା ହୁଏ । ସ୍କୁଲ ଅନେକ, ଶିକ୍ଷକ ମଧ୍ୟ ଅନେକ ଆବଶ୍ୟକ ।...
ଏହି ଶ୍ରେଣୀର ଶିକ୍ଷକ ବ୍ୟତୀତ ଆଉ ଏକ ଶ୍ରେଣୀର ଶିକ୍ଷକ ଦୃଷ୍ଟ ହୁଅନ୍ତି । ଆମ୍ଭମାନଙ୍କର ଶିକ୍ଷାର୍ଥୀ ବାଳକ ଓ ଯୁବକମାନଙ୍କ ମଧ୍ୟରେ ଅତ୍ୟଳ୍ପ ଲୋକଙ୍କ ଜୀବନର ଗୋଟିଏ ସ୍ଥିର ଲକ୍ଷ୍ୟ - ସେହି ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହେବାର ଚେଷ୍ଟା ଦୃଷ୍ଟ ହୁଏ । ଭବିଷ୍ୟତରେ କଅଣ ହେବ, କଅଣ କରିବାକୁ ହେବ, କାହିଁରେ ଜୀବନ ସାର୍ଥକ ହେବ, ଏ ସମସ୍ତ ଚିନ୍ତା କେହି କରନ୍ତି ନାହିଁ । ସମସ୍ତେ ପଢ଼ନ୍ତି, ଅଭିଭାବକ ସ୍କୁଲକୁ ପ୍ରେରଣ କରନ୍ତି ବୋଲି ପଢ଼ନ୍ତି । ଯେତେ ଦିନ ପଢ଼ାପଢ଼ି ଚାଲୁଥାଏ, ଅଥବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଥାଏ, ସେତେ ଦିନ ପର୍ଯ୍ୟନ୍ତ ଏମାନେ ପଢ଼ନ୍ତି । ଯେତେବଳେ ପଢ଼ାପଢ଼଼ି ଅଚଳ ହୁଏ, ପ୍ରତିବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବିରକ୍ତ ହୋଇଥାଆନ୍ତି, ଅଥବା ବୁଝନ୍ତି, ଆଉ ପଢ଼ାପଢ଼ି କରି କୌଣସି ଲାଭ ନାହିଁ, ସେତେବେଳେ ଏମାନେ ପାଠ ପରିତ୍ୟାଗ କରି ବାହାର ହୁଅନ୍ତି । ଏହି ସମୟରେ ପରିବାରର ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ଦାୟିତ୍ୱ ଏମାନଙ୍କ ମଧ୍ୟରୁ ଅନେକଙ୍କ ସ୍କନ୍ଧରେ ନ୍ୟସ୍ତ ହୋଇଥାଏ । ଅର୍ଥୋପାର୍ଜ୍ଜନ ସକାଶେ କିଛି କରିବା ଆବଶ୍ୟକ, ଅନ୍ୟ ଚାକିରୀ ଅପେକ୍ଷା ଶିକ୍ଷକତା ସହଜରେ ମିଳେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା-ଲାଭର ପ୍ରୟୋଜନ ବି ହୁଏ ନାହିଁ; ସୁତରାଂ ତାହା ହିଁ ଆଦରି ନିଅନ୍ତି । ଏମାନଙ୍କର ସୌଭାଗ୍ୟ ଫଳରୁ ଯେବେ ଅନ୍ୟ କିଛି ପାଆନ୍ତି, ତେବେ ସେହି ମୁହୂର୍ତ୍ତରେ ଶିକ୍ଷକତା ଛାଡି ଚାଲିଯାଆନ୍ତି ।

ଯେଉଁମାନେ ପ୍ରତିଭାଶାଳୀ, ସେମାନେ ପ୍ରାୟତଃ ଶିକ୍ଷକ ହେବାକୁ ଆସନ୍ତି ନାହିଁ, ଆସିଲେ ମଧ୍ୟ ତାହା ଦୁଇ ଦିନ ପାଇଁ ଅନ୍ୟ କାର୍ଯ୍ୟ ଚେଷ୍ଟାର ଅବସରରେ କିଛି ଅର୍ଥ ଉପାର୍ଜ୍ଜନ ସକାଶେ । ଯେଉଁମାନଙ୍କର ପ୍ରତିଭାର ଅଭାବ, ଅଥବା ପ୍ରତିଭାଶାଳୀ ହେଲେ ହେଁ ଦୈବ ଯେଉଁମାନଙ୍କର ପ୍ରତିକୂଳ, ସେମାନେ ଆକାଂକ୍ଷିତ ପଦଲାଭରେ ଅସମର୍ଥ ହୋଇ ଅନିଚ୍ଛା ଓ ଅସନ୍ତୁଷ୍ଟ ଚିତ୍ତରେ ଶିକ୍ଷକତା କରୁଥାଆନ୍ତି । ଆଉ ଯେଉଁମାନେ ଶିକ୍ଷକତା କରନ୍ତି, ସେମାନଙ୍କ ଜୀବନ ସାଧାରଣତଃ ଲକ୍ଷ୍ୟହୀନ, ମନ ଚିନ୍ତାହୀନ, ହୃଦୟ ଉଚ୍ଚଭାବଶୂନ୍ୟ ଓ ଆକାକ୍ଷାଂବିହୀନ, ପ୍ରକୃତି ବଳୟ ଓ ଅବସ୍ଥା ଦୁର୍ବଳ, ପ୍ରାଣ ନିରୁଦ୍ୟମ ଓ ତିରୁତ୍ସାବବିଶିଷ୍ଟ । କିଛି ଗୋଟାଏ କରିବାକୁ ହେବ, ଶିକ୍ଷକତା ସହଜରେ ମିଳିଗଲା, ସୁତାରଂ ତାହା କଲେ । 

ଏହା ହିଁ ଯେତେବେଳେ ଶିକ୍ଷକତା ବୃତ୍ତିର ସାଧାରଣ ଅବସ୍ଥା, ଯେତେବେଳେ ଅଧିକାଂଶ ଶିକ୍ଷକତା କରିବାକୁ ଅନିଚ୍ଛୁକ, ଯେଉଁମାନେ ହୁଅନ୍ତି, ସେମାନଙ୍କର ବିଶେଷ ଗରଜ ନ ପଡ଼ିଲେ ଶିକ୍ଷକ ହେବେ ନାହିଁ; ସୁତରାଂ ଭଲ ରୂପେ ଶିକ୍ଷାଦାନ କରିବା ସକାଶେ ସେମାନେ ଯେ ବିଶେଷ ଭାବରେ ଯତ୍ନଶୀଳ ହେବେ ଅଥବା ଚିନ୍ତା କରିବେ, ଶିକ୍ଷା-ବିଜ୍ଞାନର ଆଲୋଚନାରେ କଷ୍ଟ ସ୍ୱୀକାର କରିବେ, ଏହା ଆଶା କରିବା ବିଡମ୍ୱନା ମାତ୍ର । ଯେଉଁ କାର୍ଯ୍ୟରେ ମନର ଆଗ୍ରହ ନାହିଁ, ଜୀବନରେ ସାର୍ଥକତା ବୋଧ ନାହିଁ, ପ୍ରାଣର ପ୍ରକୃତ ତୃପ୍ତି ନାହିଁ, ସେ କାର୍ଯ୍ୟରେ କେହି ଯତ୍ନଶୀଳ ହୋଇପାରିବେ ନାହିଁ । 

ଶିକ୍ଷକଙ୍କୁ ଗାଳି ଦେଲେ ଏ ଦୋଷ ଘୁଞ୍ଚିବ ନାହିଁ, ବୁଝାଇ ବାଧ୍ୟ କରି କାର୍ଯ୍ୟ ଆଦାୟର ଚେଷ୍ଟା ମଧ୍ୟ ବୃଥା । କାହିଁକି ପ୍ରତିଭାଶାଳୀ ବ୍ୟକ୍ତି ଶିକ୍ଷକ ହେବାକୁ ଅନିଚ୍ଛୁକ, ଆମ୍ଭମାନଙ୍କୁ ସେତିକି ଦେଖିବାକୁ ହେବ । ସେମାନେ କିପରି ଶିକ୍ଷକ ହେବେ, କିପରି ସେମାନଙ୍କ ଚିନ୍ତା ଏଥିରେ ଆକୃଷ୍ଟ ହେବ, କିପରି ସେମାନଙ୍କ ମନରେ ଆଗ୍ରହ ଜନ୍ମିବ, କିପରି ସେମାନଙ୍କ ଜୀବନର ଆକାଂକ୍ଷାର ପୂର୍ଣ୍ଣତାରେ ପ୍ରାଣ ତୃପ୍ତ ହେବ, ଆମ୍ଭମାନଙ୍କୁ ଏହା ଦେଖିବାକୁ ହେବ ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର ।