Sunday, October 14, 2018

ପିଲାଙ୍କ ପାଇଁ କବିତା - 'ବାଜେ କଥା'

କବି - ଜଗନ୍ନାଥ ପ୍ରସାଦ ଦାସ


ଶାହ ଅବୁଲ ମାଲିଙ୍କର ଏକ ଚିତ୍ର (୧୫୫୬ ମସିହାରେ ଅଙ୍କିତ)
ଚିତ୍ରକର - ଦୋସ୍ତ ମୁହମ୍ମଦ (ଆଗା ଖାନ୍ ସଙ୍ଗ୍ରହରୁ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମନ୍ଦିରରେ ଘଣ୍ଟି ବାଜେ ଗାଲରେ ଚାପୁଡ଼ା
ଘଣ୍ଟାରେ ସମୟ ବାଜେ ବାଜେ ତାନପୁରା ।

ଘରେ ନ ପଶୁଣୁ ମୁଣ୍ଡ ବାଜିଲା ଚାଳରେ
ଲେଖୁଛି ସେ କଥା ବସି ବାଜେ କାଗଜରେ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, October 13, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ସ୍ୱାଧୀନତା ଓ ସ୍ୱାବଲମ୍ୱନ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଗିଜୁଭାଇଙ୍କର ଏକ ବହିର ମଲାଟ (ୱିକିମିଡିଆ କମନ୍ସ୍)


ଗିଜୁଭାଇଙ୍କର ଶିକ୍ଷା ଦର୍ଶନରେ ଦ୍ୱିତୀୟ ମୁଖ୍ୟ ବିନ୍ଦୁ ହେଲା ସ୍ୱାଧୀନତା । ପିଲାଟିଏ ଜନ୍ମ ନେବା ପରଠାରୁ ସ୍ୱାଧୀନ ଭାବରେ ତାହାର କାର୍ଯ୍ୟ କରିବାକୁ ଇଚ୍ଛା କରିଥାଏ । ପିଲାଙ୍କର ବସିବା, ଚାଲିବା, କଥା କହିବା, ପଢ଼ିବା, ଲେଖି ଶିଖିବା ଓ ଅନ୍ୟକୁ ଶିଖାଇବା ଆଦି ସବୁ କାର୍ଯ୍ୟରେ ସେମାନଙ୍କର ସ୍ୱାଧୀନ ଇଚ୍ଛା ନିହିତ ଥାଏ ।

ଆମେ ବଡ଼ମାନେ କିନ୍ତୁ ପ୍ରାୟ ସବୁବେଳେ ପିଲାଙ୍କର ସ୍ୱାଧୀନତାକୁ ଏଡାଇ ଯାଇ ଥାଉ । ପିଲାଟିଏ ହାତରେ ଖାଇବାକୁ ଇଚ୍ଛା କଲା ବେଳେ ଆମେ ତାକୁ ବାଧ୍ୟ କରି ଖୁଆଇ ଦେଉ । ନିଜ ଇଚ୍ଛାରେ ପାଣି ପିଇବାକୁ ଚାହୁଁ ଥିଲା ବେଳେ, ଆମେ ତାହାର ହାତ ନ ପାଇବା ଭଳି ଜାଗାରେ ପାଣି ରଖି ଥାଉ । ନିଜ ପସନ୍ଦରେ ସେ ପୋଷାକ ପିନ୍ଧୁ (ବା ଫୁଙ୍ଗୁଳା ଦେହରେ ବୁଲୁ) ଏ ସୁଯୋଗ ଆମେ ତାକୁ ଦେଇ ନ ଥାଉ ।

ଗିଜୁଭାଇ କହୁ ଥିଲେ, ପିଲାମାନଙ୍କୁ ସେମାନେ ନିଜେ ନିଜେ ସବୁ କରିବାକୁ ସୁଯୋଗ ଦେବା ଉଚିତ । ଚାଲିବା, ଦୌଡ଼ିବା, ସିଡ଼ି ଚଢ଼ିବା, ଗାଧୋଇବା, ପିନ୍ଧିବା, ସତ କହିବା, ସ୍ପଷ୍ଟ ଭାବରେ ନିଜକୁ ପ୍ରକାଶ କରିବା, ଆଦି ସବୁଥିରେ ଆମେ କେବଳ ସେମାନଙ୍କର ସହାୟକ ହେବା ଉଚିତ । ସେମାନେ ଯେପରି ତାଙ୍କ ଆବଶ୍ୟକତା ପୂରଣ କରି ପାରିବେ ଏବଂ ନିଜର ଇଚ୍ଛା ପୂରଣ ହେଉ ଥିବାରୁ ଖୁସି ହେବେ । ସେତିକି ଯାଏଁ ଆମେ ତାଙ୍କୁ ସାହାଯ୍ୟ କରିବା । ଆଉ ଏହାକୁ ହିଁ ପ୍ରକୃତ ସ୍ୱାଧୀନତା କୁହାଯିବ । ସେଥି ପାଇଁ ଯେଉଁ ଶିକ୍ଷା ସ୍ୱାଧୀନ ଭାବରେ ଆଗେଇବା ପାଇଁ ପିଲାକୁ ସାହାଯ୍ୟ କରେ, ତାକୁ ପ୍ରାଣଗତ ଶିକ୍ଷା କୁହାଯାଏ ।

ସ୍ୱାଧୀନତା ଦେବା ବହୁତ ଭଲ କଥା । କିନ୍ତୁ ଏଥିରେ ଅସୁବିଧା ବି ରହିଛି । ପିଲାଙ୍କୁ ତାଙ୍କ ନିଜ କାମ କରିବାକୁ ଶିଖାଇବା ବହୁତ କଷ୍ଟକର, କିନ୍ତୁ ଉପଯୋଗୀ । ଏଥି ପାଇଁ ବହୁତ ଧୈର୍ଯ୍ୟ ଦରକାର । ଗିଜୁଭାଇଙ୍କ ମତରେ ଆବଶ୍ୟକତା ନ ଥାଇ ସାହାଯ୍ୟ କଲେ ତାହା ପିଲାର ସ୍ୱାଭାବିକ ବିକାଶରେ ବାଧା ପହଞ୍ଚାଏ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

ପିଲାଙ୍କ ପାଇଁ କବିତା - 'ଲଙ୍କାରେ ରହି ନାମ'

କବି - ଜଗନ୍ନାଥ ପ୍ରସାଦ ଦାସ


'ଫେରି ଟେଲ୍‌ସ୍ ଫ୍ରମ୍ ହାନ୍ସ୍ କ୍ରିଷ୍ଟିଆନ୍ ଆଣ୍ଡର୍ସନ୍' ବହିର ଅଳଙ୍କରଣ (୧୮୯୯ର ପ୍ରକାଶନ)
ଅଳଙ୍କରଣ - ଥମାସ୍ ହିଥ୍ ରବିନ୍‌ସନ୍   

ଦଙ୍ଗା ଲାଗିଛି ଜୋର
ଚାରିଆଡ଼େ ପୋଡ଼ା ଜଳା
ହରିବଲ୍ ! ହରିବୋଲ ।

ଛକରେ ଫୁଟିଲା ବମ୍
ଜଲଦି ଘରକୁ ପଳା
ହରି ହୋମ୍ ! ହରି ଓମ୍ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Friday, October 12, 2018

ଗାନ୍ଧୀଜୀଙ୍କର ଶିକ୍ଷା ବିଚାର - 'ସତର୍କ ବାଣୀ'


 ୧୮୮୬ରେ ସତର ବର୍ଷ ବୟସରେ ମହାତ୍ମା ଗାନ୍ଧୀ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଗାନ୍ଧୀଜୀ କହିଲେ ଯେ ଯେଉଁ ଅନୁଷ୍ଠାନ ଅନ୍ୟ ଧର୍ମଗୁଡ଼ିକ ପ୍ରତି ଘୃଣା ଉଦ୍ରେକ କରେ ଓ ଘୃଣା ପ୍ରଚାର କରେ ତାହା ତିଷ୍ଠି ରହିବାକୁ ଅଯୋଗ୍ୟ ଅଟେ । ତୁଳସୀଦାସଙ୍କର ବାଣୀ- “କରୁଣ ଧର୍ମ ଅର୍ଥାତ୍ ଧାର୍ମିକତାର ମୂଳ ଅଟେ, ସେହିପରି ଗର୍ବ ପାପର, ଅର୍ଥାତ୍ ଅଧାର୍ମିକତାକ ମୂଳ ଅଟେ" 
ଏପରି ଅନୁଷ୍ଠାନଗୁଡ଼ିକ ସର୍ବଦା ମନେ ରଖିବା ଆବଶ୍ୟକ ବୋଲି ସେ ନିଦେବନ କଲେ । ସେ ଆହୁରି ମଧ୍ୟ କହିଲେ ଯେ, ଧର୍ମର ମୂଳତତ୍ତ୍ୱଗୁଡ଼ିକ ସବୁ ଧର୍ମରେ ସମାନ ହେତୁ, ସାର୍ବଜନୀନ ହୋଇଥିବାରୁ, ସେଗୁଡ଼ିକ ଉପରେ ଜୋର ଦେବା ଆବଶ୍ୟକ ଅଟେ । ଯଦି ମନୁଷ୍ୟ ଏଗୁଡ଼ିକ ପାଶୋରି ପକାଏ, ତେବେ ସେ ପଶୁ ପାଲଟି ଯିବ ।

ସଂସ୍କୃତ ଓ ପାର୍ଶୀ ଭାଷା ଶିକ୍ଷା ସମ୍ୱନ୍ଧରେ ସେ କହିଲେ:

ପ୍ରତ୍ୟେକ ଭାରତୀୟ ଛାତ୍ର ପକ୍ଷରେ ହିନ୍ଦୁ ତଥା ମୁସଲମାନଙ୍କ ପକ୍ଷରେ ସଂସ୍କୃତ ଶିଖିବା କର୍ତ୍ତବ୍ୟ ଅଟେକାରଣ ରାମ ଓ କୃଷ୍ଣ ଯେପରି ହିନ୍ଦୁମାନଙ୍କର ପୂର୍ବପୁରୁଷ ଥିଲେ, ସେମାନେ ସେହିପରି ମୁସଲମାନଙ୍କର ମଧ୍ୟ ଅଟନ୍ତି ଏବଂ ସେମାନଙ୍କୁ ବୁଝିବାକୁ ହେଲେ ସେମାନଙ୍କର ସଂସ୍କୃତ ଶିଖିବା ଆବଶ୍ୟକମୁସଲମାନମାନଙ୍କ ସହିତ ସମ୍ପର୍କ ରଖିବା ଓ ଭାବର ଆଦାନପ୍ରଦାନ ନିମିତ୍ତ ହିନ୍ଦୁମାନେ ମୁସଲମାନମାନଙ୍କର ଭାଷା ଶିଖିବା ମଧ୍ୟ ସମାନ ଭାବରେ ଆବଶ୍ୟକ ଅଟେ । 

ଆଜିକାଲି ଆମେ ପ୍ରତ୍ୟେକ ଅନ୍ୟ ସମ୍ପ୍ରଦାୟର ଭାଷା ଠାରୁ ଦୂରେଇ ଯାଉଛୁ; କାରଣ ଆମେ ପାଗଳ ହୋଇ ଯାଇଛୁ । ନିଶ୍ଚିତ ଭାବରେ ଜାଣି ରଖନ୍ତୁ ଯେ ଯେଉଁ ଅନୁଷ୍ଠାନ ଘୃଣା ଓ ଭୟ ପ୍ରଚାର କରେତାହା କେବେହେଁ ରାଷ୍ଟ୍ରୀୟ ବା ଜାତୀୟ ହୋଇ ନ ପାରେ ।“

ବି.ଦ୍ର. - ଏହି ଲେଖାଟି ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଗୁରୁକୁଳ କାଙ୍ଗଡ଼ାର ରଜତ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରୀୟ ଶିକ୍ଷା ସମ୍ମିଳନୀର ସଭାପତି ରୂପେ ଗାନ୍ଧୀଜୀଙ୍କର ଅଭିଭାଷଣ ସମ୍ୱନ୍ଧରେ ଶ୍ରୀ ମହାଦେବ ଦେସାଇଙ୍କର ଟିପ୍‌ପଣୀରୁ ଆନୀତ । ଏହା ପ୍ରଥମେ 'ନବଜୀବନ'ରେ ତା୨୭--୧୯୨୭ରିଖରେ ପ୍ରକାଶିତ ହୋଇଥିଲା ।

Thursday, October 11, 2018

ଓଡ଼ିଶାର ମାଳଭୂମି ଓ ଉଚ୍ଚଭୂମି

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ବ୍ରାହ୍ମଣୀ ନଦୀ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

ମାଳଭୂମି ଏବଂ ତରଙ୍ଗାୟିତ ଉଚ୍ଚଭୂମି



ହାରାହାରି ୩୦୦ରୁ ୬୦୦ମି. ବିଶିଷ୍ଟ ପାର୍ବତ୍ୟାଞ୍ଚଳରେ ଉଚ୍ଚ ମାଳଭୂମିମାନ ଦେଖା ଯାଏ । ଉପଦ୍ୱୀପୀୟ ମାଳଭୂମିର ସମସ୍ତ ବୈଚିତ୍ର୍ୟ ଏଥିରେ ପ୍ରାୟ ଦେଖା ଯାଏ । ଏଗୁଡ଼ିକ ପ୍ରାୟ ସମତଳ ଏବଂ ଗଭୀର ନଦୀ ଉପତ୍ୟକା ଦ୍ୱାରା ଏହାର ସମତଳ ଭୂଦୃଶ୍ୟର ଏକରୂପତା ବହୁ ପରିମାଣରେ ଦୂର ହୋଇ ଥାଏ । କେନ୍ଦୁଝରର ବୈତରଣୀର ଉପର ମୁଣ୍ତର ଅବବାହିକା ଓ କୋରାପୁଟର ସାବରୀ ଅବବାହିକାରେ ଯଥାକ୍ରମେ ଏଭଳି ଦୃଶ୍ୟ ପ୍ରାୟ ଦେଖା ଯାଏ । ଏହି ସବୁ ମାଳ ଅଞ୍ଚଳରେ ଜଳ ଦ୍ୱାରା ସ୍ତର ସ୍ତର ହୋଇ ମୃତ୍ତିକାକ୍ଷୟ ପ୍ରାୟ ହୋଇ ଥାଏ ଏବଂ ନଦୀ ଉପତ୍ୟକାରେ ଗଭୀର କ୍ଷୁଦ୍ରନାଳୀ ଅବକ୍ଷୟମାନ ଦେଖା ଯାଏ । ଗଠନତତ୍ତ୍ୱ ଦୃଷ୍ଟିରୁ ଏହି ସବୁ ମାଳଭୂମିକୁ ନିମ୍ନ ପ୍ରକାରେ ବିଭକ୍ତ କରା ଯାଇ ପାରେ: (ଉପର ବୈତରାଣୀ ଅବବାହିକାର ପାନପୋଷ୍ କେନ୍ଦୁଝର ପାଲଲହଡ଼ା ମାଳଭୂମି; (ଉପର ସାବେରୀ ଅବବାହିକାର ନବରଙ୍ଗପୁର ଜୟପୁର ମାଳଭୂମି ।

ତରଙ୍ଗାୟିତ ଭୂମିଗୁଡି଼କର ଉଚ୍ଚତା କମ୍ ଏବଂ ସେସବୁ ୧୫୦ରୁ ୩୦୦ ମି. ମଧ୍ୟରେ ସୀମାବଦ୍ଧ । ଏହି ସବୁ ଉଚ୍ଚଭୂମିଗୁଡ଼ିକ ନଦୀର କାର୍ଯ୍ୟଦ୍ୱାରା ସୃଷ୍ଟି ହୋଇଛି ଏବଂ ଏଗୁଡ଼ିକ ପ୍ରାୟ ଚଟକା ଅଟେ । ଏହାର ମାଟି ଉର୍ବର ଏବଂ ଆର୍ଦ୍ର ଅଞ୍ଚଳରେ ଏଥିରେ ଧାନଚାଷ ବେଶ୍ ଭଲ ହୁଏ । ଏହି ସବୁ ଉଚ୍ଚଭୂମି ଉପର ବ୍ରାହ୍ମଣୀର ଶଙ୍ଖ କୋଏଲ ଅବବାହିକା ଲବ୍ ସୁକ୍ ତେଲ ଏବଂ ସାବେରୀ ଅବବାହିକାରେ ଦେଖା ଯାଏ । ଏହି ସବୁ ଉଚ୍ଚଭୂମି ପୂର୍ବଘାଟର ପଶ୍ଚିମ ପଟରେ ରହିଛି । ଏହି ତରଙ୍ଗାୟିତ ଉଚ୍ଚ ଭୂମିକୁ ନିମ୍ନଲିଖିତ ଗଠନତାତ୍ତ୍ୱିକ ବିଭାଗରେ ବିଭକ୍ତ କରା ଯାଇ ଥାଏ ।


(କୋଏଲ ଓ ଶଙ୍ଖନଦାର ରାଜଗାଙ୍ଗପୁର ପାନପୋଷ୍ ଉଚ୍ଚଭୂମି
(ଇବ୍ ଅବବାହିକାର ଝାରସୁଗୁଡ଼ା ଉଚ୍ଚଭୂମି
(ଜୀରା ଓ ଝଉ ଅବବାହିକାର ବରଗଡ଼ ଉଚ୍ଚଭୂମି
(ଉତ୍ତରତେଲ ଅବବାହିକାର ବଲାଙ୍ଗୀର ଟିଟିଲାଗଡ଼ ପାଟଣାଗଡ଼ ଉଚ୍ଚଭୂମି
(ଦକ୍ଷିଣତେଲ ଅବବାହିକାର ଭବାନୀପାଟଣା ଉଚ୍ଚଭୂମି
(ସାବେରୀ ଅବବାହିକାର ମାଲକାନଗିରି ଉଚ୍ଚଭୂମି


ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେ, ଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

ଓଡ଼ିଶାର ପାର୍ବତ୍ୟାଞ୍ଚଳ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ଢେଙ୍କାନାଳର ସପ୍ତଶଯ୍ୟା ପାହାଡ଼ର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଶିମିଳିପାଳ ଏବଂ ମେଘାସନ ପର୍ବତ

ଏହି ଅର୍ଦ୍ଧବୃତ୍ତାକାର ପର୍ବତଟି ଏକ ଆଗ୍ନେୟ ପର୍ବତ । ଏହାର ଉଚ୍ଚତା ହାରାହାରି ସମୁଦ୍ର ପତ୍ତନ ଠାରୁ ୬୦୦ କି.ମି ରୁ ୧୦୫୦ ମି., ମଧ୍ୟରେ । ଏହା ବ୍ୟାପ୍ତିରେ ବର୍ତ୍ତୁଳାକାର ଏବଂ ଶିମିଳିପାଳ ତଥା ମେଘାସନ (୧୧୪୭ମିଠାରେ ଏହାର ଦୁଇଟି ଶୃଙ୍ଗ ରହିଛି । ଛତ୍ରାକାର ନଦୀପ୍ରବାହ ଏହାର ବୈଶିଷ୍ଟ୍ୟ ।

ବୈତରଣୀ ଏବଂ ବ୍ରାହ୍ମଣୀ ନଦୀ ମଧ୍ୟବର୍ତ୍ତୀ ମାଙ୍କଡ଼ାନଡ଼ା ମଳୟଗିରି ଏବଂ ଗନ୍ଧମାର୍ଦ୍ଧନ ପର୍ବତ

ଏହି ପର୍ବତମାଳାରେ ତିନୋଟି ଉଚ୍ଚଶୃଙ୍ଗ ରହିଛି ଏବଂ ଏହା ଉତ୍ତରରୁ ଦକ୍ଷିଣଆଡ଼େ ପରିବ୍ୟାପ୍ତ ପାଲଲହଡ଼ାଠାରେ ମଳୟଗିରି ଉଚ୍ଚତା ୧୧୭୦ମି. । ବଣେଇଠାରେ ମାଙ୍କଡ଼ନଗର ଉଚ୍ଚତା ୧୦୯୨ମି. ଏବଂ କେନ୍ଦୁଝରଠାରେ ଗନ୍ଧମାର୍ଦ୍ଦନ ଉଚ୍ଚତା ୧୦୪୪. । ଏ ସମସ୍ତ ପର୍ବତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏବଂ ଏହାର ବିସ୍ତୃତି ହେଉଛି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ । ବର୍ତ୍ତମାନ ଏହି ପର୍ବତମାଳା ଉତ୍ତର-ଦକ୍ଷିଣମୁଖୀ ହେବାର ପ୍ରଧାନ କାରଣ ହେଉଛି ବ୍ରାହ୍ମଣୀ ଏବଂ ବୈତରଣୀ ନଦୀର ନିୟମିତ ପ୍ରବାହଜନିତ କ୍ଷୟସାଧନ । ଏହି ଅଞ୍ଚଳ ହେଉଛି ଏକ କ୍ଷୟକାରୀ ଶକ୍ତିର ବହୁଚକ୍ରାବର୍ତ୍ତୀ ଅଞ୍ଚଳ ।

ବ୍ରାହ୍ମଣୀ ଏବଂ‌ ମହାନଦୀ ମଧସ୍ଥ ଜଳଛାୟା

ଏହି ପର୍ବତମାଳାର ବିବର୍ତ୍ତନ ପ୍ରାୟ ପୂର୍ବୋକ୍ତ ଅଞ୍ଚଳର ପର୍ବତମାଳାର ବିକାଶ ସହିତ ସମାନ । ତେବେ ଏଗୁଡ଼ିକ ମହାନଦୀ ଓ ବ୍ରାହ୍ମଣୀର ନିରବିଚ୍ଛିନ୍ନ କ୍ରିୟା ଦ୍ୱାରା ଅଧିକ ପ୍ରଭାବିତ । ଓଡ଼ିଶାର ଅନ୍ୟ ନଦୀ ତୁଳନାରେ ଏହି ନଦୀମାନଙ୍କର କ୍ଷୟକାରୀ ଶକ୍ତି ଅଧିକ ହୋଇ ଥିବାରୁ, ଏହି ପର୍ବତମାଳା ସମ୍ପ୍ରତି ମାତ୍ର ୬୦୦ମିଉଚ୍ଚତା ମଧ୍ୟରେ ସୀମାବଦ୍ଧ ଅଛନ୍ତି । ଉତ୍ତରଭାଗରେ ଏହିସବୁ ପର୍ବତର ବ୍ୟାପ୍ତି ଉତ୍ତରପଶ୍ଚିମମୁଖୀ ହୋଇ ଥିବା ବେଳେ ଦକ୍ଷିଣଭାଗରେ ଏହା ଉତ୍ତର ପଶ୍ଚିମରୁ ଦକ୍ଷିଣ ଦକ୍ଷିଣ ପୂର୍ବଆଡ଼କୁ ପରିବ୍ୟାପ୍ତ ।

ମହାନଦୀ ଋଷିକୂଲ୍ୟା ଏବଂ ବଂଶଧାରା ନଦୀ ମଧ୍ୟରେ ଥିବା ଜଳବିଭାଜନ

ଏହି ଜଳବିଭାଜକ ଅଞ୍ଚଳରେ ମୃତ୍ତିକା କ୍ଷୟର ପରିମାଣ ବହୁ ଅଧିକ ଏବଂ ଏହି କାରଣରୁ ଏହାର ଉଚ୍ଚତା ୬୦୦ ରୁ ୧୦୦୦ ମିମଧ୍ୟରେ ସୀମାବଦ୍ଧ । ନଦୀଗୁଡ଼ିକର ମଧ୍ୟବର୍ତ୍ତୀ ଅଞ୍ଚଳ ଉତ୍ତର ଦକ୍ଷିଣଭାବେ ପରିବ୍ୟାପ୍ତ ଏବଂ ଏଠାରେ କେତୋଟି ଶୃଙ୍ଗର ଉଚ୍ଚତା ୧୨୦୦ମି.ରୁ ଅଧିକ । ସେମାନଙ୍କ ମଧ୍ୟରେ ସିଙ୍ଗରାଜୁ ଏବଂ ମହେନ୍ଦ୍ରଗିରି (୧୫୦୦ମିରୁ ଅଧିକ ଉଚ୍ଚଏବଂ ଦେବଗିରି (୧୩୬୦ମି. ପ୍ରଭୃତିର ନାମ ଉଲ୍ଲେଖଯୋଗ୍ୟ ।

ପଟାଙ୍ଗି ଏବଂ ଚନ୍ଦ୍ରଗିରି ପର୍ବତମାଳା

ଏହି ପର୍ବତମାଳା ହେଉଛି ଓଡିଶାରେ ଉଚ୍ଚତମ ଏବଂ‌ ଏହାର ହାରାହାରି ଉଚ୍ଚତା ୯୦୦ମି. ରୁ ୧୩୫୦ମି ମଧ୍ୟରେ । ପୂର୍ବଘାଟ ପର୍ବତମାଳାର ପାଞ୍ଚଟି ଉଚ୍ଚତମ ଶୃଙ୍ଗ ଏଥିରେ ରହିଛି । ସେଗୁଡ଼ିକ ୧୫୦୦ମି. ରୁ ଅଧିକ ଉଚ୍ଚ ଓଡ଼ିଶାର ସବୁଠାରୁ ଉଚ୍ଚତମ ଶୃଙ୍ଗ ହେଉଛି ଦେଓମାଳି ଏବଂ ଏହାର ଉଚ୍ଚତା ହେଉଛି ୧୬୭୨ ମି. । ସମଗ୍ର ପୂର୍ବଘାଟ ପର୍ବତମାଳାରେ ଏହା ହେଉଛି ଉଚ୍ଚତମ ଶୃଙ୍ଗ । ଅନ୍ ତିନୋଟି ଉଚ୍ଚତର ଶୃଙ୍ଗ ହେଉଛନ୍ତି ଗଲିକୋଣ୍ତା (୧୬୬୩ ମି.) ସିଙ୍ଖାରାମ (୧୬୨୦ ମି.) ଏବଂ ତୁରିଆକୋଣ୍ତା (୧୫୯୮ ମି.) ପୂର୍ବଘାଟ ପୂର୍ବତମାଳାର ବିସ୍ତୃତି, ଯାହା କି ଉ.. ରୁ ଦ.., ତାହା ଏଠାରେ ମଧ୍ୟ ବଳଦତ୍ତର ରହିଛି ବୋଲି କୁହା ଯାଇ ପାରେ । ଏହି ପର୍ବତମାଳା ନାଗାବଳୀ ଏବଂ ସାବେରୀ ନଦୀ ଦୁଇଟିର ଅବବାହିକାକୁ ପରସ୍ପରଠାରୁ ବିଚ୍ଛିନ୍ନ କରୁଛି । ଏହି ପର୍ବତମାଳା ବହୁ ସ୍ଥାନରେ ଦ୍ୱିଖଣ୍ତିତ ଏବଂ ଏହି ଉପତ୍ୟକାରେ ସୋପାନ ଚାଷ ବ୍ୟବସ୍ଥାର ପ୍ରଚଳନ ରହିଛି । ପୋଡ଼ୁ ଚାଷ ଯୋଗୁ ପର୍ବତ ଉପରେ କୌଣସି ଗଛଲତା ଦେଖିବାକୁ ମିଳେ ନାହିଁ ।

           ଓଡିଶାର ମୁଖ୍ୟ ପର୍ବତ ଶୃଙ୍ଗ
ଶୃଙ୍ଗର ନାମ()
ଜିଲ୍ଲା()
ମିଟରରେ ଉଚ୍ଚତା()
ଦେଓମାଳି
କୋରାପୁଟ
୧୬୭୨
ଗଲିକୁଣ୍ତା
କୋରାପୁଟ
୧୬୪୩
ସିଙ୍କରମ୍
କୋରାପୁଟ
୧୬୨୦
ତୁରିଆକୁଣ୍ତା
କୋରାପୁଟ
୧୫୯୮
ୟେଣ୍ଟ୍ରିକା
କୋରାପୁଟ
୧୫୮୨
ସିଙ୍ଗରାଜୁ
ଗଞ୍ଜାମ
୧୫୧୬
ନିୟାମଗିରି
କୋରାପୁଟ
୧୫୧୫
ମହେନ୍ଦ୍ରଗିରି
ଗଜପତି
୧୫୦୧
କର୍ଣ୍ଣପଦିକୁଣ୍ତା
କୋରାପୁଟ
୧୪୮୭
ହାତୀମାଳି
କୋରାପୁଟ
୧୩୯୧
ଦେବଗିରି
ଗଞ୍ଜାମ
୧୩୮୨
ଚନ୍ଦ୍ରଗିରି
ଗଜପତି
୧୨୬୯
ସୁବର୍ଣ୍ଣଗିରି
କନ୍ଧମାଳ
୧୨୫୭
ଚମ୍ପାଝରଣ
କନ୍ଧମାଳ
୧୨୫୭
ଟାଙ୍ଗିତୁଙ୍ଗର
କଳାହାଣ୍ତି
୧୨୨୯
ମୁରଳାସୋରୁ
କନ୍ଧମାଳ
୧୨୨୩
ବଫ୍‌ଲିମାଳି
କଳାହାଣ୍ତି
୧୨୨୦
କର୍ଲାପାଟମାଳ
କଳାହାଣ୍ତି
୧୨୧୩
ମଳୟଗିରି
ଅନୁଗୁଳ
୧୧୮୮
ମେଘାସନ
ମୟୂରଭଞ୍ଜ
୧୧୬୫
ଦୋଦାସୋରୁ
କନ୍ଧମାଳ
୧୧୫୬
ମାଙ୍କଡ଼ନଚା
କେନ୍ଦୁଝର
୧୧୧୭
କୋଣ୍ତାମାଳି
କୋରାପୁଟ
୧୦୭୭
ବାଦାମବାଡ଼ି
ସୁନ୍ଦରଗଡ
୧୦୭୪
କୁମ୍ରିଟର
ସୁନ୍ଦରଗଡ
୧୦୬୫
ଗନ୍ଧମାର୍ଦ୍ଦନ
କେନ୍ଦୁଝର
୧୦୬୦
ଗାର୍ଦାବାଡ଼ି
ଗଞ୍ଜାମ
୧୦୩୬
ରାୟଗଡ଼ଗୁରା
କୋରାପୁଟ
୧୦୨୬
ଛେଳିଆଟୋକା
ସୁନ୍ଦରଗଡ
୧୦୧୫
ଦଣ୍ତିକିଆ(ନୃସିଂହନାଥ)
ସମ୍ୱଲପୁର
୯୮୬
ଖୁଣ୍ତାବଳ
ଗଞ୍ଜାମ
୯୪୯
ଦେପ୍ପାଗିରି
କଳାହାଣ୍ତି
୯୨୪
ପାଞ୍ଚଧାର
ଢ଼େଙ୍କାନାଳ
୯୧୫
ରାଇଘର
ଗଞ୍ଜାମ
୮୮୧
ଟମ୍‌କା
କେନ୍ଦୁଝର
୭୮୨
ଗୁଆଳଦେଇ
ନୟାଗଡ଼
୭୬୪


ବି. ଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳ' ବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Wednesday, October 10, 2018

ମହାବୀର ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ

କେଦାରନାଥ ମହାପାତ୍ର


ନେପଲ୍ସ ନଗରୀରେ ଜାତୀୟ ପ୍ରତ୍ନତାତ୍ତ୍ୱିକ ସଙ୍ଗ୍ରହାଳୟରେ ସ୍ଥିତ ସିକନ୍ଦରଙ୍କର ମୌଜାଗି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ନନ୍ଦରାଜାମାନେ ଭାରତରେ ରାଜତ୍ୱ କରୁଥିବା ସମୟରେ, ଇଉରୋପ ମହାଦେଶର ଗ୍ରୀସ୍ ନାମକ ରାଜ୍ୟ ବିଶେଷ କ୍ଷମତାଶାଳୀ ଥିଲା । ଗ୍ରୀସ୍ ରାଜ୍ୟସ୍ଥ ମାସିଡନ ନାମକ କ୍ଷୁଦ୍ର ରାଜ୍ୟରେ ପିଲିଫ୍ ନାମକ ଜଣେ ରାଜା ରାଜତ୍ୱ କରୁ ଥିଲେ । ଆଲେକଜାଣ୍ଡର ତାଙ୍କର ପୁତ୍ର, ସେ ଜଣେ ପୃଥିବୀ ବିଖ୍ୟାତ ଯୋଦ୍ଧା ଥିଲେ । ସେ ଗୋଟିଏ ଛୋଟିଆ ରାଜ୍ୟର ରାଜାଙ୍କ ପୁଅ ଥିଲେ ସୁଦ୍ଧା ନିଜ ବାହୁବଳରେ ମାସିଡନଠାରୁ ହିନ୍ଦୁକୁଶ ପାର ହୋଇ ପାହାଡ଼ିଆ ଜାତିମାନଙ୍କୁ ପରାସ୍ତ କଲେ (ଖ୍ରୀ: ପୂ: ୩୨୭) ଓ ଖାଇବାର ଗିରିସଙ୍କଟ ବାଟେ ପଞ୍ଜାବରେ ପ୍ରବେଶ କଲେ । 

ସେତେବେଳେ ପଞ୍ଜାବ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ଥିଲା ଓ ତକ୍ଷଶିଳା ପଞ୍ଜାବର ଗୋଟିଏ ପ୍ରସିଦ୍ଧ ନଗରୀ ଥିଲା । ସେ ସିନ୍ଧୁ ନଦୀ ପାର ହୋଇ ତକ୍ଷଶିଳା ଆକ୍ରମଣ କଲେ । ସେଠାର ରାଜା ଅମ୍ଭି ଦୁର୍ବଳ ଥିବାରୁ ତାଙ୍କର ଶରଣ ପଶିଲେ ଓ ତାଙ୍କୁ ସୈନ୍ୟ ଓ ଧନ ସାହାଯ୍ୟ ଦେଇ ଥିଲେ । ତତ୍‌ପରେ ସେ ଝେଲମ ନଦୀ ଓ ଚେନାବ ନଦୀ ମଧ୍ୟବର୍ତ୍ତୀ ରାଜ୍ୟ ଆକ୍ରମଣ କଲେ । ସେଠାରେ ପୂରୁ ନାମକ ଜଣେ କ୍ଷମତାଶାଳୀ ରାଜା ରାଜତ୍ୱ କରୁଥିଲେ । ସେ ଆଲେକ ଜାଣ୍ଡରଙ୍କ ସଙ୍ଗେ ଭୀଷଣ ଯୁଦ୍ଧ କଲେ । ସେ ଭୀରୁ ପରି ଶତୃର ଅଧୀନତା ସ୍ୱୀକାର କଲେ ନାହିଁ । ଦେହରେ ନଅ ଜାଗାରେ ଆଘାତ ପାଇ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ଥିଲେ କିନ୍ତୁ ପରାସ୍ତ ହୋଇ ଗଲେ (ଖ୍ରୀ: ପୂ: ୩୨୬) । 
ସେ ବନ୍ଦୀ ହୋଇ ଗ୍ରୀକ୍ ବୀରଙ୍କ ନିକଟକୁ ଅଣା ହୋଇ ଥିଲେ । ଆଲୋକଜାଣ୍ଡର ତାଙ୍କର ବୀରତ୍ୱ ଦେଖି ମୁଗ୍ଧ ଓ ଚକିତ ହୋଇଥିଲେ । ତେଣୁ ସେ ପୂରୁଙ୍କ ପଚାରିଲେ, “ତୁମ୍ଭେ କି ପ୍ରକାର ବ୍ୟବହାର ଚାହଁ?” ପୂରୁ ବୀର ପରି କହିଲେ, “ମୁଁ ରାଜୋଚିତ ବ୍ୟବହାର ଚାହେଁ ।” ମହାବୀର ତାଙ୍କର ବୀରୋଚିତ ଉତ୍ତର ଶୁଣି ସନ୍ତୁଷ୍ଟ ହେଲେ ଓ ତାଙ୍କୁ ବନ୍ଦୀରୁ ଖଲାସ କରି ତାଙ୍କ ରାଜ୍ୟ ତାଙ୍କୁ ଫେରାଇ ଦେଇ ଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପିତ ହେଲା । 
ଏହା ପରେ ଗ୍ରୀକ୍ ବୀର ପଞ୍ଜାବର ଅନେକ ଛୋଟ ଛୋଟ ରାଜ୍ୟ ଜୟ କରିଥିଲେ । ମଗଧ ପର୍ଯ୍ୟନ୍ତ ଜୟ କରିବା ତାଙ୍କର ଇଚ୍ଛା ଥିଲା । ଗ୍ରୀକ୍ ସୈନ୍ୟମାନେ ବହୁକାଳ ଘରଦ୍ୱାର ଛାଡ଼ି ବିଦେଶରେ ଯୁଦ୍ଧ କରିଥିବାରୁ କ୍ଳାନ୍ତ ହୋଇ ଯାଇ ଥିଲେ । ସେମାନେ ଭାରତୀୟମାନଙ୍କର ବୀରତ୍ୱ ଦେଖି ମଧ୍ୟ ଚକିତ ହୋଇ ଥିଲେ । ତେଣୁ ସେମାନେ ଆଉ ଅଧିକ ଦୂର ଯିବାକୁ ରାଜି ନ ହେବାରୁ ଆଲେକଜାଣ୍ଡର ବାଧ୍ୟ ହୋଇ ସିନ୍ଧୁ ନଦୀ, ଆରବ ସାଗର ଓ ପାରସ୍ୟ ଉପସାଗର ବାଟେ ସ୍ୱଦେଶକୁ ଫେରି ଗଲେ । ଫେରି ଯିବା ବେଳେ ସିନ୍ଧୁ ନଦୀ କୂଳରେ ବାସ କରୁ ଥିବା କେତେକ ଜାତି ତାଙ୍କ ସହିତ ଭୀଷଣ ଯୁଦ୍ଧ କରି ଥିଲେ । ସେ ବାଟରେ ବାଚିଲନ ନାମକ ସ୍ଥାନରେ ଖ୍ରୀ: ପୂ ୩୨୩ରେ ପ୍ରାଣ ତ୍ୟାଗ କଲେ । ମୃତ୍ୟୁ ପରେ ତାଙ୍କର ବିରାଟ ସାମ୍ରାଜ୍ୟ ତାଙ୍କର ସେନାପତିମାନଙ୍କ ମଧ୍ୟରେ ବିଭକ୍ତ ହୋଇ ଥିଲା । ସେଲିଉକସ ନାମକ ଜଣେ ସେନାପତି ତାଙ୍କ ସାମ୍ରାଜ୍ୟର ପୂର୍ବାଂଶ ପାଇ ଥିଲେ । ଆଲେକଜାଣ୍ଡରଙ୍କ ଅନ୍ୟ ନାମ ସିକନ୍ଦର । ସେ ଭାରତର ପ୍ରଥମ ଇଉରୋପୀୟ ବିଜେତା ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।