Wednesday, November 07, 2018

ପିଲାଙ୍କ ପାଇଁ କବିତା - 'ଧନ୍ଦା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଖାଇବା ଟେବୁଲ ଉପରେ ଥୁଆ
ତିମି, ହାଡ଼, ମାଛ, କୋଚିଲା, କୁଆ ।

କହି ପାରିବ କି ଏଥିରୁ ଖୋଜି
କାହା ପାଇଁ ଥିଲା ଏ ଭଳି ଭୋଜି ।

ଧନ୍ଦା: ଟେବୁଲ ଉପରେ ଖାଇବା ପାଇଁ ଥିବା ପାଞ୍ଚଟି ଜିନିଷରୁ ପ୍ରଥମ ଜିନିଷ 'ତିମି' ଥିଲା 'ତିମିଙ୍ଗଳ' ପାଇଁ । ତିମିଙ୍ଗଳ ହେଉଛି ତିମିକି ଗିଳି ଦେଲା ଭଳି ଅତି ବୃହତ୍ କାଳ୍ପନିକ ସାମୁଦ୍ରିକ ଜନ୍ତୁ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Tuesday, November 06, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ନିଜସ୍ୱ ଅଭିବ୍ୟକ୍ତି ଓ ପ୍ରକୃତି ପରିଚୟ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଅଗଷ୍ଟ ମାକି (୧୮୮୭-୧୯୧୪)ଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଜସ୍ୱ ଅଭିବ୍ୟକ୍ତି

ଗିଜୁଭାଇଙ୍କ ଚିନ୍ତନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ପିଲାମାନଙ୍କର ଅଭିବ୍ୟକ୍ତି । ନିଜକୁ ପ୍ରକାଶ କରିବା ସମସ୍ତଙ୍କ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ମାନବ ଜାତି ଦ୍ୱାରା ଆଜି ଯାହା କିଛି ସୃଷ୍ଟି ହୋଇଛି, ସେ ସବୁ ହିଁ ଏଇ ମାନବ ଜାତିର ଅଭିବ୍ୟକ୍ତି । ଚିତ୍ର, ଗୀତ, କଥା, ନାଟକ, ଲୋକଗୀତ, କଳାକୃତି ସବୁ ଅଭିବ୍ୟକ୍ତିର ବିଭିନ୍ନ ରୂପ ।

ଗିଜୁଭାଇ ତାଙ୍କ ବିଦ୍ୟାଳୟର ପିଲାଙ୍କର ନିଜସ୍ୱ ଅଭିବ୍ୟକ୍ତିର ବିକାଶ ଦିଗରେ ବେଶ୍ ଗୁରୁତ୍ୱ ଦେଉ ଥିଲେ । ପ୍ରତ୍ୟେକ ଅଭିଭାବକ, ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେଲା, ପିଲାମାନଙ୍କର ସୃଜନଶୀଳତାର ବିକାଶ ଦିଗରେ ସେମାନଙ୍କୁ ସହଯୋଗ କରିବା । ପିଲାମାନଙ୍କୁ ଜୋର କରି କିଛି କରିବାକୁ ବାଧ୍ୟ କରା ଗଲେ ସେମାନଙ୍କର ଲାଭ ନୁହେଁ, ବରଂ କ୍ଷତି ହୋଇ ଥାଏ ।

ପ୍ରକୃତି ପରିଚୟ

ପ୍ରକୃତି ପରିଚୟ ମାଧ୍ୟମରେ ପିଲାଙ୍କ ବିକାଶ ଗିଜୁଭାଇଙ୍କର ଦର୍ଶନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପଶୁପକ୍ଷୀ ତଥା ଉଭିଦ ସହ ପରିଚୟ, ଆକାଶରେ ତାରା ଚିହ୍ନିବା, ପ୍ରଜାପତିଙ୍କର ଜୀବନ ପ୍ରଣାଳୀ, ଚଢ଼େଇମାନଙ୍କର ବସା ଖୋଜିବା, ଅଣ୍ଡାଗୁଡ଼ିକୁ ନିରୀକ୍ଷଣ କରିବା ଆଦି ବିଭିନ୍ନ କାର୍ଯ୍ୟ ଗିଜୁଭାଇଙ୍କ ବିଦ୍ୟାଳୟର କାର୍ଯ୍ୟକ୍ରମରେ ରହୁ ଥିଲା । ପ୍ରକୃତି ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଧୈର୍ଯ୍ୟ ତଥା ଶ୍ରଦ୍ଧା ଉତ୍ପନ୍ନ ହୋଇ ଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ, ପିଲାଟିଏ ଏକ ସୁସ୍ଥ ସାମାଜିକ ପ୍ରାଣୀ ଭାବରେ ବଢ଼ି ଉଠିବା ଦିଗରେ ପ୍ରକୃତି ଶିକ୍ଷା ଅନେକାଂଶରେ ସହାୟକ ହୋଇ ଥାଏ ।

ପ୍ରକୃତି ଶିକ୍ଷା ଦ୍ୱାରା ନୀତି ଶିକ୍ଷା ବି ହୋଇ ଥାଏ । ପ୍ରାଣୀ ଓ ଉଭିଦଙ୍କ ବିକାଶ ନିରୀକ୍ଷଣ କରୁ କରୁ ପିଲା ମଣିଷର ବିକାଶ ଦିଗରେ ଆଗ୍ରହୀ ହୁଏ । ଜୀବମାନଙ୍କ ସହ ସେ ଆତ୍ମିୟତାର ସମ୍ପର୍କ ଯୋଡ଼େ । ବଗିଚା କାମ ଓ ଜୀବଜନ୍ତୁ ପାଳିବା ଦ୍ୱାରା ପିଲାର ନୈତିକ ବିକାଶ ହୁଏ । ସେ ନିଜ ବାପା ମା’ ତଥା ଶିକ୍ଷକଙ୍କ ହୃଦୟ ଚିହ୍ନିବାକୁ ଲାଗେ । ବୈଜ୍ଞାନିକ ତଥ୍ୟ ପାଇବାର ମାଧ୍ୟମ ଭାବରେ କୌଣସି ଜିନିଷକୁ ନିରୀକ୍ଷଣ କରିବାର କ୍ଷମତା ମଧ୍ୟ ତାର ବଢ଼େ । ବହି ପଢ଼ି ଏସବୁ ଯେତେ ନ ବଢ଼େ, ପ୍ରାଣୀ ଉଭିଦ ଆଦିର ବିକାଶକୁ ଲକ୍ଷ୍ୟ କରି ତାହା ଠାରୁ ବେଶୀ ବଢ଼େ । ପ୍ରକୃତି ପିଲାକୁ ଉଦାରତା ଏବଂ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଶିଖାଇ ଥାଏ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, November 05, 2018

ପିଲାଙ୍କ ପାଇଁ କବିତା - 'ଦେଖା'

କବି - ଜଗନ୍ନାଥ ପ୍ରସାଦ ଦାସ


ବିଲୁଆ ଓ ଗଧିଆ ଆଙ୍କିବାର ଉପାୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରାତିରେ ଦେଖନ୍ତି ବାଘ ଓ ବିଲୁଆ
ଚୋର ଖଣ୍ଟ ପେଚା ପୁଷି
ବିଦ୍ୱାନ ଦେଖନ୍ତି କାମଳ ଆଖିରେ
ଦିବ୍ୟ ଲୋଚନରେ ୠଷି ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Sunday, November 04, 2018

ବାବର ମୂର୍ତ୍ତି

ଜ୍ୟୋତି ନନ୍ଦ


ଉଜବେକିସ୍ତାନର ଆନ୍ଦିଜନ ସହରର ବାବର ଠକର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବାବରଙ୍କର ବ୍ୟତୀତ ଅନ୍ୟ କୌଣସି ମୋଗଲ ଜହାଁପନାଙ୍କର ଏହିପରି ଭାସ୍କର୍ଯ୍ୟ ରହିଥାଇ ପାରେ । ଜାଣିଲେ କୃତଜ୍ଞ ହେବି । ମୋଗଲ ସମ୍ରାଟ ମାନେ ନିଜର ତୈଳଚିତ୍ର ପାଇଁ ଅନୁମତି ଦେଉଥିଲା ବେଳେ ନିଜର ଭାସ୍କର୍ଯ୍ୟ ପାଇଁ ଆଗଭର ହେଉ ନ ଥିଲେ । ଏହା ପଛରେ ଇସଲାମ୍ ଧର୍ମରେ ପିତୁଳା ନିଷେଧ ପ୍ରମୁଖ କାରଣ ବୋଲି ଗ୍ରହଣ କରା ଯାଇ ପାରେ ।

ଉଜବେକିସ୍ତାନର ଆଣ୍ଡିଜାନ ନାମକ ସ୍ଥାନରେ ଏହି ସ୍ଥାପତ୍ୟଟି ବିରାଜିତ । ସ୍ଥାପତ୍ୟଟି ମୋଗଲ ଶାସନର ୧୫୨୬ ଖ୍ରୀଷ୍ଟାବ୍ଦରେ ଭାରତରେ ପ୍ରତିଷ୍ଠାତା ଜହିରୁଦ୍ଦିନ ମହମ୍ମଦ ବାବରଙ୍କର ।

ଭାରତରେ ବାବର ନିହାତି ସୁପରିଚିତ।ତାଙ୍କର ଆତ୍ମଜୀବନୀ  ତୁଝକ୍--ବାବରି ରେ ସେ ଭାରତୀୟ ମାନଙ୍କୁ ନିହାତି ଅସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି । ଦୟା କରି ଏତେ କାଳ ପରେ ଏହାକୁ ନେଇ ଗୋଳ କରିବାରେ ଆମର ଅସୁନ୍ଦର ପଣ ବେଶି ଦେଖା ଯିବ ।

ଛଅଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଗୌରାଙ୍ଗ ଏବଂ ସୁନ୍ଦର ଏହି ବିଚକ୍ଷଣ ସେନାନାୟକଙ୍କୁ ସାମ୍ନାର ଅପେକ୍ଷାକୃତ କ୍ଷୁଦ୍ରକାୟ ଶ୍ୟାମାଙ୍ଗମାନେ ଅସୁନ୍ଦର ମନେ ହୋଇ ପାରି ଥାଆନ୍ତି । ସେଇଥି ପାଇଁ ସେ ହୁଏତ ଭାରତର ଶାସନ କର୍ତ୍ତା ହେଲେ ବି, ଏକେଣା ଜାଗା ଲାହୋରରେ ନିଜର ରାଜଧାନୀ ରାଜଧାନୀ ପ୍ରତିଷ୍ଠା କରିଥିଲେ । କିଏ ଜାଣେ ?

ସମ୍ରାଟ ବାବର (ୱିକିମିଡିଆ କମନ୍ସ୍)


ବାବର କିନ୍ତୁ ଭାରତୀୟମାନଙ୍କୁ ଅସୁନ୍ଦର ବୋଲି କହିବାର ଗୋଟିଏ ପରିଷ୍କାର ମାପକାଠି ତିଆରି କରିଛନ୍ତି ତାଙ୍କ ଆତ୍ମକଥାରେ । ସେଇଟି ହେଲା ଭାରତୀୟ ମାନେ ତରଭୁଜ ବୋଲି ଗୋଟିଏ ସ୍ୱର୍ଗୀୟ ଫଳ ଅଛି ବୋଲି ଜାଣନ୍ତି ନାହିଁ; ଆଉ ଏଡିକି ଅସୁନ୍ଦର ସେମାନେ ଯେ ଜନ୍ନତ୍‌ର ସବୁଠାରୁ ସୁନ୍ଦରତମ ବସ୍ତୁଟି ସମ୍ପର୍କରେ ତାଙ୍କର ଆଦୌ ଧାରଣା ନାହିଁ ।

ବାବରଙ୍କର ସେଇ ସୁନ୍ଦରତମ ବସ୍ତୁଟି ହେଲା ଗୋଲାପ ଫୁଲ । ଅବଶ୍ୟ ଆମେ ଏ କଥା ଯୁକ୍ତି କରି ପାରିବା ନାହିଁ ଯେ ଆମର ଗୋଟିଏ ବେମାରି ଥିଲା ସେତେବେଳେ । ଫୁଲକୁ ଦେଖିଲେ ଆମେ ଘଡ଼ିକୁ ଘଡ଼ି ମୁର୍ଛା ଯାଉ ଥିଲୁ । ବାବର ଏ କଥା ଜାଣନ୍ତି ନାହିଁ । ବହୁତ କିସମର ବେମାରିର କଥା କିଏ ସାହସ କରି ଜହାଁପନ୍ନାଙ୍କୁ ବଖାଣିବ ?

ଆନ୍ଥୋଫୋବିଆ ବୋଲି ଗୋଟିଏ ଅସୁଖ ଅଛି । ସେଇ ଥିରେ ଯେଉଁମାନେ ଅସୁସ୍ଥ, ସେମାନେ ଫୁଲକୁ ଭୟ ପାଆନ୍ତି । ଫୁଲକୁ ପାଖରେ ଦେଖିଲେ ସେମାନଙ୍କର ଚେତା ବୁଡ଼ିଯାଏ । ଦୁଃଖର କଥା, ସାଧାରଣ ଲୋକ କିଏ ଏହା ଭୋଗୁଛି ଅଧୀନକୁ ଜଣା ନାହିଁ । ଦୁଇ ଜଣଙ୍କର କଥା କୁହାଯାଇ ପାରିବ । ପ୍ରଥମ ଜଣକ ଫରାସୀ ରାଷ୍ଟ୍ରବିପ୍ଳବ ସମୟର ଦାର୍ଶନିକ ଭୋଲଟାୟାର୍ । ଆଉ ଆର ଜଣକ ହେଉଛନ୍ତି ଇଂଲଣ୍ଡର ରାଣୀ ପ୍ରଥମ ଏଲିଜାବେଥ୍ ।

ପ୍ରଥମ ଏଲିଜାବେଥ୍‌ଙ୍କର ଭାରି ଭୟ ଥିଲା ଫୁଲକୁବିଶେଷତଃ ଗୋଲାପ ଫୁଲକୁ ।

Saturday, November 03, 2018

ପିଲାଙ୍କ ଶୀତଗୀତ

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ବାରମାସ ଚିତ୍ରରେ ମାର୍ଗଶୀରର ରୂପାୟନ (ୱିକିମିଡିଆ କମନ୍ସ୍)
ରାଜସ୍ଥାନ ଅଞ୍ଚଳର ୧୮୦୦ ମସିହା ଆଖପାଖର ଚିତ୍ର

କାର୍ତ୍ତିକ, ଶୀତ କରେ ରାତିକ ।
ମାର୍ଗଶୀର, ଶୀତ କରେ ଶିର ଶିର ।
ପଉଷ, ଶୀତର ବଢ଼େ ସାହସ ।
ମାଘ, ଶୀତ ହୁଏ ବାଘ ।
ଫଗୁଣ, ଶୀତ କରେ ଦି' ଗୁଣ ।
ଚଇତ, ଶୀତ ଯାଏ ବୋଇତ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, November 02, 2018

ଓଡ଼ିଶାର ଭୂଗୋଳ - ଗଠନ ଓ ଭୂଚଳନ

ଲେଖକ - ବି. ଏନ୍. ସିଂ 

ଅନୁବାଦକ - ହେମନ୍ତ କୁମାର ଦାସ


ସୁକିନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପୂର୍ବଘାଟ ଆଞ୍ଚଳିକ ବିସ୍ତାର ମୁଖ୍ୟତଃ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଆଡ଼କୁ ଓଡିଶାର କୋରାପୁଟ ଜିଲ୍ଲାରେ ଦେଖା ଯାଇ ଥାଏ । ପଶ୍ଚିମ ଓଡ଼ିଶାର କଳାହାଣ୍ତି ଜିଲ୍ଲାରେ ଏହା କ୍ରମେ ଉତ୍ତର ଦକ୍ଷିଣକୁ ପରିବର୍ତ୍ତିତ ହୋଇ ପୂର୍ବରେ ଉତ୍ତରପୂର୍ବାଭିମୁଖୀ ହୋଇ ଉତ୍ତରରେ ପୁଣି ଥରେ ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ବାଟ ଦେଇ ପଶ୍ଚିମ ଓଡ଼ିଶାରେ ସେଇ ଦିଗରେ ବିସ୍ତାରିତ ହୋଇଛି । ବଲାଙ୍ଗିର ଜିଲ୍ଲାରେ ପୂର୍ବ ଉତ୍ତରପୂର୍ବରୁ ପଶ୍ଚିମ ଦକ୍ଷିଣପଶ୍ଚିମକୁ ବିସ୍ତାରିତ ହୋଇଥିବା ପୂର୍ବଘାଟ ହଠାତ୍ ଦିଗ ପରିବର୍ତ୍ତିତ କରି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ (ମହାନଦୀ ଧାରା ସହିତଯାଇଛି ଏବଂ ପୂର୍ବଘାଟର ଉତ୍ତରପୂର୍ବଭାଗ ପୂର୍ବ ଫୁଲବାଣୀଢେଙ୍କାନାଳକଟକ ଓ ପୁରୀ ଜିଲ୍ଲା ଦେଇ ଉପକୂଳବର୍ତ୍ତୀ ଅବକ୍ଷେପର ତଳେ ଲୁକ୍କାୟିତ ହୋଇଛି । 

ପୂର୍ବଘାଟର ଏଇ ଦୃଶ୍ୟମାନ ପରିବର୍ତ୍ତିତ ଗତି ସଙ୍ଘଟିତ ହୋଇଛି ଉତ୍ତରପଶ୍ଚିମ ଦକ୍ଷିଣପୂର୍ବ ଅକ୍ଷରେ ଏକ ବୃହତ ଛେଦିତ ଭାଙ୍ଗ ଯୋଗୁ । ଏଇ ଅଧ୍ୟାରୋପଣ ବା ଛେଦିତ ଭାଞ୍ଜାୟନ ବହୁ ଗାଠନିକ ଅଧ୍ୟୟନ ଦ୍ୱାରା ପ୍ରମାଣିତ ହୋଇଛି । ତେଣୁ ସଂକ୍ଷେପରେ ପୂର୍ବଘାଟର ଭୂଚଳନକୁ କର୍ଦ୍ଦମାକ୍ତବାଲୁକାମୟ ଏବଂ ଚୂନମୟ ଅବକ୍ଷେପର ଭାଞ୍ଜାୟନ ଏବଂ ଗ୍ରାନାଇଟ ଫାସିଜର ପ୍ରଗାଢ଼ ରୂପାନ୍ତରଣ ଦ୍ୱାରା ଚାର୍ଣ୍ଣୋକାଇଟ ପ୍ରତିସ୍ଥାପନ ଶକ୍ତ ପଶ୍ଚିମାମୁଖୀ ଓଲଟ ଭାଞ୍ଜରେ ଅନ୍ତଃଭେଦନ (ନିର୍ଗମନ?) ଦ୍ୱାରା ସମ୍ଭବ ହୋଇଛି ବୋଲି କୁହା ଯାଇ ପାରେ । ତାହା ପରେ ଅବଶ୍ୟ ସେଥିରେ ଛେଦିତ ଭାଞ୍ଜାୟନ(ଅଧ୍ୟାରୋପଣ)ଭାଞ୍ଜାୟନ ଗ୍ରାବ୍ରୋ ଆନ୍ଥାସାଇଟର ଅନ୍ତର୍ଭେଦନ ଏବଂ ଇଚ୍ଚସ୍ତରୀୟ ପ୍ରଗାଢ଼ ଗ୍ରାନାଇଟ ଏବଂ ପଶ୍ଚିମସ୍ଥ ବକ୍ରସୀମାନାର ଗ୍ରାନୋଫାୟାର ଏବଂ ଆଲ୍‌କାଲିନ୍ ଶିଳାର ଅନ୍ତଃଭେଦନ ସହିତ କୁନ୍ତନ ଓ ବିଚ୍ୟୁତି ପରିଷ୍କାର ଭାବରେ ଦେଖା ଯାଇ ଥାଏ । ଏହା ପ୍ରଗାଢ଼ ଏକୀକରଣ ପରଚଳନ (ବିଶେଷକରି ପର୍ବତ୍ତନ ପ୍ରକ୍ରିୟା)ର ପ୍ରକୃଷ୍ଟ ପ୍ରମାଣ । ବିଭିନ୍ନ ଉଚ୍ଚତାରେ ଥିବା ଲାଟେରାଇଟ ଓ ବକ୍ସାଇଟ ଢାଙ୍କୁଣୀଯୁକ୍ତ କ୍ଷୟିତ ଉଭିଦ ଆଚ୍ଛାଦିତ ସମତଳରେ ପ୍ରବର୍ତ୍ତନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଶିଳା ଓ ବିଭିନ୍ନ ଭୂବିପର୍ଯ୍ୟୟର ବୟସ ନିରୁପଣ ଯଦିଓ ସମ୍ଭବ ନୁହେଁ । ତଥାପି, କୋରାପୁଟ ଜିଲ୍ଲାରୁ ଜଣାଯାଏ ଯେ ଏହି ଅଞ୍ଚଳ ବୋଧ ହୁଏ ଚତୁର୍ଥକଳ୍ପରେ ହିଁ ଏକାଧିକ ମହିଭାବକ ଚଳନ ଦ୍ୱାରା ଆକ୍ରାନ୍ତ ହୋଇଛି ।

ଲୌହ ଅୟସ୍କ ପୁଞ୍ଜର ଶିଳା ସମୁହର ଗତି କୋରାପୁଟ ଜିଲ୍ଲାର ସୁକମା ଶିଳାରେ ଉତ୍ତର ଦକ୍ଷିଣ ହୋଇ ଥିଲା ବେଳେ, କ୍ରମାନ୍ୱୟରେ ତାହା ସମ୍ୱଲପୁର ଜିଲ୍ଲାରେ ପହଞ୍ଚିଲା ବେଳକୁ ପୂର୍ବ ପଶ୍ଚିମ ହୋଇ ଯାଇଛି । ଢେଙ୍କାନାଳ ଓ କଟକ ଜିଲ୍ଲାରେ ଏଇ ଗତି ପଶ୍ଚିମଉତ୍ତର-ପଶ୍ଚିମ ପୂର୍ବ-ଦକ୍ଷିଣପୂର୍ବରୁ ପୂର୍ବ-ଉତ୍ତରପୂର୍ବ ପଶ୍ଚିମକୁ କିମ୍ୱା ଉତ୍ତରପୂର୍ବ ଦକ୍ଷିଣପଶ୍ଚିମକୁ ପରିବର୍ତ୍ତିତ ହୋଇଛି । ବୋଣାଇ ଅଞ୍ଚଳରେ କ୍ୱାର୍ଜାଇଟ୍‌ର ଏକ ଅତିରିକ୍ତ ଗତି ଉତ୍ତରପୂର୍ବରୁ ଦକ୍ଷିଣପଶ୍ଚିମ ଦିଗରେ ହୋଇ ଥିଲା ବେଳେ, ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ବାଦାମ ପାହାଡ଼ରେ ମଧ୍ୟ ସେଇ ପ୍ରବଣତା ପରିଲକ୍ଷିତ ହୋଇ ଥାଏ । ସମ୍ୱଲପୁର ଅଞ୍ଚଳରେ ପୂର୍ବ ପଶ୍ଚିମ କିମ୍ୱା ଉତ୍ତରପଶ୍ଚିମରୁ ଦକ୍ଷିଣପୂର୍ବ ଅକ୍ଷରେ ପ୍ରଗାଢ଼ ଭାବରେ ଭାଞ୍ଜିତ ହୋଇ ଦୃଢ଼ ସମପ୍ରବଣ ଭାଞ୍ଜରେ ପରିଣତ ହୋଇଛି । କଟକ ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ତାହା ଦକ୍ଷିଣପଶ୍ଚିମ ଦିଗରେ ଗତି କରିଛି ।


ବିଦ୍ର. - ଏହି ଲେଖାଟି 'ଓଡ଼ିଶାର ଭୂଗୋଳବହିର ୨୦୧୪ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ମୂଳ ଇଂରାଜୀ ବହିଟିର ଲେଖକ ହେଲେ ବିଏନ୍ସିଂହ । ପୁସ୍ତକଟିକୁ ଓଡ଼ିଆକୁ ଅନୁବାଦ କରିଛନ୍ତିହେମନ୍ତ କୁମାର ଦାସ । ଓଡ଼ିଆ ଅନୁବାଦଟି ପ୍ରଥମେ ୨୦୦୭ ମସିହାରେ ଛପା ଯାଇଥିଲା । ଗ୍ରନ୍ଥଟିର ପ୍ରକାଶକ ହେଲେଦିଲ୍ଲୀସ୍ଥିତ ନ୍ୟାସନାଲ ବୁକ୍ ଟ୍ରଷ୍ଟଇଣ୍ତିଆ ସ‌ଂସ୍ଥା ।

Thursday, November 01, 2018

ପିଲାଙ୍କ ରଜ ଦୋଳି ଗୀତ -  'ଆକାଶରେ ମେଘ ଲୋ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆକାଶରେ ମେଘ ଲୋ
ହେଲା ରଜ ପାଗ,
ଆମ୍ବଗଛରେ ଦୋଳି ଝୁଲେ ରେ
କିଏ ଝୁଲିବ ଆଗ ଲୋ
ନେବ ସୁନାପାଗ ।

ଚକୁଳି ଚିତଉ ଲୋ ଘିଅପିଠା ଜାଉ,
ଭାଇଭଉଣୀ, ସାଥୀମିତଣୀ
ଖାଅ ସରିଯାଉ ଲୋ, 
ତଟକା ହେବ ଆଉ ।

ରଜ ଦୋଳି ମଜା ଲୋ
ସଜ ଚିଜ ମଜା
ବାସି ଜିନିଷ ଖାଇଲେ
ବଇଦ ହୁଏ ଖୋଜା ଲୋ
ସଜରେ ଦେହ ତାଜା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ।