Wednesday, February 01, 2017

ଦକ୍ଷିଣ ଆଫ୍ରିକା ଓ ବର୍ଣ୍ଣ ବୈଷମ୍ୟବାଦ



ହେକ୍ଟର ପିଏତର୍ସନଙ୍କୁ ଧରି ମ୍ବୁସିଆ ମାଖୁବୋ ଧାବମାନ
ପାଖରେ ଚାଲୁଛନ୍ତି ତାଙ୍କର ଭଉଣୀ ଆନ୍ତୋନେତ ସେଥୋଲେ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦକ୍ଷିଣ ଆଫ୍ରିକା ଗୋଟିଏ ଦେଶ । ଏଥିରେ ଗୋରା, କଳା, ଶ୍ୟାମଳ (ଅର୍ଥାତ ଭାରତୀୟ) ଆଦି ଅନେକ ବର୍ଣ୍ଣର ଲୋକେ ବସବାସ କରନ୍ତି । କଳା ଲୋକେ ହେଲେ ଦକ୍ଷିଣ ଆଫ୍ରିକାର ମୂଳ ନିବାସୀ । ଗୋରା ଲୋକେ ଅନେକ ପରେ ସେଠାକୁ ବସବାସ କରିବାକୁ ଆସିଲେ । ଭାରତୀୟ ମୂଳର ଲୋକେ ଏହି ଦେଶକୁ ଶ୍ରମିକ ଓ ବେପାରୀ ଭାବେ କାମ କରିବାକୁ ଯାଇ ସେଠାରେ ରହିଗଲେ ।

ମାୟା ନାଇଡ଼ୁ ଏଗାର ବରଷ ବୟସର ଗୋଟିଏ ଝିଅ । ସେ ଜୋହାନସବର୍ଗ ସହରରେ ରହେ । ସେ ଥରେ ନିଜ ମା’ଙ୍କୁ ପୂରୁଣା ବାକୁସପତର ସଫା କରିବାରେ ସାହାଯ୍ୟ କରୁଥିଲା । ଏହି କାମ କରୁକରୁ ସେ ଥରେ ଚିତ୍ର ଓ ଖବରକାଗଜ ଲେଖାରେ ଭର୍ତ୍ତି ହୋଇଥିବା ଗୋଟିଏ ସ୍କ୍ରାପବୁକ ପାଇଲା । ସେଥିରେ ପାଖାପାଖି ପନ୍ଦର ବରଷ ବୟସର ଗୋଟିଏ ବାଳକର ଅନେକ ଫଟୋ ଥିଲା । ମାୟା ମାଆଙ୍କୁ ପଚାରିଲା ଯେ ସେ ପିଲାଚି କିଏ ବୋଲି । ମାଆ କହିଲେ, ସେ ପିଲାଟି ହେଲା ହେକ୍ଟର ପିଏତର୍ସନ । ପୋଲିସ ତାକୁ ଗୁଳି ମାରି ଦେଇଥିଲା । ମାୟାକୁ ଏହା ଶୁଣି ବିଚିତ୍ର ଲାଗିଲା । ସେ ପଚାରିଲା, “କାହିଁକି ?”

ତାହାର ମା କହିଲେ ଯେ ଦକ୍ଷିଣ ଆଫ୍ରିକାରେ ଆଗରୁ ବର୍ଣ୍ଣବୈଷମ୍ୟ ନିୟମ ଚଳୁଥିଲା । ବର୍ଣ୍ଣବୈଷମ୍ୟର ଅର୍ଥ ହେଲା, ଦେହର ବର୍ଣ୍ଣର ଭିତ୍ତିକ ରେସ୍ ର ଅବଧାରଣାକୁ ନେଇ ଭେଦଭାବ ଓ ଲୋକମାନଙ୍କୁ ଅଲଗା ଅଲଗା ରଖିବା । ଏହି ନୀତିନିୟମଗୁଡ଼ିକ ଅନୁସାରେ ଦକ୍ଷିଣ ଆଫ୍ରିକାର ଲୋକମାନଙ୍କୁ ଗୋରା, କଳା, ଭାରତୀୟ ଓ ରଞ୍ଜିତ (କଲରେଡ଼), ଏହିପରି ଚାରୋଟି ବର୍ଗରେ ଭାଗ କରିଦିଆଯାଇଥିଲା । ନିୟମ ଅନୁସାରେ ଏହି ଚାରି ବର୍ଗର ଲୋକେ ଏକାଠି ମିଶିବା, ପରସ୍ପରର ପାଖରେ ବସବାସ କରିବା, ଏପରିକି ଗୋଟିଏ ସାଧାରଣ ଫାସିଲିଟି ବ୍ୟବହାର କରିବା ମଧ୍ୟ ବାରଣ ଥିଲା ।

ମାୟା ଏହା ମାଆଙ୍କଠାରୁ ଶୁଣି ମଧ୍ୟ ବିଶ୍ୱାସ କରିପାରିଲା ନାହିଁ । ବର୍ଣ୍ଣବୈଷମ୍ୟ ବ୍ୟବସ୍ଥାରେ ଚଳିବା ବିଷୟରେ ବର୍ଣ୍ଣନା କଲାବେଳେ ମାୟାର ମାଆ କ୍ରୋଧିତ ଜଣା ପଡ଼ୁଥିଲେ । ସେ ତାକୁ କହିଲେ ଯେ ସେ ସମୟରେ ଡାକ୍ତରଖାନା, ଏପରିକି ଆମ୍ବୁଲାନ୍ସ୍ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅଲଗା ଅଲଗା ଥିଲା । ଗୋରା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଆମ୍ବୁଲାନ୍ସରେ ଭଲ ସୁବିଧା ଥିଲା । ହେଲେ କଳା ଲୋକଙ୍କର ଆମ୍ବୁଲାନ୍ସରେ ସେସବୁ କିଛି ନଥିଲା । ବସ ଓ ରେଳର ବ୍ୟବସ୍ଥା ମଧ୍ୟ ଅଲଗା ଅଲଗା ଥିଲା । ଗୋରା ଓ କଳା ଲୋକଙ୍କ ପାଇଁ ବସ ସ୍ଟପ ମଧ୍ୟ ଭିନ୍ନ ଭିନ୍ନ ଥିଲା ।

ଅଣ-ଶ୍ୱେତ ଲୋକଙ୍କର ଭୋଟ ଦେବାର ଅଧିକାର ନଥିଲା । ଦେଶର ସବୁଠାରୁ ଭଲ ଜମିଜମା ଗୋରା ଲୋକଙ୍କ ପାଇଁ ସଂରକ୍ଷିତ ଥିଲା । ଅଣ-ଶ୍ୱେତ ଲୋକମାନଙ୍କୁ ସବୁଠାରୁ ଖରାପ ଯାଗାରେ ରହିବାକୁ ପଡ଼ୁଥିଲା । ଅତଏବ, କଳା, ଭାରତୀୟ ମୂଳର ଓ ରଞ୍ଜିତ ଲୋକଙ୍କୁ ଗୋରା ଲୋକଙ୍କର ସମାସ୍କନ୍ଧ ବୋଲି ଗଣାଯାଉନଥିଲା ।

ଏହିପରି ଗୋଟିଏ କଳା ବସ୍ତି ଥିଲା ଦକ୍ଷିଣ ପଶ୍ଚିମ ଟାଉନସିପ (ସାଉଥ ୱେଷ୍ଟର୍ଣ୍ଣ ଟାଉନସିପ) ବା ସୋୱେଟୋ । ହେକ୍ଟର ପିଏତର୍ସନ ସେଠାରେ ରହୁଥିଲା । ସେ ଓ ତାହାର ସାଙ୍ଗମାନେ ବିଦ୍ୟାଳୟରେ ଆଫ୍ରିକାନ୍ସ ଭାଷା ଶିଖିବା ବିରୁଦ୍ଧରେ ସଙ୍ଗ୍ରାମରେ ଯୋଗ ଦେଇଥିଲେ । ଆଫ୍ରିକାନ୍ସ ଭାଷା ଥିଲା ଦକ୍ଷିଣ ଆଫ୍ରିକାର ଗୋରା ଲୋକମାନଙ୍କର ଭାଷା । ହେକ୍ଟର ଓ ତାହାର ବନ୍ଧୁମାନହଙ୍କୁ ଏହି ଭାଷା ଶିଖିବାକୁ ବାଧ୍ୟ କରାଯାଉଥିଲା । ହେଲେ ସେମାନେ ନିଜର ମାତୃଭାଷା ଜୁଲୁ ଶିଖିବାକୁ ଚାହୁଁଥିଲେ । ଦକ୍ଷିଣ ଆଫ୍ରିକାର ପୋଲିସ ନିର୍ଦ୍ଦୟ ଭାବରେ ଆନ୍ଦୋଳନକାରୀମାନଙ୍କୁ ପିଟିଲା । ଲୋକଙ୍କ ଉପରେ ଗୁଳି ମଧ୍ୟ ଚଳାଇଲା । ସେମାନଙ୍କ ଗୋଟିଏ ଗୁଳି ଯାଇ ହେକ୍ଟର ଦେହରେ ବାଜିଲା । ଏହି ଘଟଣାଟି ଘଟିଥିଲା ୧୬ ଜୁନ, ୧୯୭୬ ମସିହାରେ ।

ଆଫ୍ରିକୀୟ ଜାତୀୟ କଙ୍ଗ୍ରେସ ନାମକ ସଙ୍ଗଠନ ବର୍ଣ୍ଣବୈଷମ୍ୟ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ୁଥିବା ଅନୁଷ୍ଠାନମାନଙ୍କ ଭିତରେ ଅଗ୍ରଗଣ୍ୟ ଥିଲା । ଏହି ସଙ୍ଘଠନ ଓ ଏହାର ସବୁଠାରୁ ଜଣାଶୁଣା ନେତା ନେଲସନ ମଣ୍ଡେଲା ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ବର୍ଷବର୍ଷ ଧରି ଲଢ଼ିଲେ । ଶେଷକୁ ସେମାନେ ସଫଳ ହେଲେ । ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକା ଏକ ଗଣତାନ୍ତ୍ରିକ ଦେଶ ବନିଲା । ସେଠାରେ ସବୁ ବର୍ଣ୍ଣର ଲୋକଙ୍କୁ ସମାନ ବୋଲି ଗଣାଗଲା ।  

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର.ଟି. ଛାପିଥିବା ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ 'ସୋସିଆଲ ଆଣ୍ଡ ପଲିଟିକାଲ ଲାଇଫ - ୧' ର ଚତୁର୍ଥ ଅଧ୍ୟାୟର ସମ୍ପାଦିତ ଅଂଶର ଅନୁବାଦ ଅଟେ ।