Thursday, October 29, 2020

 ଗିଜୁଭାଇଙ୍କ ଶିକ୍ଷାଦର୍ଶନ: କିଶୋର ଓ ଶିକ୍ଷଣ ସାହିତ୍ୟ ତଥା ସମ୍ପାଦନା

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

'ଦିବାସ୍ୱପ୍ନ'ର ଓଡ଼ିଆ ଅନୁବାଦର ମଲାଟ
ଲେଖକ - ଗିଜୁଭାଇ ବଧେକା
ପ୍ରକାଶକ - ନ୍ୟାଶନାଲ ବୁକ୍ ଟ୍ରଷ୍ଟ୍

କିଶୋର ଓ ଶିକ୍ଷଣ ସାହିତ୍ୟ

ପିଲା ବଡ଼ ହୋଇ କିଶୋର ଅବସ୍ଥାରେ ପହଞ୍ଚିଲେ । ତାଙ୍କ ପଢ଼ିବା ପାଇଁ ମଧ୍ୟ ଖୋରାକ ଦରକାର । ଗିଜୁଭାଇ ତାଙ୍କ ପାଇଁ କିଶୋର ସାହିତ୍ୟ ସୃଷ୍ଟି କଲେ । ସେ ସେର୍‌ଲକ୍ ହୋମ୍‌ସ୍, ଜୁଲ୍‌ସ୍ ଭର୍ଣ୍ଣଙ୍କ ଭଳି କିଛି ଲେଖକଙ୍କର ଇଂରାଜୀ ବହିକୁ ଗୁଜୁରାଟୀରେ ଅନୁବାଦ ମଧ୍ୟ କରିଥିଲେ । ଏବେ ଯାଏଁ ବି ଏସବୁ ବହି କିଶୋର ସାହିତ୍ୟ କ୍ଷେତ୍ରରେ ସବୁଠାରୁ ଭଲ ବୋଲି ଗ୍ରହଣ କରାଯାଏ ।

ସେ କେବଳ ଶିଶୁ କିମ୍ୱା କିଶୋର ସାହିତ୍ୟ ରଚନା କରିନଥିଲେ । ଶିକ୍ଷକ ଓ ମାତାପିତାଙ୍କ ପାଇଁ ମଧ୍ୟ ସେ ଅନେକ ପୁସ୍ତକ ରଚନା କରିଥିଲେ । 'ମଣ୍ଟେସୋରୀ ପଦ୍ଧତି', 'ପ୍ରାଥମିକ ଶାଲା ମେଁ ଶିକ୍ଷଣ ପଦ୍ଧତି', 'ଚିଠି ବାଚନ', 'ପ୍ରାଥମିକ ଶାଲା ମେଁ ଶିକ୍ଷକ', 'ମାତା ପିତା ସେ, ମାତା ପିତା କେ ପ୍ରଶ୍ନ' ଆଦି ଏହାର କିଛି ଉଦାହରଣ ।

ଗିଜୁଭାଇଙ୍କ ସମ୍ପାଦିତ ପତ୍ରିକା

'ଶିକ୍ଷଣ ପତ୍ରିକା' ଓ 'ଦକ୍ଷିଣାମୂର୍ତ୍ତି' ନାମକ ଦୁଇଟି ପତ୍ରିକା ଗିଜୁଭାଇ ସମ୍ପାଦନା କରୁଥିଲେ । ବାଲ ଶିକ୍ଷଣ ସଙ୍ଘର ମାସିକ ମୁଖପତ୍ର ଥିଲା ଶିକ୍ଷଣ ପତ୍ରିକା । ଏଥିରେ ଶିଶୁ ଶିକ୍ଷା ବିଷୟରେ ଆଲୋଚନା କରାଯାଉଥିଲା । ଗୁଜୁରାଟର ଅନେକ ସ୍କୁଲ, ପୁସ୍ତକାଳୟ ତଥା ବାପା ମା’ଙ୍କ ପାଖରେ ଏହି ପତ୍ରିକା ପହଞ୍ଚୁଥିଲା। ବାପା ମାଙ୍କର ପିଲାଙ୍କ ପ୍ରତି ଦୃଷ୍ଟିକୋଣ ବଦଳାଇବା ଦିଗରେ ଏହି ପତ୍ରିକାର ବଡ଼ ଭୂମିକା ରହିଥିଲା । 

ପତ୍ରିକାଟିକୁ ଦେଶର ଅନ୍ୟ ଅଞ୍ଚଳରେ ପହଞ୍ଚାଇବା ପାଇଁ ସେ ଦାଦରରୁ ଏହାର ମରାଠୀ ଓ ଇନ୍ଦୋରରୁ ହିନ୍ଦୀ ସଂସ୍କରଣ ପ୍ରକାଶ କରୁଥିଲେ । ଏହିପରି ସେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ବି ନିଜର ଚିନ୍ତାଧାରା ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲେ । ଅନ୍ୟ ଭାଷାରେ ବି ଏଭଳି କାମ କରିବାର ତାଙ୍କର ଇଚ୍ଛା ଥିଲା । କିନ୍ତୁ ତାଙ୍କର ଏହି ସ୍ୱପ୍ନ ପୂରା ହେବା ଆଗରୁ, ସେ ଦେହତ୍ୟାଗ କରିଥିଲେ । 

ଦକ୍ଷିଣାମୂର୍ତ୍ତି ସଂସ୍ଥାର ତ୍ରୈମାସିକ ମୁଖପତ୍ର ଥିଲା 'ଦକ୍ଷିଣାମୂର୍ତ୍ତି' ପତ୍ରିକା । ଗିଜୁଭାଇ ଓ ତାଙ୍କ ଅନ୍ୟ ସାଥିମାନେ ଏଥିରେ ନିୟମିତ ଲେଖୁଥିଲେ । ବିଷୟଗତ ବିବିଧତା, ଆଲୋଚନା, ବିଶ୍ୱବ୍ୟାପୀ ଚିନ୍ତାଧାରା, ଚିନ୍ତନ ଓ ମନନ ଆଦି ଯୋଗୁ ପତ୍ରିକା ବେଶ୍ ଉଚ୍ଚକୋଟୀର ଥିଲା ।ଗିଜୁଭାଇଙ୍କ ଲେଖା ଗୁଜୁରାଟୀରେ ବହୁତ ଲୋକପ୍ରିୟ ଥିଲା । ସେଥିପାଇଁ ତାଙ୍କର ବହି ସବୁ ହଜାର ହଜାର ସଙ୍ଖ୍ୟାରେ ବିକ୍ରି ହେଉଥିଲା । ଗୁଜୁରାଟର ପିଲା, ଶିକ୍ଷକ ଏବଂ ଅଭିଭାବକ ସମସ୍ତେ ତାଙ୍କ ଲେଖାକୁ ଆଗ୍ରହର ସହ ପଢ଼ୁଥିଲେ। 

ମୋଟରେ ସେ ପ୍ରାୟ ୨୦୦ ବହି ଲେଖିଥିଲେ । ତାଙ୍କର ବହି ଭିତରୁ ପ୍ରାଥମିକ ଶିକ୍ଷା ପାଇଁ ଅତି ମୂଲ୍ୟବାନ ଦୁଇଟି ହେଉଛି - ପ୍ରାଥମିକ ଶିକ୍ଷା ପଦ୍ଧତି ଓ ଦିବାସ୍ୱପ୍ନ । ପିଲାଙ୍କୁ ଗୋଟିଏ ନୂଆ ଉପାୟରେ ପଢ଼ାଇବାକୁ ଚେଷ୍ଟା କରୁଥିବା ଜଣେ କାଳ୍ପନିକ ଶିକ୍ଷକଙ୍କ ଅନୁଭୂତି ଉପରେ ଆଧାରିତ “ଦିବାସ୍ୱପ୍ନ” ତାଙ୍କ ସର୍ବଶ୍ରେଷ୍ଠ ବହି ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Saturday, September 26, 2020

 ଜ୍ଞାନଲାଭର ପ୍ରକ୍ରିୟା

ଶଶିଭୂଷଣ ରାୟ


ଚିତ୍ର - 'ୟଙ୍ଗ୍ ଗର୍ଲ୍ ରିଡ଼ିଙ୍ଗ୍' 
ଚିତ୍ରକର - ଫେଦେରିକୋ ଜାନ୍ଦୋମେନେଗି (୧୮୪୧-୧୯୧୭)

ଜ୍ଞାତବ୍ୟ ସମସ୍ତ ବିଷୟ ହିଁ ପୁସ୍ତକରେ ମିଳେ । ସୁତରାଂ ଜ୍ଞାନଦାନ ଓ ଜ୍ଞାନଲାଭ ସକାଶେ ପ୍ରଧାନତଃ ପୁସ୍ତକ ଉପରେ ଆମ୍ଭମାନଙ୍କୁ ନିର୍ଭର କରିବାକୁ ହେବ । ଏକ ପକ୍ଷରେ ପୁସ୍ତକପାଠ ଜ୍ଞାନଲାଭର ଅଧମ ଉପାୟ ହେଲେ ହେଁ, ଅପରପକ୍ଷରେ ସର୍ବଶ୍ରେଷ୍ଠ ଉପାୟ । ସ୍ୱୟଂ ପ୍ରତ୍ୟକ୍ଷ କଲେ ଅଥବା ଯେ ନିଜେ ପ୍ରତ୍ୟକ୍ଷ କରିଅଛନ୍ତି, ତାଙ୍କ ମୁହଁର ଶୁଣିଲେ ବିଷୟଗୁଡ଼ିକ ଯେପରି ଭଲ ବୁଝି ହୁଏ, ପୁସ୍ତକରେ ବର୍ଣ୍ଣିତ ବିଷୟସମୂହ ସେଭଳି ବୁଝିବା ଦୁଃସାଧ୍ୟ ସତ୍ୟ; କିନ୍ତୁ ସମସ୍ତ ଜ୍ଞାତବ୍ୟ ବିଷୟ ପୁସ୍ତକରୁ ମିଳିଯାଏ ।

ଶିକ୍ଷାଦାନ ସମ୍ୱନ୍ଧରେ ବିଦ୍ୟାଳୟରେ ପ୍ରଧାନତଃ ପୁସ୍ତକ ଉପରେ ନିର୍ଭର କରିବାକୁ ହେଲେ, ପ୍ରଥମ ଦିଓଟି ଉପାୟ ଯଥା ସମ୍ଭବ ଅବଲମ୍ୱନ କରିବା ବିଧେୟ । ଯେତେ ପରିମାଣରେ ଜ୍ଞାନ ପ୍ରଥମ ଦୁଇ ଉପାୟରେ ଦେବା ସମ୍ଭବ ହୋଇପାରିବ, କାହା ସକାଶେ ପୁସ୍ତକ ଉପରେ ନିର୍ଭର କରିବା ନିଷ୍ପ୍ରୟୋଜନ ମାତ୍ର । ଶିକ୍ଷାର ପ୍ରଥମାଂଶରେ ବିଷୟଜ୍ଞାନ ଦାନ ସକାଶେ ଏକାବେଳକେ ସେହି ପ୍ରଥମ ଉପାୟ ଦିଓଟି ଉପରେ ନିର୍ଭର କରିବା କର୍ତ୍ତବ୍ୟ । ସେତେବେଳେ ପୁସ୍ତକ ପଢ଼ାଇବାକୁ ହେବ ସତ୍ୟ, କିନ୍ତୁ ତାହା ବିଷୟଜ୍ଞାନ ଦାନ ସକାଶେ ନୁହେଁ, ପୁସ୍ତକ ପଢ଼ିବା ଶିଖାଇବା ସକାଶେ । ଅନ୍ୟାନ୍ୟ ବିଷୟ ଭଳି ପୁସ୍ତକର ଲିଖିତ ଭାଷା ମଧ୍ୟ ଗୋଟିଏ ବିଷୟ - ଅତି ପ୍ରୟୋଜନୀୟ ବିଷୟ; କାରଣ, ତାହା ସାହାଯ୍ୟରେ ବହୁ ବିଷୟ ବାଳକମାନେ ଶିଖି ପାରନ୍ତି । ସୁତରାଂ ତାହା ବିଶେଷରୂପେ ଚିହ୍ନିବାକୁ ହେବ - ତାହା ଭଲରୂପେ ପଢ଼ିବା ଓ ଲେଖିବା ଶିଖିବାକୁ ହେବ ।

ଲେଖିବାକୁ ଓ ପଢ଼ିବାକୁ ଶିଖି, ପୁସ୍ତକର ଭାଷା ଚିହ୍ନି, ବାଳକମାନେ ଯେତେବେଳେ ପୁସ୍ତକରୁ ଜ୍ଞାନ ଗ୍ରହଣ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ଶିକ୍ଷକମାନଙ୍କର ବିଶେଷଭାବରେ ସ୍ମରଣ ରଖିବା କର୍ତ୍ତବ୍ୟ ଯେ, ପୁସ୍ତକପାଠ ଜ୍ଞାନ ଶିକ୍ଷାର ଗୋଟିଏ ଉପାୟ ମାତ୍ର - ଶିକ୍ଷାର ବିଷୟ ନୁହେଁ । ପୁସ୍ତକର ବର୍ଣ୍ଣିତ ବିଷୟ ସମୂହ ବାଳକକୁ ଶିଖିବାକୁ ହେବ, କେବଳ ପୁସ୍ତକର ଭାଷା ନୁହେ । ପୁସ୍ତକର ଭାଷା ବିଷୟବୋଧ ବ୍ୟତୀତ କେହି ଶିଖିପାରନ୍ତି ନାହିଁ । ବିଷୟ ଓ ଭାଷା ଏହି ଦିଓଟି ପରସ୍ପର ଏଭଳି ଅବିଚ୍ଛିନ୍ନ ସମ୍ୱନ୍ଧରେ ସମ୍ବନ୍ଧ ଯେ, ଗୋଟିଏ ବ୍ୟତୀତ ଅପରର ଶିକ୍ଷା ଅସମ୍ଭବ । ବିଷୟ ଭାଷାରେ ବ୍ୟକ୍ତ ହୁଏ, ଭାଷା ବିଷୟ ବ୍ୟକ୍ତ କରିଥାଏ । ଭାଷା ବ୍ୟତୀତ ବିଷୟ ଦେହହୀନ ପ୍ରାଣ, ବିଷୟ ବ୍ୟତୀତ ଭାଷା ପ୍ରାଣହୀନ ଦେହ । ଦେହ-ପ୍ରାଣର ସଞ୍ଜୋଗରେ ଜୀବ ଭଳି ଭାଷା ଓ ବିଷୟର ସଞ୍ଜୋଗରେ ଜ୍ଞାନ ।

ପୁସ୍ତକର କେଉଁ ଶଦ୍ଦରେ କେଉଁ ବିଷୟ, କେଉଁ ବାକ୍ୟରେ କେଉଁ ବିଷୟର କେଉଁ କ୍ରିୟା, ବିଷୟାନ୍ତର ସଙ୍ଗରେ କେଉଁ ସମ୍ୱନ୍ଧ ବ୍ୟକ୍ତ ହେଉଅଛି, ଏସବୁ ପ୍ରଥମରେ ଶିକ୍ଷକମାନଙ୍କୁ ଭଲକରି ବୁଝି ନେବାକୁ ହେବ । ଏହା ଉତ୍ତାରୁ ତାହା ଶିକ୍ଷାର୍ଥୀ ବାଳକର ପ୍ରତ୍ୟକ୍ଷୀଭୂତ ବିଷୟ, ବିଷୟର କ୍ରିୟା ଓ ପରସ୍ପର ସମ୍ୱନ୍ଧର ଜ୍ଞାନ ତାହା ମନରେ ଯେପରି ପରିସ୍ଫୁଟ, ଯଥାସମ୍ଭବ ସେପରି ପରିସ୍ଫୁଟ କରି ତାହା ସମ୍ମୁଖରେ ରଖିବାକୁ ହେବ । ବାଳକର ଘର ଖଣ୍ଡିକ, ତାହାର ମାଙ୍କ ସ୍ନେହ-ଡାକ, ତାହାର କ୍ଷୁଧାର ଅନ୍ନ, ତୃଷ୍ଣାର ଜଳ, ଗ୍ରୀଷ୍ମର ଉତ୍ତାପ, ଶୀତର ବାୟୁ, ପିତାଙ୍କ ଗାଳି, ଅଜା-ଆଈଙ୍କ ଗେଲ, ଭାଇ-ଭଉଣୀଙ୍କ ସ୍ନେହ, ବଗିଚାର ଫୁଲ, ଆମ୍ୱ ଗଛରେ ପାଚିଲା ଆମ୍ୱ, ଅଗଣାରେ ଦୁବ ଘାସ ଉଠିବା ପ୍ରଭୃତି ତାହା ନିକଟରେ ଯେପରି, ଯଥାସମ୍ଭବ ସେହିପରି ପରିସ୍ଫୁଟ କରି ପୁସ୍ତକର ବିଷୟ, ବିଷୟର କ୍ରିୟା ଓ ସମ୍ୱନ୍ଧସମୂହ ତାହା ସମ୍ମୁଖରେ ଆଣି ଥୋଇବାକୁ ହେବ । ଏଭଳି କେଉଁ ବାଳକ ଅଛି ଯେ, ଏପରି ଭାବରେ ବିଷୟଗୁଡ଼ିକ ସମ୍ମୁଖରେ ଥୋଇଲେ ଯାହାର ଚିତ୍ତ ସେ ଆଡ଼କୁ ଆକୃଷ୍ଟ ହେବ ନାହିଁ; ଚିତ୍ତାକର୍ଷଣରେ ମନଃସଞ୍ଜୋଗ ଘଟିବ ନାହିଁ; ଅଥବା ମନଃସଞ୍ଜୋଗରେ ବିଷୟ ଜ୍ଞାନ ଲାଭ ହେବ ନାହିଁ ?

ଜ୍ଞାନରେ ଜ୍ଞାନ-କ୍ଷୁଧା ବଢ଼ିଯାଏ । ଏଭଳି ଜ୍ଞାନ ଯେତେ ଶିଖିବ, ସେତିକି ତାହାର ଶିଖିବାକୁ ଇଚ୍ଛା ବଳିବ । ବାଳକ ସ୍ୱୟଂ ଖୋଜି ଖୋଜି ପୁସ୍ତକ ପାଠ କରିବ; ଭାଷାର ଅନ୍ତରସ୍ଥ ବିଷୟ ପ୍ରତି ତାହାର ଦୃଷ୍ଟି ସ୍ୱତଃ ଆକୃଷ୍ଟ ହେବ ।

ଏହି ରୂପେ ଶିକ୍ଷକ ଯେବେ ଥରେ ବାଳକ ମନରେ ଜ୍ଞାନ ସୁଧାର ଉଦ୍ରେକ କରାଇପାରନ୍ତି, କି ପ୍ରକାରରେ ପୁସ୍ତକ ଭଣ୍ଡାରରୁ ସେହି କ୍ଷୁଧାର ଆହାର ସଙ୍ଗ୍ରହ କରିବାକୁ ହେବ, ଥରେ ଯେବେ ବାଳକକୁ ସେହି ଉପାୟ ଚିହ୍ନାଇ ଦେଇପାରନ୍ତି, ବାଳକ ଆପେ ଆପେ ଅନେକ ଶିଖିପାରିବ । ସାଧାରଣ ଭାବରେ ଶିକ୍ଷକଙ୍କ ପରିଚାଳନାର ଅଧୀନରେ ରହି ବାଳକ ନିଜ ପଦକ୍ଷେପରେ ସୋପାନ ଅତିକ୍ରମ କରି ଶିକ୍ଷାର ଅତ୍ୟୁଚ୍ଚ ସୌଧଚୂଡ଼ାରେ ଯାଇ ଉପସ୍ଥିତ ହେବ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Monday, August 03, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା

ପାଳବଂଶ ଓ ଦକ୍ଷିଣ ଭାରତ


କେଦାରନାଥ ମହାପାତ୍ର

ପାଳ ବଂଶ ସମୟର ବୁଦ୍ଧ ମୂର୍ତ୍ତି (୧୧ଶହ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପାଳବଂଶ

ବିହାର ଓ ବଙ୍ଗଳାରେ ପାଳବଂଶୀ ରାଜାମାନେ ୮୪୦ ଖ୍ରୀଷ୍ଟାବ୍ଦରୁ ପ୍ରାୟ ୨୫୦ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଧର୍ମପାଳ ଓ ତାଙ୍କ ପୁତ୍ର ଦେବପାଳ ଏହି ବଂଶର ଦୁଇଜଣ ଶ୍ରେଷ୍ଠ ରାଜାପାଳମାନେ ବୌଦ୍ଧ ଥିଲେ । ସେମାନେ ବଙ୍ଗଳା ଓ ବିହାରର ବହୁବିଧ ଉନ୍ନତି କରିଥିଲେ । ପାଳମାନଙ୍କ ପରେ ସେନ ବଂଶ ବଙ୍ଗଳାରେ ରାଜତ୍ୱ କଲେ । ଏହି ବଂଶର ଶେଷ ରାଜା ଲକ୍ଷଣ ସେନଙ୍କୁ ପରାସ୍ତ କରି ମୁସଲମାନମାନେ ବଙ୍ଗଳା ଅଧିକାର କଲେ ।

ଦକ୍ଷିଣ ଭାରତର ବିଭିନ୍ନ ରାଜବଂଶ

ବିନ୍ଧ୍ୟପର୍ବତ ଓ କୃଷ୍ଣାନଦୀର ମଧ୍ୟବର୍ତ୍ତୀ ପ୍ରଦେଶ ଦାକ୍ଷିଣାତ୍ୟ ଓ କୃଷ୍ଣାନଦୀଠାରୁ କୁମାରିକା ପର୍ଯ୍ୟନ୍ତ ରାଜ୍ୟ ଦ୍ରାବିଡ଼ ବା ତାମିଲ ଦେଶ ବୋଲି ପରିଚିତ ଥିଲା । ବହୁ ପ୍ରାଚୀନ କାଳରୁ ତାମିଲ ଅଞ୍ଚଳରେ ଚେର, ଚୋଳ, ପାଣ୍ଡ୍ୟ ନାମକ ତିନୋଟି ରାଜ୍ୟ ଥିଲା ।

ଚାଲୁକ୍ୟ: ମହାରାଷ୍ଟ୍ର ଅଞ୍ଚଳରେ ଚାଲୁକ୍ୟମାନେ ଷଷ୍ଠ ଶତାବ୍ଦୀରୁ କ୍ଷମତାଶାଳୀ ହେଲେ । ସେମାନେ ଉତ୍ତରରେ ରାଷ୍ଟ୍ରକୂଟ ଓ ଦକ୍ଷିଣରେ ପଲ୍ଲବମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ବାତାପି (ବିଜାପୁର ଜିଲ୍ଲାର ବାଦାମି) ସେମାନଙ୍କର ରାଜଧାନୀ ଥିଲା । ଦ୍ୱିତୀୟ ପୁଲକେଶୀ (ଖ୍ରୀ: ୬୦୮ରୁ ଖ୍ରୀ: ୬୪୨) ଏହି ବଂଶର ଶ୍ରେଷ୍ଠ ରାଜା । ସେ ହର୍ଷଙ୍କୁ ପରାସ୍ତ କରିଥିଲେ । ସେ ସମଗ୍ର ଦାକ୍ଷିଣାତ୍ୟ ଜୟ କରିଥିଲେ । ସେ ଏପରି ବିଖ୍ୟାତ ଓ କ୍ଷମତାଶାଳୀ ଥିଲେ ଯେ, ପାରସ୍ୟ ରାଜା ମଧ୍ୟ ତାଙ୍କ ସଭାକୁ ଦୂତ ପଠାଇ ଥିଲେ । ହୁଏନ୍‌ସାଂ ତାଙ୍କର ବିଶେଷ ପ୍ରଶଂସା କରିଛନ୍ତି । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇପଡ଼ିଲା ।

ରାଷ୍ଟ୍ରକୂଟ: ୮ମ ଶତାବ୍ଦୀରେ ରାଷ୍ଟ୍ରକୂଟମାନେ ମହାରାଷ୍ଟ୍ର ଅଞ୍ଚଳରେ କ୍ଷମତା ବିସ୍ତାର କରିଥିଲେ । ଏହି ବଂଶର ଶ୍ରେଷ୍ଠ ରାଜା ତୃତୀୟ ଗୋବିନ୍ଦ (ଖ୍ରୀ ୭୯୪ରୁ ଖ୍ରୀ ୮୧୫) ଗୁଜୁରାଟ, କନୌଜ, ବଙ୍ଗ ପ୍ରଭୃତି ଉତ୍ତର ଭାରତର ସମସ୍ତ ରାଜ୍ୟ ଜୟ କରି ହିମାଳୟ ପର୍ଯ୍ୟନ୍ତ ନିଜ କ୍ଷମତା ବିସ୍ତାର କରିଥିଲେ । ତାଙ୍କର ପିତାମହ କୃଷ୍ଣ, ଏଲୋରା ନାମକ ସ୍ଥାନରେ ପାହାଡ଼ କାଟି ଅତି ଚମତ୍କାର ଗୁମ୍ଫା ଓ ମନ୍ଦିରମାନ କରିଥିଲେ । ସେଗୁଡିକର ଶିଳ୍ପକଳା ଭାରତପ୍ରସିଦ୍ଧ । ସେମାନେ ପ୍ରାୟ ୨୦୦ ବର୍ଷ କାଳ ରାଜତ୍ୱ କରିଥିଲେ ।

ପଲ୍ଲବ: ୪ର୍ଥ ଶତାବ୍ଦୀରୁ ପଲ୍ଲବମାନେ ତାମିଲ ରାଜ୍ୟରେ ରାଜତ୍ୱ କରୁଥିଲେ । କାଞ୍ଚି ସେମାନଙ୍କର ରାଜଧାନୀ ଥିଲା । ସେମାନେ ଗଙ୍ଗ ଓ ଚାଲୁକ୍ୟମାନଙ୍କ ସଙ୍ଗେ ସର୍ବଦା ଯୁଦ୍ଧ କରୁଥିଲେ । ନରସିଂହ ବର୍ମନ୍ ଏହି ବଂଶର ଶ୍ରେଷ୍ଠ ରାଜା । ସେ ଦ୍ୱିତୀୟ ପୁଲକେଶୀଙ୍କୁ ଯୁଦ୍ଧରେ ମାରି ପକାଇଥିଲେ । ପଲ୍ଲବ ରାଜାମାନେ କାଞ୍ଚୀ ଓ ମଦୁରାରେ ଅସଙ୍ଖ୍ୟ ସୁନ୍ଦର ମନ୍ଦିର ଓ ଗୁମ୍ଫା ନିର୍ମାଣ କରିଥିଲେ । ସେଗୁଡିକ ଭୁବନେଶ୍ୱର, କୋଣାର୍କ ମନ୍ଦିର ପରି ଅତି ସୁନ୍ଦର ଓ ଆଜିପର୍ଯ୍ୟନ୍ତ ରହିଛି ।

ଚୋଳ: ପଲ୍ଲବମାନଙ୍କ ପରେ ଚୋଳମାନେ ୯ମ ଶତାବ୍ଦୀଠାରୁ ତାମିଲ ଅଞ୍ଚଳରେ କ୍ଷମତାଶାଳୀ ହେଲେ । ଏହି ବଂଶୀୟ ରାଜରାଜ ଓ ରାଜେନ୍ଦ୍ର ଚୋଳ ବିଶେଷ ଶକ୍ତିଶାଳୀ ଥିଲେ । ରାଜରାଜ (ଖ୍ରୀ: ୯୮୫ରୁ ଖ୍ରୀ: ୧୦୧୮) ନିଜ ବାହୁବଳରେ ଆଧୁନିକ ମାନ୍ଦ୍ରାଜ ପ୍ରଦେଶ ଓ ସିଂହଳଦ୍ୱୀପ ଜୟ କରି ଭାରତ ମହାସାଗରରେ ଥିବା କେତେକ ଦ୍ୱୀପ ମଧ୍ୟ ଜୟ କରିଥିଲେ । ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ (ଖ୍ରୀ: ୧୦୧୮ରୁ ଖ୍ରୀ: ୧୦୪୨) ସମଗ୍ର ଭାରତର ଜଣେ ପ୍ରସିଦ୍ଧ  ରାଜା । ସେ କୁମାରିକାଠାରୁ ଗଙ୍ଗା ପର୍ଯ୍ୟନ୍ତ, ବ୍ରହ୍ମଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ମଧ୍ୟ ଜୟ କରିଥିଲେ । ସେ ତାମିଲ ଦେଶରେ ଅସଙ୍ଖ୍ୟ କୀର୍ତ୍ତି ନିର୍ମାଣ କରିଥିଲେ । ତାଙ୍କ ପରେ ଚୋଳମାନେ ଆହୁରି ଦୁଇଶତ ବର୍ଷ କାଳ ରାଜତ୍ୱ କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକା ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Sunday, July 26, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଗ୍ରାମ୍ୟ ପାଠଶାଳାର ଶିକ୍ଷାଗତ ଆଦର୍ଶ


ଅନୁବାଦକ - ଚିତ୍ତରଞ୍ଜନ ଦାସ


କସ୍ତୁରବାଙ୍କ ସହ ମହାତ୍ମା ଗାନ୍ଧୀ (୧୯୧୫ରେ ଉତ୍ତୋଳିତ ଫଟୋ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ  ଦେଖୁଛି ଗାଉଁଲୀ ପାଠଶାଳାମାନଙ୍କରେ ଶିକ୍ଷାର ସ୍ତର ଏକ ପ୍ରକାରର ନୁହେଁ । କୌଣସିଠାରେ ଭଲ କାମ ହେଉଛି ତ କେତେକରେ ବଡ଼ କମ୍ ପାଠପଢ଼ା ହେଉଛି । ଅସ୍ପୃଶ୍ୟମାନଙ୍କ ପ୍ରତି ନ୍ୟାୟ ପ୍ରଦର୍ଶନ ଦୃଷ୍ଟିରୁ ଆମ ନିଜ ପିଲାଙ୍କୁ ହରିଜନ ପାଠଶାଳାକୁ ପଠାଇବା ଓ ସେଠାରେ ଶିକ୍ଷାର ସ୍ତର ଯେପରି ତଳକୁ ଖସି ନଯାଏ ସେଥିପ୍ରତି ସତତ ଧ୍ୟାନ ରଖିବା ଉଚିତ ।

କିନ୍ତୁ ଆଉ ଗୋଟିଏ କଥା ପ୍ରତି ଧ୍ୟାନ ଦେବାକୁ ହେବ । ଯେପରି ଗାଉଁଲୀ କର୍ମଚାରୀ ଅର୍ଥାତ୍ ଗାଁର ଲୋକେ ଚାକିରୀ ପାଇଁ ପ୍ରାର୍ଥୀଭାବରେ ଲାଳାୟିତ ହୋଇ ଶେଷକୁ ଅସ୍ୱାସ୍ଥ୍ୟକର ସହରରେ ପୁଝାରୀ, ଖାନସମା କିମ୍ୱା କାରଖାନାରେ କଦର୍ଯ୍ୟ ବାତାବରଣରେ ମଜୁରିଆ ଏବଂ ନିମ୍ନଶ୍ରେଣୀର କିରାଣୀ ,ଗୁମାସ୍ତା ହେବା ଭଳି ତିଆରି ନହୁଅନ୍ତି ଏହି ଦୃଷ୍ଚିରୁ ଶିକ୍ଷା କାର୍ଯ୍ୟ ନିୟନ୍ତ୍ରିତ ହେବା ଉଚିତ ।

ଏପରି ଢଙ୍ଗରେ ଶିକ୍ଷା ଦିଆଯିବ, ଯେପରି ସେମାନେ ପୈତୃକ ପେଷାକୁ ଅଧିକ ବୈଜ୍ଞାନିକ ଢଙ୍ଗରେ ଓ ଅଧିକ କୁଶଳତାରୁ ସହିତ ସମ୍ପାଦନ କରିବାକୁ ପସନ୍ଦ କରିବେ । ଗ୍ରାମ୍ୟ ଜୀବନ, ଗ୍ରାମ୍ୟଶିଳ୍ପ, ମୁକ୍ତବାୟୁ, ସ୍ୱାଧୀନ ଚିନ୍ତା ଓ ଆତ୍ମୀୟ ସେବା ଏହିସବୁ ପ୍ରତି ଆକର୍ଷଣ ଜନ୍ମାଇବା ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟ ହେବ ।

-ଗୁରୁକୁଳ ପୁରସ୍କାର ବିତରଣ ଉତ୍ସବ ଉପଲକ୍ଷେ-ଭାଷଣାଂଶ । ତା ୨୦-୩-୧୯୧୭ । ସଂ.ସା. ବା .୧୩ଶ ଖଣ୍ତ ପୂ.୨୬୨ ।

Saturday, July 11, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ସାହିତ୍ୟସ୍ରଷ୍ଟା ଗିଜୁଭାଇ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଜର୍ଜ ରୋମ୍ନି (୧୭୩୪-୧୮୦୨) ଙ୍କର ଏକ ଚିତ୍ର : ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୧୯୨୦-୧୯୨୫ ମସିହା ବେଳକୁ ପିଲାଙ୍କ ପଢ଼ିବା ପାଇଁ ଭଲ ବହି କିଛି ନଥିଲା । ପିଲାଙ୍କ ଭାଷାରେ ଲେଖା ବହିକୁ ଶିଶୁ ସାହିତ୍ୟ ଭାବରେ ଗଣା ଯାଉଥିଲା । ଗପ ବ୍ୟତୀତ ଅନ୍ୟ ବିଷୟରେ ବି ଶିଶୁ ସାହିତ୍ୟ ଲେଖା ଯାଇପାରେ ସେ କଥା କେହି ଚିନ୍ତା କରିପାରୁ ନଥିଲେ। ଶିଶୁ ମନୋବିଜ୍ଞାନକୁ ବୁଝି ସେମାନଙ୍କ ପାଇଁ ଲେଖିବା ପାଇଁ ଲେଖକ ବି ସେ ସମୟରେ ନଥିଲେ ।

ଏହି ସମୟରେ ଗିଜୁଭାଇଙ୍କର ଶିଶୁ ସାହିତ୍ୟ ରଚନା କାମ ଆରମ୍ଭ ହେଲା । ପ୍ରଥମେ ୧୯୨୦-୨୧ ମସିହାରେ ସେ “ଚାଲଣ ଗାଡ଼ି” ପ୍ରସ୍ତୁତ କରିଥିଲେ। ତା' ପର ବହି ଥିଲା “ମୋଟି ବେନ୍” ଏହା ପରେ "ସୁନ୍ଦର ପାଠ", "ଭେରୁ", "ଆମ୍ୱା ୱାଡ଼ିୟୁ" ଆଦି ବହି ଆସିଲା। ଏସବୁ ବହି ମାଧ୍ୟମରେ ପିଲା ଗଛଲତା, ଜୀବଜନ୍ତୁ, ପାହାଡ଼, ନଈ ଆଦି ବିଷୟରେ ଅନେକ କଥା ଜାଣି ପାରିଥିଲେ । ଏହିଭଳି ଅନେକ ଶିଶୁ ସାହିତ୍ୟର ସୃଷ୍ଟି ହୋଇ ଚାଲିଲା ।

ଏଥିରେ କେବଳ ଗିଜୁଭାଇ ଲେଖୁ ନଥିଲେ । ତାଙ୍କ ସହକର୍ମୀମାନେ ମଧ୍ୟ ଲେଖୁଥିଲେ କିମ୍ୱା ବିଭିନ୍ନ ଉତ୍ସରୁ ସଙ୍ଗ୍ରହ କରି ଗୁଜୁରାଟୀରେ ଅନୁବାଦ କରୁଥିଲେ । ଗିଜୁଭାଇଙ୍କ ଲେଖାର ଭାଷା ଏତେ ରୋଚକ ଥିଲା ଯେ, ପିଲା ତ ପିଲା, ଏପରିକି ବଡ଼ମାନେ ବି ସେଥିରେ ମଜ୍ଜି ଯାଉଥିଲେ ।

ଗିଜୁଭାଇଙ୍କ ଶିଶୁ ସାହିତ୍ୟରେ ପୌରାଣିକ କାହାଣୀ, ବିଜ୍ଞାନ ତଥା ପ୍ରକୃତି ପରିଚୟ, ମାନବ ଜୀବନର ପରିଚୟ, ଭାଷା ଶିକ୍ଷା, କାହାଣୀ, ମଜା କଥା, ଭୂଗୋଳ, ଐତିହାସିକ କାହାଣୀ, ନାଟକ, ଲୋକକଥା, ସଂକ୍ଷିପ୍ତ ସାହିତ୍ୟ, ଅନୁବାଦ, ପହେଳି, ଢଗଢମାଳି, କବିତା ଆଦି ରହିଥିଲା। ଗିଜୁଭାଇ ପିଲାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏସବୁ ଆବଶ୍ୟକ ବୋଲି ମନେ କରୁଥିଲେ। ଗିଜୁଭାଇ ନିଜେ ସୃଷ୍ଟି କରିବା ସହିତ ସମକାଳୀନ ଅନ୍ୟ ଲେଖକମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରୁଥିଲେ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Tuesday, July 07, 2020

ଭୂଲମ୍ବ ଓ ଉଲମ୍ବ ରେଖାମାନେ

ରମାକାନ୍ତ ସାମନ୍ତରାୟ


ନିଜ ଷ୍ଟୁଡ଼ିଓରେ ୧୯୫୪ ମସିହାରେ ଆଗ୍ନେସ୍ ମାର୍ଟିନ୍
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପୁରା ନାମ ହେଉଛି ଆଗ୍ନେଶ ବର୍ଣ୍ଣିସ୍ ମାର୍ଟନ । କଳା ସମାଲୋଚକ ମାନେ ଆଗ୍ନେଶଙ୍କୁ ଜଣେ ମିନିମାଲିଷ୍ଟ ଚିତ୍ରଶିଳ୍ପୀ ଭାବରେ ଗ୍ରହଣ କରୁଥିବା ବେଳେ, ସେ କିନ୍ତୁ ନିଜକୁ ଜଣେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ଭାବରେ ପରିଚୟ ଦେଉଥିଲେ ।

ଆଗ୍ନେଶଙ୍କ ଜନ୍ମ ମାର୍ଚ୍ଚ ୨୨, ୧୯୧୨ରେ କାନାଡ଼ାରେ ହୋଇଥିଲା । ୧୯୩୧ ମସିହାରେ ସେ ତାଙ୍କ ଗର୍ଭବତୀ ବଡ଼ ଭଉଣୀକୁ ସାହାଯ୍ୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଆସିଥିଲେ ଓ ସେଇଠି ପାଠ ପଢ଼ି ୧୯୫୦ରେ ଆମେରିକାର ନାଗରିକ ହୋଇଯାଇଥିଲେ । ୧୯୪୭ ମସିହାରେ ଆଗ୍ନେଶ ଏକଦା ଡି.ଟି. ସୁଜୁକି ନାମକ ଜଣେ ଜାପାନୀ ଜେନ୍ ବୌଦ୍ଧ ଧର୍ମର ଲେଖକଙ୍କ ଭାଷଣ ଶୁଣି ଜେନ୍ ବୌଦ୍ଧ ଧର୍ମ ପ୍ରତି ଆକର୍ଷିତ ହୋଇପଡିଲେ । ତା' ପରଠୁ ଆଗ୍ନେଶ ସାରା ଜୀବନ ପ୍ରାଚ୍ୟ ଭୂଖଣ୍ଡ ପ୍ରତି ଅନୁରକ୍ତ ଥିଲେ l ଧର୍ମ ପରିବର୍ତ୍ତନ ନ କରିଥିଲେ ମଧ୍ୟ ସେ ସେଇଦିନରୁ କିନ୍ତୁ ଜେନ୍ ଓ ଦାଓ ଦର୍ଶନର ପରୀକ୍ଷା ନିଜ ଜୀବନଚର୍ଯ୍ୟାରେ କରି ଚାଲିଥିଲେ ।

ଆଗ୍ନେଶ ୧୯୫୭ ରେ ପାଠପଢ଼ା ସାରି ନିୟୁୟର୍କ ସହର ଆସିଥିଲେ l ଅନେକ ଚିତ୍ରଶିଳ୍ପୀ ବନ୍ଧୁ, ଚିତ୍ର ପ୍ରଦର୍ଶନୀ, ପ୍ରସିଦ୍ଧି ଓ ଗ୍ୟାଲେରୀ ଭିତରୁ ବାହାରି ଦିନେ ସେ କିନ୍ତୁ  ୧୯୬୭ରେ ଏକl ରହିବାକୁ ନିୟୁୟର୍କ ସହର ଛାଡ଼ି ଅନ୍ୟତ୍ର ଚାଲିଯାଇଥିଲେ । ରାସ୍ତାରେ ପୁରା ଅଠର ମାସ କଟେଇ ଶେଷରେ ନିଉ ମେକ୍ସିକୋର କ୍ୟୁବାରେ ପହଞ୍ଚିଥିଲେ । ତାହା ପରେ ଅନେକ ବର୍ଷ ପର୍ଯ୍ୟନ୍ତ ସେ କଳା ରାଜ୍ୟ ସାଙ୍ଗରେ ତାଙ୍କର ସବୁ ପ୍ରକାର ସମ୍ପର୍କ ବିଛିନ୍ନ କରି ରଖିଥିଲେ । 

ଆଗ୍ନେସ୍ ମାର୍ଟିନ୍‌ଙ୍କର ଏକ କଳାକୃତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କ୍ୟୁବାଠାରେ ୧୯୭୭ ରୁ ୧୯୯୩ ପର୍ଯ୍ୟନ୍ତ ରହିଲା ପରେ ପୁଣି ଗାଲିଷ୍ଟେଓ ଚାଲିଯାଇଥିଲେ । ସେଠି ସେ ୧୯୯୩ ପର୍ଯ୍ୟନ୍ତ ରହିଥିଲେ । ଶେଷରେ ସେ ନିଉ ମେକ୍ସିକୋର ତାଉସ୍‌କୁ ଫେରି ଆସିଥିଲେ ଓ ୨୦୦୪ରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେଇଠି ହିଁ ରହିଥିଲେ l ସାରା ଜୀବନ ଏକା ରହିଥିବା ଆଗ୍ନେଶ ସବୁଠି ନିଜ ପାଇଁ ମେକ୍ସିକାନ ପାରମ୍ପରିକ ଶୈଳୀରେ ମାଟି ଘର ଗୋଟେ ଲେଖା ତିଆରି କରି ରହୁଥିଲେ ।

ଆଗ୍ନେଶ ମାନସିକ ରୋଗ ସ୍କିତ୍‌ଜୋଫ୍ରେନିଆରେ ଆକ୍ରାନ୍ତ ଥିଲେ ଓ ସେଥିପାଇଁ ଚିକିତ୍ସିତ ବି ହେଉଥିଲେ । ସାରା ଜୀବନ ଏକା ରହି ଓ ଜଣେ ମାନସିକ ରୋଗୀ ହୋଇ ବି ସେ ତାଙ୍କର ଚିତ୍ରମାନଙ୍କର ନାମକରଣ କିନ୍ତୁ ଖୁବ ସୁନ୍ଦର ଭାବରେ କରୁଥିଲେ l ଯେମିତିକି 'ଅନ୍ ଏ କ୍ଳିଅର ଡେ', 'ହାପି ହଲିଡେ', 'ଦ ହାରଭେଷ୍ଟ୍ ଗ୍ରାଟିଟୁଡ', 'ଆଇ ଲଭ ଦି ହୋଲ ୱାର୍ଲଡ' ପ୍ରଭୃତି l ତାଙ୍କର ଧରଣl ଥିଲା ଖୁସି ଓ ଆନନ୍ଦ ବିନା ସୌନ୍ଦର୍ଯ୍ୟର କିଛି ମାନେ ନାହିଁ ।

ଆଗ୍ନେଶଙ୍କ ଛବି ସବୁ ନିଉ ମେକ୍ସିକୋର ଉତ୍ତରରେ ଥିବା ମରୁଭୂମି ଘେରା ତାଉସ୍ ସହର ସାଙ୍ଗରେ ଗଭୀର ଭାବରେ ଯୋଡ଼ି ହୋଇ ରହିଛି । ବିଶିଷ୍ଟ ଚିତ୍ରଶିଳ୍ପୀ ଏ. ଡି. ରେନହାର୍ଟଙ୍କ ସହ ବନ୍ଧୁତା ଆଗ୍ନେଶଙ୍କ ଚିତ୍ରଧାରା ଓ ଚିନ୍ତାଧାରାକୁ ବହୁଧା ପ୍ରଭାବିତ କରିଥିଲା । ରେନହାର୍ଟଙ୍କ ବିୟୋଗ ଆଗ୍ନେଶଙ୍କ ନିୟୁୟର୍କ ସହର ଛାଡ଼ିବାର ଅନ୍ୟତମ କାରଣ ମଧ୍ୟ ଥିଲା ।


ମୋମାଠାରେ ୨୦୧୧ ମସିହାରେ ପ୍ରଦର୍ଶିତ ଆଗ୍ନେସ୍ ମାର୍ଟିନ୍‌ଙ୍କର ଏକ କଳାକୃତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଆପଣା ଜୀବନ କାଳ ଭିତରେ ୮୫ଟି ଏକକ ଚିତ୍ର ପ୍ରଦର୍ଶନ କରିଥିବା ଆଗ୍ନେଶ ନିଜ ମନ ପସନ୍ଦ ନହେଲେ ନିଜ କଳାକୃତିକୁ ସମ୍ପୂର୍ଣ୍ଣ ନଷ୍ଟ କରିବାରେ ମଧ୍ୟ ପ୍ରସିଦ୍ଧ ଥିଲେ । ପ୍ରାୟତଃ ଛ ଗୁଣନ ଛ ଫୁଟ ଆକାରରେ ଅଙ୍କା ଆଗ୍ନେଶଙ୍କ ଛବିରେ ରେଖା ମାନଙ୍କର ଜାଲି ଦେଖିବାକୁ ମିଳେ, ଯେଉଁଥିରେ ସେ ନାମକୁ ମାତ୍ର ବର୍ଣ୍ଣର ବ୍ୟବହାର କରୁଥିଲେ । ପରେ ବୟସ ଅଧିକ ହେଲାରୁ ସେ ତାଙ୍କ ଛବି ଆକାରକୁ ଛ ଗୁଣନ ଛ ଇଞ୍ଚକୁ ସାନ କରି ଦେଇଥିଲେ ।

ଆଗ୍ନେଶଙ୍କ କହିବା କଥା ହେଲା, ସେ ଥରେ ପାହାଡ଼ମାନଙ୍କ ଗହଣରେ ପାହାଡ଼ ଆଙ୍କୁଥିବା ବେଳେ ହଠାତ ସମତଳ ଅଞ୍ଚଳରେ ପହଞ୍ଚି ଯେଉଁ ଆଶ୍ୱାସ ଅନୁଭବ କଲେ, ସେଇ ଅନୁଭଵକୁ ହିଁ ଭୂଲମ୍ବ ରେଖା ସବୁ ଆଙ୍କି ବ୍ୟକ୍ତ କରିଥିଲେ । ପରେ ସେଥିରେ ଉଲମ୍ବ ରେଖାମାନ ଯୁକ୍ତ କରିଥିଲେ l ଆଖିକୁ ଦେଖିବାକୁ ଖୁବ ସହଜ ଓ ସରଳ ମନେ ହେଉଥିବା ଆଗ୍ନେଶଙ୍କ ଛବି ମାନଙ୍କର ପ୍ରସ୍ତୁତି ପ୍ରଣାଳୀ ଖୁବ ଜଟିଳ ଓ ସମୟ ସାପେକ୍ଷ ।

ପ୍ରକୃତିକୁ ଅତି ଅଳ୍ପ ଜ୍ୟାମିତିକ ରୂପରେ ପ୍ରକାଶ କରିବାର ତାଙ୍କର ଆଗ୍ରହ ଏପରି ଏକ ଚିତ୍ରକାରୀକୁ ଜନ୍ମ ଦେଇଥିଲା । ସେ ତାଙ୍କ ଛବିକୁ ସବୁବେଳେ ସଙ୍ଗୀତ ସାଙ୍ଗରେ ତୁଳନା କରୁଥିଲେ । ସରଳତା ଓ ନିରୋଳା ଆନନ୍ଦ ସନ୍ଧାନରେ ଜୀବନ କାଟିଥିବା ଓ ଜୀବନ ପ୍ରତି ସର୍ବଦା ଯୁକ୍ତାତ୍ମକ ଦୃଷ୍ଟିଭଙ୍ଗୀ ରଖିଥିବା ଏହି ମହାନ ଚିତ୍ରଶିଳ୍ପୀଙ୍କ ଜୀବନୀ ଗ୍ରନ୍ଥ ୨୦୧୮ ମସିହାରେ ପ୍ରକାଶିତ । 'ଆଗ୍ନେଶ ମାର୍ଟିନ: ପାୟୋନିୟର, ପେଣ୍ଟର, ଆଇକନ' ନାମକ ଏହି ଗ୍ରନ୍ଥରେ ତାଙ୍କ ବିଷୟରେ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶିତ ହୋଇଛି ।

Monday, July 06, 2020

ପ୍ରତ୍ୟକ୍ଷ୍ୟ  ଅନୁଭୂତି ଓ ଶ୍ରବଣରୁ ଜ୍ଞାନଲାଭ

ଶଶିଭୂଷଣ ରାୟ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ବାହାରେ ବାଳକମାନେ ନିଜେ ନିଜେ ସହଜରେ ଯେ ଏତେ ବିଷୟରେ ଏଭଳି ସୁନ୍ଦର ଜ୍ଞାନ ଲାଭ କରନ୍ତି, ତାହାର କାରଣ, ବିଷୟସମୂହ ସହଜରେ ଏବଂ ପୂର୍ଣ୍ଣାବୟବରେ ସେମାନଙ୍କର ପ୍ରତ୍ୟକ୍ଷାଭୂତ ହୋଇ, ବିଶେଷ ଚିତ୍ତାକର୍ଷକ ଶକ୍ତିବଳରେ ସେମାନଙ୍କର ଚିତ୍ତାକର୍ଷଣ କରିଥାଏ ଏବଂ ଦୃଢ ମନଃସଞ୍ଜୋଗ ଘଟାଇଥାଏ ।

ପ୍ରତ୍ୟକ୍ଷୀଭୂତ ବିଷୟଗୁଡିକ ସର୍ବାପେକ୍ଷା ପରିସ୍ପୁଟ ଭାବରେ ବାଳକମାନଙ୍କର ସମ୍ମୁଖୀନ ହୁଏ - ସେ ସମସ୍ତ ପ୍ରତି ଚିତ୍ତାକର୍ଷଣ ଓ ମନଃସଞ୍ଜୋଗ ମଧ୍ୟ ସର୍ବାପେକ୍ଷା ଅଧିକ ହୋଇଥାଏ । ସୁତରାଂ ବିଷୟ ପ୍ରତ୍ୟକ୍ଷ କରି ଯେଉଁ ଜ୍ଞାନ ଗ୍ରହଣ, ତାହା ହିଁ ଜ୍ଞାନଲାଭର ସର୍ବଶ୍ରେଷ୍ଠ ଉପାୟ । 

ଏହି ଉପାୟରେ ଯେତିକି ଜ୍ଞାନଲାଭ ହୁଏ, ବିଷୟଜ୍ଞାନ ମଧ୍ୟରେ ମଧ୍ୟ ସେହି ଜ୍ଞାନର ତୁଳନା ଅନ୍ୟ ଜ୍ଞାନ ସଙ୍ଗରେ ହୋଇ ନ ପାରେ । କିନ୍ତୁ ପ୍ରକୃତି ମାନସିକ ଉନ୍ନତି ଲାଭ କରିବାକୁ ହେଲେ ଏଭଳି ଅନେକ ବିଷୟର ଜ୍ଞାନଲାଭ ପ୍ରୟୋଜନ, ଯାହା କେତେବେଳେ ସୁଦ୍ଧା କୌଣସି ବାଳକର ପ୍ରତ୍ୟକ୍ଷ ସୀମା ମଧ୍ୟକୁ ଆସିବାକୁ ଅସମର୍ଥ ।

ଏହି ସମସ୍ତ ଅପ୍ରତ୍ୟକ୍ଷ ବିଷୟ ଯେ ପ୍ରତ୍ୟକ୍ଷ କରିଅଛନ୍ତି, ଏଭଳି କୌଣସି ବିଚକ୍ଷଣ ବ୍ୟକ୍ତି ମୁଖରେ ଯେବେ ସେହି ସମସ୍ତ ବାଳକମାନଙ୍କ ପ୍ରତ୍ୟକ୍ଷୀଭୂତ ବିଷୟସମୂହ ସହିତ ତୁଳନା କରି ପରିସ୍ପୁଟ ଭାବରେ ବର୍ଣ୍ଣନା କରିପାରନ୍ତି, ତାହାହେଲେ ପ୍ରାୟ ପ୍ରତ୍ୟକ୍ଷ ବିଷୟ ଭଳି ତାହା ବାଳକଗଣଙ୍କ କଳ୍ପନା-ନେତ୍ର ସମ୍ମୁଖରେ ପ୍ରତିଭାତ ହୋଇଥାଏ, ସୁତରାଂ ଏହିଭଳି “ଶୁଣି ଶିଖିବା” ରୂପ ଉପାୟକୁ ଶିକ୍ଷାର ମଧ୍ୟମ ଉପାୟ ବୋଲାଯିବ । 

କିନ୍ତୁ ଜ୍ଞାତବ୍ୟ ସମସ୍ତ ବିଷୟ ପ୍ରତ୍ୟକ୍ଷ କରିଥିବେ, ଏଭଳି ଶିକ୍ଷକ କେଉଁଠାରୁ ମିଳିବେ ? କୌଣସି ମାନବ ପକ୍ଷରେ ତାହା ସମ୍ଭବପର ନୁହେ ।

ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର ।