Tuesday, January 30, 2018

ଶିକ୍ଷାବିଧାନରେ ନିଷ୍ଠା

ଗୋପବନ୍ଧୁ ଦାଶ


ଯୁକ୍ତରାଜ୍ୟ ଆମେରିକାର ୱିସ୍କନ୍‌ସିନ୍ ରାଜ୍ୟର ଭିରୋକ୍ୱାଠାରେ ସ୍ଥିତ ଶ‌ିକ୍ଷକ ପ୍ରଶିକ୍ଷଣ ବିଦ୍ୟାଳୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପ୍ରଚଳିତ ଶିକ୍ଷାବିଧାନରେ ପରିଦର୍ଶନ-କର୍ମଚାରୀଙ୍କ ସଙ୍ଖ୍ୟା ପୂର୍ବଠାରୁ ଖୁବ୍ ବଢ଼ା ଯାଇଅଛି । ଶିକ୍ଷକମାନଙ୍କୁ ଉପଯୁକ୍ତ କରିବା ନିମନ୍ତେ ସରକାର ସ୍ଥାନେ ସ୍ଥାନେ ଟ୍ରେନିଂ ସ୍କୁଲ ଫିଟାଇ ଅଛନ୍ତି । ଶିକ୍ଷକ ଓ ପରିଦର୍ଶନ କର୍ମଚାରୀମାନଙ୍କୁ ସେହି ସବୁ ଟ୍ରେନିଂ ସ୍କୁଲମାନଙ୍କରେ ପଢ଼ାଇବାକୁ ସରକାରଙ୍କର ମଧ୍ୟ ଭାରି କଟକଣା, ତଥାପି ଏ ଦେଶର ଶିକ୍ଷକ ଓ ପରିଦର୍ଶକ ସାଧାରଣ ଶିକ୍ଷାର କୌଣସି କୌଣସି ମନୋବିଜ୍ଞାନଗତ ବିଧାନ ପ୍ରତି ତାଦୃଶ ନିଷ୍ଠାବାନ ହେବାର ଦେଖାଯାଉ ନାହିଁ । ଟ୍ରେନିଂ ସ୍କୁଲମାନଙ୍କରରେ ଯେଉଁ ସବୁ ବିଧାନ ଶିକ୍ଷା ଦିଆଯାଉଅଛି, ସେ ସବୁ ଯେ ଏକାବେଳେକ ଏ ଦେଶରେ ଚଳିପାରିବ ତାହା ସର୍ବଦା ସମ୍ଭବ ନୁହେଁ । ସରକାରଙ୍କର ବିଧାନ ଯାହା ହେଉ କ୍ଷେତ୍ରରେ କର୍ମ କରିବା ଶିକ୍ଷକ ଓ ପରିଦର୍ଶକମାନଙ୍କର କାର୍ଯ୍ୟ । ଦେଶରେ ପ୍ରଚଳିତ ବିଧାନ ସଙ୍ଗେ ନବ ବିଧାନ ଯଥା ସମ୍ଭବ ମିଶାଇ ନେବାକୁ ହେବ । ନୀରସ ଶିକ୍ଷାକାର୍ଯ୍ୟରେ ସର୍ବଦା ଜୀବନ ଓ ସରସତା ଫୁଟାଇବାକୁ ହେବ । ମାତ୍ର ସରକାରଙ୍କର ଶତ ସଦିଚ୍ଛା ସତ୍ତ୍ୱେ ଏ ଦିଗରେ ବିଶେଷ କାର୍ଯ୍ୟ ହେଉଛି କି ନା ସନ୍ଦେହ ।

ଇଉରୋପର ଚିନ୍ତାଶୀଳ ବ୍ୟକ୍ତିମାନେ ଏ ବିଷୟରେ ସର୍ବଦା ନୂତନ ନୂତନ ମତ ପ୍ରଚାର କରୁଅଛନ୍ତି ଏବଂ ସେ ସବୁ ଯଥାସମ୍ଭବ ଏ ଦେଶକୁ ଆମଦାନି ହୋଇ ଟ୍ରେନିଂ ସ୍କୁଲମାନଙ୍କରେ ଶିକ୍ଷା ଦିଆଯାଉଅଛି । କିନ୍ତୁ ଯେଉଁମାନଙ୍କୁ ତାହା ଶିକ୍ଷା ଦିଆଯାଉଅଛି, ସେମାନେ ସବୁବେଳେ ତାହାର ନୂତନତ୍ୱର ଗାରିମା ଓ ଉପଯୋଗିତା ପ୍ରତି ସମ୍ୟକ ପ୍ରଣିଧାନ ଦେଉ ନାହାନ୍ତି । ସେ ଦିନ ଶିଶୁମାନଙ୍କ ନିମନ୍ତେ ଫ୍ରୋବେଲ ପ୍ରଚଳିତ କିଣ୍ଡର ଗାର୍ଟନ ବିଧାନ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଥିଲା ଶିକ୍ଷକମାନେ ତାକୁ ପଢ଼ି ଆସି କଳର ପିତୁଳା ପରି ନିଜ ନିଜ ସ୍କୁଲମାନଙ୍କର ଆବୃତ୍ତି କରିବାକୁ ଲାଗିଲେ । କିନ୍ତୁ କିଣ୍ଡର ଗାର୍ଗନ ବିଧାନ ଯେ ଶିଶୁମାନଙ୍କର ଭିତରର ଶକ୍ତି ବିକାଶ କରାଇ ଅତର୍କିତ ଭାବରେ ଶିଶୁମାନଙ୍କୁ ବହିଜଗତର ଶକ୍ତିରାଶି ସମ୍ପର୍କରେ ଆଣିବାକୁ ହେବ ବୋଲି କଳ୍ପିତ ହୋଇଥିଲା ଏବଂ ସେଥିରେ କୌଣସି ନୂତନ ଜ୍ଞାନ ନ ଦେଇ ଶିଶୁପ୍ରାଣରେ ସ୍ୱାଭାବିକ ଆତ୍ମବିକାଶ ପନ୍ଥା ଅବଲମ୍ୱନ କରି ଜ୍ଞାନରାଜ୍ୟର ବିଭାଗ ସବୁ ଅଧିକାର କରିବାରେ ଶିଶୁକୁ ସାହାଯ୍ୟ କରିବାକୁ ହେବ, ଏ କଥା କେତେ ଜଣ ଶିଶୁ ଶିକ୍ଷକ ମନ ଦେଇ ଆଲୋଚନା କରିଅଛନ୍ତି ? ଅବଶ୍ୟ ଏଠାରେ କହିବାର ଅଛି, ଫ୍ରୋବେଲ ପ୍ରଦର୍ତ୍ତିତ ପ୍ରଣାଳୀ ଆମ୍ଭମାନଙ୍କୁ ଚାଟଶାଳୀ ଶିକ୍ଷା ପକ୍ଷରେ ନିତାନ୍ତ ନୂତନ ଏବଂ ଦୁଇଟି ବିପରୀତ ଭାବାପନ୍ନ କହିଲେ ଚଳେ । ଏଥିରେ ଶିଶୁକୁ କିଛି ଶିଖାଇବାକୁ ହୁଏ ନାହିଁ । କୌଣସି ନୂତନ ଜ୍ଞାନ ଶିଶୁକୁ ଦେଲେ ଶିଶୁର ମାନସିକ ବିକାଶ ପ୍ରତିହତ ହୁଏ ବୋଲି ଫ୍ରେବେଲଙ୍କର ମତ । ଚାଟଶାଳୀର ଶୋଧୀପଣିକିଆ ସଙ୍ଗେ ଏହା ହଠାତ୍ ଖାପ ଖାଇବ କାହୁଁ ?

କିନ୍ତୁ ବର୍ତ୍ତମାନ ଶିକ୍ଷକମାନଙ୍କୁ ପାଠଟୀକା କରିବାକୁ ଶିକ୍ଷା ଦିଆଯାଉଅଛି ହାରବାଟ ସାହେବଙ୍କ ପଞ୍ଚସୋପାନ ପଦ୍ଧତି ସେଥିରେ ପ୍ରଧାନ ଅବଲମ୍ୱନ । ଏ ପଦ୍ଧତିରେ ନୂତନତ୍ୱ ବିଶେଷ ନାହିଁ । ମନୋବିଜ୍ଞାନରେ ଏହାର ମୂଳ ଦେଖି ବସିଲେ ଫ୍ରୋବେଲ ପଦ୍ଧତିର ଏହା ସମ୍ପୂର୍ଣ୍ଣ ବିପରୀତ । ଆମ୍ଭମାନଙ୍କର ପ୍ରାଚୀନ ଚାଟଶାଳୀ ଶିକ୍ଷାଦାନ ରୀତି ବୈଜ୍ଞାନିକ ଭାବରେ ଆଲୋଚନା କଲେ ସେଥିରେ ପଞ୍ଚସୋପାନ ପଦ୍ଧତି ଅଛି । ବସ୍ତୁତଃ ନୂତନ ଜ୍ଞାନ ଦେବା ହିଁ ପଞ୍ଚସୋପାନ ପଦ୍ଧତିର ଲକ୍ଷ୍ୟ । ଛାତ୍ରର ଆତ୍ମାବିକାଶ ଅବାନ୍ତର ଫଳ ମାତ୍ର । ତେଣୁ ଶିକ୍ଷାବିଧାନରେ ଏହି ଏ ପଦ୍ଧତି ବର୍ତ୍ତମାନ ପାଇଁ ଆମ୍ଭମାନଙ୍କ ଦେଶରେ ବିଶେଷ ଉପଯୋଗୀ । ଶିକ୍ଷାରେ ଯେଉଁ ଶିଳ୍ପ ଚଳି ଆସୁଥିଲା ଏହା ତାହାର ବୈଜ୍ଞାନିକ ଆଲୋଚନା ମାତ୍ର । ସୁଖର କଥା ଯେଉଁମାନଙ୍କ ହାତରେ ଦେଶର ସାଧାରଣ ଶିକ୍ଷାର ଭାର ଅଛିସେମାନେ ଏ ସବୁ ଆଲୋଚନା ପ୍ରତି ଆସ୍ଥାଦାନ ହେଉଅଛନ୍ତି ନିଜର ଶିକ୍ଷାପଦ୍ଧତିକୁ ବୈଜ୍ଞାନିକ ପ୍ରଣାଳୀରେ ଚଳାଇବାକୁ ପ୍ରୟାସ କରୁଅଛନ୍ତି । ଏ ସମ୍ପର୍କରେ ଆମ୍ଭେମାନେ ଏହି ପତ୍ରରେ ପ୍ରକାଶିତ କଟକ ବିରିବାଟି ଗୁରୁ ଟ୍ରେନିଂ ସ୍କୁଲ ପଣ୍ଡିତ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ପଢ଼ାଇବାରେ ପଞ୍ଚସୋପାନ ପଦ୍ଧତି ଶୀର୍ଷକ ପ୍ରବନ୍ଧ ପ୍ରତି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରୁଅଛୁଁ । ପଞ୍ଚସୋପାନ ପଦ୍ଧତିର ବିଜ୍ଞାନ କାର୍ଯ୍ୟରେ କିପରି ଅନୁବର୍ତ୍ତନ କରିବାକୁ ହେବତାହା ସେ ଯଥାସାଧ୍ୟ ଉଦାହରଣରେ ବୁଝାଇଅଛନ୍ତି । ତାଙ୍କର ପ୍ରବନ୍ଧ ପଞ୍ଚସୋପାନ ପଦ୍ଧତିର ବୈଜ୍ଞାନିକ ବ୍ୟାଖ୍ୟା ଶିକ୍ଷକ ସାଧାରଣଙ୍କୁ ଦେଇଅଛି । ଏହାଛଡ଼ା ଏ ପ୍ରବନ୍ଧ ପଢ଼ାଇବା ଶିଳ୍ପ ସଙ୍ଗେ ବିଜ୍ଞାନ ମିଳାଇ ଆଲୋଚନା କରିବା ନିମନ୍ତେ ଶିକ୍ଷକ ଓ ପରିଦର୍ଶକମାନଙ୍କର ଆଗ୍ରହ ଜନ୍ମାଇବା ବୋଲି ଆଶା ହୁଏ । ଟ୍ରେନିଂ ସ୍କୁଲରେ ଶିକ୍ଷାଦିଆଯାଏ ବୋଲି କଳଚାଞ୍ଚରେ ତିଆରି କଲେ ହେଲା ନାହିଁ । ମୌଳିକ ଆଲୋଚନା ବିନା କୌଣସି ବିଧାନରେ ସରସତା ବା ସଜୀବତା ଆସିବା ସମ୍ଭବ ନୁହେଁ ।

(ସତ୍ୟବାଦୀ ୨ୟ ଖଣ୍ଡ, ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା ୧୯୧୬)

Monday, January 29, 2018

ପୃଥିବୀର ତାପମଣ୍ଡଳ

ଅନୁବାଦ - ବିଶ୍ୱଜିତ ଆପଟ


ପୃଥିବୀର ଜଳବାୟୁ ମଣ୍ଡଳ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ସମାକ୍ଷରେଖାଗୁଡିକରେ ମଧ୍ୟାହ୍ନର ସୂର୍ଯ୍ୟ ବର୍ଷରେ ଅତି କମରେ ଥରୁଟିଏ ହେଲେ ମଧ୍ୟ ଠିକ୍ ମୁଣ୍ଡ ଉପରେ ରହେ । ଏଣୁ ଏହି ଅଞ୍ଚଳ ସୂର୍ଯ୍ୟଠାରୁ ସର୍ବାଧିକ ଉତ୍ତାପ ପାଇଥାଏ । ଏହାକୁ ଗ୍ରୀଷ୍ମମଣ୍ଡଳ କୁହାଯାଏ ।

କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ମଧ୍ୟସ୍ଥ ଅଞ୍ଚଳକୁ ଛା଼ଡି ଦେଲେ ଅନ୍ୟ କୌଣସି ସମାକ୍ଷରେଖାରେ ମଧ୍ୟାହ୍ନର ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ରହେ ନାହିଁ । ମେରୁ ଆଡକୁ ଗଲେ ସୂର୍ଯ୍ୟକିରଣ ତୀର୍ଯ୍ୟକ ଭାବରେ ପଡେ । ଏଣୁ କର୍କଟକ୍ରାନ୍ତି ଓ ସୁମେରୁ ବୃତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳ ଓ ମକରକ୍ରାନ୍ତି ଓ କୁମେରୁ ବୃତ୍ତର ମଧ୍ୟବର୍ତ୍ତୀ ଅଞ୍ଚଳକୁ ନାତିଶୀତୋଷ୍ଣ ମଣ୍ଡଳ କୁହାଯାଏ ।

ଉଭୟ ଗୋଲାର୍ଦ୍ଧରେ ମେରୁ ବୃତ୍ତ ଓ ମେରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ । କାରଣ ଏହି ଅଞ୍ଚଳରେ ସୂର୍ଯ୍ୟ ଦିଗବଳୟରୁ ବେଶୀ ଉପରକୁ ଯାଏ ନାହିଁ । ସୂର୍ଯ୍ୟକିରଣ ଖୁବ୍ ତୀର୍ଯ୍ୟକ ଭାବେ ପଡେ ଓ ଖୁବ୍ କମ୍ ଉତ୍ତାପ ମିଳେ । ଏଣୁ ଦୁଇ ଗୋଲାର୍ଦ୍ଧରେ ଥିବା ଏହି ଦୁଇ ଅଞ୍ଚଳକୁ ହିମମଣ୍ଡଳ କୁହାଯାଏ ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Sunday, January 28, 2018

ବିଦ୍ୟାର୍ଥୀଙ୍କ ଭୋଜନ ବ୍ୟବସ୍ଥା

ଗୋପବନ୍ଧୁ ଦାଶ


ହଙ୍ଗେରୀ ଦେଶର ବୁଦାପେଷ୍ଟର ହଷ୍ଟେଲର ଚିତ୍ର (ୱିକିମିଡିଆ କମନ୍ସ୍)


ଆଜିକାଲି ଶିକ୍ଷାବିଧାନ ଯେପରି ହୋଇଅଛି, ସେଥିରେ ଯାହାର ଧନ ନାହିଁ ସେ ପଢ଼ି ପାରିବ ନାହିଁ । ସେବ କାଳେ ଏ ଦେଶର ରୀତି ଏପରି ନ ଥିଲା । ଶିକ୍ଷାରେ ଧନୀ ଦରିଦ୍ରର ପାର୍ଥକ୍ୟ ନ ଥିଲା । ବିଦ୍ୟାର୍ଥ ଗୁରୁଙ୍କ ନିକଟରେ ପହଞ୍ଚିଲେ ତାଙ୍କର ଯେଉଁ କୌଣସି ମତେ ପଢ଼ିବାର ବ୍ୟବସ୍ଥା ହେଉଥିଲା । ଶିକ୍ଷାର୍ଥୀମାନଙ୍କ ଭରଣପୋଷଣ ନିମନ୍ତେ ସମାଜ ଏବଂ ରାଜା ଆପାଣକୁ ଦାୟୀ ମନେ କରୁଥିଲେ । ପିତାର କର୍ତ୍ତବ୍ୟ କେବଳ ଗୁରୁଗୃହକୁ ପଠାଇବା । ତହିଁ ପରେ ଇତିକର୍ତ୍ତବ୍ୟତା ଗୁରୁଙ୍କ ଉପରେ ଏବଂ ସମାଜ ଉପରେ । ଆଜିକାଲି ଦରିଦ୍ର ଛାତ୍ରମାନଙ୍କ ସାହାଯ୍ୟ ଉଦ୍ଦେଶ୍ୟରେ ଅନେକ ସ୍ଥଳେ ଗରିବ-ଛାତ୍ରପାଣ୍ଠି ବ୍ୟକ୍ତିଗତ ଭାବରେ ମଧ୍ୟ କେହି କେହି ଧନୀ ଏବଂ ପଦସ୍ଥ ବ୍ୟକ୍ତି ଗରିବ ଛାତ୍ରମାନଙ୍କୁ ଅର୍ଥ ସାହାଯ୍ୟ କରିଥାଆନ୍ତି । କିନ୍ତୁ ଏ ଶ୍ରେଣୀର ଛାତ୍ର ସଙ୍ଖ୍ୟା ଏତେ ଅଧିକ ଯେ ଅର୍ଥ ସାହାଯ୍ୟର ଯେତେ ପ୍ରକାର ଭିନ୍ନ ଭିନ୍ନ ପନ୍ଥା ଫିଟପାରେ ତେତେ ଭଲ ।

ମାନ୍ଦ୍ରାଜ ଅଞ୍ଚଳରେ ଦେଖାଯାଏକେତେକ ବ୍ୟକ୍ତି ପାଳି କରି ନିଜ ନିଜ ଘରେ ଛାତ୍ରମାନଙ୍କୁ ଖାଇବାକୁ ଦିଅନ୍ତି । ନଗଦ ଅର୍ଥ ସାହାଯ୍ୟ ଅପେକ୍ଷା ଏ ପନ୍ଥା ଅନେକଙ୍କ ପକ୍ଷେ ସୁବିଧାଜନକ । ଘରେ ଆଠ ଦଶ ଜଣର ରୋଷେଇ ହୁଏ । ସେଥିରେ ଜଣେ ଦୁଇ ଜଣ ଛାତ୍ର ମାସ ମଧ୍ୟରେ କେତେ ଦିନ ଖାଇଲେ ଜଣାପଡିବ ନାହିଁ । କୌଣସି କୌଣସି ପରିବାରରେ ବେହିସାବ ଖର୍ଚ୍ଚରେ ଯେତେ ନଷ୍ଟ ହୁଏ ସେଥିରେ ନିୟମିତରୂପେ କେତୋଟି ଅଭାବଗ୍ରସ୍ଥ ଛାତ୍ର ସ୍ୱଚ୍ଛନ୍ଦ ଚଳିପାରନ୍ତି । ଏ ବ୍ୟବସ୍ଥା ଦ୍ୱାରା ଛାତ୍ର ରନ୍ଧନକଷ୍ଟରୁ ଅବ୍ୟାହତି ପାଇବ । ସେ ଯଦି କୌଣସି ଛାତ୍ର ଦଳ ମଧ୍ୟରେ ଥାଏତାହା ହେଲେ ସାହାଯ୍ୟଧନରୁ ଚାକର ପୂଜାରୀଙ୍କ ବେତନ ଦେବାକୁ ପଡିବ । ପୁଣି ସାହାଯ୍ୟକାରୀଙ୍କଠାରେ ନଗଦ ପଇସା ନ ଥିଲେ ଅନେକ ସମୟରେ ଛାତ୍ରକୁ ବାରମ୍ବାର ଫେରିବାକୁ ପଡ଼େ । କିନ୍ତୁ ପାରିବାରିକ ପରିସର ମଧ୍ୟରେ ଥରେ ତାହାର ସ୍ଥାନ ଓ ସମୟ ନିରୂପିତ ହୋଇଗଲେ ଏ ସବୁ ଅସୁବିଧା ଘଟିବ ନାହିଁ । ଶିଳ୍ପସାହିତ୍ୟସମାଜ ସଂସ୍କାର ସମସ୍ତଙ୍କ ମୂଳରେ ଶିକ୍ଷା । ସାମାନ୍ୟ ପ୍ରାଥମିକ ଶିକ୍ଷା ହେଉ ପଛକେ ଦେଶବାସୀ ତାହା ପାଆନ୍ତି। ଏଥି ନିମନ୍ତେ ଯାହା ଶକ୍ତିରେ ଯାହା ଅଛି, ସେ ତାହା ନ ଦେଲେ କର୍ତ୍ତବ୍ୟରେ ହାନି ହେବ ।

(ସତ୍ୟବାଦୀ ୨ୟ ଖଣ୍ଡ ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା ୧୯୧୬)

Saturday, January 27, 2018

ଅକ୍ଷାଂଶ ଓ ଦ୍ରାଘିମା


ଅନୁବାଦ - ବିଶ୍ୱଜିତ ଆପଟ


ଅକ୍ଷାଂଶ ଓ ଦ୍ରାଘିମା (ୱିକିମିଡିଆ କମନ୍ସ୍)

ପୂର୍ବ ଅଧ୍ୟାୟରେ ତୁମେ ପଢିଛ ଯେ ଆମ ଗ୍ରହ ପୃଥିବୀ ସମ୍ପୂର୍ଣ୍ଣ ଗୋଲାକାର ନୁହେଁ । ଏହା ଉତ୍ତର ଓ ଦକ୍ଷିଣ ମେରୁ ପାଖରେ ଟିକେ ଚେପଟା ଓ ମଧ୍ୟଭାଗରେ ଟିକେ ସ୍ଫୀତ । ଏହା କୁପରି ଦିଶେ ତୁମେ କଳ୍ପନା କରିପାରୁଛ ? ଏହାର ଏକ ଧାରଣା ପାଇବା ପାଇଁ ଶ୍ରେଣୀଗୃହରେ ଥିବା ଗ୍ଲୋବକୁ ତୁମେ ଭଲଭାବରେ ନିରୀକ୍ଷଣ କର । ଗ୍ଲୋବ ପୃଥିବୀର ଛୋଟ ଆକାରରେ ଏକ ବାସ୍ତବିକ ପ୍ରତିରୂପ ଅଟେ ।

ବିଭିନ୍ନ ଆକାର ଓ ପ୍ରକାରର ଗ୍ଲୋବ ରହିଛି ; ବଡ ଗ୍ଲୋବ – ଯେଉଁଗୁଡିକୁ ନେବାଆଣିବା କଷ୍ଟ, ପକେଟରେ ରଖିପାରିବା ଭଳି ଗ୍ଲୋବ ତଥା ବେଲୁନ ପରି ଗ୍ଲୋବ ଯାହାକୁ ଫୁଲାଯାଇପାରିବ ଓ ଯାହା ନେବାଆଣିବା ପାଇଁ ମଧ୍ୟ ସହଜ । ଗ୍ଲୋବ ସ୍ଥିର ରହେ ନାହିଁ । କୁମ୍ଭାର ଚକ ଅଥବା ନଟୁ ପରି ଏହାକୁ ବୁଲାଯାଇପାରେ । ଗ୍ଲୋବ ଉପରେ ଦେଶ, ମହାଦେଶ ଓ ମହାସାଗରଗୁଡିକୁ ସେମାନଙ୍କର ବାସ୍ତବ ଆକାର ଅନୁଯାୟୀ ଦର୍ଶାଯାଇଥାଏ ।

ପୃଥିବୀ ପରି ଏକ ବିଶାଳ ଗୋଲକରେ କୌଣସି ଏକ ବିନ୍ଦୁର ଅବସ୍ଥିତିକୁ ବର୍ଣ୍ଣନା କରିବା ଏକ କଠିନ ବ୍ୟାପାର । ତେବେ ପ୍ରଶ୍ନ ହେଉଛି ପୃଥିବୀ ପୃଷ୍ଠରେ କୌଣସି ସ୍ଥାନକୁ କିପରି ଚିହ୍ନଟ କରିବା ? ଏଥିପାଇଁ ଆମକୁ କିଛି ରେଖା ଓ ବିନ୍ଦୁମାନଙ୍କ ଦ୍ୱାରା ଗଠିତ ଏକ ସନ୍ଦର୍ଭର ଆବଶ୍ୟକତା ରହିଛି ।

ତୁମେ ଦେଖିଥିବ ଯେ ଗୋଟିଏ ଛୁଞ୍ଚି ଗ୍ଲୋବ ମଧ୍ୟ ଦେଇ ଢଳି ପଡିଥିବା ଅବସ୍ଥାରେ ରହିଥାଏ । ଏହା ଗ୍ଲୋବର ଅକ୍ଷଯେଉଁ ଦୁଇଟି ବିନ୍ଦୁ ଦେଇ ସେହି ଛୁଞ୍ଚିଟି ଯାଇଥାଏ, ସେଗୁଡିକ ଦୁଇ ମେରୁକୁ ସୂଚାଇଥାଆନ୍ତି – ଉତ୍ତର ମେରୁ ଓ ଦକ୍ଷିଣ ମେରୁ । ଗ୍ଲୋବକୁ ଏହି ଛୁଞ୍ଚି ଚାରିପାଖରେ ପୃଥିବୀର ଗତି ପରି ପଶ୍ଚିମରୁ ପୂର୍ବକୁ ବୁଲାଯାଇପାରିବ । କିନ୍ତୁ ମନେ ରଖ ଯେ ଏ ଦୁଇଟି ଜିନିଷରେ ଗୋଟିଏ ଫରକ ଅଛି – ପୃଥିବୀରେ ବାସ୍ତବରେ ଏପରି କୌଣସି ଛୁଞ୍ଚି ନାହିଁ । ପୃଥିବୀ ନିଜ ଅକ୍ଷ ଚାରିପଟେ ବୁଲେ ଯାହା ଏକ କାଳ୍ପନିକ ରେଖା ଅଟେ ।

ଆଉ ଗୋଟିଏ କାଳ୍ପନିକ ରେଖା ଗ୍ଲୋବକୁ ଦୁଇ ସମାନ ଭାବରେ ବିଭକ୍ତ କରେ । ଏହାକୁ ବିଷୁବବୃତ୍ତ କୁହାଯାଏ । ପୃଥିବୀର ଉତ୍ତର ଭାଗରେ ଥିବା ଅଂଶଟିକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗରେ ଥିବା ଅଂଶକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ । ଏହି ଦୁଇଟି ସମାନ ଅର୍ଦ୍ଧେକ ଅଟନ୍ତି ।

ଏଣୁ ବିଷୁବବୃତ୍ତ ପୃଥିବୀ ଉପରେ ଏକ କାଳ୍ପନିକ ବୃତ୍ତ ଅଟେ । ପୃଥିବୀ ଉପରେ ବିଭିନ୍ନ ସ୍ଥାନର ଅବସ୍ଥିତି ଜାଣିବା ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ଅଟେ । ବିଷୁବବୃତ୍ତ ଠାରୁ ମେରୁ ଯାଏଁ ସମସ୍ତ ସମାନ୍ତର ବୃତ୍ତଗୁଡିକୁ ସମାକ୍ଷରେଖା କୁହାଯାଏ । ସମାକ୍ଷରେଖାଗୁଡିକ ମଧ୍ୟରେ ଥିବା କୌଣିକ ଦୂରତାକୁ ଅକ୍ଷାଂଶ କୁହାଯାଏ ଯାହା ଡିଗ୍ରୀ ଦ୍ୱାରା ମାପ କରାଯାଏ ।

ବିଷୁବବୃତ୍ତଟି ୦ ଡିଗ୍ରୀ ବା ୦° ଅକ୍ଷାଂଶ ଅଟେ । ଦୁଇ ମେରୁ ଦେଇ ବୃତ୍ତଟିଏ ଅଙ୍କନ କଲେ ବିଷୁବବୃତ୍ତ ଠାରୁ ଦୁଇ ମେରୁର ଦୂରତା ଏହି ବୃତ୍ତର ଏକ-ଚତୁର୍ଥାଂଶ ହେବ । ଏଣୁ ମେରୁର ଅକ୍ଷାଂଶ ହେବ ୩୬୦° ର ୧/୪ ଅର୍ଥାତ୍ ୯୦° ଉତ୍ତର ଗୋଲାର୍ଦ୍ଧରେ ୯୦° ଅକ୍ଷାଂଶଟି ଉତ୍ତର ମେରୁକୁ ସୂଚାଏ ଓ ଦକ୍ଷିଣ ଗୋଲାର୍ଦ୍ଧରେ ୯୦° ଅକ୍ଷାଂଶଟି ଦକ୍ଷିଣ ମେରୁକୁ ସୂଚାଏ ।

ବିଷୁବବୃତ୍ତର ଉତ୍ତରରେ ଅବସ୍ଥିତ ସବୁ ସମାକ୍ଷରେଖାଗୁଡିକୁ ଉତ୍ତର ଅକ୍ଷାଂଶ କୁହାଯାଏ ଓ ଦକ୍ଷିଣରେ ଥିବା ସବୁ ସମାକ୍ଷରେଖାଗୁଡିକୁ ଦକ୍ଷିଣ ଅକ୍ଷାଂଶ କୁହାଯାଏ ।

ପ୍ରତ୍ୟେକ ଅକ୍ଷାଂଶର ମାନ ସହିତ ଏହାର ଦିଗ ଅର୍ଥାତ ଉତ୍ତର କିମ୍ବା ଦକ୍ଷିଣ ଲେଖାଯାଇଥାଏସାଧାରଣତଃ ଏହାକୁ ଉ. ବା ଦ. ଲେଖାଯାଏ । ଉଦାହରଣ ସ୍ୱରୂପ, ମହାରାଷ୍ଚ୍ରରେ ଥିବା ଚନ୍ଦ୍ରପୁର ଓ ବ୍ରାଜିଲ୍ (ଦକ୍ଷିଣ ଆମେରିକା) ରେ ଅବସ୍ଥିତ ବେଲୋ ହୋରିଜାଣ୍ଚ୍ ସ୍ଥାନ ଦୁଇଟି ୨୦° ଅକ୍ଷାଂଶ ଉପରେ ରହିଛନ୍ତି । କିନ୍ତୁ ଚନ୍ଦ୍ରପୁର ବିଷୁବବୃତ୍ତର ୨୦° ଉତ୍ତରରେ ଓ ବେଲୋ ହୋରିଜାଣ୍ଟ୍ ବିଷୁବବୃତ୍ତର ୨୦° ଦକ୍ଷିଣରେ ଅବସ୍ଥିତ । ଏଣୁ ଆମେ କହିବା ଯେ, ଚନ୍ଦ୍ରପୁର ୨୦° . ଅକ୍ଷାଂଶରେ ଓ ବେଲୋ ହୋରିଜାଣ୍ଟ ୨୦° ଦକ୍ଷିଣ ଅକ୍ଷାଂଶ ଉପରେ ଅବସ୍ଥିତ । ଚିତ୍ର କ୍ରମାଙ୍କ ୨.୨ ରୁ ସ୍ପଷ୍ଟ ଜଣାପଡୁଛି ଯେ ଯେମିତି ଆମେ ବିଷୁବବୃତ୍ତରୁ ଦୂରକୁ ଯିବା ଅକ୍ଷାଂଶଗୁଡିକର ଆକାର କ୍ରମେ ହ୍ରାସ ପାଇବ । 

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ଦ୍ୱିତୀୟ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Tuesday, January 23, 2018

ଉତ୍କଳରେ ଶିକ୍ଷା ଆନ୍ଦୋଳନ

ଗୋପବନ୍ଧୁ ଦାଶ


ଡେକାନ ଏଜୁକେସନ ସୋସାଇଟିର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦିନ ଥିଲା ଯେବେ ବିଦ୍ୟାଳୟକୁ ପିଲା ପଠାଇବା ଲାଗି ଲୋକଙ୍କୁ ପ୍ରବର୍ତ୍ତାଇବାକୁ ପଡୁଥିଲା । ସ୍ଥାନେ ସ୍ଥାନେ ଏବେ ମଧ୍ୟ ସେ ଅବସ୍ଥା ଅଛି । କିନ୍ତୁ ମୋଟ ଉପରେ ଆଜିକାଲି ଓଡ଼ିଶାର ଚାରିଆଡେ ଶିକ୍ଷା ନିମନ୍ତେ ଲୋକଙ୍କର ଆଗ୍ରହ ଦେଖାଯାଉଅଛି । ଶିକ୍ଷିତ ଓ ନେତୃସ୍ଥାନୀୟ ବ୍ୟକ୍ତିମାନେ ଏତେବେଳେ ଅବସ୍ଥା ଜାଣି ବ୍ୟବସ୍ଥା କରିବା ଉଚିତ । ପଢ଼ିବାକୁ ଅନେକ ଛାତ୍ର ବ୍ୟାକୁଳ । ପଢାଇବାକୁ ଅଭିଭାବକ ମଧ୍ୟ ବ୍ୟାକୁଳ । କିନ୍ତୁ ଅନେକଙ୍କର ଉପାୟ ନାହିଁ । ତଥାପି ପୁରାତନ ବିଦ୍ୟାଳୟ କଥା ଛାଡ଼ନ୍ତୁ ନୂତନ ବିଦ୍ୟାଳୟମାନ ଅତି ଅଳ୍ପ ସମୟ ମଧ୍ୟରେ ଜନାକୀର୍ଣ୍ଣ ହୋଇ ଯାଉଅଛି । ତେଣୁ ଆହୁରି ନୂତନ ବିଦ୍ୟାଳୟ ସ୍ଥାପନ ହେଉଅଛି । ସୁଖର କଥା ସ୍ଥାନେ ସ୍ଥାନେ ଲୋକେ ଏ ଆବଶ୍ୟକତା ବୁଝୁଛନ୍ତି ଏବଂ ନୂତନ ବିଦ୍ୟାଳୟ ସ୍ଥାପନ ଲାଗି ଯତ୍ନ କରୁଅଛନ୍ତି ।

ଗତ କେତେ ମାସ ମଧ୍ୟରେ ଗଞ୍ଜାମର ସୋରାଡ଼ା ଖଲ୍ଲିକୋଟ ଆସ୍କା ଏହି ତିନି ସ୍ଥାନରେ ନୂତନ ବିଦ୍ୟାଳୟମାନ ସ୍ଥାପିତ ହୋଇଅଛି । ସେ ସବୁ ଅଞ୍ଚଳର ଶିକ୍ଷିତ ବ୍ୟକ୍ତିମାନେ ଉତ୍ସାହ ଓ ସ୍ୱାର୍ଥତ୍ୟାଗ ସହକାରେ କାର୍ଯ୍ୟ ଆରମ୍ଭ କରିଅଛନ୍ତି । ଅତି ଅଳ୍ପ ଦିନ ମଧ୍ୟରେ ଶତଶତ ଛାତ୍ର ପ୍ରବେଶ କରିଅଛନ୍ତି । ସମ୍ପ୍ରତି ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ କରିବାର ଆୟୋଜନ ଚାଲିଅଛି । କନିକାର ଉତ୍ସାହୀ ରାଜା ମହୋଦୟ ନିଜଗଡ଼ ବିଦ୍ୟାଳୟକୁ ଉଚ୍ଚ ଇଂରାଜୀ ବିଦ୍ୟାଳୟ କରିବାରେ ବନ୍ଦୋବସ୍ତ କରୁଅଛନ୍ତି । ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଏପରି ଉଦ୍ୟମ ଦେଖିଲେ ପ୍ରାଣରେ ବାସ୍ତବିକ ଆହ୍ଲାଦ ଆସେ । ଏହି ସବୁ କ୍ଷୁଦ୍ର ବୃହତ୍ ସ୍ଥାନୀୟ ଶିକ୍ଷା ଉଦ୍ୟମମାନଙ୍କୁ ଶୃଙ୍ଖଳାବଦ୍ଧ କରି ଗୋଟିଏ ଜାତୀୟ ଶିକ୍ଷା ଆନ୍ଦୋଳନର ଅଙ୍ଗୀଭୂତ କରିବା ଆବଶ୍ୟକ ହୋଇଅଛି । କେବଳ ସେକେଣ୍ଡେରୀ ସ୍କୁଲରେ ପାସକଲେ କିମ୍ୱା ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଯଥେଷ୍ଟ ହେଲା ନାହିଁ । ବର୍ତ୍ତମାନ ଶିକ୍ଷାର ଏପରି କ୍ରମ ନିର୍ଦ୍ଦିଷ୍ଟ ହେବା ଆବଶ୍ୟକ ହୋଇଅଛି ଯେପରି କି ଗଞ୍ଜାମ ଓଡିଶା ମଧ୍ୟରେ ଶିକ୍ଷାର ବିଷୟ ଓ ପ୍ରଣାଳୀରେ ବିଶେଷ କିଛି ପାର୍ଥକ୍ୟ ନ ରହିବ । ପୁଣି ସ୍ୱଳ୍ପ ବ୍ୟୟରେ କିପରି ସୁଶିକ୍ଷା ଦିଆଯିବ, ତହିଁର ବ୍ୟବସ୍ଥା କରିବା ଅତୀବ ପ୍ରଯୋଜନ । ଶିକ୍ଷା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଏବଂ ବ୍ୟାବହାରିକ ଶିଳ୍ପ ଜ୍ଞାନର ବୃଦ୍ଧି ଲାଗି ଉପାୟ ଉଦ୍‌ଭାବିତ ହେବା ଉଚିତ ।

ସ୍କୁଲରେ ଦେଶର ଅବସ୍ଥା ଓ ଅଭାବ ଏବଂ ଭବିଷ୍ୟତର ସମ୍ଭାବନା ପ୍ରଭୃତି ସକଳ ବିଷୟ ପ୍ରତି ଲକ୍ଷ୍ୟ ରଖି ସମସ୍ତ ଶିକ୍ଷାନୁଷ୍ଠାନ ପରିଚାଳିତ ହେବା ଉଟିତ । ସମଗ୍ର ଉତ୍କଳଭାଷୀ ପ୍ରଦେଶରେ ଏହି ଉଦ୍ଦେଶ୍ୟରେ ଏକ ଶିକ୍ଷା ସଙ୍ଘ ଗଠିତ ହେଲେ ଅସଙ୍ଗତ ହେବନାହିଁ । ମହାରାଷ୍ଟ୍ର ରାଜ୍ୟରେ ଦାକ୍ଷିଣାତ୍ୟ ଶିକ୍ଷା ସଙ୍ଘ (ଡେକାନ୍ ଏଜୁକେସନ୍ ସୋସାଇଟି) ବହୁ ଦିନରୁ କାର୍ଯ୍ୟକରି ଆସୁଅଛି । ପୁନା ଫର୍ଗୁସନ କଲେଜ ଏହି ସଙ୍ଘର କାର୍ଯ୍ୟ । ବଙ୍ଗଳାରେ ଜାତୀୟ ଶିକ୍ଷା ସମିତି ଅନ୍ୟାନ୍ୟ ଭାରତର ନାନା ଅଞ୍ଚଳରେ ଦେଖାଯାଏ । ସମୂହ ଚେଷ୍ଟାରେ ଯେ କାର୍ଯ୍ୟ ଶୀଘ୍ର ଅନେକ ଦୂର ଅଗ୍ରସର ହେବ, ଏହା ବୋଲିବା ବାହୁଲ୍ୟ ।

(ସତ୍ୟବାଦୀ, ୧ମ ଖଣ୍ଡ ୬ଷ୍ଠ ସଂଖ୍ୟା-୧୯୧୫)

Sunday, January 21, 2018

ସୌରମଣ୍ଡଳ ବିଷୟରେ କିଛି ରୋଚକ ତଥ୍ୟ 

ଅନୁବାଦ - ବିଶ୍ୱଜିତ ଆପଟ


କୃତ୍ରିମ ଉପଗ୍ରହ ଇନ୍‌ସାଟ୍ '୧ଖ'ର ଚିତ୍ର




ବୃହସ୍ପତି, ଶନି ଓ ୟୁରାନସ୍ ଆଦି ଗ୍ରହଗୁଡିକ ଚାରିପାଖରେ ବଳୟ ରହିଛି । ବଳୟ ହେଉଛି ଗ୍ରହ ଅବଶେଷଗୁଡିକର ଏକ ରକମର ପଟିଟିଏ । ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ସହାୟତାରେ ଆମେ ଏହି ବଳୟଗୁଡିକୁ ଦେଖିପାରିବା ।

କୌଣସି ଭାଷାରେ ବ୍ୟବହୃତ ହେଉଥିବା ଅନେକ ଶବ୍ଦ ଅନ୍ୟ କେଉଁ ଭାଷାରୁ ମଧ୍ୟ ଆସିଥାଇ ପାରେ । ଜୋଗ୍ରାଫି ଏକ ଇଂରାଜୀ ଶବ୍ଦ । ଏହାର ଉତ୍ପତ୍ତି ରହିଛି ଗ୍ରୀକ୍ ଭାଷାରେ ଗ୍ରୀକ୍ ଶବ୍ଦ “ଜିଓଅର୍ଥାତ ପୃଥିବୀ ଓ “ଗ୍ରାଫିଆଯାହା ଲେଖିବାକୁ ବୁଝାଏ – ଏ ଦୁଇଟି ଶବ୍ଦକୁ ନେଇ Geography ଶବ୍ଦଟିର ଗଠନ ହୋଇଛି । ପୃଥିବୀ ବିଷୟରେ ଅଧିକ ତଥ୍ୟ ତୁମେ ନିଜେ ଅନୁସନ୍ଧାନ କର ।

ମନୁଷ୍ୟମାନେ ବହୁ କାଳରୁ ରାତିର ଆକାଶକୁ ଦେଖି ଚକିତ ହୋଇ ଆସିଛନ୍ତି । ଯେଉଁମାନେ ମହାଜାଗତିକ ପିଣ୍ଡ ଓ ସେଗୁଡିକର ଗତିବିଧି ଅଧ୍ୟୟନ କରନ୍ତି ସେମାନଙ୍କୁ ମହାକାଶ ବିଜ୍ଞାନୀ କୁହାଯାଏ । ଆର୍ଯ୍ୟଭଟ୍ଟ ପ୍ରାଚୀନ ଭାରତର ଜଣେ ପ୍ରସିଦ୍ଧ ମହାକାଶ ବିଜ୍ଞାନୀ । ବର୍ତ୍ତମାନ ପୃଥିବୀର କୋଣେ କୋଣେ ମହାକାଶ ବିଜ୍ଞାନୀମାନେ ବିଶ୍ୱବ୍ରହ୍ନାଣ୍ଡର ଅନ୍ୱେଷଣରେ ଲାଗିଛନ୍ତି ।

ଆଲୋକ ପ୍ରତି ସେକେଣ୍ଡରେ ପ୍ରାୟ ୩ ଲକ୍ଷ କିଲୋମିଟର ବେଗରେ ଗତି କରେ । ଏତେ ବେଗଶାଳୀ ହୋଇ ସୁଦ୍ଧା ସୂର୍ଯ୍ୟ ଠାରୁ ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ ପ୍ରାୟ ୮ ମିନିଟ୍ ସମୟ ଲାଗିଯାଏ ।

 ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଚନ୍ଦ୍ରପୃଷ୍ଠରେ ପାଦ ରେଇଥିବା ପ୍ରଥମ ବ୍ୟକ୍ତି ଅଟନ୍ତି । ୧୯୬୯ ମସିହା ଜୁଲାଇ ୨୧ ତାରିଖରେ ସେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ । କୌଣସି ଭାରତୀୟ ବ୍ୟକ୍ତି କେବେ ଚନ୍ଦ୍ରପୃଷ୍ଠକୁ ଯାଇଛନ୍ତି କି ନାହିଁ ତୁମେ ଖୋଜି ବାହାର କର ।

ଉପଗ୍ରହ ହେଉଛି ଏକ ମହାଜାଗତିକ ପିଣ୍ଡ ଯାହା ଗ୍ରହ ଚାରିପଟେ ବୁଲିଥାଏ, ଠିକ ଯେମିତି ଗ୍ରହମାନେ ସୂର୍ଯ୍ୟ ଚାରିପଟେ ବୁଲିଥାଆନ୍ତି ।ମନୁଷ୍ୟ-କୃତ ଉପଗ୍ରହଗୁଡିକ କୃତ୍ରିମ ବସ୍ତୁ ଅଟନ୍ତି । ବିଶ୍ୱବ୍ରହ୍ମାଣ୍ଡ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ବା ଦୂର ସଞ୍ଚାର ପାଇଁ ବୈଜ୍ଞାନିକମାନେ ସେଗୁଡିକୁ ପ୍ରସ୍ତୁତ କରିଥାଆନ୍ତି । କୃତ୍ରିମ ଉପଗ୍ରହକୁ ରକେଟ୍ ବୋହିନିଏ ଓ ପୃଥିବୀର ଚାରିପଟେ ବୁଲିବା ପାଇଁ ଏକ କକ୍ଷରେ ଏହାକୁ ସ୍ଥାନିତ କରାଯାଏ । ଇନ୍‌ସାଟ୍, ଆଇ.ଆର୍.ଏସ୍. ଏଡୁସାଟ୍ ଇତ୍ୟାଦି ମହାକାଶରେ ଥିବା ଭାରତୀୟ ଉପଗ୍ରହ ଅଟନ୍ତି ।
ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Friday, January 19, 2018

ଛାତ୍ରାବାସ

ଗୋପବନ୍ଧୁ ଦାଶ


ଅଷ୍ଟ୍ରେଲିଆର ଆର୍ମିଡେଲ୍ ସ୍କୁଲର ଛାତ୍ରାବାସ (୧୮୯୮ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବୋର୍ଡିଂ ହାଉସ୍ ବା ଛାତ୍ରାବାସ ଭାରତବର୍ଷରେ ନୂଆ ଜିନିଷ ନୁହେଁ । ପୂର୍ବେ ପ୍ରଧାନ ଶିକ୍ଷା କେନ୍ଦ୍ରମାନଙ୍କର ଶତଶତ ଛାତ୍ର ଶିକ୍ଷକମାନଙ୍କ ସହିତ ଏକତ୍ର ବାସ କରୁଥିଲେ । କାଶୀ ନବଦ୍ୱୀପ ପ୍ରଭୃତି ସ୍ଥାନମାନଙ୍କରେ ଏବଂ ପୁରୀର କୌଣସି ମଠରେ ଅଦ୍ୟାପି ଏଥିରେ ଛାୟା ଦେଖାଯାଏ । ଯେଉଁ ବିଦ୍ୟାଳୟରେ ଦୂର ସ୍ଥାନର ବହୁ ଛାତ୍ର ପଢ଼ନ୍ତି ତହିଁରେ ଛାତ୍ରବାସର ଅତୀବ ପ୍ରୟୋଜନ । ଆଜି କାଲି ସବୁ ସ୍କୁଲ କଲେଜରେ ଛାତ୍ରାବାସର ବ୍ୟବସ୍ଥା ହୋଇଗଲାଣି । ଛାତ୍ରାବାସରେ ରହିଲେ ଶିଷ୍ୟମାନେ ଶିକ୍ଷକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନର ସୁବିଧା ପାଆନ୍ତି । ସ୍କୁଲ ପାଞ୍ଚ ଘଣ୍ଡା ଛଡ଼ା ଶିକ୍ଷକ ଛାତ୍ରଙ୍କର ଆଉ ପ୍ରାୟ କ୍ୱଚିତ ସଂସ୍ରବ ଘଟେ । ତେଣୁ ପୁସ୍ତକ ପାଠ ଭିନ୍ନ ଛାତ୍ରମାନଙ୍କ ଜୀବନ ଗଠନରେ ଶିକ୍ଷକମାନେ ବିଶେଷ କିଛି କରିପାରନ୍ତି ନାହିଁ । ଛାତ୍ରାବାସ ଦ୍ୱାରା ଏ ଅସୁବିଧା ଦୂର ହେବ । କ୍ରମେ ଛାତ୍ରାବାସ ବିଦ୍ୟାଳୟର ଏକ ଅତି ଆବଶ୍ୟକୀୟ ଅଙ୍ଗ ବୋଲି ବିବେଚିତ ହେଉଅଛି । କିନ୍ତୁ ଏହି ଛାତ୍ରାବାସ ସବୁ ଯେ ରୀତିରେ ତିଆରି ହେଉଛି. ତାହା କେତେ ଦୂର ଏ ଦେଶର ଉପଯୋଗୀ ଏହା ଏକ ଗୁରୁତର ଚିନ୍ତାର ବିଷୟ । କଟକ ଟ୍ରେନିଂ ସ୍କୁଲ ନିମନ୍ତେ କାଠଯୋଡ଼ି କୂଳରେ ନୂତନ ଏକ ଛାତ୍ରାବାସ ତିଆରି ହୋଇଅଛି । ଏହା ଏକ ଦ୍ୱିତଳ ପ୍ରାସାଦ ସ୍କୁଲ ଗୃହଠାରୁ ଅଧିକ ମୂଲ୍ୟବାନ ଏବଂ ସୁନ୍ଦର । ସରକାରଙ୍କର ସବୁ କାର୍ଯ୍ୟ ତ ଗୋଟିଏ କଳରେ ଚାଲେ । କଳଜିନିଷ ସବୁ ଏକମଛାରେ ଗଢ଼ା । ସେଥିରେ ଦେଶକାଳ ପାତ୍ର ବିଚାର ନାହିଁ । ଭିନ୍ନ ରୁଚି ଭିନ୍ନ ଅବସ୍ଥା ଲାଗି ଅନୁରୂପ ବ୍ୟବସ୍ଥା ଅସମ୍ଭବ । ଛାତ୍ରାବାସ କାହା ଲାଗି ହେଉଅଛି ? ସେମାନଙ୍କର ଭୂତ ଭବିଷ୍ୟତ ଯେ ବିଚାର କରିବା ଉଚିତ କର୍ତ୍ତାମାନେ ତାହା ଏକାବେଳକେ ଭୁଲିଯିବାର ଦେଖାଯାଏ ଚାଳ ଘରଠାରୁ କୋଠାଘର ଭଲ ଏକତାଲାଠାରୁ ଦୋତାଲା ଭଲ କିଏ ମନା କରୁଛି ? ପୋଲାଙ୍ଗ ବା ଜଡ଼ା ତେଲର ଦୀପ ମଇଳା । ବିଜୁଳି ଆଲୁଅ ଓ ଗ୍ୟାସ ଲାଇଟ୍ ଅବଶ୍ୟ ସଫା । ତଳେ ଶୋଇବାଠାରୁ ପଲଙ୍କରେ ଶୋଇବା ସୁଖକର । ମାତ୍ର ଆମ ଦେଶର ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ବାଲ୍ୟ ସମୟ କେଉଁଠାରେ କି ଅବସ୍ଥାରେ କଟାଇଅଛନ୍ତି ଏବଂ ପଢ଼ ସାରିଲେ କି ଅବସ୍ଥାରେ କଟାଇବେ ? ପଢ଼ିଥିବା ସମୟରେ ଏହିପରି ବିଳାସବୈଭଦ ବେଷ୍ଟନୀ ମଧ୍ୟରେ କେତେକ କାଳ ରହି ଛୁଟିରେ ଗାଁକୁ ଗଲାବେଳେ ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଘର ସୁଖ ଲାଗେ ନାହିଁ । ସୁଖ ଲାଗିବ କାହୁଁ ? "ଯାକୁ ମିଳଇ ପଇଙ୍କ ସୁପାତି ତାର ଭୂମିଶଯ୍ୟାରେ କାହିଁ ପ୍ରୀତି ?” ଗାଁ ଲୋକଙ୍କ ଆଚାର ବ୍ୟବହାର ଅଭ୍ୟାସ ଜୀବନୋପାୟ ଆଦି ପ୍ରତି ସେମାନଙ୍କର ଆଉ ପ୍ରାଣରେ ଆସ୍ଥା ଓ ଆଦର ରହିବ କାହିଁ  ? କ୍ରମେ ଶିକ୍ଷିତ ଓ ଅଶିକ୍ଷିତ ମଧ୍ୟରେ ଦେଶରେ ଏକ ନୂତନ ଜଘନ୍ୟ ଜାତିଭେଦ ସୃଷ୍ଟି ହେଉଛି । ଲୋକ ସାଧାରଣଙ୍କ ସଙ୍ଗେ ମିଶିବା ଆବଶ୍ୟକ । ସେମାନଙ୍କ ସହିତ ସହାନୁଭୂତି ଓ ସୋଦରତା ରଖିବା ବିଧେୟ ଇତ୍ୟାଦି ଉପଦେଶ ଓ ପରାମର୍ଶମାନ କେବଳ ବକ୍ତୃତାର ବିଷୟ ହୋଇ ରହୁଛି । ଛାତ୍ରମାନଙ୍କର ଭୂତ ଭବିଷ୍ୟତ ପ୍ରତି ଦୃଷ୍ଟି ନ ରଖି ଏପରି ଶିକ୍ଷା ବିଧାନର କଳ ଚଳାଇଲେ ଏଥିରେ ଦେଶର ବା ସମାଜର କି ଉପକାର ହେବ ?

ଦିନକୁ ଦିନ ଶିକ୍ଷା ଆଡ଼େ ସରକାର ସାହାଯ୍ୟ ବଢ଼ାଇଛନ୍ତି । କିନ୍ତୁ ସାହାଯ୍ୟ ବଢିବା ଅନୁପାତରେ ଶିକ୍ଷାର ପରିସର ବଢୁଛି ତ ? ଏ ଦେଶରେ କୁଟୀରରୁ ବେଦବେଦାନ୍ତବିତ ଅନେକ ଶକ୍ତିଶାଳୀ ବ୍ୟକ୍ତ ବାହାରିଥିଲେ । ଶଙ୍କର, ଆର୍ଯ୍ୟଭଟ୍ଟ, ଭାସ୍କର ଜୀବନରେ କୋଠା ବା ବିଜୁଳି ଆଲୁଅ ଦେଖି ନ ଥିଲେ । ଆମ୍ଭମାନଙ୍କ ଯୁଗରେ ମହାତ୍ମା ଚନ୍ଦ୍ରଶେଖରଙ୍କ ଭଗ୍ନ କୁଟୀର ଯେଉଁମାନେ ଦେଖି ଅଛନ୍ତି ପାଣ୍ଡିତ୍ୟ ଲାଭ ବା ପ୍ରତିଭାର ବିକାଶ ଲାଗି ପ୍ରାସାଦ ପ୍ରୟୋଜନ ନୁହେଁ ବୋଲି ସେମାନଙ୍କୁ ବୁଝାଇଦେବା ଆବଶ୍ୟକ ହେବନାହିଁ । ଛାତ୍ରବାସକୁ ପ୍ରାସାଦ କରିବାରେ ଯେ ଟଙ୍କା ଖର୍ଚ୍ଚ ହେଉଛି ତାହା ଶିକ୍ଷାର ଅନ୍ୟ ଆଡ଼େ ଖର୍ଚ୍ଚ କଲେ ନିଶ୍ଚୟ ଅଧିକ ଫଳ ହୁଅନ୍ତା । ଶିକ୍ଷାର ଗୁଣ ପ୍ରକାର ବା ବିଶେଷତ୍ୱ ଘର ଉପରେ ନିର୍ଭର କରେ ବୋଲି କୁହାଯାଇ ନ ପାରେ । ଅବଶ୍ୟ ଛାତ୍ରମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଦିଆଯିବା ସର୍ବଥା ବାଞ୍ଛନୀୟ । ବିଦ୍ୟାଳୟ ଓ ଛାତ୍ରାବାସ ପରିସ୍କାର, ସ୍ୱାସ୍ଥ୍ୟକର ରୁଚିସମ୍ପନ୍ନ ଗୃହ ହେବା ଉଚିତ କିନ୍ତୁ ଏସବୁ କେବଳ ପ୍ରାସାଦରେ ଅଛି ବୋଲି ଏ ଦେଶ ଲୋକେ ମନେ କରନ୍ତି ନାହିଁ । କେହି କେହି ଶିକ୍ଷାନୀତିବିଶାରଦ ମତ ଦେଇପାରନ୍ତି ବିଦ୍ୟାଳୟ ଓ ଛାତ୍ରାବାସ ଜାକ୍‌ଜମକ ହେଲେ ଲୋକେ ଶିକ୍ଷା ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୁଅନ୍ତି ଏବଂ ଶିକ୍ଷାର ମର୍ଯାଦା ସମାଜରେ ବଢ଼ିଯାଏ । ହଁ ବାହାରେ ଚାକଚକ୍ୟର ଏଭଳି ବ୍ୟବହାର ସମାଜ ବିଶେଷରେ ଥାଇପାରେ । କିନ୍ତୁ ଭାରତ ପରି ପ୍ରାଚୀନ ଓ ଶିକ୍ଷାନୁରକ୍ତ ସମାଜ ପକ୍ଷେ ଏ ଯୁକ୍ତି ଖଟିବ ନାହିଁ । ଖଟିଲେ ସୁଦ୍ଧା ଏତେ ମୂଲ୍ୟରେ ଏ ଆକର୍ଷଣ ଶକ୍ତି କିଣିବା ଆମ୍ଭମାନଙ୍କର ଅବସ୍ଥା ନୁହେଁ । ଆମ୍ଭେମାନେ କହୁଁ ଶିକ୍ଷା ସୁଲଭ ହେଉ । ବିଶେଷତଃ ଭାରତ ପରି ଦରିଦ୍ର ଦେଶରେ ଯେତେ ସହଜରେ ଶିକ୍ଷା ପ୍ରଚାର ହୋଇପାରେ, କର୍ତ୍ତୃପକ୍ଷମାନଙ୍କର ତାହା ଦେଖିବା ଉଚିତ। ଅତ୍ୟନ୍ତ ଆକ୍ଷେପର କଥା ବର୍ତ୍ତମାନ ବ୍ୟୟସାଧ୍ୟ ବିଧାନରେ ମଧ୍ୟ ସ୍କୁଲ କଲେଜ ଏବଂ ଛାତ୍ରବାସରେ ସ୍ଥାନ ନାହିଁ ବୋଲି ଅନେକ ଶିକ୍ଷାର୍ଥୀଙ୍କୁ ଫେରାଇ ଦିଆଯାଉଛି । ଆକର୍ଷଣ ବଢ଼ାଇବାରେ ଆଉ ପ୍ରୟୋଜନ କଣ ? ଆଉ ଗୋଟିଏ କଥା ଛାତ୍ରାବାସ ତ ହେଲା ଛାତ୍ରର ଆଦର୍ଶ ଆବାସ । ଯେଉଁମାନେ ଛାତ୍ରାବାସୀର ବାହାରେ ରହି ପଢ଼ୁଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ସ୍ୱଭାବ କଣ ସବୁବେଳେ ନ୍ୟୂନ ? ପିତାମାତାଙ୍କ ସଙ୍ଗେ ସଙ୍ଗେ ଜଣେ ଜଣେ ଛାତ୍ର ଯେପରି ଘରେ ରହି ଯେ ଅବସ୍ଥାରେ ପାଠ ପଢ଼ନ୍ତି ତାହା କର୍ତ୍ତୃପକ୍ଷମାନେ କଳ୍ପନା କରିପାରିବେ ନାହିଁ ।  କିନ୍ତୁ ସେହି ଘରୁ ସେହି ଅବସ୍ଥାରୁ ବି ତ ସାର୍ ଗୁରୁଦାସ ବାହାରିଛନ୍ତି ।

ଯେଉଁମାନେ ସ୍କୁଲ କଲେଜରେ ପଢ଼ୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧକାଂଶ ଚାକିରି ଉଦ୍ଦେଶ୍ୟରେ ପଢ଼ୁଛନ୍ତି । ଅନ୍ତତଃ ଏ ପର୍ଯ୍ୟନ୍ତ ସେମାନଙ୍କ ନିମନ୍ତେ ଅନ୍ୟ କିଛି ପନ୍ଥା ଫିଟି ନାହିଁ । ଏ ସୂତ୍ରରେ ସେମାନଙ୍କ ଅର୍ଜନ କେତେ ? ସେଥିରେ ପୁଣି ପୁତ୍ର କନ୍ୟା ପରିବାର ଆଦି ସଂସାର ଅଛି । ବହୁ ବ୍ୟୟସାଧ୍ୟ ସହରବାସ ତ ଅଧିକାଂଶଙ୍କ ଭାଗ୍ୟରେ ଘଟିବ ନାହିଁ । ଛାତ୍ରବାସରେ ଯେପରି ଘରେ ଯେ ବିଭବରେ ଥିଲେ ତାହା ସଂସାର-ଜୀବନରେ କେତେ ଜଣଙ୍କୁ ମିଳିବ ? କିନ୍ତୁ ଅଭ୍ୟାସ ହେତୁରୁ ମନ ତାହା ସବୁବେଳେ ଲୋଡିବ ନାହିଁ କି ? ଫଳରେ ଅଧିକାଂଶ ଜୀବନରେ ଚିର ଅସନ୍ତୋଷ ଲାଗ ରହିବ । ବାପ ବଡ଼ବାପଙ୍କଠାରୁ ଅଧିକ ଉପାର୍ଜନ କଲେ ମଧ୍ୟ ସବୁବେଳେ ଦୈନ୍ୟ ହାହାକାର । ଏବଂ ଏ ଅବସ୍ଥାରେ ଅନେକେ ଯେ ଯେନକେନ ପ୍ରକାରେଣ ଅଧିକ ଅର୍ଥୋପାର୍ଜନର ପନ୍ଥା ଖୋଜିବେ ତାହା ବିଚିତ୍ର କଅଣ ? ବିଷେଷତଃ ଟ୍ରେନିଂ ସ୍କୁଲର ଛାତ୍ରମାନେ ପଲ୍ଲୀରେ ଶିକ୍ଷା ପ୍ରଚାର ଲାଗି ପ୍ରସ୍ତୁତ ହେଉଅଛନ୍ତି ପଲ୍ଲୀର ଯେଉଁ ବାଳକ ବାଳିକାମାନେ ଧୂଳିରେ ମାଟିରେ ବଢ଼ିଛନ୍ତି, ସେହି ମାନେ ହିଁ ହେବେ ଏମାନଙ୍କର ଛାତ୍ର । ସକାଳୁ ସନ୍ଧ୍ୟାବେଳ ଯାଏ ପଙ୍କ ଚକଟନ୍ତି ଯେଉଁ ପଲ୍ଲୀ-କୃଷକ, ଖାଲି ମୁଣ୍ଡରେ ଖରା ବର୍ଷା ଖାଇ ପଡ଼ିଥାଆନ୍ତି ଯେଉଁ ପଲ୍ଲୀଶ୍ରମଜୀବୀ, ଦୁଇ ଅଣା ପଇସା ଭିଆଇବା ପାଇଁ ଦିନରାତି ଶାଳରେ ଖଟୁଥାଆନ୍ତି ଯେଉଁ ପଲ୍ଲୀ-କାରିଗର, ସେହିମାନେ ହେବେ ଏହି ଶିକ୍ଷକମାନଙ୍କ ସଙ୍ଗୀ, ସ୍ୱଜନ । ଏମାନେ ବି ଯେଉଁ ବର୍ତ୍ତନ ପାଇବେ, ସେଥିରେ ସଂସାର ଚଳାଇବା ଏମାନଙ୍କ ପକ୍ଷେ ଦୁଷ୍କର । ଶିକ୍ଷା ନୀତିର ସବିଶେଷ ପ୍ରସଙ୍ଗ ସମାଧାନରେ ଏ ସବୁ ସମସ୍ୟାର ସମ୍ୟକ୍ ଆଲୋଚନା ଏକାନ୍ତ ବିଧେୟ ।

(ସତ୍ୟବାଦୀ, ୨ୟ ଖଣ୍ଡ, ପ୍ରଥମ ଓ ଦ୍ୱିତୀୟ ସଂଖ୍ୟା, ୧୯୧୬)

ବିଦ୍ୟାଳୟରେ ସେବାଶିକ୍ଷା

ଗୋପବନ୍ଧୁ ଦାଶ


ଆମ‌୍‌ଷ୍ଟରଡ୍ୟାମ ସହରର କିଣ୍ଡଗାଟନ୍‌ର ଚିତ୍ର (ୱିକିମିଡ଼ିଆ କମନ୍ସ୍)
ଚିତ୍ର - ଇନ୍‌ଫ୍ୟାଣ୍ଟସ୍ ସ୍କୁଲ (୧୮୮୦)
ଚିତ୍ରକର ମାକ୍ସ ଲିବର୍‌ମାନ୍ - (୧୮୪୭-୧୯୩୫)

ବିଦ୍ୟାଳୟମାନଙ୍କରେ ଧର୍ମ ଓ ନୀତି ଶିକ୍ଷା ପ୍ରବାର୍ତ୍ତାଇବା ନିମନ୍ତେ ଗତ କେତେକ ବର୍ଷ ହେଲା ଏ ଦେଶରେ ଆଲୋଚନା ଲାଗିଅଛି । କେବଳ ବିଜ୍ଞାନ ଦର୍ଶନ ପଢ଼ି କେତେଗୁଡିଏ ପ୍ରାକୃତିକ ବା ଆଧ୍ୟାତ୍ମିକ ସତ୍ୟ ଜାଣି ରଖିଲେ ମନୁଷ୍ୟ ପକ୍ଷେ ଯଥେଷ୍ଟ ହେଲା ନାହିଁ । କେବଳ ଭାଷା ଶିକ୍ଷା ତ ଶିକ୍ଷା ନୁହେଁ । ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଜୀବନର ସୁଗଠନ ଓ ବିକାଶ । ତାହା କେବଳ ତର୍କ ଯୁକ୍ତି ପୁରସ୍କାର ପାଇବାରେ ନାହିଁ କିମ୍ୱା ଫୁଟବଲ କ୍ରିକେଟ୍‌ରେ ପଟୁତା ଦେଖାଇ ପୁରସ୍କାର ପାଇବାରେ ନାହିଁ । ଏ ସବୁର ଆବଶ୍ୟକତା ଅବଶ୍ୟ ଅସ୍ୱୀକାର କରାଯାଇ ନ ପାରେ । କିନ୍ତୁ ନୈତିକ ଜୀବନର ବିକାଶରେ ହିଁ ମାନବର ପ୍ରକୃତ ମାନବତ୍ୱ । ଏ ପ୍ରକାର ଶିକ୍ଷା ଅଭାବରୁ ଆଧୁନିକ ଶିକ୍ଷାବିଧାନ ବହୁ ଦିନ ଏ ଦେଶରେ ପ୍ରବର୍ତ୍ତିତ ହେଲେ ସୁଦ୍ଧା ଆଜିଯାଏ ବିଶେଷ କିଛି ଫଳ ଦେଖାଇ ପାରିନାହିଁ ।

ବହୁତ ବକ୍ତୃତା ହେଉଅଛି, ରାଜକୀୟ ଅଧିକାର ବିଷୟରେ ତର୍କ ଲାଗିଛି ବେଳେବେଳେ ତର୍କଯୁକ୍ତିପୂର୍ଣ୍ଣ ପୁସ୍ତକ ମଧ୍ୟ ବାହାରୁଅଛି, କିନ୍ତୁ କାହିଁ କେଉଁଠାରେ ତ ପ୍ରାଣର ପରିଚୟ ଦେବା ଭଳି କାର୍ଯ୍ୟ ବିଶେଷ ଦେଖାଯାଉ ନାହିଁ । ଫଳାକଥା ମନୁଷ୍ୟ ମନୁଷ୍ୟକୁ ଚିହି ଶିଖୁନାହିଁ । ଏ ଅଭାବ ଲୋକେ ବୁଝିଲେଣି କିଛି ସେଥି ସଙ୍ଗେ ନ ଯୋଡ଼ିଲେ ହେବ ନାହିଁ ଏ କଥା ମଧ୍ୟ ସମସ୍ତେ ସ୍ଥିର କରୁଛନ୍ତି । ଯୋଡ଼ା ହେବ କଣ ? ନୈତିକ ଶିକ୍ଷା । ସ୍କୁଲ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଗୋଟିଏ ସମୟ ରଖି କେବଳ ଧର୍ମନୀତିର ପୁସ୍ତକ ପଢ଼ାଇ ସେହି ବିଷୟରେ ବକ୍ତୃତା ଓ ଉପଦେଶ ଦେଲେ ଏହି ଶିକ୍ଷା ହେବ ତ ?

ଆଜି ଯାଏଁ ଯେଉଁ ସବୁ ରହି ପଢ଼ାଯାଉଥିଲା ସେ ସବୁରେ କଣ ଅଳ୍ପାଧିକ ଏହିଭଳି ନୀତି ଉପଦେଶ ନଥିଲା କି ? ତେବେ ଖାଲି ସେଥି ନିମନ୍ତେ ଗୋଟିଏ ସ୍ୱତନ୍ତ୍ର ସମୟ ନିର୍ଦ୍ଦେଶ କରିଦେଲେ ଯେ ବିଶେଷ କିଛି ହେବ, ତାହା ନୁହେଁ । ଜୀବନର ସତ୍ୟ ଶିଖିବା ନୈତିକ ଶିକ୍ଷାର ଉଦ୍ଦେଶ୍ୟ । ବାଳକକୁ ପଦାର୍ଥବିଦ୍ୟା ଓ କିଣ୍ଡରଗାର୍ଟନ ରୀତିରେ ଯେପରି ଚତୁର୍ଦ୍ଦିଗସ୍ଥ ସାଧାରଣ ପଦାର୍ଥାଦି ବିଷୟକ ସରଳ ସତ୍ୟ ଶିକ୍ଷା ଦିଆଯାଏ, ବିଜ୍ଞାନର ସତ୍ୟ ସବୁ ଶିଖିବା ପାଇଁ ଯେପରି ବିଜ୍ଞାନମନ୍ଦିର ବା ଲାବୋରେଟରୀରେ ପରୀକ୍ଷାଦର୍ଶନ ଦ୍ୱାରା ଶିକ୍ଷା ଦିଆଯାଏ, ନାତିଶିକ୍ଷାରେ ମଧ୍ୟ ସେହି ନିୟମ ଚଳିବା ଉଚିତ । ମାନବ ସାଧାରଣର ସମ୍ପର୍କରେ ଆସି ସେମାନଙ୍କର ଅଭାବ ଆକାଙ୍‌କ୍ଷା ରୋଗ ଦୁଃଖ ଭାବ ବିକାର ପ୍ରଭୃତି ଅନୁଭବରେ ନ ଆଣିଲେ ଜୀବନର ସତ୍ୟ ଶିଖିବା ଅସମ୍ଭବ । ମାନବକୁ ସ୍ନେହ କରି ନ ଶିଖିଲେ ମାନବ ପ୍ରତି ପ୍ରାଣରେ ସହାନୁଭୂତି ନଆସିଲେ, ଜୀବନର ବିକାଶ ହେବ ନାହିଁ ।

ପ୍ରକୃତ ନୀତିଶିକ୍ଷାର ପନ୍ଥା ଲୋକସେବା । ଲୋକସେବା ଅଭ୍ୟାସ କରିବାରେ ଜୀବନର ପ୍ରକୃତ ତତ୍ତ୍ୱ ଅନୁଭବରେ ଶିକ୍ଷା ହୁଏ । ତେଣୁ ଛାତ୍ର ଜୀବନରରେ ଏହି ଲୋକସଭା ଶିଖିବା ବିଷୟରେ ଛାତ୍ରମାନଙ୍କୁ ଯଥୋଚିତ ପ୍ରଶୟ ଦେବା ପ୍ରଯୋଜନ । ରୋଗୀର ଶୁଶ୍ରୁଷା, ଦୁର୍ଭିକ୍ଷ ପୀଡିତକୁ ଅନ୍ନଦାନ, ଆକୁଳର ସହାୟତା ପ୍ରଭୃତିରେ ଲୋକସେବାରେ ପଥ ଉନୁକ୍ତ ରହିଅଛି ।  ଛାତ୍ରମାନଙ୍କୁ ଏହି ସବୁର ଉତ୍ସାହ ଓ ପ୍ରଶ୍ରୟ ଦେଲେ ସେମାନେ ଜୀବନର ତତ୍ତ୍ୱ କାର୍ଯ୍ୟରେ ଅନୁଭବରେ ଶିଖିବାର ସୁବିଧା ପାଇବେ ଏବଂ ଏଥିରେ ସେମାନଙ୍କର ନୈତିକ ଜୀବନର ପ୍ରକୃତ ବିଶ୍ୱାସ ଓ ସ୍ୱାଭାବିକ ଉନ୍ନତି ସାଧିତ ହେବ । ସ୍କୁଲ କଲେଜରେ ନୀତି ଶିକ୍ଷା ଦେବାକୁ ହେଲେ କର୍ତ୍ତୁପକ୍ଷଙ୍କର ଯଥାସମ୍ଭବ ଏହି ପନ୍ଥା ଅବଲମ୍ୱନ କରିବା ନିତାନ୍ତ ଆବଶ୍ୟକ ।

(ସତ୍ୟବାଦୀପ୍ରଥମ ଖଣ୍ଡ ୬ଷ୍ଠ ସଂଖ୍ୟା, ୧୯୧୫ଜୁନ)

Wednesday, January 17, 2018

ପିଲାଙ୍କ ପାଇଁ ପହେଳି - ୫


ସଙ୍ଗ୍ରାହକ - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଉପନିବେଶରେ ଆଖୁ ଅମଳ (ଉନବିଂଶ ଶତାବ୍ଦୀର ଲିଥୋଗ୍ରାଫ: ଚିତ୍ରକର ଥିଓଡର ବ୍ରେ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପହେଳି - ଅଇଲା ଲୋ ମା ଟକଳି
ଦିଅଁକୁ ଖାଇଲା, ଦେବତା ଖାଇଲା
ଆହୁରି ଖାଇବ ଖଟୁଲି ।

ଉତ୍ତର -ଅଗ୍ନି 

ପହେଳି - ଅଗରେ ଖସଖସ 
ମୂଳରେ ମହୁ
ଯେ ନ କହି ପାରିବ 
ସେ ମୋଚିର ବୋହୁ

ଉତ୍ତର - ଆଖୁ 

ପହେଳି - ଅଜୀବ ଧରିଛି ଜୀବକୁ
ଜୀବ ବାଡ଼େଇ ହେଉଛି ଯିବାକୁ

ଉତ୍ତର - ଜାଲରେ ମାଛ

ଉତ୍ସ - ଶ୍ରୀ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଦ୍ୱାରା ସମ୍ପାଦିତ ଓ ଓ ସଙ୍କଳିତ 'ଓଡ଼ିଆ ଶିଶୁ-କିଶୋର ଢଗଢ଼ମାଳି' । ବହିଟିର ପ୍ରଥମ ପ୍ରକାଶ ୨୦୧୭ ମସିହାରେ । ପ୍ରକାଶକ ହେଲେ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ ସାହିତ୍ୟ ଅକାଦେମି ।

ବି.ଦ୍ର. - ଏଠାରେ ଦିଆଯାଇଥିବା ପହେଳି, ଯାହାର ଉତ୍ତର ଆଖୁ, ସେଥ‌ିରେ ଆମର ପାରମ୍ପରିକ ସମାଜ ବ୍ୟବସ୍ଥାରେ ଦଳିତଙ୍କ ପ୍ରତି ଥିବା ବିଦ୍ୱେଷ ଅନୁମେୟ ।

Monday, January 15, 2018

ସୌରଜଗତ -  ପୃଥିବୀ ଓ ଚନ୍ଦ୍ର


ଅନୁବାଦ - ବିଶ୍ୱଜିତ ଆପଟ


ଆପୋଲୋ ୧୭ରୁ ୧୯୭୨ ମସିହାରେ ନିଆଯାଇଥିବା ପୃଥିବୀର ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୃଥିବୀ


ବୁଧ ଓ ଶୁକ୍ର ପରେ ପୃଥିବୀର ତୃତୀୟ ନିକଟତମ ଗ୍ରହ ହେଉଛି ପୃଥିବୀ । ଆକାର ହିସାବରେ ପୃଥିବୀ ସୌରଜଗତର ପଞ୍ଚମ ବୃହତ୍ତମ ଗ୍ରହ ଅଟେ । ଦୁଇ ମେରୁ ନିକଟରେ ଏହା ସାମାନ୍ୟ ଚେପଟା । ସେଥିପାଇଁ ପୃଥିବୀର ଆକୃତିକୁ ପୃଥ୍ୱୀରୂପ ବା ଭୂଆକୃତିକୀ ଶବ୍ଦ ଦ୍ୱାରା ବର୍ଣ୍ଣନା କରାଯାଏ ଯାହାର ଅର୍ଥ ହେଉଛି “ପୃଥିବୀ ପରି ଆକୃତି” 

ଉପଗ୍ରହ ହେଉଛି ଏକ ମହାଜାଗତିକ ପିଣ୍ଡ ଯାହା ଗ୍ରହ ଚାରିପଟେ ବୁଲିଥାଏଠିକ ଯେମିତି ଗ୍ରହମାନେ ସୂର୍ଯ୍ୟ ଚାରିପଟେ ବୁଲିଥାଆନ୍ତି ।
ମନୁଷ୍ୟ-କୃତ ଉପଗ୍ରହଗୁଡିକ କୃତ୍ରିମ ବସ୍ତୁ ଅଟନ୍ତି । ବିଶ୍ୱବ୍ରହ୍ମାଣ୍ଡ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ବା ଦୂର ସଞ୍ଚାର ପାଇଁ ବୈଜ୍ଞାନିକମାନେ ସେଗୁଡିକୁ ପ୍ରସ୍ତୁତ କରିଥାଆନ୍ତି । କୃତ୍ରିମ ଉପଗ୍ରହକୁ ରକେଟ୍ ବୋହିନିଏ ଓ ପୃଥିବୀର ଚାରିପଟେ ବୁଲିବା ପାଇଁ ଏକ କକ୍ଷରେ ଏହାକୁ ସ୍ଥାନିତ କରାଯାଏ ।

ଇନ୍‌ସାଟ୍, ଆଇ.ଆର୍‌.ଏସ୍. ଏଡୁସାଟ୍ ଇତ୍ୟାଦି ମହାକାଶରେ ଥିବା ଭାରତୀୟ ଉପଗ୍ରହ ଅଟନ୍ତି ।

ଜୀବନ ପାଇଁ ଅନୁକୂଳ ପରିସ୍ଥିତି ସମ୍ଭବତଃ ପୃଥିବୀରେ ହିଁ ରହିଛି । ପୃଥିବୀ ଖୁବ୍ ଗରମ ନୁହେଁ ଓ ଖୁବ୍ ଥଣ୍ଡା ମଧ୍ୟ ନୁହେଁ । ପୃଥିବୀରେ ରହିଛି ଜଳ ଓ ବାୟୁ ଯାହା ଆମ ଜୀବନ ପାଇଁ ନିତାନ୍ତ ଆବଶ୍ୟକ । ବାୟୁରେ ରହିଛି ଅମ୍ଳଜାନ ପରି ଗ୍ୟାସ ଯାହା ଜୀବନ ପାଇଁ ସହାୟକ ଅଟେ । ଏହି ସବୁ କାରଣ ଯୋଗୁଁ ପୃଥିବୀ ସୌରଜଗତର ଏକ ଅଦ୍ୱିତୀୟ ଗ୍ରହ ଅଟେ ।

ପୃଥିବୀ ପୃଷ୍ଠର ଦୁଇ-ତୃତୀୟାଂଶ ଜଳରେ ଆଚ୍ଛାଦିତ ଥିବାରୁ ମହାକାଶରୁ ପୃଥିବୀ ନୀଳ ଦିଶେ । ଏଣୁ ଏହାକୁ ନୀଳ ଗ୍ରହ ବୋଲି ମଧ୍ୟ କୁହାଯାଏ ।

ଚନ୍ଦ୍ର


ପୃଥିବୀର କେବଳ ଗୋଟିଏ ଉପଗ୍ରହ ଅଛି ଯାହାର ନାମ ହେଉଛି ଚନ୍ଦ୍ର । ଏହାର ବ୍ୟାସ ପୃଥିବୀର ବ୍ୟାସର ମାତ୍ର ଏକ-ଚତୁର୍ଥାଂଶ ଅଟେ । ତଥାପି ଏହା ଆମକୁ ଖୁବ୍ ବଡ ଦିଶେ କାରଣ ଅନ୍ୟ ସବୁ ମହାଜାଗତିକ ପିଣ୍ଡମାନଙ୍କ ତୁଳନାରେ ଚନ୍ଦ୍ର ପୃଥିବାର ଖୁବ୍ ନିକଟରେ ରହିଛି । ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ବ୍ୟବଧାନ ପ୍ରାୟ ୩,୮୪,୪୦୦ କିଲୋମିଟର । ବର୍ତ୍ତମାନ ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ଥିବା ଏହି ବ୍ୟବଧାନକୁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ବ୍ୟବଧାନ ସହ ତୁଳନା କରି ଦେଖ ।

ପୃଥିବୀ ଚାରିପାଖରେ ବୁଲି ଆସିବା ପାଇଁ ଚନ୍ଦ୍ର ପ୍ରାୟ ୨୭ ଦିନ ସମୟ ନିଏ । ନିଜ ଅକ୍ଷ ଚାରିପଟେ ବୁଲିବା ପାଇଁ ମଧ୍ୟ ଚନ୍ଦ୍ର ଠିକ୍ ସେତିକି ସମୟ ନିଏ । ଏହାର ଫଳସ୍ୱରୂପ ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ହିଁ ପୃଥିବୀରୁ ଦୃଶ୍ୟମାନ ହୋଇଥାଏ ।

ଜୀବନ ପାଇଁ ଅନୁକୂଳ ପରିସ୍ଥିତି ଚନ୍ଦ୍ର ପୃଷ୍ଠରେ ନାହିଁ । ସେଠାରେ ନା ପବନ ଅଛି ନା ପାଣି । ଚନ୍ଦ୍ର ପୃଷ୍ଠ କେବଳ ପର୍ବତସମତଳ ଭୂମି ଓ ଗହ୍ୱର ଇତ୍ୟାଦିକୁ ନେଇ ଗଠିତ । ଏସବୁର ଛାଇ ଚନ୍ଦ୍ର ପୃଷ୍ଠରେ ପଡେ । ତୁମେ ପୂର୍ଣ୍ଣ ଚନ୍ଦ୍ରକୁ ଦେଖ ଓ ଏହି ଛାଇଗୁଡିକୁ ନିରୀକ୍ଷଣ କର ।

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ ।

Saturday, January 13, 2018

ମିଠାର ଉଦ୍ଭାବନ: ଡିଜର୍ଟ୍‌ର ଏକ ଇତିହାସ

ମାଇକେଲ୍ କ୍ରୋନ୍ଦଲ୍

ଅନୁବାଦ ଓ ଟୀକା - ଜ୍ୟୋତି ନନ୍ଦ


ଭୁବନେଶ୍ୱରର ରସଗୋଲା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭାରତରେ ଖାଇସାରିଲା ପରେ ସାଧାରଣତଃ ଯେଉଁ ମିଠା ବା ଡିଜର୍ଟ୍ ଖିଆ ଯାଇଥାଏ, ତାହାର ପ୍ରେକ୍ଷାପଟଟିକୁ ବୁଝିବା ପାଇଁ ଆମେ ଇତିହାସ ଦୃଷ୍ଟିରୁ ତାହାକୁ ତିନୋଟି ଯୁଗରେ ବିଭକ୍ତ କରିପାରିବା । ପ୍ରଥମଟି ହେଉଛି ଖ୍ରୀପୂ ୧୦୦୦ ରୁ ଖ୍ରୀଅ ୧୦୦୦ର ଏକ ଯୁଗ, ଯେଉଁ ସମୟରେ ଭାରତରେ ହିନ୍ଦୁ ଧର୍ମର ବିକାଶ ଓ ଏକତ୍ରିକରଣ ହେବା ସହିତ ଖାଦ୍ୟକୁ କେନ୍ଦ୍ରକରି ଅନେକ ଗୁଡିଏ ବିଧି ଓ ତାହା ସହିତ ନିଷେଧର ଆଚରଣ ରୀତି ପ୍ରଚଳିତ ହୋଇଥିଲା । ଏହି ଯୁଗଟି ହେଉଛି ଦୁଗ୍ଧଜାତ ମିଠାର ଯୁଗ ଯେଉଁ ସମୟରେ ଆଖୁଚାଷ ଓ ଦୁଗ୍ଧକୁ ସଂରକ୍ଷଣ କରି ରଖିବାର ପ୍ରକ୍ରିୟା ବି ଏକାସାଙ୍ଗରେ ବିକଶିତ ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟଟି ହେଉଛି ତାହାର ପରବର୍ତ୍ତୀ ଆଠ ଶହ ବର୍ଷର ସମୟକାଳ, ଅର୍ଥାତ୍ ଖ୍ରୀଅ ୧୮୦୦ ଯାଏଁ । ଏହି ସମୟରେ ବିଶେଷ କରି ମଧ୍ୟପ୍ରାଚ୍ୟର ଚଳଣୀର ଡିଜର୍ଟ୍ ବା ଖାଇସାରିବା ପରର ମିଠା କେନ୍ଦ୍ର ଏସିଆରୁ ମୁସଲମାନ ଆକ୍ରମଣକାରୀମାନଙ୍କ ସହ ଆସି ଭାରତରେ ପହଞ୍ଚିଥିଲା । ଏହା ମୂଖ୍ୟତଃ ମଇଦା-ଭିତ୍ତିକ ଡିଜର୍ଟ ଥିଲା । ଏହି ମଇଦାଜାତ ମିଠା ଆଗରୁ ଭାରତରେ ପ୍ରଚଳିତ ଦୁଗ୍ଧଜାତ ମିଠା ତୁଳନାରେ ପ୍ରଥମରୁ ସେମିତି ଧାର୍ମିକ ମାନ୍ୟତା ପାଇନଥିଲା । କ୍ରମଶଃ ଏହି ମଇଦାଜାତ ମିଠା ଭାରତୀୟ ସମାଜର ନିମ୍ନ ବର୍ଗ ଦ୍ୱାରା ଆଦୃତ ହେବାରେ ଲାଗିଲା ଏବଂ ତାହା ଅନ୍ୟାନ୍ୟ ବର୍ଗ ବିଶେଷ ଦ୍ୱାରା ଗ୍ରହଣୀୟ ହୋଇ ଧାର୍ମିକ ସ୍ୱୀକୃତି ବି ପାଇବାକୁ ଆରମ୍ଭ କଲା ।

ତୃତୀୟ ମିଠାଯୁଗଟି ବ୍ରିଟିଶମାନଙ୍କ ସହ ଭାରତକୁ ଆଗମନ କରିଥିଲା । ବ୍ରିଟିଶମାନେ ରାଜନୀତିଠାରୁ ସାମାଜିକ ଜୀବନ ପର୍ଯ୍ୟନ୍ତ ଧର୍ମନିରପେକ୍ଷ ନୀତି ଅନୁସରଣ କରୁଥିଲେ । ଯଦିଓ ଔପନିବେଶିକ ଶାସନ ଦକ୍ଷିଣ ଏସିଆକୁ ବହୁମାତ୍ରାରେ ରୂପାନ୍ତରିତ କରିଦେଇଥିଲା, ତଥାପି ଡିଜର୍ଟ୍ ବା ମିଠାକୁ ନେଇ ସେମାନଙ୍କ ଭୂମିକା ଥିଲା ଅପ୍ରତ୍ୟକ୍ଷ । ବିଶେଷ କରି ବ୍ରିଟିଶରାଜ ଫଳରେ ଯେଉଁ ନୂତନ ସହରର ଅଭ୍ୟୁଦୟ ଘଟିଥିଲା, ତାହା ସହିତ ମଧ୍ୟ ଗୋଟିଏ ନୂତନ ଅଭିଜାତ ଭାରତୀୟ ବର୍ଗର ଉଦ୍ଭବ ହୋଇଥିଲା । ଏହି ନୂତନ ଅଭିଜାତ ଭାରତୀୟ ବର୍ଗ ଭାରତୀୟ ମିଠା ପ୍ରସ୍ତୁତକାରୀଙ୍କୁ ନୂଆନୂଆ ପ୍ରକାରର ମିଠା ପ୍ରସ୍ତୁତ କରିବା ପାଇଁ ପ୍ରରୋଚିତ କରୁଥିଲେ । ଏଇ ନୂତନ ଭାରତୀୟ ଅଭିଜାତ ବର୍ଗଟି ସେମାନଙ୍କର ଚାଲିଚଳଣରେ ବ୍ରିଟିଶମାନଙ୍କର ଅନୁକରଣ କରୁଥିଲେ । ଏହା ବ୍ୟତୀତ ନିଜର ସ୍ୱାତନ୍ତ୍ର୍ୟ ପାଇଁ ନିଜର ଖାଦ୍ୟରେ ବିଭିନ୍ନ ପ୍ରୟୋଗ କରିବାକୁ ଆଗ୍ରହୀ ରହୁଥିଲେ ।

ସାଧାରଣତଃ ଖାଦ୍ୟରେ ମୂଖ୍ୟ କୋର୍ସ ଅପେକ୍ଷା ପ୍ରାତଃଭୋଜନ ଓ ଡିଜର୍ଟ ବା ଶେଷ ମିଠାଖାଦ୍ୟରେ ଅଧିକ ପରୀକ୍ଷାନିରୀକ୍ଷା କରାଯାଇଥାଏ । ତାହା ବ୍ୟତୀତ ମିଠା ସହିତ ଭାରତରେ ଜଣକର ବ୍ୟକ୍ତିଗତ ପକ୍ଷ ସହିତ ସାମାଜିକ ପକ୍ଷଟି ଜଡିତ ଥିବା ହେତୁ ସେଇ ନୂତନ ଅଭିଜାତ ବର୍ଗ ମିଠାପ୍ରସ୍ତୁତକର୍ତ୍ତା ମାନଙ୍କୁ ନୂଆ ନୂଆ ପ୍ରକାରର ମିଠା ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କରୁଥିଲେ । ବିଶେଷ କରି ବ୍ରିଟିଶ ଔପନିବେଶିକ ରାଜଧାନୀ କଲିକତାରେ ମିଠା କ୍ଷେତ୍ରରେ ଏହି ପରୀକ୍ଷାଧର୍ମୀ ପ୍ରୟୋଗ ଅବ୍ୟାହତ ରହିଥିଲା । ପରେ ଏଠାରୁ ଏହା ଧାର୍ମିକ କ୍ଷେତ୍ରକୁ ପ୍ରସାରିତ ହୋଇଥିଲା ।

ଭାରତରେ ମିଠାର ଆଦ୍ୟଯୁଗଟି ବୈଦିକ ଆର୍ଯ୍ୟମାନଙ୍କର ଯୁଗ, ଯେଉଁ ସମୟରେ ଗାଈ ଓ ଗାଈର ପରିପ୍ରେକ୍ଷୀରେ ଦୁଗ୍ଧକୁ ପବିତ୍ର ବୋଲି ମନେ କରାଯାଉଥିଲା । ଆର୍ଯ୍ୟ ବୋଲି ଯେଉଁ ଇଣ୍ଡୋ-ଇଉରୋପୀୟ ଦଳଟି ସୈନ୍ଧବ-ଗାଙ୍ଗେୟ ଅବବାହିକାର ଉର୍ବରାଞ୍ଚଳରେ ଖ୍ରୀପୂ ଦ୍ୱିତୀୟ ସହସ୍ରାବ୍ଦୀ ବେଳକୁ ବସତି ସ୍ଥାପନ କରିଥିଲେ । ସେମାନେ ବୂତ୍ତିରେ ଅର୍ଦ୍ଧ-ପଶୁପାଳକ ଥିଲେ, ଯେଉଁମାନଙ୍କର ସମ୍ପତ୍ତିର ପରିମାପ କରାଯାଉଥିଲା ସେମାନଙ୍କର ଗୋମେଷାଦି ପଶୁ ସମ୍ପଦରେ । ସେମାନଙ୍କର ଭିତରେ ଗୋହତ୍ୟାର ପ୍ରତିରୋଧଟି ସୃଷ୍ଟି ହେବାର କାରଣ ହିସାବରେ କୃଷିକର୍ମରେ, ଦୁଗ୍ଧ ଉତ୍ପାଦନରେ ତଥା ଗୋବର ଆଦିକୁ ଜାଳେଣି ଆକାରରେ ବ୍ୟବହାର କରିବାରେ ଗାଈର ପ୍ରୟୋଜନୀୟତାକୁ ସେମାନେ ଗୋମାଂସ ଅପେକ୍ଷା ଅଧିକ ବୋଲି ବିଚାର କରୁଥିଲେ ।

ଯଜ୍ଞାନୁଷ୍ଠାନ ଆଦି ବୈଦିକ ଅନୁଷ୍ଠାନରେ ପଶୁବଳି ଦିଆଯାଉଥିଲା । ପଶୁ ବଳିଯୋଗ୍ୟ ଦୃଷ୍ଟିରୁ ପବିତ୍ର ବୋଲି ବୈଦିକ ଧାରଣାରୁ ହୁଏତ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ପବିତ୍ର । ତେଣୁ ଦେବତାମାନଙ୍କର ଆହାର୍ଯ୍ୟ ଦୁଗ୍ଧ, ଦହି ଓ ଲହୁଣି ଆର୍ଯ୍ୟମାନଙ୍କର ଖାଦ୍ୟ ତାଲିକାରେ ଅନୁକରଣ କରାଯାଇ ପ୍ରିୟତର ହୋଇ ରହୁଥିଲା । ଆର୍ଯ୍ୟମାନଙ୍କର ଖାଦ୍ୟ ଚଳଣୀରେ ମାଂସାହାରକୁ କିଛି ପରିମାଣରେ ନିଷେଧ କରାଯିବାର ନିର୍ଦ୍ଦିଷ୍ଟ କାରଣଟି ଉପସ୍ଥାପନ କରାଯାଇ ପାରିବ ନାହିଁ । କିନ୍ତୁ ନିଷିଦ୍ଧ ମାଂସାହାର ଯୋଗୁ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ଗୁରୁତ୍ୱ କ୍ରମଶଃ ବଢିବାରେ ଲାଗିଲା । ହିନ୍ଦୁଧର୍ମର ବହୁବିଧ ଆଙ୍ଗିକଯୋଗୁ ଭାରତୀୟ ଆତ୍ମାରେ ଏହାର ନିରଙ୍କୁଶ ପ୍ରଭାବ ନ ରହିବା ସ୍ୱାଭାବିକ ।ଖ୍ରୀପୂ ପଞ୍ଚମ ଶତାବ୍ଦୀରେ ଗୌତମ ବୁଦ୍ଧ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ବୌଦ୍ଧମାନେ ନିରାମିଷାଶୀ ଥିଲେ ଏବଂ ସେମାନଙ୍କର ଏହି ପ୍ରଭାବ ଖ୍ରୀପୂ ୨୦୦ ଯାଏଁ ଅଶୋକ ଆଦି ପ୍ରସିଦ୍ଧ ନରପତିଙ୍କ ଜୀବହତ୍ୟା ନିଷେଧ ନୀତି ଯୋଗୁ ହିନ୍ଦୁ ଧର୍ମରେ ଅନୁସୃତ ହେବାକୁ ଲାଗିଲା । ତେଣୁ ସେଇ ସମୟରେ ଭାରତୀୟ ଖାଦ୍ୟରେ ତୃଣଭାଗ ସହିତ ଦୁଗ୍ଧ ଭାଗ ଅଧିକ ରହୁଥିଲା । କହିବାକୁ ଗଲେ, ସେ ସମୟର ଭାରତର ସମତଳ ଅଞ୍ଚଳରେ ନିରାମିଷ ପ୍ରାଧାନ୍ୟ ଲାଭ କରିଥିଲା ବେଳେ ବନାଞ୍ଚଳର କ୍ଷୁଦ୍ର ରାଜ୍ୟଗୁଡିକରେ ଶିକାର ଓ ଶିକାରଜନିତ ଉପଲବ୍ଧ ମାଂସ ପ୍ରମୁଖ ଖାଦ୍ୟ ହିସାବରେ ରହୁଥିଲା । ତେଣୁ ସେ ସମୟରେ ଭାରତ ରାଜନୈତିକ ଦୃଷ୍ଟିକୋଣରୁ ସମତଳ ଅଞ୍ଚଳରେ ରାଜତନ୍ତ୍ର ଓ ବନାଞ୍ଚଳରେ ସାଧାରଣତନ୍ତ୍ର ବୋଲି ଦୁଇଟି ନିର୍ଦ୍ଦିଷ୍ଟ ପରସ୍ପର ବିଦ୍ୱେଷୀ ଏକକରେ ପରିଣତ ହୋଇଥିଲେ, ଯେଉଁଠି ପ୍ରଚଳିତ ଖାଦ୍ୟାଭାସକୁ ନେଇ ବିଭେଦ ଥିଲା । ଗୋଟିଏ ଶାକାହାରୀ ଓ ଅନ୍ୟଟି ମାଂସାହାରୀ ।

ଏହି ପ୍ରସଙ୍ଗରେ ଜୈନମାନଙ୍କର କହିବାକୁ ଗଲେ ଖାଦ୍ୟବିଚାରକୁ ନେଇ ଅନ୍ୟ ଧର୍ମ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ଭୂମିକା ରହିଥିଲା । ଜୈନ ଧର୍ମରେ କେବଳ ସମସ୍ତ ପ୍ରକାର ମାଂସାହାରକୁ ନିଷେଧ କରାଯାଇଥିଲା, ସେକଥା ନୁହଁ । ଅନେକ ଗୁଡିଏ ଫଳ ଓ ପରିବାକୁ, ଯେହେତୁ ସେଗୁଡିକ ବିଶେଷ ପ୍ରକାରର ଜୀବନର କାରକ, ସେ ଦୃଷ୍ଟିରୁ ତାହାକୁ ଗ୍ରହଣ କରିବାକୁ ବାରଣ କରାଯାଇଥିଲା ।ସମସ୍ତ ଖାଦ୍ୟ ଯାହା ପଚିବା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ (ଫର୍ମେଣ୍ଟେଡ୍) ତାହା ନିଷେଧ । ଏପରିକି ଜୈନମାନଙ୍କ ପାଇଁ ମହୁକୁ ବାରଣ କରାଯାଇଛି, କାରଣ ଏହି ପ୍ରକ୍ରିୟାରେ ମହୁମାଛିମାନଙ୍କର କ୍ଷତି ହେଉଥିବାରୁ ଜୈନମାନଙ୍କର ଏହା ବର୍ଜନୀୟ ।

ଏଇ ସବୁକୁ ବିଚାରକୁ ନେଲେ ଜୈନମାନଙ୍କର ଖାଦ୍ୟରେ ସମ୍ପୂର୍ଣ୍ଣ ଆନନ୍ଦ ଭାଗଟି ରହୁଥିଲା କେବଳ ଖାଇ ସାରିବା ପରର ଖାଇବା ମିଠା ବା ଡିଜର୍ଟ୍‌ରେ । ତେଣୁ ଜୈନ ସାହିତ୍ୟରେ ମିଠା ଜାତୀୟ ଖାଦ୍ୟର ବହୁଳ ଉଲ୍ଲେଖ ରହିଛି । ସର୍ବ ପ୍ରଥମ ଉଲ୍ଲେଖ ଟି ହେଉଛି ପାୟସ୍ ବା ଚାଉଳରୁ ପ୍ରସ୍ତୁତ ପୁଡିଂ, ଯାହା ଖ୍ରୀପୂ ୪୦୦ର ଗୋଟିଏ ଜୈନ-ବୌଦ୍ଧ ପୁସ୍ତକରେ ସୂଚିତ ହୋଇଛି । ଭାରତୀୟମାନଙ୍କର ପ୍ରିୟ ଜଲେବି ଯାହାକୁ ସାଧାରଣତଃ ପାରସ୍ୟ ଦେଶରୁ ଆସିଛି ବୋଲି ବିଚାର କରାଯାଏ (ପର୍ସିଆନ୍ ଶବ୍ଦ ଜଲିବିୟା ରୁ ଜଲେବି ଶବ୍ଦର ସୃଷ୍ଟି ହୋଇଛି ବୋଲି କୁହାଯାଏ।) କିନ୍ତୁ ତାହାର ଉଲ୍ଲେଖ ଭାରତରେ ଜଣେ ଜୈନ ଲେଖକ ଖ୍ରୀଅ୧୪୫୦ ରେ କରିଛନ୍ତି । ବିଶେଷ କରି ଭାରତର ପଶ୍ଚିମାଞ୍ଚଳ, ଯଥା ଗୁଜୁରାଟ ରାଜ୍ୟ ଏବଂ ଦକ୍ଷିଣାଞ୍ଚଳର ଯଥା କର୍ଣ୍ଣାଟକ, ରାଜ୍ୟର ପ୍ରାଚୀନ ଖାଦ୍ୟାଭ୍ୟାସର ବିବରଣୀ ଜୈନ ଗ୍ରନ୍ଥମାନଙ୍କରୁ ମିଳିଥାଏ । ସମସ୍ତ ପ୍ରକାର ଜୈନ ଡିଜର୍ଟ୍ ଦୁଗ୍ଧ-ଭିତ୍ତିକ ନୁହଁ, କିନ୍ତୁ ଅଧିକାଂଶ ଦୁଗ୍ଧଜାତ ।


ମହୁଛତା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭାରତର ଜଳବାୟୁ ଏମିତିରେ ଦେଖିଲେ ଦୁଗ୍ଧକୁ ଅନେକ ସମୟ ଧରି ସତେଜ ରଖିବାକୁ ସକ୍ଷମ ନୁହଁ । ତେଣୁ ବ୍ୟବହାର କରିବା ପୂର୍ବରୁ ଦୁଗ୍ଧକୁ ପ୍ରକ୍ରିୟାକରଣ କରାଯାଇଥାଏ । ତେଣୁ ଗରମ କରାଯାଇଥିବା ଦୁଗ୍ଧ ପରେ ଦହି ଆସେ । ଦହିର ବ୍ୟବହାର ବୈଦିକ ଯୁଗଠାରୁ ଭାରତରେ ହୋଇଆସୁଅଛି । ପବିତ୍ର ହିନ୍ଦୁ ଧର୍ମଗ୍ରନ୍ଥମାନଙ୍କରେ ଘିଅର ବ୍ୟବହାରର କଥା ଉଲ୍ଲେଖ ଅଛି ।

ପର-ବୈଦିକ ଯୁଗରେ ଯାଯାବର ଆର୍ଯ୍ୟମାନଙ୍କର ସିନ୍ଧୁ ନଦୀର ଉର୍ବର ଅବବାହିକାରେ ସ୍ଥାୟୀ ଭାବରେ ବସତି ସ୍ଥାପନ ସମୟରେ ପଶୁପାଳନରୁ କୃଷିକର୍ମର ଯେଉଁ ବୃତ୍ତିଗତ ପରିବର୍ତ୍ତନଟି ଘଟିଥିଲା, ସେହି ସମୟର ଧର୍ମାଚାର ତଥା ଯଜ୍ଞାନୁଷ୍ଠାନରେ ପ୍ରାଥମିକ ଆବଶ୍ୟକତା ଥିଲା ଘୃତ । ମହାଭାରତରେ ଦେବତା ଓ ଅସୁରଙ୍କ ଭିତରେ ଯେଉଁ ସମୁଦ୍ର ମନ୍ଥନ କ୍ରିୟା ଚାଲିଥିଲା, ଆଉ ସେଥିରୁ ଉଦ୍ଭବ ଅମୃତକୁ ଅନେକେ ଏକ ପ୍ରକାରର ଘୃତ ବୋଲି ବିଚାର କରିଥାଆନ୍ତି । ଦୁଗ୍ଧର ମନ୍ଥନକ୍ରିୟା ପରେ ଘୃତ ବାହାରିଥାଏ, ଆଉ ଏହା ପବିତ୍ରବସ୍ତୁର ଶ୍ରେଷ୍ଠତ୍ତମ ଖାଦ୍ୟରୂପ ବୋଲି ବିଚାର କରାଯାଉଥିବାରୁ ଏହାକୁ ଅମୃତକଳ୍ପ ବୋଲି ମନେକରାଯାଏ ।

ଦୁଗ୍ଧ ଓ ତାହାର ସଂରକ୍ଷଣର ପ୍ରକ୍ରିୟାକରଣରେ ସବୁଠାରୁ ରହସ୍ୟପୂର୍ଣ୍ଣ କଥାଟି ହେଉଛି ଲୁଣକୁ ଗୋଟିଏ ସଂରକ୍ଷଣକ୍ଷମ ପଦାର୍ଥ ବା ପ୍ରିଜରଭେଟିଭ୍ ଆକାରରେ ବ୍ୟବହାର କରାନଯିବା । ଯଦିଓ ନିକଟବର୍ତ୍ତୀ ଆଫଗାନିସ୍ଥାନଠାରୁ ଆରମ୍ଭକରି ଅନ୍ୟତ୍ର ଲୁଣର ଏଇଭଳି ବ୍ୟବହାର ଦେଖାଯାଉଥିଲା । କିନ୍ତୁ ସିନ୍ଧୁ ଅବବାହିକାରେ ଏହାର ଦୁଗ୍ଧରେ ମିଶାଇବାର ପ୍ରଚଳନ ନଥିଲା । ଲୁଣ କ’ଣ ଏଇ ଅଞ୍ଚଳରେ ଏତେ ଅମିଳକ ଥିଲା ? ବା ଗୁଡ ଜାତୀୟ ପଦାର୍ଥ ଏତେ ସହଜଲଭ୍ୟ ଥିଲା ?

ଜନ୍ମ ପରଠାରୁ ମିଠା ପ୍ରତି ଆସକ୍ତି ମଣିଷର ଏକ ସହଜାତ ପ୍ରବୃତ୍ତି, ତେଣୁ ପ୍ରଥମରେ ହୁଏତ ଦହିକୁ ମିଠା କରିବାର ଚିନ୍ତା ଆସିଥାଇପାରେ । ଦୁଗ୍ଧର ଏକ ସହଜାତ ସ୍ୱାଦ ଥିବାରୁ ଦହିକୁ ସ୍ୱାଦିଷ୍ଟ କରିବାର ଆବଶ୍ୟକତା ଆର୍ଯ୍ୟମାନେ ଅନୁଭବ କରିଥିବେ । ପ୍ରଥମରେ ଦହିକୁ ମହୁ ଦ୍ୱାରା ଓ ପରେ ଆଖୁରସରୁ ପ୍ରସ୍ତୁତ ଗୁଡ ଦ୍ୱାରା ମିଠା କରାଯାଉଥିଲା । ବୈଦିକ ଯୁଗରେ ଦେବତାମାନଙ୍କୁ ଦହି, ଘିଅ ଓ ମହୁର ଏକ ମିଶ୍ରଣ ଦେବତାମାନଙ୍କୁ ଅର୍ପଣ କରାଯାଉଥିଲା, ଯାହାକୁ ମଧୁପର୍କ ବୋଲି ବେଦରେ ଉଲ୍ଲେଖ କରାଯାଇଛି । ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ମହୁର ବାରମ୍ବାର ଉଲ୍ଲେଖ ରହିବା ଓ ଗୁଡର ସୂଚନା ନ ଥିବା କାରଣରୁ ଗୁଡଟି ସାମାନ୍ୟ ପରବର୍ତ୍ତୀ ମିଷ୍ଟରୂପର ସଞ୍ଜୋଜନ ବୋଲି ଅନୁମାନ କରାଯାଇ ପାରେ । ତେଣୁ ମଧୁପର୍କର ପରବର୍ତ୍ତୀ ବିବର୍ତ୍ତନଟି ଦୁଗ୍ଧ, ଦହି, ଘିଅ, ମହୁ ଓ ଗୁଡର ମିଶ୍ରିତ ରୂପ ତଥା ପଞ୍ଚାମୃତ ବୋଲି ଭାରତୀୟ ଦେବତାମାନଙ୍କର ଆରାଧନାର ପ୍ରାଥମିକ ଉପଚାର ହିସାବରେ ବ୍ୟବହୃତ ହେଲା ।

ବୈଦିକ ଗ୍ରନ୍ଥରେ ଗୁଡର ଉଲ୍ଲେଖ ନାହିଁ, ମହୁ ସେଠାରେ ଏକମାତ୍ର ମିଷ୍ଟକାରକ ହୋଇଥିଲେ ହେଁ ମହାବାସ୍ତୁ କିନ୍ତୁ ଭିନ୍ନ କଥା କହେ । ମହାବାସ୍ତୁ ହେଉଛି ଗୌତମ ବୁଦ୍ଧଙ୍କ ସଂପର୍କିତ ଅନେକ ଗୁଡିଏ ଗପର ସଙ୍କଳନ । ମହାବାସ୍ତୁ ଅନୁସାରେ ଗୌତମ ବୁଦ୍ଧ ସାତ ସପ୍ତାହ ଧରି ଅନଶନ ପରେ ନିରଞ୍ଜନା ନଦୀକୂଳର ମହାବୋଧି ତଳେ ଦିବ୍ୟଜ୍ଞାନ ପ୍ରାପ୍ତ ହେଲା ପରେ ପ୍ରଥମେ ଗୋଟିଏ ପାତ୍ରରେ ଥିବା ଘିଅ ଓ ମହୁକୁ ଗ୍ରହଣ କରିଥିଲେ । ସେଇ ମହାବାସ୍ତୁରେ ଆଖୁଚାଷ ଓ ଗୁଡର ଅନେକ ଉଲ୍ଲେଖ ରହିଛି । ତେଣୁ ସେ ଦୃଷ୍ଟିରୁ ବୁଦ୍ଧଙ୍କ ଦିବ୍ୟଜ୍ଞାନ ପ୍ରାପ୍ତି ସମୟରେ ସାଧାରଣଭାବରେ ଗୁଡର ପ୍ରଚୁର ବ୍ୟବହାର ଥିବା ସତ୍ତ୍ୱେ ବୁଦ୍ଧ ଗୁଡ ଗ୍ରହଣ ନକରିବା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ।

ଏଥିରୁ ପରିଷ୍କାର ଅନୁମାନ କରାଯାଇ ପାରେ ଯେ ଆଖୁଚାଷ ଓ ଆଖୁରସରୁ ଗୁଡ କଥା ସିନ୍ଧୁ ସଭ୍ୟତାର କାଳରୁ ପ୍ରଚଳିତ ଥିଲେ ହେଁ ସର୍ବସାଧାରଣରେ ବ୍ୟବହୃତ ଏଇ ମିଠା ପଦାର୍ଥଟି ଧର୍ମାନୁଷ୍ଠାନରେ ଉପଲବ୍ଧ ମହୁଠାରୁ ଯଥେଷ୍ଠ ନିମ୍ନ ସ୍ଥାନରେ ରହୁଥିଲା । କହିବାକୁ ଗଲେ, ସାଧାରଣଙ୍କର ଗୁଡ ଆଉ ଅଭିଜାତଙ୍କର ମହୁ, ଏଇ ଭଳି ମାନଦଣ୍ଡରେ ଭାରତୀୟ ସମାଜରେ ମିଠାକୁ ନେଇ ଏକ ଖାଦ୍ୟ-ବର୍ଗୀକରଣ ଥିଲା । ପରେ ଦେବତାଙ୍କର ଆରାଧନାରେ ଯେଉଁ ପଞ୍ଚାମୃତର ବ୍ୟବସ୍ଥା ଆସିଲା, ସେଥିରେ ପ୍ରାଥମିକ ପବିତ୍ର ତ୍ରିମୂର୍ତ୍ତି ଦୁଗ୍ଧ, ଦହି ଓ ଘିଅ ପଛକୁ ସମାଜକୁ ସମନ୍ୱୟ କରିବା ପାଇଁ ରହିଲା ମହୁ ଓ ଗୁଡ।ଗୁଡ ହେଉଛି ସମାଜରେ ବହୁ ପ୍ରଚଳିତ ଓ ପଞ୍ଚାମୃତର ସର୍ବଶେଷ ସଞ୍ଜୋଜନ । ପଞ୍ଚାମୃତ ଦେବତାମାନଙ୍କର ସ୍ନାନବିଧିରେ ଲୋଡା ହେବା ସହ ଭାରତୀୟ ମାନଙ୍କର ଏକ ପବିତ୍ର ବସ୍ତୁ । ଭାରତୀୟ ନାରୀମାନେ ଗର୍ଭାଧାନ ସମୟରେ ଶୁଦ୍ଧପୂତ ଭାବରେ ପଞ୍ଚାମୃତ ଗ୍ରହଣ କରିଥାନ୍ତି ।

ବିଶେଷ କରି ଏହି ଉପମହାଦେଶରେ ପ୍ରାଚୀନ ଓ ବ୍ୟାପକ ଆଖୁଚାଷ ଭାରତୀୟମାନଙ୍କ ମିଠା-ଆସକ୍ତିର ପ୍ରାମାଣ୍ୟ ବୃତ୍ତାନ୍ତ । ଅନ୍ୟାନ୍ୟ ଡିଜର୍ଟ୍‌ପ୍ରେମୀ ଖାଦ୍ୟସଂସ୍କୃତିର ଦେଶ ତୁଳନାରେ ଭାରତରେ ପ୍ରାୟ ହଜାରେ ବର୍ଷ ଆଗରୁ ଆଖୁଚାଷ ପ୍ରଚଳିତ ଥିଲା । ସେ ଦୃଷ୍ଟିରୁ ଏଠିକାର ମିଠା ପରମ୍ପରା ଅତ୍ୟନ୍ତ ପ୍ରାଚୀନ ଓ ଏହା ଭାରତୀୟ ମାନଙ୍କର ମାତ୍ରାଧିକ ମିଠାପ୍ରିୟତାକୁ ପ୍ରମାଣ କରେ ।

ସମ୍ପ୍ରତି ଭାରତର ଖାଦ୍ୟବିଶାରଦମାନେ ଭାରତର ସ୍ୱଚ୍ଛଳ ବର୍ଗ ତଥା ନିମ୍ନ ବର୍ଗ ଉଭୟଙ୍କର ଖାଦ୍ୟାଭ୍ୟାସକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥାନ୍ତି । ଉଚ୍ଚବର୍ଗର ସଞ୍ଜମହୀନତା ଓ ନିମ୍ନବର୍ଗର କୁପୋଷଣକୁ ନେଇ ଏହି ଚିନ୍ତା । କିନ୍ତୁ ସେ ପ୍ରସଙ୍ଗରେ ମିଠା ଭାରତୀୟମାନଙ୍କର ପ୍ରିୟ ହେଲେ ବି, ଏହା ସବୁ ସମୟର ଖାଦ୍ୟରେ, ଅର୍ଥାତ୍ ପ୍ରାତଃରାଶ, ମଧ୍ୟାହ୍ନ ଭୋଜନ କି ରାତ୍ରଭୋଜନରେ ନିଶ୍ଚିତ ଭାବରେ ସ୍ଥାନ ପାଏନାହିଁ । ମିଠା ଭାରତୀୟମାନଙ୍କର ଖାଦ୍ୟତାଲିକାରେ ସବୁବେଳେ ସ୍ୱତନ୍ତ୍ର । ଏହା କେବଳ ଯେ ଦେବତାମାନଙ୍କର ଆବାହନ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥାଏ ସେକଥା ନୁହଁ, ଭାରତୀୟ ମାନଙ୍କର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ଏହା ଦ୍ୟୋତକ ।

ମାତ୍ରାଧିକ ମିଠା ପ୍ରବଣତା ହୁଏତ ଏଇ ଭୂଖଣ୍ଡରେ ଅର୍ଥାତ୍ ଭାରତୀୟ ମାନଙ୍କୁ ଅଧିକ ମଧୁମେହ ରୋଗୀ କରିଦେଇଥାଇପାରେ ।

ପଞ୍ଜାବର ଗୁଡ଼ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
[ଖାଦ୍ୟ ନୁହଁ କିନ୍ତୁ ଖାଦ୍ୟ-ଇତିହାସ ପ୍ରତି ମୋର ବିଶେଷ ଆକର୍ଷଣ ରହିଅଛି । କିନ୍ତୁ ଆମର ଶିକ୍ଷାଗତ ବା ପାଠ୍ୟକ୍ରମର ସିଲାବସ୍‌ର ପରିଧି ଭିତରେ ଏହାକୁ ନିଜେ ବା ପିଲାଙ୍କ ସହ ପଢିବା ସମ୍ଭବପର ହୋଇ ନଥିଲା । ଅବସର ପରେ ଆପଣମାନଙ୍କ ସହ ଏହାକୁ ପଢିବାର କିଛି ସୁଯୋଗ ମିଳୁଛି ।

ବିଶିଷ୍ଟ ଖାଦ୍ୟ ଐତିହାସିକ ମାଇକେଲ୍ କ୍ରୋନ୍ଦଲ୍‌ଙ୍କ 'ସ୍ୱିଟ୍ ଇନଭେନସନ୍: ଏ ହିଷ୍ଟୋରୀ ଅଫ୍ ଡିଜର୍ଟ୍' ପୁସ୍ତକର ଆଦ୍ୟ ଅନୁଚ୍ଛେଦର ଏକ ଅଂଶର ଏହା ଅନୁସୃଜନ ।

ଏଥିରେ ଭାରତରେ ମିଠାର ପ୍ରଚଳନର ଆଦ୍ୟ କଥା କୁହାଯାଇଛି । ଯେତେବେଳେ ବନ୍ଧନୀ ଭିତରେ ଅଧିକ କିଛି କଥା କହିବାକୁ ଜମାଟ ବାନ୍ଧେ ପ୍ରକୃତରେ କିଛି କହିହୁଏନାହିଁ ।

ନିକଟରେ ଗୋଟିଏ ମିଠା ଯୁଦ୍ଧର ଗୋଟିଏ ପର୍ବ ସରିଲା । ତାହାକୁ ନେଇ ଆମର ଅଧିକାଂଶଙ୍କ ଭିତରେ କ୍ଷୋଭ, କହିବାକୁ ଗଲେ ଅନେକ ପରିମାଣରେ ଦୁଃଖ ବି, ଯେମିତି ଆମେ ଆଉ ଗୋଟିଏ କଳିଙ୍ଗ ଯୁଦ୍ଧରେ ହାରିଗଲେ ।

ଆମେ ସାଧାରଣ ଲୋକ । ଆମ ଉତ୍ସବରେ ମିଠାଟି ଲୋଡା । ଆମ ଝିଅଟିର ଘରକୁ ପହିଲିପାଳି ଗଲା ବେଳେ ବାପଟିର ହାତରେ ରହିଥିବା ରସଗୋଲା ଠୁଙ୍ଗାଟିର ଆବେଗକୁ ମୁଁ ଦେଖେ । ମୋ ପାଇଁ ରସଗୋଲା କୌଣସି ପାଣ୍ଡବ କୌରବର ସୂଚ୍ୟଗ୍ର ମେଦିନୀ ନୁହଁ, ବରଂ ଭାରତୀୟ ଖାଦ୍ୟ ଇତିହାସର ଏକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଅଧ୍ୟୟନ ।

କିନ୍ତୁ ମୋତେ ଯେଉଁମାନେ ଯୁଦ୍ଧକୁ ଟାଣିଲେ, ମୋ ତରଫରୁ ଯୁଦ୍ଧ କଲେ ଆଉ ମୋତେ ହରାଇବାର ପ୍ରେକ୍ଷାପଟଟିଏ ତିଆରି କଲେ, ସେମାନଙ୍କ ବିଷୟରେ କିଛି କହିବାକୁ ପଡିବ । କାହାକୁ ଆହତ କରିବା ମୋର ଅଭିପ୍ରାୟ ନୁହଁ ।

ଆମେ ଓଡିଶାର ବହୁ ପ୍ରସାରିତ ଖବରକାଗଜରେ ଜଣେ କବି ହୋଇ କୌଣସି ଐତିହାସିକର ଜାତୀୟବାଦୀ ମିତ୍ରଦୃଷ୍ଟି ରହିବା ଉପରେ ଉପଦେଶାବଳୀ ଦେଉ, ଇଉରୋପୀୟ ଆଉ ପ୍ରତିବେଶି ଇତିହାସକାରମାନଙ୍କର ଛଳନା ପ୍ରତାରଣାରେ ଆମର ସ୍ଥାନୀୟତା ଅବଲୁପ୍ତ ହୋଇଯାଇଥିବାରୁ ଆମର ବହିପତ୍ରରୁ ମନମୁତାବକ ନିଷ୍କର୍ଷ ନବ୍ୟପାଠ କରିବାରେ ତିରିଶ ବର୍ଷ ବିତାଇ ଦେଉ । ଏଇ ଦୀର୍ଘ ତିରିଶ ବର୍ଷର ଜୀବନଚିନ୍ତାରେ ଆମେ କେବଳ ଅପର ସହ ଦୋଷ ଖେଳ ବା ବ୍ଲେମ୍ ଗେମ୍ ରେ ମାତି ସ୍ଥାନୀୟତାର ଜୟଗାନ କରି ବିତାଇବାରେ ଆମର ଚିନ୍ତକପଣଟି ପ୍ରତିଷ୍ଠିତ କରିଥାଉ । କିନ୍ତୁ ଏଇ ଚିନ୍ତକପଣଟି ଅନ୍ୟ ପ୍ରତି ବିଦ୍ୱେଷର ପୃଷ୍ଟଭୂମି ଉପରେ ପର୍ଯ୍ୟବେସିତ ହୋଇଥିବାରୁ, ଆମେ ଆମ ରାଜ୍ୟର ସବୁକଥାକୁ ଯେମିତି ଯୁଦ୍ଧ ବୋଲି ଭାବୁଛୁ । ଏହା ନିରପେକ୍ଷ ଅଧ୍ୟୟନର ପରିସରରେ ରହୁନାହିଁ ।

କହିବା କଥା ହେଉଛି, ପଞ୍ଚତନ୍ତ୍ରର କଥାକାର ବିଷ୍ଣୁଶର୍ମା ଓଡିଶାର ବୋଲି ପ୍ରଖ୍ୟାତ ପ୍ରଫେସର୍ ଶରଚ୍ଚନ୍ଦ୍ର ବେହେରା ତାଙ୍କର ଗବେଷଣାରେ ପ୍ରତିଷ୍ଠିତ କରିଛନ୍ତି । କିନ୍ତୁ ଆମର ସାହିତ୍ୟିକ ଇଛାଶକ୍ତିର କବିତ୍ୱ ଯୋଗୁ ଆମେ ବିଷ୍ଣୁଶର୍ମାଙ୍କୁ ଭୁଲିବାକୁ ଏକ ପ୍ରକାର ବାଧ୍ୟ । ସମାନ କଥା ଚର୍ଯାପଦ ସମ୍ପର୍କରେ । ଯଦି ପ୍ରତିବେଶି ରାଜ୍ୟରେ ଚର୍ଯାପଦକୁ ନେଇ ଚର୍ଚ୍ଚା ଅବ୍ୟାହତ ରହେ, ଆଉ ଆମେ ସାମ୍ପ୍ରତିକ କବିମାନଙ୍କର କବିତାପାଠକୁ ନେଇ ଉଚ୍ଛ୍ୱସିତ ହୋଇବା ଶ୍ରେୟସ୍କର ବୋଲି ଭାବୁଥାଉ, ତେବେ ଚର୍ଯାପଦକୁ ଆମର ବୋଲି କହିବାର ଅଧିକାର ଆମର କାହିଁକି ରହିବ ? ଗଭୀର କ୍ଷୋଭର ସହ କହୁଛି, ଜୟଦେବ ଭବନ ଆଉ ଜୟଦେବ ବାଟିକା କରିଦେଲେ ଯେ ଜୟଦେବ ଆମର ହୋଇ ରହିଯିବେ, ସେଇ କଥା ଯେଉଁମାନେ ବିଚାର କରନ୍ତି, ମୁଁ ସେଥିରେ ନାହିଁ । ଜୟଦେବଙ୍କୁ ଆମର ତରୁଣ ପ୍ରଜନ୍ମ ସହ ସମ୍ପୃକ୍ତ କରାଇବାରେ ଯଦି ଆମେ ବିଫଳ, ତେବେ ଜୟଦେବ ଆମର ହୋଇ ରହିବାରେ ପ୍ରଶ୍ନଚିହ୍ନ ଲାଗିବ ।

ଯଦି ଜଣେ ପ୍ରଫେସର୍ ଆର୍ତ୍ତବଲ୍ଲଭ ମହାନ୍ତି ନିଜେ ନିଜର ଅକ୍ଳାନ୍ତ ଚେଷ୍ଟାବଳରେ ଓଡିଆ ପ୍ରାଚୀନ ସାହିତ୍ୟକୁ ପୁନରୁଦ୍ଧାର କରିପାରିଥିଲେ, ଆଉ ଯାହାଙ୍କର ସମ୍ପଦରେ ଆମେ ଓଡିଆଏ ଗର୍ବିତ, ତେବେ ଆମେ ଖବରକାଗଜରେ ତିରିଶ ବର୍ଷଧରି ଚିନ୍ତାର ଦୋଷ-ଖେଳ ଖେଳିବା ଦ୍ୱାରା କେଉଁ ଉଦ୍ଦେଶ୍ୟଟି ସାଧିତ ହେବ ବୋଲି ଆପଣମାନେ ଭାବୁଛନ୍ତି ?

ରସଗୋଲା କଥା ଉଠିଲା ବେଳେ ମୋର କହିବା କଥା ହେଉଛି, ଏହାକୁ ନେଇ ଖବର କାଗଜରେ ବିତର୍କ ହେଉଛି । ମାତ୍ର ଆମର ଏକାଡେମିକ୍ ସାର୍କଲ୍‌ରେ କେତେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ? ବଙ୍ଗଳାରେ ଅନେକ ବିଦ୍ୱାନ ଖାଦ୍ୟ ଇତିହାସ ଉପରେ ବହୁତ କାମ କରିଛନ୍ତି, ଅନ୍ୟ ପକ୍ଷରେ ଆମର ସେ ଦିଗରେ ଆଗ୍ରହ ଅଛି କି ? ଆମେ ଶ୍ରୀଯୁକ୍ତ ଅସିତ ମହାନ୍ତିଙ୍କ ଉପରେ ସେ କାମଟି ଛାଡିଦେଇ ନିର୍ଭାର । ବଙ୍ଗଳାର ଜନପ୍ରିୟ ଲେଖକ ଶଙ୍କର ଯଦି ତାଙ୍କର ସୁବୃହତ ଉପନ୍ୟାସ ସହ ବିବେକାନନ୍ଦଙ୍କ ଜୀବନୀ ସମେତ ତିନି ଶହ ପୃଷ୍ଠାର ଏକ ଅତ୍ୟନ୍ତ ରୋଚକ ପୁସ୍ତକ ଲେଖିପାରନ୍ତି, ଯାହାର ଶୀର୍ଷକ “ରାନ୍ନାଘର, କିଚେନ୍ କିମ୍ବା ରସବତୀ (ବଙ୍ଗୀୟ ରସନାର ରସାଲୋ କାହିନୀ)” ।

ଯେଉଁମାନେ ଶଙ୍କରଙ୍କୁ ପଢିଛନ୍ତି, ସେମାନେ ଜାଣନ୍ତି ତାଙ୍କର ପଠନୀୟତା ଆଉ ଲୋକପ୍ରିୟତା କେଉଁ ପର୍ଯ୍ୟାୟର । ଶ୍ରୀଯୁକ୍ତ ଶଙ୍କର ବଙ୍ଗୀୟ ପାଠକମାନଙ୍କ ପାଇଁ ବଙ୍ଗଳାର ଖାଦ୍ୟ ବିଷୟରେ ଏହି ଐତିହାସିକ ପ୍ରେକ୍ଷାପଟଟି ପ୍ରସ୍ତୁତ କରି ସେମାନଙ୍କର ଖାଦ୍ୟ-ଜ୍ଞାନକୁ ପରିପୁଷ୍ଟ କରିଛନ୍ତି । ଆମର ଲେଖକମାନେ ସେହିଭଳି ଗୁରୁତ୍ୱହୀନ କାର୍ଯ୍ୟରେ ମନୋନିବେଶ କରି ଏଠିକାର ପାଠକମାନଙ୍କର ଆଧିଭୌତିକ ଓ ଅନ୍ୱେଷାଭିତ୍ତିକ ପୁସ୍ତକୋଚିତ ରୂପାୟନରୁ ବିଚ୍ୟୁତ ହେବାକୁ ସୃଜନଶିଳତାର ଅପବ୍ୟବହାର ବିଚାର କରି ବିଭିନ୍ନ ପଦ୍ମ-ସମ୍ପଦରେ ଭୂଷିତ ହେବାକୁ ଶ୍ରେୟସ୍କର ମଣିଥାନ୍ତି ।

ଅବଶ୍ୟ ଖବରକାଗଜର ଜୀବନଚିନ୍ତାରେ ଆମେ ଡ୍ରମ ପିଟୁଥାଉ, ଆଉ ଆମ ଆଖିରେ ଜୋରରେ ବନ୍ଧା ଅନ୍ଧପୁଟୁଳି । ଖାଲି ଶ୍ରୀଯୁକ୍ତ ଶଙ୍କର କାହିଁକି, ଶ୍ରୀମତି ଜେ. ହାଲଦାର (୧୯୧୧), ଚିତ୍ରିତା ବାନାର୍ଜୀ, ସୁଚିତ୍ରା ସାମନ୍ତ, ଇନ୍ଦିରା ଚକ୍ରବର୍ତ୍ତୀ, କେ.ଟି. ଆଚୟା ଭଳି ବହୁ ଖାଦ୍ୟ ଐତିହାସିକ ବଙ୍ଗଳାର ଖାଦ୍ୟାଭ୍ୟାସ ଉପରେ କାମ କରିଛନ୍ତି । ବଙ୍ଗଳାରେ ଖାଦ୍ୟ ସଙ୍କ୍ରାନ୍ତରେ ପ୍ରଥମ ପାକଶାସ୍ତ୍ର ପାକରାଜେଶ୍ୱର (୧୮୩୧) ଠାରୁ ଆରମ୍ଭକରି ବ୍ୟଞ୍ଜନ ରତ୍ନାକର (୧୮୭୪), ବାମାବୋଧିନୀ ପତ୍ରିକା (୧୮୭୪) ପ୍ରଭୃତିରେ ବଙ୍ଗଳା ଖାଦ୍ୟର ପ୍ରଭୂତ ବର୍ଣ୍ଣନା ରହିଛି । ବଙ୍ଗଳାରେ ପାକଶାସ୍ତ୍ରର ତାଲିକାଟି ଅତ୍ୟନ୍ତ ଦୀର୍ଘ । ଏହି ତଥ୍ୟ ଭିତ୍ତିରେ ଖାଦ୍ୟଗବେଷକମାନେ ଗବେଷଣା କରି ସେମାନଙ୍କର ଜ୍ଞାନକୁ ତାତ୍ତ୍ଵିକ ଦୃଷ୍ଟିରୁ ପରିପୁଷ୍ଟ କରିଛନ୍ତି ।

ଆମେ ଏଠି କବିତା ଲେଖୁ । ଖବରକାଗଜରେ ତିରିଶ ବର୍ଷ ଧରି ଆମର ମାଖୁନା ମୁହଁର କଳ୍ପିତ ନିଶକୁ ମୋଡୁଥାଉ ।

ବଙ୍ଗଳାରେ ସେମାନେ ନବୀନ ଚନ୍ଦ୍ର ଦାସଙ୍କୁ “ରସଗୋଲାର କଲମ୍ବସ” ବୋଲି କହନ୍ତି । ତାଙ୍କ ଦ୍ୱାରା ବଙ୍ଗାଳୀ ରସଗୋଲା ଉଦ୍ଭାବନର  ଶହେବର୍ଷ ପାଳନର ପର ବର୍ଷ ବଙ୍ଗଳାର ତତ୍କାଳୀନ କମ୍ୟୁନିଷ୍ଟ ସରକାର ସମସ୍ତ ମିଠା ଉତ୍ପାଦନରେ ଦୁଗ୍ଧର ବ୍ୟବହାରକୁ ନିଷିଦ୍ଧ କରିଦେଇଥିଲେ, କାରଣ ତାହା ଦ୍ୱାରା ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ଦାମ ନିୟନ୍ତ୍ରଣ କରାଯାଇପାରିବ । କିନ୍ତୁ ଏହାର ବ୍ୟାପକ ବିରୋଧ ହୋଇଥିଲା ଓ ବଙ୍ଗଳାର ସରକାର ଏଇ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିଲେ । କିନ୍ତୁ ନବୀନ ଚନ୍ଦ୍ରଙ୍କର ବଂଶଧରମାନେ ଏଥିରେ କ୍ଷୁବ୍ଧ ହୋଇ ସ୍ମରଣୀୟ ସ୍ଥାନରେ ଥିବା ନବୀନବାବୁଙ୍କର ମିଠା ଦୋକାନକୁ ବାଙ୍ଗାଲୋର ସ୍ଥାନାନ୍ତର କରିଦେଇଥିଲେ ।

କହିବାର କଥା ହେଉଛି, ଆମର ସ୍ୱାଭିମାନକୁ ଆମର ଅଧ୍ୟୟନର ପରିସରକୁ ଆଣି ଏକ ଉତ୍ସବ ଭଳି ପାଳନ କରି ପରବର୍ତ୍ତୀ ପ୍ରଜନ୍ମ ସହିତ ଏହାର ଏକ ଅନ୍ତରଙ୍ଗତା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି, ତାହା ରସଗୋଲା ହେଉ କି ଆଉ ଯେଉଁ କଥା ହେଉ । ବିନା ପ୍ରସ୍ତୁତିରେ କୁହାଟକୁ ଶୁଣି ଡରିଯିବା ବିପକ୍ଷ ବର୍ତ୍ତମାନ ବହୁତ କମ୍ । ଆମର କୁହାଟରେ ଦାୟ । ପ୍ରସ୍ତୁତି କଥା କିଏ କାହିଁକି ଗୁରୁତ୍ୱର ସହ ନେବ ? ]

Thursday, January 11, 2018

ସୌରଜଗତ - ସୂର୍ଯ୍ୟ ଓ ଗ୍ରହ

ଅନୁବାଦ - ବିଶ୍ୱଜିତ ଆପଟ


ମିଶରୀୟ ସୂର୍ଯ୍ୟ ଦେବତା 'ରା'ଙ୍କର ଚିତ୍ର
ୱିକିମିଡିଆ କମନ୍ସ୍


ସୌରଜଗତ


ସୂର୍ଯ୍ୟ, ଆଠଟି ଗ୍ରହ, ଉପଗ୍ରହ ଓ ଗ୍ରହାଣୁପୁଞ୍ଜ, ଉଲକାପିଣ୍ଡ ପରି ମହାଜାଗତିକ ପିଣ୍ଡଗୁଡିକୁ ନେଇ ଆମ ସୌରଜଗତର ରଚନା ହୋଇଛି । ଆମେ ଏହାକୁ ସୌର ପରିବାର ମଧ୍ୟ କହିଥାଉ ଯାହାର ମୂଖ୍ୟ ହେଉଛି ସୂର୍ଯ୍ୟ ।

ସୂର୍ଯ୍ୟ


ସୂର୍ଯ୍ୟ ସୌରଜଗତର କେନ୍ଦ୍ରରେ ଅବସ୍ଥିତ । ଏହା ବିଶାଳ ଅଟେ ଓ ଅତି ଉତ୍ତପ୍ତ ଗ୍ୟାସଗୁଡିକୁ ନେଇ ଗଠିତ । ସମଗ୍ର ସୌରଜଗତ ସୂର୍ଯ୍ୟର ଆକର୍ଷଣ ଯୋଗୁଁ ତିଷ୍ଠି ରହିଛି । ସୂର୍ଯ୍ୟ ସୌରଜଗତ ପାଇଁ ଆଲୋକ ଓ ଉତ୍ତାପର ମୂଳ ଉତ୍ସ । ଆମର ନିକଟତମ ନକ୍ଷତ୍ର ହୋଇଥିବା ସତ୍ତ୍ୱେ ଆମେ ସୂର୍ଯ୍ୟର ଭୟଙ୍କର ଉତ୍ତାପକୁ ଅନୁଭବ କରିପାରୁନା । କାରଣ ସୂର୍ଯ୍ୟ ଆମଠାରୁ ଖୁବ ଦୂରରେ ଅବସ୍ଥିତ । ପୃଥିବୀ ଠାରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୫ କୋଟି କିଲୋମିଟର ।

ଗ୍ରହ


ଆମ ସୌରଜଗତରେ ଆଠଟି ଗ୍ରହ ରହିଛି । ସୂର୍ଯ୍ୟଠାରୁ ଦୂରତା ଅନୁସାରେ ସେମାନେ ହେଲେ : ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଓ ନେପଚୁନ୍ ।


ସୌରଜଗତର ଆଠଟି ଯାକ ଗ୍ରହ ସୂର୍ଯ୍ୟ ଚାରିପାଖରେ ନିଜ ନିଜର ନିର୍ଦ୍ଦିଷ୍ଟ ଗତିପଥ ଦେଇ ବୁଲୁଥାଆନ୍ତି । ଏହି ପଥଗୁଡିକୁ କକ୍ଷ କୁହାଯାଏ । ବୁଧ ସୂର୍ଯ୍ୟର ନିକଟତମ ଗ୍ରହ । ନିଜ କକ୍ଷରେ ଥରୁଟିଏ ବୁଲି ଆସିବାକୁ ଏହାକୁ ପ୍ରାୟ ୮୮ ଦିନ ଲାଗିଥାଏ । ଶୁକ୍ର ଗ୍ରହକୁ ପୃଥିବୀର ଯାଆଁଳା ବୋଲି ବିଚାର କରାଯାଏ କାରଣ ଏହାର ଆକାର ଓ ଆକୃତି ପ୍ରାୟ ପୃଥିବୀ ଭଳି ।


ଅଗଷ୍ଟ ୨୦୦୬ ମସିହା ଯାଏଁ ପ୍ଲୁଟୋ ମଧ୍ୟ ଏକ ଗ୍ରହ ହିସାବରେ ପରିଗଣିତ ହେଉଥିଲାକିନ୍ତୁ ଆନ୍ତର୍ଜାତିକ ମହାକାଶ ବିଜ୍ଞାନୀ ସଂଗଠନ ଏକ ବୈଠକରେ ଏଇ ନିଷ୍ପତ୍ତି ନେଲେ ଯେ କିଛି ବର୍ଷ ପୂର୍ବରୁ ଆବିଷ୍କୃତ ହୋଇଥିବା ଏକ ଭିନ୍ନ ଧରଣର ମହାଜାଗତିକ ପିଣ୍ଡ (ସେରେସ୍, ୨୦୦୩ ୟୁ.ବି.୩୧୩) ଭଳି ପ୍ଲୁଟୋକୁ ମଧ୍ୟ ଏକ “ବାମନ ଗ୍ରହ” ହିସାବରେ ବିବେଚନା କରାଯିବ ।  

ବି.ଦ୍ର. - ଏହି ଲେଖାଟି ଏନ.ସି.ଇ.ଆର୍.ଟି. ଛାପିଥିବା ଷଷ୍ଠ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଭୂଗୋଳ ପାଠ୍ୟପୁସ୍ତକର ପ୍ରଥମ ଅଧ୍ୟାୟର ସମ୍ପାଦିତ ଓ ଅନୁଦିତ ଅଂଶ।