Monday, June 29, 2020

ଏକରୁ ଅସୀମ ଆଡ଼କୁ

ରମାକାନ୍ତ ସାମନ୍ତରାୟ


ରୋମାନ ଓପାଓକାଙ୍କର ଏକ ଟିତ୍ର
(ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ମଡର୍ଣ୍ଣ ଆର୍ଟ୍)

୧୯୬୫ ମସିହା । ପୋଲାଣ୍ଡର ରାଜଧାନୀ ଓର୍ସା । ରୋମାନ ଓପାଓକା ନାମକ ଜଣେ ଚିତ୍ରଶିଳ୍ପୀ ସେଦିନ ତାଙ୍କ ଷ୍ଟୁଡିଓରେ ଗୋଟେ କଳାରଙ୍ଗ ବୋଳା କ୍ୟାନଭାସରେ ଛୋଟିଆ ଗୋଟିଏ ବ୍ରସ ଧରି, ଧଳା ରଙ୍ଗରେ କ୍ୟାନଭାସର ବାମହାତି ଉପର କୋଣରେ ଲେଖିଲେ ଗାଣିତିକ ସଙ୍ଖ୍ୟା ଏକ (୧) । ତାପରେ ତା ପାଖକୁ ଦୁଇ ,ତା ପାଖକୁ ତିନି, ଏମିତି ସଙ୍ଖ୍ୟା ପରେ ସଙ୍ଖ୍ୟା କ୍ରମିକ ଭାବରେ ଧାଡ଼ି ପରେ ଧାଡ଼ି ଓପାଓକା ଲେଖିଚାଲିଲେ । ଶେଷରେ କ୍ୟାନଭାସର ଡାହାଣ କୋଣ ତଳର ଶେଷ ଧାଡିରେ ପହଞ୍ଚିଲା ବେଳକୁ ୩୫,୩୨୭ ସଙ୍ଖ୍ୟା ପାଖରେ ପହଞ୍ଚି ସାରିଥିଲେ ସେ । 

ଛୟାଳିଶ ବର୍ଷ ଶିଳ୍ପୀ ଜୀବନରେ ଓପାଓକା ଏମିତିକା ୨୨୨ଟି କ୍ୟାନଭାସ ପ୍ରସ୍ତୁତ କରିଥିଲେ । ସେ ତାଙ୍କର ସବୁ କ୍ୟାନଭାସ ର ନାମ ରଖିଥିଲେ '୧୯୬୫/୧-∞' ଆଉ ସବୁ କ୍ୟାନଭାସର ଆକାର ରଖିଥିଲେ ଛ ଫୁଟ ଗୁଣନ ଚାରି ଫୁଟ । ମଜା କଥାଟି ହେଲା, ଓପାଓକାଙ୍କ ଷ୍ଟୁଡିଓର ଦାଣ୍ଡ ଦରଜାଟି ଠିକ୍ ଏଇ ମାପର ହିଁ ଥିଲା । ଓପାଓକା ବହୁସମୟ ଧରି ଆପଣା ଷ୍ଟୁଡିଓରେ କାମ କରୁଥିଲେ ଓ ଦିନକୁ ହାରହାରି ୪୦୦ ପାଖାପାଖି ଅଙ୍କ (ଆଙ୍କୁଥିଲେ) ଲେଖୁଥିଲେ ।

ରୋମାନ ଓପାଓକାଙ୍କର ଏକ ଆଲୋକଚିତ୍ର (ୱିକିମିଡିଆ କମନ୍ସ୍)
ଚିତ୍ରୋତ୍ତୋଳକ - ଲୋଥା ୱଲି (୧୯୩୦-୧୯୭୯)

ଓପାଓକା ପ୍ରଥମେ ପ୍ରଥମେ କଳା ରଙ୍ଗ ଉପରେ ଧଳା ରଙ୍ଗରେ ସଙ୍ଖ୍ୟା ଲେଖୁଥିଲେ, କିନ୍ତୁ ୧୯୬୮ ବେଳକୁ କ୍ୟାନଭାସର ବ୍ୟାକଗ୍ରାଉଣ୍ଡର କଳାରଙ୍ଗର ଜାଗା ଗ୍ରେ ରଙ୍ଗ ନେଲା । ଏବଂ ୧୯୭୨ ମସିହା ସମୟକୁ ସେ ନିଷ୍ପତି ନେଲେ ଯେ, ଗ୍ରେ ବ୍ୟାକଗ୍ରାଉଣ୍ଡରେ ସେ ଏଥର ଅଳ୍ପ ଅଳ୍ପ ଧଳାରଙ୍ଗ ମିଶାଇ ଚାଲିବେ ଓ ଏମିତି ଧୀରେ ଧୀରେ ଅଳ୍ପ ଅଳ୍ପ ଗ୍ରେ ରଙ୍ଗରେ ଧଳା ମିଶାଇ ମିଶାଇ ଦିନେ ସେ ଧଳା ବ୍ୟାକଗ୍ରାଉଣ୍ଡ ଉପରେ ଧଳା ରଙ୍ଗରେ ସଙ୍ଖ୍ୟା ଲେଖିବେ । 

ସେ ହାରାହାରି ଗୋଟେ ହିସାବ ଲଗାଇଥିଲେ ଯେ ୭,୭୭୭,୭୭୭ ସଙ୍ଖ୍ୟା ପାଖରେ ପହଞ୍ଚିଲା ବେଳକୁ ତାଙ୍କ କ୍ୟାନଭାସର ବ୍ୟାକଗ୍ରାଉଣ୍ଡ ଗ୍ରେ ରୁ ସମ୍ପୂର୍ଣ ଧଳା ହୋଇସାରିଥିବ । ୭୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହେଲାବେଳକୁ, ସେ ୬,୦୦୦.୦୦୦ ସଙ୍ଖ୍ୟା ପାଖରେ କାମ କରିବା ଅବଶ୍ୟ ବନ୍ଦ କରିସାରିଥିଲେ ।
ସେତବେଳକୁ ସେ ଧଳା ରଙ୍ଗ ଉପରେ ଧଳା ରଙ୍ଗରେ ହିଁ ଲେଖୁଥିଲେ । ଜୀବନର ଶେଷ ତିନି ବର୍ଷ ଓପାଓକା ଧଳା କ୍ୟାନଭାସ ଉପରେ ଧଳା ରଙ୍ଗରେ କ୍ରମିକ ସଙ୍ଖ୍ୟା ସବୁ ଲେଖୁଥିଲେ । ଧଳା ଉପରେ ଧଳାରେ ଲିଖିତ ସଙ୍ଖ୍ୟା ସବୁ ଅଦୃଶ୍ୟ ହେବା ଆଗରୁ ଦୃଶ୍ୟମାନ ତାଙ୍କ ଲିଖିତ ଶେଷ ସଙ୍ଖ୍ୟାଟି ଥିଲା ୫,୬୦୭,୨୪୯ ।
ଫ୍ରାନ୍ସରେ ଜନ୍ମିତ ଏହି ପୋଲାଣ୍ଡର ଚିତ୍ରଶିଳ୍ପୀ ରୋମାନ ଓପାଓକାଙ୍କ ଜନ୍ମ ୨୭ ଅଗଷ୍ଟ ୧୯୩୧ରେ ହୋଇଥିଲା ଓ ମୃତ୍ୟୁ ତାଙ୍କର ଅଶୀତମ ଜନ୍ମଦିନର ମାତ୍ର ତିନି ସପ୍ତାହ ପୂର୍ବରୁ, ଅର୍ଥାତ ୬ ଅଗଷ୍ଟ ୨୦୧୧ରେ ହୋଇଥିଲା । କନ୍ସେପଚୁଆଲ କଳା ଚିନ୍ତନର ଜଣେ ପ୍ରମୁଖ ଚିତ୍ରଶିଳ୍ପୀ ଭାବରେ ଓପାଓକା ବିଶ୍ଵର ଅନେକ ବିଖ୍ୟାତ ଗ୍ୟାଲେରୀ, ମ୍ୟୁଜିୟମ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନୀ ମାନଙ୍କରେ ସ୍ଥାନ ପାଇଛନ୍ତି । ଛୋଟିଆ କଥା ଭିତରେ କେତେ ଯେ ଗୁରୁତ୍ୱପୂର୍ଣ ବକ୍ତବ୍ୟ କୁହାଯାଇପାରେ, ତାହା ସେ ଦେଖାଇ ଦେଇଛନ୍ତି ।

Sunday, June 14, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା: ଓଡ଼ିଶା

କେଦାରନାଥ ମହାପାତ୍ର


ଯାଜପୁର ଜିଲ୍ଲାରେ ସ୍ଥିତ ଉଦୟପୁର ବୌଦ୍ଧ ସ୍ତୁପ (ସପ୍ତମରୁ ଦ୍ୱାଦଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ

ହର୍ଷଙ୍କ ପୂର୍ବରୁ ଓଡ଼ିଶାରେ କ୍ଷମତାଶାଳୀ ଭୌମବଂଶୀ ରାଜାମାନେ ରାଜତ୍ୱ କରୁଥିଲେ ଏହି ବଂଶର କେତେକ ରାଜା ବୌଦ୍ଧ ଥିଲେ ଏବଂ ଅନେକ ବୌଦ୍ଧ କୀର୍ତ୍ତି ନିର୍ମାଣ କରିଥିଲେ ପ୍ରାୟ ସପ୍ତ ଶତାବ୍ଦୀଠାରୁ ସମ୍ୱଲପୁର ଉତ୍ତର ଓଡ଼ିଶାରେ ସୋମବଂଶୀ ବା କେଶରୀ ରାଜାମାନେ ଖ୍ରୀ: ୧୧୩୨ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ  

ଏହି ବଂଶରେ ଯଯାତି କେଶରୀ ଉଦ୍ୟୋତ କେଶରୀ ନାମକ ଦୁଇଜଣ ପ୍ରସିଦ୍ଧ ରାଜା ଥିଲେ ଉଦ୍ୟୋତ କେଶରୀ ବଙ୍ଗଳା, ଲଙ୍କା, ଗୁଜୁରାଟ ଚୋଡ଼ଦେଶ ପ୍ରଭୃତି ଜୟ କରିଥିଲେ କେଶରୀମାନେ ଶୈବ ଥିଲେ ଓଡ଼ିଶାରେ ଶତ ଶତ ଶୈବ ମନ୍ଦିର ନିର୍ମାଣ କରିଥିଲେ ସେଥିମଧ୍ୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭାରତ ପ୍ରସିଦ୍ଧ  

କଟକ, ଯାଜପୁର, ଚଉଦ୍ୱାର, ଭୁବନେଶ୍ୱର, ପୁରୀ କଇଁଶିଳ (ପାଟଣା ରାଜ୍ୟରେ) ଏମାନଙ୍କ ସମୟରେ ଓଡ଼ିଶାର ପ୍ରଧାନ କେନ୍ଦ୍ର ଥିଲା ଏମାନଙ୍କ ରାଜତ୍ୱ କାଳରେ ଓଡ଼ିଶା ସବୁ ବିଷୟରେ ଉନ୍ନତି କରିଥିଲା  

କଳିଙ୍ଗ ବା ଗଞ୍ଜାମ ଜିଲ୍ଲାରେ ଗଙ୍ଗବଂଶୀ ରାଜାମାନେ ଷଷ୍ଠ ଶତାବ୍ଦୀ ପ୍ରାରମ୍ଭରୁ ରାଜତ୍ୱ କଲେ ସେମାନେ ଶୈବ ଥିଲେ ଅନେକ ଶୈବ କୀର୍ତ୍ତି ସ୍ଥାପନ କରିଥିଲେ ଏହି ବଂଶର ପରାକ୍ରମଶାଳୀ ରାଜା ଚୋଡ଼ଗଙ୍ଗ ଦେବ ୧୧୩୨ରେ କେଶରୀବଂଶ ରାଜାଙ୍କୁ ପରାସ୍ତ କରି ଉତ୍ତର ଓଡ଼ିଶା ଜୟ କଲେ ତାଙ୍କ ସମୟରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।