ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା: ଓଡ଼ିଶା
କେଦାରନାଥ ମହାପାତ୍ର
ଯାଜପୁର ଜିଲ୍ଲାରେ ସ୍ଥିତ ଉଦୟପୁର ବୌଦ୍ଧ ସ୍ତୁପ (ସପ୍ତମରୁ ଦ୍ୱାଦଶ ଶତାବ୍ଦୀ) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ |
ହର୍ଷଙ୍କ ପୂର୍ବରୁ ଓଡ଼ିଶାରେ କ୍ଷମତାଶାଳୀ ଭୌମବଂଶୀ ରାଜାମାନେ ରାଜତ୍ୱ କରୁଥିଲେ ଓ ଏହି ବଂଶର କେତେକ ରାଜା ବୌଦ୍ଧ ଥିଲେ ଏବଂ ଅନେକ ବୌଦ୍ଧ କୀର୍ତ୍ତି ନିର୍ମାଣ କରିଥିଲେ । ପ୍ରାୟ ସପ୍ତମ ଶତାବ୍ଦୀଠାରୁ ସମ୍ୱଲପୁର ଓ ଉତ୍ତର ଓଡ଼ିଶାରେ ସୋମବଂଶୀ ବା କେଶରୀ ରାଜାମାନେ ଖ୍ରୀ: ୧୧୩୨ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।
ଏହି ବଂଶରେ ଯଯାତି କେଶରୀ ଓ ଉଦ୍ୟୋତ କେଶରୀ ନାମକ ଦୁଇଜଣ ପ୍ରସିଦ୍ଧ ରାଜା ଥିଲେ । ଉଦ୍ୟୋତ କେଶରୀ ବଙ୍ଗଳା, ଲଙ୍କା, ଗୁଜୁରାଟ ଓ ଚୋଡ଼ଦେଶ ପ୍ରଭୃତି ଜୟ କରିଥିଲେ । କେଶରୀମାନେ ଶୈବ ଥିଲେ ଓ ଓଡ଼ିଶାରେ ଶତ ଶତ ଶୈବ ମନ୍ଦିର ନିର୍ମାଣ କରିଥିଲେ । ସେଥିମଧ୍ୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭାରତ ପ୍ରସିଦ୍ଧ ।
କଟକ, ଯାଜପୁର, ଚଉଦ୍ୱାର, ଭୁବନେଶ୍ୱର, ପୁରୀ ଓ କଇଁଶିଳ (ପାଟଣା ରାଜ୍ୟରେ) ଏମାନଙ୍କ ସମୟରେ ଓଡ଼ିଶାର ପ୍ରଧାନ କେନ୍ଦ୍ର ଥିଲା । ଏମାନଙ୍କ ରାଜତ୍ୱ କାଳରେ ଓଡ଼ିଶା ସବୁ ବିଷୟରେ ଉନ୍ନତି କରିଥିଲା ।
କଳିଙ୍ଗ ବା ଗଞ୍ଜାମ ଜିଲ୍ଲାରେ ଗଙ୍ଗବଂଶୀ ରାଜାମାନେ ଷଷ୍ଠ ଶତାବ୍ଦୀ ପ୍ରାରମ୍ଭରୁ ରାଜତ୍ୱ କଲେ । ସେମାନେ ଶୈବ ଥିଲେ ଓ ଅନେକ ଶୈବ କୀର୍ତ୍ତି ସ୍ଥାପନ କରିଥିଲେ । ଏହି ବଂଶର ପରାକ୍ରମଶାଳୀ ରାଜା ଚୋଡ଼ଗଙ୍ଗ ଦେବ ୧୧୩୨ରେ କେଶରୀବଂଶ ରାଜାଙ୍କୁ ପରାସ୍ତ କରି ଉତ୍ତର ଓଡ଼ିଶା ଜୟ କଲେ । ତାଙ୍କ ସମୟରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍ସ୍ ଷ୍ଟୋର୍ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।
No comments:
Post a Comment