Tuesday, April 25, 2017

ଆମ ପଡ଼ୋଶୀ - ବିହାର ଓ ଛୋ ନାଗପୁର


ଗୋପୀନାଥ ମହାନ୍ତି 


୧୯୦୭ ମସିହାରେ ପ୍ରକାଶିତ ମାନଚିତ୍ରରେ ବିହାର ଓ ଓଡ଼ିଶା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଓଡ଼ିଶାରୁ ସିଧା ଉତ୍ତରକୁ ଛୋଟ ନାଗପୁର ମାଳଭୂମି, ଏଠାରେ ଘନ ଜଙ୍ଗଲରେ ପ୍ରଚୁର ଶାଳଗଛ ହୁଏ । ସ୍ଥାନେ ସ୍ଥାନେ ସମତଳ ଉପରେ ଘାସ ଓ ବୁଦା-ଜଙ୍ଗଲ । ନଦୀମାନଙ୍କର ଉପତ୍ୟକା ମଧ୍ୟ ପଥୁରିଆ ଓ ସଙ୍କୀର୍ଣ୍ଣ । ଯେଉଁଠି ସୁବିଧା ମିଳେ, ସେଠି ସଙ୍କୀର୍ଣ୍ଣ ଲମ୍ବା କ୍ଷେତ ଉପରେ ଧାନ ଫସଲ ହୁଏ । ଧାନ କ୍ଷେତ ସବୁ ପାହାଚ ପାହାଚ ହୋଇ କଟା ହୋଇଚି । ପାହାଡ଼ ତଳେ ମକା, ବାଜରା, ସୋରିଷ ଓ ରବି ଫସଲ ହୋଇଚି । ଜମିରୁ ଖୁବ ଅଳ୍ପ ଚାଷରେ ଲାଗୁଚି, ବାକି ସବୁ ଜଙ୍ଗଲ, ପଥର, କଙ୍କର୍ । ଜଙ୍ଗଲରେ ଲାଖ ପୋକ ଅଛନ୍ତି; ଗଛ ଡ଼ାଳରେ ଲାଖ ହୋଇଚି । ଲାଖ ଏଠିକାର ପ୍ରଧାନ ଉତ୍ପନ୍ନ ଦ୍ରବ୍ୟ । ଏ ଅଞ୍ଚଳ ଖଣି ଦ୍ରବ୍ୟ ପାଇଁ ବିଖ୍ୟାତ । ଅଭ୍ରକ (ଅଭ୍ର), ଲୁହା, ତମ୍ବା ଓ ଗେଙ୍ଗୁଟି ଏଠି ପ୍ରଚୁର ପରିମାଣରେ ମିଳେ ।


ଏଠି ଯେଉଁ ଲୋକମାନେ ଅଛନ୍ତି ସେମାନେ ଅତି ଅନୁନ୍ନତ ଭାରତର ଆଦିମ ଅଧିବାସୀ । ଏମାନଙ୍କର ଭାଷା ଭିନ୍ନ ଭିନ୍ନ । ସବୁଠାରୁ ବହୁତ ହେଉଛନ୍ତି ସାନ୍ତାଳ । ଏମାନେ ‘ହାଣ୍ଡିଆ’ ମଦ ପିଇ ସ୍ତ୍ରୀ ପୁରୁଷ ଏକାଠି ହୋଇ ନାଚନ୍ତି । ଛୋଟ ନାଗପୁର ମାଳଭୂମି ଉତ୍ତରରେ କ୍ରମେ ଗଙ୍ଗାନଦୀ ଆଡ଼କୁ ଝୁଙ୍କି ପଡ଼ୁଛି; ତା ପରେ ପଡ଼ିଲା ବିହାର ଦେଶ । ହିମାଳୟରୁ ଅନେକ ନଦୀ ଏ ପ୍ରଦେଶକୁ ଗଡ଼ି ଆସିଛି । ତହିଁରୁ ଏ ପ୍ରଦେଶ ପାଣି ପାଏ । ନଦୀ ସବୁ ବର୍ଷା ଦିନେ ଦୁଇ କୂଳ ଭସାଇ ଦିଏ । ବର୍ଷ ବର୍ଷ ପଟୁ ମାଟି ଆଣି ଜମା କରିଦିଏ । ଚାରିଆଡେ଼ ସମତଳ ପ୍ରଦେଶ । ଯେତେଦୁରକୁ ଗଲେ ସୁଦ୍ଧା ଜମିରେ ପଥର ଖଣ୍ଡେ ମିଳିବ ନାହିଁ । ସମତଳ ଉପରେ ଥରେ ଥରେ ନଦୀ ସବୁ ବାଟ ବଦଳାଇ ଦିଏ । ପୂର୍ବ ବାଟ ଯେଉଁଠି ଥିଲା ସେଠି ଧାଡ଼ି ହୋଇ ଜୋଡ଼ ଓ ପୋଖରୀ ରହିଯାଏ ।

ବର୍ଷାଦିନେ ଏଠି ଯଥେଷ୍ଟ ବର୍ଷା ହୁଏ କିନ୍ତୁ ଗଙ୍ଗା ନଦୀର ଦକ୍ଷିଣକୁ ବର୍ଷା ଅଳ୍ପ, ଦୁର୍ଭିକ୍ଷ ବେଶୀ ତେଣୁ ସେଠି ଅନେକ ନାଳ ଖୋଳା ହୋଇଛି । ଖରା ଦିନେ ଗରମ ଓ ଶୀତ ଦିନେ ଥଣ୍ଡା, – ଏହା ଏଠିକାର ଜଳବାୟୁ । ସମୁଦ୍ରଠାରୁ ଯେତିକି ଦୁରକୁ ଦୁରକୁ ଯାଅ ଜଳବାୟୁ ସେତିକି ସେତିକି ଏହିପରି ହୁଏ । 

ଏଠି ଗହମ, ଆଖୁ, ଧାନ ଓ ରବି ଫସଲ ପ୍ରଚୁର ପରିମାଣରେ ହୁଏ, ଭୂମି ଅତି ଉର୍ବର ।

ଏହି ବିହାର ଦେଶ ମଗଧର ଅଞ୍ଚଳ । ଏଠି ଯେଉଁ ପାଟନା ସହର ରାଜଧାନୀ ହୋଇଛି, ସେଠି ଚନ୍ଦ୍ରଗୁପ୍ତ ରାଜତ୍ୱ କରୁଥିଲେ, ଚାଣକ୍ୟ ମନ୍ତ୍ରୀ ଥିଲେ, ଅଶୋକ ଧର୍ମ ପ୍ରଚାର କରୁଥିଲେ । ଆମ ଦେଶର ଖାରବେଳ ବିହାର ଆକ୍ରମଣ କରିଥିଲେ । ଅଶୋକ ଆମ କଳିଙ୍ଗ ଦେଶକୁ ଛାରଖାର କରିଦେଇଥିଲେ । ଏଠିକାର ଏତେ ଲୋକଙ୍କର ହାଣକାଟ ଦେଖି ତାଙ୍କ ମନରେ ଧର୍ମ ଭାବ ଆସିଥିଲା । ସେ ଅହିଂସା ଓ ବୌଦ୍ଧ ନୀତି ଅବଲମ୍ବନ କରିଥିଲେ । 


ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Wednesday, April 19, 2017

ଆମ ପଡ଼ୋଶୀ ପ୍ରଦେଶ - ବଙ୍ଗ ଦେଶ


ଗୋପୀନାଥ ମହାନ୍ତି 


ଏବେର ପଶ୍ଚିମ ବଙ୍ଗରେ ସୋରିଷ ଚାଷ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆମର ଉତ୍ତର ପୂର୍ବର ପାଖ ପଡେ଼ାଶୀ ହେଉଛି ବଙ୍ଗ ଦେଶ । ଏ ପ୍ରଦେଶ ଭିତରେ ପଶ୍ଚିମରୁ ଗଙ୍ଗା ନଦୀ ଓ ପୂର୍ବରୁ ବ୍ରହ୍ମପୁତ୍ର ନଦୀ ଆସି ପ୍ରବାହିତ ହେଉଛନ୍ତି । ସେମାନଙ୍କର ଅସଂଖ୍ୟ ଉପନଦୀ । ଏ ପ୍ରଦେଶ ସେ ନଦୀମାନଙ୍କର ପଟୁରେ ତ୍ରିକୋଣଭୂମି ସ୍ୱରୂପ ତିଆରି ହୋଇଛି । ଏଠି ଅସଂଖ୍ୟ ନଦୀ, ଅସଂଖ୍ୟ ପାଟଭୂଇଁ । ସମତଳ ଭୂମି ଉପରେ କ୍ରୋଶ କ୍ରୋଶ ଗଲେ କେଉଁଠି ଖଣ୍ଡେ ବଡ଼ ପଥର ସୁଦ୍ଧା ମିଳିବ ନାହିଁ । ତେଣୁ ଏଠି ପ୍ରଚୁର ଧାନ ଫସଲ ହୁଏ । ନଦୀ ଥିବାରୁ ଲୋକେ ମାଛ ଖାଇବାକୁ ଝୁଙ୍କ କରନ୍ତି ।

ପ୍ରଥମେ, ଓଡ଼ିଶାରୁ ଗଲେ ଦେଖାଯିବ, ଛୋଟନାଗପୁର ବନ୍ଦର ବୁଦା ଜଙ୍ଗଲ କ୍ରମେ ଶେଷ ହୋଇ ଯାଇଛି । ଭୂମି ଢ଼ାଲୁ ହୋଇ ସମତଳ ଭିତରକୁ ଗଡ଼ି ପଡ଼ିଛି । ଏ ଅଞ୍ଚଳର ପଶ୍ଚିମରେ ଦାମୋଦର ନଦୀର ଉପତ୍ୟକାରେ ବଙ୍ଗ ଦେଶର ପ୍ରସିଦ୍ଧ କୋଇଲା ଖଣିସବୁ ଅଛି । କ୍ରମେ ଆମେ ସମତଳରେ ପହୁଞ୍ଚିବା । ଏ ଅଞ୍ଚଳ ମଲା ଓ ଦରମଲା ନଈର ଅଞ୍ଚଳ । କାରଣ ଏ ନଈମାନଙ୍କରେ ଗଙ୍ଗାନଦୀର ପାଣି ଆଉ ସମୁଦ୍ରରେ ପଡ଼ୁ ନାହିଁ, ଅନେକ ପାଟ ଭୂଇଁରେ ପାଣି ଜମା ହୋଇଯାଉଛି; ତେଣୁ ଏଠି ଏତେ ମଶା ଓ ମ୍ୟାଲେରିଆ । ଏ ଜୋଡ଼ମାନଙ୍କୂ ଏଠି ଭିଲ୍ ବୋଲି କହନ୍ତି ।

ମୁଦ୍ର କୂଳେ କୂଳେ “ସୁନ୍ଦରବନ” ଜଙ୍ଗଲ, ପଟି ପଟିକା ବଡ଼ ବାଘର ଘର, ପୁଣି ଅସଂଖ୍ୟ ନଦୀର ମୁହାଁଣ, ସୁନ୍ଦରୀ ଗଛର ଜଙ୍ଗଲ ଓ ସନ୍ତସନ୍ତିଆ ଭୂଇଁ । ଏ ଘନ ଜଙ୍ଗଲ ଭିତରେ ମଣିଷ ରହନ୍ତି ନାହିଁ । ତଲେ ବାଘ, କୁମ୍ଭୀର, ଗଛ ଉପରେ ସାପ । କ୍ରମେ ଜଙ୍ଗଲ ପଦା ହୋଇ ଓ ଜୋଡ଼ରୁ ପାଣି ବୁହାଇ ଦେଇ ଧାନ ଜମି ହେଉଛି ।

ତ୍ତରକୁ ଗଲେ ପଡ଼ିବ ଗଙ୍ଗା ଓ ବ୍ରହ୍ମପୁତ୍ର ମଝିରେ ଥିବା ସମତଳ । ହିମାଳୟରୁ ଅନେକ ଗିରି-ନଦୀ ଏ ଅଞ୍ଚଳକୁ ଆସିଛନ୍ତି । ଏଠି “ବାରିଲ” ବୋଲି ଗୋଟିଏ ଛୋଟ ପାହାଡ଼ ଅଞ୍ଚଳ ମଧ୍ୟ ଅଛି ।

ତା ପରେ ପୂର୍ବକୁ ଗଲେ ପଡ଼ିବ ପୂର୍ବ-ବଙ୍ଗ, ବଢ଼ିର ଦେଶ । ବଙ୍ଗ ଦେଶର ନଦୀମାନେ କ୍ରମେ ପଶ୍ଚିମରୁ ପୂର୍ବକୁ ବାଟ ବଦଳାଇ ଯାଉଛନ୍ତି । ପ୍ରତିବର୍ଷ ଏଠି ନୂଆ ପଟୁ ପଡ଼ୁଛି, ତ୍ରିକୋଣଭୂମି ବଢ଼ୁଛି । ଏଠି ଏତେ ବଢ଼ି ହୁଏ ଯେ, ବର୍ଷା ଦିନେ ଚାରିଆଡେ଼ ସମୁଦ୍ର ପରି ଦିଶେ; କେବଳ ଖଣ୍ଡ ଖଣ୍ଡ ନଈବନ୍ଧ ଓ କୁଦ ଉପରେ ଥିବା ଘର ପାଣିରେ ଭାସିଲା ପରି ଦିଶେ । ଏଠି ଯିବା ଆସିବା ପାଇଁ ଡ଼ଙ୍ଗା ବ୍ୟବହାର କରାହୁଏ; ଗାଁକୁ ଗାଁ ଲୋକେ ଡ଼ଙ୍ଗାରେ ଯାଆନ୍ତି । ଏତେ ବଢ଼ି ହେଲେ କଣ ହେବ, ଅଞ୍ଚଳରେ ଖୁବ୍ ଧାନ ଓ ଝୋଟ ଫସଲ ହୁଏ । ପୃଥିବୀ ଭିତରେ କେବଳ ବଙ୍ଗ ଦେଶରେ ଝୋଟ ଚାଷ ହୁଏ; ତାକୁ ବଙ୍ଗାଳିମାନେ “ପାଟ” କହନ୍ତି ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Sunday, April 16, 2017

ଲଣ୍ଡନ


ପୃଥିବୀର ସବୁଠାରୁ ବଡ଼ ସହର


ଗୋପୀନାଥ ମହାନ୍ତି 


୧୯୩୦ ମସିହାରେ ଭିକ୍ଟୋରିଆ ଟାୱାରରୁ ଲଣ୍ଡନର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିଲାତର ରାଜଧାନୀ, ବ୍ରିଟି ସାମ୍ରାଜ୍ୟର କେନ୍ଦ୍ର ଲଣ୍ଡନ ପୃଥିବୀର ସବୁଠାରୁ ବଡ଼ ସହର । ତାର ଲୋକ ସଂଖ୍ୟା ଅଶୀ ଲକ୍ଷ ଅର୍ଥାତ ଦେଢ଼ ଶହଟି କଟକ ମିଶିଲେ ଯେତିକି ସେତେ । ଲଣ୍ଡନର ଧନ ଦଉଲତ ପ୍ରାୟ ଆଠ ହଜାର କୋଟି ଟଙ୍କା । ଲଣ୍ଡନ ସହରରେ ବାର ଲକ୍ଷରୁ ବେଶୀ ମଟର ଗାଡ଼ି ଅଛି । ଏଠି ମଟର ଗାଡ଼ି ଦୁର୍ଘଟଣାରେ ଦିନକୁ ହାରାହାରି ଦଶ ଜଣ ଲୋକ ମରନ୍ତି ।

ଏହି ସହରଟି ବହୁ ପୁରାତନ ସହର । କେତେକଟି ପ୍ରଧାନ କାରଣରୁ ଏ ସହରଟି ଏତେ ବଡ଼ ହୋଇ ଉଠିଛି । ବିଲାତର ବଡ଼ ନଦୀ ଟେମସ୍ ନଦୀ ଉପରକୁ ଠିକ୍ ଯେତିକି ଦୁର ପର୍ଯ୍ୟନ୍ତ ବଡ଼ ବଡ଼ ଯାହାଜ ଯାଇ ପାରିବ, ସେଠାରେ ଏ ସହର । ଅର୍ଥାତ ସେ ପାରିରୁ ଜିନିଷ ଆସିଲେ ଠିକ ଏଇ ସ୍ଥାନରେ ମାଲ ଉତାରି ଦେବ । ଆଉ ଉପରକୁ ଯାଇ ହେବନି । ଲଣ୍ଡନର ମୁହାଁମୁହିଁ ଠିକ୍ ସମୁଦ୍ର ଆର ପାଖେ ସ୍କେଲ୍ଟ ନଦୀର ମୁହାଁଣ । ଯେଉଁ ବାଟେ ଇଉରୋପ ମହାଦେଶ ଭିତରକୁ ବାଣିଜ୍ୟ ପଦାର୍ଥ ଯାଇ ପାରିବ ।

ଯଦି ଆମେ ପୂର୍ବ ଆଡ଼ୁ ଦେଖିଯିବା ତା ହେଲେ ପ୍ରଥମେ ଆଖିରେ ପଡ଼ିବ ଜାହାଜ ଆଉ ଅସଂଖ୍ୟ ଡ଼ଙ୍ଗା । ତାହା ତଳକୁ ସାମୁଦ୍ରିକ ଯୁଦ୍ଧ ବିଜ୍ଞାନ ଶିଖେଇବା ପାଇଁ ରୟାଲ ନ୍ୟାଭ୍ୟାଲ କଲେଜ ଅଛି । ଇଂରେଜ ଜାତିର ସବୁ ଉନ୍ନତିର ହେତୁ ହେଉଛି ନୌ ଶକ୍ତି । ଆଗକୁ ଅଛି ବିଖ୍ୟାତ “ଟାଉଆର୍ ବ୍ରିଜ୍” ପୋଲ, ଯାହା ତଳେ ଅସଂଖ୍ୟ ଯାହାଜ ଓ ଡ଼ଙ୍ଗା ଯାତାୟାତ କରୁଛି । ବଡ଼ ଜାହାଜ ଗଲାବେଳେ ଏଠି ଗୋଟାଏ ଣ୍ଟା ବାଜେ । ଉପରୁ ସବୁଲୋକ ଚାଲିଗଲେ ପୋଲଟା ଦୁଇଭାଗ ହୋଇଯାଇ ଦୁଇପାଖେ ଆକାଶକୁ ହାତ ଟେକେ, ତଳେ ବଡ଼ ଯାହାଜ ଚାଲିଯାଏ । ତା ପରେ ଦୁରକୁ ବିଲାତର ପାର୍ଲିମେଣ୍ ସଭାଗୃହ । ଏ ସ୍ଥାନର ଉତ୍ତରକୁ ଓ ପୂର୍ବକୁ ଅଛି ଇଷ୍ଟ୍-ଣ୍ଡ୍-ପଡ଼ା- କେବଳ ଗରିବଙ୍କ ବସ୍ତି । ଏ ଞ୍ଚଳର କୁତ୍ସିତ ବିବତ୍ସତା, ଅନାହାର, ଦୁର୍ଭିକ୍ଷ ଓ ଦୁର୍ଭାଗ୍ୟ ଧନିକର ପ୍ରାସାଦ ଓ ବିଳାସ ସେ ପାଖେ କଳଙ୍କ ପରି ରହିଛି । ଏଠି ସବୁ ଅପରିସ୍କୃତ ଓ ଅସୁନ୍ଦର ।

ବ୍ୟାଙ୍କ ଅଫ ଙ୍ଗଲ୍ୟାଣ୍ଡ ଓ ସେ ଞ୍ଚଳର ପ୍ରାସାଦ ସବୁ ପୃଥିବୀର ବ୍ୟବସାୟର କେନ୍ଦ୍ର । ଦିନବେଳେ ସହସ୍ର ସହସ୍ର ଲୋକ ଏଠାକୁ ଆସନ୍ତି । ନ୍ଧ୍ୟା ସମୟରେ ଏଠି ଶୂନଶାନ୍, କେବଳ କେତେଟା ପାରା, କେତେଟା ବିରାଡ଼ି ଓ କେତେ ଜଣ ପୁଲିସ୍ ଜଗୁଆଳି ମାତ୍ର ଥାଆନ୍ତି । ପୃଥିବୀରେ ଯେତେ ବଡ଼ ବଡ଼ ବ୍ୟବସାୟର କମ୍ପାନୀ ସବୁ ଅଛି, ସେମାନଙ୍କର ଏଠି ଶାଖା ଅଫିସ୍ ଅଛି । ଏଠି କୋଟି କୋଟି ଟଙ୍କାର କାରବାର ।

ତା ପରେ ପଡ଼ିବ ବିଖ୍ୟାତ ଲଣ୍ଡନ ପୋଲ । କାଳକ୍ରମେ ସହର ପଶ୍ଚିମକୁ ପଶ୍ଚିମକୁ ବଢ଼ୁଛି । ଷ୍ଟ୍ରାଣ୍ଡ୍ ରାସ୍ତାର ଦୁଇପାଖରେ ବଡ଼ ଦୋକାନ, ଥିଏଟର ଓ ହୋଟେଲ । ଆଗକୁ ଗୋଟିଏ ଛକ ଉପରେ ନେଲସନ୍ ଙ୍କର ପ୍ରତିମୁର୍ତି,- ଟ୍ରାଫାଲଗର୍ ନୌ-ଯୁଦ୍ଧରେ ସେ ନେପୋଲିୟନ୍ ଙ୍କୁ ହରାଇଦେଇ ନିଜେ ମରିଥିଲେ । ଇଂରେଜ ଜାତି ଅତି କର୍ତ୍ତବ୍ୟପରାୟଣ । କର୍ତ୍ତବ୍ୟ ସମ୍ମୁଖରେ ଏମାନେ ଜୀବନକୁ ତୁଛ ମନେ କରନ୍ତି ।

ବ୍ରିଟିଶ୍ ମିଜିୟମ୍ ପୃଥିବୀର ଜ୍ଞାନ ବିଜ୍ଞାନର ଗନ୍ତାଘର । ଆହୁରି ଦୁରକୁ ଦିଶିବ ବଙ୍କିଙ୍ଗହ୍ୟାମ୍ ରାଜପ୍ରାସାଦ । ତା ସେପାଖକୁ ଅନେକ ପାର୍କ ବଗିଚା । ସହରର ଗହଳି କଳରବ ଓ କୋଠା ମଝିରେ ଏଗୁଡ଼ିକ ଗୋଟେ ଗୋଟେ ଶାନ୍ତିର ସ୍ଥାନ ।

ଏ ପାର୍କ ଗୁଡ଼ିକ ତିନି ଶହ ଚାରି ଶହ ମାଣ ଜମି ମାଡ଼ି ବସିଛି । ଗଛ, ଲତା, ଫୁଲ, ଝରଣା ଓ ପୋଖରିରେ ଏପରି ସଜା ହୋଇଛି ଯେ ନନ୍ଦନକାନନ ସ୍ୱର୍ଗରୁ ମର୍ତ୍ତ୍ୟକୁ ଛିଣ୍ଡି ପଡ଼ିଥିବା ପରି ଲାଗେ । ପୋଖରିରେ ହଂସ ଖେଳୁଛନ୍ତି, ଜଙ୍ଗଲରେ ମୟୁର ବୋବାଉଛି । ଚାରିଆଡ଼ ବଣ, ଅଥଚ ଚାରିଆଡ଼ ସୁନ୍ଦର । ଗୋଡ଼ ତଳେ ସାଉଁଳିଆ କଅଁଳ ଘାସର ଶେ । ଏଠାକୁ ଆସି ଏତେ ଲୋକଙ୍କ ହସ ହସ ଉଜ୍ଜଳ ମୁହଁ ଦେଖିଲେ ଲୋକ ଭୋକ ଶୋଷ ଭୁଲିଯିବ । ଏଠି ଖୋଲା ପବନ ମିଳେ ଆନନ୍ଦ ଓ ଫୁର୍ତ୍ତି କରାଯାଇପାରେ । ପାର୍କ ପୋଖରୀରେ ପଇସା ଦେଇ ପହଁରା ଯାଇପାରେ ଓ ନାଆ ଖେଳାଯାଇପାରେ ।

ଲଣ୍ଡନ୍ ସହରରେ ମାଟିତଳେ ସୁଡ଼ଙ୍ଗରେ ରେଳଗାଡ଼ି ଚାଲେ; ତେଣୁ ଗହଳିକୁ ଡ଼ରି ଅନେକ ତଳ ରେଳ ବା ଟିଉବ୍ ରେଳଉଏରେ ଯାଆନ୍ତି । ଉପରେ ରାସ୍ତାରେ ଦୋତାଲା ଟ୍ରାମ୍ ଓ ବସ୍ ଚାଲୁଛି । ଦୁଇପାଖେ ଦଶତାଲା କୋଠା । ରବିବାର ଛଡ଼ା ଅନ୍ୟ ଦିନ କଚିରିକୁ ଗଲାବେଳେ ଓ ପାଞ୍ଚଟାରେ କଚେରିରୁ ଫେରିଲାବେଳେ ରାସ୍ତାରେ ଗାଡ଼ି ମଣିଷ ଖୁନ୍ଦି ହୋଇଯାଆନ୍ତି ।

ଲଣ୍ଡନ୍ ର ପୁଲିସ୍ ବାଲା ଉପରେ ଭାରି ଦାୟିତ୍ୱ । ପୃଥିବୀର ଅନ୍ୟ କୌଣସିଠାରେ ଏପରି ଧୁରନ୍ଦର ପୁଲିସବାଲା ନାହାନ୍ତି । ଏମାନେ ରାସ୍ତାରେ ଲୋକଙ୍କ ଆତଯାତ ଉପରେ ଜବତ ରଖିଥାନ୍ତି । ସାହେବମାନେ ଏପରି ଆଇନ ବାଧ୍ୟ ଲୋକ ଯେ ପୋଲିସବାଲା ରୋକିଦେଲେ କେହି ପାହୁଣ୍ଡେ ଯିବେ ନାହିଁ, ତେଣେ ମୁହୁର୍ତ୍ତକ ଡେ଼ରିରେ ପଛେ ହଜାର ହଜାର ଟଙ୍କା ଲୋକସାନ ହେଉ ।

ଲଣ୍ଡନର ଆହୁରି ଗୋଟେ କଥା ଚିର ଦିନ ମନେ ରହେ । ସେ ହେଉଛି ଏ ସହରର ପରିଚ୍ଛନ୍ନତା । ରାସ୍ତା ଓ ଘର ଏପରି ପରିଛନ୍ନ ଯେ, ସେଠି ଖଣ୍ଡେ କାଗଜ ସୁଦ୍ଧା ପାଇବ ନାହିଁ । ଏତେ ବଡ଼ ସହର, ଏତେ ଜନତା, ତଥାପି ଏତେ ପରିଷ୍କୃତ ପରିଚ୍ଛନ୍ନ ।

ବି.ଦ୍ର. : ଶ୍ରୀ ଗୋପୀନାଥ ମହାନ୍ତି ଲିଖିତ 'ଭୌଗଳିକ କାହାଣୀ'ରୁ ସଙ୍ଗୃହିତ ।

Friday, April 14, 2017

ଆମ ପଡ଼ୋଶୀ ପ୍ରଦେଶ


ଶ୍ରୀ ଗୋପୀନାଥ ମହାନ୍ତି 


୧୯୧୩ ମସିହାର ମାନ୍ଦ୍ରାଜ ପ୍ରଦେଶର ମାନଚିତ୍ର
ଏହି ମାନଚିତ୍ରର ତ୍ତର ପୂର୍ବ କୋଣରେ ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲ୍ଲା
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



ଆମ ଓଡ଼ିଶା ପ୍ରଦେଶର ଯେଉଁ ପ୍ରଦେଶମାନେ ପଡେ଼ାଶୀ ଅଛନ୍ତି, ସେମାନଙ୍କ କଥା ଆମର କିଛି କିଛି ଜାଣିବା ଦରକାର । ଉତ୍ତରକୁ ଯାଅ, ଦେଖିବ ପଡେ଼ାଶୀ ହିନ୍ଦୀ-ଭାଷୀ ଲୋକଙ୍କ ସହିତ ମିଶି ଭାଷା କିପରି ବଦଳିଯାଇଛି ।


ଉତ୍ତର-ପୂର୍ବରେ “ଖାଇତେ ଯିମି, ନାଇତେ (ଅର୍ଥାତ୍ ଗାଧୋଇ) ଯିମି” କଥାରୁ ବୁଝିବ ଲୋକେ କିପରି ବଙ୍ଗାଳି ଭାଷା ପ୍ରଭାବରେ ପଡ଼ିଛନ୍ତି । ଦକ୍ଷିଣରେ ଗଞ୍ଜାମର ଭାଷାରେ ତେଲଗୁ ଧାରା ପଡ଼ିଯାଇଛି । କାରଣ ଦକ୍ଷିଣରେ ମାନ୍ଦ୍ରାଜ ପ୍ରଦେଶ । ପଶ୍ଚିମରେ ମଧ୍ୟପ୍ରଦେଶ ଓ ବେରାର ଯେଉଁଠୂ ପୂର୍ବେ ମରହଟ୍ଟାମାନେ ଘୋଡ଼ା ଛୁଟାଇ ଆସୁଥିଲେ । ଏ ପ୍ରଦେଶମାନଙ୍କରେ ମଧ୍ୟ ଆମ ଦେଶରୁ ଅନେକ ଓଡ଼ିଆ-ଅଂଞ୍ଚଳ ରହିଯାଇଛି । ମେଦିନୀପୁର ଓ ବୀରଭୂମି ଓଡ଼ିଆ ରାଜ୍ୟ ଥିଲା, ବର୍ତମାନ ବଙ୍ଗ ଦେଶରେ । ଯେଉଁ କାଳିମାଟି (ଟାଟାନଗର) ର୍ତ୍ତମାନ ବିହାରରେ, ସେ ଆମର ଓଡ଼ିଆ ରାଜ୍ୟ ସିଂହଭୂମିରେ ରହିଛି, ଅଥଚ ସିଂହଭୂମି ଓଡ଼ିଶାରେ ନାହିଁ । ଓଡ଼ିଶାର ଅନେକ ଦେଶ ପଡେ଼ାଶୀମାନେ ମାଡ଼ି ବସିଛନ୍ତି । ପୂର୍ବେ ସେଠି କେବଳ ଓଡ଼ିଆ ଥିଲେ । ବର୍ତ୍ତମାନ ପଡେ଼ାଶୀ ପ୍ରଦେଶର ଲୋକମାନେ ପୂର୍ଣ୍ଣ ହୋଇଗଲେଣି ।

ମାନ୍ଦ୍ରାଜ ପ୍ରଦେଶ


ଓଡ଼ିଶାରୁ ଦକ୍ଷିଣକୁ ଗଲେ ପଡେ଼ ମାନ୍ଦ୍ରାଜ ପ୍ରଦେଶ । ପ୍ରଥମେ ଯେଉଁ ଅଞ୍ଚଳ ପଡ଼ିବ, ସେଠି ପାହାଡ଼ ସମୁଦ୍ର ପାଖକୁ ପାଖକୁ ଲାଗି ଆସିଛି । ତଳକୁ ତଳକୁ ଚଉଡ଼ା ଉପକୂଳ, ଗୋଦାବରୀ ଓ କୃଷ୍ଣା ନଦୀମାନଙ୍କର ମୁହାଣର ଅଞ୍ଚଳ । ସାଧାରଣ ବର୍ଷା ହୁଏ । ଧାନ, ରବି ଫସଲ ଓ ପ୍ରଚୁର ପରିମାଣରେ ଲଙ୍କାମରିଚ, ଗୋଲମରିଚ, ତେଜପତ୍ର ପ୍ରଭୃତି ମସଲା ହୁଏ । ଏ ଅଞ୍ଚଳ ପୂର୍ବେ ଆମ କଳିଙ୍ଗ ରାଜ୍ୟରେ ଥିଲା । ସମୁଦ୍ରର ବାଲିରେ ଆଖପାଖ ଧାନ କିଆରୀ ବେଳେ ବେଳେ ପୋତି ହୋଇ ପଡେ଼ ।


ଦକ୍ଷିଣକୁ ଗଲେ ଦେଖିବ, ଉପକୂଳ ଚଉଡ଼ା ହୋଇଯାଇଛି । ଏ ଅଞ୍ଚଳ ବେଶୀ ବର୍ଷା ପାଏ ଶୀତ ଦିନେ, ଯେତେବେଳେ ଉତ୍ତ-ପୂର୍ବ ମୌସୁମୀ ବାୟୁ ବହେ । ପଶ୍ଚିମକୁ ପାହାଡ଼ ଞ୍ଚଳ । ଖରା ଦିନେ ବର୍ଷା ହୁଏ ନାହିଁ ବୋଲି ଏଠି ଅନେକ ବଡ଼ ବଡ଼ ନାଳ ଖୋଳାହୋଇଛି । କାବେରୀ ନଦୀର ମୁହାଣ ଞ୍ଚଳରେ ଶହ ଶହ ବର୍ଷ ହେଲା ନାଳ ସବୁ ଖୋଳା ହୋଇଛି । ଉତ୍ତଞ୍ଚଳରେ ଯେପରି ଲୋକେ ତେଲୁଗୁ ଭାଷା କହନ୍ତି, ଦକ୍ଷିଣ ଞ୍ଚଳରେ ସେହିପରି ତାମିଲ୍ ଭାଷା କହନ୍ତି । ଏଠି ପ୍ରଚୁର ଚିନାବାଦାମ ହୁଏ, ବଡ଼ ବଡ଼ ଧୂଆଁ ପତ୍ର ଓ ଆଖୁକ୍ଷେତମାନ ଅଛି । ସମୁଦ୍ର କୂଳେ କୂଳେ ବାଲିବନ୍ତ ଉପରେ ନଡ଼ିଆ ଗଛ ମାଳ ମାଳ ହୋଇ ଉଠିଛି ।



ସମତଳ ସେପାଖେ ଘନ ଜଙ୍ଗଲ, ପୂର୍ବ ଘାଟ ପର୍ବତ, ଜଙ୍ଗଲରେ ଚନ୍ଦନ ଗଛ, ଟୀକ୍ ଗଛ । ଏଠି ରେଲଲାଇନ ଜାଲ ପରି ବୁଣା ହୋଇଛି । ମାନ୍ଦ୍ରାଜ ହର ଏଠିକାର ପ୍ରଧାନ ସହର । କ୍ରମେ ଆମେ ଭାରତବର୍ଷର ଶେଷ ଦକ୍ଷିଣ ସ୍ଥାନ କମୋରିନ୍ ଅନ୍ତରୀପ ବାଟେ ବୁଲି ପଡ଼ି ପୁଣି ଉତ୍ତରକୁ ଯାଉଁ ।



ମାନ୍ଦ୍ରାଜ ପ୍ରଦେଶ ତଳ ବାଟେ ଗୋଲ ବୁଲି ଦକ୍ଷିଣ ଭାରତରେ ପଶ୍ଚିମରେ ମଧ୍ୟ ବିସ୍ତୃତ ହୋଇଛି । ଏ ପଶ୍ଚିମ ଉପକୂଳ ପୂର୍ବ ଉପକୂଳ ପରି ଚଉଡ଼ା ନୁହେଁ ଓ ଏଠି ବଡ଼ ବଡ଼ ନଈ ନାହିଁ । ଏହାର ପୂର୍ବକୁ ଅଛି ପଶ୍ଚିମ ଘାଟ ପର୍ବତ, ପୂବ ଘାଟଠାରୁ ଉଚ୍ଚ, ଏଠି ପ୍ରଚୁର ଶାଳ ଗଛ ହୁଏ । ପାହାଡ଼ରୁ ଦୁଲ୍ ଦାଲ୍ ହୋଇ ଅନେକ ଛୋଟ ନଦୀ ଡେ଼ଇଁ ଡେ଼ଇଁ ସମୁଦ୍ରରେ ପଡ଼ିଛି । ସମୁଦ୍ର କୂଳେ କୂଳେ ବାଲିବନ୍ତ । ତା ସେପାଖକୁ ଧାନ କ୍ଷେତ । ଅସଂଖ୍ୟ ପାନ ବରଜ, ଗୋଲମରିଚ ଗଛ । ଏହା ଭାରତର ସବୁଠାରୁ ବେଶୀ ଉର୍ବର ଅଂଚଳ ।



ସ୍ଥାନେ ସ୍ଥାନେ ବାଲିବନ୍ତରେ ଛୋଟ ନଦୀର ମୁହାଁଣ ବନ୍ଦ ହୋଇଯାଇଛି; ତେଣୁ ପାଣି ଉଛୁଳି ପଡ଼ି ସମୁଦ୍ର ପାଖେ ଅନେକ ଜୋର ଓ ପାଟଭୂଇଁ ହୋଇଛି । ଗୋଟିଏ ପାଟରୁ ଆର ପାଟକୁ ଏହିପରି ଶହ ଶହ କ୍ରୋଶ ପର୍ଯ୍ୟନ୍ତ ସମୁଦ୍ର କୂଳେ କୂଳେ ନାଳମାନ ଖୋଳା ହୋଇଛି । ସମୁଦ୍ର ଆଡ଼ୂ ଦେଖିଲେ ଦିଶିବ, ବାଲିବନ୍ତ ଓ ପାଟର ବନ୍ଧମାନଙ୍କ ଉପରେ ଅସଂଖ୍ୟ ନଡ଼ିଆ ଗଛ । ଏଠି ଲୋକେ ନଡ଼ିଆ ବାହୁଙ୍ଗାରେ ଘର ଛୁଆଣି କରନ୍ତି ଓ ନଡ଼ିଆ ତେଲ, କତା ଦଉଡ଼ି ବ୍ୟବସାୟ କରନ୍ତି । ମାନ୍ଦ୍ରାଜ ଞ୍ଚଳରେ ଦୁଇ ପାଖର ପର୍ବତ ମଝିରେ ଅଛି ମାଳଭୂମି, ପାହାଡ଼ ବର୍ଷା ପବନକୁ ଅଟକାଇ ଦେବାରୁ ଖୁବ୍ ଅଳ୍ପ ବର୍ଷା ହୁଏ । ଖାଲି ଉଚ୍ଚ ଉଚ୍ଚ ପଥୂରିଆ ଲଣ୍ଡା ଟାଙ୍ଗର ଭୂମି ଓ ମୁଣ୍ଡିଆ । କ୍ଷେତରେ ପାଣି ଦେବାକୁ ଅସଂଖ୍ୟ ପୋଖରୀ କଟାହୋଇଛି ।

Thursday, April 13, 2017

ସମାଜ ବିଜ୍ଞାନ କାହିଁକି ଗୁରୁତ୍ୱପୂର୍ଣ୍ଣ -୧


ସୀମନ୍ତିନୀ ଧୁରୁ



ପିଲାମାନଙ୍କ ମଧ୍ୟରେ ବିଷୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କାର୍ଟୁନ ଏକ ଉତ୍ତମ ମାଧ୍ୟମ ।

ଏ ଲେଖାଟି ଲେଖିବା ପୂର୍ବରୁ ମୁମ୍ବାଇର ଏକ ମୁନସିପାଲ ସ୍କୁଲର କିଛି ପିଲା ଓ ଜଣେ ଶିକ୍ଷକଙ୍କ ସହ ମୁଁ କଥା ହେଲି । ସେମାନଙ୍କୁ ପଚାରିଲି ଯେ ଆମେ ସମାଜ ବିଜ୍ଞାନ କାହିଁକି ପଢୁ । ପାଠ୍ୟକ୍ରମରୁ ଯଦି ସମାଜ ବିଜ୍ଞାନର ବିଷୟଗୁଡିକୁ କାଢି ଦିଆଯାଏ ତେବେ କ’ଣ ହେବ ?

ଯଦିଓ ସମସ୍ତେ କହିଲେ ଯେ ପାଠ୍ୟପୁସ୍ତକ ସବୁ ଅନେକ ସମୟରେ ବୁଝା ପଡୁନଥିବା ଭଳି ବିଭିନ୍ନ ତଥ୍ୟରେ ଭର୍ତ୍ତି ହୋଇ ରହିଛି, କିନ୍ତୁ ବିଷୟ ଗୁଡିକର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ସମସ୍ତେ ରାଜି ହେଲେ । କେତୋଟି ରୋଚକ ଉତ୍ତର ହେଲା :

§  “ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ । ସମାଜ ବିଜ୍ଞାନ ଆମକୁ ଉଭୟ ପାର୍ଶ୍ୱ ବୁଝିବାରେ ଓ ନିର୍ଣ୍ଣୟ ନେବାରେ ସାହାଯ୍ୟ କରେ ।“
§  “ବିଜ୍ଞାନରୁ ଆମେ ଯନ୍ତ୍ରବିଦ୍ୟାର ବିକାଶ ଓ ବ୍ୟବହାର ଶିଖିଥାଉ । ସମାଜ ବିଜ୍ଞାନ ଆମକୁ ଯନ୍ତ୍ରବିଦ୍ୟାର କ’ଣ ପ୍ରଭାବ ରହିଛି ବୁଝିବାରେ ସାହାଯ୍ୟ କରେ ।”

ସମାଜର ଓ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ଅଙ୍ଗାଅଙ୍ଗୀ ଭାବେ ଜଡିତ । ସମାଜ ବିଜ୍ଞାନର ବିଷୟବସ୍ତୁ ଆମର ସାମାଜିକ ଲକ୍ଷ୍ୟଗୁଡିକ ବିଷୟରେ ଆମକୁ ସଚେତନ କରାଏ ଓ ସେଗୁଡିକୁ ମାନ୍ୟତା ଦିଏ । କେବଳ ଏତିକି ନୁହେଁ, ସାମାଜିକ ନ୍ୟାୟ ଓ ପରିବେଶ ସନ୍ତୁଳନ ସମ୍ବନ୍ଧୀୟ ସାର୍ବଜନୀନ ମୂଲ୍ୟବୋଧର କଷଟି ପଥରରେ ଆମର ସାମାଜିକ ଲକ୍ଷ୍ୟକୁ ପରଖିବା ପାଇଁ ସମାଜ ବିଜ୍ଞାନ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦିଏ ।
ସମାଜ ବିଜ୍ଞାନ ଶିକ୍ଷଣ ଉପରେ ଏନ.ସି.ଇ.ଆର.ଟି ର ନାସନାଲ ଫୋକସ ଗ୍ରୁପ ଏ କଥାଟିକୁ ନିମ୍ନ ରୂପରେ କହିଛନ୍ତି :

“ସ୍ୱାଧୀନତା, ବିଶ୍ୱାସ, ପରସ୍ପର ପ୍ରତି ସମ୍ମାନବୋଧ, ବିବିଧତା ପ୍ରତି ସମ୍ମାନବୋଧ ଇତ୍ୟାଦି ମାନବୀୟ ମୂଲ୍ୟବୋଧକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମାଜ ବିଜ୍ଞାନର ଏକ ଦାୟିତ୍ୱ ରହିଛି । ତେଣୁ, ଯେଉଁ ସାମାଜିକ ଶକ୍ତିଗୁଡିକ ଏହି ମୂଲ୍ୟବୋଧ ଗୁଡିକୁ ବେଖାତିର କରୁଛନ୍ତି ସେମାନଙ୍କ ପ୍ରତି ସଚେତନ ରହିବା ପାଇଁ ପିଲାଙ୍କ ଠାରେ ନୈତିକ ଓ ବୌଦ୍ଧିକ ବଳ ସୃଷ୍ଟି କରିବା ସମାଜ ବିଜ୍ଞାନ ଶିକ୍ଷଣର ଲକ୍ଷ୍ୟ ହେବା ଉଚିତ । ଭିନ୍ନ ଭିନ୍ନ ବିଷୟର ଜ୍ଞାନକୁ ଏକ ସଙ୍ଗରେ ଧରି ପରିବେଶ, ଜାତିଗତ ଓ ଶ୍ରେଣୀଗତ ବୈଷମ୍ୟ, ରାଷ୍ଟ୍ରର ଦମନଲୀଳା ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହେବା ଉଚିତ ।”


ଅନ୍ୟ ବିଷୟମାନଙ୍କରେ ଥିବା ପ୍ରସଙ୍ଗଗୁଡିକୁ ଅନୁଧ୍ୟାନ କରିବା ପାଇଁ ସମାଜ ବିଜ୍ଞାନ ଆମକୁ ଢାଞ୍ଚା ଯୋଗାଏ – ସେ ପ୍ରସଙ୍ଗ ସବୁ ସମାଜରେ କିପରି ବ୍ୟବହାର କରାଯାଉଛି ଓ କାହା ସ୍ୱାର୍ଥରେ । ଏପରିକି ତଥାକଥିତ ‘ବିଜ୍ଞାନ’ ର ଚେର ମଧ୍ୟ ଏକ ନିର୍ଦ୍ଦିଷ୍ଟ ସାମାଜିକ ଓ ସାଂସ୍କୃତିକ ପୃଷ୍ଠଭୂମିରେ ରହିଛି ଓ ଏହା ଦ୍ୱାରା ପ୍ରଭାବିତ ହେଉଛି । ବିଜ୍ଞାନକୁ ବ୍ୟବହାର କରି ଯେଉଁ ଯନ୍ତ୍ରବିଦ୍ୟା ଗଢିଉଠିଛି ଅନେକ ସମୟରେ ତାହାର ବ୍ୟବହାର ଅଳ୍ପ କେତୋଟି ପ୍ରଭାବଶାଳୀ ଦଳର ସ୍ୱାର୍ଥ ସାଧନ ପାଇଁ ହୋଇଥାଏ । ଏହି ଦଳ ମାନେ ବଛା ବଛା କେତୋଟି ଯନ୍ତ୍ରବିଦ୍ୟାର ଗବେଷଣା ପାଇଁ ସୁବିଧା ସୁଯୋଗ ସୃଷ୍ଟି କରନ୍ତି – ଅର୍ଥ ଦାନ କରି ବା ସରକାରୀ ନୀତିକୁ ପ୍ରଭାବିତ କରି (ଏଥିରେ ଶିକ୍ଷା ସମ୍ପର୍କିତ ନୀତିମାନ ମଧ୍ୟ ଅନ୍ତର୍ଭୁକ୍ତ) । ଆମ ସମାଜର ଚରିତ୍ର ନିର୍ଣ୍ଣୟରେ ଏ ସବୁର କ’ଣ ପ୍ରଭାବ ରହିଛି ସମାଜ ବିଜ୍ଞାନରେ ଥିବା ସାଧନମାନ ବ୍ୟବହାର କରି ବୁଝିହେବ ।

ସମାଜ ବିଜ୍ଞାନ ପ୍ରତି ଏବର ପ୍ରଚଳିତ ଦୃଷ୍ଟିଭଙ୍ଗୀ ହେଉଛି ଯେ ଏହି ପାଠର ଉପଯୋଗୀତା ନାହିଁ । ଶିକ୍ଷା ବ୍ୟବସ୍ଥାରେ ସମାଜ ବିଜ୍ଞାନକୁ ବେଖାତିର କରାଯାଉଥିବାରୁ ଏପରି ହୋଇଛି । ବିଦ୍ୟାଳୟର ସମୟ ସାରଣୀରେ ବିଜ୍ଞାନ, ଗଣିତ (ଓ ଆଜିକାଲି ଇଂରାଜୀ) ତୁଳନାରେ ସମାଜ ବିଜ୍ଞାନ ଓ ଆଞ୍ଚଳିକ ଭାଷା ପାଇଁ କେତେ ସମୟ ସମର୍ପିତ ଏତିକି ଦେଖିଦେଲେ ହିଁ କଥାଟି ପ୍ରମାଣିତ ହୋଇଯିବ । ସମାଜ ବିଜ୍ଞାନ ପଢାଉଥିବା ଶିକ୍ଷକଙ୍କ ତୁଳନାରେ ଅନ୍ୟ ବିଷୟର ଶିକ୍ଷକମାନଙ୍କୁ ବିଶେଷ ମର୍ଯ୍ୟାଦା ଦିଆଯାଏ । ସମାଜ ବିଜ୍ଞାନରେ ଆଗ୍ରହୀ ଓ ଅଗ୍ରଣୀ ଛାତ୍ରଛାତ୍ରୀଙ୍କୁ ବୁଦ୍ଧିମାନ ବୋଲି ମନେ କରାଯାଏ ନାହିଁ । ଲୋକେ ଭାବନ୍ତି ଭଲ ନମ୍ବର ରଖୁଥିବା ପିଲାମାନେ ସ୍ୱାଭାବିକ ଭାବରେ ଯନ୍ତ୍ରବିଦ୍ୟା ବା ଡାକ୍ତରୀ ପଢିବାକୁ ଚେଷ୍ଟା କରିବେ, ସମାଜ ବିଜ୍ଞାନ ନୁହେଁ । ଏ ନିର୍ଣ୍ଣୟଟି ବିଦ୍ୟାର୍ଥୀର ଜାତି/ଶ୍ରେଣୀ ତଥା ଜେଣ୍ଡର ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଚ୍ଚ ଜାତି ଓ ଧନୀକ ତଥା ମଧ୍ୟବିତ୍ତ ବର୍ଗର ପୁଅମାନଙ୍କୁ ଏପରି ପାଳନ କରାଯାଏ ଯେପରି ସେମାନେ ବଡ ହୋଇ ବିଜ୍ଞାନ ସମ୍ପର୍କିତ ବିଷୟମାନ ପସନ୍ଦ କରିବେ । ସେପରି ଝିଅ ପିଲା, ଦଳିତ, ଆଦିବାସୀ ଓ ଆର୍ଥିକ ଭାବରେ ଦୁର୍ବଳ ପରିବାରର ପିଲାଙ୍କୁ ସମାଜ ବିଜ୍ଞାନ ବାଛିବାକୁ କୁହାଯାଏ । ତେଣୁ ସମାଜ ବିଜ୍ଞାନ ଶିକ୍ଷାର ସଂସ୍କୃତିରେ ଉଦାସୀନତା, ଖାମଖିଆଲି ମନୋଭାବ ଭରି ରହିଛି ଓ ଆତ୍ମ-ସମ୍ମାନ କମିଯାଇଛି । 

ଏହାର କାରଣ ଅନେକ । ବିଦ୍ୟାଳୟ ସ୍ତରରେ ଖଣ୍ଡିତ, ଅସମ୍ପର୍କିତ ଓ ବୁଝା ପଡୁନଥିବା ତଥ୍ୟଗୁଡିକର ବୋଝ ସାଙ୍ଗକୁ ଉପଯୁକ୍ତ ଶୈକ୍ଷଣ ଶୈଳୀର ଅଭାବ ରହିଛିବିଷୟବସ୍ତୁ ଚୟନ ଓ ସଜ୍ଜୀକରଣ ବିଷୟର ପ୍ରକୃତ ଆବଶ୍ୟକତା ହିସାବରେ ନ ହୋଇ ତାହା ଉପରେ କେତେକ ନିର୍ଦ୍ଦିଷ୍ଟ ଚାପ କାମ କରୁଛି । ନ୍ୟାୟ ଓ ଶାନ୍ତିକୁ ବଳି ଦେଇ ସମାଜ ବିଜ୍ଞାନ ଆଳରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ କାର୍ଯ୍ୟଧାରା ଲଦି ଦିଆଯାଇଛି । ଦୁର୍ଭାଗ୍ୟବଶତଃ ଏହାର ଅନେକ ଉଦାହରଣ ମିଳିଯିବ । ଜେଣ୍ଡର, ଜାତି ଇତ୍ୟାଦି ସମସ୍ୟାକୁ ଅଣଦେଖା କରି ହିଂସାକୁ ପ୍ରବର୍ତ୍ତାଇବା, ଜାତୀୟତା ନାମରେ ଅନ୍ୟ ସମ୍ପ୍ରଦାୟ ପ୍ରତି ବିଦ୍ୱେଷ ସୃଷ୍ଟି କରିବା, ଭୁଲ ସମୟରେ ଓ ଭୁଲ ସନ୍ଦର୍ଭରେ ଐତିହାସିକ ବ୍ୟକ୍ତିତ୍ୱଙ୍କର ସ୍ତୁତି କରିବା ଓ ରାଜନୈତିକ ରଙ୍ଗ ଦେବା (ମହାରାଷ୍ଟ୍ରରେ ଚତୁର୍ଥ ଶ୍ରେଣୀରେ ରାଜା ଶିବାଜୀଙ୍କ ଇତିହାସ), ନିର୍ବିବାଦୀୟ ଭାବେ କେତେକ ନିର୍ଦ୍ଦିଷ୍ଟ ଯନ୍ତ୍ରବିଦ୍ୟାକୁ ପ୍ରୋତ୍ସାହନ ଦେବା (ପରମାଣୁ ବିଦ୍ୟା, ବଡ ବନ୍ଧ) ଇତ୍ୟାଦି ସେଭଳି ପୂର୍ବାଗ୍ରହର ଉଦାହରଣ ଅଟେ ।  

ପିଲାଙ୍କ ସହ ସତସତିକା ଦୁନିଆର ସମସ୍ୟାମାନ ଆଲୋଚନା କରିବା ଅନାବଶ୍ୟକ ବୋଲି ଲୋକେ ଭାବନ୍ତି । ପିଲାଏ ତାଙ୍କ ନିତିଦିନିଆ ଜୀବନରେ ସେ ସମସ୍ୟା ସବୁ ଅନୁଭବ କରି ପାରୁଥିଲେ ମଧ୍ୟ ଆମକୁ ଲାଗେ ଆମେ ଅଯଥାରେ କୋମଳମତି ପିଲାଙ୍କୁ ‘ବିବାଦାସ୍ପଦ’ କଥା ଆଡକୁ ଆକୃଷ୍ଟ କରୁଛୁ । ଯୁକ୍ତି କରାଯାଏ ଯେ ଏହା ଦ୍ୱାରା ନିରୀହ ଶିଶୁ ମନ ପ୍ରଭାବିତ ହେବ ଓ ସେମାନେ ‘ଭୁଲ’ କଥାକୁ ଅନୁସରଣ କରିବେ । ସତ କଥାଟି ହେଉଛି ଆମ ସଭିଙ୍କ ଭିତରେ ଭଲ ନିଷ୍ପତ୍ତିଟିଏ ନେବାର ଏକ ସ୍ୱତଃସ୍ଫୁର୍ତ୍ତ କ୍ଷମତା ରହିଛି । ଆମର ନିଷ୍ପତ୍ତିଗୁଡିକ ପଛରେ ଯେଉଁ ସମସ୍ତ କାରଣ କାମ କରେ ଆମେ ସେସବୁ ବିଷୟରେ କ୍ୱଚିତ ସଚେତନ ରହୁ ।  ସମାଜ ବିଜ୍ଞାନ ପଢା ନାଁ’ରେ କେବଳ ସ୍ଳୋଗାନ ଓ କେତେକ ସାଧାରଣ କଥା ହିଁ ପିଲାଙ୍କ ପାଖରେ ପହଞ୍ଚେ ।  ଲୋକଙ୍କ ଭାବନାକୁ ଆଘାତ ଲାଗିବ ବୋଲି ବିଷୟବସ୍ତୁକୁ ବସ୍ତୁନିଷ୍ଠ ଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ଉପସ୍ଥାପନ କରିବାରୁ ଶିକ୍ଷକଙ୍କୁ ନିବୃତ୍ତ କରାଯାଏ । ଏଣୁ ଆଜିପରି ଏକ ବିପଜ୍ଜନକ ସମୟରେ ଆମେ ପହଞ୍ଚିଛେ: ଆମେ କହିଲା ବେଳେ ସବୁ ଠିକ କଥା କହୁଛୁ ହେଲେ ଅସଲ କାମ ବେଳକୁ ସୁବିଧାବାଦୀ ସାଜୁଛୁ ।  

ଲେଖାଟିର ମୂଳପାଠର ଠିକଣା : http://www.teacherplus.org/things-to-think-about/why-social-sciences-are-important 

Wednesday, April 05, 2017

ରାମଚଣ୍ଡୀଠାରେ ରାତି*

(ଶ୍ରୀଯୁକ୍ତ ନୀଳକଣ୍ଠ ଦାସଙ୍କ ରଚିତ 'କୋଣାର୍କେ' କାବ୍ୟର ଉପକ୍ରମ)


ରାମଚଣ୍ଡୀ ମନ୍ଦିର । ଉତ୍ସ- ୱକିମିଡିଆ

କି କରାଳ ଆଜି ରଜନୀ
ବହେ ଝଞ୍ଜା ପବନ,
ତରା ନ ଦିଶଇ ଗଗନେ 
ଶୁଭେ ଘନ ଗର୍ଜନ ।

ମୂଷଳ ଧାରାରେ ଝଟିକା 
ଦିଏ କଚାଡି କେବେ,
ଶୋଇ ପଡିଛ ତ ବାପା ହେ 
ଜାଣୁ ନଥିବ ଲବେ ।

ଆଜି ଯେ କୁଆଁର ପୁନିଅଁ
କେତେ ସୁଖ ଶରଧା,
ମାଆ ଭଉଣୀଙ୍କ ଆଦର
ନବ ବସନ ପିନ୍ଧା ;

ମନେ ପଡୁ ନାହିଁ ବାବୁ ହେ
ଲାଗି ଯାଇଛି ନିଦ,
ମାଆ ଭଉଣୀଏ ଭବନେ
ଭଜିଥିବେ ବିଷାଦ ।

ଲୁଗାରେ ହଳଦୀ ଲଗାଇ
ଚାହିଁଥିବେ ଜନନୀ,
ପିଠା ପଣା ଖାଉ ନଥିବ 
ସୁଖେ ଆଜି ଭଗିନୀ ।

ପବନ ଝଙ୍କାରେ ଶୁଣୁ ସେ
ଥିବେ ଡାକ ତୁମ୍ଭର,
ପଲକେ ପଲକେ ଚମକି 
ହେଉଥିବେ କାତର ।

ଫାଟି ଯାଉଥିବ ଜାହାଜ
ତାଙ୍କ ହୃଦ ସାଗରେ,
ନିରାଶାରେ ଆଶା ଚମକେ
ଥିବେ ସେ ଉଜାଗରେ ।

ଜନନୀର ଗୁରୁ ବେଦନା
ଭଗିନୀର ବିଷାଦ,
ସୁମରି ସପନେ ଚମକି
ଭାଙ୍ଗି ଯିବଟି ନିଦ ।

ଶୁଅ ଶୁଅ ଧନ ଆରାମେ
ଶୋଇ ଥାଅରେ ଶିଶୁ,
ପଥଶ୍ରମ କରି ଆସିଛ
ଶ୍ରମେ ବିରାମ ମିଶୁ ।   


*ସତ୍ୟବାଦୀ ସ୍କୁଲ ପିଲାମାନେ କେବଳ ଶ୍ରେଣୀ ଗୃହରେ ଉନ୍ନତ ଶିକ୍ଷା ଲାଭ କରୁନଥିଲେ। ପରିଭ୍ରମଣ ଶିକ୍ଷାର ଏକ ଅଙ୍ଗ ରୂପେ ସେଠାରେ ଅନୁସୃତ ହୋଇଥିଲା ।ସେଥିପାଇଁ ନୀଳକଣ୍ଠ ପିଲାମାନଙ୍କୁ ସାଙ୍ଗରେ ନେଇ କୋଣାର୍କ, କଣ୍ଟିଲୋ ଆଦି ସ୍ଥାନକୁ ଯାଇଥିଲେ। କୋଣାର୍କ ଦର୍ଶନ କରି ସେ ମନ୍ଦିର ସଂପର୍କରେ ସମସ୍ତ ବିଷୟ ବୁଝି ପିଲାମାନେ ନୀଳକଣ୍ଠଙ୍କ ସହିତ ରାମଚଣ୍ଡୀ ଯାତ୍ରା କରିଥିଲେ। ରାମଚଣ୍ଡୀଠାରେ ଚନ୍ଦ୍ରକିରଣରେ ମାୟାଦେବୀଙ୍କ ମନ୍ଦିରର ଦୃଶ୍ୟ ଦେଖିବା ସେମାନଙ୍କର ଇଚ୍ଛା ଥିଲା। ସେ ଦିନ ଥିଲା କୁଆଁର ପୁନେଇ। ମାତ୍ର ପ୍ରବଳ ବର୍ଷା ଓ ବତାସି ହେତୁ ପିଲାମାନେ ମନ୍ଦିର ବାହାରକୁ ବାହାରି ପାରିନଥିଲେ। ପଣ୍ଡିତ ନୀଳକଣ୍ଠ ସେମାନଙ୍କ ଶୋଇବା ଅବସ୍ଥାରେ ନିଜେ ଅନିଦ୍ରା ରହି 'କୋଣାର୍କେ' କାବ୍ୟର 'ରାମଚଣ୍ଡୀରେ ରାତି' ଭାଗଟି ଲେଖିଲେ। 

ଉତ୍ସ -ଓଡିଶାର ସ୍ମରଣୀୟ ଶିକ୍ଷକ ବୃନ୍ଦ, ଲେଖକ - ଜଗନ୍ନାଥ ମହାନ୍ତି 


(କାବ୍ୟର ଏହି ଉଦ୍ଧୃତାଂଶଟି 'ସତ୍ୟବାଦୀ' ପତ୍ରିକାର ପଞ୍ଚମ ଖଣ୍ଡର ପଞ୍ଚମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । )

Monday, April 03, 2017

ପିଲାଙ୍କ ପାଇଁ କବିତା - 'ସଦାନନ୍ଦ ଶତପଥୀ'


କବି - ଜଗନ୍ନାଥ ପ୍ରସାଦ ଦାସ



ଜେନିଭା ସହରରେ ଟ୍ରାମ ପାଇଁ ଟ୍ରାଫିକ ଆଲୁଅ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶରଣକୁଳର ବାବୁ ସଦାନନ୍ଦ ଶତପଥୀ
ଯାଉଥିଲେ ଚଢ଼ି ଦିନେ ତାଙ୍କ ନୁଆ ଫଟଫଟି
ଟ୍ରାଫିକ ଆଲୁଅ ଲାଲ
ତାକୁ ସିଏ ହେଲେ ପାର -
ଏପରି ଭାବରେ ବାବୁ ପାଇଗଲେ ସଦଗତି ।

ଉତ୍ସ - ଆଳିମାଳିକା । ୧୯୯୩ । ପ୍ରକାଶକ - ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର । ନୂଆଦିଲ୍ଲୀ ।