Monday, August 03, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା

ପାଳବଂଶ ଓ ଦକ୍ଷିଣ ଭାରତ


କେଦାରନାଥ ମହାପାତ୍ର

ପାଳ ବଂଶ ସମୟର ବୁଦ୍ଧ ମୂର୍ତ୍ତି (୧୧ଶହ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପାଳବଂଶ

ବିହାର ଓ ବଙ୍ଗଳାରେ ପାଳବଂଶୀ ରାଜାମାନେ ୮୪୦ ଖ୍ରୀଷ୍ଟାବ୍ଦରୁ ପ୍ରାୟ ୨୫୦ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଧର୍ମପାଳ ଓ ତାଙ୍କ ପୁତ୍ର ଦେବପାଳ ଏହି ବଂଶର ଦୁଇଜଣ ଶ୍ରେଷ୍ଠ ରାଜାପାଳମାନେ ବୌଦ୍ଧ ଥିଲେ । ସେମାନେ ବଙ୍ଗଳା ଓ ବିହାରର ବହୁବିଧ ଉନ୍ନତି କରିଥିଲେ । ପାଳମାନଙ୍କ ପରେ ସେନ ବଂଶ ବଙ୍ଗଳାରେ ରାଜତ୍ୱ କଲେ । ଏହି ବଂଶର ଶେଷ ରାଜା ଲକ୍ଷଣ ସେନଙ୍କୁ ପରାସ୍ତ କରି ମୁସଲମାନମାନେ ବଙ୍ଗଳା ଅଧିକାର କଲେ ।

ଦକ୍ଷିଣ ଭାରତର ବିଭିନ୍ନ ରାଜବଂଶ

ବିନ୍ଧ୍ୟପର୍ବତ ଓ କୃଷ୍ଣାନଦୀର ମଧ୍ୟବର୍ତ୍ତୀ ପ୍ରଦେଶ ଦାକ୍ଷିଣାତ୍ୟ ଓ କୃଷ୍ଣାନଦୀଠାରୁ କୁମାରିକା ପର୍ଯ୍ୟନ୍ତ ରାଜ୍ୟ ଦ୍ରାବିଡ଼ ବା ତାମିଲ ଦେଶ ବୋଲି ପରିଚିତ ଥିଲା । ବହୁ ପ୍ରାଚୀନ କାଳରୁ ତାମିଲ ଅଞ୍ଚଳରେ ଚେର, ଚୋଳ, ପାଣ୍ଡ୍ୟ ନାମକ ତିନୋଟି ରାଜ୍ୟ ଥିଲା ।

ଚାଲୁକ୍ୟ: ମହାରାଷ୍ଟ୍ର ଅଞ୍ଚଳରେ ଚାଲୁକ୍ୟମାନେ ଷଷ୍ଠ ଶତାବ୍ଦୀରୁ କ୍ଷମତାଶାଳୀ ହେଲେ । ସେମାନେ ଉତ୍ତରରେ ରାଷ୍ଟ୍ରକୂଟ ଓ ଦକ୍ଷିଣରେ ପଲ୍ଲବମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ବାତାପି (ବିଜାପୁର ଜିଲ୍ଲାର ବାଦାମି) ସେମାନଙ୍କର ରାଜଧାନୀ ଥିଲା । ଦ୍ୱିତୀୟ ପୁଲକେଶୀ (ଖ୍ରୀ: ୬୦୮ରୁ ଖ୍ରୀ: ୬୪୨) ଏହି ବଂଶର ଶ୍ରେଷ୍ଠ ରାଜା । ସେ ହର୍ଷଙ୍କୁ ପରାସ୍ତ କରିଥିଲେ । ସେ ସମଗ୍ର ଦାକ୍ଷିଣାତ୍ୟ ଜୟ କରିଥିଲେ । ସେ ଏପରି ବିଖ୍ୟାତ ଓ କ୍ଷମତାଶାଳୀ ଥିଲେ ଯେ, ପାରସ୍ୟ ରାଜା ମଧ୍ୟ ତାଙ୍କ ସଭାକୁ ଦୂତ ପଠାଇ ଥିଲେ । ହୁଏନ୍‌ସାଂ ତାଙ୍କର ବିଶେଷ ପ୍ରଶଂସା କରିଛନ୍ତି । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇପଡ଼ିଲା ।

ରାଷ୍ଟ୍ରକୂଟ: ୮ମ ଶତାବ୍ଦୀରେ ରାଷ୍ଟ୍ରକୂଟମାନେ ମହାରାଷ୍ଟ୍ର ଅଞ୍ଚଳରେ କ୍ଷମତା ବିସ୍ତାର କରିଥିଲେ । ଏହି ବଂଶର ଶ୍ରେଷ୍ଠ ରାଜା ତୃତୀୟ ଗୋବିନ୍ଦ (ଖ୍ରୀ ୭୯୪ରୁ ଖ୍ରୀ ୮୧୫) ଗୁଜୁରାଟ, କନୌଜ, ବଙ୍ଗ ପ୍ରଭୃତି ଉତ୍ତର ଭାରତର ସମସ୍ତ ରାଜ୍ୟ ଜୟ କରି ହିମାଳୟ ପର୍ଯ୍ୟନ୍ତ ନିଜ କ୍ଷମତା ବିସ୍ତାର କରିଥିଲେ । ତାଙ୍କର ପିତାମହ କୃଷ୍ଣ, ଏଲୋରା ନାମକ ସ୍ଥାନରେ ପାହାଡ଼ କାଟି ଅତି ଚମତ୍କାର ଗୁମ୍ଫା ଓ ମନ୍ଦିରମାନ କରିଥିଲେ । ସେଗୁଡିକର ଶିଳ୍ପକଳା ଭାରତପ୍ରସିଦ୍ଧ । ସେମାନେ ପ୍ରାୟ ୨୦୦ ବର୍ଷ କାଳ ରାଜତ୍ୱ କରିଥିଲେ ।

ପଲ୍ଲବ: ୪ର୍ଥ ଶତାବ୍ଦୀରୁ ପଲ୍ଲବମାନେ ତାମିଲ ରାଜ୍ୟରେ ରାଜତ୍ୱ କରୁଥିଲେ । କାଞ୍ଚି ସେମାନଙ୍କର ରାଜଧାନୀ ଥିଲା । ସେମାନେ ଗଙ୍ଗ ଓ ଚାଲୁକ୍ୟମାନଙ୍କ ସଙ୍ଗେ ସର୍ବଦା ଯୁଦ୍ଧ କରୁଥିଲେ । ନରସିଂହ ବର୍ମନ୍ ଏହି ବଂଶର ଶ୍ରେଷ୍ଠ ରାଜା । ସେ ଦ୍ୱିତୀୟ ପୁଲକେଶୀଙ୍କୁ ଯୁଦ୍ଧରେ ମାରି ପକାଇଥିଲେ । ପଲ୍ଲବ ରାଜାମାନେ କାଞ୍ଚୀ ଓ ମଦୁରାରେ ଅସଙ୍ଖ୍ୟ ସୁନ୍ଦର ମନ୍ଦିର ଓ ଗୁମ୍ଫା ନିର୍ମାଣ କରିଥିଲେ । ସେଗୁଡିକ ଭୁବନେଶ୍ୱର, କୋଣାର୍କ ମନ୍ଦିର ପରି ଅତି ସୁନ୍ଦର ଓ ଆଜିପର୍ଯ୍ୟନ୍ତ ରହିଛି ।

ଚୋଳ: ପଲ୍ଲବମାନଙ୍କ ପରେ ଚୋଳମାନେ ୯ମ ଶତାବ୍ଦୀଠାରୁ ତାମିଲ ଅଞ୍ଚଳରେ କ୍ଷମତାଶାଳୀ ହେଲେ । ଏହି ବଂଶୀୟ ରାଜରାଜ ଓ ରାଜେନ୍ଦ୍ର ଚୋଳ ବିଶେଷ ଶକ୍ତିଶାଳୀ ଥିଲେ । ରାଜରାଜ (ଖ୍ରୀ: ୯୮୫ରୁ ଖ୍ରୀ: ୧୦୧୮) ନିଜ ବାହୁବଳରେ ଆଧୁନିକ ମାନ୍ଦ୍ରାଜ ପ୍ରଦେଶ ଓ ସିଂହଳଦ୍ୱୀପ ଜୟ କରି ଭାରତ ମହାସାଗରରେ ଥିବା କେତେକ ଦ୍ୱୀପ ମଧ୍ୟ ଜୟ କରିଥିଲେ । ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ (ଖ୍ରୀ: ୧୦୧୮ରୁ ଖ୍ରୀ: ୧୦୪୨) ସମଗ୍ର ଭାରତର ଜଣେ ପ୍ରସିଦ୍ଧ  ରାଜା । ସେ କୁମାରିକାଠାରୁ ଗଙ୍ଗା ପର୍ଯ୍ୟନ୍ତ, ବ୍ରହ୍ମଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ମଧ୍ୟ ଜୟ କରିଥିଲେ । ସେ ତାମିଲ ଦେଶରେ ଅସଙ୍ଖ୍ୟ କୀର୍ତ୍ତି ନିର୍ମାଣ କରିଥିଲେ । ତାଙ୍କ ପରେ ଚୋଳମାନେ ଆହୁରି ଦୁଇଶତ ବର୍ଷ କାଳ ରାଜତ୍ୱ କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକା ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।