Saturday, March 14, 2020

ଜ୍ଞାନଲାଭର ପ୍ରଥମ ସୋପାନ

ଶଶିଭୂଷଣ ରାୟ


ଚିତ୍ର - 'ଦି ଗୁଡ଼୍ ଏଜୁକେସନ୍'
ଚିତ୍ରକର - ଜଁ ବାପ୍ତିସ୍ତ୍ ସିମଁ ସାର୍ଦଁ (୧୬୯୯ - ୧୭୭୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଜ୍ଞାନଲାଭର ପ୍ରଥମ ସୋପାନ ବିଷୟ ଦୃଷ୍ଟି, ବିଷୟ-ବୋଧ ଓ ବିଷୟ-ଜ୍ଞାନ । ବିଷୟ ପ୍ରତି ଚିତ୍ତାକର୍ଷଣ ଓ ମନଃସଂଯୋଗରୁ ଏହି ଜ୍ଞାନଲାଭ ହୋଇପାରେ ।

ପ୍ରଥମରେ ବିଷୟଟି ପ୍ରତ୍ୟକ୍ଷଭୂତ ହେବା ଆବଶ୍ୟକ, ଏହା ଉତ୍ତାରୁ ସେହି ପ୍ରତ୍ୟକ୍ଷୀଭୂତ ବିଷୟ ଯେବେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରିପାରେ, ତେବେ ତାହା ପ୍ରତି ଆମ୍ଭମାନଙ୍କର ମନଃସଂଯୋଗ ହୋଇଥାଏ । ଏହି ମନଃସଂଯୋଗ ହେତୁ ବିଷୟକୁ ଆମ୍ଭେମାନେ ମନକୁ ଟାଣି ନେଇଥାଉ, ଆମ୍ଭମାନଙ୍କ ମନରେ ତାହା ମୁଦ୍ରିତ ହୋଇଥାଏ । ଏହି ମୁଦ୍ରଣରୁ ଆମ୍ଭମାନଙ୍କର ଜ୍ଞାନ ହେବା ହିଁ ସ୍ୱାଭାବିକ । 
ଆମ୍ଭମାନେ ଯେତେବେଳେ ବଜାର ହାଟକୁ ଯାଉଁ, ଯାତ୍ରା ଓ ତୀର୍ଥ ପ୍ରଭୃତିକୁ ଯାଉ, ସେତେବେଳେ ବହୁ ମନୁଷ୍ୟ ଆମ୍ଭମାନଙ୍କ ଦୃଷ୍ଟିରେ ପଡ଼ିଥାଆନ୍ତି, ବହୁ ଶଦ୍ଦ ଆମ୍ଭମାନଙ୍କର ଶୃତି ଗୋଚର ହୁଏ, ବହୁ ଗନ୍ଧ ନାସିକାରେ ଆଘ୍ରାତ ହୁଏ, ବହୁ ସ୍ପର୍ଶ ଉତ୍କୃଷ୍ଟ ହୋଇଥାଏ । କିନ୍ତୁ ଯେତେବେଳେ ଫେରି ଆସୁଁ, ବୃହତ୍ ଜନସଘଂର ଗୋଟିଏ ଅସ୍ପଷ୍ଟ ଛାୟା, ବହୁମିଶ୍ରିତ କଳରବର ଗୋଟିଏ ଅସ୍ପଷ୍ଟ ଶୃତିର ସ୍ମୃତି, ବହୁବିଧ ଗନ୍ଧସ୍ପର୍ଶର ଗୋଟିଏ ଅବକ୍ତବ୍ୟ ଅନୁଭୂତି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ । 
କାହାର କି ପ୍ରକାର ଆକୃତି, କିଏ କଅଣ କହିଥିଲା, କେଉଁ କେଉଁ ବିଶେଷ ଗନ୍ଧ କେତେବେଳେ ପାଇଥିଲୁଁ, କେଉଁ ସ୍ପର୍ଶ ଠିକ୍ କିପରି ଅନୁଭୂତ ହୋଇଥିଲା, ଏ ସମସ୍ତ ଆମ୍ଭେମାନେ ଭଲରୂପେ ମନେ ରଖିପାରୁ ନାହିଁ । ନ ପାରିବାର ହେତୁ କଅଣ ? କାରଣ, କୌଣସି ବିଶେଷ ରୂପ, ଶବ୍ଦ, ଗନ୍ଧ ବା ସ୍ପର୍ଶ ପ୍ରତି ଆମ୍ଭମାନଙ୍କର ଚିତ୍ତାକର୍ଷଣ ଅଥବା ମନଃସଂଯୋଗ ହୋଇ ନାହିଁ । 
ଏଥିମଧ୍ୟରୁ ଯେବେ କୌଣସି ବସ୍ତୁ ନିଜର ବିଶେଷତ୍ୱ ବଳରେ ଅଥବା ବାହାରର କୌଣସି ଘଟନା ସମ୍ପର୍କରେ ଆମ୍ଭମାନଙ୍କର ଚିତ୍ତାକର୍ଷଣ କରେ, ମନଃସଂଯୋଗ ଘଟାଇଥାଏ, ତେବେ ସେତିକି ମାତ୍ର ଆମ୍ଭମାନଙ୍କ ମନରେ ରହିଯାଏ, ଆମ୍ଭମାନଙ୍କର ସେତିକିର ଧାରଣା ଓ ଜ୍ଞାନ ହୋଇଥାଏ ।
ଏହିଭଳି ଜ୍ଞାତବ୍ୟ ବିଷୟଟି ଯେତେ ପରିସ୍ପୁଟ ଭାବରେ ଆମ୍ଭମାନଙ୍କର ପ୍ରତ୍ୟକ୍ଷୀଭୂତ ହେବ, ତାହା ପ୍ରତି ଚିତ୍ତାକର୍ଷଣ ଯେତେ ପ୍ରବଳ ହେବ, ମନଃସଂଯୋଗ ଯେତିକି ଦୃଢ ହେବ, ବିଷୟଟିର ଜ୍ଞାନ ଆମ୍ଭମାନଙ୍କର ସେତିକି ପରିସ୍ପୁଟ ହେବ,... ତାହା ସେତେ ଦୃଢ଼ ରୂପେ ଅଙ୍କିତ ହେବ ।
ବି.ଦ୍ର. - ଏହି ଲେଖାଟି ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ବହିଟିର କିୟଦଂଶ । ପୁସ୍ତକଟିର ଆମେ ବ୍ୟବହାର କରିଥିବା ପ୍ରଥମ ସଂସ୍କରଣଟି ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Thursday, March 12, 2020

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥାଗୁର୍ଜ୍ଜର ପ୍ରତିହର


କେଦାରନାଥ ମହାପାତ୍ର


ପ୍ରତିହାର ରାଜତ୍ୱ ସମୟର ଯକ୍ଷ ଗୋମୁଖ ଓ ତାଙ୍କ ସହଚରୀଙ୍କ ମୂର୍ତ୍ତି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କନୌଜ ଗୁର୍ଜ୍ଜର ପ୍ରତିହରମାନଙ୍କର ରାଜଧାନୀ ଥିଲା ଏହି ବଂଶର (ପ୍ରଥମ) ଭୋଜ ମହେନ୍ଦ୍ରପାଳ ନାମକ ଦୁଇଟି ରାଜା ବିଶେଷ କ୍ଷମତାଶାଳୀ ଥିଲେ ପ୍ରଥମ ଭୋଳ (ଖ୍ରୀ:୮୩୬-ଖ୍ରୀ: ୮୯୩) ପର୍ଯ୍ୟନ୍ତ ରାଜତ୍ୱ  କରୁଥିଲେ ତାଙ୍କ ରାଜ୍ୟ ପଞ୍ଜାବଠାରୁ ବଙ୍ଗଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା ତାଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ (ଖ୍ରୀ: ୮୯୩-ଖ୍ରୀ: ୯୦୭) ରାଜା ହେଲେ ସେ ଏହି ବଂଶର ଶ୍ରେଷ୍ଠ ରାଜା ସେ ପଶ୍ଚିମରେ ଗୁଜୁରାଟ ପୂର୍ବରେ ବଙ୍ଗ ଜୟ କରି ନିଜ ରାଜ୍ୟ ସହିତ ମିଶାଇଥିଲେ ତାଙ୍କ ସଭାରେ ରାଜଶେଖର ନାମକ ଜଣେ ବିଖ୍ୟାତ ପଣ୍ଡିତ ଥିଲେ ତାଙ୍କ ପରେ ଏହି  ବଂଶ ଦୁର୍ବଳ ହୋଇ ପଡ଼ିଲା

ପ୍ରତିହରମାନଙ୍କ ପରେ ଏହି ଜାତିର ଚୌହାନ, ରାଠୋର ଶିଶୋଦୀୟ ଶାଖା କ୍ଷମତାଶାଳୀ ହୋଇଥିଲେ ଚୌହାନମାନେ ଆଜମୀରରେ ରାଜତ୍ୱ କରୁଥିଲେ ବୀର ପୃଥ୍ୱୀରାଜ ଏହି ବଂଶର ଶ୍ରେଷ୍ଠ ରାଜା ରାଠୋରମାନେ କନୌଜରେ ଶାସନ କରୁଥିଲେ ଜୟଚନ୍ଦ୍ର ଏହି ବଂଶର ଶ୍ରେଷ୍ଠ ରାଜା ମିବାରରେ ଶିଶୋଦୀୟ ରାଜପୁତମାନେ ରାଜତ୍ୱ କରୁଥିଲେ ଚିତୋର ମିବାରର ରାଜଧାନୀ ଥିଲା ସେମାନେ ସ୍ୱାଧୀନତା ସତୀତ୍ୱକୁ ପ୍ରାଣଠାରୁ ବଡ଼ ବୋଲି ଭାବୁଥିଲେ

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Tuesday, March 10, 2020

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ନୂତନ ତାଲିମର ବ୍ୟାବହାରିକ ରୂପ

ଅନୁବାଦକ - ଚିତ୍ତରଞ୍ଜନ ଦାସ


ସେବାଗ୍ରାମସ୍ଥ ନୟି ତାଲିମ ସମିତିର କବିର ଭବନର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୁଁ ଯେଉଁ ବିଦ୍ୟାଳୟ ଚଳାଇବାକୁ ଯାଉଛି ସେଥିରେ ବାରବର୍ଷ ପର୍ଯ୍ୟନ୍ତ ବୟସର ପିଲା ନିଆଯିବେ । ଯେତେ ପିଲା ମିଳିବେ ସେମାନଙ୍କୁ ବହୁମୁଖୀ ଶିକ୍ଷା ଦିଆଯିବାର କଳ୍ପନା ଅଛି । ସେମାନଙ୍କୁ ହିନ୍ଦୀ ବା ଉର୍ଦ୍ଦୁ ଶିକ୍ଷା ଦିଆଯିବ । ତାହାରି ମାଧ୍ୟମରେ ଗଣିତ, ଇତିହାସ, ଭୂଗୋଳର ପ୍ରାରମ୍ଭିକ ଧାରଣା ଦେବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ତଥ୍ୟ ସହିତ ପରିଚୟ କରାଇ ଦିଆଯିବ ଓ କେତେକ ଧନ୍ଦା ମଧ୍ୟ ଶିଖାଇ ଦିଆଯିବ । 

ବର୍ତ୍ତମାନ ସୁଦ୍ଧା ଏହାର କୌଣସି ପାଠ୍ୟକ୍ରମ ପ୍ରସ୍ତୁତ ହୋଇନାହିଁ । କାରଣ ଏହା ଏକ ନୂତନ ମାର୍ଗ । ଅଧୁନା ପ୍ରଚଳିତ ଶିକ୍ଷାକୁ ମୁଁ ଭୟ ଓ ଅବିଶ୍ୱାସ ଦୃଷ୍ଟିରେ ଦେଖୁଅଛି । ଏହି ଶିକ୍ଷାରେ ପିଲାର ମାନସିକ ଓ ନୈତିକ ବିକାଶ ହେବା ଅପେକ୍ଷା ସେ ଶକ୍ତି ଜଡ଼ ହୋଇଯାଉଛି । ବର୍ତ୍ତମାନର ଶିକ୍ଷାପଦ୍ଧତିରେ ଭଲ ଦିଗ କଥା ମନକୁ ଆସିଲେ ମୋ ପ୍ରୟୋଗରେ ନିହିତ ତୃଟି ବାରିହୋଇ ପଡ଼ୁଛି । 

ମାତ୍ର ମୁଁ ସେଥି ପ୍ରତି ଅବହିତ ନହେବାର କାରଣ ହେଉଛି ଯେ ଆଗେ ପିଲାମାନେ ମାର୍ଜିତ ରୁଚି ସମ୍ପନ୍ନ ସ୍ତ୍ରୀ ପୁରୁଷମାନଙ୍କ ସମ୍ପର୍କରେ ଆସନ୍ତୁ ଏବଂ ସେମାନଙ୍କର ଚରିତ୍ର ନିଷ୍ପଳଙ୍କ ହେଉ ଏହାହିଁ ମୋର ମୁଖ୍ୟ ଉଦ୍ଦେଶ୍ୟ । ମୋ ଦୃଷ୍ଟିରେ ତାହା ହିଁ ଶିକ୍ଷା । ଉକ୍ତ ଉଦ୍ଦେଶ୍ୟ ପୂରଣ ସକାଶେ ଏକ ଅବଲମ୍ୱନ ରୂପରେ ଅକ୍ଷରଜ୍ଞାନକୁ ବ୍ୟବହୃତ କରାଯାଇପାରେ । 

ଜୀବିକାର୍ଜନର ଅଧିକା ଉପାୟ ଜାଣିବା ପାଇଁ ଯେଉଁ ବାଳକ ବାଳିକାମାନେ ଆସିବେ ସେମାନଙ୍କ ପାଇଁ କେତେକ ଧନ୍ଦା ଶିକ୍ଷାର ଆୟୋଜନ କରାଯିବ । ଏପରି ଉଦ୍ଦେଶ୍ୟ ନାହିଁ ଯେ ଶିକ୍ଷା ଶେଷରେ ସେମାନେ ପୈତୃକ ପେଷାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବେ । ବରଂ ବିଦ୍ୟାଳୟରେ ସେ ଯେଉଁ ଜ୍ଞାନ ଲାଭ କରିଥିବେ ତାହାରି ସାହାଯ୍ୟରେ କୃଷିରେ ଏବଂ କୃଷକ ଜୀବନରେ ଯେଉଁ ସଂସ୍କାର ହିତକର ହେବ ତାହା କରିବେ । 

ଆମର ଶିକ୍ଷକ ବର୍ଗ ବୟସ୍କ ଲୋକମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଯାହା ସମ୍ଭବ ତାହା କରିବେ ଏବଂ ସମ୍ଭବ ହେଲେ ସ୍ତ୍ରୀମାନଙ୍କୁ ଉନ୍ନତ ଜୀବନ ଗଢ଼ିବାରେ ପ୍ରଭାବିତ କରିବେ । ସ୍ୱାସ୍ଥ୍ୟରକ୍ଷା, ସହଯୋଗଶୀଳତା, ସାମୂହିକ କଲ୍ୟାଣ ଦୃଷ୍ଟିରୁ ଗ୍ରାମର ରାସ୍ତା ମରାମତି, କୂପଖନନ ଆଦି ବିଷୟ ବୟସ୍କମାନଙ୍କ ଶିକ୍ଷାର ଅନ୍ତର୍ଗତ ହେବ । ଏହି ହେତୁରୁ ସଚ୍ଚରିତ୍ର, ସୁଶିକ୍ଷିତ ପୁରୁଷ ବା ସ୍ତ୍ରୀ ଅଧ୍ୟାପନା କାର୍ଯ୍ୟ ପାଇଁ ନ ମିଳିଲେ ବରଂ କୌଣସି ବିଦ୍ୟାଳୟ ଖୋଲାଯିବ ନାହିଁ । ମୋ ଯୋଜନାରେ ଦାତବ୍ୟ ଚିକିତ୍ସା ବ୍ୟବସ୍ଥା କଥା ଅଛି ।

- ନଭେମ୍ୱର ୧୯୨୭ ଚମ୍ପାରଣ (ବିହାର)ରେ ଖୋଲିଥିବା ଏକ ବିଦ୍ୟାଳୟରେ ଭାଷଣ ।

Sunday, March 08, 2020

ଗିଜୁଭାଇଙ୍କ ଶିକ୍ଷାଦର୍ଶନ

ପ୍ରାଥମିକ ଶିକ୍ଷାର ପ୍ରସାର: ପ୍ରଶିକ୍ଷଣ କେନ୍ଦ୍ର

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଗିଜୁଭାଇ ବଧେକାଙ୍କ ଏକ ବହିର ମଲାଟ

ଏହା ସହିତ ଅନ୍ୟ ଶିକ୍ଷକଙ୍କୁ ଏହି ଶିକ୍ଷା ପଦ୍ଧତି ବିଷୟରେ ତାଲିମ ଦେବା ପାଇଁ ସେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଥିଲେ ନୂଆ ଶିକ୍ଷା ପଦ୍ଧତିରେ ହିଁ ଭଲ ଶିଖିହେବ, ତାହା ସେମାନେ ଗିଜୁଭାଇଙ୍କ କଥାରୁ ନୁହେଁ, କାମରୁ ଜାଣୁଥିଲେ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀମାନେ ଗିଜୁଭାଇଙ୍କଠାରୁ ପ୍ରତ୍ୟକ୍ଷ ପ୍ରେରଣା ଓ ମାର୍ଗଦର୍ଶନ ପାଉଥିଲେ

ପ୍ରଥମେ ପ୍ରଶିକ୍ଷାର୍ଥୀଙ୍କ ସଙ୍ଖ୍ୟା କମ୍ ଥିଲା କିନ୍ତୁ ଧୀରେ ଧୀରେ ଏମାନଙ୍କ ସଙ୍ଖ୍ୟା ବଢ଼ିଲା  ସକାଳୁ ସଞ୍ଜ ଯାଏଁ ବାଲମନ୍ଦିର ଏବଂ ପ୍ରଶିକ୍ଷଣ କେନ୍ଦ୍ରରେ କାମ ଚାଲୁଥିଲା  ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ସେ ରାସ୍ତା ଉପରେ ମଧ୍ୟ ଏହି ଶିକ୍ଷା ପଦ୍ଧତି ବିଷୟରେ ଆଲୋଚନା କରୁଥିଲେ 

ଗିଜୁଭାଇଙ୍କଠାରୁ ପ୍ରଶିକ୍ଷଣ ନେବା ପାଇଁ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ଆଦି ଅଞ୍ଚଳରୁ ଛାତ୍ର ଆସୁଥିଲେ  ଏଠାରୁ ଯାଇ ସେମାନେ ନିଜ ନିଜ ଅଞ୍ଚଳରେ ବାଲମନ୍ଦିର ଢାଞ୍ଚାରେ ସ୍କୁଲ ଖୋଲି ନୂଆ ଶିକ୍ଷା ପଦ୍ଧତିର ପ୍ରସାର କରୁଥିଲେ  ଗିଜୁଭାଇ ମଧ୍ୟ ରାଜକୋଟ, ପୋରବନ୍ଦର, ଜାମନଗର, ସୁରେନ୍ଦ୍ର ନଗର, ନନ୍ଦିଆଦ, ପାଟଣା, ଦାଦର, ଅହମ୍ମଦାବାଦ, ଇନ୍ଦୋର ଆଦି ଅଞ୍ଚଳରେ ବାଲମନ୍ଦିର ଖୋଲିଥିଲେ  ଫଳରେ ଅଧିକରୁ ଅଧିକ ପିଲା ଏହି ଶିକ୍ଷାର ଲାଭ ପାଇ ପାରିଥିଲେ 

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ  ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।