Tuesday, July 30, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ପ୍ରକୃତି ପରିଚୟ ଓ ଭ୍ରମଣ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଚିତ୍ର - 'ଉତ୍ତର ଭାରତରେ ଜ୍ୟୋତ୍ସ୍ନାସିକ୍ତ ରାତିରେ ବରଗଛ ତଳେ କିଛି ହାତୀ ଓ ମଣିଷ' 
ଚିତ୍ରକର - ଅଗସ୍ତ୍ ବୋର୍ଜେଟ୍ (୧୮୦୯ - ୧୮୭୭)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରକୃତି ପରିଚୟ


ପିଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରକୃତି ପରିଚୟ ନିହାତି ଆବଶ୍ୟକ ବୋଲି ଗିଜୁଭାଇ ମନେ କରୁଥିଲେ। ଏଥି ପାଇଁ ବାଳମନ୍ଦିରରେ ପକ୍ଷୀ ନିରୀକ୍ଷଣପ୍ରାଣୀ ଚିହ୍ନଟଠେକୁଆ ପାଳନକୀଟପତଙ୍ଗ ପାଳନଚଢ଼େଇ ବସା ଖୋଜା ଓ ଦେଖା ଆଦି କାର୍ଯ୍ୟକ୍ରମ କରାଯାଉଥିଲା । ବାଳମନ୍ଦିର ସ୍କୁଲର ପରିବେଶ ଦେଖିଲେ ବି ଗିଜୁଭାଇଙ୍କର ପ୍ରକୃତି ପ୍ରେମର ପରିଚୟ ମିଳେ ।

ଭ୍ରମଣ 

ଆଖପାଖର ଛୋଟ ଛୋଟ ଜାଗାକୁ ବୁଲିଯିବା ବି ବାଳମନ୍ଦିରର ନିୟମିତ କାର୍ଯ୍ୟକ୍ରମ ଭିତରେ ରହୁଥିଲା । ଏସବୁ ଭ୍ରମଣ ପୂରା ଯୋଜନାବଦ୍ଧ ଭାବରେ କରାଯାଉଥିଲା । ଭ୍ରମଣ ସମୟରେ ଗିଜୁଭାଇ ପିଲାଙ୍କ ମନସ୍ୱଭାବହାବଭାବ ଏବଂ ବ୍ୟକ୍ତିତ୍ୱକୁ ନିରନ୍ତର ନିରୀକ୍ଷଣ କରୁଥିଲେ । ପିଲାଙ୍କୁ ବିଭିନ୍ନ ଜାଗା ବୁଲାଇବା ବେଳେ ଗିଜୁଭାଇ ସେ ଜାଗା ସବୁ ବିଷୟରେ ଅନେକ ତଥ୍ୟ ଦେଉଥିଲେ ଏବଂ ଅନ୍ୟ ମଜା ମଜା କଥା ବି କହୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭା ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Monday, July 29, 2019

ଶିକ୍ଷକତା କାହିକିଁ ?

ଶଶିଭୂଷଣ ରାୟ


ଚିତ୍ର - 'ଦି ସ୍କୁଲ୍‌ମାଷ୍ଟର୍' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ଅଟୋ ରେଥେଲ୍ (୧୮୨୨ - ୧୮୯୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଯେ ମେଧାବୀ, ତୀକ୍ଷ୍‌ଣବୁଦ୍ଧି ବିଶିଷ୍ଟ, ମନସ୍ୱୀ ଓ ପଣ୍ଡିତ, ସେ ଯେବେ ଶିକ୍ଷକତାକୁ ଜୀବନର ବୃତ୍ତି ଓ ବ୍ରତ ରୂପେ ଗ୍ରହଣ କରିବାକୁ ଅଭିଳାଷୀ ହୁଅନ୍ତି, ଯେବେ ସେହି ବ୍ରତର ପୂର୍ଣ୍ଣ ପରିଚାଳନ ସକାଶେ ଅଥବା ସେହି ବ୍ରତରେ ସିଦ୍ଧିଲାଭ ସକାଶେ ଯତ୍ନଶୀଳ ହୁଅନ୍ତି, ଶିକ୍ଷା-ବିଜ୍ଞାନ-ଶାସ୍ତ୍ରାଲୋଚନାରେ ଯତ୍ନଶୀଳ ହୋଇ ଯେବେ ସେହି କାର୍ଯ୍ୟରେ ସେ ବ୍ରତୀ ହୁଅନ୍ତି, ତେବେ ତାଙ୍କଦ୍ୱାରା ପ୍ରକୃତ ଶିକ୍ଷାଦାନ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଶିକ୍ଷାରେ ଯେବେ ବାଳକର ପ୍ରକୃତ ମାନସିକ ଉନ୍ନତି କରିବାକୁ ହୁଏ, ତେବେ ଏହି ପ୍ରକାର ଶିକ୍ଷକ ହିଁ ଆବଶ୍ୟକ ।

ଦୁର୍ଭାଗ୍ୟକ୍ରମେ ଜ୍ଞାନ ଓ ଶକ୍ତିରେ ଉତ୍ତମ ବ୍ୟକ୍ତିଙ୍କ କଥା ଦୂରେ ଥାଉ, ମଧ୍ୟମ କାହିଁକି କୌଣସି ଅଧମ ବ୍ୟକ୍ତି ମଧ୍ୟ ଶିକ୍ଷକ ହେବାକୁ ଆଗ୍ରହାନ୍ୱିତ ନୁହନ୍ତି । ଜୀବନର ବୃତ୍ତି ଓ ବ୍ରତ ରୂପେ ଶିକ୍ଷକତା ଗ୍ରହଣ କରନ୍ତି-ଏ ଭଳି ଲୋକ ଅତି ଅଳ୍ପ ।

ଅବଶ୍ୟ ଦେଶରେ ଶିକ୍ଷକର ଅଭାବ ନାହିଁ । ଦେଶରେ ଅସଙ୍ଖ୍ୟ ବିଦ୍ୟାଳୟ, ସର୍ବତ୍ର ହିଁ ପ୍ରୟୋଜନାନୁସାରେ ଶିକ୍ଷକ ରହିଅଛନ୍ତି, ଆବଶ୍ୟକ ହେଲେ ପ୍ରୟୋଜନରୁ ଅତିରିକ୍ତ ଶିକ୍ଷକ ମଧ୍ୟ ମିଳନ୍ତି । କେହି ଡେପୁଟି, ଓକିଲ, ବଡ଼ ହାକିମ ଅଥବା କିରାଣୀ ହେବେବିଶ୍ୱବିଦ୍ୟାଳୟର ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ମଧ୍ୟରେ ପ୍ରାୟ ସମସ୍ତଙ୍କ ମନରେ ଏହିପରି ଗୋଟାଏ ଆଶା ଓ ଆକାଂକ୍ଷ୍ୟା ରହିଥାଏ । ଯେତେ ଦିନ ପର୍ଯ୍ୟନ୍ତ ତାହା ହୋଇପାରି ନାହିଁ, ସେତେ ଦିନ କିଛି ଅର୍ଥୋପାର୍ଜନ ହୋଇପାରିବ ଏବଂ ତହିଁ ସଙ୍ଗେ ସଙ୍ଗେ ଆକାଂକ୍ଷିତ ପଦଲାଭ ସକାଶେ ପରୀକ୍ଷାଦିନ ପ୍ରଭୃତି ହୋଇପାରିବ, ଏ ଭଳି କୌଣସି କାର୍ଯ୍ୟ କରିବାକୁ ସମର୍ଥ ହେଲେ, ସେମାନଙ୍କର ସମ୍ପୂର୍ଣ୍ଣ ସୁବିଧା ହୁଏ । ସ୍କୁଲ ଅନେକ, ଶିକ୍ଷକ ମଧ୍ୟ ଅନେକ ଆବଶ୍ୟକ ।...
ଏହି ଶ୍ରେଣୀର ଶିକ୍ଷକ ବ୍ୟତୀତ ଆଉ ଏକ ଶ୍ରେଣୀର ଶିକ୍ଷକ ଦୃଷ୍ଟ ହୁଅନ୍ତି । ଆମ୍ଭମାନଙ୍କର ଶିକ୍ଷାର୍ଥୀ ବାଳକ ଓ ଯୁବକମାନଙ୍କ ମଧ୍ୟରେ ଅତ୍ୟଳ୍ପ ଲୋକଙ୍କ ଜୀବନର ଗୋଟିଏ ସ୍ଥିର ଲକ୍ଷ୍ୟ ସେହି ଲକ୍ଷ୍ୟ ଅଭିମୁଖରେ ଅଗ୍ରସର ହେବାର ଚେଷ୍ଟା ଦୃଷ୍ଟ ହୁଏ । ଭବିଷ୍ୟତରେ କଅଣ ହେବ, କଅଣ କରିବାକୁ ହେବ, କାହିଁରେ ଜୀବନ ସାର୍ଥକ ହେବ, ଏ ସମସ୍ତ ଚିନ୍ତା କେହି କରନ୍ତି ନାହିଁ । ସମସ୍ତେ ପଢ଼ନ୍ତି, ଅଭିଭାବକ ସ୍କୁଲକୁ ପ୍ରେରଣ କରନ୍ତି ବୋଲି ପଢ଼ନ୍ତି । ଯେତେ ଦିନ ପଢ଼ାପଢ଼ି ଚାଲୁଥାଏ, ଅଥବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା ରହିଥାଏ, ସେତେ ଦିନ ପର୍ଯ୍ୟନ୍ତ ଏମାନେ ପଢ଼ନ୍ତି । ଯେତେବଳେ ପଢ଼ାପଢ଼଼ି ଅଚଳ ହୁଏ, ପ୍ରତିବର୍ଷ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବିରକ୍ତ ହୋଇଥାଆନ୍ତି, ଅଥବା ବୁଝନ୍ତି, ଆଉ ପଢ଼ାପଢ଼ି କରି କୌଣସି ଲାଭ ନାହିଁ, ସେତେବେଳେ ଏମାନେ ପାଠ ପରିତ୍ୟାଗ କରି ବାହାର ହୁଅନ୍ତି । ଏହି ସମୟରେ ପରିବାରର ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ଦାୟିତ୍ୱ ଏମାନଙ୍କ ମଧ୍ୟରୁ ଅନେକଙ୍କ ସ୍କନ୍ଧରେ ନ୍ୟସ୍ତ ହୋଇଥାଏ । ଅର୍ଥୋପାର୍ଜ୍ଜନ ସକାଶେ କିଛି କରିବା ଆବଶ୍ୟକ, ଅନ୍ୟ ଚାକିରୀ ଅପେକ୍ଷା ଶିକ୍ଷକତା ସହଜରେ ମିଳେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା-ଲାଭର ପ୍ରୟୋଜନ ବି ହୁଏ ନାହିଁ; ସୁତରାଂ ତାହା ହିଁ ଆଦରି ନିଅନ୍ତି । ଏମାନଙ୍କର ସୌଭାଗ୍ୟ ଫଳରୁ ଯେବେ ଅନ୍ୟ କିଛି ପାଆନ୍ତି, ତେବେ ସେହି ମୁହୂର୍ତ୍ତରେ ଶିକ୍ଷକତା ଛାଡି ଚାଲିଯାଆନ୍ତି ।

ଯେଉଁମାନେ ପ୍ରତିଭାଶାଳୀ, ସେମାନେ ପ୍ରାୟତଃ ଶିକ୍ଷକ ହେବାକୁ ଆସନ୍ତି ନାହିଁ, ଆସିଲେ ମଧ୍ୟ ତାହା ଦୁଇ ଦିନ ପାଇଁ ଅନ୍ୟ କାର୍ଯ୍ୟ ଚେଷ୍ଟାର ଅବସରରେ କିଛି ଅର୍ଥ ଉପାର୍ଜ୍ଜନ ସକାଶେ । ଯେଉଁମାନଙ୍କର ପ୍ରତିଭାର ଅଭାବ, ଅଥବା ପ୍ରତିଭାଶାଳୀ ହେଲେ ହେଁ ଦୈବ ଯେଉଁମାନଙ୍କର ପ୍ରତିକୂଳ, ସେମାନେ ଆକାଂକ୍ଷିତ ପଦଲାଭରେ ଅସମର୍ଥ ହୋଇ ଅନିଚ୍ଛା ଓ ଅସନ୍ତୁଷ୍ଟ ଚିତ୍ତରେ ଶିକ୍ଷକତା କରୁଥାଆନ୍ତି । ଆଉ ଯେଉଁମାନେ ଶିକ୍ଷକତା କରନ୍ତି, ସେମାନଙ୍କ ଜୀବନ ସାଧାରଣତଃ ଲକ୍ଷ୍ୟହୀନ, ମନ ଚିନ୍ତାହୀନ, ହୃଦୟ ଉଚ୍ଚଭାବଶୂନ୍ୟ ଓ ଆକାକ୍ଷାଂବିହୀନ, ପ୍ରକୃତି ବଳୟ ଓ ଅବସ୍ଥା ଦୁର୍ବଳ, ପ୍ରାଣ ନିରୁଦ୍ୟମ ଓ ତିରୁତ୍ସାବବିଶିଷ୍ଟ । କିଛି ଗୋଟାଏ କରିବାକୁ ହେବ, ଶିକ୍ଷକତା ସହଜରେ ମିଳିଗଲା, ସୁତାରଂ ତାହା କଲେ । 

ଏହା ହିଁ ଯେତେବେଳେ ଶିକ୍ଷକତା ବୃତ୍ତିର ସାଧାରଣ ଅବସ୍ଥା, ଯେତେବେଳେ ଅଧିକାଂଶ ଶିକ୍ଷକତା କରିବାକୁ ଅନିଚ୍ଛୁକ, ଯେଉଁମାନେ ହୁଅନ୍ତି, ସେମାନଙ୍କର ବିଶେଷ ଗରଜ ନ ପଡ଼ିଲେ ଶିକ୍ଷକ ହେବେ ନାହିଁ; ସୁତରାଂ ଭଲ ରୂପେ ଶିକ୍ଷାଦାନ କରିବା ସକାଶେ ସେମାନେ ଯେ ବିଶେଷ ଭାବରେ ଯତ୍ନଶୀଳ ହେବେ ଅଥବା ଚିନ୍ତା କରିବେ, ଶିକ୍ଷା-ବିଜ୍ଞାନର ଆଲୋଚନାରେ କଷ୍ଟ ସ୍ୱୀକାର କରିବେ, ଏହା ଆଶା କରିବା ବିଡମ୍ୱନା ମାତ୍ର । ଯେଉଁ କାର୍ଯ୍ୟରେ ମନର ଆଗ୍ରହ ନାହିଁ, ଜୀବନରେ ସାର୍ଥକତା ବୋଧ ନାହିଁ, ପ୍ରାଣର ପ୍ରକୃତ ତୃପ୍ତି ନାହିଁ, ସେ କାର୍ଯ୍ୟରେ କେହି ଯତ୍ନଶୀଳ ହୋଇପାରିବେ ନାହିଁ । 

ଶିକ୍ଷକଙ୍କୁ ଗାଳି ଦେଲେ ଏ ଦୋଷ ଘୁଞ୍ଚିବ ନାହିଁ, ବୁଝାଇ ବାଧ୍ୟ କରି କାର୍ଯ୍ୟ ଆଦାୟର ଚେଷ୍ଟା ମଧ୍ୟ ବୃଥା । କାହିଁକି ପ୍ରତିଭାଶାଳୀ ବ୍ୟକ୍ତି ଶିକ୍ଷକ ହେବାକୁ ଅନିଚ୍ଛୁକ, ଆମ୍ଭମାନଙ୍କୁ ସେତିକି ଦେଖିବାକୁ ହେବ । ସେମାନେ କିପରି ଶିକ୍ଷକ ହେବେ, କିପରି ସେମାନଙ୍କ ଚିନ୍ତା ଏଥିରେ ଆକୃଷ୍ଟ ହେବ, କିପରି ସେମାନଙ୍କ ମନରେ ଆଗ୍ରହ ଜନ୍ମିବ, କିପରି ସେମାନଙ୍କ ଜୀବନର ଆକାଂକ୍ଷାର ପୂର୍ଣ୍ଣତାରେ ପ୍ରାଣ ତୃପ୍ତ ହେବ, ଆମ୍ଭମାନଙ୍କୁ ଏହା ଦେଖିବାକୁ ହେବ ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Sunday, July 28, 2019

ପିଲାଙ୍କ ଢଗଢମାଳି - ୭

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଏଡିନବରାର ଗୋଲକଧନ୍ଦା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୩୧

ଅଖାଇ ନାନୀ ଖାଏ ନାହିଁ
ଖାଇଲେ ଦେହରେ ଯ।ଏ ନାହିଁ ।

ଅର୍ଥ - ନିଜେ ଯାହା ନ କରିବା ଏବଂ ଅନ୍ୟକୁ ତାହା କରାଇ ନ ଦେବା । ନିଜର ଭଲମନ୍ଦ ବିଚାର ଆଧାରରେ ଅନ୍ୟକୁ ଦେଖିବା ।

୩୨

ଅଖାଇ ରଙ୍କୁଣୀ ନ ଖାଏ ଭାତ
ମାରି ଦଉଥାଏ ପିହାଣ ସାତ ।

ଅର୍ଥ - ଯିଏ ଖାଇବାକୁ ଭଲ ଜିନିଷ ନ ପାଏ, ସେ ତାହାକୁ ଖାଇବାକୁ ବିକଳ ହୁଏ । 

୩୩

ଅଖାଇ ଅଖରା
ଅଖାଇ ନାନୀ ମାଡ଼ି ବସିଛି ମଝି ବଖରା ।

ଅର୍ଥ - ନିଜର କେଉଁଥିରେ କିଛି ନାହିଁ ବୋଲି ବାହାରକୁ ଦେଖାଇ ହେଉଥିଲେ ମଧ୍ୟ ଅସଲ କଥାରେ ନିଜକୁ ସମ୍ପୃକ୍ତ କରିବା ।  

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Saturday, July 27, 2019

ଗୁପ୍ତ ସାମ୍ରାଜ୍ୟ ପରେ ଦେଶର ଅବସ୍ଥା

କେଦାରନାଥ ମହାପାତ୍ର


ବୁଦ୍ଧଗୁପ୍ତଙ୍କ ସମୟରେ ମାଳବରୁ ପ୍ରାପ୍ତ ମୁଦ୍ରା (୪୭୬-୪୯୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯଶୋଧର୍ମ ଦେବ 

ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା । ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ହୁଣମାନେ ପ୍ରବଳ ହୋଇ ଉଠିଲେ । ‘ତୋରମାନ’ ଓ ‘ମିହିରକୁଳ’ ହୁଣ ରାଜାମାନଙ୍କ ମଧ୍ୟରେ ପ୍ରଧାନ । ପଞ୍ଜାବ ପ୍ରଦେଶର ଶାକଳ (ଶୈଳବୋଟ) ସେମାନଙ୍କର ରାଜଧାନୀ ଥିଲା । ଗୁପ୍ତମାନେ ଦୁର୍ବଳ ହୋଇ ପଡିବାରୁ ତୋରମାନ ମାଳବ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କର ପୁତ୍ର ମିହିରକୁଳ ବିଶେଷ ପରାକ୍ରମଶାଳୀ ଥିଲେ । ତାଙ୍କର ପ୍ରତାପରେ ସମଗ୍ର ଭାରତ କମ୍ପୁଥିଲା । କିନ୍ତୁ ଯଶୋଧର୍ମ ଦେବ ନାମକ ମାଳବର ଜଣେ କ୍ଷମତାଶାଳୀ ହିନ୍ଦୁରାଜା ମିହିରକୁଳଙ୍କ ସମ୍ପୂର୍ଣ୍ଣରୂପେ ପରାସ୍ତ କରି (୫୩୩ ଖ୍ରୀଷ୍ଟାବ୍ଦ) ଭାରତରୁ ହୁଣ ପ୍ରାଧାନ୍ୟ ଲୋପ କରିଥିଲେ । ଯଶୋଧର୍ମଦେବଙ୍କ ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଓଡିଶାର ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ, ପୂର୍ବରେ ବ୍ରହ୍ମପୁତ୍ରଠାରୁ ପଶ୍ଚିମରେ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ଭାରତର ଜଣେ ଶ୍ରେଷ୍ଠ ରାଜା ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Friday, July 26, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଶିକ୍ଷାରେ ପ୍ରହେଳିକା


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୩୭ ମସିହାରେ ଗାନ୍ଧିଜୀ
ଫଟୋ କ୍ରେଡ଼ିଟ୍ -  ୱିକିମିଡ଼ିଆ କମନ୍ସ୍


ଗାନ୍ଧିଜୀ - “ଏହି ନୂତନ ସଂସ୍କାର ଭିତରେ ସବୁଠାରୁ ନିଦ୍ଦୟ ବିଦୃପ ହେଉଛି ଯେ, ନିଜର ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ମଦ୍ୟପାନରୁ ଆୟ ଛଡ଼ା ଆମଠାରେ ଆଉ କିଛି ନାହି । ଶିକ୍ଷା ସମ୍ୱନ୍ଧରେ ଆମ ଆଗରେ ଏହା ହିଁ ସବୁଠାରୁ ବଡ଼ ସମସ୍ୟା । ମାତ୍ର ଏଥିରେ ଆମର ବିଚଳିତ ହୋଇପଡ଼ିବା ଉଚିତ ନୁହେଁ । ଆମେ ଏହାର ପ୍ରତିକାର ଖୋଜି ବାହାର କରିବା ଦରକାର । ଆମକୁ ଯାହା ମୂଲ୍ୟ ଦେବାକୁ ପଡ଼ୁ ପଛକେ, ଏହାର ସମାଧାନରେ ଯେପରି ପୂର୍ଣ୍ଣ ନିଶାନିବାରଣ ଯୋଜନାରୁ ଆମେ ଅଣୁ ମାତ୍ର ପଛଘୁଞ୍ଚା ନ ଦେଉଁ । ଯଦି ଆମକୁ ମଦ୍ୟପାନରୁ ଆୟ ନ ମିଳେ, ତେବେ ଆମେ ନିଜର ପିଲାମାନଙ୍କୁ ପାଠ ପଢ଼ାଇ ପାରିବୁ ନାହିଁ ଏ କଥା ଆମ ପକ୍ଷରେ ଲଜ୍ଜାଜନକ ଓ ଅପମାନଜନକ ବୋଲି ଆମେ ହୃଦୟଙ୍ଗମ କରିବା ଉଚିତ । ଯଦି ଏପରି ପରିସ୍ଥିତି ଆସି ପହଞ୍ଚେ, ତେବେ ଆମେ ଅପେକ୍ଷାକୃତ କମ୍ ବିପଦଟିକୁ ମୁଣ୍ଡାଇବୁ । ଯଦି ଆମେ କେବଳ ସଙ୍ଖ୍ୟା ଦେଖି ବିହ୍ୱଳ ହୋଇ ନ ପଡ଼ୁ ଏବଂ ଆଜିକାଲି ପିଲାମାନେ ଯେଉଁ ଶିକ୍ଷା ପାଉଛନ୍ତି, ଠିକ୍ ସେହି ଶିକ୍ଷା ଦେବାକୁ ଲାଳାୟିତ ନ ହେଉଁ, ତେବେ ଏ ସମସ୍ୟା ଆମର ବୁଦ୍ଧି ବଣା କରିଦେବ ନାହିଁ ।”


ପ୍ରଶ୍ନତେବେ ତ ଆପଣ ପ୍ରକୃତରେ ମାଧ୍ୟମିକ ଶିକ୍ଷାକୁ ଏକାବେଳକେ ଉଠାଇଦେବାକୁ ଚାହାନ୍ତି ଏବଂ ମ୍ୟାଟ୍ରିକୁଲେସନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ଗ୍ରାମ ବିଦ୍ୟାଳୟରେ ଦେବାକୁ ଇଚ୍ଛା କରନ୍ତି ?

ଗାନ୍ଧିଜୀନିଶ୍ଚୟ । ଶେଷରେ ଆପଣଙ୍କର ମାଧ୍ୟମିକ ଶିକ୍ଷା କଅଣ ? ନିଜର ମାତୃଭାଷାରେ ପିଲା ଯେଉଁ ବିଷୟମାନ ଦୁଇ ବର୍ଷରେ ଶିକ୍ଷା କରିପାରିଥା'ନ୍ତା, ତାକୁ ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ସାତ ବର୍ଷ କାଳ ପଢ଼ିବା ଛଡା ଆଉ କଅଣ ? ଗୋଟିଏ ବିଦେଶୀ ଭାଷା ମାଧ୍ୟମରେ ପଢ଼ିବାର ବୋଝରୁ ଯଦି ଆପଣ ପିଲାମାନଙ୍କୁ ମୁକ୍ତ କରି ଦିଅନ୍ତେ ଏବଂ ସେମାନଙ୍କର ହାତ-ଗୋଡ଼ରୁ ଲାଭଜନକ ଧନ୍ଦାରେ ଲଗାଇବାର ଶିଖାନ୍ତେ, ତାହା ହେଲେ ଏହି ଶିକ୍ଷାପ୍ରହେଳିକାର ସମାଧାନ ହୋଇଯା'ନ୍ତା । ତାହା ହେଲେ ବିନା ଦ୍ୱିଧାରେ ଆପଣ ମଦ୍ୟପାନରୁ ଆୟକୁ ବିସର୍ଜନ କରି ପାରନ୍ତେ । ମାତ୍ର ଏହି ଆୟ ଆପଣ ପରିତ୍ୟାଗ କରିବେଏ କଥା ଆଗେ ନିଶ୍ଚୟ ଅଙ୍ଗୀକାର କରିବା ଆବଶ୍ୟକ ଏବଂ ତାହା ପରେ ଶିକ୍ଷା ସମ୍ୱନ୍ଧରେ ଉପାୟ ଚିନ୍ତା କରିବେ । ଏହି ବିରାଟ ସାହସ ବାନ୍ଧି କାମ ଆରମ୍ଭ କରନ୍ତୁ ।

ହରିଜନ, ତା ୨୧..୧୯୩୭

Thursday, July 25, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳମନ୍ଦିରରେ ନିତିଦିନିଆ କାର୍ଯ୍ୟକଳାପ ଓ ପିଲାଙ୍କ ଖେଳ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଚିତ୍ର - 'କ୍ରୀଡ଼ାରତ ଶିଶୁଗଣ' (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଚିତ୍ରକର - ସୁ ହାନ୍‌ଚେନ୍ (୧୧୦୧-୧୧୬୧)
ଦ୍ୱାଦଶ ଶତାବ୍ଦୀରେ ଚୀନ ଦେଶର ସଙ୍ଗ୍ ବଂଶର ରାଜତ୍ୱ ସମୟରେ ଅଙ୍କିତ ଚିତ୍ର

ନିତିଦିନିଆ କାର୍ଯ୍ୟକଳାପ

ହାତଗୋଡ ଧୋଇବା, ଲୁଗା ପିନ୍ଧିବା ଓ ବଦଳାଇବା, ବୋତାମ ଲଗାଇବା, ଜଳଖିଆ ଖାଇବା ଭଳି ନିଜର କାମ ତଥା ଖାଇବା ବାଢ଼ିବା, ବାସନ ଧୋଇବା, ଅଗଣା ଓ କୋଠରୀ ସଫା କରିବା, ବଗିଚାରେ କାମ କରିବା, ଧାନ କୁଟିବା, ଆଦି ସାମୂହିକ ନିତିଦିନିଆ କାମ ବାଳମନ୍ଦିରର ଶିକ୍ଷାର ଏକ ଅଂଶ ଥିଲା । ଗିଜୁଭାଇ ଓ ତାଙ୍କ ସାଥିମାନେ ଅତି ସ୍ୱାଭାବିକ ଭାବରେ ଏସବୁ କାମ କରୁଥିଲେ । ତେଣୁ ଛୋଟ ପିଲାମାନେ ମଧ୍ୟ ତାହା କରୁଥିଲେ ଏବଂ ସ୍ୱାବଲମ୍ୱନଶୀଳ ହୋଇ ପାରୁଥିଲେ ।

ଧନ୍ଦାମୂଳକ ଶିକ୍ଷା 

ଏଥି ପାଇଁ ଗିଜୁଭାଇ ବାଲମନ୍ଦିରରେ କାଠର ଇଟା, ସିନ୍ଦୁକ, ମେକାନେ ତିଆରି, ମାଟି, ଚମଡ଼ା ଓ କାଚ କାମ ତଥା ଚିତ୍ରକଳା ଆଦି ଶିକ୍ଷା ଦେଉଥିଲେ । ପିଲାର ବିକାଶ କ୍ଷେତ୍ରରେ ଏହି ଧନ୍ଦାମୂଳକ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ହେଉଥିଲା ।

ପିଲାଙ୍କ ଖେଳ

ପିଲାମାନେ ନିଜ ନିଜ ଭିତରେ ମିଶି ଅନେକ ଖେଳ ଖେଳିଥା'ନ୍ତି । ଗିଜୁଭାଇ ସେସବୁ ଖେଳକୁ ବାଳମନ୍ଦିରରେ ମଧ୍ୟ ଖେଳାଉଥିଲେ । ସେ ଅନେକ ପ୍ରକାରର ପିଲାଙ୍କ ଖେଳ ସଙ୍ଗ୍ରହ କରିଥିଲେ ଏବଂ ଆବଶ୍ୟକତା ଅନୁଯାୟୀ ସେଗୁଡିକୁ ବଦଳାଇଥିଲେ । ଏସବୁ ଖେଳ ପିଲାକୁ ଶାନ୍ତ ଏବଂ ବ୍ୟବସ୍ଥିତ କରିବାରେ, ପିଲାମାନଙ୍କ ଭିତରେ ସୁସମ୍ପର୍କ ଆଣିବାରେ, ପିଲା-ଶିକ୍ଷକଙ୍କ ଭିତରେ ସ୍ନେହର ସମ୍ପର୍କ ଯୋଡ଼ିବାରେ ଏବଂ ପିଲାର ଶାରୀରିକ ଓ ମାନସିକ ବିକାଶ ଦିଗରେ ବହୁତ ଉପଯୋଗୀ ଥିଲା ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Tuesday, July 23, 2019

ଶିକ୍ଷା - ଶିକ୍ଷକଙ୍କର ଯୋଗ୍ୟତା

ଶଶିଭୂଷଣ ରାୟ


ପଶ୍ଚିମ ଭାରତର ଇହୁଦି ବେନେ-ଇସ୍ରାଏଲ ଜାତିର ଶିକ୍ଷକ
୧୮୫୫-୧୮୬୨ ମସିହା ମଧ୍ୟରେ ଉତ୍ତୋଳିତ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆମ୍ଭମାନଙ୍କ ବିଦ୍ୟାଳୟସମୂହର ଶିକ୍ଷାବ୍ୟବସ୍ଥାର ଓ ସାଧାରଣ ଅବସ୍ଥାର ଏଭଳି କେତେଗୁଡିଏ ତୃଟି ରହିଅଛି, ଯହିଁଁରେ ସମସ୍ତ ବାଳକ-ବାଳିକାଙ୍କ ଚକ୍ଷୁରେ ପ୍ରକୃତ ଜ୍ଞାନ-ବିକାଶ ହେବା ଏକପ୍ରକାର ଅସମ୍ଭବ ହୋଇଥାଏ । କିନ୍ତୁ ଏହି ସମସ୍ତ ତୃଟି ଥିଲେ ମଧ୍ୟ ଯେଉଁମାନଙ୍କ ମଧ୍ୟରେ ଯେଉଁଟିକ ଜ୍ଞାନ-ବିକାଶ ହେବାର ସମ୍ଭାବନା, ବିଦ୍ୟାଳୟର ସାଧାରଣ ଜ୍ଞାନଦାନପ୍ରଣାଳୀ ଦୋଷରୁ ସେତିକି ମଧ୍ୟ ହୁଏ ନାହିଁ । ଶିକ୍ଷକମାନଙ୍କ ହାତରେ ଜ୍ଞାନଦାନର ଭାର ରହିଅଛି, ସୁତରାଂ ଛାତ୍ରମାନଙ୍କୁ ଜ୍ଞାନ-ଲାଭ ଭଲ ନ ହେଲେ ସେଥି ସକାଶେ ଶିକ୍ଷକ ହିଁଁ ଦାୟୀ, ଏ କଥା ସମସ୍ତେ କହିବେ । ଏହାର ପ୍ରତିବାଦ କରିବା ମଧ୍ୟ କଠିନ । କାରଣ, ଦେଶରେ ଭଲ ଏବଂ ପ୍ରବୀଣ ଶିକ୍ଷକ ବଡ ଅଳ୍ପ ।

ଏହି ସଂସାର କ୍ଷେତ୍ରରେ ଯେ ଯେଉଁ କର୍ମ ଅବଲମ୍ୱନ କରିବେ, ସେହି କର୍ମ ଯଥାନିୟମରେ ପରିଚାଳନା ସକାଶେ, ସେହି କର୍ମରେ ସିଦ୍ଧିଲାଭ ସକାଶେ ଯଥାଯୋଗ୍ୟ ଦକ୍ଷତା ଲାଭ କରିବାକୁ ହେଲେ, ଯାହାଙ୍କର ଯେଉଁ ବିଦ୍ୟା-ବିଶେଷର ଅଧିକାରୀ ହେବାର ପ୍ରୟୋଜନ, ତାଙ୍କୁ ଯନ୍ତ୍ର ସହକାରେ ସେହି ବିଦ୍ୟାରେ ଅଧିକାର ଲାଭ କରିବାକୁ ହୁଏ ।

ଦେହତତ୍ତ୍ୱ, ବସ୍ତୁତତ୍ତ୍ୱ, ଚିକିତ୍ସା-ବିଜ୍ଞାନ ପ୍ରଭୃତି ଶାସ୍ତ୍ରରେ ବ୍ୟୁତ୍ପନ୍ନ ନ ହେଲେ ରୋଗ ଚିହ୍ନି, ରୋଗର କାରଣ ଓ ପ୍ରତିକାରର ଉପାୟ ବୁଝି ରୋଗୀର ଔଷଧ-ପଥ୍ୟର ବ୍ୟବସ୍ଥା କେହି କରି ପାରନ୍ତି ନାହିଁ । ସୁତରାଂ ଯେ ଚିକିତ୍ସିତ ହେବେ, ତାଙ୍କୁ ସର୍ବାଗ୍ରେ ସେହି ସବୁ ଶାସ୍ତ୍ରରେ ଜ୍ଞାନଲାଭ କରିବାକୁ ହେବ । ଆଇନ ନ ଜାଣି, ବିଚାର-ପ୍ରଣାଳୀ ନ ବୁଝି କେହି ମକଦ୍ଦମା ଚଳାଇ ପାରନ୍ତି ନାହିଁ; ସୁତରାଂ ଓକିଲ ହେଲେ ପ୍ରଥମରେ ବ୍ୟବସ୍ଥା-ଶାସ୍ତ୍ର ପଢ଼ିବାକୁ ହୋଇଥାଏ । ବିଜ୍ଞାନ ଓ କଳ-କୌଶଳ ଯେ ଆୟତ୍ତ କରିଅଛନ୍ତି, ସେ ଇଞ୍ଜିନିୟର ହେବେ । ବାଣିଜ୍ୟରେ ଦେଶର ଶ୍ରୀ-ସମ୍ପଦ ବୃଦ୍ଧି ଯେ କରିବାକୁ ଇଚ୍ଛୁକ, ତାଙ୍କୁ ଅର୍ଥନୀତି ଶାସ୍ତ୍ରର ତତ୍ତ୍ୱାଧିକାରୀ ହେବାକୁ ପଡିବ । କିରାଣୀ ହେଲେ କିରାଣୀ ବିଦ୍ୟା ଅଭ୍ୟାସ କରିବାକୁ ହେବ ।

ସଂସାରରେ ସମସ୍ତ କର୍ମ ମଧ୍ୟରେ ଶିକ୍ଷା-ଦାନ କର୍ମ କଣ ଏଡ଼େ ସହଜ ଯେ, ଏହା ସକାଶେ ବିଶେଷ କୌଣସି ଯୋଗ୍ୟତା ଲାଭର ପ୍ରୟୋଜନ ହୁଏ ନାହିଁ ? ଏହା କଣ ଭାତ ଖାଇବା ଭଳି, ଲୁଗା ପିନ୍ଧିବା ଭଳି, ଅଥବା ଶୋଇବା ଭଳି ଗୋଟାଏ 
ସାମାନ୍ୟ କାର୍ଯ୍ୟ ଯେ, ଯେ କେହି ଇଚ୍ଛା କଲେ କରିପାରିବେ ?

ଅବଶ୍ୟ କେବଳ ବର୍ଣ୍ଣ-ବିନ୍ୟାସ ଶିଖାଇବା, ବହି ପଢ଼ାଇବା, ଲେଖାଇବା, ପଢ଼ା ଦେବା ଓ ନେବା, ନ ପାରିଲେ ବେତ୍ରାଘାତ, ଏହି ସବୁ ଯେବେ ଶିକ୍ଷାଦାନ ହୁଏ ଏବଂ ଏଥିରେ ଯେବେ ଶିକ୍ଷା ଦାନ କର୍ମରେ ସିଦ୍ଧିଲାଭ ହୁଏ, ତେବେ ଏହା ଅତ୍ୟନ୍ତ ସହଜ କାର୍ଯ୍ୟ, ସନ୍ଦେହ ନାହିଁ । ଯେ ଯେଉଁ ବହିରୁ ପଢ଼ା ଦିଅନ୍ତି ଓ ନିଅନ୍ତି, ତାଙ୍କର ସେହି ବହିଖଣ୍ଡିକର ସାଧାରଣ ଭାବରେ ବୁଝିବାର ବିଦ୍ୟା ଥିଲେ ତାଙ୍କ ପକ୍ଷରେ ଅବଶ୍ୟ ଯଥେଷ୍ଟ ।

ଜ୍ଞାନ-ଗ୍ରହଣରେ ଓ ଜ୍ଞାନର ଅଧିକାରରେ ବାଳକର ମନ, ମନର ଶକ୍ତି ଓ ବୃତ୍ତିସମୂହର ପୁଷ୍ଟି ଓ ବିକାଶସାଧନ ପ୍ରଭୃତି ହିଁ ଶିକ୍ଷାଦାନର ପ୍ରକୃତ ଉଦ୍ଦେଶ୍ୟ । ବାଳକ ଯହିଁରେ ଦତ୍ତ ଜ୍ଞାନ ମନରେ ଗ୍ରହଣ ଓ ଆୟତ୍ତ କରିପାରିବ, ଯହିଁରେ ଦତ୍ତ ଜ୍ଞାନ ମନରେ ଗ୍ରହଣ ଓ ଆୟତ୍ତ କରିପାରିବ, ଯହିଁରେ କ୍ରମେ କ୍ରମେ ଏହି ଆୟତ୍ତ ଜ୍ଞାନରୁ ବାଳକର ମନୋବୃତ୍ତି ଓ ମାନସିକ ଶକ୍ତି ସମୂହର ନିୟମିତ ସ୍ଫୁରଣ ହେବ, ଶିକ୍ଷକଙ୍କୁ ସେହିଭଳି ଭାବରେ ଶିକ୍ଷାଦାନ କରିବାକୁ ହେବ । ସୁତରାଂ ମନ ପଦାର୍ଥଟି-ମନର ଶକ୍ତି ଓ ବୃତ୍ତିସମୂହର ସ୍ୱାଭାବିକ ପ୍ରକୃତି, ଗତି ଓ କ୍ରିୟା କିପରି, ଶିକ୍ଷକଙ୍କୁ ସର୍ବପ୍ରଥମରେ ବିଶେଷ ଭାବରେ ତାହା ଚିହ୍ନିବାକୁ ହେବ । ଏହା ଉତ୍ତାରୁ ତାହାଙ୍କୁ ଶିଖିବାକୁ ହେବ, କି କୌଶଳରେ ବିଷୟ ପ୍ରତି ବାଳକର ଚିତ୍ତାକର୍ଷଣ ଓ ମନଃସଞ୍ଜୋଗ ହେବ, ମନରେ ଜ୍ଞାନ ଅଙ୍କିତ ହେବ ଏବଂ କିପରି ସେହି ଅଙ୍କିତ ଓ ଗୃହିତ ଜ୍ଞାନ ଅବଲମ୍ୱନରେ ବାଳକର ଚିନ୍ତା ଓ କଳ୍ପନାଶକ୍ତି ପରିଚାଳିତ ଓ ଅନୁଶୀଳିତ ହେବ, କ୍ରମେ କ୍ରମେ କିପରି ତହିଁରୁ ବିଚାର ଓ ଯୁକ୍ତିଶକ୍ତିର ଉନ୍ମେଷ ହେବ । ଜ୍ଞାନର ଅଧିକାରରେ ବାଳକର ଜ୍ଞାନ ପିପାସା କିପରି ବଢ଼ିବ, କେଉଁଠାରୁ କିପରି ଭାବରେ ଜ୍ଞାନାମୃତରସ ଆଣି ସେହି ପିପାସାର ତୃପ୍ତି ସାଧନ କରିବାକୁ ହେବ, ତାହା ଶିକ୍ଷକଙ୍କୁ ଶିଖିବାକୁ ହେବ ।

ଏହା କଅଣ ସବୁ ପ୍ରକାର ଲୋକଙ୍କ କାର୍ଯ୍ୟ ? ବିଶେଷ କୌଣସି ବିଦ୍ୟାର ଆଲୋଚନା ବ୍ୟତୀତ ସହଜରେ ଏହି ଦକ୍ଷତା ଲାଭ କରିବାକୁ କେହି ସମର୍ଥ ନୁହନ୍ତି ।

ବି.ଦ୍ର. - ଶଶିଭୂଷଣ ରାୟଙ୍କ ଦ୍ୱାରା ଲିଖିତ 'ଶିକ୍ଷା' ଶୀର୍ଷକର ଏହି ବହିଟିର ପ୍ରଥମ ସଂସ୍କରଣ ୧୯୫୩ ମସିହାରେ ପ୍ରକାଶିତ ହୋଇଥିଲା । ପ୍ରକାଶକ ହେଲେ କଟକସ୍ଥ ଗୋପବନ୍ଧୁ ସାହିତ୍ୟ ମନ୍ଦିର । 

Tuesday, July 02, 2019

ପିଲାଙ୍କ ଢଗଢମାଳି - ୬

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୨୬

ଅଖଳ ମଖଳ ଚିତ୍ତ ଯା'ର
ପଦ୍ମ ପରି ପୁତ ତା'ର ।

ଅର୍ଥ - ଯେଉଁ ବ୍ୟକ୍ତିର ମନ କୂଟକପଟ ଛନ୍ଦବାଦଠାରୁ ଦୂରରେ ରହେ, ତାହାର ଭବିଷ୍ୟତ ଉଜ୍ଜଳ ହୋଇ ଥାଏ ।

୨୭

ଅଖା ଧୋଉ ଥିବ ଗୁଣ ଗାଉ ଥିବ ।
ଅର୍ଥ - କୌଣସି କାମ ବା କଥାର କୁଫଳ ପାଇଁ ସବୁ ଦିନେ ତା'କୁ ମନେ ପକାଇବା । ଏହା ସାଧାରଣତଃ କୁଫଳର ପରିଣାମକୁ ବୁଝାଏ ।

୨୮

ଅଖା ପଟକ
ଏ ଦେଶରେ ଭାବ ନାହିଁ, ଯିବା କଟକ ।
ଅର୍ଥ - ଦୂର ସ୍ଥାନ ଯାହା ହୋଇ ଥାଉନା କାହିଁକି, ତାହାର ସବୁ ସୁନ୍ଦର ଦିଶେ ।

୨୯

ଅଖାଇ ଖାଇ,
ସବୁ ଜଣା ଯାଏ ଯାତରା ଠେଇଁ ।
ଅର୍ଥ - କିଏ କଅଣ ଖାଏ ବା ନଖାଏ ତାହା ଯାତ୍ରାରେ ଜଣା ପଡ଼େ ।

୩୦

ଅଖାଇ ନାନୀ କରିଚି ଓଷା
ଡୋଲିକ ଚାଉଳ ଓଳିକେ ଖାଇଲା
ଦାନ୍ତ ଅଛି ଦରଘଷା
ଅର୍ଥ - ନିଜେ ସବୁ କିଛି କରି କିଛି ନକରିବା ପରି ନିଜକୁ ଦେଖେଇ ହେବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।