Monday, June 17, 2019

କୁମାରଗୁପ୍ତ ଓ ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ ତଥା ଗୁପ୍ତଯୁଗରେ ଭାରତର ଅବସ୍ଥା  


କେଦାରନାଥ ମହାପାତ୍ର



ଗୁପ୍ତ ସାମ୍ରାଜ୍ୟ ସମୟରେ ନିର୍ମିତ ଲୌହ ସ୍ତମ୍ଭ (ୱିକିମିଡିଆ କମନ୍ସ୍)
ବର୍ତ୍ତମାନ ଦିଲ୍ଲୀର କୁତବ୍ କମ୍ପ୍ଲେକ୍ସ ଭିତରେ ସ୍ଥିତ


କୁମାରଗୁପ୍ତ

ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର କୁମାରଗୁପ୍ତ ଖ୍ରୀ: ୪୧୩ ଠାରୁ ଖ୍ରୀ: ୪୫୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ଥିଲେ ଓ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । 

ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ

ସ୍କନ୍ଦଗୁପ୍ତଙ୍କ ପୂର୍ବରୁ ହୁଣ ନାମକ ଗୋଟିଏ ପାର୍ବତ୍ୟ ନୃଶଂସ ଜାତି ମଧ୍ୟ-ଏସିଆରୁ ଭାରତବର୍ଷକୁ ଆସିଥିଲେ । ସେ ହୁଣମାନଙ୍କୁ ପରାସ୍ତ କରି ଭାରତକୁ ପୁନର୍ବାର ବିଦେଶୀ ଶତୃମାନଙ୍କ ହାତରୁ ରକ୍ଷା କରିଥିଲେ । ସେ ପିତାମହଙ୍କ ତୁଲ୍ୟ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ସେ ଖ୍ରୀ: ୪୫୫ରୁ ଖ୍ରୀ: ୪୬୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ଗୁପ୍ତ ବଂଶ ଦୁର୍ବଳ ହୋଇଗଲା କିନ୍ତୁ ଗୁପ୍ତରାଜାମାନେ ବହୁ କାଳ ଭାରତର ନାନା ସ୍ଥାନରେ ରାଜତ୍ୱ କରିଥିଲେ । 

ଗୁପ୍ତଯୁଗରେ ଭାରତର ଅବସ୍ଥା 

ଗୁପ୍ତମାନଙ୍କ ରାଜତ୍ୱ କାଳରେ ଦେଶ ଶକ, ଯବନ, କୁଶାଣ ପ୍ରଭୃତି ବିଦେଶୀୟମାନଙ୍କ ହସ୍ତରୁ ମୁକ୍ତ ହୋଇଥିଲା । ବହୁ କାଳ ଲୁପ୍ତ ବ୍ରାହ୍ମଣଧର୍ମ ଗୁପ୍ତ ସମ୍ରାଟମାନଙ୍କ ସାହାଯ୍ୟରେ ଦେଶରେ ପୁନଃ-ପ୍ରତିଷ୍ଠିତ ହେଲା । ସଂସ୍କୃତ ସାହିତ୍ୟର ଚର୍ଚ୍ଚା ବୌଦ୍ଧଯୁଗରେ କମି ଯାଇଥିଲା । କିନ୍ତୁ ଗୁପ୍ତଯୁଗରେ ସଂସ୍କୃତରେ ଶତ ଶତ ପୁରାଣ, କାବ୍ୟ, ନାଟକ, ଶିଳାଲିପି, ତାମ୍ରଶାସନ ଲିଖିତ ହୋଇଥିଲା । ମହାକବି କାଳିଦାସ, କବି ହରି ସେନ, ଜ୍ୟୋତିଷାଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଓ ବରାହମିହିର ପ୍ରଭୃତି ଏହି ଯୁଗରେ ଜନ୍ମ ହୋଇଥିଲେ । ଅଜନ୍ତା ଗୁମ୍ପାରେ ଖୋଳା ହୋଇଥିବା ଚିତ୍ରଗୁଡିକ ସମଗ୍ର ପୃଥିବୀବିଖ୍ୟାତ । ଏହି ଯୁଗରେ ଭାରତୀୟମାନେ ବ୍ରହ୍ମଦେଶ, ଶ୍ୟାମ, କାମ୍ୱୋଡିଆ ଓ ଜାଭା, ସୁମାତ୍ରା ପ୍ରଭୃତିରେ ରାଜ୍ୟ ସ୍ଥାପନ କରି ହିନ୍ଦୁ ଧର୍ମ ଓ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ । ଏହି ସମସ୍ତ ଉନ୍ନତି ଯୋଗୁଁ ଗୁପ୍ତ ରାଜତ୍ୱକୁ ‘ସୁବର୍ଣ୍ଣ ଯୁଗ’ ବୋଲି କହନ୍ତି ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Wednesday, June 12, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୩'

ଅନୁବାଦକ - ଚିତ୍ତରଞ୍ଜନ ଦାସ


କଙ୍ଗ୍ରେସ କର୍ମୀ ମୃଦୁଲା ସାରାଭାଇଙ୍କ ସହ ମହାତ୍ମା ଗାନ୍ଧୀ (୧୯୪୨ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଲୋକେ ଇଂରେଜୀ ବକ୍ତୃତା ବିନ୍ଦୁବିସର୍ଗ ବୁଝିପାରୁ ନଥିଲେ ହେଁ ସେମାନଙ୍କର ଧୈର୍ଯ୍ୟ ଓ ସହଜାତ ଶିଷ୍ଠାଚାର ଦେଖି ମୁଁ ଆଶ୍ଚର୍ଯ୍ୟନ୍ୱିତ ହୋଇଗଲି । ସେମାନେ ଇଚ୍ଛା କରିଥିଲେ ଗୋଳମାଳ କରିଥାନ୍ତେ ;ମାତ୍ର ସେମାନେ ତାହା କରନ୍ତି ନାହିଁ । ମୋର ଏ କଥାରେ ଆପଣମାନଙ୍କର ସନ୍ଦେହ ହେଉଥିଲେ ଶ୍ରୋତାମାନଙ୍କୁ ହାତ ଉଠାଇବାକୁ କହି ମୁଁ ପ୍ରମାଣ କରିଦେଇପାରେ ଯେ କେତେ ଅଳ୍ପ ଛାତ୍ରମାନଙ୍କ ମଧ୍ୟରୁ କେତେ ଅଳ୍ପ ତାହା ବୁଝିଛନ୍ତି ।

ଆଉ ଗୋଟିଏ ବିଷୟ ପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମୋର ଲୋଭ ହେଉଅଛି । ମୁଁ ଯାହା ଆଦୌ ଆଶା କରି ନଥିଲି ସେପରି ଗୋଟିଏ ଦୃଶ୍ୟ ଆଜି ସକାଳେ ଦେଖିଲେ । ମାଲବୀୟଜୀଙ୍କଠାରୁ ନୀରବ ଆଶୀର୍ବାଦ ଗ୍ରହଣ କରି ତାଙ୍କ ଘର ବାଟେ ଛାତ୍ରମାନେ ଶୋଭାଯାତ୍ରା କରି ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଯାଉଥିଲେ । ସେମାନେ ଯେପରି ଚାଲୁଥିଲେ ସେଥିରୁ ବ୍ୟାୟାମ ଶିକ୍ଷାର ଅତି ପ୍ରାଥମିକ ଜ୍ଞାନର ଅଭାବ ଧରାପଡ଼ିଯାଉଥିଲା । ସୈନ୍ୟମାନଙ୍କ ପରି ଶୃଙ୍ଖଳିତ ଭାବରେ ପାଦ ମିଳାଇ ଓ ମେରୁଦଣ୍ତକୁ ସିଧା କରି ଚାଲିବା ପରିବର୍ତ୍ତରେ ସେମାନେ ବିଶୃଙ୍ଖଳ ଓ ନିର୍ଲକ୍ଷ୍ୟ ଭାବରେ ଯାଉଥିଲେ ।

ବିଶ୍ୱବିଦ୍ୟାଳୟ ପ୍ରକାଣ୍ତ ପ୍ରବେଶ ପଥରେ ଯେଉଁ ଦୃଶ୍ୟ ଆପଣମାନଙ୍କୁ ସ୍ୱାଗତ ଜଣାଏ,ତାହା ବିଷୟରେ ପଦେ ନକହି ମୁଁ ରହିପାରୁ ନାହିଁ । ଚାହିଁବା ମାତ୍ରେ ମାଲବୀୟଜୀଙ୍କୁ ମିଳିଯାଉଥିବା ଅର୍ଥ ଯୋଗୁଁ ଏଠାକାର ସୁଗମ୍ୟ ପ୍ରାସାଦମାଳା ସହିତ ଏହି ତୋରଣର ମଧ୍ୟ ସାମଞ୍ଜସ୍ୟ ଅଛି । ମାତ୍ର ତୋରଣର ଶିଖରରେ ମୁଁ କଅଣ ଦେଖିଲି ? ଇଂରାଜୀରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଧିକ ଭାଗ (ତିନି-ଚତୁର୍ଥାଂଶ) ମାଡ଼ି ବସିଛି । ଯେଉଁ ହିନ୍ଦୀ ଭାଷାରେ ଆପଣମାନେ ଜ୍ଞାନ ଅର୍ଜନ କରିବାର କଥା ସେହି ହିନ୍ଦୀରେ ମାତ୍ର ଏକ-ଚତୁର୍ଥାଂଶ ପରିସରରେ ଲେଖାହୋଇଛି । ଏଠାରେ ଇଂରାଜୀ ଭାଷାର କି ଆବଶ୍ୟକତା ଥିଲା ମୁଁ ବୁଝିପାରୁ ନାହିଁ ଯେଉଁମାନେ ଏହାର ଦାୟିତ୍ୱରେ ଥିଲେ ସେମାନେ ଟିକିଏ ଚିନ୍ତା କରିଥିଲେ ଜାଣିପାରିଥାନ୍ତେ ଯେ ଦେବନାଗରୀ ଓ ପାର୍ଶୀ ଲିପିରେ ଏ ନାମ ଲେଖା ହୋଇଥିଲେ ଠିକ୍ ହୋଇଥାନ୍ତା । ମାଲବୀୟଜୀଙ୍କର ବିଶ୍ୱବିଦ୍ୟାଳୟ ପାଇଁ ଓ ସାର୍ ରାଧାକୃଷ୍ଣନ୍‌ଙ୍କର ସାଂପଦାୟିତ ଐକ୍ୟ ପାଇଁ ଯେଉଁ ଅଭିଳାଷ ଅଛି ଏହି ଲେଖା ଲୋକଙ୍କ ଆଗରେ ଗୋଟିଏ ସଙ୍କେତ ହୋଇଥାନ୍ତା । ହିନ୍ଦୀ ଓ ଉର୍ଦ୍ଦୁ ଉଭୟକୁ ଏ ଅଞ୍ଚଳ ଲୋକେ ବୁଝୁଥିବାରୁ ଏବଂ ଉଭୟ ଲିପି ସହ ପରିଚିତ ହୋଇଥିବାରୁ ଏହା ଶୋଭା ପାଇଥାନ୍ତା । ଇଂରେଜୀ ଶିଖିବାରେ ଆମେ ବହୁକାଳ ନଷ୍ଟ କରିବା ହେତୁ ଆମର ମନ ଜଡ଼ ଓ ସ୍ମୃତିଶକ୍ତି ଓ କଳ୍ପନାଶକ୍ତି ଖର୍ବ ହୋଇଯାଇଛି ।

ହିନ୍ଦୀ କହି ଜାଣି ନଥିବା ଲୋକ ପକ୍ଷରେ ହିନ୍ଦୀ ଓ ହିନ୍ଦୁସ୍ତାନୀ ଶିଖିବା ଆଦୌ କଷ୍ଟକର ନୁହେଁ । ଗୁଜୁରାତୀ,ବଙ୍ଗଳା ବା ମରାଠୀ ଜାଣିଥିବା ଲୋକକୁ ମୁଁ ମାତ୍ର ତିନି ମାସ ମଧ୍ୟରେ ହିନ୍ଦୀ ଶିଖାଇ ଦେଇପାରେ । ଦକ୍ଷିଣ ଭାରତୀୟ ଭାଷା ତାମିଲ,ତେଲୁଗୁ,ମଲୟାଲମ୍ କନ୍ମଦ-ସଂସ୍କୃତ ଶବ୍ଧରେ ପୂର୍ଣ୍ଣ । ଯଦି ଆମ ଭିତରେ ଟିକିଏ ଆଗ୍ରହ ଓ ସ୍ୱଦେଶପ୍ରୀତ ଥାନ୍ତା ,ତେବେ ଦକ୍ଷିଣ ଭାରତୀୟ ଭାଷାପୁଞ୍ଜ ସମେତ ସମସ୍ତ ସଂସ୍କୃତ ସମ୍ଭୁତ ଭାଷାକୁ ଦେବନାଗରୀ ଲିପିରେ ଲେଖିବାକୁ ଆମ୍ଭେମାନେ ଦ୍ୱିଧା କରନ୍ତୁ ନାହିଁ ଏହି ଭାଷାଗୁଡ଼ିକରେ ବହୁ ଶବ୍ଧ ସମାନ ଅଛି । କେବଳ ସେତିକି ନୁହେଁ ମାତ୍ର ଲିପିଗୁଡ଼ିକ ମଧ୍ୟରେ ହଠାତ୍ ଦୃଷ୍ଟିରେ ପଡ଼ିବା ଭଳି ସାମଞ୍ଜସ୍ୟ ମଧ୍ୟ ଅଛି । ଆମ୍ଭମାନଙ୍କର ମନ ଅବସନ୍ନ ହୋଇ ପଡ଼ି ନଥିଲେ ଆମ୍ଭେମାନେ ସହଜରେ ଅଧଡ଼... ଭାରତୀୟ ଭାଷା ଶିଖି ନିଅନ୍ତେ । ପଣ୍ତିତମାନେ ହିନ୍ଦୀରେ ଯେପରି ସଂସ୍କୃତ ଓ ଶବ୍ଦମାନ ଭଳି ଦେଉଛନ୍ତି ସେହିପରି ଉର୍ଦ୍ଦୁ ପାଠୁଆମାନେ ସେଥିରେ ପାର୍ଶୀ ଓ ଆରବୀ ଶବ୍ଦ ଖନ୍ଦି ଦେବାକୁ ଗର୍ବ ଅନୁଭବ କରୁ ନଥିଲେ ଉର୍ଦ୍ଦୁ ଶିଖିବା କଷ୍ଟକର ହୁଅନ୍ତା ନାହିଁ ।

ଆଉ ଗୋଟିଏ କଥା ଆପଣମାନଙ୍କୁ କହିଥାଏଁ । ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ପରମ୍ପରା ଏହାର ପାର୍ଥକ୍ୟ ସୂଚକ ଅଭିବ୍ୟକ୍ତି ଥିବା ଆଶା କରାଯାଏ । ଉଦାହରଣ ସ୍ୱରୂପ ଅକ୍‌ସଫୋର୍ଡ ଓ କ୍ୟାମ୍ୱ୍ରିଜ୍ ବିଶ୍ୱବିଦ୍ୟାଳୟ ପାଶ୍ଚାତ୍ୟ ସଭ୍ୟତାର ବ୍ଲଟିଂ ପେପର (ଗ୍ରୁପା କାଗଜ) । ପାଶ୍ଚାତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଅଛୁଁ ବୋଲି ଆତ୍ମପ୍ରସାଦ ଲାଭ କରିଛୁଁ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ଲୋକସାଧାରଣଙ୍କର ଅଭାବ ଅସୁବିଧା ବା ଆବଶ୍ୟକତାକୁ ପ୍ରତିଫଳିତ ଓ ପୁରାଣ କରୁଛନ୍ତି କି? ଆପଣଙ୍କର ଏହି ବିଦ୍ୟାଳୟ ବିଶେଷତ୍ୱ ଏହା ଯେ ଏଠାରେ ଯେଉଁ ଇଞ୍ଜିନିୟରିଂ ଓ ଟେକ୍‌ନୋଲଜୀ ଶିକ୍ଷା ଦିଆଯାଏ ,ତାହା ଅନ୍ୟ କୁ ମାପି ନାହିଁ । ଏହାକୁ ମୁଁ ଗୋଟିଏ ବିଶେଷତ୍ୱ ବୋଲି ବିଚାର ନାହିଁ । ମୁଁ ଗୋଟିକର ସୂଚନା ଦେଉଛି । ଆଲିଗଡ଼ରୁ ଯୁବକ ବିଦ୍ୟାର୍ଥୀମାନଙ୍କୁ ଆପଣମାନଙ୍କର ବିଶ୍ୱବିଦ୍ୟାଳୟକୁ ଆକର୍ଷଣ କରିପାରିଛନ୍ତି କି? ସେମାନଙ୍କ ସହିତ ଆପଣମାନେ ନିଜକୁ ମିଳାଇ ଦେଇପାରିଛନ୍ତି କି? ମୁଁ ମନେ କରୁଛି ଯେ ତାହା ହିଁ ଆପଣମାନଙ୍କର ବିଶ୍ୱବିଦ୍ୟାଳୟର ବିଶେଷ ଅବଦାନ ଖାସ କାର୍ଯ୍ୟ ହେଉ । ଈଶ୍ୱର ମାଲବୀୟଜୀଙ୍କୁ ଆମ ଭିତରେ ଆଉ କେତେ ବର୍ଷ ରଖିଲେ ଅର୍ଥ ଆସିବ, ଅର୍ଥ ଅଧିକ ଆସିବ, ମାତ୍ର ମୁଁ ଯେଉଁ ଅଲୌକିକ କାର୍ଯ୍ୟ ଚାହୁଁଛି- ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ହୃଦୟର ମିଳନ-ତାହା ପଇସା ଦ୍ୱାରା ହୋଇ ପାରିବ ନାହିଁ । 

ମୁସଲମାନମାନଙ୍କୁ ଏଠାକୁ ନିମନ୍ତ୍ରଣ କରି ଆଣନ୍ତୁ ଏବଂ ସେମାନେ ଉକ୍ତ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ, ଆପଣମାନେ ମନରେ କିଛି ଧରନ୍ତୁ ନାହିଁ । ଲୋକମାନ୍ୟ ତିଳକଙ୍କର ଗଣନାରେ ଯେଉଁ ସଭ୍ୟତା ଦଶ ହଜାର ବର୍ଷର ପୁରୁଣା ବା ଅନ୍ୟମାନଙ୍କର ଗଣନାରେ ଆହୁରି ପୁରୁଣା, ଆପଣମାନେ ସେହି ମହାନ୍ ସଭ୍ୟତାର ପ୍ରତିନିଧି । ସେହି ସଭ୍ୟତାର ବିଶେଷ ଅବଦାନ ହେଉଛି ସାରା ସଂସାରକୁ ମିତ୍ର କରିବା । ପବିତ୍ର ଗଙ୍ଗାନଦୀ ପରି ଆମର ସଭ୍ୟତା ବାହାରର ବହୁ ଧାରାକୁ ନିଜ ଭିତରେ ମିଳାଇ ନେଇଛି ଏବଂ‌ ମୋର ନିବେଦନ ଯେ ଯେଉଁ ହିନ୍ଦୁ ବିଶ୍ୱବିଦ୍ୟାଳୟ ହିନ୍ଦୁ ସଂସ୍କୃତ ଓ ସଭ୍ୟତାର ପ୍ରତିନିଧିତ୍ୱ କରିବାକୁ ଯତ୍ନ କରୁଛି । ଅନ୍ୟ ସଂସ୍କୃତରେ ଯାହା କିଛି ଉତ୍କଷ୍ଟ ରହିଛି, ସେଗୁଡ଼ିକ ସ୍ୱାଗତ କରୁ ଓ ନିଜ ଭିତରେ ସମାବିଷ୍ଟ କରିନେଉ ଏବଂ ସାଂପ୍ରଦାୟିକ ଐକ୍ୟ ଓ ସଂପ୍ରୀତିର ଆଦର୍ଶ ହେଉ । ଏପରି ଗଢି ଉଠିବାକୁ ଇଂରେଜୀ ସାହାଯ୍ୟ କରିବ ନାହିଁ । ଆମର ପ୍ରାଚୀନ ଜ୍ଞାନ ଆମର ଧର୍ମଶାସ୍ତ୍ରଗୁଡ଼ିକୁ ଯଥୋଚିତ ଭାବରେ ଆମେ ଅଧ୍ୟୟନ କଲେ ଓ ସେଗୁଡ଼ିକ ମର୍ମ ବୁଝିଲେ-ଆପଣମାନଙ୍କର ସହାୟକ ହେବ ।

ଆଉ ପଦେ କହି ମୋର ବକ୍ତବ୍ୟ ଶେଷ କରିବି । ଆପଣମାନେ ପ୍ରାସାଦୋପମ ଛାତ୍ରାବାସରେ ରହୁଛନ୍ତି ; ମାତ୍ର ପଣ୍ତିତଜୀ ଯେଉଁ କ୍ଷୁଦ୍ର କୁଟୀରରେ ଅତି ସାଦାସିଧା ଭାବରେ ଓ ନିରାଡ଼ମ୍ୱର ଭାବରେ ରହନ୍ତି ତାକୁ ଦେଖନ୍ତୁ । ତାଙ୍କ କୋଠରୀ ଭିତରକୁ ଯାଇ ଦେଖନ୍ତୁ କୌଣସି ସାଜସଜ୍ଜା ନାହିଁ ଏବଂ ଅତି ସାମାନ୍ୟ ଉପକରଣ । ଆପଣମାନେ ତାଙ୍କର ଉତ୍ତରାଧିକାରୀ ହେବେ ତାଙ୍କର ଜୀବନର ଅନୁକରଣରେ ନିଜର ଜୀବନ ଗଢ଼ନ୍ତୁ । ଆପଣମାନଙ୍କ ମଧ୍ୟରୁ ଅନେକେ ଦରିଦ୍ର ପିତାମାତାଙ୍କର ସନ୍ତାନ । ଦରିଦ୍ର ଲୋକଙ୍କର ପ୍ରତିନିଧିତ୍ୱ ଆପଣମାନେ କରିବେ, ଏକଥା ଭୁଲିଯାନ୍ତୁ ନାହିଁ । ତେଣୁ ଅୟସ-ବିଳାସର ଜୀବନ ଆମ ଦେଶର ଦାରିଦ୍ର୍ୟ ସହ ଖାପ୍ ଖାଏ ନାହିଁ । ମାଲବୀୟଜୀଙ୍କର ପରି ଆପଣମାନେ ପ୍ରତ୍ୟେକେ ସରଳ ଜୀବନ ଯାପନ ଓ ମହାନ୍ ଚିନ୍ତନର ପ୍ରତିମୂର୍ତ୍ତି ହେଉନ୍ତୁ । ମୋର ବକ୍ତବ୍ୟ ଯଦି ଆପଣମାନଙ୍କର ହୃଦୟକୁ ସ୍ପର୍ଶ କରିଛି , ତେବେ ତାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ଭଗବାନ ପ୍ରଜ୍ଞା ଓ ଦୀର୍ଘାୟୁ ଆପଣମାନଙ୍କୁ ଦିଅନ୍ତୁ ।

ହରିଜନ ,ତା ୧--୧୯୪୨

Tuesday, June 11, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୨'


ଅନୁବାଦକ - ଚିତ୍ତରଞ୍ଜନ ଦାସ


୧୯୪୨ ମସିହାରେ ଉତ୍ତୋଳିତ ମହାତ୍ମା ଗାନ୍ଧୀଙ୍କର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଜଣକ ପରେ ଜଣେ ବକ୍ତା ଭାଷଣ ଦେଇ ସଭାମଣ୍ତପରୁ ଚାଲିଗଲେ । ମୁଁ ବଡ଼ ଆଶା କରି ଚାତକ ପରି ଚାହିଁଥିଲି ଯେ, କେହି ଜଣେ ହିନ୍ଦୀରେ ବା ଉର୍ଦ୍ଦୁରେ ବା ହିନ୍ଦୁସ୍ତାନୀରେ ନ ହେଲେ ସଂସ୍କୃତରେ କିମ୍ୱା ଯେ କୌଣସି ଗୋଟିଏ ଭାରତୀୟ ଭାଷାରେ ଶ୍ରୋତାମାନଙ୍କୁ କହିବେ । ମାତ୍ର ଆପଣମାନଙ୍କର ଓ ମୋର ଭାଗ୍ୟକୁ ତାହା ଜୁଟିଲା ନାହିଁ । ଆମ୍ଭମାନେ ଗୋଲାମ ଏବଂ ଯେଉଁମାନେ ଆମ୍ଭମାନଙ୍କୁ ଗୋଲାମ କରି ରଖିଛନ୍ତି, ଆମେ ସେହିମାନଙ୍କର ଭାଷାକୁ ଆଦରରେ କୁଣ୍ଢାଇ ଧରିଛୁଁ । ଆମର ଯେ କୌଣସି ଦୁରବସ୍ଥା ପାଇଁ ଇଂରେଜମାନଙ୍କୁ ଦୋଷ ଦେବା ଗୋଟିଏ ଫ୍ୟାସନ ହୋଇ ଗଲାଣି । ସେମାନେ ଏପରି ଅନେକ କିଛି କରିଛନ୍ତି; ଯେଉଁଥିପାଇଁ ମୁଁ ସେମାନଙ୍କୁ ଦୋଷ ଦେବା ପାଇଁ ଦ୍ୱିଧାବୋଧ କରେ ନାହିଁ । ହେଲେ ଭାବ ପ୍ରକାଶ ପାଇଁ ଇଂରେଜୀ ଭାଷା ବ୍ୟବହାର କରିବାକୁ ସେମାନେ ଆମକୁ ବାଧ୍ୟ କରିଛନ୍ତି ବୋଲି ମୁଁ କେବେ ହେଁ ଦୋଷାରୋପ କରି ନାହିଁ । ଇଂରେଜ ଲୋକଙ୍କ ପରି ଆମେ ଇଂରାଜୀ କହିବାର ଉଚ୍ଚାକାଙ୍‌କ୍ଷା ପୋଷଣ କରି ଆମ ଜୀବନର ଅତି ମୂଲ୍ୟବାନ ବର୍ଷଗୁଡ଼ିକ ବିତାଇ ଦେଉଁ ଏବ‌ଂ ନିର୍ଦ୍ଦୋଷ ଇଂରାଜୀ କହିବା ହେତୁ କୌଣସି ଇଂରେଜ ଆମ ପିଠି ଥାପୁଡ଼ାଇ ଦେଲେ ଆମର ଛାତି ଫୁଲି ଉଠେ । ଇଂରେଜୀ ଭାଷାକୁ ସତେ ଯେପରି ଆମର ମାତୃଭାଷା ଭାବି ତାକୁ ଶିଖିବାରେ ଆମର ଯୁବକଯୁବତୀମାନଙ୍କର ଯେଉଁ ସମୟ ଓ ଶକ୍ତି ଖର୍ଚ୍ଚ ହେଉଛିତାହାକୁ ବିଚାର କରନ୍ତୁ ଏବଂ ସମଗ୍ର ଦେଶର ବର୍ଷ-ସଙ୍ଖ୍ୟା ଓ ମୂଲ୍ୟବାନ୍ ଶକ୍ତିର ପରିମାଣ ସରଳ ଗୁଣନ ଦ୍ୱାରା ନିର୍ଣ୍ଣୟ କରନ୍ତୁ ।

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଯ।ହାକୁ ଭାରତୀୟ ସଂସ୍କୃତିର ଜୀବନ୍ତ ପ୍ରତିମୁର୍ତ୍ତି ବୋଲି ଉଚ୍ଛ୍ୱସିତ ଭାବରେ ପ୍ରଶଂସା କରା ଯାଉଛି,ସେହି ବିଶ୍ୱବିଦ୍ୟାଳୟରେ ଏହା ଘଟୁଛି । ଲୋଭନୀୟ ବେତନ ଦେଇ ଯଥାସମ୍ଭବ ଉତ୍ତମ ଅଧ୍ୟାପକମାନଙ୍କୁ ଆକର୍ଷିତ କରିବାକୁ ଯାହା ଆବଶ୍ୟକ, ମାଲବୀୟଜୀ ସେ ସବୁ କରିଛନ୍ତି । ମାତ୍ର ବାକି ତକ ସେ କରି ପାରିଲେ ନାହିଁ । ଏହା ତାଙ୍କର ଦୋଷ ନୁହେଁ; ହିନ୍ଦୀ ଇଂରେଜୀର ସ୍ଥାନ ଅଧିକାର କରି ନାହିଁ । ଯେଉଁ ପରମ୍ପରା ଉତ୍ତରାଧିକାର ଭାବରେ ଶିକ୍ଷକମାନେ ପାଇଛନ୍ତିସେମାନେ ସେହିଥିରୁ ତିଆରି । ସେମାନଙ୍କଠାରୁ ଛାତ୍ରମାନେ ଯାହା ପାଉଛନ୍ତି ସେଥିରେ ସେମାନେ ସନ୍ତୁଷ୍ଟ । ସେମାନେ ସନ୍ତୁଷ୍ଟ ହେବା ଅନୁଚିତ । ଯଦି ତୁଚ୍ଛ କାରଣରୁ ସ‌େମାନେ ଧର୍ମଘଟ କରୁଛନ୍ତି, ଏପରି କି ଅନଶନ କରୁଛନ୍ତିତେବେ ସେମାନେ ସର୍ବଭାରତୀୟ ଏକ ଭାଷାରେ ଶିକ୍ଷା ପାଇବା ପାଇଁ କାହିଁକି ଜିଦ୍ ଧରି ନ ବସିବେ ? ଆନ୍ଧ୍ର ପ୍ରଦେଶରୁ ଏଠାରେ ୨୫୦ ଜଣ ଛାତ୍ର ଅଛନ୍ତି ବୋଲି ଆଜି ଆମେ ଶୁଣିଲୁଁ । ସେମାନେ ସାର୍ ରାଧାକୃଷ୍ଣନ୍ ପାଖକୁ ଯାଇ ବିଶ୍ୱବିଦ୍ୟାଳୟ ଗୋଟିଏ ଆନ୍ଧ୍ର ବିଭାଗ ପାଇଁ ଅନୁରୋଧ କରନ୍ତୁ ଏବଂ ଯଦି ସେମାନେ ଅଖିଳ ଭାରତୀୟ ଭାଷାଟିଏ ନ ଶିଖିବେ ତେବେ ତେଲୁଗୁ ଜରିଆରେ ଶିକ୍ଷା ପାଇବା ପାଇଁ ଦାବୀ କରନ୍ତୁ ।

ଜାପାନରେ କଅଣ ହୋଇଛି ତାହା ଆପଣମାନେ ଜାଣନ୍ତି । ମୂଳତଃ ଏ ଗୋଟିଏ ମହାନ୍ ଦେଶ ବୋଲି ମୁଁ ମନେ କରେ ନାହିଁ । ମାତ୍ର ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ଅଧିପତ୍ୟକୁ ସଫଳ ଭାବରେ ଅସ୍ୱୀକାର କରି ଥିବାରୁ ଏସିଆ ମହାଦେଶରେ ଏହାକୁ ମହାନ୍ ବୋଲି ଧରା ଯାଇଛି । ଜାପାନୀ ସ୍କୁଲ ଓ କଲେଜରେ ହଜାର ହଜାର ବାଳକ ଓ ବାଳିକା ଇଂରାଜୀ ମାଧ୍ୟମରେ ନୁହେଁ ଜାପାନୀ ଭାଷାରେ ଶିକ୍ଷା ପାଆନ୍ତି । ସେମାନଙ୍କର ଲିପି କଠିନ; ମାତ୍ର ସେମାନେ ତାହା ଶିଖିବାରେ କୌଣସି ପ୍ରତିବନ୍ଧକ ହୋଇ ନାହିଁ ଏବଂ ରୋମାନ୍ ଲିପିକୁ ପ୍ରାଧ୍ୟନ୍ୟ ଦେବା ପାଇଁ ତାହାକୁ ପରିତ୍ୟାଗ କରି ନାହାନ୍ତି । ସେମାନେ ଇଂରାଜୀ ଓ ଇଉରୋପୀୟ. ଅନ୍ୟାନ୍ୟ ଭାଷାକୁ ବାସନ୍ଦ କରି ନାହାନ୍ତି । 

ମାତ୍ର ସେମାନେ ନିଜର ଶକ୍ତିକୁ ଜଗିରଖି ଖର୍ଚ୍ଚ କରନ୍ତି । ଯେଉଁ ଚିନ୍ତା ଓ ଜ୍ଞାନ କେବଳ ପାଶ୍ଚାତ୍ୟ ଜଗତ୍ ଦେଇ ପାରିବ, ତଦ୍ୱାରା ଜାପାନୀ ଭାଷାକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଯେଉଁମାନଙ୍କର ସେହି ବିଦେଶୀ ଭାଷା ଶିଖିବା ଆବଶ୍ୟକସେହିମାନେ ଶିଖନ୍ତି । ପାଶ୍ଚାତ୍ୟ ଯାହା ଗ୍ରହଣ କରିବାକୁ ଯୋଗ୍ୟ, ତାହାକୁ ଜାପାନୀରେ ରୂପାନ୍ତରିତ କରିବାକୁ ସେମାନେ ଯତ୍ନବାନ୍ ହୁଅନ୍ତି ସେହି ହେତୁରୁ ଜାପାନୀ ତରୁଣମାନେ ମନରେ ସତେଜ ଓ ସଜାଗ । ଏହି ରୂପେ ଲବ୍‌ଧ ଜ୍ଞାନ ସେମାନଙ୍କର ରାଷ୍ଟ୍ରୀୟ ସମ୍ପତ୍ତି ହୋଇ ଯାଇଛି । 

ସରକାରୀ ଅଫିସରେ କିରାଣୀ, ଓକିଲ, ବାରିଷ୍ଠର, ଜଜ୍ ହେବାଠାରୁ ଆଉ ବଡ଼ ଅଭିଳାଷ ଆମର ନାହିଁ । ଯେଉଁ ବ୍ୟବସ୍ଥାକୁ ଆମର ଭାଙ୍ଗିବାର କଥା, ତାହାକୁ ଆମେ ସାହାଯ୍ୟ କରୁଛୁ, ତାହାର ଦାସ ହୋଇ ରହିଛୁଁ । ଇଂରେଜୀ ଭାଷାରେ ପାଠୁଆ ଲୋକଙ୍କଠାରୁ (ସେମାନଙ୍କ ମଧ୍ୟରୁ କେତେକ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ ଧାରୀ) ଅସଙ୍ଖ୍ୟ ଚିଠି ପାଇଛି । ମାତ୍ର ସେଥିରୁ ଇଂରେଜୀ ଭାଷାରେ ସେମାନଙ୍କର ଶୋଚନୀୟ ଅଜ୍ଞତା ପ୍ରକାଶ ପାଏ । ଏହାର କାରଣ ସରଳ । ମାଲବୀୟଜୀ ଓ ରାଧାକୃଷ୍ଣନଙ୍କ ପରି ବ୍ୟକ୍ତି ବିରଳ; ସେମାନେ ଯାହା ଅର୍ଜନ କରିଛନ୍ତି ତାହା ସାଧାରଣ ଲୋକେ ପାରିବେ ନାହିଁ ।

-ହରିଜନ ,ତା ୧--୧୯୪୨

Monday, June 10, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୧'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ବମ୍ଭେଇରେ ସୂତା କାଟୁଥିବା ମହାତ୍ମା ଗାନ୍ଧୀ (୧୯୪୨ ମସିହାରେ ଉତ୍ତୋଳିତ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

[ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତୀ ସମାବର୍ତ୍ତନ ଉପଲକ୍ଷେ ତା୨୧.୦୧.୧୯୪୨ରିଖ ରେ ଗାନ୍ଧୀଜୀ ହିନ୍ଦୁସ୍ତାନୀ ଭାଷାରେ ଏହି ଅଭିଭାଷଣ ଦେଇଥିଲେ ]


ସମ୍ମାନାସ୍ପଦ ମାଲବୀୟଜୀ ! ସାର୍ ରାଧାକୃଷ୍ଣନ୍ ! ଭାଇ ଓ ଭଉଣୀଗଣ !

ଦୀର୍ଘ ଯାତ୍ରା କରିବାକୁ ମୋର ଶାରୀରିକ ଶକ୍ତି କିମ୍ୱା ଆଗ୍ରହ ନାହିଁ ବୋଲି ଆପଣମାନେ ଜାଣନ୍ତି; ତଥାପି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତଚୀ ସମାବର୍ତ୍ତନ ଉପଲକ୍ଷେ ମୁଁ ବକ୍ତୃତା ଦେବା ପାଇଁ ଯେତେବେଳେ ସାର୍ ରାଧାକୃଷ୍ଣନ୍‌ଙ୍କର ନିମନ୍ତ୍ରଣ ପାଇଲି, ମନା କରିବାକୁ ମୋର ଅନ୍ତର କହିଲା ନାହିଁ । ଯେଉଁ ସ୍ନେହ ମୋତେ ପଣ୍ତିତଜୀଙ୍କ ସହ ବାନ୍ଧି ରଖିଛି, ଆପଣମାନେ ତାହା ଜାଣନ୍ତି । ଯେତେବେଳେ ମୋ ପକ୍ଷରେ ତାଙ୍କର ଆଜ୍ଞା ପାଳନ କରିବା ସମ୍ଭବପର ହୁଏ, ମୁଁ ତାହା କରିବାରେ ଅନେକ ପରିମାଣରେ ଗର୍ବ ଓ ସନ୍ତୋଷ ଲାଭ କରେ । ତେଣୁ ମୁଁ ନାହିଁ କହି ପାରିଲି ନାହିଁ । ସାର୍ ରାଧାକୃଷ୍ଣନ୍‌ଙ୍କର ପତ୍ର ତୀର୍ଥଯାତ୍ରାର ଆହ୍ୱାନ ଥିଲା ।

ଦେଶ ପ୍ରତି ମାଲବୀୟଜୀଙ୍କର ସେବା ମହତ୍ । ତନ୍ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ତାଙ୍କ ସେବାର କୃତିତ୍ୱର ସର୍ବଶ୍ରେଷ୍ଠ ପ୍ରତୀକ ଅଟେ, ଏଥିରେ ମୋର ସନ୍ଦେହ ନାହିଁ । ତାଙ୍କର ପ୍ରତି ମୋର ଅଶେଷ ଭକ୍ତି ହେତୁର ପଚିଶ ବର୍ଷ ପୂର୍ବେ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ମୁଁ ତାଙ୍କର ନିମନ୍ତ୍ରଣ ରକ୍ଷା କରିଥିଲି । ସେହି ଗରିମାମୟ ଉତ୍ସବରେ ବଡ଼ଲାଟ ଓ ଭାରତର ରାଜା ମହାରାଜାମାନଙ୍କର ଯୋଗ ଦେବାର କଥା ଥିଲା । ମୋର ଭଳି ଅକିଞ୍ଚନର ସେଠାରେ ସ୍ଥାନ ନ ଥିଲା । ସେତେବେଳେ ମୁଁ ମହାତ୍ମା ହୋଇ ନ ଥିଲି । ଯଦି କେହି ସେହି ନାମରେ ମୋତେ ଡାକୁଥିଲେ, ମୁଁ ଜାଣିଥିଲି ଯେ ସେ ମୋତେ ମହାତ୍ମା ମୁନ୍‌ସୀରାମ୍‌ଜୀ ଭାବି ଭୁଲରେ ଡାକୁଥିଲେ, କାରଣ ସ୍ୱର୍ଗତ ସ୍ୱାମୀ ଶ୍ରଦ୍ଧାନନ୍ଦଜୀ ସେହି ନାମରେ ପରିଚିତ ଥିଲେ । ମହାତ୍ମା ବହୁ ସଙ୍ଖ୍ୟାରେ ହୋଇ ନ ପାରନ୍ତି । ମୁଁ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ମୁନ୍‌ସୀରାମ୍‌ଜୀଙ୍କର ମହାନ୍ କାର୍ଯ୍ୟ ଯୋଗୁଁ ସେ ସେହି ପଦ ଲାଭ କରିଥିବା କଥା ଜାଣିଥିଲି । ଲୋକଙ୍କର ସେବକ ଯେତେ ଅଜଣା ଅଶୁଣା ହେଲେ ହେଁ ମାଲବୀୟଜୀ ତାକୁ ସନ୍ଧାନ କରିବାର କୌଶଳ ଜାଣନ୍ତି ।

ସମସ୍ତେ ଜାଣନ୍ତି ଯେ, ପୃଥିବୀରେ ପଣ୍ତିତ ମାଲବୀୟଜୀଙ୍କ ଠାରୁ ବଳି ମହାନ୍ ଦାନ ସଙ୍ଗ୍ରାହକ ଆଉ କେହି ନାହାନ୍ତି । ସେ ନିଜ ପାଇଁ କେବେ ହେଁ ମାଗି ନାହାନ୍ତି । ଈଶ୍ୱରଙ୍କର କୃପାରୁ ତାଙ୍କର କିଛି ଅଭାବ ନାହିଁ । ବହୁଜନାଦୃତ ଉଦ୍ଦେଶ୍ୟଗୁଡ଼ିକୁ ସେ ନିଜର କରି ନେଇଛନ୍ତି ଏବ‌ଂ ସେଥିପାଇଁ ସ୍ୱେଚ୍ଛାକୃତ ଭିଖାରି ହୋଇଛନ୍ତି ଏବଂ ଦାନରେ ତାଙ୍କର ଭିକ୍ଷାପାତ୍ର ସର୍ବଦା ଉଚ୍ଛୁଳି ପଡ଼଼ିଛି । ତାଙ୍କର କ୍ଷୁଧା ଏପରି ଅତୃପ୍ତ ଯେ, ଯେଉଁ କୋଟିଏ ଟଙ୍କା ଚାହିଁ ଥିଲେ ତାହା ପାଇବା ପରେ ସୁଦ୍ଧା ସେ ଆହୁରି ଅଧିକ ମାଗୁଛନ୍ତି । ଆମର ସଭାପତି ଦର୍‌ଭଙ୍ଗା ମହାରାଜାଙ୍କ ଠାରୁ ସେ ଯଥେଷ୍ଟ ଚାନ୍ଦା ପାଇଛନ୍ତି ବୋଲି ସେ ମୋ କାନରେ ଏହି କ୍ଷଣି ଚୁପ୍ କରି କହିଲେ ।

ଆମର ଅତି ମହାନ୍ ସୌଭାଗ୍ୟ ଯେ, ସେ ଆମ୍ଭମାନଙ୍କ ଭିତରେ ଆଜି ସୁଦ୍ଧା ଅଛନ୍ତି । ପବିତ୍ର ସରଳ ଜୀବନ ଓ ଉଚ୍ଚ ଚିନ୍ତନର ଜୀବନ୍ତ ଆଦର୍ଶ ହୋଇ ସେ ସଶରୀରେ ଆମ ଭିତରେ ଥିଲେ ହେଁ, ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କୁ ତାଙ୍କର ଆଦର୍ଶ ସ୍ପର୍ଶ କରି ପାରି ନାହିଁ । ଏ ଦୋଷ ପୁରାପୁରି ଆପଣମାନଙ୍କରତାଙ୍କର ନୁହେଁ । ପୃଥିବୀରେ ସମସ୍ତଙ୍କୁ ସୂର୍ଯ୍ୟ ଉତ୍ତାପ ଓ ଆଲୋକ ଦିଅନ୍ତି; ମାତ୍ର ଯେ ନିଜକୁ ସୂର୍ଯ୍ୟଙ୍କଠାରୁ ଅନ୍ତରାଳରେ ରଖିବ ସୂର୍ଯ୍ୟ ତାକୁ କଅଣ କରିବେ ? ମାଲବୀୟଜୀଙ୍କର ଗୁଣ ଗାନ କରିବାକୁ ମୁଁ ଏଠାକୁ ଆସି ନାହିଁ । ଏହି ସଭାପୀଠ ତଦ୍ୱାରା ଝଙ୍କୃତ ହୋଇ ସାରିଛି । ସେ ସେଥିର ପାତ୍ର । 

ବର୍ତ୍ତମାନ ମୁଁ ଆପଣମାନଙ୍କୁ ବିଦ୍ୟାପୀଠର ଛାତ୍ର ଓ ଅଧ୍ୟାପକମାନଙ୍କୁ ଦୁଇ ପଦ କହିବି । ମୁଁ ସାର୍ ରାଧାକୃଷ୍ଣନ୍‌ଙ୍କର ନିମନ୍ତ୍ରଣ ଗ୍ରହଣ କରିବା ପରେ ମୋର ବକ୍ତବ୍ୟର ଗୋଟିଏ ନକଲ ତାଙ୍କ ପାଖକୁ ପଠାଇଦେବା ନିମିତ୍ତ ସେ ମୋତେ ଜଣାଇଥିଲେ । ଲେଖିବାକୁ ମୋର ସମୟ ନାହିଁ ବୋଲି ମୁଁ ତାଙ୍କୁ ଉତ୍ତର ଦେଇଥିଲି । ମୁଁ କଅଣ କହି ପାରିବି ତାହା ମଧ୍ୟ ଜାଣି ନଥିଲି । ପଣ୍ତିତ ଲୋକମାନଙ୍କ ଆଗରେ ମୋର ଗୋଟିଏ ପ୍ରକାରର ଦୁର୍ବଲତା ଆସେ । ଭାରତକୁ ଫେରିବା ଦିନଠାରୁ ମୋର ଭାଗ୍ୟ ଦରିଦ୍ର ଓ ଦଳିତ ଲୋକଙ୍କର ଭାଗ୍ୟ ସହ ଗୁନ୍ଥା ହୋଇଛି । କଙ୍ଗ୍ରେସ ଏହିମାନଙ୍କର ପ୍ରତିନିଧି । ସେମାନଙ୍କ ଭିତରେ ମୁଁ କୌଣସି ଦ୍ୱିଧା ବା ସଙ୍କୋଚ ଅନୁଭବ କରେ ନାହିଁ । ଆପଣମାନଙ୍କ ଆଗରେ ମୋ ଜିଭ ଲେଉଟୁ ନାହିଁ । ତାତ୍‌କାଳିକ ପ୍ରେରଣା ଆସିଛି, ମାତ୍ର ଆପଣମାନେ ମୋର ସାଦାସିଧା କଥାକୁ କିପରି ଗ୍ରହଣ କରିବେ ,ତାହା ମୁଁ କହିପାରୁ ନାହିଁ । [କ୍ରମଶଃ]

-ହରିଜନ ,ତା ୧--୧୯୪୨

Saturday, June 08, 2019

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ବାଳମନ୍ଦିରରେ କାହାଣୀ, ନାଟକ ଓ ଚିତ୍ରକଳା

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କାହାଣୀ: ଗିଜୁଭାଇ ସବୁବେଳେ କହୁଥିଲେ ଯେ, ଲୋକକଥା ଏବଂ ଶିଶୁଗଳ୍ପ ପିଲାର ବିକାଶ ପାଇଁ ବହୁତ ଉପଯୋଗୀ । ଅନେକ ପାଶ୍ଚାତ୍ୟ ଗପ ପଢ଼ିବା ପରେ ତାଙ୍କର ଏହି ଧାରଣା ଆହୁରି ଦୃଢ଼ ହୋଇଥିଲା । ସେ ନିଜେ ମଧ୍ୟ ଖୁବ୍ ସୁନ୍ଦର ଗପ କହି ପାରୁଥିଲେ । ଅନୁଶାସନ ପାଇଁ ଗିଜୁଭାଇ ପ୍ରଥମ ଦିନରୁ ହିଁ କାହାଣୀର ପ୍ରଚଳନ ଆରମ୍ଭ କରିଥିଲେ । ସେ ଅନେକ ଆଡ଼ୁ ଶିଶୁଗଳ୍ପ ସବୁ ସଙ୍ଗ୍ରହ କରିଥିଲେ । ପିଲାମାନେ ବହୁତ ଖୁସିରେ ଏସବୁ ଗପ ଶୁଣୁଥିଲେ ।

ଶିଶୁନାଟକ: ଗିଜୁଭାଇଙ୍କ ବାଳମନ୍ଦିରର ଆଉ ଗୋଟିଏ ବିଶେଷତା ହେଉଛି, ଶିଶୁନାଟକ ଆୟୋଜନ କରିବା । ସେ ବାଳ-ରଙ୍ଗମଞ୍ଚ ସ୍ଥାପନ କରି ଶିଶୁଶିକ୍ଷା କ୍ଷେତ୍ରରେ ଏକ ନୂଆ ମୋଡ଼ ଆଣିଥିଲେ । ରଙ୍ଗମଞ୍ଚରେ ହେଉଥିବା ପିଲାଙ୍କ ନାଟକ, ପିଲାଙ୍କ ବିଷୟରେ ନାଟକ, ବାଳମନ୍ଦିର ଉପରେ ନାଟକ ତଥା ଛୋଟ ବଡ଼ ସମସ୍ତେ ମିଶି ନାଟକ କରିବା, ସେ ସମୟ ପାଇଁ ପୂରା ନୂଆ ଥିଲା । ଗିଜୁଭାଇ ନିଜେ ବି ନାଟକରେ ଭାଗ ନେଉଥିଲେ ।

ଚିତ୍ରକଳା: ଚିତ୍ରକଳା ଦିଗଟି ମଧ୍ୟ ଗିଜୁଭାଇ ଅନେକ ଭାବି ଚିନ୍ତି ବିକଶିତ କରିଥିଲେ । ତାଙ୍କ ମତରେ ବେଶ୍ ପିଲା ଦିନରୁ ଚିତ୍ରକଳା ଶିଖାଇଲେ ଭବିଷ୍ୟତରେ କଳାକାର ହେବାର ମଞ୍ଜି ପୋତା ଯାଇ ପାରିବ । ବାଳମନ୍ଦିରର ପିଲାଙ୍କ ଚିତ୍ରକୁ ସେ ସାଇତି ରଖୁଥିଲେ ଓ ଇଟାଲୀର ମଣ୍ଟେସୋରୀଙ୍କର ସ୍କୁଲର ପିଲାଙ୍କ ଚିତ୍ର ମଗାଇ ତୁଳନା କରୁଥିଲେ । ପ୍ରତି ପିଲାର ଚିତ୍ରକୁ ଅତି ଧ୍ୟାନର ସହ ଦେଖି ତାର ମୂଲ୍ୟାୟନ କରୁଥିଲେ । ତାହା ମାଧ୍ୟମରେ ପିଲାର ମନ, କ୍ଷମତା, ବ୍ୟକ୍ତିତ୍ୱ ଆଦି ସେ ଅନୁଧ୍ୟାନ କରୁଥିଲେ ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥାଙ୍କ ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପା ଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡ଼ିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ପୁସ୍ତକଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇ ଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।

Wednesday, June 05, 2019

ପିଲାଙ୍କ ଢଗଢମାଳି - ୫

ସଙ୍କଳନ ଓ ସମ୍ପାଦନା - ଗୋବିନ୍ଦ ଚନ୍ଦ୍ର ଚାନ୍ଦ


ଟିତ୍ର - 'ଦି ମାଉସ୍ ଷ୍ଟୋରି' (ଅଜ୍ଞାତ କଳାକାର; ୧୬ଶହ ଶତାବ୍ଦୀର ଜାପାନରେ ଅଙ୍କିତ କୃତି)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

୨୧

ଅକାଳେ ଗୋଦରୀ କଲା ବେଉସା
ଲାଭ ଖାଇଗଲା ଚୂଟିଆ ମୂଷା ।
ଅର୍ଥ - କୌଣସି କାର୍ଯ୍ୟକୁ ଉପଯୁକ୍ତ ବ୍ୟକ୍ତି କରିବା ଦରକାର ।

୨୨

ଅକାଳେ ଝଡ଼ା ଫଳ ସୁଆଦିଆ ଲାଗେ ନାହିଁ ।
ଅର୍ଥ - ନିଷ୍ଠାର ସହ କାମ ନ କଲେ ଯେଉଁ ଫଳ ମିଳେ ତାହା ସନ୍ତୋଷ ଦିଏ ନାହିଁ ।

୨୩

ଅକାଳେ (ଆତୁରେ) ନିୟନ ନାସ୍ତି ।
ଅର୍ଥ - ଅସମୟରେ ବା ଅସୁବିଧା ପଡ଼ିଲେ ନିୟମ ମାନିବା ସମ୍ଭବ ହୋଇ ନ ଥାଏ ।

୨୪

ଅକାଳେ ମାଇଲି ଘାଏଁ
ଗଲା ଭୋଦୁଅ ଶିରାବଣ ଯାଏଁ ।
ଅର୍ଥ - ନିଷ୍ଠାର ସହ କାମ ନ କରି ସମୟ ନଷ୍ଟ କରିବା ।

୨୫

ଅଖ ଘୂରୁଥିଲେ ଚକ ଘୂରୁଥାଏ
ବୁଲି ଯାଉଥାଏ ପହି
ସଂସାର ଭିତରେ ଘର କରିଥିଲେ
ପଥର ପଡ଼ିଲେ ସହି ।
ଅର୍ଥ - ସଂସାର ସହ ନିଜକୁ ଖାପ ଖୁଆଇ ଚଳିବା ।

ବି.ଦ୍ର. - ଏହି ଢଗଢମାଳିଗୁଡ଼ିକ ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କର ସଙ୍କଳନ ଓ ସମ୍ପାଦନାରେ ପ୍ରକାଶିତ 'ଓଡ଼ିଆ ଶିଶୁ-କିଶୋର ଢଗଢମାଳି'ରୁ ଆନୀତ । ବହିଟି ନୂଆଦିଲ୍ଲୀସ୍ଥ କେନ୍ଦ୍ର ସାହିତ୍ୟ ଅକାଦେମୀ ୨୦୧୭ ମସିହାରେ ପ୍ରଥମେ ଛାପିଥିଲେ ।

Saturday, June 01, 2019

ଫାହିଆନ୍ 


କେଦାରନାଥ ମହାପାତ୍ର


ଫାହିଆନ୍‌ଙ୍କର ଯାତ୍ରାର ମାନଚିତ୍ର (୧୮୬୯ ମସିହାରେ ଅଙ୍କିତ)

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ସମୁଦ୍ରଗୁପ୍ତଙ୍କ ରାଜତ୍ୱ କାଳରେ ଫାହିଆନ୍ ନାମକ ଚୀନ ଦେଶୀୟ ପରିବ୍ରାଜକ ଭାରତର ବୌଦ୍ଧ ପୀଠମାନ ଦେଖିବା ପାଇଁ ଓ ବୌଦ୍ଧ ଗ୍ରନ୍ଥମାନ ସଙ୍ଗ୍ରହ କରିବା ପାଇଁ ୪୦୧ ଖ୍ରୀଷ୍ଟାଦ୍ଦରେ ଖାଇବାର ଚିରିସଙ୍କଟ ବାଟେ ଭାରତକୁ ଆସିଥିଲେ । ସେ ଉତ୍ତର ଭାରତରେ ୧୫ ବର୍ଷ କାଳ ବୁଲି ଅନେକ ବୌଦ୍ଧ ତୀର୍ଥ ପରିଦର୍ଶନ କରିଥିଲେ । ତାଙ୍କ ଭ୍ରମଣ ବୃତ୍ତାନ୍ତରୁ ଜଣାଯାଏ ଯେ, ସେ ସମୟରେ ପାଟଳୀପୁତ୍ର ଭାରତର ରାଜଧାନୀ ନ ଥିଲେ ମଧ୍ୟ ଗୋଟିଏ ସୁନ୍ଦର ଧନଜନପୂର୍ଣ୍ଣ ନଗରୀ ଥିଲା । ସେଠାରେ ଅଶୋକଙ୍କର ଗୋଟିଏ ବିଶାଳ ରାଜପ୍ରାସାଦ ଥିଲା । 

ଭାରତର ଲୋକମାନେ ସୁଖ ଶାନ୍ତିରେ ରହିଥିଲେ । କରପୀଡ଼ା ଆଦୌ ନ ଥିଲା । ପ୍ରଜାମାନେ ଭୂମିକର ଛଡା ଅନ୍ୟ କୌଣସି କର ଦେଉ ନ ଥିଲେ । ଚୋରି ଡକାୟତି ପ୍ରଭୃତି ନ ଥିବାରୁ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ୱଚ୍ଛନ୍ଦରେ ଯାଇ ପାରୁଥିଲେ । ଉତ୍ତର ଭାରତରେ ଅନେକ ବୌଦ୍ଧମଠ, ଚୈତ୍ୟ, ବିହାର ଓ ଚିକିତ୍ସାଳୟ ଥିଲା । ଆଇନ କାନୁନ ସବୁ କଡ଼ା ନ ଥିଲା । 

ଭାରତରେ ହିନ୍ଦୁ ଓ ବୌଦ୍ଧ ଦୁଇଟି ପ୍ରଧାନ ଧର୍ମ ଥିଲା । ହିନ୍ଦୁ ଓ ବୌଦ୍ଧମାନେ ବନ୍ଧୁ ପରି ଚଳୁଥିଲେ । ଲୋକମାନେ ପିଆଜ, ରସୁଣ, ମଦ୍ୟ, ମାଂସ ଖାଉ ନ ଥିଲେ । ଚଣ୍ଡାଳମାନେ ଗ୍ରାମର ବାହାରେ ବାସ କରୁଥିଲେ । ତାମ୍ରଲିପି (ମେଦିନୀପୁରର ତମଲୁକ୍) ଗୋଟିଏ ଧନଜନ ପୂର୍ଣ୍ଣ ବନ୍ଦର ଥିଲା । ସେଠାରୁ ସେ ସମୁଦ୍ର ପଥରେ ନିଜ ଦେଶକୁ ଫେରିଥିଲେ । ଦ୍ୱିତୀୟ ଚନ୍ଦ୍ରଗୁପ୍ତ ଖ୍ରୀ: ୩୭୫ରୁ ଖ୍ରୀ: ୪୧୩ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।