Monday, June 10, 2019

ଗାନ୍ଧୀଜୀଙ୍କର ଶିକ୍ଷାବିଚାର: 'କାଶୀ ବିଶ୍ୱବିଦ୍ୟାଳୟ ଅଭିଭାଷଣ - ୧'

ଅନୁବାଦକ - ଚିତ୍ତରଞ୍ଜନ ଦାସ


ବମ୍ଭେଇରେ ସୂତା କାଟୁଥିବା ମହାତ୍ମା ଗାନ୍ଧୀ (୧୯୪୨ ମସିହାରେ ଉତ୍ତୋଳିତ ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

[ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତୀ ସମାବର୍ତ୍ତନ ଉପଲକ୍ଷେ ତା୨୧.୦୧.୧୯୪୨ରିଖ ରେ ଗାନ୍ଧୀଜୀ ହିନ୍ଦୁସ୍ତାନୀ ଭାଷାରେ ଏହି ଅଭିଭାଷଣ ଦେଇଥିଲେ ]


ସମ୍ମାନାସ୍ପଦ ମାଲବୀୟଜୀ ! ସାର୍ ରାଧାକୃଷ୍ଣନ୍ ! ଭାଇ ଓ ଭଉଣୀଗଣ !

ଦୀର୍ଘ ଯାତ୍ରା କରିବାକୁ ମୋର ଶାରୀରିକ ଶକ୍ତି କିମ୍ୱା ଆଗ୍ରହ ନାହିଁ ବୋଲି ଆପଣମାନେ ଜାଣନ୍ତି; ତଥାପି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତଚୀ ସମାବର୍ତ୍ତନ ଉପଲକ୍ଷେ ମୁଁ ବକ୍ତୃତା ଦେବା ପାଇଁ ଯେତେବେଳେ ସାର୍ ରାଧାକୃଷ୍ଣନ୍‌ଙ୍କର ନିମନ୍ତ୍ରଣ ପାଇଲି, ମନା କରିବାକୁ ମୋର ଅନ୍ତର କହିଲା ନାହିଁ । ଯେଉଁ ସ୍ନେହ ମୋତେ ପଣ୍ତିତଜୀଙ୍କ ସହ ବାନ୍ଧି ରଖିଛି, ଆପଣମାନେ ତାହା ଜାଣନ୍ତି । ଯେତେବେଳେ ମୋ ପକ୍ଷରେ ତାଙ୍କର ଆଜ୍ଞା ପାଳନ କରିବା ସମ୍ଭବପର ହୁଏ, ମୁଁ ତାହା କରିବାରେ ଅନେକ ପରିମାଣରେ ଗର୍ବ ଓ ସନ୍ତୋଷ ଲାଭ କରେ । ତେଣୁ ମୁଁ ନାହିଁ କହି ପାରିଲି ନାହିଁ । ସାର୍ ରାଧାକୃଷ୍ଣନ୍‌ଙ୍କର ପତ୍ର ତୀର୍ଥଯାତ୍ରାର ଆହ୍ୱାନ ଥିଲା ।

ଦେଶ ପ୍ରତି ମାଲବୀୟଜୀଙ୍କର ସେବା ମହତ୍ । ତନ୍ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ତାଙ୍କ ସେବାର କୃତିତ୍ୱର ସର୍ବଶ୍ରେଷ୍ଠ ପ୍ରତୀକ ଅଟେ, ଏଥିରେ ମୋର ସନ୍ଦେହ ନାହିଁ । ତାଙ୍କର ପ୍ରତି ମୋର ଅଶେଷ ଭକ୍ତି ହେତୁର ପଚିଶ ବର୍ଷ ପୂର୍ବେ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବା ପାଇଁ ମୁଁ ତାଙ୍କର ନିମନ୍ତ୍ରଣ ରକ୍ଷା କରିଥିଲି । ସେହି ଗରିମାମୟ ଉତ୍ସବରେ ବଡ଼ଲାଟ ଓ ଭାରତର ରାଜା ମହାରାଜାମାନଙ୍କର ଯୋଗ ଦେବାର କଥା ଥିଲା । ମୋର ଭଳି ଅକିଞ୍ଚନର ସେଠାରେ ସ୍ଥାନ ନ ଥିଲା । ସେତେବେଳେ ମୁଁ ମହାତ୍ମା ହୋଇ ନ ଥିଲି । ଯଦି କେହି ସେହି ନାମରେ ମୋତେ ଡାକୁଥିଲେ, ମୁଁ ଜାଣିଥିଲି ଯେ ସେ ମୋତେ ମହାତ୍ମା ମୁନ୍‌ସୀରାମ୍‌ଜୀ ଭାବି ଭୁଲରେ ଡାକୁଥିଲେ, କାରଣ ସ୍ୱର୍ଗତ ସ୍ୱାମୀ ଶ୍ରଦ୍ଧାନନ୍ଦଜୀ ସେହି ନାମରେ ପରିଚିତ ଥିଲେ । ମହାତ୍ମା ବହୁ ସଙ୍ଖ୍ୟାରେ ହୋଇ ନ ପାରନ୍ତି । ମୁଁ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ମୁନ୍‌ସୀରାମ୍‌ଜୀଙ୍କର ମହାନ୍ କାର୍ଯ୍ୟ ଯୋଗୁଁ ସେ ସେହି ପଦ ଲାଭ କରିଥିବା କଥା ଜାଣିଥିଲି । ଲୋକଙ୍କର ସେବକ ଯେତେ ଅଜଣା ଅଶୁଣା ହେଲେ ହେଁ ମାଲବୀୟଜୀ ତାକୁ ସନ୍ଧାନ କରିବାର କୌଶଳ ଜାଣନ୍ତି ।

ସମସ୍ତେ ଜାଣନ୍ତି ଯେ, ପୃଥିବୀରେ ପଣ୍ତିତ ମାଲବୀୟଜୀଙ୍କ ଠାରୁ ବଳି ମହାନ୍ ଦାନ ସଙ୍ଗ୍ରାହକ ଆଉ କେହି ନାହାନ୍ତି । ସେ ନିଜ ପାଇଁ କେବେ ହେଁ ମାଗି ନାହାନ୍ତି । ଈଶ୍ୱରଙ୍କର କୃପାରୁ ତାଙ୍କର କିଛି ଅଭାବ ନାହିଁ । ବହୁଜନାଦୃତ ଉଦ୍ଦେଶ୍ୟଗୁଡ଼ିକୁ ସେ ନିଜର କରି ନେଇଛନ୍ତି ଏବ‌ଂ ସେଥିପାଇଁ ସ୍ୱେଚ୍ଛାକୃତ ଭିଖାରି ହୋଇଛନ୍ତି ଏବଂ ଦାନରେ ତାଙ୍କର ଭିକ୍ଷାପାତ୍ର ସର୍ବଦା ଉଚ୍ଛୁଳି ପଡ଼଼ିଛି । ତାଙ୍କର କ୍ଷୁଧା ଏପରି ଅତୃପ୍ତ ଯେ, ଯେଉଁ କୋଟିଏ ଟଙ୍କା ଚାହିଁ ଥିଲେ ତାହା ପାଇବା ପରେ ସୁଦ୍ଧା ସେ ଆହୁରି ଅଧିକ ମାଗୁଛନ୍ତି । ଆମର ସଭାପତି ଦର୍‌ଭଙ୍ଗା ମହାରାଜାଙ୍କ ଠାରୁ ସେ ଯଥେଷ୍ଟ ଚାନ୍ଦା ପାଇଛନ୍ତି ବୋଲି ସେ ମୋ କାନରେ ଏହି କ୍ଷଣି ଚୁପ୍ କରି କହିଲେ ।

ଆମର ଅତି ମହାନ୍ ସୌଭାଗ୍ୟ ଯେ, ସେ ଆମ୍ଭମାନଙ୍କ ଭିତରେ ଆଜି ସୁଦ୍ଧା ଅଛନ୍ତି । ପବିତ୍ର ସରଳ ଜୀବନ ଓ ଉଚ୍ଚ ଚିନ୍ତନର ଜୀବନ୍ତ ଆଦର୍ଶ ହୋଇ ସେ ସଶରୀରେ ଆମ ଭିତରେ ଥିଲେ ହେଁ, ଆମ୍ଭମାନଙ୍କ ମଧ୍ୟରୁ ଅନେକଙ୍କୁ ତାଙ୍କର ଆଦର୍ଶ ସ୍ପର୍ଶ କରି ପାରି ନାହିଁ । ଏ ଦୋଷ ପୁରାପୁରି ଆପଣମାନଙ୍କରତାଙ୍କର ନୁହେଁ । ପୃଥିବୀରେ ସମସ୍ତଙ୍କୁ ସୂର୍ଯ୍ୟ ଉତ୍ତାପ ଓ ଆଲୋକ ଦିଅନ୍ତି; ମାତ୍ର ଯେ ନିଜକୁ ସୂର୍ଯ୍ୟଙ୍କଠାରୁ ଅନ୍ତରାଳରେ ରଖିବ ସୂର୍ଯ୍ୟ ତାକୁ କଅଣ କରିବେ ? ମାଲବୀୟଜୀଙ୍କର ଗୁଣ ଗାନ କରିବାକୁ ମୁଁ ଏଠାକୁ ଆସି ନାହିଁ । ଏହି ସଭାପୀଠ ତଦ୍ୱାରା ଝଙ୍କୃତ ହୋଇ ସାରିଛି । ସେ ସେଥିର ପାତ୍ର । 

ବର୍ତ୍ତମାନ ମୁଁ ଆପଣମାନଙ୍କୁ ବିଦ୍ୟାପୀଠର ଛାତ୍ର ଓ ଅଧ୍ୟାପକମାନଙ୍କୁ ଦୁଇ ପଦ କହିବି । ମୁଁ ସାର୍ ରାଧାକୃଷ୍ଣନ୍‌ଙ୍କର ନିମନ୍ତ୍ରଣ ଗ୍ରହଣ କରିବା ପରେ ମୋର ବକ୍ତବ୍ୟର ଗୋଟିଏ ନକଲ ତାଙ୍କ ପାଖକୁ ପଠାଇଦେବା ନିମିତ୍ତ ସେ ମୋତେ ଜଣାଇଥିଲେ । ଲେଖିବାକୁ ମୋର ସମୟ ନାହିଁ ବୋଲି ମୁଁ ତାଙ୍କୁ ଉତ୍ତର ଦେଇଥିଲି । ମୁଁ କଅଣ କହି ପାରିବି ତାହା ମଧ୍ୟ ଜାଣି ନଥିଲି । ପଣ୍ତିତ ଲୋକମାନଙ୍କ ଆଗରେ ମୋର ଗୋଟିଏ ପ୍ରକାରର ଦୁର୍ବଲତା ଆସେ । ଭାରତକୁ ଫେରିବା ଦିନଠାରୁ ମୋର ଭାଗ୍ୟ ଦରିଦ୍ର ଓ ଦଳିତ ଲୋକଙ୍କର ଭାଗ୍ୟ ସହ ଗୁନ୍ଥା ହୋଇଛି । କଙ୍ଗ୍ରେସ ଏହିମାନଙ୍କର ପ୍ରତିନିଧି । ସେମାନଙ୍କ ଭିତରେ ମୁଁ କୌଣସି ଦ୍ୱିଧା ବା ସଙ୍କୋଚ ଅନୁଭବ କରେ ନାହିଁ । ଆପଣମାନଙ୍କ ଆଗରେ ମୋ ଜିଭ ଲେଉଟୁ ନାହିଁ । ତାତ୍‌କାଳିକ ପ୍ରେରଣା ଆସିଛି, ମାତ୍ର ଆପଣମାନେ ମୋର ସାଦାସିଧା କଥାକୁ କିପରି ଗ୍ରହଣ କରିବେ ,ତାହା ମୁଁ କହିପାରୁ ନାହିଁ । [କ୍ରମଶଃ]

-ହରିଜନ ,ତା ୧--୧୯୪୨

No comments:

Post a Comment