Monday, December 31, 2018

ଢେଙ୍କାନାଳ

ଜଗନ୍ନାଥ ପ୍ରସାଦ ଦାସ


ଗୁଡଗୁଡ଼ା ଜଙ୍ଗଲର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) 

ଛାଡ଼ି ମୁଁ ଆସିଲି ଢେଙ୍କାନାଳ
ରାସ୍ତା ଥିଲା ଅତି ଅସମତଳ
ଗରମ ଦେଶର ଝଡ଼  ପ୍ରବଳ
ମୂଷଳ ଧାରାରେ ଢାଳିଲା ଜଳ
ଚାରି ପାଖୁ ଘେରି ଢେଙ୍କାନାଳ
ରଡ଼ି କଲେ ହେଟା ବିଲୁଆ ଦଳ
ଢେଙ୍କାନାଳର ରାସ୍ତା କୁଟିଳ
ପାଖ ଦେଇ ଯାଏ ଘନ ଜଙ୍ଗଲ
କୁଞ୍ଜ ଉପବନ ଅତି ଶ୍ୟାମଳ
ବିଞ୍ଚି ଦିଏ ବାସ ନିର୍ମଳ
(ଜନ୍ ବୀମ୍ସ୍‌ଙ୍କର ଫରାସୀ କବିତାର ଅନୁବାଦ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, December 20, 2018

ମଧୁସୂଦନ ରାଓ

ଜଗନ୍ନାଥ ପ୍ରସାଦ ଦାସ


ଜୈନ ପ୍ରତିମାରାଜି  (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ମଧୁସୂଦନ ରାଓ
ପାଠକଙ୍କୁ କହିଲେ, ଯାଅ-
ଆଖି ବୁଜି ବସ ପଦ୍ମାସନ,
ତା' ହେଲେ ପାଇବ ମୋର କବିତାର ଜ୍ଞାନ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, December 19, 2018

ଦଳ ବଦଳ

ଜଗନ୍ନାଥ ପ୍ରସାଦ ଦାସ


୧୯୨୩ ମସିହାରେ ମାଡ୍ରାସ ପ୍ରେସି଼େନ୍ସିର ରାଜନୀତି ଉପରେ କାର୍ଟୁନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିରୋଧୀ ଦଳର ବିଧାୟକ
ଦଳ (ଖ)ରୁ ଗଲା ଦଳ (କ)
ମନ୍ତ୍ରୀ ହୋଇ ନ ପାରି
କହିଲା ସେ, ବୁଝିଲି
କଖଗଘ କିଛି ନାହିଁ ଫରକ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, December 17, 2018

  ଗାନ୍ଧୀଜୀଙ୍କର ଶିକ୍ଷାବିଚାର: ଗୁଜୁରାଟ ବିଦ୍ୟାପୀଠରେ ମହାତ୍ମା ଗାନ୍ଧୀଙ୍କର ସମାବର୍ତ୍ତନ ଅଭିଭାଷଣ -୧


ଗୁଜୁରାଟ ବିଦ୍ୟାପୀଠର ପ୍ରବେଶ ଦ୍ୱାର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଗତ ଚାରି ବର୍ଷ ହେଲା ଛାତ୍ର ସଙ୍ଖ୍ୟା କ୍ରମାଗତ ଭାବରେ କମି ଯାଉଛି ବୋଲି ଆପଣମାନେ ମହାମାତ୍ର (ବିଦ୍ୟାପୀଠର ରେଜିଷ୍ଟ୍ରାର)ଙ୍କର ବିବରଣୀରୁ ଜାଣିଲେ । ସାଧାରଣତଃ ଏହା ନିରୁତ୍ସାହର କାରଣ ହୁଅନ୍ତା । ଛାତ୍ରସଙ୍ଖ୍ୟାର ବୃଦ୍ଧିକୁ ସାଧାରଣତଃ ଲୋକେ ପ୍ରଗତି ବୋଲି ଭାବନ୍ତି । ଯଦି ଏହି ସଙ୍ଖ୍ୟା ବଢ଼ି ଥାଆନ୍ତା ତେବେ ମୁଁ ଅବଶ୍ୟ ଆନନ୍ଦିତ ହୋଇଥା'ନ୍ତି । ଏହା ମୁଁ ସ୍ୱୀକାର କଲେ ହେଁ ସଙ୍ଖ୍ୟା ଊଣା ହେବାରେ ମୁଁ ଆଦୌ ନିରୁତ୍ସାହିତ ନୁହେଁ । ଅନୁଷ୍ଠାନର ବର୍ତ୍ତମାନ ପରିସ୍ଥିତିରେ ମୋର ସନୋଷ ଅଛି ବା ମୁଁ ଆନନ୍ଦିତ ଏହା ମୁଁ କହି ପାରେ ନାହିଁ । ମାତ୍ର ମୁଁ ନିରାଶ ବି ନୁହେଁ । 

ଏକଥା ସତ୍ୟ ଯେ ମୁଁ ଓ ଆଉ କେତେକ ଆଶା କରି ଥିଲୁଁ ଯେ ମାତ୍ର ବର୍ଷକ ପାଇଁ ଆମ୍ଭେମାନେ ଏହି ଅନୁଷ୍ଠାନ ଚଲାଇବୁଁ ଏବଂ ସ୍ୱରାଜ ପ୍ରାପ୍ତି ଅନ୍ତେ ଏହି ନିର୍ଦ୍ଦିଷ୍ଟ କାଳ ପରେ ଆପଣମାନେ ନିଜ ନିଜର ସ୍କୁଲ-କଲେଜକୁ ଫେରି ଯିବେଦେଶର ଅହ୍ନାନରେ ଆପଣମାନେ ସେ ସବୁ ଛାଡ଼ି ଥିଲେ । ମାତ୍ର ଚାରି ବର୍ଷ ବିତି ଗଲାଣି । ଆମ୍ଭେମାନେ ଆଉ କେତେ ସମୟ ନିର୍ବାସନରେ ରହିବୁଁ, କହିବା ଅସମ୍ଭବ । ଏହାକୁ ନିର୍ବାସନ କାହିଁକି କହିବୁଁ ? ମୁଁ ଯେପରି ବୁଝୁଛି, ଏହା ଆଦୌ ନିର୍ବସନ ନୁହେଁ । 

ସ୍ୱରାଜ ପାଇବା ପରେ ସୁଦ୍ଧା ଏହି ପରି ଅନେକ ଅନୁଷ୍ଠାନ ସରକାରୀ ସାହାଯ୍ୟ ବ୍ୟତୀତ କାର୍ଯ୍ୟ କରୁ ଥିବେ । ସେତେବେଳେ କେବଳ ଏତିକି ପାର୍ଥକ୍ୟ ରହିବ ଯେ ବର୍ତ୍ତମାନ ପରି ସରକାରୀ ସ୍କୁଲ କଲେଜ ସହ ଆଉ ସହ ଆଉ ପ୍ରତିଯୋଗିତା କରିବାକୁ ପଡ଼ିବ ନାହିଁ ଏବଂ ଶେଷୋକ୍ତଗୁଡ଼ିକ ବିରୁଦ୍ଧ ପକ୍ଷର ଅନୁଷ୍ଠାନ ହେତୁ ଆମର ବର୍ଜନୀୟ ଅଟେ, ଏପରି କେହି ବିଚାରିବେ ନାହିଁ । ତଥାପି ଏପରି ପ୍ରୟୋଗମାନ ଚାଲି ଥିବ ଏବଂ ଆମର ଏହି ଅନୁଷ୍ଠାନ ପରି ସେହି ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ରହି ଥିବ । ତେଣୁ ମୁଁ ଆଶାକରେ ଯେ, ଯେଉଁ ଛାତ୍ରମାନେ ଏଠାରେ ଅଧ୍ୟୟନ କରୁଛନ୍ତି, ସେମାନେ ନିରାଶ ହେବେ ନାହିଁ କିମ୍ୱା ଏଠାରେ ସେମାନଙ୍କର ସମୟ ନଷ୍ଟ ହେଲା ବୋଲି ମନେ କରିବେ ନାହିଁ ।

କୌଣସି ବିଦ୍ୟାଳୟକୁ ରାଷ୍ଟ୍ରୀୟ ବିଦ୍ୟାଳୟ କହିବାକୁ ହେଲେ ତାହା ନିମ୍ନଲିଖିତ ସର୍ତ୍ତଗୁଡ଼ିକ ପାଳନ କରିବା ଆବଶ୍ୟକ:

ଦୈନନ୍ଦିନ କର୍ମସୂଚୀରେ ସୂତାକଟା ପାଇଁ ସ୍ଥାନ ରହିବ । ଛାତ୍ର ଓ ଶିକ୍ଷକମାନେ ପ୍ରତିଦିନ ଅଧଘଣ୍ଟାଏ ସୂତା କାଟିବେ ଏବଂ କେବଳ ଖଦୀ ପିନ୍ଧିବେ । ଶିକ୍ଷାର ମାଧ୍ୟମ ମାତୃଭାଷା ବା ହିନ୍ଦୁସ୍ତାନୀ ହେବ । ବ୍ୟାୟାମକୁ ଅର୍ଥାତ୍ ଶରୀର ଚର୍ଚ୍ଚାକୁ ପୂର୍ଣ୍ଣ ଗୁରୁତ୍ୱ ଦିଆଯିବ ଏବଂ ଆତ୍ମ-ରକ୍ଷାର କୌଶଳ ଏହାର ଅନ୍ତର୍ଗତ ହେବ । ହିନ୍ଦୁ ଓ ମୁସଲମାନମାନଙ୍କର ହୃଦୟର ମିଳନ ପାଇଁ ବିଦ୍ୟାଳୟ ନିଜର ଉପାୟରେ କାର୍ଯ୍ୟ କରିବ । ଅସ୍ଫୁଶ୍ୟମାନଙ୍କ ପାଇଁ ଅନୁଷ୍ଠାନର ଦ୍ୱାରା ବନ୍ଦ ନ କରି ସେମାନଙ୍କୁ ସ୍ୱାଗତ କରିବ । 

କଙ୍ଗ୍ରେସ ଦ୍ୱାରା ରାଷ୍ଟ୍ରୀୟ ବିଦ୍ୟାଳୟର ଏହି ସଂଜ୍ଞା ନିରୂପିତ ହୋଇଛି । ଅତଏବ, ଯେଉଁମାନଙ୍କର ଚରଖାରେ (ଅରଟରେ) ବିଶ୍ୱାସ ନାହିଁ, ସେମାନେ ଏହି ବିଦ୍ୟାପୀଠ ଓ ଏହାର ଅନ୍ତର୍ଭୁକ୍ତ ଅନ୍ୟ ଅନୁଷ୍ଠାନଗୁଡ଼ିକ ଛାଡ଼ି ଚାଲିଯା'ନ୍ତୁ ବୋଲି ମୁଁ କହୁଛି । ମୁଁ ଅନ୍ୟାୟ କରୁଛି ବା କଠୋର ହେଉଅଛି ବୋଲି କେହି ନ ଭାବନ୍ତୁ । କେବଳ ଏହି ବାଟରେ ହିଁ ଆମେ ଅଗ୍ରସର ହୋଇ ପାରିବୁଁ । ଆମେ କେଉଁ ଆଡ଼କୁ ଯାଉଛୁଁ ଏବଂ ଆମ ସହ କେତେ ପୁରୁଷସ୍ତ୍ରୀ ଓ ଛାତ୍ର ଅଛନ୍ତିତାହା ଏଥିରୁ ଜଣା ପଡ଼ିବ ।

Sunday, December 16, 2018

ଜାପାନୀ ହାଇକୁ

ଜଗନ୍ନାଥ ପ୍ରସାଦ ଦାସ


ମାତୋସୁୟୋ ବାସୋଙ୍କର ସମାଧିସ୍ଥଳ (ୱିକିମିଡିଆ କମନ୍ସ୍)

ପୁରୁଣା ପୋଖରୀ

ବେଙ୍ଗଟି ଡେଇଁ ପଡ଼େ
... ଧପ୍ ।

(ମାତୋସୁୟୋ ବାସୋଙ୍କ ହାଇକୁର ଅନୁବାଦ) 
ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, December 14, 2018

ଇରମର ପିଲାଙ୍କ ଗୀତ -  'ଇଞ୍ଚିଡ଼ି  ମିଞ୍ଚିଡ଼ି ଧାଇଁ ଚିଡ଼ି ଚିଡ଼ି' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଇଞ୍ଚିଡି ମିଞ୍ଚିଡି ଧାଇଁ ଚିଡ଼ି ଚିଡ଼ି
କଇଁଚି କାକୁଡ଼ି ପିତା ନଳିତା,
ସାତ ବୋହୁଙ୍କର ସାତ ଦୁହିତା,
ସା'ତ ଗଲେ ଉତ୍ତର,
ଡେଇଁ ପଡ଼ିଲେ ପିତ୍ତଳ ।
ପିତ୍ତଳ ଖଣ୍ଡିକ ହଜିଲା,
ବଡ଼ ବୋହୁ ଲୁଗା କାଚରୁ କାଚୁରୁ
ସାନ ବୋହୂ ଲୁଗା ଭିଜିଲା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, December 13, 2018

ନୟାଗଡ଼ ଅଞ୍ଚଳର ପିଲାଙ୍କ ଗୀତ -  'ଏକ ତରା ଭାଇ ଦୁଇ ତରା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


୧୮୧୦ ମସିହାରେ କିଶନଗଡ଼ରେ ଅଙ୍କିତ ଚିତ୍ର (ୱିକିମିଡ଼ିଆ କମନ୍ସ୍) 

ଏକ ତରା ଭାଇ ଦୁଇ ତରା
ନିମଗଛମୂଳେ ଖଟଣି ଘୋଡ଼ା ।
ପାଇକର ଭାଇ ବଡ଼ ବିନ୍ଧାଣି
ମାରେ ଚାପୁଡ଼ା ତୋଳେ ପାଣି ।
ଅଇରି ମଇରି ଖଇରି କାତି
ରଜାଙ୍କ ଘର ପାଟ ହାତୀ ।
ପାଟ ହାତୀର ବହୁତ ଗୁଣ
ଘୁଙ୍ଗୁର ବାଜେ ରୁଣ ଝୁଣ ।
କିଆବୁଦା ମୂଳେ ଦଉଡ଼ି
ପାଟ ମାଆ ଗାଧୋଇ ଗଲେ
ବାଘ ନେଲା ଘଉଡ଼ି ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, December 12, 2018

ନେପାଳର ବୁଢ଼ା

ଜଗନ୍ନାଥ ପ୍ରସାଦ ଦାସ


୭୩ ବର୍ଷ ବୟସରେ ଏଡ଼ୱାାର୍ଡ଼୍ ଲିଅର୍ କୃତ ଏକ ଲିଥୋଗ୍ରାଫ ପଦ୍ଧତିର ଆତ୍ମଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏକଦା ବୁଢ଼ାଟି ଥିଲା ଘର ତା'ର ନେପାଳ
ଘୋଡ଼ାରୁ ପଡ଼ିଲା ଦିନେ ହୋଇ ଗଲା ଦି ଫାଳ
ଅତି ଟାଣ ଅଠା ଆଣି
ଯୋଡ଼ି ଦେଲେ ତା'କୁ ପୁଣି
ହୋଇଗଲା ଠିକଠାକ ଏପରି ତା' କପାଳ ।

(ଏଡ଼ୱାର୍ଡ଼ ଲିଅର୍‌ଙ୍କ ଲିମେରିକର ଅନୁବାଦ)
ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Tuesday, December 11, 2018

ୟେତିର ପ୍ରଳାପ

ଜଗନ୍ନାଥ ପ୍ରସାଦ ଦାସ


ୟେତିର ଛବି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ତସରିପୁ ନମାସନ
ରଦ ଚାଲି କସ୍ତୁୟାବ
ହୁତ ଫିକ ଇବାନ ସତ
ଘଟ ସଙ୍ଗ ସ୍ନୀ ହୁ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, December 10, 2018

ନାନାବାୟା

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରଡ଼ିଟ - ୱିକିମିଡିଆ କମନ୍ସ୍ 

କକବାୟା କୋକମିନା କୋକୁଆ
ଧୂସରଧୂମାକୁ ଦେଖି ଭକୁଆ
ଚିରଗୁଣୀ ପିଶାଚିନୀ ଡାହାଣୀ
କୁଣ଼୍ଡାଭୂଷୁଣ୍ଡୀ ଆଗଚୋରଣୀ

ଯାହାର ପ୍ରଳାପ  ଶୁଣି
ପଳାନ୍ତି ଏ ସମସ୍ତେ
ସେଇ ୟେତିକୁ ବାବା
ନମସ୍ତେ ନମସ୍ତେ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Sunday, December 09, 2018

ସତ୍ୟାସତ୍ୟ

ଜଗନ୍ନାଥ ପ୍ରସାଦ ଦାସ


ଜେମ୍ସ୍ ଫର୍ଗୁସନ୍‌ଙ୍କର 'ଯାନ୍ତ୍ରିକ ବିରୋଧାଭାଷ' (ୱିକିମିଡିଆ କମନ୍ସ୍)

ଏକମାତ୍ର ସତ୍ୟ କଥା ଶୁଣି ନିଅ
ହେ ମୋର ଅପତ୍ୟ
ମୁଁ ତୁମକୁ ଯାହା ସବୁ କହୁଚି ତା'
ସମ୍ପୂର୍ଣ୍ଣ ଅସତ୍ୟ । 

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Saturday, December 08, 2018

ମେଗାସ୍ଥିନିସ୍‌ଙ୍କ ଭାରତ ବିବରଣ

କେଦାରନାଥ ମହାପାତ୍ର


କର୍ଣ୍ଣାଟକସ୍ଥ ଶ୍ରବଣବେଲାଗୋଲାଠାରେ ସ୍ଥିତ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ନିର୍ବାଣସ୍ଥଳ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗ୍ରୀକ୍‌ଦୂତ ମେଗାସ୍ଥିନିସ୍ ଚନ୍ଦ୍ରଗୁପ୍ତଙ୍କ ଶାସନ ଓ ପାଟଳୀପୁତ୍ର ସମ୍ୱନ୍ଧରେ ଗୋଟିଏ ବଡ ଗ୍ରନ୍ଥ ଲେଖି ଥିଲେ । ଗ୍ରନ୍ଥର ଅଧିକାଂଶ ନଷ୍ଟ ହୋଇ ଯାଇଛି, ତାହାର କେତେକାଂଶ ଆଜିକାଲି ମିଳୁଛି । ସେଥିରୁ ନିମ୍ନୋକ୍ତ ବିଷୟ ଜଣା ଯାଏ ।

ପାଟଳୀପୁତ୍ର ବା ପାଟଣା ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା । ଏହା ନଅ ମାଇଲ ଲମ୍ୱ ଓ ପ୍ରାୟ ଦୁଇ ମାଇଲ ଓସାର ଥିଲା । ଏହାର ଚତୁର୍ଦ୍ଦିଗରେ ଗୋଟିଏ ସୁଦୃଢ଼ ପ୍ରାଚୀର ଥିଲା । ଏହି ପ୍ରାଚୀରରେ ୫୭୦ଟି ଗମ୍ୱୁଜ ଓ ୬୪ଟି ଫାଟକ ଥିଲା । ପ୍ରାଚୀର ଚାରି ପଟେ ଗୋଟିଏ ଗଭୀର ପରିଖା ବା ଗଡ଼ଖାଇ ଥିଲା । ଏହି ଖାଇଟି ସର୍ବଦା ଜଳପୂର୍ଣ୍ଣ ରହୁ ଥିଲା । ନଗର ମଧ୍ୟରେ ରାଜାଙ୍କର ଗୋଟିଏ ପ୍ରକାଣ୍ଡ ରାଜବାଟୀ ଥିଲା । ରାଜବାଟୀଟି କାଠରେ ତିଆରି ହୋ ଇଥିଲା ଓ ସୁନ୍ଦର କାରୁକାର୍ଯ୍ୟ ଖଚିତ ଥିଲା । ରାଜସଭାର ଆଡ଼ମ୍ୱର ଅତି ଚମତ୍କାର ଥିଲା । ସଭାଗୃହର କାନ୍ଥମାନଙ୍କରେ ସୁନାତିଆରି ଲତାମାନଙ୍କରେ ନାନାରତ୍ନନିର୍ମିତ ପକ୍ଷୀସବୁ ଖଞ୍ଜା ହୋଇ ଥିଲେ ।

ରାଜବାଟୀର ବାସନସବୁ ସୁନାରେ ତିଆରି ହୋଇ ଥିଲା । ରାଜା ସୁନାର ପାଲିଙ୍କିରେ ଯିବା ଆସିବା କରୁ ଥିଲେ ଓ ବହୁମୂଲ୍ୟ ପୋଷାକ ପିନ୍ଧୁ ଥିଲେ । ତାଙ୍କୁ ଜଗିବା ସକାଶେ ସ୍ତ୍ରୀ ପ୍ରହରୀମାନେ ନିଯୁକ୍ତ ଥିଲେ । ମେଷ, ବୃଷ, ହସ୍ତୀ, ଗଣ୍ଡାରମାନଙ୍କର ଯୁଦ୍ଧ ଓ ଶିକାର ରାଜାଙ୍କର ବଡ ପ୍ରିଟ ବ୍ୟସନ ଥିଲା ।

ପାଟଳୀପୁତ୍ରର ଶାସନଭାର ଗୋଟିଏ ୩୦ ଜଣିଆ କମିଟି ବା (ମ୍ୟୁନିସିପାଲିଟି) ହାତରେ ଥିଲା । ଏହି ସଭାଟି ଛଅଟି ପଞ୍ଚାୟତରେ ବିଭକ୍ତ ହୋଇ ଥିଲା । ପଞ୍ଚାୟତମାନଙ୍କର କାମ ବଣ୍ଟା ହୋଇ ଥିଲାସେମାନେ ବିଦେଶୀମାନଙ୍କର ଯତ୍ନ ନେଉ ଥିଲେ । ଜନ୍ମମୃତ୍ୟୁର ତାଲିକା ରଖୁ ଥିଲେ । ବିକ୍ରୀ ଜିନିଷ ଉପରେ ତୋଳା ଅସୁଲ କରୁ ଥିଲେ । ବାଣିଜ୍ୟ ବ୍ୟବସାୟ ଓ କୁଟୀରଶିଳ୍ପର ତତ୍ତ୍ୱ ନେଉ ଥିଲେ । ଏହା ଛଡ଼ା ସେମାନେ ରାସ୍ତା, ଘାଟ, ମନ୍ଦିର ଓ ସହରର ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ଦେଉ ଥିଲେ ।

ଚନ୍ଦ୍ରଗୁପ୍ତଙ୍କର ପ୍ରକାଣ୍ଡ ଚତୁରଙ୍ଗବଳ ଥିଲା । ସେଥିରେ ଛଅ ଲକ୍ଷ ପଦାତି, ୩୦ ହଜାର ଅଶ୍ୱାରୋହୀ, ନଅ ହଜାର ଗଜାରୋହୀ ଓ ବହୁସଙ୍ଖ୍ୟକ ରଥ ଥିଲା । ଏହା ବ୍ୟତୀତ ଅନେକ ନୌସୈନ୍ୟ ମଧ୍ୟ ଥିଲେ । ଯୁଦ୍ଧକ୍ଷେତ୍ରକୁ ଜିନିଷପତ୍ର ଯିବାର ସୁବ୍ୟବସ୍ଥା ଥିଲା । ଏହା ଛଅଟି ବିଭାଗ ଓ ଛଅଟି ପଞ୍ଚାୟତ ହାତରେ ଥିଲା । ସୈନ୍ୟମାନେ ସୁଶିକ୍ଷିତ ଥିଲେ । ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜକୋଷରୁ ଦିଆ ଯାଉ ଥିଲା ।

ରାଜ୍ୟର ଖବର ରଖିବା ପାଇଁ ଅନେକ ଗୁପ୍ତଚର ନିଯୁକ୍ତ ହୋଇ ଥିଲେ । ଆଇନ କାନୁନ ବଡ଼ କଡ଼ା ଥିଲାଚୋରି, ଡକାୟତି, ବ୍ୟଭିଚାର, ଠକାମି, ଜାଲ୍‌, ଜୁଆ, ଚୋରି, ମିଥ୍ୟାସାକ୍ଷ୍ୟ ପ୍ରଭୃତି ଦୋଷ ପାଇଁ କଠିନ ଦଣ୍ଡ ଦିଆ ଯାଉ ଥିଲା; ତେଣୁ ଦେଶରେ ଚୋରି ଡକାୟତି ହେଉ ନ ଥିଲା ଓ ଲୋକମାନେ ସୁଖଶାନ୍ତିରେ ଥିଲେ । ଲୋକମାନେ ସତ୍ୟବାଦୀ ଓ ସାହସୀ ଥିଲେ ଏବଂ ପବିତ୍ର ଭାବରେ ଜୀବନ ଯାପନ କରୁ ଥିଲେ । ଦେଶ ଧନ ରତ୍ନରେ ପରିପୂର୍ଣ୍ଣ ଥିଲା ।

ରାଜ୍ୟର ଚାରିଆଡ଼କୁ ଯିବା ପାଇଁ ରାସ୍ତାମାନ ତିଆରି ହୋଇ ଥିଲା । ରାସ୍ତାମାନଙ୍କରେ ଦୂରତ୍ୱ ଜାଣିବା ପାଇଁ ପ୍ରତି ଅଧ କୋଶରେ ଖୁଣ୍ଟିମାନ ପୋତା ହୋଇ ଥିଲା । ପାଟଳୀପୁତ୍ରଠାରୁ ଉତ୍ତର ପଶ୍ଚିମ ସୀମାନ୍ତ ପର୍ଯ୍ୟନ୍ତ ଗୋଟିଏ ଚଉଡ଼ା ଓ ମଜବୁତ ରାସ୍ତା ଥିଲା । ଜଳସେଚନ କାର୍ଯ୍ୟର ତତ୍ତ୍ୱ ନେବା ପାଇଁ କେତେକ କର୍ମଚାରୀ ଥିଲେ ଏ ସମସ୍ତ ପାଠ କଲେ ଜଣା ଯାଏ, ଚନ୍ଦ୍ରଗୁପ୍ତ ପ୍ରାଚୀନ ଭାରତର ଜଣେ ବିଖ୍ୟାତ ସମ୍ରାଟ ଥିଲେ । ସେ ଖ୍ରୀ: ପୂ: ୨୯୮ ପର୍ଯ୍ୟନ୍ତ ରାଜତ୍ୱ କରି ଥିଲେ ।

ବି.ଦ୍ର. - ଏହି ଲେଖାଟି 'ଅଭିନବ ଭାରତ ଇତିହାସ' ବହିରୁ ନିଆଯାଇଛି । ପୁସ୍ତକଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ୬ଷ୍ଠ ଓ ୭ମ ଶ୍ରେଣୀ ନିମନ୍ତେ ପାଠ୍ୟପୁସ୍ତକ ଭାବରେ ଲିଖିତ ଓ ଷ୍ଟ୍ୟୁଡ଼େଣ୍ଟ୍‌ସ୍ ଷ୍ଟୋର୍‌ଙ୍କ ଦ୍ୱାରା ୧୯୩୮ ମସିହାରେ ପ୍ରକାଶିତ । ସୃଜନିକ ସଂସ୍ଥାଙ୍କ ସୂତ୍ରରୁ ବହିଟି ମିଳିଥିବାରୁ ଆମେ ତାଙ୍କ ପାଖରେ କୃତଜ୍ଞ ।

Friday, December 07, 2018

ନବରଙ୍ଗ ମହାନ୍ତି

ଜଗନ୍ନାଥ ପ୍ରସାଦ ଦାସ


ଜର୍ଜିନ୍ ଫ୍ରାନ୍ସୁଆଙ୍କର ଚିତ୍ର 'ଅନନ୍ତକୁ ତିନଟି ପଥ' (ୱିକିମିଡିଆ କମନ୍ସ୍)

ବାରଙ୍ଗର ବଡ଼ଲୋକ ନବରଙ୍ଗ ମହାନ୍ତି
ତାଙ୍କ ଘର ଖୋଜି ଗଲେ ପ୍ରଥମରେ ବାଁ ହାତି,
ତା' ପରେ ଡାହାଣକୁ ପୁଣି ଥରେ ବାଁ
ଯାହାକୁ ପଚାର ଜାଣେ ବାବୁଙ୍କର ନାଁ
ପହଞ୍ଚି ଦେଖିବ କିନ୍ତୁ ବାବୁ ଘରେ ନାହାନ୍ତି । 

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Thursday, December 06, 2018

ସରଳାର୍ଥ

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦିନ ମାନେ ଅହ୍ନ କାକ ମାନେ ବାୟସ
ମୁଖ ମାନେ ବଦନ ମାଂସ ତ ରସ 
ଓଟ ମାନେ ଧୂସକ ପେଚା ମାନେ ଧୂକ
ସାପମାନେ ଜିହ୍ନଗ ହେଟା ବାଘ ବୃକ
ବାର୍ହା ମାନେ ଘୃଷ୍ଟି ବଗ ମାନେ କହ୍ୱ
ମାଙ୍କଡ଼ ପ୍ଲବଗ ମୟୁର ବର୍ହ
ଅଧୀନ ନିଘ୍ନ ଓ କଠୋର ତିଗ୍ମ
ପାଠ ସବୁ ଏଥରକ ସରଳ ଅଜିହ୍ନ

(ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀରେ ଥିବା 'କୋଣସି ଦିନରେ ବି ଗୋଟିଏ ଅହ୍ନ' ଦ୍ୱାରା ଅନୁପ୍ରାଣିତ ।)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Wednesday, December 05, 2018

ପିଲାଙ୍କ ଗୀତ -  'ଦୋଳି ତ ଦୋଳି'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


୧୫୮୯ରେ ଅଙ୍କିତ ବାବରନାମାର ଅଳଙ୍କରଣ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୋଳି ତ ଦୋଳି ପବନ ଦୋଳି
ଦୋଳି କି ଦୋଳି ଖଜୁରିକୋଳି
ଜାଉ ମାଗୁଛୁ ନା ଭାତ ମାଗୁଛୁ
ମାଗୁଛି ଖଜୁରିକୋଳି ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Tuesday, December 04, 2018

ପିଲାଙ୍କ ଗୀତ -  'ବାଇ ଚଢ଼େଇ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବାଇ ଚଢ଼େଇରେ ବାଇ ଚଢ଼େଇ
ଅଗଡାଳେ କଲୁ ବସା,
ସଖା ନାହିଁ କି ସୋଦର ନାହିଁ
ଏକା ଗୋବିନ୍ଦ ଭରସା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, December 03, 2018

କଥା ଉଠେ

ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଛୁରୀ ଚାଲେ ହାଟ ବସେ
ଷଣ୍ଢ ଖାଏ କାଙ୍କଡ଼
ପେଟ କାଟେ ଦେହ ଜଳେ
ପୋଡ଼ିଯାଏ କପାଳ 

ମେଘ ଉଠେ ଖରା ପଡ଼େ
ଉଠେ ପଡ଼େ ବଜାର
ମଉଜ ବାହାରି ଯାଏ
ଛାତି ଫାଟି ହଜାର

ଛାଇ ଲେଉଟିଲେ ବେଳ ଗଡ଼ି ଯାଏ
ରାତି ମାଡ଼ି ପଡ଼େ ମନ ମରି ଯାଏ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

ପାଗଳ କବି

ଜଗନ୍ନାଥ ପ୍ରସାଦ ଦାସ


ଟିତ୍ର - 'ପାଗଳାମି' (ୱିକିମିଡିଆ କମନ୍ସ୍)
ଚିତ୍ରକର - ଏଲିହୁ ଭେଡ୍ଡର୍ (୧୮୩୬-୧୯୨୩)

ଆଜ୍ଞା, ମୁଁ ମାନୁଛି ଅଛି ବିଧାନ
ସବୁ କବିମାନେ ପାଗଳ ମତି
କିନ୍ତୁ ଆପଣ ତ ନିଜେ ପ୍ରମାଣ
ପାଗଳ ସମସ୍ତେ କବି ନୁହନ୍ତି ।
(ଇଂରାଜିରୁ ଅନୁବାଦ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

ଦାଢ଼ିବାଲା ବୁଢ଼ା

ଜଗନ୍ନାଥ ପ୍ରସାଦ ଦାସ



ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଥିଲା ଏକଦା ବୁଢ଼ା ସେ ଦାଢ଼ିବାଲା
କହିଲା, 'ଯାହା ଡରୁଥିଲି ମୁଁ ହେଲା
ଦୁଇଟି ପେଚା କୁକୁଡ଼ା ଏକ,
ଚାରିଟି ଚିଲ ଗୋଟିଏ ବକ,
ଦାଢ଼ିରେ ମୋର ପକାଇଲେଣି ଡେରା'
(ଏଡୱାର୍ଡ଼ ଲିଅର୍‌ଙ୍କର ଏକ ଲାଳିକାର ଅନୁବାଦ)

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Monday, November 26, 2018

ପିଲାଙ୍କ ଗୀତ -  'ଝୁଲ୍ ପଣ୍ଡା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଜାପାନୀ କଳାକାର ହୋକୁସାଇଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଝୁଲ୍ ପଣ୍ଡା ଝୁଲ୍ ପଣ୍ଡା
ଝୁଲୁ ଝୁଲୁ ଖାଏ ଛେନା ମଣ୍ଡା
ନ ଝୁଲିଲେ ଖାଏ ଗୁଲି ମଣ୍ଡା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Sunday, November 25, 2018

ପିଲାଙ୍କ ଗୀତ -  'କୁଆ ମୋର ବେଙ୍ଗକୁ ନେଲା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୁଆ ମୋର ବେଙ୍ଗକୁ ନେଲା
ଗୋଡ଼ ଦୁଇ ଖଣ୍ଡ ହଲାଇ ଦେଲା
ତା ଧେଇ ଲୋ ତା ଧେଇ
ତାଟି କାଢ଼ ଭାତ ବାଢ଼
ମୁଁ ଯାଉଛି ଗାଧୋଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, November 19, 2018

ପିଲାଙ୍କ ପାଇଁ କବିତା - 'ରାଜା'

କବି - ଜଗନ୍ନାଥ ପ୍ରସାଦ ଦାସ


ମୂଳନିବାସୀ ଆମେରିକୀୟଙ୍କର ତାସ ପତ୍ର (ୱିକିମିଡିଆ କମନ୍ସ୍)

ଇତିହାସ ଭୁଲିଯିବ ତଥାପି
କିଛି ରାଜା ରହିଯିବେ ନିହାତି
କଳାପାନ ନାଲିପାନ
ପୁରୀ, ବାଲି, ବିଲାତୀ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

ପିଲାଙ୍କ ପାଇଁ କବିତା - 'ଜନଗଣ'

କବି - ଜଗନ୍ନାଥ ପ୍ରସାଦ ଦାସ


ପଞ୍ଚଦଶ ଶତାବ୍ଦୀରେ ଅଙ୍କିତ ଭାରତୀୟ କ୍ଷୁଦ୍ରଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବଙ୍ଗଳାରେ ବସି ଅନାଇ ଦେଖ
କିଏ ଯାଏ କାହିଁ କି ଭଳି ଭେକ:

ବାବୁ ଯାଉଛନ୍ତି ପଞ୍ଜାବୀ ପିନ୍ଧି
ତସ୍କର ଯାଉଛି କାଟିବ ସିନ୍ଧି ।

ଗୁଜୁରାତୀ ଖାଇ କେ କରେ ମଜା
ଆସାମୀକୁ ହେଲା ଛ' ମାସ ସଜା ।

ତାମିଲି ବସିଛି ଦୋକାନ ଖୋଲି
ଓଡ଼ିଆଣୀ ନାଇ ଆସୁଛି ଗୋରୀ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, November 17, 2018

ପିଲାଙ୍କ ଗୀତ -  'କଦଳୀଗଛରେ କୁଆମଇତା'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ

  
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଦଳୀ ଗଛରେ କୁଆମଇତା
ଲିପି ରୁଷି ଗଲେ କିଏ ଯାଆନ୍ତା ?

ଯାଆରେ ବାବୁ ଘୋଡ଼ାରେ ଚଢ଼ି
ଝିଅକୁ ଆଣିବୁ ଗୋଡ଼ ତଳେ ପଡ଼ି ।

ଲିପି ଆଣିଥିବ କୋରା ମିଠେଇ
ବାଟରେ ଖାଇବ ପେଡ଼ି ଫିଟେଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Friday, November 16, 2018

ପିଲାଙ୍କ ଗୀତ -  'ପାଚିଲା ଆମ୍ବରୁ ଫାଳେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'ଉମାନ୍ ୱିଥ୍ ମାଙ୍ଗେ' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ପଲ୍ ଗଗାଁ (୧୮୪୮ - ୧୯୦୩)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାଚିଲା ଆମ୍ବରୁ ଫାଳେ
ବାପା ଡାକୁ ଥିଲେ ଦାଣ୍ଡ ଦୁଆରେ ଲୋ
ମୋ ଧନ ନାହାନ୍ତି ଘରେ ।

ପିତାଶାଗ ବୁଦି ବୁଦି
ମୋ ଧନ ଗୋଡ଼ରେ ଯାଉଁଳି ମୁଦି
ଚାଲୁଥିବେ କୁଦି କୁଦି ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, November 15, 2018

ବାଲେଶ୍ୱରର ପିଲାଙ୍କ ଗୀତ -  'ଗଡ଼ିଆର ଚାରି ପାଖେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଚିତ୍ର - 'କପା ତୋଳାଳୀ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ୱିଲିଅମ୍ ୱାକର୍ (୧୮୩୯ - ୧୯୨୧)

ଗଡ଼ିଆର ଚାରି ପାଖେ ବୁଣିଲି ସୋରିଷ
ସୋରିଷର ମଜା ନେଲା ମହୁରାଳି ମାଛ ।

ଗଡ଼ିଆର ଚାରି ପାଖେ ବୁଣିଲି ଧନିଆ
ଧନିଆର ମଜା ନେଲା ବିଦେଶୀ ବଣିଆ ।

ଗଡ଼ିଆର ଚାରି ପାଖେ ବୁଣିଲି ମୁଁ କପା
ଡାଳ ଭାଙ୍ଗି ଫୁଲ ତୋଳିଲା ରାଧିକାର ଅପା ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, November 14, 2018

ଚଣ୍ଡିଖୋଲ ଅଞ୍ଚଳର ପିଲାଙ୍କ ଗୀତ -  'ସାତ ତାଳ ପାଣି ତଳେ'

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାତ ତାଳ ପାଣି ତଳେ
ଶଙ୍ଖ ମଲ ମଲ ଘରେ
ତୁଳି ଶେଯ ଉପରେ ଶୋଇ
ମୋ କୁନୁ ଦେଖେ ସପନ
ଘୋଡ଼ା ଚଢ଼ି ଆସୁଛନ୍ତି
ମୋର କୁନି ରତନ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Monday, November 12, 2018

ପିଲାଙ୍କ ପାଇଁ କବିତା - 'ଖରା ଯେ ଖରା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଝାରସୁଗୁଡ଼ାରେ ଗରମ ଅତି
ଖଇ ଫୁଟୁଥାଏ ଏ ଭଳି ତାତି ।

ସେ ଦିନ ଦେଖିଲି ମଝି ସଡ଼କ
ଧପାଲି ଚାଲିଛି ଗୋଟିଏ ଲୋକ ।

ଦିନ ଦି' ପହରେ ପ୍ରବଳ ଖରା
ତରଳି ଗଲାଣି ଦେହଟା ପୂରା,

ତଥାପି ଆଗକୁ ଯାଇଛି ମାଡ଼ି
ତରତର ତା'ର ଚୁଟିଟି ଖାଲି । 

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Sunday, November 11, 2018

ପିଲାଙ୍କ ପାଇଁ କବିତା - 'ଲୁଚାଛପା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚୁପଚାପ ରହିଥାଏ କାହାକୁ ମୁଁ ନ ଜଣାଇ କିଛି
କାହିଁକି କହିବି କହ କାହା ସାଙ୍ଗେ କଥା ମିଛାମିଛି ? 

ତମେ ଯଦି ପଚାରିବ ଜାଣିବାକୁ କ'ଣ ମୋର ନାମ
ମୁଁ କହିବି, "କହିବିନି କେବେ ହେଲେ ମୋର ନାଁ ରାମ?"

ତମେ ଯଦି ପଚାରିବ ଜାଣିବାକୁ କେତେ ମୋ ବୟସ
ମୁଁ କହିବି, "କିସ ହେବ ଜାଣିଲେ ମୋ ବୟସ ତେଇଶ ।"

କ'ଣ କରୁଛି ବୋଲି ଲାଗିଛ ମୋ ପଛେ, ଆଚ୍ଛା ଲୋକ !
ହେଲା, ନିଅ, ଶୁଣ ଏଇ କବିତାର ଆଠ ଧାଡ଼ି ଯାକ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Saturday, November 10, 2018

ପିଲାଙ୍କ ପାଇଁ କବିତା - 'କାଇଲା ଝିଅ'

କବି - ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ନିଆଁ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ଜନ୍ କୋଲିଅର୍ (୧୮୫୦ - ୧୯୩୪)

ଯେ ଯାହା ଦେଲା ଖାଇଲା
ଯେଉଁଠି ହେଲେ ଶୋଇଲା
ନିଆଁରେ ଜଳି ଘାଇଲା
ବାପ ଘରକୁ ଯାଇଲା ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Friday, November 09, 2018

ପିଲାଙ୍କ ଖେଳ ଗୀତ -  'ତାଇ ତାଇ ତାଇ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


ଉତାଗାୱା କୁନିସାଦା ଓ ହିରୋସିଗେଙ୍କର ଯୁଗ୍ମ ଚିତ୍ର (ଉନବିଂଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତାଇ ତାଇ ତାଇ
ମାମୁଁ ଘର ଯାଇ
ମାମୁ ଦେଲା ଦହି
ଗୁହାଳେ ବସି ଖାଇ
ମାଈଁ ଅଇଲା ଝାଣ୍ଟା ଲେଇକି
ଦଉଡ଼ି ପଳାଇ ଯାଇ ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Thursday, November 08, 2018

ପିଲାଙ୍କ ଖେଳ ଗୀତ -  'ଅଟର ମଟର କାଉଁରିଆ' 

ସଙ୍ଗ୍ରାହକ - ରାମକୃଷ୍ଣ ନନ୍ଦ


କାଉଁରିଆ ଯୋଗାଉ ଥିବା ନଳିତା ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଅଟର ମଟର କାଉଁରିଆ
ତୋ ପୁଅ ନାଁ ବାଉରିଆ ।

ବାଉରିଆ ଗଲା ମାଛ ଧରି
ଆଣିଲା ଶେଉଳ ଗୋଟେ ମାରି ।

ଅଧେ କଲା ଭଜା, 
ଅଧେ କଲା ସିଝା,
ତୋ' ଭଉଣୀ ରାଣୀ ଲୋ, 
ମୋ' ଭାଇ ରଜା ।

ରଜା ପୁଅ ବଗୁଲା
ସେଇଟା ବଡ଼ ଚଗଲା ।
ଆସିଲା ଦିନେ ଘୋଡ଼ା ଚଢ଼ି
ପଡ଼ିଲା ସେ ମୁହଁ ମାଡ଼ି ।

ବାଜିଲା ଢୋଲ ବାଜା,
ପିଲେ ମାଇଲେ ମଜା,
ତୋ' ଭଉଣୀ ରାଣୀ ଲୋ, 
ମୋ' ଭାଇ ରଜା  ।

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Wednesday, November 07, 2018

ପିଲାଙ୍କ ପାଇଁ କବିତା - 'ଧନ୍ଦା'

କବି - ଜଗନ୍ନାଥ ପ୍ରସାଦ ଦାସ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଖାଇବା ଟେବୁଲ ଉପରେ ଥୁଆ
ତିମି, ହାଡ଼, ମାଛ, କୋଚିଲା, କୁଆ ।

କହି ପାରିବ କି ଏଥିରୁ ଖୋଜି
କାହା ପାଇଁ ଥିଲା ଏ ଭଳି ଭୋଜି ।

ଧନ୍ଦା: ଟେବୁଲ ଉପରେ ଖାଇବା ପାଇଁ ଥିବା ପାଞ୍ଚଟି ଜିନିଷରୁ ପ୍ରଥମ ଜିନିଷ 'ତିମି' ଥିଲା 'ତିମିଙ୍ଗଳ' ପାଇଁ । ତିମିଙ୍ଗଳ ହେଉଛି ତିମିକି ଗିଳି ଦେଲା ଭଳି ଅତି ବୃହତ୍ କାଳ୍ପନିକ ସାମୁଦ୍ରିକ ଜନ୍ତୁ ।

ବି.ଦ୍ର. - ଏହି କବିତାଟି ଜଗନ୍ନାଥ ପ୍ରସାଦ ଦାସ ଲିଖିତ ବହି 'ଆନମାନ'ରୁ ନିଆଯାଇଅଛି । ବହିଟି ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଟାଇମପାସ ୨୦୧୬ ମସିହାର ମାର୍ଚ୍ଚ ମାସରେ ଛପାଇଥିଲେ ।

Tuesday, November 06, 2018

ଗିଜୁଭାଇଙ୍କ ଶିକ୍ଷାଦର୍ଶନ - ନିଜସ୍ୱ ଅଭିବ୍ୟକ୍ତି ଓ ପ୍ରକୃତି ପରିଚୟ

ସମ୍ପାଦନା - ନିଖିଳମୋହନ ପଟ୍ଟନାୟକ


ଅଗଷ୍ଟ ମାକି (୧୮୮୭-୧୯୧୪)ଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଜସ୍ୱ ଅଭିବ୍ୟକ୍ତି

ଗିଜୁଭାଇଙ୍କ ଚିନ୍ତନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଲା ପିଲାମାନଙ୍କର ଅଭିବ୍ୟକ୍ତି । ନିଜକୁ ପ୍ରକାଶ କରିବା ସମସ୍ତଙ୍କ ଜୀବନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ । ମାନବ ଜାତି ଦ୍ୱାରା ଆଜି ଯାହା କିଛି ସୃଷ୍ଟି ହୋଇଛି, ସେ ସବୁ ହିଁ ଏଇ ମାନବ ଜାତିର ଅଭିବ୍ୟକ୍ତି । ଚିତ୍ର, ଗୀତ, କଥା, ନାଟକ, ଲୋକଗୀତ, କଳାକୃତି ସବୁ ଅଭିବ୍ୟକ୍ତିର ବିଭିନ୍ନ ରୂପ ।

ଗିଜୁଭାଇ ତାଙ୍କ ବିଦ୍ୟାଳୟର ପିଲାଙ୍କର ନିଜସ୍ୱ ଅଭିବ୍ୟକ୍ତିର ବିକାଶ ଦିଗରେ ବେଶ୍ ଗୁରୁତ୍ୱ ଦେଉ ଥିଲେ । ପ୍ରତ୍ୟେକ ଅଭିଭାବକ, ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦାୟିତ୍ୱ ହେଲା, ପିଲାମାନଙ୍କର ସୃଜନଶୀଳତାର ବିକାଶ ଦିଗରେ ସେମାନଙ୍କୁ ସହଯୋଗ କରିବା । ପିଲାମାନଙ୍କୁ ଜୋର କରି କିଛି କରିବାକୁ ବାଧ୍ୟ କରା ଗଲେ ସେମାନଙ୍କର ଲାଭ ନୁହେଁ, ବରଂ କ୍ଷତି ହୋଇ ଥାଏ ।

ପ୍ରକୃତି ପରିଚୟ

ପ୍ରକୃତି ପରିଚୟ ମାଧ୍ୟମରେ ପିଲାଙ୍କ ବିକାଶ ଗିଜୁଭାଇଙ୍କର ଦର୍ଶନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ପଶୁପକ୍ଷୀ ତଥା ଉଭିଦ ସହ ପରିଚୟ, ଆକାଶରେ ତାରା ଚିହ୍ନିବା, ପ୍ରଜାପତିଙ୍କର ଜୀବନ ପ୍ରଣାଳୀ, ଚଢ଼େଇମାନଙ୍କର ବସା ଖୋଜିବା, ଅଣ୍ଡାଗୁଡ଼ିକୁ ନିରୀକ୍ଷଣ କରିବା ଆଦି ବିଭିନ୍ନ କାର୍ଯ୍ୟ ଗିଜୁଭାଇଙ୍କ ବିଦ୍ୟାଳୟର କାର୍ଯ୍ୟକ୍ରମରେ ରହୁ ଥିଲା । ପ୍ରକୃତି ଶିକ୍ଷା ମାଧ୍ୟମରେ ପିଲାମାନଙ୍କ ମନରେ ଧୈର୍ଯ୍ୟ ତଥା ଶ୍ରଦ୍ଧା ଉତ୍ପନ୍ନ ହୋଇ ଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ, ପିଲାଟିଏ ଏକ ସୁସ୍ଥ ସାମାଜିକ ପ୍ରାଣୀ ଭାବରେ ବଢ଼ି ଉଠିବା ଦିଗରେ ପ୍ରକୃତି ଶିକ୍ଷା ଅନେକାଂଶରେ ସହାୟକ ହୋଇ ଥାଏ ।

ପ୍ରକୃତି ଶିକ୍ଷା ଦ୍ୱାରା ନୀତି ଶିକ୍ଷା ବି ହୋଇ ଥାଏ । ପ୍ରାଣୀ ଓ ଉଭିଦଙ୍କ ବିକାଶ ନିରୀକ୍ଷଣ କରୁ କରୁ ପିଲା ମଣିଷର ବିକାଶ ଦିଗରେ ଆଗ୍ରହୀ ହୁଏ । ଜୀବମାନଙ୍କ ସହ ସେ ଆତ୍ମିୟତାର ସମ୍ପର୍କ ଯୋଡ଼େ । ବଗିଚା କାମ ଓ ଜୀବଜନ୍ତୁ ପାଳିବା ଦ୍ୱାରା ପିଲାର ନୈତିକ ବିକାଶ ହୁଏ । ସେ ନିଜ ବାପା ମା’ ତଥା ଶିକ୍ଷକଙ୍କ ହୃଦୟ ଚିହ୍ନିବାକୁ ଲାଗେ । ବୈଜ୍ଞାନିକ ତଥ୍ୟ ପାଇବାର ମାଧ୍ୟମ ଭାବରେ କୌଣସି ଜିନିଷକୁ ନିରୀକ୍ଷଣ କରିବାର କ୍ଷମତା ମଧ୍ୟ ତାର ବଢ଼େ । ବହି ପଢ଼ି ଏସବୁ ଯେତେ ନ ବଢ଼େ, ପ୍ରାଣୀ ଉଭିଦ ଆଦିର ବିକାଶକୁ ଲକ୍ଷ୍ୟ କରି ତାହା ଠାରୁ ବେଶୀ ବଢ଼େ । ପ୍ରକୃତି ପିଲାକୁ ଉଦାରତା ଏବଂ ସମସ୍ତଙ୍କୁ ସମାନ ନଜରରେ ଦେଖିବା ଶିଖାଇ ଥାଏ।

ବି.ଦ୍ର.: ଏହି ଲେଖାଟି 'ଗିଜୁଭାଇ ଶିକ୍ଷା ନିଧି' ବହିରୁ ଆନୀତ । ଏହି ପୁସ୍ତକଟି ଭୁବନେଶ୍ୱରର ଜାଗମରା ଠାରେ ସ୍ଥିତ 'ସୃଜନିକା' ସଂସ୍ଥା ଦ୍ୱାରା ୨୦୦୫ ମସିହାର ମାର୍ଚ୍ଚ ମାସରେ ଛପାଯାଇଥିଲା । ବହିଟିର ସମ୍ପାଦକ ହେଲେ ନିଖିଳ ମୋହନ ପଟ୍ଟନାୟକ । ବହିଟିର ଓଡିଆ ଉପସ୍ଥାପନା କରିଛନ୍ତି ପୁଷ୍ପଶ୍ରୀ ପଟ୍ଟନାୟକ, ମମତା ସେନାପତି ତଥା ପଦ୍ମଜା ନନ୍ଦିନୀ ସାହୁ । ବହିଟି ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ସ୍ଥିତ ଶୋଭନ ସଂସ୍ଥା ଛପାଇଥିଲେ । ବହିଟିର ଏହି ସଂସ୍କରଣଟିର ଦାମ ଥିଲା ଷାଠିଏ ଟଙ୍କା ।